Unknown

 

 

 

 

 

 

 

 

 

 

 

ହାଟବଜାରର ବ୍ରହ୍ମଜ୍ଞାନ

ଶ୍ରୀ ମନମୋହନ ଚୌଧୁରୀ

 

 

 

 

 

 

 

 

 

 

 

 

ଜେ.ପି.ଙ୍କ ସ୍ମୃତିରେ

ଦେଶର ନୂଆ ପିଢ଼ି

ହାତରେ ।

 

ଋଣ ସ୍ୱୀକାର

 

ଏ ବହିର ଶେଷ ଫର୍ମା ଯେତେବେଳେ ହାତକୁ ଆସିଲା ସେତେବେଳେ ହଠାତ୍‌ ଖିଆଲ ହେଲା ଯେ ଏ ବହି ଲେଖାସରିବା ପରେ କୋଉ ବାଟେ ପାଞ୍ଚ ବର୍ଷ ବିତିଗଲାଣି । ଏଭଳି ଏକ ବହି ଲେଖି ନିଜର ଚିନ୍ତାଧାରାକୁ ସଜାଡ଼ି ନେବାର ବିଚାର ଅନେକ ଦିନୁଁ ମୁଣ୍ଡରେ ଖେଳୁଥିଲା । ମାତ୍ର ସୁଯୋଗ ମିଳିଲା ୧୯୭୫-୭୬ରେ ଊଣେଇଶ ମାସ ବାଧ୍ୟତାମୂଳକ ବିଶ୍ରାମ ବେଳେ । ୧୯୭୫ ଜୁନ ଶେଷରେ ଅଟକ ହେବାର ସାଙ୍ଗେ ସାଙ୍ଗେ ମତେ ଢେଙ୍କାନାଳ ଜେଲକୁ ପଠାଗଲା । ରହଣି ହେଲା ଜେଲର ଏକ କୋଣରେ ଏକ ଛୋଟିଆ ଏକାଟିଆ ଓ୍ୟାର୍ଡରେ । ବୋଧହୁଏ ବିଶେଷ ବିପଜ୍ଜନକ ମନେକରାଯାଉଥିବା ବ୍ୟକ୍ତିଙ୍କ ପାଇଁ ଏ ନିଭୃତବାସର ବ୍ୟବସ୍ଥା ହୋଇଥିଲା । ପରେ ପରେ ଆସି ଆଉ ଛ’ ସାତ ଜଣ ସାଥୀ ଜୁଟିଲେ । ଏଇ ଛୋଟ ଓ୍ୟାର୍ଡ ଭିତରେ ଆମର ଏକ ଛୋଟ ପରିବାର ଗଢ଼ି ଉଠିଥିଲା ଓ ଚିନ୍ତନ ମନନ, ଲେଖାପଢ଼ି, ବିଚାର ଆଲୋଚନା ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି ହୋଇଥିଲା । ବହିର ମୁଖ୍ୟ ଢାଞ୍ଚାଟା ଏଇଠି ଗଢ଼ି ଉଠିଥିଲା । ଏହା ପରେ କଟକ ଓ ପୁରୀ ଜେଲର ବି ସରକାରୀ ଅତିଥି ସତ୍କାର ବ୍ୟବସ୍ଥା ଚାଖିବାର ସୁଯୋଗ ମତେ ଦିଆଯାଇଥିଲା-। ସେ ସବୁଠିଁ କେତେକ ସହବନ୍ଦୀଙ୍କ ସହିତ ଏ ବହିର କେତେକ ଅଧ୍ୟାୟ ଆଲୋଚନା କରାଯାଇଥିଲା ଓ ସେମାନଙ୍କଠାରୁ ମୂଲ୍ୟବାନ୍‌ ସମାଲୋଚନା ଓ ସୂଚନା ମିଳିଥିଲା । ସେଥିପାଇଁ ମୁଁ ସେମାନଙ୍କଠାରେ ୠଣୀ । ଭାରତର ତଦାନୀନ୍ତନ ଶାସକଙ୍କର ଏହି ‘ଶାପେ ବର’ ଦ୍ୱାରା ଏ ବହିଟି ଲେଖିବାକୁ ସୁଯୋଗ ମିଳିଥିବା ଯୋଗୁଁ ତାଙ୍କର ବି କୃତଜ୍ଞତା ପ୍ରାପ୍ୟ ।

 

ଜେଲରୁ ବାହାରିବା ପରେ ରାଷ୍ଟ୍ରଭାଷା ପ୍ରେସ୍‌ର ଶ୍ରୀ ତ୍ରିଲୋଚନ ଦ୍ୱିବେଦୀ ମୋର ହାତଲେଖା ପାଣ୍ଡୁଲିପିର ନାନାପ୍ରକାରର କଟାକଟି, ଓଲଟା ସିଧା ଯୋଡ଼ାଯୋଡ଼ିର ଜଟିଳତା ଭିତରୁ ପାଠ ଉଦ୍ଧାର କରି ତା’ର ଏକ ସୁସ୍ପଷ୍ଟ ନକଲ କରିଦେଇଥିଲେ । ତାଙ୍କ ସାହାଯ୍ୟ ନ ମିଳିଥିଲେ ବହିଟି ପ୍ରେସ୍‌କୁ ଯିବା ଅବସ୍ଥାରେ ପହଞ୍ଚି ପାରି ନ ଥାନ୍ତା । ପରିଶେଷରେ ରାଷ୍ଟ୍ରଭାଷା ସମବାୟ ପ୍ରକାଶନ ଏ କାଗଜ ଅଭାବ ଓ ଦୁର୍ମୂଲ୍ୟ ଯୁଗରେ ବି ବହିଖଣ୍ତକ ଛାପିବାର ନିର୍ଣ୍ଣୟ କରି ତାହା କାର୍ଯ୍ୟକାରୀ କରିଥିବାରୁ ମୁଁ ତାଙ୍କଠାରେ ବିଶେଷ ଭାବରେ କୃତଜ୍ଞ ।

 

ଲେଖକ

Image

 

ସୂଚିପତ୍ର

 

୧.

ଆରମ୍ଭ କଥା

୨.

କରି କରାଉଥାଏ ମୁହିଁ

୩.

ପରିସଂଖ୍ୟାନର ଭେଳିକି

୪.

ଭକ୍ତି ମାର୍ଗ ଓ ମାନବିକତାବାଦ

୫.

ଭକ୍ତି ଓ ହାସ୍ୟରସ

୬.

ମଣିଷ ଗାଈ

୭.

ମୁକ୍ତି

୮.

ଯନ୍ତ୍ରାରୁଢ଼ାନି ମାୟୟା

୯.

କାୟା ଓ ମାୟା

୧୦.

ତ୍ୟାଗ ଓ ଭୋଗ

୧୧.

କାମବାସନା, ବ୍ରହ୍ମଚର୍ଯ୍ୟ, ସଂଯମ

୧୨.

କାମରୁ କ୍ରୋଧ ଉପୁଜଇ

୧୩.

ଅର୍ଥ ବିଅର୍ଥ ଦୁଇ ସନେ...

୧୪.

ମୁଁ କାର ମାତର...

୧୫.

ଈଶ୍ୱର

Image

 

ଆରମ୍ଭ କଥା

 

ଥରେ ଜଣେ ବନ୍ଧୁ ମତେ ଘଣ୍ଟାଏ କାଳ ତାଙ୍କର ଗୁରୁଙ୍କର ମାହାତ୍ମ୍ୟ ବୁଝାଇଥିଲେ । ସେଥିରେ ଅନେକଗୁଡ଼ିଏ ଘଟଣାର ଅବତାରଣା କରାହୋଇଥିଲା । ମାତ୍ର ମୁଖ୍ୟ ଘଟଣା ଥିଲା ଗୁରୁଙ୍କ କୃପାରୁ ତାଙ୍କର ଇନ୍‌କମ୍‌ ଟିକସ ଫାଙ୍କି ଧରା ନ ପଡ଼ିବା । ସେ ବେପାରୀ ମହଲରେ ପ୍ରଚଳିତବିଧି ମୁତାବକ ଦୁଇକିତା ହିସାବ ଖାତା ରଖନ୍ତି–ଗୋଟିଏ କିତା ନିଜ ପାଇଁ ଓ ଅନ୍ୟଟି ବିକ୍ରି ଟିକସ, ଇନ୍‌କମ୍‌ ଟିକସ ଆଦି ସରକାରୀ ବିଭାଗମାନଙ୍କର ଚିତ୍ତବିନୋଦନ ପାଇଁ । ଥରେ ଏନ୍‌ଫୋର୍ସମେଣ୍ଟବାଲା ତାଙ୍କ ଅଫିସ ଉପରେ ଅଚାନକ ଚଢ଼ଉ କଲେ । ସେ ଦୁଇଟିଯାକ କିତା ହିସାବଖାତା ଟେବୁଲ ଉପରେ ଥୁଆ ହୋଇଥାଏ । ତାହା ଉପରେ ଥୁଆହୋଇଥାଏ ଗୁରୁଙ୍କର ପ୍ରସାଦୀ ଫୁଲ । ତା’ର ପ୍ରଭାବ ଏପରି ଯେ ଏନ୍‌ଫୋର୍ସମେଣ୍ଟବାଲା ତାଙ୍କରି ପାଇଁ ଲେଖା ଖାତା ସାରକ ନେଇ ବହୁତ ଯାଞ୍ଚ-ପଡ଼ତାଳ କଲେ; ମାତ୍ର ଅନ୍ୟ ସାରଟିକୁ ଛୁଇଁଲେ ବି ନାହିଁ ।

 

ଏହା କିଛି ନୂଆ କଥା ନୁହେଁ । ମହାନଦୀ ସେପାରି ଧବଳେଶ୍ୱର ମହାଦେବଙ୍କର ମାହାତ୍ମ୍ୟ ବି ଏହି ପ୍ରକାରର । ଜଣେ ଚୋର ରାତିରେ କାଳିଗାଈଟାଏ ଚୋରେଇ ନେଇ ଯାଉ ଯାଉ ଧରାପଡ଼ିଲା । ତା’କୁ ଓ ଗାଈକୁ ବାନ୍ଧି ରଖାହେଲା ସକାଳେ ରାଜାଙ୍କ ଛାମୁରେ ହାଜର କରାହେବ ବୋଲି । ସେ ଚୋର ରାତିଯାକ ଠାକୁରଙ୍କୁ ଡାକିଲା–ହେ ମାହାପ୍ରୁ, ମତେ ଏ ସଙ୍କଟରୁ ରକ୍ଷା କର । ସକାଳେ ଦେଖିବା ବେଳକୁ ଗାଈଟା ଧଳା ହୋଇଯାଇଛି । ଚୋର ବେକସୁର ଖଲାସ । ସେଇଦିନଠୁଁ ଧବଳେଶ୍ୱର ମହାଦେବଙ୍କର ମହିମା ପ୍ରସିଦ୍ଧ ହେଲା ।

 

ଏବେ ଚାରିଆଡ଼େ କଳାଧନର ସୁଅ ଛୁଟିବାରୁ ସେସବୁକୁ ଧଳା କରିବା ପାଇଁ ଧବଳେଶ୍ୱରଙ୍କ ମହିମା ନିଅଣ୍ଟ ପଡ଼ୁଛି । ସେଥିପାଇଁ ଭଳିକି ଭଳି ଗୁରୁଙ୍କର ଆଶ୍ରା ଖୋଜା ହେଉଛି । କଳାବଜାର, ସରକାରୀ ପଇସା ଭାଗବଣ୍ଟା, ଅଣ୍ଟାଗୁଞ୍ଜା, ଲାଇସେନ୍‌ସ, ପରମିଟ୍‌ ବିକ୍ରି, ରେସନ ଜିନିଷ ହରଣଚାଳ ଓ ଆଉ ଆଉ ପ୍ରକାରର କାରବାର ଯେତେ ଯେତେ ବଢ଼ୁଛି ସଚିବାଳୟ, ମାରୁଆଡ଼ିପଟୀ, ମାଲଗୋଦାମ, କଚେରି ପ୍ରଭୃତିର କର୍ତ୍ତାମାନଙ୍କର ଭିଡ଼ ଗୁରୁଗୋସେଇଁମାନଙ୍କ ପାଖରେ ସେତେ ବଢ଼ିଚାଲିଛି ।

 

ପୂର୍ବକାଳରୁ ଗଜ, ହରିଣୀ, ଦ୍ରୌପଦୀ, ପ୍ରହ୍ଲାଦ ଆଦିଙ୍କୁ ସଙ୍କଟରୁ ଭଗବାନ ତାରିବାର କଥା ପ୍ରସିଦ୍ଧ ରହିଛି । କବିମାନଙ୍କର ଏସବୁ ଷ୍ଟକ୍‌ ଇନ୍‌ ଟ୍ରେଡ୍ । ଏମାନେ ସବୁ ଅନ୍ୟାୟ ଅତ୍ୟାଚାର ଯୋଗୁଁ ବା ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ବିପଦରେ ପଡ଼ିଥିଲେ । ଗଜକୁ କୁମ୍ଭୀର ଧରିଥିଲା, ହରିଣୀ ଶିକାରୀର ଫାନ୍ଦ ଓ ନିଆଁ ଘେରରେ ପଡ଼ିଥିଲା, ଦ୍ରୌପଦୀଙ୍କୁ ମଦାନ୍ଧ ରାଜାଙ୍କ ଦରବାରରେ ବେଜିତ୍‌ କରିବା ଚେଷ୍ଟା ହେଉଥିଲା ଓ ପ୍ରହ୍ଲାଦ ତ ଥିଲେ ସତ୍ୟାଗ୍ରହୀ ଶ୍ରେଷ୍ଠ । ଏମାନଙ୍କୁ ତାରିବାର କାହାଣୀ ହେଲା ଯେ ଦୀନ, ଦରିଦ୍ର, ଅତ୍ୟାଚାରିତ ତା’କୁ ମନୋବଳ ଦେବାର ସାଧନ । ମାତ୍ର ଯେଉଁମାନେ ନିଜର କାରସାଦି ଯୋଗୁଁ ଲକ୍ଷ ଲକ୍ଷ ବା କୋଟି କୋଟି ଲୋକଙ୍କର ଦୁଃଖ-ଦୁର୍ଦ୍ଦଶା, ରୋଗବ୍ୟାଧି ଓ ଅନାହାର-ମୃତ୍ୟୁର କାରଣ ହେଉଛନ୍ତି ସେମାନେ ନିଜକୁ ମୃଗୁଣୀ, ଗଜେନ୍ଦ୍ର ଓ ପ୍ରହ୍ଲାଦଙ୍କର ସମକକ୍ଷ ମନେକରିବା ଅତି ବିଚିତ୍ର ବ୍ୟାପାର ଓ ତତୋଽଧିକ ବିଚିତ୍ର ବ୍ୟାପାର ହେବ ଯଦି ସେମାନଙ୍କର ଗୁରୁମାନେ ବି ସେମାନଙ୍କୁ ଜେଲ୍‌ ଓ ଜୋରିମାନାର ସଙ୍କଟରୁ ଉଦ୍ଧାର କରିବାର ଯୋଗ୍ୟ ବୋଲି ବିଚାରୁଥିବେ ।

 

ଗୁରୁଙ୍କ ବିଷୟରେ ଏ କଥା କହିବାର କାରଣ ଅଛି । ଏ ଦେଶରେ ଓ ବାହାରେ ଏପରି ଅନେକ ଗୁରୁ ଅଛନ୍ତି, ଯେଉଁମାନେ ନିଜକୁ ଭଗବାନ୍‌ ବୋଲି ଦାବି କରନ୍ତି । ନାନା ପ୍ରକାରର ମ୍ୟାଜିକ୍‌ ଦେଖାଇ ପ୍ରମାଣ କରିବାକୁ ଉଦ୍ୟମ କରନ୍ତି ଯେ ସେମାନେ ତ୍ରିଲୋକଦର୍ଶୀ ଓ ତ୍ରିକାଳଜ୍ଞ । ଥରେ ଏଇପରି ଜଣେ ଗୁରୁଙ୍କର ଭ୍ରଷ୍ଟାଚାରୀ ଚେଲାଙ୍କ କଥା ପଡ଼ିଥିଲା । ଜଣେ ବନ୍ଧୁ ଯୁକ୍ତି କଲେ ଯେ ଟର୍ଚ୍ଚଲାଇଟ୍‌କୁ ଭଲଲୋକ ବି ବ୍ୟବହାର କରିପାରେ; ଚୋର ବି । ସେଥିରେ ଟର୍ଚ୍ଚର କି ଦୋଷ-? ଏ ଯୁକ୍ତିର ସୀମିତ ଯଥାର୍ଥତା ରହିଛି । ଯୀଶୁ ଦେହ ଛାଡ଼ିବାପରେ ତାଙ୍କର ବାଣୀକୁ ସାମ୍ରାଜ୍ୟବାଦୀମାନେ ନିଜର କାର୍ଯ୍ୟକଳାପର ସମର୍ଥନରେ ମୋଡ଼ିମାଡ଼ି ବ୍ୟବହାର କଲେ । ତା’କୁ ଆଉ ଯୀଶୁ କେମିତି ଅଟକାଇବେ ? ମାତ୍ର ଯେ ଗୁରୁ ବଞ୍ଚିଛନ୍ତି ଓ ନିଜକୁ ଈଶ୍ୱର ବୋଲି କହୁଛନ୍ତି, ସେ ଜାଣିପାରିବେ ନାହିଁ ତାଙ୍କର ଶିଷ୍ୟମାନେ କିଏ କ’ଣ କରୁଛନ୍ତି ? ତା’ହେଲେ ସେ କି ପ୍ରକାର ଈଶ୍ୱର ?

 

ତା’ ଛଡ଼ା ଆଜିକାଲିର ବହୁଳ ପ୍ରଚାରିତ ଯେଉଁ ସବୁ ଅବତାରମାନଙ୍କର ଚିତ୍ର ଘରେ ଘରେ ଦେଖିବାକୁ ମିଳୁଛି ସେମାନେ କେବେ ଭକ୍ତମାନଙ୍କର ସାମାଜିକ ଦାୟିତ୍ୱ ଓ କର୍ତ୍ତବ୍ୟ ବିଷୟରେ, ସତ୍‌ ଆଚରଣ ବିଷୟରେ କୌଣସି ଉପଦେଶ ଦେଉଥିବା ଭଳି ତ ଦେଖାଯାଉ ନାହିଁ-? ସେମାନଙ୍କ ଭକ୍ତମାନେ ଏକାଠି ହେଲାବେଳେ କେବେ ଏ କଥା ଆଲୋଚନା କରିବାର ତ ଶୁଣାଯାଉ ନାହିଁ ଯେ ସେମାନେ କେମିତି ନିଜକୁ ଦୁର୍ନୀତି, ଶୋଷଣ, ଲାଞ୍ଚମିଛରୁ ମୁକ୍ତ କରିବେ-?

 

ଏଠୁ ଅନେକ ଯୋଗୀ, ଯୋଗେଶ୍ୱର, ମହର୍ଷି ଆଦି ଆମେରିକା, କାନାଡ଼ା ପ୍ରଭୃତିରେ ଖୁବ୍‌ ଜୋର ପ୍ରସାର ଜମେଇଲେଣି । ସେଠି ସେମାନଙ୍କର ଲକ୍ଷ ଲକ୍ଷ ଶିଷ୍ୟ ଜୁଟୁଥିବାର ଶୁଣାଯାଉଛି । ଆଉ ଏ ଶିଷ୍ୟମାନଙ୍କ ଅଣ୍ଟିରେ ଧନ ବି ବହୁତ । ସେ ଯାହା ହେଉ, ଯେଉଁ ସବୁ ବିଶ୍ୱ-ସମସ୍ୟା ଆସି ସେସବୁ ଦେଶର ଲୋକଙ୍କୁ ଘାରିଲାଣି–ପରମାଣୁ-ଯୁଦ୍ଧର ଆଶଙ୍କା, ବିଶ୍ୱ-ଦାରିଦ୍ର୍ୟର ଗୁରୁତର ପରିଣତି, ପ୍ରଦୂଷଣ, ନବସାମ୍ରାଜ୍ୟବାଦର ବିପଦ, ସେସବୁ ବିଷୟରେ ଏସବୁ ଯୋଗୀ ଯୋଗେଶ୍ୱର, ଋଷି ମହର୍ଷିମାନେ କିଛି କହିବାର ତ ଶୁଣାଯାଉ ନାହିଁ ?

 

କୁହାଯିବ ଯେ ଆଧ୍ୟାତ୍ମିକତା ହେଲା ବ୍ୟକ୍ତି ସହିତ ସୃଷ୍ଟିକର୍ତ୍ତାଙ୍କର ସମ୍ବନ୍ଧର ବିଷୟ; ସେଥି ଭିତରେ ଏସବୁ ସାଂସାରିକ ପ୍ରଶ୍ନର ସ୍ଥାନ କେଉଁଠି ? ଏସବୁ ପ୍ରଶ୍ନର ସ୍ଥାନ ଥିବା କଥା ଉଠାଯାଇ ନ ଥାନ୍ତା ଯଦି ଇନ୍‌କମ୍‌ ଟ୍ୟାକ୍‌ସ ଫାଙ୍କିଦେଇ ଗୁରୁକୃପାରୁ ଖସିଯିବା କଥା ଭକ୍ତମାନେ କହୁ ନ ଥାନ୍ତେ । ଜଣେ ଭକ୍ତ ନୁହନ୍ତି, କେହି ଗ୍ୟାଲପ୍‌ ପୋଲ୍‌ ପରି ତଥ୍ୟ ସଂଗ୍ରହ କଲେ ଦେଖାଯିବ ଯେ, ଏ ଦେଶର ଲକ୍ଷ ଲକ୍ଷ ମଧ୍ୟବିତ୍ତ, ଉଚ୍ଚ-ମଧ୍ୟବିତ୍ତ ଶ୍ରେଣୀର ଲୋକ ଓ ଅନେକ ଗରିବ ଲୋକ ମଧ୍ୟ ବିଶ୍ୱାସ କରନ୍ତି ଯେ ଚୋରି, ଟିକସ ଫାଙ୍କି, ଠକାମୀ ଆଦିରୁ ମଣିଷ ଈଶ୍ୱର-କୃପା ବା ଗୁରୁକୃପାବଳରେ ରକ୍ଷା ପାଇପାରେ, ରକ୍ଷା ପାଉଛି !

 

ଆଧ୍ୟାତ୍ମିକତାର ବଡ଼ ବଡ଼ ପ୍ରାଚୀନ ପ୍ରବର୍ତ୍ତକମାନେ ଏପରିଭାବରେ ସାଂସାରିକ ସମସ୍ୟା ଓ ଆଧ୍ୟାତ୍ମିକ ପ୍ରଶ୍ନକୁ ଅଲଗା ଅଲଗା କରି ଦେଖୁ ନ ଥିଲେ । ଯୀଶୁ ଯେଉଁ ଦଶ ଆଜ୍ଞା ଦେଲେ ତାହା ସମାଜକୁ ସୁଶୃଙ୍ଖଳ କରିବାପାଇଁ ଓ ଲୋକଙ୍କ ଭିତରେ ପରସ୍ପର ପ୍ରୀତି ଓ ସଦ୍‌ଭାବ ବଢ଼ାଇବା ପାଇଁ ଦିଆଯାଇଥିଲା । ବୁଦ୍ଧଙ୍କର ଉପଦେଶମାନଙ୍କରେ ମଧ୍ୟ ତାହା ହିଁ ଦେଖିବାକୁ ମିଳେ-। ମହମ୍ମଦ ତ ଆଉ ପାହୁଣ୍ଡେ ଆଗକୁ ଯାଇ, ଛୋଟ ଛୋଟ, ପରସ୍ପର ସହ କଳି କରୁଥିବା କବାୟଲ୍‌ ବା ଉପଜାତିମାନଙ୍କୁ ଏକାଠି କରିବାପାଇଁ ସେମାନଙ୍କର ରାଜନୀତିକ ନେତୃତ୍ୱ ହିଁ ନେଇନେଲେ-

 

କେବଳ ସେତିକି ନୁହେଁ, ସେଥିପାଇଁ ସେମାନଙ୍କ ଭିତରୁ ଅଧିକାଂଶ ସେ ସମୟର ଶାସକ ଓ ସମାଜପତିଙ୍କର କୋପଦୃଷ୍ଟିରେ ପଡ଼ିଥିଲେ । ଯୀଶୁ ତ କ୍ରୁଶରେ ଝୁଲିଲେ । ବ୍ରାହ୍ମଣମାନେ ବୁଦ୍ଧଙ୍କ ବିରୋଧରେ ଲାଗିଥିଲେ । ତାଙ୍କ ଅନ୍ତେ ବୌଦ୍ଧଧର୍ମକୁ ଏ ଦେଶରୁ ଖଣ୍ଡାମୁନରେ ରାଜା ଓ ବ୍ରାହ୍ମଣ ମିଶି ନିପାତ କଲେ । କେତେ ସହସ୍ର ବା ଲକ୍ଷ ବୌଦ୍ଧଙ୍କର ରକ୍ତରେ ଏ ମାଟି ଲାଲ ହେଲା, ତାହାର ମୌନ ସାକ୍ଷୀ ଇତିହାସ । ମହମ୍ମଦଙ୍କୁ ବି ପ୍ରବଳ ବିରୋଧର ସାମନା କରିବାକୁ ପଡ଼ିଥିଲା ଓ ଶେଷକୁ ସେ ଆତ୍ମରକ୍ଷା ପାଇଁ ଅସ୍ତ୍ର ଧରିଥିଲେ । ଚୈତନ୍ୟ ମହାପ୍ରଭୁ ମଧ୍ୟ ଗୋଟାଏ ଆଡ଼ୁ ମୁସଲମାନ ଶାସକ ଓ ଅନ୍ୟଆଡ଼ୁ ପୁରାତନପନ୍ଥୀ ବ୍ରାହ୍ମଣଗୋଷ୍ଠୀର ବିରୋଧର ସମ୍ମୁଖୀନ ହୋଇଥିଲେ ।

 

ତେବେ ସାଂସାରିକ ଓ ଆଧ୍ୟାତ୍ମିକ ଏ ଭେଦ ଆସିଲା କୁଆଡ଼ୁ ? ୟା’ର ମୋଟାମୋଟି ଦୁଇଟା କାରଣ ଦେଖାଯାଉଛି । ଗୋଟାଏ କାରଣର ଉଦାହରଣ ତ ଆମ ଆଖି ଆଗରେ ରହିଛି । ଇନ୍ଦିରା ଗାନ୍ଧୀଙ୍କର ଏକଛତ୍ର ଶାସନରେ ଯେ ମହାତ୍ମା ଗାନ୍ଧୀଙ୍କର ସତ୍ୟ, ଅହିଂସା, ଅସ୍ତେୟ, ଅପରିଗ୍ରହ ଆଦି ନୀତିକୁ ଶେଷ ସୀମାଯାଏ ଧରି ଚାଲିବାକୁ ଚାହିଁଲେ ସେମାନେ ଏକଛତ୍ରବାଦ ବିରୋଧରେ ଛିଡ଼ାହେଲେ । ସେମାନଙ୍କୁ ଦମନ କରାହେଲା । ଜେଲ୍‌ରେ ପକାହେଲା । ସେମାନଙ୍କର ପତ୍ରପତ୍ରିକାଗୁଡ଼ିକର କଣ୍ଠରୋଧ କରାହେଲା । ସେମାନଙ୍କର ସଂସ୍ଥାମାନଙ୍କୁ ତଳିତକାନ୍ତ କରିବା ଚେଷ୍ଟା ହେଲା । ବାକି ଯେଉଁମାନେ ଗାନ୍ଧୀବାନା ଧରି ମଧ୍ୟ ଶାସନର ରକ୍ତଚକ୍ଷୁ ସାମନାରେ ଛିଡ଼ାହେବାର ସାହସ କରି ନ ପାରିଲେ, ସେ ‘ରାଜନୀତି’ ବିଷୟରେ ମୁଣ୍ଡ ଖେଳେଇବା ଛାଡ଼ିଦେଇ ‘ଗାନ୍ଧୀଧର୍ମ’ ର କର୍ମକାଣ୍ଡ ନେଇ ମାତି ରହିଲେ । ଗାନ୍ଧୀଜୀଙ୍କର ବିଚାର ବିଶୁଦ୍ଧ ଆଧ୍ୟାତ୍ମିକ; ଏକଛତ୍ରବାଦ ଓ ନାଗରିକ ସ୍ୱାଧୀନତା ଆଦି ଭଳି ସାଂସାରିକ ପ୍ରଶ୍ନ ସହିତ ତାହାର କୌଣସି ସମ୍ପର୍କ ନାହିଁ, ଏହା ହିଁ ସେମାନେ ନିଜ ଆଚରଣଦ୍ୱାରା ସାବ୍ୟସ୍ତ କରିବାକୁ ଚେଷ୍ଟା କରିଛନ୍ତି । ଏହିପରି ଘଟଣା ରୋମାନ୍‌ ସାମ୍ରାଜ୍ୟରେ ଘଟିଥିଲା । ଯୀଶୁଙ୍କର ପ୍ରଥମ ପର୍ଯ୍ୟାୟର ଭକ୍ତମାନେ ମୁଖତଃ ଥିଲେ ଗରିବ ଲୋକ, ଗରିବ ଚାଷୀ-ମୂଲିଆ, କ୍ରୀତଦାସ । ସେମାନେ ଯୀଶୁଙ୍କର ଆଦର୍ଶସବୁକୁ ନିଷ୍ଠାର ସହ ପାଳନ କରିବା ପାଇଁ ଚେଷ୍ଟା କରୁଥିଲେ । ସେଥିପାଇଁ ସେମାନେ ସହଜୀବୀ ସମାଜ-କମ୍ୟୁନ୍‌ ଗଢ଼ି ସାମୂହିକ ଭାବରେ ଜୀବନ ବିତାଉଥିଲେ । କାହାର କୌଣସି ପ୍ରକାରର ବ୍ୟକ୍ତିଗତ ସମ୍ପତ୍ତି ରହୁ ନ ଥିଲା । ଏ ସବୁକୁ ସେମାନଙ୍କ ସାମ୍ରାଜ୍ୟର ଶାସକମାନେ ରାଜ୍ୟ ଓ ସମାଜବ୍ୟବସ୍ଥା ପକ୍ଷରେ ମାରାତ୍ମକ ବୋଲି ବିଚାର କରି କଠୋର ଭାବରେ ଦମନ କରିବା ଆରମ୍ଭ କଲେ । ଖ୍ରୀଷ୍ଟାନ୍‌ମାନଙ୍କୁ ଧରି ଜୀଅନ୍ତା ସିଂହ ମୁହଁରେ ପକାହେଲା, କାନ୍ଥ ଭିତରେ ଜୀଅନ୍ତା ଗାନ୍ଥି ଦିଆଗଲା ଓ ନାନା ପ୍ରକାରର ଉଦ୍ଭଟ ଯନ୍ତ୍ର ସାହାଯ୍ୟରେ ଅସହ୍ୟ ଶାରୀରିକ ଯନ୍ତ୍ରଣା ଦିଆହେଲା । ଏସବୁ ଫଳରେ କ୍ରମେ ଦୃଢ଼ ନିଷ୍ଠା ଲିଭିଗଲା । ତେଣେ ଯୀଶୁଙ୍କ ନାମ ସ୍ମରଣ କରି ଲୁହ ଗଡ଼େଇବା, ମାଳା ଜପିବା, ଦୁଇଓଳି ପୂଜାପାଠ କରିବା, ଗରିବଙ୍କୁ ମୁଠିଏ ଭିକ ଦେବା ଓ ଅତି ଉତ୍ସାହରେ ଆଜୀବନ ବ୍ରହ୍ମଚର୍ଯ୍ୟର ସଙ୍କଳ୍ପ ନେବା ଏପରି ଲୋକଙ୍କ ସଂଖ୍ୟା ବଢ଼ିଚାଲିଲା; ଯେଉଁମାନେ ସମାଜ ଓ ସାମ୍ରାଜ୍ୟର ବୈଷମ୍ୟ, ଶୋଷଣ, ଅତ୍ୟାଚାର, ଅନୀତି ବିଷୟରେ ଚୁପଚାପ ରହିଲେ । କ୍ରମେ ଏମାନଙ୍କର ପ୍ରଭାବ ବଢ଼ିଲା । ବିଭିନ୍ନ ଦେଶର ରାଜାମାନେ ଏମାନଙ୍କ ପ୍ରେରଣାରେ ଖ୍ରୀଷ୍ଟଧର୍ମ ଗ୍ରହଣକରି ପ୍ରଜାଙ୍କୁ ମଧ୍ୟ ଖ୍ରୀଷ୍ଟଧର୍ମରେ ଦୀକ୍ଷିତ କରାଇଲେ । ଏମାନଙ୍କର ଧର୍ମଗୁରୁ ପୋପ୍‌ ବୈଭବ, ବିଳାସ ଓ ଅମଣିଷପଣିଆରେ ବଡ଼ ବଡ଼ ସମ୍ରାଟ୍‌ଙ୍କୁ ବି ଟପିଗଲେ । ଚାଲିଲା ଖ୍ରୀଷ୍ଟଙ୍କର ବାନାତଳେ ଦୁର୍ବଳ ଉପରେ ପ୍ରବଳର ଅତ୍ୟାଚାର ।

 

ଏମିତି ସବୁ ମହାପୁରୁଷ, ସନ୍ଥ ଆଦିଙ୍କ ବାବଦରେ ହୋଇଛି । ସେମାନେ ବଞ୍ଚି ଥାଉଁ ଥାଉଁ ଯେଉଁମାନେ, ଯେଉଁ ଶାସକ ଓ ସମାଜପତି ସେମାନଙ୍କ ବିରୋଧ କରୁଥିଲେ ସେମାନଙ୍କର ମୃତ୍ୟୁପରେ ସେହିମାନେ ହିଁ ସେ ମହାପୁରୁଷଙ୍କ ମୂର୍ତ୍ତିକୁ ବେଦୀ ଉପରେ ଥୋଇ ଫୁଲ ଚନ୍ଦନ ଦେଇ ପୂଜା କରିବାରେ ଆବୁରା ପଡ଼ି ଆଗୁଆ ହୋଇଛନ୍ତି ଓ ତାଙ୍କର ଅସଲ ଶିକ୍ଷାଆଡ଼ୁ ଆଖି ଫେରାଇନେବାରେ ସାହାଯ୍ୟ କରିଛନ୍ତି । ସାରା ଦୁନିଆରେ ଏଇଆ ଘଟିଛି । ଏହି ପୌରୁଷହୀନ, ପାକୁଆ ପରମ୍ପରା ହିଁ ଜୋରସୋରରେ ସମାଜ ଓ ଶାସନର ସମର୍ଥନ ନେଇ ଚାଲିଛି ଓ ଚାଲୁଛି ।

 

ଦ୍ୱିତୀୟ କାରଣଟା ହେଲା, ଗତ ତିନି ଶହ ବର୍ଷଖଣ୍ଡେ ତଳୁ ଆରମ୍ଭ ହୋଇଥିବା ବୈଜ୍ଞାନିକ ବିପ୍ଳବ । ମଣିଷ ତା’ର ଚାରିପାଖର ସବୁ ଜିନିଷ ଓ ସବୁ ଘଟଣାକୁ ବୁଝିବାପାଇଁ ବୁଦ୍ଧି ଓ ବ୍ୟବହାରର ସମନ୍ୱୟରେ ବିଜ୍ଞାନର ଯେଉଁ ନୂଆ ଉପାୟ ବାହାର କଲା, ତାହା ତିନି ଶହ ବର୍ଷ ତଳେ ଖୁବ୍‌ ଜୋର ଧରିଲା । ମଣିଷ ପ୍ରଥମେ ଗ୍ରହ-ନକ୍ଷତ୍ରଙ୍କ ଗତିବିଧି ଆଡ଼ୁ ଆରମ୍ଭ କରି କ୍ରମେ ତା’ର ନିଜ ସମାଜର ଓ ନିଜ ମନର ଗଢ଼ଣ, ଗତିବିଧିକୁ ସୁଦ୍ଧା ବୈଜ୍ଞାନିକ ଢଙ୍ଗରେ ପରୀକ୍ଷା-ନିରୀକ୍ଷା, ଯାଞ୍ଚ-ପଡ଼ତାଳ କରିବା ଆରମ୍ଭ କଲା । ଏହା ଫଳରେ ଗତ ଶହେ ବର୍ଷ ଭିତରେ ଏ ସୃଷ୍ଟି ଓ ତାହା ଭିତରେ ମଣିଷର ସ୍ଥାନ ବିଷୟରେ ଦୃଷ୍ଟିରେ ଏକ ବୈପ୍ଳବିକ ପରିବର୍ତ୍ତନ ଘଟିଛି । ଜ୍ୟୋତିର୍ବିଦ୍ୟା ଓ ପରମାଣୁବିଦ୍ୟା ଏ ମୁଣ୍ଡରେ ସହସ୍ର କୋଟି ଆଲୋକବର୍ଷବ୍ୟାପୀ ମହାବିଶ୍ୱ, ଉପବିଶ୍ୱ ଓ ନୀହାରିକା ତ, ସେ ମୁଣ୍ଡରେ କ୍ଷୁଦ୍ରାତିକ୍ଷୁଦ୍ର ପରମାଣୁ କଣିକାର ଲୀଳାଖେଳାର ଏକ ଅତ୍ୟଦ୍ଭୁତ ଦୃଶ୍ୟପଟ ଖୋଲି ଧରିଛି । ଡାରୱିନ୍‌ଙ୍କର ବିବର୍ତ୍ତନନାଦ ସେମିତି ଜୀବସୃଷ୍ଟିରେ କ୍ରମବିକାଶର ଏକ ଚିତ୍ର ଖୋଲି ଧରିଛି; ଯେଉଁଥିରେ ମଣିଷ ନିଜର ଆରମ୍ଭ ଦେଖିବାକୁ ପାଉଛି ଏକ ପ୍ରାଗୈତିହାସିକ ଜୀବାଣୁରେ, ଯାହା ଆକାର-ପ୍ରକାରରେ ଆଜିର କାଶସର୍ଦ୍ଦିର ଭାଇରସ୍‌ ପରି ଥିଲା । ସେମିତି ସମାଜବିଜ୍ଞାନ, ଅର୍ଥବିଦ୍ୟା, ନୃତତ୍ତ୍ୱ ଆଦିର ଖୋଳତାଡ଼ଦ୍ୱାରା ମଣିଷର ସମାଜ ଓ ସଭ୍ୟତା ପରିବର୍ତ୍ତନଶୀଳ ଓ ବିକାଶଶୀଳ ରୂପରେ ଧରାଦେଇଛି । ସମାଜଟାକୁ ଯେ ଭଗବାନ୍‌ ସବୁଦିନ ପାଇଁ ଗୋଟାଏ ନିର୍ଦ୍ଦିଷ୍ଟ ପ୍ରକାରରେ ଗଢ଼ିଦେଇ ମଣିଷ ଉପରେ ଥାପିଦେଇଛନ୍ତି, ଏ ଧାରଣାର ମୂଳଦୁଆ ସମ୍ପୂର୍ଣ୍ଣ ଧୋଇଯାଇଛି । ସମାଜର ଗତିବିଧି ଓ ପରିବର୍ତ୍ତନର ଅନେକ କିଛି ରହସ୍ୟ ମଣିଷର ହାତମୁଠାକୁ ଆସିଲାଣି; ଯାହା ଦ୍ୱାରା ସେ ତା’କୁ ଭାବିଚିନ୍ତି ସଜ୍ଞାନରେ ବଦଳେଇବା ଚେଷ୍ଟା ବି ଆରମ୍ଭ କଲାଣି ।

 

ସେହିପରି ମଣିଷର ମାନସର ରଚନା ଓ ଗତିବିଧିର ଜ୍ଞାନ ମଧ୍ୟ ନୂଆ ନୂଆ ଦିଗନ୍ତକୁ ଛୁଇଁଚାଲିଛି । ଏଥିରେ ବି ସବୁଠାରୁ ବଡ଼ ନୂତନତ୍ୱ ହେଲା ଯେ ମନର ରୂପରେଖର ଯେଉଁ ସ୍ଥାଣୁ କଳ୍ପନା ପୂର୍ବରୁ ଥିଲା, ତାହାର ସ୍ଥାନ ଏକ ଗତିଶୀଳ କଳ୍ପନା ନେଇଛି । ଏ କଥା ମଧ୍ୟ ପରିସ୍ଫୁଟ ହୋଇଛି ଯେ ଜଣେ ମଣିଷର ମନର ରୂପରେଖ ଓ ଗତିବିଧି ବୁଝିବାକୁ ହେଲେ ତା’କୁ ଏକୁଟିଆ ଅଲଗା କରି ଦେଖିଲେ ଚଳିବ ନାହିଁ । ତା’ର ସାରା ପରିବେଶ, ତା’ର ପରିବାର ଓ ସମାଜ, ତା’ର ଅତୀତର ପରିପ୍ରେକ୍ଷୀ, ବର୍ତ୍ତମାନର ପରିବେଶ ଓ ଭବିଷ୍ୟତର ପ୍ରତୀକ୍ଷା–ସବୁକୁ ହିସାବକୁ ନେବାକୁ ହେବ ।

 

ବିଶ୍ୱଧର୍ମଗୁଡ଼ିକର ପ୍ରବର୍ତ୍ତନାର ଯୁଗରେ ମଣିଷର ସମାଜ ଓ ବ୍ୟକ୍ତିଗତ ସ୍ୱଭାବର ରଚନା ବିଷୟରେ ଯେଉଁ ସ୍ଥାଣୁ ଧାରଣା ପ୍ରଚଳିତ ଥିଲା, ତାହାରି ଚଉହଦି ଭିତରେ ସେତେବେଳର ଚିନ୍ତନ ସୀମାବଦ୍ଧ । ଗୀତାରେ କହିଲା–ଚାତୁର୍ବର୍ଣ୍ଣ୍ୟଂ ମୟା ସୃଷ୍ଟଂ ଗୁଣକର୍ମ ବିଭାଗଶଃ–ଗୁଣ ଓ କର୍ମର ବିଭାଗ ଅନୁସାରେ ମୋରି ଦ୍ୱାରା ଚାରି ପ୍ରକାରର ବର୍ଣ୍ଣ ସୃଷ୍ଟି ହୋଇଛି; ଅର୍ଥାତ୍‌ ଏ ଚାରି ବର୍ଣ୍ଣ ଶୀତ, ଗ୍ରୀଷ୍ମ ଆଦି ୠତୁଚକ୍ରପରି ଏକ ଅପରିବର୍ତ୍ତନୀୟ ବ୍ୟାପାର । ମାତ୍ର ଆଜିକାଲି ଶିଳ୍ପ-ସମାଜରେ ଏହାର ଅସ୍ତିତ୍ୱ ଅଣୁବୀକ୍ଷଣ ଧରି ଖୋଜିଲେ ବି ମିଳିବ ନାହିଁ । ଠିକ୍‌ ସେମିତି ଗୀତାରେ ‘ଦୈବୀ ସମ୍ପଦ’ ଓ ‘ଆସୁରୀ ସମ୍ପଦ’ ର ବାଣ୍ଟକୁଣ୍ଟ ଓ ଟିକିନିଖି ବର୍ଣ୍ଣନା ବୁଝେଇ ସାରି ଶ୍ରୀକୃଷ୍ଣ ଅର୍ଜ୍ଜୁନଙ୍କୁ କହୁଛନ୍ତି–ଚିନ୍ତା କରନା ! ତମ ଭାଗରେ ଦୈବୀ ସମ୍ପଦର ବାଣ୍ଟ ପଡ଼ିଛି । ଯେମିତି ଜାଣି ଏ ଗୁଣଗୁଡ଼ିକ ସବୁ ଜନ୍ମ ପୂର୍ବରୁ କାହା ବାଣ୍ଟରେ କ’ଣ ପଡ଼ିବ ଠିକ୍‌ ହୋଇଯାଇଥାଏ । ମାତ୍ର ଦେଖାଯାଉଛି ଯେ ମଣିଷର ସେଇ ଏକା ମୂଳ ପୁଞ୍ଜି ଅବସ୍ଥାଚକ୍ରରେ ‘ଆସୁରୀ ପ୍ରବୃତ୍ତି’ ର ରୂପ ଧରେ ତ ପୁଣି ଅନ୍ୟ ପରିସ୍ଥିତିରେ ତା’ର ଓଲଟା ।

 

ମହାପୁରୁଷ ଓ ସନ୍ଥମାନେ ସମାଜ ସାମନାରେ କେତେଗୁଡ଼ାଏ ମୂଲ୍ୟବୋଧ ବା ଆଦର୍ଶ ବାଢ଼ିଥିଲେ । ଯୀଶୁ ପ୍ରେମର, ବୁଦ୍ଧଦେବ କରୁଣାର, ଶ୍ରୀରାମଚନ୍ଦ୍ର ସତ୍ୟର, ମହମ୍ମଦ ଶାନ୍ତି ଓ ଭ୍ରାତୃତ୍ୱର ବାଣୀ ଶୁଣାଇଥିଲେ । ଆମ ଦେଶରେ ଏ ପ୍ରକାର ସବୁ ମୂଲ୍ୟବୋଧକୁ ବିଭିନ୍ନ ବ୍ୟକ୍ତି-ନିରପେକ୍ଷ ଦାର୍ଶନିକ ତତ୍ତ୍ୱ ମାଧ୍ୟମରେ ପ୍ରତିପାଦିତ କରାଯାଇଥିଲା । ଏସବୁକୁ ହୃଦୟଙ୍ଗମ କରିବାକୁ ହେଲେ ଓ ଜୀବନରେ ବାସ୍ତବିକ ଆଚରି ପାରିବାକୁ ହେଲେ ବ୍ରହ୍ମଜ୍ଞାନ ବା ଆତ୍ମଜ୍ଞାନ ଆବଶ୍ୟକ ବୋଲି କୁହାଯାଉଥିଲା ଓ କୁହାଯାଇଥାଏ । ଏହାର ଅର୍ଥ ହେଲା, ନିଜର ଅନ୍ତରର ତଥା ପ୍ରକୃତିର ମଧ୍ୟ ବାସ୍ତବ ରୂପର ଜ୍ଞାନ । ମାତ୍ର ସେ ଯୁଗରେ ସାଧାରଣଜ୍ଞାନର ଯେଉଁ ପରିପ୍ରେକ୍ଷୀରେ ମହାପୁରୁଷମାନେ ‘ଶାଶ୍ୱତ ନୀତି’ ଓ ଆତ୍ମଜ୍ଞାନର ପ୍ରଚାର କରିଥିଲେ, ତାହା ଏ ଯୁଗରେ ଏକାବେଳକେ ବଦଳିଯାଇଛି । ସେଥିପାଇଁ ସେ ପୁରୁଣା କଥାଗୁଡ଼ାକ କେବଳ ଶୁଆ ପଢ଼ିଲା ଭଳି ଆଉଡ଼େଇଲାବେଳକୁ ଏ ଯୁଗରେ ବେଖାପ ହୋଇଯାଉଛି । ଜୀବନ ସହିତ ସେ ସବୁର ସମ୍ବନ୍ଧ ବୁଝାପଡ଼ୁନାହିଁ । ଯେଉଁମାନେ କେବଳ ଭକ୍ତିଭରେ ମନ୍ତ୍ର ଆଉଡ଼ଉଛନ୍ତି, ସେମାନେ ନିଜେ ବି ବୁଝୁନାହାନ୍ତି ।

 

ପୂର୍ବକାଳରେ ସମସ୍ତ ବୈଭବ ଭିତରେ ଜନକ ରାଜା ଅନାସକ୍ତ ଓ ନିର୍ଲିପ୍ତ ରହୁଥିଲେ ବୋଲି ଜଣେ ରାଜର୍ଷି ଭାବରେ ତାଙ୍କର ଖୁବ୍‌ ତାରିଫ୍‌ କରାହୋଇଛି । ବ୍ୟକ୍ତିଗତ ଗୁଣର ଉତ୍କର୍ଷ ତାଙ୍କଠାରେ ନିଶ୍ଚୟ ଖୁବ୍‌ ଥିଲା । କିନ୍ତୁ ସେ ଯୁଗର ଚିନ୍ତୁକମାନେ କେହି ଏ ବିଷୟରେ ଖୋଳତାଡ଼ କରିବାର କୌଣସି ପ୍ରେରଣା ଅନୁଭବ କରି ନଥିଲେ ଯେ ଜନକଙ୍କର ଏ ବୈଭବ ଆସିଲା କୁଆଡ଼ୁ ଓ କିପରି ଏବଂ ସେସବୁ ଜମା କରିବାର ବ୍ୟବସ୍ଥା ସହିତ ସତ୍ୟ, ନ୍ୟାୟ ଆଦି ଧର୍ମନୀତି ଖାପ ଖାଉଥିଲା କି ନାହିଁ ? ଜନକ ଯେତେ ଅନାସକ୍ତ ଭାବରେ ଚଳନ୍ତୁ, ତାଙ୍କର ପାଇକ ଗୁମାସ୍ତାମାନେ ପ୍ରଜାଙ୍କ ବେକରେ ଗାମୁଛା ପକେଇ ପାଉଣା ଆଦାୟ କରିବା ବିନା ତ ଏ ବୈଭବ ତିଷ୍ଠି ରହିପାରୁ ନ ଥିଲା ଓ କେତେ ଚାଷୀର ତତଲା ଲୁହ ସେ ବୈଭବର ମୂଳଦୁଆକୁ ସିଞ୍ଚିତ କରି ନଥିବ ?

 

ଏବେ ସେ ରାଜାରାଜୁଡ଼ା ପ୍ରଥା ମାନବତାର ଆଦର୍ଶ ସହିତ ବେଖାପ ବୋଲି ତା’କୁ ଦୁନିଆରୁ ଏକରକମ ମୂଳପୋଛ କରିଦିଆଗଲାଣି । ଏବେ ଆସିଲାଣି ମଲ୍‌ଟି-ନ୍ୟାସନାଲ୍‌ କର୍‌ପୋରେଶନ୍‌ର–ବହୁରାଷ୍ଟ୍ରୀୟ ବ୍ୟବସାୟ-ସଂସ୍ଥାର–ଯୁଗ । ତା’ ସାଙ୍ଗରେ ଆସିଛି ସମାଜ-ସଂସ୍ଥା ଓ ମଣିଷ ବିଷୟରେ ଗଭୀରତର ଜ୍ଞାନ । ସେଥିରୁ ଦେଖାଯାଉଛି ଯେ, ଏ ବହୁରାଷ୍ଟ୍ରୀୟ ବ୍ୟବସାୟ-ସଂସ୍ଥାର ସଞ୍ଚାଳକମାନେ ଜନକଙ୍କ ପରି ନିର୍ଲିପ୍ତ ରହିଲେ ଦୁନିଆର ଆଧ୍ୟାତ୍ମିକ ଉତ୍କର୍ଷ ହୋଇଯିବ ନାହିଁ । ପ୍ରକୃତରେ ଏ ସଞ୍ଚାଳକମାନେ ତ ଏକରକମ ନିର୍ଲିପ୍ତ; କାରଣ ସେମାନେ ଏସବୁ ସଂସ୍ଥାର ମାଲିକ ନୁହନ୍ତି । ସେମାନେ ସେମାନଙ୍କର ଶ୍ରମିକ ଓ କର୍ମଚାରୀଙ୍କୁ ବଢ଼ିଆ ମୂଲ ମଜୁରି ଦିଅନ୍ତି; କାହାରି ବେକରେ ଗାମୁଛା ପକେଇ ପାଉଣା ଆଦାୟ କରନ୍ତି ନାହିଁ । ଅଥଚ ସେମାନଙ୍କ ଯୋଗୁଁ ପୃଥିବୀରେ ଯୁଦ୍ଧ-ଆଶଙ୍କା ଦିନୁଁ ଦିନୁ ଗଭୀରତର ହେଉଛି । ସେ ପ୍ରାଚୀନ ଯୁଗର କୋଉ ଛାଞ୍ଚରେ ଏ ପରିସ୍ଥିତିକୁ ପକେଇବ ? ୟାଙ୍କୁ କୋଉ ଧର୍ମ-ଉପଦେଶ ଶୁଣେଇବ ?

 

କିଳାପୋତେଇ, କଳାବଜାର ! ଏ ଶବ୍ଦଗୁଡ଼ାକ ହିଁ ଦ୍ୱିତୀୟ ମହାଯୁଦ୍ଧବେଳେ ସୃଷ୍ଟି ହେଲା । ତାହା ପୂର୍ବରୁ ବଜାରରେ ମାଲର ଅଭାବର ସୁବିଧା ନେଇ ଯେ ଯେତେ ଅଧିକ ଲାଭ ମାରିନେବାଟାକୁ ଅନୈତିକ କାର୍ଯ୍ୟ ବୋଲି ମନେ କରାଯାଉ ନ ଥିଲା । ଯୁଦ୍ଧ-ବଜାରର ସୁବିଧା ନେଇ ବେପାରୀମାନେ ଅତ୍ୟଧିକ ଲାଭ ମାରିନେବା ଏକ ସାମାଜିକ ଅପରାଧ–ଏ ଧାରଣା ବା ମୂଲ୍ୟବୋଧ ସେଇ ଯୁଦ୍ଧକାଳ ଭିତରେ ସର୍ବମାନ୍ୟ ହେଲା । ବେଦ ବା କର୍ମପୁରାଣ ଘାଣ୍ଟିଲେ ୟାର କ’ଣ ହଦିସ୍‌ ପାଇବ ଯେ ଆନାକୋଣ୍ଡା କପର୍‌ କମ୍ପାନୀ ଦୁନିଆଯାକର ମହଜୁଦ ତମ୍ବାକୁ ହସ୍ତଗତ କରିବା ଚେଷ୍ଟା କରି କେତେ ସଫଳ ହେଲା ଓ କେତେ ଶହ କୋଟି ଡଲାର ଲାଭ ମାରିନେଲା; ଫଳରେ ତା’ର ପରିଣାମ କେତେ କେତେ ଦେଶର କେତେ କେତେ ଲୋକ ଭୋଗିଲେ ?

 

ସେସବୁ ଯୁଗରେ ଯେଉଁ କୃଷିପ୍ରଧାନ ସମାଜ ଚଳୁଥିଲା, ତା’ର ବିଶ୍ଲେଷଣ ତ ସେ ଯୁଗରେ ହୋଇ ପାରି ନ ଥିଲା–ଆଉ ଏ ଯୁଗର ଜଟିଳ ସମାଜର ହଜାର ପ୍ରକାରର ସଂସ୍ଥା, ହଜାର ପ୍ରକାରର ନୂଆ ନୂଆ ସମ୍ବନ୍ଧ ଓ ସେଥିଯୋଗୁଁ ଗଢ଼ିଉଠୁଥିବା ହଜାର ପ୍ରକାରର ନୂଆ ନୂଆ ମଣିଷ-ଚରିତ୍ରର ଓର କେମିତି ସେ ଯୁଗର ଚିନ୍ତାର ଚଉହଦି ଭିତରେ ମିଳିବ ? ସେଥିପାଇଁ ଗୁରୁ-ଶିଷ୍ୟ ସମସ୍ତେ ପ୍ରହଲାଦ ଓ ପରମିଟ୍‌ ଚୋର ଉଭୟଙ୍କୁ ସମାନ ପ୍ରକାରେ ସଙ୍କଟଗ୍ରସ୍ତ ଓ ସମାନ ପ୍ରକାରେ ଈଶ୍ୱର କୃପାର ହକ୍‌ଦାର ବୋଲି ବିଚାରୁଛନ୍ତି । ପୁରୁଣା ପରମ୍ପରାର ଚଉହଦି ଭିତରେ ରହି ଯେଉଁସବୁ ଆଧ୍ୟାତ୍ମିକ ଆନ୍ଦୋଳନ ଏ ନୂଆ ଯୁଗରେ ଚାଲିଛି, ସେସବୁ ସେଥିପାଇଁ ବୈଭବ ଓ ଦାରିଦ୍ର୍ୟର ସାମାଜିକ କାରଣ ବିଷୟରେ ଅନଭିଜ୍ଞ । ସେଥିପାଇଁ ସେସବୁ ଗୁରୁପନ୍ଥୀ ଆନ୍ଦୋଳନ ମାଧ୍ୟମରେ ଏଇ ଧାରଣା ହିଁ ଦୃଢ଼ ହେଉଛି ଯେ, ଯେ ଯାହା ସୁଖ ସମୃଦ୍ଧି ଭୋଗ କରୁଛି ତାହା ଗୁରୁକୃପା ଯୋଗୁଁ । କଳାବଜାର, ଲାଞ୍ଚମିଛ ଆଦିର ଗ୍ଲାନି ୟା ଦ୍ୱାରା ଧୋଇଯାଉଛି ଓ ସମାଜ ପ୍ରତି ଦାୟିତ୍ୱବୋଧ ମଧ୍ୟ ସମ୍ପୂର୍ଣ୍ଣ ବଧିର ହୋଇଯାଉଛି । ଯେ ଗରିବ ରହୁଛି, ଦୁଃଖ ଭୋଗୁଛି, ସେ ତା’ର କର୍ମଫଳ ଭୋଗୁଛି; ଗୁରୁଙ୍କର କୃପା ପାଇନାହିଁ ବୋଲି ଭୋଗୁଛି । ତା’ ସହିତ ମୋର ଭାଉଚୋରି, ରେଶନ-ମାଲ କଳାବଜାର ବା ଇନ୍‌କମ୍‌ ଟିକସ ଫାଙ୍କିର କୌଣସି ସମ୍ପର୍କ ନାହିଁ । ଗରିବ ଓ ଦୁଃଖୀ ଲୋକେ ବି ପ୍ରାୟ ଏଇ ମତଟାକୁ ମାନି ନେଇ ନିଜ ‘ଭାଗ୍ୟ’କୁ ଆଦରି ରହୁଛନ୍ତି ।

 

ଅଧ୍ୟାତ୍ମର ଏଇ ପରିଣତି ଯୋଗୁଁ ପ୍ରାୟ ଶହେ ବର୍ଷ ତଳୁ କାଲି ମାର୍କ୍‌ସ ଘୋଷଣା କରିଥିଲେ ଯେ ‘‘ଧର୍ମ ହେଉଛି ଲୋକଙ୍କର ଅଫିମ ।’’ ତାହା ତାଙ୍କୁ ବାସ୍ତବ ପରିସ୍ଥିତି ପ୍ରତି ବିମୁଖ କରି ରଖେ; ଦୁଃଖଦୁର୍ଦ୍ଦଶାର ପ୍ରକୃତ କାରଣ ଜାଣିବାକୁ ଦିଏ ନାହିଁ । ସେଥିଯୋଗୁଁ ମାର୍କ୍‌ସପନ୍ଥୀ ବିପ୍ଳବୀମାନେ ଧର୍ମ ବିରୋଧରେ ଅଭିଯାନ ଆରମ୍ଭ କରିଦେଲେ ।

 

ଜୀବନରେ ଆଦର୍ଶ ଓ ନିଷ୍ଠାର ମୂଳଦୁଆ ଆଧ୍ୟାତ୍ମିକତା ଯୋଗାଇଥାଏ । ତା’କୁ ଖାରଜ କରିଦେଇ ମାର୍କ୍‌ସବାଦୀମାନେ ନିଜର ଆଦର୍ଶର ମୂଳ ଖୋଜିଲେ ଇତିହାସର ଅବଶ୍ୟମ୍ଭାବୀ ପରିଣତିରେ । ଇତିହାସର ଅଧ୍ୟୟନରୁ ତାଙ୍କୁ ଏ ଲକ୍ଷ୍ୟ ମିଳିଛି ବୋଲି ସେମାନେ ବିଚାରିଲେ । ଏ ଲକ୍ଷ୍ୟର ରୂପରେଖ ନିରୂପଣ ପାଇଁ କୌଣସି ଆଦର୍ଶ ବା ମୂଲ୍ୟବୋଧର ସାହାଯ୍ୟ ଲୋଡ଼ା ହେଲା ନାହିଁ । ସେଥିପାଇଁ ସେମାନଙ୍କର ଆଚରଣରେ ବି ଏସବୁର ନେଞ୍ଜେରା ରହିଲା ନାହିଁ । ପୂର୍ବରୁ ଅବଶ୍ୟ ରାଜନୀତିରେ ନୈତିକତାର ନେଞ୍ଜେରା କ୍ୱଚିତ୍‌ ରହୁଥିଲା । ବଡ଼ ବଡ଼ ଆଦର୍ଶ କଥାର ଆଢ଼ୁଆଳରେ ଯାବତ୍‌ ଛୋଟ କାମ କରିବା ଥିଲା କ୍ଷମତାଶାଳୀଙ୍କର ଧନ୍ଦା । ମାର୍କ୍‌ସବାଦୀମାନେ ଏ ଭଣ୍ତାମୀ ଛାଡ଼ିଦେଲେ ।

 

ବିଜ୍ଞାନ ଅନ୍ୟମାନଙ୍କୁ ମଧ୍ୟ ମୂଲ୍ୟବୋଧ ଓ ଆଦର୍ଶ କଥା ବାଦ୍‌ ଦେଇ ଚିନ୍ତା କରିବାର ଏକ ବାହାନା ଯୋଗେଇଲା । ବିଜ୍ଞାନକ୍ଷେତ୍ରରେ ମୂଲ୍ୟବୋଧ ନିରପେକ୍ଷ ରହି କାର୍ଯ୍ୟ କରିବାକୁ ହୁଏ ବୋଲି ଗୋଟାଏ ବିଚାର ଅଛି । କଥାଟା ଅଧା ସତ । ଏହାର ବିଶଦ ବିଚାର ପରେ କରିବା । ମାତ୍ର ଗୋଟାଏ କଥା ତ ଜଳଜଳ ଦେଖାଯାଉଛି । ସତ୍ୟ ଓ ମିଥ୍ୟା ଭିତରେ ବିଜ୍ଞାନ ସତ୍ୟକୁ ଖୋଜେ–ଏ ଗୋଟାଏ ମୂଲ୍ୟବୋଧ ବିଜ୍ଞାନର ଅଛି । ସେ ଯାହା ହେଉ, ଏବେ ପ୍ରତ୍ୟେକ ବ୍ୟାପାରର ‘ବୈଜ୍ଞାନିକତା’ ବିଚାର କରାଯାଇ କାମ କରିବା ଆଡ଼କୁ ଝୁଙ୍କ ହୋଇଛି । ସେଥିରୁ ମୂଲ୍ୟବୋଧର ବିଚାର ବାଦ୍‌ ପଡ଼ୁଛି; ଯେମିତି ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଭ୍ରୂଣହତ୍ୟା ବିଷୟରେ । ମାନବଜୀବନ ପ୍ରତି ଆଦରର ଯେଉଁ ମୂଲ୍ୟ ନରହତ୍ୟାକୁ ଅପରାଧ ସାବ୍ୟସ୍ତ କରିଛି, ଭ୍ରୂଣହତ୍ୟା ସମ୍ବନ୍ଧରେ ତାହା ବିଚାରକୁ ନେବା ପ୍ରଶ୍ନ ଉଠାଗଲେ ବ୍ୟାବହାରିକତା ଓ ବିଜ୍ଞାନର ଦ୍ୱାହି ଦେଇ ତା’କୁ ଆଡ଼େଇ ଦିଆଯାଉଛି । ଏ ପ୍ରକାରର ବିଚାରଧାରା ଆମକୁ ନେଇ ପରମାଣୁ ବୋମା ଓ ଗଣହତ୍ୟାଯାଏ ପହଞ୍ଚାଇଲାଣି ବୋଲି ଅନେକେ ଅନୁଭବ କରୁଛନ୍ତି ।

 

ପୁରୁଣା ଆଧ୍ୟାତ୍ମିକତାରେ ବ୍ୟକ୍ତିଗତ ଉତ୍କର୍ଷ ଉପରେ ଜୋର ଥିଲା-ତା’ର ସାମାଜିକ ପରିପ୍ରେକ୍ଷୀ ଯେତେ ସୀମିତ ହୋଇଥାଉ ପଛେ । ଏ ଯୁଗର ଗୁରୁମାନେ ଗୋଟାଏ ଆଡ଼େ ଯେମିତି ଭକ୍ତମାନଙ୍କୁ ଅବଶିଷ୍ଟ ସାମାଜିକ ଦାୟିତ୍ୱରୁ ମୁକ୍ତ କରି ଦେଉଛନ୍ତି, ସେମିତି ଅନ୍ୟ ଦିଗରେ ଆଧୁନିକ ସାମାଜିକ ଓ ରାଜନୈତିକ ସଙ୍ଗଠନର ଜଟିଳତା ତଥା ଦୃଷ୍ଟିକୋଣ ମଧ୍ୟ ବ୍ୟକ୍ତିକୁ ଦାୟିତ୍ୱହୀନ କରିଦେଉଛି ।

 

ପ୍ରାଚୀନ ଯୁଗରେ ବ୍ୟକ୍ତିର ନୈତିକତାବୋଧ ଓ ସଦାଚାର ହିଁ ସମାଜର ସୁସ୍ଥତାର ଭିତ୍ତି ବୋଲି ବିଶ୍ୱାସ କରାଯାଉଥିଲା । ଏ ଯୁଗରେ ସମାଜ-ବ୍ୟବସ୍ଥାର ଗତିବିଧିର ବୈଜ୍ଞାନିକ ବିଶ୍ଲେଷଣଦ୍ୱାରା ‘ବ୍ୟବସ୍ଥା’ ଓ ‘ପ୍ରକ୍ରିୟା’ର ଗୁରୁତ୍ୱ ପରିସ୍ଫୁଟ ହେଲା । ମଣିଷର ଚରିତ୍ର ବି ବ୍ୟବସ୍ଥାର ପ୍ରକାର ଦ୍ୱାରା ପ୍ରଭାବିତ ହେବାର ଦେଖାଗଲା; ଅର୍ଥାତ୍‌ ମଣିଷ ପରିସ୍ଥିତିର ଦାସ–ପରିସ୍ଥିତି ବଦଳେଇଦେଲେ ମଣିଷ ବଦଳିଯିବ ।

 

କଟକ ଷ୍ଟେସନରେ ରେଳ ଆସିବାର ଘଣ୍ଟାଏ ପୂର୍ବରୁ ଟିକଟ ଘର ଖୋଲୁଥିବାବେଳେ ଲୋକେ ଟିକଟ ନେବାକୁ ଚଢ଼ାଚଢ଼ି ହେଉଥିଲେ; ଧକ୍‌କା-ଧକ୍‌କି ଠେଲାପେଲାର ସୀମା ନ ଥିଲା । ପଛଆଡ଼ବାଟେ ଯାଇ ଅଣ୍ଟାଗୁଞ୍ଜା ଦେଇ ଟିକଟ ଆଗେ ପାଇବା ଚେଷ୍ଟା ବି ଚାଲୁଥିଲା । ଏବେ ଟିକଟଘର ଚବିଶ ଘଣ୍ଟିଆ ଖୋଲା ରହିଥିବାରୁ ଆଉ ସେ ସବୁ ସମସ୍ୟା ନାହିଁ । ଲୋକେ ଭଲଭାବରେ ଧାଡ଼ି ଧରି ଟିକଟ ନେଉଛନ୍ତି; ଟିକଟ ନ ମିଳିବା ଭୟ ଆଉ କାହାରି ହେଉନାହିଁ । ରେଳଗାଡ଼ିର ସଂଖ୍ୟା ବୃଦ୍ଧି କରାଯିବାରୁ ଯାତ୍ରୀ ଭିଡ଼ ମଧ୍ୟ କମିଗଲାଣି ।

 

ବୃହତ୍ତର ସମାଜରେ ଏହିପରି ହେଉଛି । ସମାଜବାଦୀ ସାମ୍ୟବାଦୀମାନେ ଉତ୍ପାଦନର ଉପକରଣର ବ୍ୟକ୍ତିଗତ ମାଲିକାନାକୁ ସମାଜରେ ସବୁ ଦୁଃଖ–ଦୁର୍ଦ୍ଦଶାର ପ୍ରଧାନ କାରଣ ରୂପେ ବାହାର କଲେ; ଫଳରେ ବ୍ୟବସ୍ଥା ବଦଳାଇବା ଆନ୍ଦୋଳନ ଚାଲିଲା । ସେଥିପାଇଁ ଆଇନ ଗଢ଼ିବା କଥା ଉଠିଲା । ଆଇନ ଗଢ଼ିବା ପାଇଁ କ୍ଷମତା ହାତକୁ ନେବା କଥା ହେଲା । ସମାଜକୁ ଆମୂଳଚୂଳ ବଦଳାଇବା ଛଡ଼ା ଅନ୍ୟ ସବୁ ସାନବଡ଼ ପରିବର୍ତ୍ତନ ପାଇଁ ବି ଆଇନର ମୁହଁକୁ ସମସ୍ତେ ଚାହିଁଲେ । କାହାରି ବ୍ୟକ୍ତିଗତ ଭାବରେ କୌଣସି ଦାୟିତ୍ୱ ରହିଲା ନାହିଁ । ଯାହା କିଛି ଠିକ୍‌ ଭୁଲ୍‌, ସବୁ ‘ସେମାନଙ୍କ’ ଦାୟିତ୍ୱ, ‘ସେମାନେ’ ବୁଝିବେ, ‘ସେମାନେ’, କରିବେ; ଆମେ କେବଳ ସମାଲୋଚନା କରିଦେଲେ ଖଲାସ ।

 

ଏଇ ଅବସ୍ଥା ଭିତରେ ଦୁନିଆ ଭିତରେ ମହାନ୍‌ ଘଣ୍ଟାଚକଟା ଲାଗିଛି ଚିନ୍ତାରାଜ୍ୟରେ–ମୂଲ୍ୟବୋଧ ଆଦିକୁ ବାଦ୍‌ ଦେଇ ବି ମଣିଷ ସୁଖଶାନ୍ତିରେ ଚଳିପାରିବ କି ନାହିଁ ? ପରମାଣୁ ବୋମାର ପ୍ରଳୟରୁ ରକ୍ଷା ପାଇପାରିବ କି ନାହିଁ ? ନାହିଁ ଯଦି ମୂଲ୍ୟବୋଧ ଲୋଡ଼ା ତ କେଉଁଠୁ ମିଳିବ ? ତା’ର ମୂଳ କେଉଁଠି ? ପୁରୁଣା ଆଧ୍ୟାତ୍ମିକତାର କାଳ ସମ୍ପୂର୍ଣ୍ଣ ରୂପେ ପୂରିଗଲାଣି; ତାହା ଗୋଦାମ-ରଦ୍ଦି ହୋଇଗଲାଣି, ନା ସେଥିରୁ କିଛି ଝାଡ଼ିଝୁଡ଼ି କାମରେ ଲଗେଇହେବ ?

 

ଏଇ ସମସ୍ୟାରୁ ଉଦ୍ଧାରର ଗୋଟାଏ ବାଟ ବିନୋବା ବତେଇଲେ; ବିଜ୍ଞାନ ଓ ଆତ୍ମଜ୍ଞାନର ସମନ୍ୱୟ । ଗାନ୍ଧୀ ଧର୍ମବିଚାରକୁ ଆପଣାର ସାମାଜିକ, ରାଜନୀତିକ କର୍ମଧାରାର ମୂଳଭିତ୍ତି କରିଥିଲେ । ବିନୋବା ଧର୍ମର ବାହ୍ୟ ସ୍ଥାନ, କାଳ, ପାତ୍ର ଦ୍ୱାରା ଆବଦ୍ଧ ଆବରଣକୁ ବାଦ୍‌ ଦେଇ ବିଶ୍ୱର ସବୁ ଧର୍ମର ସାରବସ୍ତୁ ରୂପେ ଆତ୍ମଜ୍ଞାନକୁ ତୋଳିଧରିଲେ । ମାତ୍ର ଏ ଆତ୍ମଜ୍ଞାନର ଗୋଲକଧନ୍ଦା ଭିତରେ ମଣିଷ ପଶିଲାବେଳକୁ ଭୁଆଁ ବୁଲିବାର ଆଶଙ୍କା ରହିଛି । ତାହା ଭିତରେ ନାନା ପ୍ରକାରର ସାଧନା, ନାନା ପ୍ରକାରର ପନ୍ଥା ରହିଛି । ତାହା ଭିତରେ ନାନା ପ୍ରକାରର ସାଧନା, ନାନା ପ୍ରକାରର ପନ୍ଥା ରହିଛି, ଯାହାର ସାଧାରଣ ଜୀବନ ସହିତ ସମ୍ପର୍କ ଜାଣିବା କଷ୍ଟ । ସେଥିପାଇଁ ଦେଖାଯାଏ ଯେ ଅନେକେ ଖୁବ୍‌ ଉଚ୍ଚସ୍ତରର ଆଧ୍ୟାତ୍ମିକ ସାଧନାରେ ଲାଗିଥାଇ ତେଣେ ସାଧାରଣ ସ୍ତରରେ ହୁଏତ ଏକଚ୍ଛତ୍ରବାଦକୁ ସମର୍ଥନ କରି ଲାଗିଛନ୍ତି ବା ମାମୁଲି ସାମାଜିକ ନ୍ୟାୟର ମଧ୍ୟ ବିରୋଧ କରୁଛନ୍ତି ।

 

ଅସଲ କଥା ପୁରୁଣା ଚିନ୍ତାର ଦୁନିଆ ଓ ଆଧୁନିକ ଚିନ୍ତାର ଦୁନିଆ ହିଁ ଅଲଗା ଅଲଗା ହୋଇଯାଇଛି । ସେସବୁର ଭାଷା ହିଁ ଭିନ୍ନେ । ତେଣୁ ଯେ ସେ ଚିନ୍ତା ରାଜ୍ୟରେ ପଶିଯାଉଛନ୍ତି, ସେ ଆଉ ସମସାମୟିକ ପରିବେଶ ସହିତ ଯୋଗ ରଖିବାର ବାଟ ପାଉନାହାନ୍ତି । ଗାନ୍ଧୀଜୀଙ୍କର ମଧ୍ୟ ଏଇ ଦଶା ଦେଖିବାକୁ ପାଉ । ସେ ତାଙ୍କର ଆଧ୍ୟାତ୍ମିକ ବିଚାର ପୁରୁଣା ଭାଷାର ଛାଞ୍ଚ ଭିତରେ ରଖିଲେ ଓ ଫଳରେ ତାଙ୍କର ବୈପ୍ଳବିକ କର୍ମ-ପ୍ରଚେଷ୍ଟା ସହିତ ତା’ର ଅପରିହାର୍ଯ୍ୟ ଯୋଗାଯୋଗ ସେତେ ପରିସ୍ଫୁଟ ହୋଇପାରିଲା ନାହିଁ ।

 

ତା’ଛଡ଼ା ‘ଆତ୍ମଜ୍ଞାନ’ ଆଉ ପୁରୁଣା ପୋଥିରେ ନାହିଁ । ଆଧୁନିକ ବିଜ୍ଞାନ ମଧ୍ୟ ମାନବବଂଶ-ବିଜ୍ଞାନ, ନୃତତ୍ତ୍ୱ, ସମାଜବିଜ୍ଞାନ, ଅର୍ଥବିଦ୍ୟା, ରାଜନୀତିବିଜ୍ଞାନ, ମନୋବିଜ୍ଞାନ ମାଧ୍ୟମରେ ଯେତେ ଯେତେ ଜ୍ଞାନ ହାସଲ କରିଛି ଓ କରୁଛି, ସେସବୁ ମଧ୍ୟ ମଣିଷକୁ ଆତ୍ମଜ୍ଞାନ ଯୋଗାଉଛି । ସେ ସବୁ ମାଧ୍ୟମରେ ନିଜ ବିଷୟରେ, ସମାଜ ବିଷୟରେ, ସମାଜ ସହିତ ତା’ର ସମ୍ବନ୍ଧ ବିଷୟରେ ତା’ର ଦୃଷ୍ଟି ପ୍ରସାରିତ ହେବାର ସୁଯୋଗ ସୃଷ୍ଟି ହୋଇଛି ।

 

ଇତିହାସ ଏକ ସମୟରେ ମୁଖ୍ୟତଃ ରାଜାମହାରାଜାଙ୍କର କାର୍ଯ୍ୟକଳାପର ପ୍ରଶସ୍ତି ଓ ସେମାନଙ୍କର ବଂଶାବଳୀର ବିବରଣୀ ଥିଲା । ଏବେ ତାହା ମଧ୍ୟ କ୍ରମେ ଗୋଟିଏ ଗୋଟିଏ ମାନବଗୋଷ୍ଠୀର, ସାରା ମାନବସମାଜର କ୍ରମବିକାଶ, କ୍ରିୟା-ପ୍ରତିକ୍ରିୟାର ବିବରଣୀ ଓ ବିଶ୍ଲେଷଣ ଭାବରେ ମଣିଷ ସାମନାରେ ଦର୍ପଣ ଧରୁଛି ।

 

ଏସବୁ ଜ୍ଞାନକୁ ଏକାଠି କରି, ତା’ର ସାର ବାହାର କରି ଜନସାଧାରଣଙ୍କ ସାମନାରେ ରଖିବା ଚେଷ୍ଟା ହେଉଛି; କିନ୍ତୁ ପୂର୍ବକାଳରେ ଯେମିତି ମହାପୁରୁଷମାନେ ବାହାରି ଏକ, ଦୁଇ, ତିନି, ଚାରି କରି ଲୋକଙ୍କୁ ନୀତିବାକ୍ୟ ବୁଝାଇ ଦେଉଥିଲେ, ଏ ଯୁଗରେ ସେପରି କେହି ବାହାରି ନାହାନ୍ତି ଓ ବାହାରିବାର ସମ୍ଭାବନା କମ୍‌ । ଏଇଟା ସାଧାରଣ ମଣିଷର ଯୁଗ ଓ ପ୍ରତ୍ୟେକ ବ୍ୟକ୍ତିକୁ ନିଜେ ବାଟ ଖୋଜିବାକୁ ହେବ ଓ ଚାଲିବାକୁ ହେବ । ବହୁ ଲୋକ ମିଶି ଏକାବାଟରେ ପରସ୍ପରକୁ ସାହାଯ୍ୟ କରି ଚାଲିଲେ ବି ବାଟରେ ଚାଲିବାର ନିର୍ଣ୍ଣୟ ପ୍ରତ୍ୟେକକୁ ନେବାକୁ ହେବ । କୃପାନିଧାନ ଭଗବାନ ଯେତେବେଳେ ଅଜ୍ଞାନ ଜନତାକୁ ମେଣ୍ଢାପଲପରି ଅଡ଼େଇବା ପାଇଁ ଅବତାର ପଠାଉଥିଲେ, ସେ ଯୁଗ ସରିଗଲାଣି । ଯୀଶୁଙ୍କୁ ଦୟାଳୁ ମେଷପାଳକ ରୂପେ ଚିତ୍ରିତ କରାଯାଇଥାଏ । ବାଟ ହୁଡ଼ିଥିବା ବା ପଛରେ ପଡ଼ିଯାଇଥିବା ମେଣ୍ଢାକୁ ବି ସେ ଖୋଜି ଗୋଟେଇ ଆଣି ସତ୍‌ମାର୍ଗରେ ଚାଲିଥିବା ଦଳ ସାଙ୍ଗରେ ମିଶାନ୍ତି ।

 

ମାତ୍ର ଏ ଯୁଗରେ ମତଲବବାଜ ଶାସକ ଓ ଶୋଷକ ମଣିଷକୁ ମେଣ୍ଢା କରିବା ପାଇଁ ଏପରି ପ୍ରବଳ ଉଦ୍ୟମ ଚଳାଇଛନ୍ତି ଯେ, ଏବେ ମେଣ୍ଢା ଅଡ଼େଇବା ମହାପୁରୁଷଙ୍କ ବାଟ ଚାହିଁ ବସିବା ପରିବର୍ତ୍ତେ ମେଣ୍ଢାକୁ ମଣିଷ କରିବାର କିମିଆଁ ବାହାର କରିବାକୁ ହେବ । ଏଥିପାଇଁ ବାଟ ଚାହିଁ ବସିବାର ବେଳ ନାହିଁ । ପ୍ରତି ମୁହୂର୍ତ୍ତରେ ରେଡ଼ିଓ, ଟେଲିଭିଜନ, ଖବରକାଗଜ, ସରକାରୀ ନେତାଙ୍କ ବକ୍ତୃତା, ପେରୀ ମେସନ୍‌ ଉପନ୍ୟାସ, ଲତା ମଙ୍ଗେସକରଙ୍କ ଗୀତ, ଗୁରୁମାନଙ୍କ ମେଜିକ୍‌ ସମାଜକୁ ମେଣ୍ଢାତ୍ୱ ଆଡ଼କୁ ଠେଲିଚାଲିଛି । ଏହା ଭିତରେ ଯେ କେହି ନିଜ ମୁଣ୍ଡରେ ଶିଙ୍ଗ ଓ ପଛଆଡ଼େ ଲାଞ୍ଜ ଗଜୁରିବାର ଲକ୍ଷଣ ଦେଖି ଆତଙ୍କିତ ହେବ, ତା’କୁ ନିଜେ ନିଜେ ଏ ଗଡ଼୍‌ଡ଼ଳିକା ପ୍ରବାହରୁ ଡିଆଁ ମାରି ବାହାରିଯିବାକୁ ହେବ । କେହି ଆସି ପଲକଯାକ ଅନ୍ୟ ବାଟରେ ଅଡ଼େଇନେବ ବୋଲି ଅପେକ୍ଷା କଲେ ବେଳ ଅତି ଉଛୁର ହୋଇଯାଇପାରେ ।

 

ଏହିପରି ଜଣେ ସାଧାରଣ ଲୋକ ଭାବରେ ମୁଁ ଏହି ବହି ଲେଖିବାରେ ସାହସ କରିଛି-। ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ବାଟ ଖୋଜିବେ ବୋଲି କେହି କାହାଠାରୁ ଶିଖିବେ ନାହିଁ, ତାହା ତ ନୁହେଁ । ପ୍ରତ୍ୟେକେ ନିଜର ଅନୁଭବ ଅନ୍ୟମାନଙ୍କ ସାମନାରେ ବାଢ଼ିବେ ଓ ପୁଣି ଅନ୍ୟମାନଙ୍କ ଅନୁଭବରୁ ଲାଭବାନ୍‌ ହେବେ । ପରସ୍ପରର ଆଳାପ-ଆଲୋଚନା, ବିଚାର ଓ ଅନୁଭବ ବିନିମୟ ମଧ୍ୟ ଲୋଡ଼ା ହେବ ।

 

ମୁଁ ଜଣେ ମାମୁଲି ଲୋକ । ବାହା ହୋଇଛି; ପିଲାଛୁଆ ଅଛନ୍ତି । ଧୋତି କୁରୁତା ପିନ୍ଧେ-। ଦାଢ଼ି ରଖିନାହିଁ କି ଲଣ୍ଡା ହୋଇନାହିଁ । ଚିନାବାଦାମ ଭଜା, ଲେଙ୍ଗଡ଼ା ଆମ୍ବ ଖାଇବାକୁ ଭଲପାଏ-। ମନ ହେଲେ ଛବି ଆଙ୍କେ । ବେଳେ ବେଳେ ଲୋକଙ୍କ ସାଙ୍ଗରେ ଖୁବ୍‌ ଉଚ୍ଚ ସ୍ୱରରେ କଳିକଜିଆ କରେ । ଜଗଦ୍‌ଗୁରୁ ହେବାର କୌଣସି ଲକ୍ଷଣ ମୋ’ଠେଇଁ ନାହିଁ । ତଥାପି ଏ ବହି ଲେଖିବାର କାରଣ ହେଲା ଯେ, ମୁଁ ଅନୁଭବ କଲି, ଏ ବହି ନ ଲେଖିଲେ ମୁଁ କ୍ରମେ ମେଣ୍ଢା ହୋଇଯିବି ।

 

ଗାନ୍ଧୀ-ପନ୍ଥାରେ ଚାଲିବା ଯୋଗୁଁ ପୁରୁଣା ଆଧ୍ୟାତ୍ମମାର୍ଗକୁ ପୂରାପୂରି ଅକାମୀ ବୋଲି ମୁଁ କାଟିଦେଇ ନ ଥିଲି । ମାତ୍ର ବିଜ୍ଞାନରେ ମୋର ରୁଚି ଯୋଗୁଁ ଆଧୁନିକ ଚିନ୍ତାଧାରା ଓ ଜ୍ଞାନବିଜ୍ଞାନର ଗତିବିଧିର ବି ଖୋଜଖବର ରଖୁଥିଲି । ମୁଁ ଅନୁଭବ କଲି ଯେ, ଯେମିତି ମୁଁ ପୂର୍ବରୁ ଲେଖିଛି, ଏ ଦୁଇଟା ଜଗତକୁ କେବଳ ସ୍ଲୋଗାନ୍‌ ଦ୍ୱାରା ଏକାଠି କରି ହେବନାହିଁ । ମୁଁ ଦେଖିଲି, ଗୋଟାଏ ଏପରି ହାୱା ସୃଷ୍ଟି ହୋଇରହିଛି ଯେ ଆତ୍ମଜ୍ଞାନ କେତେ ଜଣ ଖାସ୍‌ ଲୋକଙ୍କର ବିଷୟ । ସେମାନେ ଯାହା କହିବେ ତାହା ଭକ୍ତିଭରେ ଶୁଣି ବିଶ୍ୱାସ କରିବାକୁ ହେବ । ସେ ବିଷୟରେ ଆଲୋଚନା ସମାଲୋଚନାର ଅବସର ନାହିଁ କି ମନୋଭାବ ନାହିଁ । ଏ ପ୍ରକାରର ଆଖିବୁଜା ବିଶ୍ୱାସ ହଜମ କରିବାକୁ ମୁଁ ନାରାଜ ଥିବାରୁ ନିଜର ଆତ୍ମଜ୍ଞାନର ରୂପରେଖ ନିର୍ଣ୍ଣୟ କରିବା ଉଦ୍ୟମ ଆରମ୍ଭ କଲି । ଜେଲରେ ସବୁ ବିଚାର ଲେଖି ପକେଇବା ସୁଯୋଗ ମିଳିଲା । ଲେଖିବା ଚେଷ୍ଟାଦ୍ୱାରା ବିଚାର ବି ଅଧିକ ସ୍ପଷ୍ଟ ରୂପ ଧରିଲା ଓ ତାହାଦ୍ୱାରା ମୁଁ ନିଜେ ବି ଲାଭବାନ୍‌ ହେଲି ।

 

ଖେତଖମାର, ହାଟବଜାରରେ ମୁଣ୍ଡର ଝାଳ ତୁଣ୍ଡରେ ମାରି ବଞ୍ଚିବା ଲୋକର ବି ପ୍ରକାରର ବ୍ରହ୍ମଜ୍ଞାନ ଲୋଡ଼ା ? ତାହା ତା’ର କି କାମରେ ଆସିବ ? ସେହି ଆଲୋଚନା ପରବର୍ତ୍ତୀ ପୃଷ୍ଠାମାନଙ୍କରେ କରାହୋଇଛି ।

 

ତେବେ ଏହି ବହିକୁ ଯେଉଁମାନେ ପ୍ରଥମେ ପଢ଼ିବେ, ସେମାନେ କେବେହେଲେ ଆକ୍ଷରିକ ଅର୍ଥରେ ମୁଣ୍ଡର ଝାଳ ତୁଣ୍ଡରେ ମାରିବା ଲୋକ ହୋଇ ନ ଥିବେ । ସେମାନେ ଅବଶ୍ୟ ପାଠଶାଠ ପଢ଼ିଥିବେ । ସେମାନଙ୍କର ଖଟଣିଟା ଅଫିସ୍‌, କାରଖାନା, ଗବେଷଣାଗାର ଆଦିରେ ହେଉଥିବ । ଏହିମାନେ ହିଁ ଖେତଖମାରର ଲୋକଙ୍କର ଜୀବନକୁ ବର୍ତ୍ତମାନ ବହୁତ ପ୍ରଭାବିତ କରୁଛନ୍ତି; ଅଥଚ ସେମାନଙ୍କ ବିଷୟରେ ଭାବନ୍ତି ବହୁତ କମ୍‌ । ମୋର ଆଶା ଯେ, ଏ ବହି ପଢ଼ିବାପରେ ସେମାନେ ନିଜ ଜୀବନ ବିଷୟରେ ଭାବିବାକୁ ଆରମ୍ଭ କରିବେ । ଥରେ ଭାବିବା ଆରମ୍ଭ କଲେ ଓ ଶିଖିଗଲେ ମଣିଷ ଆଉ ସହଜରେ ଗୋଟାଏଠାରେ ନଙ୍ଗର ପକେଇ ଅଟକି ରହିପାରେ ନାହିଁ । କେତେକ ପାଠକଙ୍କ କ୍ଷେତ୍ରରେ ଏପରି ଘଟିବ ତ ପୁଣି ଖେତଖମାରଯାଏ ଏ କଥା ପହଞ୍ଚେଇବାର ବାଟ ବି ଫିଟିଯିବ ।

Image

 

କରି କରାଉଥାଏ ମୁହିଁ

 

‘‘କରି କରାଉଥାଏ ମୁହିଁ

ମୋ ବିନୁ ଆନ କେହି ନାହିଁ ।’’—

 

ସାଧୁନନା ଏ ପଦ ସଦାବେଳେ ଆଉଡ଼େଇଥାନ୍ତି । ସେଦିନ ପଦନନାଙ୍କ ପୁଅ ସରକାରୀ ଚାକିରି ପାଇଁ ଇଣ୍ଟରଭିଉ ଦେବାକୁ ଯାଇ ବିଫଳ ହୋଇ ଫେରିଲାରୁ ବି ସେଇ କଥା କହି ବୋଧଦେଲେ–‘‘କପାଳଲିଖନକୁ ଖଣ୍ଡିବ କିଏ ? ଯାହା ଭାଗ୍ୟରେ ଥିବ, ହେବ । ମନ କହେ ଜଗତୀ ଚଢ଼ିବି; କର୍ମ କହେ ବିଆଳି ବାଛିବି । ତୁଚ୍ଛାଟାରେ ମନ ଊଣା କରି କି ଲାଭ ?’’

 

କଥା କ’ଣ କି–ପଦନନା ଗରିବ ଲୋକ; ବହୁ କଷ୍ଟ ସହି ପୁଅକୁ ପାଠ ପଢ଼େଇଛନ୍ତି । ରେବଟି ଭଲ ପିଲା; ମନ ଦେଇ ପାଠ ପଢ଼େ, ପରୀକ୍ଷାରେ ଭଲ ନମ୍ବର ରଖେ । ଶେଷ ପରୀକ୍ଷାରେ ବିଶ୍ୱବିଦ୍ୟାଳୟରେ ପ୍ରଥମ ପାଞ୍ଚଙ୍କ ଭିତରେ ଯିବ ବୋଲି ଆଶା ଥିଲା ସବୁ ସାଙ୍ଗସାଥୀ ଆଉ ମାଷ୍ଟରଙ୍କର । କିନ୍ତୁ ଦେଖାଗଲା ଯେ ଦିଗମ୍ବର ଖଣ୍ଡେଇତରାୟଙ୍କ ପୁଅ ସଦା ରେବ ଉପରକୁ ସ୍ଥାନ ରଖିଛି । ସଦା ପାଠଶାଠ ଯେତେ ପଢ଼େ, ତା’ଠୁ ବାରରକମର ବଗୁଲିଆମିରେ ସମୟ କଟାଏ ଢେର୍‌ ବେଶୀ । ଅଥଚ ତା’ର ପ୍ରଥମ ପାଞ୍ଚ ଜଣଙ୍କ ଭିତରେ ସ୍ଥାନ ରହିବାରେ କେହି ଆଶ୍ଚର୍ଯ୍ୟାନ୍ୱିତ ହେଲେ ନାହିଁ । ସମସ୍ତେ ଜାଣନ୍ତି, ତା’ର ମୁରବୀ-ଜୋର ଅଛି । ଖାତାଦେଖା ମାମଲାରେ ତା’ ବାପା ଟଙ୍କା-ପଇସା କାରବାର ବି ଭଲ ରକମ କଲେ । ଚାକିରି ପାଇଁ ସେ ବି ପ୍ରାର୍ଥୀ ଥିଲା । ତା’ ମାମୁ ଉପମନ୍ତ୍ରୀ । ଚାକିରି ସେ ନ ପାଇ ଆଉ ଯାହାର ଚୁଳିଚାଳର ଠିକଣା ନାହିଁ, ସେ ରେବ ପାଇଥାନ୍ତା ? ଏଇ ହେଲା ରେବର କପାଳଲିଖନ ।

 

ଯାହା କିଛି ଘଟୁଛି ସବୁ ଈଶ୍ୱରଙ୍କର ଇଚ୍ଛା–ଏପରି ବିଶ୍ୱାସ ଆଧ୍ୟାତ୍ମିକତାର ଉତ୍ତମ ଲକ୍ଷଣ ବୋଲି ବିଶ୍ୱାସ କରାଯାଏ । ତେବେ ଯେଉଁ ବିଷୟର କାରଣ ଓ ପ୍ରତିକାରର ଉପାୟ ଜଣାଥାଏ, ତା’ର ଦାୟିତ୍ୱ ମଣିଷ ଈଶ୍ୱରଙ୍କ ଉପରେ ପକେଇବାର ଦେଖାଯାଏ ନାହିଁ । ବିଲରେ ବାଳୁଙ୍ଗା ରହିଥିବାର ଦେଖିଲେ ମୂଲିଆକୁ ଚାଷୀ ଦୋଷ ଦିଏ; ଭାତ ନକେଇ ହେଲେ ଘରଣୀକୁ । ମାତ୍ର ବର୍ଷା ପାଳନ ନ କଲେ ତା’ର ଦାୟିତ୍ୱ ପକାଏ ଭାଗ୍ୟ ବା ଈଶ୍ୱରଙ୍କ ଉପରେ । ପଚାଶ ବର୍ଷ ତଳେ ଗାଁରେ ହଇଜା ଲାଗିଲେ ରୋଗୀର ଆତ୍ମୀୟସ୍ୱଜନମାନେ ମୂଳରୁ ତା’କୁ ଭାଗ୍ୟ ହାତରେ ଛାଡ଼ିଦେଉଥିଲେ । ଏବେ ସେ ଗାଁରେ ହଇଜା ଲାଗିବାର ଜାଣିଲେ, ଏ ଗାଁଲୋକ ଟୀକାଦିଆକୁ ଖବର ଦେଉଛନ୍ତି । କଂସାବାସନ ବନ୍ଧା ପକେଇ ବି ରୋଗୀକୁ ନେଇ ଡାକ୍ତର ପାଖରେ ପହଞ୍ଚାଉଛନ୍ତି । ପଚିଶ ବର୍ଷ ତଳେ ବୋଧହୁଏ ଶତକଡ଼ା ନବେ ହଇଜା ରୋଗୀ ମରୁଥିଲେ । ଏବେ ଶତକଡ଼ା ନବେ ବଞ୍ଚିଯିବା ଅସାଧାରଣ କଥା ନୁହେଁ, ଚିକିତ୍ସାର ସୁବିଧା ପାଇଲେ ।

 

ଶହେ ବର୍ଷ ତଳେ ରଥଯାତ୍ରାବେଳେ ପୁରୀରେ ହଇଜାର ଯେଉଁ ମହାମାରି ବ୍ୟାପୁଥିଲା, ସେଥିରେ ହଜାର ହଜାର ଲୋକ ମରୁଥିଲେ । ଏବେ କ୍ୱଚିତ୍‌ କେଉଁଠି ଗୋଟାଏ ଅଧେ ହଇଜାର ଆକ୍ରମଣ ରଥଯାତ୍ରାବେଳେ ଦେଖିବାକୁ ମିଳୁଛି । ଏମିତି ଭାବରେ ଏ ରୋଗର ପରିଣାମ ଆଉ ଭାଗ୍ୟ ହାତରେ ନାହିଁ ।

 

ତେବେ ଦାର୍ଶନିକ ଯୁକ୍ତି କରିବେ ଯେ, ଏ ବି ଈଶ୍ୱରେଚ୍ଛା–ଈଶ୍ୱର ଚାହିଁଲେ ବୋଲି ହଇଜାର କାରଣ ଜଣାପଡ଼ିଲା; ତା’ର ପ୍ରତିଷେଧ ବ୍ୟବସ୍ଥା ମଧ୍ୟ ଈଶ୍ୱରଙ୍କ ପ୍ରେରଣାରୁ ହେଲା ଇତ୍ୟାଦି । ଯାହା କିଛି ଘଟିଛି, ଘଟୁଛି ଓ ଘଟିବ, ସବୁକୁ ଈଶ୍ୱର-ଇଚ୍ଛା କୁହାଯିବ ଓ କୁହାଯାଉ; ମାତ୍ର କଥା ହେଉଛି ଯେ, ଯେଉଁମାନେ ହଇଜାକୁ ଭାଗ୍ୟ ବା ମଣିଷର ପାପ ପାଇଁ ଈଶ୍ୱରଙ୍କର ଦଣ୍ଡ ବୋଲି କହି ହାତବାନ୍ଧି ବସି ନ ରହିଲେ, ସେଇ ପ୍ରକାରର ଲୋକଙ୍କ ଦ୍ୱାରା ହିଁ ତାହାର ପ୍ରତିକାର ପନ୍ଥା ବାହାରିଲା ।

 

ସାଧାରଣତଃ ଦୁନିଆରେ କେତେକ ଉତ୍ସାହୀ, କର୍ମଠ ଲୋକ ଦେଖାଯାନ୍ତି ଯେଉଁମାନେ ନୂଆ ନୂଆ ସମସ୍ୟାରେ ହାତ ଦେବାକୁ ଭଲପାଆନ୍ତି; ପ୍ରତିକୂଳ ପରିସ୍ଥିତିରେ ସହଜରେ ଦବିଯାଆନ୍ତି ନାହିଁ । ଏହାର ଓଲଟା ଆଉ ପ୍ରକାରେ ଲୋକ ଥାଆନ୍ତି, ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ ଯେ ଯାହା ପୂର୍ବରୁ ନ ହୋଇଛି ତାହା ଆଉ ହୋଇପାରିବ । ପ୍ରତିକୂଳ ପରିସ୍ଥିତିର ସାମନା କରିବା ପରିବର୍ତ୍ତେ ତା’ ଆଡ଼କୁ ପିଠି ବୁଲେଇ ଦେଇ ବସି ଭବିତବ୍ୟ କଥା ବଖାଣିବା ସେମାନେ ପସନ୍ଦ କରନ୍ତି ।

 

ମନୋବିଜ୍ଞାନୀମାନେ କହୁଛନ୍ତି ଯେ ଏ ପ୍ରକାରର ଚରିତ୍ର–ଗୋଟାଏ ଉଦ୍ୟମୀ, ଆଶାବାଦୀ ଓ ଅନ୍ୟଟି ନିରୁଦ୍ୟମୀ, ନିରାଶାବାଦୀ–ପିଲାଦିନର ଲାଳନପାଳନର ପରିଣାମ । ଯେଉଁ ମା’ମାନେ ପିଲାଙ୍କୁ ବେଶୀ ସ୍ୱାଧୀନତା ଦିଅନ୍ତି, କଥାକଥାକେ ଆକଟ କରନ୍ତି ନାହିଁ, ଖେଳକୁଦ ଗଛଚଢ଼ା ଆଦିରେ ‘ହାଁ ହାଁ, ପଡ଼ିଯିବୁ, ବାଜିଯିବ’ ବୋଲି ବାଧା ଦିଅନ୍ତି ନାହିଁ, ଘରର ଜିନିଷପତ୍ରରେ ଟିକିଏ ହାତ ଦେଲେ ‘ଭାଙ୍ଗିଯିବ ଧରନା’ କହି ଆକଟ କରନ୍ତି ନାହିଁ, ସେମାନଙ୍କ ପିଲା ଉଦ୍ୟମୀ ଆଶାବାଦୀ ହୁଅନ୍ତି । ତାହାର ଓଲଟା ପ୍ରକାର ବାତାବରଣରେ ଓଲଟା ପ୍ରକାରର ଚରିତ୍ର ଗଢ଼ିଉଠେ-

 

ସାଧାରଣ ମଣିଷ ଉଦ୍ୟମ ଓ ଭାଗ୍ୟ ଉଭୟ ଭିତରେ ଦୋହଲୁଥାଏ । ମାତ୍ର ସେମାନଙ୍କ ଉପରେ କ୍ରମେ ଧର୍ମ-ମାଧ୍ୟମରେ ଭବିତବ୍ୟବାଦର ଦର୍ଶନ ଲଦା ହୋଇଛି । ଦର୍ଶନ ତ ବଜାରରେ ଖୋଜିଲେ ହରେକ ରକମର ମିଳିବ । ମାତ୍ର ଗୋଟାଏ ଗୋଟାଏ ପ୍ରକାରର ଦର୍ଶନ ଗୋଟାଏ ଗୋଟାଏ ପ୍ରକାରର ସମାଜବ୍ୟବସ୍ଥାକୁ, ତା’ର ଶାସକ ଓ ସମାଜପତିମାନଙ୍କୁ ସୁହାଏ । ଯେମିତି ଧରନ୍ତୁ, ଆମର ଜାତିଭେଦ ଓ ରାଜା ବ୍ରାହ୍ମଣଙ୍କ ଆଧିପତ୍ୟ ଉପରେ ଗଢ଼ା ହିନ୍ଦୁ ସମାଜ । ଏ ସମାଜକୁ ଚାଲୁରଖିବା ପାଇଁ ଭବିତବ୍ୟବାଦ, ଈଶ୍ୱର-ଇଚ୍ଛା ଆଦି ଭାରି ଅନୁକୂଳ । ଏକବଳଦିଆ ତେଲି ସେଇ ଗୋଟିଏ ବଳଦରେ ଘଣା ବୁଲାଉଥିବେ; ମରିଗଲେ ବି ଦୁଇଟା ବଳଦ ଯୋଚିବେ ନାହିଁ; ହରିଜନ ମୂଲିଆ ତା’ ଖାଉନ୍ଦକୁ ଆଶ୍ରା କରି ପୁରୁଷ-ପୁରୁଷ ଧରି ପଡ଼ିରହିଥିବ... । କିଏ ଯଦି କିଛି ଟିକିଏ ନୂଆ କାମ କରିବ, ତେବେ ତ ସବୁ ବ୍ୟବସ୍ଥା ଦୋହଲିଯିବ । ତେଣୁ ସବୁ ଉଦ୍ୟମ ବନ୍ଦ-। ପ୍ରତ୍ୟେକେ ସେଇ ଶହ କି ହଜାର ହଜାର ବର୍ଷର ଗତ ଭିତରେ ଜନ୍ମ ହେବେ, ଚାଲିବେ, ମରିବେ-। ଏପରି ହେବା କପାଳଲିଖନ ବା ଈଶ୍ୱରଙ୍କ ଇଚ୍ଛା ବୋଲି ଲୋକେ ବିଶ୍ୱାସ କଲେ ସମାଜର ଗାଡ଼ି ଏପରି ଭାବରେ ଗୁଳାରେ ଚାଲିବା ସହଜ ।

 

ତେବେ ସମାଜରେ ବି ନୂଆ ନୂଆ କଥା କିଛି ଘଟୁଥିଲା । ରାଜାମାନେ ଯୁଦ୍ଧ କରୁଥିଲେ; ରାଜ୍ୟ ଜୟ କରୁଥିଲେ । ତା’ର ବ୍ୟାଖ୍ୟା ଥିଲା । ସେମାନେ ବିଷ୍ଣୁ-ଅଂଶରେ ଜନ୍ମ; ତେଣୁ ଈଶ୍ୱରଙ୍କ ପରି ସେମାନଙ୍କର ବି ସ୍ୱାଧୀନ ଭାବରେ, ଭାଗ୍ୟଲିପି ବାହାରେ କାମ କରିବାର ଅକ୍ତିଆର ଅଛି । ତା’ ଛଡ଼ା ଏ ପ୍ରକାରରେ ସେମାନଙ୍କୁ ବିଷ୍ଣୁ କଳାରେ ଭାଗୀ କରାଯିବା ଦ୍ୱାରା ଆଉ ଏକ ସୁବିଧା ହେଉଥିଲା । ସେମାନଙ୍କର ଆଦେଶ ଈଶ୍ୱରଙ୍କର ଆଦେଶ ସଙ୍ଗରେ ସମାନ ହୋଇଯାଉଥିଲା । ବ୍ରାହ୍ମଣ, ପୁରୋହିତମାନେ ବି ଈଶ୍ୱର-ଇଚ୍ଛାର ବ୍ୟାଖ୍ୟା କରୁଥିଲେ । ମନ୍ଦିରରେ ଠାକୁରଙ୍କ ମୁଣ୍ଡରୁ କି ବେକରୁ ଫୁଲ ଖସିବା, ତାଙ୍କ ମଥାର ମୟୁରଚୂଳ ହଲିବା ଆଦିର ଅର୍ଥ କରି ଠାକୁରଙ୍କର ଇଚ୍ଛା କ’ଣ, ତାହା ବ୍ୟାଖ୍ୟା କରୁଥିଲେ ।

 

ୟୁରୋପରେ ହଜାରେ ବର୍ଷ ତଳେ ଏ ଅବସ୍ଥା ଶେଷ ସୀମାରେ ପହଞ୍ଚିଥିଲା । ମଣିଷର ଯେତିକି ଜ୍ଞାନ ଦରକାର, ତାହା ଈଶ୍ୱର ବାଇବେଲ୍‌ରେ ଦେଇ ଯାଇଚନ୍ତି; ତାହା ବାହାରେ କିଛି ଜାଣିବାକୁ ଚାହିଁବା ଧର୍ମଦ୍ରୋହ ବୋଲି ଧର୍ମଗୁରୁମାନଙ୍କ ପକ୍ଷରୁ କୁହାଯାଉଥିଲା । କୌଣସି ପ୍ରାକୃତିକ ଘଟଣାର କାରଣ ଜାଣିବା ଚେଷ୍ଟା ବି ଅହଙ୍କାର, ଈଶ୍ୱର-ଦ୍ରୋହ । ଧର୍ମଗୁରୁ ପୋପ୍‍ ଈଶ୍ୱରଙ୍କର ସାକ୍ଷାତ ପ୍ରତିନିଧି । ତାଙ୍କର ଆଦେଶ ଈଶ୍ୱରଙ୍କର ଆଦେଶ । ସେହିପରି ପୋପ୍‌ଙ୍କର ଆଶୀର୍ବାଦ ପାଇଥିବା ରାଜା ମଧ୍ୟ ଈଶ୍ୱରୀୟ ଶକ୍ତିର ଅଧିକାରୀ । ବାସ୍‌, ଏଇପରି ସବୁ ଚାଲିଥିଲା (ଏଠି କହିରଖେ ଯେ ଆମ ଦେଶରେ ବି ବେଦକୁ ସବୁ ଜ୍ଞାନର ଆକର ବୋଲି ମନେକରାଯାଏ) ।

 

ୟା’ ଭିତରେ ବାହାରିଲେ ସବୁ ସନ୍ଥ, ଯେଉଁମାନଙ୍କୁ ସେତେବେଳର ରୀତିନୀତି ଓ ଧର୍ମର ଗତିବିଧି ପସନ୍ଦ ହେଲା ନାହିଁ । ଆମ ଦେଶରେ ଚୈତନ୍ୟ, ତୁଳସୀଦାସ, ନାମଦେବ, ତୁକାରାମ ଆଦି ଯେଉଁ ଯୁଗରେ ଜନ୍ମ ହୋଇଥିଲେ ପ୍ରାୟ ସେହି ଯୁଗରେ ପନ୍ଦରକ ଶତାବ୍ଦୀରେ ପୋପ୍‌ଙ୍କ ଆଧିପତ୍ୟ ବିରୋଧରେ ବିଦ୍ରୋହ ଆରମ୍ଭ ହେଲା । ଏହା ପୂର୍ବରୁ ଅନେକ ସନ୍ଥ ବାହାରିଥିଲେ । ସେମାନେ ଦାବି କରୁଥିଲେ ଯେ ସେମାନେ ଈଶ୍ୱରଙ୍କ ଇଚ୍ଛା ନିଜ ଅନ୍ତରାତ୍ମା ଭିତରେ ଶୁଣି ପାରୁଛନ୍ତି ଓ ସେ ଅନୁସାରେ କାମ କରି ଧର୍ମର ଧରାବନ୍ଧା ନିୟମର ବିରୋଧାଚରଣ ବି କରୁଥିଲେ । ସେଥିପାଇଁ ସେମାନଙ୍କ ଭିତରୁ ଅନେକେ ଦଣ୍ଡ ବି ଭୋଗିଥିଲେ–ଏକଦମ୍‌ ମୃତ୍ୟୁଦଣ୍ଡ । ପନ୍ଦରଶହ ଶତାବ୍ଦୀରେ ଜର୍ମାନୀରେ ମାର୍ଟିନ୍‌ ଲୁଥର୍‌ ବାହାରିଲେ ଯେ ଏଇ ଦାବିଟା ସର୍ବସାଧାରଣଙ୍କ ପାଇଁ କଲେ । ସେ କହିଲେ, ଈଶ୍ୱର ସମସ୍ତଙ୍କ ହୃଦୟରେ ଅଛନ୍ତି । ତାଙ୍କ ସହିତ ପ୍ରତ୍ୟେକର ସିଧାସଳଖ ସମ୍ବନ୍ଧ ରହିଛି । ଈଶ୍ୱରଙ୍କ ସହିତ ସମ୍ବନ୍ଧପାଇଁ ତାଙ୍କର ଇଚ୍ଛା ଜାଣିବାପାଇଁ ପୋପ୍‌ ଓ ତାଙ୍କର ପାଦ୍ରୀକୂଳର ଦଲାଲୀ ଆଦୌ ଲୋଡ଼ା ନାହିଁ ।

 

ସେହିପରି ପୋପ୍‌–ବିରୋଧୀ ଆନ୍ଦୋଳନ ଇଂଲଣ୍ଡରେ ଓ ଅନ୍ୟତ୍ର ବି ଆରମ୍ଭ ହେଲା । ଏସବୁ ସଫଳ ହୋଇ ପ୍ରୋଟେଷ୍ଟାଣ୍ଡ ସମ୍ପ୍ରଦାୟର ଅଭ୍ୟୁଦୟ ପଶ୍ଚିମ–ୟୁରୋପରେ ହେଲା । ପ୍ରୋଟେଷ୍ଟାଣ୍ଟମାନେ ଈଶ୍ୱରଇଚ୍ଛାକୁ ଉଡ଼େଇଦେଲେ ନାହିଁ; ମାତ୍ର ନିଜ ଅନ୍ତର ଭିତରୁ ତାହା ଶୁଣିବାକୁ ଲାଗିଲେ । ତେଣୁ ସେମାନେ ନିଶ୍ଚେଷ୍ଟ ହୋଇ ପୋପ୍‌ ଓ ରାଜାଙ୍କର ସୂଚନାକୁ ଅପେକ୍ଷା ନ କରି ନିଜ ବୁଦ୍ଧିରେ ଓ ଇଚ୍ଛାରେ କାମ କରିବାକୁ ଲାଗିଲେ । ଏହାର ପରିଣାମ ସୁଦୂରପ୍ରସାରୀ ହେଲା । ଏହି ସମୟରେ ୟୁରୋପରେ ନବଜାଗରଣର ଯୁଗ ଚାଲିଥାଏ । ଗୋଟାଏ ଦିଗରେ ଜ୍ଞାନ–ବିଜ୍ଞାନର ଖୋଲାଖୋଲି ଚର୍ଚ୍ଚା ପ୍ରବଳ ଭାବରେ ଆରମ୍ଭ ହୋଇଥାଏ ଓ ଅନ୍ୟ ଦିଗରେ ଆଧୁନିକ ଶିଳ୍ପ-ଅର୍ଥନୀତିର ବି ମୂଳଦୁଆ ପଡ଼ୁଥାଏ । ପୋପ୍‌ ଗୀର୍ଜା ସଙ୍ଗଠନ ଓ ରାଜାଙ୍କ ଶାସନ ସହିତ ବନ୍ଧା ଈଶ୍ୱରଇଚ୍ଛାରୁ ପ୍ରୋଟେଷ୍ଟାଣ୍ଟ ଧର୍ମ ତା’ର ଅନୁଗାମୀମାନଙ୍କୁ ଯେଉଁ ମୁକ୍ତି ଦେଲା, ତାହା ଉପରୋକ୍ତ କର୍ମୋଦ୍ୟମସବୁକୁ ବହୁତ ସାହାଯ୍ୟ କଲା ।

 

ଏବେ ଆମେରିକାର ବିଶିଷ୍ଟ ସମାଜବିଜ୍ଞାନୀ ମ୍ୟାକ୍‌ଲେଲାଣ୍ଡ ଓ ତାଙ୍କର ସାଥୀମାନେ ମଣିଷ ଭିତରେ ପୁରୁଷାର୍ଥ ବୃତ୍ତି କାହିଁକି କମ୍‌ ବେଶୀ ଦେଖାଯାଏ ତା’ର କାରଣ ଅନୁସନ୍ଧାନ କରିବାକୁ ଯାଇ ଏଇ କଥା ଦେଖେଇଛନ୍ତି ଯେ ପ୍ରୋଟେଷ୍ଟାଣ୍ଟମାନଙ୍କର ପୁରୁଷାର୍ଥ ବୃତ୍ତି କାଥଲିକ୍‌ମାନଙ୍କଠୁ ବେଶୀ; କାରଣ ସେମାନେ ବାହାରର ଈଶ୍ୱରଙ୍କର ଇଚ୍ଛାକୁ ଚାହିଁ ବସନ୍ତି ନାହିଁ ।

 

ମହନ୍ତ ମହାରାଜ ‘‘ଠାକୁରେର୍‌ ପାଏସ୍‌ଖେତେ ଇଚ୍ଛେ ହୟେଛେ’’ ବୋଲି କହିଲା ପରି ବହୁତ ଲୋକ ନିଜ ଇଚ୍ଛାକୁ ଈଶ୍ୱରଙ୍କ ନାଁରେ ଚଳେଇଦେଲେ ଜାଣିବାର କ’ଣ ଉପାୟ ଅଛି ? ସତ୍ୟସାଇ ବାବାଙ୍କ ଭଳି କେତେ ଲୋକ ନିଜକୁ ଈଶ୍ୱରଇଚ୍ଛାର ବାହକ ବୋଲି ଜାହିର କଲେ ଓ ଅନ୍ୟ ସମସ୍ତେ ଆଁ କରି ଏ ଦାବିକୁ ଗିଳିଗଲେ ତ ମହା ଉତ୍କଟ ପରିସ୍ଥିତି ହେବ ! ଜନତାଙ୍କୁ ମେଣ୍ଢା ବନେଇବାର ଆଉ ଏକ ଉପାୟ ବାହାରିବ; ଯେମିତି ଆଜି ହେଉଛି । ମାତ୍ର ଈଶ୍ୱର ସମସ୍ତଙ୍କ ହୃଦୟରେ ରହି ପ୍ରେରଣା ଦେଉଛନ୍ତି ଓ ପ୍ରତ୍ୟେକେ ନିଜ କର୍ତ୍ତବ୍ୟ ନିୟନ୍ତ୍ରଣ ପାଇଁ ନିଜ ଅନ୍ତରକୁ ପଚାରିବାର ତାତ୍ପର୍ଯ୍ୟ ସମ୍ପୂର୍ଣ୍ଣ ଭିନ୍ନ । ଯାହା କିଛି ଘଟୁଛି, ଚଳିଆସୁଛି, ତା’କୁ ଚୁପ୍‌ଚାପ୍‌ ମାନିନେବା ଈଶ୍ୱରଇଚ୍ଛା ମାନିନେବା ନୁହେଁ; ଈଶ୍ୱର ମୋ ଭିତରେ, ମୋ ଭଳି ଅନ୍ୟ ମଣିଷଙ୍କ ଭିତରେ ବି ପ୍ରେରଣା ଦେଉଛନ୍ତି । ତେଣୁ ଯାହା ଘଟୁଛି ସେଥିରେ ମୋର ହସ୍ତକ୍ଷେପ, ବିରୋଧ ବି ଈଶ୍ୱରଇଚ୍ଛାର ଅଭିବ୍ୟକ୍ତି । ଏହିପରି ଭାବରେ ଏହା ବ୍ୟକ୍ତିର ସ୍ୱାଧୀନ କର୍ତ୍ତୃତ୍ୱ ପାଇଁ ବାଟ ଫିଟାଇଲା-। ନିଷ୍ଠାପର ଲୋକେ ନିଜର ଅନ୍ତରକୁ ପଚାରିବା ଅର୍ଥ କରିଥାନ୍ତି ସେମାନେ ଯେଉଁ ସବୁ ନୀତି ଓ ଆଦର୍ଶରେ ବିଶ୍ୱାସ କରନ୍ତି ତାହା ସହିତ ନିଜର କର୍ମପନ୍ଥାକୁ ଯଚେଇ କରି ଦେଖିବା । ଯଦି ପନ୍ଥା ନୀତିସଙ୍ଗତ ହୁଏ ତେବେ ତାହା ଈଶ୍ୱରାନୁମୋଦିତ ବୋଲି ସେମାନେ ବିଶ୍ୱାସ କରନ୍ତି; ନ ହେଲେ ନୁହେଁ ।

 

ଗତ ପଚାଶ ବର୍ଷରେ ଏ ଦେଶରେ ଭାଗ୍ୟବାଦର ସୀମା ବହୁତ ପଛକୁ ହଟିଯାଇଛି ବୋଲି ଯାହା ପୂର୍ବରୁ କହିଛି, ତାହା ଏହିପରି ସବୁ ବୈପ୍ଳବିକ ପରିବର୍ତ୍ତନର ଫଳ । ଭାଗ୍ୟକୁ ଆଦରି ହାତ ବାନ୍ଧି ବସିଥିବା ଧର୍ମଭୀରୁ ନୁହନ୍ତି, ନିଜ ସ୍ୱାଧୀନ କର୍ତ୍ତୃତ୍ୱରେ ବିଶ୍ୱାସ କରୁଥିବା ଲୋକଙ୍କ ଦ୍ୱାରା ହିଁ ବିଜ୍ଞାନର ବିକାଶ ହେଲା, ଆଧୁନିକ ଶିଳ୍ପ-ବାଣିଜ୍ୟର ବିକାଶ ହେଲା ଓ ତା’ର ସୁଅ ଏ ଦେଶରେ ମଧ୍ୟ ଆସି ବାଜିଲା, ଯାହା ଫଳରେ ଲୋକେ ଆଉ କେବଳ ଇନ୍ଦ୍ରକୁ ପାଣି ପାଇଁ ଚାହିଁ ବସୁନାହାନ୍ତି, ହଇଜା, ବସନ୍ତ ଆଦିରେ ପଣାହାଣ୍ଡି ବସେଇ ଯଥେଷ୍ଟ ହେଲା ବୋଲି ଭାବୁନାହାନ୍ତି; ତଥାପି ଭାଗ୍ୟବାଦର ପ୍ରଭାବ କଟିଗଲାଣି ବୋଲି ଭାବିବା ଭୁଲ ହେବ । ଏବେ ବି କୋଟି କୋଟି ଲୋକ ବିଶ୍ୱାସ କରୁଛନ୍ତି ଯେ, ସେମାନଙ୍କର ଦୁଃଖଦୁର୍ଦ୍ଦଶା ସେମାନଙ୍କର ନିଜର ଭାଗ୍ୟଫଳ ଏବଂ ଏବେ ଆଉ ଏକ ନୂଆ ପ୍ରକାରର ଭବିତବ୍ୟବାଦ ଆସି ପୁଣି ଆମ ସାମନାରେ ଛିଡ଼ାହେଲାଣି ।

 

ନ୍ୟୁଟନ୍‌ଙ୍କ ଦ୍ୱାରା ମାଧ୍ୟାକର୍ଷଣ ନିୟମରେ ଆବିଷ୍କାର ସାରା ଜ୍ଞାନ-ବିଜ୍ଞାନର ଦୁନିଆରେ ଏକ ବିରାଟ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଏହା ମାଧ୍ୟମରେ ଏ କଥା ଅତି ବିସ୍ମୟକର ଭାବରେ ସାବ୍ୟସ୍ତ ହୋଇଗଲା ଯେ କ୍ଷୁଦ୍ରତମ ଧୂଳିକଣାଠାରୁ ମହାବିଶ୍ୱର ବିଶାଳ ନକ୍ଷତ୍ରପୁଞ୍ଜ ସମସ୍ତେ ଗୋଟିଏ ନିୟମରେ ବାନ୍ଧିହୋଇ ଗତି କରୁଛନ୍ତି । ସାରା ଜଗତ ଗୋଟିଏ ନିୟମରେ ଚାଲୁଛି । ଏହି ବିଶ୍ୱାସ ଯୋଗୁଁ ହିଁ ମଣିଷ ଏକ ଈଶ୍ୱରର କଳ୍ପନା କରିଥିଲା । ଏକ ପ୍ରକାରର ସାରା ସୃଷ୍ଟି ପାଇଁ ଗୋଟିଏ ନିୟମର ଅସ୍ତିତ୍ୱରେ ବିଶ୍ୱାସ ମଧ୍ୟ ବିଜ୍ଞାନ ସାଧନା ପଛରେ ରହିଛି । ନ୍ୟୁଟନ୍‌ଙ୍କର ଆବିଷ୍କାର ଏହି ବିଶ୍ୱାସକୁ ଦୃଢ଼ କଲା । କେବଳ ସେତିକି ନୁହେଁ, ଏହା ଏକପ୍ରକାରର ନିୟତିବାଦକୁ ମଧ୍ୟ ପୁଷ୍ଟ କଲା, ଯାହାକୁ ଇଂରେଜୀରେ ଡିଟର୍‌ମିନିଜ୍‌ମ୍‌ କୁହାଯାଏ । ଏହାକୁ ଓଡ଼ିଆରେ ଆମେ ନିଶ୍ଚିତ-ପରିଣାମବାଦ କହିପାରୁ ।

 

ୟାର ସାରକଥା ହେଲା ଯେ, ଏ ସୃଷ୍ଟି ଅଣୁ-ପରମାଣୁର ସମଷ୍ଟି ଓ ଏ ସମସ୍ତ ନ୍ୟୁଟନ୍‌ଙ୍କ ଦ୍ୱାରା ଆବିଷ୍କୃତ ଓ ପରେ ନାନାଭାବରେ ଯଥାର୍ଥ ପ୍ରମାଣିତ ଗତିବିଜ୍ଞାନ ଓ ସ୍ଥିତିବିଜ୍ଞାନର ନିୟମ ଅନୁସାରେ ଗତି କରୁଛନ୍ତି । ଏସବୁ ନିୟମ ଅମୋଘ । ଏଥିରେ ଟିକିଏ ହେଲେ ଏପାଖ ସେପାଖ ହେବାର ଯୁ’ ନାହିଁ । ତେଣୁ ଯେ କୌଣସି ମୁହୂର୍ତ୍ତରେ ଜଗତରେ ଥିବା ସମସ୍ତ ଅଣୁ-ପରମାଣୁଙ୍କର ଅବସ୍ଥିତି ଓ ଗତିବିଧି ଦ୍ୱାରା ନିଶ୍ଚିତ ଓ ଏହିପରି ପଛକୁ ପଛକୁ ଖୋଜିଗଲେ ଦେଖାଯିବ ଯେ ସୃଷ୍ଟିର ଆରମ୍ଭରେ ଏ ସବୁକୁ ଯେଉଁ ପ୍ରକାରର ସ୍ଥିତି ଓ ଗତି ଦେଇ ଚାଲୁ କରି ଦିଆଯାଇଥିଲା, ତାହାରି କ୍ରମ-ପରିଣତି ଏପର୍ଯ୍ୟନ୍ତ ଘଟିଆସିଛି ଓ ଆଗକୁ ଘଟିଚାଲିବ । ସେଥିରେ କୌଣସି ପ୍ରକାରର ଅନ୍ୟଥା କରିବାର ଶକ୍ତି କାହାରି ନାହିଁ । ଗୋଟାଏ ସରଳ ଓ ସାନ ଉଦାହରଣ ଦେଇ କୁହାଯାଇପାରେ ଯେ ଏ ଜଗତଟା ଗୋଟାଏ ଟିଣ-କଣ୍ଢେଇ; ଚାବି ଦେଇ ଛାଡ଼ିଦିଆଯାଇଛି । ତା’ର ମୂଳ ଗଢ଼ଣ ଅନୁସାରେ ସେ କଣ୍ଢେଇ ଭଳି ଭଳିକା ଖେଳ ଦେଖେଇ ଚାଲିଛି ଓ ଚାଲିଥିବ ତା’ର ଚାବି ସରିବାଯାକେ । ସେ କଣ୍ଢେଇ ନାଚକୁଦ କରୁଛି, ଗୋଡ଼ହାତ ହଲଉଛି; କିନ୍ତୁ ତା’ର ବୁଦ୍ଧି ବା ଇଛା ବୋଲି କିଛି ନାହିଁ ।

 

ଈଶ୍ୱରବାଦୀମାନେ ଅବଶ୍ୟ କହିଲେ ଯେ, ଏ ଜଗତ ପଛରେ ଈଶ୍ୱର ଅଛନ୍ତି ଓ ସେ ଦରକାର ପଡ଼ିଲେ ସେଥିରେ ମଝିରେ ମଝିରେ ହସ୍ତକ୍ଷେପ କରନ୍ତି; ଆମେ ଯେମିତି ଟିଣ-କଣ୍ଢେଇ ବ୍ୟାପାରରେ କରୁ । ଏହାଦ୍ୱାରା ଈଶ୍ୱରଙ୍କର ଗୌରବ ରକ୍ଷାହେଲା ସତ; ମାତ୍ର ମଣିଷର ସ୍ୱାଧୀନ କର୍ତ୍ତୃତ୍ୱ କଥାଟାର ଚେର ଉପୁଡ଼ିଯିବା କଥା ହେଲା ।

 

ନ୍ୟୁଟନ୍‌ଙ୍କ ପରେ ପଦାର୍ଥବିଜ୍ଞାନ ଓ ରସାୟନବିଦ୍ୟାର ଯେତେ ଯେତେ ବିକାଶ ହେଲା, ତାହା ସୃଷ୍ଟିର ଏହି ପ୍ରକାରର ଯାନ୍ତ୍ରିକ ଚିତ୍ରକୁ ହିଁ ପୁଷ୍ଟ କରିଲାଗିଲା । ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଏହିପରି ଅମୋଘ ନିୟମ ଖୋଜା ଲାଗିଲା । ଅଠରକ ଶତାବ୍ଦୀରେ ଯେତେବେଳେ ଅର୍ଥବିଦ୍ୟାର ବୈଜ୍ଞାନିକ ଢଙ୍ଗରେ ପର୍ଯ୍ୟାଲୋଚନା ଆରମ୍ଭ ହେଲା, ଅର୍ଥବିଦ୍ୟାର ପଣ୍ଡିତମାନେ ତା’ର ସବୁ ଏହିପରି ‘‘ଅମୋଘ ପ୍ରାକୃତିକ ନିୟମ’’ ଖୋଜି ପାଇଛନ୍ତି ବୋଲି ବୟାନ କଲେ ।

 

ସେତେବେଳେ ସାମନ୍ତବାଦ ମରିଆସୁଛି ଓ ଇତିହାସର ଦିଗ୍‌ବଳୟରେ ଉଇଁଆସୁଛି ପୁଞ୍ଜିବାଦ ଓ ସାମ୍ରାଜ୍ୟବାଦର ନୂଆ ଶକ୍ତି । ପାଶ୍ଚାତ୍ୟଦେଶମାନଙ୍କର ବିଶେଷ କରି ଇଂଲଣ୍ଡ ଓ ଫ୍ରାନ୍‌ସର ସମାଜରେ ସେତେବେଳେ ଅସ୍ତବ୍ୟସ୍ତ ଅବସ୍ଥା । ଇଂଲଣ୍ଡରେ ଲକ୍ଷ ଲକ୍ଷ ଗରିବ ଚାଷୀ ଶ୍ରମିକ ସେମାନଙ୍କର ଜମିରୁ ବେଦଖଲ ହୋଇ ଆସି ସହରମାନଙ୍କର ନୁଙ୍ଗୁଡ଼ା ବସ୍ତିରେ ମୁଣ୍ଡ ଗୁଞ୍ଜୁଛନ୍ତି । ଅନାହାର ମୃତ୍ୟୁ ଦୈନନ୍ଦିନ ବ୍ୟାପାର । ସାମାନ୍ୟ ମଜୁରି ପାଇଁ ଶ୍ରମିକମାନେ ଷୋଳ ଘଣ୍ଟା ଅଠର ଘଣ୍ଟା ଲେଖାଁ କାମ କରୁଛନ୍ତି କାରଖାନାମାନଙ୍କରେ । ଆଠ ଦଶ ବର୍ଷର ପିଲା ବିପଜ୍ଜନକ କଳମାନଙ୍କରେ କାମ କରୁ କରୁ ଥକାବାଉଳାରେ ତା’ ଭିତରକୁ ଟଳିପଡ଼ି ମରିଯାଉଛନ୍ତି-। ସେ ମୁର୍ଦ୍ଦାରକୁ କାଢ଼ି ଫିଙ୍ଗିଦେଇ ନୂଆ ପିଲାକୁ ସେଠି ଠିଆ କରି ଦିଆଯାଉଛି । ବଣିଜ-ବେପାର ପାଇଁ ଇଂରେଜ ବଣିକ ସାରା ପୃଥିବୀ ଖେଦିଯାଉଛନ୍ତି ଓ ତତଲା ଲହୁ ଲୁହ ବୁହାଇ ସାମ୍ରାଜ୍ୟର ମୂଳଦୁଆ ପକାଉଛନ୍ତି ।

 

ଫ୍ରାନ୍‌ସରେ ନଗର ରାଷ୍ଟ୍ରବିପ୍ଳବ ହୋଇଛି । ପୁରୁଣା ବ୍ୟବସ୍ଥାକୁ ଧୂଳିସାତ୍‌ କରିବାରେ ଅଗ୍ରଣୀ ହୋଇଥିଲେ ସହରର ସର୍ବହରା ଗରିବ ଓ ଗାଁର ଚାଷୀ । କିନ୍ତୁ ନୂଆ ରାଷ୍ଟ୍ରର ଲଗାମ ଦଖଲ କରିଛନ୍ତି ସହରର ବେପାରୀଶ୍ରେଣୀ ଓ ଗାଁର ଅବସ୍ଥାପନ୍ନ ଚାଷୀ । ଗରିବ ଜନତା ଯୋଉ ତିମିରେ ସେଇ ତିମିରେ । ସେଇ ଛିଣ୍ଡା ଲୁଗା, ଅନାହାର ଅର୍ଦ୍ଧହାର ତା’ର ଭାଗରେ ପଡ଼ିଛି ।

 

ନୀତିବାଦୀ, ଆଦର୍ଶବାଦୀମାନେ ଏସବୁ ଦୁଃଖଦୁର୍ଦ୍ଦଶା ବିରୋଧରେ ସ୍ୱର ଉଠେଇଲେ; ଏ ସବୁର ପ୍ରତିକାର ଦାବି କଲେ । ସେମାନଙ୍କ ବିରୋଧରେ ବିଜ୍ଞାନର ଦ୍ୱାହି ଦେଇ ଅର୍ଥବିଦ୍ୟାବିଦ୍‌ମାନେ ବୁଝାଇଲେ ଯେ, ଯାହା ଘଟୁଛି, ପ୍ରକୃତିର ଅମୋଘ ନିୟମ ଅନୁସାରେ ଘଟୁଛି-। ଚନ୍ଦ୍ର ସୂର୍ଯ୍ୟ ଯେମିତି ପ୍ରକୃତିର ଅମୋଘ ନିୟମରେ ବନ୍ଧାହୋଇ ବୁଲୁଛନ୍ତି, ଏ ବି ସେମିତି । ଏହା ସବୁ ଘଟିବ ହିଁ ଘଟିବ । ଗରିବ ଲୋକ ତଳିତଳାନ୍ତ ହେବେ ହିଁ ହେବେ । ଯେ ଦୁର୍ବଳ ସେ ମରିବ; ଯେ ସବଳ ସେ ବଞ୍ଚିବ । ମାଲଥସ୍‌ ଦର୍ଶେଇଲେ ଯେ ପୃଥିବୀର ଖାଦ୍ୟ ଉତ୍ପାଦନ ଯେଉଁ ହାରରେ ବଢ଼ୁଛି, ଲୋକସଂଖ୍ୟା ବଢ଼ୁଛି ଓ ବଢ଼ିବ ତା’ଠୁଁ ଅଧିକ ହାରରେ; ତେଣୁ ଖାଦ୍ୟାଭାବ ବରାବର ଘଟିବ ଓ ଏ ଅବସ୍ଥାରୁ ପୃଥିବୀକୁ ଉଦ୍ଧାର କରିବାର ପ୍ରକୃତିର ପନ୍ଥା ହେଲା ଯୁଦ୍ଧ, ଦୁର୍ଭିକ୍ଷ ଓ ମହାମାରି ଦ୍ୱାରା ଗୁଡ଼ାଏ ଲୋକଙ୍କୁ ମାରି ସଂଖ୍ୟା କମେଇଦେବା ।

 

ଊଣେଇଶକ ଶତାବ୍ଦୀରେ ଡାରଉଇନ୍‌ ବିବର୍ତ୍ତନବାଦ ବାଢ଼ିଲେ । ‘ପ୍ରାକୃତିକ ନିର୍ବାଚନ’ର ନିୟମ ଅନୁସାରେ ଜୀବସୃଷ୍ଟିର କ୍ରମବିକାଶ ଘଟୁଛି ବୋଲି ସେ ଦର୍ଶେଇଲେ । ଯେ ଯୋଗ୍ୟତମ, ପ୍ରକୃତିରେ ତାହାରି ବିଜୟ ହେବ । ଏଥିପାଇଁ ନଖ ଦାନ୍ତ ଲଗେଇ ଅନବରତ ରକ୍ତାକ୍ତ ଲଢ଼େଇ ଚାଲିଛି । ଯେ ଯୋଗ୍ୟତାହୀନ, ଯେ ଦୁର୍ବଳ, ସେ ହାରିଯାଉଛି; ଲୋପ ପାଇଯାଉଛି । ଆଉ ମଣିଷଜାତି ବି ଏଇ ପ୍ରାକୃତିକ ନିର୍ବାଚନ ପ୍ରକ୍ରିୟାର ଏକ ଚରମ ପରିଣତି ।

 

ବିବର୍ତ୍ତନବାଦର ଏ ତତ୍ତ୍ୱ ମଧ୍ୟ ଚଳନ୍ତି ସମାଜର ସମର୍ଥକମାନଙ୍କୁ ଯୁକ୍ତି ଯୋଗାଇଲା । ଯୋଗ୍ୟମାନେ ହିଁ ଧନୀ ହେଉଛନ୍ତି; ଗରିବ ଅଯୋଗ୍ୟତା ହେତୁରୁ ତଳିତଳାନ୍ତ ହେଉଛନ୍ତି । ଗୋରାମାନେ ଶ୍ରେଣ୍ଠ ଜାତି; ତେଣୁ କଳା, ମାଟିଆ ଆଦି ନିକୃଷ୍ଟ ଜାତିମାନଙ୍କ ଉପରେ ସେମାନେ ରାଜୁତି କରିବା ସ୍ୱାଭାବିକ....ଇତ୍ୟାଦି, ଇତ୍ୟାଦି ।

 

ସେତେବେଳକୁ ସମାଜକୁ ସବୁ ମଣିଷଙ୍କର ସୁବିଧା ପାଇଁ ନୂଆ କରି ଗଢ଼ିବା କଥା ଉଠିଲାଣି । ଚଳନ୍ତି ବ୍ୟବସ୍ଥାକୁ ସମାଲୋଚନା କରୁଥିବା ପଣ୍ଡିତମାନଙ୍କ ଦ୍ୱାରା ବି ଅର୍ଥ-ବ୍ୟବସ୍ଥା ଓ ସମାଜ-ବ୍ୟବସ୍ଥାର ଅଧ୍ୟୟନ ବିଶ୍ଳେଷଣ ଆରମ୍ଭ ହେଲାଣି । ଏ ସବୁ ଭିତରୁ ନାନା ପ୍ରକାରର ବିପ୍ଳବୀ ଆନ୍ଦୋଳନ ବାହାରିଲା । ସମାଜବାଦୀମାନେ ଏଇ ତଥ୍ୟକୁ ଧରି ଚାଲିଲେ ଯେ ସମ୍ପତ୍ତିର ବ୍ୟକ୍ତିଗତ ମାଲିକାନା ହିଁ ସବୁ ଦୁଃଖ-ଦାରିଦ୍ର୍ୟ ଓ ଅନିଷ୍ଟର ମୂଳ । ଉତ୍ପାଦନର ସାଧନର ମାଲିକାନା ଅଳ୍ପ ଲୋକଙ୍କ ହାତରେ ରହୁଥିବାରୁ ସବୁ ପ୍ରକାରର ବୈଷମ୍ୟ ଓ ଦୁର୍ଦ୍ଦଶା ସେଥିରୁ ଉପୁଜୁଛି । ସାମ୍ରାଜ୍ୟବାଦ ଓ ଯୁଦ୍ଧର କାରଣ ବି ତାହା ହିଁ । ନୈରାଜ୍ୟବାଦୀମାନେ ଏହା ଉପରେ ଜୋରଦେଲେ ଯେ ଶାସନତନ୍ତ୍ର ବା ସରକାର ନ୍ୟସ୍ତସ୍ୱାର୍ଥମାନଙ୍କ ଦ୍ୱାରା ଜନତାକୁ ଦବେଇବାପାଇଁ ହିଁ ଗଢ଼ାଯାଇଛି । ତା’କୁ ଭାଙ୍ଗିଦେଲେ ସବୁ ଠିକ୍‌ ହେଇଯିବ ।

 

ସ୍ୟାଁ ସିମଁ, ଫୁରିୟେ, ଉଇଲିୟମ୍‌ ମରିସ୍‌, ରସ୍କିନ୍‌ ପ୍ରମୁଖ ଆଦ୍ୟ ସମାଜବାଦୀମାନେ ପୁଞ୍ଜିବାଦର ପ୍ରାଦୁର୍ଭାବ ବିରୋଧରେ ନୈତିକ ସମାଲୋଚନାର ସ୍ୱର ଉଠାଉଥିଲେ । ନୂଆ ସମାଜବାଦର ନମୁନା ଗଢ଼ିବା ପାଇଁ ହେଲେ ଏକପ୍ରକାରର ନୈତିକ ଉଦ୍ୟମ ମଧ୍ୟ ଲୋଡ଼ା ବୋଲି ବିଶ୍ୱାସ କରୁଥିଲେ । ସେମାନଙ୍କର ପ୍ରେରଣାରେ ଛୋଟ ଛୋଟ ସ୍ୱେଚ୍ଛାକୃତ ଗୋଷ୍ଠୀ ଗଢ଼ିଉଠିଥିଲା; ଯାହାର ସଦସ୍ୟମାନେ ବ୍ୟକ୍ତିଗତ ସମ୍ପତ୍ତି ତ ତ୍ୟାଗ କରୁଥିଲେ, ଭାଇଚାରା, ସାମ୍ୟ ଓ ସହଯୋଗର ଆଦର୍ଶ ଅନୁସାରେ ବି ଦୈନନ୍ଦିନ ଜୀବନ ବିତାଇବା ଚେଷ୍ଟା କରୁଥିଲେ ।

 

କାର୍ଲମାର୍କସ୍‌ ବାହାରିଲେ ଆଉ ଏକ କାଟର ଲୋକ । ନୂଆ ସମାଜ ଗଢ଼ିବାକୁ ହେଲେ ସମାଜର ଗତିବିଧିର ସାଙ୍ଗୋପାଙ୍ଗ ଅଧ୍ୟୟନ ଓ ବିଶ୍ଳେଷଣ ଲୋଡ଼ା ବୋଲି ସେ ବିଶ୍ୱାସ କରୁଥିଲେ-। ଏହା ସେ ବୈଜ୍ଞାନିକ ଢଙ୍ଗରେ କରିବାକୁ ଆରମ୍ଭ କଲେ ଓ ଏଭଳି ଅଧ୍ୟୟନ ଉପରେ ପ୍ରତିଷ୍ଠିତ ସମାଜବାଦକୁ ସେ ‘ବୈଜ୍ଞାନିକ ସମାଜବାଦ’ ଆଖ୍ୟା ଦେଲେ । ତାଙ୍କର ପ୍ରତିଭା ଅତୁଳନୀୟ ଥିଲା-। ଆଧୁନିକ ସମାଜବିଜ୍ଞାନ ଓ ଅର୍ଥବିଦ୍ୟାର ମୂଳପତ୍ତନରେ ତାଙ୍କର ଅବଦାନ ଅବିସ୍ମରଣୀୟ-। ମାର୍କ୍‌ସ କିନ୍ତୁ ଅନ୍ୟମାନଙ୍କ ପରି ଚଳନ୍ତି ସମାଜର ସମାଲୋଚନା ପାଇଁ ନୈତିକ ମାପକାଠି ବ୍ୟବହାର କଲେ ନାହିଁ । ‘ଯେମିତି ଅଛି ଥାଉ’–ବାଲାଙ୍କର ଯୁକ୍ତିକୁ ହିଁ ସେ ସେମାନଙ୍କ ବିରୋଧରେ ପ୍ରୟୋଗ କଲେ । ସେ କହିଲେ–ହଁ, ପୁଞ୍ଜିବାଦ ଓ ତାହାର ସମସ୍ତ ଦୁଷ୍ପରିଣାମ ଏକ ଅବଶ୍ୟମ୍ଭାବୀ ଐତିହାସିକ ପରିଣତି । ଇତିହାସର ଅମୋଘ ନିୟମ ଅନୁସାରେ ସାମନ୍ତବାଦର ଅବସାନ ଘଟେଇ ପୁଞ୍ଜିବାଦ ଆସିଛି ଓ ସେହି ଅମୋଘ ନିୟମ ଅନୁସାରେ ପୁଞ୍ଜିବାଦକୁ ହଟେଇ ସାମ୍ୟବାଦ ଆସିବ । ଇତିହାସର ଏହି ଅମୋଘ ପରିଣତିରେ ବିଶ୍ୱାସ ହେଲା ସାମ୍ୟବାଦୀ ଆନ୍ଦୋଳନର ମୂଳାଧାର ।

 

ଗୀତାରେ ଶ୍ରୀକୃଷ୍ଣ ଅର୍ଜ୍ଜୁନଙ୍କୁ ବୁଝାଇଲେ ଯେ ‘‘କାଳୋଽସ୍ମି ଲୋକକ୍ଷୟ କୃତ୍‌ ପ୍ରବୁଦ୍ଧୋ ଲୋକାନ୍‌ ସମାହର୍ତ୍ତୂମିହ ପ୍ରବୃତ୍ତଃ’’–ମୁଁ କାଳ ଲୋକକ୍ଷୟ କରିବାପାଇଁ ପ୍ରୋତ୍ସାହିତ ହୋଇ ଏ ଯୁଦ୍ଧ ଭିଆଇଛି । ତୁ ଯୁଦ୍ଧ ନ କଲେ ବି ଏମାନେ, ସାମନାରେ ଥିବା ଯୋଦ୍ଧାମାନେ, କେହି ବର୍ତ୍ତି ରହିପାରିବେ ନାହିଁ । ତେଣୁ ତୁ ଉଠ୍‌, ଯୁଦ୍ଧ କର, ଯଶ ଲାଭ କର । ଶତ୍ରୁମାନଙ୍କୁ ଜିଣି ସମୃଦ୍ଧ ରାଜ୍ୟଭୋଗ କର । ମୁଁ ଏମାନଙ୍କୁ ସବୁ ମାରିସାରିଛି; ତୁ କେବଳ ନିମିତ୍ତ ମାତ୍ର ହେଇ ହାତ ଲଗେଇଦେ । ମନରେ ବ୍ୟଥା ଅନୁଭବ କର ନାହିଁ–‘‘ନିମିତ୍ତମାତ୍ରଂ ଭବ ସବ୍ୟସାଚୀନ୍‌’’ ।

 

ମାର୍କ୍‌ସ ମଧ୍ୟ ଅବିକଳ ସେହିପରି ବୁଝାଇଲେ ଯେ ଇତିହାସର ଅମୋଘ ଗତି ଅନୁସାରେ ପୁଞ୍ଜିବାଦ ଯିବ, ସାମ୍ୟବାଦ ଆସିବ–ତେବେ ପାର୍ଟିବାଲାଙ୍କୁ କେବଳ ସେଥିରେ ନିମିତ୍ତମାତ୍ର ହେଇ ହାତ ଲଗେଇବାକୁ ହେବ ।

 

ମାର୍କସ୍‌ଙ୍କର ଏ ନିଶ୍ଚିତ ପରିଣାମବାଦ ଯୋଗୁଁ ସେଇ ପୋପ୍‌ଙ୍କ ଯୁଗ ଭଳି ଏକ ପରିସ୍ଥିତି ସୃଷ୍ଟି ହୋଇଛି । ପୋପ୍‌ ଯେପରି ଈଶ୍ୱରଇଚ୍ଛାର ଜ୍ଞାତା ଓ ବ୍ୟାଖ୍ୟାକାର ଥିଲେ, ସେମିତି ଇତିହାସର ଗତିବିଧି ପର୍ଯ୍ୟବେକ୍ଷଣ କରୁଥିବା ପଲିଟ୍‌ବ୍ୟୁରୋ ଇତିହାସର ଅବଶ୍ୟମ୍ଭାବୀ ପରିଣତିର ଜ୍ଞାତା ଓ ବ୍ୟାଖ୍ୟାକାର ହୋଇ ଛିଡ଼ାହୋଇଛି । ପୁରୋହିତ ଠାକୁରଙ୍କର ଫୁଲ-ତୁଳସୀ ଆଦିର ସଙ୍କେତ ଦେଖି ଠାକୁରଙ୍କ ଇଚ୍ଛାର ହଦିସ ପାଉଥିଲେ ଓ ଭକ୍ତମାନଙ୍କୁ ନିର୍ଦ୍ଦେଶ ଦେଉଥିଲେ । ପଲିଟ୍‌ ବ୍ୟୁରୋ ସେହିପରି କରୁଛି । ପାର୍ଟିସଦସ୍ୟ ବା କମ୍ୟୁନିଷ୍ଟ ରାଜ୍ୟର ନାଗରିକମାନଙ୍କର କର୍ତ୍ତବ୍ୟ ହେଲା, ଆଖି, ମୁହଁ ବୁଜି ଏ ନିର୍ଦ୍ଦେଶ ମାନିନେବା । ସେମାନଙ୍କର ଯୋଗ୍ୟତା ନାହିଁ ଯେ ସେମାନେ ନିଜ ମସ୍ତିଷ୍କ ବ୍ୟବହାର କରି ଭଲମନ୍ଦ ବିଚାର କରି ବସିବେ ।

 

ନିଶ୍ଚିତ-ପରିଣାମବାଦର ଏକ ପରିଣାମ ହେଲା ଯେ ସେଥିରେ ଭଲ ମନ୍ଦ, ନ୍ୟାୟ ଅନ୍ୟାୟ ଆଦି ମୂଲ୍ୟବୋଧର ବିଚାର ରହେ ନାହିଁ । ଯେଉଁଠି ସିନା ବାଛ-ବିଚାର କରିବାର ସୁଯୋଗ ଥିବ, ସେଠି ମୂଲ୍ୟବୋଧର ପ୍ରଶ୍ନ ଉଠିବ । ଯେଉଁଠି ଇତିହାସର ଅବଶ୍ୟମ୍ଭାବୀ ପରିଣତି ଘଟୁଛି, ସେଠି ତାହା ମାନିନେବାର କଥା । ବଛାବଛିର କଥା ଥିଲେ ସିନା ଭଲ ମନ୍ଦ, ନ୍ୟାୟ କି ଅନ୍ୟାୟ ପ୍ରଶ୍ନ ଉଠିବ ? ତେଣୁ କୋଡ଼ିଏ ଲକ୍ଷ ଲୋକଙ୍କର ଦୁର୍ଭିକ୍ଷ-ମୃତ୍ୟୁକୁ ନିର୍ବିକାର ଚିତ୍ତରେ ଦେଖୁଥିବାର ସ୍ତାଲିନ୍‌ଙ୍କୁ ଆମେ ଦେଖୁ–ଦେଖୁ ଆହୁରି ହଜାର ହଜାର ଲୋକଙ୍କର ଅବଲୀଳାକ୍ରମେ ମୃତ୍ୟଦଣ୍ଡର ଶିକାର ହେବା ।

 

(ଦୁଇ)

 

ଏ ତ ଗଲା ମାର୍କ୍‌ସବାଦର ଧାରା । ତେଣେ ପୂର୍ବରୁ ତ ପ୍ରଚଳିତ ବିଶ୍ୱାସ ରହିଛି ଯେ ମଣିଷ ଦେହ, ମନ ଓ ଆତ୍ମାର ସମଷ୍ଟି । ଆତ୍ମା ଅମର; ତାହା ଗୋଟାଏ ଦେହ ଛାଡ଼ି ପୁଣି ଆଉ ଏକ ଦେହରେ ଜନ୍ମ ନିଏ । ବିଶିଷ୍ଟ ଦାର୍ଶନିକ ଓ ବୈଜ୍ଞାନିକ ଦେକାର୍ତ୍‌ ବିଶ୍ୱାସ କରୁଥିଲେ ଯେ ସୃଷ୍ଟିଟା ଗୋଟାଏ ବିରାଟ ଯନ୍ତ୍ର ଭଳି । ଜୀବଜନ୍ତୁମାନେ ବି ଏହିଭଳି ଯନ୍ତ୍ରବତ୍‌; ମାତ୍ର ମଣିଷଠାରେ ଏକ ଆତ୍ମା ଅଛି ଓ ଏଇ ଆତ୍ମା ହେଲା ତା’ର ସ୍ୱାଧୀନ କର୍ତ୍ତୃତ୍ୱର ଉତ୍ସ । ଏହିପରି ଭାବରେ ସେ ଅପରିବର୍ତ୍ତନୀୟ ନିୟମରେ ବନ୍ଧା ସୃଷ୍ଟି ସହିତ ବ୍ୟକ୍ତି-ସ୍ୱାତନ୍ତ୍ର୍ୟକୁ ଖାପ ଖୁଆଇବାକୁ ଚେଷ୍ଟା କରିଥିଲେ ।

 

ମାତ୍ର ଶରୀର-ବିଜ୍ଞାନ, ଜୀବ-ବିଜ୍ଞାନ, ମନୋବିଜ୍ଞାନ ଆଦିର ଅଧ୍ୟୟନ ଆଗେଇବାକୁ ଦେହ, ମନ ଓ ଆତ୍ମାର ତ୍ରିବେଣୀର କଳ୍ପନା ଆଉ ବୈଜ୍ଞାନିକ ତଥ୍ୟ ସହିତ ଖାପ ଖାଇଲା ନାହିଁ । କେବଳ ସେତିକି ନୁହେଁ, ବୈଜ୍ଞାନିକମାନଙ୍କ ଭିତରେ ଗୋଟାଏ ଖୁବ୍‌ ଟାଣୁଆ ଗୋଷ୍ଠୀ ବାହାରିଲେ, ଯେଉଁମାନେ ବିଶ୍ୱାସ କଲେ ଯେ ମଣିଷର ଚେତନା ପ୍ରକୃତରେ ଗୋଟାଏ ମୌଳିକ ବସ୍ତୁ ବା ଘଟଣା ନୁହେଁ, ଏହା କେବଳ ଦେହ, ସ୍ନାୟୁ-ମଣ୍ଡଳ ଓ ମସ୍ତିଷ୍କରୂପୀ ଯନ୍ତ୍ରର କାର୍ଯ୍ୟକଳାପର ଗୋଟାଏ ଅଭିବ୍ୟକ୍ତି ମାତ୍ର । ସିନେମାର ଯନ୍ତ୍ର ଚାଲୁହେଲେ ପର୍ଦା ଉପରେ ଛବି ପଡ଼େ । ସେ ଛବି ସିନେମା-ଯନ୍ତ୍ରର କାର୍ଯ୍ୟକଳାପର ଅଭିବ୍ୟକ୍ତି ମାତ୍ର; ସିନେମା-ଯନ୍ତ୍ରକୁ ନିୟନ୍ତ୍ରଣ କରିବାର କୌଣସି ଶକ୍ତି ସେ ଛବିରେ ନ ଥାଏ । ମଣିଷର ଚେତନା ସେହିପରି; ତେଣୁ ମଣିଷର ସ୍ୱାଧୀନ ଇଚ୍ଛା ବୋଲି କିଛି ନାହିଁ । ତାହା କେବଳ ଗୋଟାଏ ବିଭ୍ରମ ମାତ୍ର । ପୂର୍ବରୁ ଚାବି ଦିଆହୋଇ ରହିଥିବା ଶରୀରଯନ୍ତ୍ର ପ୍ରାକୃତିକ ନିୟମ ଅନୁସାରେ ତା’ର କାମ କରିଥାଏ ।

 

‘‘କରି କରାଉଥାଏ ମୁହିଁ’’ ବାଲା ବି ତ ଠିକ୍‌ ଏହିପରି କଥା କହିଥାନ୍ତି । ମଣିଷ ତା’ର ସ୍ୱାଧୀନ ଇଚ୍ଛା ଅନିଚ୍ଛା ବୋଲି ଯାହା ବିଚାରେ, ସେସବୁ କେବଳ ମାୟା । ‘‘ତ୍ରିଗୁଣ ରଜ୍ଜୁ କରେ ଧରି, ମୃଗୀ ନଚାଏ ନରହରି’’ ଏଇ ହେଲା ସାରକଥା ବୋଲି ସେମାନେ ବୁଝାଇଥାନ୍ତି । ଏବେ ବିଜ୍ଞାନ ଏହି ପ୍ରକାରର ମତ ସପକ୍ଷରେ ଭୁରି ଭୁରି ପ୍ରମାଣ ଯୋଗାଇବାର ଦେଖାଯାଉଛି ।

 

ଦେଖାଯାଉଛି ଯେ ମଣିଷ ଅନେକ କାମ ଯନ୍ତ୍ରବତ୍‌ କରିଯାଏ; ଯଦିଓ ସେ ଭାବେ ଯେ, ସେ ନିଜ ଇଚ୍ଛାରେ ତାହା କରୁଛି । ତା’କୁ ଏପରି ଭାବରେ କାମ କରାଉଥିବା ବ୍ୟବସ୍ଥା ଭିତରେ ଗୋଟାଏ ପ୍ରକାର ହେଲା ତା’ର ଦେହରେ ଥିବା ନାନା ପ୍ରକାରର କ୍ଷରଣ-ଗ୍ରନ୍ଥି । ଆମେ କହିବୁ ଯେ ରାମବାବୁ ଗୋଟାଏ କାମୁଡ଼ା କୁକୁରକୁ ଦେଖି ଡରି ଦୌଡ଼ିପଳେଇଗଲେ; ଅର୍ଥାତ୍‌ ପଳେଇବାକୁ ଇଚ୍ଛାକରି ପଳେଇଗଲେ । ମାତ୍ର ମନୋବିଜ୍ଞାନୀ କହିବେ, ଘଟଣାଟା ତାହା ନୁହେଁ । ତାଙ୍କର ଆଖି କୁକୁର ଉପରେ ପଡ଼ିବାମାତ୍ରେ ମସ୍ତିଷ୍କରେ ସେ ବାର୍ତ୍ତା ପହଞ୍ଚିଗଲା ଓ ସାଙ୍ଗେ ସାଙ୍ଗେ ସେଠୁ ଏକ ବାର୍ତ୍ତା ତାଙ୍କର ଆଡ୍ରେନାଲ୍‌ ଗ୍ରନ୍ଥିକୁ ଗଲା । ଏ ଗ୍ରନ୍ଥିରୁ ଏକପ୍ରକାର ରାସାୟନିକ ଦ୍ରବ କ୍ଷରିତ ହୋଇ ରକ୍ତରେ ମିଶିଲା ଓ ଦେହର ମାଂସପେଶୀ, ସ୍ନାୟୁ ଆଦିକୁ ଦୌଡ଼ିବା ପାଇଁ ପ୍ରସ୍ତୁତ କଲା । ମସ୍ତିଷ୍କରେ ଗୋଟାଏ ସ୍ୱୟଂକ୍ରିୟ କେନ୍ଦ୍ର ରହିଛି । ଏ କେନ୍ଦ୍ର ଏ ଦ୍ରବର ପ୍ରଭାବରେ ଗୋଡ଼ ଓ ଅନ୍ୟାନ୍ୟ ଅଙ୍ଗପ୍ରତ୍ୟଙ୍ଗକୁ ଆଦେଶ ଦେଲା ବୁଲିପଡ଼ି ଦୌଡ଼ିବା ଆରମ୍ଭ କରିବାକୁ । ମସ୍ତିଷ୍କ ଉପରେ ଏ ଦ୍ରବର ପ୍ରଭାବକୁ ସେ ଭୟର ଭାବରୂପେ ଅନୁଭବ କଲେ । ମାତ୍ର ଏହା ଅନୁଭବ କରିବା ପୂର୍ବରୁ ତାଙ୍କର ଦେହ ଆପେ ଆପେ ଦୌଡ଼ିବା ଆରମ୍ଭ କରିଥିଲା ।

 

ଦେଖାଯାଉଛି ଯେ ମଣିଷ କ୍ରୋଧ, କାମବାସନା ଆଦି ଭାବାବେଗ ମଧ୍ୟ ଏହିପରି ସବୁ ବିଭିନ୍ନ ଗ୍ରନ୍ଥିରୁ କ୍ଷରିତ ରସ ପ୍ରଭାବରେ ଅନୁଭବ କରେ । ମୂଷାମାନଙ୍କ ଉପରେ ପରୀକ୍ଷା-ନିରୀକ୍ଷା କରି ଦେଖାଯାଇଛି ଯେ ମାଈମୂଷା ଛୁଆ ଜନ୍ମ କରିବା ପରେ ତାହା ଦେହରେ ଏହିପରି ଗୋଟାଏ ଗ୍ରନ୍ଥିରୁ ଏକ ରସ କ୍ଷରିତ ହୁଏ । ଏହା ପ୍ରଭାବରେ ସେ ଛୁଆମାନଙ୍କୁ ଅତି ଯତ୍ନରେ ଲାଳନପାଳନ କରେ । କୁମାରୀ ମୂଷା ଦେହରେ ଏଇ ରସର ଇଂଜେକ୍‌ସନ ଦେଇ ଦେଖାଯାଇଛି ଯେ, ଏହା ଫଳରେ ସେ ତୀବ୍ର ସନ୍ତାନ-ପ୍ରେମ ଅନୁଭବ କରେ ଓ ଛୁଆ ପାଇଲେ ଯତ୍ନରେ ଲାଳନପାଳନ କରେ । ଆମର ଶାରୀରିକ ଅବସ୍ଥାନ ପ୍ରଭାବ ଯେ ମନ ଉପରେ ପଡ଼େ, ଏହା ଆମେ ସମସ୍ତେ ଅନୁଭବ କରିଛୁ । ଦେହ ଅସୁସ୍ଥ ଥିଲେ ମଣିଷ ଚିଡ଼ଚିଡ଼ା ହୁଏ ଓ ରୋଗୀମାନେ ଏପରି ସବୁ ଅନେକ ପ୍ରକାରର ଆଚରଣ କରନ୍ତି, ଯେଉଁଗୁଡ଼ାକ କେବଳ ରୋଗର ପ୍ରତିକ୍ରିୟା ବୋଲି ଡାକ୍ତରମାନେ ଜାଣନ୍ତି; ଯଦିଓ ରୋଗୀ ଭାବେ ଯେ ସେ ତାହା ନିଜ ଇଚ୍ଛାରେ କରୁଛି । ମସ୍ତିଷ୍କରେ ଥିବା ସ୍ୱୟଂକ୍ରିୟ କେନ୍ଦ୍ରର ଉଲ୍ଲେଖ ଟିକିଏ ଆଗରୁ କରିଛି । ଆମେ ପିଲାଦିନେ ଚାଲିଶିଖିବାପାଇଁ କେତେ କଚଡ଼ା ନ ଖାଇଥାଉ । ମାତ୍ର ଥରେ ତାହା ପଇଟିଗଲେ ସେଥିପାଇଁ ଆମକୁ କ୍ଷଣେ ସୁଦ୍ଧା ଭାବିବାକୁ ପଡ଼େ ନାହିଁ । ସାଇକେଲ ଚଳାଇବା ଆମେ ଶିଖିଲାବେଳେ କେତେ ମନୋଯୋଗ ଲୋଡ଼ା ହୁଏ । କିନ୍ତୁ ତା’ ପରେ ସାଇକେଲ ଜାଣି ଆପେ ଆପେ ଚାଲେ । ସୂତା କାଟିବାବେଳେ ଆମେ ଆରାମରେ ତାହା କରିଚାଲୁ । ଏସବୁ କାମର ନିୟନ୍ତ୍ରଣ ଆମର ମସ୍ତିଷ୍କର ସ୍ୱୟଂକ୍ରିୟ କେନ୍ଦ୍ର ନେଇ ନେଇଥାଏ ।

 

ଏ ସ୍ୱୟଂକ୍ରିୟ କେନ୍ଦ୍ର ଓ ଭୟ, କ୍ରୋଧ, ଭୋକ, ଶୋଷ, ସ୍ନେହ, ଘୃଣା, କାମବାସନା ଆଦି ଭାବାବେଗର ମାଧ୍ୟମରେ ଅଗଣିତ ପ୍ରକାରର ‘ଅଭ୍ୟାସ’ ଆମେ ଶିଖିଥାଉ, ଯେଉଁଗୁଡ଼ାକ ଆମର ସ୍ୱେଚ୍ଛାକୃତ କାର୍ଯ୍ୟ ବୋଲି ଆମେ ବିଚାରୁ; ମାତ୍ର ପ୍ରକୃତରେ ସେସବୁ ଆପେ ଆପେ ଘଟେ । ରାମବାବୁଙ୍କର କୁକୁର-ଭୀତି ତା’ର ଏକ ଉଦାହରଣ । ସେହିପରି ଶ୍ୟାମବାବୁଙ୍କର ଗୋଲ୍‌ଡ ଫ୍ଳେକ୍‌ସ ସିଗ୍ରେଟ-ପ୍ରୀତି । ଏକ ସ୍ୱଳ୍ପବାସ-ପରିହିତା ସୁନ୍ଦରୀ ତରୁଣୀର ଚିତ୍ର ଏ ସିଗ୍ରେଟ୍‌ର ବିଜ୍ଞାପନ ପାଇଁ କାନ୍ଥ-ବାଡ଼ରେ ମରା ହୋଇଥିଲା । ଶ୍ୟାମବାବୁଙ୍କ ମନରେ ସେ ତରୁଣୀର ବିମ୍ବୋଷ୍ଠ ଓ ଗୋଲଡ ଫ୍ଳେକ୍‌ସ ଏକାଠି ଛନ୍ଦି ହୋଇଗଲା । ଗୋଲ୍‌ଡ ଫ୍ଳେକ୍‌ସ ଧୂଆଁ ସାଙ୍ଗରେ ତା’ର ସ୍ମୃତିଟା ବି ମନକୁ ଚାଙ୍ଗାକରେ । ତେଣୁ ସେ ଗୋଲ୍‌ଡ ଫ୍ଳେକ୍‌ସ କିଣନ୍ତି ।

 

ଓଡ଼ିଆଣୀ ମା’ ପିଲାକୁ ଭାତ ଖୁଆଇବା ପାଇଁ କେତେ କୌଶଳ ନ କରେ । ସାକୁଲା-ସାକୁଲିଠୁଁ ଆରମ୍ଭ କରି ବିଧା ଚଟକଣା ଯାଏ । ଫଳରେ ଓଡ଼ିଆମାନେ ଭାତ ଖାଇବାକୁ ଭଲପାନ୍ତି । ସେମାନେ ଭାବନ୍ତି ଯେ ଭାତ ସେମାନେ ସ୍ୱେଚ୍ଛାରେ ଚାହୁଁଛନ୍ତି; ମାତ୍ର ତାଙ୍କର ମନ ଏପରି ଭାବରେ ସଂସ୍କାରଯୁକ୍ତ ହୋଇଥାଏ ଯେ ଭାତପାଇଁ ମନ ନ ଡାକି ଗତି ନ ଥାଏ ।

 

ଏହି ପ୍ରକାରର ‘ସଂସ୍କାର ନିର୍ମାଣ’କୁ ଇଂରେଜୀରେ କଣ୍ଡିସନିଂ କୁହାଯାଉଛି । ରୁଷ୍‌ ଦେଶର ମନୋବିଜ୍ଞାନୀ ପାଭଲଭ୍‌ କୁକୁର ଉପରେ ଗବେଷଣା ଚଳେଇ ଏହାର ସୂକ୍ଷ୍ମ ପ୍ରକ୍ରିୟା ବିଷୟରେ ବିଶଦ ଜ୍ଞାନ ଆହରଣ କରିଥିଲେ । ଏହା ଫଳରେ ସଂସ୍କାର କିପରି ନିର୍ମାଣ କରାଯାଇପାରିବ ଓ ପୁଣି ଭଙ୍ଗା ବି ଯାଇପାରିବ ତା’ର ଉପାୟ ଏବେ ଭଲଭାବରେ ଜଣାଗଲାଣି । ଜଣକର ଇଚ୍ଛା ଅନୁସାରେ ଅନ୍ୟ ଜଣର ଆଚରଣ ନିୟନ୍ତ୍ରଣ କରିବାର ଅଧିକ ଫଳପ୍ରଦ ଉପାୟ ବାହାରିଛି ଓ ବାହାରୁଛି । ଏହା ଫଳରେ କ୍ଷମତାଶାଳୀ ଲୋକେ ସାଧାରଣ ଜନତାକୁ ମାଙ୍କଡ଼ନଚା କରିବାର ବାଟ ସହଜ ହୋଇଯାଇଛି । ଏ ବିଷୟରେ ବିଶଦ ଆଲୋଚନା ପରେ କରାଯିବ ।

 

ଫ୍ରୟେଡ୍ ଆବିଷ୍କାର କଲେ ଯେ ମଣିଷର ମନ ଭିତରେ ଗୋଟାଏ ଅଚେତନ ସ୍ତର ରହିଛି; ଯେଉଁଟା ତା’ର ଚେତନ ମନ ଅନୁପାତରେ ବହୁଗୁଣରେ ବଡ଼ । ତାହା ଭିତରେ ନାନାପ୍ରକାର ଆଶା-ଆକାଂକ୍ଷା, ରାଗ-ଦ୍ୱେଷ, ଭୟ-କ୍ରୋଧ, ବାସନା ଲାଳସା ଜମା ହୋଇ ରହିଥାଏ; ଯାହାର ଖବର ସେ ଲୋକର ଜାଣତା ମନକୁ ଜଣା ନ ଥାଏ । ଲୁଚି ରହିଥିବା ଏସବୁ ଭାବାବେଗ କିନ୍ତୁ ଚୁପ୍‌ଚାପ୍‌ ବସି ନ ଥାନ୍ତି । ସେଗୁଡ଼ିକ ଲୋକର ଚିନ୍ତାଧାରା ଓ ଆଚରଣକୁ ପ୍ରଭାବିତ କରୁଥାନ୍ତି ତା’ର ଅଜାଣତରେ । ମଣିଷ ବିଚାରେ ଯେ ସ୍ୱତନ୍ତ୍ର ଭାବରେ ଜ୍ଞାନସାରରେ ଭାବିଚିନ୍ତି ଗୋଟାଏ କାମ କଲା; ମାତ୍ର ତାହା ପଛରେ ଅନେକ ସମୟରେ ଅଚେତନର ପ୍ରେରଣା ଥାଏ । ମଣିଷ ସେ କାମ ଯେଉଁ ଉଦ୍ଦେଶ୍ୟରେ କଲା ବୋଲି ବିଚାରେ, ସେଇଟା ଗୋଟାଏ ପ୍ରକାରର ଆତ୍ମ ପ୍ରବଞ୍ଚନା ହୋଇଥାଏ । ଏହାକୁ କୁହନ୍ତି ରେଶନାଲାଇଜେଶନ; ଓଡ଼ିଆରେ କହିବା ‘‘ହେତ୍ୱାଭାସ ନିର୍ମାଣ’’ । ଏହାର ବହୁତ ଉଦାହରଣ ମିଳେ । ଜଣେ ଅତି ନୈଷ୍ଠିକ ବ୍ରହ୍ମଚାରୀ ଜଣେ ଭଦ୍ରଲୋକଙ୍କ ଘରକୁ ବରାବର ଦର୍ଶନ-ଆଲୋଚନା କରିବାକୁ ଯାଆନ୍ତି । ଆଲୋଚନାରେ ଭଦ୍ରଲୋକ ଓ ତାଙ୍କର ସ୍ତ୍ରୀ ଉଭୟ ଉତ୍ସାହରେ ଯୋଗଦିଅନ୍ତି । ଯେଉଁ ଦିନ ଭଦ୍ରମହିଳା ଅନୁପସ୍ଥିତ ରହନ୍ତି, ସେ ଦିନ ବ୍ରହ୍ମଚାରୀ ମହାଶୟ ଟିକେ ବିବ୍ରତ ହେଲାପରି ଜଣାଯାଏ । ସେ ଭଦ୍ରମହିଳାଙ୍କ ପ୍ରତି ଆକର୍ଷଣ ଓ ତାଙ୍କର ସାନ୍ନିଧ୍ୟଲାଭର ଆକାଂକ୍ଷା ହିଁ ସେ ମହାଶୟଙ୍କର ଅଚେତନରୁ ଉଠୁଥିବା ଅସଲ ପ୍ରେରଣା । ଦର୍ଶନ-ଆଲୋଚନା ଗୋଟାଏ ହେତ୍ୱାଭାସ ମାତ୍ର ।

 

କାର୍ଲମାର୍କ୍‌ସ ଇତିହାସକୁ ଶ୍ରେଣୀ-ସଂଘର୍ଷର କାହାଣୀରୂପେ ବ୍ୟାଖ୍ୟା କଲେ । ସେ ଦର୍ଶେଇଲେ ଯେ ଆର୍ଥିକ ବ୍ୟବସ୍ଥାର ପ୍ରକାର ଅନୁସାରେ ସମାଜ ବିଭିନ୍ନ ଶ୍ରେଣୀରେ ବାଣ୍ଟି ହୋଇଯାଇଛି ଓ ଯାଉଛି । ପ୍ରତ୍ୟେକ ବ୍ୟକ୍ତିର ଚରିତ୍ର ତା’ର ଶ୍ରେଣୀ ଅନୁସାରେ ଗଢ଼ିଉଠୁଛି । କୃଷି-ଅର୍ଥନୀତିରେ ଜମିମାଲିକ, ଭାଗଚାଷୀ ଓ ଭୂମିହୀନ ମୂଲିଆ, ମହାଜନ ଓ ଖାତକ, ପୁଞ୍ଜିବାଦୀ ଅର୍ଥନୀତିରେ ମାଲିକ, ପରିଚାଳକ ଶ୍ରେଣୀ ଓ ଶ୍ରମିକ, ଏହିପରି ସବୁ ଶ୍ରେଣୀ-ବିଭାଗ ଓ ତଦନୁସାରେ ଶ୍ରେଣୀ-ଚରିତ୍ର ରହିଛି ।

 

ମାର୍କ୍‌ସଙ୍କର ଏ ବିଶ୍ଳେଷଣକୁ ଅନେକେ ଦାର୍ଶନିକ ଭିତ୍ତିରେ ଖଣ୍ଡନ କରିବାକୁ ଚେଷ୍ଟା କରିଥାନ୍ତି । ମାତ୍ର ବୈଜ୍ଞାନିକ ମହଲରେ ଏ କଥାଟା ଏବେ ପ୍ରାୟ ସମସ୍ତେ ମାନିନେଲେଣି; ଯଦିଓ ସମାଜର ଶ୍ରେଣୀବିଭାଜନ ସମ୍ପର୍କରେ ମାର୍କ୍‌ସ ଯେତେ ସରଳ ଚିତ୍ର ଦେଇଥିଲେ, ପ୍ରକୃତ ପରିସ୍ଥିତି ତାହାଠୁଁ ଢେର୍‍ ବେଶୀ ଜଟିଳ । ପ୍ରକୃତରେ ମଣିଷର ଆର୍ଥିକ ସ୍ୱାର୍ଥ ଓ ସାମାଜିକ ସ୍ତର ଅନୁସାରେ ତା’ର ଚାଲିଚଳନ, ମନୋଭାବ ଓ ଚିନ୍ତା କରିବାର ଢଙ୍ଗ ମଧ୍ୟ ଗଢ଼ିଉଠିଥାଏ । ଜମିଦାରକୁ ଦୁନିଆର ରୂପ ଗୋଟାଏ ପ୍ରକାରର ଦେଖାଯାଏ ତ ଚାଷୀକୁ ଆଉ ପ୍ରକାରେ ଓ ମୂଲିଆକୁ ପୁଣି ତା’ଠୁଁ ଭିନେ । ଆଚରଣ ମଧ୍ୟ ସେମିତି ପ୍ରତ୍ୟେକର ଭିନେ ଭିନେ ଢଙ୍ଗର । ସେମିତି ଜଣେ ସହରର ଶେଠ ଓ କାରଖାନାର ଶ୍ରମିକର ମନୋଭାବ ଓ ଆଚରଣ ଭିନେ । ଡାକ୍ତର ଓ ଓକିଲ, ଦୋକାନୀ ଓ କିରାଣି, ଶିକ୍ଷକ ଓ ରାଜମିସ୍ତ୍ରୀ ପ୍ରତ୍ୟେକଙ୍କର ଆଚରଣରେ ଓ ଚିନ୍ତାଧାରାରେ ତାଙ୍କର ଶ୍ରେଣୀ ଚରିତ୍ରର ଛାପ ଦେଖିବାକୁ ମିଳିବ । ଏହାର ଅର୍ଥ ହେଲା ଯେ ସେମାନଙ୍କର ଆଚରଣ ଶ୍ରେଣୀ ଅନୁସାରେ ‘ସଂସ୍କାରବଦ୍ଧ’-କଣ୍ଡିସନ୍‌ଡ ହୋଇଯାଇଛି; ଛାଞ୍ଚରେ ଢଳା ହୋଇଯାଇଛି । ମାର୍କ୍‌ସବାଦୀ କହନ୍ତି ଯେ ମଣିଷର ସମସ୍ତ ଚରିତ୍ର ଏମିତି ଛାଞ୍ଚଢ଼ଳା । ସେଥିରେ ସ୍ୱାଧୀନ କର୍ତ୍ତୃତ୍ୱ ଖୋଜିବାକୁ ଯିବା ବାତୁଳତା-

 

ଏହିପରି ବିଜ୍ଞାନର ବିଭିନ୍ନ ଶାଖାର ଅନୁଶୀଳନରୁ ମଣିଷର ଯେଉଁ ଚିତ୍ର ମିଳୁଛି, ତାହା ସ୍ୱାଧୀନ ମଣିଷର ନୁହେଁ; ମାତ୍ର ତା’ର ଦେହ ମନର ରଚନା, ତା’ର ପାରିପାର୍ଶ୍ୱିକ ପରିସ୍ଥିତି ଦ୍ୱାରା ନିୟନ୍ତ୍ରିତ ଏକ ସ୍ୱୟଂକ୍ରିୟ ଯନ୍ତ୍ରର । ପ୍ରକୃତରେ ମଣିଷର ଦେହ ଅଣୁ-ପରମାଣୁର ସମଷ୍ଟି ଓ ତା’ର ମାନସିକ ପ୍ରକ୍ରିୟା ଏହି ଦେହଯନ୍ତ୍ରର ଅଭିବ୍ୟକ୍ତି ତ ପୁଣି ମଣିଷର ଦେହ ମନ ସବୁ ସୃଷ୍ଟିର ସେଇ ନିୟମର ବଶବର୍ତ୍ତୀ, ଯେଉଁ ନିୟମ ଅନୁସାରେ ଅଣୁ-ପରମାଣୁରୁ ନିହାରିକାଯାଏ ଗତି କରୁଛନ୍ତି । ତେଣୁ ମନୋବିଜ୍ଞାନୀମାନଙ୍କର ଗୋଟିଏ ସମ୍ପ୍ରଦାୟ ବାହାରିଛି, ଯେ ଚୈତନ୍ୟର ସ୍ୱତନ୍ତ୍ର ଅସ୍ତିତ୍ୱକୁ ଅସ୍ୱୀକାର କରେ ଓ ମଣିଷର ଇଚ୍ଛା ଅନିଚ୍ଛା ଭଲ ମନ୍ଦ ଲାଗିବା ଆଦି ଅନୁଭୂତିଗୁଡ଼ାକ ବୈଜ୍ଞାନିକ ଗବେଷଣାର ବିଷୟ ନୁହେ ବୋଲି ବିଚାରେ ଓ କେବଳ ବାହ୍ୟ ଆଚରଣର ଅଧ୍ୟୟନ ଉପରେ ଜୋର ଦିଏ–ଏ କଥା ପୂର୍ବରୁ ଉଲ୍ଲେଖ କରାଯାଇଛି । ଏମାନେ ହେଲେ ‘ବିହେଭିଅରିଷ୍ଟ’ ବା ଆଚରଣବାଦୀ ।

 

ଚେତନା ଓ ତା’ ସାଙ୍ଗେ ସାଙ୍ଗେ ମଣିଷର ସ୍ୱାଧୀନ କର୍ତ୍ତୃତ୍ୱ ଏପରି ଭାବରେ ଉଡ଼େଇଦିଆଯାଇ ତା’କୁ କେବଳ ଟିଣ-କଣ୍ଢେଇର ସାମିଲ କରି ଦିଆଯିବାଟା ଅନେକଙ୍କର ପସନ୍ଦ ନୁହେଁ । ସେଥିପାଇଁ ସୃଷ୍ଟିରେ ଚେତନାକୁ ଦାଖଲ କରିବାର ଉପାୟ ଅନେକେ ଚିନ୍ତା କରିଛନ୍ତି । ବାଗସଁ ଏକ ଏଲାନ୍‌ ଭିତାଲ୍‌ର କଳ୍ପନା କରିଥିଲେ । ବର୍ଣ୍ଣାଡ୍‍ଶ’ ମଧ୍ୟ ଏକ ଅନୁରୂପ ‘ପ୍ରାଣଶକ୍ତି’ର ଅସ୍ତିତ୍ୱ ଉପରେ ଜୋର ଦେଇଥିଲେ ।

 

ଗୋଟାଏ ଆଡ଼ୁ ଦେଖିଲେ ମୋର ଏ ‘ମୁଁ ପଣ’ ଗୋଟାଏ ସମୟରେ ଆଦୌ ନ ଥିଲା ଓ ପରେ ପୁଣି ଆଦୌ ରହିବ ନାହିଁ ବୋଲି ବିଶ୍ୱାସ କରିବାକୁ ମନ ହେଉନାହିଁ । ମନେ ହେଉଛି, ଯେମିତି ଏ ‘ମୁଁ’ ସବୁକାଳରେ ଥିଲା ଓ ଥିବ । ପୁନର୍ଜନ୍ମରେ ବିଶ୍ୱାସର ଭିତ୍ତି ହେଲା ଏଇ ଅନୁଭୂତି । ଅଶରୀରୀ ଆତ୍ମାର ଅସ୍ତିତ୍ୱ ନେଇ କେତେକ ବୈଜ୍ଞାନିକ ଗବେଷଣା ସର୍‌ ଅଲିଭର୍‌ ଲଜ୍‌ ସତୁରି-ଅଶି ବର୍ଷ ତଳେ କରିଥିଲେ । ତା’ପରେ କିନ୍ତୁ ସେ ଦିଗରେ ଯେଉଁମାନେ ପରୀକ୍ଷା-ନିରୀକ୍ଷା କରିଛନ୍ତି; ସେମାନେ ତଥ୍ୟ ନିରୂପଣପାଇଁ ଯେତେ ନୁହେଁ, ନିଜର ବିଶ୍ୱାସକୁ ସାବ୍ୟସ୍ତ କରିବାପାଇଁ ପ୍ରମାଣ ଖୋଜିବା ଉଦ୍ୟମ କରୁଥିବା ଭଳି ଦେଖାଯାଉଛି । ତେବେ ଅଳ୍ପ ଦିନ ତଳେ ଆମେରିକାର ଜଣେ ମହିଳା ମନୋବିଜ୍ଞାନୀ କୁବଲର୍‌ରସ୍‌ ଅନେକ ବର୍ଷ ପରିଶ୍ରମ କରି ଶହେ ଜଣ ଏପରି ଲୋକଙ୍କର ଅଭିଜ୍ଞତା ସଂଗ୍ରହ କରି ବିଶ୍ଳେଷଣ କରିଛନ୍ତି, ଯେଉଁମାନେ ମୃତ ବୋଲି ଜଣାପଡ଼ିବାର ଅନେକ ସମୟ ପରେ ପ୍ରାଣସଞ୍ଚାର-ଶୁଶ୍ରୂଷାଦ୍ୱାରା ପୁଣି ବଞ୍ଚି ଉଠିଥିଲେ । ଏମାନେ ଯେତେ ସମୟ ମୃତ ଅବସ୍ଥାରେ ଥିଲେ, ସେତକ ସମୟର ଅନୁଭୂତିର ଗୋଟାଏ ସର୍ବସାମାନ୍ୟ ଉପାଦାନ ଯାହା ପ୍ରତ୍ୟେକେ ଅନୁଭବ କରିଥିଲେ, ତାହା ହେଲା ଯେ ସେମାନେ ନିଜ ଦେହରୁ ଅଲଗା ହୋଇ ରହିଥିଲେ ଓ ଦେହକୁ ବାହାର ଜିନିଷ ପରି ଦେଖିଥିଲେ ବୋଲି କହିଥିଲେ । ଆଉ ଜଣେ ଚିକିତ୍ସକ ଡ. ମୂଡ଼ୀ ମଧ୍ୟ ସେହିପରି ବହୁ ଲୋକଙ୍କର ଅନୁଭୂତି ବିଶ୍ଳେଷଣ କରି ପ୍ରକାଶ କରିଛନ୍ତି । ‘ମୃତ୍ୟୁ ପରେ ଜୀବନ’ ବା ‘ଦେହରୁ ଅଲଗା ଜୀବନ’ ବିଷୟରେ ଏହିପରି କିଛି କିଛି ଗବେଷଣା ଚାଲିଛି ।

 

କିନ୍ତୁ ଏ ବିଷୟରେ କୌଣସି ତଥ୍ୟ, ବୈଜ୍ଞାନିକ ଯାଞ୍ଚର କଷଟିରେ ଉତୁରିବାକୁ ହେଲେ ଅନେକଗୁଡ଼ିଏ ବୈଜ୍ଞାନିକ ତଥ୍ୟ ଆଧୁନିକ ବିଜ୍ଞାନର ସାରା ସାକ୍ଷ୍ୟ ପ୍ରମାଣ ସହିତ, ତା’କୁ ଖାପ ଖୁଆଇବାକୁ ହେବ ।

 

ଯେମିତି ଧରନ୍ତୁ ‘ମୋର’ ‘ମୁଁ’ କେବେ ନ ଥିଲା ବୋଲି ମୁଁ ଭାବିପାରୁ ନାହିଁ; ମାତ୍ର ଏ କଥା ତ ନିଶ୍ଚିତ ଯେ ବହୁ କୋଟି ବର୍ଷ ତଳେ ଏ ପୃଥିବୀରେ କୌଣସି ଜୀବ-ସୃଷ୍ଟି ହିଁ ନ ଥିଲା; ‘ମୁଁ’ ବୋଲାଉଥିବା ମନୁଷ୍ୟ ପ୍ରାଣୀ ତ ଦୂରର କଥା । ପୁଣି ‘ଆତ୍ମା’ଟା ଆସି ମାତୃଗର୍ଭରେ ଶିଶୁ ଥିବାବେଳେ କୌଣସି ସମୟରେ ତା’ ଭିତରେ ପଶିଯାଏ ଓ ପୁଣି ମଲାବେଳେ ବାହାରିଯାଏ, ଏପରି କଳ୍ପନା ମଧ୍ୟ ବୈଜ୍ଞାନିକ ତଥ୍ୟ ସହିତ ସମ୍ପୂର୍ଣ୍ଣ ବେଖାପ । ‘ଜୀବନ’ ଦେହର ପ୍ରତ୍ୟେକ ଜୀବକୋଷର ‘ଫଙ୍କ୍‌ସନ୍‌’ ବା ପ୍ରକ୍ରିୟା । ପ୍ରତ୍ୟେକ ଏକକୋଷୀୟ ପ୍ରାଣୀର ଜୀବନ ଅଛି ଓ ପ୍ରତ୍ୟେକ ବହୁକୋଷୀ ପ୍ରାଣୀକୁ ଏକକୋଷୀୟମାନଙ୍କର ଏକ ସମବାୟ ଅନୁଷ୍ଠାନ ରୂପେ ଦେଖାଯାଇପାରେ । ପ୍ୟାରିସ୍‌ର ଏକ ଗବେଷଣାଗାରରେ ଗୋଟିଏ କୁକୁଡ଼ାର ହୃତ୍‌ପିଣ୍ଡକୁ ଅଲଗା କରି ବହୁ ବର୍ଷ ହେଲା–ବୋଧ ହୁଏ ଚାଳିଶ ବର୍ଷରୁ ଅଧିକ ହେବ–ବଞ୍ଚେଇ ରଖାଯାଇଛି । ଏହି ସବୁ ଓ ଏହିପରି ଅନ୍ୟାନ୍ୟ କାରଣରୁ ’ଜୀବନ’ ବାହାରୁ ଆସି ଜଡ଼ ଶରୀରରେ ପଶିଥାଏ ବୋଲି ବିଚାରିବା ପରିବର୍ତ୍ତେ ପ୍ରତ୍ୟେକ ଜୀବକୋଷର ଏକ ବିଶେଷତ୍ୱ ବା ପ୍ରକ୍ରିୟା ବୋଲି ମନେକରିବା ଅଧିକ ସଙ୍ଗତ ।

 

ପୁଣି ବ୍ୟକ୍ତିତ୍ୱ ମଧ୍ୟ ଏକ ଜଟିଳ ଅଭିବ୍ୟକ୍ତି ବା ‘ସଂରଚନା’ ବୋଲି ମନେ କରିବାର କାରଣ ଅଛି । ଏକକୋଷୀୟ ଜୀବରୁ ବହୁକୋଷୀ ଜୀବର ବିବର୍ତ୍ତନର ବିବିଧ ସ୍ତରରେ ଏହାର ପ୍ରମାଣ ମିଳେ । ପ୍ରବାଳ ପ୍ରଭୃତି ଏପରି ଜୀବ ଅଛନ୍ତି; ଯେଉଁମାନଙ୍କୁ ବହୁକୋଷୀୟ ପରିବର୍ତ୍ତେ ଏକକୋଷୀୟଙ୍କର ସମଷ୍ଟି ବୋଲିବା ଅଧିକ ଯୁକ୍ତିସଙ୍ଗତ ହେବ । ସେମାନଙ୍କ ଭିତରେ କର୍ମବିଭାଗ ବହୁତ କମ୍‌ ଓ କୌଣସି କେନ୍ଦ୍ରୀଭୂତ ନିୟନ୍ତ୍ରଣ କେନ୍ଦ୍ର ଗଢ଼ିଉଠିନାହିଁ । ପୁଣି ତାରାମାଛ, ରାବଣଛତା ପ୍ରଭୃତି କେତେକ ଜୀବଙ୍କର ଗୋଟିଏ ଲେଖା କେନ୍ଦ୍ରୀୟ ସଞ୍ଚାଳନ ‘କାର୍ଯ୍ୟାଳୟ’ ବା ମସ୍ତିଷ୍କର ଆଦିମ ରୂପ ରହିଛି । ମାତ୍ର ଯଦି ସେ ପ୍ରାଣୀକୁ ଦୁଇ ଖଣ୍ଡ କରି କାଟିଦେବ, ତେବେ ପ୍ରତ୍ୟେକ ଖଣ୍ଡ ଗୋଟାଏ ପୂରା ଜୀବ ହୋଇ ପୁଣି ବଢ଼ିଉଠେ । ସେ ସବୁର ଜୀବକୋଷଗୁଡ଼ିକର ବିଶିଷ୍ଟ କର୍ମ ବିଭାଗ–ସ୍ପେଶ୍ୟାଲାଇଜେସନ୍‌ ଶେଷ ସୀମାରେ ପହଞ୍ଚି ନ ଥାଏ ବୋଲି କୁହନ୍ତି । ସେଥିପାଇଁ ଏପରି ହୋଇପାରେ । ଉଚ୍ଚତର ଜୀବମାନଙ୍କର କର୍ମ ବିଭାଗ ଏତେଦୂରଯାଏ ପହଞ୍ଚିଛି ଯେ ଜୀବରୁ ଖଣ୍ଡେ କାଟିନେଲେ ସେ ଅଂଶର କୋଷଗୁଡ଼ିକ ବଂଶବୃଦ୍ଧି ସାଙ୍ଗକୁ ନୂଆ କର୍ମ ବିଭାଗ କରି ପୁଣି ପୂରା ଜୀବର କାର୍ଯ୍ୟକଳାପର ପ୍ରତିରୂପ ଗଢ଼ିପାରନ୍ତି ନାହିଁ ।

 

ତାଙ୍କ ଗାଁ ସୁଲୀକୁ ବେଳେବେଳେ ଡାହାଣୀ ଲାଗେ । ସାଧାରଣ ସମୟରେ ସେ ଶାନ୍ତ-ଶିଷ୍ଟ ଝିଅଟିଏ; ମାତ୍ର ‘ଡାହାଣୀ ଲାଗିଲେ’ ତା’ର ରୂପ ଏକାବେଳକେ ବଦଳିଯାଏ । ବାଳ ମୁକୁଳା କରି, ଆଖି ତରାଟି, ଦୁମୁଦୁମୁ ଚାଲି ସେ ସାଇ କମ୍ପାଏ ଓ ଚିତ୍କାର କରି କହେ ଯେ ସେ ଚେଙ୍ଗ-ବୋଉ ଖୁଡ଼ୀ । ଲୋକେ କହନ୍ତି-ହଁ, ଚେଙ୍ଗବୋଉ ଦଉଡ଼ି ଦେଇ ମରିଥିଲା । ତା’ ଭୂତ ସେ ସଜନା ଗଛରେ ଥିଲା–ସୁଲୀ ଦେହରେ ଆସି ପଶିଛି ।

 

ଏବେ ମାନସିକ ଚିକିତ୍ସକମାନେ ରୋଗୀମାନଙ୍କ ଭିତରେ ଏପରି ଅଲଗା ପ୍ରକାରର ବ୍ୟକ୍ତିତ୍ୱର ଅଭିବ୍ୟକ୍ତିକୁ ବିଖଣ୍ଡିତ ବ୍ୟକ୍ତିତ୍ୱ କହନ୍ତି । ବାହାରୁ ଗୋଟିଏ ଭୂତ ଆସି ରୋଗୀକୁ ମାଡ଼ିବସେ ନାହିଁ ଯେ–ତା’ରି ବ୍ୟକ୍ତିତ୍ୱ ଦୁଇ ଫାଳ ହୋଇ ଦୁଇ ପ୍ରକାରେ ଅଭିବ୍ୟକ୍ତ ହୁଏ । ଜଣ-ଜଣଙ୍କ ଭିତରେ ଏହିପରି ବ୍ୟକ୍ତିତ୍ୱ ତିନି ଫାଳ ହୋଇଯାଇଥିବାର ବି ଦେଖାଯାଏ । ଜନ୍ମବେଳେ ଶିଶୁର ‘ମୁଁ’ ବୋଧ ସ୍ପଷ୍ଟ ନ ଥାଏ । ତା’ ନିଜର ହାତଗୋଡ଼କୁ ବି ସେ ନିଜର ବୋଲି ବହୁତ ପରେ ଧୀରେ ଧୀରେ ଚିହ୍ନେ ଓ ଗ୍ରହଣ କରେ; ଅଥଚ ମା’ର କୋଳ, ସ୍ତନ ପ୍ରଭୃତିକୁ ସେ ନିଜର ଅଂଶ ଭାବିଥାଏ । ଏ ଅବସ୍ଥାରୁ ପ୍ରୌଢ଼ତ୍ୱଯାଏ ମଣିଷର ବ୍ୟକ୍ତିତ୍ୱ ବା ‘ମୁଁ ପଣ’ର କ୍ରମବିକାଶ ଏକ ଅତି ଚିତ୍ତାକର୍ଷକ କାହାଣୀ । ଏ ବିକାଶ କ୍ରମରେ ଯଦି କୋଉଠି ଫାଟ ରହିଯାଏ, ତେବେ ପରେ ବ୍ୟକ୍ତିତ୍ୱ ଦୁର୍ବଳ ଓ ବିଖଣ୍ଡିତ ହୋଇପାରେ ।

 

ଏହି ପ୍ରକାରର ସବୁ ତଥ୍ୟ ଉପରେ ଆଧୁନିକ ବିଜ୍ଞାନର ଧାରଣା ସବୁ ଛିଡ଼ା ହୋଇଥିବାରୁ ଆଉ ବାହାରୁ ଉଡ଼ିଆସି ଦେହ ଭିତରେ ପ୍ରବେଶ କରୁଥିବା ଆତ୍ମାର କଳ୍ପନାର ତାହା ସହିତ ମେଳ ହେବା ସହଜ ହେଉନାହିଁ; ବରଂ ଦେହ, ମନ ଓ ଆତ୍ମା ଏପରି ତିନୋଟି ଅଲଗା ଅଲଗା ବିଭାଗ ଆସି ମିଶିଛି ବୋଲି ବିଶ୍ୱାସ କରିବା ପରିବର୍ତ୍ତେ ଦେହ ଓ ମନ ଯେଉଁ ଅନବଚ୍ଛିନ୍ନ ଅସ୍ତିତ୍ୱର (କଣ୍ଟିନ୍ୟୁଅମ୍‌) ଅଭିବ୍ୟକ୍ତି, ଆତ୍ମା ମଧ୍ୟ ତାହାରି ଅଭିବ୍ୟକ୍ତି ବୋଲି ଭାବିବା ଅଧିକ ଯୁକ୍ତିସଙ୍ଗତ ମନେ ହେଉଛି । ଚେତନାର ଅଲଗା ଅସ୍ତିତ୍ୱ ସାବ୍ୟସ୍ତ ହୋଇଗଲେ ମୋ ଦୃଷ୍ଟିରୁ ଯେଉଁଟା ଅସଲ ଯକ୍ଷ-ପ୍ରଶ୍ନ, ତା’ର ଉତ୍ତର ମିଳିଯିବ ନାହିଁ । ଏ ଯକ୍ଷ-ପ୍ରଶ୍ନ ହେଉଛି ଯେ ମଣିଷର ସ୍ୱତନ୍ତ୍ର କର୍ତ୍ତୃତ୍ୱ ବୋଲି କିଛି ଅଛି, ନା ସେ ଭବିତବ୍ୟ ବା ନିଶ୍ଚିତପରିଣାମବାଦ (ଡିଟର୍‌ମିନିଜମ୍‌)ର ନିୟମରେ ବନ୍ଧା ?

 

ଚେତନଶକ୍ତି ଅଲଗା ଭାବରେ ରହିଛି ବୋଲି ସାବ୍ୟସ୍ତ ହୋଇଗଲେ ଏ ପ୍ରଶ୍ନର ଅସ୍ତିବାଚକ ଉତ୍ତର ମିଳିଯାଉନାହିଁ । ଦୁନିଆଯାକର ‘ଆତ୍ମବାଦୀ’ ଅଧ୍ୟାତ୍ମ ତ ମଣିଷକୁ ଦୈବୀ-ଇଚ୍ଛାର ଅଧୀନ କାଠ କଣ୍ଢେଇ ରୂପେ ଚିତ୍ରିତ କରିଛି । ଯଦି ଯାନ୍ତ୍ରିକ-ଜଡ଼ବାଦୀ କହୁଛି ଯେ ମଣିଷ ତ ଆଖିର ଗୋଟାଏ ଜଟିଳ ଯନ୍ତ୍ର; ତା’ର ସୁଖଦୁଃଖ କେବଳ ଛାୟା; ତେଣୁ ମଣିଷ ଭୋକ-ଉପାସରେ ବା ଯୁଦ୍ଧରେ ମରିଗଲେ ଚିନ୍ତା କାହିଁକି ? ତେବେ ତେଣେ ଶ୍ରୀକୃଷ୍ଣ ଗୀତାରେ ଅର୍ଜ୍ଜୁନଙ୍କୁ ବୁଝାଇଛନ୍ତି ଯେ ଆତ୍ମା ତ ଅମର; ତେଣୁ ଯୁଦ୍ଧରେ ମଣିଷ ମାରିଲେ କୌଣସି ଦୋଷ ନାହିଁ । ତେମେ ଯାହାକୁ ମାରିବ, ତା’ର ଆତ୍ମା ଗୋଟାଏ ଦେହ ଛାଡ଼ି ଆଉ ଗୋଟାଏ ଦେହକୁ ଚାଲିଯିବ; ତେଣୁ ଦେହଟାକୁ ମାରିଲେ କ୍ଷତି କ’ଣ ?

 

୧୯୬୭ରେ ବିହାର ଦୁର୍ଭିକ୍ଷବେଳେ ଜେ.ପି. ସାହାଯ୍ୟ ସମିତ ଗଢ଼ି ଲୋକଙ୍କୁ ବଞ୍ଚେଇବା ଉଦ୍ୟମ ଆରମ୍ଭ କରିବାକୁ ବିନୋବା ମତ ଦେଲେ ଯେ, ଏ କାମରେ ଶକ୍ତିକ୍ଷୟ କରିବା ଅନାବଶ୍ୟକ । ମଣିଷର ମୃତ୍ୟୁ ତା’ର ପ୍ରାରବ୍‌ଧ କ୍ଷୟ ହେଲେ ହୁଏ । ଯାହାର ପ୍ରାରବ୍‌ଧ ସରି ନ ଥିବ, ସେ ଯେତେ ଯାହା ହେଉ କଦାପି ମରିବ ନାହିଁ ଓ ଯାହାର ସରିଥିବ, ତା’କୁ ଯେତେ ଯାହା କଲେ କେହି ବଞ୍ଚେଇ ପାରିବେ ନାହିଁ । ତେଣୁ ଦୁର୍ଭିକ୍ଷ ପଡ଼ିଛି ବୋଲି ଚିନ୍ତିତ ହେବାର ନାହିଁ । ଏହିପରି ଭାବରେ ନିଷ୍ଠୁରତା ସପକ୍ଷରେ ବି ଅଧ୍ୟାତ୍ମବାଦୀ ଯୁକ୍ତି ବହୁତ ରହିଛି । ତେଣୁ ଦେହ ସାଙ୍ଗକୁ ଗୋଟାଏ ଅଲଗା ଆତ୍ମା ଯୋଡ଼ିଦେଲେ ପ୍ରଶ୍ନର ଉତ୍ତର ମିଳିଯାଉନାହିଁ ।

 

ପୁଣି ଚେତନା ଓ ମନ ଅଣୁ-ପରମାଣୁରେ ଗଢ଼ା ଜୀବନ ଅଭିବ୍ୟକ୍ତି ବୋଲି ମାନିନେଲେ ଚେତନା ଓ ମନର ପାହ୍ୟା ଆପଣାଛାଏଁ ଊଣା ହୋଇଯାଉନାହିଁ । ଅସଲ କଥା ହେଉଛି, ଏ ଅଭିବ୍ୟକ୍ତିଟା କି ପ୍ରକାରର ? ରେଳଇଞ୍ଜିନ୍‌ର ଚେମେଣୀରୁ ଯେଉଁ ଧୂଆଁ ବାହାରେ ସେଇଟା ଇଞ୍ଜିନ୍‌ର କାର୍ଯ୍ୟକଳାପର ଗୋଟାଏ ଗୌଣ ପରିଣାମ । ରେଳଗାଡ଼ି ଚାଲିଯିବାବେଳେ ତାହା ଉପରେ ଧୂଆଁର ଗୋଟାଏ ଲମ୍ବ କୁଣ୍ଡଳୀ ଗଡ଼ିଚାଲେ । ଏ ଧୂଆଁର କିନ୍ତୁ କୌଣସି ବଳ ନ ଥାଏ । ମାତ୍ର ଇଞ୍ଜିନ୍‌ ଭିତରେ ଯେଉଁ ବାମ୍ଫ ତିଆରି ହୁଏ, ସାରା ରେଳଗାଡ଼ିକୁ ଟାଣିନେବାର ଶକ୍ତି ସେଥିରେ ଥାଏ । ଏ ସ୍ଥୂଳ ଉପମାଟିକୁ ଚେତନା ପାଇଁ ବ୍ୟବହାର କରିବା ତ ପ୍ରଶ୍ନ ହେବ ଯେ ଚେତନା ଇଞ୍ଜିନ୍‌ ଭିତରର ବାମ୍ଫ ପରି, ନା ଆକାଶରେ ଭାସୁଥିବା ଧୂଆଁର କୁଣ୍ଡଳୀ ପରି ?

 

ଦୁଇଟି ପ୍ରଶ୍ନ–ସୃଷ୍ଟି ନିଶ୍ଚିତ ପରିଣାମବାଦର ନିଗଡ଼ ନିୟମରେ ବନ୍ଧା, ନା ତାହା ଭିତରେ ଏପାଖ ସେପାଖ ହେବାପାଇଁ ଫାଙ୍କ ଅଛି ? ଯେଉଁଥି-ଭିତରେ ସ୍ୱାଧୀନ ଇଚ୍ଛା କିଛି କାମ କରିପାରିବ ? ଆଉ ଏ ସ୍ୱାଧୀନ ଇଚ୍ଛାର ବାହନରୂପେ ଚେତନଶକ୍ତିର ସମାବେଶ ଆଧୁନିକ ବିଜ୍ଞାନର ଜଗତରେ ହେବାପାଇଁ ବାଟ ଅଛି କି ନାହିଁ ?

 

ୟାର ଉତ୍ତର ଖୋଜିବାକୁ ଯାଇ ଆଧୁନିକ ବିଜ୍ଞାନ ଉପରେ ନଜର ବୁଲେଇବା ତ ଦେଖିବା ଯା ତାହା ଊଣେଇଶକ ଶତାବ୍ଦୀର ଯାନ୍ତ୍ରିକ ଜଡ଼ବାଦରୁ ବହୁତ ଦୂରେଇଗଲାଣି । ପଦାର୍ଥବିଜ୍ଞାନର ନିୟମଗୁଡ଼ାକ ଆଉ ଅନାପେକ୍ଷିକ–ଏବ୍‌ସୋଲ୍ୟୁଟ୍‌–ହୋଇନାହିଁ । ଏବେ ସେସବୁ ପରିସଂଖ୍ୟାନମୂଳକ ବୋଲି ଗୃହୀତ ହେଲାଣି । ଗୋଟାଏ ଉଦାହରଣ ନିଆଯାଉ । ଧରନ୍ତୁ ଫୁଟବଲ୍‌ ଭିତରେ ପବନର ଚାପ । ବ୍ଳାଡ଼ରର ଘନ ପରିମାଣ, ପବନର ପରିମାଣ ଓ ତା’ର ଉଷ୍ଣତା ଉପରେ ବ୍ଳାଡ଼ର୍‌ ଭିତରେ ପବନର ଚାପ ନିର୍ଭର କରେ । ଏହାର ନିୟମ ରବର୍ଟ ବୋୟଲ୍‌ ଆବିଷ୍କାର କରିଥିଲେ । ଏବେ ଏ ଚାପଟା ହେଉଛି ପବନର ମୋଲିକ୍ୟୁଲମାନଙ୍କର ଇତସ୍ତତଃ ଗତିର ପରିଣାମ । ଉଷ୍ମତା ଅଧିକ ହେବାର ଅର୍ଥ–ମୋଲିକ୍ୟୁଲମାନଙ୍କର ଗତିବେଗ ଅଧିକ ହେବା-। ପବନର ପରିମାଣ ଅଧିକ ହେବା ଅର୍ଥ ସେଥିରେ ମୋଲିକ୍ୟୁଲ ସଂଖ୍ୟା ଅଧିକ ହେବା । ସବୁ ମୋଲିକ୍ୟୁଲଙ୍କର ଗତିବେଗ ସମାନ ନଥାଏ; ମାତ୍ର ବ୍ଳାଡ଼ର ଭିତରେ ଲକ୍ଷ କୋଟି ସଂଖ୍ୟାରେ ମୋଲିକ୍ୟୁଲ ଥାନ୍ତି ଓ ସେମାନଙ୍କର ଗତିବେଗର ହାରାହାରି ପରିମାଣ ଉଷ୍ଣତା ଅନୁପାତରେ ରହେ-। ସେମାନେ ଇତସ୍ତତଃ ସବୁ ଆଡ଼କୁ ଧାଉଁଥାନ୍ତି । ସେଥିପାଇଁ ବ୍ଳାଡ଼ର୍‌ର ପ୍ରତ୍ୟେକ ଅଂଶରେ ଚାପ ସମାନ ଥାଏ । ଉଷ୍ଣତାର ମାନ ଓ ପବନର ପରିମାଣ ଅନୁପାତରେ ମଧ୍ୟ ଚାପର ଅନୁପାତ ନିର୍ଦ୍ଦିଷ୍ଟ ନିୟମ ମାନି ଚଳେ । ମାତ୍ର ଯେଉଁଠି ପାଞ୍ଚଦଶଟି ମାତ୍ର ମୋଲିକ୍ୟୁଲ୍‌ ଥିବେ, ସେଠି ଏ ନିୟମ ଖାଟିବ ନାହିଁ । ସେମାନଙ୍କର ଗତିବିଧିର ଭବିଷ୍ୟତ ବାଣୀ ଏଭଳି ନିଶ୍ଚିତ ଭାବରେ କରିହେବ ନାହିଁ-

 

ଧରନ୍ତୁ, ଗୋଟାଏ ନିବୁଜ ବାକ୍‌ସ ମଝିରେ ଗୋଟାଏ ପାଟଶନ୍‌ ଅଛି ଓ ସେଥିରେ ସାନ କଣାଟିଏ । ଏବେ ଏ ବାକ୍‌ସରୁ ଯଦି ସବୁ ପବନ କାଢ଼ି ନେଇ ଗୋଟାଏ ପାଖରେ ଅଳ୍ପ ପବନ ପୂରାଇ ଦିଆଯାଏ, ତେବେ ବାଷ୍ପର ଗତିବିଧିର ନିୟମ ଅନୁସାରେ କିଛି ସମୟ ପରେ ଉଭୟ ପାଖରେ ପବନର ପରିମାଣ ସମାନ ଥିବାର ଦେଖାଯିବ । ଏହା ମଧ୍ୟ ଲକ୍ଷ ଲକ୍ଷ ସଂଖ୍ୟକ ମୋଲିକ୍ୟୁଲ୍‌ଙ୍କ ଗତିବିଧିର ପରିଣାମ । କିନ୍ତୁ ଯଦି ବାକ୍‌ସରେ ମାତ୍ର ଗୋଟାଏ ମୋଲିକ୍ୟୁଲ ଥାଏ, ତେବେ ତାହା କେତେବେଳେ ବାକ୍‌ସର ଏ କୋଠରୀରେ ତ କେତେବେଳେ ସେ କୋଠରୀରେ ରହିବ । ତେଣୁ ତା’ର ଅବସ୍ଥିତି ବିଷୟରେ ନିଶ୍ଚିତ ଭବିଷ୍ୟତ ବାଣୀ କରି ହେବନାହିଁ । କେବଳ ଗୋଟିଏ ସମ୍ଭାବନା ଘୋଷଣା କରାଯାଇପାରିବ ଯେ, ଯେକୌଣସି ମୁହୂର୍ତ୍ତରେ ବାକ୍‌ସର ଗୋଟିଏ ପାଖରେ ତାହା ରହିବାର ସମ୍ଭାବନା ଶତକଡ଼ା ପଚାଶ । ଯଦି ପାଞ୍ଚ-ଦଶଟି ମୋଲିକ୍ୟୁଲ ଥାନ୍ତି, ତେବେ ସେଥିରୁ କେତୋଟି କେତେବେଳେ କେଉଁଠି ଥିବେ, ତାହାର ଏକ ସମ୍ଭାବନା ହିଁ ହିସାବ କରି କହିହେବ । ମୋଲିକ୍ୟୁଲ ସଂଖ୍ୟା ବଢ଼ିଲେ ଏଭଳି ସମ୍ଭାବନାର ଶତକଡ଼ା ହିସାବ ବଢ଼ିବ ଓ ଲକ୍ଷ ଲକ୍ଷ ମୋଲିକ୍ୟୁଲ୍‌ ବେଳକୁ ପ୍ରାୟ ନିଶ୍ଚିତ-ଭବିଷ୍ୟତବାଣୀର ସମାନ ହୋଇଯିବ । ବାକ୍‌ସରେ ଦଶ ଲକ୍ଷ ମୋଲିକ୍ୟୁଲ ଥିଲେ ସେମାନେ ସମସ୍ତେ ବାକ୍‌ସର ଗୋଟାଏ ପାଖରେ ଯାଇ ଏକ ସମୟରେ ପହଞ୍ଚିବାର ସମ୍ଭାବନା ‘ଶୂନ୍ୟ’ ନୁହେଁ; ମାତ୍ର ତାହା ଏତେ ସହସ୍ର କୋଟି ଥରରେ ଥରେ ଯେ, ବ୍ୟାବହାରିକ କାରବାରରେ ତା’ର ଗଣତି ନ କଲେ ଚଳିବ ।

 

ପଦାର୍ଥବିଜ୍ଞାନରେ ପୁଣି ଆଉ ଏକ ସିଦ୍ଧାନ୍ତ ହାଇଜେନ୍‌ବର୍ଗ୍‌ ପ୍ରତିପାଦିତ କରିଛନ୍ତି, ଯାହା ଅନୁସାରେ ମଣିଷ କୌଣସି ଏକ ମୁହୂର୍ତ୍ତରେ ଗୋଟିଏ ଅଣୁର ଅବସ୍ଥିତି ଓ ଗତି ସମ୍ପୂର୍ଣ୍ଣ ନିର୍ଭୁଲ ଭାବରେ କଳନା କରିପାରିବ ନାହିଁ । ଅବସ୍ଥିତିକୁ ନିର୍ଭୁଲ ଭାବରେ କଳନା କରିବସିଲେ ଗତିର କଳନାରେ ବହୁଳ ତ୍ରୁଟି ରହିଯିବ ଓ ଗତିକୁ ନିର୍ଭୁଲ ଭାବରେ ଜାଣିବାକୁ ଚାହିଁଲେ ଅବସ୍ଥିତି ବିଷୟରେ ଜ୍ଞାନ ଝାପ୍‌ସା ହୋଇଯିବ । ଏ ଅନିଶ୍ଚିତତାକୁ ଅତିକ୍ରମ କରିବାର କୌଣସି ଉପାୟ ନାହିଁ ।

 

ପଦାର୍ଥବିଜ୍ଞାନର ସବୁ କ୍ଷେତ୍ରରେ ଏ ସମ୍ଭାବନାର ନିୟମ କାମ କରୁଥିବାର ଦେଖାଯାଏ-। ଏଟମ୍‌ର ଇଲେକ୍‌ଟ୍ରନମାନଙ୍କର କକ୍ଷ ବଦଳାଇବାରେ, ତେଜସ୍କ୍ରିୟ ଏଟମ୍‌ରୁ ତେଜସ୍କ୍ରିୟତା ନିର୍ଗତ ହେବାରେ, ବାଷ୍ପମାନଙ୍କର କାରବାରରେ ଓ ଅନ୍ୟ ବହୁ ବ୍ୟାପାରରେ ନିୟମ ସବୁ ଆଉ ଅନାପେକ୍ଷିକ ହୋଇ ରହିନାହିଁ ।

 

ଏହା ଫଳରେ ପଦାର୍ଥବିଜ୍ଞାନରେ ନିଶ୍ଚିତ-ପରିଣାମବାଦର (ଡିଟରମିନିଜ୍‌ମ୍‌) ଆଧିପତ୍ୟ ଆଉ ନାହିଁ । ତାହା ବଦଳରେ ଯାହା ବିଜ୍ଞାନର ଭିତ୍ତିରୂପେ ରହିଛି ତାହା ହେଲା କାର୍ଯ୍ୟ-କାରଣ ସମ୍ବନ୍ଧ (କଜାଲିଟୀ) । କାର୍ଯ୍ୟକାରଣ ସମ୍ବନ୍ଧରେ ନିୟମତାନ୍ତ୍ରିକତାର ଶୃଙ୍ଗଳା ଥାଏ । ମାତ୍ର ତାହା ନିଗଡ଼ ବନ୍ଧନ ଭାବରେ ନୁହେ; ତାହା ଭିତରେ ନୂଆ କାରଣ ପଶିଯିବାର ମଧ୍ୟ ବାଟ ।

 

ଏହା ସାଙ୍ଗକୁ ବସ୍ତୁର ରୂପ ବିଷୟରେ ବି ଧାରଣା ଏତେ ବଦଳିଗଲାଣି ଯେ ନ ଜାଣିବା ଲୋକେ ବିଶ୍ୱାସ କରିବାକୁ ଚାହିଁବେ ନାହିଁ । ବସ୍ତୁର ବସ୍ତୁତ୍ୱର ସାରକଥା ଥିଲା ତା’ର ନିଦାପଣିଆ । କାନ୍ଥକୁ ବିଧାଟାଏ ପକେଇଲେ ହାତକୁ କାଟିବ । ସେଇଥିରୁ ନିପଟ ବସ୍ତୁବାଦୀମାନେ ବିଶ୍ୱାସ କରୁଥିଲେ ଯେ, ହଁ, କାନ୍ଥ ପ୍ରକୃତରେ ଅଛି । ଏଟମ୍‌ ଓ ତା’ର ମୌଳିକ ଉପାଦାନ ଇଲେକ୍‌ଟ୍ରନ୍‌, ପ୍ରୋଟୋନ୍‌, ନିଉଟ୍ରନ ପ୍ରଭୃତି ପ୍ରଥମେ ଆବିଷ୍କାର କରାଗଲା ତ ସେମାନଙ୍କୁ କଳ୍ପନା କରାଗଲା ଅତି କ୍ଷୁଦ୍ର, ଟାଣ ପେଣ୍ଡୁ ଭଳି । ମାତ୍ର ଏବେ ଏ ନିଦାପଣିଆ ଗୋଳମାଳ ଧରିଲାଣି । ଏ ସବୁ ମୌଳିକ କଣିକାସବୁର ରୂପକୁ ଏବେ ଢେଉପରି କଳ୍ପନା କଲେ ଯାଇ ସେମାନଙ୍କର ଗତିବିଧିର ବ୍ୟାଖ୍ୟା କରିବା ସମ୍ଭବ ହେଉଛି । ପୁଣି ଯେଉଁ କାନ୍ଥଟା ଏତେ ନିଦା ହୋଇଥିବା ଯୋଗୁଁ ମୋ ହାତକୁ ଏତେ କାଟିଲା ଓ ଯେଉଁଥିରେ କଣ୍ଟାଟାଏ ବାଡ଼େଇବାକୁ ହେଲେ କେତେ ହଙ୍ଗାମା କରିବାକୁ ପଡ଼େ, ସେ କାନ୍ଥଟାର ଅଧିକାଂଶ ଶୂନ୍ୟ, ଶୂନ୍ୟ, ମହାଶୂନ୍ୟ । ସେଥିରେ ଯେଉଁ ଏଟମ୍‌ଗୁଡ଼ାକ ସଜାହୋଇ ରହିଛନ୍ତି ସେମାନଙ୍କର ଆକାର-ପ୍ରକାର ସୂର୍ଯ୍ୟମଣ୍ଡଳ ପରି । ପୃଥିବୀର ଚନ୍ଦ୍ରର ଦୁରତ୍ୱ ଅନୁପାତରେ ସେମାନଙ୍କର ଆକାର ଯେତେ, ଗୋଟାଏ ଏଟମ୍‌ର ମୂଳପିଣ୍ଡ ଓ ତାହା ଚାରିପଟେ ବୁଲୁଥିବା ଇଲେକ୍‌ଟ୍ରନର ଆକାର ଓ ପରସ୍ପର ଦୁରତ୍ୱର ଅନୁପାତ ସେହି କାଟର ହେବ । ବିଶିଷ୍ଟ ବୈଜ୍ଞାନିକ ଏଡିଙ୍ଗଟନ୍‌ ଥରେ ଏହା ବୁଝାଇବାକୁ ଯାଇ ଲେଖିଥିଲେ ଯେ ଜଣେ ମଣିଷ ଯଦି ପରମାଣୁ ପରି ସାନ ହୋଇପାରିବ, ତେବେ ତା’କୁ ନିଦା ଦିଶୁଥିବା କାନ୍ଥଟା ମନେ ହେବ ଯେମିତିକି ଲଣ୍ଡନର ଇଉଷ୍ଟନ୍‌ ଷ୍ଟେସନ ଭଳି ଏକ ବିରାଟ ଫାଙ୍କା ଜାଗାରେ (ଆମର ହାଓଡ଼ା ଷ୍ଟେସନ ତୁଳନୀୟ) ଦୁଇ ଗଣ୍ଡାଖଣ୍ଡେ ମଶା ଉଡ଼ୁଛନ୍ତି ! ଏଣେ ପଦାର୍ଥକୁ ନିଦା ଜିନିଷରୂପେ ତ ତେଣେ ଅଗ୍ନି, ବିଦ୍ୟୁତ୍‌ ଆଦିର ଶକ୍ତି–ଊର୍ଜାଏନେର୍ଜିକୁ ଅଶରୀରୀ ଅଭିବ୍ୟକ୍ତି ରୂପେ ଦେଖିବାକୁ ଆମେ ଅଭ୍ୟସ୍ତ ହୋଇଛୁ । ସେଥିପାଇଁ ଆଧ୍ୟାତ୍ମିକ ଦର୍ଶନରେ ଜଡ଼କୁ ଘୃଣା ବା ଅବଜ୍ଞା କରାଯିବା ସାଙ୍ଗେ ସାଙ୍ଗେ ସୂର୍ଯ୍ୟଙ୍କର ତେଜ, ଅଗ୍ନି ପ୍ରଭୃତିକୁ ଓଜସ୍‌, ଆଧ୍ୟାତ୍ମିକ ଶକ୍ତିର ଅଭିବ୍ୟକ୍ତି ରୂପେ ପୂଜା କରାଯାଇଛି । ଏବେ ସତୁରି ବର୍ଷ ତଳର କଥା ହେଲାଣି । ଆଇନଷ୍ଟାଇନ୍‌ ସିଦ୍ଧାନ୍ତ ବାଢ଼ିଲେ ଯେ ଊର୍ଜା ବସ୍ତୁରେ ପରିଣତ ହୋଇପାରେ ଓ ବସ୍ତୁ ଊର୍ଜାରେ । ଜଡ଼ବସ୍ତୁ ପ୍ରକୃତରେ ଜମାଟ ବାନ୍ଧିଥିବା ଊର୍ଜା । ତାଙ୍କର ସୂତ୍ର । ଏବେ ସବୁଆଡ଼େ ଜଣାଶୁଣା ହୋଇଗଲାଣି ଓ ବସ୍ତକୁ ଊର୍ଜାରେ ପରିଣତ କରିବାର ପ୍ରକ୍ରିୟା ନିତିଦିନ ଗବେଷଣାଗାର ଓ ପରମାଣୁ ଶକ୍ତି ଉତ୍ପାଦନ କେନ୍ଦ୍ରମାନଙ୍କରେ ବିରାଟ ଆକାରରେ ଚାଲିଛି । ପୁଣି ଊର୍ଜାର ରୂପ ମଧ୍ୟ କଣିକା ପରି ବୋଲି ସାବ୍ୟସ୍ତ ହେଲାଣି ।

 

ମଣିଷକୁ ବଞ୍ଚିବାକୁ ହେଲେ ଭଲ ଓ ମନ୍ଦ ଭିତରେ ତାରତମ୍ୟ କରିବାକୁ ପଡ଼େ । ନିଜର ଆଚରଣକୁ ଭଲ ଓ ମନ୍ଦରେ ବାଣ୍ଟିବାକୁ ଯାଇ ସେ ନିଜ ଭିତରେ ଥିବା ପ୍ରବୃତ୍ତିଗୁଡ଼ାକୁ ‘ସୁ’ ଓ ‘କୁ’ ରେ ବାଣ୍ଟିଲା । ପୁଣି ସେ ‘ସୁ’ ପ୍ରବୃତ୍ତିଗୁଡ଼ାକ ଆତ୍ମାର ଗୁଣ ଓ ‘କୁ’ ପ୍ରବୃତ୍ତିଗୁଡ଼ାକ ତା’ର ‘ଜଡ଼’ ଦେହରୁ ଉପୁଜିଥାନ୍ତି ବୋଲି ସେ ଧାରଣା କଲା । ଏହି କ୍ରମ ଅନୁସରଣ କରି ସେ ସମସ୍ତ ଜଡ଼ବସ୍ତୁକୁ ସମସ୍ତ ‘କୁ’ର ଆଧାର ଓ ଚେତନଶକ୍ତି ବା ଆତ୍ମାକୁ ସମସ୍ତ ‘ସୁ’ର ଆକର ବୋଲି ଦାର୍ଶନିକ ତତ୍ତ୍ୱ ପ୍ରତିପାଦିତ କଲା ଓ ବଡ଼ ବଡ଼ ଧର୍ମ ମାଧ୍ୟମରେ ତା’ର ପ୍ରଚାର ହେଲା । ପ୍ରାର୍ଥନାରେ ବୋଲାହେଲା–‘‘ତଦ୍‌ବ୍ରହ୍ମ ନିଷ୍କଳମହଂ ନ ଚତ ଭୂତସଂଘଃ’’ । ମୁଁ ସେ ନିଷ୍କଳୁଷ ବ୍ରହ୍ମ; ଏ ଜଡ଼ବସ୍ତୁର ସମଷ୍ଟି ନୁହେଁ । ‘ଜଡ଼’, ‘ଜଡ଼ତା’ ଶବ୍ଦ ଗାଳିରୂପେ ବ୍ୟବହୃତ ହେଲା–ସେ ଲୋକଟା ଏକଦମ୍‌ ଜଡ଼-।’’ ‘‘ଜଡ଼ତା ତ୍ୟାଗ କରି ଏ ଦେଶକୁ ଜାଗି ଉଠିବାକୁ ହେବ ।’’

 

ସେଥିପାଇଁ ଆଧୁନିକ ବିଜ୍ଞାନ ଯେତେବେଳେ ‘ଜଡ଼ସୃଷ୍ଟି’ର କରାମତି ଉଦ୍‌ଘାଟନ କରି ଲାଗିଲା, ଚିନ୍ତାଶୀଳ ଲୋକେ ପ୍ରମାଦ ଗଣିଲେ ବିଜ୍ଞାନମାଧ୍ୟମରେ ‘କୁ’ ବ୍ୟାପିଯିବ, ଜୀବନରୁ ସବୁ କିଛି ସୁନ୍ଦର ଓ ମହାନ୍‌ ଲୋପ ହୋଇଯିବ ବୋଲି । ସୂର୍ଯ୍ୟାସ୍ତର ଏ ଯେଉଁ ମନୋହର ରଙ୍ଗର ଖେଳ ଦେଖି କବିମାନେ ଏତେ ଭାବ ବିଭୋର ହୋଇ କବିତା ଲେଖନ୍ତି, ସେ ଆଉ କ’ଣ କି ? ଆକାଶରେ ଉଡ଼ିବୁଲୁଥିବା ଧୂଳିକଣା ଉପରେ ସୂର୍ଯ୍ୟରୁ ଆସୁଥିବା ଆଲୋକତରଙ୍ଗଗୁଡ଼ିକର ପ୍ରତିଫଳନ । ପୁଣି ଅସ୍ତଗାମୀ ସୂର୍ଯ୍ୟର ଏ ଆଲୋକତରଙ୍ଗଗୁଡ଼ାକ ଅଧିକ ବହଳିଆ ବାୟୁମଣ୍ଡଳ ଭିତର ଦେଇ ଗତି କରୁଥିବାରୁ ତା’ର ବିବିଧ ଦୈର୍ଘ୍ୟର ତରଙ୍ଗଗୁଡ଼ାକ ବିବିଧ ପରିମାଣରେ ବାଙ୍କିଯାଉଛନ୍ତି । ତେଣୁ ଏ ରଙ୍ଗର ଖେଳ । ଏଥିରେ ଆଉ କବିତ୍ୱ କେଉଁଠି ରହିଲା ?

 

ଯେତେବେଳେ କୁହାଗଲା ଯେ ତରୁଣ-ତରୁଣୀଙ୍କର ପରସ୍ପର ଆକର୍ଷଣ ଆଉ କ’ଣ କି-? ଅମୁକ ଅମୁକ ହର୍‌ମୋନ୍‌ର ପ୍ରଭାବର ପରିଣାମ, ସେତେବେଳେ ମନେହେଲା ଯେମିତି ପ୍ରେମର ସବୁ କାବ୍ୟ, ସବୁ ମହନୀୟତା, ସବୁ ଆକର୍ଷଣ ବାହାରିଗଲା । ଠିକ୍‌ ସେମିତି ପ୍ରତିକ୍ରିୟା ହେଲା, ଯେମିତି ହେବ, ଯଦି କିଏ କହିଦିଏ–‘‘ବାବୁ, ତମର ଭାରିଯାଙ୍କର ସୁନାଗହଣାଗୁଡ଼ାକ ସବୁ ଗିଲ୍‌ଟି ପରା ।’’

 

ବିନୋବା ଗୀତା-ପ୍ରବଚନରେ ଲେଖିଦେଲେ–ସଙ୍ଗୀତ ଆଉ କ’ଣ ? ପବନର ଢେଉ ଆସି କାନର ପର୍ଦ୍ଦାରେ ଆଘାତ କରୁଛି । ସ୍ନାୟୁମାଧ୍ୟମରେ ତା’ର ସମ୍ବାଦ ଯାଇ ମସ୍ତିଷ୍କରେ ପହଞ୍ଚୁଛି ଓ ଆମେ କହୁଛୁ ବଢ଼ିଆ ସଙ୍ଗୀତ ହେଲା । ଏଇ ତ ?

 

ମାତ୍ର ପ୍ରକୃତରେ ୟାର ଓଲଟା ପ୍ରକାରର ପ୍ରତିକ୍ରିୟା ହେବାର କଥା । ଯେଉଁ ଅଣୁ ପରମାଣୁ ଓ ଆଲୋକତରଙ୍ଗ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ବିଚିତ୍ର ବର୍ଣ୍ଣସମ୍ଭାର, ପ୍ରେମିକ-ପ୍ରେମିକାଙ୍କର ଲଳିତ ଭାବୋଚ୍ଛ୍ୱାସ ଉତ୍ପନ୍ନ କରିପାରୁଛନ୍ତି, ସେସବୁର ପ୍ରକୃତି ବିଷୟରେ ହିଁ ଗଭୀର ବିସ୍ମୟ ଉତ୍ପନ୍ନ ହେବାର କଥା ।

 

ଗାନ୍ଧୀ ଆଉ କ’ଣ କି ? ହାଇଡ୍ରୋଜେନ୍‌, ଅକ୍‌ସିଜେନ୍‌, ନାଇଟ୍ରୋଜେନ୍‌, କ୍ୟାଲସିୟମ, ଫସ୍‌ଫରସ୍‌, କାର୍ବନ୍‌, ଫେରମ୍‌, ସଲଫର୍‌ ଇତ୍ୟାଦି ଇତ୍ୟାଦିର ସଂଯୋଗରେ ଗଢ଼ା ଗୋଟିଏ ଜଟିଳ ଯୌଗିକ ପଦାର୍ଥ । ତା’ର ସତ୍ୟ ଅହିଂସା ବିଷୟରେ ବକ୍ତୃତାଗୁଡ଼ାକ ତା’ର ମସ୍ତିଷ୍କର କୋଷ ଭିତରେ ଚାଲିଥିବା ନାନା ରାସାୟନିକ ଓ ବୈଦ୍ୟୁତିକ କ୍ରିୟାକଳାପର ପରିଣାମ । ଏଗୁଡ଼ାକ ତା’ର ଜିଭ, ଓଠ ପ୍ରଭୃତିରେ ଲାଗିଥିବା ସ୍ନାୟୁକୁ ଉଦ୍ଦୀପିତ କରାନ୍ତି ଓ ସେସବୁ ଯଥାବିଧି ଆନ୍ଦୋଳିତ ହେଲେ ଶବ୍ଦ ଉଚ୍ଚାରିତ ହୁଏ । ଏଇ ତ–ଆଉ କ’ଣ ? ଏ କଥା କହିଦେଲେ ଗାନ୍ଧୀ ଗୋଟାଏ କରତଗୁଣ୍ଡ ଓ କନାରେ ତିଆରି କଣ୍ଢେଇ ସାଙ୍ଗରେ ସମାନ ହୋଇଯିବ କି ? ଅଣୁ-ପରମାଣୁ, ରାସାୟନିକ ପ୍ରକ୍ରିୟା ଓ ବୈଦ୍ୟୁତିକ ଶକ୍ତି ଭିତରେ ନିହିତ ଅତୀବ ବିସ୍ମୟକର ସମ୍ଭାବନାର ରହସ୍ୟ ହିଁ ଏହାଦ୍ୱାରା ଘନୀଭୂତ ହେବ ।

 

ବୈଜ୍ଞାନିକମାନଙ୍କ ଭିତରେ ‘ରିଡକ୍‌ଶନିଜ୍‌ମ୍‌’ ବୋଲି ଗୋଟାଏ ବିଚାର ଅଛି । ଏହାର ଅର୍ଥ ହେଲା ଗାନ୍ଧୀଠାରୁ ଗୋବରଯାଏ ସୃଷ୍ଟିର ପ୍ରତ୍ୟେକ ବସ୍ତୁ ଓ ଘଟଣାର ବ୍ୟାଖ୍ୟା ପଦାର୍ଥବିଜ୍ଞାନ ମାଧ୍ୟମରେ କରିହେବ; କାରଣ ସୃଷ୍ଟିର ମୂଳରେ ଅଣୁ-ପରମାଣୁ ରହିଛି ଓ ସାରା ସୃଷ୍ଟିର ସବୁ କିଛି ସେହିମାନଙ୍କର ଅଭିବ୍ୟକ୍ତି । ଥରେ ଜଣେ ଉତ୍ସାହୀ ପଦାର୍ଥବିଜ୍ଞାନର ଛାତ୍ର ଯୁକ୍ତି କରୁଥିଲେ ଯେ ପଦାର୍ଥବିଜ୍ଞାନ ହିଁ ହେଲା ସବୁ ଜ୍ଞାନର ଚାବି । ସମାଜବିଜ୍ଞାନ, ମନୋବିଜ୍ଞାନ, ଅର୍ଥବିଦ୍ୟା, ରାଜନୀତିବିଜ୍ଞାନ ଆଦି କିଛି ନୁହେଁ; ସେସବୁ ଅଧ୍ୟୟନ କରିବା ବେକାର ପରିଶ୍ରମ ।

 

ମାତ୍ର ଆଜିକାଲି ଏ ରିଡକ୍‌ଶନିଜ୍‌ମ୍‌ର ପ୍ରଭାବ ବହୁଳ ଊଣା ହୋଇଗଲାଣି । ଏ କଥାଟା ଅତି ସ୍ପଷ୍ଟ ଯେ ମଣିଷର ଦେହ ରସାୟନବିଦ୍ୟାର ନିୟମ ଅନୁସାରେ ଗଢ଼ା ଓ ତାହା ପଛକୁ ରହିଛି ପଦାର୍ଥବିଜ୍ଞାନର ନିୟମ । ମାତ୍ର ଶରୀରତତ୍ତ୍ୱର ଅଧ୍ୟୟନ ନ କରି କେବଳ ରସାୟନବିଦ୍ୟା ଅଧ୍ୟୟନ କଲେ ମଣିଷ ଦେହ କିପରି ଗଢ଼ା, ତା’ର କି କି ରୋଗ ହୁଏ, ଖାଦ୍ୟ ତା’ ପେଟରେ କିପରି ହଜମ ହୁଏ, ରକ୍ତରୁ କିପରି ଦୁଷିତ ପଦାର୍ଥ ନିଷ୍କାସନ ହୁଏ, ସନ୍ତାନ କେମିତି ଗର୍ଭରେ ବଢ଼େ ଇତ୍ୟାଦି ସବୁ କଥା ସେଇଥିରୁ ଅନୁମାନ କରିହେବ–ଏହା କେହି ବିଶ୍ୱାସ କରେ ନାହଁ । ହଁ; ଶରୀରତତ୍ତ୍ୱ, ରୋଗବିଜ୍ଞାନ, ପୁଷ୍ଟିତତ୍ତ୍ୱ ଆଦିକୁ ବୁଝିବାପାଇଁ ରସାୟନବିଦ୍ୟାର ସାହାଯ୍ୟ ଆବଶ୍ୟକ ହୁଏ; ମାତ୍ର ରସାୟନବିଦ୍ୟା ଏସବୁର ସ୍ଥାନ ନେଇପାରେ ନାହିଁ ।

 

ଗୋଟିଏ ଉଦାହରଣ ଦେବାର ଚେଷ୍ଟା କରାଯାଉ । ଇଟା ଓ ସିମେଣ୍ଟରେ ନାନାପ୍ରକାରର ଘର ତିଆରି ହୁଏ । ଇଟା, ସିମେଣ୍ଟର ରାସାୟନିକ ଓ ପଦାର୍ଥଗତ ପ୍ରକୃତି ବିଷୟରେ ଜ୍ଞାନ ଘର ତିଆରି ପାଇଁ ଅପରିହାର୍ଯ୍ୟ । ମାତ୍ର ଯେ ମନ୍ଦିର, ମସଜିଦ୍‌, ଗୀର୍ଜା, ଗବେଷଣାଗାର, ସଚିବାଳୟ, ହୋଟେଲ, ଡାକ୍ତରଖାନା, ରେଳଷ୍ଟେସନ, ବାସଗୃହ, ଟେଲିଫୋନ ଏକ୍‌ସଚେଞ୍ଜ ଆଦି ଆଦୌ ଦେଖିନାହିଁ; କେବଳ ଇଟା ସିମେଣ୍ଟ ବିଷୟରେ ବିଶଦତମ ଜ୍ଞାନ ହାସଲ କରିଛି, ସେ ଯଦି କହେ ଯେ ଏସବୁ କୋଠାବାଡ଼ି ଦେଖିବା ବି ଦରକାର ନାହିଁ, ସେସବୁର ବ୍ୟବହାର ଓ ବ୍ୟବହାର ଦୃଷ୍ଟିରୁ ସେସବୁର ରଚନାର ବୈଶିଷ୍ଟ୍ୟ, କଳାଦୃଷ୍ଟିରୁ ସେମାନଙ୍କର ଆକୃତିର ତାରତମ୍ୟ ଆଦି ବିଷୟରେ ଜାଣିବାପାଇଁ ସ୍ୱତନ୍ତ୍ର ଉଦ୍ୟମର ଆବଶ୍ୟକତା ନାହିଁ, କେବଳ ଇଟା ସିମେଣ୍ଟ ବିଷୟରେ ବିଶଦରୁ ବିଶଦତମ ଗବେଷଣା ଚଳେଇଲେ ସବୁ ଜଣାପଡ଼ିଯିବ, ତେବେ ତାହା ଏଇ ରିଡକ୍‌ଶନିଜ୍‌ମ୍‌ର ଏକ ହାସ୍ୟାସ୍ପଦ ଉଦାହରଣ ହେବ ।

 

ବ୍ରହ୍ମବାଦୀମାନେ କହନ୍ତି ଯେ ସୃଷ୍ଟିର ସମସ୍ତ ତତ୍ତ୍ୱ, ଜଡ଼, ଚେତନ, ସବୁ ଏକ ବ୍ରହ୍ମର ହିଁ ଅଭିବ୍ୟକ୍ତି । ଏବେ ବିଜ୍ଞାନ ମାଧ୍ୟମରେ ସୃଷ୍ଟିର ରହସ୍ୟ ଖୋଲି ଖୋଲି ଯାଇ ଯଦି ମଣିଷ ସେଠି ପହଞ୍ଚିଛି ଯେ ଜୀବନନ୍ତୁଙ୍କର ପ୍ରାଣ ଓ ଚେତନା ଅଣୁ-ପରମାଣୁଙ୍କର ହିଁ ପରସ୍ପର ସଂଯୋଗ, ବିୟୋଗ, ଘାତପ୍ରତିଘାତ ଓ ବିଭିନ୍ନ ପ୍ରକାରର ପରିସଜ୍ଜାର ହିଁ ପରିଣାମ, ତେବେ କ’ଣ ବିଗିଡ଼ିଯାଉଛି ? ବସ୍ତୁ ଓ ଊର୍ଜା ତ ଏକ ବୋଲି ସାବ୍ୟସ୍ତ ହୋଇସାରିଛି । ଏବେ ଏଇ କଥା ସାବ୍ୟସ୍ତ ହେବାପାଇଁ ବାକି ଯେ ଜଡ଼ ଓ ଚେତନ ଏକ ମୌଳିକ ବିଶ୍ୱବସ୍ତୁର ଦୁଇଟି ଅଭିବ୍ୟକ୍ତି । ଅଣୁ-ପରମାଣୁଙ୍କର ଖେଳରୁ ସଚେତନତା ପ୍ରକଟ ହେଉଛି ତ ଅଣୁ-ପରମାଣୁଙ୍କ ଭିତରେ ଏ ଚୈତନ୍ୟର ସମ୍ଭାବନା ନିହିତ ରହିଛି ବୋଲି ବୁଝିବାକୁ ହେବ । ଯେତେବେଳେ ଯୀଶୁଙ୍କ ପ୍ରେମ ଓ ଗାନ୍ଧୀଜୀଙ୍କ ଅହିଂସାକୁ ପଦାର୍ଥବିଜ୍ଞାନର ଭାଷାରେ ବ୍ୟାଖ୍ୟା କରିହେବ, ସେତେବେଳେ ପଦାର୍ଥବିଜ୍ଞାନର ରୂପ ସମ୍ପୂର୍ଣ୍ଣ ଅନ୍ୟ ପ୍ରକାର ହୋଇଯାଇଥିବ । ଏଇ ତ ସେଇ ନ୍ୟୁଟନ୍‌ଙ୍କଠାରୁ ଗଡ଼ିଆସିଥିବା ବିଜ୍ଞାନକୁ କୋଉଠି ନେଇ ପକେଇଲାଣି ।

 

ଏ ତ ଗଲା ପଦାର୍ଥବିଜ୍ଞାନ ଆଡ଼ର ଖବର । ଏଣେ ସାମାଜିକ ବିଜ୍ଞାନସବୁର କ୍ଷେତ୍ରରେ କ’ଣ ହେଉଛି ଦେଖାଯାଉ । ମନୋବିଜ୍ଞାନରେ ‘ବିହେଭିଅରିଜମ୍‌’ ବା ଆଚରଣବାଦ ସମସ୍ତେ ସ୍ୱୀକାର କରୁନାହାନ୍ତି; ଯଦିଓ ଏ ଧାରାରେ ଗବେଷଣା ବହୁତ ବେଶୀ ଚାଲିଛି । ବ୍ୟବସାୟ ସଂସ୍ଥା ଓ ସରକାରମାନେ ଲୋକଙ୍କୁ ନିଜ ନିଜର ଉଦ୍ଦେଶ୍ୟ ସିଦ୍ଧି ପାଇଁ କଣ୍ଢେଇନଚା କରିବାର ନୂଆ ନୂଆ ସୂକ୍ଷ୍ମ ଉପାୟ ଖୋଜୁଛନ୍ତି ଓ ମଣିଣର ଦୈହିକ-ମାନସିକ ତନ୍ତ୍ରର ଯେଉଁ ସବୁ ସୂତ୍ର ଧରି ସେପରି କରିହେବ ସେସବୁରେ ବିଶଦ ଅଧ୍ୟୟନ ଚାଲିଛି ।

 

ଫ୍ରଏଡ୍ ଅଚେତନ ମନର ପ୍ରଭାବ ଆବିଷ୍କାର କରିଥିଲେ; ମାତ୍ର ସେ ମଣିଷକୁ ଅଚେତନ ମନର କ୍ରୀଡ଼ନକ ବୋଲି ବିଚାରୁଥିଲେ ବୋଲି କହିବା ଭୁଲ ହେବ । ମାନସିକ ଚିକିତ୍ସାର ଯେଉଁ ପ୍ରଣାଳୀ ସେ ଉଦ୍‌ଭାବନ କରିଥିଲେ, ତାହାର ସାର ମର୍ମ ହେଲା ଯା ଅସୁସ୍ଥ ବ୍ୟକ୍ତି ଆପଣାର ଅଚେତନ ଭିତରେ ଚାଲିଥିବା ଘାତପ୍ରତିଘାତକୁ ଜାଣିବ, ଚିହ୍ନିବ ଓ ଏହିରୂପେ ତାହା ଉପରେ ତା’ର ଚେତନ ମନର କର୍ତ୍ତୃତ୍ୱ ସାବିତ୍‌ କରିବ । ସେ ଆଉ ଅଚେତନର ଅସହାୟ କାଠକଣ୍ଢେଇ ହୋଇ ରହିବ ନାହିଁ ।

 

ଫ୍ରଏଡ୍‍ଙ୍କର ଏ ଧାରା ଏବେ ବହୁତ ବିକଶିତ ହେଲାଣି ଓ ସେଥିରୁ ନୂଆ ନୂଆ ଶାଖା-ପ୍ରଶାଖା ମଧ୍ୟ ବାହାରିଲାଣି । ୟୁଙ୍ଗ୍‌ ଓ ଆଡ୍‍ଲର୍ ମଧ୍ୟ ଫ୍ରଏଡ୍‍ଙ୍କର ସମସାମୟିକ ଥିଲେ । ସେମାନେ ବି ନିଜ ନିଜର ମନୋବିଜ୍ଞାନର ତତ୍ତ୍ୱ ଓ ଚିକିତ୍ସାର ଧାରା ରଖିଯାଇଛନ୍ତି । ଏସବୁ ଘାଣ୍ଟଚକଟ ଭିତରୁ ସମ୍ପୂର୍ଣ୍ଣ ନୂଆ ତତ୍ତ୍ୱର ଧାରା ବି ବାହାରିଛି । ମାନସିକ ଚିକିତ୍ସାର ଗୋଟିଏ ପ୍ରଣାଳୀ ଔଷଧ ଓ ଶାରୀରିକ ଚିକିତ୍ସା, ଇଲେକ୍‌ଟ୍ରିକ୍‌ ଶକ୍‌ ଆଦିର ଧାରା ଅନୁସରଣ କରିଚାଲିଛି । ଏମାନେ ବ୍ୟକ୍ତିର ମାନସିକ ଭାବଗୁଡ଼ିକର ସ୍ୱାସ୍ଥ୍ୟ ଓ ବିକୃତିକୁ ଦେହ, ସ୍ନାୟୁତନ୍ତ୍ର ଓ ମସ୍ତିଷ୍କର ଗୌଣ ଅଭିବ୍ୟକ୍ତି ବିଚାରନ୍ତି । ମାତ୍ର ଫ୍ରଏଡ୍‍ ପ୍ରଭୃତିଙ୍କର ଧାରା ଅନୁସରଣ କରୁଥିବା ବୈଜ୍ଞାନିକମାନେ ମାନସିକ ଭାବ ଓ ଅଭିବ୍ୟକ୍ତିକୁ ପ୍ରାଥମିକ ଗୁରୁତ୍ୱ ଦେଉଛନ୍ତି । ରୋଗୀର ଚିନ୍ତାଧାରା ଓ ଭାବାବେଗସବୁକୁ ସଜାଡ଼ିବା ହିଁ ଚିକିତ୍ସାର ଉଦ୍ଦେଶ୍ୟ ବୋଲି କହୁଛନ୍ତି । ମାନସିକ ରୋଗର ଚିକିତ୍ସା ଗୋଟାଏ ପ୍ରକାରରେ ରୋଗୀର ମସ୍ତିଷ୍କର ସାମନାର ଗୋଟାଏ ଅଂଶ ଅସ୍ତ୍ରୋପଚାର କରି ବାଦ୍‌ ଦେଇଦିଆଯାଏ । ଏ ପ୍ରକାର ଚିକିତ୍ସାର ସମାଲୋଚକମାନେ କହନ୍ତି ଯେ ଏଇଟା ଚିକିତ୍ସା ନୁହେଁ । ଜଣେ ଲୋକର ତା’ର ପାରିପାର୍ଶ୍ୱିକ ଜଗତ ସହିତ ସମ୍ପର୍କ ବିକୃତ ହେଇଯାଇଛି; ସେ ସମସ୍ତଙ୍କୁ ଦେଖି ଆତଙ୍କ ଅନୁଭବ କରୁଛି । ଏ ଆତଙ୍କ ଅନୁଭବ କରିବାର ଶକ୍ତିକୁ ନଷ୍ଟ କରିଦେବା ଅର୍ଥ ବାହାର ଜଗତ ସହିତ ତା’ର ସମ୍ପର୍କ ନଷ୍ଟ କରିଦେବା । ସେ ଆଉ କାହାରି ବିଷୟରେ କୌଣସି ଭାବ ଅନୁଭବ କରିବ ନାହିଁ । ଏହାଦ୍ୱାରା ତା’ର ରୋଗର ଲକ୍ଷଣ ଦୂର ହେଲା; ମାତ୍ର ସେ ମଣିଷ ହିସାବରେ କିଛି ଊଣା ହୋଇଗଲା ବି ।

 

ସେ ଯାହା ହେଉ, ବ୍ୟକ୍ତିର ବ୍ୟକ୍ତିତ୍ୱ ଅର୍ଥାତ୍‌ ତା’ର ଅନ୍ୟାନ୍ୟ ବିଭାବ ଭିତରେ ତା’ର କର୍ତ୍ତୃତ୍ୱ ଶକ୍ତିକୁ ଦୃଢ଼ କରିବା ଏବେ ମାନସିକ ଚିକିତ୍ସାର ଲକ୍ଷ୍ୟ ହେଇଛି । ଏହା ଛଡ଼ା ଦେହ ଉପରେ ମନର ପ୍ରଭାବର ପ୍ରକାର-ପ୍ରକାରର ଉଦାହରଣ ଦେଖିବାକୁ ମିଳିଲାଣି । ମନ ପ୍ରଫୁଲ୍ଲ ଥିଲେ ଦେହର ରୋଗ-ପ୍ରତିରୋଧ ଶକ୍ତି ବହୁତ ବଢ଼ିଯାଏ । ଓଲଟା ବିଷାଦ ଓ ଭୟ ବହୁତ କମେଇଦିଏ । ଡରୁଆ ଲୋକକୁ ପ୍ରକୃତରେ ସାପ କାମୁଡ଼ି ନ ଥିଲେ ବା ନିର୍ବିଷ ସାପ କାମୁଡ଼ିଥିଲେ ବି ସେ କେବଳ ଆତଙ୍କରେ ମରିଯିବାର ଦେଖାଯାଇଛି । ତୀବ୍ର ମାନସିକ ଉଦ୍‌ବେଗ ଯୋଗୁଁ ଏକଜିମା, ଅସ୍ତ୍ର ଓ ପାକସ୍ଥଳୀର କ୍ଷତ, ହୃଦ୍‌ରୋଗ ଆଦି ହୁଏ । ଏହିପରି ଭାବରେ ଦେହ ଉପରେ ମନର ପ୍ରଭାବର ଅଜସ୍ର ଉଦାହରଣ ମିଳିଛି; ଯେଉଁଥିରୁ ଦେଖାଯାଉଛି ଯେ ମନ ଦେହଯନ୍ତ୍ରର ଏକ ଛାୟା ମାତ୍ର ନୁହେଁ, ତା’ର ନିଜସ୍ୱ ଶକ୍ତି ରହିଛି ।

 

ମନ କେବଳ ନିଜ ଦେହ ଉପରେ ନୁହେଁ, ଅନ୍ୟ ମନ ଉପରେ ମଧ୍ୟ କାର୍ଯ୍ୟ କରିବାର ବୈଜ୍ଞାନିକ ପ୍ରମାଣ ଯଥେଷ୍ଟ ରହିଛି । ଜଣକ ପ୍ରତି ଅନ୍ୟ ଜଣକର ବିଶ୍ୱାସ, ଅବିଶ୍ୱାସ, ଭୟ, ଦ୍ୱେଷ ବା ସ୍ନେହଦୃଷ୍ଟି ସେ ଲୋକ ମନରେ ତା’ର ପରିପୂରକ ପ୍ରତିକ୍ରିୟା ଘଟାଏ । ସାମାଜିକ ମନୋବିଜ୍ଞାନ ଓ ସମାଜବିଜ୍ଞାନର କେତେକ ଶାଖାରେ ଲୋକଙ୍କର ମନରେ ଏଇ ପ୍ରକାରର କ୍ରିୟା-ପ୍ରତିକ୍ରିୟାର ଗତିବିଧି ହିଁ ଅଧ୍ୟୟନ କରାଯାଏ । ଶିଶୁ ପ୍ରତି ଅଭିଭାବକଙ୍କର ସ୍ନେହ ତା’ର ଶରୀର ଓ ମନ ଉଭୟର ସୁସ୍ଥ ବିକାଶପାଇଁ ଅତ୍ୟାବଶ୍ୟକ । ଯୁଦ୍ଧକ୍ଷେତ୍ରରେ ସୈନିକମାନଙ୍କର ପରସ୍ପର ଭାଇଚାରା ସେମାନଙ୍କର ସାହସ ବଢ଼ାଇବାରେ ସାହାଯ୍ୟ କରେ । କାରଖାନା ଶ୍ରମିକମାନଙ୍କର ମାନସିକ ସନ୍ତୋଷ ଓ ପରସ୍ପର ସଦ୍‌ଭାବ ଉତ୍ପାଦନ ବଢ଼ାଇବାରେ ସାହାଯ୍ୟ କରେ । ସେଥିପାଇଁ ଆଧୁନିକ ଶିଳ୍ପପରିଚାଳକମାନେ ସେଥିପ୍ରତି ଦୃଷ୍ଟି ଦେଉଛନ୍ତି । ଏହିପରି ବିଭିନ୍ନ ପ୍ରକାରର ଅଜସ୍ର ଉଦାହରଣ ରହିଛି ।

 

କେବଳ ସେତିକି ନୁହେଁ, ଲୋକଙ୍କର ମାନସିକ ସ୍ଥିତି ଓ ବିଶ୍ୱାସକୁ ମଧ୍ୟ ସମାଜବିଜ୍ଞାନ, ରାଜନୀତିବିଜ୍ଞାନ ଆଦି କ୍ଷେତ୍ରରେ ଗୁରୁତ୍ୱ ଦିଆହେଉଛି । କୌଣସି ଗୋଟାଏ ଗୋଷ୍ଠୀ ଯଦି ଏକ ସୁଦ୍‌ ମିଛକଥାକୁ ସତ ବୋଲି ବିଶ୍ୱାସ କରୁଥିବ, ତେବେ ବି ସେ ବିଶ୍ୱାସକୁ ହାଓ୍ୱା ବୋଲି ଉଡ଼େଇ ଦେଇ ହେବ ନାହିଁ । ସେ ବିଶ୍ୱାସ ସେମାନଙ୍କର ଆଚରଣକୁ ପ୍ରଭାବିତ କରିବ । ତେଣୁ ବିଜ୍ଞାନ ଦୃଷ୍ଟିରୁ ଶହେଟା ଠେଙ୍ଗା ଯେତିକି ବାସ୍ତବ, ସେ ଲୋକଙ୍କର ବିଶ୍ୱାସ ବି ସେତିକି ବାସ୍ତବ ତଥ୍ୟ । ରାଉରକେଲାରେ ୧୯୬୪ରେ ମୁସଲମାନ ହତ୍ୟା ହେଙ୍ଗାମା ପୂର୍ବରୁ ହିନ୍ଦୁମାନେ ବିଶ୍ୱାସ କଲେ ଯେ କଲିକତା ଆଡ଼ୁ ହଜାର ହଜାର ମୁସଲମାନ ଅସ୍ତ୍ରଶସ୍ତ୍ର ଧରି ମାଡ଼ିଆସୁଛନ୍ତି । ଏହାଦ୍ୱାରା ପ୍ରଭାବିତ ହୋଇ ସେମାନେ ହତ୍ୟାକାଣ୍ଡରେ ଲାଗିଲେ । ଏ ବିଶ୍ୱାସ ବିରୋଧରେ ଲଢ଼େଇ ମାନସିକ ସ୍ତରରେ ହିଁ ଚଳେଇବାକୁ ହେଲା । ମୋଟ କଥା, ମନ ଏକ ଶକ୍ତି, ଯାହା ସାରା ସମାଜରେ କ୍ରିୟା-ପ୍ରତିକ୍ରିୟା ଘଟାଏ । ଏଇ କଥା ଧରିନେଇ ଆଧୁନିକ ସାମଜିକ ବିଜ୍ଞାନମାନଙ୍କର ଅଧ୍ୟୟନ, ଗବେଷଣା ଚାଲିଛି । ଊଣେଇଶକ ଶତାବ୍ଦୀର ଅର୍ଥବିଦ୍ୟାବିଦ୍‌ମାନେ ଯେଉଁ ନିଗଡ଼ ପରିଣାମବାଦର ପ୍ରତିପାଦନ କରୁଥିଲେ ତାହା ଉଭେଇସାରିଲାଣି ।

 

ଏବେ ଏ କଥା ଜଳଜଳ ଦେଖାଗଲାଣି ଯେ ଅର୍ଥବିଦ୍ୟା, ସମାଜବିଜ୍ଞାନ ଆଦିର ଯେଉଁ ସବୁ ନିୟମ ବିଦ୍ୱାନ୍‌ମାନେ ଆବିଷ୍କାର କରିଛନ୍ତି ଓ କରୁଛନ୍ତି, ତାହା ବହୁ ଲୋକଙ୍କର ଆଚରଣର ମୋଟ ଓ ହାରାହାରି ଉପରେ ଆଧାରିତ ସମ୍ଭାବନା ମାତ୍ର । ଏଟମ୍‌ମାନଙ୍କ ଆଚରଣ ଅପେକ୍ଷା ଏପରି ସମ୍ଭାବନାମୂଳକତା ମଣିଷର ଆଚରଣ କ୍ଷେତ୍ରରେ ବେଶୀ ପ୍ରଯୋଜ୍ୟ । ଯେମିତି ଧରନ୍ତୁ, ଅର୍ଥବିଦ୍ୟାର ‘ପ୍ରୋଫିଟ୍‌ ମୋଟିଭ୍‌’ ଲାଭର ଈପ୍‌ସା । ଏହାକୁ ଅର୍ଥବ୍ୟବସ୍ଥାର ଏକ ନିଗଡ଼ ନିୟମ ବୋଲି ସେତେବେଳେ ବୁଝାଉଥିଲେ ଓ ଏବେ ବି ଆମ କଲେଜମାନଙ୍କରେ ପଢ଼ାଯାଉଥିବ । ମାତ୍ର ଏବେ ଅର୍ଥବିଦ୍ୟାରେ ଏ କଥା ସ୍ୱୀକୃତ ହେଲାଣି ଯେ ଏ ଲାଭର ଈପ୍‌ସା ସବୁକାଳରେ ସବୁ ଦେଶରେ ନ ଥିଲା ଓ ଏବେ ବି ନାହିଁ । କୋଟି କୋଟି ଲୋକଙ୍କର ଆଚରଣ ଆଦୌ ଲାଭେପ୍‌ସା ଦ୍ୱାରା ପରିଚାଳିତ ନୁହେଁ । ଲୋକଙ୍କର ଆର୍ଥନୀତିକ ଆଚରଣ ସେମାନଙ୍କର ବିଶ୍ୱାସ, ସାମାଜିକ ସଂସ୍ଥାର ରୂପ, ସାମାଜିକ ରୀତିନୀତି ଦ୍ୱାରା ମଧ୍ୟ ରୂପାୟିତ ହୁଏ । ଏ ସବୁ ବଦଳିଲେ ଆର୍ଥନୀତିକ ଆଚରଣ ବି ବଦଳିଯାଏ । ବର୍ତ୍ତମାନ ମୀର୍‌ଡାଲ୍‌ ପ୍ରଭୃତି ବଡ଼ ବଡ଼ ଅର୍ଥବିଦ୍ୟାବିଦ୍‌ କହିଲେଣି ଯେ ଅନୁନ୍ନତ ଦେଶମାନଙ୍କର ଆଶୁ ଉନ୍ନତିସାଧନ ପାଇଁ ସେସବୁ ଦେଶର ଲୋକଙ୍କର ରୀତିନୀତି, ସାମାଜିକ ସଂସ୍ଥା, ବିଶ୍ୱାସ ଆଦି ବଦଳିବା ଆବଶ୍ୟକ–କେବଳ ପୁଞ୍ଜି ଓ ଯନ୍ତ୍ର ନେଇ ଅଜାଡ଼ିଲେ ହେବ ନାହିଁ ।

 

ଏହିରୂପେ ନିଗଡ଼ ପରିଣାମବାଦର ମୂଳଦୁଆ ସାମାଜିକ ବିଜ୍ଞାନ ସବୁରୁ ଉପୁଡ଼ିସାରିଲାଣି । ତାହାର ଶେଷ ଗଡ଼ ଥିଲା ମାର୍କସବାଦରେ; ମାତ୍ର ଏବେ ସେଠୁ ବି ତାହା ଉପୁଡ଼ିଯିବାର ଆଶା ଦେଖାଯାଉଛି । ଏବେ ସେମାନଙ୍କର ପୂର୍ବ-ବର୍ଲିନ୍‌ରେ ଆନ୍ତର୍ରାଷ୍ଟ୍ରୀୟ ସମ୍ମିଳନୀରେ ବିଭିନ୍ନ ଦେଶର ପାର୍ଟିରୁ ଏ ଦାବି ସଫଳଭାବରେ ଉଠେଇଲେ ଯେ ଏଣିକି ପ୍ରତ୍ୟେକ ପାର୍ଟି ତା’ର ନିଜ ଦେଶର ପରିସ୍ଥିତି ଅନୁସାରେ ତା’ର ଲକ୍ଷ୍ୟ ଆଡ଼କୁ ଆଗେଇବ । ଗୋଟାଏ ବିଶ୍ୱବ୍ୟାପୀ ପାର୍ଟି ଲାଇନ୍‌ କେହି ଜାରି କରିପାରିବ ନାହିଁ । ଏହାର ଅର୍ଥ ହେଲା ଯେ ‘ଈର୍ଶ୍ୱରଇଚ୍ଛା’ ମାଫ୍‌ କରିବେ-‘ଇତିହାସର ଅବଶ୍ୟମ୍ଭାବୀ ଦାବି’କୁ ଚିହ୍ନିବାର ଓ ବ୍ୟାଖ୍ୟା କରିବାର ଯେଉଁ ଏକଚାଟିଆ ଅଧିକାର ମସ୍କୋର ପୁରୋହିତମାନଙ୍କର ଥିଲା, ତାହା ଲୋପ ପାଇଗଲା ।

 

ଶେଷରେ ‘ବ୍ରହ୍ମ’ କଥା କହି ଚୈତନ୍ୟର ଅସ୍ତିତ୍ୱ ସପକ୍ଷରେ ରାୟ ଦେଇଦେଲି ବୋଲି କହି କେହି ପାଠକ ହୁଏତ ଖୁସିଟାଏ ହେଇ ବିଚାରବେ ଯେ ‘‘ଜୟ ଗୁରୁ ମହାରାଜ୍‌ କୀ ଜୟ ।’’ ପ୍ରାଚ୍ୟ ଚୈତନ୍ୟବାଦର ବିଜୟ ଓ ପାଶ୍ଚାତ୍ୟ ଜଡ଼ବାଦର ପରାଜୟ ପର୍ଯ୍ୟନ୍ତ ହେଇଗଲା । କଥାଟା ସେପରି ନୁହେଁ । ବୈଜ୍ଞାନିକ ଗବେଷଣାଦ୍ୱାରା ପ୍ରତିପାଦିତ କେତେକ ତଥ୍ୟକୁ ଭିତ୍ତିକରି ନିଶ୍ଚିତ–ପରିଣାମବାଦର ଦର୍ଶନିକ ତତ୍ତ୍ୱ ଛିଡ଼ାକରାହୋଇଥିଲା । ସେ ତତ୍ତ୍ୱ କାଟ ଖାଇଗଲା ବୋଲି ବୈଜ୍ଞାନିକ ତଥ୍ୟଗୁଡ଼ାକ କାଟ ଖାଇଗଲା ନାହିଁ । ଏସବୁ ତଥ୍ୟ ଆମକୁ ‘ଜଡ଼ବସ୍ତୁ’ ଓ ତା’ର ଗତିବିଧିର ନିୟମ ସବୁକୁ ଅଧିକ ସମ୍ମାନ ଚକ୍ଷୁରେ ଦେଖିବାକୁ ଶିଖାଉଛି । ମଣିଷର ସ୍ୱାଧୀନ କର୍ତ୍ତୃତ୍ୱ ଅଛି; ଏହା ସାବ୍ୟସ୍ତ କରିବାର ଅର୍ଥ ନୁହେଁ ଯେ ସେ ‘ଜଡ଼ସୃଷ୍ଟି’ର ନିୟମର ବାହାରେ ବା ପ୍ରତ୍ୟେକ ମଣିଷ ପ୍ରତ୍ୟେକ ମୁହୂର୍ତ୍ତରେ ସ୍ୱାଧୀନ ଭାବରେ କାମ କରୁଛି । ପ୍ରକୃତରେ ଅଧିକାଂଶ ଲୋକଙ୍କର ଅଧିକାଂଶ ଗତିବିଧି ସେମାନଙ୍କର ଇଚ୍ଛା-ଅନିଚ୍ଛା ବ୍ୟତିରେକେ ଆପେ ଆପେ ଘଟିଯାଉଛି । ସମାଜଦ୍ୱାରା ଲଦାଯାଇଥିବା ଆଚରଣର ଛାଞ୍ଚ, ପରିବେଶର ପ୍ରଭାବ ଓ ନିଜର ଅଚେତନରୁ ଉଠୁଥିବା ଗୁପ୍ତ ପ୍ରେରଣା ସେମାନଙ୍କୁ ଅଡ଼େଇ ନେଇଯାଉଛି । ଏ ପରିସ୍ଥିତି ଏକ ଐତିହାସିକ ସତ୍ୟ ।

 

ଆଖିର ମଣିଷ ଓ ତା’ର ଆତ୍ମସଚେତନତା ‘ଜଡ଼ସୃଷ୍ଟି’ର କ୍ରମବିବର୍ତ୍ତନ ଭିତରୁ ଧୀରେ ଧୀରେ ଆତ୍ମପ୍ରକାଶ କରିଛି । ତେଣୁ ମଣିଷର ଅସ୍ତିତ୍ୱ, ତା’ର ସଚେତନ ମନ ମଧ୍ୟ ଗୋଟାଏ ଆଡ଼େ ସ୍ୱାଧୀନଭାବରେ କାମ କରିବାର ସମ୍ଭାବନା ପୋଷଣ କରୁଛି ତ, ଅନ୍ୟଆଡ଼େ ସ୍ୱୟଂକ୍ରିୟ ସ୍ନାୟୁତନ୍ତ୍ର ଓ ରସକ୍ଷରଣକାରୀ ଗ୍ରନ୍ଥିମାନଙ୍କ ଦ୍ୱାରା ନିୟନ୍ତ୍ରିତ ହେଉଛି । ମଣିଷର ସ୍ୱାଧୀନ କର୍ତ୍ତୃତ୍ୱ ତାହା ଭିତରେ ନିହିତ ଥିବା ଏକ ସମ୍ଭାବନା, ଯାହାର ଅଭିବ୍ୟକ୍ତି ତା’କୁ ହାସଲ କରିବାକୁ ହେବ । ମଣିଷ ତା’ର ସଭ୍ୟତାର ସାରା ଇତିହାସର ଭିତରେ ଏହା ହିଁ କରିବାର ଚେଷ୍ଟା କରି ଆସିଛି ।

 

ମଣିଷର ଦେହ-ମନରୂପୀ ଅନବଚ୍ଛିନ୍ନ ଅସ୍ତିତ୍ୱ ଯେଉଁ ସବୁ ନିୟମରେ ବନ୍ଧା, ସେସବୁର ଜ୍ଞାନଦ୍ୱାରା ମଣିଷ ନିଜର ପରିବେଶ ମାଧ୍ୟମରେ ନିଜକୁ ନିୟନ୍ତ୍ରଣ କରିପାରେ । ମଣିଷର ଶରୀରର ଉଷ୍ଣତା ସୁସ୍ଥ ଅବସ୍ଥାରେ ୯୭.୪ ଡିଗ୍ରୀ ଥାଏ ଓ ତାହାରି ଅଳ୍ପ କେତେ ଡିଗ୍ରୀ ଏପାଖ ସେପାଖ ଭିତରେ ମଣିଷର ଦେହ, ଓ ମନ ସବୁଠାରୁ କାର୍ଯ୍ୟକ୍ଷମ ରହେ । ସେଥିପାଇଁ ମଣିଷ ଘର ତିଆରି କରି, ଲୁଗା ବ୍ୟବହାର କରି, ଘରକୁ ଓ ଦେହକୁ ଥଣ୍ଡା ବା ଉଷୁମ କରିବାପାଇଁ ପଙ୍ଖା, ଶୀତତାପ-ନିୟନ୍ତ୍ରଣ, ନିଆଁ ଉହ୍ମେଇ ଆଦି ବ୍ୟବହାର କରି ଦେହର ଉଷ୍ଣତାକୁ ଠିକ୍‌ ରଖେ । ବିଭିନ୍ନ ପ୍ରକାରର ମାଦକ ଦ୍ରବ୍ୟର ପ୍ରଭାବ ମସ୍ତିଷ୍କ ଉପରେ ବିଭିନ୍ନ ଭାବରେ ପଡ଼େ । ତେଣୁ ବୁଦ୍ଧିକୁ ସ୍ତୀମିତ ବା ଅବ୍ୟବସ୍ଥିତ କରିଦେଉଥିବା ମାଦକ ଦ୍ରବ୍ୟରୁ ବୁଦ୍ଧିମାନ୍‌ ଲୋକେ ନିଜକୁ ଦୂରରେ ରଖନ୍ତି । ପୁଣି ଅନେକେ ଥକି ପଡ଼ିଥିବା ମସ୍ତିଷ୍କକୁ ଚାଳନାଦେବା ପାଇଁ କଫି ବ୍ୟବହାର କରନ୍ତି ।

 

ସେହିପରି ମଣିଷ ତା’ର ସମାଜ, ଶ୍ରେଣୀ ବା ଜାତିରୁ ଯେଉଁ ଆଚରଣର ଛାଞ୍ଚ ଶିଖିଥାଏ, ତା’ର ରୂପରେଖକୁ ସେ ସାମାଜିକ ବିଶ୍ଳେଷଣ ଓ ଆତ୍ମବିଶ୍ଳେଷଣ ଦ୍ୱାରା ଚିହ୍ନିପାରେ ଓ ନିଜକୁ ସେଥିରୁ ମୁକ୍ତ କରିପାରେ । ସେହିପରି ନିଜ ଦେହମନର ସ୍ୱୟଂକ୍ରିୟ ତନ୍ତ୍ର ଓ ଅଚେତନର ଗତିବିଧିକୁ ଜାଣି ସେସବୁର ଅସହାୟ ଶିକାର ହେବାରୁ ନିଜକୁ ରକ୍ଷାକରିପାରେ । ବିଜ୍ଞାନ ମଣିଷର ‘ପରତନ୍ତ୍ରତା’ର ଯେଉଁ ଛବି ମେଲି ଧରିଛି. ତାହା ପ୍ରକୃତରେ ମଣିଷକୁ ଆତ୍ମ-କର୍ତ୍ତୃତ୍ୱ ହାସଲ କରିବାପାଇଁ ଅଧିକ ସମ୍ବଳ ସାହାଯ୍ୟ ଯୋଗାଇ ଦେଉଛି ।

 

ପୁର୍ବେ ମଣିଷକୁ କେବଳ ସଦ୍‌ ଆଚରଣ ପାଇଁ ଉପଦେଶ ଶୁଣାଯାଉଥିଲା । ଭଗବାନଙ୍କ କୃପା ହେଲେ ମଣିଷର ସ୍ୱଭାବ ବଦଳିପାରେ ବୋଲି କୁହାଯାଉଥିଲା । ନହେଲେ କୁହାଯାଉଥିଲା ଯେ ମଣିଷ-ଚରିତ୍ର କୁକୁର ଲାଙ୍ଗୁଡ଼ ପରି; ଯେତେ ଯାହା କଲେ ବି ସିଧା ହେବ ନାହିଁ । ମାତ୍ର ଏବେ ଆଚରଣକୁ ପ୍ରଭାବିତ କରୁଥିବା ସବୁ ପ୍ରକାରର ପ୍ରକ୍ରିୟା ଓ ଶକ୍ତିର ରହସ୍ୟ ଭେଦ କରିବାର ଉପାୟ ମଣିଷ ହାତକୁ ଆସିଛି । ଏହା ଫଳରେ ମଣିଷ ନିଜ ଆଚରଣକୁ ନିୟନ୍ତ୍ରିତ କରିବାର ଏପରି ସୁଯୋଗ ପାଇଛି, ଯାହା ପୂର୍ବରୁ ପାଇ ନ ଥିଲା । ମାତ୍ର ତାହା ସାଙ୍ଗରେ ଏ ସମ୍ଭାବନା ମଧ୍ୟ ସୃଷ୍ଟି ହେଉଛି ଯେ କ୍ଷମତାଶାଳୀ ଲୋକେ ଜନତାକୁ ନିଜ ଇଚ୍ଛା ଅନୁସାରେ ନଚେଇବାର ନୂଆ ନୂଆ କୌଶଳ ପ୍ରୟୋଗ କରିବେ; କରିବା ଆରମ୍ଭ କଲେଣି ମଧ୍ୟ । ଏସବୁ ବିଷୟରେ ଆଗକୁ ବିଶଦ ଆଲୋଚନା କରାଯିବ ।

Image

 

Unknown

ପରିସଂଖ୍ୟାନର ଭେଳିକି

 

କେତେ ରାଜନୀତିକ ବନ୍ଦୀ ବିନା ବିଚାରରେ ଅଟକ ଅଛନ୍ତି ବୋଲି ପାଟିତୁଣ୍ଡ ହେବାରୁ ମନ୍ତ୍ରୀ ମହୋଦୟ ବକ୍ତୃତା ଦେଇ କହିଲେ ଯେ ଏମାନଙ୍କର ସଂଖ୍ୟା ଠାରେ ସମସ୍ତ ସହର ଭାଙ୍ଗି ଚୂରମାର ହୋଇଗଲା । ନିୟୁତସଂଖ୍ୟାରେ ଲୋକ ଖୁବ୍‌ କମ୍ । ଦେଶର ଲୋକସଂଖ୍ୟାରୁ ମୋଟେ ଲକ୍ଷେକରେ ଦୁଇଜଣ ବା ତା’ଠୁ ବି କମ୍‌ । ବିନା ବିଚାରରେ ଅଟକଥିବା ଲୋକଙ୍କ ସଂଖ୍ୟା ଏତେ କମ୍‌ ବୋଲି ହିସାବ ଦେଇଦେଲେ ଯେମିତି ଏ ବାବଦରେ ନୈତିକ ଦାୟିତ୍ୱର ପ୍ରଶ୍ନ ବାଏଁ ବାଏଁ ଉଡ଼ିଗଲା ।

 

ଆଜିକାଲି ବିଜ୍ଞାନକୁ ଭଗବାନଙ୍କ ସ୍ଥାନରେ ବସେଇ ଯେଉଁ ପ୍ରଗତି ଧର୍ମ ଦୁନିଆର କ୍ଷମତାଶାଳୀ ଲୋକେ ଗ୍ରହଣ କରିଛନ୍ତି, ଏ ତାହାରି ବ୍ୟାବହାରିକ ପ୍ରୟୋଗର ଏକ ନମୁନା ।

 

ଏବେ ଗୋଟାଏ ନାମଜାଦା ସାପ୍ତାହିକ ପତ୍ରିକାରେ ତାଇଓ୍ୱାନ୍‌ ବିଷୟରେ ଲେଖା ବାହାରିଥିଲା । ସେଥିରେ ପ୍ରଥମରେ ଥିଲା ଯେ ସେଠା ସହରବଜାରର ଲୋକଙ୍କର ଚଳଣିରେ କେତେ ଉନ୍ନତି ହୋଇଛି, ରାସ୍ତାମାନଙ୍କରେ ମଟରଗାଡ଼ି ଓ ମଟର ସାଇକେଲ ଭିଡ଼ କିପରି ଦିନକୁ ଦିନ ବଢ଼ିଚାଲିଛି । ନାଇଟ୍‌ କ୍ଳବ୍‌ ଆଉ ହୋଟେଲମାନଙ୍କର ଗରାଖ କେତେ ବଢ଼ିଛନ୍ତି, କେମିତି ସବୁ ଚକଚକିଆ ପୋଷାକ ଇତ୍ୟାଦି । ସେ ଦେଶରେ ଜାଣି ସ୍ୱର୍ଗକୁ ଆଉ ଚାରି ଆଙ୍ଗୁଳ ବାକି । ଶେଷ ଆଡ଼କୁ ଖାଲି ଟିକିଏ ଉଲ୍ଲେଖ କରାହୋଇଛି ଯେ ସେଠି ରାଜନୀତିକ ବନ୍ଦୀ ବହୁତ ଅଛନ୍ତି; ନାଗରିକ ଅଧିକାର ଆଦୌ ନାହିଁ । ଏସବୁ ବି ଟିକିଏ ଚିନ୍ତାର ବିଷୟ-ବେଶୀ ଚିନ୍ତାର ନୁହେଁ । ଏଇଥିରୁ ଯାହା ପାଠକ ସଂଶୟବାଦୀ ହୋଇଥିଲେ ଅନୁମାନ କରିବେ ଯେ, ସେଠି ଜଣେ ଲୋକର ଏକଚ୍ଛତ୍ର ଶାସନ ଚାଲିଛି; ମାତ୍ର ଉପରୋକ୍ତ ପ୍ରବନ୍ଧର ଲେଖକଙ୍କ ଦୃଷ୍ଟିରେ ସେଠା କୋଠାବାଡ଼ି, ମଟର, ହୋଟେଲ, କାରଖାନା, ବ୍ୟାଙ୍କ ହେଲା ସେଠାକାର ସଭ୍ୟତାର ଅସଲ ମାପକାଠି; ବାକି କିଏ ବିନା ବିଚାରରେ ଅଟକ ରହିଲା, ଯିଏ ମୁଦେଇ ସେଇ କାଜି ହୋଇ କେତେ ଲୋକଙ୍କର ମୁଣ୍ଡକାଟ ହୋଇଗଲା, ଏଗୁଡ଼ାକ ଜାଣି ଯେମିତି ଜଣେ ସୁସ୍ଥ ସବଳ ଲୋକ ଦେହରେ ଟିକିଏ ଯାଦୁ କି କୁଣ୍ଡିଆ ପରି !

 

ସୋଭିଏତ୍‌ ଦେଶରେ ଏ ଶତାବ୍ଦୀର ତୃତୀୟ ଦଶନ୍ଧିରେ କୋଡ଼ିଏ ଲକ୍ଷ ସରିକି କୃଷକ ଦୁର୍ଭିକ୍ଷରେ ମଲେ । ସରକାରର ନୀତି ଅନୁସାରେ ଜାଣିଶୁଣି ସେମାନଙ୍କୁ ମରିବାକୁ ଦିଆହେଲା । ଲକ୍ଷ ଲକ୍ଷ ଲୋକ ବିନା ବିଚାରରେ ବନ୍ଦୀ ହେଲେ ଓ ହଜାର ହଜାର ଲୋକଙ୍କୁ ବିଚାରର ପ୍ରହସନ ପରେ ବା ବିନା ବିଚାରରେ ହତ୍ୟା କରାହେଲା । ମାତ୍ର ସେ ଦେଶ ବିଷୟରେ ବିଚାର ହେଲାବେଳେ ଏସବୁକୁ ଘୋଡ଼େଇ ପକେଇବା ପାଇଁ ସେଠି ଇସ୍ପାତ୍‌ ଉତ୍ପାଦନ କେତେ ନିୟୁତ ଟନ୍‌ ଓ ବିଜୁଳି ଉତ୍ପାଦନ କେତେ ଲକ୍ଷ ମେଗାଓ୍ୱାଟ୍‌ ବଢ଼ିଛି, ଏଇ ସବୁର ହିସାବ ଦିଆଯାଏ । ପୃଥିବୀର ପ୍ରଥମ ସ୍ପୁତ୍‌ନିକ୍‌ ଓ ଆନ୍ତର୍ମହାଦେଶୀୟ କ୍ଷେପଣାସ୍ତ୍ର ସୋଭିଏତ୍‌ ଦେଶ ତିଆରି କରିଛି ବୋଲି ଗର୍ବ କରାଯାଏ ।

 

ହିସାବ ଦାଖଲ କରି ନୈତିକ ପ୍ରଶ୍ନକୁ ଉଡ଼େଇଦେବା ପନ୍ଥା ପଛରେ ରହିଛି ପରିସଂଖ୍ୟାନ ବିଜ୍ଞାନ । ଆଜିକାଲି ସବୁ ବିଷୟର ହିସାବ ସଂଗ୍ରହ କରାଯାଏ । ସେଥିରୁ ନାନା ପ୍ରକାର ତଥ୍ୟର ସନ୍ଧାନ ମିଳେ । ପ୍ରତିବର୍ଷ ମଟର-ଦୁର୍ଘଟଣାରେ କେତେ ଲୋକ ମରୁଛନ୍ତି ତା’ର ହିସାବ ସଂଗ୍ରହ କରାଯାଏ । ପୂର୍ବ ବର୍ଷମାନଙ୍କର ହିସାବ ସହିତ ମିଳେଇ ଯଦି ଦେଖାଯାଏ ଯେ ଦୁର୍ଘଟଣାର ହାର ଓ ମୃତ୍ୟୁହାର କମିଛି, ତେବେ ଟ୍ରାଫିକ୍‌ ପୋଲିସର ଦକ୍ଷତାରେ ଉନ୍ନତି ହୋଇଛି ବୋଲି ସନ୍ତୋଷ ଅନୁଭବ କରାଯାଏ । ଯଦି ବିଭିନ୍ନ ରୋଗରେ ପଡ଼ୁଥିବା ଓ ମରୁଥିବା ଲୋକଙ୍କର ହାର ପୂର୍ବବର୍ଷମାନଙ୍କ ଅପେକ୍ଷା ଊଣା ହେବାର ଦେଖାଯାଏ, ତେବେ ସ୍ୱାସ୍ଥ୍ୟ ବିଭାଗର କାମ ଭଲ ଚାଲିଛି ବୋଲି ମନେକରାଯାଏ । ଯଦି ବର୍ଷକୁ ବର୍ଷ ସାବୁନର ବିକ୍ରି ବଢ଼ିବାର ଦେଖାଯାଏ, ତେବେ ଲୋକଙ୍କର ସଫେଇ ଜ୍ଞାନ ବଢ଼ୁଛି ବୋଲି ସମାଜବିଜ୍ଞାନୀମାନେ ଅନୁମାନ କରନ୍ତି ।

 

ଏବେ ଏକ ହାସପାତାଳକୁ ଅସମୟରେ ଜଣେ ରୋଗୀ ଆସିଲା । ସେ ଏକ ଦୁର୍ଘଟଣାରେ ଗୁରୁତର ଭାବରେ ଆହତ ହୋଇଥାଏ । ଡାକ୍ତର ତା’କୁ ପରୀକ୍ଷା କରି ତୁରନ୍ତ ଅସ୍ତ୍ରୋପଚାର କରିବା ଦରକାର ବୋଲି ସ୍ଥିର କଲେ ଓ ଟେବୁଲ ଉପରକୁ ବି ନେଲେ । କିନ୍ତୁ ଅଚେତକ ଔଷଧ ଦେବା ବିଶେଷଜ୍ଞଜଣକ ମୋଟାରକମର ଟଙ୍କା ନ ପାଇଲେ ଏତେ ରାତିରେ ଆସିବେ ନାହିଁ ବୋଲି ମନା କରିଦେଲେ । ସେ ରୋଗୀଟି ଗରିବ ଲୋକ । ତା’ର ଏତେ ଟଙ୍କା ଏତେ ଅଳ୍ପ ସମୟରେ ସଂଗ୍ରହ କରିବାର ଶକ୍ତି ନ ଥିଲା କି ମୁରବୀ–ଜୋର ବି ନ ଥିଲା; ଫଳରେ ସେ ବିନା ଅସ୍ତ୍ରୋପଚାରରେ ମଲା । ସେ ଲୋକର ସ୍ତ୍ରୀ–ପିଲା କାନ୍ଦି କାନ୍ଦି ଗଡ଼ିଲେ; କିନ୍ତୁ ହାସପାତାଳର କର୍ମଚାରୀମାନେ ନିର୍ବିକାର । ସେଠି ପ୍ରତିଦିନ ଚାରି ପାଞ୍ଚ ରୋଗୀ ମରୁଛନ୍ତି । ନିପୁଣତମ ଚିକିତ୍ସା ସତ୍ତ୍ୱେ ବି ରୋଗୀ ମରନ୍ତି । ପରିସଂଖ୍ୟାନବିଦ୍‌ମାନେ ବର୍ଷ ବର୍ଷର ରୋଗୀସଂଖ୍ୟା ଓ ମୃତ୍ୟୁସଂଖ୍ୟାର ଅନୁଶୀଳନ କରି ସାଧାରଣ ମୃତ୍ୟୁହାର ବାହାର କରିଛନ୍ତି । ହାସପାତାଳର ବାର୍ଷିକ ମୃତ୍ୟୁହାର ସେହି ସୀମା ଭିତରେ ରହିଲେ ସେଠି କାମ ଠିକ୍‌ ଚାଲିଛି ବୋଲି ଧରାଯିବ । ଏ ହାରାହାରି ହିସାବ ଭିତରେ ଅମୁକ ଅମୁକ ରୋଗୀଙ୍କର ଅବହେଳା ବା ଦୁର୍ନୀତିଜନିତ ମୃତ୍ୟୁର ଘଟଣା ଚାପା ପଡ଼ିଯାଉଛି ।

 

ଏ କଥା ସତ ଯେ ଗୋଟାଏ ସମାଜର ନୈତିକତାର ଓ ନୈତିକ ଦାୟିତ୍ୱବୋଧର ସ୍ତର ହଠାତ୍‌ ବଦଳେ ନାହିଁ । ତା’କୁ ବଦଳାଇବା, ବିଶେଷ କରି ନୈତିକ ଦାୟିତ୍ୱବୋଧର ସ୍ତରକୁ ଉଞ୍ଚା କରିବା କାମ ଅତି କଠିନ । ସେଥିପାଇଁ ସମାଜର ମୂଲ୍ୟବୋଧ ଓ ନୈତିକତାର ସ୍ତରକୁ ଏକ ସ୍ଥିର, ଅପରିବର୍ତ୍ତନଶୀଳ ଉପାଦାନ ରୂପେ ଧରିନେଇ ପରିସଂଖ୍ୟାନକାରୀମାନେ ତାଙ୍କର ହିସାବ ଓ କଳନା କରିବାଦ୍ୱାରା ଖୁବ୍‌ ଗୋଟାଏ ଭୁଲ କରନ୍ତି ବୋଲି କୁହାଯାଇପାରିବ ନାହିଁ ।

 

ଆଜିକାଲି ପରିସଂଖ୍ୟାନର କଳନ ଦ୍ୱାରା ଆଗକୁ ଭବିଷ୍ୟତ–ବାଣୀ କରାଯାଉଛି । ପାଞ୍ଚ ଦଶ ବର୍ଷର ହିସାବରୁ କଳନା କରି ସେମାନେ କହୁଛନ୍ତି ଯେ ଆସନ୍ତା ବର୍ଷରେ ହାସପାତାଳରେ ରୋଗୀସଂଖ୍ୟା କେତେ ହେବ, ଇସ୍କୁଲରେ ବର୍ଷକୁ ବର୍ଷ ପିଲାସଂଖ୍ୟା କେତେ ବଢ଼ିବ, ରେଳରେ ଯାତ୍ରୀସଂଖ୍ୟା ଓ ମାଲ ନେ-ଆଣ କେତେ ବଢ଼ିବ ଇତ୍ୟାଦି ଓ ସେହି କଳନା ଅନୁସାରେ କର୍ତ୍ତୃପକ୍ଷ ଆଗକୁ ଡାକ୍ତରଖାନାରେ ଶଯ୍ୟାସଂଖ୍ୟା, ରେଳଡ଼ବାସଂଖ୍ୟା, ଇସ୍କୁଲ ଓ ମାଷ୍ଟରସଂଖ୍ୟା ଆଦି ବଢ଼େଇବା କଥା ବିଚାର କରିଥାନ୍ତି । ଏହିପରି ଭାବରେ ଆଗକୁ ଚୋରି ଡକେଇତି ଆଦି ଅପରାଧସଂଖ୍ୟା କେତେ ବଢ଼ିବ (କମିବ କଥା ତ ସ୍ୱପ୍ନ), ତାହା ବି କଳନା କରି ଭବିଷ୍ୟତ-ବାଣୀ କରାଯାଏ । ଦେଶରେ ଯେତେ ଅପରାଧ ହୁଏ, ସେ ସବୁ ତ ଧରାପଡ଼େ ନାହିଁ; ସେଥିରୁ ଶତକଡ଼ା ପଞ୍ଚାବନ କି ଷାଠିଏ ଭାଗ ଧରିପାରିଲେ ପୁଲିସବାହିନୀର କାମ ଠିକ୍‌ ଚାଲିଛି ବୋଲି ଧରାଯାଏ । ଏଥିରେ ପୁଲିସର ନୈତିକ ସ୍ତର, ତାହା ଭିତରେ ଦୁର୍ନୀତିର ପ୍ରସାରକୁ ଗୋଟିଏ ସ୍ଥିର ଉପାଦାନ ବୋଲି ଧରିନିଆଯାଇଥାଏ ।

 

ଅତୀତର ଘଟଣାର ଏ ପ୍ରକାରର ପର୍ଯ୍ୟାଲୋଚନାର ଯଥାର୍ଥତା ଅଛି । ନିକଟ ଭବିଷ୍ୟତ ବିଷୟରେ ଆଗତକୁହା ମଧ୍ୟ ମୋଟାମୋଟି ଠିକ୍‌ ହେବାର ସମ୍ଭାବନା ଯଥେଷ୍ଟ । ବର୍ଷେ ଦୁଇବର୍ଷରେ ଦେଶର ନୈତିକ ସ୍ତର ଖୁବ୍‌ ଗୋଟାଏ ଉଚ୍ଚ ହୋଇଯିବ ବୋଲି ସାଧାରଣତଃ ଆଶା କରାଯାଏ ନାହଁ । ମାତ୍ର ତା’ ବୋଲି ବର୍ତ୍ତମାନ ଓ ଭବିଷ୍ୟତର ଘଟଣା ପାଇଁ ମଣିଷର ନୈତିକ ଦାୟିତ୍ୱ ଲୋପ ହୋଇଯିବ କି ?

 

ଧରନ୍ତୁ ଆପଣଙ୍କ ଘରେ ଚୋରି ହେଲା ଓ ଆପଣ ଥାନାରେ ଏତଲା ଦେବାକୁ ଗଲେ । ଦାରୋଗା ଆପଣଙ୍କୁ ବୁଝାଇଲା; ‘‘ଦେଖନ୍ତୁ, ଓଡ଼ିଶାରେ ଗତ ବର୍ଷ ସଇଁତ୍ରିଶ ହଜାର ସାତ ଶହ ଚୋରି ଘଟଣା ଘଟିଥିଲା । ଏ ବର୍ଷ ସାଢ଼େ ଅଠତ୍ରିଶ ହଜାର ଘଟିବ ବୋଲି ଅଟକଳ କରାଯାଇଛି । ଗତ କୋଡ଼ିଏ ବର୍ଷର ହିସାବରୁ ଦେଖାଯାଉଛି ଯେ ଏଥିରୁ ହାରାହାରି ଶତକଡ଼ା ବା’ଷଠି ଭାଗ ଧରାପଡ଼ିଛି । ଏ ବର୍ଷ ଆମ ଥାନାର ଚୋରି ଏତଲାସଂଖ୍ୟା ନ’ଶହ ପାଖାପାଖି ହେଇସାରିଲାଣି । କଳନା ଅନୁସାରେ ଯାହା ହେବାର କଥା, ତାହାଠୁ ବରଂ ଟିକିଏ ବେଶୀ; ମାତ୍ର କମ୍‌ ନୁହେଁ । ଆମର ଏ ବର୍ଷର ଚୋରି ଧରିବା ଅନୁପାତ ବି ଶତକଡ଼ା ପଞ୍ଚଷଠିକୁ ଟପିଗଲାଣି । ତେଣୁ ଆପଣଙ୍କ ଘରେ ଯେଉଁ ଚୋରି ହେଲା, ତା’ର ଏତଲା ନେବା ପାଇଁ ମୋର ବିଶେଷ ଆଗ୍ରହ ନାହିଁ । ତେବେ ଆପଣ ଆଇନ ଦେଖାଇ ଜିଦ୍‌ କରିବେ, ସେଥିପାଇଁ ଏତଲା ନେଇ ନେଉଛି; କିନ୍ତୁ ଏହାର କୌଣସି ତଦ୍‌ବିର ହେବ ବୋଲି ଆପଣ ମନରେ ଆଶା ରଖିବେ ନାହିଁ । ଜ୍ୟେଷ୍ଠ ମାସରେ ମୋର ଝିଅ ବାହାଘର କରିବାକୁ ହେବ; ପାତ୍ର ସ୍ଥିର କରିବାକୁ ହେବ । ମୁଁ ଆସନ୍ତା ଦୁଇମାସ ସେଇ କାମରେ ଲାଗିବି । ମୋର ଚୋର ଧରିବୁଲିବା ପାଇଁ ଫୁରୁସତ୍‌ କାହିଁ ? ଆପଣ ମୋତେ ତିନିଶ’ ପାଁଶହ ଦେଲେ ବି ନୁହେଁ । ଆଖର ଆପଣଙ୍କର ଚୋରି ତ ଦେଢ଼ ହଜାର ଟଙ୍କାର; ଆପଣ ଆଉ ଦେବେ ବା କେତେ ?’’-ଏ ଯୁକ୍ତିର ଆପଣ କି ଜବାବ ଦେବେ ?

 

କିମ୍ବା ଯଦି ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସେ ଅଦାଲତରେ ଯୁକ୍ତି କରିଥାନ୍ତେ: ‘‘ଧର୍ମାବତାର ! ଭାରତରେ ପ୍ରତିବର୍ଷ ପାଞ୍ଚ ଲକ୍ଷ ଲୋକ ନାନା କାରଣରୁ ମରୁଛନ୍ତି । ମୁଁ ଗୋଟିଏ ବୁଢ଼ାକୁ ମାରିବା ଦ୍ୱାରା ଏ ହିସାବରେ କି ଇତରବିଶେଷ ହେଲା ? ଏଇ ତ ସାମ୍ପ୍ରଦାୟିକ ହଣାକଟାରେ ଲକ୍ଷେ ହିନ୍ଦୁ ମଲେ । ବରଂ ତାହା ଦ୍ୱାରା ମୃତ୍ୟୁହାର ଅସ୍ୱାଭାବିକ ରୂପେ ବଢ଼ିଗଲା । ସେଥିରେ ଗୋଟାଏ କମ୍‌ ବା ଗୋଟାଏ ବେଶୀରେ ବିଶେଷ କିଛି ଫରକ୍‌ ହେଉନାହିଁ । ହଣାକଟା, ମଟରଚାପା, ସାପକାମୁଡ଼ା, ମେଲେରିଆ, ହଇଜା ଆଦିରେ ଯେତେ ଲୋକ ପ୍ରତିବର୍ଷ ମରୁଛନ୍ତି ସେସବୁ ତ ଆପଣ ବନ୍ଦ କରିପାରୁ ନାହାନ୍ତି । ଆଉ ମୁଁ ଚାଳିଶ କୋଟିରେ ଗୋଟିଏ ବୁଢ଼ାକୁ ମାରିଲି ବୋଲି ଆପଣମାନଙ୍କର ଏତେ ହଲ୍ଲା କାହିଁକି ? ଏ ଦେଶରେ ବ୍ୟକ୍ତିର ହାରାହାରି ଆୟୁ ତ ବୟାଳିଶ ବର୍ଷ– ଗାନ୍ଧୀ ତ ତା’ର ପ୍ରାପ୍ୟ ଆୟୁଷରୁ ପ୍ରାୟେ ଦୁଇଗୁଣ ଜୀଇଁ ସାରିଥିଲା ।’’

 

ଆପଣ ଏ କଥାକୁ ହସିପାରନ୍ତି; ମାତ୍ର ଠିକ୍‌ ଏଇ ପ୍ରକାର ଯୁକ୍ତି ଦୁନିଆଯାକର ବ୍ୟାବହାରିକ ଲୋକେ କରିଥାନ୍ତି ଏବଂ ଏ ଯୁକ୍ତିରେ ବେଜ୍ଞାନିକତାର ଗୋଟାଏ ପୁଟ ଥାଏ ।

 

ନୈତିକତାକୁ ଆଡ଼େଇଦେବାପାଇଁ ବିଜ୍ଞାନକୁ ବ୍ୟବହାର କରିବାର ଏ ତ ଗୋଟାଏ ଉପରଠାଉରିଆ ଢଙ୍ଗ ହେଲା । ମାତ୍ର ବିଜ୍ଞାନ ସହିତ ନୈତିକତାର ଅମେଳ ହେବାର ଅନ୍ୟ ଗଭୀରତର କାରଣ ରହିଛି

 

ଏମିତି ଗୋଟାଏ କଥା ନେଇ ଥରେ ଖୋଦ୍‌ ମହାତ୍ମା ଗାନ୍ଧୀ ଓ କବି ରବୀନ୍ଦ୍ରନାଥଙ୍କ ଭିତରେ ତର୍କାତର୍କି ହୋଇଥିଲା । ୧୯୩୪ ମସିହାର କଥା । ଗାନ୍ଧୀଜୀ ଅସ୍ପୃଶ୍ୟତା ନିବାରଣ ପାଇଁ ସାରା ଭାରତରେ ଗସ୍ତ କରୁଥାନ୍ତି । ଜାନୁଆରୀ ମାସରେ ବିହାରରେ ଏକ ପ୍ରଚଣ୍ଡ ଭୂମିକମ୍ପ ହେଲା-। ସେଠାରେ ସମସ୍ତ ସହର ଭାଙ୍ଗି ଚୂରମାର ହୋଇଗଲା । ନିୟୁତସଂଖ୍ୟାରେ ଲୋକ ପ୍ରାଣ ହରାଇଲେ; ବାକି ଲୋକଙ୍କର ଦୁଃଖ-ଦୁର୍ଦ୍ଦଶାର ସୀମା ରହିଲା ନାହିଁ । ଗାନ୍ଧୀଜୀ ତାଙ୍କର ପ୍ରାର୍ଥନାସଭା ବକ୍ତୃତାରେ କହିଲେ ଯେ ଭାରତବାସୀ ଅସ୍ପୃଶ୍ୟତା ମାନିବାଦ୍ୱାରା ଯେଉଁ ପାପ କରୁଛନ୍ତି, ତା’ରି ଦଣ୍ଡସ୍ୱରୂପ ଈଶ୍ୱର ଏ ଭୂମିକମ୍ପ ଭିଆଇଛନ୍ତି ।

 

କବି ରବୀନ୍ଦ୍ରନାଥ ଏ କଥାର ପ୍ରତିବାଦ କଲେ । ସେ କହିଲେ ଯେ ଭୂମିକମ୍ପ ତ ପ୍ରାକୃତିକ ନିୟମ ଅନୁସାରେ ଘଟୁଛି; ତାହା ସହିତ ମଣିଷର ପାପପୁଣ୍ୟର କି ସମ୍ପର୍କ ? ପ୍ରାକୃତିକ ଘଟଣା ସବୁ ଲୋକଙ୍କର ପାପ-ପୁଣ୍ୟର ଦଣ୍ଡ ବା ପୁରସ୍କାରସ୍ୱରୂପ ଘଟୁଛି ବୋଲି ବିଶ୍ୱାସ କରୁଥିବା ଯୋଗୁଁ ତ ଲୋକେ ନାନା କୁସଂସ୍କାରରେ ବୁଡ଼ି ରହିଛନ୍ତି । ପୁଣି ଗାନ୍ଧୀଜୀଙ୍କ ଭଳି ଲୋକ ବି ଏପରି କଥା କହିବେ ତ ଏ କୁସଂସ୍କାରଗ୍ରସ୍ତତା ଆହୁରି ବଢ଼ିଯିବ । ଏ ଭୂମିକମ୍ପ ଅସ୍ପୃଶ୍ୟତା ଯୋଗୁଁ ଘଟିଲା ବୋଲି ଜାଣିବାର ଉପାୟ କ’ଣ ? ସାରା ଭାରତର ଲୋକେ ତ ଅସ୍ପୃଶ୍ୟତା ମାନୁଛନ୍ତି; କିନ୍ତୁ କେବଳ ବିହାରବାଲାଙ୍କୁ ଏ ଦଣ୍ଡ ମିଳିଲା କାହିଁକି ? ପୁଣି ସେଠି ବି ତ ବହୁଳ ଲୋକ ମଲେ, ଯେଉଁମାନେ ଅସ୍ପୃଶ୍ୟତା ମାନୁ ନଥିଲେ ?

 

ସେଇ ତୃତୀୟ ଦଶନ୍ଧିରେ ଇତାଲୀରେ ଏକ ଭୂମିକମ୍ପ ହୋଇ ବହୁତ କ୍ଷତି ହେଲା । ସେଠାରେ ଜଣେ ବଡ଼ ପାଦ୍ରୀ କହିଲେ ଯେ ସେଠା ଝିଅମାନେ ଆଣ୍ଠୁ ଲୁଚୁନଥିବା ଅଣଓସାରିଆ ସ୍କାର୍ଟ ପିନ୍ଧିବାର ପାପ ଯୋଗୁଁ ଏ ଦଣ୍ଡ ଈଶ୍ୱର ଦେଲେ ।

 

ସେତେବେଳେ ଆମ ଦେଶରେ ବହୁତ ଲୋକ ଥିଲେ, ଯେଉଁମାନେ ବିଶ୍ୱାସ କରୁଥିଲେ ଯେ :

 

‘‘ସର୍ବେ ହୋଇବେ ଏକାକାର

ନ ଥିବ ବେଦର ବିଚାର

।।

ତେଣୁ ହୋଇବେ ଅଳ୍ପାୟୁଷ

ପାପେ ସକଳେ ଯିବେ ନାଶ

।।’’

 

‘‘ଏ ଛୁଆଁ-ଅଛୁଆଁ ନ ମାନିବା ଯୋଗୁଁ, ସ୍ତ୍ରୀଲୋକମାନେ ଦାଣ୍ଡକୁ ବାହାରିବା ଯୋଗୁଁ ଓ ଏହିପରି ସବୁ ଅନାଚାର ଯୋଗୁଁ ଭୂମିକମ୍ପ, ମରୁଡ଼ି, ଦୁର୍ଭିକ୍ଷ, ବାତ୍ୟା ଆଦି ଘଟୁଛି ।’’ ଏବେ କାହା କଥା ଠିକ୍‌ ? ଗାନ୍ଧୀଜୀଙ୍କର ନା ଏମାନଙ୍କର ? ଯଦି କହିବା ଯେ ଏମାନେ ତ ଗାଉଁଲି ଅଜ୍ଞ ଲୋକ; ଗାନ୍ଧୀ ଜଣେ ମହାତ୍ମା, ସନ୍ନ୍ୟାସୀ, ବ୍ରହ୍ମଚାରୀ; ତେଣୁ ତାଙ୍କ କଥା ଠିକ୍‌–ତେବେ ଗାନ୍ଧୀଙ୍କଠୁଁ ଓଲଟା ମତ ଦେଇଥିବା ସାଧୁ, ସନ୍ନ୍ୟାସୀ, ବ୍ରହ୍ମଚାରୀ ବି ତ ଅଛନ୍ତି । ଆଉ ଗାନ୍ଧୀ ତ ବିଲାତ ଯାଇ ପାଣ-ପଠାଣଙ୍କ ସାଙ୍ଗରେ ଏକାଠି ଖାଇ ତା’ କାୟା ଅଶୁଦ୍ଧ କରିଥିଲା । ସନାତନ ଧର୍ମକୁ ମୂଳରୁ ଟିକିନିଖି କରି ମାନି ଚଳୁଥିବା ସାଧୁ ମହାତ୍ମାଙ୍କ କଥା ଉପରେ ସେ କଥା କହିବାକୁ କିଏ ? ସନାତନୀମାନେ ଏ ପ୍ରକାରର ଯୁକ୍ତି କରୁଥିଲେ । ରାଜା ଦେଶଶାସନ କଲା ପରି ଈଶ୍ୱର ଏ ସୃଷ୍ଟିକୁ ଶାସନ କରୁଛନ୍ତି; ପୁଣ୍ୟବାନ୍‌କୁ ପୁରସ୍କାର ଦେଉଛନ୍ତି, ପାପୀକୁ ଦଣ୍ଡ ଦେଉଛନ୍ତି ବୋଲି ବହୁ କାଳରୁ ଲୋକେ ବିଶ୍ୱାସ କରିଆସିଛନ୍ତି । ଯେ ଦୁଃଖ ଭୋଗୁଛି ସେ ପୂର୍ବଜନ୍ମର ବା ଏ ଜନ୍ମର ପାପର ଦଣ୍ଡ ପାଉଛି । ଯେ ସୁଖ ଭୋଗୁଛି ସେ ସେମିତି ପୁରସ୍କାର ପାଇଛି । ଧନୀ ଲୋକଙ୍କର ଧନ ପୂର୍ବଜନ୍ମର ସୁକୃତର ଫଳ; ଗରୀବର ଦାରିଦ୍ର୍ୟ ତା’ର ଦଣ୍ଡ । କୁଷ୍ଠରୋଗୀ ବି ତା’ର ପାପର ଫଳ ଭୋଗୁଛି । ପ୍ରାକୃତିକ ଘଟଣା ସହିତ ମଣିଷର ପାପ-ପୁଣ୍ୟର ସମ୍ବନ୍ଧ ରହିଛି । ଧର୍ମକାର୍ଯ୍ୟ ଠିକ୍‌ ଚାଲିଲେ ଭଲ ପାଳକ ହୁଏ; ଅଧର୍ମ ବଢ଼ିଲେ ବଢ଼ି, ମରୁଡ଼ି ଆଦି ହୁଏ ।

 

ଏ ସବୁର ସତ୍ୟ ମିଥ୍ୟାର ପ୍ରମାଣ ହେଲା ଶାସ୍ତ୍ର । ବେଦ ଓ ପୁରାଣରେ ଯାହା ଲେଖା ହୋଇ ରହିଛି ସେଇ କଥା ହିଁ ସାର । ଆଉ ସେ ସବୁର ଅର୍ଥଅର୍ଥାନ୍ତର କରିବାର ଅଧିକାର କେବଳ ବ୍ରାହ୍ମଣମାନଙ୍କର । ପ୍ରାୟ ସବୁ ଦେଶରେ ପୂର୍ବକାଳରେ ଏହିପରି ଥିଲା ଓ ୟୁରୋପରେ ପାଦ୍ରୀମାନଙ୍କର ଏ ଅଧିକାର ଥିଲା । ସେଠି ପୁଣି ପୋପ୍‍ ସବୁ ପାଦ୍ରୀଙ୍କର ସର୍ବୋଚ୍ଚ କର୍ତ୍ତା ହିସାବରେ ସତ୍ୟ ମିଥ୍ୟା ନିରୂପଣ କରିବାର ଅଧିକାରୀ ଥିଲେ । ତାଙ୍କର ପୁଣି ଦଣ୍ଡ ଦେବାର ବି ଅଧିକାର ଥିଲା ଓ ତାଙ୍କ ଦ୍ୱାରା ପ୍ରଚାରିତ ‘ସତ୍ୟ’କୁ ମାନୁ ନ ଥିବା ଲୋକକୁ ସେ ଜୀଅନ୍ତା ପୋଡ଼ିବା, ଅନାହାରରେ ରଖିବା, ଖଣ୍ଡ ଖଣ୍ଡ କରି କାଟିବା ଆଦି ଉପାୟରେ ମୃତ୍ୟୁଦଣ୍ଡ ଦେଇପାରୁଥିଲେ । ଆମ ଦେଶରେ ରାଜା ଓ ବ୍ରାହ୍ମଣମାନଙ୍କର ମେଣ୍ଟ ଥିଲା ଓ ବ୍ରାହ୍ମଣମାନଙ୍କର ‘ସତ୍ୟ’କୁ ନ ମାନିବା ଲୋକଙ୍କୁ ରାଜା ଦଣ୍ଡ ଦେଉଥିଲେ । ମୋଟ ଉପରେ କଥାଟା ଯାଇ ପହଞ୍ଚୁଥିଲା ଯେ–ଯାହା ଖଣ୍ଡାରେ ଯେତେ ଧାର ତା ‘ସତ୍ୟ’ଟା ସେତେ ଟାଣୁଆ ।

 

ପ୍ରାକୃତିକ ଘଟଣାରେ ପାପ-ପୁଣ୍ୟର କାରଣ ଖୋଜିବାକୁ ଯାଇ ବହୁତ ଉଦ୍ଭଟ ଓ ବେଳେବେଳେ ଭୀଷଣ କାଣ୍ଡ ଘଟୁଥିଲା । ମରୁଡ଼ି ହେଲା ତ ନଈନାଳ ବା ମାଟିତଳୁ କେମିତି ପାଣି ମିଳିବ ତା’ର ଉପାୟ ଚିନ୍ତା ନ କରି ଲୋକେ ନିଜର ପାପକ୍ଷାଳନପାଇଁ ଯାଗଯଜ୍ଞ କରି ଘିଅ ପୋଡ଼ିବାରେ ଲାଗିଯାନ୍ତି । କୌଣସି ଦୁର୍ବିପାକ ଘଟିଲେ କାହା ପାପରୁ ଘଟିଲା ବୋଲି ଖୋଳତାଡ଼ କରାଯାଇ କାହାକୁ ନା କାହାକୁ ଧରି ଦଣ୍ଡ ଦିଆଯାଉଥିଲା । ପ୍ରାୟ ହରିଜନମାନଙ୍କର ପାପ ଯୋଗୁଁ ଗାଁ ଉପରେ ବିପତ୍ତି ପଡ଼ୁଛି ବୋଲି ସେମାନଙ୍କ ଉପରେ ଚଢ଼ଉ କରାଯାଉଥିଲା । ରବୀନ୍ଦ୍ରନାଥ ତାଙ୍କର ‘ଦେବତାର ଗ୍ରାସ’ କବିତାରେ ଏକ କରୁଣ ପ୍ରସଙ୍ଗର ବର୍ଣ୍ଣନା କରିଛନ୍ତି । ଗଙ୍ଗାସାଗର ତୀର୍ଥକୁ ଗାଁ ଲୋକେ ଯାଉଥିଲେ । ଜଣେ ବିଧବାଙ୍କ ସଙ୍ଗରେ ତାଙ୍କର ଟିକି ପୁତୁରାଟି ବି ଯିବାକୁ ଅଝଟ ହେଲା । ମାଉସୀ ବିରକ୍ତ ହୋଇ କହିଲା–‘‘ଚାଲ୍‌, ମୁଁ ତତେ ସେଇଠି ଗଙ୍ଗାସାଗରରେ ଠାକୁରଙ୍କୁ ଦେଇ ଆସିବି ।’’ ଗଙ୍ଗାସାଗରରୁ ଫେରିବାବେଳେ ତୋଫାନ ଉଠେଇ ନାହା ଟଳମଳ ହେଲା । କିଏ ଦେବତାଙ୍କୁ କ’ଣ ମାନସିକ କରି ଦେଇନାହଁ ବୋଲି ତୋଫାନ ହେଲା ବୋଲି ନାଉରିଆ ଅଭିଯୋଗ କଲା । ଯାତ୍ରୀମାନେ କାଉଳି ହେଲେ ଓ ତା’ଭିତରୁ କଥା ବାହାରିଲା, ଅମୁକ ତା’ ପୁତୁରାକୁ ଠାକୁରଙ୍କୁ ଦେଇଆସିବା କଥା କହିଥିଲା ବୋଲି । ସେଠୁ ସେ ପିଲାକୁ ଜବରଦସ୍ତି ଟାଣିନେଇ, ସମସ୍ତଙ୍କର ଦାବି ଅନୁସାରେ, ନଈରେ ପକେଇ ଦିଆହେଲା । ଏମିତି ଭାବରେ ଦୈବୀଦଣ୍ଡ ଏଡ଼େଇବାପାଇଁ ଲୋକଙ୍କୁ ପିଟି ପିଟି ମାରିବା, ପୋଡ଼ି ମାରିବା ବା ଗାଁରୁ ବାହାର କରିଦେବା ଘଟଣା ମଧ୍ୟ ଘଟୁଥିଲା ।

 

ବିଜ୍ଞାନ ମଣିଷକୁ ଏ ପରିସ୍ଥିତିରୁ ଉଦ୍ଧାର କଲା । ପ୍ରାକୃତିକ ଘଟଣାଗୁଡ଼ାକ ମଣିଷର ସୁଖ-ସୁବିଧା ପାଇଁ ବା ତା’ର ପାପ-ପୁଣ୍ୟ ଯୋଗୁଁ ଘଟୁଛି ଓ ବନ୍ଦ ରହୁଛି ବୋଲି ବିଶ୍ୱାସ କରିବା ପରିବର୍ତ୍ତେ ପ୍ରକୃତି ତା’ର ନିୟମ ଅନୁସାରେ ଚାଲିଛି ଓ ସେ ନିୟମକୁ ସର୍ବସାଧାରଣରେ ପ୍ରମାଣ କରି ଦେଖେଇହେବ, ଏ ବିଶ୍ୱାସକୁ ଧରି ବିଜ୍ଞାନ ଆଗେଇଲା । ଏଥିରେ କୌଣସି ସିଦ୍ଧାନ୍ତର ସତ୍ୟାସତ୍ୟ, ତା’ର ପ୍ରବକ୍ତାର ଜାତି, ଦାଢ଼ର ଲମ୍ବ ବା ଦଣ୍ଡ ଦେବାର ଶକ୍ତି ଉପରେ ନିର୍ଭର କଲା ନାହିଁ । ତାହା ଯୁକ୍ତି ଓ ବାସ୍ତବ ପରଖର କଷଟିରେ କଷାହେଲା । ଏହା ଫଳରେ ପ୍ରକୃତି ବିଷୟରେ ମଣିଷର ଜ୍ଞାନ ଦ୍ରୁତଗତିରେ ଆଗେଇଲା ଓ ସେ ସବୁପ୍ରକାରର ପ୍ରାକୃତିକ ଅନୁକୂଳତା ଓ ପ୍ରତିକୂଳତା ଭିତରେ ଅଧିକ ସକ୍ଷମ ଭାବରେ ବଞ୍ଚିବାର ଉପାୟ ବାହାର କରିପାରିଲା ।

 

ନିଜେ ମଣିଷ ଓ ତା’ର ସମାଜ ମଧ୍ୟ ପ୍ରାକୃତିକ ନିୟମର ବାହାର ନୁହେଁ ବୋଲି ବିଶ୍ୱାସ କରାଯାଇ ତାହାର ବି ବୈଜ୍ଞାନିକ ଅଧ୍ୟୟନ କରାଯିବାରୁ ସେ ବିଷୟରେ ଜ୍ଞାନ ବହୁତ ବଢ଼ିଛି । ଏସବୁ ଫଳରେ ଆଉ କୁଷ୍ଠରୋଗ ବା ଅନ୍ୟ ରୋଗ ମଣିଷର ପାପର ଦଣ୍ଡ ବୋଲି ବିଶ୍ୱାସ କରାଯାଉନାହିଁ । ଧନୀ ଲୋକର ଧନ ତା’ର ପୁଣ୍ୟର ଫଳ ଓ ଗରୀବର ଦାରିଦ୍ର୍ୟ ତା’ର ପାପର ଦଣ୍ଡ ବୋଲି ବିଚାରିବା ପରିବର୍ତ୍ତେ ସମାଜ ଓ ଅର୍ଥନୀତିର ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା ଓ ମାରପେଞ୍ଚ ଯୋଗୁଁ ଏସବୁ ସୃଷ୍ଟ ହୋଇଛି ବୋଲି ଏବେ ସାବ୍ୟସ୍ତ ହେଲାଣି । ଲୋକ ତା’ର ଅଳସୁଆମି ଯୋଗୁଁ ବେକାର ରହେ ବୋଲି ସାଧାରଣ ଧାରଣା । କିନ୍ତୁ ସେ ମଧ୍ୟ ଅର୍ଥନୀତିର ବ୍ୟବସ୍ଥା-ଦୋଷର ଶିକାର ବୋଲି ଏବେ ଦେଖାଯାଉଛି । ସମୃଦ୍ଧ ପାଶ୍ଚାତ୍ୟ ଦେଶମାନଙ୍କରେ ଅତି ଉଚ୍ଚଶିକ୍ଷିତ, କର୍ମଠ ଓ ଦକ୍ଷ ଲୋକ ବି ଲକ୍ଷ ଲକ୍ଷ ସଂଖ୍ୟାରେ ବେକାର ବସୁଛନ୍ତି ।

 

ମଣିଷ, ତା’ର ସମାଜ, ତା’ର ଅର୍ଥନୀତି, ରାଜନୀତି ଆଦିର ବୈଜ୍ଞାନିକ ଅଧ୍ୟୟନ ଦ୍ୱାରା ସେ ସବୁର ପ୍ରକୃତ ରୂପ ଓ ଗତିବିଧି ବିଷୟରେ ତ ବହୁତ କଥା ଜାଣିବାକୁ ମିଳିଛି ଏବଂ ତାହା ସାଙ୍ଗେ ସାଙ୍ଗେ ନୈତିକତା ବିଷୟରେ ମଧ୍ୟ । ଦେଖାଯାଉଛି ଯେ ନୈତିକ ବିଧିବିଧାନଗୁଡ଼ାକ ଈଶ୍ୱର ତେଣୁ ଏକାବେଳକେ ‘ରେଡିମେଡ୍‌’ ମଣିଷ ଉପରେ ଲଦିଦେଇନାହାନ୍ତି । ସମାଜର କ୍ରମବିକାଶ ସାଙ୍ଗରେ ସେଗୁଡ଼ାକର ବି କ୍ରମବିକାଶ ହେଇଛି । ଆଜିକାଲି ଆମେ ‘‘ସମସ୍ତଙ୍କ ପାଇଁ ସମାନ ନିୟମ, ସମାନ ଆଇନ’’ କଥାଟା ମାନିନେବାକୁ ଅଭ୍ୟସ୍ତ ହୋଇଗଲୁଣି; କିନ୍ତୁ ସବୁଦିନେ ଏପରି ନ ଥିଲା । ସମାଜର କର୍ତ୍ତୃତ୍ୱ ଯେଉଁ ଅଳ୍ପ ଲୋକଙ୍କ ହାତରେ ରହୁଥିଲା, ନୀତିନିୟମ ଆଇନକାନୁନ୍‌ ସେମାନଙ୍କର ଶାସନ ଓ ଆଧିପତ୍ୟକୁ ମଜବୁତ କରିବାକୁ ଗଢ଼ାଯାଉଥିଲା

 

ମନୁ ମହାରାଜ ତ ଜଣେ ଅତି ଉଚ୍ଚକୋଟୀର ଆଧ୍ୟାତ୍ମିକ ଗୁରୁରୂପେ ପ୍ରସିଦ୍ଧ । ଅହିଂସା, ସତ୍ୟ, ସଂଯମ, ମୋକ୍ଷ ଆଦି ବିଷୟରେ ସେ ବହୁତ ବଡ଼ ବଡ଼ କଥା କହିଯାଇଛନ୍ତି । ମାତ୍ର ତାଙ୍କର ‘ମନୁସ୍ମୃତି’ରେ ସେ ଯେଉଁସବୁ ବିଧାନ ଦେଇଯାଇଛନ୍ତି ତାହା ଆଗରେ ଦକ୍ଷିଣ-ଆଫ୍ରିକାର ବର୍ଣ୍ଣ-ବୈଷମ୍ୟ ନୀତି ବି ହାର ମାନିବ । ସେଥିରେ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର ଆଦିଙ୍କ ପାଇଁ ଅପରାଧର ଦଣ୍ଡ-ବ୍ୟବସ୍ଥା ଭିନେ ଭିନେ ପ୍ରକାରର-ଉଚ୍ଚବର୍ଣ୍ଣଙ୍କ ପାଇଁ ଭାରି ହାଲୁକା ଓ ଶୂଦ୍ରଙ୍କ ପାଇଁ ଭାରି କଡ଼ା । ଶୂଦ୍ରମାନେ ତାଙ୍କର ପିଲାଙ୍କର ନାଁ ସୁଦ୍ଧା ଭଲ ରଖିପାରିବେ ନାହିଁ । ଅବଜ୍ଞାସୂଚକ ନାଁ ରଖିବାକୁ ହେବ ବୋଲି ସେ ବିଧାନ ଦେଇଯାଇଛନ୍ତି ।

 

ଆମ ସମାଜରେ ପୁରୁଷମାନଙ୍କର ପ୍ରାଧାନ୍ୟ ଥିବାରୁ ଓ ଉଚ୍ଚ ଜାତିମାନଙ୍କରେ ସ୍ତ୍ରୀମାନଙ୍କୁ ଏକରକମ ବନ୍ଦୀ କରି ରଖାଯାଇଥିବାରୁ ପୁରୁଷ ଓ ସ୍ତ୍ରୀଙ୍କ ପାଇଁ ବିଧିବିଧାନରେ ପାତର-ଅନ୍ତର ଦେଖିବାକୁ ମିଳେ । ସ୍ତ୍ରୀମାନଙ୍କ ପାଇଁ ସତୀତ୍ୱର ବିଧାନ ଅତି କଡ଼ା; ମାତ୍ର ପୁରୁଷମାନଙ୍କ ପାଇଁ ସେପରି ନୁହେଁ । ସମ୍ପତ୍ତିର ଉତ୍ତରାଧିକାରରେ ବି ପୁରୁଣା ନୀତି ଅନୁସାରେ ଝିଅମାନଙ୍କର ହକ୍‌ ନ ଥିଲା । ଏବେ ‘ହିନ୍ଦୁ କୋଡ୍‌’ରେ ସମାନ ଅଧିକାର ମିଳିଛି; ମାତ୍ର ଶତକଡ଼ା ଅନେଶତ ଭାଗ ଲୋକ ତା’କୁ ପରବାୟ କରନ୍ତି ନାହିଁ ।

 

ମଣିଷ ଓ ତା’ର ସମାଜ ତାଙ୍କର ଭୌଗୋଳିକ ପରିସ୍ଥିତି, ଜଳବାୟୁ ଓ ଆର୍ଥିକ ବ୍ୟବସ୍ଥା ବା ଉତ୍ପାଦନ ପ୍ରଣାଳୀ ଦ୍ୱାରା ମଧ୍ୟ ପ୍ରଭାବିତ ହୁଅନ୍ତି । ପାହାଡ଼ ଅଞ୍ଚଳର ଲୋକଙ୍କର ରୀତିନୀତି ଗୋଟାଏ ପ୍ରକାରର; ନଈ-ସମୁଦ୍ରରେ କାରବାର ହେଉଥିବା ଲୋକଙ୍କର ଆଉ ପ୍ରକାରେ । ହିମାଚଳ ପ୍ରଦେଶର ଲାହୁଲ୍‌-ସ୍ପିତି ଅଞ୍ଚଳ ଶୀତଦିନେ ସମ୍ପୂର୍ଣ୍ଣ ଭାବରେ ବାହାର ଦୁନିଆରୁ ବିଚ୍ଛିନ୍ନ ହୋଇଯାଏ-। ବରଫ ପଡ଼ି ସବୁ ରାସ୍ତାଘାଟ ଓ ଗିରି-ସଙ୍କଟ ବନ୍ଦ ହୋଇଯାଏ । ବାହାର ଲୋକେ ସେଠୁ ଶୀତଦିନ ଆରମ୍ଭ ହେବା ପୂର୍ବରୁ ଚାଲିଆସନ୍ତି । କେତେ ବର୍ଷ ତଳେ ଏହିପରି ଏକ ଦଳ ସେଠୁ ଆସୁଥିବାବେଳେ ଦେଖାଗଲା ଯେ ବରଫ ପଡ଼ିବା ଆରମ୍ଭ ହୋଇ ବାଟଘାଟ ଦୁର୍ଗମ ହେବା ଆରମ୍ଭ ହେଲାଣି । ଗୋଟାଏ ଜାଗାରେ ଏକ ବରଫ ଚଟାଣ ଉପରଦେଇ ତଳକୁ ଓହ୍ଲାଇବାର ଥିଲା । ସମସ୍ତେ ଓହ୍ଲେଇ ଆସିଲେ; ଜଣେ ବୁଢ଼ା ଲୋକ ପାରିଲା ନାହିଁ । ଅନ୍ୟମାନେ ତା’କୁ ଛାଡ଼ିଦେଇ ଆଗେଇଗଲେ । ଦିନ ସରିଆସୁଥାଏ; ସେ ଲୋକପାଇଁ ଅପେକ୍ଷା କଲେ ଅନ୍ୟମାନଙ୍କ ଜୀବନ ବି ବିପନ୍ନ ହେବ । ଜଣେ ତ ମରିବ; ଅନ୍ୟମାନେ କାହିଁକି ତା’ ପାଇଁ ମରିବେ ? ପାହାଡ଼ରେ ଏଇ ମୂଲ୍ୟବୋଧ । ଜଣେ ସର୍ବୋଦୟ କର୍ମୀ ସେ ଦଳ ଭିତରେ ଥିଲେ ଓ ସେ ସାହସ କରି ସେହି ଲୋକକୁ ନାଉକରି ବରଫ ଉପରେ ଖସରିଆସିବାରୁ ଲୋକଟିର ପ୍ରାଣରକ୍ଷା ହେଲା ।

 

ସମୁଦ୍ରରେ ନାହା ବା ଜାହାଜ ଚଳେଇବା ଲୋକଙ୍କର ଖୁବ୍‌ ଟାଣୁଆ ସହଯୋଗ ଓ ପରସ୍ପର ସଂହତି ଥାଏ । ନାହା ବା ଜାହାଜର ସମସ୍ତ ନାବିକ ଏକାସାଙ୍ଗରେ ପରସ୍ପର ସହିତ ତାଳ ମିଳେଇ ନିଜ ନିଜର କାମ ଅଂଜାମ ନ କଲେ ଝଡ଼ତୋଫାନ ବା ଅନ୍ୟ ବିପଦ ମୁହଁରୁ କେହି ବଞ୍ଚିପାରିବେ ନାହିଁ । ଏ ହେଲା ସମୁଦ୍ରର ମୂଲ୍ୟବୋଧ ।

 

ସେମିତି କୃଷି-ସମାଜରେ ପ୍ରକାରେ ତ ଶିଳ୍ପ-ସମାଜରେ ଆଉ ପ୍ରକାରେ ରୀତିନୀତି ଦେଖିବାକୁ ମିଳେ । ଶିଳ୍ପପ୍ରଧାନ ସମାଜରେ ସମୟର ଭାରି କଦରଘଣ୍ଟା ମିନିଟ୍‌, ଏପରି କି ବେଳେବେଳେ ସେକେଣ୍ଡ ଜଗି ଚଳିବାକୁ ପଡ଼େ । ଏ ସମାଜରେ ଲୋକେ ଭାରି ସମୟାନୁବର୍ତ୍ତୀ । ଅସଲ କଥା ହେଲା, ଏଠା ଜୀବନ କଳକାରଖାନା ରେଳମଟର ସଂସ୍ଥାର ଗତରେ ବନ୍ଧା–ଯେଁ କରି ସିଟି ବାଜିବାବେଳକୁ ହାଜିରା ଦେବାକୁ ହେବ ।

 

କିନ୍ତୁ କୃଷି-ସମାଜରେ ସମୟ-ବୋଧ ଭିନ୍ନ ପ୍ରକାରର । କଢ଼ାଣ, ବୁଣା, ରୁଆ, ବିହୁଡ଼ା, ବଛା, କଟା ଆଦି କାମକୁ ଠିକ୍‌ ସମୟରେ କରିବା ଉପରେ ସେଥିରେ ଜୋର; ଘଣ୍ଟା-ମିନିଟ୍‌ ହିସାବ ସେଥିରେ ବେକାର । କାମକୁ ମୁଣ୍ଡ ପୁଆଇଲେ ଯାଇ ଶାନ୍ତି । ବାକି କୁଣିଆ-ମଇତ୍ରଙ୍କ ଘରକୁ ଯିବା-ଆସିବା, ଯାନିଯାତ୍ରାରେ ପୁଣି ଘଣ୍ଟା-ମିନିଟ୍‌ ଗୋଟାଏ କ’ଣ ?

 

କୃଷି-ସମାଜରେ ଜ୍ଞାତି-କୁଟୁମ୍ବ, ବନ୍ଧୁ-ବାନ୍ଧବଙ୍କ ଖୋଜା-ଲୋଡ଼ା ବେଶୀ । ଶିଳ୍ପ-ସମାଜରେ ମଣିଷ ଏ ବର୍ଷ ଏଠି ତ ଆର ବର୍ଷକୁ ହଜାରେ ମାଇଲ ଦୂରରେ କାମ ଉପରେ ରହୁଛି । ସେଥିରେ ଏତେ ଖୋଜା-ଲୋଡ଼ା କାହୁଁ ଚଳିବ ? ସେଥିରେ ବନ୍ଧୁବାନ୍ଧବ ସାଙ୍ଗସୁଖଙ୍କ ଗୋଷ୍ଠୀ ଭିନେ ପ୍ରକାରର । ଶିଳ୍ପ-ସମାଜରେ ମାପକାଠି ହେଲା ଦକ୍ଷତା; କାମର କଛ ଅନୁସାରେ ଯୋଗ୍ୟ ଲୋକକୁ ବାଛି କାମରେ ଲଗେଇବାକୁ ହେବ । ଭଣଜାଟିଏ କି ପୁତୁରାଟିଏ ବୋଲି କାମରେ ପୂରେଇଦେଲେ ଚଳିବ ନାହିଁ । ମାତ୍ର କୃଷି-ସମାଜରେ ଅନେକ ସମୟରେ ପ୍ରିୟାପ୍ରୀତିତୋଷଣ ତ ଏକ ଗୁଣ । ଲକ୍ଷ୍ମୀଙ୍କ କୃପାରୁ ତମର ଭଲରେ ଖାଇବାକୁ ପିନ୍ଧିବାକୁ ଦି’ଟା ଅଛି ଯେତେବେଳେ, ଦରକାରବେଳେ ବନ୍ଧୁ-ବାନ୍ଧବଙ୍କୁ ସାହାଯ୍ୟ ନ କରିବାଟା କ’ଣ ମଣିଷପଣିଆ କଥା ହେବ ? ସମାଜର ରୀତିନୀତି ଓ ମଣିଷର ଚରିତ୍ର ଏମିତି ବାହ୍ୟ ପରିସ୍ଥିତି ଦ୍ୱାରା ରୂପାୟିତ ହେବାର ଶହ ଶହ ଉଦାହରଣ ଦିଆଯାଇପାରେ ।

 

ବୈଜ୍ଞାନିକମାନେ ସମାଜର ଗତିବିଧିର ପ୍ରାକୃତିକ କାରଣ ଖୋଜୁଥିବାରୁ ବ୍ୟକ୍ତିମାନଙ୍କର ଇଚ୍ଛା ଅନିଚ୍ଛା, ରୁଚି ଅରୁଚି, ନୀତି ଅନୀତି ବୋଧର ମଧ୍ୟ ବ୍ୟକ୍ତିନିରପେକ୍ଷ, ପ୍ରାକୃତିକ କାରଣ ଖୋଜୁଛନ୍ତି । ଫଳରେ ସେସବୁ କି ପରିମାଣରେ ପରିସ୍ଥିତି ଉପରେ ନିର୍ଭରଶୀଳ, ତାହା ଜଣାପଡ଼ିଛି । ବଡ଼ ବଡ଼ ନୀତି ଓ ଆଦର୍ଶ ପଛରେ ସ୍ୱାର୍ଥ, କ୍ଷମତା ଲିପ୍‌ସା ଆଦି ମାନବୀୟ ଦୁର୍ବଳତା କି ପରିମାଣରେ ଆତ୍ମଗୋପନ କରି ରହିଥାଏ ତାହା ଧରାପଡ଼ିଛି । ଏସବୁ ଭିତରେ ମଣିଷର ସ୍ୱାଧୀନ ଇଚ୍ଛାର ଇଲାକା କେତେ ସୀମାବଦ୍ଧ ତାହା ବି ଦେଖାଯାଉଛି । ବାହାରର ପରିସ୍ଥିତିକୁ ବଦଳେଇଦେଲେ ମଣିଷ କି ପରିମାଣରେ ବଦଳିଯାଏ ତାହା ବି ଜଣାପଡ଼ିଛି ।

 

ଏ ବାସ୍ତବ ଦୃଷ୍ଟି ବହୁତ ଲାଭଜନକ । ବାହ୍ୟ ପରିସ୍ଥିତି, ପ୍ରାକୃତିକ ନିୟମ, ମଣିଷର ମୌଳିକ ରଚନା ଆଦିକୁ ବିଚାରକୁ ନ ନେଇ ନୀତି-ନିୟମ, ଆଦର୍ଶ ଆଦିକୁ କାର୍ଯ୍ୟକାରୀ କରିବା ଯେ ଅସମ୍ଭବ, ଏ କଥା ସ୍ପଷ୍ଟ ହୋଇଯାଇଛି । ମଣିଷ ତ ବୁଦ୍ଧିମାନ୍‌, ଯୁକ୍ତିବାଦୀ ପ୍ରାଣୀ; ତେଣୁ ତା’କୁ କୌଣସି କଥାଟା ଭଲ ବୋଲି ହୃଦ୍‍ବୋଧ କରେଇଦେଲେ ସେ ସେଇ ଅନୁସାରେ ଆଚରଣ କରିବ ବୋଲି ବିଶ୍ୱାସ କରାଯାଇଥାଏ । ସେହି ଅନୁସାରେ ଆଦର୍ଶ ଓ ନୀତିସବୁର ପ୍ରଚାର ମଧ୍ୟ ଉତ୍ସାହୀ ଲୋକେ ଲାଗିପଡ଼ି କରିଥାନ୍ତି; କିନ୍ତୁ ଫଳ ବହୁତ କମ୍‌ ମିଳିଥାଏ । ପ୍ରାଚୀନ ଯୁଗରୁ ସାଧୁ ସନ୍ଥ, ମହାତ୍ମାମାନେ ବହୁତ ଆଦର୍ଶ ଓ ନୀତି ପ୍ରଚାର କରିଛନ୍ତି; କିନ୍ତୁ ସେସବୁର ପ୍ରଭାବ କେତେ ପଡ଼ିଛି ?

 

ଏବେ ଗୋଟାଏ ସମ୍ଭାବନା ଦେଖାଯାଉଛି ଯେ ବୈଜ୍ଞାନିକ ତଥ୍ୟ ଓ ଜ୍ଞାନର ସାହାଯ୍ୟ ନେଇ ମଣିଷ ଯେମିତି ତା’ର ଅନ୍ୟାନ୍ୟ ବ୍ୟାବହାରିକ ଲକ୍ଷ୍ୟ ପୂରଣ କରିପାରୁଛି ସେମିତି ତା’ର ଆଦର୍ଶଗତ ଲକ୍ଷ୍ୟ ବି ପୂରଣ କରିପାରିବ । ମଣିଷ ପାଣିରେ ପହଁରିପାରିବା ପରି ପବନରେ ଉଡ଼ିପାରେ ନାହିଁ; ମାଧ୍ୟାକର୍ଷଣ ଏଥିରେ ବାଧକ ହୁଏ । କିନ୍ତୁ ସେଇ ମାଧ୍ୟାକର୍ଷଣ ଓ ଅନ୍ୟାନ୍ୟ ପ୍ରାକୃତିକ ନିୟମର ସାହାଯ୍ୟ ନେଇ ସେ ଯେ କେବଳ ପବନରେ ଉଡ଼ିପାରୁଛି ତାହା ନୁହେଁ; ଚନ୍ଦ୍ରରେ ମଧ୍ୟ ପହଞ୍ଚି ପାରିଛି । ସେମିତି ଏ ଦୁନିଆରେ ଯୁଦ୍ଧ-କନ୍ଦଳ ରହିବ ନାହିଁ, ଦାରିଦ୍ର୍ୟ ଓ ଶୋଷଣ ରହିବ ନାହିଁ, ସମସ୍ତଙ୍କ ଭିତରେ ପରସ୍ପର ସ୍ନେହ-ସଦ୍‌ଭାବ ରହିବ–ଏ ପ୍ରକାରର ଲକ୍ଷ୍ୟ ବି ଏବେ ସେହିପରି ସମାଜର ଗତିବିଧି ଓ ମଣିଷ-ଚରିତ୍ରର ଜ୍ଞାନର ସାହାଯ୍ୟ ନେଇ ପୂରଣ କରାଯାଇପାରିବ । ମାତ୍ର ଉପରେ ଆଲୋଚିତ କାରଣ ଯୋଗୁଁ ମୂଲ୍ୟବୋଧ, ନୀତି, ଆଦର୍ଶ ଆଦି କଥା କହିବାଟା ବୈଜ୍ଞାନିକ ମନୋଭାବର ପରିପନ୍ଥୀ ବୋଲି ମନେକରାଯାଉଛି । ବୈଜ୍ଞାନିକମାନେ ଏ ସବୁକୁ ସଂଶୟ ଦୃଷ୍ଟିରେ ଦେଖିବାକୁ ଅଭ୍ୟସ୍ତ ହୋଇଯାଇଛନ୍ତି ଓ ଯେଉଁମାନେ ଏସବୁ ନେଇ କାରବାର କରୁଛନ୍ତି, ସେମାନେ ବେଦ, ବାଇବେଲ ଆଦିର ଆଶ୍ରା ନେଉଛନ୍ତି । ସେମାନଙ୍କର ଭାଷା ପ୍ରାକ୍‌-ବିଜ୍ଞାନ ଯୁଗର ହୋଇଥିବାରୁ ସେସବୁକୁ ଅବୈଜ୍ଞାନିକ ବୋଲି ଉଡ଼େଇଦେବା ସହଜ ହେଉଛି-। ଯେଉଁମାନେ ଚାହୁଁଛନ୍ତି ଯେ ସମାଜ ଯେମିତି ଚାଲିଛି ଚାଲିଥାଉ, ସେମାନଙ୍କୁ ଏ ‘ଅଣ-ନୈତିକ’ ହାଓ୍ୱାଟା ବି ବେଶ୍‌ ସୁହାଉଛି ।

 

ଯେଉଁମାନେ କିଛି ପରିବର୍ତ୍ତନ ଚାହୁଁଛନ୍ତି, ସେମାନଙ୍କୁ ମଣିଷକୁ ବୁଝେଇସୁଝେଇ, ତା’ର କର୍ତ୍ତୃତ୍ୱ-ଶକ୍ତିର ବିକାଶ କରି ଏସବୁ ପରିବର୍ତ୍ତନ ଆଣିବା ଅପେକ୍ଷା ତା’କୁ ବାହାରୁ ନିୟନ୍ତ୍ରଣ କରିବାର ପନ୍ଥାଟା ସହଜ ଦେଖାଯାଉଛି । ବାହାର ପରିସ୍ଥିତି ବଦଳେଇଦିଅ, ତାହାହେଲେ ଲୋକେ ବି ଆପେ ଆପେ ବଦଳିଯିବେ । ମାର୍କ୍‌ସବାଦରେ ଏ ବିଚାରଟାକୁ ନେଇ ଚରମ ସୀମାରେ ପହଞ୍ଚେଇ ଦିଆହୋଇଛି । ପୂର୍ବରୁ ଉଲ୍ଲେଖ କରାଯାଇଛି ଯେ ମାର୍କ୍‌ସବାଦର ବିଶ୍ୱାସ ହେଲା–ଇତିହାସର ଅବଶ୍ୟମ୍ଭାବୀ, ଅପ୍ରତିବିଧେୟ ଗତିଦ୍ୱାରା ସାମ୍ୟବାଦ ଆସିବଇ ଆସିବ । ତା’କୁ ପ୍ରତିଷ୍ଠା କରିବାରେ ଆଦର୍ଶବାଦର କୌଣସି କାମ ନାହିଁ ବୋଲି ମଧ୍ୟ ଏହା ସାଙ୍ଗେ ସାଙ୍ଗେ ସାବ୍ୟସ୍ତ କରାଯାଇଛି । ସମାଜର ରୀତିନୀତି, ଆଦର୍ଶ, ମୂଲ୍ୟବୋଧ, ସବୁ ତା’ର ଉତ୍ପାଦନ ପ୍ରଣାଳୀର ଗୌଣ ପରିଣାମ । ଉତ୍ପାଦନ ବ୍ୟବସ୍ଥାକୁ ନିୟନ୍ତ୍ରିତ କରୁଥିବା କ୍ଷମତାଶାଳୀ ଶ୍ରେଣୀର ସ୍ୱାର୍ଥର ଅନୁକୂଳ ନୀତି, ଆଦର୍ଶ ଆଦି ପ୍ରତ୍ୟେକ ସମାଜର ଐତିହାସିକ ସ୍ତର ବା ପର୍ବ ଅନୁସାରେ ଆପେ ଆପେ ଗଢ଼ିଉଠିଥାଏ । ସମାଜକୁ ରୂପ ଦେବାରେ ଏସବୁର କୌଣସି ସ୍ୱତନ୍ତ୍ର ଅସ୍ତିତ୍ୱ ଓ ଗୁରୁତ୍ୱ ନାହିଁ ବୋଲି ମାର୍କ୍‌ସବାଦ ପ୍ରତିପାଦନ କରିଥାଏ ।

 

ଏ ଅନୁସାରେ ଅହିଂସା ହେଲା ସେମାନଙ୍କର ଶୋଷଣ ଓ ଦମନବିରୋଧରେ ପ୍ରତିବାଦ ନ କରି ଖଟିଖିଆ ଜନସାଧାରଣ ଯେମିତି ଶାନ୍ତଶିଷ୍ଟ ହୋଇ ରହିବେ, ସେଇ ଉଦ୍ଦେଶ୍ୟରେ ପ୍ରଚାର କରାଯାଇଥିବା ନୀତି । ଦୟା, ଦାନ ଆଦି ହେଲା ଶୋଷଣ, ଉତ୍ପୀଡ଼ନଟାକୁ ମୋଲାୟମ କରି ଶାସକଶ୍ରେଣୀର ରୂପଟାକୁ ଲୋକଙ୍କ ପାଖରେ ଉପାଦେୟ କରି ଥୋଇବାପାଇଁ ଖଞ୍ଜାଯାଇଥିବା ନୀତି । ଏଗୁଡ଼ାକର ପ୍ରାବଲ୍ୟ ସାମନ୍ତବାଦୀ ଯୁଗରେ ବେଶୀ ଥିଲା । ପୁଞ୍ଜିବାଦ ସାଙ୍ଗକୁ ଆସିଲା ଗଣତନ୍ତ୍ର, ନାଗରିକ ସ୍ୱାଧୀନତା । ଏଗୁଡ଼ାକ ସବୁ ପୁଞ୍ଜିବାଦର ଆନୁଷଙ୍ଗିକ ମୂଲ୍ୟବୋଧ । ପୁଞ୍ଜିବାଦର ଆଧିପତ୍ୟ ସ୍ଥାପନ କରିବା ପାଇଁ ଏଗୁଡ଼ାକ ଅପରିହାର୍ଯ୍ୟ ଥିଲା । ସେହିପରି ସର୍ବହରାଶ୍ରେଣୀ ହାତକୁ ଅଧିକାର ଆସିଗଲେ ସାମ୍ୟବାଦୀ ସମାଜର ଅନୁରୂପ ରୀତିନୀତି, ମୂଲ୍ୟବୋଧ ଆପେ ଆପେ ଗଢ଼ିଉଠିବ । ତେଣୁ ଅହିଂସା, ସତ୍ୟ, ଗଣତନ୍ତ୍ର, ନାଗରିକ ସ୍ୱାଧୀନତା ଆଦି ସବୁ ପ୍ରକାରର ଆଦର୍ଶ ଓ ମୂଲ୍ୟବୋଧକୁ ଅବଜ୍ଞା ଓ ବିଦ୍ରୂପ କରାଯାଇଥାଏ । ଇତିହାସକୁ ଗତିଦେଉଥିବା ଏକମାତ୍ର ପ୍ରକ୍ରିୟା ହେଲା ଶ୍ରେଣୀ-ସଂଗ୍ରାମ । ଏହା ମୂଳରେ ରହିଛି ଶ୍ରେଣୀ-ସ୍ୱାର୍ଥ । ପୁଞ୍ଜିପତିଶ୍ରେଣୀର ସ୍ୱାର୍ଥ ପ୍ରଚଳିତ ସମାଜକୁ ରକ୍ଷା କରିବା ପାଇଁ କାମ କରୁଛି ଓ ସେଥିରେ ବିପ୍ଳବ ଆଣିବା ଶକ୍ତି ହେଲା ‘ସର୍ବହରା’ ଶ୍ରେଣୀର ସ୍ୱାର୍ଥ । ତେଣୁ ସର୍ବହରାର ଶ୍ରେଣୀ-ସ୍ୱାର୍ଥ ଓ ଶ୍ରେଣୀ-ଚେତନାକୁ ମଜବୁତ କରିବା ଓ ବିପ୍ଳବ ପାଇଁ ସବୁମନ୍ତେ ଉଦ୍ୟମ ଚଳେଇଯିବା ହିଁ ହେଲା ଏକମାତ୍ର କର୍ତ୍ତବ୍ୟ । ସେଥିରେ ଆଦର୍ଶ-ଫାଦର୍ଶ ନୀତି-ଫୀତିର ବଲେଇ ନାହିଁ ।

 

ଏହା ଫଳରେ ଏକ ଭୟଙ୍କର ଅବସ୍ଥା ଉତ୍ପନ୍ନ ହୋଇଛି । ପୁଞ୍ଜିପତି ଓ ଅନ୍ୟ ନ୍ୟସ୍ତସ୍ୱାର୍ଥ ଲୋକେ ତ କେତେବେଳେ ନୀତି, ମୂଲ୍ୟବୋଧ ଆଦିର ବିକୃତ ଅର୍ଥ କରି ଓ କେତେବେଳେ ବ୍ୟାବହାରିକତାର ଦୋହେଇ ଦେଇ ସବୁ ପ୍ରକାର ଅନ୍ୟାୟ, ଅତ୍ୟାଚାର ଚଳେଇଥାନ୍ତି । ଏବେ ବିପ୍ଳବ ନାଁରେ ସେହିପରି ସବୁ କାର୍ଯ୍ୟକୁ ଯଥାର୍ଥ ସାବ୍ୟସ୍ତ କରାଯାଉଛି । ହଜାର ହଜାର ଲୋକଙ୍କୁ ବିନା ବିଚାରରେ ବନ୍ଦୀ କରିବା, ମାରିଦେବାଟାକୁ ଶ୍ରେଣୀ-ସଂଗ୍ରାମ ଓ ସର୍ବହରାର ସ୍ୱାର୍ଥ ନାଁରେ ଉଚିତ ବୋଲି ପ୍ରତିପାଦିତ କରାଯାଉଛି । ଡାହା ମିଥ୍ୟା ପ୍ରଚାର, ସ୍ୱାଧୀନ ବିଚାରର ଅଭିବ୍ୟକ୍ତି ଓ ଆଲୋଚନାର କଣ୍ଠରୋଧ ଏଇ ଦୁଆ ଉଠେଇ କରାଯାଉଛି ଯେ ନିରପେକ୍ଷ ସତ୍ୟ ବୋଲି କିଛି ନାହିଁ । ବୁର୍ଜୋୟା ଶ୍ରେଣୀ ତା’ର ସ୍ୱାର୍ଥସାଧନ ପାଇଁ ଯାହା ପ୍ରଚାର କରୁଛି, ତା’କୁ ଅନାପେକ୍ଷିକ (ଏବ୍‌ସେଲ୍ୟୁଟ୍‌) ସତ୍ୟ ବୋଲି ଜାହିର କରୁଛି । ସର୍ବହରାଶ୍ରେଣୀର ସ୍ୱାର୍ଥ-ବିପ୍ଳବର ସ୍ୱାର୍ଥପାଇଁ ଯାହା କୁହାଯିବା ଆବଶ୍ୟକ ହେବ, ତାହା ସେମିତି ସର୍ବହରାର ସତ୍ୟ । ଏହିପରି ଭାବରେ ନୂଆ ସମାଜ ଗଢ଼ିବା ନାଁରେ, ବିପ୍ଳବ ନାଁରେ ଯେଉଁ ସବୁ କାଣ୍ଡ ସାମ୍ୟବାଦୀ ଦେଶମାନଙ୍କରେ ଚାଲିଛି, ତାହା ପୂର୍ବକାଳର ରାଜା ମହାରାଜା, ମୋଗଲ ବାଦ୍‌ଶା ଓ ରୋମର ସମ୍ରାଟ୍‌ଙ୍କର କାରବାରରୁ କୌଣସି ଗୁଣରେ ଊଣା ବୋଲି କହିହେବ ନାହିଁ । ଏ ବିଷୟରେ ଦୁନିଆର ବହୁ ଚିନ୍ତାଶୀଳ ଲୋକ ଉଦ୍‌ବିଗ୍ନ । ଏହା ଫଳରେ ମାନବ-ସଭ୍ୟତା ଧ୍ୱଂସ ଆଡ଼କୁ ଗତିକରୁଛି ବୋଲି ସେମାନେ ଆଶଙ୍କା କରୁଛନ୍ତି । ଉଦାହରଣ ସ୍ୱରୂପ, ଜଣେ ବିଶିଷ୍ଟ ମନୋବିଜ୍ଞାନୀ ଏ. ଏଚ୍‌. ମାସଲୋ ଲେଖିଛନ୍ତି :

 

‘‘ଅନେକେ ଏ କଥା ଆବିଷ୍କାର କଲେଣି ଯେ ପଦାର୍ଥ-ବିଜ୍ଞାନର ଦୃଷ୍ଟିକୋଣ ଦ୍ୱାରା ପ୍ରଭାବିତ (ସୃଷ୍ଟିର) ଯେଉଁ ଯାନ୍ତ୍ରିକ ରୂପର ଧାରଣା ଏବେ ଚାଲୁ ହୋଇଛି, ତାହା ଭୁଲ ଓ ତାହା ଆମକୁ ନେଇ କୋଉଠି ପହଞ୍ଚେଇଲାଣି ? ପରମାଣୁ ବୋମାଠେଇଁ, ହତ୍ୟା କରିବାର ବେଶ୍‌ ସୁନ୍ଦର ବୈଜ୍ଞାନିକ କୌଶଳଠେଇଁ, ଯେପରି ସବୁ ହିଟଲର୍‌ର ବନ୍ଦୀ ଶିବିରମାନଙ୍କରେ ବ୍ୟବହୃତ ହେଲା । ଆଇଷ୍‌ମାନ୍‌ ଠେଇଁ ବିଜ୍ଞାନର ଯେଉଁ ପଜିଟିଭିଷ୍ଟ ଦର୍ଶନ ରହିଛି, ତାହା ଦ୍ୱାରା ଆଇଷ୍‌ମାନ୍‌ର ମତବାଦର ଖଣ୍ଡନ କରି ହେବ ନାହିଁ । ତା’ ଦୃଷ୍ଟିରୁ ଦେଖଇଲେ ତା’ର କୌଣସି ଭୁଲ ନଥିଲା । ସେ ତା’ର କର୍ତ୍ତବ୍ୟକୁ ବେଶ୍‌ ଭଲଭାବରେ ତୁଲେଇଥିଲା । ମୁଁ ଦର୍ଶେଇବାକୁ ଚାହେଁ ଯେ, ପେଶାଦାର ବିଜ୍ଞାନ ଓ ପେଶାଦାର ଦର୍ଶନ ମୂଲ୍ୟବୋଧ କଥାଟାକୁ ଭୁଲିଯିବାର, ସେ କଥାଟାକୁ ବାଦ୍‌ ଦେବାର ନୀତି ପ୍ରତି ହିଁ ଅନୁରକ୍ତ । ଫଳରେ ଏଥିରୁ ଆଇଷ୍‌ମାନ୍‌, ଏଟମବମ୍‌ ଓ ଆଉ କେତେ କ’ଣ ବାହାରିବ ।’’

 

ନୀତି, ଆଦର୍ଶ, ମୂଲ୍ୟବୋଧ ଆଦି ଯେ ବାହ୍ୟ ପରିସ୍ଥିତି ଓ ଉତ୍ପାଦନର ପ୍ରଣାଳୀ ଦ୍ୱାରା ବହୁ ପରିମାଣରେ ପ୍ରଭାବିତ ହୋଇଛି, ସାମାଜିକ ପରିପ୍ରେକ୍ଷୀକୁ ବାଦ୍‌ ଦେଇ ଏ ସବୁର ବିଚାର କେବଳ ବିମୂର୍ତ୍ତ (ୟାବ୍‌ଷ୍ଟ୍ରାକ୍ଟ) ଢଙ୍ଗରେ କରିବା ଯେ ସୁଦ୍‌ ଚଷୂକୁଟା, ଏ କଥା ତ ସବୁ ଚିନ୍ତାଶୀଳ ଓ ବୁଝିବା-ସୁଝିବା ଲୋକେ ଉପଲବ୍‌ଧି କଲେଣି । ମାତ୍ର ତାହା ବୋଲି ମୂଲ୍ୟବୋଧ ଓ ନୈତିକତାର ସ୍ୱତନ୍ତ୍ର ଅସ୍ତିତ୍ୱ ଓ ଗୁରୁତ୍ୱକୁ ପୂରାପୂରି ଉଡ଼େଇଦେବାଟା ବୈଜ୍ଞାନିକ ବିଚାରଧାରା ସହିତ ଖାପ ଖାଏ ନାହିଁ ବୋଲି ଜୋର ଦେଇ କହିବା ସପକ୍ଷରେ ଯଥେଷ୍ଟ ବୈଜ୍ଞାନିକ ତଥ୍ୟ ରହିଛି ।

 

ନୃତତ୍ତ୍ୱରୁ ଏହାର ବହୁତ ଦୃଷ୍ଟାନ୍ତ ମିଳେ । ଆଦିମ ଯୁଗରେ ‘ଆଦିମ ସମାଜ’ ଥିଲା ବୋଲି ଗୋଟାଏ ପ୍ରଚଳିତ ଧୁଆଁ ରହିଛି । ପୃଥିବୀରେ ଏବେ ବି ଶହ ଶହ ଆଦିବାସୀ ଗୋଷ୍ଠୀ ରହିଛନ୍ତି, ସେସବୁ ହଜାର ହଜାର ବର୍ଷ ହେଲା ପୃଥିବୀର ବଡ଼ ବଡ଼ ମୁଖ୍ୟ ପ୍ରବାହମାନଙ୍କରୁ ବିଚ୍ଛିନ୍ନ ହୋଇ ବଣ-ପାହାଡ଼-ସନ୍ଧିରେ ବା ସମୁଦ୍ର ଟାପୁରେ ରହିଯାଇଥିଲେ । ସେମାନଙ୍କର ବିକାଶ ସେମାନଙ୍କର ନିଜସ୍ୱ ଢଙ୍ଗରେ ଘଟିଛି । ଏ ସବୁଥିରେ ରୀତିନୀତି, ମୂଲ୍ୟବୋଧ ଆଦିର ବହୁତ ପାର୍ଥକ୍ୟ ଦେଖିବାକୁ ମିଳେ । ଆର୍ଥିକ ବିକାଶରେ ଏକାସ୍ତରରେ ଥିବା ସମାଜର ମୂଲ୍ୟବୋଧ ଆଦି ଏକାପ୍ରକାରର ହୋଇଥାଏ । ଏ ସିଦ୍ଧାନ୍ତ ଯେ ଆଦୌ ଯଥାର୍ଥ ନୁହେଁ, ଏ ସମାଜଗୁଡ଼ିକ ତାହାର ଜୀବନ୍ତ ପ୍ରମାଣ । ଦେଖାଯାଇଛି ଯେ ଏକାପ୍ରକାରର ଆର୍ଥିକ ସ୍ତରରେ ଥିବା ଓ ଏପରି କି ଶହେ ଦୁଇଶହ ମାଇଲ ବ୍ୟବଧାନରେ ଏକାପ୍ରକାରର ଭୌଗୋଳିକ ପରିବେଶରେ ଥିବା ଦୁଇଟି ଗୋଷ୍ଠୀରେ ସମାଜବ୍ୟବସ୍ଥା, ରୀତିନୀତି ଓ ଲୋକଚରିତ୍ରରେ ଏତେ ପାର୍ଥକ୍ୟ ଅଛି, ଯାହାକୁ ଆକାଶ-ପାତାଳ ପ୍ରଭେଦ କହିବା ଅସମୀଚୀନ ହେବ ନାହିଁ । ବୋର୍ଣ୍ଣିଓ ଦ୍ୱୀପ ନିକଟରେ ଥିବା ଦୁଇଟି ଜାତି ଆରାପେଶ ଓ ମୁଣ୍ଡୁଗୁମରଙ୍କର ଅଧ୍ୟୟନ ବିଶିଷ୍ଟ ମାର୍କିନ୍‌ ନୃତତ୍ତ୍ୱବିଦ୍‌ ଶ୍ରୀମତୀ ମାର୍ଗାରେଟ୍‌ ମୀଡ୍‌ କରିଛନ୍ତି । ଦେଖାଯାଇଛି ଯେ, ଆରାପେଶମାନେ ବେଶ୍‌ ମେଳାପୀ ଓ ଶାନ୍ତିପ୍ରିୟ-। ସେମାନଙ୍କ ଭିତରେ ପରସ୍ପର କନ୍ଦଳ କ୍ୱଚିତ୍‌ ହୁଏ । ମାତ୍ର ମୁଣ୍ଡୁ ଗୁମରମାନଙ୍କର ଚରିତ୍ର ଏହାର ଓଲଟା । ସେମାନେ ଘୋର ସନ୍ଦେହୀ ଓ କଳିହୁଡ଼ା । ପ୍ରତ୍ୟେକେ ସବୁବେଳେ ଭାବୁଥାନ୍ତି ଯେ ଅନ୍ୟମାନେ ତା’ର ଜିନିଷପତ୍ର, ସମ୍ପତ୍ତି ନେଇଯିବାପାଇଁ, ପରସ୍ପରକୁ ଠକିଦେବାପାଇଁ ଚେଷ୍ଟା କରୁଛନ୍ତି । ଏ ମନୋଭାବ ଯୋଗୁଁ ସେମାନଙ୍କ ଭିତରେ ସବୁବେଳେ କଳିଗୋଳ ଲାଗିଥାଏ ।

 

ଦକ୍ଷିଣ-ଆମେରିକାର ସେହିପରି ପରସ୍ପରଠାରୁ ଅନତିଦୂରରେ ଥିବା ଦୁଇଟି ଜାତିର ଅଧ୍ୟୟନ କରି ଦେଖାଯାଇଛି ଯେ, ଉଭୟଙ୍କ ଆର୍ଥିକ ଅବସ୍ଥା ସମାନ ହେଲେ ମଧ୍ୟ ଓ ଉଭୟେ ମରୁଡ଼ି ଯୋଗୁଁ ମଝିରେ ମଝିରେ ଘୋର ଅନ୍ନକଷ୍ଟ ଭୋଗୁଥିଲେ ମଧ୍ୟ ଗୋଟିଏ ଜାତିରେ ବାଣ୍ଟି କୁଣ୍ଟି ଖାଇବାର ରୀତି ବେଶ୍‌ ପ୍ରବଳ । ଯେତେ ଅଭାବରେ ଥିଲେ ବି ପ୍ରତ୍ୟେକ ଗୃହସ୍ଥ ଅଧିକ ଅଭାବ ଥିବା ଲୋକକୁ ନିଜ ଖାଦ୍ୟର ବାଣ୍ଟ ଦେବ; ଅଥଚ ଅନ୍ୟ ଜାତିଟିରେ ଏ ଗୁଣର ଏକାବେଳକେ ଅଭାବ । ସେ ଲୋକେ ନିଜର ଅଧିକାର ବିଷୟରେ ଖୁବ୍‌ ସଚେତନ ଓ ନିଜ ପାଉଣାର କଡ଼ା-କ୍ରାନ୍ତି ବୁଝିନେବାପାଇଁ ସର୍ବଦା ତତ୍ପର । ଆମ ଦେଶର ନାଗାମାନଙ୍କ ଭିତରେ ଏକସମୟରେ ମୁଣ୍ଡ ଶିକାର ପ୍ରଥା ଚଳୁଥିଲା । ଇରିୟାନ୍‌ ଦ୍ୱୀପରେ ଯେଉଁ ଜାତି ୧୯୬୧ରେ ଆବିଷ୍କୃତ ହେଲେ ସେଥିରେ ପଡ଼ିଶା ଗାଁମାନଙ୍କ ଭିତରେ ସର୍ବଦା ଯୁଦ୍ଧ ଲାଗିରହିଥାଏ । ମାତ୍ର ଗ୍ରୀନ୍‌ଲ୍ୟାଣ୍ଡ ପ୍ରଭୃତିର ମେରୁ ଅଞ୍ଚଳରେ ବାସକରୁଥିବା ଏସ୍କିମୋମାନଙ୍କ ଭିତରେ ଯୁଦ୍ଧର ପରମ୍ପରା ଆଦୌ ନାହିଁ ।

 

ଏହିପରି ଆହୁରି କେତେ ନା କେତେ ଉଦାହରଣ ଦିଆଯାଇପାରିବ । ଏସବୁଥିରୁ ସାବ୍ୟସ୍ତ ହେଉଛି ଯେ ଗୋଟାଏ ସମାଜର ଆର୍ଥିକ ଅବସ୍ଥା ଅମୁକ ପ୍ରକାରର ହେବାମାତ୍ରେ ତା’ର ସବୁ ମୂଲ୍ୟବୋଧ, ରୀତିନୀତି ଆପେ ଆପେ ସେହି ଅନୁସାରେ ଗଢ଼ି ହୋଇଯାଉଛି ବୋଲି ଯେଉଁ ସିଦ୍ଧାନ୍ତ ମାର୍କ୍‌ସ ବାଢ଼ିଥିଲେ, ତାହା ଭୁଲ । ରୀତିନୀତିକୁ ରୂପଦେବାରେ ‘ବିଚାର’ ଓ ମୂଲ୍ୟବୋଧର ଅବଦାନ ମଧ୍ୟ ଊଣା ଅଧିକେ ରହିଛି । ଗୋଟାଏ ସମସ୍ୟା ଉଠିଲେ ସମାଧାନର ପନ୍ଥା ଚିନ୍ତା କରିବାକୁ ପଡ଼ିଛି । ସେଥିରେ ମୂଲ୍ୟବୋଧକୁ ବି ବିଚାରକୁ ନେବାକୁ ପଡ଼ିଛି । ହୁଏତ ଗୋଟାଏ ଜାତିରେ ପରସ୍ପର ଦବା-ନବା କଥା ପଡ଼ିଥିବ ତ କେହି ବଡ଼ବଡ଼ିଆ, ପ୍ରଭାବଶାଳୀ ଲୋକ କହିଥିବ–‘‘ଆଜି ଆମର ଅଛି, ତା’ର ନାହିଁ । କାଲି ତା’ର ଥିବ, ଆମର ନଥିବ । ଆମର ଅଛି ତ ତା’କୁ ନ ଦେବା କାହିଁକି ? ଆଖର ଆମର ଜଣେ ଭାଇ ତ ? ସମସ୍ତେ ତ ଏକା ନାହାରେ ବସିଛେ...।’’ ଆର ଜାତିର ମୁଖିଆ କହିଥିବ–‘‘କି ହୋ ! ଯେ ଯାହା ଭାଗ୍ୟ ନେଇ ଆସିଛି ନା । ମୁଁ ମୋର ମୁଣ୍ଡଝାଳ ତୁଣ୍ଡରେ ମାରି କମେଇଲି । ସେ ତା’ର ଯଥାକଥା ଖଟି ଯାହା ଉପୁଜେଇଲା । ତା’କୁ ନ ଅଣ୍ଟିଲା ତ ମୋର କି ଦାୟ ?’’

 

ଜମିବାଡ଼ି ଆବାଦ କରି ସ୍ଥାୟୀ ବସବାସ କରିବାରୁ ଜମିର ସ୍ୱତ୍ୱ କଥା ଉଠିଲା । ଜଣକ ଅନ୍ତେ ତା’ର ଓ୍ୱାରସ କିଏ ହେବ, ସେ ପ୍ରଶ୍ନ ଉଠିଲା । ବ୍ୟକ୍ତିଗତ ମାଲିକାନା କଥା ଏଇଥିରୁ ବାହାରିଲା; ମାତ୍ର ସାମୂହିକ ମାଲିକାନା ବି ଅନେକ ଆଡ଼େ ଦେଖାଯାଏ । ଅନେକ ଜାତିରେ ପ୍ରଥା ଥିଲା ବା ଅଛି ଯେ ଜମି ଗାଁଯାକର ସମ୍ପତ୍ତି । ପ୍ରତି ବର୍ଷ ତାହା ପ୍ରତି ପରିବାରକୁ ଆବଶ୍ୟକତା ଅନୁସାରେ ବଣ୍ଟାଯାଏ । ବ୍ୟକ୍ତିଗତ ସମ୍ପତ୍ତି ମଧ୍ୟ ନାନାପ୍ରକାର ଅଛି । କେଉଁଠି ଉତ୍ତରାଧିକାର ମାତୃକୁଳ ଅନୁସାରେ ମିଳେ । ବଡ଼ପୁଅ ହିଁ ଏକମାତ୍ର ଓ୍ୱାରସ ହେବ; ଅନ୍ୟ ଭାଇମାନେ ଆଦୌ ଭାଗ ପାଇବେ ନାହିଁ–ଏ ପ୍ରକାରର ପ୍ରଥା ବିଲାତ ପ୍ରଭୃତିରେ ଓ ରାଜାଜମିଦାରଙ୍କ ବଂଶମାନଙ୍କରେ ଥିଲା । ହିନ୍ଦୁମାନଙ୍କ ଭିତରେ କେବଳ ଭାଇମାନଙ୍କୁ ବାଣ୍ଟ ମିଳିବା ପ୍ରଥା ଥିଲା ଓ ମୁସଲମାନମାନଙ୍କ ଭିତରେ ଭାଇ ଭଉଣୀ ଉଭୟଙ୍କୁ । ଏସବୁ ପଛରେ ମଧ୍ୟ ଭିନ୍ନ ଭିନ୍ନ ପ୍ରକାରର ଦୃଷ୍ଟିକୋଣ, ମୂଲ୍ୟବୋଧ ରହିଛି ।

 

ଗଣତନ୍ତ୍ରକୁ ‘ବୁର୍ଜୋୟା’ ମୂଲ୍ୟବୋଧ ଓ ପୁଞ୍ଜିବାଦର ଆନୁଷଙ୍ଗିକ ପରିଣାମ ବୋଲି କୁହାଯାଏ । ଇଂଲଣ୍ଡ, ଫ୍ରାନ୍‌ସ ଓ ଆମେରିକାରେ ପୁଞ୍ଜବାଦ ଗଣତନ୍ତ୍ରକୁ ଆଶ୍ରାକରି ଉଧେଇଲା । ମାତ୍ର ଜର୍ମାନୀ ଓ ଜାପାନରେ ଗଣତନ୍ତ୍ରବିରୋଧୀ ସାମନ୍ତବାଦୀ ସରକାରର ଆଶ୍ରାରେ ପୁଞ୍ଜିବାଦର ବିକାଶ ହେଲା । ଏହାର କାରଣ ହେଉଛି ଯେ ଇଂଲଣ୍ଡ ଓ ଫ୍ରାନ୍‌ସରେ ସମସ୍ତଙ୍କର ସମାନ ଅଧିକାର; ଲୋକଙ୍କ ମତରେ ଶାସନ ଚାଲିବାର ଦାବିର ବେଶ୍‌ ପ୍ରସାର ହୋଇଥିଲା । ସେଠାର ଉଦୀୟମାନ ପୁଞ୍ଜିପତିଶ୍ରେଣୀ ଦେଖିଲେ ଯେ ନିଜର ପ୍ରାଧାନ୍ୟ ପ୍ରତିଷ୍ଠା କରିବା ପାଇଁ ଏଇ ଗଣତନ୍ତ୍ରର ହାଓ୍ୱା ସହାୟକ ହେବ । ଫ୍ରାନ୍‌ସରେ ତ ପୁରୁଣା ବ୍ୟବସ୍ଥାକୁ ଭାଙ୍ଗିବା କାମ ସହରର ଗରିବ ଲୋକେ, ଗାଁର ଗରିବ ଚାଷୀ ଓ ଭୂମିହୀନମାନେ କଲେ; କିନ୍ତୁ ସେମାନଙ୍କର ନା ଥିଲା ସଙ୍ଗଠନ; ନା ଥିଲା ନୂଆ ବ୍ୟବସ୍ଥା କି ପ୍ରକାରର ହେବା ଉଚିତ ସେ ବିଷୟରେ କୌଣସି ସ୍ପଷ୍ଟ ଧାରଣା । ଏଇ ସୁଯୋଗରେ ବୁର୍ଜୋୟା ଶ୍ରେଣୀ ଶାସନତନ୍ତ୍ର ଓ ନେତୃତ୍ୱ ହାତକୁ ନେଇନେଲେ ।

 

ଜର୍ମାନୀ ଓ ଜାପାନରେ ଗଣତନ୍ତ୍ରର ଆଦର୍ଶର ପ୍ରଚାର ଓ ଦାବି ନଗଣ୍ୟ ଥିଲା । ସେଠାର ସାଆନ୍ତିଆ ଶାସକମାନେ ଇଂଲଣ୍ଡ, ଆମେରିକା ପ୍ରଭୃତିରେ ଶିଳ୍ପବିସ୍ତାରର କରାମତି ଦେଖି ସେଥିପ୍ରତି ଆକୃଷ୍ଟ ହୋଇଥିଲେ । ତେଣୁ ପୁଞ୍ଜିପତିଙ୍କର ସେମାନଙ୍କ ସହିତ ମେଣ୍ଟ ହୋଇଗଲା; ସେମାନଙ୍କ ଭିତରେ ବିରୋଧର ବିଶେଷ ଅବକାଶ ରହିଲା ନାହିଁ । ଏବେ ଅନେକ ଅନୁନ୍ନତ ଦେଶରେ ମଧ୍ୟ ସେହିପରି ହେବାର ଦେଖାଯାଉଛି । ପାକିସ୍ତାନ, ବ୍ରାଜିଲ, ଇଣ୍ଡୋନେସିଆ, ଫିଲିପାଇନ୍‌ ପ୍ରଭୃତିରେ ବଡ଼ ବଡ଼ ଜମିମାଲିକ ଓ ପୁଞ୍ଜିପତିଙ୍କର ମେଣ୍ଟ ବେଶ୍‌ ମଜାରେ ଚାଲିଛି ।

 

ଆମ ଦେଶରେ ଦିନାକେତେ ତଳେ ଅର୍ଥବିଦ୍ୟାବାଲା ଓ ସମାଜବିଜ୍ଞାନବାଲା ବେଶ୍‌ ଜୋରଦେଇ କହୁଥିଲେ ଯେ ଦେଶରେ ଆଧୁନିକ ଶିଳ୍ପବାଣିଜ୍ୟର ବ୍ୟାପକ ପ୍ରସାର ହେଲେ ଲୋକଙ୍କର ମନୋଭାବ, ରୀତିନୀତି ସବୁ ଆଧୁନିକ ହୋଇଯିବ । ଜାତିଭେଦ, ସ୍ତ୍ରୀମାନଙ୍କର ଅଧୀନତା, ସାମ୍ପ୍ରଦାୟିକତା ଭଳି ସବୁ ପୁରୁଣାକାଳିଆ ପ୍ରଥା ଆପେ ଲୋପପାଇଯିବ । ସେଥିପାଇଁ ପରିଶ୍ରମ କରି ପ୍ରଚାର କରିବାକୁ ପଡ଼ିବ ନାହିଁ । ଏବେ ସେମାନେ ଏସବୁ କଥା ସେତେ ଜୋରଦେଇ କହୁନାହାନ୍ତି । କାରଣ ଏହା ଭିତରେ କେତେକ ଶିଳ୍ପପ୍ରଧାନ ସହରରେ ପର୍ଯ୍ୟବେକ୍ଷଣ କରି ଦେଖାଯାଇଛି ଯେ, ସେ ସବୁଥିରେ ଜାତିଆଣଭାବ ଦୁର୍ବଳ ହେବା ପରିବର୍ତ୍ତେ ବରଂ ଅଧିକ ଟାଣୁଆ ହୋଇଛି । ସେହିପରି ଅନ୍ୟାନ୍ୟ ବିଷୟରେ ମଧ୍ୟ । ଛୋଟ ଛୋଟ ବିଷୟରେ ଲୋକଙ୍କର ଧାରଣା ଶିଳ୍ପପ୍ରସାର ଦ୍ୱାରା ବଦଳିପାରୁଛି–ଯଥା ସମୟାନୁବର୍ତ୍ତିତା; କିନ୍ତୁ ଗଭୀର ଦୃଢ଼ମୂଳ ବିଶ୍ୱାସକୁ ତାହା ଦୋହଲାଇବାକୁ ଅସମର୍ଥ ସାବ୍ୟସ୍ତ ହୋଇଛି । ଜାପାନ ତ ଶିଳ୍ପକ୍ଷେତ୍ରରେ ପୃଥିବୀର ଆଗୁଆ ଦେଶମାନଙ୍କ ଭିତରେ; କିନ୍ତୁ ସେଠି ସ୍ତ୍ରୀଲୋକଙ୍କର ସାମାଜିକ ସ୍ଥିତି ଚିନ୍ତନୀୟ । ନାରୀ-ସ୍ୱାଧୀନତା ଓ ସମାନତା ବହୁତ ଦୂରର କଥା ହୋଇ ରହିଛି । ସ୍ୱିଜରଲ୍ୟାଣ୍ଡରେ ଏଇ ଆଠ-ଦଶ ବର୍ଷ ତଳେ ସ୍ତ୍ରୀଲୋକଙ୍କୁ ଭୋଟ ଅଧିକାର ମିଳିଲା ।

 

ପଶ୍ଚିମ-ୟୁରୋପ ଓ ଆମେରିକାରେ ମାନବୀୟ ଅଧିକାର ଓ ମୂଲ୍ୟବୋଧର ପ୍ରସାର ପାଇଁ ଅନେକ ପ୍ରକାରର ଆନ୍ଦୋଳନ ହୋଇ ସେ ଦେଶମାନଙ୍କର ସାର୍ବଜନୀନ ଜୀବନ ଓ ମୂଲ୍ୟବୋଧ ଗଢ଼ିଉଠିଛି । ଦାସତ୍ୱମୋଚନ, ସ୍ତ୍ରୀମାନଙ୍କର ସମାନ ଅଧିକାର, ଶ୍ରମିକମାନଙ୍କର ଅବସ୍ଥାରେ ଉନ୍ନତି, ଶିକ୍ଷାସଂସ୍କାର ଓ ପିଲାମାନଙ୍କ ପ୍ରତି ଶାରୀରିକ ଦଣ୍ଡର ନିଷେଧ, ଦଣ୍ଡବିଧି ଓ ଜେଲ ପରିଚାଳନାରେ କ୍ରୂରତା ହ୍ରାସ, ଏହିଭଳି ନାନାପ୍ରକାରର ଆନ୍ଦୋଳନ ସେସବୁ ଦେଶରେ ଊଣା ଅଧିକେ ସଫଳତାର ସହିତ ଚାଲିଥିଲା । ଏସବୁକୁ ମଧ୍ୟ ଶିଳ୍ପବିସ୍ତାର ଓ ପୁଞ୍ଜିବାଦର ଅବଶ୍ୟମ୍ଭାବୀ ପରିଣାମ ରୂପେ ବ୍ୟାଖ୍ୟା କରାଯାଇଥାଏ । ଯେମିତି ଧରନ୍ତୁ ଦାସତ୍ୱମୋଚନ । ଏହାର ଗୋଟାଏ ବ୍ୟାଖ୍ୟା ହେଲା ଯେ ପୁଞ୍ଜିବାଦର ପ୍ରସାରପାଇଁ ‘ସ୍ୱାଧୀନ ଶ୍ରମିକ’ ଲୋଡ଼ା; ଯେଉଁମାନେ ମଜୁରି ପାଇଁ ଶ୍ରମ ବିକିବେ । ଦାସତ୍ୱ ପ୍ରଥା ଏହା ସହିତ ବେଖାପ; ସେଥିପାଇଁ ଦାସତ୍ୱ ପ୍ରଥା ଉଠିଯିବା ନିଶ୍ଚିତ ଥିଲା । ମାତ୍ର ଦକ୍ଷିଣ-ଆମେରିକାର ପ୍ରାୟ ସର୍ବତ୍ର ବଡ଼ ବଡ଼ କୃଷିକ୍ଷେତ୍ରମାନଙ୍କରେ ଗୋତିଭଳି ଅବସ୍ଥାରେ ରହି କାମ କରୁଥିବା ମୂଲିଆଙ୍କ ସାଙ୍ଗକୁ ସହରର ଶିଳ୍ପ-ଶ୍ରମିକ ବେଶ୍‌ ରହିଛନ୍ତି । ଆଉ ଗୋଟାଏ ବ୍ୟାଖ୍ୟା ହେଲା ଯେ, ମାର୍କିନ୍‌ ଯୁକ୍ତରାଷ୍ଟ୍ରର ଦକ୍ଷିଣାଞ୍ଚଳର ବଡ଼ ବଡ଼ ଜମିମାଲିକ ଓ ଦାସ-ବ୍ୟବସାୟୀମାନେ ସେଠା ଶାସନରେ ଆଧିପତ୍ୟ କରୁଥିଲେ । ଉତ୍ତରର ଉଦୀୟମାନ୍‌ ପୁଞ୍ଜିପତିମାନେ ସେମାନଙ୍କୁ କ୍ଷମତାଚ୍ୟୁତ କରି ନିଜେ ଗାଦି ଦଖଲ କରିବାପାଇଁ ଏ ଦାସତ୍ୱମୋଚନ ଆନ୍ଦୋଳନକୁ ତେଜିଲେ । ଏଥିରେ ସତ୍ୟତା ଅଛି । କୌଣସି ଆନ୍ଦୋଳନ ଯେତେବେଳେ ଲୋକଙ୍କର ସମର୍ଥନ ଲାଭ କରି ବେଶ୍‌ ଶକ୍ତିଶାଳୀ ହେବାକୁ ଆରମ୍ଭ କରେ, ସେତେବେଳେ ସମାଜର ବିଭିନ୍ନ ସ୍ୱାର୍ଥଗୋଷ୍ଠୀ ତାହାକୁ କିପରି ନିଜର ଫାଇଦାପାଇଁ ବ୍ୟବହାର କରିବେ, ସେ କଥା ଚିନ୍ତା କରିବାକୁ ଆରମ୍ଭ କରନ୍ତି, ତା’ର ନେତୃତ୍ୱକୁ ପ୍ରଭାବିତ କରନ୍ତି ଓ ଅନେକ ସମୟରେ ସେ ଆନ୍ଦୋଳନ ଏଇ ସବୁ ସ୍ୱାର୍ଥପୁଞ୍ଜଙ୍କ ସମର୍ଥନ ଯୋଗୁଁ ଶୀଘ୍ର ସଫଳ ହୋଇଯାଏ; ମାତ୍ର ଏ ସଫଳତା ଉପରଦେଖାଣିଆ ହୋଇଥାଏ । ଆନ୍ଦୋଳନର ପ୍ରକୃତ ଲକ୍ଷ୍ୟ ମାତ୍ର ଆଂଶିକ ଭାବରେ ବା କେବଳ କାଗଜପତ୍ରରେ ସଫଳ ହୁଏ । ଏହାର ଅର୍ଥ ନୁହେଁ ଯେ ଏସବୁ ସ୍ୱାର୍ଥଗୋଷ୍ଠୀମାନେ ସେ ଆନ୍ଦୋଳନର ଉଦ୍‌ଭାବନ କରିଥାନ୍ତି । ଚଳନ୍ତି ଲୋକପ୍ରିୟ ବିଚାରର ସେମାନେ ଫାଇଦା ଉଠାନ୍ତି ।

 

ଏହାର ଅଦ୍ୟତନ ନମୁନା ହେଲା ବ୍ରେଜିଲ, ଆର୍ଜେଣ୍ଟିନା, ଭାରତ ଆଦିରେ କ୍ଷମତାସୀନ ଗୋଷ୍ଠୀଙ୍କର ରୂପରେଖ ଓ ଧୂଆ । ଏବେ ସାରା ପୃଥିବୀର ଗରିବ ଜନସାଧାରଣ ଜାଗିଉଠିଛନ୍ତି ଓ ଆର୍ଥିକ ସମାନତାର ଆଦର୍ଶର ବ୍ୟାପକ ପ୍ରଚାର ହୋଇଛି । ସମାଜବାଦ ଓ ସାମ୍ୟବାଦ ଶବ୍ଦର ବି ଖୁବ୍‌ ପ୍ରଚଳନ ହୋଇଯାଇଛି । ତେଣୁ ଉପରୋକ୍ତ ଓ ଅନ୍ୟାନ୍ୟ ଦେଶମାନଙ୍କର ଶାସକଶ୍ରେଣୀ ଏଇ ସବୁର ବାର୍ଣ୍ଣିସ ସେମାନଙ୍କର କାର୍ଯ୍ୟକଳାପ ଉପରେ ଲଗାଉଛନ୍ତି । ଧର୍ମକୁ ମାର୍କ୍‌ସ ଅଫିମ ଆଖ୍ୟା ଦେଇଥିଲେ । କାରଣ ତାହାକୁ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀମାନେ ନିଜର ଉଦ୍ଦେଶ୍ୟ ସିଦ୍ଧିପାଇଁ ବ୍ୟବହାର କରିଥାନ୍ତି । ଏବେ ମାର୍କ୍‌ସବାଦ ଅଦ୍ୟତନ ଓ ସବୁଠାରୁ ବିପଜ୍ଜନକ ଅଫିମ ହୋଇଛି ।

 

କ୍ଳାସିକାଲ ଅର୍ଥବିଦ୍ୟା ଓ ମାର୍କ୍‌ସବାଦ ଉଭୟରେ ମଣିଷ ଚରିତ୍ରର ଏକ ଅତି ସରଳ, ଏକରକମ ପିଲାଳିଆ ନମୁନାକୁ ମାନିନେଇ ସବୁ ତତ୍ତ୍ୱ ଓ ସିଦ୍ଧାନ୍ତ ବଢ଼ାହୋଇଛି । କ୍ଳାସିକାଲ ଅର୍ଥବିଦ୍ୟା ଧରିନେଇଛି ଯେ ପ୍ରଫିଟ୍‌ ମୋଟିଭ୍‌–ଲାଭେଚ୍ଛା–ହେଲା ମଣିଷର ସର୍ବପ୍ରଧାନ ପ୍ରବୃତ୍ତି–ଏକମାତ୍ର ପ୍ରବୃତ୍ତି; ଯାହାକୁ ବୈଜ୍ଞାନିକ ଭାବରେ ହିସାବକୁ ନେବାକୁ ହେବ ଓ ମାର୍କସବାଦ ଶ୍ରେଣୀ ସ୍ୱାର୍ଥକୁ ସେହି ସ୍ଥାନ ଦେଇଛି । ମଣିଷ ଚରିତ୍ର ଯେ କେତେ ଜଟିଳ ତାହାର ଧାରଣା ମଣିଷକୁ ନେଇ କାରବାର କରୁଥିବା ଅନ୍ୟାନ୍ୟ ବିଜ୍ଞାନର ବିଦ୍ୟାର୍ଥୀମାନେ ଉପଲବ୍‌ଧି କରିସାରିଲେଣି । ଅର୍ଥବିଦ୍ୟାର ଅନେକ ଆଗୁଆ ବିଦ୍ୟାର୍ଥୀ ମଧ୍ୟ ଉପଲବ୍‌ଧି କଲେଣି । ମାତ୍ର ପୃଥିବୀର ସମସ୍ୟାମାନଙ୍କ ଭିତରେ ଆର୍ଥିକ ସମସ୍ୟାଗୁଡ଼ିକ ଅଧିକ ଉତ୍କଟ ଓ ଆଖିଦୁରୁଶିଆ ହୋଇଥିବାରୁ ସେଇ ବିଷୟରେ ଆଲୋଚନା ବେଶୀ ହେଉଛି ଓ ସେଥିରେ ଗୋଟାଏ ଆଡ଼େ କ୍ଳାସିକାଲ ଅର୍ଥବିଦ୍ୟାର ଗତାନୁଗତିକ ପଣ୍ଡିତ ଓ ଅନ୍ୟ ଦିଗରେ ମାର୍କ୍‌ସବାଦୀଙ୍କର କଥା ହିଁ ବେଶୀ ପ୍ରବଳ ହେଉଛି ।

 

ବୈଜ୍ଞାନିକ ତତ୍ତ୍ୱର ଆବିଷ୍କାର ଓ ଯତ୍ନ ଆଦିର ଉଦ୍‌ଭାବନ ବ୍ୟକ୍ତିର ମସ୍ତିଷ୍କରୁ ହିଁ ବାହାରେ । ସେହିପରି ସମାଜର ରୀତିନୀତି, ମୂଲ୍ୟବୋଧ ଆଦିରେ ପରିବର୍ତ୍ତନର ବାର୍ତ୍ତାବହ ଓ ଉଦ୍ୟୋକ୍ତା ବ୍ୟକ୍ତି ହିଁ ହୋଇଥାଏ । ବିଜ୍ଞାନ ନାଁରେ ମୂଲ୍ୟବୋଧର ଅବମୂଲ୍ୟନ ଦ୍ୱାରା ବ୍ୟକ୍ତିର ଏହି ଭୂମିକା ବର୍ତ୍ତମାନ ସମୟରେ ଗୌଣ ହୋଇଯାଇଛି ଓ ଏହା ଗୋଟାଏ ଶୋଚନୀୟ ପରିଣତି । ଏହି ବ୍ୟକ୍ତିଗତ ଦାୟିତ୍ୱବୋଧ ଓ ବିବେକର ବୋଧ ଫେରାଇ ଆଣିବା ହିଁ ବର୍ତ୍ତମାନର ଏକ ପ୍ରଧାନ ଆଧ୍ୟାତ୍ମିକ ସମସ୍ୟା ।

 

ମୋର ଗୋଟାଏ ଥିସିସ୍‌ ଅଛି ଯେ, ପଶ୍ଚିମବଙ୍ଗରେ ନକ୍‌ସଲବାଦୀ ଆନ୍ଦୋଳନର ପ୍ରୋତ୍ସାହକ ହେଉଛନ୍ତି ସ୍ୱାମୀ ବିବେକାନନ୍ଦ; ଯଦିଓ ନକ୍‌ସଲପନ୍ଥୀମାନେ ସାଂସ୍କୃତିକ ବିପ୍ଳବ କରିବାକୁ ଯାଇ ସ୍ୱାମୀଜୀଙ୍କର ପ୍ରତିମୂର୍ତ୍ତି ଭାଙ୍ଗିବା ଓ ବହି ପୋଡ଼ିବାରେ ଉଦ୍ୟତ ହୋଇଥିଲେ, ଥୋପି । ମୋର ଏ ଥିସିସ୍‌ ଶୁଣିଲେ ନକ୍‌ସଲପନ୍ଥୀ ଓ ସ୍ୱାମୀଜୀଙ୍କର ଭକ୍ତ ଉଭେୟ ଉତ୍‌କ୍ଷିପ୍ତ ହେବେ; କିନ୍ତୁ ମୁଁ ସେଥିରେ ଦୃଢ଼ପ୍ରତିଜ୍ଞା ରହିଛି । କଥାଟାକୁ ବିଚାର କରି ଦେଖାଯାଉ ।

 

ପଶ୍ଚିମବଙ୍ଗରେ ନକ୍‌ସଲ ଆନ୍ଦୋଳନ ପ୍ରବଳ ହୋଇଥିବାବେଳେ ସେଥିରେ ହଜାର ସଂଖ୍ୟାରେ ଉଚ୍ଚଶିକ୍ଷିତ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏମାନଙ୍କ ଭିତରୁ ଅଧିକାଂଶ ଅବସ୍ଥାପନ୍ନ ଘରର ପିଲା । ସେମାନଙ୍କର ଭବିଷ୍ୟତ କିଛି ଅନ୍ଧାର ନ ଥିଲା । ଚାକିରି-ବଜାରରେ ସେମାନେ ଅନାୟାସରେ ଅଗ୍ରାଧିକାର ପାଇପାରିଥାନ୍ତେ । ବିଦେଶରେ ଉଚ୍ଚ ପାହ୍ୟାର ଚାକିରି ଛାଡ଼ି ନକ୍‌ସଲ ଆନ୍ଦୋଳନରେ ଯୋଗଦେଇଥିବା ଯୁବକଙ୍କର କଥା ମଧ୍ୟ ଜଣାଅଛି ।

 

୧୯୩୦ରେ ଆମେ ସବୁ ଯେତେବେଳେ ଗାନ୍ଧୀ-ଆନ୍ଦୋଳନରେ ମାତିଲୁ, ସେତେବେଳେ କମ୍ୟୁନିଷ୍ଟମାନେ ତ ଗାନ୍ଧୀଙ୍କୁ ବ୍ରିଟିଶ-ସାମ୍ରାଜ୍ୟର ଦଲାଲ ବୋଲି କହୁଥିଲେ । ବିଲାତରେ ଥିବା କମ୍ୟୁନିଷ୍ଟ ନେତା ରଜନୀ ପାମ୍‌-ଦତ୍ତ ଏ ବିଷୟରେ ବହି ବି ଲେଖିଥିଲେ । ସେତେବେଳେ କୁହାଯାଇଥିଲା ଯେ ୧୯୨୯-୩୦ର ବିଶ୍ୱବ୍ୟାପୀ ବଜାର ମାନ୍ଦା ଯୋଗୁଁ ବେକାର ସମସ୍ୟା ଉତ୍କଟ ହେଲା ଓ ଚାକିରିବାକିରିର ଆଶା ନ ଥିବା, ଭଗ୍ନମନୋରଥ, ବେକାର ଯୁବକମାନେ ହିଁ ଗାନ୍ଧୀ ଆନ୍ଦୋଳନରେ ଯୋଗଦେଲେ । ହେଇଥିବ ଅବା ! ଏମିତି ଅନେକ ବେକାର ଯୁବକ ବି ତ ଆମ ସାଙ୍ଗକୁ ଆସିଥିଲେ । ମାତ୍ର ଭଲ ପାଠପଢ଼ୁଆ ପିଲା ବି କିଛି ଊଣା ନ ଥିଲେ । ସେ ତ ଯାହା ହେବାର ହେଲା; ଏବେ ନକ୍‌ସଲ ଆନ୍ଦୋଳନରେ ତା’ଠୁଁ ବି ଅଧିକ ସଂଖ୍ୟାରେ ଭବିଷ୍ୟତ ଉଜ୍ଜ୍ୱଳ ପାଠୁଆ ପିଲା ଆସିଲେ କାହିଁକି ? ମାର୍କ୍‌ସୀୟ ବିଜ୍ଞାନ ଅନୁସାରେ ତ ସେଇମାନେ ହିଁ ଆସିବାର କଥା, ଯେଉଁମାନଙ୍କର ଭବିଷ୍ୟତ ଅନ୍ଧକାର ।

 

ଏ ପାଠୁଆ ଅବସ୍ଥାପନ୍ନ ପିଲାଙ୍କ ଛଡ଼ା ଅନ୍ୟ ଛାତ୍ର ଯୁବକ ବି ପଶ୍ଚିମବଙ୍ଗରେ ହିଁ ଏ ଆନ୍ଦୋଳନରେ ବେଶୀ ବାହାରିଥିଲେ, ଅନ୍ୟାନ୍ୟ ପ୍ରଦେଶ ତୁଳନାରେ । କଲିକତା ତୁଳନାରେ ବମ୍ବେ, ମାନ୍ଦ୍ରାଜ, ନାଗପୁର, କାନପୁର ପ୍ରଭୃତିରେ ସହର-ବଜାରରେ ଦାରିଦ୍ର୍ୟର ଗହ୍ୱର କିଛି କମ୍‌ ଗଭୀର ନୁହେଁ । ସେ ସବୁଠିଁ ଉଚ୍ଚଶିକ୍ଷିତ ପିଲା ବି କଲିକତା ତୁଳନାରେ କିଛି ଊଣା ନ ଥିଲେ । ତେବେ ସେସବୁ ସହରରେ ନକ୍‌ସଲବାଦର ପ୍ରାବଲ୍ୟ କାହିଁକି ଦେଖା ନ ଗଲା ?

 

ଯେଉଁମାନଙ୍କର ପଶ୍ଚିମବଙ୍ଗ ସହିତ କିଛି ହେଲେ ସମ୍ପର୍କ ଥିବ, ସେମାନେ ଲକ୍ଷ୍ୟ କରିଥିବେ ଯେ ରାଜନୀତିକ ଆନ୍ଦୋଳନ ଓ ସାଧାରଣ ସମାଜସେବା କାମପାଇଁ ମଧ୍ୟ ଅନ୍ୟାନ୍ୟ ରାଜ୍ୟ ତୁଳନାରେ ପଶ୍ଚିମବଙ୍ଗରେ ଢେର୍‌ ବେଶୀ ସଂଖ୍ୟାରେ ଛାତ୍ର ଯୁବକ ବାହାରନ୍ତି । ଓଡିଶା, ବିହାର ଓ ପଶ୍ଚିମବଙ୍ଗ–ଏ ତିନି ରାଜ୍ୟର ଗାଁଗହଳରେ ବନ୍ୟା, ମରୁଡ଼ି ଆଦି ସମୟରେ ସାହାଯ୍ୟ କାମ କରିଥିବା ଜଣେ ବନ୍ଧୁ ନିଜର ଅନୁଭୂତି ବର୍ଣ୍ଣନା କରି କହୁଥିଲେ ଯେ ଓଡିଶା ବା ବିହାର ଅପେକ୍ଷା ପଶ୍ଚିମବଙ୍ଗରେ ଢେର୍‌ ବେଶୀ ଲୋକ ସ୍ୱୟଂସେବକ ଭାବରେ ସେବାକାମ କରିବାକୁ ବାହାରନ୍ତି ଓ ସେମାନଙ୍କର ସତତାର ସ୍ତର ମଧ୍ୟ ଅନ୍ୟ ରାଜ୍ୟ ତୁଳନାରେ ଯଥେଷ୍ଟ ଉଚ୍ଚ ।

 

ଏହାର ସରଳ ବ୍ୟାଖ୍ୟା ହେଉଛି ଯେ ସ୍ୱାମୀ ବିବେକାନନ୍ଦ ଦରିଦ୍ରନାରାୟଣଙ୍କର ସେବା ନିଃସ୍ୱାର୍ଥ ଭାବରେ କରିବାପାଇଁ ଯେଉଁ ଡାକରା ଦେଇଥିଲେ ଓ ସେ ଦିଗରେ ଯେଉଁ ଆନ୍ଦୋଳନ ଆରମ୍ଭ କରିଥିଲେ, ତା’ର ପ୍ରଭାବ ବଙ୍ଗ ଦେଶରେ ହିଁ ସବୁଠୁଁ ବେଶୀ ପଡ଼ିଛି ଓ ସେଠି ଏକ ସାଧାରଣ, ବ୍ୟାପକ ସଂସ୍କାର ସୃଷ୍ଟି ହୋଇଛି ଯେ ଯୁବା ବୟସରେ ନିଃସ୍ୱାର୍ଥ ଭାବରେ କିଛି ସମାଜସେବା କରିବା ଚାହି । ଏହାରି ଫଳରେ ସେଠି ଗରୀବଙ୍କ ପ୍ରତି ବେଶୀ ଦୃଷ୍ଟି ଯାଏ ଓ ସବୁ ପ୍ରକାରର ସେବାକାମ କରିବାକୁ ବେଶୀ ଲୋକ ବାହାରନ୍ତି । ବାମପନ୍ଥୀ ରାଜନୀତିର ଆକର୍ଷଣ ମଧ୍ୟ ସେଥିପାଇଁ ସେଠି ଅଧିକ । କେବଳ ନକ୍‍ସଲବାଦ ନୁହେଁ, ସବୁପ୍ରକାରର ବାମପନ୍ଥୀଙ୍କର ପ୍ରେରଣାର ମୁଖ୍ୟ ଉତ୍ସ ସ୍ୱାମୀ ବିବେକାନନ୍ଦଙ୍କର ପ୍ରଭାବରେ ସୃଷ୍ଟ ଏଇ ପରମ୍ପରା; ତେଣିକି ସେମାନଙ୍କ ଭିତରେ କିଏ ସୁଭାଷବାବୁଙ୍କ ବାନା ଧରୁ, କିଏ ଷ୍ଟାଲିନ୍‌ଙ୍କ ସ୍ତାବକ ହେଉ, ବା କିଏ ମାଓ-ସେ-ତୁଙ୍ଗ ଆମର ଚେୟାରମ୍ୟାନ୍‌ ବୋଲି ଦୁଆ ଦେଇ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବାକୁ ବାହାରୁ ।

 

ଆଦର୍ଶବାଦୀ ଆନ୍ଦୋଳନ ମୂଳରେ ମାନବିକ ମୂଲ୍ୟବୋଧର ପ୍ରେରଣା ହିଁ ରହିଛି । ମାର୍କ୍‌ସ ଜଣେ ମହାନ ମାନବବାଦୀ ଥିଲେ । ଦୁନିଆରେ ସବୁ ମଣିଷ ମଣିଷ ଭଳି ବଞ୍ଚିବେ, ଫୁଟିଉଠିବେ; ହିଂସା, ଶୋଷଣ, ଯୁଦ୍ଧ ସବୁ ଲୋପ ପାଇବ ଓ ସାରା ପୃଥିବୀ ଗୋଟିଏ ସମାଜ ହେବ–ଏ କ’ଣ ସାମାନ୍ୟ କଳ୍ପନା; ଛୋଟିଆ ସ୍ୱପ୍ନ ? ମାର୍କ୍‌ସଙ୍କ ପୂର୍ବରୁ ଯେତେ ମହାପୁରୁଷ, ମହାତ୍ମା ଆସିଥିଲେ, ସେମାନଙ୍କ ଭିତରୁ କେହି ଏପରି ସ୍ପଷ୍ଟ ଭାବରେ, ଏକ ବ୍ୟାବହାରିକ, ହାସଲ ହୋଇପାରିବା ଲକ୍ଷ୍ୟ ଭାବରେ ଏ କଥା ବାଢ଼ି ନ ଥିଲେ । କିନ୍ତୁ ଏସବୁ ଲକ୍ଷ୍ୟର ପରିପୂରକ ଯେଉଁ ସବୁ ମୂଲ୍ୟବୋଧ ସମାଜରେ ଊଣା ଅଧିକ ପ୍ରଚାରିତ ହୋଇଛି, କିଛି ନା କିଛି ସ୍ୱୀକୃତି ଲାଭ କରିଛି, ସେସବୁକୁ ସାମନ୍ତବାଦୀ, ବୁର୍ଜୋୟା ଏହିପରି ସବୁ ଆଖ୍ୟା ଦେଇ, ହେୟ ପ୍ରତିପାଦିତ କରି ଓ ମୂଲ୍ୟବୋଧର ପ୍ରସାର ଓ ତାହା ଉପରେ ପ୍ରତିଷ୍ଠିତ ନୈତିକ ଆଚରଣର ଉତ୍କର୍ଷର ଆବଶ୍ୟକତାକୁ ଉଡେଇଦେଇ ମାର୍କ୍‌ସବାଦୀ ପରମ୍ପରା ନିଜକୁ ହିଁ ଦୁର୍ବଳ କରିଛି ଓ ସବୁପ୍ରକାରର ମାନବିକ ମୂଲ୍ୟବୋଧକୁ ବଳି ଦେଇ ମଧ୍ୟ ମହାନ୍‌ ମାନବିକ ବିପ୍ଳବ ଆଣିହେବ ବୋଲି ଏକ ଅନ୍ଧବିଶ୍ୱାସର ଶିକାର ହୋଇଛି । ମାନବିକ ମୂଲ୍ୟବୋଧର ଉତ୍କର୍ଷ ଆଉ ନୂଆ ସମାଜର ସଫଳ ରୂପାୟନର ମାପକାଠି ହୋଇ ରହିନାହିଁ । ତା’ର ମାପକାଠି ହୋଇଛି ପରମାଣୁ ବୋମା, ମହାକାଶଯାନ, ଟେଲିଭିଜନ ସେଟ୍‌ ଓ ଲୁଗାଧୁଆ କଳର ପ୍ରାଚୁର୍ଯ୍ୟ । ଫଳରେ ଆମେ ସୋଭିଏତ୍‌ ସଂଘ ଓ ପୂର୍ବୟୁରୋପର କମ୍ୟୁନିଷ୍ଟ ରାଷ୍ଟ୍ରମାନଙ୍କରେ ଏକ ନୂଆ ସୁବିଧାଭୋଗୀ ଶାସକଶ୍ରେଣୀର ଅଭ୍ୟୁଦୟ ଦେଖୁଛୁ । ଆର୍ଥିକ ସମାନତା ଆଉ ନୈତିକ ପ୍ରଚେଷ୍ଟାର ବିଷୟ ହେଇ ରହିନାହିଁ; ଏହା ପୂରାପୂରି ବାହ୍ୟ ପରିସ୍ଥିତି ଉପରେ ନିର୍ଭରଶୀଳ ବୋଲି କୁହାଯାଉଛି; ଅର୍ଥାତ୍‌ ସବୁ ଭୋଗ୍ୟବସ୍ତୁର ଉତ୍ପାଦନ ଯେତେବେଳେ ଏତେ ବଢ଼ିବ ଯେ ସମସ୍ତଙ୍କର ସବୁ ଇଚ୍ଛା ପୂରଣ ହୋଇପାରିବ, କଳ୍ପତରୁ ବା କାମଧେନୁ ଧରାଧାମରେ ଅବତୀର୍ଣ୍ଣ ହେବ, ସେତେବେଳେ ଯାଇ ସମାନତା ଆସିବ । ଠିକ୍‌ ଏଇପରି କଥା ଭୂଦାନ ଆନ୍ଦୋଳନର ସମାଲୋଚନା କରି ଆମ ଦେଶର ଅନେକ ଅଣ-କମ୍ୟୁନିଷ୍ଟ ନେତା କହୁଥିଲେ ଯେ ଉତ୍ପାଦନ ନ ବଢ଼ୁଣୁ ସମାନତାର ଚେଷ୍ଟା କରିବସିଲେ କେବଳ ଦାରିଦ୍ର୍ୟ-ବଣ୍ଟନ ସାର ହେବ ।

 

ଏଣେ କିନ୍ତୁ ଆର୍ଥିକ ସଚ୍ଛଳତାର ସ୍ତରର ଆଦର୍ଶ ରଖାହୋଇଛି ଆମେରିକା । କିନ୍ତୁ ଆମେରିକାର ଅର୍ଥନୀତି ବି ଏପର୍ଯ୍ୟନ୍ତ କାମଧେନୁ ହୋଇପାରିନାହିଁ । ସେତିକିରେ ହିଁ ସେ ଅର୍ଦ୍ଧ-ଜଗତରେ ତା’ର ନବ୍ୟ ସାମ୍ରାଜ୍ୟବାଦର ଚେର ମଡ଼େଇସାରିଲାଣି । ସୋଭିଏତ୍‌ ଦେଶରେ ଆମେରିକାର ନକଲର ସଦ୍ୟ ପରିଣାମ ହେଉଛି ଯେ ସେଠି ନୂଆ ନୂଆ ପ୍ରକାରର ଭୋଗ୍ୟ ପଣ୍ୟର ଲାଭ ପ୍ରଥମତଃ ଶାସକଶ୍ରେଣୀ ହିଁ ପାଉଛନ୍ତି । ସେ ଶ୍ରେଣୀର ନ୍ୟସ୍ତସ୍ୱାର୍ଥ କ୍ରମଶଃ ଉତ୍କଟତର ଓ ଦୃଢ଼ତର ହୋଇଚାଲିଛି । ଏହାର ଏକ ଲକ୍ଷଣ ହେଲା ଯେ ସେଠି ଏବେ ଶିକ୍ଷା-ବ୍ୟବସ୍ଥାକୁ ସଙ୍କୁଚିତ କରିବା ଆରମ୍ଭ ହେଲାଣି । ବିପ୍ଳବର ଆରମ୍ଭରେ ଗୋଟାଏ ମୂଲ୍ୟବୋଧ ଥିଲା ଯେ ନିଜ ନିଜର ଆନ୍ତରିକ ସାମର୍ଥ୍ୟ ଅନୁସାରେ ପ୍ରତ୍ୟେକେ ଯେତେ ଉଚ୍ଚସ୍ତରର ଶିକ୍ଷା ହଜମ କରିପାରିବେ, ସେତେ ପ୍ରତ୍ୟେକକୁ ମିଳିବା ଚାହି । ତାହା ଏବେ ବଦଳି ଶାସକ ଓ ବିଶେଷଜ୍ଞ ଶ୍ରେଣୀ ପାଇଁ ଉଚ୍ଚ, ଉଚ୍ଚତମ ଶିକ୍ଷାର ବ୍ୟବସ୍ଥା ରହୁଥିବା ସ୍ଥଳେ ସାଧାରଣ ଶ୍ରମିକ, ଚାଷୀ, କାରିଗରପାଇଁ ଶିକ୍ଷାର ସ୍ତର ସୀମାବଦ୍ଧ କରି ଦିଆଯାଉଛି; ଯେପରି ସେମାନେ ବେଶୀ ଗୁଡ଼ାଏ ପାଠ ପଢ଼ି ନିଜ ଶ୍ରେଣୀରୁ ଉପରକୁ ଉଠିବାର ଆକାଙ୍‍କ୍ଷା ପୋଷଣ ନ କରନ୍ତି । ଏହି ନୀତିର ଏହା ଏକ ଅବଧାରିତ ପରିଣାମ ହେବ–ଏକ ଏକଚ୍ଛତ୍ରବାଦୀ ଦେଶରେ–ଯେ ଉଚ୍ଚଶିକ୍ଷାର ଦ୍ୱାର ଶାସକ ଓ ବିଶେଷଜ୍ଞ ଶ୍ରେଣୀର ପିଲାଙ୍କପାଇଁ ହିଁ ଖୋଲାରହିବ । ସେ ଶ୍ରେଣୀ ବଂଶଗତ ହୋଇଯିବ; ଏବେ ପ୍ରାୟ ହୋଇ ଲାଗିଲାଣି ।

 

କେବଳ କ୍ଷମତାବଳରେ ସାମ୍ୟବାଦ କରିଦେଇହେବ ନାହିଁ; ମୂଲ୍ୟବୋଧର ପରିବର୍ତ୍ତନ ଲୋଡ଼ା, ସମାଜର ପ୍ରତ୍ୟେକ ବ୍ୟକ୍ତି ନୂଆ ମୂଲ୍ୟବୋଧ ଭିତ୍ତିରେ ନୂଆ ପ୍ରକାରର ଆଚରଣ କରିବାକୁ ପ୍ରବୃତ୍ତ ହେବା ଚାହି–ଏହା ମାଓ–ସେ–ତୁଙ୍ଗ ଉପଲବ୍‌ଧି କରିଥିବାର ମନେହୁଏ । ୧୯୫୭-୫୮ ରେ ଚୀନରେ ‘ମହାନ୍‌ ଅଗ୍ରଲମ୍ଫ’ ବୋଲି ଏକ ଆନ୍ଦୋଳନ ଆରମ୍ଭ ହେଇ ଦେଶର ସମସ୍ତ ଲୋକଙ୍କର ଶ୍ରମକୁ କାମରେ ଲଗେଇ ଉତ୍ପାଦନ ବହୁ ପରିମାଣରେ ବଢ଼େଇଦେବାର ଚେଷ୍ଟା ହେଲା । ଏ ଉଦ୍ୟମ କେତେକାଂଶରେ ସଫଳ ହେଲା; ମାତ୍ର ତା’ପରେ ଲାଗ ଲାଗ ମରୁଡ଼ି ପଡ଼ିବା ଫଳରେ କୃଷି–ଉତ୍ପାଦନ ଖୁବ୍‌ କମିଯାଇ ସଙ୍କଟ ପରିସ୍ଥିତି ଦେଖାଦେଲା ।

 

ଏହି ସମୟରେ ଚୀନ୍‌ର ଭବିଷ୍ୟତ ବିକାଶ ସମ୍ବନ୍ଧରେ ଗୋଟାଏ ମତ ଦେଖାଦେଲା ଯେ ସୋଭିଏତ୍‌ ଦେଶ ପରି ଏଠି ମଧ୍ୟ ପ୍ରଥମେ ଉତ୍ପାଦନ ବଢ଼ାଇବାକୁ ହେବ, ଉତ୍ପାଦନ-ବ୍ୟବସ୍ଥାକୁ ଗଢ଼ି ତୋଳିବାକୁ ହେବ । ତା’ପରେ ଯାଇ ସାମ୍ୟ କଥା ଉଠିବ । ଏସବୁପାଇଁ ଗୋଟାଏ ବିଶେଷଜ୍ଞ, ଶାସକ, ପରିଚାଳକଶ୍ରେଣୀ ସୃଷ୍ଟି କରିବାକୁ ହେବ; ଯାହାକୁ ଇଂରେଜୀରେ କହନ୍ତି–ଏଲୀଟ୍‌–ଓଡ଼ିଆରେ ହେବ ଅଭିଜାତଶ୍ରେଣୀ । ସେ ଶ୍ରେଣୀର ଲୋକଙ୍କୁ ଭଲ ଦରମା ଓ ସୁଖ-ସୁବିଧା ଯୋଗେଇ ଦେଇ ସେମାନଙ୍କଠୁଁ କାମ ଆଦାୟ କରିବାକୁ ହେବ ।

 

ମାଓ କହିଲେ ଯେ, ଯଦି ଏପରି କରିବାକୁ ହେବ, ତେବେ ଚୀନଭଳି ଗରିବ ଦେଶରେ ସାମ୍ୟ ପ୍ରତିଷ୍ଠା ହେବା କଥା କାହାରି ଦେଖନ୍ତରେ ହେଇପାରିବ ନାହିଁ । ଉତ୍ପାଦନ ଯାହା ବଢ଼ିବ, ତା’କୁ ଏଇ ଶ୍ରେଣୀ ହିଁ ସବୁଯାକ ଚଳୁ କରିଦେବେ । ତେଣୁ ସେ ଏକ ସାଂସ୍କୃତିକ ବିପ୍ଳବର ଡାକରା ଦେଲେ । ଇସ୍କୁଲ, କଲେଜ ବନ୍ଦ ରହିଲା । ପିଲାଏ ସେଇଥିରେ ମାତିଲେ । ଚାରିଆଡ଼େ ଏଇ କଥା ନେଇ ତୁମୁଳ ପ୍ରଚାର, ଚର୍ଚ୍ଚା, ଆଲୋଚନା ଓ ଠାଏ ଠାଏ ହାତାହାତି ଚାଲିଲା ଯେ, ଯେ ଅଧିକ ଦାୟିତ୍ୱପୂର୍ଣ୍ଣ ବା ଅଧିକ ବିଶେଷଜ୍ଞତାଯୁକ୍ତ କାମ କରିବ, ତା’କୁ ବେଶୀ ଦରମା ମିଳିବା ଚାହି, ଏ ବିଚାର ଭୁଲ । ପ୍ରତ୍ୟେକେ ସମାଜପାଇଁ ପାରୁପର୍ଯ୍ୟନ୍ତ କାମ କରିବେ ଓ ମୋଟ ଉତ୍ପାଦନରୁ ଯାହା ନ୍ୟାଯ୍ୟ ବାଣ୍ଟ ତାଙ୍କ ଭାଗରେ ପଡ଼ିବ, ତାହା ପାଇବେ । ଏ ଆନ୍ଦୋଳନ କରିବା ଦ୍ୱାରା ମାଓ, ସେ ନିଜେ ଯାହା କହନ୍ତୁ ପଛେ, ମାର୍କ୍‌ସବାଦର ପରମ୍ପରାଗତ ଦର୍ଶନରୁ ଆଗେଇ ଯାଇ ମୂଲ୍ୟବୋଧ ଓ ନୈତିକତାର ସ୍ୱତନ୍ତ୍ର ଅସ୍ତିତ୍ୱ ଓ ଶକ୍ତି ସ୍ୱୀକାର କରିଛନ୍ତି । ଯଦିଓ ତାଙ୍କର ଏ ସ୍ୱୀକୃତି ସୀମାବଦ୍ଧ, ଚୀନର ସାମ୍ୟବାଦୀ ଶାସନତନ୍ତ୍ରର ସବୁ ସ୍ତର ପ୍ରତି ତାହା ପ୍ରଯୋଜ୍ୟ ହୋଇନାହିଁ ।

 

ସମାଜବାଦୀ ଆନ୍ଦୋଳନ ବି ଏଇ ମୂଲ୍ୟବୋଧର ଅବମୂଲ୍ୟନ ପାଲରେ ପଡ଼ିଛି । ସମାଜବାଦୀ ଆନ୍ଦୋଳନର ଜନ୍ମକାଳରେ ସେଥିରେ ସମାଜବାଦର ମୂଲ୍ୟବୋଧକୁ ଆଚରଣରେ କରିବା କଥା ଥିଲା । ସେଥିପାଇଁ ସ୍ୱେଚ୍ଛାପ୍ରବୃତ୍ତ ଗୋଷ୍ଠୀସମାଜ ସ୍ଥାପନ କରାଯାଉଥିଲା । କିନ୍ତୁ କ୍ରମେ ସେସବୁ କଳ୍ପନାବିଳାସ ବୋଲି ଉଡ଼େଇ ଦିଆଗଲା ଓ କେବଳ ଶାସନକ୍ଷମତାବଳରେ ଶିଳ୍ପବ୍ୟବସାୟର ରାଷ୍ଟ୍ରୀକରଣ ଓ ଆଉ କେତେକ ଆନୁଷଙ୍ଗିକ ପଦକ୍ଷେପ ନିଆହେଲେ ସବୁ ଠିକ୍‌ ହୋଇଯିବ ବୋଲି ବିଶ୍ୱାସ କରାଗଲା । ତା’ର ପରିଣାମ ଏବେ ଆମେ ଦେଖୁଛୁ ଓ ଭୋଗୁଛୁ ।

 

ପୃଥିବୀର ଶ୍ରମିକ-ଆନ୍ଦୋଳନ ଉପରେ ମଧ୍ୟ ଏହାର ପ୍ରତିକୂଳ ପ୍ରଭାବ ପଡ଼ିଛି । ସମାଜବାଦୀ, ସାମ୍ୟବାଦୀ ପ୍ରଭୃତି ସବୁ ବୈପ୍ଳବିକ ବିଚାରର କର୍ମୀମାନେ ନିଜେ ତ ମାନବିକ ଆଦର୍ଶରେ ଉଦ୍‌ବୁଦ୍ଧ ହୋଇ ବାହାରିଥାନ୍ତି । ମାନବିକ ମୂଲ୍ୟବୋଧର ପ୍ରତିଷ୍ଠା ହିଁ ବିପ୍ଳବର ଚରମ ଲକ୍ଷ୍ୟ ବୋଲି ବିଶ୍ୱାସ କରିଥାନ୍ତି; କିନ୍ତୁ ତା’ର ଚାଳକ-ଶକ୍ତିରୂପେ ଗ୍ରହଣ କରାଯାଇଛି ଶ୍ରେଣୀସ୍ୱାର୍ଥକୁ-। ମଣିଷର ସ୍ୱାର୍ଥର ନ୍ୟାଯ୍ୟତା ଅଛି; ମାତ୍ର ତାହା ସାରା ସମାଜର, ସାରା ମାନବଜାତିର ସ୍ୱାର୍ଥର ଏକ ଅଂଶ ମାତ୍ର । ଏଇ ବ୍ୟାପକ ସ୍ୱାର୍ଥର ମାପରେ ନିଜ ସ୍ୱାର୍ଥକୁ କଷିବା ଚାହି, ବେଳ ପଡ଼ିଲେ ବୃହତ୍ତର ସ୍ୱାର୍ଥପାଇଁ ନିଜର ସ୍ୱାର୍ଥକୁ ବଳି ବି ଦେବାକୁ ପ୍ରସ୍ତୁତ ଥିବା ଚାହି–ଏପରି ମୂଲ୍ୟବୋଧ ଶ୍ରମିକଶ୍ରେଣୀ ଗ୍ରହଣ କଲେ ଓ ତଦନୁରୂପ ଆଚରଣ କରିବାକୁ ପ୍ରସ୍ତୁତ ହେଲେ ଯାଇ ‘‘ଦୁନିଆର ସର୍ବହରା ଏକଜୁଟ ହୁଅ’’ ସମ୍ଭବ ହେଇଥାନ୍ତା ।

 

ମାତ୍ର ଶ୍ରେଣୀସ୍ୱାର୍ଥର ‘ଦାବି’ ହିଁ ଜୋର ଦିଆଗଲା; କର୍ତ୍ତବ୍ୟ କଥାଟା ଉଭେଇଗଲା । ଫଳରେ ମାର୍କ୍‌ସଙ୍କ ଭବିଷ୍ୟତବାଣୀ ଅନୁସାରେ ଯେଉଁସବୁ ଅଗ୍ରସର ଦେଶରେ ଆଗେ ସାମ୍ୟବାଦୀ ବିପ୍ଳବ ହେବାର କଥା ଥିଲା, ସେସବୁ ପାଶ୍ଚାତ୍ୟ ଦେଶର ଶିଳ୍ପ-ଶ୍ରମିକ ଆଉ ସର୍ବହରା ନାହାନ୍ତି । ସେମାନେ ଚଳନ୍ତି ବ୍ୟବସ୍ଥା ଭିତରେ ପୂରାପୂରି ଖପିଗଲେଣି । ନିଜ ନିଜ ଦେଶର ପୁଞ୍ଜିବାଦୀମାନେ ଅନ୍ୟ ଦେଶକୁ ଶୋଷଣ କରି ଲାଭବାନ୍‌ ହେଉଛନ୍ତି, ନୂଆ ସାମ୍ରାଜ୍ୟ ବିସ୍ତାର କରୁଛନ୍ତି ଓ ବିଶ୍ୱଶାନ୍ତି ପ୍ରତି ଏକ ମହାବିପଦ ହେଇ ଛିଡ଼ା ହେଉଛନ୍ତି ତ ସେଥିକି ତାଙ୍କର ପରବାୟ ନାହିଁ । ପୁଞ୍ଜିବାଦର ପିଠାରୁ ନିଜକୁ ବଡ଼ କରି ଫଡ଼ାଏ ମିଳିଗଲେ ହେଲା । ଭାରତ, ପାକିସ୍ତାନ ଆଦି ଭଳି ଗରିବ ଦେଶର ଶିଳ୍ପ-ଶ୍ରମିକଶ୍ରେଣୀ ବି ସୁବିଧାଭୋଗୀ ଶ୍ରେଣୀରେ ସାମିଲ ହେଇଗଲାଣି ବୋଲି ଗୁନ୍ନାର୍‌ ମିର୍‌ଡାଲ୍‌ କହନ୍ତି । ସେମାନଙ୍କଠାରୁ ଢେର୍‌ ବେଶୀ ଗରିବ ଚାଷୀ ଓ କୃଷି-ଶ୍ରମିକର ଦୁର୍ଦ୍ଦଶା ସେମାନଙ୍କୁ ବିଚଳିତ କରୁନାହିଁ । ଆମେ ଦେଖୁଛୁ ଯେ ସେମାନଙ୍କର ସାମ୍ୟବାଦୀ ଓ ସମାଜବାଦୀ ନେତାମାନେ ବି ସେମାନଙ୍କୁ ଏ ଦିଗରେ ସଚେତନ କରିବାକୁ ଆଦୌ ସଚେଷ୍ଟ ନୁହନ୍ତି । ଶ୍ରମିକଆନ୍ଦୋଳନର ବୈପ୍ଳବିକ ସମ୍ଭାବନା ଲୁପ୍ତ ହେବାକୁ ବସିଲାଣି ।

 

ଚୀନରେ ମାଓଙ୍କ ବିଚାରର ସାଫଲ୍ୟର ଗୋଟିଏ କାରଣ ଜୋନ୍‌ ରବିନ୍‌ସନ୍‌ ଦର୍ଶେଇଛନ୍ତି, ଯାହା ମଣିଷକୁ ଗଭୀର ଭାବରେ ଚିନ୍ତା କରିବାପାଇଁ ପ୍ରେରଣା ଦିଏ । ସେ କହିଛନ୍ତି (ଫ୍ରିଡମ୍‌ ଏଣ୍ଡ ନେସେସିଟୀ ପୃ. ୧୦୩-୪)-‘‘ଏଥିରେ ଅତୀତର ଇତିହାସ ଏକ ଅପରିହାର୍ଯ୍ୟ ଆଶ୍ରୟ ରୂପେ କାମ ଦେଉଥିଲା । ତିନି ହଜାର ବର୍ଷଧରି ସେଠିକାର ଜନସଂଖ୍ୟାର ଖୁବ୍‌ ଧୀରେ ଧୀରେ ପରିର୍ବତ୍ତନ ହେଇଛି ଓ ସେଠି ଶ୍ରେଣୀ ବିଭାଗ କେବେ ‘ବର୍ଣ୍ଣ’ ବା ‘ଜାତି’ ଉପରେ ଆଧାରିତ ହେଇନାହିଁ ଓ ଏହାଦ୍ୱାରା ସେଠାର ସମସ୍ତ ଲୋକେ ଚୈନିକ ସଭ୍ୟତାରେ ଓତପ୍ରୋତ ହୋଇଯାଇଛନ୍ତି ଓ ଏ ଚୈନିକ ସଭ୍ୟତା ସବୁଦିନେ ‘ଯଥୋଚିତ ଆଚରଣ’, ‘ସଦାଚାର’ର ଧାରଣା ଉପରେ ପ୍ରତିଷ୍ଠିତ (‘ଆମେ ଗରିବ ଲୋକ ହୋଇପାରୁ, ମାତ୍ର ନ୍ୟାୟ କ’ଣ ଅନ୍ୟାୟ କଣ ତାହା ଆମେ ଜାଣୁ’’) । ଯେଉଁ ଲୋକେ ଏଭଳି ଏକ ଜୀବନଦୃଷ୍ଟିରେ ଶିକ୍ଷା ପାଇଛନ୍ତି, ସେମାନଙ୍କର ଆଚରଣର ରୂପରେଖ ବଦଳାଇବା ଅନେକ ସହଜ । ଯେଉଁମାନେ ବିଶ୍ୱ ଅଶ୍ରଦ୍ଧାଭାବ ଓ ଉତ୍କଟ ପ୍ରତିଯୋଗିତାର ମନୋଭାବରେ ଉଦ୍‌ବୁଦ୍ଧ, ସେମାନଙ୍କର ଆଚରଣ ବଦଳାଇବା ତାହା ଅପେକ୍ଷା ଢେର୍‌ ବେଶି କଠିନ ।’’

Image

 

ଭକ୍ତିମାର୍ଗ ଓ ମାନବିକତାବାଦ

 

ଖୋଳ–କରତାଳର ତାଳ ଦ୍ରୁତରୁ ଦ୍ରୁତତର ହେଇଲାଗିଲା; ଭକ୍ତମାନଙ୍କର ନୃତ୍ୟ ଉଦ୍ଦାମରୁ ଆହୁରି ଉଦ୍ଦାମ । ସମସ୍ତଙ୍କ ଆଖିରୁ ଧାର ଧାର ହେଇ ଲୁହ ବହିଯାଉଛି । ବାଦ୍ୟର ଯମକ ଚରମରେ ପହଞ୍ଚିଛି । ଝାଇଁ ଝାଇଁ, ଝାଇଁ ଝାଇଁ ଝମ୍‌ ହେଇ ତାଳ ଛିଣ୍ଡିଲା । କୀର୍ତ୍ତନ ଥମିଲା-। ବାବାଜୀ ମହାରାଜ ଧ୍ୟାନସ୍ଥ ହେଇ ବସିଥିଲେ । ଭକ୍ତିର ସବୁ ଲକ୍ଷଣ–ପୁଲକ, ସ୍ୱେଦ, କମ୍ପ ଆଦି ସବୁ ଗୋଟିକ ପରେ ଗୋଟିଏ ତାଙ୍କ ଦେହରେ ପ୍ରକାଶ ପାଇଚାଲିଥିଲା । କୀର୍ତ୍ତନ ସରିବାବେଳକୁ ଭାବର ଚରମ ଆବେଗରେ ଆପ୍ଲୁତ ହେଇ ତାଙ୍କର ବାହ୍ୟଜ୍ଞାନ ଲୋକ ହେଇଗଲାଣି । ପୁଣି ଦ୍ୱିଗୁଣିତ ଉତ୍ସାହରେ ଆରମ୍ଭ ହେଲା ଉଦ୍ଦାମ କୀର୍ତ୍ତନ ।

 

ମଠରେ ସବୁଦିନେ ସନ୍ଧ୍ୟାରେ କୀର୍ତ୍ତନ ହୁଏ । ଆଜି ଜନ୍ମାଷ୍ଟମୀ ବୋଲି ଅଷ୍ଟପ୍ରହରୀ କୀର୍ତ୍ତନ ହେଉଥିଲା । ଦୁର୍ଗାବାବୁ ପ୍ରାୟ ପ୍ରତିଦିନ ସନ୍ଧ୍ୟାରେ ଆସି ମଠରେ ଘଣ୍ଟାଏ, ଦେଢ଼ଘଣ୍ଟା କଟାନ୍ତି; କୀର୍ତ୍ତନ ଶୁଣନ୍ତି । ଦୁର୍ଗାବାବୁ କିଲଟରୀରେ ନାଜରଖାନାର କିରାଣି; ଅତି ନିର୍ମାୟା ଲୋକ । ଲାଞ୍ଚ-ମିଛର ପାଖ ପଶିବାର କେହି କେବେ ଶୁଣିନାହିଁ । ଅଫିସ୍‌ର ସବୁ କାମ ମୁହିଁ ବୁଜି କରିଯାଆନ୍ତି । ନାଜରବାବୁ କିନ୍ତୁ ଅତି ତୋଖଡ଼ ଲୋକ-କଥାକଥାକେ ଧମକ, ଗାଳି-ଫଜିତ୍‌ । ଦୁର୍ଗାବାବୁ ନିରୀହ ବୋଲି ତାଙ୍କ ଉପରେ ଜାଣି ପାହାରଟା ବେଶୀ ପଡ଼େ । ତାଙ୍କ ତୁଳସୀମାଳି ଆଉ ଚୁଟି ଦେଖିଲେ ନାଜରବାବୁଙ୍କ ମିଜାଜ୍‌ଟା କେମିତି କେଜାଣି ବେଶୀ ବିଗିଡ଼ିଯାଏ ।

 

ପେଟ ପୋଷିବା ପାଇଁ ଦିନଯାକ ଏଇ ଗ୍ଳାନି ସହିବାକୁ ପଡ଼ିବ; ଚାରା ନାହିଁ । ଘରକୁ ଗଲେ ଅଭାବ ଅନାଟନ ଖାଁ-ଖାଁ କରି ଗୋଡ଼ାଏ । ଆଜି ସାନପୁଅର ଜର, କାଲି ବଡ଼ପୁଅର ପରୀକ୍ଷା ଫିସ୍‌ ଦାଖଲ; ଘରଣୀଙ୍କ ପାଇଁ ଶାଢ଼ୀଖଣ୍ଡେ ଦେଢବର୍ଷ ହେଲା କିଣା ହୋଇପାରୁନାହିଁ । ଘରଭଡ଼ା ତିନିମାସ ବାକି ପଡ଼ିଲାଣି ଯେ ଘରମାଲିକ ଆସି ରୋଜ ତାଗଦା କରୁଛି; ଧମକ ଦେଉଛି ଉଠେଇଦେବ ବୋଲି । ଘର ଅଫିସର ଏ ମହର୍ଗ ଆଉ କାନ୍ତାର ଭିତରେ ମଠରେ କଟୁଥିବା ଏଇ ଦଣ୍ଡେ ଦି’ଦଣ୍ଡ ସମୟ ଜାଣି ଏକ ଶୀତଳ ଗଛଛାଇ । ଏଇଠି ସେ ଦିନଯାକର ଗ୍ଳାନି, ଅପମାନ, ଅକ୍ଷମତା କଥା ଭୁଲିଯାନ୍ତି; ଯେତେବେଳେ ସେ ଶୁଣନ୍ତି :

 

‘‘କବେ ତୃଷିତ ଏ ମରୁ ଛାଡ଼ିଆ ଯାଇବ

ତୋମାରି ରସାଲ ନନ୍ଦନେ...’’

 

ତାଙ୍କର ଆଖିରୁ ଧାର ଧାର ହୋଇ ଲୁହ ବହିଯାଏ । ତାଙ୍କ ଛାତି ଭିତର ଘା’ରେ କିଏ ଶୀତଳ ଚନ୍ଦନ ଲେପିଦେଲା ପରି ଲାଗେ । ସେଠୁ ସେ ଚାଙ୍ଗା ହେଇ ଫେରନ୍ତି ଆଉ ଗୋଟାଏ ଦିନର ଘଣାପେଲାର ସାମନା କରିବାପାଇଁ ।

 

ତାଙ୍କ ସାଙ୍ଗ ବଙ୍କୁବାବୁ କିନ୍ତୁ ଆଉ ପ୍ରକାରେ ଲୋକ । ବଙ୍କୁ ଗୋଟାଏ ବଡ଼ କାରଖାନାରେ କିରାଣି । କମ୍ୟୁନିଷ୍ଟଙ୍କର ନେତୃତ୍ୱରେ ଚାଲୁଥିବା ଟ୍ରେଡ ୟୁନିଅନ୍‌ରେ ଯୋଗଦେଇଛନ୍ତି । ଏବେ ତ ଧର୍ମଘଟ, ଆନ୍ଦୋଳନ ସବୁ ଉପରେ ନିଷେଧାଜ୍ଞା, ଜରୁରୀ ପରିସ୍ଥିତି ଚାଲିଛି । ମାଲିକଙ୍କ ଲାଭ ବଢ଼ିଲେ ଗରିବୀ ହଟିବ ବୋଲି ଏଥିରେ ନୂଆ ସୂତ୍ର ବାହାରିଛି । ତେଣେ ପାଟୀ ତ ସରକାରୀ ଦଳ ସାଙ୍ଗରେ କାନି ଗଣ୍ଠେଇଛି । ସେ ଯୁଆଡ଼େ ଚାଲିବେ, ୟେ ତା’ ପଛେ ପଛେ । ତେବେ ମଝିରେ ମଝିରେ ସଭା-ସମିତି ହୁଏ, ଶୋଭାଯାତ୍ରା ବାହାରେ । ସ୍ପେନ୍‌ରେ କାହାକୁ ଜେଲରେ ରଖାହେଇଛି, ଇତାଲିରେ ଡାକବାଲା ଧର୍ମଘଟ କରିଛନ୍ତି, ଏମିତି ସବୁ ଘଟଣାର ପ୍ରତିବାଦ, ସମର୍ଥନ । ମେ’ ପହିଲାରେ ଖାସ୍‌ ଚାରିପ୍ରହରୀ କାର୍ଯ୍ୟକ୍ରମ–ଭୋରରୁ ସନ୍ଧ୍ୟାଯାଏ । ବଙ୍କୁବାବୁ ହେରିକା ଘଣ୍ଟାଘଣ୍ଟାଧରି ସ୍ଳୋଗାନ ଦିଅନ୍ତି ‘‘ଇନ୍‌କିଲାବ ଜିନ୍ଦାବାଦ,’’ ‘‘ପୁଞ୍ଜିବାଦ ମୁର୍ଦାବାଦ’’; ହାତ ମୁଠା କରି କୁଦା ମାରନ୍ତି । ବେକର ଶିରାସବୁ ଦୁହିଁ ହେଇଯାଏ, ଗମଗମ ଝାଳ ବହିଯାଏ । ଏମିତିରେ ସେ ବି ଦିନଯାକର ଗ୍ଳାନି, ଅପମାନ, ଅକ୍ଷମତାର ବୋଝକୁ ଉତାରି ଫିଙ୍ଗିଦିଅନ୍ତି । ଯେତେବେଳେ ସମୂହ-ସଙ୍ଗୀତ ବୋଲାହୁଏ :

 

‘‘ଭଲ୍‌ଗା କୂଳର ସାଥୀ ହେ

ନିଅ ଆମର ଲାଲ ସେଲାମ୍‌’’

 

ସେତେବେଳେ ଡନ୍‌, ଏନ୍‌ସୀ, ଭଲ୍‌ଗା ତଟବର୍ତ୍ତୀ ସେ କ୍ଷେତ୍ର ଖମାର ଓ ତା’ ପଛରେ ଉଠୁଥିବା କାରଖାନାର ଚିମନୀର ଧୂଆଁର ଚିତ୍ର ମାନସଚକ୍ଷୁରେ ଦେଖି ବଙ୍କୁବାବୁ ଲୁହ ସମ୍ଭାଳି ପାରନ୍ତି ନାହିଁ ।

 

ଏ ଦୁଇ ବନ୍ଧୁଙ୍କ ପୁଅମାନେ କିନ୍ତୁ ଏସବୁଥିରେ ନାହାନ୍ତି । ଜର୍ଜ ହ୍ୟାରିସନ୍‌ ମୁଛ, ଝାମ୍ପୁଡ଼ା ବାଳ ଓ ବେଲ୍‌ବଟମ୍‌ ପିନ୍ଧି ସେମାନେ କଲେଜକୁ ଯାଆନ୍ତି । ହପ୍ତାରେ ତିନି ଥର ସିନେମା ଦେଖନ୍ତି-। ‘ଫାଇଟିଂ ସିନ୍‌’ରେ ଦିଲୀପକୁମାର ଆଉ ରାଜକପୁରଙ୍କୁ ଦେଖିବାପାଇଁ ସେମାନେ ଖାଇବା ଶୋଇବା ଭୁଲିଯାନ୍ତି । ଉଃ, କେମିତି ଖେଳ ! ଯୁଦ୍ଧ ଦେଖି ରୋମ ଟାଙ୍କୁରି ଉଠେ; ସିଟ୍‌ ଉପରୁ ଅଧା ଉଠିପଡ଼ନ୍ତି । ପୁଣି ବିଫଳ ପ୍ରେମର କରୁଣ ଦୃଶ୍ୟ ଦେଖି ଆଖିରୁ ଧାର ଧାର ଲୁହ ବୋହିପଡ଼େ । ଆହା-ହା ! ଖଣ୍ଡିତାନାୟିକା ପାଗଳିନୀ ପରି ହେଇ ବିଲବାଡ଼ି ଡେଇଁ, କଣ୍ଟାଝଟା ମାଡ଼ି କୁଆଡ଼େ ଚାଲିଛି ! ବାଟକଡ଼ରେ ପଡ଼ିଗଲା ଅନାହାର ଅନଶନରେ ଚେତା ହରେଇ ! ହାୟ, ହାୟ ! ମହିଳା ଦର୍ଶକମାନଙ୍କର ପଣତ ଲୁହରେ ଭିଜିଯାଏ ।

 

(୨)

 

କବି ଗାଇଛନ୍ତି ପରା :

 

‘‘ଧିକ ସେ ସଂସାର ପ୍ରବଳର ଯହିଁ ସବୁ କଥାରେ ସୁଯୋଗ

ଦୁର୍ବଳର ଯହିଁ ଲଲାଟ ଲିଖନ ନୀରବେ ଯାତନାଭୋଗ ।’’

 

ବୈଜ୍ଞାନିକ କହିଲେ–‘‘ଜୀବନଟା ନଖଦାନ୍ତ ଲଗେଇ ଲଢ଼ାଯାଉଥିବା ଏକ ରକ୍ତାକ୍ତ ସଂଗ୍ରାମ ।’’

 

ତେଣୁ ଏ ‘ତୃଷିତ ମରୁ’ରେ ମଣିଷର କୋମଳ ବୃତ୍ତିପାଇଁ ସ୍ଥାନ ନାହିଁ । ତା’ର ଚିନ୍ତା ଓ ଦୁଃଖର ସମାଧାନ ନାହିଁ । ସେ ସହୁଥିବା ଅନ୍ୟାୟର ପ୍ରତିକାର ନାହିଁ ବୋଲି ଲୋକେ ଶହ ଶହ ବର୍ଷ ହେଲା ମାନିନେଇଛନ୍ତି । କିନ୍ତୁ ମନ ଭିତରେ ଯେଉଁ ବାମ୍ଫଗୁଡ଼ାକ ଜମାହେଉଛି, ଯେଉଁ କୋହ ଉଠୁଛି, ରକ୍ତ ଯେମିତି ତାତିଉଠୁଛି, ସେଗୁଡ଼ାକ ଯିବ କୁଆଡ଼େ ? କୀର୍ତ୍ତନ, ସ୍ଳୋଗାନ, ସିନେମା, ନାଟକ, ଉପନ୍ୟାସ ସେଥିପାଇଁ ଗୋଟାଏ ଗୋଟାଏ ବାଟ ଫିଟେଇ ଦେଇଛି । ସେଠି ଦୁଇ ଦଣ୍ଡ ବସି ଶର୍ମିଳାର କରୁଣ ଅଭିନୟ ଦେଖି ଲୁହବୁହା, ସଞ୍ଜୀବକୁମାରର ଦୁଃସାହସ ଓ ବୀରତ୍ୱ ଦେଖି ବୀରରସରେ ଆପ୍ଲୁତ ହୁଅ ଓ ସେଠୁ ଫେରିଆସ ପୁଣି ନିତିଦିନର ଘଷରା ଦୁନିଆର ଘର୍ଷଣ ମୁହଁ ବୁଜି ସହିବାକୁ । ଇଞ୍ଜିନ୍‌ର ସେଫ୍‌ଟୀ ଭଲ୍‌ଭ ପରି ଏସବୁ ବି ଚଳନ୍ତି ସମାଜର ସେଫ୍‌ଟୀ ଭଲ୍‌ଭ୍‌; ବାମ୍ଫ ବାହାରିଯିବାକୁ ଦେଇ ଅଧିକାଂଶଙ୍କ ପକ୍ଷରେ ଅସହ୍ୟ ହୋଇଉଠୁଥିବା ସମାଜର ପରିସ୍ଥିତିକୁ ଚାରିଫାଳ ହେଇ ଫାଟିଯିବାରୁ ରକ୍ଷାକରୁଛି ।

 

କିନ୍ତୁ ଏସବୁ ମୂଳରୁ ଏଇପରି ସେଫ୍‌ଟୀ ଭଲଭ କାମ କରିବାପାଇଁ ଉଦ୍ଭାବିତ ହେଇ ନ ଥିଲା । ମାର୍କ୍‌ସ ତ ସାମ୍ୟବାଦୀ ଆନ୍ଦୋଳନ ଆରମ୍ଭ କଲେ ପୁରୁଣା ସମାଜକୁ ଭାଙ୍ଗି ଚୂରମାର କରିବା ପାଇଁ; ମାତ୍ର ତାଙ୍କ ଚେଲାମାନଙ୍କ ହାତରେ କୋଉ କୋଉ ଦେଶରେ ସେଇଟା ହେଇଯାଇଛି ପୁରୁଣା ବ୍ୟବସ୍ଥାକୁ ବଞ୍ଚେଇ ରଖିବାର ଅସ୍ତ୍ର !

 

ଗଳ୍ପ, ନାଟକ, ଉପନ୍ୟାସ କ୍ଷେତ୍ରରେ ଯେଉଁ ସବୁ ଉଚ୍ଚକୋଟୀର ରଚନାରେ କୋଟି କୋଟି ଲୋକଙ୍କର ହୃଦୟକୁ ଦୋହଲେଇ ଦେବାର ଶକ୍ତି ରହିଛି, ତଲ୍‌ସ୍ତୟ, ଦୋସ୍ତୋଏଭସ୍କୀ, ଶେଖଭ, ଗର୍କୀ, ଶରତଚନ୍ଦ୍ର, ରବୀନ୍ଦ୍ରନାଥ, ପ୍ରେମଚନ୍ଦ୍‌, ଫକିରମୋହନ, ରୋଲାଁ, ଶ’, ଗୋପୀନାଥ ଆଦିଙ୍କ କୃତି, ସେସବୁଥିରୁ ଆମେ ଅନ୍ୟାନ୍ୟ ଜିନିଷ ଭିତରେ ପାଉ ଏକ ଉଷୁ‌ମ ସ୍ପର୍ଶ; ଯାହା ଆମର ଦୃଷ୍ଟି ଓ ହୃଦୟକୁ ପ୍ରସାରିତ କରେ । ଆମ ଚାରିପାଖରେ ଯେଉଁମାନଙ୍କୁ ଆମେ ପ୍ରତିଦିନ ଦେଖି ବି ଦେଖୁନାହିଁ, ଯାହାଙ୍କୁ ଆମେ ଘୃଣା ବା ଅବଜ୍ଞାରେ ଆଡ଼େଇ ଦେଉ, ଯେଉଁମାନଙ୍କୁ ଦୋଷୀ, ପାପୀ ବୋଲି କଠୋର ଭାବରେ ସମାଲୋଚନା କରୁ, ସେଇଭଳି ସବୁ ଲୋକଙ୍କୁ ଆମେ ନୂଆ ରୂପରେ ଦେଖୁ । ଦେଖି ବିସ୍ମିତ ହେଉ ଯେ–ଆରେ, ଏମାନେ ବି ତ ଆମରି ପରି ମଣିଷ । ଧର୍ମ, ଭାଷା, ସଭ୍ୟତା ଯେଉଁ ସବୁ ବାଡ଼ ସୃଷ୍ଟି କରିଛି, ଆମର ହୃଦୟ ସେସବୁକୁ ଏଇ ସାହିତ୍ୟର ରଣପା ଲଗେଇ ଡେଇଁ ପାରିହେଇଯାଏ । ପୁଣି ଯେଉଁମାନଙ୍କୁ ସମାଜ ଆମ ମୁଣ୍ଡ ଉପରେ ନେଇ ବସେଇଛି; ଯାହାଙ୍କୁ ଭୟ, ଭକ୍ତି, ସମ୍ମାନ ନ ଦେଖାଇଲେ ମଣିଷର ଦିନ ସରେ ନାହିଁ; ସେମାନଙ୍କୁ ବି ସାହିତ୍ୟ ଟାଣିଆଣେ ସମସ୍ତଙ୍କର ସମାନ ସ୍ତରକୁ । ସେମାନଙ୍କର ବି ବଡ଼ପଣିଆର ମୁଖା ଖୋଲିଯାଇ ପ୍ରକୃତ ମଣିଷରୂପ ବାହାରିପଡ଼େ ।

 

କିନ୍ତୁ ଅଧିକାଂଶ କ୍ଷେତ୍ରରେ ସାହିତ୍ୟର ଏ ଭାବ-ଜଗତ ଓ ନିତିଦିନିଆ ଜଗତ ଅଲଗା ଅଲଗା ରହିଯାଏ । ସାହିତ୍ୟିକମାନେ ଯେତେ ଉଦାର କଥା ଲେଖନ୍ତୁ, ଦୁନିଆଟା ତ ଚଳୁଛି ଆଉ ପ୍ରକାରେ । ଶରତ୍‌ଚନ୍ଦ୍ରଙ୍କର କାହାଣୀରେ ମଦୁଆ ଦେବଦାସ ପ୍ରତି ସହାନୁଭୂତି ଜନ୍ମେ; କିନ୍ତୁ ସାହିରେ ମଦୁଆ ଯେତେବେଳେ ଝିଅ-ବୋହୂଙ୍କୁ ବାଟ ଚଲେଇ ଦିଅନ୍ତି ନାହିଁ, ସେତେବେଳେ କ’ଣ ଶରତଚନ୍ଦ୍ରଙ୍କୁ ଧୋଇ ଖାଇବ ? ପିଆରୀ ବାଈଜୀର କଥା ପଢ଼ି ତ ଆଖିରୁ ଲୁହ ବହିବ; ତା’ ବୋଲି ସେମିତିଆ ଲୋକକୁ ସାଇ ମଝିରେ ଘର କରି ରହିବାକୁ ଦବ ? ପ୍ରେମଚନ୍ଦ୍‌ଙ୍କର ହିନ୍ଦୁ-ମୁସଲମାନ୍‌ ବନ୍ଧୁତ୍ୱର କାହାଣୀ କେଡ଼େ ମଧୁର, କେଡ଼େ କରୁଣ; କିନ୍ତୁ ତେଣେ ଆମେରିକା, ଚୀନ ସମସ୍ତେ ପାକିସ୍ତାନକୁ ଅସ୍ତ୍ର-ଶସ୍ତ୍ର ଯୋଗେଇଲାବେଳକୁ ଏଣେ କ’ଣ ମାନବପ୍ରେମକୁ ଝୁରି ହାତ ବାନ୍ଧି ବସିଥିବ ? ଏମିତି ଭାବରେ ଏ ଜଗତଟାକୁ ନିତିଦିନିଆ ଜଗତଠୁଁ ଅଲଗା କରି ତା’ପାଇଁ ଖାସ୍‌ ଜାଗା, ଖାସ୍‌ ବେଳ ସଂରକ୍ଷିତ କରିଦିଆଯାଇଛି ।

 

ଭକ୍ତିର ବି ସେଇ ଅବସ୍ଥା । ଶାସ୍ତ୍ରମାନଙ୍କରେ ଭକ୍ତର ବହୁତ ବଡ଼ ବଡ଼ ଗୁଣ କଥା କୁହାଯାଇଛି । ଗୀତାରେ (୧୨କ ଅଧ୍ୟାୟ) କୁହାଯାଇଛି–ସେ ହେବ ‘‘ଅହେଷ୍ଟା ସର୍ବଭୂତାନାଂ ମୈତ୍ରଃ କରୁଣ ଏବ ଚ’’; ପୁଣି ‘‘ସମଃ ଶତ୍ରୌ ଚ ମିତ୍ରେ ଚ’’ । ସମସ୍ତ ସୃଷ୍ଟିରେ କାହାରି ପ୍ରତି ତାହା ମନରେ ଦ୍ୱେଷ ରହିବ ନାହିଁ; ସେ ମିତ୍ରଭାବାପନ୍ନ ଓ କରୁଣାମୟ ହେବ । ଶତ୍ରୁ ଓ ମିତ୍ରଙ୍କୁ ସେ ସମାନଦୃଷ୍ଟିରେ ଦେଖିବା । ପୁଣି ଆଉ ଠାଏ କହିଛି–ଭକ୍ତମାନେ ‘‘ସର୍ବଭୂତହିତେରତାଃ’’; ସାରା ସୃଷ୍ଟି ବା ସବୁ ପ୍ରାଣୀଙ୍କର ହିତସାଧନ କରିବାରେ ରତଥାନ୍ତି । ମାତ୍ର ଏସବୁ ପୋଥିବାଇଗଣ କରି ରଖିଦିଆଯାଇଛି ।

 

ଏସବୁକୁ ସମାଜ-ଜୀବନରେ ଲାଗୁକରିବା ଚେଷ୍ଟାକୁ ଚପେଇ ଦିଆଯାଇଛି । ତା’ର ସ୍ଥାନ କରିଦିଆଯାଇଛି ଠାକୁର ଘରେ, ଭାଗବତ ଗାଦିରେ, ମଠ ଓ ମନ୍ଦିରରେ । ‘‘ସମଃ ଶତ୍ରୌ ତ ମିତ୍ରେ ଚ’’ କେମିତି ହେବ, ସେ ତ ଦୂରର କଥା–ଜାତିଭେଦ ଓ ଉଚ୍ଚ ନୀଚ ଭେଦଭାବ ଭଳି ସାଧାରଣ ସ୍ତରର କଥାକୁ ବଦଳାଇବା ଚେଷ୍ଟା ବି ଆଗେଇ ପାରିନାହିଁ । କଥାରେ ଅଛି: ‘‘ବାର ଜାତି ତେର ଗୋଲା, ବୈଷ୍ଣବ ହେଲେ ସବୁ ଗଲା ।’’ ଚୈତନ୍ୟ ମହାପ୍ରଭୁ ଜାତିଭେଦ ବିରୋଧରେ ଅଭିଯାନ ଆରମ୍ଭ କରିଥିଲେ; ଯବନ ହରିଦାସଙ୍କୁ ସାଥୀ କରିଥିଲେ । ଏକସମୟରେ ‘ହରିବୋଲ’ ଧ୍ୱନି ଏବକାର ‘‘ଇନ୍‌କିଲାବ୍‌ ଜିନ୍ଦାବାଦ୍‌’’ ପରି ଏକ ବିଦ୍ରୋହୀ ଦୁଆ ଥିଲା । ନଦିଆର କାଜି ହୁକୁମ ଜାରି କରିଥିଲେ ଯେ ହିନ୍ଦୁମାନେ ପ୍ରକାଶ୍ୟରେ କୌଣସି ଧର୍ମାନୁଷ୍ଠାନ, ପୂଜାପାଠ ଆଦି କରିପାରିବେ ନାହିଁ । ମାନବିକ ଅଧିକାର ଉପରେ ଏ କଟକଣାକୁ ଭାଙ୍ଗିବା ପାଇଁ ଚୈତନ୍ୟ ମହାପ୍ରଭୁ ସହରର ଟୋକାଟାକଳିଆଙ୍କୁ ଧରି ଏକ ସଂକୀର୍ତ୍ତନ ଶୋଭାଯାତ୍ରା ଆରମ୍ଭ କଲେ । ‘ହରିବୋଲ’ ଧ୍ୱନିରେ କାଜିଙ୍କର ହୁକୁମ ଭାଙ୍ଗି ଟୁକୁରା ଟୁକୁରା ହୋଇଗଲା ।

 

ବ୍ରାହ୍ମଣମାନେ ପାପ-ପୁଣ୍ୟର ବଡ଼ ବଡ଼ ଫର୍ଦ୍ଦ ତିଆରି କରି ରଖିଥିଲେ । ପଦେ ପଦେ କଥାରେ ଅଶୌଚ, ପାପ, ସ୍ପର୍ଶଦୋଷ । ସେଥିରୁ ରକ୍ଷାପାଇବାକୁ ହେଲେ ବ୍ରାହ୍ମଣଙ୍କର ଶରଣ ପଶିବାକୁ ହେବ; ସେମାନଙ୍କୁ ଦକ୍ଷିଣା ଗଣିବାକୁ କଂସା-ବାସନ ବନ୍ଧାପକାଇବାକୁ ହେବ । ଚୈତନ୍ୟ ମହାପ୍ରଭୁ ବ୍ୟବସ୍ଥା ଦେଲେ, ହରିନାମ ନେଲେ ଯେତେ ବଡ଼ ପାପ ହୋଇଥାଉ, ଖଣ୍ଡିଯିବ; ବ୍ରାହ୍ମଣଙ୍କ ପଛରେ ଗୋଡ଼ାଇବା ଲୋଡ଼ା ନାହିଁ :

 

‘‘ହରିର୍‌ ନାମ ମହାମନ୍ତ୍ର ଯତ ଦୂର୍‌ ଯାୟ

ବ୍ରହ୍ମହତ୍ୟା ଗୋହତ୍ୟା ପାପ ଛାଡ଼ିୟା ପଲାୟ ।’’

 

ଅନ୍ୟ ଅନେକ ସନ୍ଥଙ୍କ ଜୀବନରେ ବି ଏହିପରି ବିଦ୍ରୋହର ସ୍ଫୁଲିଙ୍ଗ ଦେଖିବାକୁ ମିଳେ । କିନ୍ତୁ ଏ ବିଦ୍ରୋହ ପୁରୁଣା ସମାଜକୁ କାବୁ କରିପାରିଲା ନାହିଁ; ପୁରୁଣା ସମାଜ ହିଁ ତା’କୁ କାବୁ କରିଦେଲା । ଫଳରେ ଭକ୍ତିମାର୍ଗ ତା’ର ସବୁ ଉଚ୍ଚ ଗୁଣାବଳୀର ବର୍ଣ୍ଣନା ସତ୍ତ୍ୱେ ଦେଶରେ ଜାତିଭେଦ, ଛୁଆଁ-ଅଛୁଆଁ, ରାଜା-ଜମିଦାରଙ୍କ ଅତ୍ୟାଚାର, ସ୍ତ୍ରୀଜାତିର ଦାସତ୍ୱ–ସବୁ କିଛି ସେମିତି ଚାଲୁରହିଲା ।

 

ମାତ୍ର ଭକ୍ତିର ଚାହିଦା ତ ଆଜିକାଲର ଆଖିକୁ ମାମୁଲି ଦେଖାଯାଉଥିବା ସମାଜ-ସଂସ୍କାରରେ ଅଟକୁ ନାହିଁ । ସେଥିରେ କୁହାଗଲା, ଶତ୍ରୁ ଓ ମିତ୍ରକୁ ସମାନଦୃଷ୍ଟିରେ ଦେଖିବ ! ସାଧୁ ଓ ଚୋରକୁ ସମାନଦୃଷ୍ଟିରେ ଦେଖିବ କେମିତି ? ଏ ଦିଗରେ କୌଣସି ଚେଷ୍ଟା ହେବା ତ ଦୂରର କଥା, ଗତାନୁଗତିକ ଧର୍ମଗୁରୁମାନଙ୍କର ପରାମର୍ଶ ଏଇଆ ହୋଇଆସିଛି ଯେ ସଂସାରରେ ଚଳିବାକୁ ହେଲେ ସବୁଦିନେ ସମସ୍ତେ ଯେମିତି କରିଆସିଛନ୍ତି, ସେମିତି କରିବାକୁ ହେବ ।

 

ଜଣେ ଚେଲା ତାଙ୍କ ଗୁରୁଙ୍କୁ କହିଲେ, ‘‘ଆପଣ ତ କହିଲେ ସବୁଠିଁ ବ୍ରହ୍ମ । ବାଟରେ ଯାଉଥିଲି–ତେଣୁ ହାତୀ ଆସୁଥିଲା । ମୁଁ ବି ବ୍ରହ୍ମ; ସେ ବି ବ୍ରହ୍ମ । ବାଟରୁ ହଟିବ କାହିଁକି ବୋଲି ସିଧା ଚାଲିଲି । ହାତୀ ମୋତେ ଠେଲିଦେଲା ଯେ ନଳାରେ ପଡ଼ି ଲହୁଲୁହାଣ ଅବସ୍ଥା ।’’

 

ଗୁରୁ ପଚାରିଲେ–‘‘ହାତୀ ଉପରେ ମାହୁନ୍ତ ବ୍ରହ୍ମ ତ ଥିବ । ସେ ବାଟରୁ ହଟିଯିବାକୁ କହିଲା କି ନାହିଁ ?’’

 

-‘‘ଆଜ୍ଞା ହଁ !’’

 

-‘‘ତେବେ ସେ ବ୍ରହ୍ମକଥା ନ ଶୁଣିଲୁ କାହିଁକି ?’’

 

ଗୁରୁଗୋସେଇଁମାନେ ତ କହିଦେଇଛନ୍ତି ଯେ ସଂସାରରେ ଚଳିବାକୁ ହେଲେ ତା’ର ନିୟମ ମାନି ଚଳିବାକୁ ହେବ । ଖାଲି ମନରେ କାହା ପ୍ରତି ରାଗ-ରୋଷ ନ ରଖି ଯାହା କରିବାର କରିଯା’ । କୃଷ୍ଣ ଅର୍ଜ୍ଜୁନଙ୍କୁ ସମଦୃଷ୍ଟି ବିଷୟରେ ବକ୍ତୃତା ଦେଇସାରି ପୁଣି ବୁଝେଇଲେ ‘‘ଯୁଧ୍ୟସ୍ୱ ବିଗତଜ୍ୱରଃ’’-ମନରେ କୌଣସି ରାଗ ରୋଷ ନ ରଖି ଯୁଦ୍ଧ କର । ତାହା ହେଲେ ହିଁ ହେଲା ।

 

ପୈଗମ୍ବର ହଜରତ୍‌ ମହମ୍ମଦଙ୍କର ସାଥୀ ଖଲିଫା ଓମର୍‌ଙ୍କ କଥା ଅଛି । ସେ ଥରେ ଏକ ଯୁଦ୍ଧରେ ଜଣେ ଶତ୍ରୁସୈନ୍ୟଙ୍କର ଛାତି ଉପରେ ଚଢ଼ି ବସି ତା’କୁ ହତ୍ୟା କରିବାପାଇଁ ଖଣ୍ଡା ଉଞ୍ଚେଇଛନ୍ତି; ସେ ଲୋକ ତାଙ୍କ ମୁହଁରେ ଥୁକିଦେଲା । ଓମର୍‌ ତତ୍‌କ୍ଷଣାତ୍‌ ଖଣ୍ଡା ଫିଙ୍ଗିଦେଇ ତା’କୁ ଛାଡ଼ିଦେଲେ । ସେ କାବା ହୋଇ ପଚାରିଲା ଯେ ଥୁକିବା ଯୋଗୁଁ ତ ତା’କୁ ଆହୁରି ବେଶୀ କଷ୍ଟଦେଇ ମାରିବା କଥା; କିନ୍ତୁ ଏ କ’ଣ ହେଲା ? ଓମର୍‌ ଜବାବ ଦେଲେ-‘‘ଏ ଥୁକିବା ଯୋଗୁଁ ମୋ ମନରେ କ୍ରୋଧ ଆସିଗଲା । ଯୁଦ୍ଧ କରିବାବେଳେ ଅକ୍ଷୁବ୍‌ଧ ରହି ମନକୁ ସଂଯତ ରଖିବା ଚାହିଁ । ସେ ସଂଯମ ଭାଙ୍ଗିଯିବାରୁ ମୁଁ ତଲଓ୍ୱାର ଫିଙ୍ଗିଦେଲି ।’’

 

ଗୀତାର ‘ମଧ୍ୟସ୍ୱ ବିଗତଜ୍ୱରଃ’ ର ଏକ ଉତ୍ତମ ଉଦାହରଣ । ଏହାଦ୍ୱାରା ଓମର୍‌ଙ୍କର ଆଧ୍ୟାତ୍ମିକ ଉନ୍ନତି ଖୁବ୍‌ ହେଲା । କିନ୍ତୁ ଯୁଦ୍ଧ-ସମସ୍ୟାର କି ଉପାୟ ବାହାରିଲା ? ଯେଉଁ ମୃତ୍ୟୁର ବିଭୀଷିକା, ଆହତମାନଙ୍କର ଦାରୁଣ ଯନ୍ତ୍ରଣା, ଯେଉଁ ଧ୍ୱଂସଲୀଳା, ସାଧାରଣ ଜନତାର ଯେଉଁ ଦୁର୍ଦ୍ଦଶାଭୋଗ–ସବୁଦିନେ ଯୁଦ୍ଧର ପରିଣାମ ଥିଲା ଓ ଏବେ ପରମାଣୁ-ଯୁଗରେ ସହସ୍ର ଗୁଣିତ ହୋଇଛି, ତା’ର ନିବାରଣର କି ଉପାୟ ଏସବୁ ଶାସ୍ତ୍ରବଚନରୁ ବାହାରିଲା ? ହିରୋସିମା ଉପରେ ଯେଉଁ ବିମାନଚାଳକ ଏଟମ୍‌ବମ୍‌ ପକେଇଥିଲେ, ସେତ ତାହା ବେଶ୍ ପ୍ରଫୁଲ୍ଲ ଚିତ୍ତରେ, ମନରେ କୌଣସି ଉତ୍ତେଜନା ନଥାଇ କରିଥିଲେ । ସକାଳୁ ହୃଷ୍ଟ ଚିତ୍ତରେ ସେ ଜଳଖିଆ ଖାଇ ବାହାରିଥିବେ ଓ ବୋମା ପକେଇସାରି ଫେରିଯାଇ ସାଙ୍ଗମାନଙ୍କ ସଙ୍ଗରେ ବାକି ଦିନଟା ବେଶ୍ ଫୁର୍ତ୍ତିରେ କଟେଇଥିବେ । ହିରୋସୀମାର ଲୋକଙ୍କୁ ସେ ଚିହ୍ନି ନ ଥିଲେ କି ସେମାନଙ୍କ ପ୍ରତି ତାଙ୍କ ମନରେ କୌଣସି ଦ୍ୱେଷ ନଥିଲା । କିନ୍ତୁ ୟା’ ଦ୍ୱାରା ସେଠାର ଦୁଇ ଲକ୍ଷ ମୃତାହତଙ୍କର ଯନ୍ତ୍ରଣା କିଛି କମିଲା କି ?

 

ୟା’ର ଜବାବ୍‌ ବି ଦିଆଯାଇଛି । ‘ଏ ସଂସାର ତ ଯେମିତି ଚାଲିବାର ଚାଲିଥିବ–‘‘ସେଥିରେ ସର୍ବେ ନିଜ ନିଜର ଅଭିନୟ ସାରି ବାହୁଡ଼ିବେ କାଳବଳେ’’–ସେଇ ବାହୁଡ଼ିବା ପର କଥା ହେଲା ଅସଲ । ଏଠି ତେମେ ଯାହା କରିଥାଅ, ମନଟାକୁ ଯଦି ନିର୍ମଳ ରଖିଥିବ, ତେବେ ବାହୁଡ଼ିବା ପରେ ମୋକ୍ଷଶିଡ଼ିରେ ପାହାଚେ ପାହାଚେ ଉପରକୁ ଉଠୁଥିବ । ଯେତେ ଯାହା କୁହାଯାଇଛି ସମଦୃଷ୍ଟି, ମୈତ୍ରୀ, କରୁଣା ଆଦି–ସେସବୁ ସମ୍ବନ୍ଧ ସେଇ ପରଲୋକ ସାଙ୍ଗରେ । ଏ ଦୁନିଆରେ ସେସବୁର ପରିଣାମ ଖୋଜିବସିବା ବାତୁଳତା ମାତ୍ର । ’

 

ପ୍ରକୃତରେ ଆମ ଦେଶରେ ଯେତେ ଯେତେ ମୂଲ୍ୟବୋଧର ପ୍ରଚାର ହୋଇଛି, ସେସବୁର ସମ୍ୱନ୍ଧ ପରଲୋକ ସହିତ ଯୋଡ଼ା ହୋଇଥିବାରୁ ସେସବୁକୁ ଜୀବନରେ କାର୍ଯ୍ୟକାରୀ କରିବାର କୌଣସି ଖାସ୍ ଚେଷ୍ଟା ପୂର୍ବରୁ ହେଉ ନଥିଲା । ଜନ୍ମ-ମୃତ୍ୟୁର ବନ୍ଧନ କାଟିବା ତ ଏକ ଚରମପନ୍ଥୀ କାର୍ଯ୍ୟକ୍ରମ; ଏକାବେଳକେ ମୂଳରେ କଟୁରି-ଚୋଟ । ଆଉ ଏ ସଂସାର-ବୃକ୍ଷର ଡାଳପତ୍ର କାଟିବାରେ ଲାଗିବା କି ଦରକାର ? ଏଇ ବିଚାର ନେଇ ସମସ୍ତେ ଚାଲିଥିଲେ; ଏ ଦୁନିଆର ସମସ୍ୟା ଆଡ଼କୁ ଦୃଷ୍ଟି ଯାଉ ନ ଥିଲା ।

 

(୩)

 

ଏଠି ଶ୍ରୀଚୈତନ୍ୟ ଆଦି ସନ୍ଥମାନେ ଯେଉଁ ଯୁଗରେ ଜନ୍ମିଥିଲେ, ପ୍ରାୟ ଏକାସମୟରେ ୟୁରୋପରେ ମଧ୍ୟ ଖ୍ରୀଷ୍ଟଧର୍ମର ପରମ୍ପରା ଭିତରେ ଏହିପରି ସନ୍ଥମାନଙ୍କର ଆବିର୍ଭାବ ହୋଇଥିଲା–ଧାର୍ମିକ ଜଡ଼ତା ବିରୋଧରେ ବିଦ୍ରୋହର ସ୍ପୁଲିଙ୍ଗ ରୂପେ । ଇସ୍‌ଲାମ ଧର୍ମରେ ମଧ୍ୟ ସେହିପରି ଭକ୍ତ, ପ୍ରେମିକ, ସୁଫିମାନଙ୍କର ଆବିର୍ଭାବ ଏକସମୟରେ ହୋଇଥିଲା । ଇତିହାସଧାରାର ଏ ଏକ ରହସ୍ୟ ଯେ ସେତେବେଳେର ଜଣାଶୁଣା ଏତେଗୁଡ଼ିଏ ଧର୍ମ-ପରମ୍ପରା ଭିତରେ ଏକାସମୟରେ ସହଜ ଭାଇଚାରା ଓ ପ୍ରେମର ବାନା ଧରି ଶାନ୍ତି ବିଦ୍ରୋହ ଦେଖାଗଲା । ସେତେବେଳେ ଏସବୁ ଧର୍ମ ସାଧାରଣ ଲୋକକୁ ଦବେଇବାର, ଦାସ କରି ରଖିବାର ଅସ୍ତ୍ରରେ ପରିଣତ ହେଲାଣି । ରାଜା, ବାଦଶାହମାନେ ଧର୍ମର ପୁରୋଧା, ରକ୍ଷକ ଓ ପ୍ରଚାରକର ଧ୍ୱଜା ଧରି ‘ଧର୍ମପ୍ରସାର’ ସାଙ୍ଗେ ସାଙ୍ଗେ ନିଜ ନିଜର ରାଜତ୍ୱ ଓ ସାମ୍ରାଜ୍ୟର ପ୍ରସାର ବି ମହାଉଲ୍ଲାସରେ ଚଳାଇଛନ୍ତି । ସେମାନଙ୍କ ପଛରେ ପୋପ୍‌, ପାଦ୍ରି, ପୁରୋହିତ, ବ୍ରାହ୍ମଣ, ମୋଲ୍ଲା, ମୌଲବୀ ସବୁ ଠିଆ । ଏହାରି ବିରୋଧରେ ସନ୍ଥମାନଙ୍କର ବିଦ୍ରୋହ, ଜୀବନକୁ ପୁଣି ମାନବିକ ମୂଲ୍ୟବୋଧର ମୂଳଦୁଆ ଉପରେ ପ୍ରତିଷ୍ଠା କରିବା ଚେଷ୍ଟାରେ ।

 

ଏଇ ସନ୍ଥମାନଙ୍କ ପଛେ ପଛେ ଆସିଲା ନବଜନ୍ମର ଯୁଗ । ଚିନ୍ତୁକ, ଲେଖକ, ଦାର୍ଶନିକ, ଶିଳ୍ପୀ, ସମସ୍ତଙ୍କ ଭିତରେ ବିଦ୍ରୋହ ଦେଖାଦେଲା । ଧର୍ମଶାସ୍ତ୍ରରେ ଅନ୍ଧାର ଅମୁହାଁ ଗଳିଭିତରୁ ବାହାରି ଜ୍ଞାନର ଅସରନ୍ତି ପ୍ରାକୃତିକ ଭଣ୍ଡାରର ସନ୍ଧାନ ଚାଲିଲା । ପଶ୍ଚିମ ଓ ଉତ୍ତର ୟୁରୋପ ପୋପ୍‌ଙ୍କ ଆଧିପତ୍ୟରୁ ମୁକ୍ତ ହେଲା–ପ୍ରୋଟେଷ୍ଟାଣ୍ଟ ଧର୍ମର ବାନା ଧରି । ବିଜ୍ଞାନସାଧନା ଆଗେଇଲା । ଶିଳ୍ପ-ବ୍ୟବସାୟରେ ନୂଆ ନୂଆ ପରାକ୍ରମ ଦେଖାଦେଲା । ସବୁ ମଣିଷ ସମାନ, ସମସ୍ତଙ୍କର ଅଧିକାର ସମାନ; ନିଜ ନିଜ ରୁଚି ଅନୁସାରେ ଜୀବନ ବିତେଇବାର ଅଧିକାର ପ୍ରତ୍ୟେକର ଅଛି–ଏହି ମାନବିକ ମୂଲ୍ୟବୋଧକୁ ଭିତ୍ତି କରି ଧର୍ମ ନିରପେକ୍ଷ ବିଚାରଧାରା ଗଢ଼ିଉଠିଲା । ଶେଷକୁ ଏ ବିଦ୍ରୋହ ବ୍ୟାପିଲା ସାଧାରଣ ଗରିବରୁ ଗରିବ ଲୋକଙ୍କ ଭିତରକୁ । ଏଥିରୁ ବାହାରିଲା ଗଣତନ୍ତ୍ର, ଫରାସୀବିପ୍ଲବ; ଇଂଲଣ୍ଡର ବିପ୍ଳବ, ପୁଣି ସମାଜବାଦ, ସାମ୍ୟବାଦ । ପୁରୁଣା ସାଆନ୍ତିଆ ସମାଜ ଭାଙ୍ଗିରୁଜି ଉଭେଇଗଲା । ଏଇ ମାନବିକ ଦୃଷ୍ଟିକୋଣକୁ ସମାଜ-ଜୀବନର ପ୍ରତ୍ୟେକ୍ଷ କ୍ଷେତ୍ରରେ କାର୍ଯ୍ୟକାରୀ କରିବାର ଉଦ୍ୟମ ଆରମ୍ଭ ହେଲା । ଏଇ ପରମ୍ପରା ଭିତରେ ଦେଖିବାକୁ ମିଳିବ ‘ସମଦୃଷ୍ଟି, ମିତ୍ରଭାବ ଓ କରୁଣା’ର ସୂକ୍ଷ୍ମ ବ୍ୟାବହାରିକ ପ୍ରୟୋଗର ସଫଳ ଚେଷ୍ଟା ।

 

ଏଇ ଚୋରଙ୍କ କଥା ନିଆଯାଉ । ଚୋର-ବ୍ରହ୍ମକୁ କଟୁମଳ-ବ୍ରହ୍ମ ଜିମା କରିଦେବା ନୀତି ତ ଏଯାଏ ଦୁନିଆରେ ଚାଲିଛି । ତେଣିକି ତା’ର ହାତ କଟୁ, ମୁଣ୍ଡ କଟୁ, କି କାରାବାସ ହେଉ । କିନ୍ତୁ କେତେ ଲୋକଙ୍କ ମୁଣ୍ଡରେ ପଶିଲା ଯେ ଅପରାଧୀ ତ ଆମରି ଭଳି ମଣିଷ; ତା’କୁ ଏତେ ହୀନିମାନି, ଏତେ ନିର୍ଯ୍ୟାତନା ନ ଦେଇ ତା’କୁ ସ୍ଥାୟୀ ଭାବରେ ଅବଜ୍ଞା ଓ ଘୃଣାର ଭାର ମୁଣ୍ଡେଇ ଜୀବନ ବିତେଇବାକୁ ବାଧ୍ୟ ନ କରି କ’ଣ ପୁଣି ଭଲ ମଣିଷ କରିହେବ ନାହିଁ ?

 

ଫଳରେ ଅନେକ ଦେଶରେ ଅନେକ ପ୍ରକାରର ପରଖ ହୋଇଛି । ମନୋବିଜ୍ଞାନ, ସମାଜବିଜ୍ଞାନରେ ନାନା ଅଧ୍ୟୟନ ହୋଇଛି । ଅନେକ ବିଶେଷଜ୍ଞ ଜୋର ଦେଇ କହୁଛନ୍ତି ଯେ ଅପରାଧ ମୂଳରେ ରହିଛି ମାନସିକ ଅସ୍ୱାସ୍ଥ୍ୟ । ମେଲେରିଆ ବା ଯକ୍ଷ୍ମାରୋଗୀକୁ ଚିକିତ୍ସା କରି ଭଲ କରାହେଉଛି; ସେମିତି ଅପରାଧୀର ବି ଚିକିତ୍ସା ଲୋଡ଼ା । ଅନେକ ପାଶ୍ଚାତ୍ୟ ଦେଶରେ ଏବେ ଏହା ଫଳରେ ଅପରାଧୀମାନଙ୍କର ଚିକିତ୍ସା ପାଇଁ ସରକାର ପକ୍ଷରୁ ମନୋବିଜ୍ଞାନୀ ନିଯୁକ୍ତ ହୋଇଛନ୍ତି ।

 

ଅପରାଧୀକୁ ବାଟକୁ ଆଣିବାର ଏକ ବଡ଼ ଉଦ୍ୟମ ହୋଇଥିଲା ଋଷ୍ ଦେଶରେ ୧୯୧୭ର ବିପ୍ଲବ ପରେ । ବିପ୍ଲବ ପରେ ସେଠାରେ ଅନେକ ଦିନଯାଏ ଅରାଜକ ଅବସ୍ଥା ରହିଲା-। ଘରଦ୍ୱାର ଓ ଧନ୍ଦା ନଥିବା ଦଳ ଦଳ ଯୁବକ ଏଣେତେଣେ ବୁଲି ଚୋରି, ଡକେଇତି ଓ ହତ୍ୟାକାଣ୍ଡ କରି ଲାଗିଲେ । ଶହ ଶହ ଝିଅ ବି ଏମାନଙ୍କ ମେଣ୍ଟରେ ରହି ଚୋରି, ବେଶ୍ୟାବୃତ୍ତି ଆଦି କଲେ । କଠୋର ଶାସ୍ତି ଛଡ଼ା ସରକାର ପାଖରେ ଏସବୁର କୌଣସି ପ୍ରତିକାର ନଥିଲା । ମାକାରେଙ୍କୋ ନାମକ ଜଣେ ଶିକ୍ଷକ ସମସ୍ୟାକୁ ଭିନେ ଦୃଷ୍ଟିରେ ଦେଖିଲେ । ସେ ଏମାନଙ୍କୁ ସତ୍‌ମାର୍ଗକୁ ଆଣିବାର ଉଦ୍ୟମ କଲେ ଓ ସଫଳ ହେଲେ । ଏପରି ଶହ ଶହ ଯୁବକ ଯୁବତୀ ସତ୍‌, କର୍ମଠ ଓ ଶିକ୍ଷିତ ନାଗରିକରେ ପରିଣତ ହେଲେ । ମାକାରେଙ୍କୋ ଏମାନଙ୍କୁ ଘୃଣା ନ କରି ସ୍ନେହ ଓ କରୁଣା ଦୃଷ୍ଟିରେ ଦେଖିଲେ । ମନୋବିଜ୍ଞାନର ଯେତକ ବିଦ୍ୟା ସେତେବେଳେ ଜଣାଥିଲା, ତାହାକୁ କାମରେ ଲଗେଇଲେ । ଏଥିରୁ ଏ ବିଷୟରେ ନୂଆ ଜ୍ଞାନ ବି ମିଳିଲା ।

 

ଚମ୍ବଲଘାଟିରେ ଡକେଇତମାନଙ୍କୁ ପ୍ରବର୍ତ୍ତେଇ ଭଲ ବାଟକୁ ଆଣିବା ଉଦ୍ୟମରେ ବିନୋବାଙ୍କ ସାଫଲ୍ୟ ତ ପ୍ରସିଦ୍ଧ ଘଟଣା । ପୁଣି ସମାଜର ଗତିବିଧି ନିରେଖି ଦେଖିବାବେଳକୁ ଦେଖାଯାଉଛି ଯେ ଗରିବ ଲୋକ ପେଟ ବିକଳରେ ଚୋରି କରୁଛନ୍ତି, ସବଳ ଲୋକେ ସେମାନଙ୍କର ଜମିବାଡ଼ି ଛଡ଼େଇ ନେଉଛନ୍ତି । ଅନ୍ୟ ଧନ୍ଦା କେହି ଦେଉନାହାନ୍ତି । ଏମାନଙ୍କୁ ଚୋର ବୋଲି ନ ଘଉଡ଼େଇ ଜମିବାଡ଼ି ବା ଧନ୍ଦା ଦେଲେ ସେମାନେ ସତ୍‌ ବାଟରେ ଖୁସିରେ ଚଳୁଛନ୍ତି । ରାଜସ୍ଥାନରେ ଠାଏ ଖଦୀ-ଗ୍ରାମୋଦ୍ୟୋଗ୍ୟ କାମ ଗାଁମାନଙ୍କରେ ଜୋରସୋରରେ ଚାଲିବାରୁ ପୁଲିସବାଲା କହିଲେ ଯେ ଆମ କାମ କମିଗଲା । ଚୋରି, ତସ୍କରି ଆଉ ପୂର୍ବପରି ହେଉନାହିଁ ।

 

ଏ ଦେଶରେ ଯଦି କୌଣସି ସ୍ତ୍ରୀକୁ ଗୁଣ୍ଡାମାନେ ଜୋର କରି ଧର୍ଷଣ କରନ୍ତି, ତେବେ ବି ହିନ୍ଦୁ ସମାଜର ଦ୍ୱାର ତାହା ପାଇଁ ବନ୍ଦ ହୋଇଯାଏ । ଆମର ଏ ‘ନୀତିମତ୍ତା’ ଯୋଗୁଁ ସାମ୍ପ୍ରଦାୟିକ ଦଙ୍ଗାରେ ଧର୍ଷିତା ହୋଇଥିବା ହଜାର ହଜାର ସ୍ତ୍ରୀଲୋକ ସେମାନଙ୍କର ପରିବାର ଦ୍ୱାରା ପରିତ୍ୟକ୍ତ ହୋଇ ଆଶ୍ରୟହୀନ ହୋଇଛନ୍ତି ଓ ସେଥିଭିତରୁ କେତେ ନା କେତେ ଅସତ୍‌ ଉପାୟରେ ପେଟ ପୋଷିବା ପାଇଁ ବାଧ୍ୟ ହୋଇଛନ୍ତି ।

 

ଦକ୍ଷିଣ-ଭିଏତ୍‌ନାମରେ ଆମେରିକା ଯୁଦ୍ଧ ଚଳାଇଥିବାବେଳେ ସେଠାର ହଜାର ହଜାର ବା ବୋଧହୁଏ ଲକ୍ଷସଂଖ୍ୟକ ଯୁବତୀ ବେଶ୍ୟାବୃତ୍ତି କରି ପେଟ ପୋଷିବାକୁ ବାଧ୍ୟ ହୋଇଥିଲେ । ଏବେ ସେଠୁ ଆମେରିକାର ସେନା ଅପସରି ଯାଇ ସେଠି ନୂଆ ଶାସନ ଚାଲୁହେବା ପରେ ସେମାନଙ୍କୁ ‘ପୁନଃ ଶିକ୍ଷିତ’ କରି, ନାନା ଧନ୍ଦା ଶିଖେଇ ପୁଣି ସତ୍‌-ଜୀବନକୁ ଫେରାଇଆଣିବାର ଏକ ବ୍ୟାପକ ଉଦ୍ୟମ ଚାଲିଛି ବୋଲି ଖବର ବାହାରିଛି । ଏହା ପଛରେ ସମଦୃଷ୍ଟି ଓ କରୁଣା ରହିଛି ନିଶ୍ଚୟ ।

 

ଲଢେଇରେ ବି ‘ସମଃ ଶତ୍ରୌ ଚ ମିତ୍ରେ ଚ’ କିପରି ସମ୍ଭବ ହେବ, ତାହାର ଉପାୟ ଖୋଜିବାକୁ ଯାଇ ଗାନ୍ଧୀଜୀ ସତ୍ୟାଗ୍ରହର ପନ୍ଥା ବାହାର କଲେ । ଏଥିରେ ନ୍ୟାୟ, ହକ୍‌ ଦାବି ପାଇଁ ଲଢ଼େଇ ବି ହୁଏ; ଅଥଚ ବିରୋଧୀ ପ୍ରତି ବିଦ୍ୱେଷ ବି ପୋଷଣ କରାଯାଏ ନାହିଁ । ଏ ଲକ୍ଷ୍ୟ ରହିଥାଏ ଯେ ଲଢ଼େଇ-ଭିଡ଼େଇ ସରିବାବେଳକୁ ଦୁଇ ପକ୍ଷ ଭିତରୁ ସବୁ ମନାନ୍ତର, ମତାନ୍ତର ଦୂର ହୋଇଯାଇ ବନ୍ଧୁତା ସ୍ଥାପିତ ହୋଇଯିବ । ଦକ୍ଷିଣ ଆଫ୍ରିକାରେ ଭାରତୀୟମାନଙ୍କର ନାଗରିକ ଅଧିକାର ପାଇଁ ଗାନ୍ଧୀଜୀ ସତ୍ୟାଗ୍ରହ ଆନ୍ଦୋଳନ ଚଳାଇଥିବାବେଳେ ସେଠାରେ ରାଷ୍ଟ୍ରପତି ଜେନେରାଲ ସ୍ମଟସ୍ ଥିଲେ ତାଙ୍କର ପ୍ରଧାନ ବିରୋଧୀ । ସ୍ମଟସ୍‌ ସରକାର ଗାନ୍ଧୀଜୀଙ୍କୁ ଅନେକଥର ଜେଲର ପୁରାଇଥିଲେ; ମାତ୍ର ଗାନ୍ଧୀଜୀ ଏଣେ ତାଙ୍କ ସହିତ ଲଢ଼େଇ ଚଳାଇବା ସାଙ୍ଗେ ସାଙ୍ଗେ ତେଣେ ବ୍ୟକ୍ତିଗତ ବନ୍ଧୁତା ମଧ୍ୟ ବାନ୍ଧିବାର ଯତ୍ନ କରୁଥିଲେ । ଗାନ୍ଧୀଜୀ ଚମଡ଼ାର ଚପଲ ତିଆରି ଶିଖିଥିଲେ ଓ ନିଜ ହାତରେ ହଳେ ଚପଲ ତିଆରି କରି ସ୍ମଟସ୍‌ଙ୍କୁ ଉପହାର ଦେଇଥିଲେ । ପରବର୍ତ୍ତୀ କାଳରେ ସ୍ମଟସ୍‌ ଗାନ୍ଧୀଜୀଙ୍କର ମାହାତ୍ମ୍ୟର ଉଚ୍ଛ୍ୱସିତ ପ୍ରଶଂସକ ହୋଇଥିଲେ । ଏହାଛଡ଼ା ଦେଶ-ଦେଶ ଭିତରେ ଯୁଦ୍ଧ ଦୂର କରିବାପାଇଁ ଅନେକ ଦେଶର ଅନେକ ବୈଜ୍ଞାନିକ ଶାନ୍ତି ଗବେଷଣାରେ ଲାଗିଛନ୍ତି । ଦେଶ-ଦେଶ ଭିତରେ ବିରୋଧର କାରଣ ଖୋଜିବା ଓ ବିରୋଧର ଶାନ୍ତିପୂର୍ଣ୍ଣ ସମାଧାନର ବାଟ ବାହାର କରିବା ଏମାନଙ୍କର ଲକ୍ଷ୍ୟ ।

 

ସାନପିଲାଙ୍କ ପ୍ରତି ବ୍ୟବହାରରେ ଯେଉଁ ପରିବର୍ତ୍ତନ ଗତ ଷାଠିଏ ସତୁରି ବର୍ଷ ଭିତରେ ହୋଇଛି, ତାହା ବି ଏଇ ସମଦୃଷ୍ଟି, କରୁଣାର ବ୍ୟାବହାରିକ ପ୍ରୟୋଗ ଭିତରେ ପଡ଼ିବ । ସାନ ପିଲା ହେଲେ ବି, ତା’ର ବୁଦ୍ଧି ଅପରିପକ୍ୱ ହେଲେ ବି, ସେ ଗୋଟିଏ ମଣିଷ । ବଡ଼ ସାବାଳକ ମଣିଷଙ୍କ ପରି ତା’ର ବି ମାନମର୍ଯ୍ୟାଦା, ଅଧିକାର ଅଛି । ତା’ର ପ୍ରାପ୍ୟ କେବଳ ସ୍ନେହ-ମମତା ନୁହେଁ; ଆଦର-ସମ୍ମାନ ମଧ୍ୟ ତା’ର ପ୍ରାପ୍ୟ । ଫଳରେ ଅଧିକାଂଶ ସମୃଦ୍ଧ ଦେଶମାନଙ୍କରେ ଘରେ ଓ ପାଠଶାଳାରେ ପିଲାଙ୍କ ଉପରେ ଗାଳି, ମାଡ଼, ସେମାନଙ୍କର ଲାଞ୍ଛନା ଓ ଅପମାନ ଉଠିଗଲାଣି । ପିଲାଙ୍କର ବ୍ୟକ୍ତିତ୍ୱ ଅଧିକ ପୂର୍ଣ୍ଣତା ଆଡ଼କୁ ସେଠି ପ୍ରସ୍ଫୁଟିତ ହେଉଛି । ଆମ ଦେଶରେ ବି କେତେକ ମହଲରେ ଏ ହାଓ୍ୱା ବାଜିଲାଣି ।

 

ଏମିତି ଆହୁରି ଉଦାହରଣ ଦିଆଯାଇପାରେ । କରୁଣା ଓ ସହାନୁଭୂତି ସାଙ୍ଗକୁ ବୈଜ୍ଞାନିକ ଦୃଷ୍ଟି ଓ ଉଦ୍ୟମ ମିଶିବା ଦ୍ୱାରା ଏସବୁ ସମ୍ଭବ ହୋଇଛି । ଗାନ୍ଧୀ, ମାକାରେଙ୍କୋ ବା ମଣ୍ଟେସରୀ ମାନବପ୍ରେମରେ ଉଦ୍‌ବୁଦ୍ଧ ହୋଇ କେବଳ ଆଖିରୁ ଲୁହ ଗଡ଼େଇଲେ ନାହିଁ, କି ଭାବବିଭୋର ହୋଇ ମୂର୍ଚ୍ଛାଗଲେ ନାହିଁ, କି ହିମାଳୟକୁ ତପସ୍ୟା କରି ଗଲେ ନାହିଁ । ସେମାନେ ବିଜ୍ଞାନ-ବୁଦ୍ଧି ଲଗେଇ ବ୍ୟାବହାରିକ ସମସ୍ୟାର ସମାଧାନର ଉଦ୍ୟମ କଲେ । ତାହା ନ ହୋଇଥିଲେ କରୁଣା, ସହାନୁଭୂତି, ପ୍ରେମ, ଭକ୍ତି ଏଗୁଡ଼ାକ କେବଳ ସାମୟିକ ଭାବବିଳାସର ବିଷୟ ହୋଇ ରହେ ଓ ବିଜ୍ଞାନର ସାଧନା ଓ ପ୍ରୟୋଗ ମଧ୍ୟ ଅନ୍ୟପ୍ରକାର ପନ୍ଥା ଧରି ଚାଲେ । ଅପରାଧୀକୁ ପୁଣି କେମିତି ଭଲ ବାଟକୁ ଅଣାଯିବ, କେତେ ଲୋକ ଏହାର ଉପାୟ ପାଞ୍ଚିବସିବାବେଳକୁ ଅଧିକାଂଶ ମତ ତ ଏଇ ବାଟରେ ଚାଲିଛି ଯେ ତା’କୁ କେମିତି ଜବତ୍‌ କରାଯିବ । ସେଥିପାଇଁ ଏଇସବୁ ବିଷୟରେ ଖୁବ୍‌ ସୂକ୍ଷ୍ମ ଗବେଷଣା ଚାଲିଛି ଯେ ଅପରାଧୀଙ୍କୁ ଜବତ କରିବା ପାଇଁ କି ପ୍ରକାରର ଦଣ୍ଡ ଅଧିକ ଫଳପ୍ରଦ ହେବ । ଜେଲଖାନାକୁ କିପରି ଅଧିକ ନିବୁଜ ଓ ସୁରକ୍ଷିତ କରାଯାଇପାରିବ । ମୃତ୍ୟୁଦଣ୍ଡକୁ ଅଧିକ ଶସ୍ତାରେ ଓ କ୍ଷିପ୍ରଗତିରେ କାର୍ଯ୍ୟକାରୀ କରିବା ପାଇଁ କି ପ୍ରକାରର ଯନ୍ତ୍ର ପ୍ରଶସ୍ତ ହେବ । ସେଥିପାଇଁ ଗିଲୋଟିନ୍‌, ଫାଶୀଖୁଣ୍ଟ, ବିଜୁଳି-ଚଉକି, ସାୟାନାଇଡ୍‍ କୋଠରି, ଫାୟାରିଂ ସ୍କ୍ୱାଡ୍‍ ଆଦି କେତେ ପ୍ରକାରର ଉପାୟ ଉଦ୍ଭାବିତ ହୋଇଛି ।

 

ଶତ୍ରୁ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଓ ସେମାନଙ୍କୁ ଜବତ୍‌ କରିବାର ନୂଆ ନୂଆ ଉପାୟ ବାହାର କରିବା ପାଇଁ ତ ଏବେ ଦେଶ-ଦେଶକରେ ବୈଜ୍ଞାନିକଙ୍କର ବଡ଼ ବଡ଼ ଦଳଙ୍କୁ ଲଗାହୋଇଛି ଓ ପ୍ରତ୍ୟେକ ଦେଶର ସରକାର ପାଣିପରି ଟଙ୍କା ଖର୍ଚ୍ଚ କରୁଛନ୍ତି । ଫଳରେ ପରମାଣୁ ବୋମା, ଆନ୍ତର୍ମହାଦେଶୀୟ କ୍ଷେପଣାସ୍ତ୍ର, ନାପାମ୍‌ ବୋମା, ବିଷାକ୍ତ ବାଷ୍ପ, ଗଛପତ୍ର ଓ ଫସଲକୁ ଜାଳିଦେବାର ରସାୟନ ଆଦି କେତେ ବଢ଼ିଆ ବଢ଼ିଆ ଉପାୟ ଉଦ୍ଭାବନ ହେଲାଣି ।

 

ଶତ୍ରୁ ତ ଶତ୍ରୁ–ସାନପିଲାଙ୍କର ‘ଦୁଷ୍ଟାମି’ କୁ ଜବତ୍‌ କରିବା ପାଇଁ ସୁଦ୍ଧା ଏକସମୟରେ ବୈଜ୍ଞାନିକ ବୁଦ୍ଧି ଖଟେି କେତେ ଉପାୟ ଉଦ୍ଭାବନ କରାଯାଇଥିଲା । ଏପରି ଚଉକି ଓ ଡେସ୍କ, ଯେଉଁଥିରେ ବସିଗଲେ ପିଲା ଆଉ ଏପାକ ସେପାଖ ଖଜବଜ ହୋଇପାରିବ ନାହିଁ । ଶୋଇବାବେଳେ କାଳେ ହସ୍ତମୈଥୁନ କରିବ ବୋଲି ହାତଗୋଡ଼ ସବୁ ବାନ୍ଧି ରଖିବାର ବ୍ୟବସ୍ଥା, ଦିନଯାକ ଏପରି ରୁଟିନ୍ ଓ ଶାସନ ଯେଉଁଥିରେ ପିଲା ନିଜ ବୁଦ୍ଧି ବା ଭାବନା ଖଟେଇବାପାଇଁ ତିଳେହେଲେ ଫୁରସତ୍‌ ପାଇବ ନାହିଁ । ଯାହା ହେଉ, ଏବେ ଏ ଦିଗରେ ଅଧିକ ଉତ୍କର୍ଷ ପାଇଁ ଗବେଷଣା ଟିକେ ବନ୍ଦ ଅଛି ।

 

(୪)

 

ତେଣୁ ଆମେ ଦେଖୁ ଯେ, ମାନବିକତାବାଦର ଦୃଷ୍ଟିକୋଣ ସାଙ୍ଗକୁ ବୈଜ୍ଞାନିକ ଦୃଷ୍ଟିକୋଣ ଓ ଉଦ୍ୟମ ମିଶିଲେ ମଣିଷର ସହିତ ବ୍ୟବହାରର ଢାଞ୍ଚା ବଦଳିବାର ବାଟ ଫିଟୁଛି । ଅନ୍ୟକୁ ଦଣ୍ଡ ଦେବା, ଦବେଇବା, ଧ୍ୱଂସ କରିବା ଆଦି ପନ୍ଥା ଛାଡ଼ି ଶାନ୍ତି ଓ ସଦ୍‌ଭାବର ରାସ୍ତାରେ ବ୍ୟାବହାରିକ ଜୀବନର ସମସ୍ୟା ସବୁର ସମାଧାନର ବାଟ ବାହାରିପାରିବ ବୋଲି ଆଶା ବଢ଼ୁଛି । କିନ୍ତୁ ଏ ମାନବିକତାବାଦର ଧାରା ଯେତେ ଶୀଘ୍ର ଆଗେଇ ଚାଲିଲେ ମଣିଷ-ସମାଜ ଧ୍ୱଂସ ଆଡ଼କୁ ଆଗେଇବା ଅଟକିଯାନ୍ତା, ତାହା ସେତେ କ୍ଷୀପ୍ରଗତିରେ ଆଗେଇବାର ଦେଖାଯାଉନାହିଁ ।

 

ଏହା ମୂଳରେ ରହିଛି ବୈଜ୍ଞାନିକ ଦୃଷ୍ଟିକୋଣ ଓ ମୂଲ୍ୟ ବିଚାର ଭିତରେ ବିରୋଧରେ ଧାରଣା; ଯାହାର ଆଲୋଚନା ଆମେ ପୂର୍ବ ଅଧ୍ୟାୟରେ କରିଛୁ । ଏବେ ଦେଖିବାକୁ ହେବ, ଏ ବିରୋଧ କେତେ ଦୂର ବାସ୍ତବ ଓ ତା’ର ସୀମା କେଉଁଠି ?

 

ପ୍ରଚଳିତ ମୂଲ୍ୟବୋଧ, ବିଶ୍ୱାସ ଓ ନୈତିକତା ସହିତ ଯେ ବିଜ୍ଞାନର ସଂଘର୍ଷ ଘଟିଛି ଓ ଏଥିରେ ବିଜ୍ଞାନର ମନୋଭାବରେ ଯେ ଯଥାର୍ଥତା ରହିଛି, ତାହା ଆମେ ଗତ ଅଧ୍ୟାୟରେ ଦେଖିଛୁ-। ଈଶ୍ୱରଙ୍କ ଦ୍ୱାରା ଗଢ଼ା ଓ ତେଣୁ ପରମ ପବିତ୍ର ବୋଲି ଦାବି କରାଯାଉଥିବା ଅନେକ ମୂଲ୍ୟବୋଧର ଓ ନୀତି-ନିୟମର ଜନ୍ମ ଯେ ଅତି କ୍ଷୁଦ୍ର ସ୍ୱାର୍ଥ ଓ ଅଜ୍ଞାନ ଭିତରୁ ହୋଇଛି, ତାହା ବିଜ୍ଞାନ ବିଶ୍ଲେଷଣ କରି ଦେଖେଇଛି; ଫଳରେ ସେସବୁକୁ ଐଶ୍ୱରୀୟ ସ୍ତରରୁ ମାଟି ଉପରକୁ ଟାଣିଆଣିଛି । ମାତ୍ର ତାହା ବୋଲି ବିଜ୍ଞାନର ମୂଳଦୁଆରେ କୌଣସି ମୂଲ୍ୟବୋଧ ନାହିଁ ବୋଲି କହିବା ଭୁଲ । ଗୋଟିଏ ମୂଲ୍ୟବୋଧ ତ ତା’ର ମେରୁଖୁଣ୍ଟ–ସତ୍ୟ, ଯଥାର୍ଥତା, ଯେଉଁ ଜିନିଷ ଯାହା ତା’କୁ ଠିକ୍‌ ସେମିତି ଜାଣିବା । ଏଇ ସତ୍ୟ ସହିତ ଅନ୍ୟ ଅବାନ୍ତର ସ୍ୱାର୍ଥ ବା ଅଜ୍ଞାନରୁ ଜାତ ମୂଲ୍ୟବୋଧ, ନୈତିକତା ଆଦିର ସଂଘର୍ଷ ହେବା ତ ସ୍ୱାଭାବିକ । ସେଥିପାଇଁ କେବଳ ବିଜ୍ଞାନ ନୁହେଁ, ଲେଖକ ଓ ଚିନ୍ତୁକମାନେ ମଧ୍ୟ ସମାଜର କୋପଦୃଷ୍ଟିରେ ପଡ଼ିଛନ୍ତି ଏଇ ସତ୍ୟ ବା ଯଥାର୍ଥତାକୁ ଅତି ନିବିଡ଼ ଭାବରେ ଜାବୁଡ଼ି ଧରିଥିବା ଯୋଗୁଁ ହିଁ ବିଜ୍ଞାନ ପ୍ରତିଦିନ ଆଗେଇ ଚାଲିଛି-। ତାହା ନ ହୋଇଥିଲେ ତ ସେ ତା’ର ପ୍ରତ୍ୟେକ ଶାଖାରେ ଗୋଟିଏ ଗୋଟିଏ ମନୋରମ ତତ୍ତ୍ୱକୁ ଧରି ସ୍ଥାଣୁ ହୋଇ ବସିଯାଇସାରନ୍ତାଣି ।

 

ଏଇ ସତ୍ୟ-ସନ୍ଧିତ୍ସାର ଗୋଟାଏ ଅନୁସିଦ୍ଧାନ୍ତ ହେଲା ଯେ ଅମୁକ ଗ୍ରନ୍ଥ ବା ମତ ପବିତ୍ର, ତେଣୁ ତା’ର ଯାଞ୍ଚ-ପଡ଼ତାଳ ପାରିବ ନାହିଁ–ଏହା ବିଜ୍ଞାନ ସ୍ୱୀକାର କରେ ନାହିଁ । ସେହିପରି ତା’ ସାମନାରେ ପଣ୍ଡିତଙ୍କର ବୟସ ଓ ପଦମର୍ଯ୍ୟାଦାର ଦାମ ନ ଥାଏ । ତା’ର ମଞ୍ଚ ଉପରେ ପ୍ରବୀଣତମ ଅଧ୍ୟାପକ ଓ ନବୀନତମ ଗବେଷକ ଏକାସ୍ତରରେ ଠିଆହୁଅନ୍ତି । ପ୍ରତ୍ୟେକର ମତାମତ ଓ ବିଚାରର ଯଚେଇହୁଏ ଯଥାର୍ଥତାର କଷଟିରେ । ଆଲବର୍ଟ ଆଇନଷ୍ଟାଇନ୍ ଯେତେବେଳେ ୧୯୦୫ ମସିହାରେ ଆପେକ୍ଷିକତାର ବିଶେଷ ସିଦ୍ଧାନ୍ତ ବାଢ଼ିଥିଲେ, ସେତେବେଳେ ତାଙ୍କର ବୟସ ଛବିଶ ଓ ସେ ଏକ ସରକାରୀ ଅଫିସରେ ଜଣେ ସାମାନ୍ୟ କିରାଣି । ଦୁଇ ଶତାବ୍ଦୀରୁ ଅଧିକ କାଳଧରି ନ୍ୟୁଟନ୍‌ଙ୍କ ଦ୍ୱାରା ପ୍ରତିପାଦିତ ଯେଉଁ ସିଦ୍ଧାନ୍ତ ପଦାର୍ଥବିଜ୍ଞାନର ମେରୁଖୁଣ୍ଟ ହୋଇ ରହିଥିଲା ତାହା ତ୍ରୁଟିପୂର୍ଣ୍ଣ ବୋଲି ଆଇନ୍‌ଷ୍ଟାଇନ୍‌ ସାବ୍ୟସ୍ତ କଲେ । ମାତ୍ର କେହି ଏ ପ୍ରଶ୍ନ ଉଠେଇଲା ନାହିଁ ଯେ କାଲିକା ପିଲା ଏ କିରାଣିଟା କି ସାହସରେ ବିଶ୍ୱଗୁରୁ ନ୍ୟୁଟନଙ୍କ ସିଦ୍ଧାନ୍ତରେ ଦୋଷ ବାଛୁଛି ! ତାଙ୍କ ସିଦ୍ଧାନ୍ତର ପରଖ ଦେଲା ଗଣିତର କଷଟିରେ, ଯଥାର୍ଥତାର କଷଟିରେ । ଏମିତିଭାବରେ ବିଜ୍ଞାନ ଜଗତରେ ସମ୍ପୂର୍ଣ୍ଣ ଗଣତନ୍ତ୍ର ଚଳେ । ଏଥିରେ ପ୍ରତ୍ୟେକର ମତପ୍ରକାଶର ଅଧିକାର ସମ୍ପୂର୍ଣ୍ଣ ରୂପେ ଅବାଧ । ଏଥିରେ ସାମାନ୍ୟତମ କଟକଣା ହେଲେ ବିଜ୍ଞାନ ଅଚଳ ହୋଇଯିବ । ଏହା ଗୋଟିଏ ଊଣା ମୂଲ୍ୟବୋଧ ନୁହେଁ । ଏଇଟି ସେମାନଙ୍କର ନିଜ ନିଜର ବିଷୟର କ୍ଷେତ୍ର ଭିତରେ କାର୍ଯ୍ୟକାରୀ ରହିଲେ ହିଁ ଅଧିକାଂଶ ବୈଜ୍ଞାନିକ ସନ୍ତୁଷ୍ଟ ରହନ୍ତି । ତାହା ବାହାରକୁ ସେମାନଙ୍କର ଦୃଷ୍ଟି କ୍ୱଚିତ୍‌ ଯାଏ । ମାତ୍ର ବିଜ୍ଞାନର ବିକାଶ ପାଇ ଅନୁକୂଳ ବାତାବରଣ ଯୋଗେଇବାକୁ ହେଲେ ଯେ ସାରା ସମାଜରେ ଗାଣତାନ୍ତ୍ରିକ ମୂଲ୍ୟବୋଧର ପ୍ରତିଷ୍ଠା ଆବଶ୍ୟବ, ଏହାର ବିୟୋଗାନ୍ତକ ଉଦାହରଣ ହେଲା ସୋଭିଏତ୍‌ ଦେଶ । ସେଠି କେବଳ ପଦାର୍ଥବିଜ୍ଞାନ ଓ ରସାୟନ-ବିଜ୍ଞାନ ଆଦି ଛଡ଼ା ବିଜ୍ଞାନର ଅନ୍ୟ ସବୁ ଶାଖାରେ ଅଗ୍ରଗତି ଗତ ପଚାଶ ବର୍ଷରେ ଶୂନ୍ୟବତ୍‌ ହୋଇଛି ।

 

ବୈଜ୍ଞାନିକକୁ ବାସ୍ତୁନିଷ୍ଠ–ଅବଜେକ୍‌ଟିଭ୍‌–ହେବାକୁ ହୁଏ । ଏହାର ଅର୍ଥ ସେ ନିଜର ଭଲ ଲାଗିବା କି ମନ୍ଦ ଲାଗିବା ଦ୍ୱାରା ପ୍ରଭାବିତ ହେବ ନାହିଁ । ସେଥିପାଇଁ ତା’ର ଆବିଷ୍କୃତ ସତ୍ୟଟାକୁ ଚାପା ଦେଇଦେବାକୁ ବା ବିକୃତ କରିଦେବାକୁ ଚେଷ୍ଟା କରିବ ନାହିଁ । ପ୍ରଚଳିତ ବିଶ୍ୱାସ, ଧାରଣା, ପୂର୍ବଗ୍ରହ ଆଦି ଦ୍ୱାରା ପ୍ରଭାବିତ ହେବ ନାହିଁ; ମାତ୍ର ଏହାର ଓଲଟା ପିଠିଟା ହେଲା ଯେ ଆପଣାର ବିଷୟ-ବସ୍ତୁ ପ୍ରତି ତାହା ମନରେ ଏକ ଆଦରର ଭାବ ରହିବ । ତାହା ଛୋଟ ପୋକଟିଏ ହୋଇଥାଉ, ବା ଅପନ୍ତରା ବଣର ଲଙ୍ଗଳା ଆଦିବାସୀ ହୋଇଥାଉ, ତା’ର ଅଧ୍ୟୟନରୁ କିଛି ମୂଲ୍ୟବାନ୍‌ ଜ୍ଞାନ ମିଳିବ, ଏ ବିଶ୍ୱାସ ବିନା ସେ ଯେପରି ଅଧ୍ୟୟନ କରିବାକୁ ଯିବ କାହିଁକି ?

 

ଆଦିବାସୀଙ୍କ କଥା ନିଆଯାଉ । ଏ ଅଧାଲଙ୍ଗଳା, କୋତରା, ବଣୁଆ, ଅସଭ୍ୟ ଲୋକଗୁଡ଼ାଙ୍କୁ ତ ଆମେ ‘ସଭ୍ୟ’ ଲୋକେ ମଣିଷ ତଳେ ଗଣ୍ୟ କରୁନାହିଁ । ସେମାନଙ୍କର ‘ଅମାର୍ଜିତ’ ଚାଲିଚଳନ ରୀତିନୀତି କଥା ଶୁଣିଲେ ହସ ବି ମାଡ଼େ; ଦୁଃଖ ବି ଲାଗେ । ସେମାନଙ୍କ ବିଷୟରେ ଜାଣିବାର ଏମିତି କ’ଣ ଅଛି ? ଏଇ ତ ପ୍ରଚଳିତ ମନୋଭାବ । ମାତ୍ର ମାର୍ଗାରେଟ୍ ମୀଡ, ରୁଥ୍ ବେନିଡିକ୍ଟଙ୍କ ଭଳି ମହିଳାଙ୍କ ସମେତ କେତେ କେତେ ନୃତତ୍ତ୍ୱବିତ୍‌ କୋଉ ଦୁର୍ଭେଦ୍ୟ ପାହାଡ଼ସନ୍ଧିରେ, ଘଞ୍ଚ ଅଗ୍ନାଗ୍ନି ଜଙ୍ଗଲ ମଝିରେ, କୋଉ ଅପନ୍ତରା ଦ୍ୱୀପରେ ଯାଇ ଛୋଟ ଛୋଟ ଆଦିବାସୀ ଗୋଷ୍ଠୀଙ୍କର ଜୀବନଯାତ୍ରା ଅଧ୍ୟୟନ କରିବା ପାଇଁ ବର୍ଷ ବର୍ଷ ପଡ଼ିରହିଛନ୍ତି; ନାନା ଦୁଃଖକଷ୍ଟ ସହିଛନ୍ତି । ଏପରିକି ଅନେକ ସମୟରେ ଜୀବନ ମଧ୍ୟ ବିପନ୍ନ କରିଛନ୍ତି ।

 

ଏ ଅଧ୍ୟୟନ ପାଇଁ ସେମାନଙ୍କୁ ନିଜର ସଭ୍ୟତାର ହାମ୍‌ବଡ଼ା ଭାବ ଛାଡ଼ିବାକୁ ପଡ଼ିଛି । ସେ ଆଦିବାସୀଙ୍କ ପ୍ରତି ତାଚ୍ଛଲ୍ୟ ଓ ଅବଜ୍ଞା ଭାବକୁ ଜିତିବାକୁ ହୋଇଛି । ଏହା ସହଜରେ, ଦିନକରେ ହୋଇନାହିଁ । ପ୍ରଥମେ ତ ପର୍ଯ୍ୟଟକ ଓ ବେପାରୀମାନେ ଅନ୍ୟାନ୍ୟ ଦେଶର ଅଜଣା ଲୋକଙ୍କର ବିଚିତ୍ର ଚାଲିଚଳଣରେ ନାନା ମୁଖରୋଚକ କାହାଣୀ ଲୋକଙ୍କର କୌତୂହଳରଞ୍ଜନ ପାଇଁ ପରିବେଷଣ କରୁଥିଲେ । କ୍ରମେ ଏ ସମସ୍ତଙ୍କର ବୈଜ୍ଞାନିକ ଅଧ୍ୟୟନର ପ୍ରେରଣା ଆସିଲା । ସାମ୍ରାଜ୍ୟବାଦୀ ସରକାରମାନେ ମଧ୍ୟ ଏପରି ଅଧ୍ୟୟନକୁ ଏଇ ଉଦ୍ଦେଶ୍ୟରେ ଉତ୍ସାହିତ କଲେ ଯେ ସେମାନଙ୍କର ନାନା ଜାତିର ପ୍ରଜାମାନଙ୍କର ଚାଲିଚଳଣ ବିଷୟରେ ଜାଣିଲେ ସେମାନଙ୍କୁ ଆୟତ୍ତରେ ରଖିବା ସହଜ ହେବ । ପ୍ରଥମ ପ୍ରଥମ ତ ୟୁରୋପ, ଆମେରିକାରୁ ହିଁ ନୃତତ୍ତ୍ୱବିଦ୍ ବାହାରୁଥିଲେ ଓ ସେମାନଙ୍କର ଗୋରା ସଂସ୍କୃତିର ଶ୍ରେଷ୍ଠତାର ସଂସ୍କାର ସେମାନଙ୍କୁ ବରାବର ପ୍ରଭାବିତ କରୁଥିଲା । ଏ ଭାବକୁ ମନରୁ ଦୂର କରିଦେଇ ଆଦିବାସୀ ସହିତ ମଣିଷ ହିସାବରେ ଏକାସ୍ତରରେ ଛିଡ଼ାହୋଇପାରିବା ଦ୍ୱାରା ହିଁ ସେମାନଙ୍କର ସଂସ୍କୃତିର ପୁଙ୍ଖାନୁପୁଙ୍ଖ ଅଧ୍ୟୟନ ସମ୍ଭବ ହେଉଛି ଓ ସେଥିରୁ ମିଳୁଛି ମଣିଷର ଚରିତ୍ର ଓ ସାମାଜିକ ସଙ୍ଗଠନର ବିକାଶ ସମ୍ବନ୍ଧରେ ଅମୂଲ୍ୟ ଜ୍ଞାନ ।

 

ପୋକଜୋକ, ଜୀବଜନ୍ତୁଙ୍କର ଅଧ୍ୟୟନ ପଛରେ ବି ସେହି ପ୍ରକାରର ଆଦରର ଦୃଷ୍ଟି ଲୋଡ଼ା । କ୍ଷୁଦ୍ର ଜୀବାଣୁଟିର ଜୀବନରେ ବି ସୃଷ୍ଟି–ରହସ୍ୟର ଗୋଟାଏ ଚେନା ଲୁଚିରହିଛି ବୋଲି ଶ୍ରଦ୍ଧା ରହିଲେ ଯାଇ ତାହାର ଅଧ୍ୟୟନ ପିଛା ସାରା ଜୀବନ ଲାଗିରହିବା ସମ୍ଭବ ହୋଇଥାଏ । ଏଇ ଦୁଇ ତିନି ବର୍ଷ ତଳେ ଗୋଟିଏ ଆମେରିକାନ୍ ଝିଅ ଗରିଲାମାନଙ୍କର ସାମାଜିକ ଚାଲିଚଳଣ ଅଧ୍ୟୟନ କରିବ ବୋଲି ଆଫ୍ରିକାର ଘୋର ଅରଣ୍ୟ ଭିତରେ ଏକୁଟିଆ ଗୋଟିଏ ଗରିଲାପଲ ପିଛା ଧରିଥିଲା । ବର୍ଷାଧିକ କାଳ ସେ ସେହି ଦଳ ପଛେ ପଛେ ବୁଲିଲା । କ୍ରମେ ସେ ଗରିଲାମାନଙ୍କ ସହିତ ତା’ର ବେଶ୍ ସଦ୍‌ଭାବ ବି ହୋଇଗଲା । ଶୁଦ୍ଧ କୌତୂହଳଠାରୁ ଆଉ କିଛି ବେଶୀ ତାହାଠାରେ ନ ଥିଲେ ସେ ଏ କଷ୍ଟ ଓ ଝୁଙ୍କି ମୁଣ୍ଡେଇଥାନ୍ତା କାହିଁକି ?

 

ପନ୍ଦର ସତର ବର୍ଷ ତଳେ ବିଶ୍ୱ-ବିଶ୍ରୁତ ବୈଜ୍ଞାନିକ ଡ: ଜେ.ବି.ଏସ୍. ହ୍ୟାଲ୍‌ଡେନ୍‌ ଖଣ୍ଡେ ଚିଠିରେ ବୈଜ୍ଞାନିକର ମନୋଭାବ ବିଷୟରେ ଲେଖିଥିଲେ ଯେ ବୈଜ୍ଞାନିକର ତା’ର ଅଧ୍ୟୟନର ବିଷୟ-ବସ୍ତୁ ପ୍ରତି ଯେଉଁ ଭାବ ଥାଏ, ତାହା ହିନ୍ଦୁ-ଦର୍ଶନର ଭକ୍ତିଭାବ ସହିତ ତୁଳନୀୟ ଓ ତାହା ମଧ୍ୟ ବୈଷ୍ଣବ-ଭକ୍ତି ଅପେକ୍ଷା ଶୈବଭକ୍ତି ସହିତ ବେଶୀ । ଯେତେବେଳେ ଜଣେ ବୈଜ୍ଞାନିକ ଖୋସାଟିକୁ କାଟି ପ୍ରଜାପତିଟିଏ ବାହାରିବା ଦେଖିବ ବୋଲି ଘଣ୍ଟା-ଘଣ୍ଟାଧରି ଜଗିରହେ, ସେତେବେଳେ ତାହା ମନରେ ସେ ଜୀବପ୍ରତି ଏକ ଆଦରର ଭାବରେସ୍‌ପେକ୍ଟ–ଥାଏ । ସେ ବୈଷ୍ଣବ ଅପେକ୍ଷା ଶୈବଭକ୍ତି ସହିତ ତୁଳନା ବୋଧହୁଏ ଏଇଥିପାଇଁ କଲେ ଯେ ଶେଷୋକ୍ତରେ ଭାବର ଉଚ୍ଛ୍ୱାସମୟ ପ୍ରକାଶ କମ୍‌ ।

 

ଏଇଠି ଉଲ୍ଲେଖ କରିବା ପ୍ରାସଙ୍ଗିକ ହେବ ଯେ ହ୍ୟାଲଡେନ୍‌ଙ୍କର ମାର୍କସବାଦ ପ୍ରତି ଆକର୍ଷଣ ଥିଲା ଓ ସେ ପ୍ରାଚ୍ୟ ଭାବାଳୁତାରେ ଭାସିଯିବା ଲୋକ ନ ଥିଲେ ।

 

ଏତେ କଥା କାହିଁକି–ଚିକିତ୍ସାବିଦ୍ୟା ତ ସିଧାସଳଖ ଏଇ ଲକ୍ଷ୍ୟ ଧରି ଚାଲିଛି ଯେ ମଣିଷର ଦୁଃଖ-କଷ୍ଟ ଦୂର କରିବାକୁ ହେବ; ସ୍ୱାସ୍ଥ୍ୟ ଓ ଆୟୁ ବଢ଼େଇବାକୁ ହେବ । ଏ ଲକ୍ଷ୍ୟ ଯୋଗୁଁ ତ ଚିକିତ୍ସା-ବିଦ୍ୟା ଭ୍ରଷ୍ଟ ହୋଇଯାଇନାହିଁ । ମାନସିକ ଚିକିତ୍ସାର ଲକ୍ଷ୍ୟ ମଧ୍ୟ ସେହିପରି ମଣିଷର ମାନସିକ ଦୁଃଖଯାତନା ଓ ଅଶାନ୍ତି ଦୂର କରି ତା’ର ସ୍ୱାସ୍ଥ୍ୟ ଫେରେଇ ଆଣିବା ଓ ପୂର୍ବରୁ ଯେଉଁ ଅପରାଧୀ, ବେଶ୍ୟା ଆଦିଙ୍କୁ ସୁଧାରିବା ଉଦ୍ୟମର ଉଲ୍ଲେଖ କରାଯାଇଛି, ତାହା ବି ଏଇ ମାନସିକ ଚିକିତ୍ସାର ହିଁ ସାମିଲ । ଅବଶ୍ୟ ଏ ସହାନୁଭୂତିର ରୂପ ତାହାର ସାଧାରଣ ପ୍ରକାରଠାରୁ ଭିନେ । ଅପରାଧୀ ପ୍ରତି ତା’ର ଆତ୍ମୀୟସ୍ୱଜନଙ୍କର ସହାନୁଭୂତିର ଲକ୍ଷ୍ୟ ସାଧାରଣତଃ ହେବ ତା’କୁ ଦଣ୍ଡରୁ ରକ୍ଷା କରିବା । ମାତ୍ର ବୈଜ୍ଞାନିକ-ସଂସ୍କାରକର ଲକ୍ଷ୍ୟ ହେଉଛି ତା’କୁ ଏକ ବିକୃତି ଭିତରୁ ସତ୍‌ ଓ ସୁସ୍ଥ ଜୀବନକୁ ଫେରେଇଆଣିବା; ସମାଜକୁ ଏ ସମସ୍ୟାର ସମାଧାନର ଏକ ମାନବିକତାପୂର୍ଣ୍ଣ ପନ୍ଥା ବତେଇବା ।

 

(୫)

 

ଏହିରୂପେ ଦେଖାଯାଉଛି ଯେ ବିଷୟବସ୍ତୁ ପ୍ରତି ଏକ ଆଦରର ଦୃଷ୍ଟି ବା ସମଦୃଷ୍ଟି, ମିତ୍ରଭାବ, କରୁଣା, ଏସବୁ ବୈଜ୍ଞନିକ ଦୃଷ୍ଟି ସହିତ ବେଖାପ ତ ନୁହେଁ; ବରଂ ସବୁ କ୍ଷେତ୍ରରେ ନ ହେଲେ ବି କେତେକ କ୍ଷେତ୍ରରେ ତାହା ଯଥାର୍ଥ ଢଙ୍ଗରେ ବୈଜ୍ଞାନିକ ଅଧ୍ୟୟନ ପାଇଁ ଅପରିହାର୍ଯ୍ୟ ।

 

ଆଉ ଗୋଟିଏ ବିଚାର ମନକୁ ଆସୁଛି ଯେ ଏଇ ଧରଣର ଭାବଦ୍ୱାରା ଅନୁପ୍ରାଣିତ ହୋଇ ଯେଉଁମାନେ ବିଜ୍ଞାନସାଧନାରେ ଲାଗୁଛନ୍ତି, ସେହିମାନେ ହିଁ ଜ୍ଞାନର ନୂଆ ନୂଆ ଦିଗ୍‌ବଳୟ ଖୋଲୁଛନ୍ତି । ଜୀବନର ନୂଆ ନୂଆ ବିଭାବର ବୈଜ୍ଞାନିକ ଅଧ୍ୟୟନ ଆଡ଼କୁ ସେମାନଙ୍କର ଦୃଷ୍ଟି ଯାଉଛି । ତାହା ନ ହେଲେ ତ ଦୁନିଆର ଲକ୍ଷ ଲକ୍ଷ ବୈଜ୍ଞାନିକ ସରକାର ଓ ଶିଳ୍ପ-ସଂସ୍ଥାମାନଙ୍କ ପାଇଁ କାମ କରୁଛନ୍ତି । ସାଧାରଣତଃ ସରକାର ଓ ଶିଳ୍ପସଂସ୍ଥାମାନେ ଯେଉଁ ସବୁ ସମସ୍ୟା ବିଷୟରେ ସଂପୃକ୍ତ, ସେ ସବୁ ସମସ୍ୟାର ଯେତିକି ବୁଝନ୍ତି, ସେହି ଧାରାରେ ଗବେଷଣାର ମୁଖ୍ୟ ଶକ୍ତିକୁ ଲଗାନ୍ତି । ଅସ୍ତ୍ରଶସ୍ତ୍ର, ଯୁଦ୍ଧକ୍ଷେତ୍ରରେ ଯୋଗାଯୋଗରକ୍ଷାର ସାଧନା, ଶତ୍ରୁ ଦେଶରୁ ତଥ୍ୟ ସଂଗ୍ରହର କୌଶଳ ଆଦିରେ ନୂଆ ନୂଆ ଉଦ୍ଭାବନ ଦିଗରେ ଲକ୍ଷ କୋଟି ଟଙ୍କା ପ୍ରତି ବର୍ଷ ଖର୍ଚ୍ଚ ହେଉଛି । ମାତ୍ର ଯୁଦ୍ଧର କାରଣ ଅନୁସନ୍ଧାନ କରି ତାହାର ପ୍ରତିକାରର ପନ୍ଥା, ବିରୋଧର ଶାନ୍ତିପୂର୍ଣ୍ଣ ସମାଧାନର ଉପାୟ, ଦେଶ-ଦେଶ ଭିତରେ ଭୁଲ ବୁଝାମଣାର କାରଣ ଓ ତାହାର ନିରାକରଣର ଉପାୟ, ଏହିପରି ସବୁ ବିଷୟରେ ଯେଉଁ ଶାନ୍ତିଗବେଷଣା କିଛି କିଛି ଆରମ୍ଭ ହୋଇଛି, ତାହାର ଆବଶ୍ୟକତା ବର୍ତ୍ତମାନ ସମୟରେ ଢେର ବେଶୀ ଥିଲେ ବି ସେଥିରେ ମୁଷ୍ଟିମେୟ ଦେଶ ଲାଗିଛନ୍ତି-। ଦୁନିଆର ଦେଢ଼ ଶହ ସରିକି ଦେଶ ଭିତରୁ କେବଳ ସ୍ୱୀଡେନ, ନରଓ୍ୱୟେ ଓ ଡେନ୍‌ମାର୍କର ସରକାର ଏଭଳି ଗବେଷଣାର ଗୁରୁତ୍ୱ ଉପଲବ୍‌ଧି କରି ଏହାକୁ ଯଥେଷ୍ଟ ପରିମାଣରେ ଆର୍ଥିକ ସାହାଯ୍ୟ ଦେଉଛନ୍ତି । ଏ ସବୁ ଗବେଷଣା ପ୍ରଥମେ ବ୍ୟକ୍ତିଗତ ଉଦ୍ୟମରେ ଆରମ୍ଭ ହେବାର ଅନେକ ପରେ ଏ ସରକାରମାନେ ତା’କୁ ସାହାଯ୍ୟ କରିବାର ଆବଶ୍ୟକତା ଉପଲବ୍‌ଧି କରିଛନ୍ତି ।

 

ଏପରି ଏକ ନୂଆ ଗୁଳା ଫିଟାଇବାର ଉଦାହରଣ ହେଲା, ମନୋବୈଜ୍ଞାନିକ ଏ.ଏଚ. ମାସ୍‌ଲୋଙ୍କର ଗବେଷଣା । ମାସ୍‌ଲୋ ଆଚରଣବାଦୀ (ବିହେଭିଅରିଷ୍ଟ) ମନୋବିଜ୍ଞାନରେ ତାଲିମ ପାଇଥିଲେ । ଏହା ପଛରେ ମଣିଷର ଦେହ ଓ ମନର ରଚନା ବିଷୟରେ ଏକ ଯାନ୍ତ୍ରିକ କଳ୍ପନା ରହିଛି । ଚୈତନ୍ୟଶକ୍ତିକୁ ଏମାନେ କେବଳ ଗୋଟିଏ ଗୌଣ ଅଭିବ୍ୟକ୍ତି ବୋଲି ମନେକରନ୍ତି । ମାତ୍ର ମାସ୍‌ଲୋଙ୍କର ସେତେବେଳେ ଗୋଟିଏ ପୁଅ ଜନ୍ମ ହେଲା, ତାଙ୍କର ଏ ଆଚରଣବାଦୀ ଦୃଷ୍ଟିକୋଣ ଦୋହଲିଗଲା । ତାଙ୍କ ମନରେ ଏ କଥା ଉଠିଲା ଯେ ଆଚରଣବାଦୀମାନେ ଯାହା କହୁଛନ୍ତି, ତାହା ଅପେକ୍ଷା କିଛି ଅଧିକ କଥା ମଣିଷଠେଇଁ ରହିଛି ।

 

ପୁଣି ସେ ତାଙ୍କର ଦୁଇ ଜଣ ଶିକ୍ଷକଙ୍କର ଚରିତ୍ର ଓ ବ୍ୟକ୍ତିତ୍ୱ ଦ୍ୱାରା ଅତି ଗଭୀର ଭାବରେ ପ୍ରଭାବିତ ହେଲେ । ସେ ଲେଖିଛନ୍ତି: ‘‘ମୋର ଏ ବିଷୟରେ ଅଧ୍ୟୟନ ଗବେଷଣା ଆକାରରେ ଆରମ୍ଭ ହୋଇ ନ ଥିଲା କି ଗବେଷଣାରୂପେ ପରିକଳ୍ପିତ ହୋଇ ନଥିଲା । ଏହା ଆରମ୍ଭ ହେଲା ଜଣେ ଯୁବକ ବୁଦ୍ଧିଜୀବୀ ଦ୍ୱାରା ତା’ର ଶିକ୍ଷକମାନଙ୍କ ଭିତରୁ ଏପରି ଦୁଇ ଜଣଙ୍କୁ ବୁଝିବା ଉଦ୍ୟମରୁ ଯେଉଁମାନଙ୍କୁ ସେ ଭଲ ପାଉଥିଲା, ଶ୍ରଦ୍ଧା କରୁଥିଲା ଓ ପ୍ରଶଂସା ଦୃଷ୍ଟିରେ ଦେଖୁଥିଲା । ସେ ଦୁଇଜଣ ଅତି ଚମତ୍କାର ଲୋକ ଥିଲେ । X X X ମୁଁ ସେମାନଙ୍କୁ କେବଳ ଶ୍ରଦ୍ଧା କରି ସନ୍ତୁଷ୍ଟ ରହି ନ ଥିଲି । ମୁଁ ବୁଝିବାକୁ ଚାହୁଁଥିଲି ଯେ ଏ ଦୁଇଜଣ ଦୁନିଆର ସାଧାରଣ ଛାଞ୍ଚରେ ପକା ଲୋକଙ୍କଠାରୁ କାହିଁକି ଭିନ୍ନ ? ଏ ଦୁଇଜଣ ହେଲେ ରୁଥ୍ ବେନିଡିକ୍ଟ ଓ ମ୍ୟାକ୍‌ସ ଓ୍ୱେଟହାଇମର୍ । ମୁଁ ପଶ୍ଚିମ ଅଞ୍ଚଳରୁ ପି.ଏଚ୍. ଡି. ନେଇ ନିଉୟର୍କକୁ ଆସିବାପରେ ସେମାନେ ମୋର ଶିକ୍ଷକ ଥିଲେ ଓ ମଣିଷ ହିସାବରେ ସେମାନେ ଅତି ବୈଶିଷ୍ଟ୍ୟପୂର୍ଣ୍ଣ ଥିଲେ । ମୋତେ ମନୋବିଜ୍ଞାନର ଯେଉଁ ଶିକ୍ଷା ମିଳିଥିଲା, ତାହା ମୋତେ ଏମାନଙ୍କୁ ବୁଝିପାରିବାର ଯୋଗ୍ୟତା ଦେଇ ନ ଥିଲା । ଯେପରି କି ସେମାନେ ସାଧାରଣ ମଣିଷ ନୁହନ୍ତି; ସାଧାରଣଠୁଁ କିଛି ଅଧିକ ।’’ (Manas ୪.୨.୭୬, ପୃ ।)

 

ଫଳରେ ମାସ୍‌ଲୋ ଏଇ ପ୍ରଶ୍ନ ନେଇ ଗବେଷଣା ଆରମ୍ଭ କଲେ ଯେ ମଣିଷ ଭିତରେ ଲୁଚିରହିଥିବା ସମ୍ଭାବନାକୁ କିପରି ଭାବରେ ଅଭିବ୍ୟକ୍ତ ଓ ରୂପାୟିତ କରାଯାଇ ପାରିବ ? ଏସବୁର ସୀମା କେଉଁଠି ?

 

ଜୀବନର ଉତ୍ପତ୍ତିର ରହସ୍ୟ ଜାଣିବା ଯେତିକି ଜରୁରୀ, ଜୀବନ ଭିତରେ ଲୁଚିଥିବା ସର୍ବୋଚ୍ଚ ସମ୍ଭାବନାର ଜ୍ଞାନ ହାସଲ କରିବା ତାହାଠୁଁ କମ୍‌ ଜରୁରୀ ନୁହେଁ । ଅସାଧାରଣ ବ୍ୟକ୍ତିମାନଙ୍କଠାରେ ହିଁ ଏ ସମ୍ଭାବନାର ଅଭିବ୍ୟକ୍ତି ଅଧିକ ପରିମାଣରେ ଦେଖିବାକୁ ମିଳେ । ମାସ୍‌ଲୋ ମଣିଷର ‘ ଆତ୍ମରୂପାୟନ’ର (ବ୍ୟକ୍ତି ତାହାର ସୁପ୍ତ ସମ୍ଭାବନାକୁ କିପରି ପ୍ରକଟ କରି ରୂପ ଦେବ) ଏ ଯେଉଁ ମନୋବୈଜ୍ଞାନିକ ଅଧ୍ୟୟନ ଆରମ୍ଭ କରିଛନ୍ତି, ତାହା ଆମର ଜ୍ଞାନ ଓ ଚେତନାର ଦିଗନ୍ତକୁ ବହୁତ ପ୍ରସାରିତ କରିବ, ଏଥିରେ ସନ୍ଦେହ ନାହିଁ । ଦେଖିବାର କଥା ଯେ, ମାସ୍‌ଲୋଙ୍କୁ ଏ ଅଧ୍ୟୟନ ପାଇଁ ପ୍ରେରଣା ଦୁଇଟି ସମ୍ବନ୍ଧ ଭିତରୁ ମିଳିଲା–ଗୋଟାଏ ଅବୋଧ ଶିଶୁପୁତ୍ର ସହିତ ଓ ଅନ୍ୟଟି ଦୁଇ ଜଣ ପ୍ରାଜ୍ଞ ଶିକ୍ଷକଙ୍କ ସହିତ । ଜଣକ ଭିତରେ ପ୍ରଚ୍ଛନ୍ନ ରହିଥିବା ଓ ଅନ୍ୟ ଦୁଇଜଣଙ୍କ ଭିତରେ ପ୍ରକଟ ହୋଇଥିବା ମାନବୀୟ ସମ୍ଭାବନା ପ୍ରତି ବିସ୍ମୟ ଓ ଆଦରର ଭାବ ହିଁ ଏ ପ୍ରେରଣା ମୂଳରେ ଥିଲା ।

 

ଏହିପରି ଆହୁରି ଅନେକ କ୍ଷେତ୍ର ରହିଛି, ଯାହାର ଗୁରୁତ୍ୱ ନୂଆ ନୂଆ ପ୍ରକାରର ପ୍ଲାସ୍‌ଟିକ୍‌ ବା ମଟର ଟାୟାର ଉପରେ ଗବେଷଣା ଅପେକ୍ଷା ଅନେକ ବେଶୀ; ମାତ୍ର ସେସବୁର ଗବେଷଣାରେ ବହୁତ କମ୍‌ ଶକ୍ତି ଲାଗିପାରୁଛି । କାରଣ ସରକାର ଓ ଶିଳ୍ପସଂସ୍ଥାମାନେ ସେ ସବୁର ପଛରେ ଥିବା ଦୃଷ୍ଟିକୋଣର ଗୁରୁତ୍ୱ ବୁଝନ୍ତି ନାହିଁ । ଯେଉଁ ବୈଜ୍ଞାନିକମାନେ ସେମାନଙ୍କର ବରାଦମତେ କାମ କରୁଛନ୍ତି, ସେମାନେ ନିଜ କାମର ଜବାବଦେହିରେ ହୁଏତ କହିବେ ଯେ ‘‘ଆମକୁ ଯାହା କାମ ବରାଦ କରାଯାଉଛି ଆମେ କରୁଛୁ ।’’ ସେମାନେ ଅଧିକାଂଶ ସମୟରେ ହୁଏତ ଖୁବ୍‌ ଉପଯୋଗୀ କାମ କରୁଥିବେ; ମାତ୍ର ପରମାଣୁ ବୋମା ଓ ଅନ୍ୟାନ୍ୟ ସଂହାରର ସାଧନ ଉଦ୍ଭାବନରେ ସାହାଯ୍ୟ କରି ସେମାନେ ମାନବଜାତିର ହିତର ବିରୋଧୀ ଅସାମାଜିକ କାମ କରୁଛନ୍ତି ବୋଲି ବହୁ ସଂଖ୍ୟକ ବୈଜ୍ଞାନିକ ଅନୁଭବ କଲେଣି । ସେଥିପାଇଁ ବୈଜ୍ଞାନିକର ସାମାଜିକ ଦାୟିତ୍ୱ ବିଷୟରେ ସେମାନଙ୍କୁ ସଚେତନ କରିବାପାଇଁ ଏକ ବିଶ୍ୱବ୍ୟାପୀ ଆନ୍ଦୋଳନ ବିଶିଷ୍ଟ ବୈଜ୍ଞାନିକମାନଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି । ସାରା ମଣିଷଜାତିର କଲ୍ୟାଣପାଇଁ ବୈଜ୍ଞାନିକର ସାମାଜିକ ଦାୟିତ୍ୱ ରହିଛି ବୋଲି ସେମାନେ ଅନୁଭବ କରୁଛନ୍ତି ।

 

ଅନ୍ୟ ବୈଜ୍ଞାନିକମାନେ ବି ଏପ୍ରକାରର ମାନବିକ ଦୃଷ୍ଟିକୋଣର ଅପରିହାର୍ଯ୍ୟତା ଉପଲବ୍‌ଧି କରିସାରିଲେଣି । ବିଶିଷ୍ଟ ଅର୍ଥବିଦ୍ୟାବିଦ୍‌ ଗୁନ୍ନାର ମିରଡାଲ୍ ଯୁକ୍ତି କରିଛନ୍ତି ଯେ ଅର୍ଥବିଦ୍ୟାବିଦ୍‌ମାନେ ସମ୍ପୂର୍ଣ୍ଣ ନିରପେକ୍ଷ ଓ ଅନାସକ୍ତଭାବରେ ସତ୍ୟର ଅନୁସନ୍ଧାନ କରୁଛନ୍ତି ବୋଲି ନିଜକୁ ଭୁଲାଇବା ଉଚିତ ନୁହେଁ । ସେ କହନ୍ତି, ମଣିଷ ଭିତରେ ଏକ ସୁବିଧାବାଦୀ ଝୁଙ୍କ ରହିଛି । ଯେଉଁ କଥାଟା ତା’ର ସ୍ୱାର୍ଥ ବା ସୁବିଧାକୁ ସୁହାଇବ, ସେଇଟାକୁ ହିଁ ସତ୍ୟ ବୋଲି ମାନିନେବାକୁ ତା’ର ମନ ଡାକେ । ତାହା ଛଡ଼ା ସାମାଜିକ ବିଜ୍ଞାନ ସବୁର ଗବେଷଣା କେବେହେଲେ ସମ୍ପୂର୍ଣ୍ଣ ମୂଲ୍ୟ-ନିରପେକ୍ଷ ହୋଇପାରେ ନାହିଁ । ଗବେଷକ ମନରେ ଥିବା ମୂଲ୍ୟବୋଧ ଅଜଣାରେ ତାହାକୁ ପ୍ରଭାବିତ କରେ । ସେଥିପାଇଁ ଅର୍ଥବିଦ୍ୟାର ବିଦ୍ୟାର୍ଥୀ ଲେଖାଲେଖି କରିବାବେଳେ ସେ କେଉଁ ମୂଲ୍ୟବୋଧ ଧରି ଚାଲିଛନ୍ତି, ତାହା ସ୍ପଷ୍ଟ କରିଦେବା ଚାହି । ମୀର୍‌ଡାଲ ନିଜେ ‘ଏସିୟାନ୍‌ ଡ୍ରାମା’ ବହିରେ ଯେଉଁ ମୂଲ୍ୟବୋଧ ଗ୍ରହଣ କରିଛନ୍ତି, ତାହାକୁ ସେ ‘ଆଧୁନିକୀକରଣ’ ର ମୂଲ୍ୟବୋଧ କହିଛନ୍ତି । ତା’ର ସାରମର୍ମ ହେଲା: ଯୁକ୍ତିବାଦର ପ୍ରସାର, ଦରିଦ୍ରତମ ବ୍ୟକ୍ତିର ବିକାଶ ଓ ତାହାପାଇଁ ଯୋଜନା ପ୍ରଣୟନ, ଉତ୍ପାଦନ ଓ ଜୀବନ-ମାନର ବୃଦ୍ଧି, ସାମାଜିକ ଓ ଆର୍ଥିକ ସମାନତା ଦିଗରେ ଅଗ୍ରଗତି, ରାଷ୍ଟ୍ରୀୟ ସ୍ୱାଧୀନତା, ସବା ତଳସ୍ତର ଯାଏ କାର୍ଯ୍ୟକାରୀ ଗଣତନ୍ତ୍ରର ପ୍ରବର୍ତ୍ତନ ଇତ୍ୟାଦି । ଏଥିରେ ଆମେ ମାନବିକ ମୂଲ୍ୟବୋଧର ହିଁ ଆର୍ଥିକ ଓ ରାଜନୀତିକ ବ୍ୟାଖ୍ୟା ଦେଖିବାକୁ ପାଉ । ଅନ୍ୟତମ ଅର୍ଥବିଦ୍ୟାବିଦ୍‌ ଜୋନ୍‌ ରବିନ୍‌ସନ୍‌ ମଧ୍ୟ ବିଜ୍ଞାନ ସାଙ୍ଗକୁ ନୈତିକତାର ଆବଶ୍ୟକତା ବିଷୟରେ ଅନୁରୂପ ମତ ବ୍ୟକ୍ତ କରିଛନ୍ତି ।

 

ଏଯାଏ ଆମେ ଦେଖିଆସିଲେ ଯେ ଆମର ଧର୍ମମାନଙ୍କରେ ସ୍ନେହ, ପ୍ରେମ, କରୁଣା, ମୈତ୍ରୀ ଓ ସବା ଉପରକୁ ଭକ୍ତିମାର୍ଗରେ ସମଦୃଷ୍ଟି ଭଳି ଗୁଣର ଉତ୍କର୍ଷକୁ ଆଦର୍ଶରୂପେ ରଖାହୋଇଛି । ସାହିତ୍ୟରେ ମଧ୍ୟ ଉଚ୍ଚକୋଟୀର ଭାବସମୂହର ଅବତାରଣା କରାଯାଇଛି; ମାତ୍ର ସାଧାରଣ ଗୃହସ୍ଥ ଓ ସମାଜର ଜୀବନରେ ଏସବୁର ଆଚରଣପାଇଁ ସୁଯୋଗ ବା କ୍ଷେତ୍ର ଖୁବ୍‌ କମ୍‌ ବୋଲି ଧରାଯାଇଛି । ଜୀବନସଂଗ୍ରାମରେ ତିଷ୍ଠିରହିବାକୁ ହେଲେ ନିର୍ମମତା, ନିଷ୍ଠୁରତା, ଛଳ-ପ୍ରପଞ୍ଚ ଆଦି ନ ହେଲେ ନ ଚଳେ ବୋଲି ଧରାଯାଇଛି । ଏଣେ ମଣିଷ ଭିତରେ ମଧ୍ୟ ଏଭଳି ଭାବର ଉଚ୍ଛ୍ୱାସ ବେଳ–ଅବେଳରେ ଉଠୁଛି । କିନ୍ତୁ ସେସବୁ ପାଇଁ ମଠ, ମନ୍ଦିରକୁ ଯିବା, ସିନେମା, ଥିଏଟର ଦେଖିବା ଓ ଗଳ୍ପ ଉପନ୍ୟାସ ପଢ଼ିବାର ଅବସର ସମୟକୁ ନିର୍ଦ୍ଦିଷ୍ଟ କରିଦିଆଯାଇ ଜୀବନ ତା’ର ଦୟାମାୟାହୀନ ଗତିରେ ଚାଲିଛି । ଯଦି ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଏହିସବୁ ଭାବକୁ କାର୍ଯ୍ୟକାରୀ କରିବାର ଉପାୟ ବାହାରନ୍ତା, ତେବେ ମଣିଷର ବଞ୍ଚିବା ସମସ୍ୟା ବହୁତ ଉଶ୍ୱାସ ହେଇଯାନ୍ତା, ସମାଜଜୀବନରେ, ଘରେ ବେଶି ସୁଖ ଶାନ୍ତି ଓ ଆନନ୍ଦ ମିଳନ୍ତା ।

 

ଦେଖାଯାଉଛି ଯେ ସ୍ନେହ-ସହାନୁଭୂତି ସାଙ୍ଗକୁ ବୈଜ୍ଞାନିକ ବୁଦ୍ଧି ଓ ଜ୍ଞାନ ମିଶାଇ ଉଦ୍ୟମ କଲେ ଚୋରକୁ ଦଣ୍ଡ ନ ଦେଇ, ମଦୁଆକୁ ଘୃଣା ନ କରି, ଶତ୍ରୁକୁ ହତ୍ୟା ନ କରି ମଧ୍ୟ ସେମାନଙ୍କ ଉପଦ୍ରବରୁ ରକ୍ଷା ମିଳିବ । ଏପରି କି ପିଲାଙ୍କୁ ଶାସ୍ତି ନ ଦେଇ ମଧ୍ୟ ଭଲ ମଣିଷ କରି ଗଢ଼ିହେବ ଓ ଏହିପରି ଆହୁରି କେତେ କ’ଣ କରିହେବ ।

 

ଚୈତନ୍ୟ ମହାପ୍ରଭୁଙ୍କ ଭଳି ଭକ୍ତ ମହାତ୍ମାଙ୍କର ଚେଷ୍ଟା ସତ୍ତ୍ୱେ ଆମ ଦେଶରେ ସାମାଜିକ ଜୀବନ ଓ ଧର୍ମସାଧନା ଅଲଗା ଅଲଗା କୋଠରିରେ ରହିଗଲା; କିନ୍ତୁ ୟୁରୋପରେ ନବଜନ୍ମ-ଯୁଗରେ ବିଜ୍ଞାନ ଓ ମାନବିକତାବାଦର ଅଭ୍ୟୁଦୟ ଫଳରେ ସମାଜଜୀବନର ସମସ୍ୟାର ମାନବିକତାପୂର୍ଣ୍ଣ ସମାଧାନରେ ବିଜ୍ଞାନର ବ୍ୟବହାରର ବାଟ ଫିଟିଲା; ସେଭଳି ଅନେକ ପ୍ରକାରର ସଫଳ ଉଦ୍ୟମ ହେଲା ମଧ୍ୟ । କିନ୍ତୁ ତଥାପି ଦୁନିଆରୁ ଦୁଃଖ, ଅନ୍ୟାୟ, ସଂଘର୍ଷ, ଅତ୍ୟାଚାର, ଅପରାଧର ଭାଗ ବିଶେଷ କିଛି ଲାଘବ ହେଇନାହିଁ । ବିଜ୍ଞାନ ବହୁତ ଆଗେଇଛି; ମାତ୍ର ତାହା ସହିତ ସମାନ ତାଳ ଦେଇ ମାନବିକତାବୋଧ ଆଗେଇନାହିଁ; ବହୁତ ପଛେଇ ପଡ଼ିଛି । ବରଂ ବିଜ୍ଞାନର ଅଗ୍ରଗତି ଫଳରେ ହିଂସା ଓ ଧ୍ୱଂସର ମାତ୍ରା ବଢ଼ିଥିବା ପରି ଦେଖାଯାଉଛି । ଏହାର କାରଣ ହେଲା ଯେ ବିଜ୍ଞାନ ସହିତ ଭାବବେଗ, ମୂଲ୍ୟବୋଧ, ନୀତିବିଚାର ଖାପ ଖାଏନାହିଁ । ଏସବୁ ତା’ର ସାଧନାରେ ବାଧା ଉତ୍ପନ୍ନ କରେ ବୋଲି ସାଧାରଣ ଭାବରେ ଧରିନିଆଯାଇଛି । ଏପରି ମନେକରାଯିବାର ଯଥାର୍ଥ କାରଣ ମଧ୍ୟ ରହିଛି । କିନ୍ତୁ ପ୍ରକୃତରେ ସବୁପ୍ରକାରର ଭାବନା ଓ ମୂଲ୍ୟବୋଧ ସହିତ ଯେ ବିଜ୍ଞାନର ବିରୋଧ ରହଛି, ତାହା ନୁହେଁ । ଆମେ ଦେଖିଲୁ ଯେ କେତେ ପ୍ରକାରର ବୈଜ୍ଞାନିକ ଗବେଷଣାପାଇଁ ତା’ର ବିଷୟବସ୍ତୁ ପ୍ରତି ଏକପ୍ରକାରର ଆଦରର ଭାବ ବା ସମଦୃଷ୍ଟି ଲୋଡ଼ା ହୁଏ । ଏହି ପ୍ରକାରର ଦୃଷ୍ଟି ନେଇ ଗବେଷଣା କରୁଥିବା ବୈଜ୍ଞାନିକ ହିଁ ମୂଲ୍ୟବାନ ନୂଆ ଜ୍ଞାନର ଦିଗନ୍ତର ସନ୍ଧାନ ଦିଅନ୍ତି । ବିଜ୍ଞାନ ସହିତ ନୈତିକତା ଓ ମୂଲ୍ୟବୋଧ ଯୋଡ଼ାହେବା ଆବଶ୍ୟକ–ଏ କଥା ଅନେକ ବିଶିଷ୍ଟ ବୈଜ୍ଞାନିକ ଏବେ ଉପଲବ୍‌ଧି କଲେଣି ବୋଲି ମଧ୍ୟ ଆମେ ଦେଖିଲେ । ଏବେ କଥା ହେଉଛି, ବୈଜ୍ଞାନିକ ମନୋଭାବ ସାଙ୍ଗରେ ମୂଲ୍ୟବୋଧ ପ୍ରତି ନିଷ୍ଠା ବା ନୈତିକ ଦୃଷ୍ଟିକୋଣକୁ ଯୋଡ଼ିହେବ ନା ନାହିଁ ? ଏଭଳି ଯୋଡ଼ିବ ବା ସଂଶ୍ଲେଷଣ ସଫଳ ହେବାକୁ ହେଲେ ସେଥିପାଇଁ କ’ଣ କରିବାକୁ ହେବ ?

 

ଆମେ ପୂର୍ବରୁ ବିଜ୍ଞାନ ସହିତ ନୈତିକତା ଓ ମୂଲ୍ୟବୋଧର ବିଚ୍ଛେଦର କେତେକ କାରଣ ଆଲୋଚନା କରିଛୁ । ଏବେ ଏ ସଂଶ୍ଲେଷଣ କିପରି ସମ୍ଭବ ହେବ, ତାହା ଆଲୋଚନା କରିବା ପୂର୍ବରୁ ବିଜ୍ଞାନ ସହିତ ଭାବଜଗତର ବିଚ୍ଛେଦର ଦାର୍ଶନିକ ଭିତ୍ତି ଉପରେ ଆଖି ବୁଲେଇଯିବା-

 

(୭)

 

ଆମ ଦର୍ଶନରେ ସାଧନାର ତିନିଟା ମାର୍ଗ ଅଛି–ଜ୍ଞାନ, କର୍ମ ଓ ଭକ୍ତି । ଏ ସାଧନା ଅବଶ୍ୟ ଈଶ୍ୱରପ୍ରାପ୍ତିପାଇଁ, ତାଙ୍କ ସହିତ ଏକରୂପ ହେବାପାଇଁ ଅଭିପ୍ରେତ । କିନ୍ତୁ ଲକ୍ଷ୍ୟ କରିବାର କଥା ଯେ ସୃଷ୍ଟି ସହିତ ମଣିଷର କାରବାର କରିବାର ମାର୍ଗ ମଧ୍ୟ ତିନୋଟି–ଜ୍ଞାନ, କର୍ମ ଓ ଭାବାତ୍ମକ ସମ୍ପର୍କ । ଆମର ଅତି ସାନରୁ ବଡ଼ ଯାଏ ସବୁ ଆଚରଣର ଏ ତିନୋଟି ବିଭାବ ରହିଛି । ବଗିଚାରେ ଗୋଟିଏ ଗଛ ଦେଖିଲି । ସେ ଗଛଟି କ’ଣ, ଫଳ ନା ଫୁଲ ଗଛ, କେତେ ଦିନରେ ପୋଖତ ହୁଏ, କି ପ୍ରକାରର ଖତ ପାଣି ଆବଶ୍ୟକ କରେ ଆଦି ତାହା ବିଷୟରେ ଜ୍ଞାନ ମୋର ଲୋଡ଼ାହେବ । ପୁଣି ସେ ଗଛକୁ ସୁନ୍ଦର–ଅସୁନ୍ଦର, ଦରକାରୀ–ଅଦରକାରୀ ଆଦି ମାପକାଠିରେ କିଛି ମୁଁ ତା’କୁ ପସନ୍ଦ ବା ନାପସନ୍ଦ କରିବି ଓ ପୁଣି ସେ ଗଛ ପ୍ରତି ମୋର ମନୋଭାବ ଓ ତାହା ବିଷୟରେ ମୋର ଜ୍ଞାନକୁ ବ୍ୟବହାର କରି ମୁଁ ସେ ଗଛକୁ ଖତ ପାଣି ଦେଇ ବଢ଼େଇବି; ନ ହେଲେ ଉପାଡ଼ିଦେବି । ପ୍ରତ୍ୟେକ କ୍ଷେତ୍ରରେ ସାଧାରଣ ମଣିଷ ଏହିପରି ତିନି ମାର୍ଗରେ ତା’ର ପାରିପାର୍ଶ୍ୱିକ ପ୍ରକୃତି ସହିତ ସମ୍ୱନ୍ଧ ସ୍ଥାପନ ନ କଲେ ଚଳେ ନାହିଁ ।

 

କିନ୍ତୁ ଏହି ତିନି ପନ୍ଥାର ସାମୂହିକତା ଆଗକୁ କାଏମ ରହି ପାରିଲା ନାହିଁ ।

 

ମଣିଷ ଯେତେବେଳେ ତର୍କସଙ୍ଗତ ଚିନ୍ତନର ସାମର୍ଥ୍ୟ ହାସଲ କଲା, ସେତେବେଳେ ତା’କୁ ଗୋଟିଏ ଖୁବ୍‌ ଶକ୍ତି ମିଳିଗଲା ବୋଲି ସେ ଅନୁଭବ କରିଥିବ । ଆଖି ଆଗରେ ଯାହା ରହିଛି ତାହାର ଆଗକୁ ପଛକୁ ସେ ବହୁତ କିଛି ଭାବିପାରିଲା, ବହୁତ ପ୍ରକାରର ସମ୍ବନ୍ଧର ଧାରଣା କରିପାରିଲା । ସେତେବେଳେ ତା’ର ବିଶ୍ୱାସ ହେଲା ଯେ ତର୍କସଙ୍ଗତ ଯୁକ୍ତିଦ୍ୱାରା ସେ ସାରା ବିଶ୍ୱ-ସୃଷ୍ଟିର ବ୍ୟାଖ୍ୟା କରିଦେଇ ପାରିବ । ସାରା ବିଶ୍ୱ-ସୃଷ୍ଟିର ରହସ୍ୟ ଉଦ୍‌ଘାଟନ କରିବାର କୌତୂହଳ ଓ ଆକାଂକ୍ଷା ତ ମଣିଷର ସେଇ କୋଉ ଆଦିମ କାଳରୁ ଦେଖାଦେଲାଣି । ଆଦିମ ଯୁଗରେ ସେ ମୁଖ୍ୟତଃ ତା’ର କଳ୍ପନାଶକ୍ତି ପ୍ରୟୋଗ କରି ସୃଷ୍ଟିର ବ୍ୟାଖ୍ୟା କରୁଥିଲା । ଏବେ ଯୁକ୍ତି-ସଙ୍ଗତ ଚିନ୍ତନଶକ୍ତିରେ ବଳି ହେଇ ଦାର୍ଶନିକମାନେ ସୃଷ୍ଟିର ବ୍ୟାଖ୍ୟା କରି ବାହାରିଲେ । ଗୋଟାଏ ଗୋଟାଏ ଅନୁଭବଲବ୍‌ଧ ସୂତ୍ରକୁ ଧରି ସେମାନେ ସୃଷ୍ଟିର ବ୍ୟାଖ୍ୟା କରିଲାଗିଲେ । ଯେମିତି ଧରନ୍ତୁ, ଭାରତୀୟ ଦର୍ଶନର ପ୍ରକୃତି–ପୁରୁଷତତ୍ତ୍ୱ । ସ୍ତ୍ରୀ ପୁରୁଷଙ୍କର ସଂଯୋଗରେ ନୂଆ ଜୀବ ସୃଷ୍ଟି ହୁଏ, ଏଇ ତଥ୍ୟକୁ ଆଧାର କରି ସାରା ବିଶ୍ୱ-ସୃଷ୍ଟିର ଗୋଟାଏ ବ୍ୟାଖ୍ୟା ପ୍ରକୃତି-ପୁରୁଷତତ୍ତ୍ୱ ମାଧ୍ୟମରେ ଛିଡ଼ା କରାହେଇଛି । ଗ୍ରୀସ୍‌ରେ ସେମିତି ପାଇଥାଗୋରାସ୍‌ ଜ୍ୟାମିତିର ସିଦ୍ଧାନ୍ତ ସବୁକୁ ଭିତ୍ତି କରି ବିଶ୍ୱରଚନାର ଏକ ଜ୍ୟାମିତିକ ଦର୍ଶନ ଛିଡ଼ାକଲେ । ଏହିପରି ଆହୁରି କେତେ କେତେ ଦାର୍ଶନିକ ତତ୍ତ୍ୱର ଉଦାହରଣ ଦୁନିଆଯାକରେ ରହିଛି ।

 

କେବଳ ବିଶ୍ୱସୃଷ୍ଟିର ବ୍ୟାଖ୍ୟା ନୁହେଁ, ଅନ୍ୟାନ୍ୟ କ୍ଷେତ୍ରରେ ବି ଏହିପରି ଚାଲିଲା । ଭାରତୀୟ ଚିକିତ୍ସକମାନେ ବାତ, ପିତ୍ତ ଓ କଫ ଏଇ ତିନୋଟି ‘ଦୋଷ’ କୁ ଭିତ୍ତି କରି ସବୁ ରୋଗର ନିଦାନ କରିଦେଲେ । ସେମିତି ଗ୍ରୀସର ପଣ୍ଡିତମାନେ ମଣିଷ ଶରୀରର ଚାରୋଟି ଉପାଦାନ : ରକ୍ତ, ପିତ୍ତ, କଫ ଓ ‘କୃଷ୍ଣପିତ୍ତ’ କୁ ଭିତ୍ତି କରି ମଣିଷଚରିତ୍ରର ବ୍ୟାଖ୍ୟାର ଏକ ସୂତ୍ର ଗଢ଼ି ଥୋଇଦେଲେ ।

 

ଏସବୁ ମୂଳରେ ତ କିଛି ତଥ୍ୟ ଥିଲା; ମାତ୍ର କେବଳ ଶବ୍ଦ ଉପରେ ଶବ୍ଦ ଥୋଇ ଗଢ଼ାହେଇଥିବା ତତ୍ତ୍ୱର ଅଭାବ ବି ପୃଥିବୀରେ ନାହିଁ । ଏସବୁ ତତ୍ତ୍ୱଭିତରେ ବିରୋଧ ଦେଲେ ଲଢ଼େଇଟା କେବଳ ବୌଦ୍ଧିକ ସ୍ତରରେ ଚାଲେ । ବାସ୍ତବ ଦୁନିଆ ସହିତ ତତ୍ତ୍ୱଟା ଖାପ ଖାଉଛି କି ନାହିଁ, ତାହା ଯଚେଇ କରି ଦେଖିବାର ପ୍ରୟୋଜନ କ୍ୱଚିତ୍ କେହି ଅନୁଭବ କରନ୍ତି ।

 

ଏଇ ଯେମିତି ଧରନ୍ତୁ, ମାଧ୍ୟାକର୍ଷଣ କଥା । ପଣ୍ଡିତମାନେ ବହୁତ ଯୁକ୍ତି ପ୍ରମାଣ ଦେଇ ସାବ୍ୟସ୍ତ କରିଦେଇଥିଲେ ଯେ ଉପରୁ ଦୁଇଟା ଜିନିଷ-ଗୋଟାଏ ବଡ଼ ଓ ଭାରୀ, ଅନ୍ୟଟା ସାନ ଓ ହାଲୁକା-ଏକାଠି ଛାଡ଼ିଦିଆଯିବ ତ ବଡ଼ ଓ ଭାରୀଟା ଆଗେ ତଳେ ପଡ଼ିବ । ଏ ତତ୍ତ୍ୱକୁ ଶହ ଶହ ବର୍ଷଯାଏ କେହି ଅବିଶ୍ୱାସ କରି ନଥିଲେ; କେହି ପରଖ କରି ବି ଦେଖି ନ ଥିଲେ । ଗ୍ୟାଲିଲିଓ ପ୍ରଥମ କରି ପିସାର ସେହି ବିଖ୍ୟାତ ଢଳନ୍ତା ମିନାର ଉପରୁ ଏହିପରି ଦୁଇଟି ଗୋଳା ପକେଇ ନଗଦ ପ୍ରମାଣ କରିଦେଲେ ଯେ ପ୍ରଚଳିତ ତତ୍ତ୍ୱ ଭୁଲ । ଗୋଳା ଦୁଇଟି ଏକାସାଙ୍ଗରେ ତଳେ ପଡ଼ିଲା ।

 

ଏହିପରି ଅନେକ ଦର୍ଶନ ଓ ଅନ୍ୟ ସିଦ୍ଧାନ୍ତ ଅଛି ଓ ଥାଇପାରେ ଯାହା ଖୁବ୍ ତର୍କସଙ୍ଗତ; ଦେଖିବାକୁ ବେଶ୍ ସୁନ୍ଦର ଓ ସୁସଙ୍ଗତ । ତାହା ଭିତରେ ଆଭ୍ୟନ୍ତରୀଣ ଅସଙ୍ଗତି କିଛି ନାହଁ; ଅଥଚ ତାହା ବାସ୍ତବତା ସହିତ ଏକାବେଳକେ ବେଖାପ । ଆଜିର ବାସ୍ତବ ଦୁନିଆରେ ପାଇଥାଗୋରାସ୍‌ଙ୍କ ଜ୍ୟାମିତିକ ଦର୍ଶନର କୌଣସି ଉପଯୋଗିତା ନାହିଁ କି ପ୍ରକୃତି-ପୁରୁଷତତ୍ତ୍ୱର । ଏବେ ଜ୍ଞାନର ଯଥାର୍ଥତାର କଷଟି ହେଉଛି ଯେ ତାହା ତର୍କସଙ୍ଗତ ହେବ ଓ ବାସ୍ତବତା ସହିତ ବି ଖାପ ଖାଇବ ।

 

କଣାଦ, ଡିମୋକ୍ରିଟସ୍ ଓ ଲୁକ୍ରେସିୟସ୍ ଦୁଇ ହଜାର ବା ଅଧିକ ବର୍ଷତଳୁ ଏ ତତ୍ତ୍ୱ ବାଢ଼ିଥିଲେ ଯେ ସୃଷ୍ଟି ପରମାଣୁର ସମଷ୍ଟି । ଏହାର ବିଲ୍‌କୁଲ୍‌ ଓଲଟା ତତ୍ତ୍ୱ ବି ପ୍ରଚଳିତ ଥିଲା । ଏ ଉଭୟ ପ୍ରକାରର ତତ୍ତ୍ୱର ଠେଲାପେଲାରେ ଦାର୍ଶନିକମାନଙ୍କର ମସ୍ତଷ୍କଚାଳନା ଖୁବ୍ ହେଉଥିଲା; ମାତ୍ର ଆଉ କାହାରି କିଛି ଇତରବିଶେଷ ହେଉ ନ ଥିଲା । କେରାଏ ଶାଗ ସିଝିବାରେ ବି ତାହା ସାହାଯ୍ୟ କରୁ ନ ଥିଲା । ମାତ୍ର ଏବେ ବୈଜ୍ଞାନିକ ଭିତ୍ତିରେ ପ୍ରତିଷ୍ଠିତ ପରମାଣୁତତ୍ତ୍ୱ ସାହାଯ୍ୟରେ ଯେ କେବଳ ମହାକାଶର ନିହାରିକାଠାରୁ ପିନ୍‌କଣ୍ଟା ଯାଏ ସବୁ ଜିନିଷର ରଚନାର ବ୍ୟାଖ୍ୟା ହେଇପାରୁଛି ସେତିକି ନୁହେଁ; ପୋକମରା ଔଷଧ ତିଆରିଠାରୁ ପରମାଣୁଶକ୍ତି ଉତ୍ପାଦନ ଯାଏ ହଜାର ହଜାର ପ୍ରକାରର ବ୍ୟାବହାରିକ କାମରେ ତାହା ଲାଗୁଛି । ଏଇ ହେଉଛି କଳ୍ପନାମୂଳକ ତତ୍ତ୍ୱ ଓ ପ୍ରୟୋଗମୂଳକ ତତ୍ତ୍ୱ ଭିତରେ ଫରକ୍ ।

 

ଜ୍ଞାନ ଓ କର୍ମ ଭିତରେ ଯେଉଁ ଭେଦ ଉତ୍ପନ୍ନ ହେଇଥିଲା, ସେଇଟା ଲୋପ କରିବାଦ୍ୱାରା ବିଜ୍ଞାନର ବିକାଶର ମୂଳଦୁଆ ପଡ଼ିଲା । ବିଜ୍ଞାନର ପୂର୍ବ ଯୁଗରେ ଚାଷୀ, କାରିଗର, ମିସ୍ତ୍ରୀ, ଘରଣୀ ଆଦିଙ୍କ ପାଖରେ ବ୍ୟାବହାରିକ କୌଶଳ ଓ ଟୁକୁରା ଟୁକୁରା ଜ୍ଞାନ ଥିଲା । ସେମାନେ ଜ୍ଞାନଚର୍ଚ୍ଚା କରୁ ନ ଥିଲେ । ଅନ୍ୟ ଦିଗରେ ପଣ୍ଡିତମାନେ ବସି ସୃଷ୍ଟି ଓ ସମାଜର ବଡ଼ ବଡ଼ ସମସ୍ୟା ଓ ରହସ୍ୟ ନେଇ ମୁଣ୍ଡ ଖେଳାଉଥିଲେ; କିନ୍ତୁ କୁଟାଖଣ୍ଡକୁ ଦି’ଖଣ୍ଡ କରି ହାତ ମଇଳା କରିବାଟାକୁ ଘୃଣା କରୁଥିଲେ । ଯେତେବେଳେ ହାତରେ ପରଖ ନିରେଖ କରି ହାତ ମଇଳା କରିବାକୁ, ଚାଷୀ କାରିଗରଙ୍କର ଅଭିଜ୍ଞତା ଓ ସମସ୍ୟା ନେଇ କାରବାର କରିବାକୁ ପ୍ରସ୍ତୁତ ପଣ୍ଡିତ ଓ ବୁଦ୍ଧି ଖେଳେଇ ତାତ୍ତ୍ୱିକ ଚିନ୍ତନ କରିବାକୁ ସମର୍ଥ କାରିଗର, ଶିଳ୍ପୀ ବାହାରିଲେ, ସେତେବେଳେ ଜ୍ଞାନ କର୍ମଭିତରେ ଏ ଫାଟ ଯୋଡ଼ିହେଇଗଲା ।

 

ବିଭିନ୍ନ ପ୍ରକାରର ଲୋକଙ୍କ ପାଖରେ ଯେଉଁ ସବୁ ଅନୁଭବସିଦ୍ଧ ଓ ବ୍ୟାବହାରିକ ଜ୍ଞାନର ଛୋଟ ଛୋଟ ଟୁକୁରା ଥିଲା, ସେସବୁକୁ ବିଜ୍ଞାନ ସଂଶୋଧିତ ଓ ସୂତ୍ରବଦ୍ଧ କରିବା ସଙ୍ଗେ ସଙ୍ଗେ ଜ୍ଞାନର ଓ ତା’ର ବ୍ୟାବହାରିକ ପ୍ରୟୋଗର ପରିସରକୁ ମଧ୍ୟ ଅବିଶ୍ୱାସ୍ୟ ପରିମାଣରେ ବଢ଼େଇଦେଇଛି । ଉଦାହରଣ ସ୍ୱରୂପ ବଇଦ, ରାନ୍ଧୁଣୀ, ଲୁଗାରଙ୍ଗାଳି, ଅତରପ୍ରସ୍ତୁତକାରୀ ଆଦି ନିଜ ନିଜ ଧନ୍ଦାର ଚଉହଦି ଭିତରେ ଅନେକ କଥା ଜାଣୁଥିଲେ; ଯେଉଁଗୁଡ଼ାକ ରସାୟନବିଦ୍ୟାର ଅନ୍ତର୍ଗତ ବିଷୟ । ଏସବୁ ଜ୍ଞାନ ଓ କଳା କିନ୍ତୁ ବିଜ୍ଞାନର ପର୍ଯ୍ୟାୟକୁ ଉଠି ନଥିଲା । ରସାୟନବିଦ୍ୟାର ବିକାଶ ହୁଅନ୍ତେ ଏସବୁ ଜ୍ଞାନ ତା’ର ସାମିଲ ହେଇଗଲା । ଉପରୋକ୍ତ କାରିଗରମାନେ ଯେତେ ଜାଣିଥିଲେ, ତା’ଠୁ ଜ୍ଞାନର ପରିସର ବହୁତ ବଢ଼ିଗଲା । ସେମାନେ ଯାହା କରିପାରୁଥିଲେ ତାହାଠୁଁ ରସାୟନବିଦ୍ୟା ସାହାଯ୍ୟରେ କରାଯାଇପାରିବା କାମର ପରିସର ମଧ୍ୟ ହଜାର ହଜାର ଗୁଣ ବଢ଼ିଗଲା । ପୁଣି ଦାର୍ଶନିକମାନଙ୍କର ଜଳ୍ପନାମୂଳକ ତତ୍ତ୍ୱ ଅପେକ୍ଷା ଏ ବିଜ୍ଞାନଲବ୍‌ଧ ତତ୍ତ୍ୱ କାହିଁ ଅଧିକ ନିଦା ଓ ଶକ୍ତିଶାଳୀ ହେଲା ?

 

ବିଜ୍ଞାନର ଏ ସାଫଲ୍ୟ ଫଳରେ ତା’ର ପ୍ରତିଷ୍ଠା ଓ ଗୌରବ ତ ସ୍ୱାଭାବିକ ଭାବରେ ବଢ଼ିଛି, ତାହା ସାଙ୍ଗକୁ ସୃଷ୍ଟିର ରହସ୍ୟ ଭେଦକରିବା ପାଇଁ ବିଜ୍ଞାନ ହିଁ ଏକମାତ୍ର ମାଧ୍ୟମ ବୋଲି ଧାରଣା ଦୃଢ଼ମୂଳ ହେଇଛି । ଦାର୍ଶନିକ ଚିନ୍ତାଧାରା ମଧ୍ୟ ଏହାଦ୍ୱାରା ପ୍ରଭାବିତ ହେଇ ସୀମାବଦ୍ଧ ହେଇଛି । ସୃଷ୍ଟି ସହିତ ଭାବାତ୍ମକ ସମ୍ବନ୍ଧ ମଧ୍ୟ ଜ୍ଞାନର ଗୋଟାଏ ପରିପୂରକ ଅଙ୍ଗ, ଏକଥା ପୂର୍ବେ ଦାର୍ଶନିକମାନେ ବିଚାରୁଥିଲେ । ଆମ ଦେଶରେ ଜ୍ଞାନ, ଭକ୍ତି ଓ କର୍ମର ମାର୍ଗ ପରି ଗ୍ରୀସ୍‌ର ଦାର୍ଶନିକମାନେ ବୁଦ୍ଧିଗମ୍ୟ ଓ ଅନୁଭୂତିଗମ୍ୟ ଜ୍ଞାନ କଥା କହୁଥିଲେ । ମାତ୍ର ଆରିଷ୍ଟଟଲ୍ ବୁଦ୍ଧିଗମ୍ୟ ଜ୍ଞାନକୁ ହିଁ ଗୁରୁତ୍ୱ ଦେଲେ । ଆରିଷ୍ଟଟଲଙ୍କ ବିଚାର ହିଁ ମଧୁନିକ ବିଜ୍ଞାନର ମୂଳଦୁଆ ଯୋଗାଇଲା । ଅଠରକ ଶତାବ୍ଦୀରେ ଫ୍ରାନ୍‌ସରେ ଓଗୁସ୍ତକଁତ୍‌ ଜ୍ଞାନ ଆହରଣ ପ୍ରଣାଳୀର ଏକ ଦର୍ଶନ ପ୍ରଣୟନ କଲେ, ଯାହା ପଜିଟିଭିଷ୍ଟ ଦର୍ଶନ ନାମରେ ପରିଚିତ ଓ ଏହା ବିଜ୍ଞାନର ଦାର୍ଶନିକ ଭିତ୍ତିରୂପେ ବ୍ୟାପକ ସମର୍ଥନ ପାଇଛି ।

 

ବିଜ୍ଞାନଯାଏ ତ ଏଇଟା ଠିକ୍‌ ଥିଲା । ମାତ୍ର ଗୋଳମାଳ ହେଉଛି, ଯେତେବେଳେ ବିଜ୍ଞାନକୁ ବା ପଜିଟିଭିଷ୍ଟ ଦର୍ଶନକୁ ସୃଷ୍ଟିରହସ୍ୟ ଭେଦର, ସୃଷ୍ଟି ସହିତ ମଣିଷର ସମ୍ବନ୍ଧର ଅର୍ଥ ବୁଝିବାର ଏକମାତ୍ର ଓ ସର୍ବାଙ୍ଗୀନ ପନ୍ଥା ରୂପେ ମାନିନିଆଯାଉଛି । ଏହା ଫଳରେ ସୃଷ୍ଟି ସହିତ ଭାଗବତ ସମ୍ପର୍କର ବିଭାବଟା ବାଦ୍‌ ପଡ଼ିଯାଇଛି ।

 

(୮)

 

ଏବେ ଜ୍ଞାନ, କର୍ମ ଓ ଭାବ, ସୃଷ୍ଟି ସହିତ ଆମର କାରବାରରେ ଏ ତିନି ବିଭାବକୁ ଏକାଠି ମିଶେଇ ପୁଣି ଏକ ସମଗ୍ର ଜୀବନଦର୍ଶନର ମୂଳଦୁଆ ପକାଇବାକୁ ହେଲେ ଆମର ଭଲ-ମନ୍ଦ, ବାଞ୍ଛନୀୟ-ଅବାଞ୍ଛନୀୟ, ସୁନ୍ଦର-ଅସୁନ୍ଦର ଆଦି ବାଛ-ବିଚାରରେ ଯେଉଁ ଆବୁରୁଜାବୁରୁ ଅବସ୍ଥା ରହିଛି ତା’କୁ ସଜାଡ଼ିବାକୁ ହେବ । ଏସବୁ ସେଇ ପ୍ରାଚୀନ ଯୁଗର କାରିଗରଙ୍କର ଟୁକୁରା ଟୁକୁରା ଜ୍ଞାନ ପରି ପରସ୍ପର ବିଚ୍ଛିନ୍ନ ଓ ବିସଙ୍ଗତ ହେଇ ରହିଛି । ଆମେ ସାଇ ମଦୁଆକୁ ଘୃଣା କରୁ; ମାତ୍ର ଟିକସର ପଇସା ଖର୍ଚ୍ଚ କରି ସାମରିକ ବାହିନୀର ଜବାନମାନଙ୍କୁ ମାଗଣା ମଦ ଯୋଗାଇବା ଉଚିତ ଓ ଆବଶ୍ୟକ ମନେକରୁ । ସାଇରେ କେହି ମଣିଷ ମାରିଲେ ଆତଙ୍କ ଓ ବିତୃଷ୍ଣାରେ ଶିହରିଉଠୁ; ମାତ୍ର ଅନ୍ୟ ଦେଶର ଲୋକଙ୍କୁ ବେଶୀ ସଂଖ୍ୟାରେ ମାରିପାରିଥିବା ଜବାନକୁ ମହାବୀରଚକ୍ର ଦେଇ ଅଭିନନ୍ଦିତ କରୁ । ଏମିତି ସବୁ ସାରା ପୃଥିବୀରେ ମୂଲ୍ୟବୋଧର ଏକ ଅଳିମାଳିକା ଗଦା ହେଇ ରହିଛି ଓ ଶେଷକୁ ବୁନିୟାଦି ମୂଲ୍ୟବୋଧ କିଛି ନାହିଁ ବୋଲି ଦାବି ହେଉଛି ।

 

ଅସଂଖ୍ୟ ଲୋକଙ୍କ ପାଖରେ ବିଛେଇ ହେଇ ରହିଥିବା ଟୁକୁରା ଟୁକୁରା ଜ୍ଞାନକୁ ବିଜ୍ଞାନ ସୂତ୍ରବଦ୍ଧ କଲା । ସେଥିଭିତରେ ଯାହା ଭ୍ରାନ୍ତି ଥିଲା, ଭୁଲ ଧାରଣା ଥିଲା, ସେସବୁକୁ ଧୋଇଧାଇ ସଫା କରି ଯଥାର୍ଥ ତଥ୍ୟଟିକକ ନେଲା । ଏସବୁକୁ ଯଚେଇ କରିବାପାଇଁ ବିଜ୍ଞାନର କଷଟି ପଥର ହେଲା ସତ୍ୟ । ସତ୍ୟର ସନ୍ଧାନ ମଧ୍ୟ ବିଜ୍ଞାନର ଲକ୍ଷ୍ୟ । ସେହିପରି ସାରା ପୃଥିବୀର ଟୁକୁରା ଟୁକୁରା ମୂଲ୍ୟବୋଧର ଆବୁରୁ-ଜାବୁରୁ ଗଦାରୁ ଝାଡ଼ୁଝୁଡ଼ି ନିଦା ଓ ପୋଖତ ମୂଲ୍ୟବୋଧଗୁଡ଼ିକ ଆଣି ସୂତ୍ରବଦ୍ଧ କରିବାପାଇଁ ଏକ ପନ୍ଥା ଓ ଏକ କଷଟି ଲୋଡ଼ା । ପୁଣି ଏହା ବିଜ୍ଞାନ ସହିତ ଖାପ ଖାଇବା ଚାହି; ଅର୍ଥାତ୍‌ ମୂଲ୍ୟବୋଧ କେବଳ ଭେବୋଚ୍ଛ୍ୱାସ ନ ହୋଇ ତାହାର ମୁଳଦୁଆ ଜ୍ଞାନ ଉପରେ ରହିବା ଚାହିଁ ଓ ତାହା ମଣିଷର ଆଚରଣ-କୁଶଳତାକୁ ସମୃଦ୍ଧ କରିବା ଚାହି ।

 

ମାନବିକତାବାଦ ଏହିପରି କଷଟି ଓ ଲକ୍ଷ୍ୟ ହେଇପାରେ । ଆମେ ପୂର୍ବରୁ ଦେଖିଛୁ ଯେ ମାନବିକତାବାଦର ଦୃଷ୍ଟି ନେଇ ବିଜ୍ଞାନର ଯେଉଁସବୁ ଗବେଷଣା କରାଯାଇଛି, ସେସବୁ ମଣିଷର ମଣିଷପଣିଆକୁ ସମୃଦ୍ଧ କରିବା ଦିଗରେ ସାହାଯ୍ୟ କରିଛି । ଏହାକୁ ଆଉ ପ୍ରକାରେ ବି କୁହାଯାଇପାରେ । ଯେଉଁମାନେ ମାନବିକ ମୂଲ୍ୟ ପ୍ରତିଷ୍ଠା ଉଦ୍ୟମରେ ବୈଜ୍ଞାନିକତାର ସାହାଯ୍ୟ ନେଇଛନ୍ତି, ସେମାନେ ସାଫଲ୍ୟ ଆଡ଼କୁ ଅପେକ୍ଷାକୃତ ସହଜରେ ଅଗ୍ରସର ହେଇଛନ୍ତି ।

 

ଭକ୍ତିର ଲକ୍ଷଣରୂପେ ବର୍ଣ୍ଣିତ ‘ସମଦୃଷ୍ଟି’ ଏହି ମାନବିକତାବାଦର ସମ୍ପ୍ରସାରଣ ମାତ୍ର । ମାନବିକତାବାଦ ମୋଟାମୋଟି ମଣିଷଜାତିପ୍ରତି ହିଁ ସୀମାବଦ୍ଧ; ମାତ୍ର ସମଦୃଷ୍ଟି ତାହାକୁ ଅତିକ୍ରମ କରି ମନୁଷ୍ୟେତର ସୃଷ୍ଟିକୁ ନିଜର ପରିସରର ଅନୁର୍ଭୁକ୍ତ କରେ । ମାନବିକତାବାଦର ଏପରି ସମ୍ପ୍ରସାରଣର ଆବଶ୍ୟକତା ରହିଛି । ଏବେ ‘ଇକୋଲଜି’ ବୋଲି ଗୋଟାଏ ବିଜ୍ଞାନର କଥା ଖୁବ୍‌ ଶୁଣାଯାଉଛି । ପୂର୍ବରୁ ସାଧାରଣରେ ଏହାର ନାଁ ଶୁଣା ନ ଥିଲା । ଇକୋଲଜିର ଅର୍ଥ ହେଲା କୌଣସି ଅଞ୍ଚଳର ମାଟି, ପାଣି, ପବନ, ଗଛପତ୍ର, ପଶୁପକ୍ଷୀ ଓ କୀଟପତଙ୍ଗଙ୍କର ଜୀବନରେ ଯେଉଁ ପରସ୍ପର ନିର୍ଭରଶୀଳତା ଓ ଭାରସାମ୍ୟ ରହିଛି ତାହାର ଅଧ୍ୟୟନ । ଦେଖାଯାଉଛି ଯେ ଏ ଭାରସାମ୍ୟ ବଡ଼ ସୂକ୍ଷ୍ମଭାବରେ ରକ୍ଷିତ ହେଇଥାଏ । କୌଣସି କୌଣସି ଅଞ୍ଚଳରୁ କୌଣସି ଗଛପତ୍ର ନିର୍ବିଚାରରେ କାଟିଦେଲେ ବା ଜୀବଜନ୍ତୁଙ୍କୁ ଏପରି କି ପୋକଜୋକଙ୍କୁ ନିର୍ବଚାରରେ ଲୋପ କରିଦେଲେ ଏ ଭାରସାମ୍ୟ ନଷ୍ଟ ହେଇଥାଏ ଓ ତାହାର ପରିଣାମ ସୁଦୂରପ୍ରସାରୀ ହୁଏ । ସାହାଟ, ତାକଲାମାକାନ, ଥର୍‌ ଆଦିର ବିଶାଳ ମରୁଭୂମି ସବୁ ଏହିପରି ପ୍ରକୃତିର ଭାର-ସାମ୍ୟକୁ ଅତୀତରେ ନଷ୍ଟ କରାଯାଇଥିବାର କୁପରିଣାମ ବୋଲି ବୈଜ୍ଞାନିକମାନେ କହନ୍ତି ।

 

ଅଥଚ ଆମେରିକା ପ୍ରଭୃତିରେ ପୋକମରା ଔଷଧଦ୍ୱାରା ପ୍ରାୟ ସମସ୍ତ କୀଟ-ପତଙ୍ଗ ଧ୍ୱଂସ କରି ଦିଆଗଲେଣି ଓ ଏଠି ବି ସେସବୁରେ ନିର୍ବିଚାର ବ୍ୟବହାର ଚାଲିଛି । ସୌକିନ ମହିଳାମାନଙ୍କୁ ମୂଲ୍ୟବାନ ଫରକୋଟ ଯୋଗାଇବାପାଇଁ ପ୍ରତିବର୍ଷ ବିଭର୍‌, ମିଙ୍କ୍, ମାର୍ଟେନ୍, ଧଳାକୋକି ଆଦି ଲୋମଶ ପ୍ରାଣୀମାନଙ୍କୁ ଲକ୍ଷ ସଂଖ୍ୟାରେ ହତ୍ୟା କରାଯାଉଛି । ନଈନାଳ, ହ୍ରଦ ଓ ସମୁଦ୍ରରେ ସହର ଓ କାରଖାନାମାନଙ୍କର ଦୂଷିତ ଜଳ ଅଜାଡ଼ି ସେସବୁକୁ ମାଛ, କଙ୍କଡ଼ାଙ୍କର ବାସର ଅଯୋଗ୍ୟ କରିଦିଆଯାଉଛି । କାଗଜପାଇଁ ବଣସବୁ କାଟି ଲୋପ କରିଦିଆଯାଇଛି ଓ ଯାଉଛି । ଏସବୁକୁ ଏବେ ରୋକିବାର ଆବଶ୍ୟକତା ଅନୁଭୂତ ହେଲାଣି ।

 

ସେଥିପାଇଁ ‘ବୀରଭୋଗ୍ୟା ବସୁନ୍ଧରା’ ସୂତ୍ରର ଆଧୁନିକ ପ୍ରୟୋଗକୁ ତ୍ୟାଗ କରି ପ୍ରକୃତି ଓ ଜୀବଜଗତ ପ୍ରତି ନୂଆ ଦୃଷ୍ଟି ଗ୍ରହଣ କରିବାକୁ ହେବ; ସେସବୁ ସହିତ ନୂଆ ଭାବାତ୍ମକ ସମ୍ବନ୍ଧ ଯୋଡ଼ିବାକୁ ହେବ ବୋଲି କୁହାଯାଉଛି । ମାନବବାଦୀ ଆଲ୍‍ବର୍ଟ ଶ୍ୱାଇତ୍‌ସର୍‌ କହିଥିଲେ ଯେ ‘ରେଭରେନ୍‌ମ ଫର୍‌ ଲାଇଫ୍’ ମାନବଜୀବନର ସୂତ୍ର ହେବା ଉଚିତ । ‘ରେଭରେନ୍‌ସ’ ର ଅନୁବାଦ ‘ଭକ୍ତି’ ବା ‘ଆଦର’ କରାଯାଇପାରେ । ମାନବବାଦୀ ସମଦୃଷ୍ଟି ସାରା ପ୍ରକୃତି ପ୍ରତି ବିସ୍ତାରିତ କରିବାକୁ ହେବ । ପ୍ରକୃତି ପ୍ରତି ଆଦର, ତା’କୁ ରକ୍ଷା କରିବାର ମନୋଭାବ ଥିଲେ ଯାଇ ତାହାର ଅନୁରୂପ ବୈଜ୍ଞାନିକ ଗବେଷଣା ହୋଇପାରିବ ଓ ସେଥିରୁ ନୂଆ ଜ୍ଞାନ ଓ ପନ୍ଥାର ସନ୍ଧାନ ମିଳିବ ।

 

ଏଠି ସାରା ମଣିଷସମାଜ ଓ ସୃଷ୍ଟିପ୍ରତି ଯେଉଁ ‘ସମଦୃଷ୍ଟି’ ର ଭାବତ୍ମକ ସମ୍ବନ୍ଧ କଥା କୁହାଯାଉଛି ତାହା କେବଳ ମୁଣ୍ଡରେ ଲେବ୍‌ଲ ମାରିଦେଲେ ବା ବେକରେ କଣ୍ଠ ବାନ୍ଧିଦେଲେ ହେଇଯିବ ନାହିଁ । ପୂର୍ବେ ଯାହାଠେଇ ବିଦ୍ୟାର୍ଣ୍ଣବ ବା ବିଦ୍ୟାବାରିଧି ବୋଲି ଛାପା ମରାହୋଇଯାଉଥିଲା, ତା’ର ଜ୍ଞାନସାଧନା ସରିଯାଇଛି ବୋଲି ମନେ କରାଯାଉଥିଲା । ଏବେ ବି କେହି କେହି ଏମ. ଏ. ବା ପି ଏଚଡି ଉପାଧି ପାଇଗଲେ ନିଜକୁ ସେହିପରି ମନେକରିଥାନ୍ତି । ମାତ୍ର ବୈଜ୍ଞାନିକର ଅର୍ଥ ସେପରି ନୁହେଁ । ଜ୍ଞାନମାର୍ଗରେ ପ୍ରତିଦିନ ଚାଲୁଥିଲେ, ନୂଆ ନୂଆ ଜ୍ଞାନ ଆବିଷ୍କାର କରୁଥିଲେ ଯାଇ ସେ ବୈଜ୍ଞାନିକ ଆଖ୍ୟାର ଅଧିକାରୀ ହୋଇ ରହେ । ଏଇ ଚାଲିବାଦ୍ୱାରା ହିଁ ସେ ଜ୍ଞାନର ଅସରନ୍ତି ରାଶିରୁ କିଛି କିଛି ମଣିଷର ହାତମୁଠାକୁ ଆଣିଦେବାରେ, ଏହାକୁ ବ୍ୟବସ୍ଥିତ କରିବାରେ ଓ ସମଗ୍ରତା ଦେବାରେ ସାହାଯ୍ୟ କରେ । ତା’ର ଚାଲିବା ବନ୍ଦ ହେଇଗଲେ ସେ ହେଇଯାଏ ‘ଭୂତପୂର୍ବ’ ।

 

ଆଜିଯାଏ କାହାରିଠାରେ ‘ମାନବବାଦୀ’ ବା ‘ଭକ୍ତିଶିରୋମଣି’ ବୋଲି ଛାପା ମରାହୋଇଗଲେ ସେ ତାହା ହେଇଯାଉଛି । ମାତ୍ର ସେପରି ଚଳିବ ନାହିଁ । ମାନବିକତା, ସମଦୃଷ୍ଟିର ତାତ୍ପର୍ଯ୍ୟ, ତା’ର ଅର୍ଥସମ୍ଭାର, ତା’ର ବ୍ୟାପକରୁ ବ୍ୟାପକତର ଓ ପୁଣି ସୂକ୍ଷ୍ମରୁ ସୂକ୍ଷ୍ମତର ପ୍ରୟୋଗ, ଜୀବନର ବିଭିନ୍ନ କ୍ଷେତ୍ରରେ ଟୁକୁରା ଟୁକୁରା ମୂଲ୍ୟବୋଧ ଓ ନୈତିକତାର ଯଚେଇ କରି ସମଦୃଷ୍ଟିର ମାନଦଣ୍ଡ ସହିତ ସେସବୁର ସାମଞ୍ଜସ୍ୟ ବିଧାନ, ଏସବୁ ଉତ୍ତରୋତ୍ତର ଆବିଷ୍କାରର ବିଷୟ । ଏ ବି ଗୋଟାଏ ବାଟ, ଯେଉଁଥିରେ ଚାଲିବାକୁ ହେବ । ବିଜ୍ଞାନରେ ଯେପରି, ଏଥିରେ ସେହିପରି ଚାଲିବା ହିଁ ଅଛି; ପହଞ୍ଚିବା ଅନ୍ତତଃ ଆମ ଯୁଗରେ ନାହିଁ । ସେଥିପାଇଁ ଏଥିରେ ସାଧକ ରହିବେ; ‘ସିଦ୍ଧତ୍ୱ’ ର ଦାବି ଓ ଆରୋପ ଭ୍ରାନ୍ତ ।

 

ଭାବିବା, ଲେଖିବା ଓ କହିବାର ସୁବିଧାପାଇଁ ବିଜ୍ଞାନ ଓ ସମଦୃଷ୍ଟିକୁ ଅଲଗା ଅଲଗା କରି ବିବେଚନା କରାଯାଇଛି । ସେହିପରି ଜ୍ଞାନ, ଭକ୍ତି ଓ କର୍ମକୁ ଅଲଗା କରି ବିବେଚନା କରାଯାଏ । ମାତ୍ର ବିନୋବା ଠାଏ କହିଲା ପରି ମିଠେଇର ଆକୃତି, ଓଜନ ଓ ମିଷ୍ଟତାକୁ ଆମେ ବିଚାରର ସୁବିଧାପାଇଁ ଅଲଗା ଦେଖୁ ସିନା; କିନ୍ତୁ ଏଥିରୁ କୌଣସି ଗୋଟିକୁ ଅଲଗା କରି ଆଣି ଥୁଅ ଦେଖି ? ସେମିତି ପରିପୂର୍ଣ୍ଣ ଜୀବନଦୃଷ୍ଟିରେ ସମଦୃଷ୍ଟି ଓ ବିଜ୍ଞାନ ବା ଜ୍ଞାନ, କର୍ମ ଓ ଭାବନା ଓତପ୍ରୋତ ହେଇ ରହିବେ । ଆଜି ବିଜ୍ଞାନର ବାଟ ଓ ସମଦୃଷ୍ଟିର ବାଟ ଯେମିତି ଅଲଗା ଅଲଗା ଦେଖାଯାଉଛି, ସେପରି ନ ରହି ଦୁହେଁ ସଂଶ୍ଲେଷିତ ହେଇ ଗୋଟାଏ ବାଟ ହେବ; ଯେମିତି ଆମେ ଗାନ୍ଧୀଜୀ ବା ଆଇନ୍‌ଷ୍ଟାଇନ୍‌ଙ୍କ ଭଳି ବ୍ୟକ୍ତିଙ୍କ ଜୀବନରେ ଦେଖୁ ।

 

କବି, ଶିଳ୍ପୀ, ସାହିତ୍ୟିକ ସୃଷ୍ଟିକୁ ବିସ୍ମୟଦୃଷ୍ଟିରେ ଦେଖନ୍ତି; ସୌନ୍ଦର୍ଯ୍ୟ ଦେଖନ୍ତି ସେଥିରେ-। ସୌନ୍ଦର୍ଯ୍ୟ ଓ ବିସ୍ମୟ ବୈଜ୍ଞାନିକକୁ ବି ଅଭିଭୂତ କରେ । ସାଧାରଣ ଲୋକଙ୍କର ଦୃଷ୍ଟିରେ ନ ପଡ଼ୁଥିବା ସୂକ୍ଷ୍ମ ଓ ଅଭିନବ ସୌନ୍ଦର୍ଯ୍ୟ ଲୋକ ଓ ବିସ୍ମୟ ଲୋକର ଦର୍ଶନ ବୈଜ୍ଞାନିକ ପାଇଥାଏ । ସୌନ୍ଦର୍ଯ୍ୟବୋଧ ଓ ବିସ୍ମୟ ମଣିଷର ଜୀବନକୁ ସମୃଦ୍ଧ କରେ । ଏସବୁ ବି ସମଦୃଷ୍ଟିର ସହଚାରୀ ଭାବ । ସୌନ୍ଦର୍ଯ୍ୟର ନୂଆ ନୂଆ ଉପଲବ୍‌ଧିପାଇଁ ସମଦୃଷ୍ଟି ଆବଶ୍ୟକ ହୁଏ । ଦିନେ ଗୋଲାପ ଥିଲା ସୌନ୍ଦର୍ଯ୍ୟର ରାଣୀ; ନାଗଫେଣିଆ ଘୃଣିତ, ଅସ୍ପୃଶ୍ୟ । ଏବେ ସେ ଘୃଣା ଦୂର ହେବାରୁ ନାଗଫେଣିଆର ବିବିଧ ଭାଇବିରାଦର ବିଦଗ୍‌ଧ କଳାକାରମାନଙ୍କର ଅଙ୍ଗନ ମଣ୍ଡନ କଲେଣି । ଅବହେଳିତ ଘାସଫୁଲ ପ୍ରତି ଅବିଜ୍ଞାଭାବ ଦୂର କରି ତା’କୁ ନିରେଖିବା ପରି ଆଦରଭାବ ଆଣିଲେ ଯାଇ ତା’ର ଟିକି ଟିକି ପାଖୁଡ଼ାର ସୁକୁମାର ଗଢ଼ଣ ଓ ବର୍ଣ୍ଣବିନ୍ୟାସ ଦେଖି ଆମେ ମୁଗ୍‌ଧ ଓ ବିସ୍ମିତ ହେଉ । ସୃଷ୍ଟି ସହିତ ମଣିଷର ଭାବାତ୍ମକ ସମ୍ବନ୍ଧର କ୍ରମବିକାଶରେ ସୌନ୍ଦର୍ଯ୍ୟ ଓ ବିସ୍ମୟବୋଧର କ୍ରମବିକାଶ ଓ ସମୃଦ୍ଧି ମଧ୍ୟ ନିହିତ । ଆଉ ଏକ ପୁରୁଣା ତ୍ରିସୂତ୍ରୀ ଅଛି–ସତ୍ୟମ୍, ଶିବମ୍‌, ସୁନ୍ଦରମ୍‌ । ତା’ର ପରିବେଶକୁ ମଣିଷ ପରିପୂର୍ଣ୍ଣ ଜୀବନଦୃଷ୍ଟି ମାଧ୍ୟମରେ, ଜ୍ଞାନ, କର୍ମ ଓ ଭାବାତ୍ମକ ଅନୁଭୂତିର ସମନ୍ୱୟମାଧ୍ୟମରେ ଯେଉଁ ରୂପ ଦେଇପାରେ, ତା’ର ଇଙ୍ଗିତ ଏ ତ୍ରିସୂତ୍ରୀରେ ରହିଛି ।

 

ଆଜି ଦୁନିଆରେ ମଣିଷର ଅବସ୍ଥାର ବେଶୀର ଭାଗ ଏହାର ଓଲଟା ହେଇ ରହିଛି । ପୃଥିବୀରେ ଠା’ କୁ ଠା’ ମଣିଷ ଉନ୍ମତ୍ତଙ୍କ ପରି ହଣାକଟାରେ ମାତିଛି । ଠା’କୁ ଠା’ ବିଜ୍ଞ, ବିଦ୍ୱାନ୍‌, ବିଜ୍ଞାନବଳରେ ବଳୀ, କ୍ଷମତାଶାଳୀ ଲୋକେ ଏକ ଅପରକୁ ଧ୍ୱଂସ କରିବାପାଇଁ ଥଣ୍ଡା ମିଞ୍ଜାସ୍‌ରେ ଆୟୋଜନ କରି ଲାଗିଛନ୍ତି । ଊଣେଇଶକ ଶତାବ୍ଦୀରେ ଯେଉଁ ବିପ୍ଲବର ଡାକରା ମଣିଷକୁ ସ୍ୱର୍ଗର ସ୍ୱପ୍ନ ଦେଖିବାକୁ ଉଦ୍‌ବୁଦ୍ଧ କରିଥିଲା, ତାହା ବି ଏ ରକ୍ତସ୍ନାନର ପର୍ବରେ ମରିହଜିଗଲାଣି । ଐତିହାସିକ ଅବଶ୍ୟମ୍ଭାବିତାର ଦର୍ଶନ ତା’କୁ ନେଇ ଏପରି ଏକ ଧ୍ୱସ୍ତଭୂମିରେ ପହେଞ୍ଚେଇଛି, ଯେଉଁଠି ଭାବ ନାହିଁ, ଆବେଗ ନାହିଁ–ଅଛି କେବଳ ଭାବଲେଶହୀନ ନିର୍ମମ ହିସାବ-କିତାବ ଓ ଫନ୍ଦିଫିକର । ସେଥିପାଇଁ ମାନବତାର ରକ୍ଷାପାଇଁ ଯେଉଁ ନୂଆ ବିପ୍ଲବ ଲୋଡ଼ା, ତାହାର ଜୀବନଦର୍ଶନ ହେବ ବିଜ୍ଞାନ ଓ ଭାବଜୀବନର, ଜ୍ଞାନ କର୍ମ ଓ ସମଦୃଷ୍ଟିର ସଂଶ୍ଲେଷଣ ।

 

Unknown

ଭକ୍ତି ଓ ହାସ୍ୟରସ

 

ଭକ୍ତର ଯେଉଁ ସବୁ ଲକ୍ଷଣ ଗୀତାରେ ଦିଆଯାଇଛି ସେସବୁକୁ ଦେଖୁ ଦେଖୁ ଗୋଟାଏ କଥା ଆଖିରେ ପଡ଼ିଲା । ଆଜିକାଲି ମନୋବିଜ୍ଞାନରେ ଯାହାକୁ ସୁସ୍ଥ ଓ ସୃଜନଶୀଳ ବ୍ୟକ୍ତିତ୍ୱ କୁହାଯାଉଛି, ତାହାର ଲକ୍ଷଣ ସହିତ କେତେଗୁଡ଼ିଏ ଭକ୍ତିଲକ୍ଷଣର ଅତି ସ୍ପଷ୍ଟ ସାଦୃଶ୍ୟ ରହିଛି ।

 

ଯେମିତି ଧରନ୍ତୁ, ଗୀତାର ବାରକ ଅଧ୍ୟାୟରେ କୁହାଯାଇଛି ଯେ ଭକ୍ତ ‘ହର୍ଷାମର୍ଷୟୌଦ୍‌ଗୈର୍ମୁକ୍ତଃ’ ହେଇଥିବ; ଅର୍ଥାତ୍‌ ହର୍ଷ, ବିଷାଦ, ଭୟ ଓ ଉଦ୍‌ବେଗରୁ ମୁକ୍ତ । ଅନେକ ଅନୁଭବ କରିଥିବେ ଯେ ତାଙ୍କ ନିଜ ମନରେ ଉତ୍ସାହ ବା ଆଶାବାଦ ଓ ବିଷାଦ ବା ନିରାଶାର ଏକ ଜୁଆର ଭଟ୍ଟା ଚାଲିଥାଏ । କେତେ ଦିନ ମନଟା ଖୁବ୍‌ ପ୍ରଫୁଲ୍ଲ ରହିବ । ସବୁ କଥା ଆଶାଜନକ ଓ ଉତ୍ସାହଜନକ ଦେଖାଯିବ । ତା’ପରେ ପୁଣି ‘ମୁଡ୍‍’ ବଦଳିଯିବ । ନୈରାଶ୍ୟ ଓ ବିଷାଦ କେଉଁଠୁ ଜାଣି ମାଡ଼ିଆସିବ । ଏମିତି ଦିନାକେତେ କଟିବାପରେ ପୁଣି ଆସିବ ଆଶା ଓ ଉତ୍ସାହର ଜୁଆର । ଏ ପରିବର୍ତ୍ତନର କାରଣ ବାହାର ଜଗତରେ ନଥାଏ–ତାହା ଥାଏ ନିଜର ମନଭିତରେ । ଏଭଳି ଜୁଆର ଭଟ୍ଟାର ଧକ୍‌କା ସାଧାରଣ ମଣିଷ ଅଳ୍ପ ପରିମାଣରେ ଅନୁଭବ କରନ୍ତି । ମାତ୍ର ଗୋଟାଏ ପ୍ରକାରର ମାନସିକ ବିକୃତିରେ ଏହାର ଚରମ ଅଭିବ୍ୟକ୍ତି ଦେଖାଯାଏ । ରୋଗୀ କେତେ ଦିନ ଉନ୍ମତ୍ତ ଅବସ୍ଥାରେ ରହେ । ପାଟିତୁଣ୍ଡ, ଅସ୍ଫାଳନ ଚରମ ସୀମାରେ ପହଞ୍ଚେ । ପୁଣି ଏକାବେଳକେ ଦବିଯାଏ ଯେ ମନ ମାରି, ମୁହିଁ ପୋତି କୋଣରେ ଯାଇ ବସିରହେ ।

 

ମାନସିକ ବିକୃତିର ଗୋଟାଏ ପ୍ରଧାନ କାରଣ ହେଲା ମନଭିତରେ ଚାଲିଥିବା ନାନାପ୍ରକାରର ଦନ୍ଦ୍ୱ, ପରସ୍ପରବିରୋଧୀ ଭାବାବେଗ । ମଣିଷର ଅହଂ ବା ‘ମୁଁ ପଣ’ ଏହାକୁ ସମ୍ଭାଳି ନ ପାରିଲେ ବ୍ୟକ୍ତି ଅସୁସ୍ଥ ହୋଇପଡ଼େ । ଆମ ସମସ୍ତଙ୍କ ଭିତରେ ଏଭଳି ଦ୍ୱନ୍ଦ୍ୱ ଊଣା ଅଧିକେ ଅଛି-। ମାତ୍ର ତାହା ଆମର ବ୍ୟକ୍ତିତ୍ୱକୁ ପୂରାପୁରି ବିକଳ କରିଦେବାପରି ଶକ୍ତିଶାଳୀ ହୋଇ ନ ଥାଏ-। ତଥାପି ତା’ର ଜୁଆର ଭଟ୍ଟା ଆମେ ସୀମିତ ପରିମାଣରେ ଅନୁଭବ କରୁ । ମଣିଷର ମନ ଯେତେ ସୁସ୍ଥ ହେବ, ଅର୍ଥାତ ଦ୍ୱନ୍ଦ୍ୱ ସେଥିରେ ଯେତେ କମ୍ ଥିବ, ସେ ହର୍ଷ ଓ ବିଷାଦର ଏଭଳି ଜୁଆର-ଭଟ୍ଟା ସେତେ କମ୍‌ ଅନୁଭବ କରିବ । ତା’ର ମନରେ ଗୋଟାଏ ପ୍ରକାରର ଶାନ୍ତ ପ୍ରସନ୍ନତା ଓ ଆଶାବାଦ ସବୁବେଳେ ରହିବ ।

 

ସେହିପରି ଭୟ ଓ ଉଦ୍‌ବେଗ୍‌ । ଆମ ସମସ୍ତଙ୍କ ମନରେ ଭୟ ଓ ଉଦ୍‌ବେଗ ଊଣା ଅଧିକେ ଥାଏ । ଏଠି ପ୍ରତ୍ୟକ୍ଷ ଭୀତିଜନକ ପରିସ୍ଥିତିରେ ଜନ୍ମୁଥିବା ଭୟ କଥା ପଡ଼ିନାହିଁ । ପରିବାରରେ କାହାକୁ ହଇଜା ହେଲା କି ଘରକୋଣରେ ଗୋଟାଏ ଗୋଖର ସାପ ଶୋଇଥିବାର ଦେଖାଗଲା, ସେପରି ଭୟ ତ ବାସ୍ତବ । ମାତ୍ର ଯେମିତି ଧରନ୍ତୁ ଆମ ହରିବୋଉ–ତାଙ୍କର ସବୁବେଳେ ଭୟ ଲାଗିରହିଛି । ପୁଅ ଇସ୍କୁଲକୁ ଗଲା; ସ୍ୱାମୀ କଚେରିକୁ ଗଲେ, ଏମିତି ସବୁ ନିତିଦିନିଆ କଥାରେ ବି ତାଙ୍କର ମନଟା ସବୁବେଳେ ଦକଦକ ହେଉଥାଏ । ଆଜିକାଲି ଯେମିତି ଦିନକାଳ, କୋଉଠି କ’ଣ ହେବ । କାହାର ଟିକିଏ କାଟି ହେଇଗଲା କି ଆଉ କ’ଣ ହେଲା, ତା’ର ଅତି ଗୁରୁତର ପରିଣତି କଳ୍ପନା କରି ସେ ଅତି ଉଦ୍‌ବିଗ୍ନ ହୋଇପଡ଼ନ୍ତି । ଏଭଳି ଆମ ସମସ୍ତଙ୍କର କାହାର କମ୍‌, କାହାର ବେଶୀ ଥାଏ । ତେବେ କେତେକଙ୍କ ଭିତରେ ଏହା ଅତି ମାତ୍ରାରେ ଦେଖାଯାଏ । ଯେମିତି ଜାଣି ସେମାନଙ୍କ ମନଭିତରେ ଗୋଟାଏ ଭୟ ଓ ଉଦ୍‌ବେଗର ଭାବ ଭାସିବୁଲୁଛି । ଯେକୌଣସି ଗୋଟାଏ ବିଷୟ ପାଇଲେ ସେଥିରେ ଲାଖିଯାଉଛି । ଏହାରି ମାତ୍ରାଧିକ୍ୟ ହେଲେ ତାହା ମାନସିକ ଅସ୍ୱାସ୍ଥ୍ୟ ବୋଲି ପରିଚିତ ହୁଏ; ମାତ୍ର ଏହାର ଅଳ୍ପିକିଆ ପ୍ରକାର ସାଧାରଣ ସୁସ୍ଥ ମଣିଷଠେଇଁ ସ୍ୱାଭାବିକ ବୋଲି ଧରାଯାଏ । ଏ ପ୍ରକାରର ଭାସିବୁଲୁଥିବା ଭୟ ଓ ଉଦ୍‌ବେଗ ମଧ୍ୟ ମନଭିତରେ ଲୁଚିରହିଥିବା ଦ୍ୱନ୍ଦ୍ୱର ପରିଣାମ । ବାପମା’ ଓ ଅନ୍ୟ ଗୁରୁଜନଙ୍କ ପ୍ରତି ସ୍ନେହ ଓ ବିଦ୍ୱେଷ ଭିତରେ ଯେଉଁ ଦ୍ୱନ୍ଦ୍ୱ ସାନପିଲା ମନରେ ଜନ୍ମେ, ତାହା ଅଚେତନକୁ ଚାପି ହେଇଗଲେ ସେଥିରୁ ଏଭଳି ଶଙ୍କାଶୀଳତା ଓ ଉଦ୍‌ବେଗର ଜନ୍ମ ହୁଏ ।

 

ସେହିପରି ମିତ୍ରଭାବ ଓ କରୁଣା ମଧ୍ୟ ସୁସ୍ଥ ବ୍ୟକ୍ତିଠାରେ ବେଶୀ ଦେଖାଯାଏ । ମାନସିକ ଅସୁସ୍ଥତାରେ ଗ୍ରସ୍ତ ଲୋକର ମନରେ ଅନ୍ୟ ପ୍ରତି ସହାନୁଭୂତି ଓ ବନ୍ଧୁଭାବ ବେଶୀ ବା ଆଦୌ ଫୁଟିପାରେ ନାହିଁ । ସୁସ୍ଥ ଲୋକର ଭାବାବେଗଗୁଡ଼ିକ ଅବରୁଦ୍ଧ ହୋଇ ନ ଥାଏ; ସେଥିପାଇଁ ସେ ଅନ୍ୟ ଲୋକ ପ୍ରତି ମିତ୍ରଭାବ ଓ ସହାନୁଭୁତି ସହଜରେ ଅନୁଭବ କରିପାରେ ।

 

ଆଉ ଗୋଟାଏ ଲକ୍ଷଣ କୁହାଯାଉଛି–ଗତବ୍ୟଥ; ଯାହାର ମନରୁ ବ୍ୟଥା ଚାଲିଯାଇଛି । ମଣିଷ କୌଣସି ଗୁରୁତର ଆଘାତ ପାଇଲେ, ତା’ର କ୍ଷତ ତାହା ମନରେ ଅନେକ ସମୟରେ ଗଭୀରଭାବରେ ରହିଯାଏ; ଫଳରେ ତା’ର ମନଭିତର ଆଡ଼କୁ ମୋଡ଼ି ହେଇଯାଏ । ସେ କାଳେ ପୁଣି ଆଘାତ ପାଇବ, ଏଇ ଆଶଙ୍କାରେ ସେ ଅନ୍ୟ ଲୋକଙ୍କ ସହିତ ସମ୍ପର୍କରେ ଘନିଷ୍ଠତା ଏଡ଼େଇ ଚାଲେ । ନିଜ ମନର ଚାରିପଟେ ଗୋଟାଏ ଟାଣ ଖୋଳପା ଜାଣି ସେ ତିଆରି କରିନିଏ । ଏହାଦ୍ୱାରା ତା’ର ଜୀବନ ସଙ୍କୁଚିତ ଓ ସୀମାବଦ୍ଧ ହେଇଯିବା ସ୍ୱାଭାବିକ । ଯେ ନିଜେ ପାଇଥିବା ଦୁଃଖକଷ୍ଟର ଆଘାତକୁ ହଜମ କରି ନେଇପାରେ, ମନରେ ଆଘାତର କ୍ଷତକୁ କଞ୍ଚା ହେଇ ରହିବାକୁ ଦିଏ ନାହିଁ, ସେ ତା’ର ଜୀବନର ସ୍ଫୂର୍ତ୍ତି ଓ ଆତ୍ମ-ଅଭିବ୍ୟକ୍ତିର ଶକ୍ତି ଅବ୍ୟାହତ ରଖିପାରେ । ଭାବାବେଗର ଓ ସୃଜନଶୀଳତାର ପଙ୍ଗୁଡ଼ା ତା’କୁ ଗ୍ରାସ କରେନାହିଁ ।

 

ଲକ୍ଷଣ ଭିତରେ ଏଣେ କୁହାଯାଇଛି ଯେ ଭକ୍ତ ମୈତ୍ର ଓ କରୁଣ ହେବ ଓ ତେଣେ କୁହାଯାଇଛି, ସେ ହେବ ନିର୍ମମ । ତେଣୁ ନିର୍ମମର ଆମେ ଯେଉଁ ପ୍ରଚଳିତ ଅର୍ଥ ବୁଝୁ, ଏହାର ଅର୍ଥ ଏଠି ତାହା ନୁହେଁ । ଏହାର ଅନ୍ୟ ପ୍ରକାର ଅର୍ଥ ଖୋଜିବାକୁ ହେବ । ମନୋବିଜ୍ଞାନରେ ଗୋଟିଏ ଲକ୍ଷଣ ଦେଖାଯାଏ–ପଜେସିଭନେସ୍‌–ସମ୍ପତ୍ତି ଭଳି ଆବୁରିବାର ମନୋବୃତ୍ତି । କେତେକଙ୍କଠାରେ ଏଇଟା ଦେଖାଯାଏ । ସେମାନେ ନିଜର ସ୍ୱାମୀ ବା ସ୍ତ୍ରୀ ଓ ପୁଅଝିଅଙ୍କୁ, ଅନେକ ସମୟରେ ସାଙ୍ଗସାଥୀମାନଙ୍କୁ ମଧ୍ୟ, ନିଜର ସମ୍ପତ୍ତି ଭଳି ଆବୁରି ରଖିବାକୁ ଚାହାନ୍ତି । ଅନ୍ୟମାନଙ୍କ ସହିତ ସେମାନଙ୍କ ସମ୍ପର୍କକୁ ସୁନଜରରେ ଦେଖନ୍ତି ନାହିଁ । ଯେମିତି କି ନିଜ ସମ୍ପତ୍ତି କିଏ ଛଡ଼େଇ ନେବାକୁ ବସିଛି ବା ସେଥିରେ ଭାଗ ବସେଇବାକୁ ଚାହୁଁଛି । ଏ ମନୋଭାବକୁ ମାନସିକ ବିକୃତି ବୋଲି ନ କହିଲେ ମଧ୍ୟ ଏହାକୁ ସୁସ୍ଥ ମାନସିକତା କୁହାଯାଇପାରିବ ନାହିଁ । ଯେଉଁମାନେ ଏହାର କବଳରେ ପଡ଼ନ୍ତି ସେମାନଙ୍କର ଅବସ୍ଥା କାହିଲ୍ ହୁଏ । ଏ ମାନସିକତା ଉଭୟ ପକ୍ଷରେ ବ୍ୟକ୍ତିତ୍ୱର ବିକାଶକୁ ରୁନ୍ଧିଦିଏ । ‘ନିର୍ମମ’ ଅର୍ଥ ଏଇ ‘ପଜେସିଭନେସ୍‌’ ର ଅଭାବ ବୋଲି ଯଦି ଅର୍ଥ କରାଯିବ, ତେବେ ତାହା ସୁସ୍ଥ ଓ ସୃଜନଶୀଳ ବ୍ୟକ୍ତିତ୍ୱର ବ୍ୟାଖ୍ୟ ସହିତ ବେଶ୍ ଖାପ ଖାଇବ ।

 

‘‘ସନ୍ତୁଷ୍ଟଃ ସତତଂ’’–ସବୁବେଳେ ସନ୍ତୁଷ୍ଟର ଅର୍ଥ ମଧ୍ୟ ସେହିପରି କରାଯାଇପାରେ । କେତେକ ଲୋକ ଥାନ୍ତି, ଯେଉଁମାନେ ପ୍ରତିକଥାରେ ଅସନ୍ତୁଷ୍ଟ ହୁଅନ୍ତି । ନିଜର ଝାଡ଼ା ପରିସ୍ରାର ଗତିବିଧିଠାରୁ ବିଶ୍ୱର ଗତିବିଧି ଯାଏ ପ୍ରତ୍ୟେକ ବିଷୟରେ ସେମାନଙ୍କର ଅଭିଯୋଗ ଲାଗିରହିଥାଏ-। ସେମାନଙ୍କର ମନ ଓ ମୁହଁ ସବୁବେଳେ ଆମ୍ବିଳା ହୋଇଥାଏ । କୁହାଯାଇଛି ଯେ ଅସନ୍ତୋଷ ସବୁ ଶ୍ରେୟର ମୂଳ । ବ୍ରିଟିଶ ସାମ୍ରାଜ୍ୟ ପ୍ରତି ଘୋର ଅସନ୍ତୋଷ ଥିଲା ବୋଲି ଗାନ୍ଧୀଜୀ ତା’କୁ ଓଲଟେଇବାରେ ସମର୍ଥ ହେଲେ । ଜାର୍‌ଶାସନ ପ୍ରତି ଅସନ୍ତୋଷଯୋଗୁଁ ଲେନିନ୍‌ ତା’କୁ ଶେଷପର୍ଯ୍ୟନ୍ତ ଧ୍ୱଂସ କରି ଛାଡ଼ିଲେ । ଏହି ଅନୁସାରେ ସବୁ ବିଷୟରେ ପ୍ରତି ମୁହୂର୍ତ୍ତରେ ଅସନ୍ତୋଷ ପ୍ରକାଶ କରୁଥିବା ଆମ ହରି କକେଇ ପୃଥିବୀର ଶ୍ରେଷ୍ଠତମ ବିପ୍ଲବୀ ହେବାର କଥା । ମାତ୍ର ପିଣ୍ଡାତଳକୁ ଓହ୍ଲେଇ କରି କୁଟାଖଣ୍ଡକୁ ଦି’ଖଣ୍ଡ କରିବାର ତାଙ୍କୁ ଦେଖାଯାଏ ନାହିଁ ।

 

ଯେ ପ୍ରକୃତରେ କାମିକା ଲୋକ, ସେ ବିପ୍ଲବୀ ହେଉ ବା ଗୃହସ୍ଥ ହେଉ, ସବୁ କଥାରେ ଖାଲି ମୁଣ୍ଡକୁ ପିତ୍ତ ନ ଚଢ଼େଇ ଯେଉଁ କଥାଟା ତା’ର ନାପସନ୍ଦ ହୁଏ, ତା’ର ପ୍ରତିକାରରେ, ତା’କୁ ସଜାଡ଼ିବାରେ ଲାଗିଯାଏ । ସବୁବେଳେ ନିଜ ମୁହଁଟାକୁ ଆମ୍ବିଳା କରି ନିଜର ଜୀବନଟାକୁ ଆମ୍ବିଳା କରି ଦିଏ ନାହିଁ । ଏହା ସହିତ ଆଉ ଗୋଟାଏ ଗୁଣ ଯୋଡ଼ି ହେଇଥାଏ–ଦୃଢ଼ ନିଶ୍ଚୟଃ । ସୁସ୍ଥ ସୃଜନଶୀଳ ବ୍ୟକ୍ତିତ୍ୱର ସଂକଳ୍ପଶକ୍ତି ଦୃଢ଼ । ସେ ଯାହା କରିବାକୁ ସ୍ଥିର କରେ, ସେଥିରେ ଅଣ୍ଟା ଭିଡ଼ି ଲାଗିପଡ଼େ । ନାନା ଦ୍ୱନ୍ଦ୍ୱ ଭିତରେ ପଡ଼ି ସଦାସର୍ବଦା ଦୋ-ଦୋପାଞ୍ଚ ଭିତରେ ରହି ନିଷ୍କ୍ରିୟ, ଅକର୍ମଣ୍ୟ ହେଇଯାଏ ନାହିଁ ।

 

ବୈଷ୍ଣବଶାସ୍ତ୍ରମାନଙ୍କରେ ଭକ୍ତିର ଅଭିବ୍ୟକ୍ତିର ବିବିଧ ସ୍ତର ଓ ଭକ୍ତିର ବିବିଧ ପ୍ରକାରର ପୁଙ୍ଖାନୁପୁଙ୍ଖ ବିଶ୍ଲେଷଣ କରାଯାଇଛି । ସମାଜରେ ମଣିଷର ମଣିଷ ସହିତ ସମ୍ପର୍କରେ ଯେତେ ପ୍ରକାର ରହିଛି, ଶ୍ରୀକୃଷ୍ଣଙ୍କ ସହିତ ଭକ୍ତିମାର୍ଗରେ ମିଳିତ ହେବାର ସେତେ ପ୍ରକାରର ପନ୍ଥା ରହିଛି । ଭକ୍ତି ଶ୍ରୀକୃଷ୍ଣଙ୍କୁ ସଖାରୂପେ, ପ୍ରେମିକରୂପେ, ସନ୍ତାନରୂପେ, ଗୁରୁଜନ ଓ ପ୍ରଭୁରୂପରେ ଦେଖିଥାଏ । ତେବେ ଗୋଟିଏ ଊଣା ରହିଯାଇଛି ବୋଲି ମନେହୁଏ । ଭଗବାନଙ୍କୁ ପ୍ରଭୁରୂପରେ ଦେଖାଯାଇଛି; ମାତ୍ର ଚାକରରୂପେ ଦେଖାଯାଇନାହିଁ ।

 

ସେ ଯାହା ହେଉ, ଭଗବାନଙ୍କୁ ଭକ୍ତ ଯେଉଁ ସବୁ ରୂପରେ ଆରାଧନା କରେ, ସେସବୁ ତା’ର ପରିବାର ଓ ସମାଜର ଲୋକଙ୍କ ସହିତ ସମ୍ବନ୍ଧକୁ ପ୍ରଭାବିତ କରିବାର କଥା । ଭକ୍ତ ସାରା ସୃଷ୍ଟିରେ ପ୍ରତ୍ୟେକ ବ୍ୟକ୍ତି, ଜୀବ ଓ ପ୍ରାଣୀ ଭିତରେ ଭଗବାନଙ୍କୁ ଦେଖିବାର କଥା । ତେଣୁ ସେ ତା’ର ସନ୍ତାନ, ସ୍ତ୍ରୀ ବା ସ୍ୱାମୀ, ଭାଇବିରାଦର, ସାଇପଡ଼ିଶା ଆଦି ସମସ୍ତଙ୍କପ୍ରତି ବାତ୍ସଲ୍ୟ-ଭକ୍ତି ମଧୁରଭକ୍ତି, ସଖ୍ୟଭକ୍ତ ଆଦି ଭାବରେ ଆପୁତ ହେଇ ବ୍ୟବହାର କରିବାର କଥା । ଏହା ହେଲେ ମଣିଷ-ମଣିଷ ଭିତରେ ସମ୍ପର୍କର ଅନେକ ଉନ୍ନତି ହୁଅନ୍ତା ।

 

ମାତ୍ର ବୈଷମ୍ୟମୂଳକ ସମାଜରେ ଏସବୁ ହେଇପାରିବା ଆଦୌ ସହଜ ନୁହେଁ । ପୁରୁଷପ୍ରଧାନ, ଉଚ୍ଚନୀଚ ଭେଦରେ ପୂର୍ଣ୍ଣ, ଶୋଷଣ ଓ ଦମନ ଉପରେ ଗଢ଼ା ସମାଜରେ ସ୍ତ୍ରୀପୁତ୍ରଙ୍କଠାରୁ ଆରମ୍ଭ କରି ହଳିଆମୂଲିଆଙ୍କ ସହିତ ଯେଉଁ ପ୍ରକାରର ସମ୍ବନ୍ଧ ଅପରିହାର୍ଯ୍ୟ, ତାହା ଭକ୍ତିଭାବ ସହିତ ଏକାବେଳକେ ବେଖାପ । ଭକ୍ତିର ଚାହିଦା ଅନୁସାରେ ଚଳିବାକୁ ହେଲେ ସାରା ସମାଜକୁ ଭାଙ୍ଗି ନୂଆ କରି ସଜେଇବାକୁ ହେବ । ସେଥିପାଇଁ ଭାବ ସାଙ୍ଗକୁ ଜ୍ଞାନ ଓ କର୍ମର ଯେଉଁ ସମନ୍ୱୟ ଲୋଡ଼ା, ତାହା ସମ୍ଭବ ନ ହେଇଥିବାରୁ ବୈଜ୍ଞାନିକ ବ୍ୟବହାର ବୁଦ୍ଧିର ଅଭ୍ୟୁଦୟ ଏ ଦେଶରେ କାଉନ୍ଦା ହେଇଯାଇଥିବାରୁ, ଭକ୍ତି ଆନ୍ଦୋଳନ ପୁରୁଣା ସମାଜକୁ କାବୁ କରିବା ପରିବର୍ତ୍ତେ ନିଜେ କାବୁ ହେଇଯାଇଛି, ଏ କଥା ପୂର୍ବରୁ ଆଲୋଚନା କରାଯାଇଛି ।

 

ଏହାର ଏକ ନମୁନା ହେଲା ଯେ ଏଠି ରାଜା, ଜମିଦାର ଓ ହାକିମଙ୍କ ପ୍ରତି ବି ‘ଭକ୍ତି’ ଦାବି କରାଯାଏ । ‘ଭକ୍ତି’ ସାଙ୍ଗରେ ‘ଭୟ’ ଶବ୍ଦଟା ଅଙ୍ଗାଙ୍ଗୀ ହେଇ ଯୋଡ଼ିହେଇଯାଇଛି । ସାଧାରଣ କଥାରେ ଆମେ କହିଥାଉ ‘‘ତା’ର ଗୁରୁଗୋସେଇଁଙ୍କ ପ୍ରତି ଟିକିଏ ହେଲେ ଭୟଭକ୍ତି ନାହିଁ ।’’ ଏହାର ଅର୍ଥ ହେଲା ଯେ ଜନସାଧାରଣଙ୍କ ଚେତନାରେ ଭୟ ଓ ଭକ୍ତି ଅବିଚ୍ଛେଦ୍ୟରୂପରେ ଯୋଡ଼ିହେଇଯାଇଛି । ଯେଉଁଠି ଭକ୍ତି ଥିବ, ସେଠି ଭୟ ବି ଅବଶ୍ୟ ଥିବ । ଜର୍ମାନ ଭାଷାରେ ମଧ୍ୟ Eherfurcht (ଏର୍‌ପୁରଷ୍ଟ–‘ସମ୍ମାନଭୟ’ ଶବ୍ଦ ଏକାପ୍ରକାରର ଏକାପ୍ରକାରର ମନୋଭାବର ଦ୍ୟୋତକ ଓ ଏ ଉଭୟ ସମାସର ଜନ୍ମ ଏକାପ୍ରକାରର ମୁରବୀପ୍ରଧାନ ସମାଜିକ ପରିବେଶରୁ । ଏ ସମାଜରେ ‘ଭୟ’ ହେଲା ସର୍ବବ୍ୟାପୀ, ସର୍ବଗ୍ରାସୀ ଶକ୍ତି । ଭକ୍ତି, ସମ୍ମାନ ପ୍ରଭୃତି ତାହା ସାଙ୍ଗରେ ଯୋଡ଼ି ଗୋଟିଏ ଦିଗରେ ଭୟକୁ ଉଦାତ୍ତତାର ଆବରଣ ଦେବାର ଓ ଅନ୍ୟ ଆଡ଼େ ଭକ୍ତିକୁ ମଜବୁତ କରିବାର ଚେଷ୍ଟା ହେଇଛି । ଅଥଚ ଭୟ ସହିତ ଭକ୍ତିର ଏକାବେଳକେ ଅମେଳ–ଯେମିତି ତେଲ ସହିତ ପାଣିର । ଭକ୍ତି-ଲକ୍ଷଣରେ ହିଁ କୁହାଯାଇଛି ଯେ ଭକ୍ତିର ମୂଳଦୁଆ ! ତେନ୍ତୁଳିଛାଟ ପିଠିରେ ଭଲରକମ ବସିଲେ ଯାଇ ଗୁରୁଭକ୍ତିର ଉଦୟ ହେବ ବୋଲି ଅବଧାନେ ବିଶ୍ୱାସ କରନ୍ତି ଓ ଅଭିଭାବକମାନେ ବି ସେଥିରେ ସାଏ ଦିଅନ୍ତି ।

 

ଏହି ପ୍ରକାର ସାମାଜିକ ବାତାବରଣରେ ଆଉ ଗୋଟିଏ ଭାବ ମଧ୍ୟ ଭକ୍ତି ନାଁରେ ଚଳେ-। ତାହା ହେଲା ମାନସିକ ଆଡ଼ଷ୍ଟତା । ଶର୍ମିଳା ଦେବୀ ଖୁବ୍‌ ପାଠଶାଠ ପଢ଼ିଛନ୍ତି; ଦର୍ଶନ, ସାହିତ୍ୟ ଆଲୋଚନା କରନ୍ତି । ତାଙ୍କର କିନ୍ତୁ ଜଣେ ଗୁରୁଦେବଙ୍କଠାରେ ଅଚଳା ଭକ୍ତି । ଗୁରୁଦେବଙ୍କ କଥାକୁ ସେ ବେଦବାକ୍ୟପରି ମାନନ୍ତି । ଗୁରୁଦେବଙ୍କର କୌଣସି ମତାମତର ଆଲୋଚନା–ସମାଲୋଚନା ସେ ଆଦୌ ସହିପାରନ୍ତି ନାହିଁ । ସେପରି ପ୍ରସଙ୍ଗ ଉଠିଲେ ତାଙ୍କ ମସ୍ତିଷ୍କ ଭିତରେ ଗୋଟାଏ ଲୁହାବାଡ଼ରେ ଆସି ତାହା ଠେକିଲାପରି ଜଣାଯାଏ । ତାହା ଭିତରକୁ ଆଉ ପଶିପାରେ ନାହିଁ । ସେ ଆଲୋଚନା ଯେତେ ସୌମ୍ୟ ଢଙ୍ଗରେ ଓ ବିନୟର ସହିତ କରାଯାଇଥାଉ ପଛକେ ସେ କହନ୍ତି ଯେ ଗରୁନିନ୍ଦା କାନରେ ଶୁଣିବା ମହାପାପ । ଗୁରୁ ବା ଲଘୁ କାହାରି ନିନ୍ଦା ନ ଶୁଣିବାର ଅଭ୍ୟାସ ଖୁବ୍‌ ଭଲ; ମାତ୍ର କାହାରି ମତାମତ ଓ ଚିନ୍ତାଧାରାର ସମାଲୋଚନା ନିନ୍ଦା ନୁହେଁ । ଏପରି ସମାଲୋଚନାଦ୍ୱାରା ହିଁ ସତ୍ୟ ଆଡ଼କୁ ମଣିଷ ଆଗେଇଥାଏ, ଆଗେଇଛି । ଭକ୍ତି ନାଁରେ ବୁଦ୍ଧିକୁ ଅକାମି କରିଦେବାଠାରୁ ବଳି ମୂର୍ଖତା ଦୁନିଆରେ ଆଉ କିଛି ନାହିଁ-

 

ସେମିତି ପ୍ରଭାକରବାବୁ ଦେଶଭକ୍ତିରେ ଏକାବେଳକେ ଜୁଡ଼ୁ ବୁଡ଼ୁ ହେଇ ରହିଥିଲେ । ତାଙ୍କର ଏ ଭକ୍ତିର ଅର୍ଥ ହେଲା ଏ ଦେଶରେ ଦୋଷତ୍ରୁଟି ମଳିଧୂଳି କିଛି ନାହିଁ । ଦେଶର ସଭ୍ୟତା, ସଂସ୍କୃତିର ଯେ ସମାଲୋଚନା କରିବ, ତା’ର ଦେଶପ୍ରେମ ନାହିଁ; ସେ ଦେଶର ଶତ୍ରୁତା କରୁଛି ବୋଲି ପ୍ରଭାକରବାବୁ ବିଚାରନ୍ତି । ପଡ଼ୋଶୀ ଦେଶମାନଙ୍କର ଲୋକଙ୍କୁ ଶତ୍ରୁମଣିବା ଦେଶଭକ୍ତର କର୍ତ୍ତବ୍ୟ ବୋଲି ସେ ବିଶ୍ୱାସ କରନ୍ତି ।

 

ବିଶିଷ୍ଟ ସାହିତ୍ୟିକ ଏଚ. ଜି. ଓ୍ୱେଲସଙ୍କର ବିଶ୍ୱ-ଇତିହାସରେ ହଜରତ୍‌ ମହମ୍ମଦ ପୈଗମ୍ବରଙ୍କ ବିଷୟରେ କ’ଣ ମନ୍ତବ୍ୟ କରାହେଇଥିଲା, ଯାହାକୁ ପାକିସ୍ତାନର ମୁସଲମାନ ପସନ୍ଦ କଲେ ନାହିଁ । ସେଥିପାଇଁ ପ୍ରବଳ ବିକ୍ଷୋଭ ହେଇ ସେ ବହି ପୋଡ଼ାହେଲା ଓ ସେଠା ସରକାର ସେ ବହି ନିଷିଦ୍ଧ କଲେ । ଏବେ ଜଣେ ବିଶିଷ୍ଟ ପଣ୍ଡିତ ଶ୍ରୀ ସୁନୀତି କୁମାର ଚଟୋପାଧ୍ୟାୟ ରାମାୟଣର ଘଟନା ବିଷୟରେ କ’ଣ ନୂଆ ତତ୍ତ୍ୱ ଆବିଷ୍କାର କରିଛନ୍ତି ବୋଲି କାଗଜରେ ବାହାରିଲା । ତାହା ରାମଙ୍କ ଚରିତ୍ର ଉପରେ ଆକ୍ଷେପ ବୋଲି ଆକ୍ଷେପ କରି ଜଣେ ‘ଧର୍ମପ୍ରାଣ’ ବନ୍ଧୁ ଫୁରକୁଟିପରି ଡେଇଁଲେ । ଏପରି ଗବେଷଣା ସରକାର ନିଷିଦ୍ଧ କରିଦେବା ଉଚିତ ବୋଲି ମନ୍ତବ୍ୟ କଲେ; ଅଥଚ ସେ ନିଜେ ସରକାରର ସମାଲୋଚନା କରିବାରୁ ଜେଲରେ ଥିଲେ ।

 

ଏକଚ୍ଛତ୍ରବାଦୀ ଦେଶମାନଙ୍କରେ ଠିକ୍‌ ଏୟା କରାଯାଇଥାଏ । ସେଠାର ‘ସମ୍ମାନିତ’ ଶାସକମାନଙ୍କର କୌଣସି ପ୍ରକାର ସମାଲୋଚନା ବରଦାସ୍ତ କରାଯାଏ ନାହିଁ ।

 

ଏହାର ଓଲଟା ଗଣତାନ୍ତ୍ରିକ ଦେଶମାନଙ୍କରେ ନେତା ଓ ଅନ୍ୟ ସମ୍ମାନିତ ବ୍ୟକ୍ତିମାନଙ୍କର ସମାଲୋଚନାମୂଳକ ବ୍ୟଙ୍ଗଚିତ୍ର ଓ ବ୍ୟଙ୍ଗକବିତା ଅହରହ ପତ୍ରପତ୍ରିକାମାନଙ୍କରେ ବାହାରେ । ଏହାଦ୍ୱାରା ସେମାନଙ୍କର ଅସମ୍ମାନ ହେଉଛି ବୋଲି କେହି ବିଚାରନ୍ତି ନାହିଁ । ସର୍‍ ଡେଭିଡ୍‍ ଲୋ ବିଲାତର ବିଶ୍ୱବିଖ୍ୟାତ ବ୍ୟଙ୍ଗଚିତ୍ରକାର ଥିଲେ । ତାଙ୍କର ବ୍ୟଙ୍ଗଚିତ୍ରର ବିଷୟବସ୍ତୁ ହେବାଟାକୁ ବିଶିଷ୍ଟ ଲୋକେ ଏକ ସମ୍ମାନ ବୋଲି ବିଚାରୁଥିଲେ । ଆମ ଦେଶରେ ଶଙ୍କର ଏହିପରି ବ୍ୟଙ୍ଗଚିତ୍ର ଆଙ୍କିବାରେ ଅଗ୍ରଣୀ ଓ ତାଙ୍କର ପତ୍ରିକା ‘ଶଙ୍କରସ୍‌ ଓ୍ୱିକ୍ଳୀ’ ଖୁବ୍‌ ଜନପ୍ରିୟ ଥିଲା । ଏହା ତାତ୍ପର୍ଯ୍ୟପୂର୍ଣ୍ଣ ଯେ ୧୯୭୫ ଜୁନ୍‌ରେ ଜରୁରୀ ଅବସ୍ଥା ଜାରି ହେବାପରେ ତାଙ୍କୁ ସେ ପତ୍ରିକା ବନ୍ଦ କରିଦେବାକୁ ପଡ଼ିଲା ।

 

ବ୍ୟକ୍ତି ଯେତେ ମହାନ୍‌ ହେଲେ ବି ତାଙ୍କର ଦୋଷ-ତ୍ରୁଟି, ଦୁର୍ବଳତା ଥାଏ । ପୂର୍ବକାଳରେ ଢଙ୍ଗ ଥିଲା ଯେ ଲୋକର ସବୁ ଦୋଷ ଦୁର୍ବଳତାକୁ ଘୋଡ଼େଇ ପକେଇ ତା’କୁ ସମ୍ପୂର୍ଣ୍ଣ ଆଦର୍ଶ, ପରିପୂର୍ଣ୍ଣ ଓ ପୂଜନୀୟ ବ୍ୟକ୍ତିଭାବରେ ଥୋଇଲେ ଯାଇ ତାକୁ ‘ଭକ୍ତି’ କରିହେବ–‘ଭୟଭକ୍ତି’ । ମାତ୍ର ଗଣତାନ୍ତ୍ରିକ ହାଓ୍ୱାରେ ଏ କଥା ଅଚଳ ହେଇଯାଉଛି । ଏବେ ଲୋକଙ୍କ ଖିଆଲରେ ଏ କଥା ବେଶୀ ବେଶୀ ପଶୁଛି ଯେ କୌଣସି ସମ୍ମାନିତ ବ୍ୟକ୍ତିଙ୍କର ଦୋଷତ୍ରୁଟି ଜାଣିଲେ ଓ ସେସବୁକୁ ନେଇ ଥଟ୍ଟା ତମାସା କରିପାରିଲେ ତାଙ୍କୁ ଭଲ ପାଇବାଟା ସହଜ ହୁଏ । ଭୟ କରିବା ଓ ଭଲ ପାଇବା ପରସ୍ପରବିରୋଧୀ । ଗଣତନ୍ତ୍ରରେ ନେତା ସହିତ ଜନତାର ସମ୍ପର୍କରେ ଭଲପାଇବାର ଅଂଶଟା ବଢ଼ିଛି; ବଢ଼ିବା ଉଚିତ । ବିଲାତ ବା ଆମେରିକାର ନେତାମାନଙ୍କୁ ବ୍ୟଙ୍କ କରି ଯେତେ ଓ ଯେପରି ଚିତ୍ର ବାହାରେ, ତାହା ସୋଭିଏତ୍‌ ଦେଶ ଓ ଅନ୍ୟ ଏକଚ୍ଛତ୍ରବାଦୀ ଦେଶମାନଙ୍କରେ ସ୍ୱପ୍ନରେ ସୁଦ୍ଧା କଳ୍ପନା କରି ହେବ ନାହିଁ ।

 

ସାମନ୍ତବାଦୀ ଯୁଗରେ ଭୟ ମିଶାଇ ଯେଉଁ ଭେଜାଲ ତିଆରି ହୋଇଥିଲା ତାହା ଆଉ ଏ ଯୁଗରେ ଚଳିବ ନାହିଁ; ଏପରି କି ଯୁଗରେ ଦାସ୍ୟଭକ୍ତି ବି ନୁହେଁ । ସେଇଟା ସେଇ ବୈଷମ୍ୟ ଯୁଗର ଫସଲ । ବିନୋବାଙ୍କ କହିବା ପରି ଏ ଯୁଗକୁ ସଖ୍ୟଭକ୍ତି ହିଁ ଖାପ ଖାଇବ । ସେ ଯୁଗରେ ପ୍ରତି ଘରେ ଘରେ ମୁରବିମାନେ ଗୋଟାଏ ଐଶୀ ଅଧିକାରର ମୁଖା ପିନ୍ଧି ସ୍ତ୍ରୀ-ସନ୍ତାନମାନଙ୍କଠାରୁ ଭୟ-ଭକ୍ତି ଦାବି କରୁଥିଲେ । ପାଶ୍ଚାତ୍ୟ ଦେଶମାନଙ୍କରେ ୟାର ପ୍ରଭାବ ବହୁତ ଊଣା ହେଇଗଲାଣି-। ତେଣେ ଅନେକ ଆଡ଼େ ବାପମା’ ଓ ସନ୍ତାନଙ୍କ ଭିତରେ ସମ୍ପର୍କ ସଖ୍ୟମୂଳକ ହିଁ ହେବାକୁ ଲାଗିଲାଣି । ଏ ଭେଜାଲ୍‌ ମାଲ୍‌ ‘ଭୟଭକ୍ତି’ କୁ ନ ହଟେଇଲେ ପ୍ରକୃତ ଭକ୍ତି ଆସିପାରିବ ନାହିଁ । ଓଲଟା ଭୟ ସାଙ୍ଗରେ ଭକ୍ତିଟା ବି ମାଡ଼ଖାଇଯିବ ।

 

ଏ ଭୟକୁ ଭାଙ୍ଗିବାର ଅମୋଘ ଔଷଧ ହେଲା ପରିହାସ-ବୃତ୍ତି ବା କୌତୁକ-ବୃତ୍ତି । କେବଳ ଭୟ ନୁହେଁ; ନିଜ ବିଷୟରେ, ଦେଶ, ନେତା ବା ଗୁରୁ-ଗୋସେଇଁଙ୍କ ବିଷୟରେ ହମ୍‌ବଡା ଭାବକୁ ଭାଙ୍ଗିବାପାଇଁ ମଧ୍ୟ । ସଭ୍ୟତା, ଭଦ୍ରତା ବା ସଦାଚାର ନାଁରେ ମଣିଷ-ମଣିଷଭିତରେ ଯେଉଁ କୃତ୍ରିମ ବାଡ଼ ସୃଷ୍ଟି କରାଯାଇଥାଏ, ଏହା ତା’କୁ ଭାଙ୍ଗି ଜୀବନକୁ ସହଜ ଓ ସରଳ କରେ ।

 

ଗାଁରେ ଝିଅମାନେ ଗାଆନ୍ତି–

 

‘‘ନଇ ଅତଡ଼ାକୁ ଅନେଇ ଦେଲି ଲୋ

କୁମ୍ଭୀର ଖୋଳୁଛି ମାଟି

ଚାହିଁଲାବେଳକୁ କୁମ୍ଭୀର ନୁହେଁଟି

ବାପା ଆମର ଭାଙ୍ଗୁଛନ୍ତି ଦାନ୍ତକାଠି ।’’

 

ବାପାଙ୍କୁ କୁମ୍ଭୀର ବୋଲି ଭୁଲ କରିବାର ଏ କୌତୁକପୂର୍ଣ୍ଣ ଗୀତ ବାପାଙ୍କପ୍ରତି ଭୟ-ଭକ୍ତକୁ ଟିକିଏ ହୁଗୁଳା କରିଦେଇ ବାପଝିଅଙ୍କର ସମ୍ପର୍କକୁ ଟିକିଏ ଉଷୁମର ସ୍ପର୍ଶ ଦିଏ ।

 

ଓଡ଼ିଆ କବି ଲେଖିଥିଲେ–

 

ତେଣୁ ହେ ଜଗନ୍ନାଥ ! ତୁମକୁ ମନୋରଥ

ପୂରାଇ ଆଜି ଦେବି ଗାଳି ।

 

ଉତ୍ତର–ଭାରତରେ ଏଭଳି ‘ଅଭକ୍ତି’ର ରସ କେହି ଗ୍ରହଣ କରିପାରିବେ କି ନା ସନ୍ଦେହ-

 

ଯେଉଁ ବ୍ୟକ୍ତି ଓ ଯେଉଁ ସବୁ ସଂସ୍ଥାମାନଙ୍କୁ ଭୟଭକ୍ତି କରିବାକୁ ଶିଖାହେଇଛି ସେସବୁ ବିଷୟରେ ହାସ୍ୟ-ପରିହାସ ଉପଭୋଗ କରିବାର ଶକ୍ତି ଯେତେ ବଢ଼ିବ, ମନ ସେତେ ଆଡ଼ଷ୍ଟତାର ମୁକ୍ତ ହେଇ ସୁସ୍ଥ ଓ ସୃଜନଶୀଳ ହେବା ଦିଗରେ ଆଗେଇଲା ବୋଲି ବୁଝିବାକୁ ହେବ । ଯେଉଁ ପଲା ଶିକ୍ଷକଙ୍କର ପ୍ରିୟ ସୁଶୀଳ ଚାଟ ହେଇଥାନ୍ତି, ତାହାଙ୍କ ଅପେକ୍ଷା ଯେ ଶିକ୍ଷକ ଶୋଇଥିବାବେଳେ ତାଙ୍କ ଚଉକି ତଳେ ତାଳଫୋଟକା ଫୁଟେଇ ଦିଅନ୍ତି, ସେମାନେ ବରଂ ପ୍ରକୃତ ଭକ୍ତି ଆଡ଼କୁ ସହଜରେ ଆଗେଇପାରିବେ ବୋଲି ବୁଝିବାକୁ ହେବ । ସେଥିପାଇଁ ‘‘ମିସୌପନିଷଦ’ ରେ ଏକ ସୂତ୍ର ଗଢ଼ାହେଇଛି (ମିସାରେ ଜେଲରେ ବନ୍ଦୀ’ ଥିବାବେଳେ ଲେଖା ହେଇଥିବାରୁ ଏହାର ନାମକରଣ ମିସୌପନିଷଦ୍‌ ହେଇଛି ।)

 

ଭକ୍ତି କୌତୁକ ଦୁଇ ସନେ, ଆତ୍ମତତ୍ତ୍ୱକୁ ଯେହୁ ଜାଣେ,

ତରି ମରଣ କୌତୁକରେ, ଅମୃତ ଭୋଗଇ ଭକ୍ତିରେ ।

 

ଏକଚ୍ଛତ୍ର ଶାସନ ଓ ହସର ଯେମିତି ଅହି-ନକୁଳ ସମ୍ପର୍କ, ସେମିତି ହସ ବି ପ୍ରଥମୋକ୍ତ ପ୍ରଣାଳୀକୁ ଭାଙ୍ଗିବାପାଇଁ ସବୁଠାରୁ ବଡ଼ ଅସ୍ତ୍ର । ଫ୍ରାନ୍‌ସରେ ବିପ୍ଳବ ପୂର୍ବରୁ ଯେଉଁ ସା’ନ୍ତିଆ ଶାସନ ଚାଲିଥିଲା, ସେଥିରେ ରାଜା-ରାଣୀଙ୍କଠୁଁ ଆରମ୍ଭ କରି ପାଇକ-ବରକନ୍ଦାଜ ଯାଏ ସମସ୍ତଙ୍କପ୍ରତି ଭୟ-ଭକ୍ତିରେ ଦେଶଟା ପୂରିରହିଥିଲା । ଏଇ ପରିସ୍ଥିତି ଭିତରେ ଉଲତେୟର୍‌ ଯେଉଁ ବ୍ୟଙ୍ଗବିଦ୍ରୁପର ଜୁଆର ଛୁଟାଇଲେ ତାହା ସେତେବେଳର ଶାସନର ମୂଳଦୁଆକୁ ହୁଗୁଳା କରିବାର କମ୍‍ ସାହାଯ୍ୟ କରିନାହିଁ ।

 

ଏଇ ୧୯୩୦ ର କଥା । ଆମ ଦେଶରେ ଲବଣ ସତ୍ୟାଗ୍ରହ ଚାଲିଥାଏ । କଟକର ଏସ. ଡି. ଓ. ମାଧବଚନ୍ଦ୍ର ମିଶ୍ର ଅତି ଉତ୍ସାହରେ ରାଜଭକ୍ତି ପ୍ରଚାର ଓ ଆନ୍ଦୋଳନ ଦମନରେ ଲାଗିଥାନ୍ତି । ବେଆଇନ୍‌ ଲୁଣ ମାରୁଥିବା ସତ୍ୟାଗ୍ରହୀଙ୍କ ଉପରେ ପୁଲିସ ଚଢ଼ଉର ଖୋଦ ନେତୃତ୍ୱ ନେଇଥାନ୍ତି । ଦିନେ ତାଙ୍କ ନାଁରେ କେଉଁ ଗାଁର କୋଉ ବଗୁଲିଆ ଟୋକା ଏକ ଗୀତ ବାନ୍ଧିଥିଲା :

 

ମାଧିଆ ନନା, ମାଧିଆ ନନା

ଲୁଣ ମରାହେଲା ପଛକୁ ଅନା ।

 

ମିଶ୍ରେ ଆପଣେ ଯେଉଁଠିକି ଗଲେ, ଗାଁର ମେଞ୍ଚଡ଼ ଛୁଆପଲ ତାଙ୍କ ପଛରେ ଗୋଡ଼େଇ ଦୁଆଦେଲେ-ମାଧିଆ ନନା, ମାଧିଆ ନନା... । ଏଇ ପିଲାଙ୍କ ଥଟ୍ଟା ବ୍ରିଟିଶ ସାମ୍ରାଜ୍ୟର ମୂଳଦୁଆ ଯେତେ ହୁଗୁଳା କରିଦେଲା, ତାହା ହଜାରେ ଗୋପବନ୍ଧୁଙ୍କଦ୍ୱାରା ବି ହେଇପାରି ନ ଥାନ୍ତା ।

 

କଲିକତାରେ ଏକସମୟରେ କାନ୍ଥରେ ବାଡ଼ରେ ଏ ଦାୟିକା ମାଡ଼ ହେଇଥିଲା :

 

ପୁଲିସ ତୁମି ଯତଇ ମାରୋ

ମାଇନେ ତୋମାର ଏକଶୋ ବାରୋ ।

 

ପୁଲିସର ଦମନର ଜୋଶ୍‌କୁ କାଉଁଦା କରିଦେବାରେ ଏହା କମ୍‌ ସାହାଯ୍ୟ କରିନଥିବ ।

 

ଏ ହସିପାରିବା ଗୁଣର ଚରମ ପରାକାଷ୍ଠା ହେଲା ନିଜକୁ ନିଜେ ଥଟ୍ଟା କରିପାରିବାରେ-। ଆମ ଆଗରେ ଅନେକ ସମୟରେ ଆମରି ନିଜର ଅଜ୍ଞାନ, ହାମବଡା ଭାବ, ନିଜ ବିଷୟରେ ଅତି ଭ୍ରାନ୍ତ ଓ ଉଚ୍ଚ ଧାରଣା, ସବୁଠୁଁ ବଡ଼ ବାଧା ହେଇ ଛିଡ଼ାହେଇଥାନ୍ତି । ଅନ୍ଧ ବା ସ୍ୱାର୍ଥନ୍ୱେଷୀ ସ୍ତାବକମାନଙ୍କର ସ୍ତୁତି ବି ଲୋକଙ୍କୁ ନେଇ ଏପରି ଏକ ଉଞ୍ଚ ମଞ୍ଚାଉପରେ ବସେଇଦିଏ ଯେ ସେଠୁ ଓହ୍ଲେଇବା କାଠିକର ପାଠ ହୁଏ । ଦୁଇ ଜଣଙ୍କ ଭିତରେ ବିରୋଧ ଉପୁଜିଲେ ପ୍ରତ୍ୟେକର ଏଇ ମାନସିକତା ହିଁ ବିରୋଧକୁ ତୀବ୍ରତର କରେ । ବିରୋଧ ସାମନାରେ ଆମର ଲଢ଼ୁଆବୃତ୍ତି ଅନେକ ସମୟରେ ଡନ୍‌ କିହୋଟେ (Don Quixote)ଙ୍କ ପରି ମେଣ୍ଢାପଲଙ୍କୁ ଘୋଡ଼ସବାରବାହିନୀ ବିଚାରି ତାହା ଉପରେ ଚଢ଼ଉ କରିବାକୁ ବାହାରେ, ଏସବୁବେଳେ ନିଜକୁ ନିଜେ ହସରେ ଉଡ଼େଇ ଦେଇପାରିଲେ ମଣିଷ ଅହମ୍ମନ୍ୟତା ଓ ଅତି ଗମ୍ଭୀରତାର ବେଲୁନ୍‌ ଫୁଟେଇ ଦେଇ ନିଜକୁ ସ୍ୱାଭାବିକ ରୂପରେ ଦେଖିବାକୁ ସକ୍ଷମ ହୁଏ । ଅନ୍ୟ ସମାଲୋଚକମାନେ ତା’କୁ ଯେମିତି ଦେଖୁଥିବେ, ନିଜକୁ ସେ ସେମିତି ଦେଖିପାରେ ।

 

ଗାନ୍ଧୀ–ଆରଉଇନ୍‌ ଚୁକ୍ତିର ସମାଲୋଚନା କରି ଚର୍ଚ୍ଚିଲ ଯେଉଁ ବିବୃତି ଦେଇଥିଲେ, ସେଥିରେ ସେ ଲେଖିଥିଲେ ଯେ ଏ ଅଧାଲଙ୍ଗଳା ରାଜଦ୍ରୋହୀ ଫକିର ବଡ଼ଲାଟ୍‌ କୋଠିକୁ ଟଙ୍ଗଟଙ୍ଗ୍‌ ହେଇ ଚାଲିଯିବାର ଦେଖି ତାଙ୍କୁ ବାନ୍ତି ମାଡ଼ୁଛି । ‘ଗାନ୍ଧୀଜୀ ଜବାବରେ କହିଲେ-‘‘ମୁଁ ତ ପୂରା ଲଙ୍ଗଳା ହେବାପାଇଁ ଇଚ୍ଛା କରୁଛି–ଏ ପର୍ଯ୍ୟନ୍ତ ହେଇପାରିନାହିଁ ।’’

 

ଗୋଲଟେବୁଲ ବୈଠକରେ ଯୋଗଦେବାକୁ ଯାଇ ସେ ରାଜା ପଞ୍ଚମଜର୍ଜଙ୍କ ସାଙ୍ଗେ ଦେଖାଇଲେ । ତାଙ୍କୁ ଜଣେ ସାମ୍ବାଦିକ ପଚାରିଲେ–‘‘ଆପଣ ଏତେ କମ୍‌ ଲୁଗା ପିନ୍ଧି ରାଜାଙ୍କ ପାଖକୁ ଗଲେ ?’’ ସେ ଜବାବଦେଲେ–‘‘ସେଥିରେ କ’ଣ ହେଲା ? ରାଜାସାହେବ ତ ଏକା ଯେତେ ଲୁଗା ପିନ୍ଧିଥିଲେ, ସେତକ ଆମ ଦୁଇଜଣଙ୍କ ପାଇଁ ଯଥେଷ୍ଟ ଥିଲା ।’’

 

୧୯୪୬ରେ ଲୁଇ ଫିଶର୍‌ ଗାନ୍ଧୀଜୀଙ୍କ ସାଙ୍ଗରେ ଟ୍ରେନ୍‌ରେ ଯାଉଥିଲେ । ପ୍ରତି ଷ୍ଟେସନରେ ପ୍ରବଳ ଭିଡ଼ ହେଉଥାଏ । ଗୋଟାଏ ଷ୍ଟେସନରେ ବର୍ଷା ସତ୍ତ୍ୱେ ଖୁବ୍‌ ଭିଡ଼ ଜମିଥାଏ । ଦୁଇଜଣ ସାନପିଲା ପ୍ଳାଟ୍‌ଫର୍ମ ଉପରେ ଡେଉଁଥାନ୍ତି ଓ ‘‘ଗାନ୍ଧୀ’ ‘ଗାନ୍ଧୀ’ ପାଟିକରୁଥାନ୍ତି । ଫିଶର ଗାନ୍ଧୀଜୀଙ୍କୁ ପଚାରିଲେ–‘‘ଏମାନେ ଆପଣଙ୍କୁ କ’ଣ ବୋଲି ଦେଖୁଛନ୍ତି, କ’ଣ ବିଚାରୁଛନ୍ତି ?’’ ଗାନ୍ଧୀଜୀ ନିଜର ଦୁଇ କାନମୁଣ୍ଡରେ ଦୁଇହାତକୁ ମୁଠାକରି ଲଗେଇ ବୁଢ଼ାଆଙ୍ଗୁଠି ଦୁଇଟା ଶିଙ୍ଗପରି ଉପରକୁ ଟେକି କହିଲେ-‘‘ଗୋଟାଏ ବିଚିତ୍ର ଶିଙ୍ଗବାଲା ଜନ୍ତୁ; ଆଉ କ’ଣ....’’

 

ଗାନ୍ଧୀଜୀ କେତେଥର କହିଛନ୍ତି ଯେ ତାଙ୍କର ଯଦି ନିଜକୁ ନିଜେ ପରିହାସ କରିବାର ଶକ୍ତି ନଥାନ୍ତା, ତେବେ ସେ କେବଠୁଁ ଆତ୍ମହତ୍ୟା କରିସାରିଥାନ୍ତେ । ମଣିଷର ମୁଣ୍ଡକୁ ଠିକ୍‌ ରଖିବାରେ ହସର ବହୁତ ବଡ଼ ସ୍ଥାନ ରହିଛି । ଭକ୍ତର ତ ବହୁତ ଭଲ ଭଲ ଗୁଣର ବର୍ଣ୍ଣନା କରାହେଇଛି; ମାତ୍ର ତା’ର କୌତୁକ ବୃତ୍ତି ଥିବା ଦରକାର ବୋଲି କାହିଁକି ଯେ କୁହାନଯାଇଛି, ତାହା ବୁଝାପଡ଼ୁନାହିଁ । କ’ଣ ସେ ଯୁଗର ମୁରବିବାଦର ଏଇଟା ପରିଣାମ ? ଆଉ ଗାନ୍ଧୀଜୀଙ୍କର ପ୍ରାଣଖୋଲା ହସ ହିଁ ଏହାର ଦ୍ୟୋତକ ଯେ ସେ ନୂଆ ସାମ୍ୟଯୁଗର ଆଧ୍ୟାତ୍ମିକତାର ବାର୍ତ୍ତାବହ ।

Image

 

ମଣିଷ ଗାଇ

 

କଥା ପଡ଼ିଥିଲା ଦରଦାମ ବୃଦ୍ଧି, କିଳାପୋତେଇ, ସମ୍ବିଧାନ ସଂଶୋଧନ ଏମିତି ସବୁ । ଦିନୁଁ ଦିନ ତ ମଣିଷର ଅବସ୍ଥା ଅସମ୍ଭାଳ ହେଲା–କୋଉ ବାଟରେ ଏ ଦହଗଞ୍ଜରୁ ମଣିଷ ଉଦ୍ଧାର ପାଇବ । ଚିନ୍ତାମଣି କକେଇ ବସି ବସି ଶୁଣୁଥିଲେ । ଭାରୀ ଧାର୍ମିକ ଲୋକ; ଦି’ଓଳି ପୂଜା-ଅର୍ଚ୍ଚନାରେ କେବେ ହେଳା ହୁଏ ନାହିଁ । ଗୋଟାକଯାକ ଗୀତା ତାଙ୍କର ଜିଭ ଅଗରେ । ଶୁଣୁ ଶୁଣୁ ମେଞ୍ଚାଏ ନାସ ଦୁଇ ନାକପୁଡ଼ାରେ ଗୁଞ୍ଜି ଦେଇ ଅଣ୍ଟା ସଳଖି ବସି କହିଲେ–‘‘ବୁଝିଲ ପିଲେ ! ତୁମେ ଯେତେ ଧନ୍ଦି ହେଲେ କ’ଣ ହେବ; ଏସବୁ ଦହଗଞ୍ଜ କ’ଣ ଏମିତିରେ ମେଣ୍ଟିବ ? କେବେ କ’ଣ ମେଣ୍ଟିଲାଣି । ଏସବୁ ପରା ଏ ସଂସାର, ଏ ଦେହର ଉପସର୍ଗ । ଏ ଦେହ ଥିବାଯାକେ ଏସବୁ ନାଟ ଲାଗିଥିବ । ସେଥିପାଇଁ ପରା ଗୀତାରେ ଡାକିଲା–

 

‘ଗୁଣାନ୍‌ ଏତାନ୍‌ ଅତୀତ୍ୟ ତ୍ରୀନ୍‌ ଦେହୀ ଦେହସମୁଦ୍‌ଭବାନ୍‌

ଜନ୍ମମୃତ୍ୟୁଜରାର୍ଦୁଃଖେଃ ବିମୁକ୍ତୋଽମୃତମଶ୍ନୁତେ ।’

 

ବୋଇଲେ ଏ ଦେହରୁ ଯେଉଁ ତିନିଗୁଣ–ସତ୍ତ୍ୱ, ରଜ, ତମ ଜାତ ହେଇଛି, ତା’କୁ ଟପିଗଲେ ଜନ୍ମ, ମୃତ୍ୟୁ ଓ ଜରାର ଦୁଃଖରୁ ଏକାବେଳକେ ଖଲାସ; ତେଣିକି ଖାଲି ଅମୃତ ଭୁଞ୍ଜିବ । ଆମର କ’ଣ ପୂର୍ବରୁ ବୁଦ୍ଧିଆ ଲୋକେ ନ ଥିଲେ, ନା ସମସ୍ୟା ନଥିଲା । ବିଶ୍ୱାମିତ୍ର ପରା ଦୁର୍ଭିକ୍ଷବେଳେ ଭୋକବିକଳରେ ମଲାକୁକୁରମାଂସ ଖାଇଥିଲେ ! କ’ଣ କମ୍‌ ହିନସ୍ତା ? କିନ୍ତୁ ସେ ବିଶ୍ୱାମିତ୍ର କ’ଣ ସ୍ଳୋଗାନ୍‌ ଦେଇ ବୁଲିଲେ ନା ପାର୍ଟି ଗଢ଼ିଲେ । ସେ ଲାଗିଲେ ସେଇ ମୋକ୍ଷ-ସାଧନାରେ । ଏ ଚକ୍ରରୁ ବାପା ତରିଲେ ଯାଇ ସବୁ ଛିଣ୍ଡିବ । ଯେତେ ଦିନ ଜନ୍ମ-ମରଣ-ନାଗଫାଶରେ ପଡ଼ିଥିବ, ସେତେ ଦିନଯାଏ ଏଇ ଦହଗଞ୍ଜ ।’’

 

ଜଗା କହିଲା–‘‘କକେଇ, କେତେବେଳେ ଜନ୍ମମରଣ-ଚକ୍ରରୁ ମୁକ୍ତିମିଳିବ, ମିଳିବ; କିନ୍ତୁ ସେତେ ଦିନ ତ ପିଣ୍ଡ ଓ ପ୍ରାଣକୁ ଏକାଠି ରଖିବା ଫନ୍ଦା କରିବାକୁ ହେବ । ତେମେ ତ ଫେର୍‌ ପ୍ରେସ୍‌ ଖଣ୍ଡକ କରିଛ ବୋଲି ତମର ଚଳୁଛି ।’’

 

ମଧୁଆ ଯୋଗକଲା–‘‘କକେଇ, ଗୀତାରେ ତ କୁଆଡ଼େ ୟା’ ବି କହିଛି ଯେ ତିନି ଗୁଣକୁ ଜିତିବାକୁ ହେଲେ କ୍ଷମା, ଦୟା, ଦାନ, ନିର୍ଲୋଭପଣିଆ ଏମିତି ସବୁ କେତେକ’ଣ ଆଚରିବାକୁ ହେବ । ସମସ୍ତଙକୁ ସମାନ ଦେଖିବ । ଏମିତି ସବୁ କେତେ କଥା । ତମ ପ୍ରେସ୍‌ କର୍ମଚାରୀଗୁଡ଼ାକ ସାତଦିନ ହେଲା ହାତବାନ୍ଧି ବସିଛନ୍ତି ମଜୁରି ବଢ଼ିବାକୁ ଦାବିକରି । ଚାଉଳ କିଲୋ ତିନିଟଙ୍କା ହେଲା; କେମିତି ତାଙ୍କର ଚଳେ ? ତେମେ ତ ଛାପାଖର୍ଚ୍ଚ ବଢ଼େଇଦେଲ, ସରକାରୀ ଅର୍ଡର ପାଉଛ-। ଟିକିଏ ଦୟା, କ୍ଷମା, ଆଚରି ସେମାନଙ୍କ ମଜୁରି ଚାରିପଇସା ବଢ଼େଇ ଦେଲେ କ’ଣ ଏମିତି ତମର ଲକ୍ଷ୍ମୀ ତୁଟିଯିବ.... ?’’

 

କକେଇ ପୁଣି ଟିପେ ନାସ ଶୁଙ୍ଘି ହାତ ଝାଡ଼ିଝୁଡ଼ି କହିଲେ–‘‘ବୁଝିଲ ପିଲେ, ତମର ତ ଖାଲି ସେଇ ଦାବି, ହରତାଳ, ଶୋଭାଯାତ୍ରା ଛଡ଼ା ଆଉ କିଛି ବୁଦ୍ଧିରେ ପଶୁନାହିଁ । ଏଇ ଅଳସୁଆ, ବଗୁଲିଆ, କମ୍ପୋଜିଟର ପଞ୍ଝାଙ୍କର ମଜୁରି ବଢ଼େଇଦେଲେ, ଦୟା ଦାକ୍ଷିଣ୍ୟ ହେଇଯିବ ? ନାଇଁରେ ବାପା, ଏତେ ସହଜ କଥା ନୁହେଁ । ସେଇ ଗୀତା ଫେଣ ହୁସିଆର କରିଦେଇଛି–

 

‘ଅଦେଶକାଳେ ଯତ୍‌ଦାନଂ ଅପାତ୍ରେଭ୍ୟଶ୍ଚ ଦିୟତେ

ଅସତ୍‌କୃତଂ ଅବଜ୍ଞାତଂ ତତ୍‌ଦାନଂ ତାମସଂ ସ୍ମୃତମ୍‌ ।’

 

ଅକାଳରେ ଏ ଅଯୋଗ୍ୟ ଲୋକଙ୍କର ମଜୁରି ବଢ଼େଇଲେ ସେଇଟା ତାମସିକ ଦାନ ହେବ ନା । ତାମସ ତ ମଣିଷକୁ ତଳକୁ ତଳକୁ ଟାଣିବ ।’’

 

ଏମିତି ଏ ଯୁକ୍ତିତର୍କ ଆଉରି ଚାଲିଥାନ୍ତା । କକେଇଙ୍କର ଗାଧୁଆବେଳ ହେଇଯିବାରୁ ସେ ଉଠିଗଲେ । କଥା ଅନ୍ୟ ଆଡ଼େ ଗଲା ।

 

ଏ ଯୁକ୍ତି କିନ୍ତୁ ଶହ ଶହ ବର୍ଷଧରି ଚାଲିଆସିଛି । ଦୁଃଖଶୋକରୁ ମୁକ୍ତି ଏ ଜନ୍ମରେ ନାହିଁ, ଏ ଜନ୍ମମରଣ ଗତାଗତରୁ ବାହାରିଲେ ଯାଇ ଯୋଉ କଥା । ଏ ଦେହ ହେଲା ସବୁ ବନ୍ଧନର ମୂଳ । ଏ ଦେହବନ୍ଧନ କଟିଲେ ଯାଇ ମୁକ୍ତି ।

 

କିନ୍ତୁ ଯେଉଁ ମାଟି ପଥର ଶହ ଶହ କୋଟି ବର୍ଷଧର ଜଡ଼ ହେଇ ପଡ଼ିରହିଥିଲା, ସେ ଶେଷକୁ ଏ ମଣିଷ ଦେହ ଧରିବାରୁ ତ ଯାଇ ଏ ମୁକ୍ତି, ମୋକ୍ଷ, ନିର୍ବାଣ, ଏତେ କଥା ଉଠୁଛି ? ଜୀବନ କ’ଣ ଏ ମଣିଷରୂପରେ ସହଜରେ ପହଞ୍ଚିଛି ? କେତେ ରୂପ ଧରି, କେତେ ଅମୁହାଁଗଳିରେ ବାଟହରେଇ, ଯାଇ ଜୀବନର ଜୟଯାତ୍ରା ମଣିଷଦେହରେ ଆସି ଗୋଟାଏ ଠାକମୁଣ୍ଡରେ ପହଞ୍ଚିଛି । କେତେ କୋଟି ବର୍ଷ ଲାଗିଯାଇଛି ଏ କଥା ଘଟିବାକୁ । ଏ ଜୀବନର ଜୟଯାତ୍ରା ମୁକ୍ତିର ଜୟଯାତ୍ରା; ଏ ମଣିଷ-ଦେହ ମୁକ୍ତିର ପ୍ରତିବନ୍ଧ ନୁହେଁ, ବନ୍ଧନ ନୁହେଁ–ଏ ମୁକ୍ତିର ସାଧନ, ଏ କଥାଟା ଆଗେ ମନରେ ନ ହେଜିଲେ ଆମେ ଖାଲି ଧନ୍ଦିହେଉଥିବା । ଏବେ ମୁକ୍ତି ବୋଲନ୍ତେ ଯେଉଁ ରାଜନୀତିକ ସ୍ୱାଧୀନତା, ବ୍ୟକ୍ତି ସ୍ୱାଧୀନତା, ଆର୍ଥିକ ସ୍ୱାଧୀନତା ଆଦି ଆଜିକାଲି ବୁଝାଉଛି, ତା’ର ପ୍ରକୃତ ତାତ୍ପର୍ଯ୍ୟ ବୁଝିପାରିବା ନାହିଁ ଓ ମୁକ୍ତି, ମୋକ୍ଷ ଆଦି କଥାଗୁଡ଼ାକୁ ଖାଲି ଅଫିମଟେଳାଭଳି ବ୍ୟବହାର କରୁଥିବା ।

 

ଟୋପାଏ ଛେପ, କି ଟୋପାଏ ଗାଡ଼ିଆପାଣିକୁ ଯଦି ଅଣୁବୀକ୍ଷଣରେ ଦେଖାଯିବ, ତେବେ ସେଥିରେ ଅଗଣିତ ଜୀବାଣୁ, ନାନାପ୍ରକାରର, ସାଲୁବାଲୁ ହେଉଥିବାର ଦେଖାଯିବ । ଏ ଛେପ କି ପାଣିଟୋପାରେ ଟାଣ ଖରା ପଡ଼ିଲେ ଚାହୁଁ ଚାହୁଁ ତାହା ଶୁଖିଯିବ ଓ ସେ ଜୀବାଣୁତକ ମରିଯିବେ । ଏତିକି ତାଙ୍କର ଜୀବନର ସୀମା-ସରହଦ । ପାଣିସୁଅ ଯୁଆଡ଼େ ନବ, ଭାସିବୁଲିବେ; ପାଣିରେ ଗୋଳେଇ ହୋଇଥିବା ଖାଦ୍ୟସାର ଆହରଣ କରି ବଞ୍ଚିବେ; ଦୁଇ ଦୁଇ ଫାଳ ହେଇ ବଂଶ ବଢ଼େଇବେ । ପାଣି ଶୁଖିଗଲେ ଜୀବନ ଶେଷ ।

 

ଏଇ ରୂପ ହିଁ ଥିଲା ପୃଥିବୀପିଠିରେ ଦେଖାଦେଇଥିବା ସେଇ ସର୍ବପ୍ରଥମ ଆଦି-ଜୀବର-। ପାଣି, ପବନ, ଖରାଧାସର ଦୟାରେ କୌଣସିମତେ ବଞ୍ଚିରହୁଥିବା ଏକକୋଷୀୟ ଜୀବରୁ ଆଗକୁ ବହୁକୋଷ ଏକାଠି ମିଶି ଯେତେବେଳେ ନାନାପ୍ରକାରର ବହୁକୋଷୀୟ ଜୀବ ଉପୁଜିଲେ ସେତେବେଳେ ଏ ହୀନିମାନି ଜୀବନ ଟିକେ ଉଶ୍ୱାସ ହେଲା । ସମୁଦ୍ରକୂଳରେ ରାବଣଛତାସବୁ ଲହଡ଼ିରେ ଭାସିଆସି ପଡ଼ିଥିବାର ଦେଖାଯାଏ । ବଡ଼ ବଡ଼ ତାଳସଜ ପରି ଦେଖିବାକୁ । ଆଦି–ଏକକୋଷୀୟରୁ ଏ ତ ବହୁତ ଆଗୁଆ । ଏହାର ଗୋଟାଏ ପାଟି, ପହଁରିବାପାଇଁ ଗୋଟିଏ ରକମର ଗୋଡ଼, ଦେହରେ ରକ୍ତ ଚଳାଚଳର ଓ ଦୂଷିତ ପଦାର୍ଥ ନିଷ୍କାସନର ଏକ ସରଳ ବ୍ୟବସ୍ଥା, ଗୋଟାଏ ପ୍ରାଥମିକ ସ୍ତରର ସ୍ନାୟୁମଣ୍ଡଳ ଓ ସେଥିରେ ଗୋଟାଏ ଜାଗାରେ ଟିକିଏ ବଡ଼ ଗଣ୍ଠିଟାଏ, ଯେଉଁଟା ମସ୍ତିଷ୍କର ଆଦ୍ୟ ଅବତାର ବୋଲି କୁହାଯାଇପାରେ । ଏତେ ପ୍ରକାରର ଓ ଆହୁରି କିଛି ବ୍ୟବସ୍ଥା ଏ ରାବଣଛତାରେ ଖଞ୍ଜା ହେଇଛି । କିନ୍ତୁ ତା’ର ଆଖି ନାହିଁ, କାନ ନାହିଁ, ନାକ ନାହିଁ; ଦେହ ଉପରେ ଗୋଟାଏ ରକମର ଆବରଣ ଅଛି ସତ; କିନ୍ତୁ ଖରାଧାସ ରୋକିପାରିବ ନାହିଁ । ଅତି ଥଣ୍ଡା ବି ନୁହେଁ, ବାଲିରେ ଆସି ବିଚରାମାନେ କଚାଡ଼ି ହେଇ ପଡ଼ିଥାନ୍ତି–ପୁଣି ଯଦି ଢେଉ ଆସି ଭସେଇ ନେଇଯାଏ ତ ଭଲ; ନ ହେଲେ ତତଲା ବାଲିତାଉରେ ଚାହୁଁ ଚାହୁଁ ଦଫା ଶେଷ ।

 

ଗୋଟାଏ ଶାଖା ବାହାରିଲା ଖୋଳପାବାଲାଙ୍କର ଚିଙ୍ଗୁଡ଼ି, କଟ୍‌ଲ୍‌ ଫିଶ୍‌, କଙ୍କଡ଼ା ଆଦି ପାଣିରେ ରହିବା ଜୀବ । ପୁଣି ମାଟି ଉପରେ ପିମ୍ପୁଡ଼ି, ଉଇ, ମାଛି, ମହୁମାଛି ଆଦି । ଏମାନଙ୍କର ଦେହ ଉପରେ ଟାଣ ଖୋଳପା । ପୁଞ୍ଜା ପୁଞ୍ଜା ଗୋଡ଼ରେ ଚାଲିବାର, ପହଁରିବାର ସୁବିଧା, ବେଶ୍‌ ଆଗୁଆ ରକ୍ତସଞ୍ଚାଳନ ବ୍ୟବସ୍ଥା, ସ୍ନାୟୁମଣ୍ଡଳ ଆଦି ସାଙ୍ଗକୁ ହଳେ ଲେଖା ବେଶ୍‌ କାମିକା ଆଖି ଏମାନଙ୍କୁ ମିଳିଛି । କିନ୍ତୁ ମଧ୍ୟଯୁଗର ଯୋଦ୍ଧାମାନଙ୍କର ଲୁହା ସାଞ୍ଜୁ ଭଳି ଖୋଳପା ଏମାନଙ୍କପାଇଁ ଯେତିକି ସୁବିଧା ସେତିକି ଅସୁବିଧା କଲା । ଖୋଳପା ଯୋଗୁଁ ଦେହଟା ତ ଟାଣୁଆ ହେଲା, ଖରାଧାସ କି ଶୀତରେ ସହଜରେ କାବୁ ହେବ ନାହିଁ, ଗଣ୍ଠିଗଣ୍ଠିକା ଗୋଡ଼ଦ୍ୱାରା ଚଳପ୍ରଚଳ ବି ଭଲ ହେଲା । ସୁଅରେ କୁଟାଖିଅ ପରି ଭାସିବା କଥା ନୁହେଁ; ଆଖିରେ ଦେଖି ଯୁଆଡ଼େ ଶିକାର ବା ଖାଦ୍ୟ ଥିବ, କି ଲୁଚିରହିବାପାଇଁ ସୁବିଧା ଜାଗା ଥିବ, ସିଆଡ଼କୁ ମୁହାଁଇ ଧାଇଁଚାଲ । କିନ୍ତୁ ଅସୁବିଧା ହେଲା ଯେ ଏ ପ୍ରକାର ଖୋଳପାର ଆକାରଟା ବେଶୀ ବଡ଼ ହେଇପାରିଲା ନାହିଁ । ଗୋଟାଏ ମଣିଷଭଳିଆ ଖୋଳପାବାଲା ଜୀବଟାଏ ହେବାକୁ ହେଲେ ତା’ର ସାଞ୍ଜୁଟା ଏତେ ମୋଟ ଓ ଭାରି ହେବ ଯେ ସେ ପ୍ରାଣୀର ଚଳପ୍ରଚଳ କରିବା କାଠିକର ପାଠ ହେଇଯିବ । ସାନ ଜୀବଟିଏ ହେଲାବେଳକୁ ତା’ର ମସ୍ତିଷ୍କଟି ବି ସାନ; ସେଥିରେ ଆଉ କେତେ ପାଠ ପଶିପାରିବ ?

 

ମାଛର ଆବିର୍ଭାବ ହେବାବେଳକୁ ଆଉରି କେତେ ନୂଆ ନୂଆ ଉଦ୍‌ଭାବନ ଖଞ୍ଜାହେଲାଣି । ଭିତରେ ଗୋଟାଏ ହାଡ଼ର କଙ୍କାଳ ରହି ଦେହଟାକୁ ଠିକ୍‌ ଭାରାଦେଇ ରଖିଛି; ଅଥଚ ଏ ହାଡ଼ର ଓଜନ ସେମିତି ବେଶୀ କିଛି ନୁହେଁ । ସାନ ସାନ ଟୁକୁରା ମିଶି ଗଢ଼ା ମେରୁଦଣ୍ଡ ଅନେକ ସହଜରେ ଓ ବେଶୀ ପରିମାଣରେ ଏପାଖ ସେପାଖ ବାଙ୍କପାରିବ, ହଲିପାରିବ ବାହାରର ଖୋଳପା ଅପେକ୍ଷା । ରକ୍ତସଞ୍ଚାଳନ ପାଇଁ ଭଲରକମ ବ୍ୟବସ୍ଥା । ଏକ ମଜବୁତିଆ ହୃତ୍‌ପିଣ୍ଡ ସମେତ ପାଣିରୁ ଅମ୍ଳଜାନ ସଂଗ୍ରହପାଇଁ ଗାଲି, ଫୁସ୍‌ଫୁସ୍‌, ବେଶ୍‌ ଭଲ ଆଖି ଯୋଡ଼ିଏ, ବାସନା ବାରିବା ପାଇଁ ନାକ–ଏସବୁ ଯୋଗୁଁ ମାଛ ହେଲା ଜାଣି ସମୁଦ୍ର-ନଈର ରଜା । ଟିକିଟିକି ଦଣ୍ଡକିରିଠାରୁ ବଡ଼ ବଡ଼ ବାଳିଆ, ଭାକୁର ଓ ଦେଢ଼ପୁରୁଷ, ଦୁଇପୁରୁଷ କି ତା’ଠୁ ବି ଲମ୍ବ ସମୁଦ୍ର-ମାଛ ଯାଏ, ଅଗଣିତ ରୂପରେ ମାଛମାନେ ପୃଥିବୀଯାକର ଜଳଭାଗକୁ ଦଖଲ କରିଗଲେ ।

 

କିନ୍ତୁ ଯେତେ ହେଲେ ଥଳଭାଗରେ ମାଛରେ କିଛି କରତବ ରହିଲା ନାହିଁ । ବେଳେବେଳେ କଉ ମାଛ ସିନା ଥଳକୁ ଆସି ଗଛରେ ଚଢ଼ିଯିବାର ଦେଖାଯାଏ; କିନ୍ତୁ ବାକି ସମସ୍ତେ ପାଣିରେ ବନ୍ଧା । ବେଙ୍ଗ, ସାପ, କଇଁଛ ବଂଶ ଆଗ କରି ପାଣିରୁ ଉଠି କୂଳ ଉପରେ ଚାଲିଲେ । ପବନରୁ ଅମ୍ଳଜାନ ସଂଗ୍ରହପାଇଁ ସେମାନଙ୍କର ନାକ ଓ ଫୁସ୍‌ଫୁସ୍‌ ଗଢ଼ିହେଇଗଲା । ମାଛର ଯେଉଁଗୁଡ଼ାକ ଥିଲା ପହଁରିବା ଡେଣା, ସେଗୁଡ଼ାକ ଗୋଡ଼ରୂପ ଧରିଲା–ମାଟିରେ ବି ଚାଲିବ, ପାଣିରେ ବି ପହଁରିବ ।

 

ଥଳକୁ ଉଠିବା ପରେ ତ ଥଳଉପରେ କେତେ ନା କେତେ ରୂପ ପ୍ରାଣୀ ଧରିଲା । ପାଣିକୁ ଆଉ ନ ଫେରି ଥଳରେ ହିଁ ଚଳିବା ପାଇଁ ସେମାନଙ୍କର ଗୋଡ଼ ଲମ୍ବ ଓ ମଜବୁତ ହେଲା । ଚମଟା ଶୁଖିଲା ହେଲା ଯେ ବାହାରର ତାତି କି ଜାଡ଼ ତା’କୁ ହଠାତ୍‌ ବାଧିବ ନାହିଁ । ଦେହରେ ତାପ-ନିୟନ୍ତ୍ରଣ ବ୍ୟବସ୍ଥା ଖଞ୍ଜାହେଲା, ଯାହାଦ୍ୱାରା ଦେହର ଉଷ୍ଣତା ସବୁବେଳେ ସମାନ ରହିବ–ବାହାରର ଉଷ୍ଣତା ବଦଳିବା ସାଙ୍ଗରେ ବଦଳିବ ନାହିଁ । ସାପ, ବେଙ୍ଗ ହେରିକାଙ୍କର ଏ ବ୍ୟବସ୍ଥା ନାହିଁ; ତେଣୁ ବେଶୀ ଶୀତରେ ସେମାନେ ଅଚଳ ହେଇଥାନ୍ତି । ଗୋଟାଏ ଯୁଗରେ ଏହିପରି ଥଣ୍ଡା-ରକ୍ତବାଲା ବିରାଟକାୟ ନାନା ଜାତିର ସରୀସୃପ ପୃଥିବୀଯାକ ଛାଇଯାଇଥିଲେ । ମାତ୍ର ପୃଥିବୀର ପାଣିପାଗ କ୍ରମେ ଅଧିକ ଶୀତଳ ହେଇଯିବାରୁ ସେସବୁ ତାହା ସହି ନ ପାରି ଲୋପପାଇଗଲେ । ଉଷୁମ-ରକ୍ତ-ପ୍ରାଣୀ ଅତି ଉଷ୍ଣୁରୁ ଅତି ଶୀତଳ ସବୁପ୍ରକାର ଜଳବାୟୁରେ ତିଷ୍ଠିପାରୁଛନ୍ତି । ଜଳବାୟୁ ଅନୁସାରେ ସେମାନଙ୍କ ଶରୀରରେ ଆଉ କିଛି ପରିବର୍ତ୍ତନ ହେଇଛି; ଯଥା ଥଣ୍ଡାଅଞ୍ଚଳରେ ଥିବା ପ୍ରାଣୀଙ୍କ ଦେହରେ ଲମ୍ବା ଲୋମ ଓ ମରୁଭୂମିର ପ୍ରାଣୀଙ୍କ ଦେହରେ ଲୋମର ପ୍ରାୟ ସମ୍ପୂର୍ଣ୍ଣ ଅଭାବ-

 

ଗୋରୁ, ଘୋଡ଼ା, ବିଲେଇ, କୁକୁର ଆଦିଠାରୁ ମଣିଷ ଯାଏ ମେରୁଦଣ୍ଡୀ; ଗରମରକ୍ତ ପ୍ରାଣୀଙ୍କର ଆଉ ଗୋଟାଏ ବିଶେଷତା ହେଲା–ଗର୍ଭରେ ସନ୍ତାନ ଧାରଣ କରି ଜନ୍ମ କରିବା ଓ ତା’କୁ ସ୍ତନ୍ୟପାନ କରାଇ ପାଳନ କରିବା । ମାଛ, ବେଙ୍ଗ, ସାପ, କଇଁଛ ଯାଏ ଅଣ୍ଡା ଦେବାର ପଦ୍ଧତି ଚାଲୁଥିଲା । ମା’ ଗୁଡ଼ିଏ ଅଣ୍ଡା ଦେଇଦିଏ ଓ ସେସବୁର କୌଣସି ଯତ୍ନନିଏ ନାହିଁ । ଚଢ଼େଇ ମେରୁଦଣ୍ଡୀ, ଉଷୁମରକ୍ତ ପ୍ରାଣୀ ହେଲେ ବି ଅଣ୍ଡା ଦିଅନ୍ତି, ତା’କୁ ଉଷୁମାନ୍ତି ଓ ଛୁଆ ବାହାରିଲେ ଛୁଆର ଯତ୍ନ ନିଅନ୍ତି ।

 

ମେରୁଦଣ୍ଡୀ, ଉଷୁମରକ୍ତ, ସ୍ତନ୍ୟପାୟୀ ପ୍ରାଣୀଙ୍କର ବଂଶର ହିଁ ଏକ ପରିଣତି ମଣିଷ । ମାଙ୍କଡ଼ ଓ ମଣିଷଙ୍କର ପୂର୍ବପୁରୁଷ ଏକ ଥିଲେ–ଏ କଥା ବିବର୍ତ୍ତନବାଦୀମାନେ କହିବାରୁ ୟୁରୋପର ଧାର୍ମିକ ଲୋକମାନେ ଭାରି ଖପା ହେଇଯାଇଥିଲେ । ମାତ୍ର ଆମ ଦେଶରେ ଏ ତତ୍ତ୍ୱର ପ୍ରଚାରରେ କେହି ବିଗିଡ଼ି ନାହାନ୍ତି । କାରଣ ଏଠି ତ ମାଙ୍କଡ଼କୁ ମଣିଷଙ୍କର ସାଥୀରୂପେ ଆଗରୁ କଳ୍ପନା କରାଯାଇଛି । ମାଙ୍କଡ଼ମାନେ ରାମଚନ୍ଦ୍ରଙ୍କର ସୈନ୍ୟବାହିନୀ ଗଢ଼ି ଲଙ୍କାଗଡ଼ ଜିତିଥିଲେ ବୋଲି ସମସ୍ତେ ପିଲାଦିନୁ ଶୁଣିଥାନ୍ତି ।

 

ସେ ଯାହା ହେଉ, ମଣିଷ ଗଛରୁ ଓହ୍ଲେଇ ମାଟିରେ ଚାଲିଲାବେଳକୁ ତା’ର ଆଉ ଏକ ପରିବର୍ତ୍ତନ ହେଲା । ସେ ପଛ ଦୁଇ ଗୋଡ଼ରେ ଠିଆହେଲା । ତା’ର ଆଗର ଗୋଡ଼ ଦୁଇଟା ଚାଲିବା ଦାୟିତ୍ୱରୁ ମୁକ୍ତ ହେଇ ‘ହାତ’ ହେଇଗଲା । ମାଙ୍କଡ଼ ବି ବେଳେବେଳେ ଦୁଇ ଗୋଡ଼ରେ ଛିଡ଼ା ହୁଅନ୍ତି । ଗରିଲା ପ୍ରାୟ ଦୁଇ ଗୋଡ଼ରେ ଚାଲେ । କିନ୍ତୁ ସେମାନଙ୍କ ହାତ ଅପେକ୍ଷା ମଣିଷର ହାତ ଢେର୍‌ ବେଶୀ ବିକଶିତ । ମଣିଷ ତା’ର ବୁଢ଼ାଆଙ୍ଗୁଠିଟିପକୁ ଅନ୍ୟ ଆଙ୍ଗୁଠି ମୂଳରେ ଲଗାଇପାରେ । ମାଙ୍କଡ଼ମାନେ ତାହା ପାରନ୍ତି ନାହିଁ । ତା’ର ବୁଢ଼ାଆଙ୍ଗୁଠିର ଏଇ କୁଶଳତାଯୋଗୁ ସେ ହାତରେ ହଜାର ହଜାର ପ୍ରକାରର କାମ କରିପାରେ, ଯାହା ମାଙ୍କଡ଼ମାନେ ପାରନ୍ତି ନାହିଁ ।

 

ମଣିଷର ହାତକୁ ତା’ର ସଂସ୍କୃତିର ମୂଳଦୁଆ କହିଲେ ଅତ୍ୟୁକ୍ତି ହେବନାହିଁ । ଏଇ ହାତଦ୍ୱାରା ସେ ପଥର କୁରାଢ଼ିରୁ ଆରମ୍ଭ କରି ମହାକାଶଯାନ ଯାଏ ହଜାର ହଜାର ପ୍ରକାରର ଯନ୍ତ୍ର, ଉପକରଣ, ହତିଆର ତିଆରି କରି ନିଜର ଶକ୍ତି ଅପରିସୀମା ଭାବରେ ବଢ଼େଇପାରିଛି । ମଣିଷର ମସ୍ତିଷ୍କର ପ୍ରାୟ ଅଧେ ହାତ ଓ ଆଖିର ଗତିବିଧିର ପରସ୍ପର ସାମଞ୍ଜସ୍ୟବିଧାନ କାମରେ ହିଁ ଲାଗିଥାଏ । ମଣିଷର ମସ୍ତିଷ୍କ ଏଥିପାଇଁ ଅନ୍ୟ ଜୀବଙ୍କ ତୁଳନାରେ ବହୁତ ବଡ଼ ହେଇଯାଇଛି ତା’ର ଶରୀରର ମୋଟ ଓଜନର ଅନୁପାତରେ । ଏବେ ମଣିଷର ବଞ୍ଚିରହିବାପାଇଁ, ଦୈନନ୍ଦିନ ଜୀବନଯାତ୍ରା ନିର୍ବାହ ପାଇଁ ଯେତେ ଆବଶ୍ୟକ, ତା’ଠୁଁ ଢେର୍‌ ବେଶୀ କର୍ମକ୍ଷମତା ମଣିଷର ମସ୍ତିଷ୍କରେ ଆସିଯାଇଛି । ତା’ର ହାତର କୁଶଳତାଠାରୁ ବଳି ଆଉ ଏକ କୁଶଳତା ମଣିଷ ହାସଲ କରିପାରିଲା । ତାହା ହେଲା କଥା କହିବାର ଶକ୍ତି । ଅନ୍ୟ କୌଣସି ଜୀବର ଏ ଶକ୍ତି ନାହିଁ । ବଣି, ସାରୀ, ଶୁଶୁମାର ମଣିଷ–କଥାର ଅନୁକରଣ କରି ଶବ୍ଦ ଉଚ୍ଚାରଣ କରିପାରନ୍ତି; କିନ୍ତୁ ତା’ର ଅର୍ଥ ସେମାନେ ବୁଝନ୍ତି ନାହିଁ କି ନିଜର ମନୋଭାବ ପ୍ରକାଶ କରିବାପାଇଁ ଶବ୍ଦ ଉଚ୍ଚାରଣ କରିପାରନ୍ତି ନାହିଁ । ଭାଷା ଓ ତା’ପରେ ଲିଖିନକଳାର ଅଧିକାରୀ ହେବାଦ୍ୱାରା ମଣିଷ ସ୍ଥଳ ଓ କାଳର ବାଧାକୁ ଅତିକ୍ରମ କରି ଭାବର ଆଦାନ-ପ୍ରଦାନ କରିପାରିଲା । ଦୂରରେ ଥିବା ମଣିଷ ସହିତ ଭାବ ବିନିମୟ କରିପାରିଲା । ଅତୀତର ଭାବନା, ଚିନ୍ତାର ପରିଚୟ ପାଇପାରିଲା ଓ ବର୍ତ୍ତମାନର ଭାବନା, ଚିନ୍ତା ଭବିଷ୍ୟତ ପାଇଁ ସାଇତି ରଖିପାରିଲା । ଶବ୍ଦ ସାହାଯ୍ୟରେ ଆଖିଆଗରେ ନ ଥିବା ବସ୍ତୁ ଓ ଘଟଣା ବିଷୟରେ ଚିନ୍ତା କରିପାରିଲା ଓ ‘‘ବଡ଼-ସାନ, ଭଲ-ମନ୍ଦ, ଲମ୍ବ-ଓସାର, ସୌନ୍ଦର୍ଯ୍ୟ, ମାଧୁର୍ଯ୍ୟ’’ ଭଳି ବିମୂର୍ତ୍ତ ଶବ୍ଦ ସାହାଯ୍ୟରେ ତା’ର ଚିନ୍ତାର ପରିସର ବହୁତ ବଢ଼େଇ ଦେଇପାରିଲା । ବିଭିନ୍ନ ବ୍ୟକ୍ତି, ବସ୍ତୁ ଆଦିଙ୍କ ଭିତରେ ସମ୍ବନ୍ଧରେ ବିଶ୍ଳେଷଣ କରିପାରିଲା । ନାହିଁ ନଥିବା ବସ୍ତୁ, ପରିସ୍ଥିତି ଓ ସମ୍ବନ୍ଧର କଳ୍ପନା କରିପାରିଲା । ‘‘ରାମ ଶ୍ୟାମର ଭାଇ’’–ସଚେତନ ଜୀବଟିଏ ଏଇ ସହଜ ବର୍ଣ୍ଣନା ପଦକ କରିବା ପଛରେ କୋଡ଼ିଏ କୋଟି ବର୍ଷର ବିବର୍ତ୍ତନର ଇତିହାସ ରହିଛି ।

 

(୨)

 

ମଣିଷର ମସ୍ତିଷ୍କ ଓ ମନ କେବଳ ବଞ୍ଚିରହିବା ପାଇଁ ଯେତିକି ଲୋଡ଼ା, ସେତିକି ଅନୁଭବ କରିବା, ସେତିକି ଜାଣିବା, ସେତିକି ଭାବିବାର ସୀମାକୁ ଟପି ବଳକା କାର୍ଯ୍ୟକ୍ଷମତା ଓ ସଂଜ୍ଞାମୂଳକ (କନ୍‌ସେପ୍‌ଚୁୟାଲ୍‌) ଚିନ୍ତାର ସାମର୍ଥ୍ୟ ହାସଲ କରିବାରୁ ତୁଚ୍ଛା ବଞ୍ଚିରହିବାର ସମସ୍ୟା ବାହାରକୁ ସେ ଗୋଡ଼ ବଢ଼େଇପାରିଲା । ସେ ଭାବିଲା-‘‘ଆମ ବାପ-ଗୋସାପ, ତାଙ୍କ ବାପ-ଗୋସାପ, ଏମିତି ତା’ ପଛକୁ ତା’ପଛ କେତେ ଯାଏ ଲାଗିଥିବେ ? ଆମ ପୁଅ, ତା’ ପୁଅ ଏମିତି ପୁଣି କେତେ ଯାଏ ଲାଗିଥିବ ? ଗୋସାପ ମରିଗଲା; କୁଆଡ଼େ ଗଲା ? ମତେ ଚିମୁଟିଲେ କାଟୁଛି-। ସେମିତି ଏ ଗଛ କି ପଥରକୁ କାଟୁଛି; ସୁଖ ଲାଗୁଛି ନା ନାହିଁ ?

 

ସେ ଆକାଶର ତାରାମାନଙ୍କୁ ଚାହିଁ ବିସ୍ମିତ ହେଲା; ଭାବିଲା । ବସନ୍ତର ଫୁଲସମ୍ଭାରକୁ ଦେଖି ଆନନ୍ଦର ପୁଲକ ଅନୁଭବ କଲା । ଗଛରୁ ଖସିପଡ଼ିଥିବା ଚଢ଼େଇଛୁଆଟିକୁ ଦେଖି ତା’ର ପ୍ରାଣ ବିକଳ ହେଲା । ପାହାଡ଼ ସେପାରିର ଦୁଇଗୋଡ଼ିଆଙ୍କୁ ଦେଖି ତା’ ମନରେ ଭୟ, ଆତଙ୍କ ଉପୁଜିଲା । ପୁଣି ଏ ଚିନ୍ତା ବି ଝଟକିଗଲା ଯେ ସେ ଦୁଇଗୋଡ଼ିଆ ଜୀବଗୁଡ଼ାକ ତ ଆମରି ପରି । ତାଙ୍କ ସାଙ୍ଗରେ ସାଙ୍ଗସୁଖ କେମିତି ହୁଅନ୍ତେ ! ସେ ଅଥଳ ପାଣି ସେପାଖ ବଣରେ କ’ଣ ଅଛି ଦେଖନ୍ତେ । ଏହିପରି ଏ ଦେହଧାରୀ ଜୀବ ହିଁ ଦେହର ତାଗିଦରୁ ଉପରକୁ ଉଠି ତା’ର ଭାବନା, ବିସ୍ମୟ, କଳ୍ପନା, ଆନନ୍ଦ, ଦୁଃଖ, ଭୟ ଓ ଦ୍ୱେଷର ଡେଣା ମେଲି ଏକ ନୂଆ ଭାବଜଗତରେ ଉଡ଼ିଲାଗିଲା ।

 

ଏଇ ମଣିଷଦେହଧାରୀ ଜୀବ ହିଁ ତା’ ଦେହର ସବୁ ଅକ୍ଷମତାକୁ ଅତିକ୍ରମ କରିପାରିଛି । ତା’ର ଦେହରେ ଓଟ ପରି ମାସେ-ପକ୍ଷେକର ଖାଦ୍ୟ ଓ ଜଳ ସଞ୍ଚିରଖିବା ବନ୍ଦୋବସ୍ତ ନାହିଁ କି ଧଳାଭାଲୁ ପରି ବହଳିଆ ଲୋମ ନାହିଁ; କିନ୍ତୁ ସେ ମରୁଭୂମିର ରୌଦ୍ରଜ୍ୱାଳାରୁ ମେରୁ ପ୍ରଦେଶର ଅତଳ ଶୀତଳତାଯାଏ ସବୁପ୍ରକାରର ଜଳବାୟୁରେ ତିଷ୍ଠିରହିବାର ଉପାୟ କରିପାରିଛି । ତା’ର ଚଢ଼େଇ ପରି ଡ଼େଣା ନାହିଁ; କିନ୍ତୁ ସେ ଶବ୍ଦର ତରଙ୍ଗ ସହିତ ତାଳ ପକେଇ ଉଡ଼ିଯାଇପାରୁଛି । ସେ ଜିରାଫପରି ଲମ୍ବ ବେକ ବଢ଼େଇ ଉଚ୍ଚ ଗଛ ଅଗରୁ ପତ୍ର ଖୁଣ୍ଟିପାରେ ନାହିଁ; ବାଘପରି ଏକାଜାବୁଡ଼ାକେ ମଇଁଷିର ବେକଷଣ୍ଢା ଭାଙ୍ଗି ଦେଇପାରେ ନାହିଁ; ସିଂହ ପରି ମୋଟା ମୋଟା ହାଡ଼ ଚୋବେଇ ଗୁଣ୍ଡ କରିପାରେ ନାହିଁ କି ବାର୍‌ହା ପରି ଥୋମଣିରେ ମାଟି ତାଡ଼ିପାରେ ନାହିଁ । ତା’ ଆଖି ବିଲେଇପରି ଅନ୍ଧାରରେ ଦେଖିପାରେ ନାହିଁ କି ତା’ର ନାକ କୁକୁରପରି ସୂକ୍ଷ୍ମ ଗନ୍ଧ ବାରିପାରେ ନାହିଁ । ଅନ୍ୟ ଜୀବନମାନଙ୍କର ଅଙ୍ଗ-ପ୍ରତ୍ୟଙ୍ଗ ଖାସ୍‌ ଖାସ୍‌ କାମ ପାଇଁ ଗଢ଼ିହେଇଯାଇଛି; ମଣିଷର ସେପରି ନୁହେଁ । ମାତ୍ର ତା’ର ହାତ ଓ ମୁଣ୍ଡର କୁଶଳତାଦ୍ୱାରା ସେ ନାନା ଯନ୍ତ୍ର ଓ ଉପକରଣ ତିଆରି କରି ତା’ର ଶରୀରର ଅକ୍ଷମତାକୁ ଅତିକ୍ରମ କରିଛି ଓ ହଜାରେ ପ୍ରକାରେ ଆଗେଇଯାଇଛି । ଏ ବି ଗୋଟାଏ ପ୍ରକାରେ ଦେହର ବନ୍ଧନରୁ ମୁକ୍ତି ନୁହେଁ ତ ଆଉ କ’ଣ-?

 

ଏଇ ଦେହଧାରୀ ଜୀବ ହିଁ ନାନାବାୟା ଗୀତରୁ ମହାଭାରତର ଯାଏ କାବ୍ୟକବିତା ରଚନା କରିଛି । ପଥର କୁରାଢ଼ିରୁ ମହାକାଶଯାନ ଯାଏ ଗଢ଼ିପାରିଛି । ଗୁଣିଗାରେଡ଼ିରୁ ଆପେକ୍ଷିକତାବାଦ ଯାଏ, କାଠ-କଣ୍ଢେଇରୁ କୋଣାର୍କ ଦେଉଳ ଯାଏ ବିଶାକାଠିରୁ କମ୍ପୁଟର ଯାଏ କେତେ କେତେ କଥା କଳ୍ପନା କରିପାରିଛି; ସୃଷ୍ଟି କରିପାରିଛି । ସ୍ନେହ-ପ୍ରେମ, ବିସ୍ମୟ, ଜିଜ୍ଞାସା, ଆନନ୍ଦ, ବେଦନାର ଭାବଲୋକର ଗଭୀରତାର ଅନୁଭୂତି ଏହି ଦେହଧାରୀ ଜୀବ ହିଁ ଆବିଷ୍କାର କରିଛି, ଯାହାର ଚେତନାର ଉତ୍କର୍ଷ ଗଢ଼ିଉଠିଛି କୋଟି କୋଟି ବର୍ଷ ଧରି ଦେହର ବିବର୍ତ୍ତନ ଓ ବିକାଶର ସାଥିରେ । ତେବେ ଏ ମଣିଷଜନ୍ମକୁ ଏତେ ହେୟ କାହିଁକି ମନେକରାଯିବ ଯେ ଏ ମଣିଷର ଜନ୍ମ-ମରଣର ଲୀଳାରୁ ମୁକ୍ତି ହିଁ ଚରମ କାମ୍ୟ ହେବ ?

 

ହୁଏତ ମଣିଷଜୀବନର ଦୁଃଖ-ଦୁର୍ଦ୍ଦଶାର ଥଳକୂଳ ନ ପାଇଁ କିଏ ଭାବିଛନ୍ତି ଯେ ଏ ଜୀବନର ଧାରା ଥିବାଯାକେ ଏ ଅସହ୍ୟ ଦୁଃଖ-ଦୁର୍ଦ୍ଦଶା ରହିଥିବ । ଏଥିରୁ ରକ୍ଷାପାଇବାର ଏକମାତ୍ର ବାଟ, ଏ ଜନ୍ମ-ମରଣର ବନ୍ଧନକୁ କାଟି ବାହାରିଯିବ । ଏଇ ବିଚାରରେ ଥୋକେ ସମାଜର ବନ୍ଧନ ଓ ଦାୟତ୍ୱକୁ ବି କାଟି ବାହାରିଗଲେ । ଏମାନଙ୍କୁ ଖାଦ୍ୟପେୟ ଯୋଗେଇବା ଭାର ବାକି ଲୋକଙ୍କ ଉପରେ ପଡ଼ିଲା । ମାତ୍ର ସେମାନଙ୍କର ସଂସାର-କଷଣ ବିଷୟରେ କୌଣସି ଦାୟିତ୍ୱ ଏ ମୋକ୍ଷପନ୍ଥୀମାନଙ୍କର ରହିଲା ନାହିଁ ।

 

କିନ୍ତୁ ଆଉ ଥୋକେ ଏ ମଣିଷଜନ୍ମର ସୁଖ-ଦୁଃଖ, ହସ-କାନ୍ଦ, ଆନନ୍ଦ-ବେଦନା ଭିତରେ ହିଁ ଜୀବନର ଅର୍ଥ ଖୋଜିଛନ୍ତି; ସାର୍ଥକତା ଖୋଜିଛନ୍ତି । ସେମାନେ ଏ ଦୁନିଆକୁ, ମଣିଷକୁ ଏତେ ଭଲପାଇଛନ୍ତି ଯେ, ଏ ଦୁନିଆ ପ୍ରତି ବିତୃଷ୍ଣା ସେମାନଙ୍କର ମନକୁ ଛୁଇଁନାହିଁ । ଏ ଦୁନିଆର ଦୁଃଖ-ଦୁର୍ଦ୍ଦଶା, ରୋଗଶୋକ, ସନ୍ତାପକୁ ଦୂର କରିବାର ସ୍ୱପ୍ନ ସେମାନେ ଦେଖିଛନ୍ତି । ସେଥିପାଇଁ ଋଷି ଗାଇଛନ୍ତି–

 

‘‘ନ ତ୍ୱହଂ କାମୟେ ରାଜ୍ୟଂ ନ ସ୍ୱର୍ଗଂନ ଅପୁନର୍ଭବମ୍‌

କାମୟେ ଦୁଃଖତପ୍ତାନାଂ ପ୍ରାଣୀନାଂ ଆର୍ତ୍ତିନାଶନମ୍‌ ।’’

 

ମୁଁ ରାଜ୍ୟ, ସ୍ୱର୍ଗ, ମୋକ୍ଷ କିଛି ଚାହେଁ ନାହିଁ; କେବଳ ଚାହେଁ ଦୁଃଖରେ ଦହଗଞ୍ଜ ହେଉଥିବା ପ୍ରାଣୀମାନଙ୍କର ଦୁଃଖ-ଦୁର୍ଦ୍ଦଶା କେମିତି ଲୋପ ପାଉ ।

 

ବୈଷ୍ଣବ କବି ତେଣୁ ଗାଇଛନ୍ତି–

 

‘‘ହରିନୋ ଜନ ତୋ ମୁକ୍ତି ନ ମାଗେ

ମାଗେ ଜନମ ଜନମ ଆବତାରରେ ।’’

 

ଯେ ହରିଙ୍କର ଜନ ସେ ମୁକ୍ତି ଚାହେଁ ନାହିଁ–ବାରମ୍ବାର ଜନ୍ମ ହେବାକୁ ଚାହେଁ । ସେହିପରି ରବୀନ୍ଦ୍ରନାଥ ଦୃପ୍ତକଣ୍ଠରେ ଘୋଷଣାକଲେ–

 

‘‘ବୈରାଗ୍ୟ ସାଧନେ ମୁକ୍ତି ସେ ଆମାର ନୟ ।

ଅସଂଖ୍ୟ ବନ୍ଧନ୍‌ ମାଝେ ମହାନନ୍ଦମୟ

ଲଭିବ ମୁକ୍ତିର ସ୍ୱାଦ....

 

+ + +

 

ଇନ୍ଦ୍ରିୟେର୍‌ ଦ୍ୱାର୍‌

ରୁଦ୍ଧ କରି ଯୋଗାସନ୍‌ ସେ ନହେ ଆମାର୍‌ ।

ଯା-କିଛୁ ଆନନ୍ଦ ଆଛେ ଦୃଶ୍ୟେ ଗନ୍ଧେ ଗାନେ

ତୋମାର୍‌ ଆନନ୍ଦ ରବେ ତାର୍‌ ମାଝ୍‌ଖାନେ ।’’

 

ଉପନିଷଦ୍‌ରେ ସେଥିପାଇଁ ଡ଼ାକିଲା–‘‘ଆନନ୍ଦାତ୍‌ ଏବ ଖଳୁ ଇମାନି ଭୂତାନି ଜାୟନ୍ତେ ।’’ –ଆନନ୍ଦରୁ ହିଁ ଏ ସମସ୍ତ ସୃଷ୍ଟିର ଜନ୍ମ ।

 

ମାତ୍ର ସମସ୍ୟା ହେଲା ଯେ ପ୍ରତ୍ୟେକ ମଣିଷ ଏ ଆନନ୍ଦର ଭୋଜିରେ ଭାଗୀ ହେବା ବାଟରେ ଅନେକ ବାଧା ରହିଛି । ଏକ ଦୁଃଖର ପାହାଡ଼ ମଣିଷର ଛାତି ଉପରେ ଚାପିବସିଛି ଓ ତା’କୁ ତା’ର ବିସ୍ମୟ, ଜଜ୍ଞାସା, ପ୍ରେମ ଓ ଆନନ୍ଦର ଡେଣା ମେଲି ଉଡ଼ିବାକୁ ଦେଉନାହିଁ ।

 

ବୁଲୀ କେଡ଼େ ଡଉଲ ଝିଅଟିଏ–ଦଶ ବାର ବର୍ଷର ଝିଅ । ସାଇପିଲାଙ୍କ ସାଙ୍ଗରେ ବଣ-ପଦାରେ ବୁଲେ । ପିଜୁଳିଗଛ, କୟାଁଗଛରେ ଚଢ଼ି ପିଜୁଳି କୟାଁ ପାରେ, ସାନଭାଇକୁ ଦିଏ; ନିଜେ ଚୋବାଏ । ପୋଖରୀରୁ କଇଁଫୁଲ ତୋଳିଆଣି ତା’ର ନାଡ଼ ସହିତେ ବେଣୀପାରି ଦୁଆରେ ଟାଙ୍ଗେ-। ଖରାବେଳେ ବାପାର ଗୋଡ଼ ଘଷିଦିଏ, ପିଠି ଆଉଁଷି ଦିଏ । ଆଇକୁ ସଞ୍ଜବେଳେ ଭାଗବତ ପଢ଼ି ଶୁଣାଏ । ହରଗୋଉରାରେ ନଖ ପଚାଏ, ଚାନ୍ଦ-ବାଛୁରୀକୁ କଣ୍ଢେଇ ଗେଲକରେ । ତା’ ସାଙ୍ଗ ଚେମୀ ସହିତ କଳି କରି ତିନିଦିନଯାକେ କଥା କହେ ନାହିଁ ।

 

ସେଇ ବୁଲୀ ଦୋଭେଇ ବରକୁ ଚଉଦ ବରଷରେ ବାହା ହେଇଗଲା । ଭଲ ଘର । ଦବା-ନବା ବେଶୀ ପଡ଼ିଲା ନାହିଁ । ଶାଶୁଘରେ ଯାଇ ବୁଲୀ ସବୁଦିନେ ଗଞ୍ଜଣା ଶୁଣିଲା–ଅଣ୍ଡିରାଚଣ୍ଡୀ, ସାଇବୁଲୀ, ଅଳସେଇ, ହେରେଷୀ । ଦିନରାତି ଯେତେ ଖଟିଲେ ବି ଶାଶୁ ବୁଢ଼ୀର ମନକୁ ପାଏ ନାହିଁ । ଖାଇବା ପିଇବାରେ ଠିକଣା ନ ଥାଏ । ବରଷ ନ ପୂରୁଣୁ ବୁଲୀ ଶୁଖି କଳାକାଠ ହେଇଗଲା; ତା’ର କଣ୍ଟା ଦୋହଲିଲା; ତା’ପରେ ପିଲା ଜନ୍ମ କରିବାକୁ ଯାଇ ସବୁ ଶେଷ-

 

ଗାଁ ଲୋକେ ତା’ ବାପକୁ ପ୍ରବୋଧ ଦେଲେ–ସଂସାରର ଏଇ ରୀତି । ତା’କୁ କାହାର ବଳ ! ଗୁରୁଗୋସେଇଁ ସେଇ କଥା ବୁଝେଇଲେ । କହିଲେ–ଏ ସଂସାରରୁ ମନ କାଢ଼ିନିଅ । ପଦ୍ମପତ୍ରରେ ଜଳପରି ସେଥିରେ ଅଲିପ୍ତ ହେଇ ରହ ।

 

ନାହିଁ–ଏ ଯେଉଁ ହସିଲା ଖେଳିଲା ପିଲାଟି ଆନନ୍ଦ ସାଉଁଟୁଥିଲା, ଆନନ୍ଦ ବାଣ୍ଟୁଥିଲା, ତା’କୁ ଯେଉଁ କଥା ନେଇ ମଶାଣିପଦାରେ ଶୁଆଇଲା, ତାହା ବିଧିର ବିଧାନ ନୁହେଁ, ସୃଷ୍ଟିର ନିୟମ ନୁହେଁ–ତାହା ଏଇ ମଣିଷଦ୍ୱାରା ତିଆରି ଫାନ୍ଦ । ମଣିଷର ଗଢ଼ା ଫାନ୍ଦରେ ଛନ୍ଦିହେଇ ମଣିଷ କଚାଡ଼ି ପଡ଼ୁଛି ଆନନ୍ଦଲୋକରୁ ଦୁଃଖଲୋକକୁ ।

 

ମଣିଷ ସିନା ବାହାର ପ୍ରକୃତିର ସବୁ ପ୍ରତିବନ୍ଧକକୁ ଜୟ କରିଛି, ନିଜର ଦେହର ଅକ୍ଷମତାକୁ ଅତିକ୍ରମ କରିଯାଇପାରିଛି; କିନ୍ତୁ ଏ ସଫଳତାର ଲାଭସବୁ ମଣିଷଙ୍କୁ ମିଳିନାହିଁ । ଏ କ୍ଷମତା ଅଳ୍ପ ଲୋକଙ୍କ ହାତରେ ରହି ଅଧିକ ଲୋକଙ୍କର ଦୁଃଖ-ଦୁର୍ଦ୍ଦଶାକୁ ବହୁଗୁଣିତ କରୁଛି; ନୂଆ ନୂଆ ଦୁଃଖ ଓ ଆତଙ୍କ ସୃଷ୍ଟି କରୁଛି ।

 

ଏବେ ଆରବ ମରୁଭୂମିରୁ ସାଇବିରିଆର ତୁଷାରପ୍ରାନ୍ତର ଯାଏ ସବୁଠିଁ ଖାଦ୍ୟ ଉତ୍ପାଦନ ହେଇପାରୁଛି । କେତେକ ଜଣାଶୁଣା ମହାମାରୀ ଓ ରୋଗକୁ ନିପାତ କରିବାର ଉପାୟ ବାହାରିଲାଣି । ଦୁନିଆର ପ୍ରତ୍ୟେକ କୋଣକୁ ଏବେ ମଣିଷର ଗତିବିଧି ଅବାରିତ, ଦ୍ରୁତ । ପୃଥିବୀର ଏ ମୁଣ୍ଡର ଖବର ମୁହୂର୍ତ୍ତକରେ ସେ ମୁଣ୍ଡରେ ପହଞ୍ଚୁଛି । ତଥାପି ପୃଥିବୀର ଦୁଇ ତିନିକ ଭାଗ ଲୋକ ଅର୍ଦ୍ଧାହାର, ଅନାହାରର ସୀମାରେଖାତଳେ ରହିଛନ୍ତି । ବାକି ଜୀବନର ଆଉସବୁ ସୁଖସୁବିଧା କଥା ତ ଛାଡ଼ । ସେଥିଯୋଗୁ ଏ ଯୁଗର ମୁକ୍ତିର ଦାବି ଉଠିଛି–ରାଜନୀତିକ ସ୍ୱାଧୀନତାର, ସାମ୍ରାଜ୍ୟବାଦ ବିଲୋପର, ଆର୍ଥିକ ସ୍ୱାଧୀନତାର, ସାମାଜିକ ନ୍ୟାୟ ଓ ମୁକ୍ତିର । ଯେପରି କି ସବୁ ମଣିଷ ପ୍ରଥମେ ସୁଖରେ, ଶାନ୍ତିରେ ମଣିଷଭଳି ବଞ୍ଚିପାରିବେ ଓ ତା’ପରେ ସଭ୍ୟତା ଓ ସଂସ୍କୃତିର, ‘‘ଯାହା କିଛି ଆନନ୍ଦ’’ର ସ୍ୱାଦ ଚାଖିପାରିବେ ।

 

(୩)

 

ଏଥିପାଇଁ କେତେ ଆନ୍ଦୋଳନ, ସ୍ୱାଧୀନତା-ସଂଗ୍ରାମ, ବିପ୍ଳବ ହେଲା । ସମସ୍ତଙ୍କୁ ରାଜନୀତିକ ସାଙ୍ଗକୁ ଆର୍ଥିକ ସ୍ୱାଧୀନତା ଦେବା ପାଇଁ ଶେଷକୁ ସାମ୍ୟବାଦର କଳ୍ପନା ଆସିଲା ଓ ତା’କୁ ରୂପ ଦେବାପାଇଁ ପ୍ରଚାରିତ ହେଲା ‘‘ସର୍ବହରାର ଏକଛତ୍ରବାଦ’’ର ଆବଶ୍ୟକତା । ସେପରି ରାଜ୍ୟ ସ୍ଥାପିତ ବି ହେଲା ଓ ସେଠି ସମସ୍ତଙ୍କୁ ଧନ୍ଦା ମିଳିଲା, ଶିକ୍ଷା ମିଳିଲା, ସ୍ୱାସ୍ଥ୍ୟର ଯତ୍ନ ନିଆହେଲା; ବୁଢ଼ା ବୟସରେ ପେନ୍‌ସନ୍‌ ମିଳିଲା । କେହି ବେକାର, ବୁଭୁକ୍ଷୁ, ଅପାଠୁଆ ରହିଲେ ନାହିଁ । ବାସ୍‌, ଏଇ ତ ଲୋଡ଼ା ! ଜୀବନର ଆନନ୍ଦ ଉପଭୋଗ କରିବାପାଇଁ ତ ଏଇ ବ୍ୟବସ୍ଥା ହିଁ ଲୋଡ଼ା ଥିଲା ! କିନ୍ତୁ ସେଠି ବି ଦେଖାଯାଉଛି ଅସନ୍ତୋଷ । ପାସ୍ତରନାକ୍‌ ଭଳି ଲେଖକଙ୍କର ଅସମ୍ମାନିତ, ଅବହେଳିତ, ବିଷାଦଗ୍ରସ୍ତ ଅବସ୍ଥାରେ ଜୀବନାବସାନ ଘଟୁଛି । କବି ମାୟାକଭସ୍କି ଆତ୍ମହତ୍ୟା କରିଛନ୍ତି । ବିଶ୍ୱବିଖ୍ୟାତ ଲେଖକ ସୋଲଝେନିତ୍‌ସିନ୍‌ଙ୍କୁ ଦେଶତ୍ୟାଗୀ ହେବାକୁ ହେଉଛି-। ସୋଭିଏତ୍‌ ପରମାଣୁଶକ୍ତିର ଜନ୍ମଦାତା ସାକାରଭ୍‍ଙ୍କୁ ପୁଲିସ ଅତ୍ୟାଚାରର ସମ୍ମୁଖୀନ ହେବାକୁ ହେଉଛି । ହଜାର ହଜାର ରାଜନୀତିକ ବନ୍ଦୀ ଜେଲରେ ସଢ଼ୁଛନ୍ତି ।

 

କାହିଁକି ? ଏମାନେ ସବୁ କୁଆଡ଼େ ରାଷ୍ଟ୍ରଦ୍ରୋହୀ ! ସୋଭିଏତ୍‌ ଦେଶର ସାଧାରଣ ନାଗରିକଙ୍କର ହିତ ବିରୋଧରେ କୁଆଡ଼େ ଏମାନେ କାମ କରୁଥିଲେ, କଥା କହୁଥିଲେ । କୁହାଯାଉଛି–ବାଇଶ କୋଟି ଲୋକଙ୍କର ସ୍ୱାର୍ଥ ବଡ଼, ନା ଏ କେତେ ହଜାର ଲୋକଙ୍କର ସ୍ୱାଧୀନତା ବଡ଼ ? ୟା’ଭିତରେ ଲକ୍ଷ୍ୟ ବଦଳିଯାଇଛି । ପ୍ରଥମେ ଥିଲା ଆର୍ଥିକ ସ୍ୱାଧୀନତା ଲକ୍ଷ୍ୟ । ରାଜନୀତିକ ସ୍ୱାଧୀନତା, ନାଗରିକ ସ୍ୱାଧୀନତାକୁ ପୂର୍ଣ୍ଣାଙ୍ଗ କରିବାପାଇଁ, ବାସ୍ତବତା ଦେବାପାଇଁ ଏହା ଲୋଡ଼ା ଥିଲା । ସ୍ୱାଧୀନଭାବରେ ଚିନ୍ତା କରିବାର, ବକ୍ତୃତା ଦେବାର, ଖବରକାଗଜରେ ଲେଖିବାର ଅଧିକାର ତ କାନକୁ ଶୁଣିବାକୁ ଖୁବ୍‌ ମଧୁର; ମାତ୍ର ଯେଉଁ ଲୋକ ବେକାର ବସିଛି, ସାତ ଦିନ ହେଲା ଉପାସ ପଡ଼ିଛି, ସେ ଏ ଅଧିକାରକୁ ନେଇ କ’ଣ ଚାଟିଖାଇବ ? ତା’ର ବଞ୍ଚିରହିବାର ଅଧିକାର ତ ଲୁପ୍ତ ହେବା ଉପରେ । ତେଣୁ ସବୁ ସ୍ୱାଧୀନତାର ମୂଳହେଲା ଆର୍ଥିକ ସ୍ୱାଧୀନତା । ବିଲ୍‌କୁଲ ଠିକ୍‌ କଥା । କିନ୍ତୁ ଏ ଆର୍ଥିକ ସ୍ୱାଧୀନତା ଏବେ ବଦଳି, ହେଇଗଲାଣି ଆର୍ଥିକ ସୁରକ୍ଷା । ତମେ ଖାଇବା, ପିନ୍ଧିବା, ପାଠ, ଚିକିତ୍ସା, ଘର, ଛୁଟି, ସବୁ ସୁବିଧା ପାଇଲ; ପୁଣି ଆଉ କ’ଣ ? ଆନନ୍ଦପାଇଁ ତ ଏତକ ଯଥେଷ୍ଟ !

 

ଜେଲଖାନାରେ ବି କଇଦିମାନଙ୍କୁ ସବୁ ସୁବିଧା ମିଳେ । କିନ୍ତୁ ଲୋକେ ଜେଲରେ ରହିବାକୁ ସୁଖ ପାଆନ୍ତି ନାହିଁ କାହିକି ? ଅବଶ୍ୟ ଗୋଟାଏ ଦେଶଟା ଯାକ ଜେଲ ହେଇଗଲେ ଲୋକେ ହଠାତ୍‌ ଜାଣିପାରନ୍ତି ନାହିଁ । ତାଙ୍କୁ ବାଧେ ନାହିଁ । କିନ୍ତୁ ଅଧିକ ସ୍ପର୍ଶଗ୍ରାହୀ ବ୍ୟକ୍ତି ତାହା ଅନୁଭବ କରିପାରନ୍ତି । ସେଭଳି ସମାଜରେ ଭୟର ରାଜତ୍ୱ ଚାଲିଥାଏ; ସତ୍ୟର କଣ୍ଠରୋଧ କରାହେଇଥାଏ ବୋଲି ସେମାନେ ଅନୁଭବ କରିଥାନ୍ତି । ଅଭୟ ଓ ସତ୍ୟର ଅଭାବରେ ସେମାନେ ଆନନ୍ଦ ପାଇପାରନ୍ତି ନାହିଁ । ଯେମିତି ଦେଖାଯାଉଛି, ଅଭୟ ଓ ସତ୍ୟ ମଧ୍ୟ ଆନନ୍ଦ ପାଇଁ ଆବଶ୍ୟକ ପ୍ରାଥମିକ ସର୍ତ୍ତ । ଏ ଦୁଇଟି ନ ଥିଲେ ଆନନ୍ଦ ରହିପାରିବ ନାହିଁ ।

 

ବଟ୍ରାଣ୍ଡ ରସେଲ୍‌ ତାଙ୍କର ଗୋଟାଏ ବହିରେ ପ୍ରଶ୍ନ ଉଠେଇଛନ୍ତି–କୌଣସି ସମାଜରେ ଯଦି ଶାରୀରିକ ସୁଖ-ସ୍ୱାଚ୍ଛନ୍ଦ୍ୟର ସବୁ ସୁବିଧା ଥାଏ, ସବୁପ୍ରକାରର ଅବସରର-ବିନୋଦନର ସୁବିଧା ଥାଏ କିନ୍ତୁ କୌଣସି ଜିଜ୍ଞାସା ନ ଥାଏ, ଜ୍ଞାନ-ବିଜ୍ଞାନ, ଦର୍ଶନ ଆଦି ବିଷୟରେ କାହାରି କୌଣସି କୌତୂହଳ ନ ଥାଏ, ସେ ତେବେ ତାହାକୁ ଏକ ସନ୍ତୋଷଜନକ ସମାନ ବୋଲି କୁହାଯିବ କି ନାହିଁ ? ସେ ନିଜେ ତା’ର ଜବାବ ଦେଇଛନ୍ତି ଯେ, ସେ ନିଜେ ସେଭଳି ସମାଜରେ ସନ୍ତୋଷ ଅନୁଭବ କରିବେ ନାହିଁ ।

 

ରସେଲ୍‌ଙ୍କର ଏ ପ୍ରଶ୍ନ ଏକ ବିଶୁଦ୍ଧ ତାର୍କିକ ପ୍ରଶ୍ନ; କାରଣ ପ୍ରକୃତରେ ଦେଖିବାକୁ ଗଲେ ମଣିଷ ଯେତିକି ସୁଖ-ସୁବିଧା ଭୋଗକରୁଛି, ତାହା ପଛରେ କେତେ ନା କେତେ ଜିଜ୍ଞାସା ରହିଛି, ତ୍ୟାଗ ରହିଛି ଓ ଭୟ ସାଙ୍ଗରେ ଲଢ଼େଇ ରହିଛି । ଆଜି ଆମେ କୋଡ଼ିଏକ ଶତାବ୍ଦୀରେ ଥାଇ ବହୁତ ଗୁଡ଼ାଏ ସଜଡ଼ା-ଥୁଆ ସୁବିଧା ପାଇଯାଇଛୁ ବୋଲି ଆମର ଧାରଣା ହେଉଛି ଯେ ଏସବୁ ବଳେ ମିଳିବା କଥା । ଖାଦ୍ୟ, ବସ୍ତ୍ର ଆଦି ପ୍ରାୟ ସବୁ ଆର୍ଥିକ ଅଭାବ ପୂରଣ କରିବାର ଉପାୟ ଜଣାହେଇଯାଇଥିବାରୁ ଆମେ ଭାବୁଛୁ ଯେ ‘ଭଲଲୋକ’ଙ୍କ ହାତକୁ ଶାସନକ୍ଷମତା ଆସିଲେ ସବୁ ସମସ୍ୟାର ସମାଧାନ ହେଇଯିବ । ଅମଲାତନ୍ତ୍ରକୁ ହୁକୁମ ଦେଇଦେଲେ, ଟେଣ୍ଡର ମଗେଇ ଠିକାଦାରମାନଙ୍କୁ ଠିକା ଦେଇଦେଲେ ଯାହା ଦରକାର ସେମାନେ ସବୁ କରିଦେବେ ।

 

ମାତ୍ର ମାନବଇତିହାସରେ ଏକରକମ ଆଦ୍ୟ ଯୁଗରୁ ହିଁ ସମାଜ ଏପରି ରୂପ ଧରିଛି, ସେଥିରେ ଗୋଟାଏ ଶ୍ରେଣୀର ନ୍ୟସ୍ତସ୍ୱାର୍ଥ ଏପରି ପ୍ରବଳ ହେଇଛି ଯେ ସତ୍ୟର ଆଲୋକକୁ ସେ ଶ୍ରେଣୀ ଭୟ କରିଛି । ସେଥିପାଇଁ ତା’କୁ ଲିଭେଇଦେବାକୁ ଚେଷ୍ଟା କରିଛି । ଆଜି ଆମେ ବିଜ୍ଞାନର ଅବଦାନଗୁଡ଼ାକ ବଳେ ମିଳିବା କଥା ବୋଲି ଧରିନେଉଛୁ । ବିଜୁଳିଶକ୍ତି, ମୋଟରଗାଡ଼ି, ସଙ୍କର ଗହମ ଓ ମକା–ସେସବୁ ପଛରେ ଯେଉଁ ପଦାର୍ଥବିଜ୍ଞାନ, ଯେଉଁ ଜୀବବିଜ୍ଞାନର ସାଧନା ରହିଛି, ତା’ର ଅଧିକାର ପ୍ରତିଷ୍ଠା କରିବାକୁ କେତେ ବିରୋଧର ସାଧନା କରିବାକୁ ପଡ଼ିଛି–କେତେ ଲଢ଼ିବାକୁ ପଡ଼ିଛି, ତାହା ହୁଏତ ଆମ ଭିତରୁ ଅନେକଙ୍କୁ ଜଣା ହିଁ ନାହିଁ । ସୋକ୍ରେଟିସ୍‌ଙ୍କୁ ସ୍ୱାଧୀନ ଚିନ୍ତା କରିବାର, ପୁରୁଣା ବିଶ୍ୱାସକୁ ସମାଲୋଚନା କରିବାର ଅଧିକାରପାଇଁ ପ୍ରାଣଦଣ୍ଡ ଭୋଗିବାକୁ ପଡ଼ିଲା । ଗାଲିଲିଓ, ଜୋର୍ଦ୍ଦାନୋବ୍ରୁନୋ-ଏମାନଙ୍କର ଉତ୍ପୀଡ଼ନ ତ ପ୍ରସିଦ୍ଧ । ଅକ୍‌ସଫୋର୍ଡ, କେମ୍ବ୍ରିଜଭଳି ଖ୍ୟାତନାମା ବିଶ୍ୱବିଦ୍ୟାଳୟମାନଙ୍କରେ ଦୁଇ ଶହ ବର୍ଷ ତଳେ ବିଜ୍ଞାନ-ଚର୍ଚ୍ଚା ନିଷିଦ୍ଧ ଥିଲା । ପଦେ ପଦେ ପୂର୍ବଗ୍ରହ ଓ ଅନ୍ଧବିଶ୍ୱାସର ପ୍ରତିରୋଧ ସହିତ ଲଢ଼ି ସ୍ୱାଧୀନ ସତ୍ୟାନୁସନ୍ଧାନର, ସମାଲୋଚନାର ଅଧିକାର ପ୍ରତିଷ୍ଠିତ ହେଇଥିବାରୁ ଯାଇ ବିଜ୍ଞାନଚର୍ଚ୍ଚାର ଫୁଲ ଫଳ ଧରିଛି ଓ ତା’ର ବ୍ୟାବହାରିକ ପରିଣାମକୁ ଆମେ ଦୈନନ୍ଦିନ ଜୀବନରେ ବିନା ବାକ୍ୟବ୍ୟୟରେ ଉପଭୋଗ କରୁଛୁ । ବୈଷୟିକ ସୁବିଧା-ସୁଯୋଗ ଦୃଷ୍ଟିରୁ ସଚ୍ଛଳ ହେଇଗଲେ, ସମସ୍ତେ ବେଶ୍‌ ସୁସ୍ଥିରେ ଗଣ୍ଡାଏ ଖାଇବାକୁ ଖଣ୍ଡିଏ ପିନ୍ଧିବାକୁ ପାଇଲେ ହିଁ କୌଣସି ସମାଜ ଦୀର୍ଘ ଦିନଧରି ଶାନ୍ତିରେ, ଆରାମରେ ରହିପାରିନାହିଁ । ଦକ୍ଷିଣସାଗରର ତାହିତିରୁ ହାଓ୍ୱାଇ ଯାଏ ଥିବା ଦ୍ୱୀପମାନଙ୍କରେ ଲୋକେ ଖୁବ୍‌ ଅଳ୍ପ ପରିଶ୍ରମରେ ବେଶ୍‌ ଭଲରେ ଖାଇପିଇ ଚଳୁଥିଲେ । ଗୀତ ନାଚ, ପ୍ରେମ ସମ୍ଭୋଗରେ ସେମାନଙ୍କର ଜୀବନ ଆନନ୍ଦ-ବିଭୋର ଥିଲା ବୋଲି ବର୍ଣ୍ଣନା ମିଳେ । ମାତ୍ର ସେମାନେ ସେମିତି ତିଷ୍ଠିପାରିଲେ ନାହିଁ । ବାହାରୁ ବଣିକ ସଭ୍ୟତାର ଆକ୍ରମଣ ଆସିଲା । ତା’ ଫଳରେ ଯେଉଁ ସବୁ ସମସ୍ୟା ସେଠି ସୃଷ୍ଟି ହେଲା, ଯେଉଁ ଶୋଷଣ ଆରମ୍ଭ ହେଲା, ସମାଜ ଭିତରେ ଯେଉଁ ସବୁ ଦ୍ୱନ୍ଦ୍ୱ ଉପୁଜିଲା, ଯେଉଁ ସବୁ ରୋଗ ବ୍ୟାପିଲା, ସେ ସବୁର ମୁକାବିଲା କରିବାର ଶକ୍ତି ସେମାନଙ୍କର ଗତାନୁଗତିକ ସଂସ୍କୃତିରେ ନ ଥିଲା । ଏସବୁ ସମସ୍ୟା ବିଷୟରେ ସେମାନେ ପୂର୍ବରୁ କେବେ କଳ୍ପନା କରି ନ ଥିଲେ; ସେସବୁ ବିଷୟରେ ଚିନ୍ତା ଓ ପରଖ କରି ନ ଥିଲେ । ତେଣୁ ସେସବୁ ସାନ ସାନ ‘ସ୍ୱର୍ଗରାଜ୍ୟ’ ଟିମାନଙ୍କର ପୁରୁଣା ଭାର-ସାମ୍ୟ ଓଲଟପାଲଟ ହେଇଗଲା । ସେସବୁ ଲୋକଙ୍କ ଜୀବନ ଏବେ ଆମ ଭଳି ସମସ୍ୟାବହୁଳ ହେଇଗଲାଣି ।

 

ଆମେରିକା କଥା ଛାଡ଼ିଦିଆଯାଉ । ଆମେରିକା ଓ ତା’ର ପ୍ରଚ୍ଛନ୍ନ ନବସାମ୍ରାଜ୍ୟବାଦ କବଳରେ ପଡ଼ିଥିବା ଦେଶଗୁଡ଼ିକ ତ ଆଜିର ଦୁନିଆର ଯେତେକ ଉତ୍କଟ ସମସ୍ୟାର ଖଣି, ସାରା ପୃଥିବୀର ମୁଣ୍ଡବ୍ୟଥାର ପ୍ରଧାନ କାରଣରୂପେ ସୁପରିଚିତ । ସୋଭିଏତ୍‌ ସମାଜକୁ ନିଆଯାଉ । ସାଧାରଣ ମଣିଷ ଅନ୍ୟାନ୍ୟ ଦେଶରେ ଦୈନନ୍ଦିନ ଜୀବନର ଯେଉଁ ସବୁ ସମସ୍ୟା ନେଇ ଧନ୍ଦିହେଉଛନ୍ତି, ସୋଭିଏତ୍‌ ଦେଶରେ ସେ ସବୁ ନାହିଁ ବୋଲି ପ୍ରାୟ ସମସ୍ତେ ମାନୁଛନ୍ତି । ସେଠାକାର ଶାସକମାନେ ପ୍ରଜାଙ୍କୁ ସେଇକଥା ବୁଝଉଛନ୍ତି ଯେ ଖେଳକୁଦ କର, ନାଚତାମସା ଦେଖ, ସମୁଦ୍ରକୂଳରେ ଯାଇ ଛୁଟି ଉପଭୋଗ କର, ସ୍ପୁତ୍‌ନିକ, ଲୁନା, ସୋୟୁଜ ଆଦି ମହାକାଶଯାନ, ଚନ୍ଦ୍ରଯାନର କରାମତି ଦେଖି ଗୌରବ ଅନୁଭବ କର । କେତେ କଥା କରିବାର ରହିଛି । ସେସବୁ ଛାଡ଼ି ବାଜେ କଥାରେ ମୁଣ୍ଡ ଘୁରେଇବା କି ଦରକାର ? କୋଉ ଲେଖକକୁ ଦେଶରୁ ବାହାର କରିଦିଆହେଲା, କାହାକୁ ଜେଲଦିଆହେଲା, କିଏ ରସି ଲଗେଇ ମଲା, କୋଉ ବହି ବାଜ୍ୟାପ୍ତି ହେଲା, କୋଉ ଚିତ୍ର-ପ୍ରଦର୍ଶନୀରେ ଛବିସବୁ ପୁଲିସ ଚିରିଦେଲେ–ଏସବୁ କଥାର କି ଗୁରୁତ୍ୱ ଅଛି ?

 

ଏକସମୟରେ ୟୁରୋପରେ ଯେମିତି ପୋପ୍‍ଙ୍କର ‘ଫରମାନ୍‌’ ଚଳୁଥିଲା, ପୁରୀ ମୁକ୍ତିମଣ୍ଡପ ସଭାର ‘କାରିକା’ ଓଡ଼ିଶାରେ ଚଳୁଥିଲା, ସେଠି ଏବେ ସେମିତି କମ୍ୟୁନିଷ୍ଟ ପାର୍ଟିର ‘ଫତୁଆ’ ଚଳୁଛି । ଶାସ୍ତ୍ରରେ ଯାହା ଲେଖାହେଇଛି, ସେଇ ହେଲା ଧର୍ମ, ସେଇ ସାର ସତ୍ୟ । ସେଥିରୁ କେହି ଏପାଖ ସେପାଖ ବାହାରିଯାଇ ପାରିବେ ନାହିଁ । ଖ୍ରୀଷ୍ଟିୟାନ ଧର୍ମଶାସ୍ତ୍ରର ଅଦ୍ୱିତୀୟ ଏକମେବ ବ୍ୟାଖ୍ୟକାର ଥିଲେ ପୋପ୍‌ । ସନାତନ ଧର୍ମର ମୁକ୍ତିମଣ୍ଡପ ସଭା ଓ ସୋଭିଏତ୍‌ ଦେଶରେ ମାର୍କସ୍‌ଲେନିନ୍‌ବାଦର ସର୍ବଶେଷ ବ୍ୟାଖ୍ୟାକାର ‘ପାର୍ଟି’ ।

 

ପାର୍ଟି ଯେଉଁ ଗାର କାଟିଦେବ, ତାହା ବାହାରକୁ ଯାଇ କିଛି କହିବାର ଅଧିକାର କହାରି ନାହିଁ । ସେଥିପାଇଁ ସେଠି ବିଜ୍ଞାନକୁ ବହୁତ ଉଚ୍ଚ ସ୍ଥାନ ଦିଆଯାଇଥିଲେ ମଧ୍ୟ ସବୁ ବିଜ୍ଞାନର ଚର୍ଚ୍ଚା ଓ ଅଗ୍ରଗତି ସେଠି ହେଉନାହିଁ । ଅର୍ଥବିଦ୍ୟାବିଦ୍‌ ଜୋନ୍‌ ରବିନ୍‌ସନ୍‌ କହନ୍ତି ଯେ ସେଠି କେବଳ ପଦାର୍ଥବିଜ୍ଞାନ ଓ ଇଞ୍ଜିନିୟରିଙ୍ଗ୍‌ର ଯାହା କିଛି ବଡ଼ତି ହେଉଛି । କାରଣ ଶାସକମାନେ ଏ ଦୁଇଟି ବିଦ୍ୟାର ଗୁରୁତ୍ୱ ବୁଝୁଛନ୍ତି । ବାକି ସବୁ ବିଜ୍ଞାନର କ୍ଷେତ୍ରରେ ସେଠି ମରୁଡ଼ି ଉପୁଜିଛି । ସେସବୁର ଅଗ୍ରଗତିରେ ସୋଭିଏତ୍‌ ବୈଜ୍ଞାନିକଙ୍କର ଅବଦାନ ନଗଣ୍ୟ । ଅର୍ଥବିଦ୍ୟା, ସମାଜବିଜ୍ଞାନ, ରାଜନୀତିବିଜ୍ଞାନ, ମନୋବିଜ୍ଞାନ ଆଦି କ୍ଷେତ୍ରରେ ସେଠି ଗତ ପଚାଶ ବର୍ଷରେ କ୍ୱଚିତ୍‌ କୌଣସି ନୂଆ ଚିନ୍ତାର ଉଦ୍ଭବ ହେଇଛି । ସାହିତ୍ୟ, ଦର୍ଶନ, କଳାର ଅବସ୍ଥା ମଧ୍ୟ ତଥୈବଚ ।

 

ଆଜିକାଲି ବିଜ୍ଞାନର ନଗଦ ଲାଭ ହାତେ ହାତେ ମିଳୁଥିବାରୁ ତା’ର ବୋଲବାଲା ଖୁବ୍‌ ହେଉଛି । ସାହିତ୍ୟ ବୋଲନ୍ତେ କେବଳ ଅବସର–ବିନୋଦନ, ମନ ବହଲେଇବାର ସାମଗ୍ରୀ ବୋଲି ମନେକରାଯାଉଛି । ମାତ୍ର ବରାବର ସାହିତ୍ୟମାଧ୍ୟମରେ ହିଁ ମଣିଷର ବ୍ୟକ୍ତିଗତ ଓ ସାମାଜିକ ଜୀବନର ଆଗୁଆ ପ୍ରଶ୍ନସବୁ ସର୍ବପ୍ରଥମ ପ୍ରକାଶ ପାଇଛି । ସାହିତ୍ୟ ହିଁ ପ୍ରଥମେ ଲୋକଙ୍କର ବିବେକ ଓ ବୁଦ୍ଧିକୁ ଖୁଞ୍ଚେଇ ତା’କୁ ନୂଆ ଧାରାରେ ଭାବିବାପାଇଁ, ନିତିଦିନର ଦିହଘଷିଆ କଥାକୁ ନୂଆ ରୂପରେ ଦେଖିବାପାଇଁ ପ୍ରେରଣା ଦେଇଛି । ମହାଭାରତଠାରୁ ବୈଷ୍ଣବ ପାଣିଙ୍କ ପାଲା ଯାଏ, ‘ଟମକକାଙ୍କ କୁଟୀର’ରୁ ଗର୍କୀଙ୍କର ‘ମା’, ରୋଲାଁଙ୍କର ‘ଜ୍ୟା ତ୍ରିସ୍ତଫ୍‍’, ରବୀନ୍ଦ୍ରନାଥଙ୍କ ‘ଗୋରା’, ଶରତ୍‌ଚନ୍ଦ୍ରଙ୍କର ‘ପଥେର ଦାବି’, କାମୁଙ୍କର ‘ବିଦ୍ରୋହୀ’ ଓ ‘ପ୍ଳେଗ୍‌’ ଯାଏ....

 

ଏହି ଆଗୁଆ ନିରୀକ୍ଷକ, ଚିନ୍ତୁକ, ଚେତକଙ୍କ କଣ୍ଠରୋଧ କରାହେଲେ ସମାଜ ଅନ୍ଧଭାବରେ ସମସ୍ୟାଭିତରକୁ ଗଡ଼ିଚାଲେ ଓ ଦିନେ ହଠାତ୍‌ ତାହାଭିତରେ ଉବେଇ-ଟୁବେଇ ହୁଏ-। ସୋଭିଏତ୍‌ ସମାଜ ଭଳି ଏକଚ୍ଛତ୍ରବାଦୀ ସମାଜ ସବୁ ସେହିପରି ଗଡ଼ିଚାଲିଛନ୍ତି । ସେଠି ଏବେ ନୂଆ ଶ୍ରେଣୀ-ବ୍ୟବସ୍ଥା ଦାନା ବାନ୍ଧି ସୋଭିଏତ୍‌ ସମାଜକୁ ଗ୍ରାସ କରିବାକୁ ବସିଲାଣି । ସେଠା ଜନସାଧାରଣ ସେ ବିଷୟରେ ଅଜ୍ଞ, ଉଦାସୀନ । ସେଠା ଶିକ୍ଷା-ବ୍ୟବସ୍ଥା ପ୍ରଥମେ ସମସ୍ତଙ୍କ ପାଇଁ ଜ୍ଞାନର ଭୋଜିସଭାକୁ ଖୋଲା ନିମନ୍ତ୍ରଣ ନେଇ ଆସିଥିଲା । ଏବେ ଶିକ୍ଷାକୁ ସୀମାବଦ୍ଧ କରିବା ବ୍ୟବସ୍ଥା ହେଲାଣି । ପ୍ରତ୍ୟେକ ଶ୍ରେଣୀର ଲୋକ ନିଜ ନିଜ ଶ୍ରେଣୀର କାମଦାମ ତୁଲେଇବା ପାଇଁ ଯେତିକି ଲୋଡ଼ା, ସେତିକି ପଢ଼ିବେ । ବେଶୀ ଗୁଡ଼ାଏ ପଢ଼ି ଉପରଶ୍ରେଣୀକୁ ଉଠିବାର ସ୍ୱପ୍ନ ଦେଖିବେ ନାହିଁ କି ଅସନ୍ତୋଷର ଶିକାର ହେବେ ନାହିଁ । ଆମର ସନାତନୀ ସମାଜରେ ବି ଏଇ ପ୍ରକାର ଥିଲା । କେବଳ ସେ ଯୁଗରେ ଶୁଦ୍ରମାନେ ଆଦୌ ପାଠ ପଢ଼ିବା ଆବଶ୍ୟକ ହେଉ ନ ଥିଲା-। ଏବର ଶିଳ୍ପସମାଜରେ ଶୁଦ୍ରମାନଙ୍କୁ ଜଟିଳ ଯନ୍ତ୍ର ଚଳେଇବାପାଇଁ ପଡ଼ୁଛି ଓ ସେଥିପାଇଁ ଲେଖାପଢ଼ା ଥୋଡ଼ା ବହୁତ ନାହିଁକି ଅସନ୍ତୋଷର ଶିକାର ହେବେ ନାହିଁ । ଆମର ସନାତନୀ ସମାଜରେ ବି ଏଇ ପ୍ରକାର ଥିଲା । କେବଳ ସେ ଯୁଗରେ ଶୁଦ୍ରମାନେ ଆଦୌ ପାଠ ପଢ଼ିବା ଆବଶ୍ୟକ ହେଉ ନ ଥିଲା । ଏବର ଶିଳ୍ପସମାଜରେ ଶୂଦ୍ରମାନଙ୍କୁ ଜଟିଳ ଯନ୍ତ୍ର ଚଳେଇବାପାଇଁ ପଡ଼ୁଛି ଓ ସେଥିପାଇଁ ଲେଖାପଡ଼ା ଥୋଡ଼ା ବହୁତ ଶିଖିବା ଆବଶ୍ୟକ ହେଉଛି । ସେ ଦେଶ ଏବେ ପରମାଣୁ ଅସ୍ତ୍ରର କାଣ୍ଡି ଉପରେ ଛିଡ଼ାହୋଇଛି । ଆମେରିକା ସାଙ୍ଗରେ ଶୀତଳଯୁଦ୍ଧର ଅବସାନ ଘଟେଇ ଯୁଦ୍ଧର ଆଶଙ୍କାକୁ ପଛକୁ ହଟେଇବା ଚେଷ୍ଟା ଶାସକମାନେ କରୁଛନ୍ତି; ମାତ୍ର ଏ ବିଷୟରେ ଦେଶର ଅନ୍ୟ ସମସ୍ତଙ୍କର ମୁଣ୍ଡ ବନ୍ଦ, ମୁହଁ ବନ୍ଦ । ଏ ସମସ୍ୟାର ଆଦି-ଅନ୍ତ ଜାଣି ତା’ର ସମାଧାନପାଇଁ ହାତ ବଢ଼େଇବା, ଚେତାବନୀ ଶୁଣାଇବାର ଅଧିକାର କାହାରି ନାହିଁ ।

 

ସୋଭିଏତ୍‌ ଦେଶର ଶାସକ, ଲୋକେ, ନିଜ ଆଗରେ ଆଦର୍ଶ ରଖିଛନ୍ତି ଆମେରିକାର ଅପାର-ସମୃଦ୍ଧିକୁ । ସେଥିପାଇଁ ସେମାନଙ୍କୁ ଦେଶଦେଶାନ୍ତରରୁ କଞ୍ଚାମାଲ ସଂଗ୍ରହ କରିବାକୁ ହେଉଛି । ଫଳରେ ସୋଭିଏତ୍‌ର ନବ୍ୟ ସାମ୍ରାଜ୍ୟବାଦ ଦୁନିଆଯାକର ଶାଖା-ପ୍ରଶାଖା ମେଲି ରହିଛି-। ସେ ଦେଶର ନାଗରିକ ଏ ବିଷୟରେ ଅନ୍ଧାରରେ ରହିଛନ୍ତି, ଅର୍ଦ୍ଧସତ୍ୟ ଓ ମିଥ୍ୟା ବିବରଣୀ ଶୁଣୁଛନ୍ତି । ସେମାନେ ତ ନିଜ ଅଜାଣତରେ ଅନ୍ୟ ଦେଶର ଲୋକଙ୍କର ଦମନ ଓ ଶୋଷଣ ଦ୍ୱାରାଦୁଃଖଦୁର୍ଦ୍ଦଶାର କାରଣ ହେଉଛନ୍ତି । ଏସବୁର ପୁଞ୍ଜିଭୂତ ପରିଣାମ ଯେତେବେଳେ ଏକ ବିରାଟ ସଂଘର୍ଷ ଆକାରରେ ଫାଟିବ, ସେତେବେଳେ ସେମାନଙ୍କର ସବୁ ସୁଖ-ସୁବିଧା ସେଥିରେ ଭାସିଯିବାର ସମ୍ଭାବନା ରହିଛି ।

 

ଆମେରିକା, ସୋଭିଏତ୍‌ ସଂଘ ଓ ଅନ୍ୟ ଅଗ୍ରଗାମୀ ପାଶ୍ଚାତ୍ୟ ଦେଶମାନେ ଯେଉଁ ହାରରେ ପୃଥିବୀର କଞ୍ଚାମାଲ ଓ ଊର୍ଜାଭଣ୍ଡାର-ତେଲ, କୋଇଲା ଇତ୍ୟାଦି ବ୍ୟବହାର କରି ଚାଲିଛନ୍ତି, ସେପରି ଚାଲିଲେ ପୃଥିବୀର ଦୁଇ-ତିନିକ ଭାଗ ଗରିବ ଲୋକଙ୍କ ଅବସ୍ଥା କେବଳ ଯେଉଁଠି ଅଛି, ସେଇଠି ରହିଯିବ ନାହିଁ, ଆହୁରି ତଳକୁ ତଳକୁ ଯିବ । ସେଥିପାଇଁ ଚଳଣିର ସ୍ତରର ଗୋଟାଏ ସୀମା ବାନ୍ଧିବାର ଆବଶ୍ୟକତା ଉପରେ ଚିନ୍ତାଶୀଳ ଲୋକେ ଜୋର ଦେବା ଆରମ୍ଭ କଲେଣି । ଆଧୁନିକ ଶିଳ୍ପପ୍ରଧାନ ସମାଜମାନଙ୍କରେ ବ୍ୟକ୍ତି ନିଜଠୁଁ ପର ହୋଇଯିବା, ଅପରାଧ ବୃଦ୍ଧି, ମାନସିକ ବିକୃତିର ବୃଦ୍ଧି ଆଦି ନାନା ସମସ୍ୟା ଦେଖାଦେଉଛି, ଯାହା ସମାଜକୁ ଛିନ୍ନଭିନ୍ନ କରିଦେଇପାରେ । ଯେଉଁ ସବୁ ଦେଶରେ ନାଗରିକ ସ୍ୱାଧୀନତା ଅଛି, ସେଠି ଚିନ୍ତାଶୀଳ ଲୋକେ ଏସବୁ ବିଷୟରେ ବିଚାର କରୁଛନ୍ତି, ବୈଜ୍ଞାନିକ ଗବେଷଣା ହେଉଛି, ଆଲୋଚନା, ପ୍ରଚାର, ଆନ୍ଦୋଳନ ହେଉଛି ଓ ତାହାର ପ୍ରଭାବ କିଛି କିଛି ପଡ଼ୁଛି । ମାତ୍ର ସୋଭିଏତ୍‌ ସଂଘ ପରି ଏକଚ୍ଛତ୍ରବାଦୀ ଦେଶମାନଙ୍କରେ ଏସବୁ ଓ ଏହିଭଳି ଅନ୍ୟାନ୍ୟ ବିଷୟରେ ପାର୍ଟି ତା’ର ‘ଲାଇନ’ ଠିକ୍‌ କଲେ ଯାଇ ଯାହା ହେବ ।

 

ସେମିତି ଯୁଦ୍ଧର ଗୋଟାଏ ବିକଳ୍ପ ଲୋଡ଼ା ବୋଲି କେବେଠୁଁ ବୁଝିବାସୁଝିବା ଲୋକେ ଅନୁଭବ କଲେଣି । ସେଥିପାଇଁ କେତେ ପ୍ରକାରର ଶାନ୍ତି-ଆନ୍ଦୋଳନ ଆରମ୍ଭ ହେଇଛି । ଥୋରା, ଟଲଷ୍ଟୟ ପ୍ରଭୃତି ସେ ବିଷୟରେ ଚିନ୍ତା କରିଛନ୍ତି ଓ ସେଥିରୁ ଗାନ୍ଧୀଜୀଙ୍କର ସତ୍ୟାଗ୍ରହ ବାହାରିଛି । ଅନ୍ୟମାନେ ବି; ଯଥା: ବର୍ଟାଣ୍ଡ ରସେଲ୍‌, ମାର୍ଟିନ୍‌ ଲୁଥର୍‌ କିଙ୍ଗ୍‌, ଏ. ଜେ. ମସ୍ତେ ପ୍ରଭୃତି ନାନା ପ୍ରୟୋଗ କରିଛନ୍ତି । ଏସବୁ ସାଧାରଣ ଲୋକଙ୍କର ବିବେକ ଜାଗ୍ରତ କରିବାରେ ବହୁତ ସାହାଯ୍ୟ କରିଛି । ମାତ୍ର ଏକଚ୍ଛତ୍ରବାଦୀ ଦେଶମାନଙ୍କରେ ଅଛି ସରକାରୀ ଶାନ୍ତି ଆନ୍ଦୋଳନ, ଯାହାର କାମ ହେଲା ସେସବୁ ଦେଶର ସରକାରଙ୍କର ନୀତି ଶାନ୍ତିବାଦୀ ବୋଲି ପ୍ରଚାର କରିବା, ନିଜ ସରକାରର ଯୁଦ୍ଧ-ଉଦ୍ୟମକୁ ‘ଶାନ୍ତିରକ୍ଷା’ ଓ ଅନ୍ୟ ଦେଶର ଯୁଦ୍ଧ-ଉଦ୍ୟମକୁ ‘ଯୁଦ୍ଧଖୋରୀ’ ବୋଲି ଜାହିର କରିବା-। ଲୋକଙ୍କର ମସ୍ତିଷ୍କରେ ତାଲା ବନ୍ଦ । ଏହା ଫଳରେ ଯେଉଁ ସବୁଠାରୁ ଉତ୍କଟ ଓ ଭୀଷଣ ସମସ୍ୟା ଆଜି ଦୁନିଆକୁ ଆତଙ୍କିତ କରୁଛି, ତା’ର ପ୍ରତିକାର ଉପାୟ ବିଷୟରେ ସେ ସମାଜ ସମ୍ପୂର୍ଣ୍ଣ ସ୍ପନ୍ଦନହୀନ ।

 

(୪)

 

ଆନନ୍ଦ ମଧ୍ୟ ଜ୍ଞାନ ପରି ଆବିଷ୍କାରର ବିଷୟ । ଶିଳ୍ପୀ, ସାହିତ୍ୟିକ, କବି ଆମକୁ ଆମର ନିତିଦିନର ଅନୁଭୂତିରୁ ଯେମିତି ଅଧିକ ଅର୍ଥ ଖୋଜିବାରେ ଓ ପାଇବାରେ ସାହାଯ୍ୟ କରନ୍ତି, ସେମିତି ଅଧିକ, ଗଭୀରତର ଆନନ୍ଦ ମଧ୍ୟ । କାଳିଦାସ, ଚଣ୍ଡୀଦାସ, ଶେଲୀ, ବାଇରନ୍‌, ହ୍ୱିଟ୍‌ମ୍ୟାନ୍‌, ରବୀନ୍ଦ୍ରନାଥ ଆମର ନିତିଦିନିଆ ଜୀବନରେ ସ୍ନେହ, ପ୍ରେମ, ବିରହ, ବେଦନାର ଅନୁଭୂତିକୁ ଗାଢ଼ତର କରିବାରେ ସାହାଯ୍ୟ କରିନାହାନ୍ତି ? ଗାଁଲୋକେ ରାତି-ଅନିଦ୍ରା ହେଇ ଉପେନ୍ଦ୍ର ଭଞ୍ଜ ଓ କବିସୂର୍ଯ୍ୟଙ୍କର ପଦ, ତା’ର ବ୍ୟାଖ୍ୟା ଯେ ଶୁଣନ୍ତି, ସେଥିରୁ କିଛି ପାଆନ୍ତି ବୋଲି ତ ? ମାଙ୍କଡ଼ନାଚ ଓ ହରିଗାହାଣଙ୍କ ପାଲା, ଉଭୟ ଦେଖିବାକୁ, ଶୁଣିବାକୁ ଭିଡ଼ ଜମେ; କିନ୍ତୁ ଦୁଇଟାଯାକର ସ୍ତର ବହୁତ ଭିନେ ।

 

‘‘ହଳ ଲେଉଟାଇ ଆଣୁଥାଏ ଭୋଇ

ମୁଣ୍ଡେ ଘାସଗୋଚ୍ଛା ହାତେ ପାଞ୍ଚଣ,

ବଳଦ ଅଡ଼ାଇ ଦିଏ କେବେ ଗାଇ

କିମ୍ପା ଛାଡ଼ିଗଲୁ ତୁ ଲଇକ୍ଷଣ ।’’

 

ଏଥିରେ ଯାହାର କଥା ଅଛି ସେ ହଳିଆପୁଅର ଅନୁଭୂତିକୁ ରାମାୟଣର କାହାଣୀ ଉଚ୍ଚତର ସ୍ତରକୁ ନେଉନାହିଁ କି ? ‘‘ଠୁମକି ଚଲତ ରାମଚନ୍ଦ୍ର ବାଜତ ପୈଝନିଆ....’’, ‘‘ଉଠିଲୁ ଏଡ଼େ ବେଗି କାହିଁକି ରେ, ଦଧି ମନ୍ଥାଇଦେବୁ ନାହିଁକି...’’ ଏ ସବୁ ଗୀତ ନିଜ ଅଗଣାର ଦୃଶ୍ୟ, ନିଜର ସନ୍ତାନର ନିତିଦିନିଆ ସ୍ପର୍ଶକୁ ନିବିଡ଼ତର କରିବାରେ ସାହାଯ୍ୟ କରେ ନାହିଁ କି ?

 

ଜ୍ଞାନ ଓ ଆନନ୍ଦ ପରସ୍ପର ପରିପୂରକ; ଅଙ୍ଗାଙ୍ଗୀଭାବେ ଜଡ଼ିତ । ବାଳକର ସ୍ୱଭାବ ବିଷୟରେ ଅନ୍ତର୍ଦୃଷ୍ଟି ଥିଲେ ଯାଇ କୃଷ୍ଣଙ୍କର ବାଳଲୀଳାର ରସ ଗ୍ରହଣ କରିହୁଏ ଓ ପୁଣି ଏ ବାଳଲୀକାର କାବ୍ୟିକ ବର୍ଣ୍ଣନା ଏଭଳି ଅନ୍ତର୍ଦୃଷ୍ଟିର ବିକାଶରେ ସାହାଯ୍ୟ କରେ । ଯେତେବେଳେ ମାଟିବଂଶ ଅବଧାନ ପିଲାର ଆଣ୍ଠୁତଳେ ଗୋଡ଼ି ଦେଇ ଆଣ୍ଠୁମାଡ଼ି ବସାଉଥିଲେ, ପିଠିରେ ତେନ୍ତୁଳିଛାଟ ଭାଙ୍ଗୁଥିଲେ; ପୁଅ ଝିଅ ବାପମୁହଁକୁ ଭରସି ଚାହିଁ ପାରୁ ନ ଥିଲେ, ସେ ଯୁଗରୁ ଏ ଯୁଗକୁ କେତେ ଫରକ୍‌ ହେଲାଣି ? ବାପାମା’, ପୁଅଝିଅ ସମସ୍ତଙ୍କର ପରସ୍ପର ସାନ୍ନିଧ୍ୟର ଆନନ୍ଦ ବଢ଼ିଛି ନା ନାହିଁ ? ଏହା ପଛରେ ଅଛି କେତେ ଶିକ୍ଷାବିଦ୍‌, ସମାଜସେବୀ, କେତେ ବୈଜ୍ଞାନିକଙ୍କର ସାଧନା, ଗବେଷଣା, ପରଖ ।

 

ମଣିଷର ସଂସ୍କୃତି ଓ ସଭ୍ୟତାରେ ଯାହା କିଛି ବିକାଶ, ଅଗ୍ରଗତି ହୋଇଛି, ତାହା ବ୍ୟକ୍ତିର ହିଁ ଉଦ୍‌ଭାବନୀଶକ୍ତି, ସୃଜନଶକ୍ତି, ପୁରୋଦୃଷ୍ଟି ମାଧ୍ୟମରେ । ପ୍ରଚଳିତ ସମାଜର ମୂଲ୍ୟବୋଧ ଓ ବିଶ୍ୱାସ, ତା’ର ନୈତିକତା ଓ ଆଚରଣବିଧିର ବାଡ଼କୁ ନ ମାନି ବେଳେବେଳେ ତା’ର ସକ୍ରିୟ ବିରୋଧର ସାମନା କରି ସେଭଳି ପ୍ରତ୍ୟେକ କବି, ଦାର୍ଶନିକ, ଶିଳ୍ପୀ, ବୈଜ୍ଞାନିକ ପ୍ରତ୍ୟେକଙ୍କୁ ଆଗେଇବାକୁ ହେଇଛି ଯେ ବିଶ୍ୱ-ସଂସ୍କୃତିକୁ କିଛି ସ୍ଥାୟୀ ଅବଦାନ ଦେଇଯାଇଛନ୍ତି ।

 

ସେହିପରି ମଣିଷ ସଂସ୍କୃତିର ଅବକ୍ଷୟ, ସମୂହର ଜୀବନ ଦୁଃଖଯାତନାର ଶିକାର କରିବାରେ ବି ବ୍ୟକ୍ତିର ଅବଦାନ ରହିଛି । ବ୍ୟକ୍ତିର ଏ ପ୍ରକାରର ସମୂହ-ବିରୋଧୀ ଆଚରଣକୁ ନିୟନ୍ତ୍ରିତ କରିବା ଏକ ସମସ୍ୟା; ଯାହାର ସାମନା ପ୍ରତ୍ୟେକ ସମାଜକୁ କରିବାକୁ ହେଉଛି । ମାତ୍ର ସମୂହର ହିତ ନାଁରେ ସେତେବେଳେ ବୁଝିବାକୁ ହୁଏ ଯେ ସେଭଳି କରୁଥିବା ରାଜ୍ୟ-ବ୍ୟବସ୍ଥା ମରଣୋନ୍ମୁଖୀ ।

 

ଏ ବିଷୟ ଏଠି ଏତେ ବିଶଦଭାବରେ ଆଲୋଚନା କରିବାର ଉଦ୍ଦେଶ୍ୟ ହେଲା ଯେ ଏବେ ଏ ଦେଶରେ ଏକଚ୍ଛତ୍ରବାଦର ବିଚାର ମୁଣ୍ଡ ଟେକିଛି । ଆର୍ଥିକ ବିକାଶ, ଦାରିଦ୍ର୍ୟ ନିବାରଣ ବନାମ ମାନବିକ ସ୍ୱାଧୀନତା–ଏଇ ପ୍ରକାରର ଯୁକ୍ତି ଛିଡ଼ାକରାଯାଉଛି । ମାନବିକ ସ୍ୱାଧୀନତାର ସମର୍ଥକମାନେ ମଧ୍ୟ ବେଳେବେଳେ କହିଦେଉଛନ୍ତି ଯେ ସେମାନେ ଅନ୍ୟ ଯେକୌଣସି ଲକ୍ଷ୍ୟପାଇଁ ମାନବିକ ସ୍ୱାଧୀନତାକୁ ବଳି ଦେଇ ନ ପାରନ୍ତି । ସେଥିପାଇଁ ଏ କଥା ସ୍ପଷ୍ଟଭାବରେ ହୃଦୟଙ୍ଗମ କରିବାର ଆବଶ୍ୟକତା ରହିଛି ଯେ ଆମ ଦେଶର ଯେ ସବୁଠାରୁ ବଡ଼ ସମସ୍ୟା–ଖାଇବା ପିଇବା ସମସ୍ୟା–ତାହା ମାନବିକ ସ୍ୱାଧୀନତା ସହିତ ଅଙ୍ଗଙ୍ଗୀଭାବେ ଜଡ଼ିତ । ସୋଭିଏତ୍‌ ଦେଶର କୃଷିବ୍ୟବସ୍ଥା ସାମୂହିକକରଣ କରିବାକୁ ଯାଇ କୋଡ଼ିଏ ଲକ୍ଷ ବାର ତତୋଽଧିକ ଗ୍ରାମବାସୀଙ୍କୁ ଦୁର୍ଭିକ୍ଷର ବଳିଦିଆଗଲା । ଏ କଥା ସୋଭିଏତ୍‌ ଦେଶବାସୀ କୋଡ଼ିଏ ବର୍ଷଯାଏ ଜାଣିଲେ ନାହିଁ । ଷ୍ଟାଲିନ୍‌ ମରିବାପରେ ଏ ସବୁ ବ୍ୟାପାର କ୍ରମେ ପ୍ରକାଶ ପାଇଲା । ଯେଉଁଠି ଲୋକଙ୍କର ପ୍ରକୃତ ଘଟଣା ଜାଣିବାର ଅଧିକାର ନାହିଁ, କର୍ତ୍ତୃପକ୍ଷ ଯେତିକି ଜଣେଇବେ ଲୋକେ ସେତିକି ଜାଣିବେ, ସେଠି ‘‘ସବୁ ଠିକ୍‌ ଚାଲିଛି, ସମସ୍ତେ ସୁଖରେ ଅଛନ୍ତି’’ ବୋଲି କୁହାଗଲେ ତା’ର ସତ୍ୟତାର କ’ଣ ଠିକଣା ଅଛି ? ଏହାର ଉଦାହରଣ ତ ଆମ ଦେଶରେ ଅହରହ ଦେଖୁଛୁ । ଚୀନର ନେତାମାନେ ସୋଭିଏତ୍‌ ଦେଶର ନେତାମାନଙ୍କ ଅପେକ୍ଷା ସାଧାରଣ ଜନତାର ହିତଦୃଷ୍ଟିରୁ ଅଧିକ ବ୍ୟାବହାରିକ ଓ ଯୁକ୍ତିଯୁକ୍ତ ନୀତି ଅନେକ କ୍ଷେତ୍ରରେ ଗ୍ରହଣ କରିଛନ୍ତି ବୋଲି ମୁଁ ବି ସେମାନଙ୍କର ତାରିଫ୍‌ କରେ । ମାତ୍ର ସେଠି ବି ଯେ ଅନାହାର ମୃତ୍ୟୁ, ଚରମ ଦାରିଦ୍ର୍ୟ ଏକାବେଳକେ ନାହିଁ, ତାହା କିଏ କହିପାରିବ ? ସେଠିକାର ବି ତ ସବୁ ତଥ୍ୟ ସରକାର ହିଁ ସରବରାହ କରିଥାନ୍ତି ।

 

ସେଥିପାଇଁ ସ୍ଥାଣୁ, ବଦ୍ଧ ସମାଜ, ଦମନମୂଳକ ସମାଜ କେବେ ମଣିଷକୁ ସନ୍ତୋଷ ଓ ଆନନ୍ଦ ଦେଇପାରେ ନାହିଁ; ସ୍ଥାୟୀ ହେଇପାରେ ନାହିଁ । ତେଣୁ ଏପରି ରାଜନୀତିକ, ଆର୍ଥିକ ଓ ସାମାଜିକ ବ୍ୟବସ୍ଥାର ଆବଶ୍ୟକତା ରହିଛି; ଯେଉଁଥିରେ ମଣିଷର ଦମନ, ଶୋଷଣ ଓ ଅବମାନନାର ଶିକାର ହେବ ନାହିଁ । ଏଭଳି ସମାଜ ଓ ସେଥିରେ ପହଞ୍ଚିବାର ବାଟ ଖୋଜାଚାଲିଛି-। ତା’ର ରୂପରେଖ କିପରି ହେବ ତା’ର ଆଲୋଚନା ଆମର ବର୍ତ୍ତମାନ ଆଲୋଚନାର ବିଷୟବସ୍ତୁ ନୁହେଁ; ମାତ୍ର ଏ ସମାଜର ଗୋଟିଏ ଲକ୍ଷଣ ଯେମିତି ନିର୍ଭୟତା ସେମିତି ଏହାକୁ ହାସଲ କରିବାପାଇଁ ମଧ୍ୟ ନିର୍ଭୟତା ଆବଶ୍ୟକ । ମୁକ୍ତିର ପ୍ରଥମ ପାଠ ହେଲା ଭୟମୁକ୍ତି ।

 

ଶାସନ ଆଡ଼ୁ ଲୋକଙ୍କୁ ଡରେଇବାର ମୁଖ୍ୟ ଉପାୟ ହେଲା ଦଣ୍ଡ-ଭୟ । ଏହାର ତିନି ପ୍ରକାର ରୂପ–ଶାରୀରିକ ଯାତନା, କରାଦଣ୍ଡ ଓ ମୃତ୍ୟୁଦଣ୍ଡ । ଏହା ସାଙ୍ଗକୁ ସମାଜରେ ଆଉ ଗୋଟାଏ ଦଣ୍ଡ ଅଛି: ସମାଜିକ ବାଚ୍ଛନ୍ଦ, ଯାହାର ଜୋର ଏବେ ହଟିଆସିଲାଣି । ଆର୍ଥିକ ଦୁଃଖ ଦେବାପାଇଁ ଜୋରିମାନା, ସମ୍ପତ୍ତି ବାଜ୍ୟାପ୍ତିର ପନ୍ଥା ମଧ୍ୟ ଅଛି । ଏସବୁ ତ ପ୍ରାଚୀନ କାଳରୁ ଚଳିଆସିଛି । ଏବେ କେନ୍ଦ୍ରୀଭୂତ ଅର୍ଥ-ବ୍ୟବସ୍ଥା ଗଢ଼ିଉଠିବାରୁ ଆର୍ଥିକ କଷ୍ଟ ଦେବାର ଆଉ ଏକ ଉପାୟ ବାହାରିଛି-ଜୀବିକା ଛଡ଼େଇନେବା । ଚାକିରିରୁ ବାହାର କରିଦେବା ତ ସାଧାରଣ କଥା । ବଟ୍ରାଣ୍ଡ ରସେଲ୍‌ ବର୍ଣ୍ଣନା କରିଛନ୍ତି ଯେ ପ୍ରଥମ ମହାଯୁଦ୍ଧବେଳେ ତାଙ୍କର ଯୁଦ୍ଧବିରୋଧୀ ମତ ଯୋଗୁଁ ତାଙ୍କୁ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ପଦରୁ ବାହାର କରିଦିଆଯାଇଥିଲା । ଆମେରିକାରେ ଦ୍ୱିତୀୟ ମହାଯୁଦ୍ଧ ପରେ ଚାରିଆଡ଼େ କମ୍ୟୁନିଷ୍ଟ-ଭୂତ ଛାଇ ଦେଖାଗଲା ଓ ସିନେଟର୍‌ ମ୍ୟାକ୍‌କାର୍ଥୀଙ୍କ ନେତୃତ୍ୱରେ ଏକ କମ୍ୟୁନିଷ୍ଟ ବିତାଡ଼ନ ଉଦ୍ୟମ ଅନେକ ଦିନଯାଏ ଚାଲିଲା । ଯେଉଁମାନଙ୍କର ମତାମତ ପ୍ରଗତିଶୀଳ, ଉଦାରପନ୍ଥୀ ବା ଅଣଗତାନୁଗତିକ ଥିଲା, ସେପରି ହଜାର ହଜାର ଅଧ୍ୟାପକ ଓ ସରକାରୀ କର୍ମଚାରୀ ଚାକିରିରୁ ତଡ଼ାଖାଇଲେ । ଲାଇବ୍ରେରୀମାନଙ୍କରୁ ଅସଂଖ୍ୟ ବହି ସନ୍ଦେହଜନକ ମତବାଦର ପରିପୋଷକ ମନେକରାଗଲା ଓ ସେସବୁ ପୋଡ଼ିଦିଆଗଲା ।

 

ଏ ସବୁ ଦେଶରେ ସ୍ୱାଧୀନ ଧନ୍ଦା କରି ବା ବେସରକାରୀ ସଂସ୍ଥାରେ ଚାକିରି କରି ପେଟପୋଷିବାର ଅନେକଟା ସୁବିଧା ଅଛି । ମାତ୍ର ଅର୍ଥ-ବ୍ୟବସ୍ଥାର କେନ୍ଦ୍ରୀକରଣ ବଢ଼ିବା ସାଙ୍ଗେ ସାଙ୍ଗେ ଏ ସୁବିଧା ସଙ୍କୁଚିତ ହୋଇଯାଉଛି । କମ୍ୟୁନିଷ୍ଟ ଦେଶମାନଙ୍କରେ ତ ସବୁ ଶିଳ୍ପ, ବ୍ୟବସାୟ, କୃଷି ସଂସ୍ଥା ସରକାରର ନିୟନ୍ତ୍ରଣରେ । ସେଥିପାଇଁ ସେଠି କେହି ସରକାର-ବିରୋଧୀ ମତ ପୋଷଣ କଲେ ଓ ଖୋଲାଖୋଲି ଜାହିର କରିବା ଚେଷ୍ଟା କଲେ, ତାକୁ କୌଣସି ଚାକିରି ମିଳିବା କାଠିକର ପାଠ ହେବ । ପାଶ୍ଚାତ୍ୟ ଗାଣତାନ୍ତ୍ରିକ ଦେଶମାନଙ୍କରେ ଏଭଳି ଘଟଣା ନେଇ କେହି ପାଟିତୁଣ୍ଡ କରିପାରିବେ, କୋର୍ଟ କଚିରିର ଆଶ୍ରୟ ନେଇପାରିବେ; ମାତ୍ର କମ୍ୟୁନିଷ୍ଟ ଦେଶରେ ତା’ର ସୁଯୋଗ ନଦାରଦ ।

 

ଆମ ଦେଶରେ ସ୍ୱାଧୀନତା ଆନ୍ଦୋଳନରେ ପ୍ରଥମେ ଓକିଲ ଓ ଡାକ୍ତରମାନେ ହିଁ ପଶିଥିଲେ । ସେମାନଙ୍କର ଧନ୍ଦା ଛଡ଼େଇନେବା କାହାରି ପକ୍ଷରେ ସହଜ ନ ଥିଲା । ପରେ ଚାଷୀମାନେ ବି ପଶିଲେ । ସେମାନଙ୍କର କୃଷିସରଞ୍ଜାମ ଓ ଜମି ବାଜ୍ୟାପ୍ତି କରି ସେମାନଙ୍କୁ ଜବତ କରିବା ଚେଷ୍ଟା ହେଲା ।

 

ଏଥିରୁ ଦେଖାଯିବ ଯେ ଆର୍ଥିକ ବ୍ୟବସ୍ଥା ବେଶୀ କେନ୍ଦ୍ରୀଭୂତ ନ ହେଲେ ଓ ସେସବୁକୁ ନିୟନ୍ତ୍ରଣ କରିବାର ସର୍ବୋଚ୍ଚ କ୍ଷମତା ଶାସନତନ୍ତ୍ର ହାତରେ ନ ରହିଲେ ଲୋକେ ଭୟରୁ ମୁକ୍ତ ହେବା ଓ ସ୍ୱାଧୀନତା ଉପଭୋଗ କରିବା ସହଜ ହୁଏ । ଏ ବାବଦରେ ଯେମିତି କ୍ଷମତାର ବିକେନ୍ଦ୍ରୀକରଣ, ସ୍ୱାଧୀନ ନ୍ୟାୟତନ୍ତ୍ର, ଅର୍ଥ-ବ୍ୟବସ୍ଥାର ଅତ୍ୟଧିକ କେନ୍ଦ୍ରୀକରଣ ପରିହାର ଆଦି ପ୍ରଣାଳୀଗତ ବ୍ୟବସ୍ଥା ଲୋଡ଼ା, ସେମିତି ଲୋକଙ୍କ ଭିତରେ ବି ନିର୍ଭୀକତାର ମନୋଭବ ଜରୁରୀ ।

 

ସାଧାରଣତଃ ଦେଖାଯାଏ ଯେ ଆର୍ଥିକ ଦୁଃଖର ଭୟରେ ମଧ୍ୟବିତ୍ତ, ଶିକ୍ଷିତ ଲୋକେ ବେଶୀ କାବୁ ହେଉପଡ଼ନ୍ତି । ଚାଷୀ, ମୂଲିଆ, କାରିଗର ଶ୍ରେଣୀର ସେତେ ଭୀତ ହୁଅନ୍ତି ନାହିଁ । ସେମାନଙ୍କର ଜୀବନର ଆବଶ୍ୟକତା କମ୍‌; ନିଜ ବାହୁବଳରେ ବିଶ୍ୱାସ ଥାଏ । ଶିକ୍ଷିତ ଲୋକଙ୍କର ଚାଳିଚଳଣର ସ୍ତରଟି ଉଚ୍ଚ ହେଇଯାଇଥାଏ; ଅଭ୍ୟାସ ମଧ୍ୟ ନରମ ଜୀବନର ହେଇଯାଇଥାଏ, ଟିକିଏ ଖରା ବାଜିଲେ ତରଳିଯିବ, ବର୍ଷାପାଣିରେ ମିଳେଇଯିବ, ଏମିତି ଭାବ । ଆମ ପାଠ-ବ୍ୟବସ୍ଥା ହାତଗୋଡ଼ର ବ୍ୟବହାର ଶିଖାଏ ନାହିଁ ଓ ତା’ ସାଙ୍ଗରେ ସ୍ୱାସ୍ଥ୍ୟ ବିଷୟରେ ଆମେ ଅନେକଗୁଡ଼ିଏ ଛାଇତଳିଆ କୁସଂସ୍କାର ଶିଖୁ । ଏସବୁ ଫଳରେ ଶିକ୍ଷିତ ହେଲାକ୍ଷଣି ଆମ ଆତ୍ମ-ବିଶ୍ୱାସ ବହୁତ ଊଣା ହେଇଯାଏ; ଫଳରେ ଆମେ ଦେଖୁଛୁ ଯେ ଭାରତର ଶିକ୍ଷିତ ବୁଦ୍ଧିଜୀବୀଶ୍ରେଣୀ ମୋଟଉପରେ ଭୀରୁ । କ୍ଷମତାସୀନ ଦଳକୁ ପସନ୍ଦ ନ ହେବା ଭଳି ସାତ୍ୟ କଥା କହିବାର ସାହସ ଯେଉର୍ମାନଙ୍କର ଦେଶରେ ଅଛି, ସେମାନଙ୍କ ସଂଖ୍ୟା ଆଙ୍ଗୁଠି ଆଗରେ ଗଣିହେବ ।

 

ମାତ୍ର ସକ୍ଷମ ଶିକ୍ଷିତ ବ୍ୟକ୍ତିପକ୍ଷରେ ନିଜର ସ୍ୱାଧୀନ ମତାମତ ଯୋଗୁଁ ଏ ଦେଶରେ ଅନାହାରରେ ମରିବାର ସମ୍ଭାବନା ଏବେ ବି ଶତକଡ଼ା ଶହେରେ ପହଞ୍ଚି ନାହିଁ । ଶାସନକଳ ତ ବଳେ ସରକାର ହାତରେ । ବିଶ୍ୱବିଦ୍ୟାଳୟମାନଙ୍କୁ କାବୁ କରିବାର ଅନେକ ପ୍ରତ୍ୟକ୍ଷ ଓ ପରୋକ୍ଷ ଉପାୟ ସରକାର ହାତରେ ରହିଛି । ବଡ଼ ବଡ଼ ଶିଳ୍ପ ବାଣିଜ୍ୟ ସଂସ୍ଥାମାନଙ୍କ ଉପରେ ଚାପ ଦେବାର ଉପାୟ ରହିଛି । ତଥାପି ଚାଷ ଓ ସାନ ସାନ ଶିଳ୍ପ-ଧନ୍ଦା କ୍ଷେତ୍ରରେ ନିଜକୁ ବଞ୍ଚେଇ ରଖିବାର ବାଟ ଯେ ନାହିଁ, ତା’ ନୁହେଁ । ଏହାଛଡ଼ା ସାଧାରଣ ଜନତା, ବନ୍ଧୁବାନ୍ଧବ ଓ ଜ୍ଞାତିକୁଟୁମ୍ବଙ୍କର ସମର୍ଥନ ଓ ସହଯୋଗର ମୂଲ୍ୟ ମଧ୍ୟ ଊଣା ନୁହେଁ । ଭାରତର ହଜାର ହଜାର ସ୍ୱାଧୀନତା-ସଂଗ୍ରାମୀ ଏହିଭଳି ଭାବରେ ବର୍ଷ-ବର୍ଷଧରି ଦମନ ବିରୋଧରେ ତିଷ୍ଠି ରହିପାରିଥିଲେ ।

 

ଏଥିପାଇଁ ଜୀବନର ସ୍ତର ବିଷୟରେ ପ୍ରଚଳିତ ସଂସ୍କାରରୁ ମୁକ୍ତ ହେବା ମଧ୍ୟ ଆବଶ୍ୟକ-। ବୈଷମ୍ୟମୂଳକ ସମାଜରେ ଶିକ୍ଷିତ ବ୍ୟକ୍ତି ଅପେକ୍ଷାକୃତ ଉଚ୍ଚ ଶ୍ରେଣୀର ଥାଏ ଓ ଏହା ସାଙ୍ଗକୁ ନିଜର ଶ୍ରେଣୀ ଓ ପଦମର୍ଯ୍ୟାଦା ରକ୍ଷା କରିବା ପାଇଁ କେତେ ପ୍ରକାରର ଖର୍ଚ୍ଚ ଓ ଚାଳିଚଳଣ ଗ୍ରହଣ କରିବାକୁ ପଡ଼େ । ସ୍ୱାଧୀନତାପରେ ଓଡ଼ିଶାରେ ନୂଆ ଆଇ. ଏ. ଏସ ଅଫିସରମାନଙ୍କ ପାଇଁ ଏକ ତାଲିମ ବ୍ୟବସ୍ଥା ହେଇଥିଲା । ସେଥିରେ ଏ ଶିକ୍ଷା ଥିଲା ଯେ ସେମାନେ ରିକ୍‌ସାରେ ବସିବେ ନାହିଁ, ହାତରେ ସଉଦା ଧରି ବଜାରରେ ବାଟ ଚାଲିବେ ନାହିଁ ଇତ୍ୟାଦି । ଆମ ଦେଶରେ ଚାକରବାକର ଉପରେ ନିର୍ଭର କରିବା ଚଳଣି ପାଶ୍ଚାତ୍ୟ ଦେଶମାନଙ୍କ ଅପେକ୍ଷା ଅନେକ ବେଶୀ; ଏପରି କି ବମ୍ବେ ଅପେକ୍ଷା କଟକରେ ବେଶୀ । ଘରକାମ ହାତରେ କରିବାପାଇଁ ସମୟର ଯେ ଅଭାବ ଥାଏ, ତାହା ନୁହେଁ; ପଦମର୍ଯ୍ୟାଦାରେ ତାହା ବାଧେ । ଲୁଗାପଟା ବିଷୟରେ ମଧ୍ୟ ସେହି କଥା । ସବୁପ୍ରକାର ଖର୍ଚ୍ଚ-ବାର୍ଚ୍ଚରେ ଦେଖେଇହେବା ଓ ଅନ୍ୟଠୁଁ ଛୋଟ ଦେଖା ନ ଯିବାର ମନୋଭବ ମଧ୍ୟ ଥାଏ । ଏ ଦିଗରେ ସାମାଜିକ ଚାପ ମଧ୍ୟ ପ୍ରବଳଭାବରେ କାମ କରେ । ଏ ସାମାଜିକ ଅମର୍ଯ୍ୟାଦାର ଭୟ ଦଣ୍ଡଭୟଠାରୁ ମଧ୍ୟ ବେଶୀ ହେଇଥାଏ । ମୁଁ ଦେଖିଛି ଯେ ଜେଲଖାନାରେ ଥିବା ରାଜନୀତିକ ବନ୍ଦୀ ନିଜ ପରିବାରର ଖାଦ୍ୟବସ୍ତ୍ର ସମସ୍ୟାରେ ଯେତେ ଚିନ୍ତିତ ନ ହେଇଛନ୍ତି, ଅମୁକର ବାହାଘର କି ଶ୍ରାଦ୍ଧରେ ଭାର-ବେଭାର ପଠେଇ ପାରିବା ନ ପାରିବା ଚିନ୍ତାରେ ତା’ଠୁଁ ଅନେକ ବେଶୀ ।

 

ସରକାରୀ ଦମନ ଯେଉଁ ଦେଶରେ ଓ କ୍ଷେତ୍ରରେ ନ ଥାଏ, ସେଠି ମଧ୍ୟ ଏସବୁ ଚାଳିଚଳଣ ଓ ସାମାଜିକ ରୀତିନୀତିର ବୋଝ ବ୍ୟକ୍ତିକୁ ଚାପିଦିଏ । ନିଜର ସୃଜନଶୀଳତା ଓ ବ୍ୟକ୍ତିତ୍ୱର ଅଭିବ୍ୟକ୍ତି ଅପେକ୍ଷା ସାମାଜିକ ପ୍ରତିଷ୍ଠା ଓ ପଦମର୍ଯ୍ୟାଦାର ପ୍ରଶ୍ନ ବେଶୀ ଘାରେ । ଫଳରେ ନିଜର ଅନ୍ତରର ପ୍ରେରଣାକୁ ଦାବି ଦେଇ ଗତାନୁଗତିକ ସୁଅରେ ଭାସି ଗତାନୁଗତିକ ମତାମତ ଜାହିର କରିବାରେ ହିଁ ମଣିଷ ସୁରକ୍ଷା ଓ ସୁଖ ଦେଖେ । ପ୍ରକୃତପକ୍ଷେ ଏହିଭଳି ସାମାଜିକ ସଂସ୍କାରର ବନ୍ଧନ ଠେଙ୍ଗା, ବନ୍ଧୁକ, ଜେଲଖାନା ଓ ଫାଶିଖୁଣ୍ଟ ଅପେକ୍ଷା ମଣିଷକୁ ବେଶୀ ବାନ୍ଧିରଖିଛି । ଠେଙ୍ଗା, ବନ୍ଧୁକ ପ୍ରଭୃତି ତ ଅତି ଚରମ ପରିସ୍ଥିତିରେ ବାହାରେ ଓ ଆଜିକାଲି ଲୋକଙ୍କୁ ଦବେଇରଖିବାପାଇଁ ସେ ସବୁର ବ୍ୟବହାର ସୀମାବଦ୍ଧ ହେଇଗଲାଣି । ଚୀନରେ ଗତ ଦଶ ବର୍ଷ ଭିତରେ ଯେଉଁସବୁ (ଶୋଧନ’ କାର୍ଯ୍ୟକ୍ରମ ଚାଲିଲା, ରାଜନୀତିକ ଭିନ୍ନମତାବଲମ୍ୱୀମାନଙ୍କୁ ଦବେଇଦିଆହେଲା, ସେଥିରେ ହାଣକାଟ ବହୁତ କମ୍‌ ହେଇଛି ହେଇନାହିଁ କହିଲେ ଚଳେ । ସୋଭିଏତ୍‌ ଦେଶରେ ତ ୧୯୩୦ ଦଶକରେ ଷ୍ଟାଲିନ୍‌ଙ୍କ ମନକୁ ନ ପାଇଥିବା ହଜାର ହଜାର ଲୋକଙ୍କୁ ହତ୍ୟା କରାଯାଇଥିଲା । ଏ ଦେଶରେ ତ ଗାନ୍ଧୀ-ଆନ୍ଦୋଳନ ଜେଲଖାନାର ଡରକୁ ଭାଙ୍ଗି ଦେଇଥିଲା; ମାତ୍ର ସାମାଜିକ ପ୍ରତିଷ୍ଠା ହରେଇବା ଭୟକୁ ତା’ଠୁଁ କମ୍‌ ଦୋହଲେଇପାରିଥିଲା । ଚଳନ୍ତି ସମାଜ ଏ ଯେଉଁ ଆମ ମନଭିତରେ ବସାବାନ୍ଧିଛି, ଆମରି ମନଭିତରେ ତା’ର ପୁଲିସ ପହରା ବସେଇଦେଇଛି ବସାବାନ୍ଧିଛି, ଆମରି ମନଭିତରେ ତା’ର ପୁଲିସ ପହରା ବସେଇଦେଇଛି, ସେଥିରୁ ମୁକ୍ତି ତ ମୁକ୍ତିର ସବୁଠଉଁ ବଡ଼ ସମସ୍ୟା । ପୁଣି କେବଳ ପୁଲିସ-ପହରା ନୁହେଁ, ଜଲବି ବି ଟାଙ୍ଗି ଦିଆଯାଇଛି–ଇସ୍କୁଲମାନଙ୍କର ’ଜଲବି-ଦୌଡ଼’ ପରି । ମୁକ୍ତିପଥରେ ଏ ବିରାଟ ସମସ୍ୟା ବିଷୟରେ ଆଲୋଚନା କରିବା ପୂର୍ବରୁ ଭୟର ଆଉ କେତେଟା ଦିଗ ବିଷୟରେ ଆଲୋଚନା ସାରିଦେବା ।

 

(୫)

 

ଜୋନ୍‌ ରବିନ୍‌ସନ୍‌ ‘ଫ୍ରିଡମ୍‌ ଏଣ୍ଡ ନେସେସିଟୀ’ରେ ଲେଖିଛନ୍ତି ଯେ କୌଣସି ସମାଜରେ କାପୁରୁଷତାକୁ ପସନ୍ଦ କରାଯାଉଥିବ, ଏହା ଭାବିବାକୁ ଆମର ମସ୍ତିଷ୍କ ପ୍ରସ୍ତୁତ ହୁଏ ନାହିଁ । ସେ ନିଶ୍ଚୟ ଭାରତ ବିଷୟରେ କମ୍‌ ଜାଣନ୍ତି । ଏରିକ ଏରିକସନ୍‌ ଦର୍ଶେଇଛନ୍ତି ଯେ ଯେଉଁ ସମାଜର ରୀତି-ନୀତି ଯେମିତି, ସେଠି ପିଲାକୁ ମଣିଷ କରିବାର ଢଙ୍ଗ ବି ସେହିପରି ହେଇଯାଏ । ଭାରତରେ ଏଇ ଗତ କେତେ ଶତାବ୍ଦୀ ହେଲା ଭୟ ହିଁ ଲୋକଙ୍କୁ ନିୟନ୍ତ୍ରଣରେ ରଖିବାର ପ୍ରଧାନ ସାଧନ ହେଇଆସିଛି । ସେହି ଅନୁସାରେ ଘରେ ଘରେ ମା’ମାନେ ପିଲାଙ୍କୁ ଡରର ତାଲିମ ଆରମ୍ଭ କରନ୍ତି । କକମିନା, ଦାଢ଼ିଆ ବାବାଜି, ପୁଲିସବାଲା, ବାଳଝାମ୍ପୁରୀ–ଏସବୁଙ୍କ ରାଜତ୍ୱ ତ ଘରେ ଘରେ । ଟିକିଏ ବଡ଼ ହେଲେ ଖରାରେ ବୁଲ ନା, ଗଛରେ ଚଢ଼୍‍ନା, ପୋଖରୀକୂଳକୁ ଯା’ନା, ଜୋରରେ ଦୌଡ଼ନା–ଏମିତି ଶହେ ପ୍ରକାରର ନିଷୋଧାଜ୍ଞା । ଏଥିରୁ ଯେଉଁ ମଣିଷ ବାହାରୁଛନ୍ତି ତାଙ୍କରି ପୂର୍ବପୁରୁଷ ବୋଇତରେ ବଢ଼ି ଜାଭା, ସୁମାତ୍ରା ଯାଏ ଖେଦିଯାଉଥିଲେ ବୋଲି କିଏ ବିଶ୍ୱାସ କରିବ-?

 

ଆମର ଏଠି ହିଂସା ଅହିଂସା ନେଇ ଯେତେବେଳେ ତର୍କ ହୁଏ, ସେଥିରେ ଯେଉଁମାନେ ହିଂସାର ସମର୍ଥନ କରନ୍ତି, ସେମାନେ ଯେ ନିଜେ ତାହା କରିବାକୁ ପ୍ରସ୍ତୁତ ବୋଲି ବିଚାର କରନ୍ତି, ତାହା ନୁହେଁ । ବଙ୍ଗଳା ଦେଶ ସ୍ୱାଧୀନତାର ସମର୍ଥନ କରି ଦିଲ୍ଲୀରେ ଯେଉଁ ଆନ୍ତର୍ରାଷ୍ଟ୍ରୀୟ ସମ୍ମିଳନୀ ଜେ.ପି.ଡକେଇଥିଲେ, ସେଥିରେ ଯୋଗଦେବାକୁ ଆସିଥିବା ବଙ୍ଗଳା ଦେଶର ଜଣେ ଅଧ୍ୟାପକଙ୍କ ସାଙ୍ଗରେ ପରିଚୟ ହେଇଥିଲା । ସେ କଥା-ପ୍ରସଙ୍ଗରେ ପଚାରିଲେ–ବଙ୍ଗଳା ଦେଶରେ ଯୁଦ୍ଧ କରିବାପାଇଁ ଗୁର୍ଖା ସୈନ୍ୟ ସଂଗ୍ରହ କରିହେବ କି ନାହିଁ ? ସେମାନେ ଖର୍ଚ୍ଚ ଦେବେ । ଗୁର୍ଖାମାନେ ଯାଇ ସେମାନଙ୍କ ପାଇଁ ଲଢ଼ି ୟାହ୍ୟା ଖାଁର ସୈନ୍ୟମାନଙ୍କୁ ତଡ଼ିବେ । ଏ ମନୋଭାବ ତାଙ୍କର କିଛି ବିଚିତ୍ର ବିଶେଷତ୍ୱ ନୁହେଁ । ଯୁଦ୍ଧ ବିଷୟରେ ଆମ ଦେଶରେ ମଧ୍ୟବିତ୍ତଶ୍ରେଣୀ ଓ ଉଚ୍ଚ ଜାତିମାନଙ୍କ ଭିତରେ ଏଇ ଧାରଣା । ଆମର ଜମିଦାରମାନଙ୍କର ‘ଯୁଦ୍ଧ’ ଚଳାଇବାପାଇଁ ଜାଗିରି ବା ଭତ୍ତାଖିଆ ପାଇକ, ପଠାଣ, ପାଣ, ପ୍ରଜା ଥିଲେ । ବଡ଼ଲୋକଙ୍କ ଘର ଜଗିବା ପାଇଁ ଦରମାଖିଆ ଦରଓ୍ୱାନ ଥାନ୍ତି । ସେମିତି ଦେଶରକ୍ଷା ପାଇଁ ବି ଦରମା ଦେଲେ ଲଢ଼େଇ କରିବାକୁ ବହୁତ ଗରୀବ-ଗୁରୁବା ବାହାରିବେ; ନେପାଳୀ, ପଞ୍ଜାବୀ ମିଳିବେ; ଆମେ କେବଳ ଖଜଣା, ଟିକସ, ଯୁଦ୍ଧଚାନ୍ଦା ଦେଇ ଦେଶପ୍ରେମର ଗୌରବ ଅର୍ଜିବୁ । ଦେଶରକ୍ଷାପାଇଁ ମୋ ପୁଅକୁ ଯୁଦ୍ଧକୁ ଯିବାକୁ ହେବ, ମତେ ନିଜେ ବନ୍ଧୁକ କାନ୍ଧେଇବାକୁ ହେବ–ଏ କଥା କେତେଜଣ ଭାବିଥାନ୍ତି ଏ ଦେଶରେ ? ୟୁରୋପ, ଆମେରିକାରେ ଯୁଦ୍ଧ ପ୍ରସ୍ତୁତି ଓ ଯୁଦ୍ଧ ବୋଲନ୍ତେ ଘର-ଘରୁ ଲୋକେ ବାହାରିବାକୁ ପଡ଼େ । ସେଠି ସେନା ବୋଲନ୍ତେ ନାଗରିକ ସେନା ।

 

ମୃତ୍ୟୁଭୟ ସବୁଠାରୁ ବଡ଼ ଭୟ ବୋଲି ମନେକରାଯାଏ । ମାତ୍ର ଏ ମୃତ୍ୟୁଭୟ ମଣିଷକୁ ଯେ କେବଳ ଅତି ଉଚ୍ଚକୋଟୀର ବୀରତ୍ୱ ଦେଖାଇବାରୁ, ଯୀଶୁ ବା ସକ୍ରେଟିସଙ୍କ ଭଳି ଶହୀଦ ହେବାରୁ ରୋକେ ତାହା ନୁହେଁ । ଜୀବନକୁ ପୂର୍ଣ୍ଣଭାବରେ ଉପଭୋଗ କରିବାରେ ମଧ୍ୟ ତାହା ବାଧାଦିଏ । ସେସବୁ ଦେଶରେ କୋଟି କୋଟି ଲୋକ ଛୁଟିରେ ପାହାଡ଼ ଚଢ଼ନ୍ତି; ବରଫ ଉପରେ ସ୍କିଂ ଓ ସ୍କେଟିଂ କରନ୍ତି; ସମୁଦ୍ରରେ ଡଙ୍ଗା ବାହାନ୍ତି; ଉଡ଼ାଜାହାଜରୁ ଆକାଶଛତା ଧରି ଡିଅଁନ୍ତି ଓ ଆହୁରି କେତେ କ’ଣ କରନ୍ତି । ଏଥିରେ ପ୍ରତିବର୍ଷ ଦୁର୍ଘଟଣାରେ ଶହ ଶହ ପ୍ରାଣ ହରାନ୍ତି ମଧ୍ୟ । କିନ୍ତୁ ତା’ ବୋଲି ଏସବୁ ବିପଜ୍ଜନକ ଖେଳ ପ୍ରତି ଆଗ୍ରହ ଊଣା ହେଉନାହିଁ । ଏପରି ବେପରଓ୍ୱା ଭାବରେ ବଞ୍ଚିବାରେ ଜୀବନର ଗୋଟାଏ ତୀବ୍ରତର ସ୍ୱାଦ ମିଳେ ।

 

ଶାରୀରିକ ସାହସ ଥିଲେ ନୈତିକ ସାହସ ମଧ୍ୟ ଅବଶ୍ୟ ଥିବ, ଏମିତି କିଛି କଥା ନାହିଁ; ମାତ୍ର ଶାରୀରିକ ସାହସ ଆବଶ୍ୟ ବ୍ୟକ୍ତିର ସାହସିକତାର ସାଧାରଣ ସ୍ତରର ଏକ ଲକ୍ଷଣ । ‘‘ଛାଇ ପଡ଼ିଲେ ନାହିଁ ଡେଇଁବା’’ ଅବସ୍ଥା ଏକ ଅସ୍ୱାଭାବିକ ମାନସିକ ସ୍ଥିତି, ଯାହା ଆମ ଦେଶର ଲୋକଙ୍କ ଭିତରେ ଭର୍ତ୍ତି କରାହେଇଛି ଓ ତାକୁ ହିଁ ଅନେକ ସମୟରେ ଆମେ ସ୍ୱାଭାବିକ ବୋଲି ଧରିନେଉଛୁ-

 

ଭୟ ମଣିଷର ଦେହ-ମନର ତନ୍ତ୍ରର ଖଞ୍ଜାହେଇଥିବା ଏକ ପ୍ରାକୃତିକ ବ୍ୟବସ୍ଥା, ଯାହା ତା’କୁ ଆତ୍ମରକ୍ଷାରେ ସାହାଯ୍ୟ କରେ । ଭୟ ଉପୁଜିବା ଭଳି ସ୍ଥିତିରେ ତା’ର କେତେକ ଆଭ୍ୟନ୍ତରୀଣ ଗ୍ରନ୍ଥିରୁ ରାସାୟନିକ ପଦାର୍ଥର କ୍ଷରଣ ହୁଏ, ଯାହା ତା’ର ହୃତ୍‌ପିଣ୍ଡର ଗତିକୁ ଦ୍ରୁତ କରି ଦେହରେ ରକ୍ତ-ସଞ୍ଚାଳନକୁ ଦ୍ରୁତତର କରେ, ମାଂସପେଶୀଗୁଡ଼ିକର ଟଣକ ବଢ଼େଇଦିଏ ଓ ଏହିପରି ଆହୁରି କେତେକ ପରିବର୍ତ୍ତନ ଦେହରେ ଘଟେଇ ପ୍ରାଣୀକୁ ପଳେଇଯିବାପାଇଁ ପ୍ରସ୍ତୁତ କରେ । ପୁଣି ଆଉ କେତେକ ପ୍ରାଣୀ ଭୟରେ କାଠ ହେଇଯାଆନ୍ତି । ଏହାଦ୍ୱାରା ତାଙ୍କର କୌଣସି ଅଙ୍ଗ-ପ୍ରତ୍ୟଙ୍ଗ ହଲଚଲ ହୁଏ ନାହିଁ ଓ ଏ ଅବସ୍ଥାରେ ଆକ୍ରମଣକାରୀ ଶତ୍ରୁର ଦୃଷ୍ଟି ଏଡ଼େଇଯିବାର ସମ୍ଭାବନା ଥାଏ ।

 

ମଣିଷର ଏ ପ୍ରକାରର ଶାରୀରିକ-ସ୍ନାୟବିକ ବ୍ୟବସ୍ଥା ସାଙ୍ଗକୁ ଅଧିକ କାର୍ଯ୍ୟକ୍ଷମ ବୁଦ୍ଧି ମଧ୍ୟ ଅଛି ଓ ସେ ବୁଦ୍ଧିମାଧ୍ୟମରେ ସେ ନିଜର ପୁରୁଣା ଅଭିଜ୍ଞାତାର ମଧ୍ୟ ଲାଭ ପାଇପାରିଥାଏ ଓ ଅନ୍ୟମାନଙ୍କର ମଧ୍ୟ । ଏ ବୁଦ୍ଧି ବ୍ୟବହାର କରି ସେ ବିପଜ୍ଜନକ ପରିସ୍ଥିତିର ମୁକାବିଲା କରିବାକୁ ନୂଆ ନୂଆ ଉପାୟ ଉଦ୍‌ଭାବନ କରିଥାଏ । ନିଜର ବୁଦ୍ଧି ଓ ଜ୍ଞାନଦ୍ୱାରା ସେ ଏଭଳି ସବୁ ସଙ୍କଟଜନକ ପରିସ୍ଥିତି ବାରିପାରିଥାଏ, ଯାହା ଅନ୍ୟ ଜୀବ ପାରନ୍ତି ନାହିଁ । ସିଗ୍‌ନ୍ୟାଲର ସାବଜା ଆଲୁଅ ଦେଖି ସେ ବୁଝିପାରେ ଯେ ଗାଡ଼ି ଆସୁଛି; ରେଳଲାଇନ୍‌ ଉପରେ ରହିବା ବିପଜ୍ଜନକ । ହାଇ ଟେନ୍‌ସନ୍‌ ବିଜୁଳିତାର ଛିଡ଼ିଯାଇଥିଲେ ସେ ତା’ର ପାଖ ମାଡ଼େ ନାହିଁ । ବିପଦ ପ୍ରତି ସଚେତନ ରହିବା ଓ ଅନାବଶ୍ୟକ ଭାବରେ ବିପଦ ନ ମୁଣ୍ଡେଇବା ତ ଭଲ । ଚଳନ୍ତା ରେଳଗାଡ଼ି ସାମନାରେ ଠିଆହେବାରେ କୌଣସି ବାହାଦୁରୀ ନାହିଁ; ମାତ୍ର ଅତି ଜରୁରୀ ହାସଲ କରିବା ଉଦ୍ଦେଶ୍ୟରେ ବୁଝି ବିଚାରି ଗୁରୁତର ବିପଦର ଝୁଙ୍କି ମୁଣ୍ଡେଇବାକୁ ହୁଏ । ପୁଣି ନିଜର ବୁଦ୍ଧିକୌଶଳ ଦ୍ୱାରା ମଣିଷ ବିପଜ୍ଜନକ ପରିସ୍ଥିତିର ସଙ୍କଟକୁ କମ୍ କରିପାରେ । ପାହାଡ଼-ଚଢ଼ାଳି ଖାସ୍‌ ପ୍ରକାରର ବୁଟ୍‌-ଜୋତା, ଗଇଁତି, ରସି, ଅମ୍ଳଜାନପିପା ଆଦି କେତେ ପ୍ରକାର ସରଞ୍ଜାମର ସାହାଯ୍ୟ ନିଏ, କେତେ ଦୀର୍ଘ ତାଲିମ ନିଏ । ଏସବୁ ସତ୍ତ୍ୱେ ଯେତିକି ବିପଦର ଝୁଙ୍କି ବଳେ ତା’କୁ ମୁଣ୍ଡାଏ । ମାତ୍ର ଯାହାର ବୁଦ୍ଧି ଭୟରେ ଆଚ୍ଛନ୍ନ ସେ ପାହାଡ଼ତଳେ ହିଁ ଠିଆ ହେଇ ରହି ଥରୁଥାଏ ।

 

ଯୁଦ୍ଧକ୍ଷେତ୍ରରେ ସୈନିକମାନଙ୍କର ମାନସିକ ସ୍ଥିତି ବିଷୟରେ ଯେଉଁସବୁ ଗବେଷଣା ହେଇଛି, ସେଥିରୁ ଦେଖାଯାଇଛି ଯେ ଯେଉଁମାନେ ନିଜ ମନରୁ ଉଠୁଥିବା ଭୟକୁ ଚାପିଦିଅନ୍ତି, ସେମାନଙ୍କୁ କଦାପି ଭୟ କରୁନାହିଁ ବୋଲି ଜାହିର କରନ୍ତି, ଉଠୁଥିବା ଭୟକୁ ଅଚେତନର ଅନ୍ଧାର କୋଠରି ଭିତରକୁ ଠେଲିଦିଅନ୍ତି, ସେମାନେ ଅତି ଉତ୍କଟ ଓ ଭୟଙ୍କର ପରିସ୍ଥିତିରେ ଶୀଘ୍ର ଭାଙ୍ଗିପଡ଼ନ୍ତି । ସେମାନଙ୍କ ଅଚେତନ ଭିତରେ ଦବିରହିଥିବା ଭୟ ସେମାନଙ୍କର ଶରୀରର କୌଣସି ଅଙ୍ଗକୁ ଅକାମୀ କରିଦିଏ, ମାନସିକ ବିକୃତି ଘଟାଏ ବା ସାରାବ୍ୟକ୍ତିତ୍ୱକୁ ହିଁ ଭୁସୁଡ଼େଇ ଦିଏ । ଯେଉଁମାନେ ନିଜ ମନରେ ଜନ୍ମୁଥିବା ଭୟକୁ ସ୍ୱୀକାର କରିପାରନ୍ତି, ତା’କୁ ନେଇ ହସ ଥଟ୍ଟା କରିପାରନ୍ତି, ସେମାନେ ଅତି ଉତ୍କଟ ପରିସ୍ଥିତିର ମୁକାବିଲା ଅଧିକ ସକ୍ଷମଭାବରେ କରିପାରନ୍ତି । ଭୟଟାକୁ ନିଜ ଆଖିଆଗରୁ ଲୁଚେଇଦେବାର ଚେଷ୍ଟା ନ କରି ସେମାନେ ତା’ର ଅସ୍ତିତ୍ୱକୁ ମାନି ନେଇ ତାହା ସହିତ ବୁଝାପଡ଼ା କରିପାରନ୍ତି ।

 

ଭୟ ପ୍ରତି ସଚେତନତା, ଅଳ୍ପ ଭୟ, ଭଲ । ବଣବାଟେ ଗଲାବେଳେ ବାଘ ବାହାରିବାର ସମ୍ଭାବନା ପ୍ରତି ସଚେତ ରହିବା ଓ ମାମୁଁ ବାହାରିଲେ କି ପ୍ରତିକାର କରାଯିବ ତାହା ମଧ୍ୟ ପାଞ୍ଚିଥିବା ଭଲ । ବାଘ ସାମନାରେ ପଡ଼ିଲେ ମୁଣ୍ଡା ଥଣ୍ଡା ରଖି ଖସିବାର ଉପାୟ କରିବା ଭଳି ଆତ୍ମନିୟନ୍ତ୍ରଣ ନ ଥାଇ ଯଦି ଭୟରେ ମଣିଷର ଚେତା ବୁଡ଼ିଯିବ, ତେବେ କି ଅବସ୍ଥା ହେବ ? ଆମ ଦେଶରେ ପ୍ରତିବର୍ଷ ଏଭଳି ଶହ ଶହ ଲୋକ ସାପକାମୁଡ଼ାରେ ମରନ୍ତି, ଯାହାକୁ ବିଷାକ୍ତ ସାପ କାମୁଡ଼ି ନ ଥାଏ; କେବଳ ଆତଙ୍କରେ ସେମାନଙ୍କର ପ୍ରାଣ ଚାଲିଥାଏ । ଭୟର ପ୍ରଭାବରେ ଶରୀରର ରୋଗ-ପ୍ରତିରୋଧଶକ୍ତି କମିଯାଏ, ଏହା ଜଣାଶୁଣାକଥା । ଡରୁଆ ଲୋକ ମହାମାରୀ କବଳରେ ସହଜରେ ପଡ଼ନ୍ତି; ଅଳ୍ପକରେ ମରନ୍ତି । ଏସବୁ କ୍ଷେତ୍ରରେ ଅଜ୍ଞାନ ଭୟପ୍ରବଣତାକୁ ଅଧିକ ତୀବ୍ର କରେ । ଆମର ଜଣେ ମଉସା ଅଛନ୍ତି ଯେ ତାଙ୍କ ଗାଁର ପାଞ୍ଚକୋଶ ଭିତରେ ହଇଜା ଲାଗିବାର ଶୁଣିଲେ ଗାଁ ଛାଡ଼ି କଟକ ପଳାନ୍ତି । ତାଙ୍କ ପିଲାଦିନେ ହଇଜାରେ ତାଙ୍କ ଘରର ପ୍ରାୟ ସମସ୍ତ ମରିଯାଇଥିଲେ-। ସେଇଥିରୁ ଏ ଆତଙ୍କର ଜନ୍ମ । କିନ୍ତୁ ଆଚାର୍ଯ୍ୟ ହରିହର ଓ ତାଙ୍କର ଛାତ୍ରମାନେ ଦିନରାତି ହଇଜା ରୋଗୀଙ୍କ ସେବା କରୁଥିଲେ । ସେମାନେ ଆତଙ୍କରୁ ମୁକ୍ତ ଥିଲେ ଓ ହଇଜାର ପ୍ରକୃତି ବିଷୟରେ ସେମାନଙ୍କର ଜ୍ଞାନ ଥିଲା । ତାହା କିପରି ବ୍ୟାପେ ସେମାନେ ଜାଣିଥିଲେ ଓ ଯଥୋଚିତ ସାବଧାନତା ଅବଲମ୍ୱନ କରୁଥିଲେ ।

 

କଟକରେ ଆମ ପିଲାଦିନେ ଜଣେ ଭଦ୍ରଲୋକ ଥିଲେ । ସେ ରାସ୍ତାରେ ଯିବାବେଳେ ପଛଆଡ଼ୁ ‘ଗଲାରେ ଗଲାରେ’ ବୋଲି ପାଟିକଲେ ସେ ଛାନିଆ ହେଲାଭଳି ବାରମ୍ୱାର ପଛକୁ ଚାହିଁ–ଚାହିଁକା ଅଧା ଦୌଡ଼ିବା ଆରମ୍ଭ କରନ୍ତି । ତାଙ୍କୁ ଦେଖିବାମାତ୍ରେ ପିଲାମାନେ ବରାବର ମଜା ଦେଖିବାପାଇଁ ଏପରି ପାଟିକରନ୍ତି । ଏ ପ୍ରକାରର ଅଯୌକ୍ତିକ ଭୟ କେତେକଙ୍କ ଭିତରେ ଥିବାର ଦେଖାଯାଏ । କେହି ଖୋଲା ଜାଗାରେ ରହିବାକୁ ଡରନ୍ତି, କେହି ସଂକୀର୍ଣ୍ଣ ବା ବନ୍ଦ ଜାଗାରେ ରହିପାରନ୍ତି ନାହିଁ । କାହାରି ଅନ୍ଧାରକୁ ଏତେ ଡର ଯେ ପାଞ୍ଚ ମିନିଟ୍‌ ପାଇଁ ପାଓ୍ୱାର ଚାଲିଗଲେ ସେ ଆତଙ୍କିତ ଓ ଅସ୍ଥିର ହେଇପଡ଼ନ୍ତି । ଏପରି ସବୁ ଅଯୌକ୍ତିକ ଭୟ ପଛରେ କୌଣସି ଉତ୍କଟ ଅନୁଭୂତି ଓ ଅନ୍ୟାନ୍ୟ ମନୋବୈଜ୍ଞାନିକ କାରଣ ଥାଏ । ଏସବୁ ଅସ୍ୱାଭାବିକ ଭୟ ଦୂର କରିବା ପାଇଁ ରୀତିମତ ମାନସିକ ଚିକିତ୍ସା ଲୋଡ଼ାହୁଏ । ମାତ୍ର କୋଟି କୋଟି ଲୋକ ହଇଜା, ସାପ, ଚୋର, ପୁଲିସ ଆଦିଙ୍କୁ ଯେ ପ୍ରକାର ଡରନ୍ତି, ତାହା ବି ଏହି ପ୍ରକାରର ଅଳ୍ପିକିଆ ଅସ୍ୱାଭାବିକତା ବୋଲି କୁହାଯିବ ନାହିଁ କାହିଁକି ? ବହୁତ ବେଶୀ ଲୋକଙ୍କଠାରେ ଅଛି ବୋଲି ସେସବୁ ସ୍ୱାଭାବିକ ଜଣାପଡ଼ୁଛି ।

 

ପିଲାଦିନେ ମୋର କେତେଜଣ ସାଙ୍ଗ ଥିଲେ–ନ’ ଦଶ ବର୍ଷ ବୟସରେ ଯେଉଁମାନେ ବର୍ଷାଦିନେ ବାହାରୁଥିବା ମାଟିବିରାଡ଼ି ସାପର ଲାଙ୍ଗୁଡ଼ ଧରି ଟେକି ନେଇ ଖେଳୁଥିଲେ । ମୁଁ କିନ୍ତୁ ସେସବୁର ପାଖ ବି ମାଡ଼ିପାରୁ ନଥିଲି । ସେ ପିଲାଙ୍କର ସାହସଟା ସ୍ୱାଭାବିକ ନା ମୋ ଭୟଟା ?

 

କେତେକ ଲୋକ ସାଧାରଣ ଭାବରେ ଡରକୁଳା ସ୍ୱଭାବର ନ ହେଇଥିଲେ ବି ସେମାନଙ୍କର ଉପରୋକ୍ତ ପ୍ରକାରର ଖାସ୍‌ ଖାସ୍‌ ବିଷୟରେ ଭୟ ଥାଏ । ଆଉ କେତେକ ଡରକୁଳା ହେଇ ନ ଥାନ୍ତି; ମାତ୍ର ସେମାନଙ୍କ ମନରେ ଗୋଟାଏ ପ୍ରକାରର ସାଧାରଣ ଭୟ ଓ ସନ୍ଦେହ ଥାଏ । କୌଣସି ଭୋଜିଭାତ ବା ଅନ୍ୟ ଉପଲକ୍ଷ୍ୟରେ ଗୁଡ଼ିଏ ଅପରିଚିତ ବା ଅଧା-ପରିଚିତ ଲୋକଙ୍କ ମେଳରେ ପହଞ୍ଚିବାବେଳେ ଆମ ଭିତରୁ ଅନେକେ କେବେ ନା କେବେ ଅନୁଭବ କରିଥିବେ ଯେ ଯେପରି କି ସମସ୍ତେ ତାଙ୍କୁ ହିଁ ଲକ୍ଷ୍ୟ କରୁଛନ୍ତି । କେହି ହସିଲେ କି କାଶିଲେ ତାଙ୍କୁ ହିଁ ଲକ୍ଷ୍ୟ କରି ସେପରି କରୁଛନ୍ତି । ଏହା ପଛରେ ଗୋଟାଏ ପ୍ରକାରର ନିରାପତ୍ତାର ଅଭାବର ବୋଧ ଥାଏ । ସାଧାରଣତଃ ଏ ପ୍ରକାରର ଅଳ୍ପିକିଆ ନିରାପତ୍ତାର ଅପରିଚିତ ଲୋକଙ୍କ ମେଳରେ ଆମର ଅଳ୍ପକାଳ ପାଇଁ ହେଇଥାଏ । ମାତ୍ର କେତେକଙ୍କ ମନରେ ଏ ପ୍ରକାରର ଊଣା-ଅଧିକ ଶଙ୍କାଶୀଳତା ସ୍ଥାୟୀଭାବରେ ଥାଏ । ଏପରି ଲୋକର ସବୁବେଳେ ମନେହୁଏ ଯେ ସମସ୍ତେ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି ବା କେହି ଜଣେ ତାଙ୍କର ବିରୋଧୀ ସମସ୍ତଙ୍କୁ ତାଙ୍କ ବିରୋଧରେ ମତଉଛି । ଆମ ସଙ୍ଗରେ ଜଣେ ବନ୍ଧୁ ଜେଲରେ ୧୯୪୨ରେ ଥିଲେ । ସେ କମ୍ୟୁନିଷ୍ଟ ଥିଲେ । ତାଙ୍କର ବରାବର ଧାରଣା ଥିଲା ଯେ ଆମେରିକାର ଗୁପ୍ତଚର ବିଭାଗ ତାଙ୍କ ବିରୋଧରେ ଲାଗିଛି । ଥରେ ପିଲାଏ ସେ ସାଇତି ରଖିଥିବା କଦଳୀତକ ଖାଇଦେଲେ । ଆଉ ଥରେ ତାଙ୍କର ଗୋଟାଏ ବାସନ ହଜିଗଲା । ସେ ଖୁବ୍‌ ଗମ୍ଭୀର ଭାବରେ ମତ ବ୍ୟକ୍ତ କଲେ ଯେ ଆମେରିକାର ଗୁପ୍ତଚର ବିଭାଗ ତାଙ୍କୁ ହଇରାଣ କରିବା ପାଇଁ ଅନ୍ୟମାନଙ୍କୁ ଉସୁକେଇ ଏସବୁ କରଉଛି । ଏପରି ବିଶ୍ୱାସ ତାଙ୍କର ଜେଲରୁ ବାହାରିବା ପରେ ବି ବରାବର ଥିଲା । ଏ ପ୍ରକାରର ମାନସିକତାର କାରଣ ଓ ପରିଣାମ ବିଷୟରେ ବିସ୍ତୃତ ଆଲୋଚନା ଅନ୍ୟ ଅଧ୍ୟାୟରେ କରାଯାଇଛି । ଏହା ମଣିଷର ମନକୁ ଗୋଟାଏ ପ୍ରକାର ପଙ୍ଗୁ କରିଦିଏ । ପ୍ରତ୍ୟେକ କଥାକୁ ସେ ସନ୍ଦେହ ଓ ଅବିଶ୍ୱାସର ରଙ୍ଗୀନ ଚଷମା ଦେଇ ଦେଖେ । ସେଥିପାଇଁ କୌଣସି ବ୍ୟକ୍ତି ବା ପରିସ୍ଥିତିରେ ସେ ଯଥାର୍ଥ ମୂଲ୍ୟାଙ୍କନ କରିପାରେ ନାହିଁ; ତେଣୁ ସେ ଯାହା କିଛି କରେ ତାହା ଦୋଷଯୁକ୍ତ ହୁଏ । ଏହା ଯୋଗରୁ ତା’ର ଜୀବନକୁ ଉପଭୋଗ କରିବାର ଶକ୍ତି ବି ବହୁତ ଊଣା ହେଇଯାଏ । ଅନ୍ୟ ଲୋକଙ୍କ ସହିତ ତା’ର ସମ୍ପର୍କ ସୁସ୍ଥ, ସରଳ ଓ ଆନନ୍ଦପ୍ରଦ ହେଇପାରେ ନାହିଁ । ଏ ପ୍ରକାରର ସାଧାରଣ ଅଳ୍ପିକିଆ ମାନସିକତାରୁ ପ୍ରତ୍ୟେକେ ନିଜେ ଆତ୍ମସମୀକ୍ଷା ଦ୍ୱାରା ମୁକ୍ତ ହେଇପାରନ୍ତି । ଟିକିଏ ଆତ୍ମସମୀକ୍ଷା କଲେ ଆମେ ଦେଖିପାରିବା ଯେ କୌଣସି ବ୍ୟକ୍ତି ବା ଗୋଷ୍ଠୀ ବା ସଂସ୍ଥା ପ୍ରତି ଯଦି ଆମେ ଅତ୍ୟଧିକ ଭୟ ବା ବିଦ୍ୱେଷ ଭାବାପନ୍ନ ହେଉ, ତେବେ କ୍ରମେ ସେ ଭୟ ବା ବିଦ୍ୱେଷ ଆମ ମନକୁ ଏପରି ଗ୍ରାସକରେ ଯେ ସେ ବ୍ୟକ୍ତି, ଗୋଷ୍ଠୀ ବା ସଂସ୍ଥା ଏକରକମ ସର୍ବଶକ୍ତିମାନ୍‌ ହେଇ ସବୁ କିଛି ଖରାପ କାମର ମୂଳରେ ଥିବାପରି ମନେହୁଏ । ନିଜର ଏ ପ୍ରକାର ମାନସିକତା ହେଇଥାଇପାରେ, ହେବା ସମ୍ଭବ ବୋଲି ଯେ ବୁଝିପାରିବ, ସ୍ୱୀକାର କରିପାରିବ, ସେ ସେଥିରୁ ଚେଷ୍ଟା କରି ନିଜକୁ ମୁକ୍ତ କରିପାରେ । ମାତ୍ର ଯାହାର ଏହା ଅତିମାତ୍ରାରେ ଥିବ, ତାହାର ଚିକିତ୍ସା ଆବଶ୍ୟକ ହେବ ।

 

ସାମାଜିକ ଭୟ ଏସବୁ ଭୟଠାରୁ ଅଲଗା ପ୍ରକାରର ଭାବ । ମୃତ୍ୟୁମୟକୁ ଜିଣିଥିବା ଲୋକ ବି ସାମାଜିକ ଭୟକୁ ଜିଣି ପାରିନଥିବାର ଦେଖାଯାଏ । ଜାତିଭାଇ, ଗାଁ ବାଲା, ଭଦ୍ରଲୋକମାନେ କ’ଣ କହିବେ–ଏ ଭୟରେ ମଣିଷ ଯେମିତି ବହୁତ ଖରାପ କାମ କରିବାକୁ ସାହସ କରେ ନାହିଁ, ସେମିତି ଭଲ କାମ କରିବାକୁ ବି ପଛାଏ । ବୋଧହୁଏ ଏପରି ଭୟ ଯୋଗୁଁ ନ ହେଇପାରୁଥିବା ଭଲ କାମର ପରିମାଣ ଖରାପ କାମ ଅପେକ୍ଷା ବେଶୀ ହେବ । ମୋର କାମକୁ ନାପସନ୍ଦ କଲେ ସେମାନେ ମତେ ପଚାରିବେ ନାହିଁ, ବନ୍ଧୁରୁ କାଟିଦେବେ, ଏଇପରି ଆଶଙ୍କା ତା’ମୂଳରେ ଥାଏ । ଗାଁମାନଙ୍କରେ ବାସନ୍ଦ କରିବା ପ୍ରଥା ତ ଏକ ସମୟରେ ଖୁବ୍‌ ପ୍ରବଳ ଥିଲା ଓ ଏବେ ବି ପୂରା ଭାଙ୍ଗି ପଡ଼ିନାହିଁ ।

 

ମଣିଷ ତା’ର ଜୀବନଯାତ୍ରା ଗୋଷ୍ଠୀଜୀବୀ ପ୍ରାଣୀଭାବରେ ହିଁ ମୂଳରୁ ଆରମ୍ଭ କରିଛି, ଅର୍ଦ୍ଧମାନବ ଥିବା ଯୁଗରୁ ହିଁ । ଗୋଷ୍ଠୀରୁ ଅଲଗା ହେଇ ଏକୁଟିଆ ପଡ଼ିଯିବାର ଭୟଟା ସେହି ଯୁଗରୁ ରହିଆସିଛି । ସେ ଯୁଗରେ ଯଦି କେହି ଗୋଷ୍ଠୀରୁ ଅଲଗା ରହିଯାଉଥିଲା, ବିଶେଷ କରି ସାନପିଲା, ତେବେ ବନ୍ୟଜନ୍ତୁ ଓ ଅନ୍ୟ ପ୍ରାକୃତିକ ପ୍ରତିକୂଳତାପୂର୍ଣ୍ଣ ବଣଜଙ୍ଗଲରେ ତା’ର ବଞ୍ଚିରହିବା ହିଁ ଅସମ୍ଭବ ହେଇଯାଉଥିଲା । ଏବେ ମଣିଷ ଆଉ ଏପରି ଶ୍ୱାପଦସଙ୍କୁଳ ଅରଣ୍ୟରେ ସାନ ସାନ ଗୋଷ୍ଠୀ ବାନ୍ଧି ହାଡ଼-ପଥରର ଅସ୍ତ୍ରଶସ୍ତ୍ର ଧରି ବୁଲୁନାହିଁ; ମାତ୍ର ବୋଧହୁଏ ସେ ଭୟର ଅବଶେଷ ମନ ଭିତରେ ରହିଯାଇଛି । ତେବେ ଏପରି ଅଲଗା ହେଇ ପଡ଼ିବାର ଆତଙ୍କର ଆରମ୍ଭ ଶୈଶବରେ ମଧ୍ୟ ହେଇଥାଏ । ଅସହାୟ ଶିଶୁ ମା’ କୋଳର ଆଶ୍ରୟ ବିନା ବଞ୍ଚିପାରେ ନାହିଁ । ମା’ କୋଳରେ ସେ ସୁରକ୍ଷିତ ଅନୁଭବ କରେ । ମା’ଠୁ ଅଲଗା ହେଲେ ତା’ ମନରେ ଅରକ୍ଷିତ ଭାବ ଉଠେ । ଏ ଭୟର ଉପଯୋଗ ପିଲାଙ୍କୁ ଆକଟ କରିବା ପାଇଁ ପୂରାମାତ୍ରାରେ କରାଯାଏ । ମା’ମାନେ ବରାବର ପିଲାଙ୍କୁ କହନ୍ତି–‘‘ଏମିତି କଲେ ମୁଁ ତତେ ଛାଡ଼ି ଚାଲିଯିବି । ତୋ ସାଥିରେ କେହି କଥା କହିବେ ନାହିଁ... ।’’ ଗୋଷ୍ଠୀ ପ୍ରତି ମଣିଷର ଆକର୍ଷଣ ସହିତ ଏ ଭୟ ମିଶି ସମାଜ ଭୟ ସୃଷ୍ଟି ହୁଏ । ଅନ୍ୟମାନଙ୍କ ମତାମତ ପ୍ରତି ଗୁରୁତ୍ୱ ଦେବା ତ ଏକ ବାଞ୍ଛନୀୟ ଗୁଣ ଓ ସାମାଜିକତାର ମୂଳଦୁଆ । ଏହାରି ଦ୍ୱାରା ସମାଜରେ ଜୋରଜବରଦସ୍ତି ନ ଥାଇ ଶୃଙ୍ଖଳାରକ୍ଷା ସମ୍ଭବ ହୁଏ । କିନ୍ତୁ ଏହା ଭିତରେ ଥିବା ଭୟର ଉପାଦାନ ଯୋଗୁଁ ମଣିଷ ଯେତେବେଳେ ବୁଦ୍ଧି-ବିବେକକୁ ଜଳାଞ୍ଜଳି ଦିଏ, ନ୍ୟାୟ-ଅନ୍ୟାୟ, ଉଚିତ-ଅନୁଚିତ, ସତ୍ୟ-ଅସ୍ୟତର ତାରତମ୍ୟ ବୁଝିବାର ଶକ୍ତି ହରାଏ, ସେତେବେଳେ ତା’ର ବ୍ୟକ୍ତିତ୍ୱ ହିଁ ପଙ୍ଗୁ ହେଇଯାଇଛି ବୋଲି ବୁଝିବାକୁ ହେବ ।

 

ଏଥିରେ ସମାଜ ବିଷୟରେ ଓ ନିଜ ବିଷୟରେ ଲୋକର ଧାରଣା ବି ଗୋଟାଏ ଗୋଟାଏ ଉପାଦାନ । ଯେତେ ଭଲ ଭଲ ଉପଦେଶ ଓ ଆଦର୍ଶ କଥା ଶୁଣିଲେ ବି ବାହାଘର ବା ଶୁଦ୍ଧିଘରେ ବହୁତ ଖର୍ଚ୍ଚ କରିବାକୁ ହେବ, ଏ ପ୍ରକାରର ତାଗିଦ୍‌ ତଥାପି ମନ ଭିତରୁ କାହିଁକି ଉଠେ-? ସମାଜରେ ନିଜର ପ୍ରତିଷ୍ଠା କ୍ଷୂଣ୍ଣ ହେବା ଭୟରେ । ମଣିଷର ଆତ୍ମପ୍ରତିଷ୍ଠାବୋଧ ତ ଅତି ମୂଲ୍ୟବାନ୍‌ ପ୍ରବୃତ୍ତି । କିନ୍ତୁ ଶ୍ରେଣୀରେ ବିଭକ୍ତ ଓ ଜାତିଆଣ ସମାଜରେ ଏ ପ୍ରତିଷ୍ଠାବୋଧ ଯେଉଁସବୁ ଅଭିବ୍ୟକ୍ତିକୁ ଆଶ୍ରୟ କରିଥାଏ ସେଗୁଡ଼ାକ ସୁସ୍ଥ ସମାଜ ଓ ସୁସ୍ଥ ବ୍ୟକ୍ତିତ୍ୱର ବିକାଶପଥରେ ବାଧା ସୃଷ୍ଟି କରିଥାନ୍ତି । ଲୋକଭୟ ବା ଲୋକଲଜ୍ଜାକୁ ଜିତିବା ଅର୍ଥ ନୁହେଁ ଯେ ଅନ୍ୟମାନଙ୍କର ମତାମତ ବା ହିତାହିତ ପ୍ରତି ବେପରଓ୍ୱା ହେଇ କାମ କରିଯିବା । ତା’ର ଅର୍ଥ ଧରାବନ୍ଧା ସଂସ୍କାରର କାଠକଣ୍ଢେଇ ନହେଇ ସମାଜର ଓ ଆପଣାର ହିତାହିତକୁ ନିର୍ମଳ ଓ ନିର୍ଭୟ ବୁଦ୍ଧି ଓ ବିବେକଦ୍ୱାରା ବିଚାରକରି ସେ ଅନୁସାରେ ଆଚରଣ କରିବା । ନିଜର ବିବେକକୁ ଭଗବାନଙ୍କର ବାଣୀରୂପେ ଗ୍ରହଣ କରି ତାହାକୁ ଅନୁସରଣ କରିବା ପାଇଁ ସନ୍ଥମାନେ ସଂସାରକୁ ଉପେକ୍ଷା କରିଥାନ୍ତି । ସେମାନେ ପ୍ରାୟ ଚଳନ୍ତି ସମାଜର ବୈଷମ୍ୟ, ବିଭେଦ, ଅନ୍ୟାୟ ଆଦିକୁ ବେଖାତିର କରିବାର ଦେଖାଯାଇଛି । ମୀରା ବାଈ କହିଲେ–‘‘ସାଧୁସଙ୍ଗ ବୈଠ ବୈଠ ଲୋକଲାଜ ଖୋଇ... ।’’ କିନ୍ତୁ ସାଧାରଣ ମଣିଷ ଯଦି ସମାଜର ରୂପ ଓ ସେଥିରେ ତା’ର ନିଜର ସ୍ଥାନ ବିଷୟରେ ସେ ମାନିନେଇଥିବା ବଦ୍ଧମୂଳ ଧାରଣାଗୁଡ଼ିକୁ ସମୀକ୍ଷା କରିବ ଓ ସେଥିରୁ ଯେଉଁଗୁଡ଼ିକ ଅବାଞ୍ଛନୀୟ ମନେହେବ, ସେଗୁଡ଼ିକୁ ବଦଳାଇବା ପାଇଁ ସ୍ଥିର କରିବ, ତେବେ ସେ ଲୋକଭୟକୁ ଜିତିବା ସହଜ ହେବ ।

 

ସହରମାନଙ୍କରେ ଗାଁମାନଙ୍କ ଭଳି ଘନିଷ୍ଠ ସମାଜ ନ ଥିବାରୁ ଗାଁରେ ଯେଉଁ ସବୁ ସାମାଜିକ ଚାପ ଅନୁଭୂତ ହୁଏ, ତାହା ସହରରେ କମ୍‌ ଥାଏ । ସେଥିପାଇଁ ସ୍ୱାଧୀନ ଚିନ୍ତା ଓ କାର୍ଯ୍ୟର ଉପକ୍ରମ ସହରମାନଙ୍କରେ ହିଁ ଅଧିକ ହେଇଥାଏ । ମାତ୍ର ଗାଁର ଗୋଷ୍ଠୀଜୀବନ ଓ ସାମାଜିକ ଚାପରୁ ସହର ମୁକ୍ତ ହେଲେ ବି ତା’ର ମଧ୍ୟ ନୂଆ ପ୍ରକାରର ଗୋଷ୍ଠୀ ଓ ସାମାଜିକ ଚାପ ଗଢ଼ିଉଠିଛି । ସେଥିପାଇଁ ଗାଁର ପରିସ୍ଥିତିର ଆବଦ୍ଧତାକୁ ଅନୁଭବ କରିଥିବା ଲୋକେ ସହରର ଆସି ମୁକ୍ତତା ଅନୁଭବ କରନ୍ତି–ସେଠାର ନୂଆ ବଦ୍ଧତାକୁ ଅନୁଭବ କରନ୍ତି ନାହିଁ । ପ୍ରାୟ ଏ ଯୁଗର ସହରଗୁଡ଼ିକ ପୁଞ୍ଜିବାଦର ପୀଠସ୍ଥାନ । ସେଥିରେ ପୁଞ୍ଜିବାଦୀ ମୂଲ୍ୟବୋଧ ଚଳେ । ତାହାରି ବନ୍ଧନ ମଣିଷକୁ ବାନ୍ଧେ । ମାତ୍ର ବିଚାରବନ୍ତ ଲୋକେ ବି ଏଇ ପୁଞ୍ଜିବାଦୀ ମୂଲ୍ୟବୋଧକୁ ହିଁ ପ୍ରଗତି ବା ଆଧୁନିକତା ନାଁରେ ଆଗ୍ରହରେ ବରଣ କରିନେଉଥିବାରୁ ତା’ର ବନ୍ଧନକାରୀ ରୂପକୁ ଦେଖିପାରନ୍ତି ନାହିଁ । ଏହାର ପ୍ରଭାବରୁ ନିଜକୁ ମୁକ୍ତ କରିବା କମ୍‌ କଷ୍ଟସାଧ୍ୟ କାମ ନୁହେଁ ।

 

ମାତ୍ର ବୋଧହୁଏ ସବୁଠାରୁ ବଡ଼ ଭୟ ହେଉଛି ନୂତନ ଚିନ୍ତା ଓ ନୂତନ ଭାବର ଭୟ । ପିଞ୍ଜରାରେ ବହୁ କାଳ ରହିଥିବା ପକ୍ଷୀକୁ ଛାଡ଼ିଦେଲେ ସେ ପୁଣି ପିଞ୍ଜରାକୁ ଫେରିଆସିବାକୁ ଚାହେଁ-। ଆମେରିକାରେ ଶହେ ବର୍ଷତଳେ ଯେତେବେଳେ ନିଗ୍ରୋ ଦାସମାନଙ୍କୁ ମୁକ୍ତ କରାହେଲା, ସେତେବେଳେ କୁଆଡ଼େ ସେମାନଙ୍କ ଭିତରୁ ଅନେକେ ପୁରୁଣା, ଅଭ୍ୟସ୍ତ ଦାସତ୍ୱର ଜୀବନକୁ ହିଁ ସ୍ୱାଧୀନତା ଅପେକ୍ଷା ଅଧିକ ପସନ୍ଦ କଲେ । ସେମାନଙ୍କର ଦେହ, ମନ, ବୁଦ୍ଧି, ଭାବନା ସବୁ ପୁରୁଣା ଚାଲିଚଳନରେ ଏତେ ଅଭ୍ୟସ୍ତ ହେଇଯାଇଥିଲା ଯେ ସେଥିରୁ ବାହାରିବା ମାନେ ଥଳକୂଳ ନ ଥିବା ଅଜଣା ସମୁଦ୍ରରେ ଡଙ୍ଗା ଭସେଇବା ପରି ସେମାନଙ୍କୁ ଲାଗିଲା । ଏ କେବଳ ନିଗ୍ରୋ କ୍ରୀତଦାସମାନଙ୍କର ବିଶେଷତ୍ୱ ନଥିଲା । ଆମେ ସମସ୍ତେ ଊଣା ଅଧିକେ ଏହିପରି ଗୁଳାରେ ପଡ଼ି ସେ ଗୁଳାକୁ ହିଁ ସୁରକ୍ଷାର ଆଶ୍ରୟରୂପେ ଧରିଥାଉ ।

 

ନିଜର ଭାବାବେଗକୁ ସଙ୍କୁଚିତ କରି ରଖିବାରେ ସେହିପରି ମଣିଷ ଏତେ ଅଭ୍ୟସ୍ତ ହେଇଯାଏ ଯେ ଗୋଟାଏ କିଛି ପ୍ରବଳ ବା ଗଭୀର ଅନୁଭୂତି ଆସିଲେ ସେ ଥଳକୂଳହରା ହେଇ ଭାସିଯିବା ପରି ଅନୁଭବ କରେ । ପ୍ରଚଳିତ ସମାଜରେ ସ୍ନେହ-ମମତା, ସହାନୁଭୂତି ପ୍ରଭୃତି ଭାବନାଗୁଡ଼ିକୁ ବହୁତ ଦବେଇ ରଖିବାକୁ ପଡ଼େ । ସେଥିପାଇଁ ସେପରି ଅନୁଭୂତି ପ୍ରାବଲ୍ୟରୁ ନିଜକୁ ରକ୍ଷା କରିବା ପାଇଁ ସେ ଅନୁଭୂତିଶୂନ୍ୟତାର ବର୍ମ ପିନ୍ଧେ । ଭିକାରି ପଇସାଟିଏ ମାଗିଲେ କେତେଲୋକ ଖେଙ୍କାରି ଉଠନ୍ତି । ରିକ୍‌ସାବାଲା ଚାରିପଇସା ମାଗିଲେ କହନ୍ତି, ‘‘କ’ଣ ତତେ ସବୁ ଦେଇଦେବି ନା କ’ଣ ?’’ ପ୍ରକୃତରେ ସେମାନଙ୍କ ଅଚେତନ ଭିତରୁ ଭୟ ଉଠେ ଯେ ଯଦି ସେ କାହାକୁ ସହାନୁଭୂତି ଦେଖେଇବସିବେ, ତେବେ ଏକାବେଳକେ ଭାସିଯିବେ; ଦେଇ ଦେଇ ସର୍ବସ୍ୱାନ୍ତ ହେଇଯିବେ । ଏ ଭୟ ମଧ୍ୟ ମଣିଷକୁ ସୀମାବଦ୍ଧ, ପଙ୍ଗୁ କରିଦିଏ ।

Image

 

Unknown

ମୁକ୍ତି

 

ମୁକ୍ତିର ଦ୍ୱିତୀୟ ପାଠ ହେଲା ସଂସ୍କାରମୁକ୍ତି ।

 

ଜର୍ମାନୀରେ ହିଟଲର୍‌ ଷାଠିଏ ଲକ୍ଷ ଇହୁଦୀଙ୍କୁ ନିପାତ କରିବା କାମରେ ତାଙ୍କର ଜଣେ କର୍ମଚାରୀ ଆଇଷ୍‌ମାନ୍‌ ପ୍ରଧାନ ହାତବାରସି ଥିଲେ । ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁଦଣ୍ଡ ଏଇ ଆଇଷ୍‌ମାନ୍‌ଙ୍କ ଦ୍ୱାରା କାର୍ଯ୍ୟକାରୀ ହେଇଥିଲା । ଯୁଦ୍ଧରେ ଜର୍ମାନୀ ହାରିଯିବା ପରେ ଆଇଷ୍‌ମାନ୍‌ ପଳେଇଯାଇ ଦକ୍ଷିଣ ଆମେରିକାରେ ଲୁଚିଥିଲେ । ଇତ୍ସାଏଲର ଗୁପ୍ତଚରମାନେ କିନ୍ତୁ ତାଙ୍କୁ ଉଣ୍ଡି ବାହାର କଲେ ଓ ତାଙ୍କୁ କୌଶଳରେ ହରଣଚାଳ କରି ଇତ୍ସାଏଲ ନେଇଆସିଥିଲେ । ସେଠି ତାଙ୍କର ବିଚାର କରାଯାଇ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଗଲା । ଏହା ଏଇ ଅଳ୍ପ କେତେ ବର୍ଷ ତଳର ଘଟଣା । ତାଙ୍କର ବିଚାର ଦେଖିବା ପାଇଁ ପୃଥିବୀର ଅନେକ ସାମ୍ବାଦିକ ଓ ମନସ୍ତତ୍ତ୍ୱବିଦ୍‌ ଯାଇଥିଲେ, ଲକ୍ଷ ଲକ୍ଷ ଲୋକଙ୍କର ହତ୍ୟାପାଇଁ ଦାୟୀ ଏ ଲୋକର ରୂପଭେକ, ଚାଲିଚଳନ କିପରି ହେଇଥିବ ତାହା ଦେଖିବାର କୌତୂହଳ ନେଇ । ଏ ଅଭିଜ୍ଞତା ବିଷୟରେ ହାନା ଆରେଣ୍ଟ (Hannah Arendt) ଖଣ୍ଡେ ବହି ଲେଖିଛନ୍ତି । ସେଥିରେ ସେ ଲେଖିଛନ୍ତି ଯେ ଆଇଷ୍‌ମାନ୍‍ଙ୍କୁ ଦେଖି, ତାଙ୍କର କଥାବାର୍ତ୍ତା ଶୁଣି ସେମାନେ ସମସ୍ତେ ସ୍ତମ୍ଭିତ ହେଇଯାଇଥିଲେ । ସେମାନଙ୍କର ତାଙ୍କ ବିଷୟରେ ସମସ୍ତ ପୂର୍ବଧାରଣା ଧୂଳିସାତ୍‌ ହେଇଯାଇଥିଲା । ସମସ୍ତେ ଭାବିଥିଲେ ଏପରି ଲକ୍ଷ ଲକ୍ଷ ଲୋକଙ୍କର ହତ୍ୟା ନିର୍ବିକାର ଚିତ୍ତରେ କରିଥିବା ବ୍ୟକ୍ତି ନିଶ୍ଚୟ ଗୋଟାଏ ଅପ୍ରାକୃତିକ ଜୀବ ହେଇଥିବ, ଗୋଟାଏ ନୃଶଂସ, ରକ୍ତମୁଖା, ନରପିଶାଚ । ତା’ର ଢଙ୍ଗଢାଙ୍ଗ ସେହିପରି ରାକ୍ଷସୀ ହେଇଥିବ । ମାତ୍ର ଦେଖାଗଲା ଯେ ଗୋଟିଏ ଅତି ନିରୀହ ସାଧାରଣ ଭଦ୍ରଲୋକ; ଯେମିତିକା ପୃଥିବୀର ସବୁ ଦେଶର ମନ୍ତ୍ରଣାଳୟ ଓ କଚିରିମାନଙ୍କରେ ହଜାର ବା ଲକ୍ଷ ସଂଖ୍ୟାରେ ଦେଖିବାକୁ ମିଳିବେ । ଏମାନେ ନିୟମିତ ଦଶଟାରୁ ପାଞ୍ଚଟା ଅଫିସ କରନ୍ତି । ସାଇପଡ଼ିଶାରେ ନିର୍ବିବାଦୀ ଭଦ୍ରଲୋକ ବୋଲି ପରିଚିତ ହେଇଥାନ୍ତି ଓ ଯଥାସମୟରେ ଚାକିରିରୁ ଅବସର ନେଇ, ପୁଅନାତିଙ୍କ ଦ୍ୱାରା ପରିବେଷ୍ଟିତ ହେଇ ଇହଧାମ ତ୍ୟାଗକରନ୍ତି । ଏମିତିଆ ଗୋଟାଏ ମଣିଷ ଏପରି ଭୟଙ୍କର ନୃତ୍ୟ କିପରି କରିପାରିଲା ? ତା’ହେଲେ ତ ଯେକୌଣସି ସ୍ୱାଭାବିକ, ସାଧାରଣ, ଭଦ୍ରଲୋକ ବି ଏମିତି କରିପାରେ ? ଆମେ ଯେତେ ଶାନ୍ତଶିଷ୍ଟ ସଭ୍ୟ ଲୋକ ରହିଛୁ, କେହି ଏପରି କାଣ୍ଡର କର୍ତ୍ତା ହେବାର ଆଶଙ୍କାରୁ ସମ୍ପୂର୍ଣ୍ଣ ମୁକ୍ତ ନୋହୁଁ ।

 

ଏ ଭୟଙ୍କର କଥା କେମିତି ସମ୍ଭବ ହେଲା ଓ ପୁଣି ବି ହୁଏତ ହେବ ଯେ ସାଧାରଣ ନିରୀହ ନିର୍ବିବାଦୀ ଲୋକ ହିଁ ନୃଶଂସତମ କୃତ୍ୟର କର୍ତ୍ତା ହେବେ ?

 

ଏହାର କାରଣ ଜାଣିବାକୁ ହେଲେ ଆମକୁ ସେଇ ପ୍ରକ୍ରିୟାର ଅନୁଧାବନ କରିବାକୁ ହେବ ଯାହା ମଣିଷଭଳି ସ୍ୱାଧୀନ ଜୀବକୁ ଗାଈରେ ପରିଣତ କରୁଛି । ଏଇ ସଂସ୍କାରବିଧାନର ପ୍ରକ୍ରିୟାରୁ ମୁକ୍ତି ହିଁ ମୁକ୍ତି-ସାଧନାର ଦ୍ୱିତୀୟ ସୋପାନ ।

 

ମହୁମାଛିଙ୍କର ଜୀବନଯାତ୍ରା ଖୁବ୍‌ ଚିତ୍ତାକର୍ଷକ । କାଚ-ବାକ୍‌ସରେ ରଖାଯାଇଥିବା ଫେଣାରେ ସେମାନଙ୍କର କାର୍ଯ୍ୟକଳାପ ଘଣ୍ଟାଘଣ୍ଟାଧରି ଲକ୍ଷ୍ୟ କଲେ ମଧ୍ୟ ମୋଟେ କ୍ଳାନ୍ତି ବୋଧ ହୁଏ ନାହିଁ । ଗୋଟାଏ ଦଳରେ ପନ୍ଦର କୋଡ଼ିଏ ହଜାର ଯାଏ ମାଛି ଥାନ୍ତି । ଏତେଗୁଡ଼ିଏ ଜୀବ ଗୋଟିଏ ଧୂନରେ ମିଳିମିଶି କାମ କରିଚାଲିଥାନ୍ତି; କେବେହେଲେ ସେମାନଙ୍କ ଭିତରେ ତିଳେହେଲେ କଳିତକରାଳ ବା ଅସାମଞ୍ଜସ୍ୟ ଘଟିବାର ଦେଖାଯାଏ ନାହିଁ–କଳ ଭଳି କାମ କରିଚାଲିଥାନ୍ତି; ଆଉ କେତେ କାମ ! ମହମରେ ଫେଣା ତିଆରି କରିବା, ଫୁଲରୁ ରସ ଓ ପରାଗ ସଂଗ୍ରହ କରିବା, ସେସବୁକୁ ଖୋପରେ ସାଇତି ରଖିବା, ଅଣ୍ଡା ଓ ଶୂକ (ପ୍ୟୁପା) ମାନଙ୍କର ଯତ୍ନ ନେବା, ବସା ସଫା ରଖିବା, ପହରା ଦେବା, ବସା ଥଣ୍ଡା ରଖିବା ପାଇଁ ଡେଣାଦ୍ୱାରା ବିଞ୍ଚିବା, ରାଣୀମାଛିର ଯତ୍ନନେବା–ଏମିତି କେତେ ପ୍ରକାରର ଘରକରଣା କାମ ସେମାନଙ୍କୁ କରିବାକୁ ପଡ଼େ-। ପ୍ରକୃତରେ ଏସବୁ କାମ ସେମାନେ କଳ ଭଳି କରିଥାନ୍ତି । ସେମାନଙ୍କ ସାମୂହିକ ଜୀବନ ଏଭଳି ଗତରେ ବନ୍ଧା ଯେ ସେଥିରୁ ତିଳେହେଲେ ବେନିୟମ ହେବାର ସମ୍ଭାବନା ନ ଥାଏ ।

 

ପ୍ରତ୍ୟେକ ମହୁମାଛିର ଜୀବନ ଏ ଗତରେ ବନ୍ଧା ହେଇଥାଏ । ସେ ଶୂକ ଅବସ୍ଥାରୁ ବଦଳି ମାଛିରୂପ ଧରିବା ସମୟଠାରୁ ମରିବାଯାଏ ବୟସ ଅନୁସାରେ ଗୋଟାକ ପରେ ଗୋଟାଏ କାମର ଦାୟିତ୍ୱ ନେଇ ଆପେ ଆପେ କରିଯାଏ; କାହାରିଠାରୁ ଶିଖିବାକୁ ପଡ଼େ ନାହିଁ । ସେ କାମ କରିବା ବେଳ ଆସିଲେ ତାହା କରିବାର କୌଶଳ ତା’ ଦେହରୁ ଆପେ ବାହାରେ–ଜାଣି ଗ୍ରାମୋଫୋନ୍‌ ରେକଡ୍‍ର ଘରାରେ ଗୀତର ସଙ୍କେତ ଅଙ୍କାହେଇଥିବା ପରି ମହୁମାଛିର ମସ୍ତିଷ୍କରେ ତା’ର କରଣୀୟ ସବୁ କାମର ସଙ୍କେତ ଲିପିବଦ୍ଧ ହେଇଥାଏ, ବେଳ ଆସିଲେ ଗୋଟାକ ପରେ ଗୋଟାଏ ଆପେ ବାହାରେ ।

 

ପିମ୍ପୂଡ଼ି, ଉଇ ଓ ଅନ୍ୟ କୀଟପତଙ୍ଗମାନଙ୍କର ଆଚରଣ ମଧ୍ୟ ଏମିତି ପୂର୍ବରୁ ରେକର୍ଡିଂ ହେଇ ରହିଥାଏ । ମାଛ, ସାପ, ବେଙ୍ଗ, କୁମ୍ଭୀର, କଇଁଛ ପ୍ରଭୃତି ଥଣ୍ଡାରକ୍ତ ପ୍ରାଣୀମାନେ ମଧ୍ୟ ପ୍ରାୟ ଉପରୋକ୍ତ ପ୍ରକାରର । ସେମାନଙ୍କ ମା’ମାନେ ତ ଅଣ୍ଡା ଦେଇ ଖଲାସ । ଖୁବ୍‌ ହେଲେ ତା’କୁ ମାଟିରେ ବା ବାଲିରେ ପୋତିଦିଅନ୍ତି । ଛୁଆମାନେ ଅଣ୍ଡାରୁ ବାହାରିବା ମୁହୂର୍ତ୍ତରୁ ସ୍ୱାଧୀନ ଓ ସ୍ୱାବଲମ୍ୱୀ ଭାବରେ ଚଲାବୁଲା କରନ୍ତି । ମା’ମାନଙ୍କର ସେମାନଙ୍କ ପାଇଁ ଦାୟିତ୍ୱ ନଥାଏ କି ସେମାନେ ବାପ-ମା’ଙ୍କ ଉପରେ ନିର୍ଭରଶୀଳ ନ ଥାନ୍ତି । ପୁଞ୍ଜିବାଦୀ ଆଦର୍ଶ ଅନୁସାରେ ସମ୍ପୂର୍ଣ୍ଣ ସ୍ୱାଧୀନତା ଭୋଗକରନ୍ତି ।

 

ଚଢ଼େଇମାନେ ଏତେ ଦୂର ନ ହେଲେ ବି ଯଥେଷ୍ଟ ପରିମାଣରେ ଗତରେ ବନ୍ଧା । ଚଢ଼େଇମାନେ ଛୁଆଙ୍କର ଲାଳନପାଳନ କରନ୍ତି, ସେମାନଙ୍କୁ ଉଡ଼ା ଶିଖାନ୍ତି; ମାତ୍ର ତା’ପରେ ସେମାନଙ୍କର ମସ୍ତିଷ୍କରେ ଥିବା କମ୍ପ୍ୟୁଟର୍‌ ପ୍ରୋଗ୍ରାମ୍‌ କାମ କରେ । ବସା ତିଆରି ବେଳ ହେଲେ ଯୁବା ଚଢ଼େଇ କାହାକୁ ପଚାରିଯାଏ ନାହିଁ । ବାୟାଚଢ଼େଇ ତା’ର ଓ ବଣି ଚଢ଼େଇ ତା’ର ନିଜ କିସମର ବସା ଛାଁ କୁ ଗଢ଼ିଯାନ୍ତି । ଏମିତି କେତେ ଲକ୍ଷ ବରଷ ହେଲା ଚାଲିଆସିଲାଣି; ମାତ୍ର ବାୟାର ଏତେ ବଢ଼ିଆ ପାଣି-ପବନ-ନିବୁଜ ବସାକୁ ବଣି କି ଘରଚଟିଆ କେହି ଅନୁକରଣ କରୁନାହାନ୍ତି; ଯେଝା ଗୁଳାରେ ଯେ ଚାଲିଛନ୍ତି । ସେମିତି ଜୋଡ଼ି ବାନ୍ଧିବାର ପ୍ରେରଣା ହେଲେ ଚକୁଆ ଚକୋଈ ଭଳି କୋଉ ପକ୍ଷୀ ଥରେ ଜୋଡ଼ି ବାନ୍ଧି ଜୀବନଯାକ ଏକାଠି ରହୁଛନ୍ତି ତ କାଉ, ବଣିଙ୍କ ଭଳି କିଏ ଗୋଟାଏ ମୌସମ ପାଇଁ ଯୋଡ଼ି ବାନ୍ଧନ୍ତି; ଛୁଆ ଉଡ଼ିଗଲା ପରେ ପୁଣି ଯେଝା ବାଟରେ ଯେ । ପ୍ରତ୍ୟେକ ଜାତିର ପକ୍ଷୀଙ୍କ ଯାହା ରୀତି ଚଳିଆସିଛି, ତାକୁ ହିଁ ପ୍ରାୟ ସମସ୍ତେ ଆପେ ଆପେ ଅନୁସରଣ କରୁଛନ୍ତି–କ୍ୱଚିତ୍‌ କେତେବେଳେ ବ୍ୟତିକ୍ରମ ଦେଖାଯାଉଛି ।

 

ସ୍ତନ୍ୟପାୟୀ ପ୍ରାଣୀମାନଙ୍କର ଶିଖିବାର ପରିସର ଅନେକ ବେଶୀ । ବିଲୋଇଛୁଆ ତାଙ୍କର ମା’ଠୁଁ ଶିକାରର କୌଶଳ ଶିଖନ୍ତି । କେଉଁଠି ବିପଦ ଅଛି, କେଉଁଠି ନାହିଁ ସେସବୁ ମଧ୍ୟ ଶିଖନ୍ତି । ଖେଳ ମାଧ୍ୟମରେ ସେମାନେ ଶିକାର ଓ ଲଢ଼େଇର କୌଶଳସବୁକୁ ବାରମ୍ୱାର ଅଭ୍ୟାସ କରି ଆୟତ୍ତ କରନ୍ତି । କୁକୁର, ଘୋଡ଼ା ଆଦିଙ୍କୁ ମଣିଷ ନାନାପ୍ରକାରର କାମ ଓ ଖେଳ ଶିଖାଇପାରେ । ଏସବୁ ସତ୍ତ୍ୱେ ସେମାନଙ୍କର ଜୀବନ ବି ଗୋଟାଏ ଗୋଟାଏ ନିର୍ଦ୍ଦିଷ୍ଟ ଗତରେ ବନ୍ଧା-। ମାଈ ବିଲେଇ ଘରକୁ ଆଦରି ରହିବ; ତା’ର ଅନୁରକ୍ତି ବ୍ୟକ୍ତି ପ୍ରତି ନୁହେଁ । ଅଣ୍ଡିରାଛୁଆ ବଡ଼ ହେଲେ ଭୁଆ ହେଇ ସାଇ ବୁଲି ଅନ୍ୟ ଭୁଆଙ୍କ ସାଙ୍ଗରେ କଳି କରିବ । ବିଲେଇର ଛୁଆ ହେଲେ ସେ ତାଙ୍କୁ ସାତ ଜାଗା ଲୁଚେଇବ । ହରିଣପଲର ତଳଣିର ନିର୍ଦ୍ଦିଷ୍ଟ ନିୟମ ଅଛି । ମଇଁଷିପଲର ବି ଅଛି; ମାତ୍ର ତାହା ହରିଣଙ୍କଠୁଁ ଭିନେ । ସିଂହମାନେ ଦଳ ବାନ୍ଧି ରହନ୍ତି; ମାତ୍ର ବାଘମାନେ ସେପରି ନୁହନ୍ତି । ବାଘ ଓ ସିଂହଙ୍କର ଶିକାର କରିବା ଢଙ୍ଗ ଭିନେ । ଭାଲୁର ଆଉ ପ୍ରକାରେ । ଗାଈ ଓ ଘୋଡ଼ାଙ୍କର ଘାସ ଚରିବା ଢଙ୍ଗ ଭିନେ–ଗାଈ ପାକୁଳି କରୁଥିବାରୁ ଶୀଘ୍ର ଶୀଘ୍ର ଘାସପତର ଛିଡ଼େଇ ପାକୁଳିଥଳି ଭରିନିଏ; ମାତ୍ର ଘୋଡ଼ା ସେପରି କରିପାରେ ନାହିଁ ।

 

ବିପଦର ସମ୍ଭାବନା ଦେଖିଲେ, କ୍ରୁଦ୍ଧ ହେଲେ, ଜୋଡ଼ି ବାନ୍ଧିବାର ମୌସମ ଆସିଲେ, ଭୋକ ହେଲେ, ପ୍ରତ୍ୟେକ ଜାତିର ପ୍ରାଣୀ ତା’ର ଜାତିର ପ୍ରାଣୀ ତା’ର ଜାତିର ନିଜସ୍ୱ ଢଙ୍ଗରେ ଆଚରଣ କରେ । ପାରିପାର୍ଶ୍ୱିକ ପରିସ୍ଥିତି, ଜଳବାୟୁ ବଦଳିବା ଯୋଗୁଁ ଏ ଢଙ୍ଗରେ କିଛି କିଛି ପରିବର୍ତ୍ତନ ଘଟିବାର ଦେଖାଯାଇଛି; ମାତ୍ର ତାହା ଘନ ଘନ ହେବାର ଦେଖାଯାଏ ନାହିଁ ଓ ଜାତିର ସମଗ୍ର ଚାଲିଚଳଣରେ ସେଥିଯୋଗୁଁ କୌଣସି ବଡ଼ ଧରଣର ପରିବର୍ତ୍ତନ ଘଟେ ନାହିଁ ।

 

ମଣିଷର ସମାଜରେ ମଧ୍ୟ ସେମିତି ଚାଲିଚଳଣ, ରୀତିନୀତି ଓ ଚରିତ୍ରର ପାର୍ଥକ୍ୟ ଦେଖାଯାଏ । ଏ ପାର୍ଥକ୍ୟ ଏତେ ବେଶୀ ଥାଏ ଯେ ପ୍ରାଚୀନ କାଳରେ ମନେକରାଯାଉଥିଲା–ଈଶ୍ୱର ବିଭିନ୍ନ ଜାତି ଓ ଗୋଷ୍ଠୀର ମଣିଷଙ୍କୁ ଅଲଗା ଅଲଗା କରି ଭିନେ ଭିନେ ସ୍ୱଭାବଚରିତ୍ର ଦେଇ ସୃଷ୍ଟି କରିଛନ୍ତି । ଗୀତାରେ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୁଦ୍ରଙ୍କର ସ୍ୱଭାବ-ଚରିତ୍ର ବର୍ଣ୍ଣନା କରାଯାଇଛି ଓ ଏସବୁ ଭଗବାନ ସୃଷ୍ଟି କରିଛନ୍ତି ବୋଲି କୁହାଯାଇଛି । ପ୍ରକୃତରେ ରାଜାରାଜୁଡ଼ାବଂଶର ଲୋକଙ୍କର ଚରିତ୍ର ଗୋଟାଏ ପ୍ରକାର; ବଂଶମର୍ଯ୍ୟାଦାବୋଧ, ରାଜରୋଷ ଜାଣି ସବୁବେଳେ ନାକ ଅଗରେ ରହିଛି । କଥାକଥାକେ ଧରିଆଣ, ବାନ୍ଧିଆଣ; କଥାକଥାକେ ଖଣ୍ଡା ବାହାରିବ । ପୁଣି ତୋଷହେଲେ ତ ଭଣ୍ଡାର ମୁକୁଳା–ଯାହାର ଯାହା ଲୋଡ଼ା, ନେଇ ଯା । ପ୍ରତି କଥାରେ ବୈଭବ ଦେଖାଇବାକୁ ହେବ । ଲର୍ଡ ମାଉଣ୍ଟବ୍ୟାଟେନ୍‌ ଭାରତର ବଡ଼ଲାଟ ହେଇ ଆସିଲେ । ପୁରୁଣା ରାଜବଂଶର ଲୋକ; ଆସି ତୁରନ୍ତ ହୁକୁମ କଲେ–ବଡ଼ଲାଟ କୋଠିର ସବୁ କର୍ମଚାରୀ, ଅମଲା, ପାଇକ, ଚପରାସୀ ସବୁବେଳେ ଝକମକ୍‌ ପୂରା ପୋଷାକ ପିନ୍ଧି କାରବାର ହେବେ ।

 

ବେପାରୀ ବ୍ୟବସାୟୀର ମିଞ୍ଜାସ ଦେଖେଇଲେ ଚଳେନାହିଁ । ତା’ର ସବୁବେଳେ ମଧୁର ହସ, ମିଠା କାରବାର, କ୍ଷମତାବାଲାଙ୍କ ପାଖରେ ଯୋଡ଼ହସ୍ତ । ତେଣିକି ଯାହା ଦେଖିଲା କାମ ସେସବୁ ଟଙ୍କା ପଇସା, ଦରଦାମ ବାଟେ । ଚାଷୀବାପୁଡ଼ା କାହାର ଖାଉଛି ନା କାହାର ଧାରୁଛି । ତାର ରୋକଠୋକ କଥା, ସିଧା ଚଳଣ; କିନ୍ତୁ ରାଜା ଜମିଦାର ହାବୁଡ଼ରେ ପଡ଼ିଲେ ଅଣ୍ଟା ଭାଙ୍ଗି ଠିଆ ନ ହେଇ ଗତି ନାହିଁ । ମୂଲିଆ ବିଚରା ତ ସମସ୍ତଙ୍କର ଘୂଅମୂତ ପୋଛି ବଞ୍ଚିବା କଥା । ତା’ର ରାଗ-ରୋଷ ରହିଲେ କୋଉଠୁ ଚଳିବ ? ସବୁବେଳେ ସମସ୍ତଙ୍କ ଠେଇଁ ନିଊନ । ଗାଳିମାଡ଼ ଖାଇଲେ ବି ଦାନ୍ତନେଫେଡ଼ା ହସ ।

 

ହିମାଚଳର ଜୌନସର-ବାଓ୍ୱର ଅଞ୍ଚଳରେ ବଡ଼ଭାଇ ବାହା ହେଇ ଘରକୁ ବୋହୂ ଆଣିଲେ ଆଉ ସବୁ ଭାଇଙ୍କର ତା’ ଠେଇଁ ଅଧିକାର । ସେ ସବୁ ଭାଇଙ୍କର ଭାରିଯା । କିଏ ଯଦି ନିଜ ଭାରିଯାକୁ ଧରି ଅଲଗା ଘର କରିବ ବୋଲି ବିଚାରିବେ । ସାନ୍ତାଳ ପୁଅ-ଝିଅ ବାହା ହେବାକୁ ମନ କଲେ ପୁଅ ସେ ଝିଅକୁ ଜୋରକରି ଧରିନେଇଯିବାର ଅଭିନୟ କରିବ । ଝିଅର ବାପଭାଇ ଆସି ତା’କୁ ବାଧା ଦେବେ; ମାରପିଟର ଅଭିନୟ ହେବ ଓ ପୁଣି ଦୁଇ ପରିବାର ବସି ଦେବା-ନେବା କଥା ଛିଣ୍ଡି ବାହାଘର କଥା ନିଷ୍ପତ୍ତି ହେବ । ଓଡ଼ିଆ ଗାଁର କରଣ ଘରେ ପୁଅଝିଅ ବିଭାଯୋଗ୍ୟ ହେଲେ ସେମାନଙ୍କର ନିଜର ସେଥିରେ କିଛି କରତବ ନ ଥିବ–ବାପ-ମା’ ତାଙ୍କ ପାଇଁ ଯାହା କରିବାର କରିବେ ।

 

କୋଉ ଜାତିର ଲୋକ କଥାକଥାକେ ଟାଙ୍ଗିଆ ଉଠେଇ ମୁଣ୍ଡ ଉଡ଼େଇଦିଅନ୍ତି ତ ଆଉ କାହାର ସବୁବେଳେ କାହାଠୁଁ କିଏ କେତେ ପାଇବ, କିଏ କେତେ ଦେବ ତା’ରି ହିସାବ ଲାଗିଛି । କିଏ ସବୁବେଳେ ନାଚଗୀତରେ ମାତିରହୁଛନ୍ତି ତ ଆଉ କୋଉ ଜାତିରେ ସବୁବେଳେ ପଡ଼ିଶା ଗାଁବାଲାଙ୍କ ସାଙ୍ଗରେ ଲଢ଼େଇ ଲାଗିଛି । ଆଦିବାସୀ ସମାଜମାନଙ୍କରେ ଏସବୁ ବିଭିନ୍ନତା ବେଶୀ ଦେଖାଯାଏ । ପ୍ରାଚୀନ କାଳରେ ଏସବୁ ଯୋଗୁଁ ଭିନ୍ନ ଭିନ୍ନ ଜାତିର ମଣିଷଙ୍କୁ ଭିନ୍ନ ଭିନ୍ନ ପ୍ରକାରର ଜୀବ ବୋଲି ହିଁ ମନେକରାଯାଉଥିଲା । ନର, ବାନର, କିନ୍ନର, ଗନ୍ଧର୍ବ, ଅସୁର, ରାକ୍ଷସ, ଦାନବ–ଏସବୁ ନାମକରଣ ଏଇ ଧାରଣାର ଦ୍ୟୋତକ ଥିଲା ।

 

ଆର୍ଯ୍ୟମାନେ ନିଜକୁ ଶ୍ରେଷ୍ଠ ଜାତି ବୋଲି ବିଚାରୁଥିଲେ ଓ ସେହି ବିଶ୍ୱାସର ବଶବର୍ତ୍ତୀ ହେଇ ହିଟଲର୍‌ ଷାଠିଏ ଲକ୍ଷ ଇହୁଦୀଙ୍କୁ ୟୁରୋପରୁ ନିପାତ କଲା । ତା’ର ବକ୍ତବ୍ୟ ହେଲା ଯେ ଇହୁଦୀ ନିକୃଷ୍ଟ ଜାତି ଓ ସେମାନଙ୍କ ସଂସ୍ପର୍ଶରେ ୟୁରୋପର ଆର୍ଯ୍ୟସଭ୍ୟତା ଅଧଃପତିତ ହେଇଯିବ-। ଏବେ ବି ଏଇ ବିଶ୍ୱାସର ପ୍ରଭାବରେ ଦକ୍ଷିଣ-ଆଫ୍ରିକା ଓ ରୋଡ଼େସିଆରେ କଳାମାନଙ୍କୁ ଦ୍ୱିତୀୟ ଶ୍ରେଣୀର ନାଗରିକ କରି ରଖାଯାଇଛି ।

 

ମାତ୍ର ଏବେ ଜୀବିବିଜ୍ଞାନ, ନୃତତ୍ତ୍ୱ, ମାନବବଂଶବିଦ୍ୟା, ମନୋବିଜ୍ଞାନ ଆଦି ବିବିଧ ଧାରାରେ ଅଧ୍ୟୟନ ଓ ଗବେଷଣା ଦ୍ୱାରା ଏହା ସର୍ବବାଦୀସମ୍ମତ ରୂପେ ସାବ୍ୟସ୍ତ ହେଇସାରିଲାଣି ଯେ ପୃଥିବୀଯାକରେ କଳା, ମାଟିଆ, ହଳଦିଆ, ତମ୍ୱାଳିଆ, ଗୋରା ଆଦି ଯେତେ ରଙ୍ଗର ଯେତେ ଜାତିର ମଣିଷ ଅଛନ୍ତି, ସେମାନେ ସମସ୍ତେ ଗୋଟିଏ ମୂଳ ମାନବବଂଶର ଶାଖା-ପ୍ରଶାଖା । ଗୋଟିଏ ମୂଳ ଗୋଷ୍ଠୀର ଶାଖା ସାରା ପୃଥିବୀରେ ଖେଳେଇ ହେଇ ଜଳବାୟୁର ପ୍ରଭାବ ଓ ଜୀନ୍‌ର (gene) ପରିବର୍ତ୍ତନ ଯୋଗୁଁ ନାନା ରୂପ ଧରିଛନ୍ତି । ସମସ୍ତଙ୍କର ମାନସିକ ରଚନା ଏକପ୍ରକାରର; ବିଭିନ୍ନ ଜାତି ବର୍ଣ୍ଣଙ୍କ ଭିତରେ କୌଣସି ଆଖି ଦୁରୁଶିଆ ପାର୍ଥକ୍ୟ ଥିବାର ଧରାପଡ଼ିନାହିଁ ।

 

ଦୁନିଆଯାକରେ ଦେଶ ଦେଶ ଭିତରେ ଆମେ ଚାଲିଚଳଣ, ରୀତିନୀତି, ସ୍ୱଭାବଚରିତ୍ରରେ ଯେଉଁ ସବୁ ଅସୁମାରି ପ୍ରକାରଭେଦ ଦେଖୁଁ, ସେସବୁର କାରଣ ସେମାନଙ୍କର ଚମଡ଼ାର ରଙ୍ଗରେ ନ ଥାଏ କି ସେମାନଙ୍କର ରକ୍ତର ପ୍ରକାରରେ । ସେସବୁର କାରଣ ରହିଛି ସେମାନଙ୍କର ସମାଜବ୍ୟବସ୍ଥାରେ । ସେ ବ୍ୟବସ୍ଥା ପଛରେ ଥିବା ମୂଲ୍ୟବୋଧ, ଆର୍ଥିକ ବ୍ୟବସ୍ଥା ଆଦିର ଫେଣ୍ଟା-ଫେଣ୍ଟିରେ । ଅନ୍ୟାନ୍ୟ ପ୍ରାଣୀମାନଙ୍କର ଜୀବନ, ସେମାନଙ୍କର ପ୍ରବୃତ୍ତିମାନଙ୍କର ଅଭିବ୍ୟକ୍ତି ଯେପରି ପ୍ରତ୍ୟେକ ପ୍ରାଣୀ ଜାତିର ଦେହ-ମନର ରଚନା ଅନୁସାରେ ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ଗତରେ ବନ୍ଧା ମଣିଷର ସେପରି ନୁହେ । ମହୁମାଛି, ପକ୍ଷୀ ବା ବିଲେଇ ଭଳି ଆଚରଣର କେତେଗୁଡ଼ାକ ଧରାବନ୍ଧା ଛାଞ୍ଚ ନେଇ ମଣିଷ-ଶିଶୁ ଜନ୍ମ ହୁଏ ନାହିଁ । ପ୍ରତ୍ୟେକ କାମ, ପ୍ରତ୍ୟେକ ଆଚରଣ ତା’କୁ ଶିଖିବାକୁ ହୁଏ ଅଳ୍ପ ଚାରି ପାଞ୍ଚୋଟି ଛଡ଼ା । ଏ ଅଳ୍ପ କେତୋଟି ଭିତରୁ ଗୋଟାଏ ହେଲା ମା’ର ସ୍ତନ ଚୁଚୁମିବା । ଏତକ ବିଦ୍ୟା ଜନ୍ମରୁ ନ ଥିଲେ ମଣିଷଶିଶୁ ବଞ୍ଚି ହିଁ ପାରନ୍ତା ନାହିଁ । ଆଉ ଗୋଟାଏ ହେଲା ପଡ଼ିଯିବା ପରି ଅନୁଭବ କଲେ ହାତ ମୁଠା କରିବା । ମାଙ୍କଡ଼ଛୁଆ ତା’ ମା’ର ଛାତିର ରୁମକୁ ଏପରି ଚିମୁଟି ଧରିଥାଏ ଯେ ମା’ ଏ ଗଛରୁ ସେ ଗଛକୁ କୁଦା ମାରିବାବେଳେ ବି ଛୁଆ ନିଦକ ରହିଥାଏ । ମଣିଷଛୁଆ ଭୟରେ ହାତମୁଠା କରିବା ଏଇ ପୂର୍ବ ଇତିହାସର ଜୈବ ସ୍ମୃତି । ଏହିପରି ଆଉ ଦୁଇ ଚାରୋଟି ଛୋଟକାଟିଆ କାମ ମଣିଷଶିଶୁ ଜନ୍ମରୁ କରିପାରେ; ବାକି ସବୁ ସେ ଶିଖେ ।

 

ମଣିଷ ଏ ପ୍ରକାରର ‘ଖୋଲା ମସ୍ତିଷ୍କ’ ନେଇ ଜନ୍ମ ହେବାର ତାତ୍ପର୍ଯ୍ୟ ହେଲା ଯେ ପ୍ରତ୍ୟେକ ପରିସ୍ଥିତିର ସାମନା କରିବା ପାଇଁ, ପ୍ରତ୍ୟେକ ସମସ୍ୟାର ସମାଧାନ ପାଇଁ ସେ ତା’ର ସହଜାତ ପ୍ରବୃତ୍ତିଗୁଡ଼ିକ ସାଙ୍ଗକୁ ତା’ର ବୁଦ୍ଧି କଳ୍ପନାଶକ୍ତିକୁ ମଧ୍ୟ ବ୍ୟବହାର କରିପାରିବ । ଅନ୍ୟ ଜୀବମାନଙ୍କ ପରି ମଧ୍ୟ ତା’ର ସ୍ନେହ, ଦ୍ୱେଷ, ଭୟ, କ୍ରୋଧ, ଭୋକଶୋଷ, କାମପ୍ରବୃତ୍ତି ପ୍ରଭୃତି ରହିଛି । ଏଥିରେ ସେ ଅନ୍ୟ ଜୀବମାନଙ୍କଠାରୁ, ବିଶେଷ କରି ସ୍ତନ୍ୟାପାୟୀମାନଙ୍କଠାରୁ, ଭିନେ ନୁହେଁ । ମାତ୍ର ଅନ୍ୟ ଜୀବଙ୍କ ପରି ତା’ର ଏ ସବୁ ସହଜାତ ବୃତ୍ତିର ଅଭିବ୍ୟକ୍ତି ନିର୍ଦ୍ଦିଷ୍ଟ ଗତରେ ବନ୍ଧା ନୁହେଁ ।

 

ଗାଈକୁ ଭୋକ କଲେ ସେ ଚାରିଆଡ଼େ ଆଖି ବୁଲାଏ ଓ ଘାସ ପତର ଆଖିରେ ପଡ଼ିଲେ ତୁରନ୍ତ ଯାଇ ମୁହଁ ଲଗେଇଦିଏ; ମାତ୍ର ମଣିଷ ସେପରି କରେ ନାହିଁ । ସେ ଖାଦ୍ୟ ସଂଗ୍ରହ ପାଇଁ ବହୁ ପୂର୍ବରୁ ଯୋଜନା କରେ । ଆସନ୍ତା ବର୍ଷପାଇଁ ଏବେଠୁଁ ଚାଷ କରେ । ପିଲାଙ୍କୁ ବାର ପନ୍ଦର ବର୍ଷଯାଏ ପାଠ ପଢ଼େଇ ଚାକିରି ପାଇଁ ପ୍ରସ୍ତୁତ କରେ; ଯେପରି କି ସେ ପଇସା ରୋଜଗାର କରି ଖାଦ୍ୟ କିଣିବ । ଖାଦ୍ୟ ମଧ୍ୟ ସେ ଦେଖିବାମାତ୍ରେ ଖାଇବାକୁ ଲାଗିଯାଏ ନାହିଁ । ନାନାପ୍ରକାରର ନୀତି-ନିୟମ ଅନୁସାରେ ସେ ଖାଇବସେ । ବେଳେବେଳେ ଖାଦ୍ୟ ଥିଲେ ମଧ୍ୟ ସେ ଉପାସ ରହିବା ପସନ୍ଦ କରେ ।

 

(୨)

 

ଏହିପରି ଭାବରେ ମଣିଷ ଦେହ ଆଉ ଏକପ୍ରକାରର ମୁକ୍ତିର ମାଧ୍ୟମ । ଅନ୍ୟ ଜୀବମାନଙ୍କର ଯେଉଁ ସ୍ୱାଧୀନତା ନାହିଁ, ସେ ସ୍ୱାଧୀନତା ମଣିଷ ପାଇଛି । ସେ ନିଜର ଆଚରଣକୁ, ନିଜର ପ୍ରବୃତ୍ତିମାନଙ୍କୁ ନିୟନ୍ତ୍ରଣ କରିପାରେ । ଆଚରଣ ଓ ଅଭିବ୍ୟକ୍ତିର ନୂଆ ନୂଆ ଶୈଳୀ ଉଦ୍‌ଭାବନ କରିପାରେ । ଅନ୍ୟ ମଣିଷ, ଅନ୍ୟ ପ୍ରାଣୀ ଓ ସାରା ସୃଷ୍ଟି ସହିତ ନିଜର ସମ୍ୱନ୍ଧକୁ ନୂଆ ନୂଆ ରୂପ ଦେଇପାରେ । ଏଇ ସ୍ୱାଧୀନତା ଫଳରେ ମଣିଷ ମହାତ୍ମା ବି ହେଇପାରେ–ଯୀଶୁ, ବୁଦ୍ଧଙ୍କ ଭଳି ଓ ପୁଣି ହେଇପାରେ ଚେଙ୍ଗିଜ୍‍ ଖାଁ, ହିଟଲର୍‌ ପରି ନରପିଶାଚ ମଧ୍ୟ ।

 

ମାତ୍ର ତା’ର ସ୍ୱାଧୀନତା ମଣିଷକୁ ଆପେ ଆପେ ଜଣା ନ ଥାଏ; ତା’କୁ ତାହା ଆବିଷ୍କାର କରିବାକୁ ପଡ଼େ, ବ୍ୟବହାର କରି ଶିଖିବାକୁ ପଡ଼େ । କୋଟି କୋଟି ଲୋକ ଜନ୍ମ ହେଇ ଦୁନିଆରେ ନିଜର ସାରା ଜୀବନ ବିତେଇଛନ୍ତି; ମାତ୍ର ନିଜର ଏ ସ୍ୱାଧୀନତା ବିଷୟରେ ସଚେତନ ହେଇ ପାରିନାହାନ୍ତି-ଯେମିତି କୋଟି କୋଟି ଲୋକ ସାରା ଜୀବନ ନିରକ୍ଷର ରହିଯାଉଛନ୍ତି, ଜାଣି ବି ଜାଣିପାରୁନାହାନ୍ତି ଯେ ଜ୍ଞାନ-ବିଜ୍ଞାନ, ସାହିତ୍ୟ, ଦର୍ଶନର ଉଚ୍ଚତମ ସାଫଲ୍ୟସବୁକୁ ଆୟତ୍ତ କରିବାର ଶକ୍ତି ସେମାନଙ୍କ ଭିତରେ ରହିଛି ।

 

କେତେଗୁଡ଼ାଏ ଆଦିବାସୀ ସମାଜର ଉଲ୍ଲେଖ ପୂର୍ବ ଅଧ୍ୟାୟରେ କରାହେଇଥିଲା । ଏପରି ସବୁ ସମାଜର ରୂପ ଏବେ ଯାହା ଦେଖିବାକୁ ମିଳିଛି, ତାହା ଗଢ଼ିଉଠିବାକୁ କେଜାଣି କେତେ ହଜାର ବର୍ଷ ବିତିଯାଇଥିବ । କେମିତି ଗୋଟାଏ ଗୋଟାଏ ସମାଜର ଖାସ୍‌ ରୂପର ବିକାଶ ହେଲା ତା’ର ଇତିହାସ ଚିରଦିନ ପାଇଁ ହଜିଯାଇଛି । ତେବେ ସେ ବିକାଶ ଅତି ଧୀରେ ଧୀରେ ହେଇଥିବ-। ସମାଜର ରୂପ ବଦଳୁଛି ବୋଲି ଲୋକେ ଜାଣି ବି ପାରିନଥିବେ । ହଜାର ବର୍ଷ ଧରି ତାହା ପ୍ରାୟ ଏକାପରି ରହିଆସିଥିବ । ଗୋଷ୍ଠୀର ରୀତିନୀତି, ମୂଲ୍ୟବୋଧ ଅନୁସାରେ ପ୍ରତ୍ୟେକ ଗୋଷ୍ଠୀର ଲୋକଙ୍କର ଚରିତ୍ରରେ କେତେକ ବିଶେଷତ୍ୱର ବିକାଶ ହେଇଛି । କିଏ ଶାନ୍ତିପ୍ରିୟ, ଉଦାର, କିଏ କଳହପ୍ରିୟ, କିଏ ଆମୋଦପ୍ରିୟ ତ କିଏ ଯୁଦ୍ଧଖୋର । ଏମିତି ସବୁ ଜାତିଜାତିକା ଚରିତ୍ର । ସମାଜର ଯେଉଁ ଛାଞ୍ଚ ତିଆରି ହେଇଯାଇଛି, ତା’ ଭିତରେ ବ୍ୟକ୍ତିର ଅନ୍ତର୍ନିହିତ ପ୍ରବୃତ୍ତିଗୁଡ଼ାକ ଖାସ୍‌ ଢାଞ୍ଚାରେ ପଡ଼ିଯାଇଛନ୍ତି । କେଉଁଟାର ବିକାଶ ପାଇଁ ଭଲ ସୁଯୋଗ ମିଳିଛି ତ କେଉଁଟା ଚାପି ହେଇଯାଇଛି । ଏମିତି ଭାବରେ ଗୋଟାଏ ଗୋଟାଏ ଗୋଷ୍ଠୀର ବିଶିଷ୍ଟ ଚାରିତ୍ରିକ ଲକ୍ଷଣ ଗଢ଼ିଉଠିଛି । ସମାଜ-ଜୀବନର ଏଇ ଛାଞ୍ଚ ଭିତରେ ବ୍ୟକ୍ତିର ବିଶେଷ ଚରିତ୍ର ମଧ୍ୟ ଯେତିକି ଅବସର ପାଇଛି, ସେତିକି ବିକଶିତ ହେଇପାରିଛି ।

 

ସମାଜ ଯେତେବେଳେ ସାନ ଥିଲା, ସେତେବେଳେ ବ୍ୟକ୍ତିକୁ ସମାଜ ଛାଞ୍ଚର ଚୌହଦି ଭିତରେ ରଖିବାର ସମସ୍ୟା ସେତେ କଠିନ ନଥିଲା । ମାତ୍ର ସମାଜ ବୃହତ୍‌ ଓ ଜଟିଳ ହେବା ସାଙ୍ଗେ ସାଙ୍ଗେ ଏ ସମସ୍ୟା ବଢ଼ିଲା । ଜଟିଳତାର ପ୍ରଧାନ କାରଣ ହେଲା ଉତ୍ପାଦନର ଅଧିକ ସକ୍ଷମ ପନ୍ଥା ଓ ଶ୍ରେଣୀ ବିଭାଗର ଉତ୍ପତ୍ତି । ଶ୍ରେଣୀବିଭକ୍ତ ସମାଜର ଅର୍ଥ ହେଲା ଯେ କେତେକ ଲୋକ ନିଜେ ପରିଶ୍ରମ ନ କରି ଅନ୍ୟମାନଙ୍କ ଦ୍ୱାରା ନିଜର ଆବଶ୍ୟକତା ପୂରଣ କରାଇ ନେଇପାରିବା ଅବସ୍ଥାରେ ଥିବେ । ତେଣୁ ଏଭଳି ସମାଜରେ ଏ ପ୍ରଶ୍ନ ଖୁବ୍‌ ଜୋରଦାର ଭାବରେ ଉଠିଲା ଯେ ଜଣକର ଇଚ୍ଛା ଅନୁସାରେ ଅନ୍ୟମାନଙ୍କୁ କାମ କରିବା ପାଇଁ କିପରି ବାଧ୍ୟ କରାଯିବ ।

 

ନିଜର ଖିଆଲ ଖୁସିକୁ ସଂଯତ କରି କୌଣସି ସମୂହ କାମରେ ସହଯୋଗ କରିବାର କଥା ତ ମୂଳରୁ ମଣିଷ ଆଗରେ ଥିଲା; ବରଂ ଓଲଟାଟା ହିଁ ଥିଲା । ବଞ୍ଚିରହିବା ପାଇଁ ଶିକାର କରିବା, ବନ୍ୟଜନ୍ତୁର ଆକ୍ରମଣରୁ ଆତ୍ମରକ୍ଷା କରିବା, ଏ ବଣରୁ ସେ ବଣକୁ ଯିବା ଆଦି କାମ ତ ସମୂହଭାବରେ କରିବାଟା ହିଁ ସ୍ୱାଭାବିକ ରୀତି ଥିଲା; ମଣିଷର ପ୍ରାଥମିକ ମାନସିକତା । ସେଥିରୁ ବ୍ୟକ୍ତିଗତ ଖିଆଲ ଖୁସିର ଉଦ୍ଭବ ପରେ ଧୀରେ ଧୀରେ ହେଲା । କୃଷିସମାଜ ଗଢ଼ିଉଠିବା ପରେ ନଈବନ୍ଧ ବାନ୍ଧିବା, ପାଣିନାଳ ଖୋଳିବା, ବଣ କାଟି ସଫା କରିବା ଆଦି କାମ ବସତିଯାକର ଲୋକଙ୍କୁ ମିଶି କରିବାକୁ ପଡ଼ୁଥିବ ଓ ତା’ର ଆବଶ୍ୟକତା ଲୋକେ ସହଜରେ ଉପଲବ୍‌ଧି କରୁଥିବେ । କାହାରି ମୁଣ୍ଡକୁ ଏଭଳି ଏକ ନୂଆ କଳ୍ପନା ଆସିଲେ ସେ ଅନ୍ୟମାନଙ୍କୁ ଡାକି ବୁଝାଉଥିବ ଓ ପରସ୍ପର ଆଲୋଚନା ପରେ କଥାଟା ସମସ୍ତଙ୍କ ମନକୁ ପାଇଗଲେ ସମସ୍ତେ ସେ କାମରେ ଲାଗିଯାଉଥିବେ ।

 

ମଣିଷ ନିଜ ମନକୁ ଯାହା କରିବାକୁ ଚାହୁଁ ନ ଥିବ, ତା’କୁ ସେ କାମ କରେଇବା ପାଇଁ ଏ ହେଲା ଗୋଟାଏ ପ୍ରକାରର ପନ୍ଥା–ତା’କୁ ବୁଝେଇବା, ଖୋସାମତ କରିବା, ତା’ର ଗୋଷ୍ଠୀଭାବନାକୁ, ତା’ର ଅନ୍ୟକୁ ସାହାଯ୍ୟ କରିବା ବୃତ୍ତିକୁ ଆବେଦନ ଜଣାଇବା ଇତ୍ୟାଦି । ‘ଆମ ଗାଁ’ ‘ଆମ ଦେଶ’ ଆଦି ଭାବନାରୁ ଆରମ୍ଭ କରି ମହାପୁରୁଷ, ପୈଗମ୍ୱରମାନେ ପ୍ରଚାର କରିଥିବା ‘‘ଆମେ ସମସ୍ତେ ଏକ ପରମାତ୍ମାଙ୍କର ସନ୍ତାନ’’ର ବିଚାରଯାଏ ସବୁ ପ୍ରେରକ ଭାବନାର ଜନ୍ମ ଏଇଥିରୁ ।

 

ଏହା ସାଙ୍ଗକୁ ଜଟିଳ ଶ୍ରେଣୀ ସମାଜରେ ଆଉ ପ୍ରକାରର ପ୍ରେରଣା ବି ଲୋଡ଼ା ହେଲା । ଯେତେ ବାପରେ ଧନରେ କଲେ ବି ଜଣେ ଦିନ ପରେ ଦିନ ବର୍ଷ ପରେ ବର୍ଷ ମୋ ଜମିରେ ଖଟି ଫସଲର ଅଧେ ଭାଗ ମୋ ଖଳାରେ ଥୋଇଦେଇଯିବ କାହିଁକି ? ସେଥିପାଇଁ ଅନ୍ୟ ପନ୍ଥା ଲୋଡ଼ା-। ଜମିର ମାଲିକାନା ସେ ପନ୍ଥା ଯୋଗାଇଲା । ଯଦି ମୁଁ ସବୁଯାକ ବା ଯଥେଷ୍ଟ ବେଶୀ ଜମିର ମାଲିକ ହେଇଥିବି ଓ ପାଇକ, ଠେଙ୍ଗା ବଳରେ ମୋର ମାଲିକାନା ସାବ୍ୟସ୍ତ କରି ପାରୁଥିବି ତେବେ ବିନା ବାଡ଼େ ଅନ୍ୟମାନେ ମୋ ଜମିରେ ମୂଲ ଖଟିବାକୁ ନ ହେଲେ ଭାଗ ଚଷିବାକୁ ଆସିବେ । ତେଣୁ ଏଇ ମାଲିକାନାର ଛାଞ୍ଚ ଭିତରେ ଭାଗ ଓ ମଜୁରି ମଣିଷକୁ କାମ କରିବାକୁ ପ୍ରବର୍ତ୍ତେଇବାର ମାଧ୍ୟମ ହେଲା ।

 

ରାଜା ବାଦଶାହ ନିଜର ବୈଭବ ଦେଖେଇବା ପାଇଁ ପ୍ରାସାଦ, ମନ୍ଦିର, ପୀରାମିଡ଼ ଆଦି ତିଆରି କରିବାକୁ ଚାହିଁଲେ; ଦେଶଜୟ କରିବାକୁ ଚାହିଁଲେ । ସେଥିପାଇଁ ଏକତ୍ର ହଜାର ହଜାର ଶ୍ରମିକ କାମ କରିବା, ହଜାର ହଜାର ସୈନ୍ୟ ଶୃଙ୍ଖଳିତ ଭାବରେ ଲଢ଼ିବାର ଆବଶ୍ୟକତା ଉପୁଜିଲା-। ଏଥିପାଇଁ ମଜୁରି, ବେଠି, ଦାସତ୍ୱ ପ୍ରଥା ଓ କୋରଡ଼ାମାଡ଼ଠାରୁ ମୁଣ୍ଡକଟା ଯାଏ ଯାବତ୍‌ ଦଣ୍ଡର ବ୍ୟବସ୍ଥା ପରିପକ୍ୱ ରୂପ ଧରିଲା । ଏ ବ୍ୟବସ୍ଥାକୁ ଚଳେଇବା ପାଇଁ ଓ ଶ୍ରମିକମାନଙ୍କର କାମର ତଦାରଖ ପାଇଁ ଅମଲାତନ୍ତ୍ରର ଉଭବ ହେଲା ।

 

ଏ ଦୁଇ ପ୍ରକାରର ପ୍ରେରଣା ପନ୍ଥା ଯେ ପରସ୍ପରଠାରୁ ପୂରା ଅଲଗା ଅଲଗା ରହିଥିଲେ ତାହା ନୁହେଁ । ଏସବୁ ମିଶିମାଶି ଚାଲିଥିଲା । ସମସ୍ତଙ୍କ କାମରେ ଆସୁଥିବା ବନ୍ଧ ବା ପୋଖରୀ ବି ଲୋକଙ୍କର ସ୍ୱତଃ ସହଯୋଗକୁ ଅପେକ୍ଷା ନ କରି ରାଜାଙ୍କର ଆଦେଶରେ, ତତ୍ତ୍ୱାବଧାନରେ ନିର୍ମାଣ କରାଯାଉଥିଲା । ଅନ୍ୟ ରାଜାର ଆକ୍ରମଣରୁ ରକ୍ଷାପାଇବା ପାଇଁ ଲୋକେ ରାଜାର ପାଇକଦଳରେ ଯୋଗଦେବା ଆବଶ୍ୟକ ମଣୁଥିଲେ ଓ ପୁଣି ରାଜ୍ୟ ଜୟ କଲେ ଲୁଟପାଟ ଓ ‘ଆମ ଦେଶର ଗୌରବ’ ବୃଦ୍ଧିରେ ଭାଗୀ ହେଇ ନିଜକୁ ଲାଭାନ୍ୱିତ ମଣୁଥିଲେ । ‘‘ସମସ୍ତେ ପରମାତ୍ମାଙ୍କ ସନ୍ତାନ’’ ପ୍ରଚାର କରିବା ଲୋକ ‘‘ରାଜା ବିଷ୍ଣୁଙ୍କ ଅବତାର’’ ବୋଲି ମଧ୍ୟ ପ୍ରଚାର କରି ଠେଙ୍ଗାବାଡ଼ି ବ୍ୟବହାର କରିବା ଲୋଡ଼ା ନ ହେଇ ଶାସକକୁ ମାନିନେବାର ମନୋଭାବ ସୃଷ୍ଟି କରୁଥିଲେ । ଏହିପରି ଭାବରେ ଏସବୁ ପ୍ରକାରର ପ୍ରେରଣା ମିଶାମିଶି ହେଇ ସମାଜରେ କାମ କରୁଥିବାର ଆମେ ଦେଖୁଁ ।

 

ତେବେ ଗୋଟାଏ ବୃହତ୍‌ ସମାଜରେ ଯଦି ପ୍ରତ୍ୟେକ କାମ ପାଇଁ ଲୋକଙ୍କୁ ‘ବାପରେ, ଧନରେ’ କରିବାକୁ ହେଉଥାନ୍ତା ବା ଠେଙ୍ଗାବାଡ଼ି ଉଠେଇବାକୁ ହେଉଥାନ୍ତା, ତେବେ ତ ବଡ଼ ମୁସ୍କିଲ କଥା ହୁଅନ୍ତା । ଆମେ କିନ୍ତୁ ଦେଖୁ ଯେ ସମାଜର ଶତକଡ଼ା ନବେ କି ଅଧିକ କାମ ଆପେ ଆପେ ଚାଲିଛି । ଲୋକେ ସମାଜର ରୀତିନୀତି ମାନି ଆପେ ଆପେ ଚଳୁଛନ୍ତି, ସେସବୁ ଯୋଗୁଁ ସେମାନଙ୍କର ବ୍ୟକ୍ତିଗତ ହିତ ନ ହେଉଥାଉ ପଛେ ଏ କଥା ହେଇପାରୁଛି ଏଥିପାଇଁ ଯେ ମଣିଷର ମନ ଭିତରେ ପହରା ବସେଇ ଦିଆଯାଇଛି । ସେଇ ତା’କୁ ଭିତରୁ ଠେଲୁଛି ।

 

ଓଡ଼ିଆ ବଙ୍ଗାଳୀଙ୍କର ଦିନରେ ପୁଞ୍ଜିଏ ଭାତ ନ ହେଲେ କେବେ ମନବୋଧ ହୁଏ ନାହିଁ-। ଯେତେ ସୁଆଦିଆ, ପୁଷ୍ଟିକର ଖାଦ୍ୟ ଥାଉ–ଖିରି, ପୁରି, ଫଳ, ମିଠେଇ–ସବୁ ଖାଇଥିଲେ ବି ଭାତ ପୁଞ୍ଜିଏ ନ ମିଳିବାଯାଏ କିଛି ନ ଖାଇବାପରି ଲାଗିବ । ଆମ ମା’ମାନେ ବିଶ୍ୱାସ କରନ୍ତି ଯେ ପିଲାର ଦେହକୁ ଗଢ଼ିବାରେ ଭାତର ବିଶେଷ ଗୁରୁତ୍ୱ ରହିଛି । ସେଥିପାଇଁ ସେମାନେ ପିଲାଙ୍କୁ ବୁଝେଇ, ସାକୁଲେଇ, ଧମକେଇ, ଖୁନ୍ଦା ମାରି କୌଣସିମତେ ନିଜର ମନର ସନ୍ତୋଷ ହେବା ମୁତାବକ ଭାତ ଖୁଆଇବେ । ଏହିସବୁ ସାକୁଲା, ଧମକାଣ, ଖୁନ୍ଦା ପିଲାର ମନ ଭିତରେ ଯାଇ ବସା ବାନ୍ଧନ୍ତି । ମା’ ନଥିବା ବେଳେ ବି ସାରା ଜୀବନଯାକ ତା’କୁ ଭିତରୁ ପ୍ରେରଣା ମିଳୁଥାଏ–‘‘ଭାତ ଖାଅ, ଭାତ ନ ଖାଇବା ଦୋଷ । ।’’

 

ସେମିତି ବ୍ରାହ୍ମଣଙ୍କୁ ଦେଖିଲେ ଓଳିଗି ହେବ, ହରିଜନଙ୍କୁ ଛୁଇଁବ ନାହିଁ, ‘ଛୋଟ ଜାତି’ଙ୍କ ସହିତ ନିଜର ଗୁମର ରଖି କାରବାର କରିବ, ଗୁରୁଜନଙ୍କ କଥା ଉପରେ କଥା କହିବ ନାହିଁ, ମନଦେଇ ପାଠ ପଢ଼ିବ, ଖରାରେ ବୁଲିବ ନାହିଁ–ଏମିତି ନାନାପ୍ରକାରର ବିଧିନିଷେଧସବୁ ଯାହା ସମାଜରେ ଥାଏ, ସବୁ ଆମ ମନରେ ଆମ ପିଲାଦିନୁଁ ବାପ-ମା’ଙ୍କ ଶିକ୍ଷା ଓ ତାଡ଼ନା, ସାଇପଡ଼ିଶାଙ୍କର ଉଦାହରଣ ଦ୍ୱାରା ଯାଇ ମଣିଷର ମୁଣ୍ଡରେ ବସାବାନ୍ଧନ୍ତି ।

 

ଆମେ କହୁ ଯେ ଆମର ‘ବିବେକ’ ଆମକୁ ଏ କଥା କହୁଛି; ଏଇଟା ଆମ ‘ବିବେକ’ରେ ବାଧୁଛି ଇତ୍ୟାଦି । ବିବେକ ବୋଲନ୍ତେ ନ୍ୟାୟଅନ୍ୟାୟ, ଭଲମନ୍ଦ ବାରିବାର ଶକ୍ତି ବୋଲି ବିଶ୍ୱାସ କରାଯାଏ ଓ ବିଶ୍ୱାସ କରାଯାଏ ଯେ ମଣିଷଭିତରେ ଏ ବିବେକ ସ୍ୱାଭାବିକ ଭାବରେ ଜନ୍ମରୁ ରହିଛି-। ମଣିଷଭିତରେ ଏଭଳି ଏକ ଚାହିଦା–ଭଲ ମନ୍ଦ ବାରିବାର–ଏକ ସହଜାତ ବୃତ୍ତି ଭଳି ରହିଛି କି ନାହିଁ ସେ ବିଷୟରେ ମନସ୍ତତ୍ତ୍ୱବିଦ୍‌ମାନଙ୍କ ଭିତରେ ମତୈକ୍ୟ ନାହିଁ । ମାତ୍ର ଏ କଥା ନିଶ୍ଚିତ ଯେ ଆମ ଅଧିକାଂଶଙ୍କ ଭିତରୁ ଯେଉଁ ବିବେକ ତାଡ଼ନା ଦିଏ, ଦଂଶନ କରେ, ସେ ବିବେକ ଆମକୁ ଆମର ପାରିପାର୍ଶ୍ୱିକ ସମାଜରୁ, ଆମ ପରିବାରର ଚଳଣିରୁ ମିଳିଥାଏ । ଫ୍ରଏଡ୍‍ ଏହାର ନାମ ଦେଇଛନ୍ତି ‘‘ସୁପର୍‌ଇଗୋ’’–ଅହଂ ଉପରେ ଥିବା ଶାସକ । ବିଶିଷ୍ଟ ମନୋବୈଜ୍ଞାନିକ ଆଂଡ୍ରାସ ଆଂଗ୍ୟାଲ୍‌ଙ୍କ ମତରେ ମଣିଷ ଭିତରେ ଗୋଟାଏ ସହଜାତ ‘ଅପରାଧବୋଧ’ ଅଛି । କୌଣସି ପ୍ରିୟଜନ ବା ବସ୍ତୁକୁ ଆଘାତ ଦେବାଭଳି କିଛି କାମ ମଣିଷ କଲେ ଏ ଅପରାଧବୋଧ ତାକୁ ଦଂଶନ କରେ । ଡକ୍ଟର ଆଂଗ୍ୟାଲଙ୍କର ଏ ବିଚାର ମୋ ମନକୁ ପାଉଛି । ଏଇ ସହଜାତ ବିବେକ ପାରିପାର୍ଶ୍ୱିକ ସମାଜର ତାଡ଼ନାରେ ବିକୃତ ରୂପ ଧରେ । ତା’କୁ ଏ ବିକୃତିରୁ ମୁକ୍ତ କରିପାରିଲେ ବୁଦ୍ଧି ଓ ମାନବିକ ମୂଲ୍ୟବୋଧ ଭିତ୍ତିରେ ନୂଆ ରୂପ ଦେଇପାରିଲେ ଯାଇ ତାହା ମଣିଷର ସ୍ୱାଧୀନତାରେ ସହାୟକ ହୁଏ ।

 

ଆମେ ସାଧାରଣ କଥାରେ ‘ବିବେକ’ ସାଙ୍ଗରେ ବୁଦ୍ଧିକୁ ଯୋଡ଼ିଥାଉ–‘‘ନିଜର ବୁଦ୍ଧି ବିବେକ ଖଟେଇ କର୍ତ୍ତବ୍ୟ ସ୍ଥିର କରିବା ଉଚିତ ।’’ କିନ୍ତୁ ଆମକୁ ସୁପର୍‌ଇଗୋରୂପୀ ଏ ଯେଉଁ ବିବେକଟି ପଦାରୁ ମିଳିଥାଏ, ସେଇଟି ସାଙ୍ଗରେ ବୁଦ୍ଧିର କିଛି ସମ୍ପର୍କ ନ ଥାଏ । ତା’ ପଛରେ ମୁଖ୍ୟ ପ୍ରେରଣା ଥାଏ ଭୟ, ଉଦ୍‌ବେଗ, ଲଜ୍ଜା ଓ ଅପରାଧବୋଧ । ଖରାବେଳେ ପରୀକ୍ଷା-ପାଠ ନ ପଢ଼ି ଚଇନ ପିଜୁଳି ଗଛରେ ଚଢ଼ିଥିଲା ବୋଲି ତା’ ବାପା ତା’କୁ ଧରି ଟାଙ୍କେ ଛେଚିଲେ । ଚଇନ ଯାଇ ବହି ଧରି ଘରକଣରେ ବସିଲା । ବହି ପଢ଼ିବା ବାହାନା କରୁଥାଏ; ମନକୁ ମନ କହୁଥାଏ ‘‘ବାପା ମରୁ, ବାପା ମରୁ’’ । ତା ବଡ଼ଭାଇ ଏ କଥା ଶୁଣିପାରି ତା’କୁ ଆହୁରି ଟାଙ୍କେ ଛେଚିଲା । କିଛିଦିନ ପରେ ତା’ର ବାପା ବାଧିକା ପଡ଼ିଲେ–ଯିବା ଯିବା ଅବସ୍ଥା । ଚଇନର ଧାରଣା ହେଲା ଯେ ତାରି ଅଭିସଂପାତ ଯୋଗୁଁ ବାପାଙ୍କର ଏ ଅବସ୍ଥା ହେଲା । ତାହା ମନରେ ଅନୁଶୋଚନା ଆସିଲା ‘ବାପା ମରୁ’ ବୋଲି କହିବା ଯୋଗୁଁ–କେତେ ବଡ଼ କଥା । ବାପାଙ୍କୁ ତ ସେ କେତେ ଭଲ ପାଏ, ଭକ୍ତି କରେ ! ବାପାଙ୍କ ଉପରେ ରାଗରୋଷ ରଖିବା କେଡ଼େ ପାପ ! ବାପାଙ୍କ ପ୍ରତି ତା’ର କ୍ରୋଧଟାକୁ ସେ ମନରୁ ପୋଛିବା ଚେଷ୍ଟା କଲା । ସେଇଟା ଚାଲିଗଲା ତା’ ମନ ଭିତରର ଅଚେତନର ଆଳିମାଳିକା କୋଠରି ଭିତରକୁ, ଯେଉଁଠି କେତେ ଅବାଞ୍ଛିତ, ଅଲୋଡ଼ା, ଡରାଉଥିବା, ଲାଜ ଦେଉଥିବା ଭାବନା ପଡ଼ିରହି ଖଜ୍‌ବଜ୍‌ ହେଉଛନ୍ତି । ସୁବିଧା ପାଇଲେ ମୁଣ୍ଡ ଟେକୁଛନ୍ତି, ସ୍ୱପ୍ନରେ ନାନା ଛଦ୍ମବେଶ ଧରି ବାହାରୁଛନ୍ତି ଓ ଆମର ବିବେକକୁ ପ୍ରଭାବିତ କରୁଛନ୍ତି । ‘ମୁଁ ବାପାଙ୍କୁ ମର ବୋଲି କହିଲି’–ଚଇନର ଏ ଯେଉଁ ପାପବୋଧର ପ୍ରତିକ୍ରିୟା ତାହା ତାକୁ ବାପାର ଆହୁରି ବାଧ୍ୟ କଲା । ଏହାରି ତାଡ଼ନାରେ ତାର ସୁପର୍‌ଇଗୋ ତା’କୁ ବରାବର କହିଲା ଯେ ବାପା ଯାହା ଯାହା କରିବାକୁ, ନ କରିବାକୁ କହିଛନ୍ତି ସେସବୁ ମାନିବା ତୋର ପବିତ୍ର କର୍ତ୍ତବ୍ୟ ।

 

(୩)

 

ଏହିପରି ଭାବରେ ଯୋଉ ସମାଜବ୍ୟବସ୍ଥା ଭିତରେ ପଡ଼ି ଅଧିକାଂଶ ଲୋକ ଦହଗଞ୍ଜ ହେଉଛନ୍ତି ତା’ର ସବୁ ବୈଷମ୍ୟ, ଶୋଷଣ, ଅନ୍ୟାୟକୁ ଚାଲୁରଖିବା ପାଇଁ ସବୁଠୁ ବଡ଼ ସାଧନ ଲୋକଙ୍କର ମସ୍ତିଷ୍କ ଭିତରେ ଖଞ୍ଜା ହୋଇଛି । ଜେଲଖାନାରେ ଆମକୁ ଗୋଟାଏ ରେଡ଼ିଓ ଦିଆହେଇଥିଲା । ସେଥିରେ କଟକ ଷ୍ଟେସନ ଛଡ଼ା ଅନ୍ୟ ସବୁ ଷ୍ଟେସନକୁ ଧରିବାର ବ୍ୟବସ୍ଥା ଅବରୁଦ୍ଧ କରିଦିଆଯାଇଥିଲା । ରସିକମାନେ କେବଳ କଟକ ଷ୍ଟେସନର ପ୍ରଚାର ଶୁଣିପାରୁଥିଲେ । ଆମମାନଙ୍କର ମନ ବୁଦ୍ଧି ବିବେକ ସେମିତି ଅବରୁଦ୍ଧ ହେଇଯାଇଛି । ଆମେ କେବଳ ଯେଝା ସମାଜର ପରମ୍ପରାଗତ ଧାରଣା ଓ ଚଳଣିର ବନ୍ଧା ଗତରେ ଚାଲିପାରୁ–ବାକି ସବୁ ସମ୍ଭାବନାର ବାଟ ବନ୍ଦ ରହିଯାଏ । ବାହାରର ଠେଙ୍ଗାବାଡ଼ି, ବନ୍ଧୁକ, ଜେଲଖାନା ଅପେକ୍ଷା ଏ ଭିତରର ବାଡ଼ ବେଶୀ ମଜବୁତ ।

 

ଆମର ବର୍ତ୍ତମାନର ସମାଜଟା ହେଲା ମୁରବିପ୍ରଧାନ–ଆଗରୁ ବି ସେଇୟା ଥିଲା । ଏଥିର ମୁଖ୍ୟ ନୀତି ହେଲା ଯେ ସାଧାରଣ ଲୋକେ ଉପରୁ ଯାହା ନିର୍ଦ୍ଦେଶ ଆସିବ, ତା’କୁ ମାନି ଚଳିବେ । ସବାଉପରେ ହେଲା ଧର୍ମଶାସ୍ତ୍ର; ତା’ ତଳକୁ ରାଜା ବାଦଶାହଙ୍କର ହୁକୁମ । ଏବେ ରାଜା ବାଦଶାହା ଗଲେଣି ତ ସରକାରର ହୁକୁମ, ମାଲିକର ହୁକୁମ, ମେନେଜରର ନିର୍ଦ୍ଦେଶ ତା’ର ସ୍ଥାନ ନେଲାଣି । ଆମ ମନ ଭିତରେ ଯେଉଁ ସୁପର୍‌ଇଗୋ ଗଢ଼ିଉଠେ ତାହା ଏହି ଆଦେଶ ନିର୍ଦ୍ଦେଶ ମାନିବା, ସମସ୍ତେ ଯାହା କରୁଛନ୍ତି ସେୟା କରିବାର ମନୋବୃତ୍ତିକୁ ମଜବୁତ କରେ । ମଣିଷ ପ୍ରକୃତରେ ଆଉ ମଣିଷ ନ ରହି ଗାଈ ହେଇଯାଏ । ସମାଜବ୍ୟବସ୍ଥା ତା’କୁ ଯେଣିକି ଓଟାରେ, ସେ ତେଣିକି ଯାଏ ।

 

ଏ ମାନି ଚଳିବା ମନୋଭବ ଅଭ୍ୟାସଦ୍ୱାରା ମଜବୁତ ହୁଏ । ଦଣ୍ଡ ଓ ପୁରସ୍କାର ଦ୍ୱାରା ମଧ୍ୟ । ପୁଲିସ ଓ ସୈନ୍ୟଙ୍କୁ ଡ୍ରିଲ କରାଯାଏ । ଏହାଦ୍ୱାରା ସେମାନେ ଯନ୍ତ୍ରବତ୍‌ ଆଦେଶ ପାଳନ କରିବାକୁ ଅଭ୍ୟସ୍ତ ହେଇଯାନ୍ତି । ଏ ପ୍ରକାରର ସ୍ୱୟଂକ୍ରିୟ ବ୍ୟବସ୍ଥା ତ ଆମ ସ୍ନାୟୁତନ୍ତ୍ରରେ ରହିଛି । ଆମେ ସାଇକେଲ ଚଳେଇ ଶିଖିବାପରେ ଆମର ହାତ ଗୋଡ଼ ଆଖି କାନ ସବୁ ଆପଣାଛାଏଁ କାମ କରି ଲାଗନ୍ତି । ପଛଆଡ଼ୁ ମଟର ହର୍ଣ୍ଣ କାନରେ ପଡ଼ିଲେ ଆମ ହାତ ଆପେ ସାଇକେଲ ହେଣ୍ଡଲକୁ କଡ଼କୁ ବୁଲେଇଦିଏ । ଆଗରେ ଅବରୋଧ ଥିବାର ଆଖିରେ ପଡ଼ିଲେ ଗୋଡ଼ ପେଡ଼ାଲ ବୁଲେଇବା ବନ୍ଦ କରେ, ହାତ ବ୍ରେକ କଷେ । ଜୀବଜନ୍ତୁ ଓ ମଣିଷର ଆଚରଣକୁ ଗତରେ ପକେଇବାରେ ଯେଉଁ କଣ୍ଡିଶନିଙ୍ଗ୍‌‌–ସଂସ୍କାର ନିର୍ମାଣର–ପ୍ରକ୍ରିୟା ପାଭଲଭ୍‌ ଆବିଷ୍କାର କରିଥିଲେ ତା’ର ଉଲ୍ଲେଖ ପୂର୍ବରୁ କରାଯାଇଛି । ସୈନ୍ୟମାନଙ୍କୁ ସବୁ କାମ ହୁକୁମ ଉପରେ କରିବାର ତାଲିମ ଏପରି ସଘନ ଭାବରେ ଦିଆଯାଏ ଯେ କାନରେ ହୁକୁମ ପଡ଼ିବାମାତ୍ରେ ଆପଣାଛାଏଁ ତାହା ତାମିଲ ହେଇଯାଏ । ବାଟରେ ଅଫିସର୍‌ ଦେଖିଲେ ଆପେ ଆପେ ସଲାମ୍‌ ବାଜିଯାଏ । ଗପ ଅଛି ଯେ ଏକ ଥାନାରେ ଟେଲିଫୋନ ବାଜିବାରୁ ସେଠି ଥିବା କନିଷ୍ଟବଲ ଫୋନ ଉଠେଇ ପଚାରିଲା–‘‘କୌନ୍‌ ବୋଲ ରହେ ହେଁ ?’’ ତେଣୁ ଆବାଜ ଆସିଲା ‘‘ଏସ ପି ।’’ କନିଷ୍ଟବଲ ତୁରନ୍ତ ସାବଧାନ ହେଇ ଏକ ସଲାମ ବଜେଇଦେଲା ।

 

ୟାର ତତ୍ତ୍ୱଜ୍ଞାନ ବି ଅଛି । ଆମକୁ ପିଲାଦିନେ ଇଂରେଜୀ କବିତା ପଢ଼ା ହେଇଥିଲା–

 

The charge of the Light Brigade.

Theirs is not to question why

Theirs is not to make reply

Theirs is but to do and die.

ସେମାନଙ୍କର କାମ ନୁହେଁ କାହିଁକି ବୋଲି ପଚାରିବା,

ସେମାନଙ୍କର କାମ ନୁହେଁ ଉତ୍ତର ଦେବା,

ସେମାନଙ୍କର କାମ କେବଳ କରିବା ଓ ମରିବା...

 

ଏଇଟା ବୀରତ୍ୱ ଓ କର୍ତ୍ତବ୍ୟବୋଧର ପରାକାଷ୍ଠା ବୋଲି ବୁଝାଇ ଦିଆଯାଇଥିଲା । ଆଧ୍ୟାତ୍ମିକ ସାଧନାରେ ବି ‘ସମର୍ପଣ’ କଥା କୁହାଯାଏ । ଗୁରୁଙ୍କଠାରେ ଶିଷ୍ୟ ବା ସାଧକ ନିଜକୁ ପୂରା ସମର୍ପଣ କରିଦେବ । ତା’ର ନିଜର ଇଚ୍ଛା, ଅନିଚ୍ଛା, ଭଲମନ୍ଦବୋଧ କିଛି ରହିବ ନାହିଁ । ଗୁରୁ ଯାହା କହିବେ ତା’କୁ ବିନା ବାକ୍ୟବ୍ୟୟରେ ମନରେ କୌଣସି ଦ୍ୱିଧା ବା ପ୍ରଶ୍ନ ନ ରଖି ମାନିବାକୁ ହେବ । ଲୌକିକ ସ୍ତରରେ ରାଜା, ଶାସନକର୍ତ୍ତାକୁ ଏହିପରି ମାନିନେବାର ଆଦର୍ଶ ପ୍ରଚାର ସାଙ୍ଗକୁ ଏ ଆଧ୍ୟାତ୍ମିକ ଆଦର୍ଶ ବେଶ୍‌ ଖାପ ଖାଏ ବୋଲି କହିବାକୁ ହେବ । ଆଜିକାଲି ପାର୍ଟି ଓ ନେତା ଏହିପରି ‘ସମର୍ପଣ’ର ଦାବିଦାର ହେଇଛନ୍ତି । ପାର୍ଟିର ଆଦେଶକୁ ବିନା ଦ୍ୱିଧାରେ ମାନିବାକୁ ହେବ ବୋଲି ପ୍ରଚୋଦନା ଦିଆଯାଉଛି ।

 

ବହୁତ ଲୋକ ମିଶି ଏକାଠି କାମ କରିବାକୁ ହେଲେ ଶୃଙ୍ଖଳାରକ୍ଷା ଓ ସମସ୍ତେ ପରସ୍ପର ସହିତ ସାମଞ୍ଜସ୍ୟ ରଖି କାମ କରିବାପାଇଁ ନିର୍ଦ୍ଦେଶକର ଆବଶ୍ୟକ ହୁଏ । ଏଭଳି ନିର୍ଦ୍ଦେଶ ମାନି କାମ କରିବାର ଆବଶ୍ୟକତା ରହିଛି । କାରଖାନା, ଅଫିସଠୁଁ ଆରମ୍ଭ କରି ପୋଖରୀଖୋଳା, ରାସ୍ତା ତିଆରି ଯାଏ ସବୁଠିଁ ଆଦେଶ ମାନିବା ଅଭ୍ୟାସ କାମ ଦିଏ । ମାତ୍ର ନିର୍ଦ୍ଦେଶ ମାନିବା ଯେତେବେଳେ ଏପରି ଅସ୍ଥିମଜ୍ଜାଗତ ହେଇଯାଏ ଯେ ନିଜର ବୁଦ୍ଧ ବିବେଚନା ହିଁ ଆଉ କାମ କରେ ନାହିଁ, ସେତେବେଳେ ତା’ର ପରିମାଣ ବଡ଼ ଭୟଙ୍କର ହେଇପାରେ । ଏହି ଆଦେଶ ମାନିବାର ଅନ୍ଧ ସଂସ୍କାରର ହିଁ ପରିମାଣ ହେଉଛି ଆଇଷ୍‌ମାନ୍‍; ଯାହା କଥା ଏ ଅଧ୍ୟାୟ ଆରମ୍ଭରେ କୁହାଯାଇଛି ।

 

ଆଇଷ୍‌ମାନ୍‍କୁ ଯେତେବେଳେ ଅଦାଲତରେ ପଚରାଗଲା ଯେ ତମେ ଏପରି କାମ କାହିଁକି କଲ ? ସେ ଜବାବ ଦେଲା–ମୁଁ କ’ଣ କରିବି । ମୋତେ ଉପରୁ ଅର୍ଡର ଆସିଲା; ମୁଁ ସେ ଆଦେଶ ତାମିଲ କଲି । ମୋର ତ ସେଇଆ କର୍ତ୍ତବ୍ୟ ।

 

ଦ୍ୱିତୀୟ ମହାଯୁଦ୍ଧ ପରେ ବହୁତ ସମାଜତତ୍ତ୍ୱବିଦ୍‌ ଓ ମନସ୍ତତ୍ତ୍ୱବିଦ୍‌ ନାତ୍‌ସୀବାଦର ଓ ଫାସୀବାଦର ଅଭ୍ୟୁଦୟର କାରଣ ଅନୁସନ୍ଧାନ କରିବାରେ ଲାଗିଥିଲେ । ହିଟଲର୍‌ ଭଳି ଜଣେ ଲୋକର ସୃଷ୍ଟି କିପରି ହେଲା ଏ ପ୍ରଶ୍ନଟା ସେମାନଙ୍କୁ ଯେତେ ଗୁରୁତ୍ୱପୂର୍ଣ୍ଣ ଜଣାପଡ଼ୁନଥିଲା ତା’ଠୁ ଅଧିକ ଜଣାପଡ଼ୁଥିଲା ଯେ ଜର୍ମାନୀର ଲକ୍ଷ ଲକ୍ଷ ଲୋକ ଏଭଳି ଏକ ଅସାମାଜିକ ବ୍ୟକ୍ତିର ନେତୃତ୍ୱ କିପରି ମାନିନେଲେ ?

 

ଯୁଦ୍ଧୋତ୍ତର ଜର୍ମାନୀର ଆର୍ଥିକ ଦୁରବସ୍ଥା, ପରାଜୟର ଗ୍ଳାନି ଆଦି କାରଣସବୁ ଛଡ଼ା ଯେଉଁ କାରଣଟିଏ ବୈଜ୍ଞାନିକମାନଙ୍କର ଖାସ୍‌ ଦୃଷ୍ଟି ଆକର୍ଷଣ କଲା, ସେଇଟି ହେଲା ଯେ ସେ ଦେଶର ସମାଜରେ ଅନୁଶାସନ, ହୁକୁମ ମାନି ଚଳିବା ଉପରେ ବହୁତ ଜୋର । ଘରେ ଘରେ ବାପମାନେ ଗୋଟିଏ ଗୋଟିଏ ଏକଚ୍ଛତ୍ର ଶାସକ । ଏରିକ୍‌ ଏରିକ୍‌ସନ୍‌ ଏହାର ବର୍ଣ୍ଣନା ଦେଇଛନ୍ତି, ‘‘ଯେତେବେଳେ ବାପା କାମରୁ ଫେରନ୍ତି ଘରର କାନ୍ଥଗୁଡ଼ାକ ବି ଜାଣି ସତର୍କ ହେଇଯାନ୍ତି । ମା’ ଅନେକ ସମୟରେ ଘରର ଅନୌପଚାରିକ ମାଲିକାଣୀ ହେଇଥିଲେ ମଧ୍ୟ ତା’ର ଗତିବିଧି ଏପରି ବଦଳିଯାଏ ଯେ ସାନ ଶିଶୁ ବି ଏ ପରିବର୍ତ୍ତନ ବାରିପାରେ । ସେ ଧାଁଧପଡ଼ କରି ବାପାଙ୍କର ଖିଆଲ ଖୁସି ଚରିତାର୍ଥ କରିବାରେ ଲାଗିପଡ଼େ ଓ ବାପାଙ୍କର କ୍ରୁଦ୍ଧ ହେବାଟାକୁ ଏଡ଼େଇ ଚାଲେ । ପିଲାଏ ଜାଣି ନିଃଶ୍ୱାସ ବନ୍ଦ କରିଥାନ୍ତି । କାରଣ ବାପା ପିଲାଙ୍କର ଖେଳପାଳିଆ ସ୍ୱଭାବ ବା ମା’ର ମାଇପି ଖିଆଲ ପସନ୍ଦ କରନ୍ତି ନାହିଁ । ସେ ଘରେ ଥିବାଯାଏ ମା’କୁ ତାଙ୍କର ସେବାରେ ହାଜର ରହିବାକୁ ହୁଏ ଓ ତାଙ୍କର ଚାଲିଚଳଣରୁ ଜଣାଯାଏ ଯେ ସେ ନଥିବାବେଳେ ମା’ ଓ ପିଲା ଯେଉଁ ଏକତା ଉପଭୋଗ କରୁଥିଲେ ତା’କୁ ସେ ନାପସନ୍ଦ କରନ୍ତି । ସେ ପିଲାଙ୍କ ସହିତ ଯେମିତି, ମା’ ସହିତ ବି ସେମିତି କଥା କୁହନ୍ତି–ତାଙ୍କ କଥା ସେ ତାମିଲ କରିବେ ବୋଲି ଧରିନିଅନ୍ତି ଓ କୌଣସି ଉତ୍ତର ଦେବାକୁ ଦିଅନ୍ତି ନାହିଁ ।’’ (Childhood & Society)

 

ଏଇ ଅନୁଶାସନ ପର୍ବର ହିଁ ପରିଣାମ ହେଲା ନାତ୍‍ସୀବାଦ । ଯେଉଁ ସମାଜରେ ଦମନ ଓ ଶୋଷଣ ଯେତେ ଅଧିକ ମାତ୍ରାରେ ଥିବ, ସେଠି ତା’କୁ ଚାଲୁରଖିବା ପାଇଁ ସମ୍ବେଦନହୀନତା ସେତେ ବେଶୀ ଲୋଡ଼ା ହେବ । ଯେଉଁମାନଙ୍କ ମାଧ୍ୟମରେ ଶାସନ ଓ ଶୋଷଣ ଚାଲିବ, ସେମାନେ ନିର୍ମମ ନ ହେଲେ ଚଳିବ ନାହିଁ ଓ ପ୍ରଜା ମଧ୍ୟ ସମ୍ବେଦନହୀନ ନ ହେଲେ ଏ ଦମନକୁ ସହି ତିଷ୍ଠି ପାରିବେ ନାହିଁ । ‘ରିଆଲିଟିଜ୍‌ ଅଫ୍‌ ଓ୍ୱାର’ (ଯୁଦ୍ଧର ବାସ୍ତବ ରୂପ–ଲେଖକ ଫିଲିପ ଜିବ୍‌ସ) ବହିରେ ବର୍ଣ୍ଣନା ଅଛି ଯେ ପ୍ରଥମ ମହାଯୁଦ୍ଧବେଳେ ଚାରିଜଣ ସୈନିକ ବନ୍ଧୁ ଟ୍ରେଞ୍ଚ ଭିତରେ ବସି ଗପସପ ହେଉଥିଲେ ଓ ଖାଇବାର ଯୋଗାଡ଼ କରୁଥିଲେ । ଏତିକିବେଳେ ଏକ ଗୋଳା ଆସି ତାଙ୍କ ନିକଟରେ ପଡ଼ି ଫାଟିଲା ଓ ସେମାନଙ୍କ ଭିତରୁ ଜଣେ ଏକାବେଳକେ ଛିନ୍‌ଛତ୍ର ହେଇ ଚାରିଆଡ଼ ତା’ର ଦେହର ଟୁକୁରା ଛିଡ଼ିକିଗଲା । ପାଖରେ ଥିବା ଗୋଟାଏ ପାଉଁରୁଟିର ଗୋଟାଏ ଫାଳ ତା’ର ରକ୍ତରେ ଭିଜିଗଲା । ଅନ୍ୟମାନେ ସେ ଫାଳକ କାଟିପକେଇ ଦେଇ ବାକି ଫାଳକ ରୁଟି ଖାଇଦେଲେ ।

 

ଏହିପରି ଆଜିର ସମାଜ (ତା’ର ଶାସନ ଓ ଅର୍ଥବ୍ୟବସ୍ଥା) ତ ମଣିଣ ଭିତରେ ଯେତକ ଜନ୍ମଜାତ ସମ୍ବେଦନଶୀଳତା, ସ୍ନେହ, କରୁଣା ଓ ସତ୍ୟନିଷ୍ଠା, ଅନୁସନ୍ଧିତ୍ସା ରହିଥାଏ, ସେସବୁର ସହଜ ଅଭିବ୍ୟକ୍ତିକୁ ଅବରୁଦ୍ଧ କରୁଛି; ଏବଂ ଦୋଷ ଲଦିଦିଆଯାଉଛି ସାଧାରଣ ମଣିଷ ମୁଣ୍ଡରେ ଯେ ତା’ର ସ୍ୱଭାବ ହିଁ ସେମିତି–କିଏ କ’ଣ କରିବ ?

 

ମଣିଷ ନିଜକୁ ଏ ଗାଈତ୍ୱ ବା ମେଣ୍ଢାତ୍ୱରୁ ମୁକ୍ତ ନ କଲେ ତା’ର ବ୍ୟକ୍ତିଗତ ଜୀବନରେ ବି ସେ ମଣିଷ ଭଳି ବଞ୍ଚିପାରିବ ନାହିଁ । ମଣିଷ ବିଚାରେ ଯେ ପିଲାଛୁଆ ଧରି କୌଣସି ପ୍ରକାରେ ଘରସଂସାର କରି ଦୁଃଖେସୁଖେ ଜୀବନଟା କଟେଇଦେବ; ଏ ଦୁନିଆଯାକର ବେପାରରେ ତା’ର କାମ ? ମାତ୍ର ସେ କଥା ହେଇପାରୁଛି କୋଉଠି ? ପିଲାଛୁଆଙ୍କ ମୁହଁରେ ଗଣ୍ଡାଏ ଦାନା ଦେବା ବି କାଠିକର ପାଠ । ସେ ସମସ୍ୟାର ସମାଧାନ ହେଇଗଲା । ମାତ୍ର ଯୋଉ ଗତରେ ସମାଜ ଚାଲିଛି ଓ ଆମର ବୁଦ୍ଧି, ବିବେକ, ଭାବନା, ଆଚରଣ ସବୁ ବନ୍ଧାହେଇଛି ସେଥିରେ ମଣିଷ ପୁଅଝିଅ, ସ୍ୱାମୀ ସ୍ତ୍ରୀ ସମ୍ପର୍କରୁ ବି ପୂରା ସନ୍ତୋଷ ଓ ଆନନ୍ଦ ପାଉନାହିଁ । ସମାଜ ମନଭିତରେ ଯେଉଁ ବାଡ଼ ବୁଜିଦେଇଛି, ତାହା ଯୋଗୁଁ ସେମାନେ ପରସ୍ନର ସହିତ ପୂର୍ଣ୍ଣ ସ୍ନେହ ମମତା ଓ ଆନନ୍ଦର ସହିତ ମିଶି ପାରୁନାହାନ୍ତି; ମଝିରେ ବାଡ଼ ରହିଯାଉଛି । ତେଣୁ ଏଠି ଏତିକି ।

 

ଏବେ ବ୍ୟବସାୟ ବାଣିଜ୍ୟ, ଶିକ୍ଷ ସଂସ୍ଥା ଆଦିର ପରିଚାଳନାରେ ବି ବ୍ୟାବହାରିକ ଦୃଷ୍ଟିରୁ ଏ ପ୍ରଶ୍ନ ଉଠୁଛି । ‘ଭାଗବତ’ରେ କହିଦେଲା ଯେ–

 

‘‘ଅନେକ ଲୋକ ଯହିଁ ମିଳି

ଅବଶ୍ୟ ଉପୁଜଇ କଳି ।’’

 

କିନ୍ତୁ ବିଜ୍ଞାନବାଲା ‘ଅବଶ୍ୟ ଉପୁଜଇ’ ବୋଲି କହି ଛାଡ଼ିଦେବାର ପାତ୍ର ନୁହନ୍ତି । ‘କାହିଁକି ଉପୁଜଇ’ ବୋଲି ନ ଜାଣିଲେ ସେମାନଙ୍କର ନିଦ ହେବ ନାହିଁ । ବଡ଼ ବଡ଼ ବ୍ୟବସାୟ ସଂସ୍ଥା, ଶିକ୍ଷାନୁଷ୍ଠାନ, ହାସପାତାଳ ବା ସେହିପରି ଅନ୍ୟ ସଂସ୍ଥାରେ ତ ବହୁତ ଲୋକ କାମ କରନ୍ତି । ସେମାନଙ୍କ ଭିତରେ ଠେଲାପେଲା ଯୋଗୁଁ କାମ ଯେତେ ଭଲ ହେବାର ହେଇପାରେ ନାହିଁ । ଅନେକ ସମୟରେ ଦେଖାଯାଏ ଯେ କୌଣସି ଏକ ବିଷୟରେ ସବୁଠାରୁ ଭଲ ପନ୍ଥାଟା ନ ଧରାଯାଉଥିବାରୁ କ୍ଷତି ହେଉଛି । ଏପରି ସବୁ ହେଉଛି କାହିଁକି ବୋଲି ପଞ୍ଝାଏ ବୈଜ୍ଞାନିକ ଖୋଳତାଡ଼ରେ ଲାଗିଛନ୍ତି ।

 

ଖୋଳତାଡ଼ରୁ କେତୋଟି କଥା ବାହାରିଛି । ଗୋଟାଏ କଥା ସେମାନେ କହୁଛନ୍ତି ଯେ ଆମମାନଙ୍କର ସମସ୍ତଙ୍କର ବୃଦ୍ଧି, ଭାବନା ଓ ଆଚରଣ ଗତରେ ପଡ଼ିଯାଉଥିବାରୁ କୌଣସି ଏକ ନୂଆ ପରିସ୍ଥିତି ଆମେ ବାସ୍ତବଧର୍ମୀ ଦୃଷ୍ଟିରେ ଦେଖିପାରୁନାହୁଁ । ଆମର ଅଭ୍ୟସ୍ତ ପୁରୁଣା ଚଷମା ଦେଇ ଦେକୁଛୁ । ଯେମିତି ଧରନ୍ତୁ, ସଂସ୍ଥାରେ ପରିଚାଳକ ଓ ସହକର୍ମୀଙ୍କ ସହିତ ସମ୍ପର୍କ । ପ୍ରାୟ ପ୍ରତ୍ୟେକଙ୍କର ପରିବାରରେ ବାପ ଏକଚାଟିଆ କ୍ଷମତା ଚଳେଇବାରେ ଅଭ୍ୟସ୍ତ । ପୁଅଝିଅମାନଙ୍କର ତାଙ୍କ ପ୍ରତି ଭୟ, ସମ୍ମାନ ଓ ଅସନ୍ତୋଷମିଶା ଭାବ ସେଥିଯୋଗୁଁ ଜନ୍ମିଥାଏ । ଏପରି ପରିବାରର ପିଲାମାନେ ବାପାଙ୍କର ପ୍ରିୟପାତ୍ର ହେବା ପାଇଁ ପରସ୍ପର ପ୍ରତିଯୋଗିତା କରନ୍ତି-। ସେମାନଙ୍କର ପରସ୍ପର ପ୍ରତି କିଛି କିଛି ଈର୍ଷା ଥାଏ ।

 

ସଂସ୍ଥାରେ ଯୋଗଦେବାବେଳେ ମଣିଷ ଏଇ ସବୁ ମାନସିକ ଅଭ୍ୟାସ ନେଇ ଆସେ । ସେ ଯଦି ପରିଚାଳକ ହୁଏ, ତେବେ ଏକଚ୍ଛତ୍ର ବାପ ପରି ଆଚରଣ କରିବସେ । ତଳିଆ କର୍ମଚାରୀ ହେଲେ ପରିଚାଳକଙ୍କୁ ବାପା ଭଳି ଦେଖେ । ନିଜ ବାପ ପ୍ରତି ତା’ର ଯେଉଁ ଭୟ-ଭକ୍ତି-ଅସନ୍ତୋଷ ଓ ଖୋସାମଦର ଭାବ ଥିଲା, ତା’କୁ ହିଁ ପରିଚାଳକଙ୍କ ପ୍ରତି ଆରୋପ କରେ । ସହକର୍ମୀମାନଙ୍କୁ ପ୍ରତିଯୋଗୀ ଓ ଈର୍ଷାପରାୟଣ ଦୃଷ୍ଟିରେ ଦେଖେ ।

 

ମାତ୍ର ବୈଜ୍ଞାନିକମାନଙ୍କର କହିବାର କଥା ଯେ ଆଧୁନିକ ସଂସ୍ଥା ପୁରୁଣା ସାଆନ୍ତିଆ ପରିବାର ବା ରାଜ୍ୟଶାସନ ନୀତିରେ ଚଳିପାରିବ ନାହିଁ । ଏସବୁଥିରେ କର୍ମଚାରୀମାନେ କେବଳ ଆଜ୍ଞାବହ ନୁହନ୍ତି; ପ୍ରତ୍ୟେକଙ୍କର କିଛି କିଛି ବିଶେଷଜ୍ଞତା ଓ ବିଶେଷ ଅଭିଜ୍ଞତା ରହିଥାଏ । ତେଣୁ ସେସବୁର ସମନ୍ୱୟରେ ହିଁ ସର୍ବୋତ୍ତମ ଢଙ୍ଗରେ କାମ ହେଇପାରିବ । ସେଥିପାଇଁ ପରସ୍ପର ସହଯୋଗ, ନିର୍ଭୀକ ଆଲୋଚନା ଓ ପରାମର୍ଶର ବାତାବରଣ ଲୋଡ଼ା, ‘ଟୀମ୍‌’ ଭାବରେ କାମ ହେବା ଚାହି । ଏଥିପାଇଁ ସେମାନଙ୍କର ପରାମର୍ଶ ଯେ ସଂସ୍ଥାର କର୍ମୀମାନଙ୍କୁ ସେମାନଙ୍କର ପୁରୁଣା ବରଫ ପରି ଜମାଟ ବାନ୍ଧିଥିବା ମାନସିକତାକୁ ତରଳେଇ ପୁଣି ତରଳ ଓ ସଚଳ କରିବାକୁ ହେବ । ତାହା ହେଲେ ଯାଇ ସେମାନେ ନୂଆ ଗାଣତାନ୍ତ୍ରିକ ଢଙ୍ଗରେ ପରସ୍ପର ସହିତ କାରବାର କରିପାରିବେ । ଗୋଟାଏ କିଛି ଘଟଣା ଘଟିଲା ବା ସମସ୍ୟା ଉପୁଜିଲା ତ ଆମେ ଧରାବନ୍ଧା ଢଙ୍ଗରେ ପ୍ରତିକ୍ରିୟା ଦେଖେଇଥାଉ । ମାତ୍ର ମଣିଷର ଜ୍ଞାନ ବଢ଼ିଛି ଓ ବଢ଼ିଛି; ତାହା ସଙ୍ଗେ ସଙ୍ଗେ ପରିସ୍ଥିତିର ସାମନା କରିବାର ନୂଆ ନୂଆ ଓ ଅଧିକ ଫଳପ୍ରଦ ପନ୍ଥା ବି ସମ୍ଭବ ହେଉଛି । ତେଣୁ ଗତାନୁଗତିକ ଢଙ୍ଗରେ ପ୍ରତିକ୍ରିୟା ନ ଦେଖେଇ ବୁଦ୍ଧି ଖେଳେଇ ଚିନ୍ତା କଲେ ନୂଆ, ଭଲ ବାଟ ବାହାରିବ । ସଂସ୍ଥାର ଜଣେ ଲୋକର ବିଶୃଙ୍ଖଳ ଆଚରଣଠାରୁ ବିଶ୍ୱବଜାରରେ ମାଲ ବିକାକିଣାର ସମସ୍ୟା ଯାଏ ପ୍ରତ୍ୟେକ କ୍ଷେତ୍ରରେ ଏ କଥା ଖାଟିବ । ସେଥିପାଇଁ ଛାଞ୍ଚରେ ପକା ମାନସିକତା ପରିବର୍ତ୍ତେ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ଲୋଡ଼ା । ଏହିପରି ସବୁ ମାନସିକ ପରିବର୍ତ୍ତନ ପାଇଁ ପାଶ୍ଚାତ୍ୟ ଦେଶମାନଙ୍କରେ ନାନା ତାଲିମ ଯୋଜନା ବି ଚାଲୁହେଲାଣି ।

 

ସେମାନେ ସଂସ୍ଥା ବିଷୟରେ ଯାହା ଆବିଷ୍କାର କରିଛନ୍ତି, ତାହା ଊଣା ଅଧିକେ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଖାଟିବ ।

 

(୪)

 

ମୋହନଦାସ ଗାନ୍ଧୀ ଦକ୍ଷିଣ-ଆଫ୍ରିକାରେ ଦିନେ ଏକ ଘୋଡ଼ାଗାଡ଼ିରେ ଯିବାବେଳେ ଜଣେ ଗୋରା ଯାତ୍ରୀ ତାଙ୍କୁ ଟାଣିଓଟାରି ତାଙ୍କ ବସିବା ଜାଗାରୁ ହଟେଇଦେବାକୁ ବସିଲା, ସେଠି ସେ ନିଜେ ବସି ପିଙ୍କା ଖାଇବ ବୋଲି । ଏପରି ପରିସ୍ଥିତିରେ ପୂର୍ବରୁ ଦୁଇଟା ଗତରେ ବନ୍ଧା ପ୍ରତିକ୍ରିୟା ରହିଛି–ସେ ଆକ୍ରମଣକାରୀକୁ ଦୁଇ ଚାରି ମୁଥ ମାରି ତା’ର ଦାନ୍ତ ଝଡ଼େଇଦେବ, ତା’ପରେ ଯାହା ହେବାର ଥିବ ଦେଖାଯିବ; ନଚେତ୍‌ ଚୁପ୍‌ଚାପ୍‌ ଲାଙ୍ଗୁଡ଼ ଜାକି ସବୁ ସହିଯିବ । ଗାନ୍ଧୀ ଏଥିଭିତରୁ କୌଣସିଟା କଲେ ନାହିଁ ବୋଲି ଦୁନିଆକୁ ଅହିଂସା ପ୍ରତିରୋଧ–ସତ୍ୟାଗ୍ରହର ନୂଆ ପନ୍ଥା ମିଳିଲା ।

 

ଫ୍ରଏଡ୍‍ ସୁପର୍‌ଇଗୋର ପ୍ରକ୍ରିୟାର ସନ୍ଧାନ ଦେଲେ; ପାଭ୍‌ଲଡ଼୍‌ କଣ୍ଡିଶନିଙ୍ଗ ବା ସଂସ୍କାର ନିର୍ମାଣର ପ୍ରକ୍ରିୟା ଉପରେ ଆଲୋକପାତ କଲେ; ମାର୍କ୍‌ସ ଆଉ ଗୋଟାଏ ବିଭାବ ପ୍ରତି ଦୃଷ୍ଟି ଆକର୍ଷଣ କଲେ ଯେ କିପରି ମଣିଷର ଶ୍ରେଣୀସ୍ୱାର୍ଥ ତା’ର ଚିନ୍ତାଧାରା, ମତାମତ ଓ ଆଚରଣକୁ ପ୍ରଭାବିତ କରେ । ମାର୍କ୍‌ସଙ୍କର ଐତିହାସିକ ବସ୍ତୁବାଦ ବିଷୟରେ ପୂର୍ବରୁ ଆଲୋଚନା କରାଯାଇଛି-। ମାର୍କସଙ୍କ ଦର୍ଶନରେ ଯେଉଁ ନିଶ୍ଚିତ-ପରିଣାମବାଦ (ଡିଟରମିନିଜ୍‌ମ୍‌) ରହିଛି, ତା’ର ସେଠି ସମାଲୋଚନା ଓ ପ୍ରତ୍ୟାଖ୍ୟାନ କରାଯାଇଛି । ମାତ୍ର ନିଜର ଜୀବିକା ଓ ଆର୍ଥିକ ସ୍ୱାର୍ଥ ଯେ ମଣିଷର ଚରିତ୍ରକୁ ପ୍ରବଳ ଭାବରେ ପ୍ରଭାବିତ କରେ, ଏଇଟା ତ ଏବେ ଅଣ-ମାର୍କ୍‍ସବାଦୀମାନେ ବି ମାନିନେଲେଣି । ଗୀତାରେ ଅର୍ଜ୍ଜୁନ ଶ୍ରୀକୃଷ୍ଣଙ୍କୁ ପଚାରିଲେ–‘‘ସ୍ଥିତଧୀ କେମନ୍ତେ କହଇ, କେସନେ ଚାଲଇ ବସଇ ।’’ ସ୍ଥିତଧୀର ଚରିତ୍ର ତା’ର ବସିବା, ହସିବା, କହିବା, ଚାଲିବା ପ୍ରତ୍ୟେକ ଆଚରଣରେ ପ୍ରକାଶ ପାଏ । ଚକ୍ରଧର ବୈରିଗଞ୍ଜନ ମହାପାତ୍ରଙ୍କର ଚାଲି ଓ ଦାମା ଭୋଇର ଚାଲି ଦେଖିଲେ ଆପଣ ଜାଣିପାରିବେ କିଏ କ’ଣ । ସେମିତି ମିଃ ମହାପାତ୍ର, ଆଇ.ଏ.ଏସ. ଓ ସେକେଣ୍ଡ ଗ୍ରେଡ୍‍ କିରାଣି ଧରଣୀ ଜେନାଙ୍କର ଚାଲି, ହସ, କାଶ ସବୁ ନିଜ ନିଜର ଶ୍ରେଣୀର ପେଟେଣ୍ଟ । ଦୁନିଆକୁ ଦେଖିବାର ଦୃଷ୍ଟି ମଧ୍ୟ ପ୍ରତ୍ୟେକ ଶ୍ରେଣୀର ନିଜସ୍ୱ ହୋଇଯାଏ । ପ୍ରତ୍ୟେକ ଘଟଣାକୁ, ପ୍ରତ୍ୟେକ ସମସ୍ୟାକୁ ପ୍ରତ୍ୟେକେ ନିଜର ଖାସ୍‌ ଦୃଷ୍ଟିକୋଣରୁ ଦେଖନ୍ତି । କିଲା ପଡ଼ିଆରେ ବିରାଟ ସାଧାରଣ ସଭାରେ ଜୟପ୍ରକାଶ ନାରାୟଣ ଭାଷଣ ଦେବେ ବୋଲି ଯେତେବେଳେ ଖବର ବାହାରିଲା, ହରି ବେହେରାର ପ୍ରଥମ ଚିନ୍ତା ହେଲା, ଚିନାବାଦାମଭଜା କେତେ କଟିବ ତାହାର ଅନ୍ଦାଜ କରିବା ଓ ବିକ୍ରି ପାଇଁ ଅଧିକା ପିଲା କାହା କାହାକୁ ଲଗେଇବ ତାହା ଠିକଣା କରିବା । ଯେତେବେଳେ ଭାରତ-ପାକ୍‌ ଯୁଦ୍ଧ ଲାଗିଲା, ହିମ୍ମତ୍‌ଲାଲ୍‌ ସେଠ୍‌ ଭାରି ଖୁସିଟାଏ ହୋଇଗଲେ–ଭଗବାନ୍‌ଭଲା କରେ, ଲଢାଇ ଲମ୍ୱୀ ଚଲେ; ତା’ହେଲେ ବଜାର ଏକାବେଳକେ ଗରମ ହେବାକୁ ଆଉ କଥା ନ ଥିବ । ହିମ୍ମତ୍‌ଲାଲ୍‌ଙ୍କ ଅଜା ଦୋସରା ଜର୍ମାନୀ-ଯୁଦ୍ଧବେଳେ ଚାଉଳ ବ୍ୟବସାୟରେ ଏକାବେଳକେ ଲାଲ ହୋଇଯାଇଥିଲେ । ଦୁଇବର୍ଷ ହେଲା ପରୀକ୍ଷା ପାସ୍‌ କରି ବେକାର ବସିଥିବା ସାଧୁ ମହାନ୍ତି, ଜଗନ୍ନାଥ ପତି ହେରିକା ଆଶା ବାନ୍ଧିଲେ ଯେ ଏଥର ନୂଆ ଚାକିରିବାକିରି ବହୁତ ଖୋଲିବ, ଯୁଦ୍ଧଟା ଖାଲି ଟିକିଏ ଭଳରକମ ଜମିଯାଉ ।

 

ଦେଶରୁ ଦାରିଦ୍ର୍ୟ ନିବାରଣପାଇଁ ଯୋଜନା କଥା ଆଲୋଚନା ହେବାବେଳେ ଭାରତୀୟ ବ୍ୟବସାୟୀ ସଂଘ ପକ୍ଷରୁ ବରାବର ପ୍ରସ୍ତାବ ଦିଆଯାଏ ଯେ ଏଥିପାଇଁ ଆଗେ ଉତ୍ପାଦନ ବଢ଼ିବା ଦରକାର; ନ ହେଲେ ଦାରିଦ୍ର୍ୟ ଛଡ଼ା ଆଉ ସମସ୍ତଙ୍କୁ ବାଣ୍ଟିବାକୁ କ’ଣ ଅଛି ? ତେଣୁ ଆମମାନଙ୍କୁ ସବୁ ସୁବିଧା ଦିଅ ଶିଳ୍ପ-ବ୍ୟବସାୟ ବଢ଼େଇବାକୁ । ଦି’ପଇସା ବେଶୀ ଲାଭର ସୁବିଧା ଦେଲେ ସିନା ହାମେ ସେଥିରେ ଲାଗିବୁ ? ଅତଏବ ଇନ୍‌କମ୍‌ ଟିକସ, ସୁପର୍‌ ଟିକସ କୋହଳ କର; ଦରଦାମ ନିୟନ୍ତ୍ରଣ ଉଠେଇଦିଅ ଇତ୍ୟାଦି ।

 

ଉଚ୍ଚ ପାହ୍ୟା ଆଇ. ଏ. ଏସ. ହାକିମ ବିଶ୍ୱେଶ୍ୱର ମହାନ୍ତି ବରାବର ସାକ୍ଷ୍ୟ ପ୍ରମାଣ ଦେଇ ଦେଖାନ୍ତି ଯେ ଏଥିପାଇଁ ପ୍ରଥମେ ବଡ଼ ପାହ୍ୟା କ୍ୟାଡ଼ରମାନଙ୍କର–ଆଇ. ଏ. ଏସ, ଆଇ ଏଫ. ଏସ. ଆଦି–ଦରମା ଓ ଅନ୍ୟ ସୁବିଧାସୁଯୋଗ ବଢ଼ିବା ଚାହି । ତାହା ହେଲେ ଯାଇ ସେମାନେ ପୂର୍ଣ୍ଣପ୍ରାଣରେ ଗରିବୀ ହଟାଓରେ ଲାଗିପାରିବେ ।

 

ତାଙ୍କର ମହକଲି ଚୋରି କରିଛି ବୋଲି ନିଶ୍ଚିତ ଭାବରେ ଜାଣିକରି ହିଁ ସେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ବୋଲି ଓକିଲ କଚିରିରେ ଯୁକ୍ତି ବାଢ଼ନ୍ତି । ସେମିତି ପ୍ରତ୍ୟେକେ ନିଜର ସ୍ୱାର୍ଥର ସମର୍ଥନରେ ଯୁକ୍ତି ବାଢ଼ିବାରେ ଆଶ୍ଚର୍ଯ୍ୟ କ’ଣ ଅଛି ବୋଲି ଆପଣ ପଚାରିବେ । ସେପରି ଯୁକ୍ତି ବି ସମସ୍ତେ ବାଢ଼ିଥାନ୍ତି; ମାତ୍ର ସବୁବେଳେ ନୁହେଁ । ଲୋକଙ୍କୁ ନିଜର ସ୍ୱାର୍ଥ ଓ ଚାଳିଚଳଣର ଚଷମା ଭିତର ଦେଇ ହିଁ ଦୁନିଆଟା ଦେଖାଯାଏ । ସେଥିପାଇଁ ଅଧିକାଂଶ ସମୟରେ ସେମାନେ ଯାହା ଯୁକ୍ତି କରନ୍ତି, ସେଥିରେ ସଚ୍ଚୋଟ ଭାବରେ ବିଶ୍ୱାସ କରନ୍ତି । ପ୍ରକୃତପକ୍ଷେ ଏହା ବ୍ୟକ୍ତିଗତ ସ୍ୱାର୍ଥଠାରୁ ବି ବ୍ୟାପକ ଓ ମଜବୁତ । ଦେଖାଯାଉଛି ଯେ ସଂସାରରୁ ନିବୃତ୍ତ ହୋଇଥିବା ସାଧୁ ସନ୍ଥ, ଯାହାଙ୍କର ନିଜର ଆର୍ଥିକ ସ୍ୱାର୍ଥ ବୋଲି କିଛି ନାହିଁ, ସେମାନେ ଦୁନିଆକୁ ମୁକ୍ତିର ବାଣୀ ଶୁଣାଉଥିଲେ ବି ନିଜେ ସେମାନଙ୍କଠାରୁ ଶ୍ରେଣୀଚରିତ୍ରର ପୁଟ ଛାଡ଼ିନାହିଁ । ଦେଶର ଆର୍ଥିକ ସମସ୍ୟା, ପ୍ରଶାସନିକ ସମସ୍ୟା ଆଦି ବିଷୟରେ ଶ୍ରୀମା, ସତ୍ୟସାଇ ବାବା, ଦାଦାଜୀ, ମା’ ଆନନ୍ଦମୟୀ ପ୍ରଭୃତିଙ୍କର ମତାମତ ବିଶ୍ଳେଷଣ କଲେ ଦେଖାଯିବ ଯେ ଦେଶର ଆର୍ଥିକ ଓ ରାଜନୀତିଙ୍କ କ୍ଷମତା ନିୟନ୍ତ୍ରଣ କରୁଥିବା ଶ୍ରେଣୀମାନଙ୍କର ଏ ବିଷୟରେ ଯେଉଁ ସବୁ ସୁପରିଚିତ ରକ୍ଷଣଶୀଳ ମତାମତ ରହିଛି; ଏମାନଙ୍କର ମତାମତ ମଧ୍ୟ ତାହାଠାରୁ ବିଶେଷ ଭିନ୍ନ ନୁହେଁ ।

 

ବୈଜ୍ଞାନିକ ଢଙ୍ଗରେ ଚିନ୍ତା କରୁଥିବା ପଣ୍ଡିତମାନେ ବି ଏଥିରୁ ମୁକ୍ତ ହୋଇପାରନ୍ତି ନାହିଁ-। ଅର୍ଥବିଦ୍ୟାର ମୂଳପତ୍ତନକାରୀ ଆଡାମ ସ୍ମିଥ୍‌ ୱେଲ୍‌ଥ ଅଫ୍‌ ନେଶନ୍‍ସ–ରାଷ୍ଟ୍ରମାନଙ୍କର ସମ୍ପଦ–ମହାଗ୍ରନ୍ଥ ଲେଖିଥିଲେ । ସେଥିରେ ସେ ଶ୍ରମିକମାନଙ୍କର ମଜୁରିକୁ ରାଷ୍ଟ୍ରର ସମ୍ପଦର ହିସାବରେ ନ ମିଶେଇ ଖର୍ଚ୍ଚ ପାଖରେ ଦେଖେଇଲେ; ଅର୍ଥାତ୍‌ ଶ୍ରମିକମାନଙ୍କୁ ମିଳୁଥିବା ମଜୁରିଗୁଡ଼ାକ ରାଷ୍ଟ୍ର ଉପରେ ଏକ ବୋଝ । ତେବେ ରାଷ୍ଟ୍ର କିଏ ? ନିଃସନ୍ଦେହ ଭାବରେ ମଜୁରି ଦେଉଥିବା ମାଲିକମାନେ ହିଁ ତାଙ୍କ ଦୃଷ୍ଟିରେ ରାଷ୍ଟ୍ର ।

 

ଶହେ ବର୍ଷ ତଳେ ଇଂଲଣ୍ଡରେ ‘ମୁକ୍ତବାଣିଜ୍ୟ’ ଓ ‘ସଂରକ୍ଷଣ’ ନେଇ ପ୍ରବଳ ଯୁକ୍ତିତର୍କ ଚାଲିଲା । ଏବେବି ଆମ କଲେଜମାନଙ୍କରେ ସେସବୁ ସପକ୍ଷ ବିପକ୍ଷ ଯୁକ୍ତି ଗୁରୁତ୍ୱର ସହିତ ପଢ଼ାହେଉଥିବ । ଏବେ ସମସ୍ତେ ସ୍ୱୀକାର କଲେଣି ଯେ ଦୁଇପକ୍ଷର ଯୁକ୍ତି ସେତେବେଳର ଇଂଲଣ୍ଡର ଦୁଇଟି ବଳୁଆ ଶ୍ରେଣୀ-ବୃହତ୍‌ ଭୂମିମାଲିକ ଓ ଶିଳ୍ପପତିମାନଙ୍କର–ସ୍ୱାର୍ଥକୁ ସମର୍ଥନ କରି ଚାଲିଥିଲା । ଜମିମାଲିକ ଲର୍ଡ ବ୍ୟାରନ୍‌ମାନେ ଚାହୁଁଥିଲେ ଯେ ବାହାରୁ ଆମଦାନୀ ହେଉଥିବା ଖାଦ୍ୟଶସ୍ୟ ଉପରେ ସଂରକ୍ଷଣ ଶୁଳ୍‌କ ବସିଲେ ସେମାନେ ଉତ୍ପନ୍ନ କରୁଥିବା ଖାଦ୍ୟଶସ୍ୟର ଦାମ୍‌ ବଢ଼ିବ । ଶିଳ୍ପପତିମାନେ ଚାହୁଁଥିଲେ ଯେ ବିନା ଶୁଳକରେ ଖାଦ୍ୟ ଆମଦାନୀ ହେଲେ ତାହା ଶସ୍ତା ହେବ ଓ ସେମାନେ ଶ୍ରମିକମାନଙ୍କୁ ଅଳ୍ପ ମଜୁରିରେ କାମ କରେଇ ଅଧିକ ଲାଭ କରିପାରିବେ । ଉଭୟ ପକ୍ଷରୁ ଯେଉଁ ଯୁକ୍ତି ହେଉଥିଲା ସେଥିରେ ଦେଶର ସମୂହ ହିତପାଇଁ ଏ ନୀତି ବା ସେ ନୀତି ଲୋଡ଼ା ବୋଲି କୁହାଯାଉଥିଲା; ମାତ୍ର ପଛରେ ଲୁଚିରହିଥିଲା ଖାସ୍‌ ଶ୍ରେଣୀର ସ୍ୱାର୍ଥ ।

 

ଏବେ ବୈଜ୍ଞାନିକମାନେ ଏ ବିଷୟରେ ସଚେତନ ହେବାକୁ ଆରମ୍ଭ କଲେଣି । ଗୁନ୍ନାର ମିରଡାଲ୍‌, ଜୋନ୍‌ ରବିନ୍‌ସନ ପ୍ରଭୃତି ବିଶିଷ୍ଟ ଅର୍ଥବିଦ୍ୟାବିଦ୍‌ମାନେ ଏଥିପ୍ରତି ଖାସ୍‌ ଦୃଷ୍ଟି ଆକର୍ଷଣ କରିଛନ୍ତି । ମିର୍‌ଡାଲ୍‌ ଲେଖିଛନ୍ତି*-ଏବେ ସମସ୍ତେ ଧରିନେଉଛନ୍ତି ଯେ ପୂର୍ବ-ଯୁଗମାନଙ୍କରେ ଅର୍ଥବିଦ୍ୟାବିଦ୍‍ମାନେ ପୂର୍ବଗ୍ରହଦୃଷ୍ଟ ଥିଲେ; ମାତ୍ର ଏବେ ସେମାନଙ୍କ ନିଜଠାରେ ଏଭଳି ପକ୍ଷପାତ ନାହିଁ । ମିର୍‌ଡାଲ୍‌ ଅନୁନ୍ନତ ରାଷ୍ଟ୍ରମାନଙ୍କର ଦାରିଦ୍ର୍ୟ ଦୂର କରିବା ସମସ୍ୟା ବିଷୟରେ ଆଲୋଚନା କରିବାକୁ ଯାଇ ଦର୍ଶେଇଛନ୍ତି ଯେ ଉନ୍ନତ ରାଷ୍ଟ୍ରର ପଣ୍ଡିତମାନେ ଅନୁନ୍ନତ ଦେଶମାନଙ୍କ ବିଷୟରେ ବିଚାର ଓ ପରାମର୍ଶ ଦେବାବେଳେ ନିଜ ରାଷ୍ଟ୍ରର ସ୍ୱାର୍ଥଦ୍ୱାରା ପ୍ରଭାବିତ ହୋଇଥାନ୍ତି । ଏହାର ସେ ବହୁ ଉଦାହରଣ ଦେଇଛନ୍ତି । ମାର୍କସ୍‌ ଶ୍ରେଣୀ-ସଂଘର୍ଷକୁ ବିଶ୍ୱବିପ୍ଳବର ପନ୍ଥାରୂପେ ସୁପାରିଶ କରିଥିଲେ । ସର୍ବହରାଶ୍ରେଣୀ ତା’ର ନିଜର ଶ୍ରେଣୀସ୍ୱାର୍ଥ ଭିତ୍ତିରେ ସଙ୍ଗଠିତ ହୋଇ ପୁଞ୍ଜିବାଦକୁ ଲୋପ କରିବ ବୋଲି ତାଙ୍କର ବିଶ୍ୱାସ ଥିଲା । ମାତ୍ର ସେ ଯାହାକୁ ସର୍ବହରାର ଶ୍ରେଣୀସ୍ୱାର୍ଥ ବୋଲି କହିଲେ, ସେଇଟା ହେଲା ତାଙ୍କ ଦୃଷ୍ଟିରୁ ଯେଉଁଟା ହେବା ଉଚିତ । ମାତ୍ର ବାସ୍ତବ ପରିସ୍ଥିତିରେ ‘ସର୍ବହରା’ ଙ୍କର ଦୃଷ୍ଟିକୋଣ ତାହାଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଦୁଇ ଦୁଇଟା ମହାଯୁଦ୍ଧବେଳେ ବିଭିନ୍ନ ଯୁଦ୍ଧମାନ ଦେଶର ‘ସର୍ବହରା’ ଶ୍ରମିକମାନେ ନିଜ ନିଜ ଦେଶ ପକ୍ଷରେ ଲଢ଼ିଲେ । ମାର୍କସ୍‌ ଆଶା କରିଥିଲେ ଯେ ଦୁନିଆଯାକର ସର୍ବହରା ଏକଜୁଟ ହୋଇ ନିଜ ନିଜ ଦେଶର ଶୋକ ଶାସକମାନଙ୍କ ବିରୋଧରେ ଯିବେ ।

 

* THE CHALLENGE OF WORLD POVERTY

 

ଏହାର କାରଣ ବଡ଼ ଜଟିଳ । ଗୋଟାଏ କାରଣ ହେଲା ଯେ ଗୋଟାଏ ଅର୍ଥବ୍ୟବସ୍ଥା ଓ ଶାସନ ଏକ କ୍ଷମତାସୀନ ଶ୍ରେଣୀର ହିତପାଇଁ ଚାଲୁଥିଲେ ମଧ୍ୟ ତାହା ସେଭଳି ଚାଲୁଛି ବୋଲି କେବେ କୁହାଯାଇନାହିଁ । ତାହା ସମସ୍ତଙ୍କ କଲ୍ୟାଣପାଇଁ ଚାଲୁଛି ବୋଲି ହିଁ ଜାହିର କରାଯାଏ । ଯେମିତି ଆମେ ଆଗରୁ ଦେଖିଛୁ–ମଣିଷ ମା’ କୋଳରୁ ହିଁ ସମାଜର ପ୍ରଚଳିତ ଭାବଧାରା, ରୂପରେଖ ଅନୁସାରେ ଗଢ଼ିହୋଇଥାଏ । ସେଥିରେ ପ୍ରଚଳିତ ବିଶ୍ୱାସସବୁକୁ ଗ୍ରହଣ କରିନିଏ । ସେଗୁଡ଼ାକ ତା’କୁ ନିଜ ଭିତରୁ ବାହାରୁଥିବା ସତ୍ୟ ପରି ଜଣାଯାନ୍ତି ।

 

ଭୂଦାନ ଆନ୍ଦୋଳନବେଳେ ଏହାର ପ୍ରତ୍ୟକ୍ଷ ଅନୁଭୂତି ଆମେ ପାଇଥିଲୁ । ସେତେବେଳେ ଜମିମାଲିକମାନେ ଯୁକ୍ତି କରୁଥାନ୍ତି ଯେ ଭୂମିହୀନମାନେ ତ ଆମ ଅପେକ୍ଷା ଭଲରେ ଅଛନ୍ତି; ଆମେ ଜମି ରଖି ମହାଦହଗଞ୍ଜ ହେଉଛୁ । ହଳ ବଦଳ ବାନ୍ଧ୍‌; ବିହନ ସାର ଠିକଣା କର୍‍; କୋଉଠୁ ୠଣ ଆଣ୍‌: ଆଜି ମରୁଡ଼ି, କାଲି ପୋକ ଲାଗିଲେ–କ’ଣ ମୁହୂର୍ତ୍ତେ ଶାନ୍ତି ଅଛି ? ସେମାନେ କ’ଣ ? ଆସି ଦି’ଓଳି ଟିକିଏ ହାତ ହଲେଇଦେଲେ; ମଜୁରି ନେଇ ଘରକୁ ଗଲେ । ଅଧିକାଂଶ ଭୂମିହୀନ ବି ଏଇ ଯୁକ୍ତିର ସମର୍ଥନ କରୁଥିଲେ–‘‘ସାଆନ୍ତଙ୍କର ଜମି ଅଛି ବୋଲି ସିନା ଆମେ ସେଥିରେ ହଣାମରା କରି ପେଟ ପୋଷୁଛୁ ! ଆମର ସେ ଜମିକୁ ନେଇ ସମ୍ଭାଳିବାର ମୁଣ୍ଡ କାହିଁ ?’’ ଭୁମିହୀନଙ୍କର ମୁକ୍ତିର ପ୍ରଥମ ସୋପାନ ହେଲା ସେମାନଙ୍କ ମୁଣ୍ଡରେ ବାସାବାନ୍ଧିଥିବା ପୁରୁଣା ସମାଜର ଏଇ ଦର୍ଶନରୁ ମୁକ୍ତି ।

 

ଏମିତି ଭାବରେ ଚଳନ୍ତି ସମାଜ, ଚଳନ୍ତି ଅର୍ଥବ୍ୟବସ୍ଥା ମଣିଷକୁ ହଜାର ସୂତ୍ରରେ ସଂସ୍କାରବଦ୍ଧ କରି ରଖିଛି । ତା’ ଭିତରେ ଯେଉଁ ସ୍ୱାଧୀନତାର ସମ୍ଭାବନା ରହିଛି, ତା’କୁ ପ୍ରସ୍ଫୁଟିତ ହେବାକୁ ଦେଉନାହିଁ । ଯେ ‘ମଣିଷଗାଈ’ ହୋଇ ନରହି ମଣିଷରୂପେ ବଞ୍ଚିବାକୁ ଚାହେଁ, ତାହା ଭିତରେ ଥିବା ସୃଜନୀଶକ୍ତିର ବିକାଶ କରିବାକୁ ଚାହେଁ, ଆନନ୍ଦ ସାଉଁଟିବାର ଓ ବାଣ୍ଟିବାର ଅଧିକରୁ ଅଧିକ ସୁଯୋଗ ନେବାକୁ ଚାହେଁ, ତା’ ପାଖଆଖରେ ଦୁଃଖ ଓ ଦୈନ୍ୟର ବୋଝ ହାଲକା କରିବାରେ ସାହାଯ୍ୟ କରିବାକୁ ଚାହେଁ, ତା’କୁ ଏହିସବୁ ସଂସ୍କାରବଦ୍ଧତାରୁ ନିଜକୁ ମୁକ୍ତ କରିବାର ଚେଷ୍ଟାରେ ଲାଗିବାକୁ ହେବ । ବିଶିଷ୍ଟ ଦାର୍ଶନିକ ଜେ. କୃଷ୍ଣମୂର୍ତ୍ତିଙ୍କର ବିଚାରର ଏହା ହିଁ ଏକ ମୁଖ୍ୟ ବିଷୟ ସେ ମଣିଷ ନିଜକୁ କଣ୍ଡିଶନିଙ୍ଗ–ସଂସ୍କାରବଦ୍ଧତାରୁ ମୁକ୍ତ କରିବା ହିଁ ପ୍ରକୃଷ୍ଟ ଆଧ୍ୟାତ୍ମିକ ସାଧନା । ମଣିଷ ଏହିପରି ବଦ୍ଧ ହେଇ ଯନ୍ତ୍ରଚାଳିତ ଭଳି ଜୀବନ ବଞ୍ଚୁଥିବାରୁ ତା’ର ବ୍ୟକ୍ତିଗତ ସୁଖ-ସ୍ୱାଚ୍ଛନ୍ଦ୍ୟରୁ ଆରମ୍ଭ କରି ବିଶ୍ୱବ୍ୟାପୀ ସଂଘର୍ଷ ଓ ପରମାଣୁ-ଯୁଦ୍ଧର ଆଶଙ୍କାଯାଏ ସବୁ କ୍ଷେତ୍ରରେ ସବୁ ପ୍ରକାରର ସମସ୍ୟା ଉତ୍କଟତର ହେଉଛି ।

 

ଉକ୍ତିମାର୍ଗରେ ଗୋଟାଏ ସୂତ୍ର ଅଛି–‘‘ଲଜ୍ଜା, ଘୃଣା, ଭୟ, ତିନ୍‌ ଥାକ୍‌ତେ ନୟ ।’’ ଯାହାଠେଇଁ ଏ ତିନୋଟି କଥା ଥିବ, ସେ ଭକ୍ତିମାର୍ଗରେ ଆଗେଇ ପାରିବ ନାହିଁ । ଏହା ମୁକ୍ତି ପ୍ରତି ମଧ୍ୟ ଖାଟିବ । ମଣିଷର କଣ୍ଡିଶନିଙ୍ଗ–ସଂସ୍କାରବନ୍ଧନର ଏଇ ସବୁ ହେଲେ ସାଧନ । ଡ୍ରିଲ ଭଳି କେବଳ ଯାନ୍ତ୍ରିକ ଅଭ୍ୟାସ ଛଡ଼ା ଲଜ୍ଜା, ଘୃଣା ଓ ଭୟ ମଣିଷକୁ ଆଚରଣର ଧରାବନ୍ଧା ଗତରେ ପକେଇବାରେ ସାହାଯ୍ୟ କରିଥାନ୍ତି । ଭୟ କଥା ପୂର୍ବରୁ ଆଲୋଚିତ ହେଇଛି । ଭୟ ଭଳି ଲଜ୍ଜା ଓ ଘୃଣା ମଧ୍ୟ ମଣିଷର ହୃଦୟ ଓ ବୁଦ୍ଧିକୁ ସଙ୍କୁଚିତ କରିଦିଅନ୍ତି; କାମ କରିବାକୁ ଦିଅନ୍ତି ନାହିଁ । ତା’ର ସମ୍ବେଦନଶୀଳତା ରୁଦ୍ଧ ହୋଇଯାଏ; ବୁଦ୍ଧି ଅଚଳ ହୋଇଯାଏ ।

 

ମଣିଷ ପରିବାର ଓ ସମାଜରୁ ଯେତେ ସଂସ୍କାର ପାଏ, ସେ ସବୁ ଯେ ଅବାଞ୍ଛନୀୟ ତାହା ତ ନୁହେଁ; ମାତ୍ର ବାଞ୍ଛନୀୟ କାମ ବି ଯେତେବେଳେ ମଣିଷ ସଂସ୍କାରବଦ୍ଧ ଢଙ୍ଗରେ କରେ ସେତେବେଳେ ତାହା ପଛରେ ବୁଦ୍ଧି ଓ ସମ୍ବେଦନଶୀଳତା ନ ଥାଏ । ସେଥିପାଇଁ ସେ କାମ ଯନ୍ତ୍ରବତ୍‌ ହୁଏ । ପରିସ୍ଥିତି ବଦଳିଲେ ତାହା ସହିତ ଖାପ୍‌ ଖାଇ ଅଭ୍ୟାସ ବଦଳିପାରେ ନାହିଁ ।

 

ଆମକୁ ସଫା ରହିବା ପାଇଁ ମଇଳାକୁ ଘୃଣା କରିବାକୁ ଶିଖାଯାଏ । ଫଳରେ ଆମେ ମଇଳାଠୁଁ ଦୂରରେ ରହିବାକୁ ଚାହୁଁ; ମାତ୍ର ତା’କୁ ସଫା କରିବାକୁ ଚାହୁଁ ନାହିଁ । ଗାଁମାନଙ୍କରେ ଆମେ ଲୋକଙ୍କୁ ଖାତ-ପାଇଖାନା କରିବାକୁ ପରାମର୍ଶ ଦେଉଥିଲୁ । ଅଧିକାଂଶ ଲୋକଙ୍କୁ ପାଇଖାନାରେ ମଳତ୍ୟାଗ କରି ମାଟି ପକାଇବା, ମଇଳାଖାତ ପୂରିଗଲେ ତା’କୁ ପୋତିବା ଆଦି କାମଗୁଡ଼ାକ ଘୃଣ୍ୟ ବୋଧ ହେଉଥିଲା । ମାତ୍ର ଜଡ଼ ସଂସ୍କାରର ଏପରି କରାମତି ଯେ ରାସ୍ତାକଡ଼ର ମଇଳା ଗୋଡ଼ରେ ମାଡ଼ିବା, ପବନରେ ଉଡ଼ୁଥିବା ଶୁଖିଲା ମଇଳାର ଗୁଣ୍ଡକୁ ନିଶ୍ୱାସରେ ନେବା ଓ ମଇଳା ଧୋଇ ହୋଇ ମିଶିଥିବା ପୋଖରୀର ପାଣି ପିଇବାକୁ ସେମାନଙ୍କୁ ଅସୁଖ ମାଡ଼ୁ ନଥିଲା । ଡାକ୍ତର ମଳମୂତ୍ର, ପୂଜରକ୍ତ ଘଣ୍ଟାଘଣ୍ଟି କରି ମଧ୍ୟ ପରିଚ୍ଛନ୍ନ ରହିବାର ବିଜ୍ଞାନ ଓ କଳା ଜାଣନ୍ତି । ଘୃଣା ପରିବର୍ତ୍ତେ ମଇଳାକୁ ସେମାନେ ଜ୍ଞାନମାଧ୍ୟରେ ଦେଖନ୍ତି, କାରବାର କରନ୍ତି ।

 

ନୀତିବାନ୍‌ ଲୋକେ ଚୋର ଓ ବେଶ୍ୟାଙ୍କୁ ଏପରି ଘୃଣା କରନ୍ତି ଯେ ସେମାନଙ୍କ ବିଷୟରେ ଶୁଣିବାକୁ ସୁଦ୍ଧା ଚାହାନ୍ତି ନାହିଁ । ମାତ୍ର ଘୃଣାରୁ ମୁକ୍ତ ସମାଜବିଜ୍ଞାନବିଦ୍‌ମାନେ ଏମାନଙ୍କ ଜୀବନ ଅଧ୍ୟୟନ କରିବା ଦ୍ୱାରା ଏସବୁ ଅସାମାଜିକ କାମର କାରଣ ବିଷୟରେ ବହୁତ କିଛି ଜଣାପଡ଼ିଛି । ଏମାନଙ୍କ ସହିତ ସହାନୁଭୂତିର ସହିତ ବ୍ୟବହାର କରି ସେମାନଙ୍କୁ ସତ୍‌ମାର୍ଗକୁ ଆଣିବାର ପନ୍ଥା ବି ବାହାରିଛି ।

 

ଯୌନ ବ୍ୟାପାର ନେଇ କେତେକ ଶ୍ରେଣୀର ଲୋକ ଏତେ ଲଜ୍ଜା ଅନୁଭବ କରନ୍ତି ଯେ ସେ ବିଷୟରେ ସେମାନେ କାହାରି ସହିତ ଆଲୋଚନା ସୁଦ୍ଧା କରିପାରନ୍ତି ନାହିଁ । ଏପରି ଲୋକଙ୍କର ଏସବୁ ବିଷୟରେ ସାଧାରଣ ଜ୍ଞାନର ମଧ୍ୟ ଅଭାବ ଦେଖାଯାଏ । ଫଳରେ ସେମାନେ ନିଜେ ବି ନାନା ଦୁଃଖ ଓ ଅଶାନ୍ତି ଭୋଗନ୍ତି; ଅନ୍ୟମାନଙ୍କୁ ବି ଭୋଗାନ୍ତି । ଏସବୁ ବିଷୟରେ ଅଯୌକ୍ତିକ ଲଜ୍ଜା ତ୍ୟାଗ କରି ଖୋଲାଖୋଲି ବୈଜ୍ଞାନିକ ଆଲୋଚନା କରିବାର ପରମ୍ପରା ମନୋବିଜ୍ଞାନରେ ଆରମ୍ଭ ହେବାରୁ କେବଳ ଯୌନବୃତ୍ତି ଓ ସମସ୍ୟା ବିଷୟରେ ନୁହେଁ, ସାଧାରଣଭାବରେ ମଣିଷର ମନ ବିଷୟରେ ଆମର ଜ୍ଞାନ ବହୁତ ବଢ଼ିଛି ଓ ମଣିଷଜାତିର ଅପାର କଲ୍ୟାଣ ହୋଇଛି । ଏପରି ଅସଂଖ୍ୟ ଉଦାହରଣ ଦିଆଯାଇପାରେ ।

 

ତନ୍ତ୍ରସାଧନାରେ ମଧ୍ୟ କେତେକ ସାଧନା ଅଛି, ଯାହା ମନକୁ ସଂସ୍କାରବଦ୍ଧତାରୁ ମୁକ୍ତି କରିବାର ସାଧନା ପରି ଜଣାଯାଏ । ରାମକୃଷ୍ଣ ପରମହଂସଦେବଙ୍କ ଜୀବନୀରେ ଅଛି ଯେ, ସେ ଯେତେବେଳେ ତନ୍ତ୍ରମତରେ ସାଧନା କରୁଥିଲେ, ସେତେବଳେ ତାଙ୍କୁ ମଣିଷମାଂସ ଚାଖିବାକୁ ପଡ଼ିଥିଲା ଓ ଜଣେ ବିବସ୍ତ୍ରା ଯୁବତୀର କୋଳରେ ବସିବାକୁ ପଡ଼ିଥିଲା । ତୈଲଙ୍ଗ ସ୍ୱାମୀଙ୍କର ବିଷ୍ଠା ପ୍ରତି ମଧ୍ୟ ବିକାର ନ ଥିଲା ଓ ସେ ତାହା ନିର୍ବିକାରରେ ଖାଉଥିଲେ ବୋଲି ବର୍ଣ୍ଣନା ଅଛି । ଏପରି ବିକାରମୁକ୍ତିର ଅର୍ଥ ନୁହେଁ ଯେ ତେଣିକି ମଣିଷ ଯାହା ଇଚ୍ଛା ତାହା କରିବ । ତାହାର ଅର୍ଥ ହେଲା ଯେ, ସେ ଜ୍ଞାନ ଓ ମୂଲ୍ୟବୋଧର ସାହାଯ୍ୟ ନେଇ ସଜ୍ଞାନ ନିର୍ଣ୍ଣୟ ଦ୍ୱାରା ଯାହା କରିବ; ସଂସ୍କାରଦ୍ୱାରା ତାଡ଼ିତ ହେଇ ଯନ୍ତ୍ରଚାଳିତବତ୍‌ ନୁହେଁ । ବିଷ୍ଠା-ଭୋଜନ ବିରୋଧରେ ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ଦୃଷ୍ଟିରୁ ଯଥେଷ୍ଟ ଟାଣୁଆ ଯୁକ୍ତି ଅଛି । ମଣିଷମାଂସ ଖାଇବାର ରୀତି ଯେଉଁ ସବୁ ସମାଜରେ ଥିଲା ଓ ଏବେ ଯଦି କେଉଁଠି ଥିବ, ସେଠି ଖାଦ୍ୟଭାବରେ ନିର୍ବାଚିତ ବ୍ୟକ୍ତିମାନେ ବିଶେଷ ସମ୍ମାନିତ ବୋଧ କରୁ ନଥିବେ ।

 

(୫)

 

ରେଳଡ଼ବାରେ ବେଶ୍‌ ଭିଡ଼ ହୋଇଛି । ବଡ଼ ଷ୍ଟେସନରେ ସେଥିରେ ଜଣେ ନୂଆ ଯାତ୍ରୀ ଚଢ଼ିଲେ । ସେ ଡବାରେ ପଶିବାମାତ୍ରେ ଜିନିଷ ରଖିବାକୁ ଯାଇ ପାଖ ଯାତ୍ରୀଙ୍କ ସାଙ୍ଗରେ କଳି କଲେ । ତା’ପରେ ବସିବା ଜାଗା ନେଇ ଝଗଡ଼ା । ତା’ପରେ ସମସ୍ତଙ୍କ ପ୍ରତି ବିରକ୍ତି ପ୍ରକାଶ ସହ ସ୍ୱଗତୋକ୍ତି–‘‘ହ୍ୟାପ ଯେତେକ ପଶ୍ଚିମା ଯାତ୍ରୀ ଏ ଗାଡ଼ିରେ ଭିଡ଼କରି ମଣିଷକୁ ଟିକିଏ ଶାନ୍ତିରେ ଯିବାକୁ ଦେଲେ ନାହିଁ ।’’ ଗୋଟିଏ ପିଲା ବେଞ୍ଚମୁଣ୍ଡରେ ଛିଡ଼ାହୋଇ ଏଣିକି ତେଣିକି ଚାହୁଁଥିଲା । ତା’କୁ ଧମେଇଇଲେ–‘‘କିରେ ଟୋକା, ଟିକଟ କରିଛୁ ? ସେମିତି କନକନ କାହିଁକି ହେଉଛୁ ? ଚୋରି କରିବା ମତଲବ କି ?’’ ପିଲାର ବାପ ସେଠି ବସିଥିଲେ । ସେ ଏକଥା ଶୁଣି ଆଶ୍ଚର୍ଯ୍ୟ । ପର ଷ୍ଟେସନରେ କେତେ ଜଣ ଯାତ୍ରୀ ଓହ୍ଲେଇଲେ । ସେମାନଙ୍କ ସହିତ ଏପରି ବ୍ୟବହାର କଲେ ଯେ ସେମାନେ ଜାଣି ଅନ୍ୟମାନଙ୍କର ସାମାନ ଚୋରି କରିନେବା ମତଲବରେ ଅଛନ୍ତି ! ହେଲା ଫଳରେ ବହେ ପାଟିମୁଣ୍ଡ । ଏମିତି ସେ ଡବାର ସାରା ହାୱାକୁ ସେ ପିତା କରିଦେଲେ ।

 

ସେ ଯିବା ପରେ ଆସିଲେ ଆଉ ଜଣେ ଯାତ୍ରୀ । ହସହସ ମୁହଁ । ଡବାରେ ପଶି ମନ୍ତବ୍ୟ କଲେ–‘‘କ’ଣ କରିବା ଭାଇ, ଜରୁରୀ କାମ ପଡ଼ିଛି । ଯେମିତି ହେଲେ ଯିବା । କେତେ ବା ବାଟ; ଛିଡ଼ା ହୋଇ ଚାଲିଯିବା । ଓ, ଆପଣମାନେ ଜଗନ୍ନାଥଦର୍ଶନ ପାଇଁ ଗ୍ୱାଲିୟରରୁ ଆସୁଛନ୍ତି ? ବାବା, ବହୁତ ବାଟ । ଭାରି ଦିକ୍‍ଦାର ହେବେଣି । ହଉ, ଭଲରେ ବସନ୍ତୁ । ଆମର ତ ଅଳ୍ପ ବାଟ, ଚାହୁଁ ଚାହୁଁ ସରିଯିବ !! ...ଗାଡ଼ିରୁ ଲୋକ ଓହ୍ଲେଇଲେ ସେମାନଙ୍କର ସାମାନ ଓହ୍ଲେଇବାରେ ସାହାଯ୍ୟ କଲେ । ପିଲାଙ୍କ ସାଙ୍ଗରେ ହସ ଥଟ୍ଟା ହେଲେ । ଏମିତିଭାବରେ ସେ ଡବାରେ ସେ ଗୋଟାଏ ସଦ୍‌ଭାବ ଓ ସରସତାର ହାୱା ଭରିଦେଲେ ।

 

ଏ ପ୍ରକାରର ଢଙ୍ଗରଙ୍ଗର ପ୍ରକାର ଆମେ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଦେଖୁଁ । କେହି ତା’ର ଉପସ୍ଥିତି ଦ୍ୱାରା ଜୀବନକୁ ଅଧିକ ସୁଆଦିଆ କରେ; କିଏ କରେ ଅଧିକ ବିସ୍ୱାଦ । ଏ ଧରଣର କେତେ ପ୍ରକାରର ଢଙ୍ଗଢାଙ୍ଗର ବର୍ଣ୍ଣନା ଆମ ଭାଷାମାନଙ୍କରେ ରହିଛି । କାହାକୁ କହୁ ‘ଟିଣା’, କିଏ ‘ଥେଣ୍ଟା’, କିଏ ‘ଆଣ୍ଡୁଆ’, କିଏ ‘ଖପରାଡ଼ିଆଁ’, କିଏ ‘ମଉନମୁହାଁ’, କିଏ କଣ୍ଟାବାଡ଼ରେ ଲୁଗା ପକେଇ କଳି କରେ, କାହାର ‘ନାକ ଅଗରେ ରାଗ’ । କିଏ ‘କଳିମୁଣି’ ତ କିଏ ‘ବିଶଳପାତିଆ’ । ‘ମୁଣ୍ଡବୁଲା’ ଓ ‘ଆଡ଼ବାୟା’ ଙ୍କୁ ଆମେ ଅପ୍ରକୃତିସ୍ଥଙ୍କ ଗଣ୍ଡି ଭିତରକୁ ଠେଲିଦେଉ; ମାତ୍ର ଅନ୍ୟ ସମସ୍ତଙ୍କୁ ଆମ କିଛିଟା ଅସ୍ୱାଭାବିକ ବୋଲି ମନେକରିଥାଉ ।

 

ଏ ଅସ୍ୱାଭାବିକତା କଣ ? ଏ ସବୁଥିରେ ମୁଖ୍ୟ କଥା ହେଲା ଯେ ଅନ୍ୟମାନଙ୍କ ସହିତ କାରବାର ଏମାନଙ୍କଠାରେ ସୌହାର୍ଦ୍ଦ୍ୟ, ବୁଝାମଣା, ପ୍ରସନ୍ନତା, ଏସବୁ କମ୍‌ ଥାଏ । ସନ୍ଦେହ, ବିଦ୍ୱେଷ, ବିରୋଧଭାବ ବେଶୀ ଦେଖାଯାଏ । କୌଣସି ପରିସ୍ଥିତି ବା ସମସ୍ୟାକୁ ଏଭଳି ଲୋକ ସୁଧାରିବାରେ ସାହାଯ୍ୟ କରିବା ପରିବର୍ତ୍ତେ ଅଧିକ ଜଟିଳ କରିଦିଅନ୍ତି ବୋଲି ସମସ୍ତେ ଅନୁଭବ କରନ୍ତି । ‘ଟିଣା’ ଲୋକର ମନୋଭାବ, ମତାମତ ସବୁ ଟିଣରେ ତିଆରି ହେଲା ପରି–କୌଣସି କଥା ଶୁଣି, ବୁଝି, ଆଲୋଚନା କରି ସେଥିରେ ପରିବର୍ତ୍ତନ ହେବାର ସମ୍ଭାବନା ନଥାଏ । ସେପରି ଲୋକର ଚାଲିଚଳଣ ବି ଟିଣ ବା କାଠକଣ୍ଢେଇ ପରି । ଏପରି ଲୋକଙ୍କୁ କୌଣସି କଥା ବୁଝେଇଲେ ସେ ଚଙ୍କିବାର ସମ୍ଭାବନା ବହୁତ କମ୍‌ । ଥେଣ୍ଟା ଲୋକର ଅନ୍ୟର ମତାମତ ବା ସୁବିଧା-ଅସୁବିଧା ପ୍ରତି ବେଖାତିର ଭାବଟା ପ୍ରକଟ । ଆଣ୍ଡୁଆ ଯାହା ବୁଝିଥିବ ସେୟା । ନାକଅଗରେ ରାଗ ଥିବା ଲୋକ ତ ଟିକିଏ ଟିକିଏ କଥାରେ ଜଳିଉଠେ । ଖପରାଡ଼ିଆଁର ସବୁବେଳେ ଉଦ୍‌ବେଗ ଯେ କୋଉ ଜିନିଷର, କାହାର ଛୁଆଁ ବାଜି ସେ ଅପବିତ୍ର ହେଇଯିବ । ସେଥିପାଇଁ ସମସ୍ତଙ୍କ ପ୍ରତି ତାଙ୍କର ସଶଂକ ଅପ୍ରସପନ୍ନ ଭାବ । ମଉନମୁହାଁ ଉପରକୁ ଚୁପ୍‌ଚାପ୍‌ ନିରୀହ; କିନ୍ତୁ ପେଟ ଭିତରେ ବହୁତ ବିଷ । ସ୍ୱାଭାବିକ ଚାଲିଚଳଣ ବୋଲି ସମାଜ ଲୋକେ ଯାହାକୁ ଭାବନ୍ତି, ସେଥିରୁ ବ୍ୟତିକ୍ରମ ସବୁକୁ ଏହିପରି ଭାବରେ ଚିହ୍ନିତ କରିଥାନ୍ତି ।

 

ଏ ପ୍ରକାରର ଅଳ୍ପସ୍ୱଳ୍ପ ଅସ୍ୱାଭାବିକତାକୁ ବିଶେଷ ଗୁରୁତ୍ୱ ଦିଆଯାଏ ନାହିଁ; ମାତ୍ର ଏହି ପ୍ରକାରର ଢଙ୍ଗଢାଙ୍ଗର ଆତିଶଯ୍ୟ ହେଇଗଲେ ତାହାକୁ ମାନସିକ ଅସ୍ୱାସ୍ଥ୍ୟର ଲକ୍ଷଣ ବୋଲି ମାନିବାକୁ ପଡ଼େ । ଦୈହିକ ସ୍ୱାସ୍ଥ୍ୟ ବିଷୟରେ ବି ଆମର ସାଧାରଣ ମନୋଭାବ କ’ଣ ? ଓଡ଼ିଶାର ଅଧିକାଂଶ ଲୋକଙ୍କଠାରେ ରକ୍ତାଳ୍ପତା ଦେଖାଯାଏ । ହୁକ୍‌ୱାର୍ମ ପ୍ରାୟ ସମସ୍ତଙ୍କର ପେଟରେ ଥିବେ । ଆମାତିସାରର ପ୍ରଭାବ ବି ବ୍ୟାପକ । କିନ୍ତୁ ଏସବୁ ପ୍ରକାରର ଉପସର୍ଗ ଥିବା ଓ କୁଣ୍ଡିଆ, ସର୍ଦ୍ଦି, କାଶ ଆଦି ଅଳ୍ପ ପରିମାରେ ଭୋଗୁଥିବା ଲୋକଙ୍କୁ ଆମେ ସାଧାରଣ ସୁସ୍ଥ ବୋଲି ହିଁ ମନେକରୁ । ଏପରି ଲୋକ ସ୍ୱାଭାବିକ ସୁସ୍ଥ ମଣିଷ ପରି କାମଦାମ କରନ୍ତି । ବିଛଣାରେ ନ ପଡ଼ିବାଯାଏ ନିଜକୁ ଅସୁସ୍ଥ ବିଚାରନ୍ତି ନାହିଁ । ଆମ ଦେଶରେ ହାରାହାରି ସ୍ୱାସ୍ଥ୍ୟର ମାପକାଠି ହିଁ ସେମିତି ହୋଇଯାଇଛି । ନରୱେ ବା ସ୍ୱୀଡେନକୁ ଗଲେ ଆମ ଦେଶର ସାଧାରଣ ସୁସ୍ଥ ବ୍ୟକ୍ତିକୁ ମୋଟେ ସୁସ୍ଥ ବୋଲି ମନେକରାଯିବ ନାହିଁ ।

 

ଶରୀର ବିଷୟରେ ଜ୍ଞାନ ଓ ଚିକିତ୍ସାବିଦ୍ୟାର ପ୍ରଗତି ଫଳରେ ଯେମିତି ଶାରୀରିକ ସ୍ୱାସ୍ଥ୍ୟର ଧାରଣା ମଧ୍ୟ ସ୍ପଷ୍ଟତର ହେଇଚାଲିଛି, ସେମିତି ମାନସିକ ଚିକିତ୍ସାର ବିକାଶ ଓ ମାନସିକ ପ୍ରକ୍ରିୟା ବିଷୟରେ ଜ୍ଞାନ ବଢ଼ିବା ସାଥିରେ ମାନସିକ ସ୍ୱାସ୍ଥ୍ୟର ଧାରଣା ମଧ୍ୟ ସାମନାକୁ ଆସିଛି । ମାନସିକ ରୋଗ ତ ଅନେକ ପ୍ରକାରର ଅଛି । ସେଥିଭିତରୁ ଉତ୍କଟ ପ୍ରକାର ଗୁଡ଼ାକ ଛାଡ଼ିଦେବା ଓ ବିକ୍ଷିପ୍ତତା (ନ୍ୟୁରୋସିସ୍‌) ଓ ବିଚ୍ଛନ୍ନ ବ୍ୟକ୍ତିତ୍ୱ (ସ୍କିଜୋଫ୍ରେନିଆ) ଶ୍ରେଣୀରେ ପଡ଼ୁଥିବା ଅସୁସ୍ଥତାଗୁଡ଼ିକ ପ୍ରତି ଧ୍ୟାନ ଦେବା ତ କେତେଗୁଡ଼ିଏ ଲକ୍ଷଣ ଦେଖିବାକୁ ମିଳିବ । ଅହେତୁକ ଓ ଅଯୌକ୍ତିକ ଭୟ, ଉଦ୍‌ବେଗ, ଓ ସନ୍ଦେହ, ଖାସ୍‌ ବ୍ୟକ୍ତି ପ୍ରତି ବା ସାଧାରଣ ଭାବରେ ସମସ୍ତଙ୍କର ପ୍ରତି ପ୍ରଚ୍ଛନ୍ନ ବା ପ୍ରକଟ ବିଦ୍ୱେଷ ଓ ଆକ୍ରୋଶ, ଏସବୁ ସେମାନଙ୍କଠାରେ ଦେଖିବାକୁ ମିଳେ । ଅସୁସ୍ଥ ବ୍ୟକ୍ତି ଅନ୍ୟମାନଙ୍କ ସହିତ କାରବାର କରିବା କଠିନ ହୁଏ । ଅନ୍ୟମାନଙ୍କ ସହିତ ସେ ସୌହାର୍ଦ୍ଦପୂର୍ଣ୍ଣ ଓ ଘନିଷ୍ଠ ସମ୍ପର୍କ ସ୍ଥାପନ କରିପାରେ ନାହିଁ । ବିଚ୍ଛିନ୍ନ ବ୍ୟକ୍ତିତ୍ୱରେ ଅସୁସ୍ଥ ବ୍ୟକ୍ତି ବାହାର ଦୁନିଆ ଓ ଅନ୍ୟ ଲୋକଙ୍କ ସହିତ ସମ୍ପର୍କ ଏଡ଼େଇ ନିଜ ଭିତରେ ମଗ୍ନ ରହିବାର ଦେଖାଯାଏ । ନିଜ ଚାରିପଟେ ସେ ବାଡ଼ି ବୁଜିଦେଲାଭଳି ମନେହୁଏ । ସାଧାରଣତଃ ମାନସିକ ଅସ୍ୱାସ୍ଥ୍ୟରେ ପୀଡ଼ିତ ବ୍ୟକ୍ତିର ମନ ଭିତରେ ଏତେ ଦ୍ୱନ୍ଦ୍ୱ ତା’ର ଗୋଚରରେ ବା ଅଚେତନ ସ୍ତରରେ ତା’ର ଅଗୋଚରରେ ଲାଗିରହିଥାଏ ଯେ ଫଳପ୍ରସୂ ଚିନ୍ତା ଓ କାମ କରିବାର ଶକ୍ତି ତା’ର ବହୁତ କମିଯାଇଥାଏ । ସେ ମନୋନିବେଶ କରିପାରେ ନାହିଁ ଓ ସହଜରେ ଥକିଯାଏ । ଏସବୁ ଫଳରେ ତା’ର ଜୀବନରେ ସରସତା ରହେ ନାହିଁ ଓ ସୁଖ, ଆନନ୍ଦ, ପ୍ରସନ୍ନତା, ସ୍ନେହ, ତୃପ୍ତି ଆଦି ତା’ର ହାତପାଆନ୍ତାରୁ ଚାଲିଯାଇଥାଏ ।

 

ଥରେ ଫ୍ରୟେଡ୍‍ ମାନସିକ ସ୍ୱାସ୍ଥ୍ୟର ବ୍ୟାଖ୍ୟା ଗୋଟିଏ ବାକ୍ୟରେ କରି କହିଥିଲେ–‘‘ମାନସିକ ସ୍ୱାସ୍ଥ୍ୟ ହେଲା ଭଲପାଇବାର ଓ କାମ କରିବାର ସମର୍ଥତା ।’’ ସୁସ୍ଥ ମନ ଥିବା ଲୋକର ମନରେ ଅହେତୁକ ଓ ଅଯୌକ୍ତିକ ଭୟ, ସନ୍ଦେହ, ବିଦ୍ୱେଷ, ଉଦ୍‌ବେଗ ଭରିରହିନଥାଏ । ସେଥିପାଇଁ ଅନ୍ୟ ଅପରିଚିତ ଲୋକଙ୍କୁ ବି ସେ ପ୍ରସନ୍ନ ଓ ବନ୍ଧୁତାପୂର୍ଣ୍ଣ ଦୃଷ୍ଟିରେ ଦେଖେ । ଆମ ସେ ରେଳଡ଼ବାର ଦ୍ୱିତୀୟ ଯାତ୍ରୀ ଜଣକ ଏ ପ୍ରକାରର ଲୋକ । ଏପରି ଲୋକର ପକେଟରୁ ମନିବ୍ୟାଗ ଚୋରିଗଲେ ବି ସେ ମନର ପ୍ରସନ୍ନତା ହରାନ୍ତି ନାହିଁ । ଚୋର ଧରାପଡ଼ିଲେ ତା’ ସହିତ ହସ ଥଟ୍ଟା ବି କରନ୍ତି । ସ୍ୱଭାବତଃ ଏପରି ଲୋକର ତା’ର ପରିବାର ଓ ବନ୍ଧୁବାନ୍ଧବଙ୍କ ସହ ସ୍ନେହ-ସମ୍ପର୍କ ଅଧିକ ପ୍ରଗାଢ଼ ହୁଏ । ଅନ୍ୟର ଦୁଃଖ-କଷ୍ଟରେ ସେ ସହଜରେ ସହାନୁଭୂତି ଅନୁଭବ କରେ ।

 

ଏପରି ଲୋକ ଦୁନିଆକୁ ବିଦ୍ୱେଷ, ସନ୍ଦେହ ଓ ତିକ୍ତତାର ଦୃଷ୍ଟିରେ ନ ଦେଖି ଅଧିକ ବାସ୍ତବ ଦୃଷ୍ଟିରେ ଦେଖୁଥିବ । ତା’ର ବୁଦ୍ଧି ମଧ୍ୟ ଯଥେଷ୍ଟ ବେଶୀ ସଚଳ ଓ ସାବଲୀଳ ଥିବ । ଫଳରେ ସେ ତା’ର କରଣୀୟ କର୍ତ୍ତବ୍ୟ ଓ ତା’ ସାମନାରେ ଥିବା ସମସ୍ୟାର ସମାଧାନ ଅଧିକ ଫଳପ୍ରଦ ଭାବରେ କରିପାରିବ ।

 

ସୁସ୍ଥ ଲୋକର ମନ ଭିତରେ ତା’ର ଗୋଚରରେ ବା ଅଗୋଚରରେ ସବୁବେଳେ ଗୁଡ଼ାଏ ଗତରେ ବନ୍ଧା ଦ୍ୱନ୍ଦ୍ୱ ଚାଲି ନଥିବ । ସେଥିପାଇଁ ତା’ର ମାନସିକ ଶକ୍ତି ଖର୍ଚ୍ଚ ହେଇ ନ ଯାଇ ଅନ୍ୟ ସୃଜନାତ୍ମକ କାମ ପାଇଁ ଅଧିକ ପରିମାଣରେ ମଳିବ । ସେ ସହଜରେ ଥକିଯିବ ନାହିଁ । ସେ ନିଜ ଚାରିପଟେ ବାଡ଼ ପୋତିବା ପରିବର୍ତ୍ତେ ତା’ଠି ହିଡ଼ବାଡ଼ ଡ଼େଇଁ ଆଗେଇବାର ପ୍ରବୃତ୍ତି ହିଁ ଅଧିକ ଦେଖାଯିବ । ସେ ନୂଆ ନୂଆ ଅଭିଜ୍ଞତା ହାସଲ କରିବାକୁ ନୂଆ ଲୋକଙ୍କ ସହିତ ପରିଚୟ ଓ ବନ୍ଧୁତା କରିବାକୁ ନୂଆ ନୂଆ କାମମାଧ୍ୟମରେ ନିଜର ଶକ୍ତିର ପରିଚୟ ଦେବାକୁ ସର୍ବଦା ଉଦ୍‌ଗ୍ରୀବ ଥିବ ।

 

ଦେଖାଯାଉଛି ଯେ ମାନସିକ ସ୍ୱାସ୍ଥ୍ୟ ବ୍ୟକ୍ତିର ଜୀବନରୁ ତ ଅଧିକ ଆନନ୍ଦ ଓ ସ୍ଫୂର୍ତ୍ତି ଆଣିଦିଏ, ସମାଜର ଜୀବନପକ୍ଷରେ ମଧ୍ୟ ତାହା ଅନୁକୂଳ, ଉପକାରକ । ଏବେ କଥା ହେଉଛି ଯେ ଯେମିତି ଆମେ ପ୍ରାୟ ସମସ୍ତେ ଛୋଟ ଛୋଟ ଶାରୀରିକ ବ୍ୟାଧିର ଆଧାର ହୋଇଥିଲେବି ‘ହାରାହାରି’ ସୁସ୍ଥ ଲୋକ ଭାବରେ ପରିଚିତ ଓ ଚଳପ୍ରଚଳ ହେଉ, ସେମିତି ମନର ମଧ୍ୟ ସାନ ବାଙ୍କ ମୋଡ଼ ଆମର ପ୍ରାୟ ସମସ୍ତଙ୍କର ରହିଛି । ଏସବୁ ଯୋଗୁଁ ‘ସାଧାରଣ’, ‘ହାରାହାରି’ ସ୍ତରରେ ଜୀବନ ବିତେଇବାରେ କିଛି ଖାସ୍‌ ଅସୁବିଧା ହେଉନାହିଁ; ମାତ୍ର ଏହା ଆମର ବୁଦ୍ଧ ଓ ଭାବନାଶକ୍ତିକୁ ଊଣା ଅଧିକେ ସୀମାବଦ୍ଧ କରିଦେଉଛି । ‘ହାରାହାରି’ ସୁସ୍ଥ ମଣିଷଦ୍ୱାରା ଯେମିତି ଅଲିମ୍ପିକ ଖେଳରେ ଆମ ଦେଶର ବା ଅତି ନିକୁଛରେ କଲେଜ ଫୁଟବଲ୍‌ ଟିମ୍‌ର କ୍ୟାପ୍‌ଟେନ୍‌ ହେବା ସମ୍ଭବପର ନୁହେଁ, ସେମିତି ସାଧାରଣ ସ୍ତରଠୁଁ ଆଗେଇ ଜୀବନର ଆସ୍ୱାଦ ଅଧିକ ଗଭୀର ଭାବରେ ପାଇବାକୁ ହେଲେ କିଛି ଆଖିଦୃଶିଆ, ସୃଜନାତ୍ମକ କାମ କରିବାକୁ ହେଲେ ସମାଜର ସମସ୍ୟା ସବୁର ସମାଧାନ ଦିଗରେ କିଛି ଆଖିଦୃଶିଆ ସାହାଯ୍ୟ କରିବାକୁ ହେଲେ ‘ହାରାହାରି’ ମାନସିକ ସ୍ୱାସ୍ଥ୍ୟଦ୍ୱାରା ଚଳେ ନାହିଁ ।

 

ମଣିଷର ସହଜାତ ପ୍ରବୃତ୍ତିଗୁଡ଼ିକୁ ଆୟତ୍ତ କରିବା, ସୀମାବଦ୍ଧ କରିବା ବା ଦମନ କରିବାର ଚେଷ୍ଟା ହିଁ ପ୍ରାୟ ଅଧିକାଂଶ ମାନସିକ ଅସ୍ୱାସ୍ଥ୍ୟର ମୂଳରେ ଥାଏ । ସମାଜରେ ବହୁ ଲୋକ ଏକାଠି ଶାନ୍ତିଶୃଙ୍ଖଳାର ସହିତ ଚଳିବାକୁ ହେଲେ ପ୍ରତ୍ୟେକର ପ୍ରତ୍ୟେକ ପ୍ରବୃତ୍ତିକୁ ମନଇଚ୍ଛା ଅଭବ୍ୟକ୍ତି ଦେଇ ହେବ ନାହିଁ । ତା’ ହେଲେ ଜଣଙ୍କର ଚାହିଦା ସାଙ୍ଗରେ ଅନ୍ୟ ଜଣଙ୍କର ସଂଘର୍ଷ ଅବଶ୍ୟମ୍ଭାବୀ । ସେଥିପାଇଁ ନିୟନ୍ତ୍ରଣ ଓ ସଂଯମ ଆବଶ୍ୟକ । ମାତ୍ର ଏହା ଭୁଲ ଢଙ୍ଗରେ, ଅଜ୍ଞଭାବରେ କରାଯିବା ଉଦ୍ୟମ ଯୋଗୁଁ ବହୁତ ଗଣ୍ଡଗୋଳ ଉପୁଜିଛି । ତା’ ଛଡ଼ା ଚଳନ୍ତି ସମାଜ, ଅର୍ଥବ୍ୟବସ୍ଥା ଓ ଶାସନନୀତିର ଅତି ଅଧିକ ସଂଖ୍ୟକ କଟକଣା, ବିଧିନିଷେଧ ସମାଜର ସମସ୍ତଙ୍କର ସ୍ୱାର୍ଥର ସମନ୍ୱୟ ଦୃଷ୍ଟିରୁ ସୃଷ୍ଟ ହେଇନାହିଁ; ମୁଷ୍ଟିମେୟ ଲୋକଙ୍କର ଆଧିପତ୍ୟ ଓ ବିଶେଷ ସୁବିଧା କାଏମ ରଖିବା ଦୃଷ୍ଟିରୁ ସୃଷ୍ଟ ହେଇଛି । ଏହାର ଉଲ୍ଲେଖ ପୂର୍ବରୁ କରାହେଇଛି ।

 

(୬)

 

ମୁସ୍କିଲ ହେଇଛି ଯେ ମଣିଷର ସହଜାତ ପ୍ରବୃତ୍ତିଗୁଡ଼ିକ ‘ଭଲ’ ଓ ‘ମନ୍ଦ’ ଏହିପରି ଦୁଇ ଭାଗରେ ବାଣ୍ଟି ବଦ୍‌ନାମ କରାଯାଇଥିବା ପ୍ରବୃତ୍ତିଗୁଡ଼ିକ ଜୋରଜବରଦସ୍ତି କରି ଚପେଇଦେବାର ଚେଷ୍ଟା କରାଯିବାଦ୍ୱାରା ସବୁଠାରୁ ବେଶୀ ମାଡ଼ ପଡ଼ିଛି କାମ ଓ କ୍ରୋଧ ଉପରେ । ମଜାର କଥା ଯେ କାମ, କ୍ରୋଧ, ଲୋଭ, ମୋହ ଆଦିକୁ ମଣିଷର ଶତ୍ରୁ ବୋଲି ପ୍ରଚଳିତ ନୀତିଶାସ୍ତ୍ରରେ ପ୍ରଚାର କରାଯାଇଥିଲେ ବି ‘ଭୟ’କୁ ରିପୁ ବୋଲି କୁହାହେଇନାହିଁ । ‘ଭୟ’ ତ ଶ୍ରେଣୀସମାଜର ମୁଖ୍ୟ ଅସ୍ତ୍ର ! ତା’କୁ ରିପୁ କହିଲେ ଚଳିବ କେମିତି ? ବରଂ ତା’କୁ ଭକ୍ତି ସାଙ୍ଗରେ ଯୋଡ଼ି ‘ଭୟ ଭକ୍ତି’କୁ କାମ୍ୟ ଗୁଣ ରୂପେ ପ୍ରଚାର କରାହେଇଛି ।

 

ସହଜାତ ପ୍ରବୃତ୍ତିଗୁଡ଼ାକର ବିକାଶ ଜୀବର ସାଙ୍ଗେ ସାଙ୍ଗେ ହେଇଛି । ସେଥିଭିତରୁ ପ୍ରତ୍ୟେକଟିର ଜୈବ ଆବଶ୍ୟକତା ରହିଛି । ମଣିଷ କ୍ଷେତ୍ରରେ ବି ସେଗୁଡ଼ାକର ଆବଶ୍ୟକତା ହେଇଯାଇନାହିଁ । କିନ୍ତୁ ମଣିଷଠେଇଁ ଆସି ଫରକ ଏଇଆ ହେଇଛି ଯେ, ସେସବୁର ଧରାବନ୍ଧା ଅଭିବ୍ୟକ୍ତି ଆଉ ନାହିଁ । ମଣିଷର ନିଜର ଇଚ୍ଛା ଓ ପରିସ୍ଥିତି ଅନୁସାରେ ସେସବୁ ବିବିଧ ରୂପ ଧରୁଛି-। ୟା’ ଦ୍ୱାରା ଏକ ସମସ୍ୟା ସୃଷ୍ଟି ହେଇଛି । ପଶୁମାନଙ୍କର ଜୈବ-ପ୍ରବୃତ୍ତିର ବିକାଶ ପ୍ରତ୍ୟେକ ଜୀବର ବାହ୍ୟ ପରିବେଶ ସହିତ ଖାପ ଖାଇ ହେଇଛି । ସେଥିପାଇଁ ସେସବୁର ଅଭିବ୍ୟକ୍ତି ସେସବୁ ଜୀବମାନଙ୍କର ବଞ୍ଚିରହିବାର ଅନୁକୂଳ ହିଁ ହେଇଥାଏ । କିନ୍ତୁ ସେ ପରିବେଶରୁ ବାହାରିଆସିଲେ ସେସବୁ ଖାପଛଡ଼ା ହେଇଯିବାର ଆଶଙ୍କା ଥାଏ । ଗାଈକୁ ଭୋକ କଲେ ଘାସ-ପତର ଖାଏ । ତା’ର ପାକୁଳି ଥଳି ପୂରିବାଯାଏ ଖାଇବାପାଇଁ ସହଜାତ ବୃତ୍ତି ତା’କୁ ପ୍ରରେଣା ଦିଏ । ଥରେ ଏକ ଶିକ୍ଷା ଅନୁଷ୍ଠାନରେ ଏକ ଭୋଜି ପରେ ବହୁତ ଭାତ ବଳିଲା । କେହି ଜଣେ ‘ବୁଦ୍ଧିମାନ’ ଲୋକ ସେ ଭାତ ନେଇ ଗାଈମାନଙ୍କୁ ବାଲ୍‌ଟିଏ ଲେଖାଏଁ ଦେଇଦେଲେ । ସେମାନେ ପେଟ ପୂରିବାଯାଏ ଭାତ ଖାଇଗଲେ । ସେମାନଙ୍କର ସହଜାତ ବୃତ୍ତି ଏଠି ସେମାନଙ୍କୁ ସାହାଯ୍ୟ କଲା ନାହିଁ । ଗାଈର ପାକସ୍ଥଳୀ ଏତେ ଭାତ ହଜମ କରିବା ପାଇଁ ଉଦ୍ଦିଷ୍ଟ ନୁହେଁ । ସେମାନଙ୍କର ପେଟ ଫାମ୍ପିଲା ଓ ତୁରନ୍ତ ତିନୋଟି ଗାଈ ମରିଗଲେ ।

 

ମଣିଷ ବି ପ୍ରାକୃତିକ ପରିବେଶରେ ବିକଶିତ ହେଇଛି; ମାତ୍ର ଏବେ ସେ ନିଜର ପରିବେଶ ସୃଷ୍ଟି କରୁଛି । ମଣିଷର ସୁବିଧା ଯେ, ସେ ବୁଦ୍ଧିର ସ୍ୱାଧୀନତା ପାଇଛି । ନିଜର ସହଜାତ ବୃତ୍ତିର ଅଭିବ୍ୟକ୍ତିକୁ ସେ ଯଥୋଚିତ ରୂପ ଦେଇପାରେ । କିନ୍ତୁ ସେ ବୁଦ୍ଧିର ବ୍ୟବହାର କରି ଶିଖୁନାହିଁ; ସେଥିପାଇଁ ବିପଦରେ ପଡ଼ୁଛି । ପ୍ରାଚୀନ ଯୁଗରେ ମଣିଷର ପରିବେଶ ବି ଗାଈ ପରି ଥିଲା । ଫଳ, ମୂଳ, ମାଂସ, ଶସ୍ୟ ବେଶୀ ଗୁଡ଼ାଏ ଖାଇ ମୃତ୍ୟୁକବଳରେ ପଡ଼ିବାର ସମ୍ଭାବନା ପ୍ରାୟ ନଥିଲା । ଏବେ ତା’ର ସମୃଦ୍ଧି ଆସିଲାଣି । ଦେଖାଯାଇଛି ଯେ, ଉନ୍ନତ ସମୃଦ୍ଧ ଦେଶର ଲୋକେ ଅତିମାତ୍ରାରେ ଚର୍ବିଜାତୀୟ ଖାଦ୍ୟା ଖାଇ କର୍କଟ ରୋଗ ଓ ହୃଦ୍‌ରୋଗର ଶିକାର ହେଉଛନ୍ତି ।

 

ଗୋଟିଏ ପୁରୁଣା ରୂପକ ଅଛି; ଇନ୍ଦ୍ରିୟମାନ ହେଉଛନ୍ତି ଘୋଡ଼ା; ଦେହ ରଥ ଓ ଆତ୍ମା ରଥୀ । ଘୋଡ଼ାମାନଙ୍କର ଲଗାମ ଧରି ରଥୀ ସେମାନଙ୍କୁ ଠିକ୍‌ ବାଟରେ ଚଳାଇବ । ଏଇ ହେଲା ଆଦର୍ଶ । ଇନ୍ଦ୍ରିୟ ବୋଲନ୍ତେ ସହଜାତ ପ୍ରବୃତ୍ତି ଓ ଆତ୍ମା ବୋଲନ୍ତେ ମଣିଷର ମୁଁ ପଣ; ତା’ର ବ୍ୟକ୍ତିତ୍ୱ ବୋଲି ଯଦି ବୁଝିବା ତ ଦେଖିବା ଯେ ଏ ରୂପକଟି ବାଞ୍ଛନୀୟ ଆଦର୍ଶକୁ ଖୁବ୍‌ ଭଲଭାବରେ ଚିତ୍ରିତ କରୁଛି । ପ୍ରତ୍ୟେକ ପ୍ରବୃତ୍ତି ଗୋଟିଏ ଗୋଟିଏ ଘୋଡ଼ା, ଗୋଟିଏ ଗୋଟିଏ ଶକ୍ତି । ସବୁ ଘୋଡ଼ା ଯଦି ସମନ୍ୱିତ ଭାବରେ ଗୋଟିଏ ଆଡ଼କୁ ଚାଲିବେ, ତେବେ ରଥ ସବୁଠାରୁ ଅଧିକ ବେଗରେ ଆଗେଇ ପାରିବ–ନାହିଁ ଯଦି କେତେକ ଘୋଡ଼ା ଏଣେତେଣେ ଧାଆଁନ୍ତି, ତେବେ ରଥ ଅଚଳ ହେଇଯାଇପାରେ ।

 

ଯଦି ସହଜାତ ପ୍ରବୃତ୍ତିଗୁଡ଼ିକ ମୁଁ ପଣର କର୍ତ୍ତୃତ୍ୱରେ ରହନ୍ତି, ବିବେକପୂର୍ବକ ପରିଚାଳିତ ହୁଅନ୍ତି, ସେମାନଙ୍କ ଭିତରେ ଦ୍ୱନ୍ଦ୍ୱ ନ ଜନ୍ମେ, ତେବେ ମଣିଷର ବ୍ୟକ୍ତିତ୍ୱ ବଳିଷ୍ଠ ହୁଏ । ତା’ର ଅନ୍ତରର ଅଧିକରୁ ଅଧିକ ଶକ୍ତି କାମରେ ଲାଗେ ।

 

କିନ୍ତୁ ସାଧାରଣତଃ ଚଳନ୍ତି ସମାଜରେ ପ୍ରବୃତ୍ତିଗୁଡ଼ିକୁ ବୁଦ୍ଧି ଓ ବିବେକର ଆୟତ୍ତକୁ ଆଣିବାକୁ ଶିକ୍ଷା ଦିଆଯିବା ପରିବର୍ତ୍ତେ ସେସବୁକୁ ନିରୋଧ କରିବା ଚେଷ୍ଟା କରାଯାଏ । ଘୋଡ଼ାକୁ ନିର୍ଦ୍ଦେଶ ଅନୁସାରେ ଦୌଡ଼ିବାର ତାଲିମ ନ ଦେଇ ପିଞ୍ଜରା ଭିତରେ ବନ୍ଦ କରିବା ଉଦ୍ୟମ କରାଯାଏ । ପ୍ରକୃତରେ ପ୍ରବୃତ୍ତିଗୁଡ଼ିକ ଘୋଡ଼ା ପରି ନୁହନ୍ତି; ନଈ ପରି । ତା’ର ସୁଅକୁ ଆଖିବୁଜା ବନ୍ଧ ଦେଇ ଅଟକେଇବା ଚେଷ୍ଟା କଲେ ବନ୍ଧ ସେପଟେ ପାଣିର ତୋଡ଼ ପ୍ରବଳରୁ ପ୍ରବଳତର ହୋଇ ବଢ଼ିଚାଲେ ।

 

ସାନପିଲା ହୁରୁମା ହେବାର ପ୍ରବୃତ୍ତି ଥାଏ । ସେ ଗଛରେ ଚଢ଼ିବ, ପିଢ଼ାରୁ ଡେଇଁବ, ପୋଖରୀରେ ବୁଡ଼ିବ; ଏମିତି ସବୁ ବିପଜ୍ଜନକ କାମ କରି ନିଜ ବଳ କଛିବ । ଏସବୁ ତା’ର ବିକାଶପାଇଁ ଅତି ଜରୁରୀ । ଏଗୁଡ଼ାକ ସବୁ ଖରାପ କଥା ଚଗଲାମି, ଦୁଷ୍ଟାମି ବୋଲି ଦବେଇବା ଚେଷ୍ଟା ହୁଏ । ପ୍ରତ୍ୟେକ କ୍ଷେତ୍ରରେ ଏ ଦାବଣ ଚାଲେ ।

 

ଯୌନ-ଚେତନାକୁ ଘୃଣ୍ୟ, ଅପବିତ୍ର ବୋଲି ବଦ୍‌ନାମ କରି ଦବେଇବା ଚେଷ୍ଟା ହୁଏ । ପୁଣି ଗୋଟାଏ ବିବାହ କରି ବଂଶରକ୍ଷା କରିବା ଜୀବନର ପ୍ରଧାନ ଲକ୍ଷ୍ୟ ବୋଲି ବୁଝାଯାଏ ।

 

କ୍ରୋଧକୁ ମନ୍ଦ ବୋଲି ଦବାଯାଏ । ନିଷ୍ଫଳତା ବା ଅନ୍ୟାୟର ସମ୍ମୁଖୀନ ହେଲେ କି ପ୍ରକାରର ଆଚରଣ ଫଳପ୍ରଦ ହେବ ତାହାର ଧାରଣା ଦିଆଯାଏ ନାହିଁ । ଏହିଭଳି ପ୍ରତ୍ୟେକ ପ୍ରବୃତ୍ତି ବାବଦରେ କରାଯାଏ । ମଣିଷର ଇଚ୍ଛାଶକ୍ତି ବା ନିର୍ଣ୍ଣୟଶକ୍ତିକୁ ହିଁ ସମାଜ ପକ୍ଷରେ ଏକ ବିପଦ ବୋଲି ମନେକରାଯାଏ । ସାନପିଲାର ‘ଜିଦ ଭାଙ୍ଗିବା’ ତା’ର ତାଲିମର ଏକ ପ୍ରଧାନ କାର୍ଯ୍ୟକ୍ରମ ରୂପେ ଘରେ ଘରେ ଚଳାଯାଏ । ବାସ୍ତବିକ ମଣିଷର ସ୍ୱତନ୍ତ୍ର ଇଚ୍ଛାଶକ୍ତି ରହିବ ତ ସେ ବାଧ୍ୟ ଗାଈ ବା ମେଣ୍ଢାଟିଏ ହେଇ ମନୁ ମହାରାଜ, ହିଟଲ୍‌ର, ସ୍ତାଲିନ ଓ ଇନ୍ଦିରାଙ୍କ ପଛରେ ଚାଲିବ କେମିତି ?

 

ବାହାରୁ ଏଇ ଜବରାନ୍‌ ଦମନ ହିଁ ସବୁପ୍ରକାରର ମାନସିକ ଅସ୍ୱାସ୍ଥ୍ୟର ପ୍ରଧାନ କାରଣ । ଗାନ୍ଧୀ-ରବୀନ୍ଦ୍ରନାଥଙ୍କ ଯୁଗ ପୂର୍ବରୁ ଭାରତର ସମାଜରେ ଏଭଳି ଦମନ ଢେର୍‌ ବେଶୀ ଥିଲା ଓ ସାରା ଦେଶଟା ପଙ୍ଗୁମାନଙ୍କର ଦେଶ ହେଇଯାଥିଲା । ଏ ପଙ୍ଗୁତା ସର୍ବବ୍ୟାପୀ ହେଇଥିବାରୁ ଏହାକୁ ହିଁ ସ୍ୱାଭାବିକ ମନେକରାଯାଉଥିଲା । ରବୀନ୍ଦ୍ରନାଥଙ୍କର ‘ଅଚଳାୟତନ୍‌’ ନାଟକରେ ଏହାର ଏକ ଚତ୍ମକାର ଚିତ୍ର ଦିଆଯାଇଛି ଓ ତାହାକୁ ଭାଙ୍ଗିବାର ଉପାୟ ବି । ସାମାଜିକ ପରମ୍ପରାର ଦାବଣ ସାଧାରଣ, ହାରାହାରି, ସୁପ୍‌ରଇଗୋ ତାଡ଼ିତ, ପଙ୍ଗୁ ବ୍ୟକ୍ତିତ୍ୱ ସୃଷ୍ଟି କରିଥାଏ । ବିଶେଷ କାରଣ, ପାରିବାରିକ ଓ ବ୍ୟକ୍ତିଗତ ପରିସ୍ଥିତିର ବିଶେଷତ୍ୱ ଆଦି ଘଟିଲେ ଖାସ୍‌ ମାନସିକ ବିକୃତ ଜନ୍ମେ । ମନୋବୈଜ୍ଞାନିକ ପିୟର୍‌ସନ୍‌ ତ ଏଥିପାଇଁ ‘ଚରିତ୍ର‘କୁ ହିଁ ଏକ ‘ମାନସିକ ବିକ୍ଷେପ’ (ନ୍ୟୁରୋସିସ୍‌) କହିଛନ୍ତି । ଚରିତ୍ରନିର୍ମାଣର ପରାମ୍ପରାଗତ ପନ୍ଥା ନ୍ୟୁରୋସିସ୍‌ ସୃଷ୍ଟି କରେ ।

 

ବିଭିନ୍ନ ପ୍ରବୃତ୍ତିଗୁଡ଼ିକ ବିଷୟରେ ଅନ୍ୟତ୍ର ବିଶଦ ଆଲୋଚନା କରାଯାଇଛି । ସୁସମନ୍ୱିତ ପ୍ରବୃତ୍ତି ଉପରେ ଛିଡ଼ା ହେଇଥିବା ସୁସାମଞ୍ଜସ୍ୟ, ସୃଜନଶୀଳ ବ୍ୟକ୍ତିତ୍ୱର ବିକାଶର ରାଜମାର୍ଗ ଏଯାଏ ମିଳିନାହିଁ । ତା’ରି ବାଟ ଖୋଜା ତ ମାନବ-ମୁକ୍ତିର ପ୍ରଧାନ ସାଧନା । ମହାପୁରୁଷ, ମହାନ୍‍ ଶିଳ୍ପୀ, ସାଧକ, ଦାର୍ଶନିକ, ସତ୍ୟାନୁସନ୍ଧାନୀମାନଙ୍କଠାରେ ଏପରି ବ୍ୟକ୍ତିତ୍ୱର ଝଲକ ଦେଖାଯାଏ । ମାତ୍ର ସାଧାରଣ ଲୋକଙ୍କର ଆଗରେ ତା’ର ରହସ୍ୟ ଖୋଲିଧରିବା ଭଳି ସେମାନଙ୍କର ଜୀବନର ବିକାଶକ୍ରମର ବୈଜ୍ଞାନିକ ଅଧ୍ୟୟନ ହେଇନାହିଁ କହିଲେ ଚଳେ । ଅଧିକାଂଶଙ୍କର ଜୀବନୀ ତ କଥା ଓ କଳ୍ପନା ମିଶି ପୁରାଣ ପର୍ଯ୍ୟାୟରେ ରହିଛି । ଏବେ କେତେକ ମନୋବୈଜ୍ଞାନିକ ଅନୁଭବ କରୁଛନ୍ତି ଯେ ଅସୁସ୍ଥ ମନର ଅଧ୍ୟୟନ ତ ବହୁତ ହେଲାଣି; ଏବେ ସୁସ୍ଥମନର ବିଶେଷ କରି ଅସାଧାରଣ ଭାବରେ ସୁସ୍ଥ ଓ ସୃଜନଶୀଳ ବ୍ୟକ୍ତିତ୍ୱର ଅଧ୍ୟୟନ କରାଯାଉ; ଯାହା ଦ୍ୱାରା ପରିପୂର୍ଣ୍ଣ ମାନସିକ ସ୍ୱାସ୍ଥ୍ୟର ଓର ମିଳିବ ।

 

ମଞ୍ଜି ଭିତରେ ଗଛର ସମ୍ଭାବନା ଲୁଚିରହିଥିବା ପରି ପ୍ରତ୍ୟେକ ମଣିଷ ଭିତରେ ଅପାର ଶକ୍ତି ଲୁଚିରହିଛି, ଯାହାର ପରିମାଣର କଳନା କେହି କରିପାରିନାହିଁ । ଅସାଧାରଣ କୃତିତ୍ୱ ହାସଲ କରିଥିବା ଲୋକଙ୍କୁ ଦେଖିଲେ ଆମର ଗୋଟାଏ ଧାରଣା ଜନ୍ମେ ଏହା ବିଷୟରେ । ଦୁନିଆରେ ମଣିଷ ସାଧାରଣ ଓ ଅସାଧାରଣ ଏପରି ଦୁଇ ପ୍ରକାରେ ସୃଷ୍ଟ ହେଇନାହାନ୍ତି । ବଣର ସିଂହମାନଙ୍କୁ ନିଜର ପରିବାରରେ ସାମିଲ କରିଥିବା ଜୟ ଏଡାମ୍‌ସନ୍‌ ଜଣେ ସାଧାରଣ ଗୃହିଣୀ । ତାଙ୍କର ପ୍ରେମର ଝର ଫୁଟିଲା ଓ ଜୀବଜନ୍ତୁଙ୍କୁ ପ୍ଳାବିତ କଲା । ଗାନ୍ଧୀ ସେମିତି ଜଣେ ସାଧାରଣ ବାରିଷ୍ଟର ଥିଲା, ଯାହାର ତୁଣ୍ଡ ଲେଉଟୁ ନଥିବାରୁ ତା’କୁ ମହକିଲ ମିଳୁ ନଥିଲେ । ରବୀନ୍ଦ୍ରନାଥ ଇସ୍କୁଲୁରୁ ପଳେଇଯାଇଥିଲେ । ଆଇନ୍‌ଷ୍ଟାଇନ୍‌ ପେଟେଣ୍ଟ ଅଫିସର ନିରୀହ କିରାଣି । ମଞ୍ଜିରୁ ଗଛ ହୋଇ ପୂର୍ଣ୍ଣ ପଲ୍ଲବିତ ହେବାକୁ ମାଟି, ପାଣି, ପବନର ଅନୁକୂଳ ବାହ୍ୟ ପରିବେଶ ଲୋଡ଼ା; ମଣିଷର ମଧ୍ୟ ବାହ୍ୟ ପରିବେଶର ଅନୁକୂଳତା ଲୋଡ଼ା ହୁଏ । ମାତ୍ର ତା’ର ବିଶେଷତ୍ୱ ହେଲା ଯେ, ସେ ନିଜକୁ ନିଜେ ଗଢ଼ି ତୋଳିବାରେ ହାତ ଲଗେଇପାରେ । ଏଇ ନିଜକୁ ଓ ପରିବେଶକୁ ଗଢ଼ିବାର ଶକ୍ତି ହିଁ ସୁସ୍ଥ ମଣିଷଠାରେ ପ୍ରକଟ ହୁଏ । ସେଥିପାଇଁ ସୁସ୍ଥ ମଣିଷ ଠା’କରେ ଅଟକି ରହେ ନାହିଁ । ନିଜର ଭିତରର ଓ ବାହାରର ପରିବେଶର ଗୁପ୍ତ ସମ୍ଭାବନାକୁ ଲଗାତାର ଫିଟେଇ ଚାଲିବା ହିଁ ତା’ର ସ୍ୱାସ୍ଥ୍ୟର ଲକ୍ଷଣ ।

 

କେତେ ବର୍ଷ ତଳେ ଆମ ଦେଶରେ ଧାରଣା ଥିଲା ଯେ ମଣିଷ ଷାଠିଏ ବର୍ଷ ବଞ୍ଚିଲେ ଖୁବ୍‌ ବଞ୍ଚିଲା । ଏବେ ମଧ୍ୟ ଏସିଆରେ ଦେଢ଼ ଦେଢ଼ ଶହ ବର୍ଷ ବଞ୍ଚିଥିବା ଲୋକଙ୍କ ଖବର ମିଳୁଛି; ଫଳରେ ସ୍ୱାସ୍ଥ୍ୟ ଓ ଆୟୁଷ ବିଷୟରେ ଆମର ଧାରଣା ଏକଦମ୍‌ ବଦଳିଯାଇଛି । ସେମିତି ବୁଦ୍ଧ, ଗାନ୍ଧୀ ପ୍ରଭୃତିଙ୍କୁ ଅବତାର ଓ ମହାତ୍ମା କରି ଶିକାରେ ଥୋଇ ନ ଦେଇ ଅନ୍ୟ ପ୍ରକାରରେ ବିଚାର କରିପାରୁ । ସୁସ୍ଥ ବ୍ୟକ୍ତିତ୍ୱ ଭିତରେ ଭୟ, ଉଦ୍‌ବେଗ, ସନ୍ଦେହ, ଦ୍ୱେଷ, ଘୃଣା ଆଦି କମ୍‌ ନିର୍ଭୟତା, ବିଶ୍ୱାସ, ବନ୍ଧୁଭାବ, ସ୍ନେହଶୀଳତା, ସହନଶୀଳତା ଆଦି ଅଧିକ ପରିମାଣରେ ଥାଏ ବୋଲି ବିଜ୍ଞାନ କହୁଛି । ତେବେ କ’ଣ ସେହିମାନେ ଚରମ ସ୍ୱାସ୍ଥ୍ୟର ପ୍ରତୀକ ନୁହନ୍ତି; ଯାହାଙ୍କଠାରେ ଭୟ, ଦ୍ୱେଷ, ସଂକୀର୍ଣ୍ଣତା ଆଦି ଲେଶମାତ୍ର ନାହିଁ ଓ ନିର୍ଭୟତା, ବିଶ୍ୱାସ ପ୍ରେମ ଆଦି ପୂରିରହିଛି ?

Image

 

ଯନ୍ତ୍ରାରୂଢ଼ାନି ମାୟୟା

 

ଏବେ ଏ ଦେଶରେ ଗାଁଗହଳରେ ଟେଲିଭିଜନ ପ୍ରସାରର ଯୋଜନା ଖୁବ୍‌ ଜୋରସୋରରେ ଚାଲିଛି । ଏଣେ ଲୋକଙ୍କର ପେଟକୁ ଦାନା ନାହିଁ; ତା’ର ଉପାୟ କ’ଣ ହେବ ସେ କଥା ମା’ ଗଙ୍ଗେ ଜାଣନ୍ତି; କିନ୍ତୁ ଟେଲିଭିଜନ୍‌ଟା ଆଗ । ଆଉ ସେ ବି ସବୁ ଗରିବ ଜିଲାମାନଙ୍କରେ । ଏକଥାର ବହୁତ ଗହନ ମରମ ଅଛି ।

 

ୠଷି ବିଶ୍ୱାମିତ୍ର ତପସ୍ୟା କରୁଥିବାବେଳେ ଇନ୍ଦ୍ରଙ୍କର ଭୟ ହେଲା ଯେ କାଳେ ସେ ସିଦ୍ଧିଲାଭ କଲେ ତାଙ୍କର ଇନ୍ଦ୍ରପଦ ଛଡ଼େଇନେବେ । ସେଥିପାଇଁ ସେ ବିଶ୍ୱାମିତ୍ରଙ୍କର ତପୋଭଙ୍ଗ କରିବା ପାଇଁ ଇନ୍ଦ୍ରସଭାର ରୂପସୀ ନର୍ତ୍ତକୀ ମେନକାକୁ ପଠେଇଲେ । ଏ ଉପାଖ୍ୟାନ ପୂରାଣରେ ଅଛି । ଏ ଯୁଗରେ ଇନ୍ଦ୍ରଙ୍କର ଭୟ ଜନତାକୁ । ଜନତା ମାତିଲେ ଗାଦି ଓଲଟେଇ ଦେଇପାରେ; ଆଉ କାହାକୁ ଦେଇ ଦେଇପାରେ । ସେଥିପାଇଁ ଜନତାକୁ ମୋହବଶ କରି ରଖିବା ପାଇଁ ଆବଶ୍ୟକ ହେଉଛି ଟେଲିଭିଜନ୍‌ ପ୍ରସାର ପରି ଯୋଜନା ।

 

ପୂର୍ବକାଳରୁ ମଣିଷକୁ ଆୟତ୍ତରେ ରଖିବା, ତା’କୁ ନିଜର ଇଚ୍ଛା ଅନୁସାରେ ବ୍ୟବହାର କରିବାର ଉପାୟ ତ ଶାସକ ଓ ଅନ୍ୟ ବଳୁଆ ଲୋକେ ପାଞ୍ଚୁଥିଲେ । ଠେଙ୍ଗାବାଡ଼ି, ପାଇକ ସିପାହି, ଧର୍ମଭୟ, ସୁପର୍‌ଇଗୋ–ଏଇ ସବୁ ଥିଲା ତା’ର ଉପାୟ । ମାତ୍ର ମଣିଷର ସ୍ୱାଧୀନତାର ଆକାଂକ୍ଷା ଓ ପରିସର ଯେତିକି ଯେତିକି ବଢ଼ୁଛି, ସେତିକି ସେତିକି ନୂଆ ଉପାୟ ଖଞ୍ଜିବାକୁ ପଡ଼ୁଛି; ପୁରୁଣା ଉପାୟକୁ ଶାଣିତ କରିବାକୁ ପଡ଼ୁଛି । ଢେଙ୍କାନାଳ ରାଜ୍ୟରେ ଯେଉଁ ଉପାୟ ଚଳୁଥିଲା ବା ସ୍ତାଲିନ୍‌ ଯେଉଁ ବନ୍ଧୁକ-ଗୁଳିର ଉପାୟ ନିର୍ବକାର ଭାବରେ ଚଳେଇଥିଲା, ଗଣତାନ୍ତ୍ରିକ ଇଂଲଣ୍ଡର ଲଣ୍ଡନ ସହରରେ ତାହା ଚଳିବ ନାହିଁ । ଲୋକେ ତା’କୁ ସହିବେ ନାହିଁ; ସେଥିପାଇଁ ସୂକ୍ଷ୍ମତର ଉପାୟ ଖୋଜାହେଉଛି । ତା’ଛଡ଼ା ଲୋକଙ୍କ ଜୀବନରେ ଶାସନର ପ୍ରବେଶ ମଧ୍ୟ ସେ ପ୍ରାଚୀନ ଯୁଗ ତୁଳନାରେ ବହୁ ଗୁଣରେ ବଢ଼ିଗଲାଣି । ଏବେ ଆପଣ କ’ଣ ଖାଇବେ, କ’ଣ ପିନ୍ଧିବେ, କେତୋଟି ପିଲା ଜନ୍ମ କରିବେ, କି ଧନ୍ଦା କରିବେ ବା ବେକାର ବସିବେ–ଏହିପରି ପ୍ରତ୍ୟେକ କଥାର ସୂତ୍ର ଶାସନ ହାତକୁ ଚାଲିଗଲାଣି ବା ଯାଉଛି । ସବୁ ସୂତ୍ର ଶାସନକର୍ତ୍ତାମାନେ ନିଜ ହାତକୁ ନେବାକୁ ବ୍ୟଗ୍ର । ଶାସକଙ୍କ ଛଡ଼ା ପୁଞ୍ଜିବାଦୀ ଦେଶମାନଙ୍କରେ ଶିଳ୍ପପତି ଓ ବ୍ୟବସାୟୀମାନେ ମଧ୍ୟ ଲୋକଙ୍କୁ ମଙ୍କଡ଼ନଚା କରାଇବାପାଇଁ ଲାଗିପଡ଼ିଛନ୍ତି । ସାଧାରଣ ଲୋକେ ନାନା ଜିନିଷ କିଣିବା, ନାନା ସଉକ ମେଣ୍ଟେଇବା ଉପରେ ସେମାନଙ୍କର ଆର୍ଥନୀତିକ ସାମ୍ରାଜ୍ୟ ଓ ବୈଭବର ଅସ୍ତିତ୍ୱ ବହୁ ପରିମାଣରେ ନିର୍ଭର କରୁଛି ।

 

ପୃଥିବୀର ଅଧିକାଂଶ ଅଞ୍ଚଳରେ ଏବେ ବି ଖୋଲାଖୋଲି ବା ପ୍ରଚ୍ଛନ୍ନ ଏକଚ୍ଛତ୍ରବାଦ ଚାଲିଛି । ସେ ସବୁଠାରେ କୌଣସି କାମ ଢାଙ୍କିଢୁଙ୍କି କରିବାର ଆବଶ୍ୟକତା ନାହିଁ କହିଲେ ଚଳେ । ଠେଙ୍ଗା, ବନ୍ଧୁକ, ହାତକଡ଼ି, ଜେଲ ଲୋକଙ୍କୁ ଅଡ଼େଇବାପାଇଁ ଯଥେଷ୍ଟ । ମାତ୍ର ଏ ସବୁଠୁଁ ଯଦି ରାସ୍ତା ଓ ସୂକ୍ଷ୍ମ ଉପାୟ ମିଳେ, ତେବେ ତାହା ବ୍ୟବହାର କରିବା ସୁବିଧାଜନକ । ପୁରୁଣା ଇତିହାସର କାହାଣୀ ଅଛି ଯେ ପାରସ୍ୟର ସମ୍ରାଟ କାଇରସ୍‌ (ଖ୍ରୀଷ୍ଟପୂର୍ବ ୫କ ଶତାଦ୍ଦୀ) ଖବର ପାଇଲେ ଯେ ତାଙ୍କର ସାମ୍ରାଜ୍ୟର ସାର୍ଦ୍ଦିସ୍‌ ନଗରରେ ଲୋକେ ବିଦ୍ରୋହ କରିଛନ୍ତି । ସେ ତା’କୁ ଦମନ କରିବାପାଇଁ ଫୌଜ ପଠେଇ ଗୁଡ଼ାଏ ଖର୍ଚ୍ଚ ବଢ଼େଇବା ପରିବର୍ତ୍ତେ ସେ ନଗରକୁ ଆୟତ୍ତ କରିବାର ଏକ ଅଭିନବ ଉପାୟ ପାଞ୍ଚିଲେ । ସେ ସେଠି ସବୁ ମଦଭାଟି, ବେଶ୍ୟାଳୟ ଓ ଖେଳ ଆଖଡ଼ା ଖୋଲେଇ ଦେଲେ ଓ ନଗରବାସୀଙ୍କୁ ସେସବୁ ଉପଭୋଗ କରିବା ପାଇଁ ନିବେଦନ ଜଣାଇଥିଲେ । ସତକୁ ସତ ଅଳ୍ପ ଦିନ ପରେ ସେଠି ବିଦ୍ରୋହ ଶାନ୍ତ ହେଇଗଲା ଓ ଆଉ କେବେ ମୁଣ୍ଡ ଟେକିଲା ନାହିଁ ।

 

ଶିକ୍ଷା ବ୍ୟବସ୍ଥାର ନିୟନ୍ତ୍ରଣ ତ ଶାସକମାନଙ୍କ ହାତରେ ଏକ ଆୟୁଧ ଭାବରେ ଅନେକ କାଳୁ ରହିଲାଣି । ପୂର୍ବେ ସବୁ ଦେଶରେ ବିଦ୍ୟାଳୟମାନଙ୍କରେ ରାଜା ଓ ଶାସକକୁଳଙ୍କର ସ୍ତୁତିଗାନ କରାଯାଉଥିଲା । ସେହିମାନଙ୍କର ଅର୍ଦ୍ଧ-ସତ୍ୟ ଓ କଳ୍ପିତ ଗୌରବ କାହାଣୀ ଇତିହାସ ନାଁରେ ପଢ଼ାଯାଉଥିଲା । ବିଜ୍ଞାନ ଓ ସ୍ୱାଧୀନ ଚିନ୍ତାର ପ୍ରସାର ଯୋଗୁଁ ଗାଣତାନ୍ତ୍ରିକ ଦେଶମାନଙ୍କରେ ଆଉ ସେପରି ଖୋଲାଖୋଲି କପୋଳ-କଳ୍ପିତ ଇତିହାସ ପଢ଼ାନଗଲେ ମଧ୍ୟ ରାଷ୍ଟ୍ରୀୟ ଗୌରବ ଦୃଷ୍ଟିରୁ ଇତିହାସକୁ ଯଥେଷ୍ଟ ବିକୃତ କରାଯାଉଛି । ନିଜ ଦେଶରେ ଶାସନ, ଅର୍ଥବ୍ୟବସ୍ଥା ଆଦି ଦୁନିଆରେ ସର୍ବଶ୍ରେଷ୍ଠ ବୋଲି ଧାରଣା ଦିଆଯାଉଛି ।

 

ଏ ସବୁ ଦେଶରେ ଶାସନ ଏ ଦଳହାତରୁ ସେ ଦଳହାତକୁ ବଦଳୁଥିବାରୁ କ୍ଷମତାରେ ଥିବା ଦଳ ଯେମିତି ଶିକ୍ଷା-ବ୍ୟବସ୍ଥାକୁ ନିଜ ଦଳର ପ୍ରଚାରପାଇଁ ବ୍ୟବହାର କରି ନ ପାରିବେ, ସେଥିପ୍ରତି ସାବଧାନତା ରହିଛି । ଶିକ୍ଷାର ଆଦର୍ଶ ଓ ପଦ୍ଧତିର ବିକାଶଦୃଷ୍ଟିରୁ ଶିକ୍ଷା ସରକାରୀ ନିୟନ୍ତ୍ରଣରୁ ମୁକ୍ତ ହେବାର ଦାବି ଉଠିଛି ଓ ଅନେକ ପରିମାଣରେ ସଫଳ ହୋଇଛି । ପାଶ୍ଚାତ୍ୟ ଗଣତନ୍ତ୍ର ଦେଶମାନଙ୍କରେ ବିଶ୍ୱବିଦ୍ୟାଳୟଗୁଡ଼ିକ ସରକାରୀ ନିୟନ୍ତ୍ରଣରୁ ମୁକ୍ତ । ଇଂଲଣ୍ଡ ଓ ଅନ୍ୟ କେତେକ ଦେଶର ପ୍ରାଥମିକ ଶିକ୍ଷା ମଧ୍ୟ ସେହିପରି ମୁକ୍ତ; ଅର୍ଥାତ୍‌ ପ୍ରାଥମିକ ବିଦ୍ୟାଳୟ ପାଇଁ ପାଠ୍ୟକ୍ରମ ସରକାର ବା କୌଣସି କର୍ତ୍ତ୍ୱପକ୍ଷ ଗଢ଼ିଦିଅନ୍ତି; ଶିକ୍ଷକ ଓ ବିଦ୍ୟାଳୟ କର୍ତ୍ତୃପକ୍ଷ ନିଜେ ଗଢ଼ନ୍ତି । ଏବେ ଶିକ୍ଷା ଅନୁଷ୍ଠାନମାନଙ୍କୁ ପରୋକ୍ଷଭାବରେ ପ୍ରଭାବିତ କରିବା ଚେଷ୍ଟା ସେ ସବୁ ଦେଶରେ ଚାଲିଛି ।

 

ମାତ୍ର ସୋଭିଏତ୍‌ ଦେଶ ବା ଇରାନ୍‌ ଭଳି ଏକଛତ୍ର ଶାସନରେ ଶିକ୍ଷାବ୍ୟବସ୍ଥା ପିଲାଙ୍କୁ ମେଣ୍ଢା ବନେଇବାର ଯନ୍ତ୍ରରୂପରେ ସିଧାସଳଖ ଭାବରେ ବ୍ୟବହାର କରାଯାଉଛି । ସେଠି ଇତିହାସରେ ତ ପାର୍ଟୀ ନେତାମାନଙ୍କର ଗୌରବ ହିଁ ପଢ଼ାଯାଏ । ଇତିହାସର ତଥ୍ୟ ଐତିହାସିକ ଗବେଷଣା ଓ ବିଭିନ୍ନ ଇତିହାସକାର ବିଦ୍ୱାନମାନଙ୍କ ଭିତରେ ଖୋଲା ଆଲୋଚନା ଓ ବିତର୍କ ମାଧ୍ୟମରେ ଆବିଷ୍କୃତ ହୁଏ ନାହିଁ; ପାର୍ଟୀର ଫତୁଆ ଅନୁସାରେ ହୁଏ । ସ୍ତାଲିନ୍‌ଙ୍କ ମୃତ୍ୟୁ ପରେ ସେ ଯେତେବେଳେ ପାର୍ଟୀର ନୂଆ ନେତାମାନଙ୍କର ବିରାଗଭାଜନ ହେଲେ, ସୋଭିଏତ୍‌ ଦେଶରେ ଇତିହାସପଢ଼ା ଅନେକ ମାସ ବନ୍ଦ ରହିଲା ନୂଆ ଇତିହାସ ଲେଖା ହେବାଯାକେ । ଏହିପରି ସମସ୍ତ ଶିକ୍ଷା ଛାତ୍ରମାନଙ୍କୁ ବାଧ୍ୟ-ପ୍ରଶଂସକ କରି ଗଢ଼ିତୋଳିବା ଦୃଷ୍ଟିରୁ ଦିଆଯାଏ । ଅନ୍ୟସବୁ ଏକଚ୍ଛତ୍ରବାଦୀ ଦେଶରେ ବି ସେଇ ଅବସ୍ଥା ।

 

ତା’ପରେ ହାତକୁ ଆସିଲା ଖବରକାଗଜ । ଗଣତନ୍ତ୍ର ଦେଶମାନଙ୍କରେ ଖବରକାଗଜ ସବୁ ପ୍ରକାର ହାତରେ ନାହିଁ; ମାତ୍ର ସେସବୁକୁ ପ୍ରଭାବିତ କରିବାରେ ବହୁତ କୌଶଳ ରହିଛି । ପ୍ରଥମତଃ ବଡ଼ ବଡ଼ ଦୈନିକ ପତ୍ରିକାସବୁ ବଡ଼ ବଡ଼ ବ୍ୟବସାୟ ପ୍ରତିଷ୍ଠାନମାନଙ୍କର ମାଲିକାନାରେ ରହିଛି । ଏ ପ୍ରତିଷ୍ଠାନମାନ ଅତି ଶକ୍ତିଶାଳୀ ଓ ସରକାରୀ ନୀତିକୁ ବି ନାନାଭାବରେ ନିଜ ସ୍ୱାର୍ଥଦୃଷ୍ଟିରୁ ପ୍ରଭାବିତ କରନ୍ତି । ତେଣୁ ଦେଶର ଯେଉଁ ନ୍ୟସ୍ତସ୍ୱାର୍ଥଗୁଡ଼ିକ ଆଧିପତ୍ୟ କରୁଥାନ୍ତି, ସେମାନଙ୍କୁ ବାଧିବା ଭଳି ତଥ୍ୟ ପରିବେଷଣ କରିବାକୁ ଚାହାନ୍ତିନାହିଁ ।

 

କିନ୍ତୁ ସାଧାରଣ ଭାବରେ ଲୋକେ ଜାଗ୍ରତ ଥିବାରୁ ଓ ସବୁ କଥା ଜାଣିବାକୁ ଚାହୁଁଥିବାରୁ, ପୁଣି ସାନ ସାନ ଆଦର୍ଶବାଦୀ କାଗଜ ବାହାର କରିବାର ସ୍ୱାଧୀନତା ଥିବାରୁ, କୌଣସି ତଥ୍ୟକୁ ପୂରାପୂରି ଚାପିଦେଇ ହୁଏ ନାହିଁ ଓ ବଡ଼ ବଡ଼ କାଗଜମାନେ ବି ଲୋକମାନଙ୍କଠାରେ ନିଜର ପତିଆରା ବଜାୟ ରଖିବାପାଇଁ ବାସ୍ତବ ତଥ୍ୟକୁ ଅତିମାତ୍ରାରେ ମୋଡ଼ାମୋଡ଼ି କରିବାକୁ ସାହସ କରନ୍ତି ନାହିଁ । ଏକଚ୍ଛତ୍ରବାଦ କବଳରେ ଥିବା ଦେଶମାନଙ୍କରେ ଖବରକାଗଜସବୁ ହୁଏତ ସରକାର ହାତରେ, ନହେଲେ ସରକାରର ସେନ୍‌ସରଶିପ୍‌ ଓ ଅନ୍ୟ କଟକଣା ତଳେ ରହି କାମ କରନ୍ତି । ତେଣୁ ଏସବୁଠିଁ ସରକାରୀ ପକ୍ଷର ନଗ୍ନ ପ୍ରଚାର ହିଁ ଏସବୁ ଦ୍ୱାରା ଚାଲେ ।

 

ରେଡ଼ିଓ ଓ ଦୂରଦର୍ଶନରେ ବି ସେଇ ଅବସ୍ଥା । ଆମେରିକାର ଯୁକ୍ତରାଷ୍ଟ୍ରରେ ରେଡ଼ିଓ ଷ୍ଟେସନ ସବୁ ବ୍ୟକ୍ତିଗତ ମାଲିକାନାରେ ରହିଛି । ସେଥିଭିତରୁ ଅଧିକାଂଶ ଅଳ୍ପ କେତୋଟି ବଡ଼ ବଡ଼ କମ୍ପାନୀ ହାତରେ; ବାକି ବ୍ୟକ୍ତିବିଶେଷ ଓ ଛୋଟ ଅନୁଷ୍ଠାନ ମଧ୍ୟ କେତେକ ଷ୍ଟେସନ ଚଳାନ୍ତି । ଖବରକାଗଜ ପରି ଏଥିରେ ମଧ୍ୟ ମୋଟାମୋଟି ବିଭିନ୍ନ ମତର ପ୍ରଚାର ପାଇଁ ସୁଯୋଗ ମିଳେ । ଇଂଲଣ୍ଡରେ ବି.ବି.ସି ଏକ ସ୍ୱତନ୍ତ୍ର ସଂସ୍ଥା ଭାବରେ କାମ କରେ ଓ ସରକାରୀ କର୍ତ୍ତୃତ୍ୱରୁ ମୁକ୍ତ ଥାଏ । କମ୍ୟୁନିଷ୍ଟ ଦେଶମାନଙ୍କରେ ରେଡ଼ିଓ ଓ ଦୂରଦର୍ଶନ ସରକାରୀ ନିୟନ୍ତ୍ରଣରେ ସରକାରୀ ପ୍ରଚାର ହିଁ ଅମ୍ଳାନବଦନରେ କରନ୍ତି ।

 

ଗଣତନ୍ତ୍ର ଦେଶମାନଙ୍କରେ ସ୍ୱାଧୀନତାର ହାୱା ଏହିରୂପେ ପ୍ରଚାର-ମାଧ୍ୟମଗୁଡ଼ିକର ଅନ୍ତତଃ ଆଂଶିକ ସ୍ୱାଧୀନତା ଦ୍ୱାରା ପୁଷ୍ଟ ହେଉଥିବାରୁ ସେଠି ଲୋକଙ୍କୁ ପ୍ରଭାବିତ କରିବାପାଇଁ ସୂକ୍ଷ୍ମ ଉପାୟ ଖୋଜିବାକୁ ପଡ଼େ; ଡାହା ମିଛ କହିଦେଇ କାମ ଚଳେଇ ହୁଏ ନାହିଁ । ତା’ଛଡ଼ା ଏକଚ୍ଛତ୍ରବାଦୀ ଦେଶରେ ବି କେବଳ ସବୁ ପ୍ରଚାର-ସାଧନ ଓ ଶିକ୍ଷାବ୍ୟବସ୍ଥା ହାତରେ ଥିଲେ ଚଳେନାହିଁ । ତାହା ମାଧ୍ୟମରେ ଲୋକଙ୍କୁ କିପରି ପ୍ରଭାବିତ କରିବାକୁ ହେବ, ତା’ର କୌଶଳ ଜଣାଥିବା ଚାହି । ଭାରତରେ ସ୍ୱାଧୀନତା ଆନ୍ଦୋଳନ ଚାଲିଥିବାବେଳେ ଇଂରେଜ ସରକାରଙ୍କର ଗୁଣଗାନ କରି ବହୁତ ପ୍ରଚାର କେତେକ ଭଡ଼ାଟିଆ ଲୋକଙ୍କ ମାର୍ଫତ କରାଯାଉଥିଲା । ମାତ୍ର ଲୋକେ ଏ ପ୍ରକାରର ପ୍ରଚାରକୁ ବିଶ୍ୱାସ କରୁ ନଥିଲେ; ହସି ଉଡ଼େଇ ଦେଉଥିଲେ । ସେହିପରି ଏଠି ଓ ଅନ୍ୟାନ୍ୟ ପରାଧୀନ ଦେଶମାନଙ୍କରେ ଶିକ୍ଷା ଅନୁଷ୍ଠାନମାନଙ୍କରେ ଯେଉଁ ରାଜଭକ୍ତିମୂଳକ କାର୍ଯ୍ୟ କରାଯାଉଥିଲା–ଗୀତ, ପତାକାବନ୍ଦନ ଇତ୍ୟାଦି–ସେସବୁ ପ୍ରତି ମଧ୍ୟ ପିଲାଙ୍କ ଓ ଶିକ୍ଷକଙ୍କ ମନରେ ଅବଜ୍ଞା ଭାବ ରହୁଥିଲା ।

 

ତେଣୁ ମୁଖ୍ୟ ସମସ୍ୟା ହେଲା ପ୍ରଚାର ନୁହେଁ, କଣ୍ଡିଶନିଙ୍ଗ-ସଂସ୍କାରବନ୍ଧନ । ପୁରୁଣା ସମାଜରେ ଯେ ଲୋକେ ସଂସ୍କାରବଦ୍ଧ ହୁଅନ୍ତି, ମା’ମାନେ ସୁଦ୍ଧା ପିଲାଙ୍କୁ କ୍ଷୀର ଖୋଇବାବେଳୁ ସଂସ୍କାରରେ ବାନ୍ଧିବାରେ ସାହାଯ୍ୟ କରନ୍ତି, ତାହାର ଯୋଜନା କେହି ଦିନକରେ ଭାବିଚିନ୍ତି କରି ନଥିଲା; ତାହା ଶହ ଶହ ବର୍ଷରେ କ୍ରମେ କ୍ରମେ ଗଢ଼ିଉଠିଥିଲା । ଏବେ ତ ତୁରନ୍ତ ଫଳ ଦରକାର । ସେଥିପାଇଁ ବିଜ୍ଞାନର ସାହାଯ୍ୟ ନିଆଯାଉଛି । ସେଥିପାଇଁ ମନୋବିଜ୍ଞାନର ଅଦ୍ୟତନ ଗବେଷଣାରୁ ଫାଇଦା ଉଠାଯାଉଛି । ଲୋକଙ୍କୁ ସେମାନଙ୍କର ଅଜଣାରେ ପ୍ରଭାବିତ କରିବାର ନୂଆ ନୂଆ ଉପାୟ ଆବିଷ୍କାର କରିବାକୁ ହଜାର ହଜାର ବୈଜ୍ଞାନିକ ଗବେଷଣାରେ ଲାଗିଛନ୍ତି ଓ ଏଥିରେ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ବ୍ୟବସାୟ ପ୍ରତିଷ୍ଠାନମାନେ ଲୋକଙ୍କୁ ସେମାନଙ୍କର ପଣ୍ୟ କିଣିବାରେ ପ୍ରଭାବିତ କରିବାର ନୂଆ ନୂଆ ଫଳପ୍ରଦ ଉପାୟଖୋଜାରେ ଲାଗିଛନ୍ତି । ରାଜନୀତିକଦଳମାନେ ଓ ସରକାରମାନେ ଲୋକଙ୍କୁ ନିଜ ସପକ୍ଷରେ ପ୍ରଭାବିତ କରିବାର ଉପାୟ ଖୋଜୁଛନ୍ତି । ତା’ଛଡ଼ା ଆମେରିକା ସରକାର ଦକ୍ଷିଣ ଆମେରିକା, ଦକ୍ଷିଣ ଏସିଆ, ଆଫ୍ରିକା ଓ ପଶ୍ଚିମ ଏସିଆରେ ଅନେକଗୁଡ଼ିଏ ପ୍ରତିକ୍ରିୟାଶୀଳ ଏକଚ୍ଛତ୍ରବାଦୀ ସରକାରକୁ ପୋଷି ରଖିଛି । ଏସବୁ ଦେଶର ଜମିଦାର, ପୁଞ୍ଜପତି ଆଦି ଶ୍ରେଣୀ ଆମେରିକାର ବ୍ୟବସାୟ ପ୍ରତିଷ୍ଠାନମାନଙ୍କର ଛୋଟ ସରିକଦାର ଭାବରେ ସେସବୁ ଦେଶର ଜନତାଙ୍କୁ ଶୋଷଣ କରିବାରେ ସାହାଯ୍ୟ କରୁଛନ୍ତି । ଏସବୁ ଦେଶରେ ଲୋକଙ୍କର ଅସନ୍ତୋଷ ଓ ବିଦ୍ରୋହ ପ୍ରଚେଷ୍ଟାକୁ ଦବେଇବାପାଇଁ ସାମରିକ ସାହାଯ୍ୟ ସାଙ୍ଗକୁ ମନେବୈଜ୍ଞାନିକ ପ୍ରଭାବ ବିସ୍ତାରର ପନ୍ଥା ମଧ୍ୟ ଗ୍ରହଣ କରାଯାଉଛି । ଭିଏତ୍‌ନାମରେ ଯୁଦ୍ଧ ଚାଲିଥିବାବେଳେ ହଜାର ହଜାର ସଂଖ୍ୟକ ବୈଜ୍ଞାନିକ, ଅର୍ଥବିଦ୍ୟାବିଦ୍‍, ସମାଜବିଜ୍ଞାନବିଦ୍‍, ମନୋବିଜ୍ଞାନବିଦ୍‍ ଆଦି ସେଠାକୁ ପଠାଯାଇଥିଲେ– ସେଠାର ଜନସାଧାରଣଙ୍କର ମନକୁ ଫାନ୍ଦରେ ପକେଇବାପାଇଁ ।

 

ଗତ ଦ୍ୱିତୀୟ ମହାଯୁଦ୍ଧବେଳେ ମିତ୍ରପକ୍ଷ ଦ୍ୱାରା ଏ ଧରଣର ଗବେଷଣା ଆରମ୍ଭ ହୋଇଥିଲା ଶତ୍ରୁ ଦେଶର ଲୋକଙ୍କର ମନୋବଳ ଦୁର୍ବଳ କରିବା ଦୃଷ୍ଟିରୁ କି ପ୍ରକାରର ପ୍ରଚାର ସବୁଠାରୁ ଅଧିକ ଫଳପ୍ରଦ ହେବ ତାହା ଜାଣିବା ପାଇଁ । ସେଥିପାଇଁ ଜାପାନ, ଜର୍ମାନୀ ଆଦି ଶତ୍ରୁ ଦେଶମାନଙ୍କର ରୀତିନୀତି, ସମାଜବ୍ୟବସ୍ଥା, ଲୋକଙ୍କର ମାନସିକତା ଆଦି ବିଷୟରେ ଟିକିନିଖି ଅଧ୍ୟୟନ କରାଗଲା, ସେମାନଙ୍କର ମନରେ କେଉଁଟା ଦୁର୍ବଳ ସ୍ଥାନ ତାହା ଜାଣି ସେଇଠି ଆଘାତ କରିବା ପାଇଁ ।

 

ହିଟଲର୍‌ର ପ୍ରଚାର-ମନ୍ତ୍ରୀ ଡ; ଗୋଏବଲ୍‌ସ୍‌ ଏ ସିଦ୍ଧାନ୍ତ ବୟାନ କରିଥିଲେ ଯେ ମିଥ୍ୟାଟାକୁ ଯଦି ବାରମ୍ୱାର ଦୋହରାଯିବ ଓ ତା’ର ପ୍ରତିବାଦର ବାଟ ବନ୍ଦ କରାଯାଇଥିବ, ତେବେ ଲୋକେ କ୍ରମେ ତା’କୁ ସତ୍ୟ ବୋଲି ଗ୍ରହଣ କରିନେବେ । ନାତ୍‌ସୀ ଜର୍ମାନୀରେ ସେ ଏଇ ନୀତିରେ ପ୍ରଚାର ଚଳେଇଥିଲେ ଓ ତାହା ବେଶ୍‌ କାମ ଦେଖେଇଥିଲା । ୧୯୭୫ ଜୁନ୍‌ ୨୬ରୁ ଭାରତରେ ଏଇ ନୀତି ଚାଲୁହେଲା । ଖବରକାଗଜ ମୁହଁରେ ତୁଣ୍ଡି ବନ୍ଧାପାଇ ସରକାର ପକ୍ଷରୁ ଡାହା ମିଛ ପ୍ରଚାର ତାହା ମାଧ୍ୟମରେ ଚାଲିଲା । ଏ ପନ୍ଥା ଯେ ନିହାତି ବ୍ୟର୍ଥ ନୁହେଁ, ଏହାର ସୂଚନା ମିଳିଲା ଜେଲ୍‌ ଭିତରେ । ଜୟପ୍ରକାଶଙ୍କ ଆନ୍ଦୋଳନରେ ଯୋଗ ଦେଇ ବନ୍ଦୀ ଥିବା ଲୋକ ବି ଦିନାକେତେ ପରେ ଖବରକାଗଜକୁ ସ୍ୱାଭାବିକ ଭାବରେ ଚାଲିଛି ବୋଲି ନିଜ ଅଜାଣତରେ ଭାବିବାକୁ ଆରମ୍ଭ କଲେ ଓ ସେଥିରେ ଖବର ବାହାରିଯିବାଟା ପ୍ରକୃତ ଘଟଣାର ଦ୍ୟୋତକ ବୋଲି ବିଶ୍ୱାସ କଲେ ।

 

ମିଥ୍ୟା ପ୍ରଚାରରେ ପୁଣି ଗାଳିଗୁଲଜ ଓ ଲମ୍ପଝମ୍ପ ଅପେକ୍ଷା ନିରାସକ୍ତ ବସ୍ତୁନିଷ୍ଠ (ଅବଜେକ୍‌ଟିଭ୍‌) ଭାବ ଦେଖାଇବାଟା ବେଶୀ କାଟୁ କରେ; ବିଶେଷ କରି ଯେଉଁଠି ପ୍ରତିବାଦ ଓ ବିରୋଧର ମୁହଁ ବନ୍ଦ କରିହୁଏ ନାହିଁ । ଆମର ଏଠି ନିର୍ବାଚନ ପ୍ରଚାରରେ ଅପରପକ୍ଷରୁ ଗାଳିଗୁଲଜ କରିବାଟା ସବୁଠୁଁ ଫଳପ୍ରଦ ପନ୍ଥା ବୋଲି ମନେକରାଯାଏ; କିନ୍ତୁ ଆମେରିକାର ପ୍ରଚାର, ବିଶେଷ କରି ଉଚ୍ଚଶିକ୍ଷିତ ଶ୍ରେଣୀ ଭିତରେ, ଭିନ୍ନ ପ୍ରକାରର । ସେଠି କୌଣସି ଦଳ ବା ପ୍ରାର୍ଥୀର ସମର୍ଥକ ଖବରକାଗଜ ପଢ଼ିଲେ ଆମେ ହଠାତ୍‌ ତା’ର ପ୍ରକୃତ ରୂପ ଜାଣିପାରିବା ନାହିଁ । ସେମାନେ ଜାଣନ୍ତି ଯେ ପ୍ରାର୍ଥୀକୁ ଗୋଟିଯାକ ତୁଳସୀ ବୋଲି କହିଲେ ଲୋକଙ୍କ ଭିତରେ ଅବିଶ୍ୱାସ ବଢ଼ିବ । ସେଥିପାଇଁ ତାଙ୍କର ଦୋଷ ବି ରସେଇ ରସେଇ ବର୍ଣ୍ଣନା କରିଥିବେ । ସେ କେବେ କାହା ସ୍ତ୍ରୀକୁ ନେଇ ପଳେଇଥିଲେ ବା ଆଉ କ’ଣ କରିଥିଲେ, ତା’ର କାହାଣୀ ଦେଇଥିବେ । ତା’ ସାଙ୍ଗରେ ତା’ର କେତେଗୁଡ଼ାଏ ଗୁଣ ଦିଆଯାଇଥିବ, ଯେଉଁଗୁଡ଼ାକ ଲୋକଙ୍କ ମନକୁ ପାଇଥିବ । ’‘ହଁ, ଚନ୍ଦ୍ରରେ ବି ତ କଳଙ୍କ ଅଛି । ତେବେ ଏଇ ଲୋକଟା ଆମ କାମକୁ ଠିକ୍‌ ପାଇବ !’’ ସେମିତି ବିରୋଧୀ ପ୍ରାର୍ଥୀର ବହୁତ ଗୁଣ ବର୍ଣ୍ଣନା କରି ତା’ ଭିତରେ ଏମିତି ଖଞ୍ଜରେ ଦୋଷ ରଖିଦିଆହୋଇଥିବ ଯେ ପଢ଼ିଲାବାଲା ଭାବିବ–‘‘ଆରେ, ଯେତେ ଭଲ ହେଲେ କ’ଣ ହେଲା, ୟାର ଏମିତି କଥା ଅଛି ?’’

 

ଏଥିରେ ଜନସାଧାରଣଙ୍କର ଅହଙ୍କାରକୁ ମଧ୍ୟ ଆବେଦନ କରାହୋଇଥାଏ । ଲୋକଟା ସେହିମାନଙ୍କ ପରି, ଅତି ଗୁଡ଼ାଏ ଶୁଦ୍ଧିପୂତ ନୁହେଁ, ଏ କଥାଟା ସେମାନଙ୍କୁ ଆକୃଷ୍ଟ କରିଥାଏ ।

 

ଆମେରିକାର ରାଷ୍ଟ୍ରପତି ପଦପାଇଁ ପ୍ରାର୍ଥୀଙ୍କର ଲୋକଙ୍କ ଆଗରେ କି ପ୍ରକାରର ‘ପ୍ରତିମା’ ରଖାଯିବ ତାହା ବିଶେଷଜ୍ଞମାନେ ସ୍ଥିର କରନ୍ତି । କୃଷ୍ଣଙ୍କୁ ଯେମିତି ପ୍ରତ୍ୟେକ ଭକ୍ତ ତା’ର ନିଜର ପ୍ରିୟଜନ ରୂପରେ ଦେଖେ–ପ୍ରେମିକା ପ୍ରେମିକ ରୂପେ, ମା’ ସନ୍ତାନରୂପେ, ଯୋଦ୍ଧା ସେନାପତି ରୂପେ, ପିଲାମାନେ ଖେଳସାଥୀ ରୂପେ–ସେମିତି ପ୍ରାର୍ଥୀଙ୍କୁ ଯେମିତି ଶ୍ରେଣୀର ଲୋକ, ଶିଳ୍ପପତି, ଧନ୍ଦାଦାର, ଶ୍ରମିକ, କଳାଲୋକ ଇତ୍ୟାଦି ନିଜର ଲୋକ ବୋଲି ମନେ କରିବେ, ସେହି ଦୃଷ୍ଟିରୁ ତାଙ୍କର ଜୀବନୀ ଲେଖାଯାଏ । ତାଙ୍କର ବକ୍ତୃତାଗୁଡ଼ାକ ମଧ୍ୟ ସେହି ଦୃଷ୍ଟିରୁ ଲେଖାଯାଏ । ସେ କେମିତି ହସିବେ, କେମିତି କାଶିବେ, ସେ ବିଷୟରେ ମଧ୍ୟ ବିଶେଷଜ୍ଞମାନେ ପରାମର୍ଶ ଦିଅନ୍ତି-। ଏହା ଫଳରେ ଟେଲିଭିଜନ ଓ ଖବରକାଗଜ ମାଧ୍ୟମରେ ସେ ପ୍ରାର୍ଥୀଙ୍କର ଯେଉଁ ରୂପ ଲୋକଙ୍କ ଆଗରେ ରଖାଯାଏ, ଅସଲ ମଣିଷ ଓ ତାହା ଭିତରେ ପ୍ରାୟ ସେତିକ ଫରକ୍‌; ଯେତିକି ଆମ ଗାଁ ଯାତ୍ରାଦଳର ମଙ୍ଗୁଳିଆ ଓ ସେ ସାଜୁଥିବା ରାବଣ ରଜା ଭିତରେ ।

 

ଲୋକଙ୍କ ମନରେ ଥିବା ଉଦ୍‌ବେଗ, ଭୟ, ବିଦ୍ୱେଷ ଆଦିର ବ୍ୟବହାର ସିଆଣିଆ ଲୋକେ ଲୋକଙ୍କୁ ମତେଇ ନିଜର ମତଲବ ସାଧିବାପାଇଁ ତ ବରାବର କରିଆସିଛନ୍ତି । ହିନ୍ଦୁ ମୁସଲମାନ ବିଭେଦର ଡୋରି ଟାଣି ଇଂରେଜମାନେ ତ ଆମକୁ ଖୁବ୍‌ ନଚେଇଲେ । ଏବେ ପାଶ୍ଚାତ୍ୟ ଦେଶର ଅସ୍ତ୍ରଶସ୍ତ୍ର-ନିର୍ମାତା କମ୍ପାନୀମାନେ ପଡ଼ୋଶୀ ଦେଶମାନଙ୍କ ଭିତରେ ଥିବା ପରସ୍ପର ସନ୍ଦେହକୁ ଉସ୍‍କେଇ ଉଭୟ ପକ୍ଷଙ୍କୁ ଅସ୍ତ୍ର ବିକି ଫାଇଦା ଉଠଉଛନ୍ତି । ଷ୍ଟକ୍‌ହଲମ୍‌ର ଅନ୍ତରାଷ୍ଟ୍ରୀୟ ଶାନ୍ତିଗବେଷଣା ସଂସ୍ଥା ଏ ବିଷୟରେ ଗଭୀର ଅଧ୍ୟୟନ କରି ଏକ ତଥ୍ୟମୂଳକ ବିବରଣୀ ପ୍ରକାଶ କରିଛନ୍ତି ।

 

ଆଜିକାଲି ଏସବୁ ପୂର୍ବକାଳପରି ସ୍ଥୂଳ ଢଙ୍ଗରେ ନୁହେଁ, ସୂକ୍ଷ୍ମ ଉପାୟରେ କରାଯାଉଛି । ରାଜନୀତିବାଲା ଭୋଟ ପାଇବାପାଇଁ ଓ ବ୍ୟବସାୟୀମାନେ ଗରାଖ ପାଇବାପାଇଁ ଏସବୁ ଉପାୟ ବ୍ୟବହାର କରୁଛନ୍ତି । ଖବରକାଗଜର ପୃଷ୍ଠା ଓଲଟେଇଲେ ଏହାର ପ୍ରଚୁର ନମୁନା ଦେଖିବାକୁ ମିଳିବ । ଯୌନବୃତ୍ତି, ଦେଖେଇ ହେବାର ଇଚ୍ଛା, ଉଦ୍‌ବେଗ, ସନ୍ତାନପ୍ରେମ, ମୃତ୍ୟୁଭୟ କୋଉ କଥାଟାରୁ ଫାଇଦା ଉଠାଯାଉନାହିଁ ? ଏସବୁ ଛଡ଼ା ଅନ୍ୟାନ୍ୟ ବୃତ୍ତିର ବି ସାହାଯ୍ୟ ନିଆଯାଉଛି । ଗରାଖମାନଙ୍କୁ ଗୋଟାଏ ‘ବ୍ରାଣ୍ଡ’ ରେ ଅଭ୍ୟସ୍ତ କରିଦେବାର ସୂକ୍ଷ୍ମ ଉପାୟ ପଞ୍ଚାଯାଉଛି । ଯେ ଲିପ୍‌ଟନ୍‌ ଚା’ ଖାଉଛି ସେ ତାକୁଇ ସବୁଦିନେ ଧରିଥିବ । ପୁଣି ଏହାର ଓଲଟା ନୂତନତ୍ୱର ଆକର୍ଷଣରୁ ବି ଲାଭ ଉଠାହେଉଛି । ସେଇ ଏକା ସିଗ୍ରେଟ୍‌; ହଠାତ୍‌ ଦିନେ ନୂଆ ଖୋଳରେ ପଶି, ନୂଆ ବିଜ୍ଞାପନର ଡେଣାରେ ଭାସି ଦୋକାନର ଥାକମାନଙ୍କରେ ଓ ଯୁବକ-ଯୁବତୀଙ୍କର ଅଧରରେ ଶୋଭାପାଇଲା । ପୁରୁଣା ବି ରହିଲା ‘ବ୍ରାଣ୍ଡ’ ଆବୁରି ବସିଥିବା ରକ୍ଷଣଶୀଳ ପାଇଁ ।

 

ଫ୍ରୟେଡ୍‍ ଅବଚେତନ ମନର ସନ୍ଧାନ ଦେବାପରେ ତା’ର ଉପଯୋଗ କରିବାର ଉପାୟ କରାଯାଉଛି ଓ ପାଭଲଭ୍‍ଙ୍କର କଣ୍ଡିଶନିଙ୍ଗର ପ୍ରକ୍ରିୟାର ବି । ଅବଚେତନ ମନ ଚେତନଠାରୁ ଶକ୍ତିଶାଳୀ । ତାହା ଭିତରେ ପଶିଥିବା ପ୍ରେରଣା ବୁଦ୍ଧିର ଅକ୍ତିଆର ବାହାରେ କାମ କରେ । ଓଲଟା ମଣିଷ ତା’ର ଯଥାର୍ଥତା ସାବ୍ୟସ୍ତ କରିବା ପାଇଁ ଯୁକ୍ତି ଖୋଜି ବାହାର କରେ; କହନ୍ତି ରେଶନାଲାଇଜେଶନ୍‌–ଯୁକ୍ତ୍ୟାଭାସପ୍ରଦାନ ।

 

ସମ୍ମୋହନ କଳାରେ ଏହାର ଖେଳ ଦେଖାଯାଏ । ଜଣକୁ ସମ୍ମୋହିତ କରି ସେ ଅଚେତନ ଥିବା ଅବସ୍ଥାରେ କହିଦିଆଯିବ ଯେ ତୁ ଚେତା ହେବାର ଘଣ୍ଟାପରେ ସେ ବଡ଼ ଟେବୁଲଟା ଉପରେ ଛିଡ଼ାହେବୁ । ସେ ସଚେତ ହେବା ବେଳକୁ ତା’ର ଏକଥା ମନେ ନଥିବ । କିନ୍ତୁ ସେ ଠିକ୍‌ ନିର୍ଦ୍ଦିଷ୍ଟ ସମୟରେ ଟିକିଏ ଉସଖୁସ ହେଇ ସେ ଟେବୁଲ ଉପରେ ଚଢ଼ିବ । ଏପରି ଅବାନ୍ତର କାମ କରିବାର ସେ ଗୋଟାଏ କିଛି କୈଫିୟତ ନିଜ ମନକୁ ଓ ଅନ୍ୟମାନଙ୍କୁ ବୁଝାଇବା ପାଇଁ ବାହାର କରିବ–‘‘ସେ ଠଣା ଉପରେ କ’ଣ ଅଛି ଦେଖିବାକୁ ଚାହୁଁଥିଲି ।’’

 

ଥରେ ଏକ ସିନେମାରେ ଛବି ଚାଲିଥିବାବେଳେ ପର୍ଦ୍ଦା ଉପରେ ଗୋଟାଏ ବାକ୍ୟ ସେକେଣ୍ଡକର ଦଶକ ଭାଗ ସମୟପାଇଁ ଦେଖେଇ ଦିଆହେଲା–‘‘ଚିନାବାଦାମ ଭଜା ଭାରି ମଜା ।’’ ଦର୍ଶକମାନଙ୍କ ଛବିଦେଖାରେ ବ୍ୟାଘୀତ ହେଲା ନାହିଁ । ଛବିଦେଖା ଛାଡ଼ି କେହି ଯେ ତାହା ଆଡ଼କୁ ଧ୍ୟାନ ଦେଲେ, ତାହା ବି ନୁହେଁ; ଅଥଚ ଦେଖାଗଲା ଯେ ଇଣ୍ଟରଭ୍ୟାଲବେଳେ ସେ ଦିନ ଚିନାବାଦାମ ବିକ୍ରି ରୀତିମତ ବେଶୀ ହେଲା ।

 

ଏହି ନୀତି ଏବେ ରେଡ଼ିଓ ମାର୍ଫତ୍‌ ସରକାରୀ ପ୍ରଚାର ଓ ବିଜ୍ଞାପନରେ ବ୍ୟବହୃତ ହେଉଛି । ସଙ୍ଗୀତ କାର୍ଯ୍ୟକ୍ରମ ଚାଲିଥିବାବେଳେ ମଝିରେ ଗୋଟିଏ ବାକ୍ୟ କୁହାହେଲା–‘‘ଜରୁରୀ ପରିସ୍ଥିତିରେ ଦେଶ ପ୍ରଗତି କରିଛି’’ ବା ‘‘ମମି, ମମି ମଡର୍ଣ୍ଣ ବ୍ରେଡ୍‍’’ । ବାସ୍‌ ! ଘଣ୍ଟାକର ବକ୍ତୃତା ଅପେକ୍ଷା ଏହା ବେଶି କାର୍ଯ୍ୟକାରୀ । ବକ୍ତୃତା ଶୁଣିବାବେଳେ ତ ଆପଣଙ୍କର ସମାଲୋଚନାମୂଳକ ତର୍କବୁଦ୍ଧି ଜାଗ୍ରତ ଥିବ । ଆପଣ ବୋର୍‌ ହେଇ ବକ୍ତୃତାରେ କୁହାଯାଉଥିବା କଥାର ବିରୋଧୀ ଯୁକ୍ତିଗୁଡ଼ା ଭାବିଲାଗିବେ । ମାତ୍ର ଏପରି ଗୋଟିଏ ଯୋଡ଼ିଏ ବାକ୍ୟ ଅତର୍କିତରେ ଆପଣଙ୍କ ଅବଚେତନରେ ପଶିଯିବ–ଆପଣ ତା’କୁ ଖିଆଲ ବି କରିବେ ନାହିଁ ଏବଂ ସେ ସେଠି ମନଗହନରେ ରହି ତା’ର ପ୍ରଭାବ ପକାଉଥିବ । ଏକ କଥା ପାଞ୍ଚ ଦଶ ଥର ଶୁଣିଲେ ମନର ଛାପ ଗଭୀରତର ହେବ । ଭୋଟ ଦେବାବେଳେ ଶାସକଦଳର ଚିହ୍ନ ଆଡ଼କୁ ହାତଟା ଚାଲିଯିବ । ଦୋକାନରେ ପହଞ୍ଚି ‘ମଡର୍ଣ୍ଣ ବ୍ରେଡ୍‍’ ମାଗିବସିବେ । କଥାଟାକୁ ଯଦି ଆପଣଙ୍କର ପରିଚିତ, ପ୍ରିୟ ଗୀତର ସୁରରେ ପକେଇ ଦିଆଯାଏ, ତେବେ ଆହୁରି ଭଲ ।

 

ଆଉ ଗୋଟିଏ ପରଖରେ ସମ୍ମୋହନ ପ୍ରକ୍ରିୟାର ଅନୁରୂପ କୌଶଳ ଅବଲମ୍ୱନ କରାଗଲା । ତକିଆ ତଳେ ମାଇକ୍‌ ଖଞ୍ଜି ଦିଆଗଲା ଓ ଲୋକ ଶୋଇଥିବାବେଳେ ଅତି ମୃଦୁସ୍ୱରରେ–ନିଦରେ ବ୍ୟାଘାତ ନ ହେବା ଭଳି–କୌଣସି ପ୍ରଚାରମୂଳକ କଥା କୁହାଗଲା । ମଣିଷ ଶୋଇଥିବାବେଳେ ବି ତା’ର କାନ ପ୍ରଭୃତି କେତେକ ଇନ୍ଦ୍ରିୟ କିଛିଟା ସଜାଗ ଥାନ୍ତି । ତେଣୁ ସେକଥା ସେ ଲୋକର ଅଜାଣତରେ ତା’ ମନଭିତରେ ପଶିଲା; ତା’ର ଜାଣତା ମନ ସେ କଥା ଜାଣିଲା ବି ନାହିଁ ଓ ସେଇଠି ରହି ସେ ଲୋକର ଆଚରଣକୁ ପ୍ରଭାବିତ କଲା ।

 

ଏସବୁ ଛଡ଼ା ସଂସ୍କାର-ନିର୍ମାଣର କୌଶଳ ବି ବ୍ୟବହାର କରାଯାଉଛି ଓ ସେସବୁର ସୂକ୍ଷ୍ମତର ପ୍ରୟୋଗ ଦିଗରେ ଗବେଷଣା ଚାଲିଛି । ଏକଦମ ଶୈଶବରୁ ଯଦି ବୈଜ୍ଞାନିକ ଢଙ୍ଗରେ କଣ୍ଡିଶନିଙ୍ଗ କରାଯିବ, ତେବେ ଯେମିତି ଚାହିଁବ ସେମିତି ଚରିତ୍ର ଗଢ଼ି ଦିଆଯାଇପାରିବ ବୋଲି କେତେକ ମନୋବୈଜ୍ଞାନିକ କହନ୍ତି । ଏ କଥାରେ କେତେକ ଆଦର୍ଶବାଦୀ ଲୋକ ଉତ୍ସାହିତ ହୋଇଥାନ୍ତି । ବେଶ୍‌ ତ; ତାହାହେଲେ ପିଲାଦିନୁ ଏକାବେଳକେ ଆଦର୍ଶ ଚରିତ୍ର ଗଢ଼ିଦିଆଯିବ । ଦୁନିଆକୁ ହିଂସା,ଦ୍ୱେଷ, ଅଶାନ୍ତି ସବୁ ଲୋପ କରିଦିଆଯାଇପାରିବ । ମାତ୍ର କଥାଟା ଏତେ ଆଶାଜନକ ନୁହେଁ; ବରଂ ଆତଙ୍କଜନକ । ଆଜି ଦୁନିଆରେ ଅଧିକାଂଶ ଦେଶରେ କର୍ତ୍ତୃତ୍ୱ ମତଲବବାଜ ଓ କ୍ଷମତାଲୋଭୀ ଲୋକଙ୍କ ହାତରେ ରହିଛି । ସବୁ ଶିକ୍ଷା ଓ ପ୍ରଚାରର ମାଧ୍ୟମ ଉପରେ ସେମାନେ ଦଖଲ ରଖିଛନ୍ତି ବା ରଖିବାରୁ ଚାହାନ୍ତି । ଏଭଳି କଣ୍ଡିଶନିଙ୍ଗର ବ୍ୟବହାର ସେଇମାନେ ହିଁ କରିବେ ଓ ସୋଭିଏତ୍‌ ଦେଶ ପ୍ରଭୃତିରେ କରିବାକୁ ଲାଗିଲେଣି ମଧ୍ୟ । ପରାମ୍ପରାଗତ ସମାଜରେ ମଣିଷ ସଂସ୍କାରବଦ୍ଧ ହେଇ କିପରି ଯନ୍ତ୍ରବିତ୍‌ ହେଇଯାଏ, ତାହା ଆମ ପୂର୍ବରୁ ଦେଖିଛୁ । ସେଥିରେ ତ ସଂସ୍କାରବନ୍ଧନର ବୈଜ୍ଞାନିକ ଉପାୟ ଜଣାନଥିଲା । ତଥାପି ଏ ଦଶା । ଏବେ ବୈଜ୍ଞାନିକ ଢଙ୍ଗରେ ଶାସକମାନେ ଲୋକଙ୍କୁ ସମ୍ପୂର୍ଣ୍ଣ ବାଧ୍ୟ ବୋଲକରା ମେଣ୍ଢାରେ ପରିଣତ କରିବାର ଭୟାବହ ସମ୍ଭାବନା ଦେଖାଗଲାଣି ।

 

ଏବେ ମଣିଷର ଶାରୀରିକ ଓ ମାନସିକ ଗଠନର ମୂଳ ଛାଞ୍ଚ ତା’ର ଜୀନ୍‌ମାନଙ୍କର ରଚନାର ରହସ୍ୟ ଭେଦ କରାଗଲାଣି । ଏହା ମୂଳରେ ରହିଛି ଡାଇଅକସିରିବୋନ୍ୟୁକ୍ଳେଇକ୍‌ ଏସିଡ୍‍ ନାମକ ଏକ ଜୈବ ପଦାର୍ଥ, ଯାହାର ମୋଲିକ୍ୟୁଲର ନିର୍ଦ୍ଦିଷ୍ଟ ରଚନା ଜଣାପଡ଼ିଲାଣି । ଏବେ ଏକ ଆମେରିକାନ୍‌ ପତ୍ରିକାରେ ଏକ ଲେଖା ବାହାରିଥିଲା ଯେ ଏଣିକି ମହାତ୍ମା ଗାନ୍ଧୀ ଓ ଏବ୍ରାହାମ୍‌ଲିଙ୍କନ୍‍ଙ୍କର ଜୀନ୍‌ ଓ କ୍ରୋମୋସୋମ୍‌ମାନଙ୍କର ରଚନା ଯେପରି ଥିଲା ତା’ର ଅବିକଳ ନକଲ ବୈଜ୍ଞାନିକମାନେ ଦିନେ କରିପାରିବେ । ମାତ୍ର ଏ କ୍ଷମତା ଗାନ୍ଧୀ ଓ ଲିଙ୍କନ୍‌ ଗଢ଼ିବା ପରିବର୍ତ୍ତେ ମେଣ୍ଢା ଗଢ଼ିବାପାଇଁ ହିଁ ବ୍ୟବହୃତ ହେବାର ବହୁତ ଅଧିକ ଆତଙ୍କପୂର୍ଣ୍ଣ ସମ୍ଭାବନା ରହିଛି-

 

କାଇରସ୍‌ଙ୍କ ବେଶ୍ୟାଳୟ ଓ ମଦଭାଟି ପରି ଉପାୟ ମଧ୍ୟ ଅଧିକ ଫଳପ୍ରଦ ରୂପ ନେବାକୁ ଲାଗିଲାଣି । ମଦ ଓ ଅଫିମ ଅପେକ୍ଷା ଅଧିକ ଶକ୍ତିଶାଳୀ ମାଦକଦ୍ରବ୍ୟ ବାହାରିଗଲାଣି । ଲୋକଙ୍କର ସମସ୍ତ ଦୈହିକ ଚାହିଦା ମେଣ୍ଟେଇ ସେମାନଙ୍କୁ କ୍ରୀତବାସ କରି ରଖାଯାଇପାରେ । ଖ୍ୟାତନାମା ସାହିତ୍ୟିକ ଏଲଡସ୍‌ ହକ୍‌ସଲୀ ୧୯୨୯ ରେ ‘ଦ୍ୟ ବ୍ରେଭ୍‌ ନ୍ୟୁ ୱଲର୍ଡ୍‍’–ସାହସିକ ନୂଆ ଦୁନିଆ–ନାମକ ଉପନ୍ୟାସରେ ଏହିଭଳି ଏକ ନିୟନ୍ତ୍ରିତ ସମାଜର ଚିତ୍ର ଦେଇଥିଲେ । ସେଥିରେ ଜେନେଟିକ୍‌ ନିୟନ୍ତ୍ରଣ ଦ୍ୱାରା ଅଲଗା ଅଲଗା କାମପାଇଁ ଭିନେ ଭିନେ ଜାତିର ମଣିଷ ତିଆରି କରାଯାଇଥିଲା । ସେମାନେ ଯନ୍ତ୍ରବତ୍‌ କାମ କରନ୍ତି; ଯୌନ-ସୁଖଭୋଗର ସବୁ ସୁବିଧା ପାନ୍ତି । ପିଲାଛୁଆ ଜନ୍ମର ସମସ୍ୟା ଓ ଦାୟିତ୍ୱ ସମସ୍ତଙ୍କୁ ତୁଲେଇବାକୁ ହୁଏ ନାହିଁ । ବଟିକା ଖାଇ ମାନସିକ ପ୍ରଫୁଲ୍ଲତା ରକ୍ଷା କରନ୍ତି । ଜୀବନ ପ୍ରତି ବିତୃଷ୍ଣା ଜନ୍ମିଲେ ସୁଖ-ମୃତ୍ୟୁର ବି ବ୍ୟବସ୍ଥା ରହିଛି । ଏମିତି ସବୁ ବ୍ୟାପାର । ଏହାର ପରିଚାଳକଶ୍ରେଣୀ ଏସବୁ ବାହାରେ । ସେମାନେ ବାକି ସବୁ ଲୋକଙ୍କୁ ଘୋଡ଼ା ବା କୁକୁର ଭଳି ବ୍ୟବହାର କରୁଥାନ୍ତି ନିଜର ଉଦ୍ଦେଶ୍ୟସିଦ୍ଧି ପାଇଁ ।

 

ପୁଣି ୧୯୫୦ ଆଡ଼କୁ ସେ ଆଉ ଏକ ବହି ଲେଖିଲେ–‘ଦ୍ୟ ବ୍ରେଭ୍‌ନ୍ୟୁ ୱଲର୍ଡ ରିଭିଜିଟେଡ୍‍’–ସାହସିକ ନୂଆ ଦୁନିଆରେ ପୁଣି ଥରେ ଗସ୍ତ । ବିତିଥିବା କୋଡ଼ିଏ ବର୍ଷ ଭିତରେ ମଣିଷର ମନକୁ ନିୟନ୍ତ୍ରଣ କରିବା ଦିଗରେ କି କି ଅଗ୍ରଗତି ହେଇଛି ତା’ର ବିବରଣ ଏ ବହିରେ ରହିଛି । ସେ ଦେଖେଇଛନ୍ତି ଯେ ମନର ରଚନା ବିଷୟରେ ଜ୍ଞାନ ବଢ଼ିବା ସାଙ୍ଗେ ସାଙ୍ଗେ ତା’କୁ ନିୟନ୍ତ୍ରଣ କରିବାର ଅଧିକ ଫଳପ୍ରଦ ଉପାୟ ମଧ୍ୟ ଉଦ୍‌ଭାବିତ ହେଇଛି । ଏହାପରେ ଭାନ୍‌ସ ପ୍ୟାକାର୍ଡ ‘ଦ୍ୟ ହିଡ୍‍ନ୍‌ ପରସୁଏଡର୍‌ସ୍‌’–ଗୁପ୍ତ ପ୍ରବର୍ତ୍ତନକାରୀ–ବୋଲି ଖଣ୍ଡେ ବହି ଲେଖି ମନ ନିୟନ୍ତ୍ରଣର ଅଦ୍ୟତନ ଉପାୟର ବିଶଦ ପରିଚୟ ଦେଇଛନ୍ତି ।

 

ଜର୍ଜ ଓରୱେଲ୍‌ ତାଙ୍କର ଉପନ୍ୟାସ ‘୧୯୮୪’ରେ ମଧ୍ୟ ଏକଚ୍ଛତ୍ର ଶାସନ ଭବିଷ୍ୟତ ରୂପର ଚିତ୍ରଣ କରିଛନ୍ତି; ଯେଉଁଥିରେ ମଣିଷର ମନ, ତା’ର ଚିନ୍ତା-ଭାବନା ସବୁକୁ ନିୟନ୍ତ୍ରଣ କରିବାର ଅଦ୍ୟତନ ବୈଜ୍ଞାନିକ ପନ୍ଥା ବ୍ୟବହାର କରାରଯାଉଛି । ହକ୍‌ସଲୀ ଓ ଓରୱେଲ୍‌ଙ୍କ କଳ୍ପନା ଅତିମାତ୍ରାରେ ଅତିରଞ୍ଜନ ବୋଲି ମନେହେବ । ମାତ୍ର ଭୁଲିଲେ ଚଳିବ ନାହିଁ ଯେ ପଚାଶ ବର୍ଷ ତଳେ ମହାକାଶଯାତ୍ରା, ଚନ୍ଦ୍ର ଅଭିଯାନ ଆଦିର ଯେଉଁ ସବୁ କାଳ୍ପନିକ ଉପନ୍ୟାସ ଅବାନ୍ତର ଓ ଅସମ୍ଭବର ଶେଷ ସୀମା ବୋଲି ମନେ କରାଯାଉଥିଲା, ସେସବୁ ଏବେ ବାସ୍ତବତାରେ ପରିଣତି ହେଇଛି । ମନେ ରଖିବାକୁ ହେବ ଯେ ହକ୍‌ସଲୀ, ଓରେୱେଲ୍‌ଙ୍କ ଭଳି ଲେଖକମାନେ ଯେଉଁ ସବୁ ମନୋନିୟନ୍ତ୍ରଣ ପ୍ରଥା ବର୍ଣ୍ଣନା କରିଛନ୍ତି, ସେସବୁ କାଳ୍ପନିକ ନୁହେଁ । ସେସବୁକୁ କାର୍ଯ୍ୟକାରୀ କରିବାପାଇଁ ଆବଶ୍ୟକ ପ୍ରଯୁକ୍ତିବିଦ୍ୟା ମଣିଷର ଆୟତ୍ତରେ ଅଛି । ତା’ର ପୂର୍ବାଭାସ ଏବେ ଆମେ ଆମର ଚାରିପଟେ ଦେଖୁଛୁ; ଅଙ୍ଗେ ନିଭଉଛୁ ।

 

ମଣିଷର ସ୍ୱାଧୀନତା ଉପରେ ଏ ଆକ୍ରମଣର ପ୍ରତିରୋଧ ସହଜ ନୁହେଁ । ଏହାର ଗୋଟିଏ ଦିଗ ହେଲା ଅଳ୍ପ ଲୋକଙ୍କ ହାତରେ ଅପରିମିତ କ୍ଷମତା କେନ୍ଦ୍ରୀଭୂତ ହେବାକୁ ନ ଦେବା ଓ କ୍ଷମତାର ଯେତକ କେନ୍ଦ୍ରୀକରଣ ଅନିବାର୍ଯ୍ୟ ହେବ, ତାହାର ଅପବ୍ୟବହାର ବନ୍ଦ କରିବାପାଇଁ ସତର୍କ ଜଗାରଖାର ବ୍ୟବସ୍ଥା ରଖିବା । ଅନ୍ୟ ଦିଗ ଏବଂ ଅଧିକ ଗରୁତ୍ୱପୂର୍ଣ୍ଣ ଦିଗ ହେଲା ପ୍ରତ୍ୟେକ ବ୍ୟକ୍ତି ନିଜକୁ ଏଭଳି ମାଙ୍କଡ଼ନଚା ବିରୋଧରେ ମଜବୁତ କରି ଗଢ଼ିବା, ନିଜର ବୁଦ୍ଧିକୁ ଏହା ବିରୋଧରେ ଜାଗ୍ରତ ରଖିବା । ନିଜକୁ ସଂସ୍କାରବନ୍ଧନର ଶିକାର ହେବାକୁ ନ ଦେବା । ମଣିଷର ମାନସିକ ରଚନାରେ, ଯେଉଁସବୁ ଯାନ୍ତ୍ରିକତା ଓ ସ୍ୱୟଂକ୍ରିୟତାର, ତା’ର ଯେଉଁ ଅବଚେତନ ସ୍ତରର ବ୍ୟବହାର କରିମ ମଣିଷକୁ ମାଙ୍କଡ଼ନଚା କରିବା ଚେଷ୍ଟା କରାଯାଉଛି, ସେସବୁର ଜ୍ଞାନ ହାସଲ କରି ମଣିଷ ସେ ଚେଷ୍ଟାକୁ ବ୍ୟାହତ କରିପାରେ । ନିଜର ମାନସରେ ପୂର୍ବରୁ ଯେଉଁସବୁ ଆବଦ୍ଧତା ଆସିଯାଇଛି ଓ ଯାହ ତା’ର ବ୍ୟକ୍ତିତ୍ୱକୁ ଦୁର୍ବଳ ଓ ଖଣ୍ଡିତ କରୁଛି, ସେସବୁରୁ ମୁକ୍ତ କରି ମଣିଷ ଏ ପ୍ରତିରୋଧ ପାଇଁ ନିଜକୁ ପ୍ରସ୍ତୁତ କରିପାରେ । ନିଜର ସୃଜନୀଶକ୍ତିର ବିକାଶ ଓ ବିନିଯୋଗ କରି ସେ ଏହା ବିରୋଧରେ ପାଲଟା ଆକ୍ରମଣ ଚଳେଇପାରେ । ଅନ୍ୟମାନଙ୍କୁ ସଚେତ କରିପାରେ । ମଣିଷର ସ୍ୱାଧୀନତା ପ୍ରତି ବିପଦ ଆଜି ବନ୍ଧୁକ, ହାତକଡ଼ି ଓ ଜେଲ ନୁହନ୍ତି; ଟେଲିଭିଜନ, ରେଡ଼ିଓ ଓ ଖବରକାଗଜ ତାଠୁଁ ବେଶୀ ।

 

Unknown

କାୟା ଓ ମାୟା

 

‘‘ଆଜି ଆମେ ଯେଉଁ ବିକଟ ସଙ୍କଟ ଭିତରଦେଇ ଗତି କରୁଛୁ, ସେଥିରୁ ତ୍ରାଣ ପାଇବାର ଏକମାତ୍ର ପନ୍ଥା ହେଲା ଆମର ସେହି ମହାନ୍‌ ଆଧ୍ୟାତ୍ମିକ ପରମ୍ପରାକୁ ପେରିଯିବା, ଆମ ଜୀବନରେ ତାହାକୁ ହିଁ ଜାବୁଡ଼ି ଧରିବା ଆମର ପରମ ଭାଗ୍ୟର କଥା ଯେ ଆଜି ଏହି ପରମ୍ପରାର ପ୍ରତିନିଧି ରୂପେ ଗୁରୁଜୀ ମହାରାଜ ଆମ ଭିତରେ ଉପସ୍ଥିତ ଅଛନ୍ତି ଓ ଆମେ ତାଙ୍କର ଶ୍ରୀମୁଖବାଣୀ ଶୁଣି ଧନ୍ୟ ହେବା... ।’’ ନନ୍ଦେ ଆପଣେ ତାଙ୍କର ଭାଷଣ ଶେଷ କଲେ ।

 

ଏହାପରେ ସଭାର ମୁଖ୍ୟ ବକ୍ତା ଗୁରୁଜୀ ମହାରାଜ ଉଠି ଛିଡ଼ାହେଲେ । ସୌମ୍ୟଦର୍ଶନ, ଗୌରବର୍ଣ୍ଣ । ମୁହଁରେ କଞ୍ଚାପାକଲା ଦାଢ଼ି । ପରିଧାନ ଗୈରିକ ଚିନାଂଶୁକ । ମହାରାଜ ଉଠି ବକ୍ତୃତା ଆରମ୍ଭ କଲେ ଯେ ଆମ ଦେଶବାସୀ ପ୍ରାଚୀନ ଆଧ୍ୟାତ୍ମିକ ପରମ୍ପରାକୁ ଭୁଲି ଆଧୁନିକ ଜଡ଼ବାଦର କବଳରେ ପଡ଼ିଥିବାରୁ ହିଁ ଯେତେ ପ୍ରକାରର ରୋଗ, ଶୋକ, ଯାତନା ତାଙ୍କୁ ଅନୁଭବ କରିବାକୁ ପଡ଼ୁଛି । ଏ ଦୁନିଆକୁ ବୁଝିବାର ଅସଲ ଚାବିକାଠି ଆମକୁ ଜଗ୍‌ଦ୍‌ଗୁରୁ ଆଦିଶଙ୍କରାଚାର୍ଯ୍ୟ ଦେଇଛନ୍ତି । ସେ ଚାବିକୁ ଅଣ୍ଟାରେ ଖୋସି ଏଣେ ଆମେ ତୁଚ୍ଛାଟାରେ ଏଣେତେଣେ ଧନ୍ଦିହେଉଛୁ । ଅମୃତଲୋକର ଦ୍ୱାର ଖୋଲିବାର ସେ ଚାବି ହେଲା ସେହି ଅମର ମନ୍ତ୍ର ‘‘ବ୍ରହ୍ମ ସତ୍ୟ ଜଗତ୍‌ ମିଥ୍ୟା... ।’’ ଏ ଯେଉଁ ସଂସାରକୁ ଆମ ସତ୍ୟ ବୋଲି ଭାବୁଛୁ, ତା’ର ଯେଉଁ ସୁଖ-ଦୁଃଖ ଆମକୁ କେତେବେଳେ ଉତ୍‌ଫୁଲ୍ଲ କରୁଛି ତ କେତେବେଳେ ବିଚଳିତ କରୁଛି, ସେସବୁ ଅଳୀକ; ସେସବୁର ପ୍ରକୃତରେ କୌଣସି ଅସ୍ତିତ୍ୱ ନାହିଁ । ସ୍ୱପ୍ନରେ ଆମେ କେତେବେଳେ ଦେଖୁଁ ଯେ ଆମ ଇନ୍ଦ୍ରପଦରେ ବସିଛୁ । କେତେବେଳେ ଦେଖୁ ଆମକୁ ବାଘ ଗୋଡ଼ାଇଛି । ମାତ୍ର ନିଦ ଭାଜିଗଲେ ସବୁ ଉଭେଇଯାଏ । ଏ ସଂସାର ଯେମିତି ଏକ ସ୍ୱପ୍ନ । ଭଗବାନଙ୍କଠାରେ ଏକାଗ୍ରଭାବରେ ଲୟ ଲଗାଇଲେ ସେ ହିଁ ଦିନେ ତମର ଏ ମୋହନିଦ୍ରା ଭାଙ୍ଗିଦେବେ । ତୁମେ ରୋଗ-ଶୋକଶୂନ୍ୟ ସଦାନନ୍ଦମୟ ବ୍ରହ୍ମଲୋକରେ ଜାଗି ଉଠିବ ।’’

 

ବକ୍ତୃତା ଶେଷରେ ବହୁତ କରତାଳି ଧ୍ୱନି ହେଲା । ମାଇକ୍‌ରେ ଗୀତ ବୋଲାହେଲା :

 

‘‘ଏ ମାୟା-ସଂସାରେ ଭବ-ପାରାବାରେ

ସେହି ହରି ନାମ ଭଜରେ, ଭଜରେ ।’’

 

ନନ୍ଦେ ଆପଣେଙ୍କ ସାଙ୍ଗରେ ସରକାରୀ ଲୋକସମ୍ପର୍କ ବିଭାଗର ମାୟା ମର୍ସିଡିସ୍‌-ବେଞ୍ଜ୍‍ ଗାଡ଼ିରେ ବସି ଗୁରୁ ମହାରାଜ ରାଜଧାନୀର ମାୟାପୁରୀ ରାଜଭବନରେ ତାଙ୍କର ଶୀତତାପ-ନିୟନ୍ତ୍ରିତ ମାୟା କୋଠରିକୁ ଫେରିଗଲେ । ବହୁତ କାମ । ସେଠି ତାଙ୍କୁ ରାଜସ୍ୱ ମନ୍ତ୍ରୀ ଓ ସେକ୍ରେଟାରୀ ଅପେକ୍ଷା କରିଥିବେ । ତାଙ୍କ ମଠର ଜମିଗୁଡ଼ାକର ଭାଗଚାଷୀମାନେ ଦଖଲ ଛାଡ଼ିବାକୁ ରାଜି ହେଉନାହାନ୍ତି; କହୁଛନ୍ତି, ଆମେ ଆଇନ ଅନୁସାରେ ଭାଗ ଦେବୁଁ । ସେମାନଙ୍କୁ ଉଚ୍ଛେଦ କରିବାର ଗୋଟାଏ ବ୍ୟବସ୍ଥା କରିବାକୁ ହେବ । ତା’ପରେ ଆଶ୍ରମରେ ଯେଉଁ ନୂଆ ଶଙ୍ଖମଲମଲ ପଥରର ବେଦଭବନ ତିଆରି ହେଉଛି ତାହା ପାଇଁ ମୁଖ୍ୟମନ୍ତ୍ରୀଙ୍କଠାରୁ କିଛି ଆର୍ଥିକ ସାହାଯ୍ୟ ପାଇଁ ଚେଷ୍ଟା...ପୁଣି ଆଶ୍ରମର ନୂଆ ପାଚିରି ଘେରାହେବାବେଳେ ପଡ଼ିଶା ଦ୍ୱିଜ ମହାନ୍ତିଙ୍କ ଜମିକୁ କ’ଣ ପାଞ୍ଚ ସାତ ହାତ ମାଡ଼ିଯାଇଛି ବୋଲି ସେ ଏକ ମାମଲା ଦାଏର କରିଛନ୍ତି..... । ଏ ଘୋର କଳିକାଳ ହେଲା–ଲୋକଙ୍କର ଟିକିଏ ହେଲେ ଧର୍ମଭାବ ନାହିଁ–ତା’ ପାଇଁ ଓକିଲ ପରାମର୍ଶ କରିବାକୁ ହେବ ।

 

ତେଣେ ନନ୍ଦେ ଆପଣେ କାଳେ ଘୋଷାହେବେ ବୋଲି ଆଉ ସବୁ ପ୍ରେସ୍‍ କର୍ମଚାରୀଙ୍କ ପରି ଗଣେଶବାବୁ ବି ଆସି ବାଧ୍ୟ ହେଇ ସଭାରେ ବସିଥିଲେ । ତାଙ୍କର ମନ ଚଙ୍ଗଚଙ୍ଗ ହେଉଥାଏ-। ପାଞ୍ଚ ପ୍ରାଣୀ କୁଟୁମ୍ୱ । ସାଢ଼େ ତିନି ଶ’ ଟଙ୍କା ଦରମା । ଚାଉଳ କିଲୋ ତିନି ଟଙ୍କା । ନନ୍ଦେ ଆପଣେଙ୍କୁ ଆଉ କିଛି ଅଧିକ ଦବାକୁ ଅନୁନୟ କରିବେ ବୋଲି କାଲିଠୁଁ ସାହସ ବାନ୍ଧିଥିଲେ-। କେମିତି ଯାଇ ଛିଡ଼ାହେବେ, କ’ଣ କହିବେ, ସେସବୁ ମନେ ମନେ ବାରମ୍ବାର ଘୋଷିହେଉଥିଲେ-। ଆଜିକାର ବକ୍ତୃତା ଶୁଣି ଆଉ ନନ୍ଦେଆପଣେଙ୍କ ପାଖକୁ ଯିବାକୁ ସାହସ ହେଉନାହିଁ । ବ୍ରହ୍ମଲୋକର ସିଡ଼ି ଅଧାରେ ଛିଡ଼ା ହେଇ ସେ ସମସ୍ତଙ୍କୁ ଡାକ ପକେଇଛନ୍ତି ତାଙ୍କ ପଛେ ପଛେ ଚଢ଼ିବା ପାଇଁ । ଏଥିରେ ଇୟେ ଯାଇ ଏ ଡାଲି-ଚାଉଳ କଥା କହିବେ କୋଉ ସାହସରେ ?

 

ନରିବାକୁ କଲେକ୍ଟରେଟ୍‌ରେ କିରାଣି । ସାନ ଝିଅଟିଏ ବେମାର ପଡ଼ିଛି । ଡାକ୍ତର ଦେଖି ଗୋଟାଏ ଔଷଧ ତାଲିକା ଧରେଇଦେଇଛି; ନିକୁଛରେ ଶହେ ଟଙ୍କା ଦରକାର । ସାତ ତାରିଖ ନ ପୂରୁଣୁ ତ ପହିଲାରେ ପାଇଥିବା ଦରମା ମୁଠାକ ସବୁ ଝାଡ଼ଝୁଡ଼୍‌–ଏବେ ଶହେ ଟଙ୍କା ଆଣୁଛନ୍ତି କୋଉଠୁ ? ଗୋଟାଏ ଲମ୍ବ ନିଃଶ୍ୱାସ ପକେଇ ମନେ ମନେ କହିଲେ–ସବୁ ପ୍ରଭୁଙ୍କ ମାୟା; ଯାହା ଭାଗ୍ୟରେ ଥିବ । ଏ ପୁଅଝିଅ, ଘର ସଂସାର ନାଟ ସେ ହିଁ ଲଗେଇଛନ୍ତି । ନେଲେ ନେବେ; ରଖିଲେ ରଖିବେ ।

 

ସେ ପାଖରେ ନାରଣ ମିଶ୍ରେ ଆଉ ମଧୁ ତିଆଡ଼ି କଥାଭାଷା ହେଉଥାନ୍ତି । ଏ ଦୁହେଁ ବି ନନ୍ଦେ ଆପଣେଙ୍କର ଘୋଷାକୁ ଡରି ସଭାକୁ ଆସିଥିଲେ । ମିଶ୍ରେ କହିଲେ–‘‘ବୁଝିଲ ମଧୁ ଭାଇନା ! ନରମାୟା ନାରାୟଣଙ୍କୁ ଅଗୋଚର । ୟେ ଗୋଟାଏ ନାଟ ଲଗେଇଛନ୍ତି । ମୁଖ୍ୟମନ୍ତ୍ରୀ କାଲି ନାଲି ପତାକାବାଲାଙ୍କ ସଭାରେ ବକ୍ତୃତା ଦେଉଥିଲେ; ଆଜି ଏ ଗୁରୁ ମହାରାଜ ଆସି ହାଜର ।’’ ତିଆଡ଼ିଏ କହିଲେ–‘‘କଥାଟା ବୁଝିପାରୁନ ? ସେତେବେଳେ ଭୋଟ ନବା କଥା ଥିଲା । ସେଥିପାଇଁ ‘ଗରିବି ହଟାଓ,’ ନାଲି ପତାକା । ଏବେ ଭୋଟ ସରିଲା । ଲୋକଙ୍କୁ ବୋଧ ଦେଇ ଥଣ୍ଡା ରଖିବାକୁ ହେବ । ସେଥିପାଇଁ ଯେତେ ଗୁରୁଗୋସେଇଁ ଖୋଜା ହେଉଛନ୍ତି–ଏ ଅନିତ୍ୟ, ମାୟା-ସଂସାରକୁ ଲୋକେ କେମିତି ଭୁଲିବେ ସେଥିପାଇଁ ।’’

 

ଯଦି ଆଜି ଆଦିଶଙ୍କରାର୍ଯ୍ୟ ବଞ୍ଚିଥାନ୍ତେ, ତେବେ ଏ ମାୟାଭିତରେ ମାୟା ଦେଖି କ’ଣ କରିଥାନ୍ତେ କେଜାଣି ? ସେ ତ ନିର୍ମାୟା ବାବାଜୀ ଲୋକ ଥିଲେ । ଡାଲି-ଚାଉଳ ସାଙ୍ଗରେ ତାଙ୍କର କିଛି କାରବାର ନ ଥିଲା । ସଂସାରକୁ ମାୟା ବୋଲି କହିଦେଇ ସେ ଖଲାସ । ସେ ମାୟାକୁ ଯେ ମାୟାବୀମାନେ ଏପରି ଅଫିମ ଭଳି ବ୍ୟବହାର କରିବେ ସେକଥା କ’ଣ ସେ ଭାବିଥିଲେ ? ନା ଲୋକଙ୍କୁ ଅଫିସ ଯୋଗେଇବା ଉଦ୍ଦେଶ୍ୟରେ ହିଁ ସେ ଏ ମାୟା କଥା ବାହାର କରିଥିଲେ ?

 

ସେ ଥିଲେ ଯାହା କରିଥାନ୍ତେ କି ନଥାନ୍ତେ, ଏବେ ଆମେ କ’ଣ କରିବା ? ଗୁରୁ ମହାରାଜ ଯେତେବେଳେ ଆମକୁ ହରିଭଜନ ଧରେଇଦେଇ ବାଡ଼ବୁଜା ମକଦ୍ଦମା, ଭାଗଚାଷୀ ବେଦଖଲ, କୋଠାତିଆରି ଆଦିରେ ଲାଗିଛନ୍ତି, ସେତେବେଳେ ଆମେ ବି କୋଉଠୁ ଚାଉଳ, ଡାଲି, ଓଷଦ ଆସିବ, କେମିତି ଧାନ କେଣ୍ଡାକ ଦି’କେଣ୍ଡା ହେବ ସେଥିରେ ନ ଲାଗିବା କାହିଁକି ? ତେବେ ଯଦି ଅସଲ ଲେଙ୍ଗୁଟିପିନ୍ଧା ବାବାଜୀଙ୍କ କଥା କହିବା, ସେ ବି ତ ଏଇ ମାୟାକୁ ଚଷୁଥିବା ଲୋକେ ମୁଠିଏ ମୁଠିଏ ଦେଲେ ଖାଉଛନ୍ତି; ବ୍ରହ୍ମରସ ଭୋଜନ କରି ଚଳୁନାହାନ୍ତି । ତେଣୁ ତାଙ୍କପାଇଁ ଆମପାଇଁ ହାଣ୍ତିଜାଳ ବନ୍ଦୋବସ୍ତ ତ କରିବାକୁ ହେବ ।

 

ତେବେ ଦେଖାଯାଉଛି ଯେ ଏ ଦୁନିଆର କାୟା ଆଉ ମାୟା ଦୁଇ ମୁଣ୍ଡ ଦୁଇ ଭାଇଙ୍କ ଭିତରେ ବାଣ୍ଟ ହେଇଯାଇଛି । ଥରେ ଦୁଇଭାଇଙ୍କ ଭିତରେ ସମ୍ପତ୍ତି ବାଣ୍ଟ ହେଲା । ସବୁ ବାଣ୍ଟ ସରିଲା; ଶେଷକୁ ଗାଈଟିଏ ବଳିଲା, ବଡ଼ଭାଇ ଟିକିଏ ବୁଦ୍ଧିଆ; ସାନଭାଇ ଟିକେ ହୁଣ୍ଡା । ବଡ଼ଭାଇ କହିଲା–କ’ଣ କରିବା କି, ଗାଈର ଆଗପାଖଟା ତୋର; ପଛଆଡ଼ଟା ମୋର । ସାନଭାଇ ରାଜି ହୋଇଗଲା । ସେଇ ଦିନୁଁ ସେ ଗାଈକୁ ଯତ୍ନ କରି ଖୁଆଏ । ବଡ଼ଭାଇ ଯତ୍ନ କରି ଦୁଧତକ ଦୁହିଁ ଘରକୁ ନିଏ । ସେମିତି ଏ ଦୁନିଆର କାୟା ପାଖଟା ବଡ଼ଲୋକଙ୍କ ଭାଗରେ, ଆଉ ମାୟା ପାଖଟା ଗରିବ ଲୋକଙ୍କ ବାଣ୍ଟରେ ପଡ଼ିଛି ।

 

ସା’ନ୍ତେ ପଦିଆର ସବୁଯାକ ଜମିବାଡ଼ି ନେଲେ । ତା’ ଭାରିଯା ଟୋପାଏ ଔଷଧ ନ ପାଇ ମଲା । ପଦିଆ ଆସି ଯେତେବେଳେ କାନ୍ଦି ଗଡ଼ିଲା, ସାଆନ୍ତେ ତେଣେ ଗୁମାସ୍ତାଙ୍କୁ ବତଉଥାନ୍ତି କୋଉ କୋଉ ହେଣ୍ଡନୋଟ୍‌ ଉପରେ ନାଲିଶ ହେବ; ଏଣେ ପଦିଆକୁ ଉପଦେଶ ଦେଉଥାନ୍ତି–‘‘ଏସବୁ ମାୟାରେ ପଦ, ସବୁ ମାୟା । ଜମିବାଡ଼ି, ଘରସଂସାର, ସ୍ତ୍ରୀ ପିଲା ସବୁ ଆଜି ଅଛନ୍ତି; କାଲି ନାହାନ୍ତି । ସବୁ ମାୟା, ମାୟା । ଯେତେ ଦିନ ସଂସାରରେ ଅଛ, ତୁଣ୍ଡ ବୁଜି ସବୁ ସହିଯିବାକୁ ହେବ । ନେ, ବଳଦେବଜୀଉଙ୍କ ଧଣ୍ଡା ମୁଣ୍ଡରେ ମାର୍‌ । ପ୍ରଭୁ ଦୟା କଲେ ତରିଯିବୁ ।’’

 

ଆମେ କହୁ, ପଦିଆର କାୟା ବଞ୍ଚିବାକୁ ହେଲେ ସାଆନ୍ତଙ୍କର ମାୟାରୁ ତରିବାକୁ ହେବ-। ଏ ମାୟା କିଛି କମ୍‌ ଗହନ ନୁହେଁ । ଏଇ ଯେମିତି ଗାନ୍ଧୀଙ୍କ କଥା ଧର । ଇଂରେଜଙ୍କର ରାଜତ୍ୱରୁ ଦେଶକୁ ସ୍ୱାଧୀନ କରିବାପାଇଁ ଗାନ୍ଧୀ ସମସ୍ତଙ୍କୁ ଡାକଦେଲେ ଯେ ଚାଷୀ, ମୁଲିଆ, ପାଠୁଆ, ଅପାଠୁଆ ସମସ୍ତେ ମିଶି ଚାଲ ଲାଗିବା ଏ ଦେଶକୁ ସ୍ୱାଧୀନ କରିବା । ଯେଉଁ ସ୍ୱରାଜ୍ୟ ହେବ, ସମସ୍ତଙ୍କ ପାଇଁ ହେବ । କିନ୍ତୁ ତେଣେ ଇଂରେଜମାନେ ଲଗେଇଦେଲେ ମାୟା । ଦେଶରେ ହିନ୍ଦୁ ମୁସଲମାନ ସ୍ୱରାଜ୍ୟ ପାଇଁ ଲଢ଼େଇ କରିବେ କ’ଣ-ଲାଗିଗଲେ ୟେ ତା’ ଚୁଟି ଧରାଧରିରେ । ଦେଶରେ ମହାନ୍‌ ହଣାକଟା ଲାଗିଲା । ଆମରି ପଦିଆ ଭଳି କେତେ ଲୋକ, ବୁଟା ସିଂହ, ରାମଭରୋସ, ନସିରୁଦ୍ଦିନ୍‌, ହବିବ୍‌ ମିଆଁ ହେରିକା ସେଥିରେ ଲାଗିଲେ । ଲକ୍ଷ ଲକ୍ଷ ଲୋକ ଘରଛଡ଼ା ହେଲେ; ହଜାର ହଜାର ଲୋକଙ୍କର ଜୀବନ ଗଲା ।

 

ଏମିତି ଖାଲି ଆମ ଦେଶରେ ନୁହେଁ, ଦୁନିଆଯାକ ଠା’କୁ ଠା’ ଲାଗିଛି । ଏବେ ଲାଗିଛି ଉତ୍ତର ଆୟର୍ଲାଣ୍ଡରେ କେଥ୍‌ଲିକ ଆଉ ପ୍ରୋଟେଷ୍ଟାଣ୍ଟ ଖ୍ରୀଷ୍ଟାନ୍‌ଙ୍କ ଭିତରେ । ଛ’ ସାତ ବର୍ଷ ହେଲା ଏ ହଣାକଟାରେ ଏଡ଼େ ଟିକିଏ ଦେଶରେ ହଜାର ହଜାର ଲୋକ ମଲେଣି । ଆଉ ସବୁଠୁଁ ଭୟଙ୍କର କଥା ହେଲା ଯେ ହିଟଲର୍‌ ଜର୍ମାନ୍‌ ଲୋକଙ୍କୁ କି କୁହୁକ କରିଦେଇ ବାର ବର୍ଷ କାଳ ରାଜୁତି ଚଳେଇଲା ! ଇତିହାସରେ ନାହିଁ ନ ଥିବା ଅତ୍ୟାଚାର ଚଳେଇଲା । ଷାଠିଏ ଲକ୍ଷ ଇହୁଦୀଙ୍କୁ ମରେଇଦେଲା । କୋଟି କୋଟି ଲୋକ ସେ ବଞ୍ଚିଥିବାଯାଏ ତା’ କଥା ଠିକ୍‌ ବୋଲି ବିଚାରୁଥିଲେ, ଇହୁଦୀମାନଙ୍କ ଯୋଗୁଁ ଜର୍ମାନୀର ସବୁ ଦୁର୍ଦ୍ଦଶା ବୋଲି ବିଶ୍ୱାସ କରୁଥିଲେ ଓ ସେମାନଙ୍କୁ ଆଚ୍ଛା କରି ପାନେ ଦିଆହେଉଛି ବୋଲି ଖୁସି ହେଉଥିଲେ ।

 

ଏସବୁ କାହିଁକି ହେଉଛି, କିପରି ହେଉଛି ? ମଣିଷ ଭିତରେ ହିଂସା, ବାଦ, ସ୍ୱାର୍ଥ ଅଛି ବୋଲି ଏମିତି ହେଉଛି କହିଦେଲେ କାନକୁ ଭଲ ଶୁଭୁଛି; କିନ୍ତୁ ବାଟ କିଛି ମିଳୁନାହିଁ । ଯେମିତି ଦେହଟା ରୋଗର ଘର ବୋଲି କହିଦେଲେ ମେଲେରିଆ, ବସନ୍ତ, ହଇଜା କି ପେଟଟଣା ଭଲ କରିବାର ବାଟ ମିଳୁନାହିଁ । ଏସବୁ ରୋଗର କାରଣ ଉପରେ ଗବେଷଣା କଲେ ଯାଇ ଏ ରୋଗସବୁ ଭଲ କରିବାର କିଛି ନା କିଛି ଗୋଟାଏ ଉପାୟ ମିଳୁଛି ।

 

ସେମିତି, ମଣିଷ କାହିଁକି ଏପରି ମାତିଯାଏ, ବହୁତ ଲୋକ ତା’ର କାରଣ ଖୋଜାଖୋଜିରେ ଲାଗିଛନ୍ତି; ଅନେକ ଆଡ଼ୁ ଅନେକ ପ୍ରକାର କଥା ବାହାରୁଛି । ସେସବୁକୁ ଯୋଡ଼ାଯୋଡ଼ି କଲେ ଚିତ୍ରର ରୂପରେଖର କିଛିଟା ଆଭାସ ମିଳୁଛି । ମନେ ହେଉଛି, ଏମିତି ଖୋଜାଖୋଜି କଲେ କିଛି ବାଟ ମିଳିବ ।

 

କେତେକ ଲୋକଙ୍କ ମନରେ ଥିବା ଅମୂଳକ ଭୟ, ଉଦ୍‌ବେଗ, ସନ୍ଦେହ ଆଦି କଥା ଏହା ପୂର୍ବରୁ ଅନ୍ୟ ଏକ ଅଧ୍ୟାୟରେ ଆଲୋଚନା କରାଯାଇଛି । ଏସବୁ ଯାହାଙ୍କ ମନରେ ବେଶୀ ମାତ୍ରାରେ ଦେଖାଯାଏ, ସେ ସିନା ସହଜରେ ବାରି ହେଇପଡ଼ନ୍ତି; ଆଉ ଅତି ବେଶୀ ହେଇଗଲେ ସେମାନେ ସମାଜରେ ଚଳପ୍ରଚଳ କରିବାକୁ ଅକ୍ଷମ ହେଇପଡ଼ନ୍ତି । ସେମାଙ୍କର ଚିକିତ୍ସା କରିବା ଲୋଡ଼ା ହୁଏ । କିନ୍ତୁ ଆମ ସମସ୍ତଙ୍କ ଭିତରେ ଟିକିଏ ଟିକିଏ ସେମିତି ନ ଥାଏ କି ? ଅଚିହ୍ନା ଲୋକଙ୍କ ଭିତରେ ପଡ଼ିଲେ ବେଳେବେଳେ ଆମକୁ ଲାଗେ ନାହିଁ କି ଯେ କିଏ କେଉଁଠି ହସିଲେ କି କାଶିଲେ ଆମକୁ ହିଁ ଲକ୍ଷ୍ୟ କରି କରୁଛନ୍ତି ? ଏମିତି ଆମମାନଙ୍କର ମନରେ କିଛି କିଛି ଅସ୍ପଷ୍ଟ ସନ୍ଦେହ ଓ ଆଶଙ୍କା ଥାଏ । ଜୀବନର ନାନାପ୍ରକାରର ଘାତପ୍ରତିଘାତ ଭିତରେ ଏଗୁଡ଼ାକ ମନରେ ସୃଷ୍ଟି ହୁଏ । ସେସବୁର ବିଶ୍ଳେଷଣ କରିବା ଚେଷ୍ଟା ବି ହୋଇଛି । ସେସବୁକୁ ନେଇ ବଡ଼ ବଡ଼ ପୋଥି ହେଇଛି । ତେବେ ତାହା ଭିତରୁ ଗୋଟିଏ କାରଣର ଉଲ୍ଲେଖ କରାଯାଇପାରେ । ବୈଜ୍ଞାନିକମାନେ କହୁଛନ୍ତି ଯେ ପିଲାଦିନେ ଯଦି ବାପ-ମା’ ପିଲାଙ୍କ ଉପରେ କେବଳ ହୁକୁମ ଚଳାନ୍ତି; ସେମାନଙ୍କୁ ସ୍ୱାଧୀନ ଭାବରେ କିଛି କରିବାକୁ ଦିଅନ୍ତି ନାହିଁ, ଯାହାକୁ କହନ୍ତି ସେମାନଙ୍କର ଆତ୍ମଅଭିବ୍ୟକ୍ତି ରୁନ୍ଧି ହେଇଯାଏ, ତେବେ ପିଲାଙ୍କର ବାପ-ମା’ଙ୍କ ପ୍ରତି ମନରେ କ୍ରୋଧ ଆସେ । ଏ କ୍ରୋଧକୁ ବି ଖରାପ ବୋଲି ଚପେଇଦିଆଯାଏ । ପିଲା ବି ତ ବାପ-ମା’ଙ୍କୁ ଭଲପାଏ; ପରସ୍ପର ସ୍ନେହ ବିନା ସେ ତ ବଞ୍ଚିପାରେ ନାହିଁ । ତେଣୁ ତାକୁ ବି ନିଜେ ନିଜେ ଏଭଳି ବାପ-ମା’ଙ୍କ ପ୍ରତି କ୍ରୋଧ ଓ ଦ୍ୱେଷ ଅସୁଖ ଲାଗେ । ଆମ ମନରେ ଯେ ଗୋଟାଏ ଆଳିମାଳିକା ଜମା କରିବା ପାଇଁ ଅନ୍ଧାରୁଆ କୋଠରୀ ଅଛି, ତାହାରି ଭିତରକୁ ସେ ଏ ଦ୍ୱେଷ ଓ କ୍ରୋଧକୁ ଠେଲିଦିଏ । ତା’ର ଜାଣତା ମନରୁ ସେଇଟା ପୋଛିହେଇଯାଏ; କିନ୍ତୁ ସେଇ ମନର ସେଇ ଅଜଣା କୋଠରି ଭିତରେ ରହି ଗୋଟାଏ ଅସ୍ପଷ୍ଟ ଓ ପ୍ରଚ୍ଛନ୍ନ ଆଶଙ୍କା ଓ ଦ୍ୱେଷର ଭାବରେ ତା’ର ମନକୁ ରଙ୍ଗଉଥାଏ । ବେଳ ପଡ଼ିଲେ ଏଇଟା ଗୋଟାଏ କୌଣସି ଲକ୍ଷ୍ୟଠେଇଁ ଲାଖିଯାଏ ।

 

ଆମେ ଏ କଥା ଦେଖିନୁ କି, ଯେ ଯଦି କିରାଣିବାବୁ ହାକିମଠୁଁ ଗାଳି ଖାଇଥାନ୍ତି ତେବେ ସେଠି ତ ଜବାବ ଦେଇପାରନ୍ତି ନାହିଁ, ଘରକୁ ଆସିଲେ ଘରଣୀଙ୍କ ଉପରେ ରାଗଟା ଝାଡ଼ନ୍ତି । ସେମିତି ଆମ ମନରେ ଥିବା ଏ ଅସ୍ପଷ୍ଟ ଦ୍ୱେଷ ଓ ସନ୍ଦେହ ଗୋଟାଏ କିଛି ଲାଖ ପାଇଲେ ସେଥିରେ ଲାଖିଯାଏ । ଜର୍ମାନୀରେ ଏକସମୟରେ ପରିବାରମାନଙ୍କରେ ବାପ-ମା’ମାନଙ୍କର ଏକରକମ ସାମରିକ ଶାସନ ଚାଲୁଥିଲା । ବାପଘରେ ଥିବାବେଳେ ମା’ ଛୁଆ ସମସ୍ତେ ଥରିହରି କମ୍ପମାନ ହେଉଥାନ୍ତି । ୟା’ରି ଫଳରେ ସେଠା ଲୋକଙ୍କ ମନରେ ଏଭଳି ଚାପା ସନ୍ଦେହ ଓ ଦ୍ୱେଷ ବେଶୀ ଥିଲା ଓ ହିଟ୍‌ଲର୍‌ ସେଇଟାର ଫାଇଦା ଉଠେଇଲା ବୋଲି ଗବେଷକମାନେ କହୁଛନ୍ତି ।

 

ପୁଣି ମଣିଷ ଆର୍ଥିକ ଓ ଅନ୍ୟ ପ୍ରକାର ଦୁରବସ୍ଥା ଭିତରେ ପଡ଼ିଲେ ତା’ ମନରେ ଅସନ୍ତୋଷ ହେବ ହିଁ ହେବ । ତା’ର ଦୁରବସ୍ଥା ପାଇଁ ଯେ ଦାୟୀ, ଏ ଅସନ୍ତୋଷ ତାହାରି ମୁଣ୍ଡରେ ପଡ଼ିବାର କଥା । କିନ୍ତୁ ଆଜିକାଲିକାର ଅର୍ଥନୀତି ଓ ରାଜନୀତିର ଜଟିଳ ସଙ୍ଗଠନ ଭିତରେ ଯେ ଅସଲରେ ଦାୟୀ ତା’ର ଓର ସାଧାରଣ ଲୋକ ପାଇବା କାଠିକର ପାଠ । ଏପରି ଅବସ୍ଥାରେ ରାଗ ତ କାହାରି ଉପରେ ପଡ଼ିବାର କଥା । ଗୋଟାଏ ‘ଭଣ୍ଡାରିଆ’ ଜୁଟିବା ଚାହି । ଆମର କଥା ଅଛି ପରା–‘‘ମାର ମାର, ଭଣ୍ଡାରିଆକୁ ମାର ।’’ ଯାହା ମନରେ ଏଭଳି ଚାପା ଦ୍ୱେଷ ପ୍ରଭୃତି ଥିବ, ତା’ର ରାଗଟା ବେଶୀ ଉଛୁଳି ପଡ଼ିବ । ଜର୍ମାନୀରେ ସେୟା ହେଲା ବୋଲି କହୁଛନ୍ତି । ସେଠି ପ୍ରଥମ ମହାଯୁଦ୍ଧରେ ହାରିଯିବାର ଗ୍ଳାନି ତ ଲୋକଙ୍କର ଥିଲା । ପୁଣି ଯୁଦ୍ଧ ପରେ ଦେଶର ଆର୍ଥିକ ବ୍ୟବସ୍ଥା ଏକାବେଳକେ ଭାଙ୍ଗିପଡ଼ିଲା, ଲୋକଙ୍କର ହିନସ୍ତାର ସୀମା ରହିଲା ନାହିଁ । ଏଇ ଅବସ୍ଥାରେ ହିଟ୍‌ଲର୍‌ ବାହାରିପଡ଼ି ବୁଝେଇଲା ଯେ ଏ ଇହୁଦୀଗୁଡ଼ାକ ଯୋଗୁ ହିଁ ଦେଶର ଏ ଦୁରବସ୍ଥା । ଦେଶ ହାରିବା ପାଇଁ ସେହିମାନେ ଦାୟୀ; ଅର୍ଥନୀତିକୁ ସେହି ବିଗାଡ଼ିଛନ୍ତି । ବାସ୍‌ ।

 

ତେବେ କାଉ କାନ ନେଇଗଲା ବୋଲି ହୁରି କଲେ ଦି’ଚାରି ଜଣ ସିନା ଧାଇଁବେ; ସମସ୍ତେ, ପୁଣି ଏତେ ବେଳଯାଏ, ଧାଇଁବେ କାହିଁକି ? କାଉ ପ୍ରତି ମୂଳରୁ କିଛି ବିପରୀତ ଧାରଣା ଥିବା ଚାହିଁ । ଇହୁଦୀଙ୍କ ପ୍ରତି ଖ୍ରୀଷ୍ଟାନମାନଙ୍କର ଏହିପରି ଧାରଣା ଥାଏ । ଯୀଶୁଙ୍କର ବିଚାର କରାଯାଇ ପ୍ରାଣଦଣ୍ଡ ଦିଆଯିବାର ପ୍ରରୋଚନା ଇହୁଦୀ ଧର୍ମଗୁରୁମାନେ ଦେଇଥିଲେ ଓ ଏହାରି ବିରୋଧରେ ଖ୍ରୀଷ୍ଟାନ୍‌ମାନଙ୍କର ଆକ୍ରୋଶଟା ସାରା ଇହୁଦୀ ସମାଜ ଉପରେ ଯାଇ ପଡ଼ିଛି । ଏହାକୁ ପୂର୍ବଗ୍ରହ (Prejudice) କୁହାଯାଏ; ଅର୍ଥାତ୍‌ ଯେଉଁ ଧାରଣାର ଯଥାର୍ଥତା ବହୁତ କମ୍‌ ବା ଆଦୌ ନାହିଁ ।

 

ଇହୁଦୀଙ୍କ କଥା ଛାଡ଼ିଦେଇ ଆମ ଘର ପାଖକୁ, ହିନ୍ଦୁ-ମୁସଲମାନଙ୍କ କଥାକୁ ଫେରିଆସିବା । ହିନ୍ଦୁ ମୁସଲମାନମାନଙ୍କର ପରସ୍ପର ପ୍ରତି ମନୋଭାବର ସବୁ ଦିଗ ତ ଏଠି ଆଲୋଚନା କରିବାର ସ୍ଥାନ ନାହିଁ–କେତେଟା ଦିଗ ମାତ୍ର କରିବା ।

 

ମୁସଲମାନଙ୍କ ବିରୋଧରେ ଗୋଟାଏ ଆକ୍ଷେପ ହେଲା ଯେ ସେମାନେ ଏ ଦେଶରେ ଆସି ଜବରଦସ୍ତି ସାମ୍ରାଜ୍ୟ ସ୍ଥାପନ କଲେ । ବହୁତ ଦମନ, ଅତ୍ୟାଚାର କଲେ; ହିନ୍ଦୁ ଧର୍ମର ଆଚରଣରେ ବାଧା ସୃଷ୍ଟି କଲେ ଇତ୍ୟାଦି । ମୁସଲମାନ ବାଦଶାହ, ସୁବେଦାର, ଜାଗିରଦାର ଆଦିଙ୍କର ଏ ସବୁ ଅତ୍ୟାଚାର ମିଛ ନୁହେଁ; କିନ୍ତୁ ହିନ୍ଦୁ ରାଜା କ’ଣ ହିନ୍ଦୁଙ୍କ ଉପରେ ଅତ୍ୟାଚାର କରୁ ନଥିଲେ ? ଯେଉଁଠି ରାଜରାଣୀ ଦ୍ରୌପଦୀଙ୍କୁ ବିବସ୍ତ୍ରା କରାଯିବା ଚେଷ୍ଟା ହେଲା, ସେଠି ଚାଷୀ କାରିଗର ଘରର ଝିଅବୋହୂଙ୍କର କି ଅବସ୍ଥା ହେଇଥିବ ? ତା’ ପୂର୍ବରୁ, ଏବେ ଆର୍ଯ୍ୟ ବୋଲାଉଥିବା ଜାତିମାନେ ଏ ଦେଶକୁ ଆସିଲେ ତ ଏଠାର ପୂର୍ବ ବାସିନ୍ଦା ଆଦିବାସୀମାନଙ୍କଠାରୁ ଜମିବାଡ଼ି ଛଡ଼େଇ ନେଇ ତାଙ୍କୁ ବଣ-ପାହାଡ଼କୁ ତଡ଼ିଲେ କି ଉପାୟରେ ? ଅଶୋକଙ୍କର ସିନା ପରେ ହୃଦୟ ପରିବର୍ତ୍ତନ ହେବାରୁ କଳିଙ୍ଗରେ ସେ ଘଟେଇଥିବା ହତ୍ୟାକାଣ୍ଡର କଳଙ୍କ ଧୋଇଗଲା, ଖାରବେଳ ଯେ କାବୁଲ ନା କାନ୍ଦାହାର ଯାଏ ସାମ୍ରାଜ୍ୟ ବିଛେଇଥିଲେ, ସେ ତାହା କି ପ୍ରକାରେ କରିଥିଲେ ?

 

ମୁସଲମାନ ରାଜ୍ୟ ବାଦଶାହଙ୍କ ହାତରେ ମୁସଲମାନ ପ୍ରଜାଙ୍କର ବି କି ଅବସ୍ଥା ହେଉଥିଲା ? ସେମାନଙ୍କର ଝିଅବୋହୂ ନିରାପଦ ରହୁଥିଲେ ? କଥାକଥାକେ ମୁଣ୍ଡକାଟ ହେଉ ନ ଥିଲା ? ଏବେ ବି ସଉଦି ଆରବ, ଇରାନ ପ୍ରଭୃତି ଦେଶର ଅବସ୍ଥା କ’ଣ ? ଏ ଦେଶକୁ ମୁସଲମାନମାନେ ତ ଦଫା ଦଫା ହେଇ ଆସିଲେ । ପ୍ରଥମେ ଆସିଲେ ମହମ୍ମଦ ଘୋରୀ; ତାଙ୍କଠୁଁ ରାଜ୍ୟ ଛଡ଼େଇଲେ ଦାସବଂଶ । ତା’ ପଛକୁ ଆସିଲେ ଲୋଦୀବଂଶ । ସବା ଶେଷକୁ ଆସିଲେ ମୋଗଲ । ଏମାନେ ସମସ୍ତେ ଅଲଗା ଅଲଗା ଜାତି ବା ଗୋଷ୍ଠୀର ଲୋକ ଥିଲେ । ପ୍ରତ୍ୟେକେ ଯେତେବେଳେ ତାଙ୍କ ପୂର୍ବ ଶାସକଙ୍କୁ ହଟେଇ ରାଜ୍ୟ ଦଖଲ କଲେ, ସେତେବେଳେ ସେହି ପୂର୍ବଶାସକଙ୍କର ଜାତି ବା ଗୋଷ୍ଠୀର ସାଧାରଣ ଗରିବ ମୁସଲମାନଙ୍କ ଉପରେ କ’ଣ ଊଣା ଅତ୍ୟାଚାର କରିଥିଲେ ?

 

କେବଳ ହିନ୍ଦୁ ମୁସଲମାନଙ୍କ କଥା ନୁହେଁ; ଦୁନିଆରେ ସବୁଠି ସେମିତି ଚାଲୁଥିଲା । ୟୁରୋପରେ, ଚୀନରେ, ମଧ୍ୟ-ପ୍ରାଚ୍ୟରେ ସର୍ବତ୍ର ସାମନ୍ତବାଦୀ ଶାସକଙ୍କର ଏଇ ରୂପ ଥିଲା । ଜମିବାଡ଼ି ଚାଷ କରି ଶିଖି ମଣିଷ ଗାଁ ବସ୍ତି ବସେଇବା ପରେ କ୍ରମେ ସାଆନ୍ତଶ୍ରେଣୀ ବାହାରିଲେ, ଯେ ନିଜେ କିଛି କାମଦାମ ନ କରି ‘ପ୍ରଜା’ଙ୍କଠାରୁ ପାଉଣା ଆଦାୟ କରି ଚଳିଲେ । ପାଇକ ବରକନ୍ଦାଜ ଦଳ ଗଢ଼ି ଅନ୍ୟ ରାଜ୍ୟ ଆକ୍ରମଣ କରି ତା’କୁ ନିଜ ରାଜ୍ୟରେ ମିଶେଇଲେ; ନ ହେଲେ ସେଠୁ ଧନରତ୍ନ, ସ୍ତ୍ରୀ, ଗୋଧନ ଲୁଟ୍‌ କରି ଆଣିଲେ । ପ୍ରଜାଏ ନିଜ ରାଜାକୁ ସମର୍ଥନ କରିବାରେ ହିଁ ନିଜର ହିତ ଦେଖିଲେ । କାରଣ ସେ ତ ଜାଣି ଗୋଟାଏ ଧାରାରେ ପକେଇ ଯାହା ନେବାର ନେଉଛି; ସେ ନ ରହିଲେ ପଡ଼ିଶା ରାଜା ଆକ୍ରମଣ କରି ସବୁ ଜାରିଜୁରି ଦେବ । ଏହିପରି ଆପଣା ରାଜା ‘ଭଲ’ ଓ ପଡ଼ିଶା ରାଜା ‘ଖରାପ’ ହେଇଗଲେ–ପ୍ରତ୍ୟେକ ରାଜ୍ୟର ପ୍ରଜାଙ୍କ ପାଇଁ ।

 

ବିଚରା ସାଧାରଣ ଲୋକଙ୍କର ଆତ୍ମବଡ଼ିମାର ତ ଅନ୍ୟ ବାଟ ନ ଥିଲା । ରାଜାଙ୍କ ବଡ଼ିମାରୁ ସେ ଆତ୍ମସନ୍ତୋଷ ପାଉଥିଲେ; ଆମ ରାଜାର ଏମିତି ସେମିତି ବଳବିଭବ । ମୁସଲମାନଙ୍କ ଭିତରେ ସେମିତି ସାଧାରଣ ଲୋକ ବି ନିଜକୁ ରାଜା ବାଦଶାହଙ୍କ ଜାତି ବୋଲି ଭାବିଲେ–‘‘ହାମେ ଦିନେ ଏ ହିନ୍ଦୁସ୍ତାନ୍‌ର ବାଦ୍‌ଶା ଥିଲ !’’ ଏଇ ରଜାଜାତି ଭାବରେ ନିଜର କରାମତି ବିଷୟରେ ବି ଭାରି ବହପ ଥିଲା–‘‘ଆବେ, ଶହେ ଓଡ଼ିଆଙ୍କୁ ଗୋଟାଏ ପଠାଣ ।’’ ଯେ ରଜା ହେଇପାରିଲା, ତା’କୁ ମାନିନେବାକୁ ଅଭ୍ୟସ୍ତ ହିନ୍ଦୁ ପ୍ରଜାଏ ମୁସଲମାନଙ୍କର ଏ ବହପ ମାନିନେଲେ-‘‘ମିଆଁ ପୁଅ କି ? ହଗ ହଗ ।’’

 

ଏଇ ସବୁ ଓ ଏହି ପ୍ରକାରର ଅନ୍ୟ ସବୁ ପୂର୍ବର ଧାରଣା ଥିବାରୁ ସେସବୁକୁ ବେଳେବେଳେ ଉସ୍‌କେଇଦେବା ସମ୍ଭବ ହେଉଛି । କଥା ହେଉଛି ଯେ ଗୋଟାଏ ଯୁଗରେ ସାମନ୍ତବାଦ ଏକ ବିଶ୍ୱବ୍ୟାପୀ ଘଟଣା ଥିଲା । ଧର୍ମ, ଭାଷା, ଜାତି, ଗୋଷ୍ଠୀ ନିର୍ବିଶେଷରେ ସେଥିରେ ପ୍ରଜାଙ୍କର ଶୋଷଣ ଓ ଦାମ୍ଭିକର ଅତ୍ୟାଚାର ଚାଲୁଥିଲା । ହିନ୍ଦୁ ରାଜା ନିଜକୁ ବିଷ୍ଣୁଙ୍କ ଅବତାର କହି ପ୍ରଜାଙ୍କ ପାଖରେ ଭଲେଇ ହେଉଥିଲେ । ମୁସଲମାନ ନିଜକୁ ହଜରତ୍‌ ମହମ୍ମଦ ପୈଗମ୍ବରଙ୍କ ବଂଶଧର ବା ଆଶୀର୍ବାଦପ୍ରାପ୍ତ ବୋଲି କହୁଥିଲେ । ଖ୍ରୀଷ୍ଟାନ୍‌ ରାଜା ପୋପ୍‌ଙ୍କ ଆଶୀର୍ବାଦ ନେଇ ମହିମାମଣ୍ଡିତ ହେଉଥିଲେ;–ଏତିକି ଫରକ୍‌ । ଏ କଥାଟା ବୁଝିଲେ କୋଉ କାଳରେ କୋଉ ରାଜା ବାଦଶାହଙ୍କର କୃତ୍ୟର ବୋଝ ମୁଣ୍ଡେଇ ବୁଟା ସିଂହ ଖଇରାତି ମିଆଁର ବେକ କାଟିବାକୁ ବାହାରନ୍ତା ନାହିଁ କି ଖଇରାତି ରାଜା-ଜାତି ବୋଲି ଆସ୍ଫାଳନ କରନ୍ତା ନାହିଁ ।

 

(୨)

 

ଆମେ କହୁ–ସୂର୍ଯ୍ୟ ଉଠୁଛି, ସୂର୍ଯ୍ୟ ବୁଡ଼ୁଛି । କେତେ ଆଦିବାସୀ ଅଛନ୍ତି, ଯେଉଁମାନେ ବିଶ୍ୱାସ କରନ୍ତି ଯେ–ହେଇ, ସେ ଦିଗ୍‌ବଳୟ ଶେଷ ମୁଣ୍ଡରେ ଯେଉଁ ସମୁଦ୍ର ଅଛି, ସୂର୍ଯ୍ୟ ତା’ରି ଭିତରୁ ଉଠୁଛି ଓ ପୁଣି ସେଇଥିରେ ବୁଡ଼ିଯାଉଛି । ପୃଥିବୀଟା ଛିଡ଼ାହୋଇଛି ଓ ସୂର୍ଯ୍ୟଟା ତା’ ଚାରିପଟେ ବୁଲୁଛି ବୋଲି ପଣ୍ତିତ ଲୋକମାନେ ଅନେକ କାଳଯାଏ ବିଶ୍ୱାସ କରୁଥିଲେ । ଏବେ ପିଲାଙ୍କୁ ଚତୁର୍ଥ କି ପଞ୍ଚମ ଶ୍ରେଣୀରୁ ପଢ଼ାହେଲାଣି ଯେ ପୃଥିବୀ ସୂର୍ଯ୍ୟ ଚାରିପଟେ ବୁଲୁଛି । ପୃଥିବୀ ଚାରିପଟେ ସୂର୍ଯ୍ୟ ବୁଲିବା କଥା ମାନିନିଆଯାଇଥିବା ବେଳେ ସୂର୍ଯ୍ୟ-ଚନ୍ଦ୍ରଙ୍କର ଗତିବିଧିର ହିସାବ ତ ବେଶ୍‌ ବୁଝିହେଉଥିଲା; କିନ୍ତୁ ଗ୍ରହମାନଙ୍କ ବେଳକୁ ମହାନେ ଅଡ଼ୁଆ ବାହାରୁଥିଲା । ଶନି, ବୃହସ୍ପତି ଓ ମଙ୍ଗଳ ଆକାଶରେ କେତେବେଳେ ଆଗକୁ ତ କେତେବେଳେ ପଛକୁ ଚାଲୁଥିଲେ । ଏମିତି ସବୁ ଅଡ଼ୁଆ ବାହାରୁଥିଲା । ସୂର୍ଯ୍ୟ ଚାରିପଟେ ପୃଥିବୀ ବୁଲିବା କଥା ମାନିନେବାରୁ ସବୁ କଥା ସହଜ ହେଇଯାଇଛି । ଏବେ ତ ସୂର୍ଯ୍ୟ ବି ନକ୍ଷତ୍ର-ମହାମଣ୍ଡଳ ଭିତରେ ଧାଇଁଚାଲିଛି ବୋଲି ଜମାପଡ଼ିଲାଣି-

 

ସେଇ ଏକା ଘଟଣା–ସୂର୍ଯ୍ୟ ଉଠିବା, ବୁଡ଼ିବା; କିନ୍ତୁ ତା’ର ତିନି ପ୍ରକାର ବ୍ୟାଖ୍ୟା । ଗୋଟାଏ ବ୍ୟାଖ୍ୟାକୁ ଆମେ ଅନ୍ୟ ବ୍ୟାଖ୍ୟା ତୁଳନାରେ ଠିକ୍‌ ବୋଲି କହୁଛୁ, ଏଥିପାଇଁ ଯେ ତାହା ଯଥାର୍ଥ ପରିସ୍ଥିତି ସହିତ ଅଧିକ ଖାପ ଖାଉଛି । ଆମେ କୌଣସି ପରିସ୍ଥିତିକୁ ଯେତିକି ଅଧିକ ଯଥାର୍ଥ ରୂପରେ ଦେଖିବା ତାହା ସହିତ ମୁକାବିଲା କରିବାରେ ଆମେ ସେତିକି ଅଧିକ ସମର୍ଥ ହେବା । ଆମ ପିଲାଦିନର ସେ ‘‘ଗଲାରେ ! ଗଲାରେ !’’ ବାବୁଙ୍କ କଥା ନିଆଯାଉ । ତାଙ୍କ ମନରେ ନିଶ୍ଚୟ ଗୋଟାଏ କିଛି ଅହେତୁକ ଆଶଙ୍କା ଥିଲା, ଯାହା ଫଳରେ ସେ ଏମିତି ବିଚିତ୍ର ଆଚରଣ କରୁଥିଲେ । ତାଙ୍କ ପକ୍ଷରେ ସହଜ ସ୍ୱାଭାବିକ ଜୀବନଯାତ୍ରା ଏହାଦ୍ୱାରା ସମ୍ଭବ ହେଉ ନ ଥିଲା । ଯେଉଁ ଲୋକ କୌଣସି ଭୋଜିଭାତ କି ବୈଠକୀରେ ଦଶଲୋକଙ୍କ ଭିତରେ ପହଞ୍ଚିଗଲେ ସବୁବେଳେ ସନ୍ଦେହ କରୁଥାଏ ଯେ ଯେକେହି ହସୁଛି ବା କାଶୁଛି, ସେ ତାକୁଇ ଦେଖି ସେମିତି କରୁଛି, ତେବେ ତା’ର ଲୋକଙ୍କ ସାଙ୍ଗରେ ମିଳାମିଶା କରିବାରେ ବହୁତ ଅଡ଼ୁଆ ସୃଷ୍ଟି ହୁଏ ।

 

ଆମର ଗୋଟାଏ କଥାରେ କହନ୍ତି, ‘‘ସେ ତା’ର ଅଲଗା ଦୁନିଆରେ ଥାଏ ।’’ ଏମାନେ ସେମିତି ବାସ୍ତବ ଦୁନିଆଟା ଯାହା ହେଇଥିବ ତାହାଠୁଁ କିଛିଟା ଭିନ୍ନ ଗୋଟାଏ ଅଲଗା ଧାରଣା ମନରେ ଧରିଥାନ୍ତି । ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟାନ, ଇହୁଦୀ, ପ୍ରୋଟେଷ୍ଟାଣ୍ଟ, କ୍ୟାଥଲିକ ହେରିକା ସବୁ ପରସ୍ପର ବିଷୟରେ ଏହିପରି ସବୁ ମନଗଢ଼ା ଧାରଣା ରଖିଥାନ୍ତି; ଯେଉଁଥିପାଇଁ କନ୍ଦଳ ଲାଗିବା ସହଜ ହୁଏ । ୟା’କୁ ଗୋଟାଏ ପ୍ରକାରର ମାୟା କୁହାଯିବ ନାହିଁ କି ?

 

ଏହିଭଳି ଧାରଣା ଦେଶ ଦେଶ ଭିତରେ ବି ପରସ୍ପର ବିଷୟରେ ଥାଏ । ଏମିତି ଗୋଟାଏ ପରିସ୍ଥିତିରୁ ତ ଦୁନିଆରେ ମହା ବିଭ୍ରାଟ ଉପୁଜିବା ଆଡ଼କୁ ଗତି କରୁଥିଲା; ସେ ହେଲା ସୋଭିଏତ୍‌ ସଂଘ ଓ ଆମେରିକାରେ ପରସ୍ପର ବିଷୟରେ ଧାରଣାକୁ ନେଇ । ଗୋଟାଏ ଠେଇଁ ତ ସାମ୍ୟବାଦ, ଆଉ ଗୋଟାଏ ଠିଁ ପୁଞ୍ଜିବାଦ ନାଁରେ ରାଜୁତି ଚାଲୁଛି । ପ୍ରଥମେ ଯେତେବେଳେ ରୁଷ ଦେଶରେ ସାମ୍ୟବାଦୀ ବିପ୍ଳବ ହେଲା, ସବୁ ପୁଞ୍ଜିବାଦୀ ଦେଶ ତ ଆତଙ୍କ ମଣିଲେ ଓ ସେ ବିପ୍ଳବକୁ ଖତମ୍‌ କରିବା ପାଇଁ ଯତ୍‌ପରୋନାସ୍ତି ଚେଷ୍ଟା କଲେ । ସୋଭିଏତ୍‌ ଦେଶ ବି ପୃଥିବୀଯାକ ବିପ୍ଳବ କରେଇବାରେ ସାହାଯ୍ୟ କରିବ ବୋଲି କହିଥିଲା । ଏମିତିରେ ପରସ୍ପର ବିଷୟରେ ଭୟ, ସନ୍ଦେହ ବହୁତ ଥିଲା । ଦ୍ୱିତୀୟ ଯୁଦ୍ଧରେ ତ ହିଟଲର୍‌କୁ ହରେଇବା ପାଇଁ ଆମେରିକା ଓ ସୋଭିଏତ୍‌ ସଂଘ ଏକା ପକ୍ଷରେ ଲଢ଼ିଲେ । ଜିତିସାରିବା ପରେ ଦୁହିଁଙ୍କ ଭିତରେ ଫଟାଫଟି ହେଇଗଲା–ଦୁହିଁଙ୍କ ହାତରେ ଏଟମ୍‌ ବମ୍‌ । ଆମେରିକାରେ ସୋଭିଏତ୍‌ ସଂଘର ଯେମିତି ପ୍ରଚାର ହେଲା, ଜାଣି ସେ ଦେଶର ଲୋକେ ରକ୍ତମୁହାଁ ହେଇ ରହିଛନ୍ତି; ଦୁନିଆଯାକ ସୁବିଧା ପାଇଲେ ଗିଳିଯିବେ । ଆମେରିକା ବିଷୟରେ ସେମିତି ସୋଭିଏତ୍‌ ସଂଘରେ ପ୍ରଚାର ଚାଲିଲା ଯେ ପୁଞ୍ଜିବାଦୀଗୁଡ଼ାକ ନରପିଶାଚ ଭଳି । ଦେଶର ନେତାମାନେ ବି ଭୟରେ ପରସ୍ପର ବିଷୟରେ ସବୁପ୍ରକାରର ସମ୍ଭବ ଅସମ୍ଭବ କଥା ବିଶ୍ୱାସ କଲେ ଓ ଯୁଦ୍ଧ ସଜବାଜ ବଢ଼ିଚାଲିଲା । ମାତ୍ର ଏଣେ ତ ପରମାଣୁ ବୋମା ଦୁଇ ପାଖଯାକରେ ନିସ୍ତି ହେଇ ଥୁଆହେଇଛି । ଯଦି ଯୁଦ୍ଧ ଲାଗିବ, ତେବେ ଘଣ୍ଟାକ ଭିତରେ ଉଭୟ ପକ୍ଷ ସାବାଡ଼ ହେଇଯିବେ ବୋଲି ଜାଣିବା ଲୋକେ ହିସାବ କରି ଚେତାବନୀ ଦେଉଛନ୍ତି । ତେଣୁ କର୍ତ୍ତୃପକ୍ଷଙ୍କ ମନରେ ଗୋଟାଏ ବିଚାର ପଶିଲା ଯେ–ଆଚ୍ଛା, ସେ ଦେଶରେ ସେମାନେ ପ୍ରକୃତରେ କ’ଣ କରୁଛନ୍ତି, କ’ଣ ଚାହୁଁଛନ୍ତି, କେମିତି ଚଳୁଛନ୍ତି ଟିକେ ଭଲକରି ବୁଝିବା । ସରକାରୀ ଗୁପ୍ତ ତଥ୍ୟ ସଂଗ୍ରହ କରିବା ପାଇଁ ତ ଗୁପ୍ତଚର ଥାନ୍ତି; କିନ୍ତୁ ଏବେ ସବୁକଥା ଭଲଭାବରେ ଜାଣିବା ପାଇଁ ଆମେରିକାର ବିଶ୍ୱବିଦ୍ୟାଳୟମାନଙ୍କରେ ରୁଷ୍‌ ବିଷୟରେ ଗବେଷଣା ଚାଲିଲା । ଇତିହାସ, ରାଜନୀତି, ଅର୍ଥନୀତି, ସମାଜନୀତି, ମନୋବିଜ୍ଞାନ, ରୀତିନୀତି, ଚାଲିଚଳଣ କୌଣସି ବିଷୟ ଆଉ ବାକି ନାହିଁ; ଯେଉଁ ବିଷୟରେ ସବୁ ତଥ୍ୟ ସଂଗ୍ରହ କରି ସୂକ୍ଷ୍ମ ଗବେଷଣା ନ ଚାଲିଲା । ସୋଭିଏତ୍‌ ସଂଘରେ ବି ସେମିତି ଚାଲିଥିବ । ପରସ୍ପର ବିଷୟରେ ବହୁତ କଥା ଜାଣିବା ପରେ ସେମାନଙ୍କର ମନରୁ ଅହେତୁକ ଭୟ ଦୂର ହେଇ ପରସ୍ପରର ଭଲ ମନ୍ଦ ଗୁଣାଗୁଣ ବିଷୟରେ ଯେତିକି ଅଧିକ ବାସ୍ତବ ଜ୍ଞାନ ବଢ଼ିଲା, ସେତିକି ଶୀତଳଯୁଦ୍ଧ ମଧ୍ୟ ମାନ୍ଦେଇଗଲା ଓ ଏବେ ସେମାନଙ୍କ ଭିତରେ ନାନା ବିଷୟରେ ସହଯୋଗ ଆରମ୍ଭ ହେଲାଣି । କଳି ଯେ ନାହିଁ, ତାହା ନୁହେଁ; ମାତ୍ର ତାହା ଯୋଗୁଁ ରାଉରକେଲାରେ ୧୯୬୪ରେ ଯେମିତି ହେଲା ସେମିତି ଗୋଟାଏ କାଣ୍ଡ ଘଟିବାର ଆଶଙ୍କା ବହୁତ ଊଣା ହେଇଗଲାଣି ।

 

ରାଉରକେଲାରେ ୧୯୬୪ରେ ସେ ବାଟେ ରେଳଗାଡ଼ିରେ ରାୟପୁର ଯାଉଥିବା ବଙ୍ଗାଳୀ ଶରଣାର୍ଥୀଙ୍କୁ ଦେଖି ତ ଲୋକଙ୍କ ମନରେ ବହୁତ କ୍ଷୋଭ ଜନ୍ମିଥିଲା । ହଠାତ୍‌ ପ୍ରଚାର ହେଇଗଲା ଯେ ଚକ୍ରଧରପୁର ଆଡ଼ୁ ହଜାର ହଜାର ମୁସଲମାନ୍‌ ରାଉରକେଲା ଆକ୍ରମଣ କରିବାକୁ ମାଡ଼ିଆସୁଛନ୍ତି । କଥାଟାକୁ ପ୍ରାୟ ସବୁ ହିନ୍ଦୁ ବିଶ୍ୱାସ କରିଗଲେ । କେହି ପଚାରିଲେ ନାହିଁ ଯେ ହଜାର ହଜାର ମୁସଲମାନ୍‌ ଅସ୍ତ୍ରଶସ୍ତ୍ର ଧରି ହିନ୍ଦୁଙ୍କୁ ମାରିମାରିକା ଆସୁଛନ୍ତି, ଶହେ ମାଇଲ ବାଟ ଆସିବେ । ସରକାରଙ୍କ ପୁଲିସ ପଲଟନ୍‌ ସବୁ କୁଆଡ଼େ ଘାସ କାଟି ଯାଇଛନ୍ତି ନା କ’ଣ ? ହେଇ ସେ ପାହାଡ଼ ସେ ପାଖେ ପହଞ୍ଚିଗଲେଣି; ହେଇ ଆଲୁଅ ଦେଖାଗଲା; ଏମିତି ସବୁ ଗୁଜୁବ ବଢ଼ିଚାଲିଲା ଓ ଲୋକେ ଖାଲି ଛାନିଆ ହେଇ ଶହ ଶହ ମୁସଲମାନଙ୍କୁ ହାଣିପକେଇଲେ ।

 

ଏଭଳି ଧାରଣା ଉତ୍ପନ୍ନ ହୁଏ କେମିତି ?

 

ଗୋଟାଏ ସିଧା କଥା ଯେ, ସମସ୍ତେ ତ ସବୁ ବିଷୟରେ ସବୁ କଥା ଜାଣି ନ ଥାନ୍ତି; ଶୁଣାଶୁଣିରେ ଯାହା ଶୁଣନ୍ତି ଘରେ ସାଇପଡ଼ିଶାରେ ପୂର୍ବରୁ ଯେଉଁ ସବୁ ଧାରଣା ଚଳିଆସିଛି, ସେ ସବୁରେ ବିଶ୍ୱାସ କରନ୍ତି । ତା’ଠୁ ବିପଜ୍ଜନକ ହେଲା ଭୁଲ ଇତିହାସ । ପୂର୍ବେ ତ ଇତିହାସ ରାଜାମାନେ ଲେଖଉଥିଲେ । ସେମାନଙ୍କର ପ୍ରଶସ୍ତି ସେଥିରେ ରହୁଥିଲା । ସେଇ ସବୁମନ୍ତେ ଶ୍ରେଷ୍ଠ ବୋଲି ଦର୍ଶାଯାଉଥିଲା । ଏବେ ଇତିହାସକୁ ଏକ ବିଜ୍ଞାନ ଭାବରେ ଗବେଷଣା କରିବାକୁ ଲୋକ ବାହାରିଲେଣି । ଏବେ ଆଉ କେବଳ ରାଜା ବା ଶାସକଙ୍କର ପ୍ରଶସ୍ତି ନୁହେଁ–ସମାଜର ଅବସ୍ଥା, ରାଜନୀତି, ଅର୍ଥବ୍ୟବସ୍ଥା, କଳା, ଶିଳ୍ପ, ସାହିତ୍ୟ, ଦର୍ଶନ, ବିଜ୍ଞାନ ଆଦି ପ୍ରତ୍ୟେକ ବିଷୟ କେଉଁ ଯୁଗରେ କେମିତି ଥିଲା, କେମିତି ସବୁ ବଦଳି ବଦଳି ଚାଲିଛି, ଲୋକେ କେମିତି ଚଳୁଥିଲେ, କ’ଣ ବିଶ୍ୱାସ କରୁଥିଲେ ଆଦି ହଜାର ପ୍ରକାର କଥା ଏବେ ଇତିହାସ ଗବେଷଣାରେ ଘଣ୍ଟାଯାଉଛି । କିନ୍ତୁ ତଥାପି ରାଜା-ବାଦଶାହଙ୍କର ପରମ୍ପରା ସରିନାହିଁ । ଏବେ ପ୍ରତ୍ୟେକ ଦେଶର ଇତିହାସକୁ ନିଜ ଦେଶର ଗୌରବ ବଢ଼େଇ-ଚଢ଼େଇ ଦେଖେଇବା ଦୃଷ୍ଟିରୁ ଇସ୍‌କୁଲମାନଙ୍କରେ ପିଲାଙ୍କୁ ଶିଖାହେଉଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ବିଷୟରେ ଇଂଲଣ୍ଡ, ଫ୍ରାନସ, ଆମେରିକା, ସୋଭିଏତ୍‌ ସଂଘ, ଇତାଲୀ, ଜର୍ମାନୀ ଆଦିରେ ପଢ଼ାହେଉଥିବା ଇତିହାସ ମିଳେଇ ଦେଖାଯିବ ତ ସବୁଥିରେ କିଛି ଅଲଗା ଅଲଗା ବିବରଣ ମିଳିବ । ପ୍ରତ୍ୟେକେ ନିଜ କଥାଟା ବଢ଼େଇଚଢ଼େଇ କହିଥିବେ । ଏମିତି ଦୁନିଆରେ ପ୍ରତ୍ୟେକ ଦେଶରେ ପିଲାଙ୍କୁ ଧାରଣା ଦେବାର ଚେଷ୍ଟା କରାଯାଏ ଯେ ଦୁନିଆରେ ସେଇ ସବୁଠୁଁ ଶ୍ରେଷ୍ଠ ଜାତି ।

 

ସେଲିଗ୍‌ ହ୍ୟାରିସନ ନାମକ ଜଣେ ମାର୍କିନ୍‌ ଲେଖକ ଭାରତ ବିଷୟରେ ‘‘The Most Dangerous Decades’’ ବୋଲି ଖଣ୍ଡେ ବହି ଲେଖିଛନ୍ତି । ସେ ବିଭିନ୍ନ ରାଜ୍ୟର ଇତିହାସ ପାଠ୍ୟ ପୁସ୍ତକ ମିଳେଇ ଦେଖି ମନ୍ତବ୍ୟ କରିଛନ୍ତି ଯେ ସେଥିରେ ନିଜ ନିଜ ରାଜ୍ୟର ଗୌରବ ବଢ଼େଇବା ପାଇଁ ସବୁ ବଢ଼େଇଚଢ଼େଇ ଲେଖାହୋଇଛି । ଏମିତି ସବୁ କଥା ଅଛି, ଯେଉଁ ବିଷୟରେ ପଡ଼ୋଶୀ ରାଜ୍ୟମାନଙ୍କର ଇତିହାସରେ ପରସ୍ପର ଓଲଟା କଥା ଲେଖାହୋଇଛି ।

 

ଗଣତାନ୍ତ୍ରିକ ଦେଶମାନଙ୍କରେ ତ ହେଲେ ସ୍ୱାଧୀନ ଇତିହାସବିତ୍‌ ଅଛନ୍ତି, ଯେଉଁମାନେ ନାନା ପ୍ରକାରର ଗବେଷଣା କରି ପ୍ରକୃତ ତଥ୍ୟ ଜାଣିବା ଚେଷ୍ଟା କରୁଛନ୍ତି ଓ ସେସବୁ ଇସ୍କୁଲ ପିଲା ନ ଜାଣିଲେ ବି ପାଠୁଆ ବଡ଼ ମଣିଷ ଜାଣୁଛନ୍ତି । କିନ୍ତୁ ସୋଭିଏତ୍‌ ସଂଘ ଭଳି ଏକଚ୍ଛତ୍ର ଶାସନରେ ତ ଇତିହାସ ସରକାରୀ ହୁକୁମରେ ଲେଖାହେଉଛି । ଷ୍ଟାଲିନ୍‌ ମରିଯିବାପରେ ସେଠାରେ ସବୁ ଇତିହାସ ନୂଆ କରି ଲେଖାହେଲା । ସେଥିପାଇଁ କେତେ ମାସ ଇତିହାସପଢ଼ା ବନ୍ଦ ରହିଲା ।

 

ଆମେରିକାରେ ଯେ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହୁଏ ତା’ର କି ପ୍ରକାରର ଚରିତ୍ର ଲୋକଙ୍କ ଆଗରେ ଉପସ୍ଥାପିତ କରାଯିବ ତାହା ଲୋକସମ୍ପର୍କ-ବିଶେଷଜ୍ଞମାନେ ବସି ବିଚାର କରି ସ୍ଥିର କରନ୍ତି; ଯେମିତି ଦେଶର ପ୍ରତ୍ୟେକ ଶ୍ରେଣୀର ଲୋକଙ୍କୁ ସେ ମନଲାଖି ଦେଖାଯିବେ–ଯେମିତି ଶ୍ରୀକୃଷ୍ଣଙ୍କୁ ତାଙ୍କର ପ୍ରେମୀମାନେ ପ୍ରତ୍ୟେକେ ନିଜ ନିଜ ଭାବନା ଅନୁସାରେ ଦେଖୁଥିଲେ । ସେହି ଅନୁସାରେ ତାଙ୍କର ଜୀବନୀ ଲେଖି ପ୍ରଚାର କରାଯାଏ । ଏହିପରି ଲୋକଙ୍କୁ ଛନ୍ଦିବା ପାଇଁ ନାନାପ୍ରକାରର ମାୟାଜାଲ ସୃଷ୍ଟି କରାହେଉଛି ।

 

ଆମ ମନରେ ଯେଉଁ ସବୁ ଅହେତୁକ ବା ସହେତୁକ ଭୟ, ସନ୍ଦେହ ଆଦି ଥାଏ, ତାହା ଯୋଗୁଁ ଆମେ ନିଜେ ଭୁଲ ବାଟରେ ମାଡ଼ି ଯାଉ ଯାଉ ମାୟାବୀମାନେ ବି ତା’ର ସୁବିଧା ନେଇ ଆମକୁ ଭୁଲ ବାଟରେ ମଡ଼େଇ ନିଅନ୍ତି ।

 

ଆଜିକାଲି ଗୋଟାଏ ସାଧାରଣ ଦୁଆ ହେଲା ଦେଶ ପ୍ରତି ବାହାର ଆକ୍ରମଣର ବିପଦ, ଯେଉଁଟା ଶାସକଦଳ ଦିନ ନାହିଁ, ରାତି ନାହିଁ ଲୋକଙ୍କୁ ଶୁଣାଉଛନ୍ତି ।

 

ଆମକୁ ଏପରି ମାୟାରେ ପକେଇବା ଭଳି ଆହୁରି ଅନେକ ପ୍ରକାରର ପ୍ରକ୍ରିୟା ଆମ ନିଜ ମନରେ ଅଛି । ସେସବୁ ଜାଣିରଖିବା ଦରକାର ।

 

ରେଳପୋଲରେ କେତେକର କଡ଼ରେ ବାଡ଼ ଥାଏ; କେତେକର ନ ଥାଏ । ଲମ୍ବ ପୋଲମାନଙ୍କରେ ରେଳକର୍ମଚାରୀମାନେ ଚାଲିବାର ସୁବିଧା ପାଇଁ ଏ ବାଡ଼ ଥାଏ । ଅନେକେ ଅନୁଭବ କରିଥିବେ ଯେ ବାଡ଼ ନ ଥିବା ପୋଲ ଉପରେ ରେଳଗାଡ଼ିରେ ବସି ଯିବାବେଳେ ପଦାକୁ ଚାହିଁଲେ ଡର ମାଡ଼େ; ମନେହୁଏ ଗାଡ଼ି ପଡ଼ିଯିବ କି ? ପୋଲକଡ଼ରେ ଯେଉଁ ବାଡ଼ ଥାଏ, ସେଇଟା ଗାଡ଼ିକୁ ରକ୍ଷା କରିବା ଦୃଷ୍ଟିରୁ ଏକାବେଳକେ ବେକାର । ଗାଡ଼ି ଧାରଣାରୁ ଖସିବ ତ ସେ ବାଡ଼ କୁଆଡ଼େ ସୂତାଖିଅ ପରି ଛିଡ଼ିଯିବ । କିନ୍ତୁ ଆମକୁ ବାଡ଼ ଥିଲେ ଶାନ୍ତି ଲାଗେ କାହିଁକି, ନା ଆମେ ଚାଲିକରି ଯିବାର ସଂସ୍କାରଟା ରେଳଗାଡ଼ି ପ୍ରତି ଅଜାଣତରେ ପ୍ରୟୋଗ କରୁଁ । ପାଦଚଲା ବା ସାଇକଲ୍‌ ପାଇଁ ଏପରି ବାଡ଼ର ମୂଲ୍ୟ ଥାଏ ।

 

ଆମେ ଏହିପରି ଅନେକ ସମୟରେ ଗୋଟାଏ ଗୋଟାଏ ଶବ୍ଦ ଜାବୁଡ଼ି ଧରିଥାଉ–ଯେମିତି ଆଇନ୍‌ । ସରକାର ଆଇନ୍‌ କରି ଲୁଗାକଳ ତିଆରି ପାଇଁ ଜମି ଦଖଲ କରିନେଲା, ଆଇନ୍‌ କରି ପୋଷ୍ଟକାର୍ଡ ଦଶ ପଇସାରୁ ପନ୍ଦର-ପଇସା କରିଦେଉଛି; ତେଣୁ ଯେତେବେଳେ ପ୍ରଚାର ହେଉଛି ଯେ ସରକାର କିଳାପୋତିଆଙ୍କୁ ଜବତ୍‌ କରିବା ପାଇଁ ଆଇନ୍‌ କରିଦେଲେ, ସେତେବେଳେ ଆଶ୍ୱସ୍ତ ଲାଗୁଛି–ଯାହା ହେଉ, ଏଥର କିଳାପୋତିଆଏ ଜବତ୍‌ ହେଲେ । କିନ୍ତୁ ଆଇନ୍‌ର ବାଡ଼ ଯେ ଏ ହାତୀକୁ ଅଟକେଇବା ପକ୍ଷରେ ଯଥେଷ୍ଟ ନୁହେଁ; ସେ ଏ ବାଡ଼ିକୁ ଭାଙ୍ଗି ତମ ଆମ ବାଡ଼ିରେ ପଶିଯିବେ; ବିଶେଷକରି ଯେତେବେଳେ ଆଇନ୍‌ କରିବାବାଲା ନିଜେ ତା’ ପିଠିରେ ବସିଛନ୍ତି, ଏ କଥା ଆମ ଖିଆଲକୁ ଆସେନାହିଁ ।

 

ସେହିପରି ଆଉ ଗୋଟାଏ ଶବ୍ଦ ‘ବ୍ୟକ୍ତିଗତ ଉଦ୍ୟମ’–ପ୍ରାଇଭେଟ୍‌ ଏଣ୍ଟରପ୍ରାଇଜ୍‌ । ତନ୍ତି ତା’ର ଖଣ୍ଡେ ତନ୍ତ ପକେଇ ଜୀବିକା ଅର୍ଜିବ; କିଏ ପଚାଶଟଙ୍କା ପୁଞ୍ଜି କରି ପାନଦୋକାନ ଖଣ୍ଡେ କରିବ–ତା’କୁ କିଏ ବନ୍ଦ କରିବ । ଯେ ଯାହାର ଧନ୍ଦା କରି ସୁଖ-ଦୁଃଖରେ ଚଳିବେ । ଏଇଟା ତ ଅସଲ ହକ୍‌ କଥା । କିନ୍ତୁ ତେଣେ ଯେ ବଡ଼ ବଡ଼ କଳ, ବିଜୁଳିଶକ୍ତି, କମ୍ପ୍ୟୁଟର କେତେ କ’ଣ ଆସି ପହଞ୍ଚିଲାଣି ଯେ ମଣିଷର ଜୀବିକାକୁ ନିରାପଦରେ ବାଟ ଚଳେଇଦେବାକୁ ବ୍ୟକ୍ତିଗତ ଉଦ୍ୟମ ଆଉ ଯଥେଷ୍ଟ ନୁହେଁ, ଏହା ଆମ ଧାରଣାରେ ପଶୁନାହିଁ । ଆଜିକାଲିର ବଡ଼ ବଡ଼ ଶିଳ୍ପଧନ୍ଦା ଓ ବ୍ୟବସାୟର ରେଳଗାଡ଼ିକୁ ଧାରଣାରେ ରଖିବା ପାଇଁ ଆଉ ପ୍ରକାରେ ମଜବୁତ ବାଡ଼ ଲୋଡ଼ା–ଏଇଟା ନ ବୁଝିଲେ ଆମେ ସେଇ ପୁରୁଣା ସରୁ ବାଡ଼କୁ ଦେଖି ମନେ ମନେ ଆଶ୍ୱସ୍ତ ହେଉଥିବାବେଳକୁ ଏବେ ଗାଡ଼ି ଧାରଣାରୁ ଖସି ସବୁ ମାଡ଼ିମକଚି ଦେଲାଣି ।

 

ଶବ୍ଦଦ୍ୱାରା ଯେ କେତେ ମାୟାଜାଲ ରଚା ହେଉଛି ଓ ହେଇଛି, ତାହା ଲେଖିବସିଲେ ଗୋଟାଏ ମହାଭାରତ ହେବ । ଯେମିତି ଆମର ପ୍ରଧାନମନ୍ତ୍ରୀ * ସେଦିନ କହିଲେ ଯେ ଭାରତରେ ଗଣତନ୍ତ୍ର ଅଲବତ୍‌ ଚାଲିବ, ଶହେ ବାର ଚାଲିବ । ତା’ ଛଡ଼ା ଆଉ କିଛି ଏ ଦେଶରେ ଚାଲିପାରିବ ନାହିଁ । ଏ କଥା କାଗଜରେ ପଢ଼ି କେତେ ଲୋକ କହିଲେ–ଯାହା ହେଉ, ଗଣତନ୍ତ୍ର କଥା ତ ସେ ଏତେ ଜୋର ଦେଇ କହୁଛନ୍ତି; ତେବେ ଆଉ କ’ଣ ।

 

* ଏହା ୧୯୭୬ର କଥା ।

 

ମୋର ମନେ ପଡ଼ିଲା–କଲିକତାରେ ଜଣେ ଲୋକ ଥିଲା । ସେ କହୁଥାଏ, ‘‘ଆମି ମଦ ଖାଇ, ବେଶ୍ୟାବାଡ଼ି ଯାଇ; ଯାଇକରି ଆମାର୍‌ କ୍ୟାରାକ୍ଟରଟା କିନ୍ତୁ ଠିକ୍‌ ରେଖେଛି ।’’ ଏ ସେମିତି କଥା–ଖବରକାଗଜର କଣ୍ଠରୋଧ, କୋର୍ଟର ସ୍ୱାଧୀନତା ଅପହରଣ ଚେଷ୍ଟା, ବିରୋଧୀମାନଙ୍କ ଅଟକ, ଅସୁବିଧାଜନକ ଲୋକଙ୍କର ପାଇକାରୀ ହତ୍ୟା, ଯାହା ଯେତେ କରିଯାନ୍ତୁ ନା କାହିଁକି, ସେ ଗଣତନ୍ତ୍ରଟା ଠିକ୍‌ ରଖିଛନ୍ତି ।

 

ଏମିତି ଗୋଟାଏ ଗୋଟାଏ ଶବ୍ଦ ଲୋକଙ୍କର ମନକୁ ପାଇଗଲା ପରେ ତା’କୁ ଯେମିତି ଇଚ୍ଛା ସେମିତି ବ୍ୟବହାର କରି ନିଜର ମତଲବ ହାସଲର ଚେଷ୍ଟା କରନ୍ତି । ଯେମିତି ଗୋଟାଏ ଶବ୍ଦ ‘ସମାଜବାଦ’ । ଆଜି ସମାଜବାଦ ଶବ୍ଦଟା ଲୋକଙ୍କ ମନକୁ ପାଇଯାଇଛି । ସେଥିପାଇଁ ଯେ ଉଠିଲା, ସେ ନିଜ ମୁଣ୍ଡରେ ଲେବେଲ ମାରିଦେଉଛି ‘ସମାଜବାଦୀ’ । ଆଜି ଦୁନିଆଯାକର ହିସାବ କରିବସିଲେ କେତେ ଶହ ପ୍ରକାରର ସମାଜବାଦ ଯେ ବାହାରିବ, ତାହାର ଠିକଣା ନାହିଁ । ଷ୍ଟାଲିନ୍‌ ବି ସମାଜବାଦ କରି ଲକ୍ଷ ଲକ୍ଷ ଲୋକ ମାଇଲେ, ଓ ନିଜେ ମୋଗଲ ବାଦଶାହଙ୍କ ଭଳି ଅଏସ୍‌ରେ ଚଳିଲେ । ପୃଥିବୀର ସବୁଠାରୁ ଭୟଙ୍କର ଆନ୍ଦୋଳନ ହିଟଲର୍‌ର ନାତ୍‌ସୀବାଦର ପୂରା ନାଁ ବି ରାଷ୍ଟ୍ରୀୟ-ସମାଜବାଦ-ନ୍ୟାସନାଲ ସୋଶାଲିଜମ୍‌ । ଏମିତି ଅସଂଖ୍ୟ ଉଦାହରଣ ଦେଇହେବ ।

 

ଗୋଟାଏ ଗୋଟାଏ ଶବ୍ଦର ଗୋଟାଏ ଲେଖା ଧାରଣା ଆମ ମନରେ ବସିଯାଇଥାଏ । ତାକୁ ଅନେକ ସମୟରେ ଆମେ ଭଲ କରି ଭାବି କରି ବି ଦେଖି ନ ଥାଉ । କେହି ଜଣେ ସେ ଶବ୍ଦ ବ୍ୟବହାର କରିଦେଲେ ଆମେ ବିଚାରୁ ଯେ, ଆମେ ଯାହା ବୁଝିଛୁ ସେ ବି ସେଇ ଅର୍ଥରେ ତା’କୁ ବ୍ୟବହାର କରୁଛି । ସେ ଶବ୍ଦର ଅର୍ଥ ସେ ଲୋକ କ’ଣ ବୁଝିଛି ବା କ’ଣ କରୁଛି, କି ଠକିବା ପାଇଁ ତା’କୁ ବ୍ୟବହାର କରୁଛି, ତାହା ଆମେ ଭାବି ଦେଖୁନାହିଁ । ଆମେ ନିଜେ ବି ଶବ୍ଦସବୁ ଏହିପରି ବ୍ୟବହାର କରୁଁ ।

 

ଥରେ ଜଣେ ଭଦ୍ରଲୋକଙ୍କ ଘରକୁ ଦୁଇ ଜଣ ଆଗନ୍ତୁକ ଆସିଲେ । ସେ ଘରବାଲାଙ୍କର ଗୋଟାଏ କୁକୁର ଥାଏ । ସେ କୁକୁରକୁ ଦେଖି ଏ ଦୁଇଜଣଙ୍କ ଭିତରୁ ଜଣେ ତ ଏକାବେଳକେ ଛାନିଆ । ସେ ଘର ହତା ଭିତରକୁ ପଶିବାକୁ ନାରାଜ । ତାଙ୍କୁ ଥରେ ଗୋଟାଏ କୁକୁର କାମୁଡ଼ିଥିଲା; ସେଥିପାଇଁ ସେ ତରକିଯାଇଛନ୍ତି । ଅନ୍ୟ ଜଣକ ବେଶ୍‌ ନିର୍ଭୟରେ ପଶିଗଲେ । ତାଙ୍କର ନିଜର ଦୁଇ ଚାରିଟା କୁକୁର ଅଛନ୍ତି; ସେ କୁକୁର ଭଲପାନ୍ତି । ସେ ଘରବାଲାଙ୍କ କୁକୁରକୁ ଏ ଦୁହେଁଯାକ ଚିହ୍ନି ନ ଥିଲେ ଯେ ସେଇଟା ଶାନ୍ତ କି କାମୁଡ଼ା; ମାତ୍ର ନିଜ ନିଜର ପୂର୍ବ ଅଭିଜ୍ଞତା ଭିତ୍ତିରେ ତାହା ବିଷୟରେ ଧାରଣା କରିନେଲେ । ‘କୁକୁର’ ଶବ୍ଦ ପ୍ରତି ଯେ ଯାହା ଅଭିଜ୍ଞତା ଅନୁସାରେ ‘କାମୁଡ଼ା’ ଓ ‘ଶାନ୍ତ’ ବିଶେଷଣ ଲଗେଇଦେଲେ–ସେ ଯେଉଁ କୁକୁର ହେଇଥାଉ ।

 

ଏମିତି ଅଳ୍ପ ଅଭିଜ୍ଞତାର ବ୍ୟାପକ ବ୍ୟବହାର କରିବା ମଣିଷର ଗୋଟାଏ ଅଭ୍ୟାସ । ଏହାଦ୍ୱାରା ଚିନ୍ତା କରିବା ସହଜ ହେଇଥାଏ–ହାଣ୍ଡିରୁ ଗୋଟାଏ ଭାତ ଚିପି ଭାତ ସିଝିଛି କି ନା ଜାଣିଲା ପରି । ‘କୟାଁ’ ଶୁଣିଲେ ଧରିନେଉ ଯେ ତାହା ଖଟା । ‘ଚମ୍ପାକଦଳୀ’ ଶୁଣିଲେ ବୁଝୁ ତାହା ମିଠା । କିନ୍ତୁ ୟା’ର ସୀମା ଅଛି । ଏଇ ତାରତମ୍ୟ ଆମେ ନ ବୁଝିବାରୁ କେତେ ନିରୀହ ସାପ ମାଡ଼ ଖାଇଯାଉଛନ୍ତି; କାରଣ ଆମେ ‘ସାପ’ ବୋଲନ୍ତେ ଧାରଣା କରିନେଉଛୁ ‘ବିଷାକ୍ତ’; ଅଥଚ ପୃଥିବୀରେ ଯେତେ ଜାତିର ସାପ ଅଛନ୍ତି, ତାହା ଭିତରୁ ଅଧିକାଂଶ ନିର୍ବିଷ । ଏ ପ୍ରକାର ‘ସାମାନ୍ୟକରଣ’ (Generalisation)–ଅଳ୍ପ ଅଭିଜ୍ଞତାରୁ ବ୍ୟାପକ ଭାବରେ ଧାରଣା କରିବା–ଜଡ଼ବସ୍ତୁ ବାବଦରେ ସବୁଠୁଁ ନିରାପଦ । ଜୀବଜନ୍ତୁଙ୍କ ବିଷୟରେ ଏଥିରେ ଭୁଲ ହେବାର ଯଥେଷ୍ଟ ସମ୍ଭାବନା ଥାଏ; ମଣିଷ କ୍ଷେତ୍ରରେ ଭୁଲ୍‌ର ସମ୍ଭାବନା ସବୁଠୁଁ ବେଶୀ ।

 

ଥରେ ରେଳଗାଡ଼ିରେ ଯାଉଥିବାବେଳେ ମୁଁ ଶୁଣିଲି ଯେ, ଜଣେ ଯାତ୍ରୀ କଟକିଆଙ୍କର ଉଚ୍ଛ୍ୱସିତ ପ୍ରଶଂସା କରୁଛନ୍ତି । ଆଗ୍ରହରେ କାନ ଡେରିଲି । ସେ କହୁଥାନ୍ତି ଯେ, ଥରେ ନୂଆବଜାର ଅଞ୍ଚଳରେ ସେ ନେଇଥିବା ବସାଘର ବାହାର ପିଣ୍ଡାରେ ତାଙ୍କ ସାଇକେଲଟି ଡେରି ଦେଇ ତରତରରେ କୋଉଠିକି ବାହାରକୁ ଚାଲିଗଲେ । ବାଟରେ ସାଇକେଲ କଥା ମନେ ପଡ଼ିଲା । ସେତେବେଳେ ଫେରିବା ଉପାୟ ନ ଥିଲା । ଦୁଇ ଦିନ ପରେ ଫେରି ଦେଖିଲେ ଯେ ସାଇକେଲ୍‌ଟି ସେମିତି ଥୁଆହେଇଛି । ଏହାଦ୍ୱାରା ସେ କଟକିଆଙ୍କର ସଇତାରେ ଅଭିଭୂତ ହେଇପଡ଼ିଥିଲେ । କଟକିଆ ହିସାବରେ ମୋର ତ ଛାତି କୁଣ୍ଢେମୋଟ ହେଇଗଲା । ତଥାପି ଆମେ ସମସ୍ତେ ତ ଜାଣୁ ଯେ କଟକରେ ଆଉ କି ପ୍ରକାର ଲୋକ ବି ଅଛନ୍ତି ଓ ବର୍ଷକୁ କେତେ ସାଇକେଲ ଚୋରି ହୁଏ ।

 

ତେବେ ମଣିଷର ମାନସିକ ଗଠନରେ ଗୋଟାଏ ଏମିତି ପେଞ୍ଚ ଅଛି ବୋଲି ବୈଜ୍ଞାନିକମାନେ କହୁଛନ୍ତି, ଯାହା ଯୋଗୁଁ ଅପ୍ରୀତିକର ଅଭିଜ୍ଞତା ବେଶୀ ମନେ ରହେ ଓ ଏହିପରି ଅପ୍ରୀତିକର ଅଭିଜ୍ଞତାର ସାମାନ୍ୟକରଣ ଆମେ ବେଶୀ କରୁଁ । ଆତ୍ମରକ୍ଷା ଦୃଷ୍ଟିରୁ ଏପରି ମାନସିକ ରଚନାର ଉପଯୋଗିତା ଅଛି । ଜୀବଜନ୍ତୁମାନେ କୌଣସି ପରିସ୍ଥିତିରେ ଥରେ ବିପଦ ଦେଖିଲେ ଆଉ ସେପରି ପରିସ୍ଥିତିର ପାଖ ପଶନ୍ତି ନାହିଁ । ଜୀବଜନ୍ତୁଙ୍କ ସୀମାବଦ୍ଧ ଦୁନିଆରେ ଏହା ଚଳିଯାଏ; ମାତ୍ର ମଣିଷର ଏହାଦ୍ୱାରା ଚଳେ ନାହିଁ । ବିହାରୀ, ବଙ୍ଗଳା, ମାନ୍ଦ୍ରାଜୀ, ତେଲେଙ୍ଗା, ପଞ୍ଜାବୀ, ମାରୱାଡୀ, ହିନ୍ଦୁ, ମୁସଲମାନ, ଖିରସ୍ତାନ-ଏମିତି ସମସ୍ତଙ୍କ ବିଷୟରେ ଆମେ ସାମାନ୍ୟ ଅଭିଜ୍ଞତାରୁ ବା ଶୁଣାଶୁଣିରୁ ଏମିତି ସବୁ ପୂର୍ବଗ୍ରହ ସୃଷ୍ଟି କରି ବସିଥାଉ । ଏହାଦ୍ୱାରା ମଣିଷସମାଜକୁ ଆମେ ବଦ୍ଧମୂଳ ଅଧାପନ୍ତରିଆ ଧାରଣାର ରଙ୍ଗୀନ କାଚ ଭିତରଦେଇ ଦେଖୁଁ । ତା’ର ବାସ୍ତବ ରୂପ ଆମ ନଜରରେ ପଡ଼େ ନାହିଁ ଓ ନାନାପ୍ରକାରର ବୃଥା ସମସ୍ୟା ଓ ସଂଘର୍ଷ ସୃଷ୍ଟି ହୁଏ ।

 

ୟାର ଅର୍ଥ ନୁହେଁ ଯେ ମୋର ସାଇକଲ ଚୋରିଗଲେ ମୁଁ ସାବଧାନ ହେବି ନାହିଁ । ପୃଥିବୀରେ ଚୋର ଅବଶ୍ୟ ଅଛନ୍ତି; କିନ୍ତୁ ମୋର ସାଇକଲ ଜଣେ ଭଦ୍ରଖିଆ ଚୋରି କରିଥିଲା ବୋଲି ସବୁ ଭଦ୍ରଖିଆ ଚୋର ବୋଲି କାହିଁକି ଧାରଣା କରିବି ? ଜୟନ୍ତରା ପରି କେତେକ ଚୋରଙ୍କ ଗାଁ ଥିଲା; ମାତ୍ର ଜଣେ ଜୟନ୍ତରା-ବାଲା ଚୋରି କରିଥିଲା ବୋଲି ସେ ଗାଁକୁ ଚୋର କୁହାଯାଉ ନ ଥିଲା । ଏ ଧାରଣାର ଅନ୍ୟ ଦୃଢ଼ତର ଭିତ୍ତି ଥିଲା ।

 

ପୂର୍ବରୁ ଆମେ ଆଲୋଚନା କରିଥିଲୁ ଯେ ମଣିଷ ମନରେ ନାନା କାରଣରୁ କେତେକ ଅହେତୁକ ଆଶଙ୍କା, ସନ୍ଦେହ ଓ ଦ୍ୱେଷ ଭାସିବୁଲୁଥାଏ । ଏଥିରୁ କେତେକ ସାମୟିକ ଭାବରେ ଉଠେ ଓ କେତେକ ଏକରକମ ସ୍ଥାୟୀ ହୋଇ ରହିଥାଏ । ଏଇଗୁଡ଼ାକ ହିଁ ଆମର ଅପ୍ରୀତିକର ଅଭିଜ୍ଞତା ସାଙ୍ଗରେ ଯୋଡ଼ିହୋଇଯାଏ ଓ ତା’କୁ ସେ ଅଭିଜ୍ଞତାର ପ୍ରକୃତ ତାତ୍ପର୍ଯ୍ୟ ଯେତେ, ତା’ଠୁଁ ଅଧିକ ତାତ୍ପର୍ଯ୍ୟ ଦେଇଦିଏ ।

 

ମନର ଆଉ ଗୋଟାଏ ପ୍ରକାରର ପେଞ୍ଚ ଅଛି, ଯାହା ଦ୍ୱାରା ଆମେ ଯାହା ଚାହୁଁଥାଉ ବା ଆଶଙ୍କା କରୁଥାଉ, ସେଇଟା ହିଁ ଘଟିବ ବୋଲି ମନେହୁଏ । ଚିନ୍ତା କରିବାବେଳେ ଆମକୁ ଅନୁକୂଳ ଜଣାଯାଉଥିବା ତଥ୍ୟ ଓ ଯୁକ୍ତିଗୁଡ଼ାକ ହିଁ ମନକୁ ଆସେ । ଇଂରେଜୀରେ ୟା’କୁ କହନ୍ତି ‘‘ୱିଶ୍‌ଫୁଲ ଥିଙ୍କିଙ୍ଗ୍‌’’–ମନ-ଭୁଲାଣିଆ ଚିନ୍ତା । ବେଳେବେଳେ ଖାଲି ଚିନ୍ତା ନୁହେଁ, ଆଖିକୁ, କାନକୁ ମଧ୍ୟ ସେହିପରି ଜଣାଯାଏ । ଯଦି କେହି ଲୋକ ଆସିବ ବୋଲି ଆମେ ଅତି ବ୍ୟଗ୍ର ହେଇ ଚାହୁଁଥାଉ, ତେବେ କୋଉଠି ଟିକେ ଖୁଡ଼୍‌କିନି ହେଲେ ସେ ଆସିଲାକି ତା’ ପାଟି ଶୁଭିଗଲାକି ପରି ଜଣାଯାଏ । ୟାର ଶେଷ ସୀମାରେ ଦୃଷ୍ଟିବିଭ୍ରମ ବି ହୁଏ । ମଣିଷ ପ୍ରବଳ ମାନସିକ ଚାପ ଭିତରେ ଥିଲେ ଏପରି ହୁଏ । ସାଁତେଜୁପେରୀ (Saint-Exupery) ବୋଲି ଜଣେ ଫରାସୀ ବୈମାନିକ ଓ ଲେଖକ ଥିଲେ । ଥରେ ତାଙ୍କର ଉଡ଼ାଜାହାଜ ସାହାରା ମରୁଭୂମିରେ ଭାଙ୍ଗିପଡ଼ିଲା । ସେ ଓ ତାଙ୍କର ଦୁଇ ଜଣ ସାଥୀ ବେଶ୍‌ କେତେ ଦିନ ମରୁଭୂମି ଭିତରେ ବୁଲି ବୁଲି ତା’ ପରେ ଉଦ୍ଧାର ପାଇଲେ । ଶେଷ ଆଡ଼କୁ ସେମାନଙ୍କର ଦୃଷ୍ଟିବିଭ୍ରମ ହେବାକୁ ଲାଗିଲା । ସେମାନଙ୍କୁ ଦେଖାଗଲା–ହେଇ, ସେଠି ଗୋଟାଏ ବସ୍ତିର ଘର ଓ ଗଛ ଦିଶୁଛି । ହେଇ, କେତେଜଣ ଲୋକ ଲଣ୍ଠନ ଧରି ଆସୁଛନ୍ତି । ଏମିତି ସବୁ । ଅନେକ ଲୋକ ଠାକୁରଙ୍କ ପାଖରେ ଅଧ୍ୟା ପଡ଼ନ୍ତି ଓ କେତେ ଦିନ ଭୋକ-ଉପାସରେ ରହିବା ପରେ ସେମାନଙ୍କୁ କିଛି ଗୋଟାଏ ଦର୍ଶନ ମିଳେ ବା କଥା ଶୁଭେ । ଏହି ଅନୁସାରେ କେତେକ ନରବଳି ମଧ୍ୟ ଦେଇଥିବାର ଜଣାଅଛି । ବେଳେବେଳେ ସାଧାରଣରେ ମଧ୍ୟ ଏ ଧରଣର କଥା ପ୍ରଚାରିତ ହୁଏ ଯେ ଠାକୁରାଣୀ କି ଠାକୁର ଅମୁଳକ ୟା ଆଦେଶ ଦେଇଛନ୍ତି, ସମସ୍ତଙ୍କୁ ଏମିତି ଏମିତି କରିବାକୁ ହେବ । ବହୁତ ଲୋକ ସେ କଥା ମାନନ୍ତି ବି । ବେଳେବେଳେ ଏହାଦ୍ୱାରା ହାଣକାଟ ବି କରିବାକୁ ଲୋକେ ପ୍ରବୃତ୍ତ ହେଉଥିବାର ଜଣାଅଛି ।

 

ଏମିତି ଆମର ମନର ଭାବ ମିଶେଇ ଦୁନିଆର ଯେଉଁ ଅବାସ୍ତବ ରୂପ ଦେଖୁଁ, ତାହା ଦ୍ୱାରା ଆମେ ସେ ଦୁନିଆରେ ସମକ୍ଷଭାବରେ ଚଳପ୍ରଚଳ ହେଇପାରୁନାହିଁ; ସେଥିରେ ଆମର ବଞ୍ଚିରହିବା ସମସ୍ୟାର ସନ୍ତୋଷଜନକ ସମାଧାନ କରିପାରୁନାହିଁ । ମାୟାବୀମାନଙ୍କ ପାଲରେ ବି ସହଜରେ ପଡ଼ୁ ।

 

ଆମ ଆଖିରେ ଏମିତି ରଙ୍ଗିନ୍‌ ଚଷମାର ଆଉ ଗୋଟିଏ ଉପାଦାନ ହେଲା ସ୍ୱାର୍ଥ । ପ୍ରକୃତ କଥା ଏମିତି ହେଲେ ଯଦି ମୋର ସୁବିଧା ହେବାର ଥାଏ, ତେବେ ସେଇଟା ପ୍ରକୃତରେ ସେମିତି ବୋଲି ମତେ ଦେଖାଯିବାର ପ୍ରବଳ ସମ୍ଭାବନା ରହିଛି । ଅନେକ କାଳ ପୂର୍ବେ ଯେତେବେଳେ ଜମିଦାରୀ ପ୍ରଥା ଉଠିବା କଥା ପଡ଼ିଥିଲା, ସେତେବେଳେ ଜମିଦାରମାନେ ଯୁକ୍ତି କରୁଥିଲେ ଯେ ସେମାନେ ଲୋକଙ୍କର ସ୍ୱାଭାବିକ ନେତା । ସେମାନେ ନ ରହିଲେ ଲୋକେ ନେତୃତ୍ୱ ପାଇବେ କେଉଁଠୁ, ଚଳିବେ କିପରି ? ଏ କଥା ସେମାନେ କେବଳ ଯୁକ୍ତିଛଳରେ କହୁ ନ ଥିଲେ । ସେମାନଙ୍କ ଭିତରୁ ଅନେକଙ୍କୁ କଥାଟା ପ୍ରକୃତରେ ସେମିତି ବୋଲି ଦେଖାଯାଉଥିଲା । ଜମିଦାରମାନଙ୍କର ତ ଜାଣି ନିଜର ସିଧାସଳଖ ସ୍ୱାର୍ଥ ଥିଲା; ମାତ୍ର ପଣ୍ଡିତମାନେ ବି ଏହା ଫାନ୍ଦରେ ପଡ଼ନ୍ତି । ଏହାର ବିଶଦ ଆଲୋଚନା ପୂର୍ବରୁ କରାଯାଇଛି ।

 

କାର୍ଲମାର୍କ୍‌ସ ଏ କଥା ଉପଲବ୍‌ଧି କରିଥିଲେ ଯେ ପ୍ରତ୍ୟେକ ଶ୍ରେଣୀର ଦୃଷ୍ଟିକୋଣ ଓ ମତାମତ ସେହି ଶ୍ରେଣୀର ସ୍ୱାର୍ଥକୁ ସୁହାଇବା ପରି ହେଇଥାଏ । ମାର୍କ୍‌ସ ଓ ତାଙ୍କର ଅନୁଗାମୀମାନେ ଇତିହାସରୁ ବହୁତ ରାଜନୀତିବାଲା ଓ ଅର୍ତନୀତିଜ୍ଞଙ୍କର ମତାମତ ବିଶ୍ଲେଷଣ କରି ଦେଖେଇଛନ୍ତି ଯେ କେଉଁ ଶ୍ରେଣୀର ମତ କି ପ୍ରକାରର ହେଇଥାଏ । ଏହାରି ଉପରୁ ଅମୂକ ମତଟା ବୁର୍ଜୋୟା ଓ ଅମୁକଟା ପେତିବୁର୍ଜୋୟା, ଅମୁକଟା ଫ୍ୟୁଡାଲ ବୋଲି କହିବାର ରିୱାଜ ମାର୍କ୍‌ସବାଦୀ ମହଲରେ ପଡ଼ିଯାଇଛି । ଏଗୁଡ଼ାକ ଗାଳିରେ ବି ପରିଣତ ହେଇଗଲାଣି । ଅମୁକ ପ୍ରକାର ମତଟା ବୁର୍ଜୋୟା ବୋଲି କହିଦେଲେ ସେଇଟା ଅଯଥାର୍ଥ ପ୍ରମାଣିତ ହେଇଗଲା ବୋଲି ଅନେକେ ବିଚାରିଥାନ୍ତି ।

 

ଏଥିରେ ବିଚାରଦୋଷ ରହିଛି । କୌଣସି ଗୋଟାଏ ମତର ଯଥାର୍ଥତା ବା ଓଲଟା ପ୍ରମାଣିତ ହେବ ସେହି ବିଷୟକ ତଥ୍ୟ ଓ ଯୁକ୍ତି ଆଧାରରେ । ଦୁଇ ଦୁଇ ମିଶିଲେ ଯେ ପାଞ୍ଚ ନୁହେଁ, ଏ କଥା ଗଣିତଦ୍ୱାରା ହିଁ ପ୍ରମାଣ କରିବାକୁ ହେବ । ତା’ ପରେ ଯାଇ କାହିଁକି ଅମୁକକୁ ପାଞ୍ଚ ଦେଖାଯାଉଛି, ତାହାର କାରଣ ଖୋଜି ଦର୍ଶାଯାଇପାରେ ଯେ ସେ ଭୁଲ ଧାରଣା ମୂଳରେ ତା’ର ଶ୍ରେଣୀ-ସ୍ୱାର୍ଥ କି ଆଉ କ’ଣ ଅଛି । ସେ ଲୋକକୁ ବୁର୍ଜୋୟା ବା ପେତିବୁର୍ଜୋୟା କହିଦେଲେ ତା’ର ମତଟାର ଖଣ୍ଡନ ହେଇଯିବ ନାହିଁ ।

 

ମାର୍କସ୍‌ବାଦରେ ନିଜକୁ ଶ୍ରେଣୀଚ୍ୟୁତ କରିବାର ଗୋଟାଏ ବିଧାନ ଅଛି । ଚାଲିଚଳଣରେ ଶ୍ରେଣୀଚ୍ୟୁତ ହେବା ଅପେକ୍ଷା ନିଜର ଦୃଷ୍ଟିକୋଣ ଓ ଚିନ୍ତାକରିବା ଢଙ୍ଗ ଉପରୁ ଶ୍ରେଣୀର ପ୍ରଭାବ ଦୂର କରିବା ଢେର୍‌ ବେଶୀ କଠିନ । ଆଉ ସେତିକିରେ ବି ଚଳିବ ନାହିଁ । ଆହୁରି କେତେ ପ୍ରକାରର ମାୟାଜାଲ ଯେ ଆମ ଭିତରେ ବାହାରେ ବିଛା ହେଇ ରହିଛି ସେସବୁର ଠିକେ ଠିକେ ଆଲୋଚନା ଉପରେ ଆମେ କରିଗଲୁ । ଏ ଦୁନିଆର ଏକଦମ୍‌ ଅସଲ ବାସ୍ତବ ରୂପ କ’ଣ ଓ ତାହା କେବେ ଜାଣିହେବ କି ନାହିଁ, ସେ କଥା ଏଇକ୍ଷଣି କେହି କହିପାରିବେ ନାହିଁ; ମାତ୍ର ଆମେ ତା’ର ରୂପକୁ ଯେତିକି ଅଧିକ ଯଥାର୍ଥ ଭାବରେ ଜାଣିବା, ସେତିକି ଅଧିକ ସକ୍ଷମ ଭାବରେ ଏ ଦୁନିଆରେ କାରବାର ହେଇପାରିବା; ଆମକୁ ଘେରି ରହିଥିବା ସମସ୍ୟାସବୁକୁ ସଫଳ ଭାବରେ ବୁଝିପାରିବା । ଆମେ ପ୍ରକୃତରେ ‘‘ମିଛ ମାୟାରେ ପଡ଼ି ଲଟ୍‌ପଟ୍‌’’ ହେଉଛୁ ଊଣା ଅଧିକେ; ମାୟାବୀ ମତଲବବାଜଙ୍କ କଥାରେ ଭୁଆଁ ବୁଲୁଛୁ; ଡାଆଣୀ ଆଲୁଅ ଦେଖି ଗୋଡ଼ାଉଛୁ; ଅନ୍ଧାରରେ ବାଡ଼ି ବୁଲାଉଛୁ । ଏ ମାୟାରୁ ‘ଭଜ ଗୋବିନ୍ଦମ୍‌’ ଭଜିଲେ ତରିହେବ ନାହିଁ; ଉପରେ ‘ମାୟା’ର ଯେଉଁ ସବୁ ଉଦ୍‌ଗମସ୍ଥଳ କଥା ଆଲୋଚନା କରାଗଲା, ସେସବୁକୁ ଖିଆଲରେ ରଖି ସତର୍କ ରହିଲେ ଯାଇ ହେବ ।

Image

 

Unknown

ତ୍ୟାଗ ଓ ଭୋଗ

 

‘‘କେତେ ଦିନକୁ ମନ କରିଛୁ ଆଣ୍ଟ

କି ଘେନି ଯିବୁ ତୋର ଛୁଟିଲେ ଘଟ ରେ ।

ଖଟ ପଲଙ୍କେ ମନ ଶେଯାଇ ଶୋଉ

ଖଳ ଦୁର୍ଗନ୍ଧ ହେବ ଏ ତୋର ଦେହୁ ଯେ ।

ଖଣ୍ଡି ଯେ ଖଣ୍ତି ତୋର ପଞ୍ଜରା କାଠି

ଖାଉଣ ଥିବେ ଶ୍ୱାନ ଶୃଗାଳେ ବାଣ୍ଟି ଯେ ।

ଘର ବୋଲି ଅର୍ଜିଛୁ ଯେତେ ପଦାର୍ଥ

ଘଟ ଛୁଟିଲେ ସର୍ବେ ବୋଲିବେ ଭୂତ ଯେ ।’’

 

‘‘କହଇ ମନ ଆରେ....’’ ଭଜନ ଓଡ଼ିଶାରେ ବହୁତ ଲୋକପ୍ରିୟ । ଭାରତର ସବୁ ଅଞ୍ଚଳରେ ସବୁ ଭାଷାରେ ଏହିଭଳି ଭଜନ ଅଛି । ଏ ପ୍ରକାରର ଭଜନ ଦ୍ୱାରା ଲୋକଙ୍କ ଭିତରେ ଆଧ୍ୟାତ୍ମିକତାର ପ୍ରଚାର ବଢ଼ିଥାଏ ବୋଲି ସାଧାରଣତଃ ବିଶ୍ୱାସ କରାଯାଏ ।

 

ଭୂଦାନ-ଗ୍ରାମଦାନ ପ୍ରଚାରବେଳେ ଆମେ ଜମିମାଲିକମାନଙ୍କୁ ବୁଝାଉଥିଲୁ–ଭୂମିହୀନଙ୍କୁ ସେମାନଙ୍କର ଜମିରୁ ଗୋଟିଏ ବାଣ୍ଟ ଦେବା ପାଇଁ । ବିନୋବାଜୀ ତ ଓଡ଼ିଆ ଭାଷା ଶିଖିଥିଲେ ଓ ଓଡ଼ିଆ ଭଜନ ଅନେକଗୁଡ଼ିଏ ଜାଣିଥିଲେ । ସେତେବେଳେ ସେ କହୁଥିଲେ ଯେ ଏ ଦେଶରେ ପୂର୍ବରୁ ଏସବୁ ଯେଉଁ ବିଚାରର ପ୍ରଚାର ହେଇଛି, ତାହାଦ୍ୱାରା ଭୂଦାନ ସହଜରେ ସଫଳ ହେବ । କିନ୍ତୁ ଭୂଦାନ-ଗ୍ରାମଦାନ ପ୍ରଚାରବେଳେ ଲୋକଙ୍କ ସହିତ ଯେଉଁ ସବୁ ଆଲୋଚନା ଓ ଯୁକ୍ତିତର୍କ ହେଉଥିଲା, ସେଥିରେ ଏ ଧରଣର ବିଚାର ବିଶେଷ କାଟୁ କରିବାର ଦେଖାଗଲା ନାହିଁ । ପ୍ରଥମେ ପ୍ରଥମେ ବଳି, ହରିଶ୍ଚନ୍ଦ୍ର ପ୍ରଭୃତିଙ୍କର ଦାତାପଣ ଓ ତ୍ୟାଗର ମହିମା କୀର୍ତ୍ତନ କରି ଗୀତସବୁ ଲେଖା ଓ ବୋଲା ହେଉଥିଲା; ମାତ୍ର ସେସବୁକୁ ଲୋକେ ‘ଭକ୍ତିଭାବରେ’ ଶୁଣିଲେ ବି ପ୍ରଭାବ ସାମାନ୍ୟ ପଡ଼ୁଥିଲା । ଲୋକେ ଯେଉଁ ସବୁ ପ୍ରଶ୍ନ ଉଠାଉଥାନ୍ତି ଓ ଯୁକ୍ତିତର୍କ କରୁଥାନ୍ତି, ସେସବୁର ସମ୍ୱନ୍ଧ ଦେଶ ଓ ଦୁନିଆର ଆର୍ଥିକ, ରାଜନୀତିକ ଓ ସାମାଜିକ ପରିସ୍ଥିତି ସହିତ ଥିଲା ଓ ସେସବୁର ଉତ୍ତର ସେମାନଙ୍କର ମନକୁ ଯେତିକି ପାଉଥାଏ, ସେତିକି ମାତ୍ରାରେ ସେମାନେ ଭୂଦାନ-ଗ୍ରାମଦାନକୁ ସ୍ୱୀକାର କରୁଥାନ୍ତି ।

 

ସେଇ ସମୟରେ ଗାଁ-ଗାଁରେ ହଜାର ହଜାର ଲୋକଙ୍କ ସହିତ ଯେଉଁ ନିବିଡ଼ ସମ୍ପର୍କ ହେଲା, ସେ ଅଭିଜ୍ଞତାରୁ ଦେଖାଯାଇଛି ଯେ, ବରଂ ଏସବୁ ବଳି, ହରିଶ୍ଚନ୍ଦ୍ର ଆଦିଙ୍କ ଉଦାହରଣ ବର୍ତ୍ତମାନ ଚଳଣିକୁ କାଏମ ରଖିବା ପକ୍ଷରେ ଟାଣୁଆ ଆଧାର ଯୋଗାଉଛି–‘‘ଆମେ ଛାର ମଣିଷ; ଆମର କ’ଣ ସେ ଧର୍ମବଳ ଅଛି ଯେ ସେସବୁ ମହାତ୍ମାମାନେ ଯାହା କଲେ, ଆମେ କରିପାରିବୁ ? ଆମର ସେ ଭଳି ପୂର୍ବଜନ୍ମର ସୁକୃତ କେଉଁଠୁ ଆସିବ ?’’ ଆମ ଦେଶରେ ଏଇଟା ଗୋଟାଏ ଷ୍ଟାଣ୍ଡାଡ୍‍ ପ୍ରତିରକ୍ଷା କୌଶଳ, ଯେଉଁଟା ଆମ ସଂସ୍କୃତିର ଏକ ମଜବୁତ ଅଙ୍ଗ ହେଇଗଲାଣି । ପ୍ରତି କଥାକୁ ଅତି ଉଚ୍ଚ ନୀତି ଓ ଆଧିଦୈବିକ ତତ୍ତ୍ୱ ସହିତ ଯୋଡ଼ାଯାଏ ଓ ତାହା ଦ୍ୱାରା ସେସବୁକୁ ଗାଦି ଉପରେ ଥୋଇ ପୂଜା କରିବା ସାଙ୍ଗେ ସାଙ୍ଗେ ସଂସାରୀ ମଣିଷ ପକ୍ଷରେ ଅବ୍ୟବହାର୍ଯ୍ୟ ଓ ଅସମ୍ଭବ ବୋଲି ଉଡ଼େଇ ଦିଆଯିବା ସହଜ ହୋଇଥାଏ । ଏହାଦ୍ୱାରା ଏ ଦେଶରେ, ବିଶେଷ କରି ଉପରଶ୍ରେଣୀ ଓ ତଥାକଥିତ ଉଚ୍ଚ ଜାତିର ଲୋକଙ୍କର ଏକ ବିଚିତ୍ର ଚରିତ୍ର ସୃଷ୍ଟି ହୋଇଛି । ସେଥିରେ ଗୋଟାଏ ଦିଗରେ ଏଭଳି ଉଚ୍ଚ ଆଦର୍ଶର ବୟାନ କରାଯାଏ, ଯାହାର ଦୁନିଆରେ ପଟ୍ଟାନ୍ତର ନ ଥିବ । ବ୍ରହ୍ମ, ବ୍ରହ୍ମାଣ୍ଡ, ମୋକ୍ଷ, ତ୍ୟାଗ, ତିତିକ୍ଷା, ତପସ୍ୟା ଆଦି ଛଡ଼ା କଥା ନ ଥିବ; ଆଉ ଅନ୍ୟଆଡ଼େ କାର୍ଯ୍ୟରେ ଏସବୁର ବିଲ୍‌କୁଲ ଓଲଟା । ପ୍ରତ୍ୟେକ କଥାକୁ କେବଳ ଉଚ୍ଚକୋଟିର ସାଧକଙ୍କର ସାଧ୍ୟ ବୋଲି ସଙ୍ଘା ଉପରେ ଥୋଇଦିଆଯିବ ।

 

‘‘ଶଙ୍କରାଚାର୍ଯ୍ୟ ପରା କହିଛନ୍ତି ଯେ ଯେଉଁ ଘଟ ହେଉ ନା କାହିଁକି, ସେଥିରେ ଥିବା ପାଣିରେ ଏକା ଚନ୍ଦ୍ରଙ୍କର ପ୍ରତିବିମ୍ୱ ଦେଖାଯାଏ ? ତମଠେଇଁ ଯେଉଁ ବ୍ରହ୍ମ, ହରିଜନଙ୍କ ଠେଇଁ ବି ସେଇ ବ୍ରହ୍ମ । ସେମାନଙ୍କୁ ସମାନ ଜ୍ଞାନ କରିବା ଚାହି ନା !’’

 

‘‘ଆଜ୍ଞା, ଆପଣ ଯାହା କହିଲେ ଏକାବେଳକେ ସାର କଥା । ତା’କୁ କେହି ହେଲେ କାଟି ଦେଇ ପାରିବ ? କିନ୍ତୁ କଥାଟା କ’ଣ ହେଲା କି ଶଙ୍କରାଚାର୍ଯ୍ୟ, କି ମହାତ୍ମା ଗାନ୍ଧୀଙ୍କ ପରି ବ୍ରହ୍ମଜ୍ଞାନ ଯେ ପାଇଥିବ, ଯାହାର ଦେହ ମନ ଆତ୍ମା ସେମିତି ନିର୍ମଳ ହେଇଥିବ, ସେହି ସିନା ଏ କଥା କରି ସମ୍ଭାଳିପାରିବ ! ଆମ ଭଳି ପାପୀ ତାପୀ କ’ଣ ସେଥିକି ଭାଜନ ହୋଇ ପାରିବେ ?’’

 

ତ୍ୟାଗର କଳ୍ପନାକୁ ଏକାବେଳକେ ଚରମ ସୀମାରେ ନେଇ ପହଞ୍ଚାଇବାର ଏ ହେଉଛି ଫଳ । ସବୁ ଧର୍ମରେ ଏପରି କରାଯାଉଛି ଊଣା ଅଧିକେ । ବଳି ପ୍ରଥା ସହିତ ଏ ତ୍ୟାଗ କଥା ଗୋଳେଇ ମିଶିଯାଇଛି । ମଣିଷ ଯେତେବେଳେ ତା’କୁ ଘେରିରହିଥିବା ପ୍ରାକୃତିକ ଶକ୍ତି ଓ ଘଟଣାସମୂହକୁ ବୁଝିପାରୁ ନ ଥିଲା ଓ ଆତଙ୍କ ଦୃଷ୍ଟିରେ ଦେଖୁଥିଲା, ସେତେବେଳେ ସେସବୁକୁ ପ୍ରସନ୍ନ କରିବା ପାଇଁ ବଳିପ୍ରଥାର ଉଦ୍‌ଭବ ହେଲା । ନିଜର ଯାହା ପ୍ରିୟ ବସ୍ତୁ, ତାହାକୁ ଦେବତା ପାଖରେ ବଳି ଦେଇ ତା’ର କୃପାଭାଜନ ହେବାର ହେଲା ଏ ଚେଷ୍ଟା । ସେଥିପାଇଁ କୁକୁଡ଼ା, ଛେଳି, ଓଟଠାରୁ ଆରମ୍ଭ କରି ମଣିଷ ଯାଏ ସବୁ ପ୍ରକାରର ବଳି ଦିଆଯାଉଥିଲା । ବାଇବେଲ୍‌ର ପୁରୁଣା ବିଧାନରେ ଅଛି ଯେ, ଆବ୍ରାହାମ୍‌କୁ ଠାକୁର ସପନେଇଲେ, ତୁ ତୋ ପୁଅକୁ ଆଣି ମୋ ପାଖରେ ବଳି ଦେ । ସେ ସେପରି କରିବା ପାଇଁ ଉଦ୍ୟତ ହେଲେ ଓ ଶେଷ ମୁହୂର୍ତ୍ତରେ ଠାକୁରେ ପ୍ରସନ୍ନ ହେଇ ଦୈବବାଣୀ କଲେ ଯେ, ସେ ଆବ୍ରାହାମଙ୍କର ଭକ୍ତିର ଦୃଢ଼ତା ଦ୍ୱାରା ପ୍ରୀତ ହେଇଛନ୍ତି ଓ ପୁଅ ରକ୍ଷା ପାଇଗଲା । ଆମ ପୁରାଣମାନଙ୍କରେ ମଧ୍ୟ ସେହିପରି ସବୁ କାହାଣୀ ଅଛି । ମହାଦାନୀ କର୍ଣ୍ଣଙ୍କର ଭକ୍ତି ପରୀକ୍ଷା କରିବାପାଇଁ ଭଗବାନ ବ୍ରାହ୍ମଣରୂପ ଧରି ତାଙ୍କ ଦୁଆରେ ପହଞ୍ଚିଲେ ଓ ଦାବି କଲେ ଯେ, ରାଣୀ ଖୋଦ୍ ତାଙ୍କ ପୁଅକୁ କାଟି ତରକାରି କରିଦେଲେ ଯାଇ ସେ ଖାଇବେ; ତାହା ନ ହେଲେ ଅତିଥି ଦୁଆରୁ ଅଭୁକ୍ତ ଫେରିଯିବାର ଫଳ ଯାହା ଭୋଗିବାକୁ ହେବ, ତାହା ରାଜାରାଣୀ ଭୋଗିବେ । ଏହିପରି ଆହୁରି ସବୁ କାହାଣୀ ଅଛି । ଏବେ ବି ମଝିରେ ମଝିରେ ଏ ଦେଶରେ କାଳୀ ବା ଅନ୍ୟ ସେହିପରି କଞ୍ଚାଖାଈ ଠାକୁରାଣୀଙ୍କ ପାଖରେ ନରବଳି ଦିଆଯିବାର ଖବର ବାହାରିଥାଏ । ତା’ ଭିତରେ ନିଜର ପୁଅ, ଝିଅ, ସ୍ତ୍ରୀ ଆଦିଙ୍କୁ ବଳି ଦେବାର ଘଟଣା ବି ଥାଏ-

 

ଭକ୍ତି ନାଁରେ ଏ ପ୍ରକାରର ବର୍ବରତାରେ କୌଣସି ପ୍ରକାରର ଉଚ୍ଚ ଭାବ ନାହିଁ । ଆଦିମ ମାନବର ଆତଙ୍କର ହିଁ ଏହା ଅଭିବ୍ୟକ୍ତି । ଆଜିକାଲି ନରବଳି ସିନା ସର୍ବସାଧାରଣରେ ଚଳୁନାହିଁ; ମାତ୍ର ଈଶ୍ୱରଭକ୍ତି ନାଁରେ ମଣିଷ ଓ ନିଜର ସ୍ତ୍ରୀ, ପୁତ୍ର, ପରିବାର ପ୍ରତି ବେଖାତିର ଓ ନିଷ୍ଠୁର ମନୋଭାବକୁ ତ୍ୟାଗ ଓ ଆଧ୍ୟତ୍ମିକତାର ପରାକାଷ୍ଠା ବୋଲି ଧରିନିଆଯାଇଛି ।

 

ଏ ମନୋଭାବକୁ ରାଜାରାଜୁଡ଼ାମାନେ ନିଜର ଫାଇଦା ପାଇଁ ବ୍ୟବହାର କଲେ । ବ୍ରାହ୍ମଣ ଓ ପାଦ୍ରିମାନେ ଏଥିରେ ସେମାନଙ୍କର ସହାୟକ ହେଲେ । ରାଜାଙ୍କୁ ‘ବିଷ୍ଣୁଙ୍କର ଅବତାର’ ବୋଲି ପ୍ରଚାର କରାଗଲା ଓ ତାଙ୍କ ପାଇଁ ନିଜର ସ୍ତ୍ରୀ ପୁତ୍ର, ଧନ ଜୀବନ ସବୁ ବଳିଦେବା ବି ମହାପୁଣ୍ୟ ବୋଲି ସାବ୍ୟସ୍ତ କରାଗଲା । ଏଇ ପଚାଶ ବର୍ଷ ତଳର ଅଭିଜ୍ଞତା ଜଣେ ବିଟ୍ରିଶ କୂଟନୀତିଜ୍ଞ ଲେଖିଛନ୍ତି । ସେ ପଶ୍ଚିମ-ଏସିଆର କୌଣସି ଏକ ଆରବ ଦେଶରେ ବ୍ରିଟିଶ ରାଷ୍ଟ୍ରଦୂତ ଥିଲେ । ତାଙ୍କ ସମ୍ମାନାର୍ଥେ ଥରେ ସେଠାକାର ଶେଖ୍ ବା ଶାସକ ଗୋଟିଏ ଭୋଜିର ଆୟୋଜନ କଲେ । ସେ ସମାରୋହରେ ସ୍ୱଭାବତଃ ନାନାପ୍ରକାରର ନାଚତାମସାର ବ୍ୟବସ୍ଥା ଥିଲା । ସେଥିଭିତରେ ଗୋଟିଏ ଖେଳ ଥିଲା ଯେ ଶେଖଙ୍କ ଆଦେଶରେ ପର ପର ତିନିଜଣ ଲୋକ ରଙ୍ଗମଞ୍ଚକୁ ଆସି ନିଜ ଦେହରେ ଛୁରା ଭୂଷି ପ୍ରାଣବଳି ଦେଲେ । ଶେଖଙ୍କର କିପରି ଦୋର୍ଦ୍ଦଣ୍ଡ ପ୍ରତାପ ଓ ତାଙ୍କର ଇଙ୍ଗିତରେ ଲୋକେ କିପରି ଅକାତରେ ପ୍ରାଣବଳି ସୁଦ୍ଧା ଦେଇପାରନ୍ତି, ଏ ଥିଲା ତା’ର ନିଦର୍ଶନ ।

 

ଅତୀତରେ ଯେତେ ଅତ୍ୟାଚାରୀ ରାଜା ଓ ସମ୍ରାଟମାନଙ୍କର–ଆଲେକ ଜାଣ୍ଡର, ଚେଙ୍ଗିଜ୍ ଖାଁ, ଖାରବେଳ, ଅଶୋକ, ମୋଗଲ, ପଠାଣ ଆଦିଙ୍କର–ସାମ୍ରାଜ୍ୟ ବିସ୍ତାର ପାଇଁ ଯେତେ ଲୋକ ଲଢ଼ି ପ୍ରାଣବଳି ଦେଇଛନ୍ତି, ସେ ସମସ୍ତଙ୍କ ଭିତରେ ଊଣା ଅଧିକେ ଦୁଇ ଶ୍ରେଣୀର ଲୋକ ରହୁଥିଲେ । କେତେକ ଭଡ଼ାଟିଆ, ଯେଉଁମାନେ ନୂଆ ଅଭିଜ୍ଞତା ଓ ଲୁଟପାଟ ଲୋଭରେ ସୈନ୍ୟବାହିନୀରେ ଯୋଗ ଦେଉଥିଲେ ଓ ଆଉ ଅନେକ ରାଜା ବା ସମ୍ରାଟଙ୍କ ପ୍ରତି ଆନୁଗତ୍ୟ ଓ କର୍ତ୍ତବ୍ୟଦୃଷ୍ଟିରୁ । ଏ ଯୁଗରେ ବି ପାଶ୍ଚତ୍ୟ ଦେଶମାନଙ୍କର ଯେଉଁ ଅଗଣିତ ଯୁବକ ସେସବୁ ଦେଶର ଶାସକଶ୍ରେଣୀ, ଶିଳ୍ପପତି, ବ୍ୟବସାୟୀ ଆଦିଙ୍କର ସ୍ୱାର୍ଥସାଧନ ପାଇଁ ସାମ୍ରାଜ୍ୟ ବିସ୍ତାର କରିବାକୁ ଆଫ୍ରିକା, ଚୀନ, ଭାରତ, ପଶ୍ଚିମ-ଏସିଆ, ପୂର୍ବ-ଏସିଆ ପ୍ରଭୃତିରେ ଯୁଦ୍ଧ କରି ଜୀବନ ବଳି ଦେଲେ; ଯେଉଁ ସବୁ ଶିଖ୍ ଓ ଗୁର୍ଖା, କୁଡ଼ଗୀ ଓ ଡୋଗ୍ରା, ଗଡଓ୍ୱାଲୀ ଓ ମରହଟ୍ଟା ସିପାହୀ ବ୍ରିଟିଶ ସାମାଜ୍ୟର ପତାକା ଠା’କୁ ଠା’ ପୋତିବାପାଇଁ ମେସୋପଟେମିଆଠାରୁ ସିଙ୍ଗାପୁର ଓ ହଙ୍କକଙ୍ଗ ଯାଏ ନିଜର ରକ୍ତ ଢାଳିଲେ, ସେମାନଙ୍କର ମାନସିକତାକୁ ଗଢ଼ିବାରେ ଏହିପରି ବିକୃତ ଭକ୍ତିମାର୍ଗର ଅବଦାନ ଊଣା ନୁହେଁ । କମୁନିଷ୍ଟ ପାର୍ଟି ବି ତା’ର ସଦସ୍ୟଙ୍କଠାରୁ ଆଖିବୁଜା ଅନୁଶାସନ ଦାବି କରି ଏଇ ପରମ୍ପରା ଚାଲୁରଖିଛି ।

 

ଏସବୁ ଫଳରେ ସାଧାରଣ ମଣିଷର ମୂଲ୍ୟବୋଧରେ ପ୍ରବଳ ଦୋନାବୁଡ଼ିଆ ଭାବ ସୃଷ୍ଟି କରାହେଇଛି; ଯାହାର ଉଲ୍ଲେଖ ପୂର୍ବରୁ କରାହେଇଛି । ତାହା ମନରେ ଏକ ପାପବୋଧ ସୃଷ୍ଟି ହେଉଛି ଯେ, ସେ ଯେ ସ୍ତ୍ରୀ ପୁତ୍ର ନେଇ ଘରସଂସାର କରୁଛି, ସେଇଟା ଗୋଟାଏ ପାପ ବା ଛୋଟ କଥା । ଏ ପାପବୋଧରୁ ନିଜକୁ ରକ୍ଷା କରିବା ପାଇଁ ସେ ଜାଣିଶୁଣି ବା ଅଜଣାତରେ ଭଣ୍ଡାମି କରୁଛି । ସବୁ ବଡ଼ ବଡ଼ ପାଟିସୁଆଦିଆ ଆଦର୍ଶକୁ ଖଟୁଲିରେ ଥୋଇ ପୂଜାକରି ଏଣେ ଜୀବନରେ ଯାହା ଇଚ୍ଛା ତାହା କରୁଛି । ସବୁ ମୂଲ୍ୟବୋଧ ବିଷୟରେ ବେପରଓ୍ୱା ହେଇଯାଉଛି ବା କୌଣସି ସାଧୁବାବାଙ୍କ ପ୍ରଭାବରେ ପଡ଼ି ଘର-ସଂସାର ତ୍ୟାଗ କରି ସାଧନାମାର୍ଗରେ ବ୍ରତୀ ହେବାର ଚେଷ୍ଟା କରୁଛି ।

 

ଅନ୍ୟ ଦିଗରେ ପୁଣି ତ୍ୟାଗର ସର୍କସ ଓ ଥିଏଟର ବି ଚାଲେ । କେତେ କେତେ ସାଧୁ, କିଏ କଣ୍ଟା ଉପରେ ଶୋଇ, କିଏ ଗୋଟାଏ ଗୋଡ଼ରେ ମାସ ମାସ ଧରି ଛିଡ଼ା ହୋଇ, କିଏ ପଞ୍ଚାଗ୍ନି ତପ କରି, କିଏ ମୁଣ୍ଡ ତଳକୁ କରି ଗଛରୁ ଝୁଲି, କିଏ ପାଟି ସିଲେଇ କରି, କୃଚ୍ଛ୍ରସାଧନା କରୁଛନ୍ତି ଓ ଲୋକେ ଏସବୁ ଦେଖି ଧନ୍ୟ ଧନ୍ୟ କରୁଛନ୍ତି । ଗାନ୍ଧୀଜୀ ପରାମର୍ଶ ଦେଲେ ଯେ ମଣିଷ ଅସ୍ୱାଦ ବ୍ରତ ବି ପାଳନ କରିବା ଉଚିତ । ଗାନ୍ଧୀଜୀଙ୍କର ଜଣେ ନିକଟ ସାଥୀ ଅନ୍ୟ ଅନେକଙ୍କ ଭଳି ମିଠା, ଲୁଣ, ମସଲା ଆଦି ତ୍ୟାଗ କରି ସାଦାସିଧା ସିଝା ପ୍ରଭୃତି ଖାଇଲେ । ସେସବୁ ବି ତାଙ୍କୁ କ୍ରମେ ସୁଆଦ ଲାଗିଲା । ତେଣୁ ସେ ଅଟାରେ କୁଇନାଇନ୍ ମିଶେଇ ରୁଟି ତିଆରି କରି ଖାଇବାକୁ ଆରମ୍ଭ କଲେ ।

 

ପୁଣି ଅନ୍ୟ ଦିଗରେ ଥିଏଟର ବି ଚାଲିଛି ଯେ, ଯେ ଘରସଂସାର ତ୍ୟାଗକଲା, ସେ ତେଣିକି ଦାମୀ ରେଶମର ଅଙ୍ଗବସ୍ତ୍ର ପିନ୍ଧିଲେ, କେବଳ ବହୁମୂଲ୍ୟ ଫଳ ଓ ରାବିଡ଼ି ଆଦି ଖାଇଲେ, ପ୍ରାସାଦୋପମ ‘ଆଶ୍ରମ’ରେ ରହିଲେ ଓ ବ୍ୟକ୍ତିଗତ ଉଡ଼ାଜାହାଜ ରଖି ସେଥିରେ ଯିବା-ଆସିବା କଲେ ବି ସେ ତ୍ୟାଗୀ ! କେତେ ମଠର ‘ତ୍ୟାଗୀ’ ମହନ୍ତମାନଙ୍କର ଜୀବନର ଅଧିକାଂଶ ସମୟ ଯାଏ ପ୍ରଜାଙ୍କ ନାଁରେ ମାଲିମକଦ୍ଦମା କରିବାରେ, ସେମାନଙ୍କୁ ଭାଗଚାଷରୁ ଉଚ୍ଛେଦ କରିବାର ଯୋଜନା କରିବାରେ, ସ୍ୱତ୍ୱ ନେଇ ମଠ ବା ଆଶ୍ରମର ପାଖପଡ଼ିଶାଙ୍କ ସାଙ୍ଗରେ ମାମଲା କରିବାରେ । ଗୋଟିଏ ଧର୍ମସମ୍ପ୍ରଦାୟର ଗୁରୁ ତାଙ୍କର ଶତାଧିକ ଶିଷ୍ୟଙ୍କ ସହିତ ଥରେ କଲିକତାର ବଡ଼ବଜାରରେ ଆସି ରହିଲେ । ସେ ଅଞ୍ଚଳରେ ରହୁଥିବା ମୋର ଜଣେ ବନ୍ଧୁଙ୍କଠାରୁ ବର୍ଣ୍ଣନା ଶୁଣିଲି ଯେ, ସେ ସାଧୁମାନେ କେବଳ ନୂଆ ଲୁଗା ପିନ୍ଧନ୍ତି, ଧୁଆ ଲୁଗା ନୁହେଁ । ଗୋଟାଏ ସାର ଲୁଗା ଦୁଇ ତିନି ଦିନ ବ୍ୟବହାର କରି ମଇଳା ହେଇଗଲେ ତା’କୁ ଅଳିଆ ଢେଗରେ ଫିଙ୍ଗିଦିଆଯାଏ ଓ ଭକ୍ତମାନେ ନୂଆ ଲୁଗା ଯୋଗାନ୍ତି । ଏଥିପାଇଁ କେତେ ଜଣ ଦର୍ଜି ଖାସ ନିଯୁକ୍ତ ହୋଇଥାନ୍ତି କୁରୁତା କୌପୀନ୍ ଆଦି ସିଲେଇ କରିବା ପାଇଁ । ମୋର ବନ୍ଧୁ ଜଣକ ଏ ଅପବ୍ୟୟ ସହି ନ ପାରି ଏହା ବିରୋଧରେ କାଗଜରେ ଲେଖାଲେଖି ବି କରିଥିଲେ ।

 

ଘର ସଂସାର, ଖାସ୍ କରି ଅଚଳାଚଳ ସମ୍ପତ୍ତି ରଖି ମଧ୍ୟ ତ୍ୟାଗୀ ହୋଇପାରିବାର ବିଧାନ ବି ଆମ ଶାସ୍ତ୍ରମାନଙ୍କରେ ଅଛି । ଜନକ ରାଜା ତାଙ୍କର ରାଜ-ଐଶ୍ୱର୍ଯ୍ୟ ଭିତରେ ପଦ୍ମପତ୍ରରେ ଜଳ ପରି ରହୁଥିଲେ । ଯେତେ ଦୂର ଜଣାଯାଏ, ଏ ଐଶ୍ୱର୍ଯ୍ୟ ଯୋଗାଇବା ପାଇଁ ତାଙ୍କ ପ୍ରଜାମାନଙ୍କୁ ଯେ ନିଜର ଓ ପିଲାଛୁଆଙ୍କର ପେଟରୁ କାଟିବାକୁ ପଡ଼ୁଥିଲା, ତାହା ଦ୍ୱାରା ଜନକଙ୍କର ନିଦ୍ରାରେ କିଛି ବ୍ୟାଘାତ ହେଉ ନ ଥିଲା ।

 

ସାଧାରଣ ଲୋକେ ସର୍କସ ଦେଖିବାକୁ ଭଲପାନ୍ତି । ସେଥିପାଇଁ କେହି କିଛି କଷ୍ଟ ସହିଲେ ତା’କୁ ସେଇ ସର୍କସଦେଖା ଆଖିରେ ଦେଖନ୍ତି । ଥରେ ସେ ଯୁଗରେ କଂଗ୍ରେସର ଟାଣୁଆ କର୍ମୀ ହରି ବିଶ୍ୱାଳ ସାଇକେଲରେ ତାଙ୍କର ସାନପୁଅଟିକୁ ବସେଇ ନେଇଯାଉଥିଲେ । ବାଟରେ ଦୂର ଗାଁର ଜଣେ ପରିଚିତ ଲୋକ ଦେଖାହେଲେ । କଥା-କଥାକେ ସେ ପଚାରିଲେ, ‘‘ହରିବାବୁ, ଏଇ ପିଲାଟି କିଏ କି ?’’ ହରିବାବୁ କହିଲେ, ‘‘ଏଇଟି ମୋ ପୁଅ ।’’ ସେ ଭଦ୍ରଲୋକ କାବା ହେଇ କହିଲେ, ‘‘ତମର ପୁଣି ପୁଅ କୋଉଠି ଆଇଲା ମ ? ତମେ ପରା ଦେଶ ପାଇଁ ସବୁ ଛାଡ଼ିଛ ?’’

 

ମତେ ଥରେ ଜଣେ ବଡ଼ ହାକିମ ପ୍ରଶଂସା କରି କହିଲେ, ‘‘ଆପଣ ତ ବହୁତ ତ୍ୟାଗ କରିଛନ୍ତି । ଆପଣଙ୍କର ଜୀବନ କେଡ଼େ ସରଳ, ଲୁଗା-ପଟା କେତେ ସାଦାସିଧା....ଇତ୍ୟାଦି, ଇତ୍ୟାଦି ।’’ ମୁଁ ଜବାବ ଦେଲି–‘‘ମୁଁ ତ ଏସବୁରେ କିଛି ତ୍ୟାଗ ଦେଖୁନାହିଁ; ବରଂ ଆପଣ ଜଣେ ମହାନ୍ ତ୍ୟାଗୀ ବୋଲି ମୋର ବିଶ୍ୱାସ ହେଉଛି । ମୁଁ ତ ଏ ଜ୍ୟେଷ୍ଠ ମାସ ଖରାରେ ଖଣ୍ଡେ ଧୋତି ପିନ୍ଧିଦେଇ ବେଶ୍ ଆରାମରେ ରହିଛି । ଆପଣ ସମାଜରେ ଆପଣଙ୍କର ଉଚ୍ଚ ପାହ୍ୟାର ଟେକ ଓ ସରକାରର ମର୍ଯ୍ୟାଦା ରକ୍ଷା କରିବା ପାଇଁ ଏଇ ତାଳୁଫଟା ଖରାରେ କଳା ପେଣ୍ଟ, କଳା କୋଟ ତଳେ ଆହୁରି ଦୁଇ ତିନି ପରସ୍ତ କୁରୁତା ପିନ୍ଧି, ବେକରେ ବେକଚିପା ନେକ୍‌ଟାଇ ବାନ୍ଧି କେତେ ଧନ୍ଦି ନ ହେଉଛନ୍ତି ?’’

 

ଯେମିତି ତ୍ୟାଗ ସେମିତି ଭୋଗର ବି ବିକୃତି, ମଣିଷକୁ ଅଣନିଶ୍ୱାସୀ କରିଦେବା ଭଳି ପ୍ରକାର, ଗୋଟାଏ ଗୋଟାଏ ଯୁଗର ସମାଜ ମଣିଷ ଉପରେ ଲଦିଛି । ପୁଣି ଏ ତଣ୍ଟିଚିପା ଭୋଗରୁ କୃଚ୍ଛ୍ରସାଧନାର ସନ୍ତୋଷ ଅନେକ ପାଉଥିବେ । ସଭ୍ୟତା ବଜାୟ ରଖିବା ପାଇଁ ଏ ଗରମ ଦେଶରେ ଗରମଦିନେ ଗରମପୋଷାକ ପିନ୍ଧି ଆମ ହାକିମ ଓ ଅନ୍ୟ ସାହେବମାନେ ପଞ୍ଚାଗ୍ନି ତପର ସନ୍ତୋଷ ପାଉଥିବେ । ସମାଜ ଶ୍ରେଣୀରେ ବିଭକ୍ତ ହେବା ଦିନୁଁ ପୋଷାକପତ୍ର ବି ଶ୍ରେଣୀର ନିଶାଣ ହେଇ ଆସିଛି । ମୋଗଲ ରାଜୁତିରେ ଏହାର ପ୍ରାବଲ୍ୟ ଥିଲା । କେତେ ଦଶକ ତଳ ଯାଏ ଇଂଲଣ୍ଡରେ ମଧ୍ୟ ପୋଷାକ ଶ୍ରେଣୀବୈଷମ୍ୟର ବିଜ୍ଞାପନ ଥିଲା । ମୋଗଲ-ପରମ୍ପରା ଉପରେ କଲମ ହେଇଥିବା ଇଂରେଜ ରୀତିନୀତିକୁ ଆମର ଶାସକଶ୍ରେଣୀ ତା’ର ପବିତ୍ର ପରମ୍ପରା ରୂପେ ଗ୍ରହଣ କରିଛି ।

 

ଆମେରିକା ପୁଞ୍ଜିବାଦୀ ସଭ୍ୟତାର ମଉଡ଼ମଣି ହେଇଥିଲେ ବି ସେଠି ସାମାଜିକ ଭେଦଭାବ ଇଂଲଣ୍ଡ ଅପେକ୍ଷା ଊଣା । ତେଣୁ ପୋଷାକପତ୍ରର ଆଦବକାଇଦା ଅପେକ୍ଷାକୃତ ହୁଗୁଳା-। ଗତ ମହାଯୁଦ୍ଧବେଳେ ଏ ଦେଶକୁ ଆସିଥିବା ମାର୍କିନ୍ ସୈନ୍ୟମାନେ ଖରାଦିନେ ଅମ୍ଲାନ ବଦନରେ କୁରୁତା କାଢ଼ିଦେଇ ଓ ବେଳେବେଳେ ପେଣ୍ଟ ଖୋଲିଦେଇ କେବଳ ଜଙ୍ଘିଆ ପିନ୍ଧି ସର୍ବତ୍ର ଚଳ-ପ୍ରଚଳ ହେଉଥିଲେ । ଇଂରେଜ ଓ ସେମାନଙ୍କର ମାନସପୁତ୍ର ଆମ ସଚିବାଳୟ ହାକିମମାନଙ୍କ ପକ୍ଷରେ ସେପରି କରିବା ସ୍ୱପ୍ନରେ ବି ଅକଳ୍ପନୀୟ ।

 

ସେମିତି ଆଉ ଗୋଟିଏ ଉଦାହରଣ । ବାହାଘରେ ବାଣ, ରୋଷଣି, ଭୋଜି ଆଦିର ଉଦ୍ଦେଶ୍ୟ ଆନନ୍ଦ ଉପଭୋଗ ବୋଲି ବୁଝାଇଥାଏ । କିନ୍ତୁ କନ୍ୟା କର୍ତ୍ତା ଜମିବାଡ଼ି ବିକି, କରଜ କରି ଏସବୁର ଆୟୋଜନ କରିବା ପରେ ସେ ଓ ତାଙ୍କ ପରିବାର କେତେ ଆନନ୍ଦ ପାଉଥିବେ ? ଯେଉଁ ପ୍ରକାର ପରିବେଶରେ ବାହାଘର ସବୁ ହୁଏ, ସେଥିରେ ବରଯାତ୍ରୀ ଓ ଅନ୍ୟମାନେ ଆନନ୍ଦ ପାଇବା ଅପେକ୍ଷା ପାଇବା ଅପେକ୍ଷା ବୋର୍ ହୁଅନ୍ତି ଢେର୍ ବେଶି । ବାହାଘରକୁ ବି ଅଧିକାଂଶ ଲୋକେ ଏକ କୃଚ୍ଛ୍ରସାଧନାର ଅବସର ରୂପେ ଧରିନେଇ ଯୋଗଦେବାକୁ ଆସନ୍ତି । ଆଜିକାଲି ପୁଣି ଏସବୁ ସାଙ୍ଗକୁ ସାଇପଡ଼ିଶାଙ୍କୁ ମାଇକ୍ ଯୋଗେ ଘର୍ଘର ରବ ମିଶ୍ରିତ ବସ୍ତାବନ୍ଦୀ ସଙ୍ଗୀତର ବିତରଣ ବି ଭୋଗମୂଳକ କୃଚ୍ଛ୍ରସାଧନାର ଆଉ ଏକ ନୂଆ ପ୍ରକାର ।

 

(୨)

 

ତ୍ୟାଗ ଓ ଭୋଗର ଏ ଗୋଳଘାଣ୍ଟ ମୂଳରେ ରହିଛି ଜୀବନକୁ ଦେଖିବାର ଚଷମା । ଗୋଟାଏ ଚଷମାରେ କଳା ବୋଳାହୋଇଛି । ସେଥିରେ ଦେଖାଯାଏ ଯେ ସଂସାରଟା ଅନିତ୍ୟ, ଅସାର, ବଞ୍ଚିବାଟା ଗୋଟାଏ ବିଡ଼ମ୍ୱନା; ଆନନ୍ଦ ଓ ସୁଖ ପାପ । ନିତ୍ୟ, ସାର, ସାର୍ଥକ ଯାହା କିଛି ଅଛି, ସେସବୁ ଏ ଦୁନିଆ ସେପାରିରେ; ଅନ୍ୟ ଲୋକରେ । ପ୍ରକୃତ ଆନନ୍ଦ ଓ ସୁଖ ସବୁ ସେଇଠି ମିଳିବ ।

 

ଏ ଚଷମାକୁ କାଢ଼ିଦେଲେ ଦେଖାଯିବ ଯେ ଏ ସୃଷ୍ଟି ସୁନ୍ଦର, ବିଚିତ୍ର, ମୂଲ୍ୟବାନ୍ । ତାହା ଭିତରେ ଯେଉଁ ଜୀବସୃଷ୍ଟି ଓ ତା’ ପଛକୁ ମଣିଷ ସୃଷ୍ଟି ହୋଇଛି, ସେଥିରେ ଆନନ୍ଦ, ବିସ୍ମୟ, ପ୍ରେମ ଓ ସାର୍ଥକତାର ଯେଉଁ ସବୁ ଅନୁଭୂତିର ବିକାଶ ହେଇଛି, ସେସବୁର ପୂର୍ଣ୍ଣତା ହାସଲ କରିବା ହିଁ ଜୀବନର ଲକ୍ଷ୍ୟ ।

 

ଜୀବନକୁ ଏଇପରି ଗଭୀର ଭାବରେ ଉପଲବ୍‌ଧି କରିବା, ତା’ର ରହସ୍ୟର ଭେଦ ଖୋଲିବା, ଭଲ ପାଇବାର ସୀମାକୁ ଅଧିକରୁ ଅଧିକ ବ୍ୟାପକ ଓ ଗଭୀର କରିବା, ଜୀବନର ଆନନ୍ଦକୁ ପୂର୍ଣ୍ଣମାତ୍ରାରେ ଲୁଟିବା ଚେଷ୍ଟା କରିବାରେ ଗୋଟାଏ କଥାକୁ ଛାଡ଼ି ଆଉ ଗୋଟାକୁ ଧରିବାକୁ ପଡ଼େ, କଷ୍ଟ ସହିବାକୁ ପଡ଼େ । ବେଳେବେଳେ ଜୀବନର ପରିପୂର୍ଣ୍ଣତା ଓ ସାର୍ଥକତା ପାଇଁ ଜୀବନକୁ ଜଳାଞ୍ଜଳି ଦେବାକୁ ହୁଏ । ଏଭଳି ତ୍ୟାଗ, କଷ୍ଟସହନ, ଆତ୍ମବଳି ଜୀବନର ପ୍ରତ୍ୟାଖ୍ୟାନ ନୁହେଁ–ଜୀବନର ପରିପୂର୍ଣ୍ଣତାର ସୋପାନ ।

 

ମଣିଷ ଭିତରେ ଅସାଧ୍ୟ ସାଧନ କରିବାର ପ୍ରେରଣା ରହିଛି । ଏଥିପାଇଁ ମଣିଷ ନିଜର କର୍ମଶକ୍ତି, ସହ୍ୟଶକ୍ତିର ସୀମା କେତେ ବେଶୀ ତାହା ପରଖ କରିବାରେ ସାର୍ଥକତା ଅନୁଭବ କରେ-। ଶିଳ୍ପୀ ମିକେଲ୍ ଏଞ୍ଜେଲୋ ମୂର୍ତ୍ତି ଗଢ଼ିବାର ଉନ୍ମାଦନାରେ ଖାଇବା ଶୋଇବା ଭୁଲିଯାଉଥିଲେ । ସେହିପରି ଡାଲଟନ୍ ବିଜ୍ଞାନସାଧନାରେ ମଗ୍ନ ହୋଇ ବାହାହେବା କଥା ବି ଭୁଲିଗଲେ । ମାଲୋରୀ, ଇରଭିନ୍ ଓ ଆଉ କେତେ କେତେ ଲୋକ ଏଭରେଷ୍ଟ ଜୟ କରିବା ପାଇଁ ପ୍ରାଣ ଦେଲେ-। ସେହିପରି ଉତ୍ତର ମେରୁ, ଦକ୍ଷିଣ ମେରୁ, ଆଫ୍ରିକା ମହାଦେଶ, ସାହାରା, ତାକଲାମାକାନ ଓ ଗୋବି ମରୁଭୂମିର ରହସ୍ୟ ଉଦ୍‌ଘାଟନ କରିବାକୁ ଯାଇ କେତେ ଲୋକ ନିଜର ଜୀବନକୁ ପାଣି ଛଡ଼େଇଛନ୍ତି; ମରୁବାଲି, ବରଫ ବା ଅରଣ୍ୟ ଭିତରେ ସମାଧି ଲଭିଛନ୍ତି । ଏମାନେ ଜୀବନ ପ୍ରତି ବୀତସ୍ପୃହ, ବିତୃଷ୍ଣ ନ ଥିଲେ ।

 

ଏଇ ଅଳ୍ପ ଦିନ ତଳେ ଅଷ୍ଟ୍ରେଲିଆର ସେତେବେଳର ପ୍ରଧାନମନ୍ତ୍ରୀ ସମୁଦ୍ରରେ ପହଁରିବାକୁ ଯାଇ ବୁଡ଼ି ମଲେ । ୟୁରୋପ, ଆମେରିକାରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ କେବଳ ଆନନ୍ଦ ଉପଭୋଗ ପାଇଁ ବରଫ ଉପରେ ଖେଳୁଛନ୍ତି, ପାହାଡ଼ ଚଢ଼ୁଛନ୍ତି, ସମୁଦ୍ରରେ ବୁଡ଼ୁଛନ୍ତି, ଉଡ଼ାଜାହାଜରୁ ଆକାଶ ଛତା ଧରି ଡେଉଁଛନ୍ତି । କବି ନଜରୁଲ ଗାଇଲା ପରି ‘‘ମୃତ୍ୟୁର ସାଥେ ପାଞ୍ଜା’’ ଲଢ଼ିବାରେ ହିଁ ଜୀବନର ସ୍ୱାଦ ଗଭୀରତମ ହୋଇଥାଏ । ଯେଉଁମାନେ ମୃତ୍ୟୁକୁ ଚୁନୌତି ଦେଇ ଜୀବନର ଜୟଧ୍ୱଜା ଉଡ଼େଇ ପାରନ୍ତି, ସେହିମାନେ ହିଁ ଜୀବନର ଜୟଘୋଷ ଶୁଣାଇବା ପାଇଁ ଜୀବନକୁ ବଳି ବି ଦେଇପାରନ୍ତି ।

 

ମା’ ପ୍ରେମ ଓ ଆନନ୍ଦର ସହିତ ସନ୍ତାନକୁ ଗର୍ଭରେ ଧରେ, ଜନ୍ମ କରେ ଓ ପୁଣି ତା’ର ଲାଳନପାଳନ ପାଇଁ ନିଜର ଜୀବନକୁ ତିଳ ତିଳ କରି କ୍ଷୟ କରିଚାଲେ । ବିଲେଇ, ବାଘୁଣୀ ଓ ମୂଷା ବି ନିଜର ଛୁଆଙ୍କୁ ରକ୍ଷା କରିବା ପାଇଁ ଜୀବନ ଦେବାକୁ ପ୍ରସ୍ତୁତ ହେଇଯାଆନ୍ତି । ସେଥିପାଇଁ ସେମାନଙ୍କର ଗୀତାର ଉପଦେଶ ଲୋଡ଼ା ହୁଏ ନାହିଁ । ବରୀରେ ଆମ ଘରଚାଳରେ ବରାବର ଗୋଟାଏ ଢମଣା ସାପ ଆସି ବୁଲୁଥିଲା–ଚାଳରେ ବସା କରି ରହିଥିବା ମୂଷା ଖାଇବା ଉଦ୍ଦେଶ୍ୟରେ । ଦିନେ ଆମେ ଏକ ଅଦ୍ଭୁତ ଦୃଶ୍ୟ ଦେଖିଲୁ । ଗୋଟାଏ ମୂଷା ସେ ଢମଣାର ମୁହଁ ପାଖକୁ ଚାଲିଯାଉଛି; ଢମଣା ତା’ ଆଡ଼କୁ ମାଡ଼ିଆସିଲା ବେଳକୁ ପଛେଇ ଯାଉଛି । ଢମଣା ତାକୁ ଛାଡ଼ି ଅନ୍ୟ ଆଡ଼େ ମୁହାଁଇବାବେଳକୁ ପୁଣି ତା’ ଆଗକୁ ଚାଲିଯାଉଛି । ସ୍ପଷ୍ଟ ବୁଝାଗଲା ଯେ, ଏ ମା’ ମୂଷା ତା’ର ଛୁଆ ଥିବା ବସା ଆଡ଼ୁ ଢମଣାକୁ ଅନ୍ୟ ଆଡ଼କୁ ଫେରାଇଦେବା ପାଇଁ ନିଜ ଜୀବନ ବିପନ୍ନ କରି ଏ ଖେଳ ଖେଳୁଛି ।

 

ଇତିହାସରେ ଯେଉଁମାନେ ତ୍ୟାଗବୀର ବୋଲି ଅମର ହେଇଛନ୍ତି, ସେମାନଙ୍କର ତ୍ୟାଗ ଏଇ ଦୋସରା ପ୍ରକାରର । ଆବ୍ରାହମ ହେରିକାଙ୍କ ସହିତ ସେମାନଙ୍କର କୌଣସି ସାଦୃଶ୍ୟ ନାହିଁ । ସେମାନେ ସଂସାରତ୍ୟାଗ କରି ନ ଥିଲେ । ପରିବାରର ସୀମାକୁ ବଢ଼େଇ କିଏ ଗାଁ, କିଏ ଦେଶ ତ, କିଏ ସାରା ପୃଥିବୀକୁ ତାହା ଭିତରେ ସାମିଲ କରି ନେଇଥିଲେ । ମ୍ୟାକ୍‌ସ୍ୱୀନୀ ବା ଗାନ୍ଧୀଜୀଙ୍କର ଜୀବନ ବଳିଦେବାର ପ୍ରେରଣା ଏଇ ପ୍ରେମ ଭିତରୁ ହିଁ ବାହାରୁଥିଲା । ଶ୍ରୀଚୈତନ୍ୟ ଓ ବୁଦ୍ଧଦେବ ଘରୁ ପଳେଇଥିଲେ ସତ; ମାତ୍ର ତାହା ପରିବାରର ପରମ୍ପରାଗତ କଳ୍ପନାର ଜାଲରୁ ମୁକ୍ତ ହେବାପାଇଁ । ଆଧ୍ୟାତ୍ମିକ ବିକାଶପଥରେ ସ୍ତ୍ରୀ ଜାତି ଏକ ବାଧା ବୋଲି ଯେଉଁ ପରମ୍ପରାଗତ ଧାରଣା ବଦ୍ଧମୂଳ ହେଇଥିଲା, ସେମାନେ ତା’ର ଶିକାର ହେଇଥିଲେ । ତଥାପି ସେମାନଙ୍କର ପ୍ରେମ ସେମାନଙ୍କୁ ବୃହତ୍ତର ସମାଜ ଭିତରକୁ ଟାଣିନେଇଥିଲା ।

 

ମଣିଷ ଭିତରେ ଆନନ୍ଦ ଉପଭୋଗ, କଷ୍ଟସହନ, ତ୍ୟାଗ, ଭୋଗ ଆଦିର ଯାହା ପ୍ରେରଣା ରହିଛି, ସେସବୁର ଅଭିବ୍ୟକ୍ତିକୁ ଗୋଟିଏ ଗୋଟିଏ ସମାଜବ୍ୟବସ୍ଥା ଗୋଟିଏ ଗୋଟିଏ ରୂପ ଦେଇଛି । ବୈଷମ୍ୟ ଓ ଶୋଷଣମୂଳକ ସମାଜରେ ଭୋଗ ବୋଲନ୍ତେ ବୁଝେଇଛି ଅନ୍ୟମାନଙ୍କ ଉପରେ ପ୍ରଭୃତ୍ୱର ପ୍ରଦର୍ଶନ । ଅନ୍ୟମାନଙ୍କଠାରୁ ଅଧିକ ଭୋଗ୍ୟବସ୍ତୁ, ସମ୍ପଦ, ଏକତ୍ର କରିପାରିବାର କ୍ଷମତା, ଅନ୍ୟମାନଙ୍କଠୁଁ ମୋର ବେଶୀ ଦାମିକା ଲୁଗା, ଦୁଷ୍ପ୍ରାପ୍ୟ ଖାଦ୍ୟ, ବେଶୀ ଚାକରବାକର, ବେଶୀ ସ୍ତ୍ରୀ, ବଡ଼ ଘର–ଏଇଗୁଡ଼ାକ, ଏହିଭଳି ସବୁ କଥା ହେଲା ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବାର ମାଧ୍ୟମ । ଜୀବନକୁ ଉପଭୋଗ କରିବାର ପରାକାଷ୍ଠା ଏଇଥିରେ ଅଛି ବୋଲି ମଧ୍ୟ ଧରାହେଲା । ଫୁରସତ୍ ବି ମଣିଷର ଏକ କାମ୍ୟ ବସ୍ତୁ; ଶୋଷଣମୂଳକ ସମାଜରେ ଉପରଶ୍ରେଣୀର ଲୋକ ଅନ୍ୟର ପରିଶ୍ରମ ଅପହରଣ କରି ଅଖଣ୍ଡ ଫୁରସତ୍‌ର ଅଧିକାରୀ ହେଲେ ଓ କ୍ରମେ କ୍ରମେ ସବୁ ପ୍ରକାରର ଦୈହିକ ପରିଶ୍ରମରୁ ମୁକ୍ତି ଓ ସୁକୁମାରିଆ ଆରାମପ୍ରିୟ ଜୀବନ ସାମାଜିକ ପ୍ରତିଷ୍ଠା ଓ ଜୀବନର ‘ଉପଭୋଗ’ ର ଆଦର୍ଶ ହେଇପଡ଼ିଲା । ଟିକିଏ ଖରା ବାଜିଲେ ଝାଉଁଳି ପଡ଼ିବା, ଟିକିଏ ବର୍ଷାରେ ଓଦା ହେଲେ ମିଳେଇଯିବା, ଏଇସବୁ ହେଲା ସୁଖୀ ଜୀବନର ଲକ୍ଷଣ । ପରିଶ୍ରମ କରିବାଟା ହେଲା ଛୋଟଲୋକଙ୍କର କାମ; ଛୋଟ ଲୋକଙ୍କର ଲକ୍ଷଣ ଚାଷକରି ଫସଲ ଉପୁଜେଇବାରେ ବା କାଠଖଣ୍ଡେ ହାଣି ସୁନ୍ଦର ପିଢ଼ାଟିଏ ବା ଦୀପରୁଖାଟିଏ ତିଆରି କରିବାରେ ବି ଯେଉଁ ସୃଷ୍ଟିର ଆନନ୍ଦ ଅଛି, ସେଇଟା ହେଲା ସଭ୍ୟ ସମାଜରେ ଅପାଂକ୍ତେୟ । ସେଥିପାଇଁ ଲେଖାପଢ଼ା କରୁଥିବା କବି କାଳିଦାସ, ଭବଭୂତି, ଜୟଦେବ, ଚଣ୍ଡିଦାସଙ୍କ ନାମ ଇତିହାସରେ ଅଛି; ମାତ୍ର ପୁରୀ, ଭୁବନେଶ୍ୱର, ଖଜୁରାହୋ, ମୀନାକ୍ଷୀ ମନ୍ଦିର, ମହାବଳୀପୁରମ୍ ଓ ଏଲୋରାର ନିର୍ମାତାମାନଙ୍କର ନାମ ଇତିହାସରେ ନାହିଁ । ହଁ, ନିର୍ମାତା ବୋଲନ୍ତେ ଅମୁକ ରାଜା ବୋଲି ଇତିହାସରେ ଲେଖାଅଛି । ଯେ ନିହାଣ ହାତୁଡ଼ି ଧରି ପଥରରେ ପ୍ରାଣ ଫୁଟେଇଲା ସେ ତୁଚ୍ଛା, ଅନାମଧେୟ କାରିଗର । ଏଇ ସେ ଦିନଯାଏ ଇଂଲଣ୍ଡରେ ଡାକ୍ତର ଅପେକ୍ଷା ସର୍ଜନର ପାହ୍ୟା ନୀଚା ଥିଲା । କାରଣ ସର୍ଜନ୍ ହାତରେ ଛୁରି ଧରି ବଥ କାଟେ । ସେଠି ଇଞ୍ଜିନିୟରକୁ ଭଦ୍ରଲୋକ ଭିତରେ ଗଣତି କରାହେଉ ନ ଥିଲା ।

 

ଏହିରୂପେ ସାମନ୍ତବାଦୀ ସମାଜରେ ସୁକୁମାରିଆ ଜୀବନ ଓ ଲୋକଦେଖାଣିଆ ଉପଭୋଗ ହେଲା ଜୀବନର କାମ୍ୟ । ଲୋକଦେଖାଣିଆ ଉପଭୋଗରେ ଆନନ୍ଦଟା ତ ଅନ୍ୟଠୁଁ ବେଶୀ ବଡ଼ ଅନ୍ୟ ଲୋକକୁ ନ ମିଳୁଥିବା ଜିନିଷ ଉପଭୋଗ କରିବାରେ । ସେଥିପାଇଁ ଅନ୍ୟମାନଙ୍କ ଉପରେ କଟକଣା ଜାରି ବି କରାଯାଉଥିଲା । ସାଧାରଣ ପ୍ରଜା ଯାଉଁଳି କବାଟ ଲଗେଇ ପାରିବେ ନାହିଁ । ତଥାକଥିତ ଛୋଟ ଜାତି ଜୋତା ମାଡ଼ିପାରିବେ ନାହିଁ, ଛତା ଧରିପାରିବେ ନାହିଁ, କୁଞ୍ଚ ଝୁଲେଇ ଲୁଗା ପିନ୍ଧିପାରିବେ ନାହିଁ । ଘରର ଡିହ ଏତେରୁ ଅଧିକ ଉଚ୍ଚ କରିପାରିବେ ନାହିଁ । ଦକ୍ଷିଣରେ ନିୟମ ଥିଲା ଯେ ହରିଜନ ସ୍ତ୍ରୀଲୋକମାନେ ସୁଦ୍ଧା ଅଣ୍ଟା ଉପରକୁ ଲୁଗା ପିନ୍ଧିପାରିବେ ନାହିଁ । ଏହି ପ୍ରକାରର କେତେ ନା କେତେ କଟକଣା ଏ ଦେଶରେ ସେ ଦିନଯାଏ ଚଳୁଥିଲା । ଏହିପରି ଭାବରେ ସମାଜରେ ‘ତ୍ୟାଗ’ ଓ ‘ଭୋଗ’ର ଭାଗବଣ୍ଟା ହେଇଯାଇଥିଲା ।

 

ବୁଦ୍ଧଦେବ ବହୁତ ଭାବି ଭାବି ବାହାର କଲେ ଯେ ଦୁନିଆର ସବୁ ଦୁଃଖକଷ୍ଟର ମୂଳ ହେଲା ତୃଷ୍ଣା; ଭୋଗ କରିବାର ଆକାଂକ୍ଷା । ଏ ତୃଷ୍ଣା ଅସୀମ । ଏହାରି ତାଡ଼ନାରେ ମଣିଷ ଏତେ ଦହଗଞ୍ଜ ହେଉଛି । ଏହାକୁ ଜିତିପାରିଲେ ମଣିଷ ଶାନ୍ତି ପାଇବ । ଉପୁରିଆ ଭାବରେ ଦେଖିଲେ ଏ ‘ତୃଷ୍ଣା’କୁ ଜିତିବାରେ ହିଁ ଆଜିର ଦୁନିଆର ସର୍ବପ୍ରଧାନ ସମାଧାନ ରହିଛି ।

 

ଏ ଯୁଗରେ ତ୍ୟାଗ ଓ ଭୋଗର ସମସ୍ୟା ହେଲା ଯେ ମୁଷ୍ଟିମେୟ ଲୋକ ଅମାପ ଭୋଗବିଳାସର ସାମଗ୍ରୀର ଅଧିକାରୀ ହେଇଥିବାବେଳକୁ ବହୁ ଅଧିକ ଲୋକ ବଞ୍ଚିରହିବାର ନ୍ୟୂନତମ ସାମଗ୍ରୀ ଅଭାବରୁ ନିଜର ଜୀବନକୁ ସୁଦ୍ଧା ଅସମୟରେ ତ୍ୟାଗ କରିବାକୁ ବାଧ୍ୟ ହେଉଛନ୍ତି । ଏ ଦେଶର ଶତକଡ଼ା ସତୁରି ଭାଗ ଲୋକ ଯେଉଁ ଅବସ୍ଥାରେ ବଞ୍ଚିଛନ୍ତି, ତାହା ମଣିଷର ଅଯୋଗ୍ୟ । ପୃଥିବୀରେ ଦୁଇତିନିକ ଭାଗ ଲୋକ ଏ ଅବସ୍ଥାରେ ଅଛନ୍ତି । ଆମେ ତିରିଶ ବର୍ଷ ହେଲା ନେତାମାନଙ୍କଠାରୁ ଉପଦେଶ ଶୁଣୁଛୁ ଯେ ଉତ୍ପାଦନ ଆଗେ ବଢ଼ାଅ–ଉତ୍ପାଦନ ବଢ଼ିଲେ ସିନା ସମସ୍ତଙ୍କୁ ସବୁ ଜିନିଷର ଉପଯୁକ୍ତ ବାଣ୍ଟ ମିଳିବ । ତାହା ନ ହେଲେ ଏଇଖିଣି ସମ୍ୟକ୍ ବଣ୍ଟନ ମାନେ ତ ଦାରିଦ୍ର୍ୟ ବଣ୍ଟନ । ଖଣ୍ଡେ ଚିରା ଲୁଗା ଜଣକର ଲଜ୍ଜା ନିବାରଣ ପାଇଁ ବି ଅକ୍ଷମ; ତାକୁ ଟିକିଟିକି କରି ଛ’ ଜଣଙ୍କୁ ବାଣ୍ଟିଲେ କି ଲାଭ ହେବ ?

 

କିନ୍ତୁ ମଜାର କଥା ହେଲା ଯେ ତିରିଶ ବର୍ଷ ହେଲା ଉତ୍ପାଦନ ଯେତେ ବଢ଼ୁଛି, ଦାରିଦ୍ର୍ୟ ବି ତାହା ସାଙ୍ଗରେ ତାଳଦେଇ ସେତିକି ବଢ଼ୁଛି । ଉତ୍ପାଦନ ଯାହା ବଢ଼ୁଛି ତାହା ବିଚରା ଭୋକିଲା ଲଙ୍ଗଳା ଲୋକଙ୍କ କାମକୁ ପାଉନାହିଁ । ସାନପିଲାଙ୍କ ପାଇଁ ଦୁଧର ଉତ୍ପାଦନ ନ ବଢ଼ୁଣୁ ବଡ଼ଲୋକଙ୍କ ପାଇଁ ହୁଇସ୍କୀ, ବ୍ରାଂଡୀର ଉତ୍ପାଦନ ହୁ-ହୁ ବଢ଼ିଚାଲିଛି । ଗାଁ ମୂଲିଆଣୀ ପାଇଁ ଖଣ୍ଡେ ଜାଗାରେ ଦି’ଖଣ୍ଡ ଶାଢ଼ି ମିଳିସାରିବା ପୂର୍ବରୁ ହାକିମଘରମଣୀଙ୍କ ପାଇଁ ଡନ୍‌ଲୋପିଲୋ ଗଦି ବଜାରରେ କାଣ୍ଡି ମରାହେଉଛି । ପୁଣି ଦୁଧ ଓ ମୋଟା ଲୁଗା ତିଆରି ହେଲେ ହେବ ବା କ’ଣ ? ଯେଉଁ ପିଲା ଦୁଧ ଟୋପାଏ ପାଉନାହିଁ, ତା’ ବାପର ତା’କୁ ପେଜ ମୁନ୍ଦାଏ ଦେବାର ବି ସମ୍ୱଳ ନାହିଁ, ସେ ଦୁଧପାଇଁ କଉଡ଼ି ପାଇବ କୋଉଠୁ ?

 

ସେଥିପାଇଁ ଆଜିକାଲି ମିର୍‌ଡାଲ୍, ରବିନସନ୍, ଗାଲବ୍ରେଥ୍ ଆଦିଙ୍କ ଭଳି ପୃଥିବୀର ଦଣ୍ଠାମରା ଅର୍ଥନୀତିଜ୍ଞମାନେ ବି କହିଲେଣି ଯେ ଆଗେ ସମବଣ୍ଟନ ଦିଗରେ ପାହୁଣ୍ଡ ପକେଇଲେ ଯାଇ ମୂଲିଆର ତା’ ପିଲା ପାଇଁ ଦୁଧ ଆଉ ସ୍ତ୍ରୀ ପାଇଁ ଆଉ ଖଣ୍ଡେ ଶାଢ଼ି ଯୋଗାଡ଼ କରିବାର ସମ୍ୱଳ ହେବ ।

 

ସମସ୍ୟା ହେଲା ଯେ ସମାଜର ଉପରମହଲାରେ ବସିଥିବା ମୁଷ୍ଟିମେୟ ଲୋକଙ୍କୁ ନିଜର ଚଳଣିର ସ୍ତର ବହୁତ କମେଇବା ପାଇଁ ହେବ; ତେବେ ଯାଇ ତଳମହଲାରେ ଥିବା ବହୁସଂଖ୍ୟକ ଲୋକ ମଣିଷ ପରି ସୁସ୍ଥରେ ବଞ୍ଚିବା ପାଇଁ ଆବଶ୍ୟକ ଉପକରଣ ପାଇବେ । ତ୍ୟାଗ ଓ ଭୋଗର ଯେଉଁ ଭାଗବଣ୍ଟା ଆଜିଯାଏ ଚଳିଆସିଛି, ତା’କୁ ଓଲଟାଇବାକୁ ହେବ । ଯାହାଙ୍କ ଭାଗରେ ଭୋଗ ପଡ଼ିଥିଲା, ତାଙ୍କ ଭାଗରେ ତ୍ୟାଗ ଓ ଯାହାଙ୍କୁ ଜବରାନ୍ ତ୍ୟାଗର ଶେଷ ସୀମାକୁ ଠେଲିଦିଆଯାଇଛି, ତାଙ୍କ ପାଇଁ ଭୋଗ ବଢ଼ିବାର ବ୍ୟବସ୍ଥା କରିବାକୁ ହେବ ।

 

ତେବେ ଏ ଭୋଗ କେଉଁ ଯାଏ ବଢ଼ିବ ? ସୋଭିଏତ୍ ଦେଶରେ ସମାନ ଭାଗବଣ୍ଟା ନୀତି ଚଳେଇବା ପାଇଁ ନୂଆ ବ୍ୟବସ୍ଥା ଗଢ଼ାହେଲା । ସେଠି ସେମାନେ ଆମେରିକାକୁ ତାଙ୍କର ଆଦର୍ଶ ରୂପେ ଧରିନେଇଛନ୍ତି ଓ ଦେଖାଯାଉଛି ଯେ, ଯେତେଦିନ ଯାଏ ଦେଶର ସମସ୍ତଙ୍କ ପାଇଁ ଆମେରିକା ଲୋକଙ୍କ ଭଳି ଚଳଣିର ବ୍ୟବସ୍ଥା ନ ହେଇପାରୁଛି, ସେତେ ଦିନଯାଏ ଦେଶର ଶାସକ, ପରିଚାଳକ ଓ ବିଶେଷଜ୍ଞ ଗୋଷ୍ଠୀ ଆଗତୁରା ଅନ୍ତତଃ ନିଜ ପାଇଁ ଏଭଳି ଆମେରିକା ମାପର ଚଳଣିର ବନ୍ଦୋବସ୍ତ କରିନେଇଛନ୍ତି ।

 

ଆମେରିକା ଏବେ ସମୃଦ୍ଧିର ଚରମ ସୀମାରେ ପହଞ୍ଚିଛି । ଏଥିପାଇଁ ସେ ଦେଶର ଲୋକେ ପୃଥିବୀର ଲୋକସଂଖ୍ୟାର ମାତ୍ର ଶତକଡ଼ା ସାତ ଭାଗ ହେଇ ପୃଥିବୀର ପ୍ରାକୃତିକ ସମ୍ପଦର ଚାଳିଶି ଭାଗ ଓ ବୈଦ୍ୟୁତିକ ଶକ୍ତିର ଷାଠିଏ ଭାଗ ଖର୍ଚ୍ଚ କରୁଛନ୍ତି । ସିଧା କଥା ହେଲା ଯେ ପୃଥିବୀର ସମସ୍ତଙ୍କ ପାଇଁ ସୁସ୍ଥ ଓ ସୁସଂସ୍କୃତ ଚଳଣିର ବ୍ୟବସ୍ଥା କରିବାକୁ ହେଲେ ପୃଥିବୀର ପ୍ରାକୃତିକ ସମ୍ପଦର ବାଣ୍ଟ ସମସ୍ତଙ୍କୁ ସମ୍ୟକ୍ ଭାବରେ ମିଳିବା ଚାହି । ସେଥିପାଇଁ ଆମେରିକା, ସୋଭିଏତ୍ ସଂଘ ପ୍ରଭୃତି ଯେଉଁ ସବୁ ଦେଶ ପ୍ରାକୃତିକ ସମ୍ପଦର ଅତ୍ୟଧିକ ଭାଗ ଭାଗ କରିବାରେ ଲାଗିଛନ୍ତି ସେମାନଙ୍କୁ ଓ ଗରିବ ଦେଶମାନଙ୍କର ଉପରମହଲାର ଲୋକଙ୍କୁ ନିଜର ଚଳଣି ସୀମାବଦ୍ଧ କରିବାକୁ ହେବ ଓ ଦ୍ୱିତୀୟ କଥା ହେଲା ଯେ ଏସବୁ ସତ୍ତ୍ୱେ ଆମେରିକା ଭଳି ଭୋଗର ବ୍ୟବସ୍ଥା ସମସ୍ତଙ୍କ ପାଇଁ ହେଇପାରିବ ନାହିଁ । ଢେର୍ ବେଶୀ ସରଳ ସ୍ତରରେ ଆମକୁ ସୁସ୍ଥ ଓ ସୁସଂସ୍କୃତ ଜୀବନ କଟେଇବାର ବାଟ ବାହାର କରିବାକୁ ହେବ । ଏ କଥା ହେଇପାରିବ ନା ନାହିଁ-? ନା ନିଜର ଅଏସ୍‌ର ମାତ୍ରା ବଢ଼େଇବା ପାଇଁ ଲୋକେ ସବୁଦିନେ ଛଡ଼ାଛଡ଼ି, କାମଡ଼ାକାମୁଡ଼ି ହେଉଥିବେ ?

 

ମଜାର କଥା ଯେ ତ୍ୟାଗ ଓ ଭୋଗର ଆଧ୍ୟାତ୍ମିକତାର ଗୁଣଗାନ କରୁଥିବା, ପ୍ରତିଦିନ ପ୍ରଥମେ ଗୀତା ଭାଗବତ ନ ପଢ଼ିଲେ ପାଣି ଛୁଉଁ ନ ଥିବା ଲୋକେ ‘ତୃଷ୍ଣାଜୟ’ ଆଦିକୁ ମହାନ୍ ସାଧନାର ବିଷୟ ବୋଲି ଆଡ଼େଇଦେବାରେ ସିଦ୍ଧହସ୍ତ ଥିବାର ଦେଖାଯାଉଛନ୍ତି । ତରକାରିରେ ଲୁଣ ଟିକିଏ ଊଣା ହେଲେ ଆମେ ସହିପାରୁନୁ; ଆଉ ଏତେ ଏତେ ତ୍ୟାଗ କ’ଣ ସହଜ କଥା ? ଗୁରୁକୃପା ହେଲେ ଯାଇ ଯାହା ହେବ ସିନା । ସେତେଦିନଯାଏ ଅମ୍ଳାନ ବଦନରେ କିଳାପୋତେଇ କରି ପଇସା ରୋଜଗାର କରୁଥିବା ଓ ସରକାରୀ ଜମି ବେଆଇନ ଦଖଲ କରି ସେଥିରେ ଏ ପଇସାରେ ଗୁରୁଙ୍କ ପାଇଁ ଦେଉଳ ତୋଳାଇ ତାଙ୍କର କୃପା ପ୍ରାର୍ଥନା କରୁଥିବା ।

 

ଚୀନ ଦେଶରେ ଏ ଦିଗରେ ଏକ ନୂଆ ପ୍ରୟୋଗ ଚାଲିଛି ଯେ ଦେଶର ଶାସକ, ପରିଚାଳକ, ବିଶେଷଜ୍ଞ ଆଦି ଶ୍ରେଣୀ–ଯେଉଁମାନେ ଅନ୍ୟ ଦେଶରେ ଧୋବଧାଉଳିଆ ବୋଲାନ୍ତି, ସେମାନେ କିପରି ସାଧାରଣ ଲୋକଙ୍କଠୁଁ ଅତି ବେଶୀ ସୁବିଧାସୁଯୋଗ ନ ପାଇ ଚଳିବେ । କମ୍ୟୁନ୍‌ରେ ଲୋକେ ନିଜ ପରିବାରର ସମୃଦ୍ଧପାଇଁ ପରିଶ୍ରମ ନ କରି ସାରା କମ୍ୟୁନ୍-ସମାଜର ସମୃଦ୍ଧିପାଇଁ କରିବେ । ମୁଁ ଦେଖୁଛି ଯେ ଦିନକୁ ଦୁଇଥର ଭାରତର ଆଧ୍ୟତ୍ମିକତା, ତ୍ୟାଗ, ତିତିକ୍ଷା ଓ କୃଚ୍ଛ୍ରସାଧନା ବିଷୟରେ ବକ୍ତୃତା ନ ଦେଲେ ଯାହାଙ୍କର ଭାତ ହଜମ ହୁଏ ନାହିଁ, ସେମାନେ ଚୀନରେ ଏ ପରଖ ବିଫଳ ହେବାର ସମ୍ବାଦ ପାଇଲେ ଉତ୍‌ଫୁଲ୍ଲ ହୁଅନ୍ତି । ‘ହ୍ୟୁମାନ୍ ନେଚର’ କୁ (ଆଜିକାଲି କେତେଗୁଡ଼ାଏ ଶବ୍ଦ ଇଂରେଜୀରେ କହିଲେ ବେଶୀ ପ୍ରଭାବଶାଳୀ ଜଣାଯାଏ; ତେଣୁ ମନୁଷ୍ୟପ୍ରକୃତି ବଦଳରେ ‘ହ୍ୟୁମାନ୍ ନେଚର୍’ କହିବାକୁ ହୁଏ) ବଦଳାଇବା କ’ଣ ସମ୍ଭବ ? ‘ପ୍ରଫିଟ୍ ମୋଟିଭ’–ଆଉ ଗୋଟିଏ ସେମିତି କିମିୟା ଥିବା ଶବ୍ଦ–ନଥିଲେ କ’ଣ ଅର୍ଥନୀତି ଚଳିବ ? ତା’ଛଡ଼ା ଆଖର ଆମେ ହେଲୁ ଆଧ୍ୟାତ୍ମବାଦୀ; ଚୀନର ଏ ନୂଆ ବ୍ୟବସ୍ଥା ହେଲା ବସ୍ତୁବାଦୀ !

 

ଆମେ ଟିକିଏ ଆଗରୁ ସାମନ୍ତବାଦୀ ସମାଜରେ ଭୋଗବାସନାର ଅଭିବ୍ୟକ୍ତିର ଆଲୋଚନା କରୁଥିଲୁ । ତା’ପରେ ଏବର ପୁଞ୍ଜିବାଦୀ ଯୁଗକୁ ଆସନ୍ତେ ସେ ଅଭିବ୍ୟକ୍ତିର ରୂପ ବଦଳିଯାଉଥିବାର ଦେଖାଯାଉଛି ଓ ତାହା ଭିତରୁ ଏ ସୂଚନା ବି ମିଳୁଛି ଯେ ବୁଦ୍ଧଦେବଙ୍କର ବର୍ଣ୍ଣିତ ‘ତୃଷ୍ଣା’ ବୋଧହୁଏ ‘ହ୍ୟୁମାନ୍ ନେଚର୍’ ନୁହେଁ–ଏହା ବିଶିଷ୍ଟ ସଭ୍ୟତା ଓ ବିଶିଷ୍ଟ ଆର୍ଥିକ ବ୍ୟବସ୍ଥାରେ ବିଶିଷ୍ଟ ଶ୍ରେଣୀର ଚରିତ୍ରର ଅଭିବ୍ୟକ୍ତି ।

 

ପୁଞ୍ଜିବାଦର ଆରମ୍ଭ ଯୁଗରେ ତ ଶ୍ରମିକଙ୍କୁ ପ୍ରାଣପଣେ ଶୋଷଣ କରି, ପଣ୍ୟଦ୍ରବ୍ୟ ବିଦେଶକୁ ରପ୍ତାନି କରି, ଲାଭ ଅର୍ଜିବା ମନୋବୃତ୍ତି ଥିଲା; ମାତ୍ର କ୍ରମେ ଦେଖାଗଲା ଯେ ଶ୍ରମିକକୁଳ ବି ଶିଳ୍ପ-ଉତ୍ପନ୍ନ ସାମଗ୍ରୀ ପାଇଁ ଏକ ଭଲ ବଜାର; ତେଣୁ ନିଜ ଦେଶର ସାଧାରଣ ଲୋକଙ୍କର ଚାହିଦା ବଢ଼େଇବା ପୁଞ୍ଜିବାଦର ଗୋଟାଏ ପ୍ରଧାନ ଆଭିମୁଖ୍ୟ ହେଇଗଲା । ଏଥିପାଇଁ ବିଜ୍ଞାପନ ମାଧ୍ୟମରେ ଜୋର ପ୍ରଚାର ଚାଲିଲା । ଏବେ ତ ଖବରକାଗଜ, ରେଡ଼ିଓ, ଟେଲିଭିଜନ ଆଦି ସବୁ ପ୍ରକାରର ମାଧ୍ୟମର ସାହାଯ୍ୟ ନିଆଯାଉଛି । ଆଜିକାଲି ଖବରକାଗଜର ଲାଭ ତା’ର ଗ୍ରାହକମାନଙ୍କ ପଇସାରେ ନୁହେଁ । ପାଠକ ତ କୋରା କାଗଜ ଦାମରେ ଖବରକାଗଜ ପାଆନ୍ତି; ଲାଭ ବିଜ୍ଞାପନରୁ । ରେଡ଼ିଓ, ଟେଲିଭିଜନରେ ବି ସେୟା ।

 

ଯେଉଁଠି ସାମନ୍ତବାଦର ନୀତି ଥିଲା ଯେ ସାଧାରଣ ଲୋକ ଅମୁକ ଅମୁକ ପ୍ରକାରର ଭୋଗ୍ୟବସ୍ତୁ ବ୍ୟବହାର କରିପାରିବେ ନାହିଁ, ସେସବୁ ସାମନ୍ତ ଓ ଉଚ୍ଚ ଜାତିଙ୍କ ପାଇଁ ସଂରକ୍ଷିତ ରହିବ, ସେଠି ପୁଞ୍ଜିବାଦର ନୀତି ହେଲା ଲୋକଙ୍କୁ ଅଧିକରୁ ଅଧିକ ପ୍ରକାରର ଭୋଗ୍ୟସାମଗ୍ରୀ ବ୍ୟବହାର କରିବାକୁ ପ୍ରବର୍ତ୍ତାଇବା । ସାମନ୍ତବାଦୀ ସମାଜରେ ସାଧାରଣ ଲୋକେ ଜୀବନର ଅନେକ ସାଧାରଣ ସୁଖ ସୁବିଧାରୁ ବି ବଞ୍ଚିତ ହୋଇ ହାଇଁପାଇଁ ହେଉଥିଲେ । ବଡ଼ଲୋକଙ୍କ ଲୋକଦେଖାଣିଆ ଉପଭୋଗର ଅସୀମ ତୃଷ୍ଣା ପରି ସାଧାରଣ ଲୋକଙ୍କର ଏ ଅଭାବ ବୋଧ ବି ତୃଷ୍ଣା ପରି ଜଣାଯାଉଥିଲା । ଏବେ ପୁଞ୍ଜିବାଦୀ ସମାଜରେ ୟାର ଓଲଟା ଗତିବିଧି ଦେଖିବାକୁ ମିଳିଲାଣି ।

 

ଆମେରିକାରେ ଓ ଅନ୍ୟତ୍ର ଥିବା ବିଶାଳକାୟ ଶିଳ୍ପପ୍ରତିଷ୍ଠାନମାନେ ନିଜ ନିଜର ଉତ୍ପାଦନ ଓ ବ୍ୟବସାୟ ବଢ଼େଇଚାଲିବା, ନିଜ ନିଜର ଆତ୍ମସମ୍ମାନ ଓ ଟେକ ବଜାୟ ରଖିବା ପାଇଁ ଜରୁରୀ ବୋଲି ବିଚାରୁଛନ୍ତି । ସେମାନଙ୍କ ପାଖରେ ଯେଉଁ ବିପୁଳ ଲାଭ ଜମା ହେଉଛି, ତାକୁ ବି ପୁଣି କାମରେ ଲଗେଇବାର ପ୍ରଶ୍ନ ଉଠୁଛି; ନ ହେଲେ ଏତେ ପଇସା ବ୍ୟାଙ୍କରେ ନିକମା ପଡ଼ିରହିଲେ ସାରା ଅର୍ଥନୀତିକୁ ବିଗାଡ଼ିଦେବ । ମାତ୍ର ପ୍ରତିବର୍ଷ ଏ ଯେଉଁ ଉତ୍ପାଦନ ବଢ଼ିଚାଲିଛି, ତା’କୁ ତ ଲୋକେ ସ୍ୱାଭାବିକ ଭାବରେ କିଣିବାକୁ ମନ କରିବେ ନାହିଁ । ସେଥିପାଇଁ ନୂଆ ନୂଆ ସୂକ୍ଷ୍ମ ଉପାୟ ଅବଲମ୍ୱନ କରାଯାଉଛି । ଏଭଳି ସବୁ ଉପାୟ ବାହାର କରିବାପାଇଁ ସମାଜବିଜ୍ଞାନ, ମନୋବିଜ୍ଞାନ ଆଦିର ଗବେଷଣାରେ ହଜାର ହଜାର ବୈଜ୍ଞାନିକଙ୍କୁ ଲଗାଯାଇ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ତେବେ ଯାଇ ଲୋକେ ଏତେ ଜିନିଷ କିଣିବାକୁ ପ୍ରବୃତ୍ତ ହେଉଛନ୍ତି । ମଟରଗାଡ଼ି ପ୍ରଭୃତିର ପ୍ରତିବର୍ଷ ନୂଆ ମଡ଼େଲ ବାହାରୁଛି ଓ ପୁରୁଣାକୁ ଫିଙ୍ଗିଦେଇ ନୂଆ ନ କିଣିଲେ ସମାଜରେ ତେମେ ପଛୁଆ ହେଇଯିବ ବୋଲି ବାତାବରଣ ସୃଷ୍ଟି କରାହେଉଛି । ମଟର, ରେଡ଼ିଓ, ଟେଲିଭିଜିନ ପ୍ରଭୃତି ଏଭଳି ତିଆରି ହେଉଛି ଯେ ତାହା ବେଶୀ ଦିନ ଯିବ ନାହିଁ; ମରାମତ କରିବା ଅପେକ୍ଷା ଫିଙ୍ଗି ଦେବାଟାକୁ ଉତ୍ସାହିତ କରାଯାଉଛି । ଯଦି କୃତ୍ରିମ ଉପାୟରେ ଲୋକଙ୍କୁ ନାନା ଭୋଗ୍ୟବସ୍ତୁ କିଣିବାପାଇଁ ପ୍ରବର୍ତ୍ତା ନ ଯାନ୍ତା, ତେବେ ଚାହିଦାର ସୀମା କେବଠୁଁ ଆସିଯାଆନ୍ତାଣି ।

 

ଏ ବିଷୟରେ ବିଶିଷ୍ଟ ଅର୍ଥନୀତିଜ୍ଞ ଜନ୍ କେନେଥ୍ ଗଲ୍‌ବ୍ରେଥ୍ ତାଙ୍କର ପ୍ରସିଦ୍ଧ ବହି ‘‘ନୂଆ ଶିଳ୍ପପ୍ରଧାନ ରାଷ୍ଟ୍ର’’ରେ (The New Industrial State) ଲେଖିଛନ୍ତି :

 

‘‘ଏହାର (ନୂଆ ଶିଳ୍ପ-ସଙ୍ଗଠନର) ଆଉ ଏକ ପରିଣାମ ହେଲା ଯେ ମଣିଷର ପ୍ରାଥମିକ ଶାରୀରିକ ଅନୁଭୂତି ସହିତ ସମ୍ୱନ୍ଧ ଥିବା ଯଥା : କ୍ଷୁନ୍ନିବୃତ୍ତି କରୁଥିବା, ଶୀତରୁ ରକ୍ଷାକରୁଥିବା, ଆଶ୍ରୟ ଯୋଗାଉଥିବା, କଷ୍ଟ ନିବାରଣ କରୁଥିବା ଭଳି ପଣ୍ୟଦ୍ରବ୍ୟର ଉତ୍ପାଦନ ମୋଟ ଉତ୍ପାଦନର ଗୋଟାଏ କ୍ରମକ୍ଷୟିଷ୍ଣୁ ଅଂଶରେ ପରିଣତ ହେଲାଣି । ମଣିଷ ବଞ୍ଚିତ ହେଲେ ଯେଉଁ ସ୍ପଷ୍ଟ ଆସ୍ୱାଚ୍ଛନ୍ଦ୍ୟ ଅନୁଭବ କରେ ସେଭଳି ଅଭାବ ପୂରଣ କରିବା କାମ ଏବେ ଉତ୍ପାଦିତ ହେଉଥିବା ଅଧିକାଂଶ ପ୍ରକାରର ପଣ୍ୟଦ୍ରବ୍ୟ ଦ୍ୱାରା ହୁଏ ନାହିଁ; ମାତ୍ର ଏସବୁ ଜିନିଷ ହସ୍ତଗତ କରିବା ଦ୍ୱାରା ମଣିଷ ଯେଉଁ କେତେକ ମାନସିକ ପ୍ରତିସ୍ପନ୍ଦ ଅନୁଭବ କରେ, ତାହାରି ଯୋଗୁଁ ଏସବୁର ଆବଶ୍ୟକତା ସେ ଅନୁଭବ କରେ । ଏହାଦ୍ୱାରା ସେ ଏକ ବ୍ୟକ୍ତିଗତ କୃତିତ୍ୱର ଅନୁଭୂତି ପାଏ । ତା’ର ପଡ଼ୋଶୀମାନଙ୍କ ସହିତ ସମାନତାର ଅନୁଭୂତି ତା’କୁ ଏଥିରୁ ମିଳେ । ଏସବୁ ଦ୍ରବ୍ୟ ତା’ର ମନକୁ ଚିନ୍ତନରୁ ଦୂରେଇ ନେଇଯାଏ, ତା’ର ଯୌନ ଅଭିଳାଷ ପୂରଣ କରେ । ଏସବୁ ଦ୍ରବ୍ୟ ବ୍ୟବହାର କଲେ ସେ ସମାଜରେ ଆଦୃତ ହେବ ବୋଲି ତାକୁ ଆଶ୍ୱାସନା ମିଳେ । ସେ ନିଜକୁ ନିଜେ ଅଧିକ ସୁସ୍ଥ ଓ ନିରୋଗ ବୋଲି ବା ତା’ର କ୍ଷୁଦ୍ର ଅନ୍ତର ସଙ୍କୋଚନ ପ୍ରସାରଣ ଭଲ ଚାଲିଛି ବୋଲି ମନେକରେ । ଗତାନୁଗତିକ ମାପକାଠିରେ ତା’ର ବ୍ୟକ୍ତିଗତ ସୌନ୍ଦର୍ଯ୍ୟ ବୃଦ୍ଧି ହେଉଛି ବୋଲି ବିଚାରେ ବା ଅନ୍ୟଭାବରେ ମନୋବୈଜ୍ଞାନିକ ସନ୍ତୋଷ ତାକୁ ମିଳୁଛି ବୋଲି ସେ ଅନୁଭବ କରେ ।’’ (ପୃ. ୨୧୧)

 

ପୁଣି :

 

‘‘ଚାହିଦାକୁ ନିୟନ୍ତ୍ରଣ କରିବା ସାଙ୍ଗେ ସାଙ୍ଗେ ଯେଉଁ ବିପୁଳ ଓ କୁଶଳତାପୂର୍ଣ୍ଣ ପ୍ରବର୍ତ୍ତନା ଚାଲେ ତାହା ନ ଥିଲେ ପ୍ରାଚୁର୍ଯ୍ୟ ବଢ଼ିବା ସହିତ ଅଧିକ ଭୋଗ୍ୟବସ୍ତ ହସ୍ତଗତ କରିବାରେ ଲୋକଙ୍କର ସ୍ପୃହା ଊଣା ହେଇଯାଆନ୍ତାଣି । ସେମାନଙ୍କୁ ଯେଉଁ ସବୁ ଉତ୍ପାଦିତ ସାମଗ୍ରୀ ଘେରିରହିଛି–ମଟର ଗାଡ଼ି, ବିବିଧ ଘରକରଣା ଯନ୍ତ୍ର, ପରିଷ୍କାରକ (ଡିଟରଜେଣ୍ଟ), ପ୍ରସାଧନ ସାମଗ୍ରୀ–ସେସବୁର ସଂଖ୍ୟା ବଢ଼ାଇବାର ଆବଶ୍ୟକତା ସେମାନେ ଅନୁଭବ କରନ୍ତେ ନାହିଁ । କେହି ଯଦି ସେମାନଙ୍କୁ ନୂଆ ନୂଆ ପୁଟୁଳିବନ୍ଧା ସାମଗ୍ରୀ, ନୂଆ ପ୍ରକାରର ପ୍ରସ୍ତୁତ ଖାଦ୍ୟ, ନୂଆ ଉଦ୍‌ଭାବିତ ଦନ୍ତମଞ୍ଜନ, ନୂଆ ବେଦନାନାଶକ ବା ପୁରୁଣା ସାମଗ୍ରୀର ନୂଆ ନୂଆ ସଂସ୍କରଣ କିଣିବା ପାଇଁ ନ ପ୍ରବର୍ତ୍ତାନ୍ତେ, ତେବେ ଏ ସବୁ ସାମଗ୍ରୀର ଆବଶ୍ୟକତା ଉପଲବ୍‌ଧି ନ କରିବାରୁ ସେମାନେ ସେମାନଙ୍କର ଆୟ ଯେ ଭୋଗ୍ୟବସ୍ତୁ ସବୁ କିଣିବା ପାଇଁ ଖର୍ଚ୍ଚ କରିବେ ହିଁ କରିବେ, ଏଭଳି ନିଶ୍ଚିତତା ରହନ୍ତା ନାହିଁ ଓ ତେଣୁ ଅଧିକ ରୋଜଗାର କରିବା ଉଦ୍ଦେଶ୍ୟରେ ଯେ ସେମାନେ ନିୟମିତ ପରିଶ୍ରମ କରିବେ ଏ କଥାର ବି କିଛି ସ୍ଥିରତା ରହନ୍ତା ନାହିଁ । ଲୋକଙ୍କ ଭିତରେ ଭୋଗ୍ୟବସ୍ତୁ ଉପଭୋଗ କରିବାର ଏକ ହ୍ରାସ ପାଉଥିବା ଓ ଊଣା ନିର୍ଭରଯୋଗ୍ୟ ହେଇଥିବା ପ୍ରବୃତ୍ତିର ପରିଣାମ ଶିଳ୍ପବ୍ୟବସ୍ଥା ପକ୍ଷରେ ବଡ଼ ଅଡ଼ୁଆ ସୃଷ୍ଟି କରନ୍ତା । ଏ ଶିଳ୍ପବ୍ୟବସ୍ଥାର ଚାହିଦା ହେଲା ଏୟା ଯେ ଅଧିକରୁ ଅଧିକ ଭୋଗ୍ୟବସ୍ତୁ ସଂଗ୍ରହ କରିବାର ଆାକାଂକ୍ଷାକୁ ସୀମାବଦ୍ଧ କରିବା ନିମନ୍ତେ କୌଣସି ଦିଗନ୍ତ ନ ଥିବ ଓ ଲୋକେ ଏ ସୀମାହୀନ ଆକାଂକ୍ଷା ପୂରଣ ପାଇଁ ଖଟିଚାଲିଥିବେ । ଯଦି ଲୋକେ ଗୋଟାଏ ସୀମା ପର୍ଯ୍ୟନ୍ତ ପ୍ରାଚୁର୍ଯ୍ୟ ହାସଲ କରିବା ପରେ କାମ କରିବା ବନ୍ଦ କରିଦେବେ, ତେବେ ଏ ବ୍ୟବସ୍ଥାର ଅଭିବୃଦ୍ଧି ବନ୍ଦ ହେଇଯିବ । ତାହା ହେଲେ ଅଭିବୃଦ୍ଧି ଆଉ ଲକ୍ଷ୍ୟ ହେଇ ରହିପାରିବ ନାହିଁ । ତେଣୁ ବିଜ୍ଞାପନ ଓ ତାହା ସହିତ ସମ୍ବନ୍ଧିତ ଅନ୍ୟ କଳାଗୁଡ଼ିକ ସେହି ପ୍ରକାରର ମଣିଷର ବିକାଶ କରିବାରେ ସାହାଯ୍ୟ କରୁଛନ୍ତି ଯେଉଁ ମଣିଷ ଏ ଶିଳ୍ପବ୍ୟବସ୍ଥା ଆବଶ୍ୟକ କରୁଥିବା ଲକ୍ଷ୍ୟ ଧରି ଚାଲିବ, ଅର୍ଥାତ୍ ଯେ ତା’ର ଆୟକୁ ନିର୍ଭରଯୋଗ୍ୟ ଢଙ୍ଗରେ ଖର୍ଚ୍ଚ କରୁଥିବ ଓ ନିର୍ଭରଯୋଗ୍ୟ ଢଙ୍ଗରେ କାମ କରି ଚାଲିଥିବ; କାରଣ ସେ ସବୁବେଳେ ଆହୁରୀ ବେଶୀ ବେଶୀ (ଭୋଗ୍ୟବସ୍ତୁ) ଚାହୁଁଥିବ ।’’ (ପୃ. ୨୧୯).

 

ଲୋକେ ଖଟିବେ ଓ ଭୋଗ୍ୟବସ୍ତୁ ସଂଗ୍ରହ କରିବେ ନିଜର ଉପଭୋଗ ପାଇଁ ନୁହେଁ, ଶିଳ୍ପବ୍ୟବସ୍ଥାକୁ ଚାଲୁରଖିବା ପାଇଁ । ମଣିଷର ନିତିଦିନିଆ ଜୀବନର ପ୍ରତ୍ୟେକ କାର୍ଯ୍ୟକଳାପକୁ ଏଇ ଦୃଷ୍ଟିରେ ଦେଖାଯାଉଛି ଯେ, ଯେପରି କାହାରି ନା କାହାରି ପକେଟ ଗରମ କରିବାରେ ସାହାଯ୍ୟ ନ କରି କେହି ନିଜର ପ୍ରବୃତ୍ତି ମେଣ୍ଟଣ ବା ଅଭାବ ପୂରଣ ପାଇଁ କୌଣସି କାର୍ଯ୍ୟ କରିପାରିବ ନାହିଁ । ଖାଦ୍ୟ ଟିଣରେ ଭରାହେଇଥିବା ହିଁ ମିଳିବ, ଘର ଅପେକ୍ଷା ହୋଟେଲର ଆକର୍ଷଣ ବେଶୀ ହେବ, ଖେଳ କସରତ୍‍ ମାନେ ଟିକେଟ୍ କିଣି ଦୁଇ ଜଣ ପେଶାଦାର ମୁଷ୍ଟିଯୋଦ୍ଧା ବା ବାଇଶ ଜଣ ପେଶାଦାର ବେସ୍‌ ବଲ୍ ଖେଳାଳିଙ୍କ ଲମ୍ଫଝମ୍ଫ ଦେଖିବା । ଏ ଖେଳାଳିମାନେ ଲକ୍ଷ ଲକ୍ଷ ଡଲାର ଆୟ କରୁଥିବେ ଓ ସେମାନଙ୍କର ପରିଚାଳକ ସଂସ୍ଥା ଆୟ କରୁଥିବ କୋଟି ପରିମାଣରେ । ଶିଳ୍ପ, କଳା, ସଂଗୀତ ବି ସେହିପରି । ଅବସରବିନୋଦନର ଅର୍ଥ ହେଲା ବଉଁଶଯାକ ଟେଲିଭିଜନରେ ଆଖି, କାନ ସାଁଟି ଦେଇ ବସିଯାଇଥିବେ; ଯଦି ସ୍ୱାମୀ, ସ୍ତ୍ରୀ, ପିଲାମାନେ ପରସ୍ପର ଭିତରେ ଗପ କରି ସମୟ କଟେଇବେ, ତେବେ ଟେଲିଭିଜନ କମ୍ପାନୀକୁ ବିଜ୍ଞାପନରୁ କମ୍‌ ଲାଭ ମିଳିବ ଯେ । ଏପରି କି ଯୌନସମ୍ଭୋଗର ଆନନ୍ଦ ମଧ୍ୟ ସ୍ୱାମୀ ସ୍ତ୍ରୀ ଭିତରେ ବିନା ପଇସାରେ ମିଳିଗଲେ କେମିତି ଚଳିବ ? ସେଥିପାଇଁ ସିନେମାରେ ଯୌନ ଅଭିବ୍ୟକ୍ତିର ଉଗ୍ର ଚିତ୍ର, ଷ୍ଟ୍ରିପ୍‌ଟୀଜ ଅଭିନୟ, ହୋଟେଲ, ବଜାରରେ ପଇସା ଉଡ଼େଇବାକୁ ହେବ ।

 

ଏହିରୂପେ ସାଧାରଣ ଖାଉଟିଙ୍କ ଭିତରେ ଲାଗିପଡ଼ି କୃତ୍ରିମ ଉପାୟରେ ଅସୀମ ତୃଷ୍ଣା ସୃଷ୍ଟି କରାଯାଉଛି ଓ ତାକୁ ପୂରଣ କରିବା ପାଇଁ ସାରା ଦୁନିଆର କଞ୍ଚାମାଲ ଓ ପ୍ରାକୃତିକ ସମ୍ପଦ ବର୍ବାଦ କରାଯାଉଛି । କୁହାଯିବ ଯେ ଶିଳ୍ପବ୍ୟବସାୟର ମାଲିକମାନଙ୍କଠାରେ ତ ଅସୀମ ତୃଷ୍ଣା ରହିଛି–ଅଧିକରୁ ଅଧିକ ଲାଭ କରିବାର ତୃଷ୍ଣା । ଆମର ବକ୍ତବ୍ୟ ତ ସେୟା ଯେ ଏ ଅସୀମ ତୃଷ୍ଣା ବିଶେଷ ଯୁଗରେ ବିଶେଷ ଶ୍ରେଣୀର ଚରିତ୍ର, ସାରା ମଣିଷ ଜାତିର ନୁହେଁ । ଏ ମାଲିକ ଓ ପରିଚାଳକ ଗୋଷ୍ଠୀରେ ତୃଷ୍ଣା ମଧ୍ୟ କେବଳ ଲାଭ ପାଇଁ ନୁହେଁ । ଗାଲବ୍ରେଥ କହୁଛନ୍ତି ଯେ ଅଧିକରୁ ଅଧିକ ଲାଭ ଅର୍ଜିବା ଆଉ ଆଧୁନିକ ପୁଞ୍ଜିବାଦର ମୁଖ୍ୟ ପ୍ରେରଣା ନୁହେଁ । ଅନ୍ୟାନ୍ୟ ପ୍ରକାରର ଅନ୍ୟ ସବୁ ପ୍ରେରଣା ବା ପରିସ୍ଥିତିର ବାଧ୍ୟବାଧକତା ମଧ୍ୟ କାମ କରୁଛି । ଉତ୍ପାଦନର ଯୋଜନା ଯେପରି ବିଫଳ ନ ହୋଇଯାଏ, ସେଥିପାଇଁ ବିକ୍ରି ବ୍ୟବସ୍ଥାକୁ ହାତମୁଠାରେ ରଖିବା, ଯେଉଁ ଲାଭ କଉଡ଼ି ଜମା ହେଉଛି ତା’କୁ ପୁଣି ବ୍ୟବସାୟରେ ନ ଖଟେଇଲେ ସେଥିଯୋଗୁଁ ଅର୍ଥନୀତିରେ ଉପୁଜିବା ଅବ୍ୟବସ୍ଥା, ସଂସ୍ଥାମାନଙ୍କର ପ୍ରତିଷ୍ଠା ଓ ଆତ୍ମସମ୍ମାନର ଚାହିଦା-ଏହି ସବୁ କାରଣ ମଧ୍ୟ କାମ କରୁଛି । ଏଥିର ଆଲୋଚନା ଏଠି ବିସ୍ତୃତ ଭାବରେ କରିବାର ଅବକାଶ ନାହିଁ; ମାତ୍ର ଏତିକି କୁହାଯାଇପାରେ ଯେ ପୁଞ୍ଜିବାଦୀ ଢଙ୍ଗରେ ଚାଲୁଥିବା ବୃହଦାକାର ଯନ୍ତ୍ରଶିଳ୍ପର ଏ ଏକ ପରିଣତି ।

 

ଏହାର ଛିଟିକା ଆମ ଦେଶରେ ବି ବାଜିଲାଣି । ଖବରକାଗଜ ଖୋଲିଲେ ଆମେ ଏ ପ୍ରକାରର ସବୁ ପ୍ରଚାରର ଅଜସ୍ର ନମୁନା ପାଇବା । ଅମୁକ ମାର୍କା ଲୁଗାର ପୋଷାକ ପିନ୍ଧିଥିଲେ ଝିଅମାନେ ତମକୁ ଦେଖି ଚେତା ହରେଇଦେବେ, ଅମୁକ କମ୍ପାନୀର ଶାଢ଼ି ପିନ୍ଧିଲେ ପୁଅମାନେ ତୁମକୁ ଭଅଁର ପରି ଘେରିରହିବେ, ଅମୁକ ଜୋତାପାଲିଶ୍ ବ୍ୟବହାର କଲେ ତମ କମ୍ପାନୀର ବସ୍‌ ତମକୁ ଜୁଆଁଇ କରିନେବେ, ଅମୁକ ନେକ୍‌ଟାଇ ପିନ୍ଧିଲେ ଲୋକେ କହିବେ–ହଁ, ୟେ ପ୍ରକୃତ ମରଦ୍‌ କା ବଚା । ଅମୁକ ଦନ୍ତମଞ୍ଜନ ବ୍ୟବହାର କଲେ ତମ ହସରୁ ମୁକ୍ତା ଝରିବ, ଅମୁକ ଟିଣ-ଦୁଧ ମା’ ଦୁଧ ଅପେକ୍ଷା ବି ଶିଶୁ ପକ୍ଷରେ ବେଶୀ ଉପକାରୀ, ଏମିତି ସବୁ ମଣିଷକୁ ଟିହେଇବାର, ଉସ୍‌କେଇବାର ଅସଂଖ୍ୟ କୌଶଳ ।

 

(୩)

 

ଶହେ ବର୍ଷ ତଳର ଦକ୍ଷିଣ-ଆଫ୍ରିକାର ଆଉ ଏକ ପରିସ୍ଥିତି ମହାତ୍ମା ଗାନ୍ଧୀ ତାଙ୍କର ଆତ୍ମକଥାରେ ବର୍ଣ୍ଣନା କରିଛନ୍ତି । ସେଠି ଗୋରାମାନେ ପହଞ୍ଚି ବଡ଼ ବଡ଼ କୃଷିକ୍ଷେତ୍ର ଓ ଖଣି ବ୍ୟବସାୟ ଆରମ୍ଭ କରିବା ପାଇଁ ଉଦ୍ୟମ କରିବାରୁ ସେଥିପାଇଁ ବହୁସଂଖ୍ୟାରେ ଶ୍ରମିକ ଲୋଡ଼ା ହେଲେ । ସେଠାର ଆଦିମ ଅଧିବାସୀ ଜୁଲୁ ଓ ଅନ୍ୟ ଜାତିମାନେ ଏ ପ୍ରକାରେ ମଜୁରି ଖଟିବା ପାଇଁ ପ୍ରସ୍ତୁତ ନ ଥିଲେ । ସେମାନଙ୍କର ନିତ୍ୟ ପ୍ରୟୋଜନୀୟ ବସ୍ତୁର ଆବଶ୍ୟକତା ବେଶୀ ନ ଥିଲା । ତେଣୁ ସେମାନଙ୍କୁ ମୂଲ ଖଟିବାକୁ ବାଧ୍ୟ କରିବା ପାଇଁ ସେମାନଙ୍କ ଉପରେ ମୁଣ୍ଡ ପିଛା ଚଢ଼ା ଟିକସ ବସାହେଲା, ଯାହା ପଇସା ଆକାରରେ ପଇଠ କରିବାକୁ ହେବ ଓ ଏ ପଇସା ରୋଜଗାର କରିବା ପାଇଁ ସେମାନେ ମୂଲ ଲାଗିବାକୁ ବାଧ୍ୟ ହେବେ । ପୁଣି ସେ ଦେଶରେ ବିଲାତି ଲୁଗାର କାଟ୍‌ତି ବଢ଼େଇବା ପାଇଁ ଆଇନ ଜାରି କରାହେଲା ଯେ ଆଦିବାସୀମାନେ ସହରକୁ ଆସିବାବେଳେ କାନ୍ଧରୁ ଆଣ୍ଠୁଯାଏ ଲୁଗା ଘୋଡ଼େଇ ହେବାକୁ ବାଧ୍ୟ ।

 

ଆମରି କୋରାପୁଟରେ ଗ୍ରାମଦାନ ଆନ୍ଦୋଳନ ପରେ ପରେ ଗ୍ରାମ ପୁନର୍ଗଠନ କାମ ଆରମ୍ଭ ହେବାବେଳେ ଏହିଭଳି ସମସ୍ୟା ଉଠିଥିଲା । ଦେଖାଗଲା ଯେ ଆଦିବାସୀମାନେ ଲଗାତାର ସବୁଦିନେ କାମ କରିବାକୁ ଚାହାନ୍ତି ନାହିଁ । ଦିନେ କାମ କରି ଦୁଇ ଚାରି ଟଙ୍କା ପାଇଗଲେ ଦିନେ ଦୁଇଦିନ ଘରେ ବସିଯାନ୍ତି । କେବଳ କୋରାପୁଟ କାହିଁକି, ଏ ଦେଶରେ ସର୍ବତ୍ର ଅଧିକାଂଶ ଆଦିବାସୀ ସମାଜରେ ଏହି ମନୋବୃତ୍ତି ରହିଛି । ଜୀବନ ଉପଭୋଗ କରିବା ଅର୍ଥ କେବଳ ଭୋଗର ଉପକରଣ ସଂଗ୍ରହ କରିବା ବୋଲି ସେମାନେ ବୁଝନ୍ତି ନାହିଁ । ବନ୍ଧୁବାନ୍ଧବ, ଜ୍ଞାତିକୁଟୁମ୍ବଙ୍କ ସାଙ୍ଗରେ ଦେଖାସାକ୍ଷାତ ଓ ଆଡ଼୍‌ଡ଼ା, ନାଚଗୀତ, ବଣ-ଜଙ୍ଗଲରେ ବୁଲିବା, ମେଳା-ମଉଚ୍ଛବ ଆଦିରୁ ସେମାନେ ଆନନ୍ଦ ପାଆନ୍ତି । ଏସବୁ ପାଇଁ ସେମାନଙ୍କର ତୃଷ୍ଣା ଅସୀମ ନୁହେଁ; ଗୋଟିଏ ଗୋଟିଏ ସମୟରେ ଗୋଟିଏ ଗୋଟିଏ ପ୍ରକାରର ଉପଭୋଗର ଚାହିଦା ସେମାନେ ଅନୁଭବ କରନ୍ତି । ଋତୁଚକ୍ର ପରି ଏସବୁର କ୍ରମ ସେମାନଙ୍କର ଜୀବନରେ ଚାଲିଥାଏ ।

 

ପୃଥିବୀରେ ଅନ୍ୟତ୍ର ମଧ୍ୟ ଶହ ଶହ ଆଦିବାସୀ ସଭ୍ୟତାର ଅଧ୍ୟୟନ ହେଇଛି ଓ ସେସବୁଥିରୁ ଅନେକ ସମାଜରେ ମଧ୍ୟ ଏହିଭଳି ଚରିତ୍ର ଦେଖିବାକୁ ମିଳିଛି ।

 

ଥରେ ଏ ବିଷୟରେ ଆଲୋଚନାବେଳେ ଜଣେ ବନ୍ଧୁ ମନ୍ତବ୍ୟ କଲେ ଯେ ସେମାନଙ୍କର ଏ ସ୍ୱଭାବ ସେମାନଙ୍କର ଅଶିକ୍ଷିତପଣର ପରିଣାମ । ଅଧିକ ସଭ୍ୟ ଲୋକେ ଯେଉଁ ସବୁ ସୁଖ-ସମ୍ଭୋଗ ଉପଭୋଗ କରନ୍ତି, ସେସବୁର ସ୍ୱାଦ ସେମାନେ ଜାଣିନାହାନ୍ତି । ମୋର ବକ୍ତବ୍ୟ ମଧ୍ୟ ଠିକ୍‌ ସେୟା । ମଣିଷର ଭୋଗବାସନାର ଯେଉଁ ରୂପ ମମେ ରାଜାରାଜୁଡ଼ା, ସଚିବାଳୟ ହାକିମ, ମାଲବାର ହିଲ୍‍ର ଆମେରିକାନ୍ ନାଗରିକଠାରେ ଦେଖୁଛୁ, ତାହା ମଣିଷର ଭୋଗସ୍ପୃହାର ଅନିବାର୍ଯ୍ୟ ଅଭିବ୍ୟକ୍ତି ନୁହେଁ । ସେଇଟା ଶିକ୍ଷା ଓ ସଂସ୍କାରର ପରିଣାମ । ଏ ଶିକ୍ଷା ଓ ସଂସ୍କାର ଗୋଟାଏ ଗୋଟାଏ ଯୁଗରେ, ଗୋଟାଏ ଗୋଟାଏ ପ୍ରକାରର ଆର୍ଥିକ ବ୍ୟବସ୍ଥାରେ ଓ ସମାଜିକ ଆଦର୍ଶର ବାତାବରଣରେ ଗୋଟାଏ ଗୋଟାଏ ପ୍ରକାରର ହେଇଛି । ଯୌନବାସନା ପ୍ରତ୍ୟେକ ବ୍ୟକ୍ତିର ଜନ୍ମଗତ ବୃତ୍ତି; ମାତ୍ର ହଜାରେ ସ୍ତ୍ରୀଲୋକଙ୍କର ହାରେମ ଏକତ୍ର କରିବା ନୁହେଁ । ତାହା କେବଳ ଶାସକଶ୍ରେଣୀ, କ୍ଷମତାଶାଳୀ ଗୋଷ୍ଠୀଙ୍କ ଭିତରେ ହିଁ ‘ଅସୀମ ତୃଷ୍ଣା’ ର ରୂପ ନେଇଥିବାର ଦେଖାଯାଇଛି ବା ଆଧୁନିକ ପୁଞ୍ଜିବାଦୀ ବ୍ୟବସ୍ଥାର ସ୍ୱାର୍ଥ ହାସଲପାଇଁ ସାଧାରଣ ଲୋକଙ୍କ ଚରିତ୍ରରେ ତାହା ଦାଖଲ କରିବାପାଇଁ ଉଦ୍ୟମ ହେଇଛି । ଏ ସମସ୍ୟାକୁ ବା ଜୀବନରେ ସମତାଯୁକ୍ତ ଆଚରଣକୁ ସେପରି ଉତ୍କଟ ଓ ଜଟିଳ ମନେକରାଯାଉଛି, ତାହା ସେଭଳି ନୁହେଁ । ପ୍ରାଚୀନ ପରମ୍ପରାର ‘ତ୍ୟାଗ ପାଇଁ ତ୍ୟାଗ’’ ଓ ଆଧୁନିକ ପୁଞ୍ଜିବାଦର ‘‘ଭୋଗ ପାଇଁ ଭୋଗ’’, ସାଆନ୍ତିଆ ପୌଢ଼ୀ ଓ ଜାତିଗତ ଅଭିମାନ, ଶ୍ରେଣୀଗତ ପ୍ରତିଷ୍ଠା ଓ ସାମାଜିକ ସଂସ୍ଥାର ଚାହିଦା ଆମ ଉପରେ ତ୍ୟାଗ ଓ ଭୋଗର ଯେଉଁ ସବୁ ଧରାବନ୍ଧା ନମୁନା ଲଦିଦେଇଛି, ସେସବୁରୁ ନିଜକୁ ମୁକ୍ତ କଲେ ନୂଆ ସମାଜର ନୂଆ ମଣିଷ ଭାବରେ ନିଜକୁ ଗଢ଼ିବା ଆଦୌ କଠିନ ହେବ ନାହିଁ ।

 

ଅନେକ ସମୟରେ ଉପଦେଶ ଦିଆଯାଇଥାଏ ଯେ ମଣିଷ ଯାହା ବେଶୀ ଭଲ ପାଏ, ତାକୁ ତ୍ୟାଗ କରିବା ଉଚିତ । ଅନେକେ ଜଗନ୍ନାଥ ଦର୍ଶନ କରି ପୁରୀ ଆସିଲେ ନିଜର କୌଣସି ପ୍ରିୟ ଖାଦ୍ୟ ଜଗନ୍ନାଥଙ୍କୁ ଅର୍ପଣ କରନ୍ତି; ଆଉ ଖାଆନ୍ତି ନାହିଁ । ଗାନ୍ଧୀଜୀଙ୍କ ଆତ୍ମକଥାରେ ଅଛି ଯେ ସେ ଥରେ ତାଙ୍କର ସହକର୍ମୀ କାଲେନ୍‌ବାକ୍‌ଙ୍କୁ ତାଙ୍କର ପ୍ରିୟ ଦୂରବୀଣଟିଏ ସମୁଦ୍ରକୁ ଫିଙ୍ଗିଦେବା ପାଇଁ ପ୍ରବର୍ତ୍ତାଇଥିଲେ । ବିନୋବା ଥରେ ଅନୁଭବ କଲେ ବହି ପଢ଼ିବାଟା ଗୋଟାଏ ଆସକ୍ତି; ସେଥିରୁ ମୁକ୍ତ ହେବାକୁ ହେବ । ତେଣୁ ସେ ପଦଯାତ୍ରାରେ ସାଙ୍ଗରେ ଥିବା ବହିସବୁ ଆଶ୍ରମକୁ ଫେରେଇ ପଠେଇଲେ । ବେଳେବେଳେ ମଣିଷ କୌଣସି ଏକ ବସ୍ତୁକୁ ବା ଅଭ୍ୟାସକୁ, ସେ ବସ୍ତୁ ବା ଅଭ୍ୟାସର ପ୍ରକୃତ ଉପଯୋଗିତା ଯୋଗୁଁ ନୁହେଁ, କୌଣସି ଏକ ଅସ୍ୱାଭାବିକ ମାନସିକ ଅବସ୍ଥା ଯୋଗୁଁ ଜାବୁଡ଼ି ଧରିଥାଏ । ସେପରି ଲୋକ ପକ୍ଷରେ ବହିପଢ଼ା ଜ୍ଞାନ ଆହରଣ ଓ ଅନୁଭୂତି ବିନିମୟର ମାଧ୍ୟମ ନ ହୋଇ ଜୀବନର କୌଣସି ଜଟିଳ ସମସ୍ୟାରୁ ପଳେଇ ବୁଲିବାର ଉପାୟ ହୁଏ । ଦେଖାଯାଇଛି ଯେ ସନ୍ତାନହୀନା ସ୍ତ୍ରୀଲୋକଙ୍କର ନାନାପ୍ରକାରର ଜିନିଷ ସଂଗ୍ରହ କରିବାର ନିଶା ଘୋଟେ । କୃପଣତାର କାରଣ ମଧ୍ୟ ଜଟିଳ ମାନସିକ ଅସ୍ୱାଭାବିକତା ବୋଲି ମନୋବୈଜ୍ଞାନିକମାନେ କହନ୍ତି । କାହାରି କାହାରି ଅତ୍ୟଧିକ ସ୍ତ୍ରୀ ସହବାସର ତୃଷ୍ଣା ପଛରେ ନ୍ୟୁନତାବୋଧ, ଜୀବନରେ ବିଫଳତାର ଅନୁଭୂତି ବା ସେହିପରି ଅନ୍ୟ ଜଟିଳ ଓ ଗହନ କାରଣ ଥାଏ । ଏସବୁ କ୍ଷେତ୍ରରେ ସ୍ଥୂଳ ତ୍ୟାଗ, ସଂଯମ ଆଦିର ଉପଦେଶ ବା ଚେଷ୍ଟା ଦ୍ୱାରା କୌଣସି ଫଳ ହେବାର ନୁହେଁ । ଯେଉଁ ଅସ୍ୱାଭାବିକ ବା ଅସୁସ୍ଥ ମାନସିକ ସ୍ଥିରତା ଏଭଳି ଆଚରଣ ଲକ୍ଷଣ ମାତ୍ର, ସେ ସ୍ଥିତିକୁ ସୁଧାରିବାର ଉଦ୍ୟମ ଆବଶ୍ୟକ ।

 

ଆମ ଦେଶରେ କୃଚ୍ଛ୍ରସାଧନାର ପରମ୍ପରା ଅନୁସାରେ ଅନୁସାରେ ଦେହକୁ ଆଧ୍ୟାତ୍ମିକ ବିକାଶପଥରେ ଏକ ବିଘ୍ନ ବା ଶତ୍ରୁ ମନେ କରାଯାଏ । ଗ୍ରୀକ୍‌ ପୁରାଣରେ ନାର୍ସିସସ୍‌ ପରି ନିଜ ପ୍ରେମରେ ନିଜେ ବିଭୋର ହୋଇ ରହିବା ଯେପରି ଏକ ମାନସିକ ଅସ୍ୱାସ୍ଥ୍ୟର ଲକ୍ଷଣ, ନିଜ ଦେହକୁ ବା ମନକୁ ସେହିପରି ଘୃଣା ବା ଦ୍ୱେଷ କରି କଷ୍ଟଦେବା ମଧ୍ୟ ସେହିପରି ଆଉ ପ୍ରକାରେ ଅସ୍ୱାସ୍ଥ୍ୟର ଲକ୍ଷଣ । ପୂର୍ବକାଳରେ ସୃଷ୍ଟିକୁ ଯେଉଁପରି ଜଡ଼ ଓ ଚେତନ, ଏ ଦୁଇ ଭାଗରେ ବଣ୍ଟାଗଲା, ସେହିପରି ମଣିଷକୁ ବି ଦେହ,ମନ,ଆତ୍ମା ଏ ତିନି ଭାଗରେ ବଣ୍ଟାଗଲା । ଯାହା କିଛି ସ୍ଥୂଳ, ଅସୁନ୍ଦର, ଅବାଞ୍ଛନୀୟ, ସେସବୁର ଆକର ରୂପେ ଜଡ଼କୁ ଦେଖାଗଲା । ସେହିପରି ଦେହକୁ ମଧ୍ୟ ସବୁ ଅବାଞ୍ଛିତ ପ୍ରବୃତ୍ତି, ଜଡ଼ତା, କ୍ଲେଦ, ଗ୍ଲାନିର ଆଧାରରୂପେ ଓ ଆତ୍ମାକୁ ସବୁ ସୂକ୍ଷ୍ମ ପ୍ରବୃତ୍ତି, ମହନୀୟତା ଓ ପବିତ୍ରତାର ଉତ୍ସ ରୂପେ କଳ୍ପନା କରାଗଲା । ପ୍ରାର୍ଥନାରେ ଋଷି ଗାଇଲେ–‘‘ତଦ୍‌ ବ୍ରହ୍ମ ନିଷ୍ମଳମହଂ ନ ଚ ଭୂତସଂଘଃ’’ । ‘‘ମୁଁ ସେ ନିଷ୍କଳୁଷ ବ୍ରହ୍ମ, ଏ ଜଡ଼ ପିଣ୍ଡର ସମଷ୍ଟି ନୁହେଁ ।’’ ଆମର ସ୍ୱଦେଶୀ କବି ଗାଇଲେ-‘‘ଖଳ ଦୁର୍ଗନ୍ଧ ହେବ ଏ ତୋର ଦେହୁ ଯେ ।’’

 

ମାତ୍ର ଏଭଳି ବିଭାଜନ ଯଥାର୍ଥ ନୁହେଁ । ବିଜ୍ଞାନ ଏବେ ଜଡ଼ ଓ ଚେତନ ଭିତରର ପ୍ରଭେଦକୁ ପ୍ରାୟ ଲୋପ କରିଦେଲାଣି । ମଣିଷର ଦେହ, ମନ ଓ ଆତ୍ମା ମଧ୍ୟ ତିନୋଟି ଅଲଗା ଅଲଗା ଘଟଣା ନୁହନ୍ତି । ଗୋଟିଏ ଅସ୍ତିତ୍ୱର ଏ ତିନୋଟି ପାଖ ବା ବିଭାବ । ଆତ୍ମା ବାହାରୁ ଆସି ଦେହ ଭିତରେ ବସା ବାନ୍ଧିନାହିଁ । ଆମେ ମିଠେଇର ଆକାର, ଓଜନ ଓ ମିଠାପଣକୁ ଅଲଗା ଅଲଗା ବିଶ୍ଲେଷଣ କରି ବିଚାର କରୁ; କିନ୍ତୁ ଏ ତିନୋଟି ମିଠେଇର ତିନି ଗୁଣ । ସେଥିରୁ କେବଳ ଓଜନ, କେବଳ ଆକାର ବା କେବଳ ମିଠାପଣର ଅନ୍ୟ ଦୁଇଟିଠୁଁ ସ୍ୱତନ୍ତ୍ର; ନିରପେକ୍ଷ ଅସ୍ତିତ୍ୱ ନାହିଁ । ସେହିପରି ମଣିଷର ଦେହ, ମନ ଓ ଆତ୍ମା । ମଣିଷର ଯାହା କିଛି ଭଲ ଗୁଣ ଓ ମନ୍ଦ ଗୁଣ ରହିଛି, ଏ ତିନୋଟିର ସମଷ୍ଟିରୂପୀ ଅସ୍ତିତ୍ୱରେ ମିଶି ରହିଛି । ସେଥିରୁ ଦେହକୁ ସବୁ ‘କୁ’ ଓ ଆତ୍ମାକୁ ସବୁ ‘ସୁ’ ର ଆକାର ରୂପେ ବାଣ୍ଟିହେବ ନାହିଁ । ଆମର ଅସ୍ତିତ୍ୱର ଯେଉଁ ବିଭାବକୁ ଆତ୍ମା କୁହାଯାଏ ତାହା ବି ବିକୃତ, ରୁଗ୍‌ଣ ହେଇପାରେ । ଦେହକୁ ଘୃଣା ବା ଦ୍ୱେଷ କରୁଥିବା ‘ଆତ୍ମା’ ଏହିପରି ରୁଗ୍‌ଣ-। ମଣିଷର ଦେହ ଏକ ଅତି ବିସ୍ମୟକର ସୂଷ୍ମ ସ୍ୱୟଂଚାଳିତ ଯନ୍ତ୍ର । ଏଥିରେ ସୃଷ୍ଟିର କାରିଗରୀର ଚରମ ପରାକାଷ୍ଠା ରହିଛି । ‘‘ଚିର ଭିତରେ’’ ଦେଖିଲେ ‘‘କି ନାରଖାର’’ ପରିବର୍ତ୍ତେ ‘‘କି ଚମତ୍କାର’’ ତାହା ଦେଖି ଅଧିକ ଅଭିଭୂତ ହେବାକୁ ହେବ । ଏହା ପ୍ରତି ବିତୃଷ୍ଣା ବା ଘୃଣାର ଅବସର ଆଦୌ ନାହିଁ ।

 

ସ୍କିଟ୍‌ସୋଫ୍ରେନିଆ ବା ବିଭକ୍ତ ବ୍ୟକ୍ତିତ୍ୱ ବୋଲି ଗୋଟାଏ ମାନସିକ ବିକୃତି ଦେଖିବାକୁ ମିଳେ । ଏଥିରେ ଅସୁସ୍ଥ ବ୍ୟକ୍ତିର ବ୍ୟକ୍ତତ୍ୱ ଖଣ୍ଡ ଖଣ୍ଡ ହେଇଯାଇଥାଏ । ନିଜର ଦେହ ସମେତ ବ୍ୟକ୍ତିତ୍ୱର ଗୋଟାଏ ଅଂଶକୁ ସେ ‘ବାହାରିଆ’ ବା ‘ପର’ ମନେକରେ । ଏଇ ବାହାରର ବ୍ୟକ୍ତିତ୍ୱ ବା ଦେହର କାରବାରରେ ଲିପ୍ତ ନ ହେଇ ଆପଣା ‘ଆତ୍ମା’ କୁ ଶୁଦ୍ଧ, ସ୍ୱାଧିନ ରଖିବାକୁ ସେ ଚାହେଁ । ନିଜକୁ ନିଜେ ଅନାସକ୍ତ ବା ବସ୍ତୁନିଷ୍ଠ ଭାବରେ ଦେଖିପାରିବା, ବିଶ୍ଳେଷଣ ଓ ସମାଲୋଚନା କରିପାରିବା ଗୋଟାଏ ଗୁରୁତ୍ୱପୂର୍ଣ୍ଣ ଓ ବାଞ୍ଛନୀୟ କ୍ଷମତା; ମାତ୍ର ନିଜର ଗୋଟାଏ ଫାଳକୁ ‘ପର’ ବା ‘ଶତ୍ରୁ’ ମନେକରିବା ଦ୍ୱାରା ମଣିଷ ବାସ୍ତବ ଦୁନିଆରେ ଚଳପ୍ରଚଳ ହେବା ଦୃଷ୍ଟିରୁ ଅକ୍ଷମ ହେଇଯାଏ-। ତା’ର କାଳ୍ପନିକ ଦୁନିଆରେ ହିଁ ସେ ମାତ୍ର ନିଜର ଶୁଦ୍ଧତା, ସ୍ୱାଧୀନତା ଆଦିର ବିଭ୍ରମ ଉପଭୋଗ କରିଥାଏ ।

 

ଅନେକ ସମୟରେ କୌଣସି ଘଟଣାରେ ମଣିଷର କ୍ରୋଧ, ଅସନ୍ତୋଷ ଓ ଦ୍ୱେଷ ଉପୁଜିଲେ ତାହା ଅନ୍ୟ ଉପରେ ନ ପଡ଼ି ନିଜ ଉପରେ ପଡ଼େ । ଏସବୁକୁ ବରାବର ଚାପିବା ଚେଷ୍ଟା କରିବା ଦ୍ୱାରା ଏଭଳି ନିଜ ପ୍ରତି କ୍ରୋଧ, ଦ୍ୱେଷ ପ୍ରଭୃତି ଅନେକଙ୍କର ପ୍ରକୃତି ହେଇଯାଏ । ସାଧାରଣତଃ ବଡ଼ମାନଙ୍କ ପ୍ରତି କ୍ରୋଧ ବା ଦ୍ୱେଷ ପ୍ରକାଶ କରିବାରୁ ପିଲାମାନଙ୍କୁ ଆକଟ କରାଯାଇଥାଏ । ଏସବୁକୁ ନିୟନ୍ତ୍ରଣ କରିବା ବା ସୁଷ୍ଠୁଭାବରେ ପ୍ରକାଶ କରିବାର ଶିକ୍ଷା ସେମାନଙ୍କୁ ଦିଆଯାଏ ନାହିଁ । ଏହାଦ୍ୱାରା ଏସବୁ ତୀବ୍ର ଆବେଗ ନିଜ ପ୍ରତି ବା ନିଜଠାରୁ ଦୁର୍ବଳ ଭାଇଭଉଣୀ ବା ଅନ୍ୟ ପିଲାଙ୍କ ଉପରେ ଯାଇ ପଡ଼ିଥାଏ । ଅନେକ ସମୟରେ ଏହା ଦୁଷ୍ଟାମି ଆକାରରେ ବି ପ୍ରକାଶ ପାଇଥାଏ । ଅନ୍ୟ ପ୍ରତି ଦ୍ୱେଷ ଓ କ୍ରୋଧ ପୋଷି ରଖିବା ଯେତିକି ମନ୍ଦ, ନିଜ ପ୍ରତି ପୋଷି ରଖିବା ବି ତା’ ଠ ଊଣା ମନ୍ଦ ନୁହେଁ । ଦ୍ୱେଷ, କ୍ରୋଧ ଆଦିକୁ ଆୟତ୍ତ କରିପାରିବା ତ ଭଲ; ମାତ୍ର ସେସବୁକୁ ବାହାରେ ପ୍ରକଟ ହେବାକୁ ନ ଦେଇ ନିଜ ଉପରକୁ ମୋହିଁଦେବା ଆଦୌ ଭଲ ନୁହେଁ

 

ଏହିପରି ଅସୁସ୍ଥ ଆତ୍ମଲାଞ୍ଛନା ହିଁ ଅନେକ ସମୟରେ ଆଧ୍ୟାତ୍ମିକ କୃଚ୍ଛ୍ରସାଧନା ନାଁରେ ଚାଲେ । ତା’ ଛଡ଼ା ଅସାଧ୍ୟ ସାଧନ କରିବାର, ନିଜର ମନ ଓ ଦେହର ଶକ୍ତିର ଚରମ ସୀମା ପରଖ କରିବାର ଅନ୍ତର୍ନିହିତ ପ୍ରେରଣାରୁ ବି କେତେକ ଏପରି କରିଥାନ୍ତି । ଦେହର ଶକ୍ତି ବଢ଼େଇବା ପାଇଁ ବ୍ୟାୟାମ ଭଳି ଏହାର ସୀମାବଦ୍ଧ ଉପଯୋଗିତା ରହିଛି–ଦେହର ଓ ମନର ସହ୍ୟ ଶକ୍ତି ବଢ଼େଇବାରେ । ମାତ୍ର ଏ ଶକ୍ତି କୌଣସି ସର୍ଜନାର କାମରେ ନ ଲାଗିଲେ ସବୁ ଅସାର୍ଥକ ହେଲା ବୋଲି କହିବାକୁ ହେବ । ଚାଷୀ ଓ ଶ୍ରମିକ ପଥର ତାଡ଼ନ୍ତି, ବୋଝ ଉଠାନ୍ତି, କୋଦାଳ ଚଳାନ୍ତି କେଣ୍ଡାକ ଜାଗାରେ ଦୁଇକେଣ୍ଡା ଫଳେଇବା ପାଇଁ; ରାସ୍ତା ବା ଘର ଗଢ଼ିବା ପାଇଁ । ଖେଳକୁଦରେ ନିଜ ନିଜର ବଳ ଓ କୌଶଳର ପ୍ରଦର୍ଶନ କଲେ ସେ ଗୋଟାଏ ରକମ । ଆଉ ପେଶାଦାର ପହିଲମାନ ଯେଉଁ ଭାରୀ ପଥର ଉଠାଏ, ଅନ୍ୟ ସବୁ କରାମତି ଦେଖାଏ, ତାହା ଦ୍ୱାରା ଧାନକେଣ୍ଡାକ ଦି’ କେଣ୍ଡା ହୁଏ ନାହିଁ । ତେବେ ଏହାଦ୍ୱାରା ସର୍କସ୍‌ରେ ଲୋକଙ୍କର ମନୋରଞ୍ଜନ ହୁଏ । ଏଭଳି ମନୋରଞ୍ଜନ ବି ଦୁନିଆରେ ଲୋଡ଼ା । ତେଣୁ କୌଣସି ସାଧୁ ସାତ ଦିନ ମାଟିତଳେ ପୋତିହୋଇ ରହିବାରେ ବା ମାସେକାଳ ଗୋଟାଏ ଗୋଡ଼ରେ ଛିଡ଼ାହେବାରେ, ସାତ ଦିନ ଅନବରତ ସାଇକେଲ ଚଳେଇବାଠାରୁ ଅଧିକ ଆଧ୍ୟାତ୍ମିକତା ନାହିଁ ।

 

ନିଜକୁ ଭଲ ପାଇବାଟା ଆଧ୍ୟାତ୍ମିକତାର ଅଭାବ, ଅହଙ୍କାର, ମୂଢ଼ତା ଆଦିର ଲକ୍ଷଣ ବୋଲି ଧରାଯାଏ । ମାତ୍ର ମନୋବୈଜ୍ଞାନିକମାନେ ସାବ୍ୟସ୍ତ କରିଛନ୍ତି ଯେ, ଯେ ନିଜକୁ ଭଲ ପାଇପାରେ ନାହିଁ ସେ ଅନ୍ୟକୁ ବି ଭଲ ପାଇପାରେ ନାହିଁ । ଆମେ ପିଲାଙ୍କୁ ଉଦାରତା ଓ ଅନ୍ୟ ଲୋକଙ୍କ ସୁବିଧା ପ୍ରତି ବିବେଚନା ଜୋର କରି ଶିଖାଇବାକୁ ଚାହୁଁ । ‘‘ଭୋକ ଲାଗିଲା ମାତ୍ରେ ଖାଇବାକୁ ଦେବାକୁ ହେବ, ଏ କି କଥା ? ଅନ୍ୟମାନଙ୍କର ବି ତ ସୁବିଧା ଅସୁବିଧା ଅଛି । ସେ କଥା ବୁଝି ଶିଖିବା ଚାହି ।’’ –ଏହିପରି ତାକୁ ଶିକ୍ଷାଦେବାର ଚେଷ୍ଟା ହୁଏ । ତା’ର ଖେଳନା ବା ଖାଦ୍ୟ ଅନ୍ୟ ସହିତ ବାଣ୍ଟିନେବା ପାଇଁ ବାଧ୍ୟ କରାଯାଏ । ଏହିଭଳି ବ୍ୟବହାରରୁ ଶିଶୁ ଅନୁଭବ କରେ ଯେ ତାହା ପ୍ରତି ଅବହେଳା କରାଯାଉଛି ବା ତା’ ଉପରେ ଜବରଦସ୍ତି କରାଯାଉଛି । ତାକୁ ସ୍ନେହ କରାଯାଉନାହିଁ । ଏହା ଦ୍ୱାରା ତା’ର ମନ ଭିତରମୁହାଁ, ସଙ୍କୁଚିତ ହେଇଯାଏ । ବାହାର ଜଗତ ଓ ଅନ୍ୟ ଲୋକଙ୍କ ପ୍ରତି ତା’ ମନରେ ଉଦାରତା ଓ ସଦ୍‌ଭାବ ଆସସିବା ପରିବର୍ତ୍ତେ ଉଦ୍‌ବେଗ ଓ ଶଙ୍କା ହିଁ ବଢ଼େ । ଶିଶୁ ଓ ସାନପିଲା ଅସହାୟ: ସେମାନଙ୍କର ଅଭିବୃଦ୍ଧି ପାଇଁ ସ୍ନେହ ଓ ଆଦରଯତ୍ନ ପୂରାମାତ୍ରାରେ ଲୋଡ଼ା ହୁଏ । ଏସବୁ ପୂରାମାତ୍ରାରେ ପାଇଲେ ସେମାନଙ୍କର ନିଜର ଏସବୁ ଭାବ ମଧ୍ୟ ବିକଶିତ ଓ ପରିପୁଷ୍ଟ ହୁଏ ଓ ସେମାନେ ଅନ୍ୟ ସମସ୍ତଙ୍କ ପ୍ରତି ସ୍ନେହ, ପ୍ରେମ, ସଦ୍‌ଭାବ ଓ ବିଶ୍ୱାସ ଅନୁଭବ କରନ୍ତି ।

 

ଗୋଟାଏ ଆଡ଼େ ଆମେ ପିଲାଙ୍କୁ ଜୋର କରି ଉଦାରତା ଶିଖାଇବାକୁ ଚାହୁଁ ଓ ଅନ୍ୟ ଦିଗରେ ପୁଣି ତାଙ୍କ ଭିତରେ ଉଦାରତା ଓ ସଖ୍ୟଭାବକୁ ଦବେଇବାକୁ ବି ଉଦ୍ୟମ କରୁ । ପିଲାଏ ଜଳଖିଆ ନେଇ ସ୍କୁଲକୁ ଯାନ୍ତି । ସେଠି ଅନ୍ୟ ସାଙ୍ଗମାନଙ୍କ ସହିତ ତାକୁ ବାଣ୍ଟିକୁଣ୍ଟି ଖାଇବା ସେମାନଙ୍କୁ ଭଲ ଲାଗେ । ମାତ୍ର ଘରେ ସେମାନଙ୍କୁ ବାରମ୍ବାର ତାଗିଦ କରାଯାଏ–‘‘ତୁ ନିଜେ ୟାକୁ ଖାଇବୁ; ଆଉ କାହାରିକୁ ଦେବୁ ନାହିଁ ।’’ ଏ ବୈଷମ୍ୟପୂର୍ଣ୍ଣ ସମାଜରେ ଅନେକ ପିଲାଙ୍କର ସ୍କୁଲକୁ ଜଳଖିଆ ଆଣିବାର ସଙ୍ଗତି ନ ଥାଏ । ମା’ମାନଙ୍କର ଏ ଭୟ ସ୍ୱାଭାବିକ ଯେ ପିଲା ଜଳଖିଆ ବାଣ୍ଟିବସିଲେ ତା’ର ପେଟ ଅପୂରା ରହିବ । ଅବସ୍ଥାପନ୍ନ ଘରର ମା’ ମାନଙ୍କୁ କ୍ୱଚିତ୍ ଏ କଥା ସୁଝେ ଯେ ପିଲାଙ୍କୁ ବାଣ୍ଟି ଖାଇବା ପାଇଁ ଅଧିକା ଜଳଖିଆ ପୁଞ୍ଜି ଏ ଦେଲେ ସେମାନଙ୍କର ମଣିଷପଣିଆର ବିକାଶରେ ସାହାଯ୍ୟ ହେବ । ପାଠପଢ଼ା ପାଇ ବହିଖାତା, ଦରମା, ଲୁଗାପଟା, ଖେଳ ଜିନିଷ ଆଦିରେ କେତେ ଖର୍ଚ୍ଚ ହୁଏ । ତା’ ସାଙ୍ଗକୁ ମଣିଷପଣିଆର ବିକାଶ ପାଇଁ ଆଉ ପାଞ୍ଚ ଦଶ ଟଙ୍କା ଖର୍ଚ୍ଚ ହୁଏ । ତା’ ସାଙ୍ଗକୁ ମଣିଷପଣିଆର ବିକାଶ ପାଇଁ ପାଞ୍ଚ ଦଶ ଟଙ୍କା ଖର୍ଚ୍ଚ କଲେ ବାକି ତକ ଖର୍ଚ୍ଚ ତୁଚ୍ଛା ପାଣିରେ ପଡ଼ିବ ନାହିଁ ।

 

ନିତିଦିନିଆ ଜୀବନରୁ ଏହିପରି ପଣ ପଣ ଉଦାହରଣ ଦିଆଯାଇପାରିବ ।

 

ଆମ ମୁଣ୍ଡରେ ତ୍ୟାଗ ଓ ଭୋଗରୁ ଯେଉଁସବୁ ପରମ୍ପରାଗତ ଧାରଣା ରହିଛି, ସେ ସବୁଥିରୁ ମୁକ୍ତ ହେଲେ ଯାଇ ଆମେ ଜୀବନକୁ ଉପଭୋଗ ଓ ସାର୍ଥକ କରିବାର ପ୍ରକୃତ ବାଟର ସନ୍ଧାନ ପାଇପାରିବା ।

Image

 

Unknown

କାମବାସନା, ବ୍ରହ୍ମଚର୍ଯ୍ୟ, ସଂଯମ

 

ଥରେ ଗୋଟିଏ ଫିଲ୍‌ମ୍‌ ଦେଖିଥିଲି–ତା’ର ନାମ ‘ବ୍ରହ୍ମଚାରୀ’ । କାହାଣୀଟା ମୋଟାମୋଟି ହେଲା ଯେ ଜଣେ ଯୁବକ କୌଣସି ସାଧୁଙ୍କ ପ୍ରେରଣାରେ ଖୁବ୍‌ ଜୋର ବ୍ରହ୍ମଚର୍ଯ୍ୟ ସାଧନାରେ ଲାଗିଥାଏ । ଏହା ମଧ୍ୟରେ ଗୋଟିଏ ସୁନ୍ଦରୀ ଝିଅ (କହିବା ବାହୁଲ୍ୟ ଖୁବ୍‌ ବଡ଼ଘରର ଝିଅ ନ ହେଲେ ଫିଲ୍‌ମ୍‌-କାହାଣୀ ଜମେନାହିଁ) ସାଙ୍ଗରେ ନାଟକୀୟ ପରିବେଶରେ ତା’ର ଭେଟ ହୋଇଗଲା । ସେ ଝିଅ ସମୁଦ୍ରରେ ଗାଧୋଉ ଗାଧୋଉ ଭାସିଯାଉଥିଲା କି କେମିତି କ’ଣ ଓ ଏ ହିରୋ ତା’କୁ ରକ୍ଷା କରେ । ପ୍ରଥମେ ତ ସେ ଝିଅକୁ ଛୁଇଁବାକୁ ବାଧ୍ୟ ହେବାରୁ ସେ ନିଷ୍ଠା ଭଙ୍ଗ ହେଲା ବୋଲି ଡବଲ ମାତ୍ରାରେ ଗାଧୁଆ ଓ ଜପ ଆଦି କଲା ଓ ସେ ଝିଅକୁ ଭୁଲିବାକୁ ଚେଷ୍ଟା କଲେ । ମାତ୍ର ସେ ଝିଅ ଆଧୁନିକା ଓ ନଛୋଡ଼ବନ୍ଦା । ସେଥିପାଇଁ ସେ ଓଲଟା ଉଦ୍ୟମ ଚଳେଇଲା-। ଏ ହିରୋ ବି ବାରମ୍ବାର ନିଜର ମନଗହୀରରେ ଥିବା ପ୍ରେରଣାରେ ସେ ଝିଅ ଆଖପାଖକୁ ଟାଣିହେଇଯାଉଥାଏ ଓ ପ୍ରବଳ ମନସ୍ତାପ ଭୋଗୁଥାଏ । ଯାହା ହେଉ, ଶେଷକୁ ତାଙ୍କରି ଗୁରୁ କି ଆଉ କେଉଁ ସାଧୁ ଆସି ଉପଦେଶ ଦେଲେ ଯେ ବିବାହ କରି ଏକପତ୍ନୀବ୍ରତ ପାଳନ କରିବା ବି ବ୍ରହ୍ମଚର୍ଯ୍ୟ ଓ ସେଠୁ ବିଚରା ହୀରୋର ଦ୍ୱନ୍ଦ୍ୱର ଅବସାନ ହେଲା ।

 

ଏ କାହାଣୀରେ ଆମ ଦେଶର ଯୁବକଯୁବତୀମାନଙ୍କର ପରିସ୍ଥିତିରେ ଏକ ଭଲ ଆଭାସ ରହିଛି । ଏକ ଦିଗରେ ଆଦିବାସୀ ଓ ଅନ୍ୟ ଦିଗରେ ଉଚ୍ଚଶିକ୍ଷିତ ସମାଜରେ କେତେକ ଅଂଶକୁ ଛାଡ଼ିଦେଲେ ଏଠି ବାକି ପ୍ରାୟ ସର୍ବତ୍ର ଅନାତ୍ମୀୟ ପୁଅଝିଅମାନଙ୍କୁ ଅବାଧରେ ମିଶିବାକୁ ଦିଆଯାଏ ନାହିଁ । ଏଭଳି ମିଶିବାଟା ପରସ୍ପର ପକ୍ଷରେ ବିପଜ୍ଜନକ ମନେକରାଯାଏ । ଏହା ପଛରେ ଏଇ ଧାରଣା ରହିଛି ଯେ ଯୋଗ୍ୟ ବୟସର ସ୍ତ୍ରୀ ଓ ପୁରୁଷର ଘନିଷ୍ଠତାର ଏକମାତ୍ର ପରିଣାମ ଯୌନସମ୍ବନ୍ଧ ହିଁ ହେବ । ତେଣୁ ବିବାହ ପରେ କେବଳ ନିଜ ସ୍ତ୍ରୀ ବା ସ୍ୱାମୀ ଓ ଅତି ନିକଟ ଆତ୍ମୀୟ ଛଡ଼ା ଅନ୍ୟ ପୁରୁଷ ବା ସ୍ତ୍ରୀ ସହିତ ସବୁ ପ୍ରକାରର ଘନିଷ୍ଠତା ନିଷିଦ୍ଧ । ଗୁଜୁରାତ ପ୍ରଭୃତି ଆଡ଼େ ଏଭଳି କଡ଼ା କଟକଣା ଅଛି ଯେ ବାପ, ଭାଇ ହେଇଥିଲେ ବି ଝିଅ ବା ଭଉଣୀ ସହିତ ଏକ ସପ କି ସତରଞ୍ଜିରେ ବସିବେ ନାହିଁ, କୌଣସି ଘରେ ଏକୁଟିଆ ସ୍ତ୍ରୀଲୋକ ଥିଲେ ସେ ଘର ଭିତରକୁ ପଶିବେ ନାହିଁ, ଇତ୍ୟାଦି ।

 

ୟା’ ପଛରେ ଧର୍ମ-ସଂସ୍କାର ରହିଛି ଯେ ସ୍ତ୍ରୀସଙ୍ଗ ମଣିଷକୁ ତଳକୁ ଟାଣିନିଏ । ନାରୀ ନରକର ଦ୍ୱାର । ଆଧ୍ୟାତ୍ମିକ ସାଧନା ପାଇଁ କାଞ୍ଚନ ସାଙ୍ଗକୁ କାମିନୀ ବି ତ୍ୟାଗ କରିବାକୁ ହୁଏ । ସ୍ତ୍ରୀସଙ୍ଗ ସମ୍ପୂର୍ଣ୍ଣରୂପେ ବର୍ଜ୍ଜନ କରି ପୂର୍ଣ୍ଣ ବ୍ରହ୍ମଚର୍ଯ୍ୟ ପାଳନ କରିବାରେ ହିଁ ଆଧ୍ୟାତ୍ମିକ ପୂର୍ଣ୍ଣତା ରହିଛି-। ଏପରି ଅନେକ ସାଧୁ ଅଛନ୍ତି, ଯେଉଁମାନେ ସ୍ତ୍ରୀଲୋକଙ୍କର ମୁହଁ ସୁଦ୍ଧା ଦେଖନ୍ତି ନାହିଁ । ଏମାନଙ୍କର ସବୁ ଶିଷ୍ୟମାନେ ସେପରି ନ କରୁଥିଲେ ବି ଏହି ମୂଲ୍ୟବୋଧ ଦ୍ୱାରା ପ୍ରଭାବିତ ତ ହୁଅନ୍ତି ।

 

ଅନ୍ୟ ଦିଗରେ ଏ ବଦ୍ଧମୂଳ ଧାରଣା ମଧ୍ୟ ରହିଛି ଯେ ବାହାହେଇ ବଂଶରକ୍ଷା କରିବାଟା ପୁଅମାନଙ୍କର ପ୍ରଧାନ କର୍ତ୍ତବ୍ୟ । ଆଉ ଝିଅମାନେ ତ ମାଟିହାଣ୍ଡି ଭଳି । ସେମାନଙ୍କୁ ଶୀଘ୍ର ପାରନକଲେ ଟିକିଏ ହାତ ବାଜିଗଲେ କି କ’ଣ ହେଲେ ମାରାହେଇଯିବେ । ଶିକ୍ଷିତ ପରିବାରରେ ବି ଅନେକ ସମୟରେ ଝିଅର ବାହାଘର ସମ୍ବନ୍ଧ ସ୍ଥିରହେବାବେଳେ ସେଥିରେ ଝିଅର ଏଇପରି ସବୁ ଆଚରଣ ବିଡ଼ମ୍ବନାର କାରଣ ହେଇଥାଏ ଯେ, ସେ ବସ୍‌ଷ୍ଟାଣ୍ଡରେ କାହା ସହିତ ହସିହସି କଥା କହୁଥିଲା ବା କୋଉ ଅନାତ୍ମୀୟ ପିଲାସାଙ୍ଗରେ ସିନେମା ଦେଖିଯାଇଥିଲା ।

 

ପୁଅ ଝିଅଙ୍କ ସମ୍ବନ୍ଧ ଅଭିଭାବକମାନେ ସ୍ଥିର କରନ୍ତି । ସେଥିରେ ରୂପ ଦେଖାଯାଏ, ଗୁଣକୁ ବି କିଛି ଗୁରୁତ୍ୱ ଦିଆଯାଏ; ମାତ୍ର ତା’ଠୁଁ ବେଶୀ ଦେଖାଯାଏ ଏ ସମ୍ବନ୍ଧ ଦ୍ୱାରା ପାତ୍ର ବା ପାତ୍ରୀର ପରିବାର ଆପଣାକୁ ଜାତି ଓ ସମାଜର ସିଡ଼ିରେ କେତେ ପାହାଚ ଉପରକୁ ଉଠେଇ ପାରିବେ, ଯୌତୁକ କେତେ ଅଧିକ ମିଳିବ ବା କେତେ କମ୍‌ ଦେବାକୁ ହେବ, ଜାତକରେ ନକ୍ଷତ୍ରମାନଙ୍କର ଗତିବିଧି, ଇତ୍ୟାଦି । ଗୋଟାଏ ସମୟରେ ଝିଅଙ୍କର ତ ଦୂରର କଥା, ପୁଅଙ୍କର ବି ମତ ନେବାର ପ୍ରଶ୍ନ ନ ଥିଲା । ବିବାହ ଦିନ ଧାର୍ଯ୍ୟ କରିଦେଇ ଯଥା ସମୟରେ ଆସି ହାଜର ହେବାକୁ ହୁକୁମ ଜାରୀ କରିଦିଆଯାଉଥିଲା ।

 

ବିବାହ ପରେ ମଧ୍ୟ ସ୍ୱାମୀସ୍ତ୍ରୀଙ୍କ ସମ୍ପର୍କକୁ ବିଜିନେସ୍‌ଲାଇକ୍‌, ବ୍ୟାବସାୟିକ ଢଙ୍ଗରେ ଦେଖାଯାଇଛି । ଶାସ୍ତ୍ରରେ ବିଧାନ ଅଛି, ‘‘ପୁତ୍ରାର୍ଥେ କ୍ରିୟତେ ଭାର୍ଯ୍ୟା’’–ପୁଅ ଜନ୍ମ କରିବା ପାଇଁ ଭାରିଯାଟିଏ ଆଣିବାର କଥା । ପୁଅ କ’ଣ କରିବ ? ସମ୍ପତ୍ତି ସମ୍ଭାଳିବ, ବଂଶରକ୍ଷା କରିବ, ପିତୃପିତାମହଙ୍କୁ ପିଣ୍ଡ ଦେବ । ବିବାହିତ ଅବସ୍ଥାରେ ବି ସ୍ୱାମୀ ସ୍ତ୍ରୀଙ୍କର ଦୈହିକ ସମ୍ପର୍କକୁ ସନ୍ଦେହ ଦୃଷ୍ଟିରେ ଦେଖି ତାହା ଉପରେ ନାନା କଟକଣା ଜାରିର ଚେଷ୍ଟା ହେଇଛି । ସେଥିପାଇଁ ପାଞ୍ଜି ଦେଖିବାର ବିଧାନ ବି ରହିଛି । ପ୍ରଥମ ସନ୍ତାନକୁ ‘ଧର୍ମଜ’ ଓ ଅନ୍ୟମାନଙ୍କୁ ‘କାମଜ’ ବୋଲି ଦାଗିଦେଇ ମଧ୍ୟ ବିବାହପରର ପ୍ରଥମ କାଳ ଓ ପରବର୍ତ୍ତୀକାଳର ଆଚରଣ ଭିତରେ ତାରତମ୍ୟ କରିବାର ଚେଷ୍ଟା ହେଇଛି ।

 

ଏ ଦୋହରୀ ମୂଲ୍ୟବୋଧ ଭିତରେ ପଡ଼ି ଆମର ଲୋକଙ୍କର ଅବସ୍ଥା ଦୟନୀୟ ହେଇଛି । ମନୋବିଜ୍ଞାନର ଗବେଷଣାରୁ ସାବ୍ୟସ୍ତ ହେଇଛି ଯେ ଯୌନବୋଧ କେବଳ ଯୌବନର ଉଦ୍‌ଗମରେ ଆସେ ନାହିଁ–ଶୈଶବରୁ ହିଁ ତାହା ଥାଏ । ତେବେ ତା’ର ରୂପ ଭିନ୍ନ ପ୍ରକାରର, ମୁଖ୍ୟତଃ ଶାରୀରିକ ସୁଖଭୋଗ, ହେଇଥାଏ । ବାପ ଓ ମା’ ସହିତ ପିଲାର ସମ୍ପର୍କ ଉପରେ ଏହା ଗଭୀର ପ୍ରଭାବ ପକାଇଥାଏ । ମାତ୍ର ଶିକ୍ଷିତ ମଧ୍ୟବିତ୍ତ ଶ୍ରେଣୀରେ ଯୌନବ୍ୟାପାରକୁ ଖରାପ, ଲଜ୍ଜାକର, ଅରୁଚିକର ବୋଲି ମନେ କରାଯାଉଥିବାରୁ ସାନପିଲାର ଏ ପ୍ରକାରର ସାମାନ୍ୟତମ ଅଭିବ୍ୟକ୍ତି ଓ ପରେ ଏ ବିଷୟରେ ସ୍ୱାଭାବିକ ଓ ସୁସ୍ଥ କୌତୁହଳକୁ ବି ନିନ୍ଦନୀୟ ମନେ କରାଯାଏ । ପିଲାର ବୟସ ବଢ଼ିବା ସାଙ୍ଗେ ସାଙ୍ଗେ ଯୌନ-ସଂକ୍ରାନ୍ତ ବିଷୟ ‘ଖରାପ’ ବୋଲି ତା’ର ଧାରଣା ଦୃଢ଼ ହେବା ସାଙ୍ଗେ ସାଙ୍ଗେ ଏ ବିଷୟରେ କୌତୂହଳ ମଧ୍ୟ ଅସ୍ୱାଭାବିକ ରୂପେ ତୀବ୍ର ହୁଏ । କୈଶୋର ଓ ଯୌବନରେ ଏହାର ପରିଣତି ଉତ୍କଟ ହୁଏ ।

 

ଯୌନତାର ପ୍ରକୃତି ଓ ତା’ର ତାତ୍ପର୍ଯ୍ୟ ବିଷୟରେ ସେମାନେ କୌଣସି ବ୍ୟବସ୍ଥିତ ଧାରଣା ପାନ୍ତି ନାହିଁ; ଯାହା ପାନ୍ତି ସାଙ୍ଗସାଥୀମାନଙ୍କର ଫୁସ୍‌ଫାସ୍‌ ଆଲୋଚନାରୁ, ବାଜେ ସିନେମା ଓ ଶସ୍ତା ସାହିତ୍ୟରୁ । ପୁଅଝିଅମାନଙ୍କର ପରସ୍ପର ବିଷୟରେ କୌତୂହଳ ଓ ଆକର୍ଷଣ ବଢ଼େ; ଅଥଚ ସେମାନଙ୍କୁ ଅଲଗା ଅଲଗା ରଖାଯାଉଥିବାରୁ, ଉଭୟଙ୍କ ଭିତରେ ସହଜ ସମ୍ପର୍କ ନ ରହୁଥିବାରୁ, ଏ କୌତୂହଳ ଓ କଳ୍ପନା ଅସ୍ୱାଭାବିକ ରୂପ ଧରେ । ଝିଅମାନଙ୍କୁ କେବଳ ଭୋଗ୍ୟବସ୍ତୁ ରୂପରେ ହିଁ ପୁଅମାନେ ଦେଖିଶିଖନ୍ତି । ଫିଲମ୍‌ର କାହାଣୀ ପରି ଆମ ଦେଶର ଅଧିକାଂଶ ନାଟକ, ଉପନ୍ୟାସ, ଫିଲ୍‌ମ୍‌ ଆଦିରେ ଦେଖାଯାଏ ଯେ ଜଣେ ପୁଅ ବା ଝିଅର ଯେ କୌଣସି ଘଟଣାରୁ ପ୍ରଥମ ଥର ପାଇଁ ଝିଅ ବା ପୁଅ ସହିତ ନିକଟ ପରିଚୟ ହେବା ମାତ୍ରେ ପ୍ରେମ ଉତ୍ପନ୍ନ ହେଇ ମିଳନ ଆଡ଼କୁ ଗତି କରେ କିମ୍ବା ଅଭିଭାବକମାନଙ୍କର ବିରୋଧ ଯୋଗୁଁ ମିଳିତ ନ ହୋଇ ପାରି ଓ ସେ ବିରୋଧକୁ ଅମାନ୍ୟ ନ କରି ପାରି ହତାଶ ପ୍ରେମିକ ପ୍ରେମିକା ଭାବରେ ଜୀବନ ସାରା ହାହୁତାଶ କରନ୍ତି ।

 

ଏ ତ ଆଧୁନିକତାର ହାଓ୍ୱା ଲାଗିଥିବା ପରିବେଶକୁ ଆମେ ଚାଲିଆସିଲେ । ଏ ଭଳି କାହାଣୀ ଅଧିକାଂଶତଃ ସାହିତ୍ୟରେ ହିଁ ସୀମାବଦ୍ଧ ଥାଏ । ବାସ୍ତବ ଜୀବନରେ ପିଲାମାନେ ବାପ-ମା’ଙ୍କର ହୁକୁମ ମାନି ସୁଡ଼ସୁଡ଼୍ କରି ବାହା ହେଇପଡ଼ନ୍ତି । ସେତେବେଳେ ଅନେକ ଆଧୁନିକ ବରପାତ୍ର ଯେ କେବଳ ପିତୃଦେବଙ୍କର ଯୌତୁକ ଆଦିର ଦାବିକୁ ମାନିନିଅନ୍ତି ସେତିକି ନୁହେଁ, ନିଜର ବି ଦାବି ଯୋଗକରନ୍ତି ଯେ ଏମ୍ବାସାଡର୍ ଗାଡ଼ି, ଆମେରିକା ଯିବା ଖର୍ଚ୍ଚ ବା ରାଜଦୂତ ମଟର ସାଇକେଲ୍ ମଧ୍ୟ ତାଙ୍କର ଦରକାର–ପାଠ ଓ ଚାକିରିର ପାହ୍ୟା ଅନୁସାରେ । ମଣିଷ ହିସାବରେ କନ୍ୟାର ମୂଲ୍ୟ ତାଲିକାରେ ସବା ତଳେ ଥାଏ ।

 

ବିବାହ ଦ୍ୱାରା ଯୁବକଟି ମଟର, ରେଡ଼ିଓ ବା ‘ସାଇକୋ’ ଘଣ୍ଟା ଭଳି ଏକ ଉପଭୋଗର ବସ୍ତୁ ରୂପେ ସ୍ତ୍ରୀକୁ ପାଏ । ସ୍ତ୍ରୀସଙ୍ଗ ଖରାପ, ପତନର ଦ୍ୱାର ବୋଲି ଯେଉଁ ସବୁ ସଂସ୍କାର ପୂର୍ବରୁ ମିଳିଥାଏ, ତାହା ଉପରକୁ ଏ ଅବାଧ ଲାଇସେନ୍‌ସ ମିଳିଯିବା ଦ୍ୱାରା ବିଚିତ୍ର ଅବସ୍ଥା ହୁଏ । ସ୍ତ୍ରୀ ସହିତ ସମ୍ପର୍କ ଭିତରେ ସେ କ୍ୱଚିତ୍‌ କୌଣସି ପ୍ରକାରର ମାଧୁର୍ଯ୍ୟ, ମୈତ୍ରୀ, ପାରସ୍ପରିକତାର ଆବଶ୍ୟକତା ଦେଖେ । ଯୌନସମ୍ପର୍କକୁ ସେ ବିଶୁଦ୍ଧ ଶାରୀରିକ ପ୍ରବୃତ୍ତି ମେଣ୍ଟଣର ସ୍ଥୂଳ ରୂପରେ ହିଁ ଦେଖେ, ଅନୁଭବ କରେ ।

 

ଏ ଦେଶରେ ପରମ୍ପରାଗତ ହିନ୍ଦୁ ପରିବାରର ସାମନ୍ତବାଦୀ ପରିବେଶ ଏ ପରିସ୍ଥିତିକୁ ଆହୁରୀ ଘନୀଭୂତ କରେ । ସାମନ୍ତବାଦୀ ସମାଜରେ ଯେମିତି ରାଜା ବା ସାମନ୍ତ ସର୍ବେସର୍ବା, ସେମିତି ସେ ସମାଜର ପରିବାରରେ ବି ବାପା ସର୍ବେସର୍ବା । ବାପ ଦାଦାଙ୍କ କଥା ଉପରେ ପିଲା ତ ପିଲା, ସାବାଳକ ପୁଅ ବି କଥା କହିପାରିବ ନାହିଁ । ଏ ସମାଜରେ ଘର, ଜମିବାଡ଼ି, ଟଙ୍କା ସୁନା ପରି ସ୍ତ୍ରୀ ମଧ୍ୟ ଏକ ସମ୍ପତ୍ତି । ଗୋଦାନ, ସ୍ୱର୍ଣ୍ଣଦାନ, ଭୂମିଦାନ ଆଦି ସାତ ଆଠ ପ୍ରକାରର ଦାନ ଭିତରେ ହିଁ ବିବାହରେ କନ୍ୟାଦାନକୁ ବି ଏକ ସୁକୃତ ରୂପେ ବର୍ଣ୍ଣନା କରାଯାଇଛି । ଭାରତୀୟ ସଭ୍ୟତାର ଆଦ୍ୟଯୁଗରେ ପୁରୁଷ ସହିତ ସ୍ତ୍ରୀର ସମାନ ଅଧିକାର ଥିବା ଭଳି ମନେହୁଏ । ମାନବସଭ୍ୟତାର ବିକାଶର ଅଧ୍ୟୟନ କରୁଥିବା ବିଦ୍ୱାନ୍‌ମାନେ କହନ୍ତି ଯେ, ଯେତେବେଳେ ମଣିଷ ଜଙ୍ଗଲ କାଟି ପୋଡ଼ୁଚାଷ ଆରମ୍ଭ କଲା ସେତେବେଳେ ସ୍ତ୍ରୀମାନେ ଚାଷ କରୁଥିଲେ । ଜମି ଉପରେ ସ୍ତ୍ରୀର ଅଧିକାର ଥିଲା ଓ ଜମିକୁ ଆଶ୍ରା କରି ଗଢ଼ିଉଠିଥିବା ସମାଜ ମାତୃପ୍ରଧାନ ଥିଲା । କେରଳ ରାଜ୍ୟ ଓ ଅନ୍ୟ କେଉଁଠି କେଉଁଠି ଏହାର ଅବଶେଷ ଦେଖିବାକୁ ମିଳେ ।

 

ହଳବଳଦରେ ଚାଷ ଆରମ୍ଭ ହେବା ପରେ ପୁରୁଷ ହାତକୁ କର୍ତ୍ତୃତ୍ୱ ଚାଲିଗଲା ଓ କ୍ରମେ ସ୍ତ୍ରୀର ସ୍ଥାନ ସମାଜରେ ଗୌଣ ହେଇଗଲା । ସ୍ତ୍ରୀର ସତୀତ୍ୱର ଗୁରୁତ୍ୱ ସମ୍ପତ୍ତିର ଅଧିକାର ସାଙ୍ଗରେ ଛନ୍ଦି ହେଇଗଲା । ବାପର ସମ୍ପତ୍ତି ଯଥାର୍ଥରେ ତା’ରି ପୁଅ ହାତକୁ ଯିବ, ଏ କଥା ନିଶ୍ଚିତ କରିବା ପାଇଁ ପୁରୁଷର ପତ୍ନୀବ୍ରତ୍ୟ ଅପେକ୍ଷା ସ୍ତ୍ରୀର ପାତିବ୍ରତ୍ୟ ଉପରେ ବେଶୀ ଜୋର ଦିଆହେଲା ଓ ସ୍ତ୍ରୀକୁ କଟକଣାରେ ରହି ସମ୍ପତ୍ତିରେ ପରିଣତ କରାହେଲା ।

 

ପୂର୍ବରୁ ଯାହା ଥାଉ, ମନୁ ମହାରାଜଙ୍କଠାରୁ ଏ ବ୍ୟବସ୍ଥା ଶାସ୍ତ୍ରବଦ୍ଧ ହେଇଯାଇଥିଲା । ମନୁସ୍ମୃତିରେ ସେ ବ୍ୟବସ୍ଥା ଦେଇଯାଇଛନ୍ତି ଯେ ସ୍ତ୍ରୀ ପିଲାଦିନେ ବାପର, ଯୌବନରେ ସ୍ୱାମୀର ଓ ବାର୍ଦ୍ଧକ୍ୟରେ ପୁଅର ଆଶ୍ରୟରେ ରହିବ । ତା’ର ସ୍ୱାଧୀନ ଅସ୍ତିତ୍ୱ ନାହିଁ । ସାଆନ୍ତିଆ ସମାଜର ତାନିଭରଣିରେ ଏ ବ୍ୟବସ୍ଥା ବି ଗୋଟିଏ ମଜବୁତ ଖିଅ ହେଇଯାଇଛି । ଆମ ଦେଶରେ ଝିଅର ପିଲାଦିନର ନାଁ ବୁଲୀ କି ସୁଲୀ ଯାହା ଥାଏ, ବାହା ହେବା ପରେ ସେଇଟା ବୁଡ଼ିଯାଏ । ସେ ହେଇଯାଏ ଲୋକା-ଭାରିଯା କି ବିଦିଆଭାରିଯା ଓ ତା’ପରେ ହରିଆମା’ ବା ଟିମାବୋଉ ।

 

ନିୟମ ଗଢ଼ି ମଣିଷର ବ୍ୟକ୍ତିତ୍ୱକୁ ଓ ଅସ୍ତିତ୍ୱକୁ ଯେତେ ସୀମାବଦ୍ଧ କଲେ କ’ଣ ହେବ, ତାହା ସିଧାବାଟରେ ବଢ଼ି ନ ପାରିଲେ ତେଢ଼ାମେଢ଼ା ହେଇ ବଢ଼ିବ; ନିଜକୁ ଜାହିର କରିବ । ଆମ ଘରମାନଙ୍କରେ ଶାଶୁବୋହୂ ସମ୍ପର୍କ ଏହିପରି ବିକୃତିର ଏକ ପରିଣତି । ବୃହତ୍ତର ଦୁନିଆରେ ନାରୀ ଯେଉଁ ଅଧିକାରରୁ ବଞ୍ଚିତ ହୋଇଥାଏ, ଘରର କର୍ତ୍ତ୍ରୀ ହିସାବରେ ସେ ଅଭାବବୋଧଟା ସେ କିଛିଟା ପୂରଣ କରେ ଓ ନିଜର ପରାହତ କର୍ତ୍ତୃତ୍ୱଟାକୁ ବୋହୂମାନଙ୍କ ଉପରେ ଚଳାଏ ବେଶୀ । ନୂଆବୋହୂର ଗୋଟିଏ ମୁଖ୍ୟ କର୍ମ ହେଲା ଶାଶୂର ବୋଲକରା ହେବା–ମୁଖ୍ୟ କାହିଁକି, ଏଇଟା ବୋଧହୁଏ ତା’ର ଅସ୍ତିତ୍ୱର ଏକମାତ୍ର ପରିଚୟ । ସ୍ୱାମୀ ସହିତ ସମ୍ପର୍କଟା ଗୌଣ । ଏ ପରିସ୍ଥିତିରେ ପୁଅର ତା’ର ସ୍ତ୍ରୀ ପ୍ରତି ସ୍ନେହର ଆଧିକ୍ୟଟାକୁ ଘରର ଶାସନବ୍ୟବସ୍ଥାକୁ ଅସ୍ଥିର କରିଦେଉଥିବା କଥା ଭଳି ଦେଖାଯାଏ । ପୁଅର ସ୍ନେହ ଓ ଅନୁରକ୍ତିରେ ବୋହୂ ଭାଗ ବସଉଛି ବୋଲି ମା’ ଅନୁଭବ କରେ । ପୁଅ ଯଦି ବୋହୂ ପକ୍ଷ ଧରି କଥା କହିବ, ତେବେ ଘରର ଶୃଙ୍ଖଳା କେମିତି ରହିବ ? କଥାରେ ଅଛି ପରା–

 

ଯେ ପାଇଥାଏ ଗେରସ୍ତ ବୁକୁ

ସଜ ହେଇଥାଏ ବାପଘରକୁ ।

 

ତେଣୁ ପୁଅ ତା’ର ନବବିବାହିତା ସ୍ତ୍ରୀ ସହିତ ଭାବନାର ସ୍ତରରେ ଘନିଷ୍ଠତା ସ୍ଥାପନ କରିପାରେ ନାହିଁ ।

 

ଏହି ସବୁ ସୀମା ଭିତରେ ସ୍ୱାମୀ ଓ ସ୍ତ୍ରୀର ସଂମ୍ପର୍କରେ ସ୍ଥୂଳ ଦୈହିକ ଦିଗଟା ହିଁ ପ୍ରଧାନ ହୁଏ । କୌଣସି ପ୍ରକାରର ଗଭୀର ଅନୁଭୂତିର ଅବକାଶ ସେଥିରେ କମ୍‌ ଥାଏ । ସେଥିରେ ସ୍ତ୍ରୀ ନିଶ୍ଚେଷ୍ଟ ଉପକରଣ ମାତ୍ର ହୁଏ । ତା‘ର ନିଜସ୍ୱ ଇଚ୍ଛାଅନିଚ୍ଛା, ଅନୁଭୂତି, ଆକାଂକ୍ଷା କିଛି ଅଛି ବୋଲି ଧରାଯାଏ ନାହିଁ । ସ୍ୱାମୀ ନିଜର ଦୈହିକ କ୍ଷୁଧା ନିବାରଣ ପାଇଁ ନିଜର ମାଲିକାନା ସ୍ୱତ୍ୱ ଜାହିର କରେ ।

 

ପୁଣି ମୁରବୀପ୍ରଧାନ ସମାଜରେ ମଣିଷର ହୃଦୟରେ ସୂକ୍ଷ୍ମ ଭାବନା (ଇମୋଚିନ୍) ଗୁଡ଼ିକ ପୂର୍ଣ୍ଣ ଖୋରାକ ମିଳେ ନାହିଁ । ବାପଦାଦିଙ୍କ ସହିତ ସମ୍ବନ୍ଧ କଟକଣାରେ ବନ୍ଧା, ଆଡ଼ଷ୍ଟ, ହୋଇଥାଏ । ପିଲାଦିନେ ବଡ଼ମାନଙ୍କ ସାମନାରେ ସେମାନଙ୍କ କଥା ଉପରେ କଥା କହିବା ମନା । ନିଜର ଗାମ୍ଭୀର୍ଯ୍ୟ ନଷ୍ଟ ହେଇଯିବ, କର୍ତ୍ତୃତ୍ୱ କମିଯିବ ଓ ଦୁର୍ବଳତା ପଦାରେ ପଡ଼ିଯିବ ବୋଲି ଗୁରୁଜନମାନେ ପିଲାଙ୍କ ସାଙ୍ଗରେ ସହଜ ଭାବରେ ମିଶିପାରନ୍ତି ନାହିଁ । ବଡ଼ ହେଲେ ବଡ଼ମାନଙ୍କ ଅଖଣ୍ଡ କର୍ତ୍ତୃତ୍ୱ ଯୋଗୁଁ ପିଲାଙ୍କ ମନରେ ସେମାନଙ୍କ ପ୍ରତି ଚାପା ବିଦ୍ରୋହ ଓ ସଂଘର୍ଷର ଭାବ ଜନ୍ମେ; ଯଦିଓ ଅଧିକାଂଶତଃ ଉପରେ ଉପରେ ବିନୟ ଓ ଆନୁଗତ୍ୟର ଭାବ ଦେଖାଯାଏ । ଭାଇଭଉଣୀଙ୍କ ଭିତରେ ମଧ୍ୟ ପ୍ରାୟ ପ୍ରତିଦ୍ୱନ୍ଦ୍ୱିତାର ଭାବ ପ୍ରଧାନ ହୁଏ । ସାନବଡ଼, ଉଚ୍ଚନୀଚ, ପାତରଅନ୍ତର ଭାବ ଏ ଭଳି ସମାଜର ମୂଳମନ୍ତ୍ର ହେଇଥିବାରୁ ସବୁ ପୁଅ ଝିଅଙ୍କ ପ୍ରତି ବାପାମା’ଙ୍କର ସମାନ ଭାବ ରହିବ ବୋଲି କାହିଁକି କିଏ ଧରିନେବ ? ଏମିତି ତ ସ୍ୱାଭାବିକ ଅବସ୍ଥାରେ ନୂଆ ପିଲାଟିଏ ଜନ୍ମ ହେଲେ ତା’ ଉପରର ପିଲା ମନରେ ଈର୍ଷା ଓ ଦ୍ୱେଷ ଜନ୍ମେ ଯେ ମା’ ମୋତେ ଆଉ ଭଲ ପାଉନାହିଁ; ନୂଆ ପୁଅକୁ ବେଶୀ ଭଲ ପାଉଛି । ପୁରୁଣା ଚଳଣିରେ ଏ ଭାବକୁ ସାଧାରଣତଃ ଉସ୍କେଇ ଦିଆଯାଏ । ପୁଣି କେତେ କ୍ଷେତ୍ରରେ ବଡ଼ପୁଅକୁ ବେଶୀ ଆଦର ମିଳେ । ପୁଅମାନଙ୍କ ପାହ୍ୟା ଝିଅମାନଙ୍କଠୁଁ ତ ବେଶୀ । ଏହିପରି ସବୁ କାରଣରୁ ପାରିବାରିକ ସମ୍ପର୍କଗୁଡ଼ିକରୁ ଯେଉଁ ଭାବାତ୍ମକ ତୃପ୍ତି ମିଳିବାର କଥା, ତାହା ମିଳେ ନାହିଁ । ତା’ ଉପରକୁ ପୁଣି ଗଭୀରତମ ଭାବାତ୍ମକ ସମ୍ବନ୍ଧ ଯେଉଁଠି ରହିବାର କଥା ସେଠି, ସ୍ତ୍ରୀ ସହିତ, ତାହା ଗଢ଼ିଉଠିପାରେ ନାହିଁ । ଏ ଭାବାତ୍ମକ ଅତୃପ୍ତ ଅସ୍ୱାଭାବିକ ଯୌନକ୍ଷୁଧା ରୂପେ ପ୍ରକାଶ ପାଏ । ଏହାର ତାଡ଼ନାରେ ସମ୍ପତ୍ତି ରୂପେ ପରିଗଣିତ ସ୍ତ୍ରୀ ଉପରେ ଜୋର ଜବରଦସ୍ତି ଓ ମାଡ଼ଗାଳି ସ୍ୱତଃସିଦ୍ଧ ଅଧିକାର ହେଇଯାଏ ।

 

ପୁଣି ଗାଉଁଲି ସମାଜରେ ପ୍ରାୟ ନବବିବାହିତ ସ୍ୱାମୀ ସ୍ତ୍ରୀ ଦିନବେଳେ ଦେଖାସାକ୍ଷାତ୍ କରିପାରନ୍ତି ନାହିଁ । ବୋହୂ ଶାଶୁ ଶଶୁରଙ୍କ ଗୋଡ଼ଘଷା ଆଦି ସବୁ ପାଇଟି ସାରିବା ପରେ ଯାଇ ତାକୁ ସ୍ୱାମୀ ପାଖକୁ ଯିବାକୁ ଛୁଟି ମିଳେ । ଏ ଅବସ୍ଥାରେ ମଧ୍ୟ ସେମାନଙ୍କର ସମ୍ପର୍କଟା ସ୍ଥୂଳ ଦୈହିକ ସ୍ତରର ଉପରକୁ ଉଠିପାରେ ନାହିଁ । ବିହାରର କେତେକ ସୁଶିକ୍ଷିତ ସର୍ବୋଦୟ କର୍ମୀଙ୍କଠାରୁ ଶୁଣିଛି ଯେ, ବିବାହ କରିବାର ଚାରିପାଞ୍ଚ ବର୍ଷ ପର ପର୍ଯ୍ୟନ୍ତ ସେମାନେ ନିଜ ନିଜ ସ୍ତ୍ରୀର ମୁହଁ ବା ସ୍ତ୍ରୀମାନେ । ସ୍ୱାମୀମାନଙ୍କର ମୁହଁ ଦେଖି ନ ଥିଲେ । ଏଇଟା ହିଁ ସେଠି ସାଧାରଣ ପରିସ୍ଥିତି । ବିହାର ଭୂମିକମ୍ପରେ ଯେତେବେଳେ ପରିବାର ସବୁ ଛିନ୍‌ଛତ୍ର ହେଇଗଲେ, ସେତେବେଳେ ଆଶ୍ରୟପ୍ରାର୍ଥୀମାନଙ୍କ ଭିତରେ ନିଜ ସ୍ତ୍ରୀ ଓ ସ୍ୱାମୀଙ୍କୁ ଦେଖି ଚିହ୍ନିବା ଅସମ୍ଭବ ହେଇଥିଲା ।

 

ଏ ଅବସ୍ଥାରେ ଜୀବନ ଯେ କେତେ ନୀରସ, ସଂକୀର୍ଣ୍ଣ ଓ ବୈଭବହୀନ ହେଇଯାଉଛି ତାହା କଳ୍ପନା କରିବା କଷ୍ଟ । ଏକ ସମୟରେ ଗୋଟିଏ ସିଗ୍ରେଟ୍‌ର ବିଜ୍ଞାପନ ବାହାରୁଥିଲା । ତା’ର ଘୋଷା ଥିଲା, ‘‘ୟୁ ଡୋଣ୍ଟ୍ ନୋ ହ୍ୱାଟ୍ ୟୁ ଆର୍ ମିସିଙ୍ଗ୍’’–ତୁମେ କ’ଣ ହରଉଛ ତାହା ଜାଣ ନାହିଁ । ଏ ସେହିପରି । ଲୋକେ ଗୋଟାଏ ଅବସ୍ଥାରେ ବହୁକାଳ ରହିଗଲେ ତାକୁ ହିଁ ସ୍ୱାଭାବିକ ଅବସ୍ଥା ବୋଲି ମାନିନିଅନ୍ତି । ଆମ ଦେଶରେ ଯେତେବେଳେ ହାରାହାରି ଆୟୁଷ ସତେଇଶ ବର୍ଷ ଥିଲା, ସେତେବେଳେ ସାଧାରଣ ଲୋକେ କଳିକାଳରେ ଷାଠିଏ ବର୍ଷ ହିଁ ଜୀବନର ଶେଷ ସୀମା ବୋଲି ଧରିନେଇଥିଲେ । ଏଥିରେ ବି ସେମିତି ହେଇଛି । ବଞ୍ଚିତ, ବିକୃତ ଜୀବନକୁ ହିଁ ସ୍ୱାଭାବିକ ବୋଲି ମାନିନିଆଯାଉଛି ।

 

ଯୌନପ୍ରେରଣାରେ ଘୃଣ୍ୟ ଓ ଅପବିତ୍ର କିଛି ନାହିଁ । ଏହା ମଣିଷର ପ୍ରାଣଶକ୍ତିର ଆଦିମତମ ଓ ପ୍ରାଥମିକ ପ୍ରକାଶ । ଏହା ସୁସ୍ଥଭାବରେ ପଲ୍ଲବିତ ଓ ନିୟମିତ ହେଲେ ଯାଇ ବ୍ୟକ୍ତିର ମଧ୍ୟ ସର୍ବାଙ୍ଗୀଣ ଭାବରେ ସୁସ୍ଥ ରୂପରେ ଫୁଟିଉଠେ । ଏହାକୁ ମାଡ଼ିମକଚି ଦବେଇବାକୁ ଚେଷ୍ଟା କଲେ ସମସ୍ତ ବ୍ୟକ୍ତିତ୍ୱଟା ହିଁ ତେଢ଼ାମେଢ଼ା, ବିକୃତ, ସଙ୍କୁଚିତ ହେଇଥାଏ । ମାନବସଭ୍ୟତାରେ ପ୍ରେମ ହିଁ ସବୁଠାରୁ ବଡ଼, ଶ୍ରେଷ୍ଠତମ ମୂଲ୍ୟବୋଧ । ଯୀଶୁ ବା ପରମହଂସଦେବଙ୍କ ଭଳି ଅଳ୍ପ କେତେ ଜଣ ଦାମ୍ପତ୍ୟପ୍ରେମ ଓ ସନ୍ତାନପ୍ରେମକୁ ବାଦ୍‌ ଦେଇ ସାର୍ବଜନୀନ ମାନବପ୍ରେମର ବିକାଶ କରିପାରିଥିଲେ; ମାତ୍ର ସାଧାରଣ ଲୋକର ଜୀବନରେ ପ୍ରେମର ବିକାଶକୁ ଏ ଦୁଇଟି ଶେଷୋକ୍ତ ପ୍ରକାରର ପ୍ରେମରୁ ଅଲଗା କରିହୁଏ ନାହିଁ । ଦୁଇଟି ମଣିଷ ଭିତରେ ଏଇ ସମ୍ପର୍କକୁ ଭିତ୍ତି କରି ହିଁ ପ୍ରଗାଢ଼ତମ ପ୍ରେମର ବିକାଶ ହୁଏ; ବ୍ୟକ୍ତିର ନିଜର ବ୍ୟକ୍ତିତ୍ୱର ସୀମାକୁ ଅତିକ୍ରମ କରିବାର ଅନୁଭୂତି ଲାଭ କରେ । ଏ ପ୍ରେମର ପରିପ୍ରକାଶ କେବଳ ଦୁଇ ଜଣଙ୍କ ଯାଏ ସୀମାବଦ୍ଧ ରହେନାହିଁ । ଆଖପାଖରେ ସାରା ବାୟୁମଣ୍ଡଳରେ ତାହା ଖେଳେଇ ହେଇଯାଏ । ସାରା ସୃଷ୍ଟିରେ ତାହାର ରଙ୍ଗ ଲାଗିଯାଏ । ଇଂରେଜୀରେ ଗୋଟାଏ କଥା ଅଛି : ‘‘ଦ୍ ଓ୍ୱର୍ଲଡ୍ ଲଭ୍‌ସ୍ ଦ୍ ଲଭର୍‌ସ୍’’–ଦୁନିଆ ପ୍ରେମିକକୁ ଭଲପାଏ । ରାଧା-କୃଷ୍ଣ, ଲୟଲା-ମଜନୁ, ରୋମିଓ-ଜୁଲିଏଟ୍ ଯୁଗଯୁଗ ଧରି ମଣିଷର ହୃଦୟରେ ସ୍ଥାନ ମାଡ଼ିବସି ରହିଛନ୍ତି କାହିଁକି ? ସ୍ତ୍ରୀ-ପୁରୁଷର ପ୍ରେମକୁ ଆଶ୍ରା କରି ଦୁନିଆର ସାହିତ୍ୟ ଓ ଶିଳ୍ପକଳାର ବହୁତ କିଛି ଗଢ଼ିଉଠିଛି । ଏହା ମାଧ୍ୟମରେ ବିଶ୍ୱର ଅତୁଳନୀୟ ବିସ୍ମୟ ମଣିଷଶିଶୁ ଜନ୍ମ ହେଉଛି ଓ ସୃଷ୍ଟିର ପରମ୍ପରା ଚାଲୁରହୁଛି । ଏ ପ୍ରେରଣା ବା ପ୍ରବୃତ୍ତିକୁ ଲଜ୍ଜାକର, ଘୃଣ୍ୟ ବା ନିନ୍ଦନୀୟ ବୋଲି ଅପାଂକ୍ତେୟ କରିବାଠାରୁ ବଳି ଭ୍ରାନ୍ତି ଆଉ କିଛି ନ ଥିବ । ଅବଶ୍ୟ ଯୌନପ୍ରେରଣା ମଣିଷଜୀବନର ସାରସର୍ବସ୍ୱ ନୁହେଁ । ମଣିଷଜୀବନର ଆହୁରି ଗୁରୁତ୍ୱପୂର୍ଣ୍ଣ ଦିଗ ଅଛି, ମହତ୍ତ୍ୱପୂର୍ଣ୍ଣ ଓ ସୁଗଭୀର ପ୍ରେରଣା ରହିଛି । ସେସବୁର ପରିପୂର୍ଣ୍ଣ ବିକାଶ ବି ମଣିଷର ପୂର୍ଣ୍ଣତା, ସାର୍ଥକତା ପାଇଁ ଆବଶ୍ୟକ; କିନ୍ତୁ ଏସବୁ ଭିତରେ ସାନ ହେଉ ବା ବଡ଼ ହେଉ, ଯୌନଚେତନାର ଯେଉଁ ସ୍ଥାନ ଅଛି ତା’କୁ ଅସ୍ୱୀକାର କଲେ, ଲୋପ କରିଦେବାକୁ ଚେଷ୍ଟା କଲେ, ଅନ୍ୟ ସବୁଗୁଡ଼ିକର ବିକାଶ ମଧ୍ୟ ବାଧାପ୍ରାପ୍ତ ଓ ବିକଳାଙ୍ଗ ହୁଏ ।

 

ଏ ବିଷୟରେ ଆମର ଯେଉଁ ଦ୍ୱିଧାବିଭକ୍ତ ମନୋଭାବ ରହିଛି, ତାହାଦ୍ୱାରା ଦାମ୍ପତ୍ୟ-ଜୀବନରୁ ଯେଉଁ ଆନନ୍ଦ ମିଳିବାର କଥା, ତାହା ମିଳୁନାହିଁ । ସ୍ତ୍ରୀପୁରୁଷଙ୍କର ସମ୍ପର୍କଟା ମୁଖ୍ୟତଃ ଦୈହିକ ସ୍ତରରେ ରହିଯାଉଛି ଓ ଏ ସମ୍ପର୍କକୁ ଉଚ୍ଚତର ସ୍ତରକୁ ନେବାର ବାଟ ବନ୍ଦ ହେଇଯାଉଛି । ଜୀବନରେ ସୂକ୍ଷ୍ମ ଓ ସୁକୁମାର ରୁଚିବୋଧର ବିକାଶର ବାଟ ବନ୍ଦ ହେଇଯାଉଛି

 

ଏହାଦ୍ୱାରା ସନ୍ତାନମାନଙ୍କର ଜୀବନ ବି ବଞ୍ଚିତ, କୁଣ୍ଠିତ ହେଉଛି । ସେହି ପୁରୁଣା ପରମ୍ପରାକୁ ଚାଲୁରଖିବାର ଅନୁକୂଳ ବ୍ୟକ୍ତିତ୍ୱ ସେମାନଙ୍କର ବି ଗଢ଼ିଉଠୁଛି । ଏକ ସମୟରେ ଏ ଦେଶରେ ପୁରୁଷମାନେ ସାନ ପିଲାଛୁଆଙ୍କୁ ଧରିବା, ଖେଳେଇବା ବା ସେମାନଙ୍କର କୌଣସି ପ୍ରକାରର ସେବା କରିବାଟାକୁ ଲଜ୍ଜା କରୁଥିଲେ । ଏବେ ବି ଏ ମନୋଭାବ ପ୍ରବଳ ଅଛି, ଯଦିଓ ଏଥିରେ ପରିବର୍ତ୍ତନର ଶୁଭ ଲକ୍ଷଣ କେତେକ ଅଂଶରେ ଦେଖିବାକୁ ମିଳୁଛି । ସ୍ତ୍ରୀ ଓ ପୁରୁଷ ଭିତରେ ‘‘ପ୍ରକୃତି ଅନୁକୂଳ’’ କର୍ମ ବିଭାଗ ଏ ମନୋଭାବର ଏକମାତ୍ର କାରଣ ନୁହେଁ । ପିଲାଛୁଆ ଯୌନସମ୍ପର୍କର ହିଁ ସାକାର ପରିଣତି; ସେଥିପାଇଁ ମଧ୍ୟ ସେମାନଙ୍କୁ ଖୋଲାଖୋଲି ଗ୍ରହଣ କରିବାରେ ଏ ଦ୍ୱିଧା । ଏହାଦ୍ୱାରା ବାପ ଓ ସନ୍ତାନ ଉଭୟେ ପରସ୍ପର ସାନ୍ନିଧ୍ୟରୁ ଯେଉଁ ମୂଲ୍ୟବାନ ଅନୁଭୂତି, ଯେଉଁ ସ୍ନେହର ସ୍ପର୍ଶ ଓ ଆନନ୍ଦ ପାଆନ୍ତେ, ପରସ୍ପରକୁ ଆବିଷ୍କାର କରିବାର ଯେଉଁ ଆନନ୍ଦ ଓ ବିସ୍ମୟ, ସେଥିରୁ ବଞ୍ଚିତ ହୁଅନ୍ତି । ବାପର ପରିଣତ ବ୍ୟକ୍ତିତ୍ୱରୁ ପିଲାର ବ୍ୟକ୍ତିତ୍ୱ ଯେଉଁ ପୁଷ୍ଟି ଆହରଣ କରନ୍ତା, ତାହା ମଧ୍ୟ ସେମିତି ସମ୍ଭାବନାର ଗର୍ଭରେ ହିଁ ମଉଳିଯାଏ ।

 

ସାମନ୍ତବାଦୀ ସମାଜରେ ରାଜ୍ୟ ଓ ଭୂସମ୍ପତ୍ତି ହିଁ ସମାଜ ଓ ପରିବାରର ମୂଳଦୁଆ । ପୁଅଝିଅଙ୍କର ବିବାହ ସେମାନଙ୍କର ବ୍ୟକ୍ତିଗତ ଜୀବନରେ ପୂର୍ଣ୍ଣତା ବା ସନ୍ତୋଷ ଦୃଷ୍ଟିରୁ ନୁହେଁ, ସମ୍ପତ୍ତିରକ୍ଷା ବା ତା’ର ଅଭିବୃଦ୍ଧି ପାଇଁ କରାଯାଏ । ପିଲାଙ୍କର ବାହଘର ମାଧ୍ୟମରେ ଆପଣାର ବଂଶମର୍ଯ୍ୟାଦା ବଢ଼ାଇବା, ଜାତିସିଡ଼ିରେ ପାହାଚେ ଦୁଇ ପାହାଚ ଉପରକୁ ଉଠିବାର ବି ବିଚାର ଥାଏ । ରାଜାମାନେ ଅନ୍ୟ ରାଜ୍ୟ ସହିତ ସୁସମ୍ପର୍କ ଗଢ଼ି ତୋଳିବା ପାଇଁ କୂଟନୈତିକ ଦୃଷ୍ଟିରୁ ପୁଅଝିଅଙ୍କୁ ବାହା ଦେଉଥିଲେ । ଏପରି ମୁରବୀପ୍ରଧାନ ସମାଜରେ ବାପ କର୍ତ୍ତା ହିସାବରେ ଶେଷ ପର୍ଯ୍ୟନ୍ତ ନିଜ ହାତରେ ସମସ୍ତ କର୍ତ୍ତ୍ୱତ୍ୱ ରଖିବାକୁ ଆଗ୍ରହୀ ଥାଏ ଓ ଏହା ଫଳରେ ବାପ ଓ ପୁଅଙ୍କ ଭିତରେ ପରସ୍ପର ସନ୍ଦେହ ଓ ବୈରଭାବ ବହୁତ ବେଶୀ ବଢ଼ିଥାଏ । ମୋଗଲ ବାଦଶାହମାନଙ୍କର ଜୀବନଠୁଁ ଆରମ୍ଭ କରି ଗାଁ ଗାଁର ବଡ଼ ବଡ଼ ଜମିମାଲିକ ଯାଏ ଏହାର ପଣ ପଣ ଉଦାହରଣ ମିଳିବ-। ଏସବୁ ମଧ୍ୟ ଏ ପରିସ୍ଥିତିର ଅନ୍ୟତମ ଦୁଃଖଜନକ ପରିଣାମ ।

 

ଯୌନପ୍ରେରଣାର ଅବରୋଧ ଓ ବିକୃତି ଅତିମାତ୍ରାରେ ଘଟିଲେ ନାନାପ୍ରକାର ଉତ୍କଟ ମାନସିକ ବିକୃତି ଦେଖାଯାଏ, ସେସବୁ ତ ଅଲଗା କଥା; ମାତ୍ର ସମାଜରେ ବ୍ୟାପକ ଭାବରେ ମଧ୍ୟ କେତେକ ଅସ୍ୱାଭାବିତା ଦେଖାଦେଇପାରେ, ଯାହାକୁ ଆମେ ପୁରୁଷଚରିତ୍ର, ସ୍ତ୍ରୀଚରିତ୍ର ବା ‘ଜାତି’ ର ଚରିତ୍ରର ସ୍ୱାଭାବିକ ଅଭିବ୍ୟକ୍ତି ବୋଲି ଅନେକ ସମୟରେ ଧରିନେଇଥାଉ । ମନୋବିଜ୍ଞାନରେ ଏଇଟା ଗୋଟାଏ ଜଣାଶୁଣା କଥା ଯେ ଯୌନପ୍ରେରଣାର ଗୋଟାଏ ପ୍ରକାରର ବିକୃତିର ପରିଣାମରେ ମଣିଷର ଚରିତ୍ରରେ ନିଷ୍ଠୁରତା ବଢ଼ିଯାଏ । ଅନ୍ୟକୁ କଷ୍ଟ ଦେଇ, ଅନ୍ୟର କଷ୍ଟ ଦେଖି ସେ ଆନନ୍ଦ ଅନୁଭବ କରେ । ଏ ପ୍ରକାରର ନିଷ୍ଠୁରତା ସାମନ୍ତବାଦୀ ସମାଜର ଗୋଟିଏ ଅପରିହାର୍ଯ୍ୟ ଉପାଦାନ । ରାଜାଠାରୁ ଆରମ୍ଭ କରି ସାମନ୍ତ, କଟୁଆଳ, ଗାଁ ପ୍ରଧାନ ଓ ପରିବାରର ମୁରବୀଯାଏ ଏ ଭଳି ନିଷ୍ଠୁରତାର ସାହାଯ୍ୟରେ ହିଁ ନିଜ ନିଜର କ୍ଷମତା ଜାରି କରିପାରନ୍ତି, ବଜାୟ ରଖନ୍ତି ଓ ସାରା ସମାଜବ୍ୟବସ୍ଥାକୁ ତିଷ୍ଠେଇ ରଖନ୍ତି ।

 

ବିଶିଷ୍ଟ ମନୋବିଜ୍ଞାନୀ ଏରିକ୍‌ ଏରିକ୍‌ସନ୍‌ ବିଭିନ୍ନ ସମାଜର ଶିଶୁପାଳନ ପଦ୍ଧତି ଓ ସେସବୁ ସମାଜର ରୀତିନୀତି, ଆର୍ଥିକ ବ୍ୟବସ୍ଥା ଓ ଆର୍ଥିକ ସମ୍ପର୍କ ଉପରେ ଗବେଷଣା କରି ଏଇ ସିଦ୍ଧାନ୍ତ ବାଢ଼ିଛନ୍ତି ଯେ ଏ ଉଭୟ ଭିତରେ ଘନିଷ୍ଠ ସମ୍ବନ୍ଧ ରହିଛି । ସମାଜର ରୂପ ଯେମିତି, ସେଥିରେ ଚଳିବା ପାଇଁ ଯେଉଁ ପ୍ରକାର ବ୍ୟକ୍ତିତ୍ୱ ଲୋଡ଼ା, ସେହି ସେହି ସମାଜରେ ଶିଶୁମାନଙ୍କର ଲାଳନପାଳନ ପଦ୍ଧତି ମଧ୍ୟ ସେହି ପ୍ରକାରର ବ୍ୟକ୍ତିତ୍ୱ ଗଢ଼ିବାରେ ସାହାଯ୍ୟ କରେ । ସମାଜବ୍ୟବସ୍ଥା ସହିତ ଖାପ ଖାଇଲା ଭଳି ଶିଶୁପାଳନ ପଦ୍ଧତି ଆପେ ଆପେ ବିକଶିତ ହେଇଯାଇଥାଏ । ଏଠି ଶିଶୁପାଳନ ବୋଲନ୍ତେ ଶିଶୁକୁ କୋଳ କରିବା, କ୍ଷୀର ଖୋଇବା, ଝାଡ଼ା ପରିସ୍ରା କରେଇବା, ଶୁଆଇବା, ଉଠାଇବା, ଖେଳେଇବା, ଗେଲ କରିବା ଢଙ୍ଗ ବୁଝାଉଛି; ପରେ ସେମାନଙ୍କୁ ସମାଜର ରୀତିନୀତି ମାନି ଚଳିବା ପାଇଁ ଯେଉଁ ଶିକ୍ଷା ବା ଉପଦେଶ ଦିଆଯାଏ, ତାହାକୁ ନୁହେଁ ।

 

ମୋର ମନେହୁଏ ଯେ ଆମର ସାମନ୍ତବାଦୀ ସମାଜରେ ମଧ୍ୟ ସେହିପରି ଯୌନଜୀବନ, ଶିଶୁପାଳନ ପଦ୍ଧତି ଓ ସାମାଜିକ ଓ ଆର୍ଥିକ ବ୍ୟବସ୍ଥା ପରସ୍ପରକୁ ସୁନ୍ଦର ଖାପ ଖାଇଲା ପରି ଗଢ଼ି ଉଠିଥିଲେ । ସମାନ୍ତବାଦର ଆର୍ଥିକ ମୂଳଦୁଆ ଭାଙ୍ଗିଦେବା ପରେ ଅନ୍ୟଗୁଡ଼ିକ ମଧ୍ୟ ଆପେ ଆପେ ବଦଳିଯିବ ବୋଲି ଆମର ଧାରଣା; ମାତ୍ର ଆର୍ଥିକ ସଙ୍ଗଠନ ଅପେକ୍ଷା ସାଂସ୍କୃତିକ ଛାଞ୍ଚ ଓ ମାନସିକ ରଚନାର ମୂଳ ବେଶୀ ମଜବୁତ ହୋଇଥାଏ; ଭାଙ୍ଗିବାକୁ ବେଶୀ ସମୟ ଲାଗେ । ପୁଞ୍ଜିବାଦ ଓ ସମାଜବାଦରେ ଆଗୁଆ ହେଇଥିବା ଦେଶମାନଙ୍କରେ ମଧ୍ୟ ନାନା କ୍ଷେତ୍ରରେ ସାମନ୍ତବାଦୀ ମୂଲ୍ୟବୋଧର ଅବଶେଷ ଏହାର ପ୍ରମାଣ । ସେଥିପାଇଁ ଏ ସବୁ ଆପେ ଆପେ ହେଇଯିବ ବୋଲି ବସିରହିବା ଭୁଲ । ଅନ୍ତତଃ ନିଜ ଜୀବନର ଅପୂର୍ଣ୍ଣତା ଦୂର କରିବା ଓ ତାହାକୁ ସୁନ୍ଦରତର କରିବା ପାଇଁ ତ ଉଦ୍ୟମ ଲୋଡ଼ା ।

 

ହିଂସା ମଣିଷ ସ୍ୱଭାବର ଜନ୍ମଗତ ଅଂଶ ହେଇପାରେ; ମାତ୍ର ଯୁଦ୍ଧ ସାମ୍ପ୍ରଦାୟିକ ଗଣ୍ଡଗୋଳ ଆଦିରେ ଯେଉଁ ନୃଶଂସତା ଆମେ ଦେଖିବାକୁ ପାଉଁ, ତାହା ମୂଳରେ ଏ ପ୍ରକାରର ଯୌନ ପ୍ରେରଣାର ବିକୃତି ରହିଥାଏ ବୋଲି ସନ୍ଦେହ କରିବାର କାରଣ ଅଛି । ରାଉରକେଲାରେ ଓ ଅନ୍ୟତ୍ର ସାମ୍ପ୍ରଦାୟିକ ଗଣ୍ଡଗୋଳବେଳେ ଅନ୍ୟମାନଙ୍କ କାର୍ଯ୍ୟକଳାପରେ ନାରୀଧର୍ଷଣ, ସାନ ସାନ ପିଲାଙ୍କୁ ଜୀଅନ୍ତା ପୋଡ଼ି ମାରିବା ପ୍ରଭୃତି ଯେଉଁ ସବୁ ବୀଭତ୍ସତା ଦେଖିବାକୁ ମିଳିଲା, ତାହା ଆଦିବାସୀମାନଙ୍କର କାଣ୍ଡକାରଖାନାରେ ନ ଥିଲା । ଆଦିବାସୀମାନେ ମଣିଷ ହାଣିଲେ ତ ସିଧାସଳଖ ହାଣିଲେ । ନାରୀଧର୍ଷଣ ଓ ଶିଶୁମାନଙ୍କ ପ୍ରତି ନୃଶଂସତା ସେମାନଙ୍କର ପ୍ରାୟ ନ ଥିଲା । ଆଦିବାସୀ ସମାଜର ଯୌନ ବିଷୟକ ରୀତିନୀତି ଓ ମନୋଭାବ ସହିତ ଏହାର ସମ୍ପର୍କ ଅଛି ବୋଲି ମନେ ହୁଏ । ଅଧିକ ସଭ୍ୟ ବୋଲାଉଥିବା ଲୋକଙ୍କର ଚପିରହିଥିବା ବିକୃତ ଯୌନପ୍ରେରଣା ଏହି ସବୁ ଉପଲକ୍ଷ୍ୟରେ ଫୁଟି ବାହାରେ । ହିନ୍ଦୁ, ମୁସଲମାନ ପ୍ରଭୃତିଙ୍କ ଭିତରେ ଯେପରି ବହୁ ଲୋକ ମିଶି ଜଣେ ସ୍ତ୍ରୀଲୋକକୁ ଧର୍ଷଣ କରିବାର ଅପରାଧ ଘଟିଥାଏ, ସେପରି ମଧ୍ୟ ଆଦିବାସୀଙ୍କ ଭିତରେ ଦେଖାଯାଏ ନାହିଁ

 

‘ପରଦାରେଷୁ ମାତୃବତ୍‌’ ବୋଲି ଯେତେ ଉପଦେଶ ଦେଲେ ବି ସାମନ୍ତବାଦୀ ପରିବେଶରେ ପରର, ଅନ୍ୟର, ଜମିବାଡ଼ି ସମ୍ପତ୍ତି ପରି ସ୍ତ୍ରୀ ସମ୍ପତ୍ତି ମଧ୍ୟ ରାଜା ଜମିଦାରର ପରାକ୍ରମର ନ୍ୟାୟସଙ୍ଗତ ଲକ୍ଷ୍ୟ ବୋଲି ଧରାଯାଉଥିଲା । ବସୁନ୍ଧରା ଯେମିତି ‘ବୀରଭୋଗ୍ୟା’–ସ୍ତ୍ରୀମାନେ ବି ସେମିତି । ବିଜିତ ରାଜାର ସ୍ତ୍ରୀ ଓ ରକ୍ଷିତାମାନଙ୍କୁ ଦଖଲ କରିବା କଥା ତ ଥିଲା, ନିଜ ରାଜ୍ୟରେ ବି ପ୍ରଜାଙ୍କର ସ୍ତ୍ରୀ କନ୍ୟା ନିରାପଦ ରହୁ ନ ଥିଲେ । ଏଇ ଏବ ପର୍ଯ୍ୟନ୍ତ ଅନେକ ରାଜ୍ୟରେ ପ୍ରଥା ଥିଲା ଯେ ନବବିବାହିତା ବଧୁ ପ୍ରଥମେ ରାଜା ବା ଜମିଦାରଙ୍କର ଦେହଲାଗି ହେବା ପାଇଁ ଯିବ । କୌଣସି ପ୍ରଜାଘରେ ସୁନ୍ଦରୀ ଝିଅଟିଏ ଥିଲେ ସେ ପରିବାର ଉପରେ ରାଜାଙ୍କର ଦୃଷ୍ଟିବାକୁ ‘କୃପାଦୃଷ୍ଟି’ କୁହାଯାଉଥିଲା । ମୁଁ ନିର୍ଭରଯୋଗ୍ୟ ସୂତ୍ରରୁ ଶୁଣୁଛି ଯେ ଅଷ୍ଟମ ଏଡୱାର୍ଡ ୱେଲସ୍‌ର ଯୁବରାଜରୂପେ ଭାରତ ଆସିଥିବାବେଳେ କଲିକତାର ଅନେକ ସମ୍ଭ୍ରାନ୍ତ ପରିବାର ତାଙ୍କ ଦେହଲାଗି ହେବା ପାଇଁ ଆପଣା ଝିଅମାନଙ୍କୁ ଦେବା ପାଇଁ ୟା ଉପରେ ଆବୁରା ପଡ଼ୁଥିଲେ । ନିଜାମଙ୍କ ରାଜ୍ୟରେ, ୧୯୪୮ରେ ତାହା ଭାରତରେ ମିଶିବା ପରେ, ଅବସ୍ଥାପନ୍ନ ଘରର ଲୋକମାନେ ସରକାରୀ କର୍ମଚାରୀଙ୍କୁ ତୁଷ୍ଟ କରି କାମ ହାସଲ କରିବା ପାଇଁ ନିଜ ଝିଅକୁ ଆଣି ଯାଚୁଥିବା କଥା ଭାରତ ସରକାରଙ୍କର ଜଣେ ଉଚ୍ଚପଦସ୍ଥ କର୍ମଚାରୀ ବର୍ଣ୍ଣନା କରିଛନ୍ତି । ଏହିରୂପେ ରାଜୁଡ଼ା ଶ୍ରେଣୀର ଏ ମୂଲ୍ୟବୋଧ ସାରା ସମାଜ ଗ୍ରହଣ କରିନେଇଥିଲା । ଏସବୁର ଛାପ ଏବେ ବି ଆମ ମନରେ ରହିଛି । ସେଥିପାଇଁ ଯୌନକ୍ଷୁଧାର ଯେଉଁ ଚିନ୍ତାଜନକ ଆତିଶଯ୍ୟ ଆମେ ଚାରିଆଡ଼େ ଦେଖୁ, ସେସବୁକୁ ଏହାର ସ୍ୱାଭାବିକ ଅଭିବ୍ୟକ୍ତି ବୋଲି ମାନିନେବା ଠିକ୍‌ ନୁହେଁ । ଏହିପରି ଭୋଗ ନାଁରେ ଦୁନିଆରେ ଆପେ କୃଚ୍ଛ୍ରସାଧନା ଓ ଅନ୍ୟ ପ୍ରତି ଅତ୍ୟାଚାର ଅନବରତ ଚାଲିଛି ଓ ତାକୁ ହିଁ ଦେଖି ଭୋଗବାଦ ବଢ଼ିଗଲା ବୋଲି ଭଲ ଭଲ ଲୋକେ ବିଳାପ କରୁଛନ୍ତି, ଏଇ ହେଇଛି ଆଜିର ଅବସ୍ଥା ।

 

(୨)

 

ଉପରେ ଏ ଦେଶର ଦାମ୍ପତ୍ୟ ପରିସ୍ଥିତିର ଯେଉଁ ଚିତ୍ର ଦିଆହେଲା, ତାହା ବେଳେବେଳେ ବ୍ୟଙ୍ଗଚିତ୍ର ପରି ମନେ ହେଇପାରେ । ପୂର୍ବରୁ କହିଥିବାପରି ଆଦିବାସୀ, ଅତି ଆଧୁନିକ ଶିକ୍ଷିତ ସମାଜ ଓ ହୁଏତ କେତେକ ଅଞ୍ଚଳ ବା ବିଶେଷ ଗୋଷ୍ଠୀ ପ୍ରତି ଏହା ଖାଟିବ ନାହିଁ; ମାତ୍ର ଦେଶର ଅଧିକାଂଶ ଭାଗ ପ୍ରତି ଏହା ଊଣା ଅଧିକ ଖାଟିବ ବୋଲି କୁହାଯାଇପାରେ ।

 

ଯୌନବ୍ୟାପାର ବିଷୟରେ ବର୍ତ୍ତମାନ ଯେଉଁ ବ୍ୟାପକ ମନୋଭାବ ଏ ଦେଶର ଆଧ୍ୟାତ୍ମିକ ପରମ୍ପରାସମ୍ମତ ବୋଲି ଧରିନିଆଯାଉଛି, ତାହା ସବୁ ଦିନେ ସେହିପରି ଥିଲା ବା ଏହାଛଡ଼ା ଅନ୍ୟ କୌଣସି ଧାରା ନ ଥିଲା ବା ନାହିଁ ବୋଲି ବିଚାରିବା ଠିକ୍‌ ନୁହେଁ; ମାତ୍ର ସେସବୁ ଊଣା ଅଧିକେ ପୁରୁଷପ୍ରଧାନ, ସାମନ୍ତବାଦୀ ଛାଞ୍ଚରେ ପଡ଼ିଯାଇଛି-ସେଥିରୁ ଉଧୁରି ପାରି ନାହିଁ । ବର୍ତ୍ତମାନ ଅପେକ୍ଷା ପ୍ରାଚୀନ କାଳରେ ଏ ବିଷୟରେ ଅଧିକ ମୁକ୍ତିତା ଥିଲା । ଏସବୁ ବିଷୟରେ ଆଲୋଚନା ଅଧିକ ଖୋଲାଖୋଲି ଭାବରେ ହେଇପାରୁଥିଲା ଓ ବାତ୍ସାୟନଙ୍କର କାମସୂତ୍ର ଭଳି ପୁସ୍ତକ ବି ଲେଖାଯାଇପାରୁଥିଲା । ବର୍ତ୍ତମାନର ଅଶ୍ଳୀଳ ସାହିତ୍ୟ (ପୋର୍ଣ୍ଣୋଗ୍ରାଫୀ) ପରି ତାହା ବିକୃତ ରୁଚିର ଅଭିବ୍ୟକ୍ତି ନ ଥିଲା । ଏ ସବୁଥିରେ ଏକ ସୁସ୍ଥ ସବଳତା ଦେଖିବାକୁ ମିଳେ । ଗୋଟାଏ ଆଡ଼ୁ ଏହା ସୁସ୍ଥ ସବଳତାର ପରିଚାୟକ ହେଲେ ବି ସେତେବେଳକୁ ସମାଜ ପୁରୁଷପ୍ରଧାନ ହେଇସାରିଥିବାରୁ ଏସବୁଥିରେ ତାହାରି ଛାପ ଦେଖିବାକୁ ମିଳେ । କାମସୂତ୍ର ପୁରୁଷ ପାଇଁ ହିଁ ଲେଖାହେଇଛି । ସେଥିରେ ସ୍ତ୍ରୀ କେବଳ ସାମଗ୍ରୀ; ପାରସ୍ପରିକତା ତାହା ଭିତରେ ନାହିଁ ।

 

ସେହିପରି ଧର୍ମାଚରଣ ମାର୍ଗରେ ଧର୍ମ, ଅର୍ଥ, କାମ, ମୋକ୍ଷ ଏ ଚତୁବର୍ଗ ଫଳକୁ ଧ୍ୟେୟରୂପେ ରଖାଯାଇଛି । ଏଥିରେ କାମକୁ ଏକ ଧର୍ମସଙ୍ଗତ ସ୍ଥାନ ଦିଆଯାଇଛି ସତ; ମାତ୍ର ତାହା ବି ପୁରୁଷପ୍ରଧାନ ଛାଞ୍ଚ ଭିତରେ । ଭାରତର ଧର୍ମଚର୍ଚ୍ଚା ଓ ଆଧ୍ୟାତ୍ମିକତା ପୁରୁଷପ୍ରଧାନ ହିଁ ରହିଛି । ଏଥିରେ ସବୁପ୍ରକାର ସାଧନା, ଚାରି ଆଶ୍ରମ ଆଦି–ସବୁ ପୁରୁଷ ପାଇଁ । ବ୍ରହ୍ମଚର୍ଯ୍ୟ, ଗାର୍ହସ୍ଥ୍ୟ, ସନ୍ନ୍ୟାସ ସବୁ ପୁରୁଷର ଦୃଷ୍ଟିକୋଣରୁ କଳ୍ପିତ । ମୋକ୍ଷ ବି ପୁରୁଷ ପାଇଁ । ବେଳେବେଳେ ସ୍ତ୍ରୀଲୋକମାନେ ‘‘ଆମକୁ କ’ଣ ମୋକ୍ଷ ମିଳିବ ନାହିଁ ?’’ ବୋଲି କଟାଳ କଲେ ଦୟାବନ୍ତ ଋଷି ବର ସନ୍ଥ ତାଙ୍କୁ ଆଶ୍ୱାସନା ଦେବା ପାଇଁ କହିଦେଇଛନ୍ତି ଯେ, ହଁ, ଘରସଂସାର କାମ, ସ୍ୱାମୀସେବା ଆଦି ମନଦେଇ କଲେ ସେଇ ବାଟରେ ମୁକ୍ତି ମିଳିଯିବ । କିନ୍ତୁ ଏ ପିଲା ଭଣ୍ଡେଇଲା ପରି ଶୁଭେ । ସ୍ତ୍ରୀ ଓ ପୁରୁଷର ଅଧିକାର ଭିତରେ ଉପୁଜିଥିବା ମୌଳିକ ସାମାଜିକ ଭେଦର ଚେରକୁ ଏହାଦ୍ୱାରା ଛୁଆଁ ହେଇନାହିଁ ଓ ଯେଉଁ ଆଧ୍ୟାତ୍ମିକତା ମଣିଷ ସହିତ ମଣିଷର ବୁନିଆଦି ସମାନ ଅଧିକାର ବିଷୟରେ ସଚେତନ ନୁହେଁ, ମଣିଷର ଆନ୍ତରିକ ବିକାଶ ପାଇଁ ତାହାର ଉପଯୋଗିତା ଅତି ସୀମାବଦ୍ଧ । ଗୋଟାଏ ପରମ୍ପରାରେ ଯୌନ ବ୍ୟାପାରକୁ ପାପ ମନେ କରାଯାଉ ନ ଥିଲା; ମାତ୍ର ସ୍ଥୂଳ ପ୍ରୟୋଜନ ସିଦ୍ଧିର ମାଧ୍ୟମ ରୂପେ ହିଁ ଦେଖାଯାଉଥିଲା । ତାହା ସହିତ ଜଡ଼ିତ ଥିବା ସୂକ୍ଷ୍ମ ଭାବନା ଓ ବ୍ୟକ୍ତିର ଭାବ ଜୀବନର ବିକାଶରେ ତା’ର ସ୍ଥାନର ଗୁରୁତ୍ୱ ବିଷୟରେ କୌଣସି ଧାରଣା ଥିବା ଭଳି ମନେହୁଏ ନାହିଁ । ସେଥିପାଇଁ ଟ୍ରାଫିକ୍‌ ଚଳାଚଳର ନିୟମ ଭଳି ନିୟମକାନୁନ୍‌ ଗଢ଼ି ତା’କୁ ନିୟନ୍ତ୍ରଣ କରିବା ଚେଷ୍ଟା କରାଯାଇଥିଲା । ପୁଣି ଏକ ପ୍ରାର୍ଥନା ବି ଅଛି ଯେ ମୁଁ ପାପୀ, ପାପରୁ ଜାତ, ପାପକର୍ମା ଇତ୍ୟାଦି । ଏହିଭଳି ଉଭୟ ପ୍ରକାର ବିଚାର ଏହି ପରମ୍ପରା ଭିତରେ ଅଛି ।

 

ଏ ଦେଶରେ ତନ୍ତ୍ରସାଧନାର ଗୋଟାଏ ପରମ୍ପରା ଅଛି । ଏ ପରମ୍ପରାରେ ମଣିଷ ଅନ୍ତର୍ନିହିତ ପ୍ରବୃତ୍ତି ସବୁକୁ ଦମନ କରିବା ପରିବର୍ତ୍ତେ ସେସବୁର ସମ୍ୟକ୍‌ ବିକାଶ ମାଧ୍ୟମରେ ବ୍ୟକ୍ତିର ଆଧ୍ୟାତ୍ମିକ ଶକ୍ତିର ଉନ୍ମେଷ ପାଇଁ ପ୍ରଯତ୍ନ କରାଯାଏ । ଯୌନ ଆଚରଣକୁ ପରିହାର କରିବା ପରିବର୍ତ୍ତେ ତାକୁ ହିଁ ସାଧନାର ପନ୍ଥାରୂପେ ଗ୍ରହଣ କରାଯାଏ । ମଣିଷର ମନଗହନର ରଚନା ସମ୍ବନ୍ଧରେ ଆଧୁନିକ ମନୋବିଜ୍ଞାନର ତତ୍ତ୍ୱ ସହିତ ତନ୍ତ୍ରସାଧନାର ମୂଳତତ୍ତ୍ୱର ଅନେକ ସାଦୃଶ୍ୟ ରହିଛି । ଆଧୁନିକ ମନୋବିଜ୍ଞାନ ଅନୁସାରେ ମଣିଷର ଯେଉଁ ପ୍ରବୃତ୍ତି ଯୌନଚେତନାରୂପେ ପ୍ରକାଶ ପାଏ, ସେହି ପ୍ରବୃତ୍ତି ହିଁ ପୁଣି ପରିବର୍ତ୍ତିତ ରୂପରେ ଅନ୍ୟାନ୍ୟ ସୃଜନାତ୍ମକ ବା ଧ୍ୱଂସାତ୍ମକ ପ୍ରେରଣାର ରୂପ ନିଏ । ଏ ପ୍ରବୃତ୍ତିର ଗୋଟାଏ ବଡ଼ ଅଂଶ ବା ସବୁଠାରୁ ବଡ଼ ଅଂଶ ବ୍ୟକ୍ତିର ଚେତନାର ହାତପାଆନ୍ତାରେ ନ ଥାଏ । ବ୍ୟକ୍ତି ତାହାର ଅସ୍ତିତ୍ୱ ବିଷୟରେ ଅଜ୍ଞାନରେ ଥାଏ । ମଣିଷର ଯୌନ-ପ୍ରେରଣାକୁ ଜୋର କରି ଦବେଇବା ଚେଷ୍ଟା କଲେ ସେ ପ୍ରେରଣା ସହିତ ଯୋଡ଼ି ହୋଇ ରହିଥିବା ଇଚ୍ଛା, ଆକାଂକ୍ଷା ଓ ଭାବନା ସବୁ ତା’ର ସଚେତନ ମନରୁ ତଡ଼ିହେଇ ତା’ର ଅଚେତନ ଭିତରକୁ ଚାଲିଯାଏ । ସେ ଆଉ ନିଜେ ନିଜେ ଭିତରେ ସେସବୁର ଅସ୍ତିତ୍ୱ ଅନୁଭବ କରିପାରେ ନାହିଁ; ଅଥଚ ସେସବୁ ତା’ର ଅଗୋଚରରେ ରହି ତା’ର ଆଚରଣକୁ ନିୟନ୍ତ୍ରିତ କରନ୍ତି । ଏହିରୂପେ ତା’ର ନିଜ ଆଚରଣ ଉପରେ କର୍ତ୍ତୃତ୍ୱ ସୀମାବଦ୍ଧ ହେଇଯାଏ; ତା’ର ବ୍ୟକ୍ତିତ୍ୱ ଦୁର୍ବଳ ହେଇଯାଏ । ଏହାଛଡ଼ା ପ୍ରବଳ ପ୍ରବୃତ୍ତିସବୁକୁ ଦମନ କରିବା ଚେଷ୍ଟାରେ ତାହା ମନରେ ଯେଉଁ ଦ୍ୱନ୍ଦ୍ୱ ଚାଲେ, ସେଥିରେ ତା’ର ଆନ୍ତରିକ ଶକ୍ତିର ଅଧିକାଂଶ ଖର୍ଚ୍ଚ ହେଇଯାଏ । ଜୀବନ ନିସ୍ତେଜ ହେଇଯାଏ । କର୍ମଶକ୍ତି କ୍ଷୀଣ ହେଇଯାଏ ।

 

ଯଦି ମଣିଷ ତା’ର ପ୍ରକୃତିକୁ ଜୋରକରି ଦମନ ନ କରି ତା’କୁ ସୁସ୍ଥ ଓ ସୁଷ୍ଠୁଭାବରେ ପ୍ରକଟ ହେବାକୁ ଦିଏ, ତେବେ ତାହା କ୍ରମେ ତାହାର ସଚେତନ ମନର ଅକ୍ତିୟାରକୁ ଆସେ । ଅଚେତନ ଭିତରକୁ ସେସବୁ ଠେଲି ହେଇଯାଏ ନାହିଁ । ତା’ର ପ୍ରବୃତ୍ତିର ଅଚେତନ ଅଂଶ ଊଣା ହେଇଯାଏ । ଏହାଦ୍ୱାରା ବ୍ୟକ୍ତିତ୍ୱ ଖଣ୍ଡିତ ଓ ଦୁର୍ବଳ ନ ହେଇ ସମନ୍ୱିତ ଓ ବଳବାନ୍‌ ହୁଏ । ଅନ୍ତର୍ଦ୍ୱନ୍ଦ୍ୱ (ଅଚେତନ ଭିତରେ ଓ ସଚେତନ ମନରେ ଚାଲୁଥିବା) ଊଣା ହେଇଯାଏ । ଜୀବନରେ ତେଜସ୍ୱିତା, କର୍ମପ୍ରେରଣା, ଉତ୍ସାହ ବହୁତ ଅଧିକ ପରିମାଣରେ ପ୍ରକାଶ ପାଏ । ମଣିଷ ତା’ର ଅଗୋଚରରେ ଥିବା ପ୍ରବୃତ୍ତିର ଶକ୍ତିକୁ ଯେତେ ଅଧିକ ନିଜର ସଚେତନ ଅନୁଭୂତି ଭିତରକୁ ଆଣିପାରେ, ତା’ର ବ୍ୟକ୍ତିତ୍ୱ ସେତେ ଶକ୍ତିଶାଳୀ ଓ ତେଜସ୍ୱୀ ହୁଏ ।

 

ଆମେ ସାଧାରଣତଃ ଦେଖିଥାଉ, ଯେଉଁମାନଙ୍କର ଜୀବନ ନାନାପ୍ରକାରର ବିଧିନିଷେଧରେ ବନ୍ଧା, ସେମାନଙ୍କର ଜୀବନ ଆଡ଼ଷ୍ଟ ହେଇଯାଇଥାଏ । ସେଥିରେ ପ୍ରାଣପ୍ରାଚୁର୍ଯ୍ୟ ନ ଥାଏ; ଚାଲିଚଳଣ କାଠକୁଣ୍ଡେଇ ପରି ହୁଏ । ସାବଲୀଳତା ଓ ବୁଦ୍ଧିର ପୁଟ କମ୍‌ ଥାଏ । ଅପର ପକ୍ଷରେ ଏତେ ବିଧିନିଷେଧର ଜାଲରେ ବାନ୍ଧି ନ ହେଇଥିବା ଓ ଜୀବନକୁ ସହଜ ଭାବରେ ଗ୍ରହଣ କରୁଥିବା ଲୋକଠାରେ ଅଧିକ ପ୍ରାଣ ପ୍ରାଚୁର୍ଯ୍ୟ, ସାବଲୀଳତା, ବୁଦ୍ଧିର ଦୀପ୍ତି ଦେଖିବାକୁ ମିଳେ । ବିଧିନିଷେଧର, ସଂସ୍କାରର ଛାଞ୍ଚରେ ଢଳା ଆଚରଣ ସେହି ସମାଜର ଧରାବନ୍ଧା ଗତରେ ଜୀବନ କଟେଇବା ପକ୍ଷରେ ଯଥେଷ୍ଟ ହେଇଥାଏ । ସେଥିରେ ମଣିଷ କେତେଗୁଡ଼ିଏ ଧରାବନ୍ଧା କର୍ତ୍ତବ୍ୟ ଓ କାର୍ଯ୍ୟକଳାପ ତୁଲେଇଦେଲେ ସମାଜଟା ଚାଲୁରଖିବା ପକ୍ଷରେ ଯଥେଷ୍ଟ ହୁଏ । ଏହାଦ୍ୱାରା ବ୍ୟକ୍ତିର ଚରିତ୍ର କୁଣ୍ଠିତ, ସୀମାବଦ୍ଧ, ନିରସ, ଦୁର୍ବଳ ହେଇଗଲା ତ ସେଥିରେ କାହାର କ’ଣ ଯାଉଛି ?

 

ମାତ୍ର ବେଳେବେଳେ ଏ ମାନସିକ ଅବରୋଧ ସମାଜରେ ଯାହାକୁ ସ୍ୱାଭାବିକ ଆଚରଣ କୁହାଯାଏ ତା’କୁ ବି ବଳିପଡ଼େ । ତାହା ପକ୍ଷରେ ସହଜ ଭାବରେ ଚଳପ୍ରଚଳ ହେବା ବି କଠିନ ହେଇପଡ଼େ । ଯେମିତି ଧରନ୍ତୁ, କାହାରି କାହାରି ଏକପ୍ରକାର ଶୁଚିବାୟୁ ଥାଏ । କୌଣସି ଜିନିଷ ସେମାନେ ଛୁଇଁବେ ନାହିଁ; ବାରମ୍ବାର ହାତଗୋଡ଼ ଧୋଉଥିବେ । ଏହା ଅଚେତନରେ ଦବିରହିଥିବା ଭାବନାର ଖେଳ । ଏଥିରୁ ମୁକ୍ତ ହେବା ପାଇଁ ମାନସିକ ଚିକିତ୍ସା କରିବାକୁ ପଡ଼େ ।

 

ନାନାପ୍ରକାରର ବିଧିନିଷେଧ ବାହାରର ଚାପ ଓ ମାନସିକ ଜବରଦସ୍ତି ଦ୍ୱାରା ସାଧାରଣ ମଣିଷର ଇଚ୍ଛା ଓ ଭାବନା ସବୁକୁ ଅଚେତନ ଭିତରକୁ ଠେଲି ଦେଇ ମାନସିକ ଅବରୋଧ ସୃଷ୍ଟି କରି ଯେ ତା’ରି ପ୍ରାଣଶକ୍ତିର ବତି କମେଇ ରଖିଦିଆଯାଇଥାଏ, ତାନ୍ତ୍ରିକ ସାଧନା ମଣିଷକୁ ସେସବୁ ଅବରୋଧରୁ ମୁକ୍ତ କରି ତା’ରି ବତି ପୁରା ତେଜିଦେବାରେ ସାହାଯ୍ୟ କରେ । ତା’ର ଅଚେତନ ବା ସୁପ୍ତ ଶକ୍ତିକୁ ଚେତନାକୁ ଆଣେ ବା ଜାଗ୍ରତ କରେ । ଏଇ ହେଲା ତା’ର ଆଧୁନିକ ମନୋବିଜ୍ଞାନ ସହିତ ସାଦୃଶ୍ୟ ।

 

ମାନ ତାନ୍ତ୍ରିକ ମତ ପଛରେ ମନୋବିଜ୍ଞାନ ଭୂମିକା ଥିଲେ ବି ତାହାର ଅଭିବ୍ୟକ୍ତି ମଧ୍ୟ ପୁରୁଷପ୍ରଧାନ ଓ ସାମନ୍ତବାଦୀ ପିରିବେଶର ଛାଞ୍ଚ ଭିତରେ ପଡ଼ିଗଲା । ଏଥିରେ ମଧ୍ୟ ସାଧନା ପୁରୁଷ ପାଇଁ ଓ ସ୍ତ୍ରୀ ତା’ର ଉପକରଣ ମାତ୍ର । ଶାକ୍ତଧର୍ମ ରୂପରେ ଏହା ରାଜୁଡ଼ା ଓ ସାମନ୍ତଶ୍ରେଣୀ ପାଇଁ ଏକ ଜୀବନଦର୍ଶନ ଯୋଗେଇଲା । ସେମାନଙ୍କର ଦୃଷ୍ଟିରେ ଶକ୍ତି ବୋଲନ୍ତେ ରାଜଶକ୍ତି । ରାଜନୀତିକ, ଆର୍ଥିକ ଓ ସାମାଜିକ କ୍ଷମତା, ପ୍ରତିପତ୍ତି ହାସଲ ପାଇଁ ଏ ସାଧନା ଚାଲିଲା । ଏହାର ସାଧନପଦ୍ଧତି ସାମନ୍ତଶ୍ରେଣୀସୁଲଭ ବିଳାସ ପାଇଁ ଏକ ବାହାନା ଯୋଗାଇଲା ।

 

ବୈଷ୍ଣବ ପରମ୍ପରାରେ ଆଉ ପ୍ରକାରେ ଦୃଷ୍ଟି ରହିଛି । ଚୈତନ୍ୟ ମହାପ୍ରଭୁ ଏହାକୁ ଯେଉଁ ରୂପରେ କରିଥିଲେ ତାହା ବ୍ରାହ୍ମଣ୍ୟ ଧର୍ମର ନିର୍ଜୀବ ବିଧିନିଷେଧ, ଭାବଶୂନ୍ୟତା ଓ ବ୍ରାହ୍ମଣଙ୍କ ଆଧିପତ୍ୟ ବିରୋଧରେ ଏକପ୍ରକାରର ବିଦ୍ରୋହ ଥିଲା । ଏଥିରେ ଭାବର ସହଜତା ଉପରେ ଜୋର ଥିଲା ଓ ଏହାର ମୂଳମନ୍ତ୍ର ଥିଲା ପ୍ରେମ, ସମସ୍ତ ମଣିଷ ପ୍ରତି, ସମସ୍ତ ସୃଷ୍ଟି ପ୍ରତି । ରାଧାକୃଷ୍ଣଙ୍କର ପ୍ରେମ ଏହାର ଆଦର୍ଶ । ସମସ୍ତ ବୈଷ୍ଣବ ସାହିତ୍ୟର ଏହି ରାଧାକୃଷ୍ଣଙ୍କର ପ୍ରେମ ଉପଜୀବ୍ୟ । ଏହାର ଯେତେ ସୂକ୍ଷ୍ମ ଆଲୌକିକ ବ୍ୟଖ୍ୟା କରାଯାଉ, ସାଧାରଣ ନରନାରୀ କ’ଣ ନିଜ ଜୀବନକୁ ସେହି ଆଲୁଅରେ ଦେଖୁ ନ ଥିଲେ ? କବିମାନେ ଯେଉଁସବୁ ଭାବର ଚିତ୍ରଣ କରୁଥିଲେ ସେସବୁର ଉଦ୍‌ଗମସ୍ଥଳ କୌଣସି ଅମର୍ତ୍ତ୍ୟଲୋକରେ ଥିଲା, ନା ସେମାନଙ୍କର ଆପଣାର ଅନୁଭୂତିରେ ? କବି ରବିନ୍ଦ୍ରନାଥଙ୍କ କବିତାର ପ୍ରଶ୍ନ ପରି ‘‘ବୈଷ୍ଣବ କବିତା କ’ଣ କେବଳ ବୈକୁଣ୍ଠ ପାଇଁ ?’’

 

ବୈଷ୍ଣବ ଭାବଧାରାକୁ ଅବଲମ୍ବନ କରି ପୂର୍ବ ଭାରତରେ ସହଜିୟା ପ୍ରଭୃତି ସମ୍ପ୍ରଦାୟ ବାହାରିଲେ; ଯେଉଁଥିରେ ସ୍ତ୍ରୀପୁରୁଷର ସମ୍ବନ୍ଧକୁ ଜାତି, ବଂଶ ଆଦିର ନାଗଫାଶରୁ ମୁକ୍ତ କରି ସରଳ ସହଜ ସଖ୍ୟପ୍ରେମ ଉପରେ ଅଧିଷ୍ଠିତ କରିବା ଉଦ୍ୟମ ହେଲା । ଯେତେ ଦୂର ମନେହୁଏ, ସମାଜର ଅପେକ୍ଷାକୃତ ଦରିଦ୍ରଶ୍ରେଣୀ ଓ ଜାତିବ୍ୟବସ୍ଥାର ତଳ ପାହାଚରେ ରଖାଯାଇଥିବା ଜାତିମାନଙ୍କ ଭିତରେ ହିଁ ଏସବୁ ଆନ୍ଦୋଳନର ପ୍ରସାର ହେଲା । ବ୍ରାହ୍ମଣ ପୁରୋହିତ ଆଦିଙ୍କର ପ୍ରାଦୁର୍ଭାବକୁ ଅସ୍ୱୀକାର କରି ପୁରୁଷ ଓ ସ୍ତ୍ରୀ ପରସ୍ପରକୁ ହୃଦୟର ସରଳ ଆବେଗରେ ଗ୍ରହଣ କଲେ । ଏଥିରେ ବ୍ୟଭିଚାରର ସମ୍ଭାବନା ଅବଶ୍ୟ ରହିଲା; ମାତ୍ର ବ୍ରାହ୍ମଣ୍ୟ ବିଧିନିଷେଧର ନାଗଫାଶରେ ଅଷ୍ଟେପୃଷ୍ଟେ ବନ୍ଧା ହେଇଥିବା ସାମନ୍ତବାଦୀ ମୂଲ୍ୟବୋଧରେ ବୁଡ଼ିରହିଥିବା ସମାଜରେ କ’ଣ ବ୍ୟଭିଚାର ଊଣା ଥିଲା ନା ନାହିଁ ? ପୁଣି ଏ ଦୁଇଟି ଭିତରେ ତାତ୍ପର୍ଯ୍ୟପୂର୍ଣ୍ଣ ପ୍ରଭେଦ ମଧ୍ୟ ରହିଛି । ସାମନ୍ତବାଦୀ ପରମ୍ପରାରେ ବ୍ୟଭିଚାର ମୁଖ୍ୟତଃ ଦୁର୍ବଳ ଉପରେ ସବଳର ଅତ୍ୟାଚାର । ସହଜିଆ ଭଳି ସମ୍ପ୍ରଦାୟରେ ଯେଉଁ ବ୍ୟଭିଚାର ଚାଲୁଥିବ ତାହା ସମାନ ସମାନ ଭିତ୍ତିରେ । ସେଥିରେ କେହି କାହାରି ଉପରେ ଜୋରଜବରଦସ୍ତି କରିବା, ଅସହାୟତାର ସୁଯୋଗ ନେବାର ସମ୍ଭାବନା କମ୍‌ ଥିବ-। ଏ ଗୁଣାତ୍ମକ ପାର୍ଥକ୍ୟର ତାତ୍ପର୍ଯ୍ୟ ଊଣା ନୁହେଁ । ସେ ଯାହା ହେଉ, ଏଭଳି ସବୁ ଆନ୍ଦୋଳନକୁ ବ୍ରାହ୍ମଣ୍ୟଧର୍ମ ତା’ର ନିଜ ପ୍ରତି ଓ ତା’ର ଆଶୀର୍ବାଦରେ ପୁଷ୍ଟ ସାମନ୍ତବାଦୀ ସାମଜବ୍ୟବସ୍ଥା ପ୍ରତି ଏକ ଚୁନୌତି ରୂପରେ ଦେଖିଥିଲା ଓ ଏସବୁକୁ ଚପେଇଦେବା ଲାଗି ବା ନିଜ ଆୟତ୍ତକୁ ଆଣିବାଲାଗି ପ୍ରବଳ ଉଦ୍ୟମ ଚାଲିଲା । ଏମାନଙ୍କୁ ସବୁ ବଦ୍‌ନାମ କରାଗଲା ଓ ସେମାନଙ୍କର ବ୍ରାହ୍ମଣବର୍ଜିତ ବିବାହବିଧିକୁ ଭ୍ରଷ୍ଟାଚାର ଆଖ୍ୟା ଦିଆଗଲା । ଫଳରେ ଏସବୁ ଭାବଧାରା ବିଶେଷ ଆଗେଇ ନ ପାରି ସୀମାବଦ୍ଧ ହେଇଗଲା ।

 

ବୈଷ୍ଣବ ପରମ୍ପରାରୁ ପରକୀୟା ପ୍ରୀତି ବୋଲି ଏକ ବିଚିତ୍ର ବିଚାର ବାହାରିଲା । ସାମନ୍ତବାଦୀ ପରିବେଶକୁ ଏହା ପ୍ରେମଧର୍ମର ଏଡ୍‌ଜଷ୍ଟମେଣ୍ଟ ବୋଲି ମନେହୁଏ । ଏ ପରିବେଶରେ ତ ସ୍ୱକୀୟା’ ଶୁଦ୍ଧ ସାମାଜିକ ଓ ଆର୍ଥନୀତିକ ଦାୟିତ୍ୱ ମେଣ୍ଟଣର ସାଧନ; ତାଙ୍କ ମାଧ୍ୟମରେ ବଂଶରକ୍ଷା ହେବ, ସମ୍ପତ୍ତି ସମ୍ଭାଳିବା ବ୍ୟବସ୍ଥା, ପିତୃପୁରୁଷ ପିଣ୍ଡ ପାଇବାର ବ୍ୟବସ୍ଥା ଆଦି ହେବ । ସେଥିରେ ପ୍ରୀତିର ଅବସର କାହିଁ ? ପାଇକ, ବରକନ୍ଦାଜ, ତହସିଲଦାର, ଗୁମାସ୍ତା ପରି ସ୍ତ୍ରୀ ବି ଗୋଟିଏ ପ୍ରୟୋଜନସାଧନର ମାଧ୍ୟମ । ତେଣୁ ପ୍ରୀତି ପାଇଁ ପରକୀୟା ଲୋଡ଼ା । ସାମନ୍ତବାଦୀ ଚଳଣି ସହିତ ଏ ବ୍ୟବସ୍ଥା ବେଶ୍‌ ଖାପ ଖାଇଥିବ ବୋଲି ମନେ ହୁଏ ।

 

ଯେତେ ଦୂର ଦେଖାଯାଏ ଭାରତର ପୁରୁଣା ପରମ୍ପରାରେ ଯେତେଗୁଡ଼ିଏ ସ୍ୱତନ୍ତ୍ର ଧାରା ଥିଲା, ସେସବୁ ଆଖର ସାମନ୍ତବାଦର ଚୌକାଠ ଭିତରେ ହିଁ ଆତ୍ମପ୍ରକାଶ କରିବାକୁ ବାଧ୍ୟ ହେଇଛି-। ସେ ଚୌକାଠକୁ ଭାଙ୍ଗିବାର ପ୍ରଶ୍ନ ବି ତ ସେସବୁ ଯୁଗରେ ଉଠି ନଥିଲା ।

 

ଇଂରେଜମାନଙ୍କ ସହିତ ସମ୍ପର୍କ ଫଳରେ ଏ ପରିସ୍ଥିତିରେ ଆହୁରି ଏକ ଗୋଳଘାଣ୍ଟ ଆରମ୍ଭ ହେଲା ଓ ତାହା ସାଙ୍ଗେ ସାଙ୍ଗେ ଆସିଲା ପୁଞ୍ଜିବାଦୀ ବ୍ୟବସ୍ଥା ଓ ତାହାର ଧକ୍‌କା, ଯେଉଁଟା ଏବେ ପ୍ରବଳରୁ ପ୍ରବଳତର ହେଉଛି ।

 

ଏ ସମ୍ପର୍କ ମାଧ୍ୟମରେ ୟୁରୋପୀୟ ସଭ୍ୟତାର ଦୁଇଟା ବିଭାବ ସହିତ ଆମ ଦେଶର ଲୋକେ, ବିଶେଷ କରି ଉପର ଶ୍ରେଣୀର ଶିକ୍ଷିତ ଲୋକେ, ପରିଚିତ ହେଲେ । ଗୋଟାଏ ହେଲା ସେଠାକାର ସାମାଜିକ ରୀତିନୀତି ଓ ଅନ୍ୟଟି ହେଲା ନବଜନ୍ମ ଯୁଗରୁ ବିକଶିତ ହେଇ ଆସୁଥିବା ସେଠାର ସମାଲୋଚନାମୂଳକ, ସୃଜନାତ୍ମକ ଓ ନୂଆ ନୂଆ ବାଟ ଖୋଜୁଥିବା ଚିନ୍ତାଧାରା, ଯାହାର ବିଜ୍ଞାନ ଗୋଟାଏ ମୁଖ୍ୟ ଅଙ୍ଗ ।

 

ଖ୍ରୀଷ୍ଟଧର୍ମରେ ସ୍ତ୍ରୀପୁରୁଷ ସମ୍ପର୍କଟାକୁ ଯେପରି ଘୋର ପାପ ବୋଲି ମନେ କରାଯାଏ, ସେପରି ଅନ୍ୟ କୌଣସି ଧର୍ମରେ ବୋଧହୁଏ ନୁହେଁ । ଏହା ପ୍ରଭାବରେ ଓ ଅନ୍ୟ ନାନା କାରଣରୁ ମହାରାଣୀ ଭିକ୍ଟୋରିଆଙ୍କ ରାଜତ୍ୱରେ ଇଂଲଣ୍ଡରେ ଯେଉଁ ରୁଚିବୋଧର ପ୍ରାଦୁର୍ଭାବ ହେଲା, ସେଥିରେ ଏ ବାବଦରେ ଅନେକ କଥା ଚରମ ସୀମାକୁ ଯାଇଥିଲା । ସେଥିରେ କଥାବାର୍ତ୍ତାରେ ଓ ସାହିତ୍ୟରେ ଯୌନବିଷୟକ ଶବ୍ଦ ବା ଭାବ ତ ଦୂରର କଥା, ଝାଡ଼ା ପରିସ୍ରା ଭଳି ପ୍ରାକୃତିକ ଦୈହିକ କ୍ରିୟା ବିଷୟ ବି ତୁଣ୍ଡରେ ଧରିବା ଅସଭ୍ୟତା ଥିଲା । ସାହିତ୍ୟରେ ସୁରୁଚି ଦାଖଲ କରିବା ପାଇଁ ସେକ୍‌ସପିୟର ପ୍ରଭୃତି କବିଙ୍କର ଲେଖାକୁ ଯାଞ୍ଚକରି କାଟଛାଣ୍ଟ କରିବାଯାଏ କଥା ଯାଇଥିଲା । ସ୍ତ୍ରୀଲୋକମାନଙ୍କର ତାଳୁଠାରୁ ତିଳିପା ଯାଏ ପୋଷାକରେ ସେମାନଙ୍କର ବଳାଗଣ୍ଠି ବି ଦିଶିଯିବା ଘୋର ଲଜ୍ଜାର ବିଷୟ ମନେ କରାଯାଉଥିଲା ।

 

ଏଇ ମଧ୍ୟ ଭିକ୍ଟୋରୀୟ ବୋଲାଉଥିବା ଯୁଗରେ ହିଁ ଇଂରେଜମାନଙ୍କ ସହିତ ଏ ଦେଶରେ ଲୋକଙ୍କର ଘନିଷ୍ଟ ସମ୍ପର୍କ ହେଲା । ଇଂରେଜମାନେ, ବିଶେଷ କରି ପାଦ୍ରୀମାନେ, ତାଙ୍କର ସେହି ମଧ୍ୟ-ଭିକ୍ଟୋରୀୟ ପରିପ୍ରେକ୍ଷୀରୁ ଭାରତର ଧର୍ମ ଓ ରୀତିନୀତିର ସମାଲୋଚନା କଲେ । କୃଷ୍ଣଚରିତ୍ର ପ୍ରଭୃତିର ବିଶେଷ ସମାଲୋଚନା ହେଲା । ଯୌନବ୍ୟାପାର ସମ୍ବନ୍ଧରେ ଖୋଲାଖୋଲି ଆଲୋଚନା କରିବାର ଯେଉଁ ମନୋଭାବ ଏଠି ଥିଲା, ସେସବୁ ସେମାନଙ୍କୁ ବୋଧହୁଏ ସବୁଠୁଁ ବେଶୀ ଅଡ଼ୁଆ ଲାଗିଥିବ । ଏ ସବୁର ଗୋଟାଏ ପ୍ରତିକ୍ରିୟା ଦେଖାଦେଲା ଓ ଆମର ଏଠାରେ ରୁଚିବୋଧକୁ ସେଇ ମଧ୍ୟ-ଭିକ୍ଟୋରିଆ ଛାଞ୍ଚରେ ଢାଳିବା ଉଦ୍ୟମ ହେଲା । ଏହି ଉଦ୍ୟମକୁ ବ୍ୟଙ୍ଗକରି ରବୀନ୍ଦ୍ରନାଥ ଲେଖିଥିଲେ ଯେ ଏବେ ସାନ ପିଲାଙ୍କର ଲଙ୍ଗଳା ଗୋଡ଼ ଦେଖିଲେ ଆମର ନାହିଁ ଡେଉଁଛି । ଏଣିକି ଟେବୁଲ ଚଉକିର ଗୋଡ଼କୁ ବି ନ ଢାଙ୍କିଲେ ଶାନ୍ତି ମିଳିବ ନାହିଁ । ଶିକ୍ଷିତଶ୍ରେଣୀର ଚିନ୍ତାଶୀଳ ଅଂଶ ଏଥିରେ ଅଗ୍ରଣୀ ହେଲେ । ବ୍ରାହ୍ମସମାଜ, ଆର୍ଯ୍ୟସମାଜ ପ୍ରଭୃତି ସେ ଯୁଗର ଧର୍ମସଂସ୍କାର ଆନ୍ଦୋଳନମାନଙ୍କର ବିଚାରଧାରାରେ ମଧ୍ୟ ଉପରୋକ୍ତ ସମାଲୋଚନାର ପ୍ରଭାବ ଦେଖିବାକୁ ମିଳେ ।

 

ଗୋଟାଏ ଦିଗରେ ରୁଚିବୋଧର ଏ ପ୍ରଭାବ ପଡ଼ିବାବେଳକୁ ଇଂରେଜମାନଙ୍କ ଆଚରଣ ମୁକ୍ତତା ମଧ୍ୟ ସଂସ୍କାରମାନଙ୍କୁ ଆକୃଷ୍ଟ କଲା । ସ୍ତ୍ରୀ-ସ୍ୱାଧୀନତା, ବିବାହରେ, ନିଜର ମତାମତ ଗୁରୁତ୍ୱ ଆଦି ଦିଗ ସଂସ୍କାରକମାନଙ୍କୁ ଆକୃଷ୍ଟ କଲା । ତେଣେ ହନୁକରଣ ମଧ୍ୟ ଜୋରସୋରରେ ଚାଲିଲା । ଏ ଦେଶରେ ସ୍ୱଦେଶୀ ସମାନ୍ତବାଦୀ ଚଳଣି ଉପରେ ବିଦେଶୀ ରୀତିନୀତି ଉପରଠାଉରିଆ ପାଲିଶ୍‌ ଲାଗି ଏକ ବିଚିତ୍ର ଅଧଃପତିତ ଚଳଣିର ଉଦ୍ଭବ ହେଲା ।

 

ଦେଶର ସ୍ୱାଧୀନତାର ପୁନରୁଦ୍ଧାର ଓ ସମାଜସଂସ୍କାର ବିଷୟରେ ଯେଉଁମାନେ ଅଗ୍ରଣୀ ହେଲେ, ସେମାନେ ବିଚାରଲେ ଯେ ଦେଶରେ ନୈତିକ ଅଧଃପତନ ହିଁ ପରାଧୀନତା ପାଇଁ ଦାୟୀ-। ଦେଶରେ ଯୁବଶକ୍ତିକୁ ତା’ର ପରମ କର୍ତ୍ତବ୍ୟ ପାଇଁ ପ୍ରସ୍ତୁତ କରିବାକୁ ହେଲେ ତା’ର ନୈତିକ ଓଜନ ବଢ଼ାଇବାକୁ ହେବ । ନୈତିକତା ବୋଲନ୍ତେ ସାଧାରଣତଃ ବୁଝାଏ ଯୌନନୈତିକତା ଓ ସେ ସମୟର ସାମନ୍ତବାଦୀ ପରିବେଶର ବିକୃତ ଯୌନ ଅଭିବ୍ୟକ୍ତିକୁ ହିଁ ତାହାର ସ୍ୱାଭାବିକ ପରିଣତି ରୂପେ ଧରାଯାଇଥିବ; ସେଥିପାଇଁ କଠୋର ଯୌନସଂଯମ ଓ କୃଚ୍ଛ୍ରସାଧନାର ଉପଦେଶ ଦିଆଗଲା-। କାମିନୀକାଞ୍ଚନର ନିନ୍ଦା ଚାଲିଲା ଓ ବ୍ରହ୍ମଚର୍ଯ୍ୟର ଆଦର୍ଶକୁ ମଧ୍ୟ ଟେକି ଧରାହେଲା । ଏସବୁ ଦ୍ୱାରା ଦମନମୂଳକ ଯୌନନୈତିକତାର ଜୋର ବଢ଼ିଲା । ଏ ପରିବେଶରେ ସ୍ତ୍ରୀ-ସ୍ୱାଧୀନତା ପ୍ରଭୃତି ବି କାଟ ଖାଇଯିବାର କଥା ଓ ସାହିତ୍ୟ, କଳା ପ୍ରଭୃତି ଉପରେ ମଧ୍ୟ ଆଞ୍ଚ ଆସିବାର ସମ୍ଭାବନା ଥିଲା । ଓଡ଼ିଶାରେ ସେ ଯୁଗର ‘ବିଜୁଳୀ’ ଓ ‘ଇନ୍ଦ୍ରଧନୁ’ ବାଦାନୁବାଦରେ ଏହାର ଝଲକ ଦେଖିବାକୁ ମିଳେ ।

 

ୟୁରୋପରେ ରୋମକ ସାମ୍ରାଜ୍ୟର ଅଧଃପତିତ ଜୀବନର ବିରୋଧରେ ପ୍ରତିକ୍ରିୟା ରୂପେ ସାଭୋନାରୋଲା, କାଲଭିନ୍‌ ପ୍ରଭୃତି ସଂସ୍କାରକମାନେ ନୈତିକତାର ପୁନଃ ପ୍ରତିଷ୍ଠା ନାଁରେ ଜୀବନରୁ ସବୁ ସରସତାକୁ ମୂଳପୋଛ କରିଦେବାକୁ ଉଦ୍ୟମ କରିଥିଲେ । ସୌଭାଗ୍ୟକ୍ରମେ ମୁଖ୍ୟତଃ ରବୀନ୍ଦ୍ରନାଥଙ୍କ ନେତୃତ୍ୱରେ ଜୀବନକୁ ଏକ ସରସ, କଳାମୟ ଓ ସୃଜନଶୀଳ ଅଥଚ ତେଜସ୍ୱୀ ଓ ବଳିଷ୍ଠ ଭିତ୍ତିରେ ପ୍ରତିଷ୍ଠା କରିବା ପାଇଁ ଉଦ୍ୟମ ଚାଲିଲା । ଏଥିରେ ସ୍ତ୍ରୀ-ପୁରୁଷ ସମ୍ପର୍କକୁ ମଧ୍ୟ ପାରସ୍ପରିକତା ଓ ସମାନତାର ଭିତ୍ତିରେ ମଧ୍ୟ ପରମ୍ପରାଠାରୁ ସମ୍ପୂର୍ଣ୍ଣ ଭିନ୍ନ ଦିଗରେ ବିକଶିତ ହେଇଥିଲା; ଯଦିଓ ଲୋକଙ୍କ ପାଖରେ ତାହା ପହଞ୍ଚିବାକୁ ସମୟ ଲାଗିଲା ଓ ଗାନ୍ଧିଜୀଙ୍କର ଏ ବାବଦରେ ବିଚାର ରକ୍ଷଣଶୀଳ ବୋଲି ହିଁ ସାଧାରଣରେ ଧାରଣା । ଏ ବିଷୟରେ ପରେ ଆଲୋଚନା କରାଯିବ ।

 

(୩)

 

ଗରତନ୍ତ୍ର ଓ ପୁଞ୍ଜିବାଦର ଜନ୍ମ ଏକା ଲଗ୍ନରେ ହେଇଥିଲା । ଗାଣତାନ୍ତ୍ରିକ ବିପ୍ଳବର ନାଗରିକ ସ୍ୱାଧୀନତାର ଦାବିରୁ ବେପାରବଣିଜର ସ୍ୱାଧୀନତାଟାକୁ ତୋଳିନେଇ ଅବସ୍ଥାପନ୍ନ ବେପାରୀଶ୍ରେଣୀ ପୁଞ୍ଜିବାଦରେ ମୂଳଦୁଆ ପକାଇଲେ । ସେଥିପାଇଁ ଏ ଉଭୟର ମୂଲ୍ୟବୋଧଗୁଡ଼ିକୁ ଅଲଗା କରି ବାରିବା କଠିନ ହେଇଥାଏ । ଗାଣତାନ୍ତ୍ରିକ ମୂଲ୍ୟବୋଧର ପ୍ରଭାବରେ ପୁରୁଷ ଓ ସ୍ତ୍ରୀ ଭିତରେ ସମାନତା ଓ ସଖ୍ୟର ଭାବ ବଢ଼ି ଉଭୟଙ୍କର ସମ୍ପର୍କ ସହଜ ଓ ସୁସ୍ଥ ହେଇ ଆସିଛି । ସ୍ତ୍ରୀମାନଙ୍କର ସ୍ୱାଧୀନ ଭାବରେ ଧନ୍ଦା କରି ଜୀବିକା ଅର୍ଜନର ସୁଯୋଗ ବ୍ୟାପକ ହେବାଦ୍ୱାରା ପୁରୁଷ ଉପରେ ତା’ର ନିର୍ଭରଶୀଳତା ଲୋପ ହେବାର ବାଟ ଫିଟିଯାଇଛି । ଏବେ ତ ସ୍ତ୍ରୀର ରୋଜଗାର ଉପରେ ନିର୍ଭର କରି ଚଳୁଥିବା ସ୍ୱାମୀ ବି ଅନେକ ଦେଖାଗଲେଣି । ସ୍ୱାମୀ ସ୍ତ୍ରୀଙ୍କୁ ଜୋର କରି ବାନ୍ଧିରଖୁଥିବା ଆର୍ଥିକ ପ୍ରୟୋଜନର ବନ୍ଧନ ହୁଗୁଳା ହେବା ଫଳରେ ଗୋଟାଏ ଦିଗରେ ପରିବାର ସଂସ୍ଥା ଭାଙ୍ଗିଯିବାର ସମ୍ଭାବନା ଦେଖାଦେଇଛି ତ ଅନ୍ୟ ଦିଗରେ ଏ ସମ୍ଭାବନା ଦେଖାଦେଇଛି ଯେ ସ୍ୱାମୀ ସ୍ତ୍ରୀ କେବଳ ଖାଇବା ପିନ୍ଧିବାର ପ୍ରୟୋଜନ ମେଣ୍ଟେଇବା ପାଇଁ ପରସ୍ପରଠେଇଁ ଛନ୍ଦା ନ ହେଇ ଉଚ୍ଚତର ଭାବନା ଓ ପ୍ରୟୋଜନ ଦ୍ୱାରା ଆବଦ୍ଧ ହେବେ । ଏଭଳି ଉଚ୍ଚତର ଭାବନା ଓ ପ୍ରୟୋଜନର ଅସ୍ତିତ୍ୱ ଓ ଆବଶ୍ୟକତା ପୂର୍ବରୁ ସ୍ୱୀକାର କରାହେଇଛି; କିନ୍ତୁ ସାମାଜିକ ଓ ଆର୍ଥିକ ପ୍ରୟୋଜନର ବାଧ୍ୟବାଧକତା ତା’ର ବିକାଶ ପାଇଁ ଅନୁକୁଳ ନଥିଲା । ଦୁଇ ଜଣ ଆସାମୀଙ୍କୁ ଗୋଟାଏ ହାତକଡ଼ିରେ ବାନ୍ଧିଦେଲେ ସେମାନେ ଏକାଠି ଚଳପ୍ରଚଳ ହେବାକୁ ବାଧ୍ୟ ହୁଅନ୍ତି; ଜଣଙ୍କର ପ୍ରତ୍ୟେକ କାର୍ଯ୍ୟକଳାପରେ ଅନ୍ୟ ଜଣକୁ ସହଯୋଗ କରିବାକୁ ହୁଏ । ମାତ୍ର ତାହା ଯୋଗୁଁ ସେମାନଙ୍କ ଭିତରେ ସ୍ନେହ ଓ ମୈତ୍ରୀ ଗଢ଼ିଉଠେ ନାହିଁ ।

 

ବର୍ତ୍ତମାନ ପାଶ୍ଚାତ୍ୟ ଦେଶରେ ଉପୁଜିଥିବା ଓ କ୍ରମେ ସାରା ଦୁନିଆକୁ ବ୍ୟାପୁଥିବା ଆଉ ଏକ ଅଭିବ୍ୟକ୍ତି ହେଲା ଯୌନବ୍ୟାପାରରେ ଅଧିକ ସହଜତା ଓ ମୁକ୍ତତା । ଅସଂଖ୍ୟ ବିଧିନିଷେଧକୁ କ୍ରମେ କ୍ରମେ ହଟେଇ ଏସବୁ ବିଷୟରେ ଖୋଲାଖୋଲି ଓ ସ୍ପଷ୍ଟ ଭାଷାରେ ଆଲୋଚନାର ବାତାବରଣ ସୃଷ୍ଟି କରିବା ଏକ ସ୍ୱାସ୍ଥ୍ୟର ଲକ୍ଷଣ । ଏହାଦ୍ୱାରା ଉପକାର ହେଇଛି । ଚିନ୍ତାଶୀଳ ଲେଖକମାନେ ଏ ସଂକ୍ରାନ୍ତ ରୀତିନୀତିକୁ ବିଶ୍ଳେଷଣ କରିବା ଦ୍ୱାରା ଏସବୁ ବିଷୟରେ ଗଭୀର ଭାବରେ ଚିନ୍ତା କରିବା ଓ ନୂଆ ବାଟ ଖୋଜିବା ପାଇଁ ପ୍ରେରଣା ମିଳିଛି । ଏ ବିଷୟରେ ଟିକିନିଖି ବୈଜ୍ଞାନିକ ଗବେଷଣା ଓ ବିଶ୍ଳେଷଣ ଚାଲିଛି । ପୋଷାକପତ୍ର, ଚାଲିଚଳଣରେ ମଧ୍ୟ ବହୁତ ମୁକ୍ତତା ଦେଖାଦେଇଛି । ଖୁବ୍‌ ଛୋଟ ଜଙ୍ଘିଆ କୁର୍ତ୍ତା ପିନ୍ଧି ସ୍ତ୍ରୀଲୋକମାନେ ନଈ, ସମୂଦ୍ରରେ ଗାଧୋଉଛନ୍ତି, ଖରା ପୁଆଉଛନ୍ତି । ଏସବୁ ଦ୍ୱାରା ବିକାର ବଢ଼ିଛି ବୋଲି କହିହେବ ନାହିଁ । ଅବୟବକୁ ଢାଙ୍କିବା ଦ୍ୱାରା ବେଶୀ ଆକର୍ଷଣ ସୃଷ୍ଟି କରାଯାଏ ବୋଲି ମନୋବିଜ୍ଞାନୀମାନେ କହନ୍ତି । ଲୁଗାର କାମ ଢାଙ୍କିବା ଯେତିକି, ଆକର୍ଷଣ ସୃଷ୍ଟି କରିବା ମଧ୍ୟ ସେତିକି । ଖୁବ୍‌ ଅଳ୍ପ ଲୁଗା ପିନ୍ଧୁଥିବା ଆଦିବାସୀମାନେ ମଧ୍ୟ ଏପରି ସ୍ୱଚ୍ଛନ୍ଦତା ଦେଖାଯାଉଛି, ଯାହାକୁ ଆମର ପ୍ରଚଳିତ ମାପକାଠି ଅନୁସାରେ ବ୍ୟଭିଚାର କୁହାଯିବ; ମାତ୍ର ସବୁଟାଯାକକୁ ସେପରି ଛାପା ମାରିଦେବା ଉଚିତ୍‌ ହେବ ନାହିଁ ।

 

ଢେନ୍‌ମାର୍କରେ ଜଣେ ଭଦ୍ରଲୋକ ତାଙ୍କ ଘରକୁ ଆସିଥିବା ଜଣେ ଯୁବକର ପରିଚୟ କରେଇଦେବାକୁ ଯାଇ ମତେ କହିଲେ–‘‘ଏହାକୁ ମୋର ଜ୍ୱାଇଁ କହିପାରିବି ନାହିଁ; କାରଣ ଏ ମୋ ଝିଅକୁ ବିଧି ମୁତାବକ ବାହା ହେଇନାହିଁ ।’’ ପୁଣି ଆଲୋଚନା ପ୍ରସଙ୍ଗରେ କହିଲେ ଯେ ଦୁଇ ଜଣଙ୍କର ମନ ମାନିଲା ତ ସେ ଏକାଠି ରହିବେ; ମଝିରେ ଆଇନ୍‌କାନୁନ୍‌, ଧର୍ମ ଏସବୁ ପଶିବାର ଆବଶ୍ୟକତା କ’ଣ ? ମୁଁ ଦେଖିଲି ଯେ ସେମାନେ ଏ ପ୍ରକାର ବ୍ୟବସ୍ଥାକୁ ସ୍ୱାଭାବିକ ବୋଲି ମାନିନେଇଛନ୍ତି । ତାହା ଦ୍ୱାରା ସେ ଦେଶର ସମାଜ ଆମ ଅପେକ୍ଷା ଅଧିକ ଦୁଃଖୀ, ବିଶୃଙ୍ଖଳା ବା ସଂଘର୍ଷପୂର୍ଣ୍ଣ ବୋଲି ତ ମନେ ହେଉନାହିଁ ? ଯେମିତି ବିବାହବନ୍ଧନ ଭିତରେ, ସେମିତି ତା’ର ବାହାରେ ମଧ୍ୟ ବିଜ୍ଞାନଚର୍ଚ୍ଚା, ସାହିତ୍ୟସାଧନା, ସମାଜସେବା, ରାଜନୀତି ଆଦି ନାନାପ୍ରକାର କାମରେ ଲାଗି ଅନେକ ଦମ୍ପତି ଅଭିନ୍ନ ହୃଦୟ ଏକପ୍ରାଣ ହେଇଯାଉଥିବାର ଉଦାହରଣ ଦେଖିବାକୁ ମିଳୁଛି ।

ମାତ୍ର ପୁଞ୍ଜିବାଦୀ ମୂଲ୍ୟବୋଧ ଏହା ଭିତରେ ପଶି ଏ ପରିବେଶକୁ ନିଜର ରଙ୍ଗରେ ରଙ୍ଗାଇବାରେ ଲାଗୁଛି । ପୁଞ୍ଜିବାଦର ମୂଳମନ୍ତ୍ର ହେଲା ‘ଯେଝା ବାଟ ଯେ ଦେଖ; ଯେ ପଛରେ ପଡ଼ିଲା ତା’କୁ ଡାଆଣୀ ଖାଉ ।’’ (Each one for himself; Let Devil take the the hind most.) ଗାଣତାନ୍ତ୍ରିକ ବ୍ୟକ୍ତିସ୍ୱାଧୀନତାର ପୁଞ୍ଜିବାଦୀ ବ୍ୟାଖ୍ୟା ହେଲା ଯେ କେହି କାହା ପାଇଁ ଛିଡ଼ାହେବ ନାହିଁ । କାହାରି ସହ ଅତି ଘନିଷ୍ଠତା ଉପୁଜିଲେ ତାହାର ସୁଖଦୁଃଖ ସହିତ ମଣିଷ ବାନ୍ଧିହେଇ ଯିବ । ତା’ ପାଇଁ ତା’କୁ ଭାବିବାକୁ ପଡ଼ିବ, ବାଟରେ ଅଟକିବାକୁ ପଡ଼ିବ; ତା’ ପାଇଁ ନିଜେ ଅସୁବିଧା ସହିବାକୁ ପଡ଼ିବ । ଏହାଦ୍ୱାରା ନିଜର ସ୍ୱାଧୀନତା ବିପନ୍ନ ହେବ । ତେଣୁ କେହି କାହାରି ସହିତ ଜଡ଼ିତ ନ ହେବା–ଇନ୍‌ଭଲଭ୍‌ଡ୍‌ ନ ହେବାରେ ହିଁ ମୁକ୍ତି । ଏ ବି ଗୋଟାଏ ପ୍ରକାରର ଅନାସକ୍ତି । ସାଧୁସନ୍ଥମାନେ ତପସ୍ୟା କରିବା ପାଇଁ ଘରଦ୍ୱାରା ଛାଡ଼ୁଥିଲେ; ଏବେ ପୁଞ୍ଜିବାଦୀ ନାଗରିକ ବ୍ୟାଙ୍କ୍‌ ବାଲେନ୍‌ସ୍‌ ବୃଦ୍ଧି ପାଇଁ ତପସ୍ୟା କରିବାକୁ ଅନାସକ୍ତ ହେଉଛି ।

ଏହାର ପ୍ରଭାବ ବିବାହବନ୍ଧନକୁ ଢିଲା କରିବା ଦିଗରେ କାମ କରୁଛି । ଦୈହିକ ପ୍ରୟୋଜନ ମେଣ୍ଟେଇବା ପାଇଁ ଯେତିକି ଲୋଡ଼ା, ସେତିକିଠୁଁ ବେଶୀ ଘନିଷ୍ଠତାରେ ତ ବନ୍ଧନ । ତେଣୁ ଏତିକି ଆକର୍ଷଣ ବିବାହ ଭିତରେ ବା ତା’ ବାହାରେ ସ୍ତ୍ରୀପୁରୁଷଙ୍କୁ ଏକାଠି କରୁଛି । ସେତକ ସରିଲେ ସରିଲା । ଆମେରିକା ପ୍ରଭୃତିରେ ଘନ ଘନ ବିବାହବିଚ୍ଛେଦର ପ୍ରାଦୁର୍ଭାବ ଏହି ମାନସିକତାର ଦ୍ୟୋତକ ।

ଅବଶ୍ୟ ଏ ମାନସିକତା ସର୍ବବ୍ୟାପୀ ହେଲାଣି ବୋଲି କହିହେବ ନାହିଁ । ପୁଞ୍ଜିବାଦୀ ମୂଲ୍ୟବୋଧ ପ୍ରତି ଅବିଶ୍ୱାସ ଓ ଅସନ୍ତୋଷ ଯୋଗୁଁ ଏହାର ବିପରୀତ ମୂଲବୋଧର ବି ବିକାଶ ହେଉଛି । ବଞ୍ଚିରହିବାର ପ୍ରଶ୍ନ ଉଶ୍ୱାସ ହେବା ଫଳରେ ଜୀବନର ଅନ୍ୟ ଓ ଅଗ୍ରଗାମୀ ବା ଉଚ୍ଚାରୋହୀ ଲକ୍ଷ୍ୟ ପ୍ରତି ମନ ଦେବାକୁ ଅଧିକ ସୁଯୋଗ ମିଳିଛି । ଏବେ ସମାଜବିଜ୍ଞାନ ଓ ମନୋବିଜ୍ଞାନରୁ ମିଳୁଥିବା ଅନ୍ତର୍ଦୃଷ୍ଟିର ପ୍ରଭାବ ହେତୁ ପିଲା ମଣିଷ କରିବାର ଗୁରୁତ୍ୱ ଅଧିକ ଅନୁଭୂତ ହେବାକୁ ଲାଗିଲାଣି । ଏହା ଯେ ଗୋଟାଏ ବେଠି ନୁହେଁ, ଦୁନିଆର ବୋଧହୁଏ ସବୁଠାରୁ ବଡ଼ ସୃଜନଶୀଳ କାମ, ଏ ବୋଧ କ୍ରମେ ବଢ଼ୁଛି; ଫଳରେ ପରିବାର ମଧ୍ୟ ତା’ର ଉଦ୍ଦେଶ୍ୟ ଓ ଗୁରୁତ୍ୱ ଫେରିପାଉଛି ।

ପୁଞ୍ଜିବାଦର ଆଉ ଗୋଟିଏ ଚାରିତ୍ରିକ ଗୁଣ ହେଲା ଯେ ତାହା ପ୍ରତ୍ୟେକ ଜିନିଷକୁ ଲାଭ ଅର୍ଜିବା ପାଇଁ କାମରେ ଲଗାଇବ । ମଣିଷର ଯୌନଚେତନାରୁ ବି ଏହିପରି ଫାଇଦା ଉଠାଯାଇଛି-। ବିଜ୍ଞାପନକୁ ଆକର୍ଷଣ କରିବା ପାଇଁ ଏହାର ବ୍ୟବହାର ତ ଯନ୍ତ୍ରତନ୍ତ୍ର ଦେଖିବାକୁ ମିଳେ । ଆଜିକାଲି କଳକବ୍‌ଜାର ବିଜ୍ଞାପନରେ ବି ସ୍ୱଳ୍ପାବୃତା ଯୁବତୀର ଚିତ୍ର ଯୋଡ଼ାହେଇଥିବ । ପଇସା କମେଇବା ପାଇଁ ସୃଷ୍ଟ ସାହିତ୍ୟ, ନାଟକ, ଫିଲମ୍‌ ଇତ୍ୟାଦିରେ ତ ଯୌନଆକର୍ଷଣର ପ୍ରଦର୍ଶନ ଏବେ ଚରମ ସୀମାରେ ପହଞ୍ଚିଲାଣି । ଏହାଛଡ଼ା କାବାରେ ନାଇଟ୍‌ କ୍ଲବ୍‌ ଆଦିରେ ମଧ୍ୟ ନଗ୍ନତା ଓ ଯୌନ-ଉତ୍ତେଜକ ଅଭିନୟ ପ୍ରବଳ ଭାବରେ ବ୍ୟାପିଚାଲିଛି । ଏସବୁର ଉଦ୍ଦେଶ୍ୟ ହେଲା ମଣିଷର ଯୌନପ୍ରେରଣାରୁ ଫାଇଦା ଉଠେଇ ପଇସା କମେଇବା । ଏସବୁର ପରିପୂରକ ଭାବରେ ଯୌନକ୍ଷୁଧାର ତୃପ୍ତି ପାଇଁ ବ୍ୟବସ୍ଥା ମଧ୍ୟ ରହିଛି । ହୋଟେଲ, କଲ୍‌ଗାର୍ଲ ପ୍ରଭୃତି ରହିଛନ୍ତି । ସାରା ପୃଥିବୀରୁ ସ୍ତ୍ରୀଲୋକମାନଙ୍କୁ ଫୁସୁଲେଇ ବା ଧରିନେଇ ବେଶ୍ୟାବୃତ୍ତି ପାଇଁ ବିକାକିଣା କରିବାର ବିଶ୍ୱବ୍ୟାପୀ ଧନ୍ଦା ମଧ୍ୟ ଚାଲିଛି । ଯୁଦ୍ଧ ଯେମିତି ଲକ୍ଷ କୋଟି ଟଙ୍କାର ବ୍ୟବସାୟ, ଯୌନବୃତ୍ତିର ଶୋଷଣରୁ ବି ସେମିତି ହଜାର କୋଟି ଟଙ୍କାର ବ୍ୟବସାୟ ଛିଡ଼ାହେଲାଣି ।

ସାମନ୍ତବାଦୀ ସମାଜବ୍ୟବସ୍ଥା ଯେମିତି ଯୌନଚେତନାର ଗୋଟିଏ ପ୍ରକାରର ଅତିରେକ ଓ ବିକୃତି ପାଇଁ ଆଧାର ସୃଷ୍ଟି କରିଥିଲା, ପୁଞ୍ଜିବାଦୀ ସମାଜବ୍ୟବସ୍ଥା ମଧ୍ୟ ଏ ପ୍ରକାରର ଅଭିବ୍ୟକ୍ତି ପାଇଁ ଅନୁକୂଳତା ସୃଷ୍ଟି କରିଛି । ପୂର୍ବରୁ ଆଲୋଚନା କରାଯାଇଥିବା ମତେ ଏ ସମାଜରେ ମଣିଷ ସହିତ ମଣିଷର ସମ୍ପର୍କ କେବଳ ଉପରଠାଉରିଆ ହେଇଯାଉଥିବାରୁ ମଣିଷର ଗଭୀର ଭାବାତ୍ମକ ତୃପ୍ତିରେ ଅଭାବ ଘଟୁଛି । ପରିବାରର ସମସ୍ତେ ଦିନଯାକ ଯେ ଯାହା ଧନ୍ଦାରେ ବାହାରେ ରହୁଛନ୍ତି । ସନ୍ଧ୍ୟାରେ ଏକାଠି ହେବା ବେଳକୁ ଟେଲିଭିଜନରେ ଆଖି କାନ ଲଗେଇଦେଇ ବସୁଛନ୍ତି । ପରସ୍ପର ଭିତରେ କେତେବେଳେ ବି ଖୁସିଗପ ଆଦାନପ୍ରଦାନ ହେଉନାହିଁ । କାରଖାନା, ଅଫିସ୍‌ ଆଦିରେ ଯେଉଁ ପ୍ରକାରରେ ଉଚ୍ଚ ଚାପରେ ଲଗାତାର ଏକଘେଇଁଆ କାମ କରିବାକୁ ପଡ଼େ, ସେଥିରେ ମଣିଷର ସ୍ନାୟୁତନ୍ତ୍ର ଅତିମାତ୍ରାରେ ଥକିପଡ଼େ ଓ ପୁଣି ତେଜି ହେବା ପାଇଁ ଅତି କଡ଼ା ଉତ୍ତେଜନା ଖୋଜେ । ଏହିସବୁ କାରଣରୁ ଶିଳ୍ପପ୍ରଧାନ ସମାଜରେ ଲୋକେ ନାନାପ୍ରକାରର କଡ଼ା ଉତ୍ତେଜନା ଖୋଜିବୁଲୁଛନ୍ତି ଓ ପୁଞ୍ଜିବାଦୀ ବ୍ୟବସାୟ ଏଥିରୁ ଫାଇଦା ଉଠାଉଛି । ଏସବୁର ପ୍ରଭାବ ମଧ୍ୟ ଏପରି ସମାଜର ଯୌନଜୀବନକୁ ବିକୃତ କରୁଛି ।

ଏ ପ୍ରକାରର ଅଭିବ୍ୟକ୍ତିର ଯେ ସୀମା ଅଛି ଓ ଲୋକେ ସେସବୁକୁ ହଜମ କରିପାରୁନାହାନ୍ତି, ତା’ର କେତେକ ଲକ୍ଷଣ ଦେଖିବାକୁ ମିଳୁଛି । ଆଧୁନିକ ଜୀବନର କୃତ୍ରିମତା ଭିତରୁ ମଣିଷ ପ୍ରକୃତ ଆନନ୍ଦ ଓ ତୃପ୍ତି ପାଇବା ସମ୍ଭବ ନୁହେଁ ବୋଲି ଅନେକ ଯୁବକଯୁବତୀ ଏସବୁ ଛାଡି ବଡ଼ ବଡ଼ ସହରରୁ ଦୂରରେ ସରଳ ଜୀବନ ଆଡ଼କୁ ମୁହାଁଉଛନ୍ତି ଓ ମଣିଷର ପାରସ୍ପରିକ ସମ୍ପର୍କର ନିବିଡ଼ତାର ଅନୁଭୁତି ଖୋଜୁଛନ୍ତି । ଡେନ୍‌ମାର୍କରେ ଅଶ୍ଳୀଳ ସାହିତ୍ୟ ଉପରୁ ସବୁ ଆଇନ୍‌ଗତ କଟକଣା ଉଠେଇ ନିଆଯାଇଛି । ଦେଖାଯାଉଛି ଯେ, ଏହା ପରେ ସେସବୁର ଚାହିଦା ରୀତିମତ ଊଣା ହେଇଯାଇଛି । କଟକଣା ଦ୍ୱାରା ମଣିଷର କୌତୂହଳ ଉଗ୍ର ହୁଏ; କଟକଣା ଗଲେ ଉଦାସୀନତା ବଢ଼େ–ଏହା ତା’ର ଏକ ଉଦାହରଣ । ସେହିପରି ଆମେରିକାରେ ଯୌନବିଷୟକ ଅତି ଉଗ୍ର ଫିଲ୍‌ମ୍‌ସବୁକୁ ଦେଖିବାକୁ ଯେପରି ପ୍ରବଳ ଭିଡ଼ ହେବ ବୋଲି ଆଶା କରାଯାଉଥିଲା, ସେପରି ହେଉନାହିଁ ବୋଲି ଖବର ବାହାରିଛି । ଲୋକେ ଏ ମାତ୍ରାଧିକ୍ୟରେ ବୋର୍‌ ହେଇଲାଗିଲେଣି ।

ସାଧାରଣ ମଣିଷ ଯେମିତି ଗୋଟାଏ ଯୁଗରେ ସାମନ୍ତବାଦ ତ ଏ ଯୁଗରେ ପୁଞ୍ଜିବାଦର କବଳରେ ପଡ଼ି ହନ୍ତସନ୍ତ ହେଉଛି, ସେହିପରି ତା’ର ଯୌନଚତନା ବି ଏସବୁ ବୈଷମ୍ୟ ଓ ଶୋଷଣମୂଳକ ସମାଜବ୍ୟବସ୍ଥାର ଶିକାର ହେଇଆସିଛି । ମଣିଷର ମୁକ୍ତିର ସାଧନାର ଏ ବି ଗୋଟାଏ ଦିଗ ଯେ ତା’ର ଯୌନଚତନାକୁ ବି ଏସବୁରୁ କବଳରୁ ମୁକ୍ତ କରିବାକୁ ହେବ ।

ଯୌନ ନୈତିକତା ବିଷୟରେ ପ୍ରଚଳିତ ଧାରଣାରେ ଅନେକଗୁଡ଼ିଏ ସୂତ୍ର ଛନ୍ଦି ହେଇ ରହିଛି । ସେଥିରେ ଅନ୍ତତଃ ତିନୋଟିକୁ ଅଲଗା କରାଯାଇପାରେ । ଏ ତିନୋଟି ହେଲା: ସାମାଜିକ ଶୁଙ୍ଖଳା, ପରିବାରର ଅସ୍ତିତ୍ୱ ଓ ବ୍ୟକ୍ତିର ଆଧ୍ୟାତ୍ମିକ ବା ସାଂସ୍କୃତିକ ବିକାଶ ।

ଯୌନବ୍ୟାପାରରେ ଖୁବ୍‌ କଡ଼ା ନୈତିକତା ନ ରହିଲେ ସମାଜ ବିଶୃଙ୍ଖଳା ହେଇଯିବ ବୋଲି ଯେଉଁ ଡର, ସେଇଟା ଗୋଟାଏ ପ୍ରକାର ଠିକ୍‌ ସମାଜରଚନା ଓ ନୈତିକତା ପରସ୍ପରକୁ ତାଲା ଚାବି ଭଳି ଖାପ ଖାଇଥାନ୍ତି । ହିମାଚଳ ପ୍ରଦେଶର ଜୌନସର-ବାବର ଅଞ୍ଚଳରେ ଘରର ସବୁ ଭାଇ ଜଣେ ସ୍ତ୍ରୀକୁ ବିବାହ କରନ୍ତି । ଭୂସମ୍ପତ୍ତିକୁ ଏକାଠି ରଖିବାରେ ଏ ବ୍ୟବସ୍ଥା ସାହାଯ୍ୟ କରେ । ସବୁ ଭାଇ ଗୋଟିଏ ଘରେ ଚଳନ୍ତି ଓ ଜମିବାଡ଼ି ଏକାଠି ରହେ । ଏହା ଭିତରୁ ଯଦି ଜଣେ ଭାଇ ଭିନେ ହେଇ ତା’ର ଅଲଗା ଗୋଟିଏ ସ୍ତ୍ରୀକୁ ଧରି ଘର କରିବାକୁ ବସିବ ତାହା ଦ୍ୱାରା ସେଠାର ପ୍ରଚଳିତ ନୈତିକତା ଓ ସମାଜବ୍ୟବସ୍ଥା ଉଭୟରେ ବିଶୃଙ୍ଖଳା ଜନ୍ମିବ । ସେଠି ଗୋଟିଏ ଗୋଟିଏ ସ୍ତ୍ରୀକୁ ପାଞ୍ଚଭାଇ ଭୋଗ କରିବା ହିଁ ସୁଶୃଙ୍ଖଳ ନୈତିକତା । ଭାରତର ବୃହତ୍ତର ସମାଜରେ ପ୍ରଚଳିତ ଯୌନ-ନୈତିକତା ସାମନ୍ତବାଦୀ ସମାଜର ମୂଲ୍ୟବୋଧ ସହିତ ସେହିପରି ଖାପ ଖାଏ ଓ ତା’ର ମୂଲ୍ୟବୋଧକୁ ତିଷ୍ଠେଇ ରଖିବାରେ ସାହାଯ୍ୟ କରୁଛି । ଏ ମୂଲ୍ୟବୋଧକୁ ଆମେ ବଦଳେଇବାକୁ ଚାହୁଁ ତ ତାହା ସହିତ ଯୌନ-ନୈତିକତା ବି ବଦଳେଇବାକୁ ହେବ । ବ୍ୟକ୍ତିଠାରୁ ସମାଜ ବଡ଼ ବୋଲି ବହୁତ ଦାର୍ଶନିକ ତତ୍ତ୍ୱ ବଖାଣ କରାଯାଇ ସମାଜ ପାଇଁ ବ୍ୟକ୍ତି ଉପରେ କଟକଣା ରହିବା ଉଚିତ ବୋଲି ବୁଝାଯାଇଥାଏ । ବହୁ ବ୍ୟକ୍ତିଙ୍କର ସମୂହ ଯେ ସମାଜ ସେ ତ ନିଶ୍ଚୟ ବ୍ୟକ୍ତିଠାରୁ ବଡ଼; ମାତ୍ର ସମାଜବ୍ୟବସ୍ଥା ସବୁବେଳେ ନୁହେଁ । ସମାଜବ୍ୟବସ୍ଥା ମୁଷ୍ଟିମେୟ ଲୋକଙ୍କ ସ୍ୱାର୍ଥରେ ଚାଲିପାରେ ଓ ଆଜି ଚାଲୁଛି । ଆଗକୁ ସମସ୍ତଙ୍କର ସ୍ୱାର୍ଥରେ ଚାଲୁଥିବା ନୂଆ ସମାଜବ୍ୟବସ୍ଥାର ପରିପ୍ରେକ୍ଷୀରେ ଯୌନନୈତିକତା ବିଷୟ ବିଚାର କରିବାକୁ ହେବ ।

ପରମ୍ପରାଗତ ବିଚାରରେ ନୈତିକତା ବୋଇଲେ ଯୌନନୈତିକତା ହିଁ ବୁଝାଏ । ନୈତିକ ଅଧଃପତନ ବୋଲନ୍ତେ ଏହି ପ୍ରକାରର ସ୍ଖଳନକୁ ହିଁ ଧରାଯାଏ । ଏହା ତୁଳନାରେ ଅନ୍ୟ କୌଣସି ପ୍ରକାରର ନୈତିକତାର ବିଚ୍ୟୁତିର ଗଣତି ହିଁ ହୁଏ ନାହିଁ । ମୋର ଜଣେ ପରିଚିତ ବ୍ୟକ୍ତିଙ୍କ କଥା ମନେ ପଡ଼ୁଛି । ସେ ରାମକୃଷ୍ଣ ମିଶନ ଭାବଧାରାରେ ପଡ଼ି ସଂଯମ, ବ୍ରହ୍ମଚର୍ଯ୍ୟ ଆଦି କଥାର ପ୍ରଭାବରେ ବହୁତ ପଡ଼ିଥିଲେ । ଏକସମୟରେ ତାଙ୍କର ବାପା ତାଙ୍କ ବାହାଘର ଠିକଣା କଲେ । ସେ ବି ବାହା ହେବାକୁ ମନ କଲେ । ସେତେବେଳେ ଦେଖିଲି ଯେ ସେ ଭାବୁଛନ୍ତି-ଯେତେବେଳେ ସ୍ତ୍ରୀ ସଂସର୍ଗ ପରି ଏକ ପତନ ପାଇଁ ସେ ପ୍ରସ୍ତୁତ ହୋଇଗଲେଣି ସେତେବେଳେ ଅନ୍ୟ କୌଣସି ନୀତିନିୟମ ପାଳିବା ନ ପାଳିବାରେ ଆଉ ଗୁରୁତ୍ୱ ନାହିଁ । ଏଣିକି ପ୍ରଜାଙ୍କୁ ତଣ୍ଡିବା, ଖାତକକୁ ସର୍ବସ୍ୱାନ୍ତ କରିବା, କିଳାପୋତେଇ କରିବା ଆଦି ସବୁ କାର୍ଯ୍ୟ ଅବାଧରେ କରାଯାଇପାରେ । ଆଉ ଥରେ ଜଣଙ୍କଠାରୁ ଶୁଣିଥିଲି ଯେ କେବଳ ବ୍ରହ୍ମଚର୍ଯ୍ୟ ପାଳନ କରୁଥିବା ବ୍ୟକ୍ତି ହିଁ ନିରାମିଷ ଖାଇପାରେ; ଅର୍ଥାତ୍‌ ଯେ ଗୃହସ୍ଥ ହେଇ ସ୍ତ୍ରୀସଂସର୍ଗ କରିବ, ସେ ପ୍ରାଣୀହତ୍ୟାକୁ ଆଉ ପଛେଇବ କାହିଁକି ?

 

ମୋର ମନେହୁଏ, ଯୌନନୈତିକତା ଉପରେ ଏଭଳି ଜୋରର ପ୍ରଧାନ କାରଣ ହେଲା ଯେ, ଆଜି ଯେଉଁ ସବୁ ସାମାଜିକ ଅନ୍ୟାୟ, ଶୋଷଣ, ଅତ୍ୟାଚାର, ଅସତ୍ୟ ଆଚରଣ ଆଦିକୁ ଗୁରୁତର ଦୋଷ ବୋଲି ଆମେ ମନେ କରୁଛୁ ସେସବୁ ପରମ୍ପରାଗତ ସମାଜର ମୂଳଦୁଆ ଥିଲା ଓ ସେ ସମାଜବ୍ୟବସ୍ଥାକୁ ଚୁନୌତି ଦେବାର ବା ବଦଳେଇବାକୁ ଚାହିଁବାର ପ୍ରଶ୍ନ ହିଁ ଉଠିନଥିଲା । ସାମନ୍ତବାଦୀ ସମାଜକୁ ଭଗବାନଙ୍କ ସୃଷ୍ଟି ଓ ସମାଜର ଶାଶ୍ୱତ ରୂପ ବୋଲି ମାନିନିଆଯାଉଥିଲା । ତେଣୁ ଅନ୍ୟ ସବୁ ନୀତିର ଉପଦେଶ ଦିଆଗଲେ ବି ସେସବୁ ପାଳିବା ଉପରେ ବେଶୀ ଜୋର ଦିଆଯାଉ ନ ଥିଲା । ତେଣୁ ସବୁ ଜୋର ଆସି ପଡ଼ିଲା ଯୌନନୈତିକତା ଉପରେ ।

 

ନୂଆ ସମାଜରେ ଆମକୁ ସମାଜର ସମସ୍ତଙ୍କ ହିତ ପାଇଁ ଆବଶ୍ୟକ ଅନ୍ୟ ସବୁ କ୍ଷେତ୍ରର ନୈତିକତା ଭିତରେ ଯୌନନୈତିକତାକୁ ତା’ର ଉପଯୁକ୍ତ ମାତ୍ରାରେ ସ୍ଥାନଦେବାକୁ ହେବ–ସର୍ବୋପରି, ଏକମାତ୍ର ନୈତିକତା ରୂପେ ନୁହେଁ ।

 

ସମାଜ ତିଷ୍ଠିବା ପାଇଁ ପରିବାର ସଂସ୍ଥା ତିଷ୍ଠିରହିବା ଆବଶ୍ୟକ ବୋଲି ବିଶ୍ୱାସ କରାଯାଏ । ଗୋଟାଏ ସମୟରେ ସମାଜବାଦ ଓ ସାମ୍ୟବାଦର ବିକାଶପଥରେ ପରିବାରକୁ ଗୋଟାଏ ପ୍ରତିବନ୍ଧକ ମନେ କରାଯାଉଥିଲା । ଏହାଯୋଗୁଁ ବ୍ୟକ୍ତିବାଦ ତିଷ୍ଠି ରହିଛି ଓ ଏହାର ଲୋପ ହେଇଗଲେ ମଣିଷ ଭିତରେ ବ୍ୟାପକ ସମାଜଚେତନାର ବିକାଶ ହେବ ବୋଲି ଦିନେ ବିଶ୍ୱାସ କରାଯାଉଥିଲା । ଏବେ ବି ସେଭଳି ବିଶ୍ୱାସ କରୁଥିବା କଟ୍ଟର ସାମ୍ୟବାଦୀ କେହି କେହି ଥିବେ । ମାତ୍ର ଏବେ ଦେଖାଯାଉଛି ଯେ ଯେଉଁଠି ଯେଉଁଠି ପରିବାର ସଂସ୍ଥା ହୁଗୁଳା ହେଲାଣି ଓ ଭାଙ୍ଗିବା ଅବସ୍ଥାରେ ପହଞ୍ଚିଲାଣି, ସେଠି ବ୍ୟାପକ ସମାଜଚେତନା ଉଦିତ ହେବା ପରିବର୍ତ୍ତେ ଅଧିକ ଉତ୍କଟ ବ୍ୟକ୍ତିବାଦର ହିଁ ଜନ୍ମ ହେଉଛି । ପୁଞ୍ଜିବାଦୀ ବ୍ୟକ୍ତିବାଦର ଧକ୍‌କାରେ ହିଁ ବରଂ ପରିବାରବ୍ୟବସ୍ଥା ହୁଗୁଳା ହେଇଯାଉଛି ।

 

ଅନ୍ୟ ଦିଗରେ ଦେଖାଯାଉଛି ଯେ ସାନପିଲାଙ୍କୁ ମଣିଷ କରିବାର ଯେଉଁ ଏକ କର୍ମ ପରିବାର ସଂସ୍ଥା ହାତରେ ରହିଛି, ତାକୁ ଅନ୍ୟ କେହି ପୂରଣ କରିପାରିବ ନାହିଁ । ଗୋଟାଏ ସମୟରେ ବିଶ୍ୱାସ କରାଯାଉଥିଲା ଯେ ପିଲାଙ୍କୁ ଭଲ ମଣିଷ କରିବାକୁ ହେଲେ ଅଜ୍ଞ ବାପମା’ଙ୍କ ହାତରୁ କାଢ଼ି ନେଇ ଉଚ୍ଚ ଯୋଗ୍ୟତା ଥିବା ଶିକ୍ଷକଙ୍କ ହାତରେ ଦେବା ଚାହି । ଅଧିକ ବୟସରେ ବିବିଧ ବିଷୟ ଓ ଧନ୍ଦା ଶିକ୍ଷା ପାଇଁ ଏ ବ୍ୟବସ୍ଥାର ଉପଯୋଗିତାକୁ ଅସ୍ୱୀକାର କରିବା ପ୍ରଶ୍ନ ନାହିଁ; ମାତ୍ର ଶିଶୁ ଓ ସାନ ପିଲାର ବିକାଶ ପାଇଁ ପରିବାରର ଘନିଷ୍ଠତାରୁ ଯେଉଁ ଅନୁକୂଳ ପରିବେଶ ମିଳେ, ବିଶେଷ କରି ମା’ର ସ୍ନେହ, କୌଣସି ଅନ୍ୟ ସଂସ୍ଥାରେ ତାହାର ପ୍ରତିରୂପ ଛିଡ଼ାକରି ହେବ ନାହିଁ । ସଂସ୍ଥାରେ ସେମାନଙ୍କୁ ଏକ ସମାଜବ୍ୟବସ୍ଥାର ପେଚ, କଣ୍ଟା କରି ଗଢ଼ାଯାଇପାରେ । ସେମାନଙ୍କ ଭିତରେ ମଣିଷପଣିଆର ବିକାଶ ପାଇଁ ପରିବାରର ଉଷ୍ଣତା ଲୋଡ଼ା ।

 

ପୁଣି ଦେଖାଯାଏ ଯେ ଆଜିକାଲିର କେବଳ ବାପ ମା’ ଓ ପିଲା ଥିବା ପରିବାରରେ ବାପ ମା’ଙ୍କର ବ୍ୟକ୍ତିତ୍ୱରେ ଯେଉଁ ତ୍ରୁଟି ଥାଏ, ତା’ର ଚାପ ପିଲାଙ୍କ ଉପରେ ବେଶୀ ପଡ଼େ । ପରିବାରରେ ଅଜା, ଆଈ, ଦାଦି, ଖୁଡ଼ୀ ଆଦି ଅନ୍ୟ ଲୋକ ଥିଲେ ଅନେକ ଆତ୍ମୀୟଙ୍କ ସହିତ ସମ୍ପର୍କ ଆସୁଥିବାରୁ ଉପରୋକ୍ତ ଚାପଟା ହାଲୁକା ହେଇଯାଏ; ପିଲାଙ୍କର ସୁଷମ ବିକାଶରେ ସାହାଯ୍ୟ ହୁଏ । ଏ ଦୃଷ୍ଟିରୁ ସାନ ପରିବାର ଅପେକ୍ଷା ବଡ଼ ପରିବାର ଭଲ । ସାଧାରଣତଃ ଆମ ସମାଜରେ ଦେଖାଯାଏ ଯେ ବାପମା’ଙ୍କର କର୍ତ୍ତୃତ୍ୱର ବୋଝଟା ଅଜାଆଈଙ୍କ ଦ୍ୱାରା ହାଲୁକା ହୁଏ । ସେମାନଙ୍କର ନାତିନାତୁଣୀଙ୍କ ସହିତ ଥଟ୍ଟାର ସମ୍ପର୍କ ଥାଏ; ମୈତ୍ରୀ ସହଜରେ ଫୁଟିଉଠେ । କର୍ତ୍ତୃତ୍ୱର ବୋଝ ନ ଥାଏ । ଆମର ଗାଁମାନଙ୍କରେ ବି ଅନେକ ଆଡ଼େ ସାଇପଡ଼ିଶାଙ୍କ ଘର ପିଲାଙ୍କ ପାଇଁ ଖୋଲାଥାଏ । ସାଇର ସ୍ତ୍ରୀଲୋକଙ୍କର ସ୍ନେହ ବି ପିଲାଙ୍କୁ ମିଳେ । ଯଦି ଅନେକଗୁଡ଼ିଏ ପରିବାର ମିଶି ଏକ ବୃହତ୍ତର ପରିବାର ଗଢ଼ନ୍ତି, ତେବେ ସେ ଗୋଟାଏ ଭଲ କଥା ହେଇପାରେ । ମାତ୍ର ଆଜି ପୁଞ୍ଜିବାଦ ଧକ୍‌କାରେ ଯେଉଁ ପ୍ରକାରେ ପରିବାର ଭାଙ୍ଗିଯାଉଛି, ତା’ର ଗତି ଏହାର ଓଲଟା ଦିଗରେ । ଏବେ ଆଖିରେ ପଡ଼ିଲା ଯେ ଡ: ବି. ବି. ସେଠୀ ଓ ଡ: ଆର୍‌. ଡି. ଆହୁଜା ନାମକ ଦୁଇଜଣ ମାନସିକ ଚିକିତ୍ସକ ମତ ଦେଇଛନ୍ତି ଯେ, କେବଳ ସ୍ୱାମୀ-ସ୍ତ୍ରୀ’ଙ୍କୁ ନେଇ ଗଢ଼ା ପରିବାରରେ ମାନସିକ ରୋଗର ସମ୍ଭାବନା ଅଧିକ ହେଇଥାଏ । ବଡ଼ ଏକାନ୍ନବର୍ତ୍ତୀ ପରିବାର ମାନସିକ ସ୍ୱାସ୍ଥ୍ୟ ପାଇଁ ଅଧିକ ଅନୁକୂଳ । (କଲିକତା ଷ୍ଟେଟସ୍‌ମ୍ୟାନ୍‌–ଡାକ. ୧୪ । ୭ । ୭୬ ସଂସ୍କରଣ)

 

ବ୍ୟକ୍ତିର ଆଧ୍ୟାତ୍ମିକ ବିକାଶଦୃଷ୍ଟିରୁ ହିନ୍ଦୁ ଓ ଖ୍ରୀଷ୍ଟ ଧର୍ମରେ ସାଧନା ପାଇଁ ବ୍ରହ୍ମଚର୍ଯ୍ୟର ଆବଶ୍ୟକତା ଉପରେ ଖୁବ୍‌ ଜୋର ଦିଆଯାଇଛି । ଏହାର ବିଚାର ହେଲା ଯେ ପୁରୁଷର ବୀର୍ଯ୍ୟଶକ୍ତିକୁ ସୁରକ୍ଷିତ ରଖିଲେ ତାହା ଊର୍ଦ୍ଧ୍ୱଗାମୀ ହେଇ ଆଧ୍ୟାତ୍ମିକ ଶକ୍ତିର ରୂପ ଧରିବ । ଦେଖାଯାଏ ଯେ ମଣିଷ ଗୋଟାଏ କୌଣସି କାମରେ ପୂର୍ଣ୍ଣପ୍ରାଣରେ ଲାଗି ଏକାଗ୍ର ହେଇଗଲେ ଆହାର ନିଦ୍ରା ବି ଭୁଲିଯାଏ । ତା’ର ସମସ୍ତ ଭାବନାର ଶକ୍ତି ମଧ୍ୟ ଏକାଗ୍ର ହେଇଯାଏ । ଶିଳ୍ପୀ, କାରିଗର, ଲେଖକ, ବୈଜ୍ଞାନିକ ପ୍ରଭୃତିଙ୍କଠାରେ ଏହିପରି ଏକାଗ୍ରତା ଦେଖାଯାଏ । ଏଭଳି ଏକାଗ୍ରତା କେତେ ଘଣ୍ଟାଠାରୁ କେତେ ମାସ ବା ବର୍ଷ ବର୍ଷଯାଏ ରହିପାରେ । ଏହାଦ୍ୱାରା ମଣିଷର ଯୌନପ୍ରେରଣା ବି ଅଦୃଶ୍ୟ ହେଇଯାଏ । ବିଶିଷ୍ଟ ବୈଜ୍ଞାନିକ ଡାଲ୍‌ଟନ୍‌ ବିଜ୍ଞାନସାଧନାରେ ତନ୍ମୟ ହେଇ ବାହା ହେବା କଥା ଭୁଲି ହିଁ ଯାଇଥିଲେ । ଶିଳ୍ପୀ ମିକେଲ ଏଞ୍ଜେଲୋ ମଧ୍ୟ ବର୍ଷବର୍ଷଧରି ଏହିପରି ଯୌନଆବଶ୍ୟକତା ଭୁଲି ରହିଥିଲେ । ତେଣୁ କଳ୍ପନା କରାଯାଇପାରେ ଯେ ଜୀବନର ଚରମ ସାର୍ଥକତା ହାସଲ କରିବା ଉଦ୍ୟମରେ ଯେଉଁମାନେ ଏପରି ତନ୍ମୟ ହେଇଯିବେ, ସେମାନଙ୍କର ସମସ୍ତ ପ୍ରାଣଶକ୍ତି ସେଥିରେ ଏକାଗ୍ର ହେଇଯିବ; ଯୌନ ଅଭିବ୍ୟକ୍ତି ପାଇଁ କିଛି ବାକି ରହିବ ନାହିଁ ।

 

ଏଥିରେ ମୁଖ୍ୟ କଥା ହେଲା ସେଭଳି କୌଣସି ସୃଜନାତ୍ମକ କାମ, କୌଣସି ଲକ୍ଷ୍ୟ, ମିଶନ୍‌, ଜୀବନକୁ ଏହିପରି ସମଗ୍ରଭାବରେ ପ୍ଲାବିତ କରିବା । ମାତ୍ର ଯୌନପ୍ରେରଣା ପଛରେ ଠେଙ୍ଗା ଧରି ଗୋଡ଼େଇଲେ ଏହା ହେବ ନାହିଁ । ଏଇଟା ଘୋଡ଼ା ଆଗରେ ଗାଡ଼ି ଯୋଚିବା କଥା ହେବ । ଏହାର ଫଳ ଓଲଟା ବି ହେଇପାରେ । ଉଦାତ୍ତ ଲକ୍ଷ୍ୟ ପାଇଁ ନିଜକୁ ଉତ୍ସର୍ଗ କରିବା ବ୍ୟକ୍ତିଗତ ନିର୍ଣ୍ଣୟର ବ୍ୟାପାର । ଯେ କରିବ ସେ କରିବ; ମାତ୍ର ଏଭଳି ବ୍ୟକ୍ତିଗତ ପ୍ରତିଭାର ବିକାଶ ଦ୍ୱାରା ସମାଜର ମଧ୍ୟ ଉପକାର ହୁଏ । ସେଥିପାଇଁ ଏହାର ଅନୁକୂଳ ବାୟୁମଣ୍ଡଳ ମଧ୍ୟ ରହିବା ଉଚିତ । ମାତ୍ର କୋଟି କୋଟି ଲୋକଙ୍କର ଯୌନପ୍ରେରଣାର ସୁସ୍ଥ ଓ ସୃଜନାତ୍ମକ ବିକାଶ ମଧ୍ୟ ଏସବୁ ଲୋକଙ୍କର ବ୍ୟକ୍ତିଗତ ଜୀବନର ପରିପୂର୍ଣ୍ଣତା ଓ ସାର୍ଥକତା ପାଇଁ ଓ ସାରା ସମାଜର ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ । ଏ ବିଷୟରେ ଯେଉଁ ବାତାବରଣ ଓ ସାମନ୍ତବାଦୀ ମୂଲ୍ୟବୋଧ ରହିଛି ଓ ଯେଉଁ ପୁଞ୍ଜିବାଦୀ ମୂଲ୍ୟବୋଧ ବଢ଼ିଚାଲିଛି, ତାହା ବ୍ୟକ୍ତି ଓ ସମାଜର କେତେ କ୍ଷତି କରୁଛି, ସେ ବିଷୟରେ ଆଲୋଚନା ପୂର୍ବରୁ କରାଯାଇଛି । ପରମ୍ପରାଗତ ନୀତିବୋଧ ଓ ତାହା ସହିତ ଯୋଡ଼ାହେଇଥିବା ଅଶେଷ ପ୍ରକାରର ବିଧିବିଷେଧ ବ୍ରହ୍ମଚର୍ଯ୍ୟ ପାଇଁ ଆବଶ୍ୟକ ବାତାବରଣର ସେହିପରି ବିପରୀତ, ଯେପରି ତା’ର ବିରୋଧୀ ପୁଞ୍ଜିବାଦ ଦ୍ୱାରା ଯୌନପ୍ରେରଣାର ନିର୍ଲଜ୍ଜ ଶୋଷଣ ।

 

ମଣିଷ ନିଜକୁ କୌଣସି ଉଦାତ୍ତ ଲକ୍ଷ୍ୟ ପାଇଁ ଉତ୍ସର୍ଗ କରି ସେଥିରେ ତନ୍ମୟ ହେବାଟା ପ୍ରଥମ ସର୍ତ୍ତ ହେଲା ତା’ର ଆତ୍ମନିର୍ଣ୍ଣୟର ଅଧିକାର ଓ ଶକ୍ତି ଥିବା ଚାହି । ପ୍ରଚଳିତ ରୀତିନୀତି ସେହି ଅଧିକାର ଓ ଶକ୍ତିକୁ ହିଁ କ୍ଷୁଣ୍ଣ କରେ । କେବଳ ଏହି ଗୋଟିଏ କ୍ଷେତ୍ରରେ ନୁହେଁ, ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଏହିପରି ବା ଏହାଠାରୁ ଉତ୍କଟତର ଅବସ୍ଥା । ଲୋକଙ୍କର ବଞ୍ଚିରହିବାର ଅଧିକାର ବି ସାବ୍ୟସ୍ତ କରିବାର ଶକ୍ତି ନାହିଁ । ନିଜର ଭାଗ୍ୟ ନିୟନ୍ତ୍ରଣର ଅଧିକାର ନାହିଁ । ଏଭଳି ଅସହାୟ ଲୋକଙ୍କୁ ଯେପରି ବିନୋବା ପରାମର୍ଶ ଦେଉଛନ୍ତି, ବ୍ୟାପକ ପ୍ରଚାର ମାଧ୍ୟମରେ ବ୍ରହ୍ମଚର୍ଯ୍ୟ ପାଳନ ପାଇଁ ବୁଝାଇବାକୁ ଯିବା ଏକ ହାସ୍ୟାସ୍ପଦ କଥା ।

 

ସମାଜରେ ସ୍ତ୍ରୀ ପୁରୁଷ ଭିତରେ ବି ସମାନତା ପ୍ରତିଷ୍ଠିତ ହେଇନାହିଁ । ସ୍ତ୍ରୀ ଉପରେ ପୁରୁଷର ଆଧିପତ୍ୟ ଓ ଜୁଲୁମ, ପୁରୁଷର ‘ପାଶବିକ’ ଯୌନତୃଷ୍ଣା ଯୋଗୁଁ ବୋଲି ଧରିନିଆଯାଇଥାଏ । ଖୋଦ ଗାନ୍ଧୀଜୀ ମଧ୍ୟ ଏଇ ଭ୍ରମରେ ପଡ଼ିଥିଲେ । ତାଙ୍କର ଆତ୍ମକଥାରୁ ଦେଖାଯାଏ ଯେ ଯୁବା ବୟସରେ ସେ କସ୍ତୁରବା’ଙ୍କ ଉପରେ ଯେଉଁ ସବୁ ଜବରଦସ୍ତି ଚଳଉଥିଲେ, ପ୍ରସ୍ରାବପାତ୍ର ସଫା କରିବାକୁ କସ୍ତୁରବା ରାଜି ନ ହେବାରୁ ତାଙ୍କୁ ଘରୁ ତଡ଼ିଦେବାକୁ ବାହାରିଥିଲେ, ଏସବୁ ଦାୟିତ୍ୱ ସେ ନିଜର କାମବାସନା ଉପରେ ପକେଇଛନ୍ତି । ଏଇଟା ଯେ ସେ ଯୁଗର ସାମନ୍ତବାଦୀ ମୂଲ୍ୟବୋଧର ପରିଣାମ, ତାହା ସେ ବିଶ୍ଳେଷଣ କରି ଦେଖି ନ ଥିବା ପରି ମନେହୁଏ-। ସ୍ତ୍ରୀପୁରୁଷ ଭିତରେ ସମାନତା ଓ ମୈତ୍ରୀର ବାତାବରଣ ଗଢ଼ିବା ପାଇଁ ଯୌନଚେତନାର ସୁସ୍ଥ ପ୍ରକାଶର ବାତାବରଣ ଲୋଡ଼ା । ସାମନ୍ତବାଦୀ ପରିବେଶ କାଏମ ଥାଇ ଲୋକଙ୍କୁ ଯେତେ ସଂଯମ ପାଇଁ ଉପଦେଶ ଦିଆଯାଉଥିବ କାମବାସନାର ଅସମ୍ଭାଳ ଅଭିବ୍ୟକ୍ତି ସେତେ ସ୍ଥୂଳ, ଶରୀରଧର୍ମୀ, ଭାବନାବର୍ଜିତ ହେଉଥିବ ଓ ପୁରୁଷର ଜବରଦସ୍ତି ଅଧିକାର ସାବ୍ୟସ୍ତ ସେତେ ବଢ଼ୁଥିବ-

 

ଥରେ ଆମେ କେତେଜଣ ବସି ପରିହାସରେ ବ୍ରହ୍ମଚାରୀମାନଙ୍କର ଶ୍ରେଣୀ ବିଭାଗ କରୁଥିଲୁ । ତିନୋଟି ଶ୍ରେଣୀ ଆମେ କରିଥିଲୁ : ଆଶ୍ରମ ବ୍ରହ୍ମଚାରୀ, ସ୍ୱଭାବ ବ୍ରହ୍ମଚାରୀ ଓ କୁଣ୍ଠିତ ବ୍ରହ୍ମଚାରୀ । ‘ଆଶ୍ରମ ବ୍ରହ୍ମଚାରୀ’ ଅର୍ଥ ଯେ ଛାତ୍ରାବସ୍ଥାରେ ସୀମିତ ସମୟ ପାଇଁ ସଂଯମ ପାଳନ କରୁଛି; ‘ସ୍ୱଭାବ ବ୍ରହ୍ମଚାରୀ’ ଡାଲଟନ୍ ବା ବିବେକାନନ୍ଦଙ୍କ ପରି ଯାହାଙ୍କୁ ମହାନ୍‌ ଲକ୍ଷ୍ୟ ପ୍ଳାବିତ କରୁଛି ଓ ‘କୁଣ୍ଠିତ ବ୍ରହ୍ମଚାରୀ’ ସେଇମାନେ ଯେ ଓଲଟା ଆଡ଼ୁ ଜବରଦସ୍ତି ବ୍ରହ୍ମଚର୍ଯ୍ୟପାଳନ ଚେଷ୍ଟାରେ ଉବେଇଟୁବେଇ ହେଉଛନ୍ତି । ପରିହାସରେ କରାଯାଇଥିଲେ ବି, ଏ ବିବେଚନାରେ ତଥ୍ୟ ଅଛି । ଦେଖାଯାଏ ଯେ ଯେଉଁମାନେ ଓଲଟା ଆଡ଼ୁ ଯେକୌଣସିମତେ ଇନ୍ଦ୍ରିୟସଂଯମ କରିଦଇ ବ୍ରହ୍ମଚାରୀ ହେବା ଚେଷ୍ଟାକରନ୍ତି, ସେମାନଙ୍କର ଚରିତ୍ରରେ ବହୁତ ପ୍ରକାରର ଊଣାପଣ ଆସିଯାଏ । ସେମାନଙ୍କ ଭିତରେ ମାଧୁର୍ଯ୍ୟ ଊଣା ହେଇଯାଏ । ସମ୍ବେଦନଶୀଳତା ମଧ୍ୟ ଊଣା ହେଇଯାଏ । ସେମାନଙ୍କର ଅଧିକାଂଶ ଭାବନାତ୍ମକ (ଇମୋଶନାଲ୍‌) ଶକ୍ତି ଅନ୍ତର୍ଦ୍ୱନ୍ଦ୍ୱରେ ଖର୍ଚ୍ଚ ହେଇଯାଏ ଓ ବାହାରର ସୃଜନାତ୍ମକ କାମ ପାଇଁ କମ୍‌ ବଳେ । ଅନେକ ସମୟରେ ସେ ନିଜକୁ ନେଇ ହିଁ ବେଶୀ ବ୍ୟସ୍ତ ରହନ୍ତି । ନିଜର ଖାଦ୍ୟ, ବସ୍ତ୍ର, ସ୍ୱାସ୍ଥ୍ୟ ଆଦି ବିଷୟରେ ବିଚାରରେ ବହୁତ ସମୟ ଯାଏ; ଯଦିଓ ଏପରି କରିବା ସାଧନାର ଅଙ୍ଗ ବୋଲି ସେମାନେ ମନକୁ ବୁଝେଇଥାନ୍ତି । ସାଧାରଣ ଗୃହସ୍ଥଠାରୁ ବି ସେମାନଙ୍କର ଅନ୍ୟ ବିଷୟରେ ଚିନ୍ତା ଓ କର୍ମଶକ୍ତି ଊଣା ହେଇଥାଏ ।

 

ଅନ୍ୟ ପକ୍ଷରେ ଦେଖାଯାଏ ଯେ ଯେଉଁ ଦମ୍ପତି ଆପଣାର ପାରସ୍ପରିକ ସମ୍ପର୍କରେ ପ୍ରଗାଢ଼ତା ଅନୁଭବ କରନ୍ତି, ଯେଉଁମାନଙ୍କର ଦୈହିକ ସମ୍ପର୍କ ବି ଏ ପ୍ରଗାଢ଼ତା ଓ ମୈତ୍ରୀର ଅଭିବ୍ୟକ୍ତି ହେଇଥାଏ ସେମାନଙ୍କୁ ଏ ପ୍ରକାରର ଅନୁଭୂତିରୁ ଅଧିକ ଉତ୍ସାହ ଓ ଶକ୍ତି, ଦୁନିଆ ପ୍ରତି ଅଧିକ ମୈତ୍ରୀ ଓ ସମ୍ବେଦନଶୀଳ ଦୃଷ୍ଟି ମିଳେ; ଜାଣି ପ୍ରଗାଢ଼ ପାରସ୍ପରିକ ଅନୁଭୂତି ମାଧ୍ୟମରେ ସେମାନଙ୍କର ପ୍ରାଣଶକ୍ତିର ରୁଦ୍ଧ ଦ୍ୱାର ଖୋଲିଯାଏ । ସାହିତ୍ୟ, ଦର୍ଶନ, ବିଜ୍ଞାନ, ସମାଜସେବା, ରାଜନୀତି, ଶିଳ୍ପକଳା ବା ସେହିଭଳି ଅନ୍ୟ ବିଷୟ ସେମାନଙ୍କର ମିଳିତ ଶକ୍ତିର ଅଭିବ୍ୟକ୍ତିର କ୍ଷେତ୍ର ହୁଏ । ସେମାନଙ୍କର ଚେତନା ଓ ଶକ୍ତି ଦେହ ଓ ପରିବାରକୁ ଅତିକ୍ରମ କରି ଆଗେଇଯାଏ । ବ୍ରହ୍ମଚର୍ଯ୍ୟ ଜୀବନରେ ଏହାର ପରବର୍ତ୍ତୀ ଅଙ୍କ ହେଇପାରେ, ଏହାର ବିପରୀତ ଦିଗର ଗନ୍ତବ୍ୟସ୍ଥଳ ନୁହେଁ, ଅନ୍ତତଃ ସାଧାରଣ ଲୋକ ପାଇଁ । ଏହି ପରିପ୍ରେକ୍ଷୀରେ ଜନ୍ମନିରୋଧର କୃତ୍ରିମ ସାଧନର ବ୍ୟବହାରର ବି ଏକ ମୂଲ୍ୟ ରହିଛି ।

 

ପ୍ରଚଳିତ ନୈତିକତା ରକ୍ଷା ପାଇଁ ପୁଅଝିଅମାନଙ୍କୁ ଅଲଗା ରଖିବା ଉପରେ ବହୁତ ଜୋର ଦିଆଯାଏ । ଏ ବାବଦରେ କେତେକ ଉତ୍କଟ ନିୟମର ଉଲ୍ଲେଖ ପୂର୍ବରୁ କରାଯାଇଛି । ଏଭଳି ଅଲଗା ରଖିବା ଦ୍ୱାରା ପୁଅଝିଅ ଉଭୟଙ୍କର ଚରିତ୍ର ଦୁର୍ବଳ ହିଁ ହୁଏ । ପରସ୍ପର ବିଷୟରେ ଅସୁସ୍ଥ କୌତୂହଳ ବଢ଼େ । ପରସ୍ପର ସହିତ ଆଚରଣରେ ଆଡ଼ଷ୍ଟତା ଆସେ, ହଠାତ୍‌ ଗୋଟାଏ ପରିସ୍ଥିତିରେ ପଡ଼ିଲେ କ’ଣ କରିବାକୁ ହେବ ତା’ର ବୁଦ୍ଧି ଦିଶେ ନାହିଁ । ଝିଅମାନେ ତ ଅଭାବିତ ପରିସ୍ଥିତିରେ ପଡ଼ିଲେ ଏକାବେଳକେ ଜଡ଼ ପାଲଟିଯାନ୍ତି । ଏହାର ବ୍ୟାପକ ଅପକାରର ଆଲୋଚନା ତ ପୂର୍ବରୁ କରାଯାଇଛି । ପୁଅଝିଅମାନଙ୍କ ଘନିଷ୍ଠତାର ପରିଣତି ଦୈହିକ ସମ୍ବନ୍ଧରେ ହିଁ ହେବ ବୋଲି ଧରିନିଆଯାଇଛି । ସେଥିପାଇଁ ଘିଅଘଡ଼ି ଓ ନିଆଁର ଉଦାହରଣ ଦିଆଯାଏ । ମାତ୍ର ପୁଅଝିଅମାନଙ୍କୁ ସହଜଭାବରେ ମିଶିବାକୁ ଦେଲେ ପୁଅ-ପୁଅ ଓ ଝିଅ-ଝିଅଙ୍କ ଭିତରେ ଥିବାପରି ପୁଅ-ଝିଅଙ୍କ ଭିତରେ ବିଶୁଦ୍ଧ ବନ୍ଧୁତା ଗଢ଼ିଉଠି ପାରିବ । ଏ ପ୍ରକାରର ବନ୍ଧୁତାର ଅସଂଖ୍ୟ ଉଦାହରଣ ଦିଆଯାଇପାରିବ । ପରିଣତ ବୟସରେ ମଧ୍ୟ ଏଭଳି ବନ୍ଧୁତା ଦେଖିବାକୁ ମିଳେ । ସମାନତା ଓ ସୁସ୍ଥ ସମାଜର ବିକାଶପାଇଁ ଏହା ସ୍ୱାଗତଯୋଗ୍ୟ ।

 

ଏଭଳି ମିଳାମିଶା ଭିତରେ ବେଳେବେଳେ ଦୁର୍ଘଟଣା ଘଟିବ; ମାତ୍ର ଏଭଳି ଘଟଣାକୁ ଅନ୍ୟ ହଜାର ପ୍ରକାରର ଦୁର୍ଘଟଣାଠାରୁ ଅଧିକ ଗୁରୁତ୍ୱ ଦିଆଯିବ କାହିଁକି ଓ ସୃଷ୍ଟି ପ୍ରଳୟ ହେଇଗଲା ବୋଲି ଅନୁଭବ କରାଯିବ କାହିଁକି ? ପିଲାଏ ଖେଳିବା ବେଳେ ମଝିରେ ମଝିରେ ମାଡ଼ଗୋଳ ହୁଅନ୍ତି ବୋଲି ତ ଖେଳିବା ନିଷିଦ୍ଧ ହୁଏ ନାହିଁ ? ସାଦା କାଗଜରେ ଟିପ ନେଇ ୠଣ ଦେବା, ସରକାରୀ ଧନ ମିଛ ହିସାବ ଦେଇ ମାରିନେବା, ଖାଦ୍ୟଦ୍ରବ୍ୟ ମହଜୁଦ କରିବା ଆଦି ହଜାରେ ପ୍ରକାରର ଦୁର୍ନୀତି ଅପେକ୍ଷା କ’ଣ ଦୁଇଜଣ ଲୋକଙ୍କର ଅକସ୍ମାତ୍‌ ଦୈହିକ ସମ୍ପର୍କ ଦ୍ୱାରା ସମାଜର ବେଶୀ କ୍ଷତି ହେଇଯାଉଛି ?

 

ଏ ବିଷୟରେ ଆନ୍ଧ୍ରପ୍ରଦେଶର ବିଶିଷ୍ଟ ଜନସେବକ ଗୋରାଙ୍କର ମନୋଭାବ ଓ କାର୍ଯ୍ୟରୁ ଭାବିବାର ଖୋରାକ ମିଳେ । ସ୍ୱର୍ଗତ ଗୋପରାଜୁ ରାମଚନ୍ଦ୍ର ରାଓ ବା ସଂକ୍ଷେପରେ ‘ଗୋରା’ ସ୍ୱାଧୀନତା-ସଂଗ୍ରାମୀ ଓ ସର୍ବୋଦୟ କର୍ମୀ ଥିଲେ । ତାଙ୍କ ଘରଟା ହିଁ ଏକ ଆଶ୍ରମ ଥିଲା । ଏଥିରେ ତାଙ୍କର ଏକ ଝିଅର ଅନ୍ୟ ଜଣେ ଆଶ୍ରମବାସୀ ସହ ଅବୈଧ ସମ୍ପର୍କ ହେଇ ସେ ଗର୍ଭବତୀ ହେଲା । ପ୍ରଚଳିତ ପ୍ରଥା ଅନୁସାରେ ଏ ବ୍ୟାପାରକୁ ଲୁଚାଇବା ଓ ଗର୍ଭପାତ କରାଇବା ଚେଷ୍ଟା ନ କରି ସେ ସନ୍ତାନ ଜନ୍ମ ହେବାକୁ ଦେବା ଓ ତାକୁ ଯଥାରୀତି ଲାଳନପାଳନ କରିବା ଉଚିତ ବୋଲି ଗୋରାଙ୍କର ମତ ଥିଲା । ସେ ସେପରି କଲେ । ଯଥାରୀତି ଚାରିଆଡ଼େ ଏହାର ସମାଲୋଚନା ହେଲା । ଗୋରା ସେଥିରେ ଦବି ନ ଯାଇ ଆନ୍ଧ୍ରପ୍ରଦେଶର ଚାରିଆଡ଼େ ବୁଲି, ସହରମାନଙ୍କରେ ସାଧାରଣ ସଭା କରି ନିଜର ମତର ଯଥାର୍ଥତା ପ୍ରତିପାଦନ କଲେ ଓ ଏ ବିଷୟରେ ପ୍ରଦେଶବ୍ୟାପୀ ବିଚାରଚର୍ଚ୍ଚାର ସୂତ୍ରପାତ କଲେ । ଏହାପରେ ଜନସେବୀ ହିସାବରେ ଗୋରାଙ୍କ ପ୍ରତିଷ୍ଠା ଆନ୍ଧ୍ରପ୍ରଦେଶରେ ଓ ସାରା ଦେଶରେ ବଢ଼ିଲା । ସେ ଝିଅକୁ ତା’ର ପିଲା ସମେତ ଆଉ ଜଣେ ଯୁବକ ସାଥିରେ ବିବାହ ଦେଲେ । ସାଧାରଣତଃ ଏପରି କ୍ଷେତ୍ରରେ ଦୁର୍ଘଟଣାରେ ସଂପୃକ୍ତ ଉଭୟ ପକ୍ଷଙ୍କୁ ବାହା କରିଦେବା ବ୍ୟବସ୍ଥା ହୁଏ । ମୁଁ ଏପରି ଘଟଣା ଜାଣେ, ଯେଉଁଥିରେ ଅଳ୍ପବୟସ୍କାର ଝିଅକୁ ଏହି କାରଣରୁ ଦରବୁଢ଼ା ଲୋକକୁ ବାହା ହେବାକୁ ପଡ଼ିଛି । ଯଦି ଉଭୟଙ୍କ ଭିତରେ ଗଭୀର ଆକର୍ଷଣ ଯୋଗୁଁ ଏପରି ଘଟିଥାଏ ଓ ଉଭୟେ ବିବାହ କରିବାକୁ ଇଚ୍ଛୁକ ଥାନ୍ତି, ତେବେ ତ ଭଲକଥା; ନହେଲେ କ୍ଷଣିକ ଦୁର୍ବଳତା ବା ଗୋଟାଏ ପକ୍ଷରୁ ଆକ୍ରମଣ ଦ୍ୱାରା ଘଟିଥିବା ବ୍ୟାପାରରେ ବିବାହର ବ୍ୟବସ୍ଥା ଦ୍ୱାରା କ୍ଷଣିକର ଭୁଲକୁ ଜୀବନବ୍ୟାପୀ କରିଦିଆଯାଏ ।

 

(୪)

 

ଗାନ୍ଧୀଜୀ ପ୍ରତି କଥାରେ ବ୍ରହ୍ମଚର୍ଯ୍ୟ ଉପରେ ଜୋର ଦେଉଥିଲେ । ଗୋସେବା କରିବ ତ ବ୍ରହ୍ମଚର୍ଯ୍ୟ ଲୋଡ଼ା, ଶିକ୍ଷକ ହେବ ତ ବ୍ରହ୍ମଚର୍ଯ୍ୟ ପାଳନ ଆବଶ୍ୟକ–ଏହିପରି ସବୁ ଏତେ କହୁଥିଲେ ଯେ ମଣିଷ ଡରିଯିବ । ମାତ୍ର ତାଙ୍କର ଭୂମିକା ପରମ୍ପରାଗତ ନଥିଲା । କୌଣସିମତେ ଧରିବାନ୍ଧି ମଣିଷର ଯୌନଅଭିବ୍ୟକ୍ତି ବନ୍ଦ କରିଦେଲେ ବଡ଼ କାମ ହେଇଗଲା ବୋଲି ସେ ବିଶ୍ୱାସ କରୁ ନ ଥିଲେ । ପରମ୍ପରାଗତ ବିଧିନିଷେଧରେ ତାଙ୍କର ବିଶ୍ୱାସ ନ ଥିଲା । ଏଇ କଥା ନେଇ ତାଙ୍କର ଶେଷ ଜୀବନରେ ତାଙ୍କର କେତେଜଣ ଘନିଷ୍ଠ ସହକର୍ମ୍ମୀଙ୍କ ସାଙ୍ଗରେ ତୀବ୍ର ମତଭେଦ ହେଇଥିଲା ।

 

ନୋଆଖାଲୀରେ ଥିବାବେଳେ ତାଙ୍କର ନାତୁଣୀ ମନୁ ବେଳେବେଳେ ତାଙ୍କ ସହିତ ଏକା ବିଛଣାରେ ଶୋଇପଡ଼ୁଥିଲା । ଏ କଥାଟା ଶୁଣି ତାଙ୍କର କେତେକ ନୀତିବାଗୀଶ ସହକର୍ମୀ ବା ଶିଷ୍ୟ ଏହାର ସମାଲୋଚନା ଓ ବିରୋଧ କଲେ । ଗାନ୍ଧୀଜୀଙ୍କୁ ଏପରି ନ କରିବା ପାଇଁ ଅନୁରୋଧ କରିବାକୁ ସେ ମାନିଲେ ନାହିଁ । ଏହା ଏତେଦୂର ଗଲା ଯେ ଗାନ୍ଧୀଜୀଙ୍କର ଏ ବିଷୟରେ ଲେଖା ତାଙ୍କର ନିଜ କାଗଜ ‘ହରିଜନ’ରେ ତା’ର ପରିଚାଳକମାନେ ଛାପିଲେ ନାହିଁ । ପରମ୍ପରାଗତ ରୁଢ଼ି ଆମ୍ଭମାନଙ୍କ ଭିତରେ କିପରି ବଦ୍ଧମୂଳ, ଏହା ତା’ର ଏକ ଉଦାହରଣ ।

 

ଏହି ବିଷୟରେ ଗାନ୍ଧୀଜୀଙ୍କର ଅନେକ ସାଥୀଙ୍କ ସହିତ ଅନେକ ଥର ଦୀର୍ଘ ଆଲୋଚନା ହୋଇଥିଲା । ସେସବୁଥିରୁ ତାଙ୍କର ବିଚାର ସ୍ପଷ୍ଟ ଜଣାପଡ଼େ । ଗୋଟାଏ ଆଲୋଚନା ପ୍ରସଙ୍ଗରେ ସେ କହିଥିଲେ : ‘‘ପରମ୍ପରାଗତ ପନ୍ଥାର ଗୁଳାରୁ ବାହାରି ନ ପାରିଲେ ନୈତିକ ସଂସ୍କାର ବା ପ୍ରଗତି ସମ୍ଭବ ନୁହେଁ । ଢଳା ଲୁହାପରି ଅନମନୀୟ ସାମାଜିକ ରୀତିନୀତି ଦ୍ୱାରା ନିଜକୁ ଆବଦ୍ଧ ହେବାକୁ ଦେଇ ଆମେ ବହୁତ କିଛି ହରାଇଛୁ । ବ୍ରହ୍ମଚର୍ଯ୍ୟରକ୍ଷା ପାଇଁ ନଅ ପରସ୍ତ ରକ୍ଷାପ୍ରାଚୀରର ଯେଉଁ ରୁଢ଼ିଗତ କଳ୍ପନା ଅଛି, ତାହା ମୋ ଦୃଷ୍ଟିରେ ତ୍ରୁଟିପୂର୍ଣ୍ଣ ଓ ଅପର୍ଯ୍ୟାପ୍ତ । ମୁଁ ନିଜେ ତାହା ସ୍ୱୀକାର କରେ ନାହିଁ । ତାହାରି ଆଢ଼ୁଆଳରେ ନିଜକୁ ରଖିଲେ ବ୍ରହ୍ମଚର୍ଯ୍ୟ ପାଇଁ ଚେଷ୍ଟା ସୁଦ୍ଧା କରିହେବ ନାହିଁ । ଦକ୍ଷିଣ ଆଫ୍ରିକାରେ କୋଡ଼ିଏ ବର୍ଷକାଳ ପାଶ୍ଚାତ୍ୟ ବିଚାର ସହିତ ମୋର ଘନିଷ୍ଠ ସମ୍ପର୍କ ଥିଲା । ଯୌନ ସମସ୍ୟା ବିଷୟରେ ବର୍‌ଟ୍ରାଣ୍ଡ ରସେଲ, ହ୍ୟାଭେଲକ୍‌ ଏଲିସ୍‌ ପ୍ରମୁଖ ବିଶିଷ୍ଟ ଲେଖକଙ୍କର ରଚନା ଓ ବିଚାର ସହିତ ମୁଁ ପରିଚିତ । ସେମାନେ ନିଜର ବିଶ୍ୱାସ ଯୋଗୁଁ ଓ ତଦନୁସାରେ ଆଚରଣ କରିଥିବା ଯୋଗୁଁ କଷ୍ଟ ସହିଛନ୍ତି । ସେମାନେ ବିବାହ ଭଳି ପ୍ରଥା ଓ ପ୍ରଚଳିତ ନୈତିକତାର ବିଧାନକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିବାର ପକ୍ଷପାତୀ–ଏ ବିଷୟରେ ମୋର ମତ ସେମାନଙ୍କଠାରୁ ଭିନ୍ନ । କିନ୍ତୁ ଏପରି କରିବା ସଙ୍ଗେ ସଙ୍ଗେ ଏସବୁ ପ୍ରଥା ଓ ରୀତିନୀତିକୁ ଛାଡ଼ି ମଧ୍ୟ ଜୀବନରେ ପବିତ୍ରତା ରଖିବା ଆବଶ୍ୟକ ଓ ସମ୍ଭବ ବୋଲି ସେମାନେ ବିଶ୍ୱାସ କରନ୍ତି । ମୁଁ ପାଶ୍ଚାତ୍ୟ ଦେଶରେ ଏପରି ପୁରୁଷ ଓ ସ୍ତ୍ରୀ ଦେଖିଛି, ଯେଉଁମାନେ ପ୍ରଚଳିତ ରୀତିନୀତି ଓ ସାମାଜିକ ନିୟମକୁ ସ୍ୱୀକାର ବା ପାଳନ କରୁ ନଥିଲେ ମଧ୍ୟ ପବିତ୍ର ଜୀବନଯାପନ କରନ୍ତି । ମୋର ଗବେଷଣା କେତେଟା ଏଇ ଦିଗରେ ଚାଲିଛି । ଯଦି ଆପଣ ବିଶ୍ୱାସ କରନ୍ତି ଯେ ସଂସ୍କାର ଆବଶ୍ୟକ ଓ ବାଞ୍ଛନୀୟ, ଯେଉଁଠି ଦରକାର ସେଠି ପୁରୁଣା ରୀତିନୀତିକୁ ତ୍ୟାଗ କରିବା ଆବଶ୍ୟକ ଓ ବର୍ତ୍ତମାନ ଯୁଗର ଉପଯୋଗୀ ନୈତିକତାର ନୂଆ ନିୟମ ପ୍ରଣୟନ କରିବା ଆବଶ୍ୟକ ଓ ବାଞ୍ଛନୀୟ, ତେବେ ଅନ୍ୟମାନଙ୍କର ଅନୁମତି ମଗାଯିବାର ବା ସେମାନଙ୍କର ହୃଦ୍‌ବୋଧ କରାଇବାର ଆବଶ୍ୟକତା ନାହିଁ । ଅନ୍ୟ ସମସ୍ତଙ୍କର ମତ ବଦଳିବାଯାଏ ସଂସ୍କାରକ ବସିରହି ପାରିବ ନାହିଁ । ତାକୁ ନେତୃତ୍ୱ ନେବାକୁ ହେବ ଓ ସମସ୍ତେ ତା’ର ବିରୋଧ କଲେ ବି ତାକୁ ଏକୁଟିଆ ଆଗେଇଯିବାକୁ ହେବ । ବ୍ରହ୍ମଚର୍ଯ୍ୟର ବର୍ତ୍ତମାନ ଯେଉଁ ସଂଜ୍ଞା ରହିଛି ଓ ଯାହାକୁ ଆପଣମାନେ ମୁଣ୍ଡେଇ ବସିଛନ୍ତି ତାକୁ ମୁଁ ମୋର ପର୍ଯ୍ୟବେକ୍ଷଣ, ଅଧ୍ୟୟନ ଓ ଅଭିଜ୍ଞତାର କଷଟିରେ ଯାଞ୍ଚ କରିବାକୁ, ସୁଧାରିବାକୁ ଓ ବିସ୍ତାରିତ କରିବାକୁ ଚାହେଁ । ତେଣୁ କୌଣସି ଗୋଟାଏ ସୁଯୋଗ ପହଞ୍ଚିଲେ ମୁଁ ତାକୁ ଏଡ଼େଇ ଦେବାକୁ ବା ସେଥିରୁ ଖସିଯିବାକୁ ଚାହେଁ ନାହିଁ; ବରଂ ସେ ଅବସରକୁ ସିଧାସଳଖ ଭେଟିବା ଓ ତାହା ଆମଙ୍କୁ କେଉଁଠାକୁ ନେଇଯିବ, ସେ ବାବଦରେ ଆମର ସ୍ଥିତି କ’ଣ, ଏସବୁ ଜାଣିବା ପାଇଁ ଉଦ୍ୟମ କରିବା ମୁଁ ମୋର ଧର୍ମ ବୋଲି ବିଚାରେ । ସ୍ତ୍ରୀଲୋକମାନଙ୍କର ସାନ୍ନିଧ୍ୟ ଏଡ଼େଇବା ବା ସେପରି ପରିସ୍ଥିତିରୁ ପଳେଇଯିବାଟାକୁ ମୁଁ ଯଥାର୍ଥ ବ୍ରହ୍ମଚର୍ଯ୍ୟର ସାଧକ ପକ୍ଷରେ କାପୁରୁଷତା ବୋଲି ମନେକରେ । ମୁଁ କେବେ ଯୌନସୁଖ ପାଇଁ ସ୍ତ୍ରୀଲୋକମାନଙ୍କର ସାନ୍ନିଧ୍ୟ ଲୋଡ଼େ ନାହିଁ । ମୋ ଭିତରୁ ଯୌନ ଚେତନା ପୂରାପୂରି ଲୋପ ପାଇଛି ବୋଲି ମୁଁ କହିପାରିବି ନାହିଁ । ମାତ୍ର ତାହାକୁ ମୁଁ ଆୟତ୍ତରେ ରଖିପାରେ ବୋଲି ଦାବି କରେ ।

 

‘‘ଆଜି ମଧ୍ୟ ମୁଁ ଲୋକଙ୍କୁ ଆଚରଣ ପାଇଁ ଯାହା ପରାମର୍ଶ ଦେଉଛି ସେସବୁ ହେଲା ଯାହାକୁ ତୁମେ ମୋର ପୁରୁଣା ବିଚାର ବୋଲି କୁହ । ମାତ୍ର ମୋର ନିଜ କଥା ତ କହିଛି ଯେ ମୁଁ ଆଧୁନିକ ଚିନ୍ତାଧାରା ଦ୍ୱାରା ଗଭୀରଭାବରେ ପ୍ରଭାବିତ । ଆମ ଦେଶରେ ବି ତ ତନ୍ତ୍ରବିଦ୍ୟାର ପରମ୍ପରା ରହିଛି, ଯାହା ବିଚାରପତି ସାର୍‌ ଜନ୍‌ ଉଡ୍‍ରଫ୍‌ଙ୍କ ଭଳି ପାଶ୍ଚାତ୍ୟ ସୁଧୀଙ୍କୁ ମଧ୍ୟ ପ୍ରଭାବିତ କରିଛି । ମୁଁ ୟେରୱାଡା ଜେଲରେ ଥିବାବେଳେ ତାଙ୍କର ରଚନା ପଢ଼ିଥିଲି । ତମେମାନେ ସମସ୍ତେ ରୁଢ଼ିବାଦୀ ପରମ୍ପରାରେ ମଣିଷ ହେଇଛ । ମୋର ସଂଜ୍ଞା ଅନୁସାରେ ତୁମମାନଙ୍କୁ ପ୍ରକୃତ ବ୍ରହ୍ମଚାରୀ ବୋଲି କୁହାଯାଇପାରିବ ନାହିଁ । ତୁମେମାନେ ବରାବର ରୋଗରେ ପଡ଼ୁଛ...ତୁମମାନଙ୍କ ଅପେକ୍ଷା ମୁଁ ପ୍ରକୃତ ବ୍ରହ୍ମଚାରୀର ଅଧିକ ପ୍ରତିନିଧିତ୍ୱ କରେ ବୋଲି ଦାବି କରେ । ତମେମାନେ ସତ୍ୟ, ଅହିଂସା, ଅସ୍ତେୟ ପ୍ରଭୃତି ବାବଦରେ ପତନ ଘଟିଲେ ତାହାକୁ ସେତେ ଗୁରୁତର ବ୍ୟାପାର ବୋଲି ବିଚାର ନାହିଁ; ମାତ୍ର ବ୍ରହ୍ମଚର୍ଯ୍ୟ ଅର୍ଥାତ୍‌ ସ୍ତ୍ରୀପୁରୁଷ ସମ୍ପର୍କ ବାବଦରେ ସ୍ଖଳନର ଟିକିଏ ସନ୍ଦେହ ହେବାମାତ୍ରେ ତୁମେମାନେ ଏକଦମ ବିଚଳିତ ହେଇପଡ଼ । ବ୍ରହ୍ମଚର୍ଯ୍ୟର ଏ କଳ୍ପନାକୁ ମୁଁ ସଂକୀର୍ଣ୍ଣ, କାଷ୍ଠବତ୍‌ ଓ ପ୍ରତିଗାମୀ ବୋଲି ମନେ କରେ । ମୋ ଦୃଷ୍ଟିରେ ସତ୍ୟ, ଅହିଂସା ଓ ବ୍ରହ୍ମଚର୍ଯ୍ୟ ଏସବୁଗୁଡ଼ିକ ଆଦର୍ଶର ମୂଲ୍ୟ ସମାନ ।

 

‘‘ମୁଁ ଦାବି କରେ ଯେ ମୋର ଆଚରଣ ବ୍ରହ୍ମଚର୍ଯ୍ୟର ପ୍ରକୃତ ଆଦଶରୁ ଆଦୌ ବିଚ୍ୟୁତ ନୁହେଁ । ଏହାର ଓଲଟା ଯେଉଁ ବ୍ରହ୍ମଚର୍ଯ୍ୟ କେବଳ କେତେଗୁଡ଼ିଏ ବିଧିନିଷେଧରେ ପର୍ଯ୍ୟବସିତ ଓ ଯାହା ଆଜି ଆମ ଭିତରେ ଚଳୁଛି, ତାହା ସମାଜ ଉପରେ ବଡ଼ କ୍ଷତିକାରକ ପ୍ରଭାବ ପକାଉଛି । ଏହା ସେ ଆଦର୍ଶକୁ ତଳକୁ ଖସାଇଦେଇଛି ଓ ତାହାର ପ୍ରକୃତ ତାତ୍ପର୍ଯ୍ୟକୁ ନଷ୍ଟ କରିଦେଇଛି । ଏସବୁ ଆଚାରଗତ ବିଧିନିଷେଧ ଓ ପ୍ରଥାର ପ୍ରକୃତ ମୂଲ୍ୟ କେତେ ତାହା ମୁଁ ଦେଖେଇ ଦେବାକୁ ଚାହେଁ ଓ ବ୍ରହ୍ମଚର୍ଯ୍ୟର ଆଦର୍ଶକୁ ଏସବୁ ଶୃଙ୍ଖଳରୁ ମୁକ୍ତ କରିବାକୁ ଚାହେଁ ।’’ (The Last Phase-I, pp. 588-9)

 

ଆଉ ଏକ ପ୍ରସଙ୍ଗରେ ତାଙ୍କର ବକ୍ତବ୍ୟ ସେହି ବହିରେ ନିମ୍ନ ପ୍ରକାରେ ଦିଆଯାଇଛି :

 

‘‘ଏ ବାବଦରେ ଆଶ୍ରମର ଆଦର୍ଶରେ କେତେକ ପରିମାଣରେ ଜାଣିଶୁଣି ପାଶ୍ଚାତ୍ୟ ଚଳଣିର ଅନୁକରଣ କରାଯାଇଥିଲା । ସେସବୁ ଦେଶରେ ସ୍ତ୍ରୀପୁରୁଷଙ୍କୁ ପରସ୍ପରଠାରୁ ଅଲଗା ରଖାଯାଏ ନାହିଁ । ...ଏହାର ପରିଣାମ ବେଶ୍‌ ଉତ୍ସାହଜନକ ହେଇଥିଲା । ଉଭୟ ପୁରୁଷ ଓ ସ୍ତ୍ରୀ ଏହାଦ୍ୱାରା ଲାଭବାନ ହେଇଛନ୍ତି...ତେବେ ମୋ ମତରେ ସବୁଠାରୁ ଅଧିକ ଲାଭବାନ ସ୍ତ୍ରୀମାନେ ହିଁ ହେଇଛନ୍ତି । ଏବଂ ଏସବୁ ଏହା ସତ୍ତ୍ୱେ ବି ସମ୍ଭବ ହେଇଛି ଯେ ଆମ ଭିତରୁ କେତେକଙ୍କର ସ୍ଖଳନ ହେଇଥିଲା ଓ କେତେକ ସେଭଳି ପତନ ପରେ ପୁଣି ଉଠି ଛିଡ଼ାହେଇଥିଲେ ।’’ ସେ ବୁଝାଇଥିଲେ ଯେ ଏଭଳି ପ୍ରୟୋଗରେ ଝୁଣ୍ଟିପଡ଼ିବାର ସମ୍ଭାବନା ସର୍ବଦା ଥାଏ, ଯେଉଁଠି ଶତକଡ଼ା ଶହେ ସଫଳତା ମିଳେ ତାହା ପ୍ରୟୋଗ ନୁହେଁ; ମାତ୍ର ସର୍ବଜ୍ଞତାର ଲକ୍ଷଣ । (The Last Phase-I, p. 571)

 

ଆଉ ଏକ ପ୍ରସଙ୍ଗର ବର୍ଣ୍ଣନା ମଧ୍ୟ ଦିଆଯାଇଛି । ଆଲୋଚନାର ଉପସଂହାର କରିବାକୁ ଯାଇ ଗାନ୍ଧୀଜୀ କହିଲେ ଯେ ସେ ବିବାହକୁ ‘ପବିତ୍ରାବସ୍ଥା ବା ଈଶ୍ୱରକୃପାରୁ ପତନ’’ ଶବ୍ଦର କୌଣସି ହେଲେ ଅର୍ଥରେ ସ୍ୱୀକାର କରିବାକୁ ନାରାଜ ଓ ସେହିପରି ‘‘ନିଜର ସନ୍ତାନ ଦ୍ୱାରା ନିଜର ବଂଶରକ୍ଷା କରିବାର’’ ଆକାଂକ୍ଷାକୁ ମଧ୍ୟ ‘ଅବୈଧ’ ବୋଲି କହିବାକୁ ପ୍ରସ୍ତୁତ ନୁହନ୍ତି । ମାତ୍ର ସେ ଏହି ମତ ପୋଷଣ କରନ୍ତି ଯେ ସନ୍ତାନ ଉତ୍ପାଦନ ବ୍ୟତୀତ କେବଳ ସୁଖ ପାଇଁ ଯୌନଆଚରଣ କରିବା ଉଚ୍ଚତମ ଆଧ୍ୟାତ୍ମିକ ବିକାଶ ସହିତ ଖାପ ଖାଏ ନାହିଁ । ‘‘ଯୌନପ୍ରେରଣା ଏକ ସୁନ୍ଦର ଓ ଉଦାତ୍ତ ବସ୍ତୁ । ଏଥିରେ ଲଜ୍ଜାଜନକ କିଛି ନାହିଁ; ମାତ୍ର ଏହା କେବଳ ସନ୍ତାନ ଉତ୍ପାଦନ ପାଇଁ ଅଭିପ୍ରେତ । ଏହାର ଅନ୍ୟ ପ୍ରକାରର ବ୍ୟବହାର ଈଶ୍ୱର ଓ ମାନବତା ବିରୋଧରେ ପାପ ।’’ (The Last Phase-I, p. 579)

 

ଗାନ୍ଧୀଜୀ ଜନ୍ମନିରୋଧର କୃତ୍ରିମସାଧନ ବ୍ୟବହାର ବିରୋଧରେ ଥିଲେ । ମାତ୍ର ମହାଦେବ ଦେଶାଇ ତାଙ୍କ ଡାଏରୀରେ ଉଲ୍ଲେଖ କରିଛନ୍ତି ଯେ ଜଣେ ଭଦ୍ରମହିଳା ବାରମ୍ବାର ପିଲା ଜନ୍ମକରି ଦୁର୍ବଳ ଓ ଅସୁସ୍ଥ ହେଇପଡ଼ିବାର ଘଟଣାରେ ଚିନ୍ତିତ ହେଇ ମନ୍ତବ୍ୟ କରିଥିଲେ ଯେ, ଏଭଳି କ୍ଷେତ୍ରରେ ସ୍ତ୍ରୀକୁ ରକ୍ଷାକରିବା ପାଇଁ କୃତ୍ରିମସାଧନର ଉପଯୋଗିତା ସେ ସ୍ୱୀକାର କରୁଛନ୍ତି ଓ ଏହାକୁ ତାଙ୍କର ପ୍ରଚଳିତ ମତର ସଂଶୋଧନ ରୂପେ ଉଲ୍ଲେଖ କରିଥିଲେ ।

 

ଏ ବିଷୟରେ ଗାନ୍ଧୀଜୀଙ୍କର ରୁଢ଼ିବାଦରୁ ମୁକ୍ତ ଦୃଷ୍ଟିର ପରିଚୟ ଅନେକ ଘଟଣାରୁ ମିଳେ । ବଲ୍ଲଭସ୍ୱାମୀ ଜଣେ ବିଶିଷ୍ଟ ରଚନାତ୍ମକ କର୍ମୀ ଥିଲେ । ସେ ତାଙ୍କର ଯୌବନରେ ବ୍ରହ୍ମଚର୍ଯ୍ୟର ବ୍ରତ ନେବା ସ୍ଥିର କରିବାରୁ ଗାନ୍ଧୀଜୀ ତାଙ୍କ ସ୍ତ୍ରୀଙ୍କୁ ପରାମର୍ଶ ଦେଲେ ଯେ ସେ ଯଦି ସ୍ୱେଚ୍ଛାରେ ବ୍ରହ୍ମଚାରିଣୀ ନ ଦେଇପାରିବେ ତେବେ ସେ ଦ୍ୱିତୀୟ ବିବାହ କରିବା ଉଚିତ । ସେ ମଧ୍ୟ ତାହା ହିଁ କଲେ ।

 

ପାଶବିକ ଅତ୍ୟାଚାରର ଶିକାର ହେଉଥିବା ସ୍ତ୍ରୀମାନେ ସମ୍ପୂର୍ଣ୍ଣ ପତିତା ହେଇଯାନ୍ତି ବୋଲି ଆମ ସମାଜରେ ଧାରଣା । ସେମାନଙ୍କୁ ତାଙ୍କ ପରିବାର ସୁଦ୍ଧା ଗ୍ରହଣ କରନ୍ତି ନାହିଁ । ଗାନ୍ଧିଜୀ ଏ ମନୋଭାବର ତୀବ୍ର ବିରୋଧୀ ଥିଲେ । ଅତ୍ୟାଚାରିତା ସ୍ତ୍ରୀଲୋକକୁ ଦୁର୍ଘଟଣା ବା ଦଙ୍ଗାରେ ଆହତ ଲୋକ ପରି ହିଁ ଦେଖିବା ଉଚିତ ବୋଲି ତାଙ୍କର ଦୃଢ଼ ମତ ଥିଲା ।

 

ପୁଅଝିଅଙ୍କ ଭିତରେ ପ୍ରେମର ମହତ୍ତ୍ୱକୁ ସେ ବୁଝୁଥିଲେ । ତାଙ୍କର ଜଣେ ବିଶିଷ୍ଟ ସାଥୀଙ୍କର ପୁଅ ଜଣେ ଝିଅକୁ ଭଲ ପାଉଥିଲେ । ଝିଅଟି ଉଚ୍ଚଶିକ୍ଷିତା ଥିଲା । ପୁଅର ଶିକ୍ଷା ଆଶ୍ରମରେ ଯେତିକି ହେବାର ହେଇଥିଲା । ଏହି ପରିପ୍ରେକ୍ଷୀରେ ସେ ଯୁବକଙ୍କର ଇଚ୍ଛା ହେଲା ଯେ ସେ ଅଧିକ ପାଠ ପଢ଼ି ନିଜକୁ ସେ ଝିଅର ଯୋଗ୍ୟ କରିବେ । ତାଙ୍କର ବାପା ନୀତିଦୃଷ୍ଟିରୁ ତାଙ୍କୁ ସରକାରୀ ଶିକ୍ଷାଳୟରେ ପଢ଼ାଇବା ବିରୋଧରେ ଥିଲେ; ମାତ୍ର ଗାନ୍ଧୀଜୀ ତାଙ୍କୁ ଇଞ୍ଜିନିୟରିଂ ପଢ଼ାଇବା ବିରୋଧରେ ଥିଲେ; ମାତ୍ର ଗାନ୍ଧୀଜୀ ତାଙ୍କୁ ଇଞ୍ଜିନିୟରିଂ ପଢ଼ିବାର ସବୁପ୍ରକାରର ସୁବିଧା କରିଦେଇଥିଲେ ।

 

ଅଧ୍ୟାପକ ନିର୍ମଳକୁମାର ବସୁ ତାଙ୍କର ‘ଗାନ୍ଧୀଚରିତ’ ବହିରେ ଗୋଟିଏ ଚିତ୍ତାକର୍ଷକ ଘଟଣାର ଉଲ୍ଲେଖ କରିଛନ୍ତି । ନିର୍ମଳ ବାବୁ ଗାନ୍ଧୀଜୀଙ୍କର ସହକାରୀ ଭାବରେ ନୋଆଖାଲୀରେ ଥିଲେ । ଗାନ୍ଧୀଜୀଙ୍କର ଚିଠିପତ୍ର କାରବାରର ଦାୟିତ୍ୱ ତାଙ୍କ ଉପରେ ଥିଲା । ସେ ସବୁ ଚିଠି ପ୍ରଥମେ ଖୋଲୁଥିଲେ ଓ ସେଥିରୁ ଯେଉଁଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ସେସବୁ ଗାନ୍ଧୀଜୀଙ୍କୁ ପଢ଼ିବା ପାଇଁ ଓ ନିଜେ ଜବାବ ଲେଖିବାପାଇଁ ଦେଉଥିଲେ । କେତେକ ଚିଠିର ସାରାଂଶ ଶୁଣେଇ ଦେଉଥିଲେ ଓ ଗାନ୍ଧୀଜୀଙ୍କର ସୂଚନାମତେ ଜବାବ ଲେଖିଦେଉଥିଲେ । ଆଉ କେତେକର ଜବାବ ନିଜେ ଦେଉଥିଲେ ଓ କେତେକ ଅଳିଆ ଟୋକେଇରେ ଫିଙ୍ଗିଦେଉଥିଲେ ।

 

ଥରେ ଜଣେ ଯୁବକର ଚିଠି ଆସିଲା ଯେ ସେ ଗୋଟିଏ ଝିଅକୁ ଭଲପାଏ; କିନ୍ତୁ ତା’ର ବାପ ମା’ ଏହା ପସନ୍ଦ କରନ୍ତି ନାହିଁ ଓ ଉଭୟଙ୍କର ବିବାହରେ ରାଜି ନୁହନ୍ତି । ବାପ ମା’ଙ୍କ ଉପରେ ସେ ନିର୍ଭରଶୀଳ । ଏ ଅବସ୍ଥାରେ ସେ କ’ଣ କରିବ ବୋଲି ଗାନ୍ଧୀଜୀଙ୍କର ପରାମର୍ଶ ମାଗିଥାଏ । ନିର୍ମଳ ବାବୁ ବିଚାରଲେ ଯେ ଗାନ୍ଧୀଜୀ ତ ଦେଶର ସମସ୍ୟାରେ ଆକଣ୍ଠ ବୁଡ଼ିରହିଛନ୍ତି, ତାଙ୍କର ଆଉ ବେଳ ଆସୁଛି ଏସବୁ ପିଲାଳିଆ କଥାରେ ମୁଣ୍ଡ ପୂରାଇବାକୁ । ସେ ଏ ଚିଠି ଫିଙ୍ଗିଦେବାକୁ ଯାଉଥିଲେ; ତେବେ ସେପରି କରିବା ପୂର୍ବରୁ କେବଳ ଆମୋଦ ପାଇଁ ଗାନ୍ଧୀଜୀଙ୍କୁ ଏ ଚିଠିର ମର୍ମ ଶୁଣାଇଦେଲେ ।

 

ଗାନ୍ଧୀଜୀ ଗମ୍ଭୀର ଭାବରେ ଚିଠିଟି ତାଙ୍କଠୁଁ ମାଗିନେଲେ ନିଜେ ଜବାବ ଲେଖିବେ ବୋଲି । ନିର୍ମଳବାବୁ ବିସ୍ମିତ ହେଇ ପଚାରିଲେ ଯେ ଆପଣଙ୍କର କାମର ଭିଡ଼ି ଏତେ ବେଶୀ; ସେଥିରେ ଏଭଳି ବାଜେ ଚିଠିର ଜବାବ ପାଇଁ କାହିଁକି ସମୟ ଦେଉଛନ୍ତି ? ସେ ଜବାବ ଦେଲେ ଯେ ପିଲାଟି କେତେ ମନସ୍ତାପରେ ଅଛି ବୋଲି ମୋତେ ଏଭଳି ଚିଠି ଲେଖିଛି, ତାହା ଜାଣିପାରୁନାହିଁ ? ତାକୁ ସାହାଯ୍ୟ କରିବା ଚାହି । ତାକୁ ଗାନ୍ଧୀଜୀ ନିଜ ହାତରେ ଜବାବ ଲେଖିଲେ ଯେ ତେମେ କୌଣସି ଧନ୍ଦା କରି ଆତ୍ମନିର୍ଭରଶୀଳ ଓ ବାପ-ମା’ଙ୍କଠାରୁ ସ୍ୱାଧୀନ ହେଇଯାଅ । ତାହା ହେଲେ ତେମେ ନିଜ ଇଚ୍ଛା ମୁତାବକ ସେ ଝିଅକୁ ବାହା ହେଇପାରିବ ।

 

ଉପରୋକ୍ତ ଉଦାହରଣଗୁଡ଼ିକରୁ ସ୍ପଷ୍ଟ ଜଣାଯିବ ଯେ ଯୌନନୈତିକତା ଓ ସ୍ତ୍ରୀପୁରୁଷଙ୍କର ପରସ୍ପର ସମ୍ବନ୍ଧ ବିଷୟରେ ଗାନ୍ଧୀଙ୍କର ଦୃଷ୍ଟିକୋଣ ଏ ବିଷୟରେ ପ୍ରଚଳିତ ଗତାନୁଗତିକ ଦୃଷ୍ଟିକୋଣଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ଏ ସବୁଥିରୁ ଦେଖାଯିବ ଯେ ରବୀନ୍ଦ୍ରନାଥଙ୍କ ପରି ଗାନ୍ଧୀଜୀ ମଧ୍ୟ ମଣିଷକୁ ଆଖି ଆଗରେ ରଖି ନୈତିକତାର ଏଭଳି ମାପକାଠି ଖୋଜିବାରେ ଲାଗିଥିଲେ, ଯାହା ବ୍ୟକ୍ତିର ଆଚରଣରେ ସଂଯମ ଆଣିବ ଅଥଚ ତା’ର ବ୍ୟକ୍ତିତ୍ୱକୁ କୁଣ୍ଠିତ ଓ ଖଣ୍ଡ ଖଣ୍ଡ କରିବ ନାହିଁ । ଏଇ ଅନ୍ୱେଷଣ ହିଁ ଏ ଯୁଗର ସର୍ବପ୍ରଧାନ ଦାୟିତ୍ୱ ।

Image

 

Unknown

କାମରୁ କ୍ରୋଧ ଉପୁଜଇ

 

ଧ୍ୟାୟତୋ ବିଷୟାନ୍‌ ପୃଂସଃ ସଙ୍ଗସ୍ତେଷୁପଜାୟତେ

ସଙ୍ଗାତ୍‌ ସଂଜାୟତେ କାମଃ କାମାତ୍‌ କ୍ରୋଧୋଽଭିଜାୟତେ ।

କ୍ରୋଧାତ୍‌ ଭବତି ସମ୍ମୋହଃ ସମ୍ମୋହାତ୍‌ ସ୍ମୃତିବିଭ୍ରମଃ

ସ୍ମୃତିଭ୍ରଂଶାତ୍‌ ବୁଦ୍ଧିନାଶୋ ବୁଦ୍ଧିନାଶାତ୍‌ ପ୍ରଣଶ୍ୟତି ।

 

ଗୀତାର ଦ୍ୱିତୀୟ ଅଧ୍ୟାୟରେ କାମ-କ୍ରୋଧର ଭୟାବହ ପରିଣତି ଉପରୋକ୍ତମତେ ବର୍ଣ୍ଣନା କରାହେଇଛି । ବିଷୟ-ଚିନ୍ତା କଲେ ସେଥିରୁ ଆସକ୍ତି ଉପୁଜିବ; ଆସକ୍ତିରୁ କାମ, କାମରୁ କ୍ରୋଧ, କ୍ରୋଧରୁ ସ୍ମୃତିଭ୍ରଂଶ, ସ୍ମୃତିଭ୍ରଂଶରୁ ବୁଦ୍ଧିନାଶ ଓ ବୁଦ୍ଧିନାଶ ଘଟିଲେ ତା’ପରେ ଯମ ଘୋଷାରିବାକୁ ଆଉ କେତେ ଡେରି ?

 

କ୍ରୋଧ କେବଳ କାମରୁ ଉପୁଜେ ନାହିଁ; ଆହୁରି ଅନେକ ସ୍ଥଳରୁ ଉପୁଜେ । ଗହମ ପଡ଼ି ପାଇଁ ଧାଡ଼ିରେ ଛିଡ଼ାହେଇଥିବା ବେଳେ ଜଣେ ଧାଡ଼ି ଡେଇଁ ଆଗକୁ ଧସେଇ ପଶିବା ଚେଷ୍ଟା କଲେ, ବସ୍‌ କଣ୍ଡକ୍ଟର ପଛରେ ଆସିଥିବା ଯାତ୍ରୀକୁ ଅଣ୍ଟାଗୁଞ୍ଜା ବଦଳରେ ଟିକଟ ଦେଇ ଆଉ ଜାଗା ନାହିଁ ବୋଲି ଘୋଷଣା କଲେ, ହାସପାତାଳରେ ଜନ୍ମ ହେଇଥିବା ପୁଅ ଟେବୁଲ ଉପରୁ ପାଣି ବାଲ୍‌ତିକୁ ଗଳିପଡ଼ି ପ୍ରାଣ ହରାଇଲେ–ଏମିତି ଅସଂଖ୍ୟ ଘଟଣାରେ ମଣିଷର ମିଞ୍ଜାସ ଗରମ ହେଇଯାଏ । ତେବେ କ’ଣ କରାଯିବ ? ରେଶନ୍‌ ଦୋକାନ କ୍ୟୁରେ ଛିଡ଼ାହେବ ନାହିଁ ? ରେଳ ବସ୍‌ରେ ଯିବାଆସିବା କରିବ ନାହିଁ, ନା ହାସପାତାଳ ସଙ୍ଗରେ ସମ୍ପର୍କ ରଖିବ ନାହିଁ ? ନା ଏସବୁ ଝାମେଲାରୁ ମୁକ୍ତ ହେବା ପାଇଁ ବ୍ରହ୍ମଚର୍ଯ୍ୟ ସାଧନା କରିବ ?

 

‘ଶାନ୍ତି’ ପାଇବା ପାଇଁ ସଂସାରବନ୍ଧନରୁ ମୁକ୍ତ ହେଇଯିବାର ସାଧନା ଏ ଦେଶରେ ଶହ ଶହ ବର୍ଷ ଚାଲିଛି । ତାହା ଦ୍ୱାରା ବନ୍ଧନ ତ କିଛି ଊଣା ହେଇନାହିଁ; ଯନ୍ତ୍ରଣା ବଢ଼ିଚାଲିଛି । ତେଣୁ କାମ କ୍ରୋଧଙ୍କ ସାଙ୍ଗରେ ଘର କରି କେମିତି ବଞ୍ଚିବାକୁ ହେବ ତାର ପନ୍ଥା ଖୋଜିବା ଚାହି ।

 

ଅନ୍ୟ ସବୁ ସହଜାତ ପ୍ରବୃତ୍ତି ପରି କ୍ରୋଧ ମଧ୍ୟ ପ୍ରାଣୀର ବଞ୍ଚିରହିବାରେ ସାହାଯ୍ୟ କରିବା ପାଇଁ ପ୍ରାଣୀଠାରେ ବିକଶିତ ହେଇଛି । କୌଣସି ବାଧାବିପଦର ସମ୍ମୁଖୀନ ହେଲେ ସେ ବିପଦ ସହିତ ଲଢ଼ିବାର ମନୋଭାବ ସହିତ କ୍ରୋଧ ମଧ୍ୟ ଜାଗରିତ ହୁଏ । କ୍ରୋଧ ଏକ ଦିଗରେ ଲଢ଼ୁଆ ମନୋଭାବ ତେଜାଏ ଓ ଅନ୍ୟ ଦିଗରେ ଦେହକୁ ବି ଲଢ଼େଇ ପାଇଁ ପ୍ରସ୍ତୁତ କରେ । ହୃତ୍‌ଯନ୍ତ୍ର ଦ୍ରୁତ କାମ କରି ରକ୍ତ ସଞ୍ଚାଳନ ବଢ଼େଇଦିଏ । ମାଂସପେଶୀମାନଙ୍କୁ ରକ୍ତ ଯୋଗାଣ ବଢ଼େଇବା ପାଇଁ ପାକସ୍ଥଳୀ ଆଦିକୁ ରକ୍ତଯୋଗାଣ ଊଣା କରିଦିଆଯାଏ । ମାଂସପେଶୀମାନଙ୍କର ଦୃଢ଼ତ୍ୱ ମଧ୍ୟ ବଢ଼ିଯାଏ ଏମିତି ସବୁ ନାନା ମାନସିକ ଓ ଶାରୀରିକ ପରିବର୍ତ୍ତନ କ୍ରୁଦ୍ଧ ଅବସ୍ଥାରେ ଘଟେ ।

 

ଦେଖାଯିବ ଯେ ଏସବୁ ଶାରୀରିକ ପ୍ରସ୍ତୁତିର ଉପଯୋଗିତା ମଣିଷ ଜଙ୍ଗଲରେ ରହୁଥିବାବେଳେ ଯଥେଷ୍ଟ ଥିଲା । ମାତ୍ର ସଭ୍ୟ ସମାଜରେ ତାର ଉପଯୋଗିତା ଊଣା ହେଇ ଚାଲିଛି-। ଠିକ୍‌ ସମୟରେ ଟ୍ରେନ୍‌ ନ ଆସିଲେ ଆମର ପାରା ଗରମ ହେଇଗଲେ ଓ ତାହାଦ୍ୱାରା ମାଂସପେଶୀ ସବୁରେ ରକ୍ତସଞ୍ଚାଳନ ବଢ଼ିଗଲେ ଟ୍ରେନ୍‌କୁ ତ୍ୱରାନ୍ୱିତ କରିବାରେ କିଛି ସାହାଯ୍ୟ ହୁଏ ନାହିଁ । ଅବଶ୍ୟ ସେପରି ଉଦ୍ୟମ ବି କରାଯାଇଛି ଓ ଷ୍ଟେସନ କର୍ମଚାରୀମାନଙ୍କୁ ମାଡ଼ଦେଇ ଓ ଜିନିଷପତ୍ର ଭାଙ୍ଗି ଟ୍ରେନ୍‌ ବିଳମ୍ବ ହେବା ସମସ୍ୟାର ସମାଧାନ ଚେଷ୍ଟା ହେଇଛି; ମାତ୍ର ସେଥିରୁ ସ୍ଥାୟୀ ସୁଫଳ ବାହାରିବାର ଦେଖାଯାଇନାହିଁ ।

 

କିନ୍ତୁ ତା’ ବୋଲି କ୍ରୋଧକୁ ସମ୍ପୂର୍ଣ୍ଣ ବେକାର କହି ଉଡ଼େଇଦେଲେ ଚଳିବ ନାହିଁ । ମଣିଷର କୌଣସି ଇଚ୍ଛା ପୂରଣ ନ ହେଲେ ତାର କ୍ରୋଧ ହୁଏ । କୌଣସି କାମ କରିବାକୁ ଯାଇ ସେଥିରେ ବାଧା ପାଇଲେ, ନିଷ୍ଫଳ ହେଲେ, ତାକୁ ରାଗ ମାଡ଼େ । କ୍ରୋଧ ସାଙ୍ଗରେ ବା ପଛରେ ଗୋଟାଏ ଲଢ଼େଇ କରିବାର ଭାବନା ଥାଏ–ଯାହା ହେଉ ପଛକେ ବାଧା ବିରୋଧକୁ ମାଡ଼ିମକଚି ହଟେଇ ଦେବାର ପ୍ରେରଣା । କ୍ରୋଧ ଜନ୍ମିଲେ ଯେଉଁ ସବୁ ମାନସିକ ଓ ଶାରୀରିକ ପ୍ରକ୍ରିୟା ଚାଲୁହୁଏ, ସେ ସବୁର ଉଦ୍ଦେଶ୍ୟ ତ ଏଇ ଲଢ଼ୁଆ ମନୋବୃତ୍ତିକୁ ସାହାଯ୍ୟ କରିବା । ଦେଖିବାକୁ ଗଲେ, ରାଗିଥିବା ମଣିଷ ଭିତରେ ଏଇ ଲଢ଼ୁଆ ମନୋବୃତ୍ତିଟା ହିଁ ଅସଲ ଭାବ; ବାକି କ୍ରୋଧର ଆବେଶଟା ତା’ର ଆନୁଷଙ୍ଗିକ ମାତ୍ର । ଏ ଲଢ଼ୁଆ ଭାବଟା ଭାରୀ ମୂଲ୍ୟବାନ୍‌ ଜିନିଷ । ଏହା ନ ଥିଲେ ଜୀବସୃଷ୍ଟି ତିଷ୍ଠି ରହି ନଥାନ୍ତା କି ମଣିଷର ଯେତେ ସଭ୍ୟତା, ସଂସ୍କୃତି, ତା’ର ଯେତେ ଆଧ୍ୟାତ୍ମିକ ସମ୍ପଦ ସେସବୁ କିଛି ସୃଷ୍ଟି ହେଇପାରି ନ ଥାନ୍ତା ।

 

ଏ ଲଢ଼ୁଆ ମନୋଭାବ ମଣିଷର ଜନ୍ମଜାତ ଓ ସବୁଠାରୁ ଟାଣୁଆ ପ୍ରବୃତ୍ତି । ଏହା ଯୋଗରୁ ବରାବର ସଂଘର୍ଷ, ହାଣକାଟ ଯୁଦ୍ଧ ଲାଗିଛି ବୋଲି ଫ୍ରଏଡ୍‍ ମଣିଷଜାତିର ଭବିଷ୍ୟତ ବିଷୟରେ ବହୁତ ନିରାଶ ହେଇଥିଲେ; କାରଣ ସେଇ ତ ପ୍ରଥମେ ନାନା ଜଟିଳ ବୈଜ୍ଞାନିକ ନିରୀକ୍ଷା ଓ ଗବେଷଣା ମାଧ୍ୟମରେ ମଣିଷ ଭିତରେ ଏ ପ୍ରବୃତ୍ତିର ପ୍ରଚଣ୍ଡତାର ଯଥେଷ୍ଟ ସାକ୍ଷ୍ୟ ପ୍ରମାଣ ପାଇଥିଲେ । କିନ୍ତୁ ତା’ପରେ ଏକଥା ସ୍ପଷ୍ଟ ହେଲାଣି ଯେ ଏ ପ୍ରବୃତ୍ତିର ଅଭିବ୍ୟକ୍ତି ଶାନ୍ତିପୂର୍ଣ୍ଣ ଭାବରେ ବି ହେଇପାରେ ଓ ଅଧିକାଂଶତଃ ସେହିଭାବରେ ହୁଏ । ଚାଷୀଭାଇ ଖିଆ ନାହିଁ, ପିଆ ନାହିଁ, ଦିନ ଦିନ ଲାଗି ହଣାମରା କରି ଅନାବାଦୀ ଜମିଖଣ୍ଡ ଉଠିଆ କରିବାରେ ଏଇ ଲଢ଼ୁଆ ମନୋବୃତ୍ତିର ପରିଚୟ ଦିଏ । ରାଉରକେଲା ଇସ୍ପାତ୍‌ ହାସପାତାଲର ଡାକ୍ତର ଧିଲନ୍‌ ୧୯୬୪ ହିନ୍ଦୁ-ମୁସଲମାନ ଦଙ୍ଗାବେଳେ ଛତିଶ ଘଣ୍ଟାକାଳ ଏକାଠାଏ ଛିଡ଼ା ହେଇ ଆହତ ଲୋକମାନଙ୍କ ଉପରେ ଅସ୍ତ୍ରୋପଚାର ଚଳେଇବାବେଳେ ଏଇ ପ୍ରବୃତ୍ତିର ତାଡ଼ନାରେ କାମ କରିଥିଲେ । ଏହାରି ଯୋଗୁଁ ମାଦାମ୍‌ ଓ ପିୟର୍‌ କ୍ୟୁରୀ ବର୍ଷ ବର୍ଷ ଧରି ମହଣ ମହଣ ପଥର ଗୁଣ୍ଡ କରି ତା’ର ରାସାୟନିକ ଗୋଳଘାଣ୍ଟ ଚଳେଇ ଶେଷକୁ ବାହାର କଲେ ଛୁଞ୍ଚିମୁନରେ ମୁନେ ରେଡିୟମ୍‌ । ଇଂଜିନିଅର୍‌ ପାହାଡ଼ କାଟି ରାସ୍ତା ତିଆରି କରି, ନଈ ଉପରେ ବନ୍ଧ ବାନ୍ଧି ହ୍ରଦ ସୃଷ୍ଟି କରି ଏଇ ପ୍ରେରଣା ଚରିତାର୍ଥ କରେ । ଧରମା ତ ଏଇଥିପାଇଁ କୋଣାର୍କ ଦେଉଳର ମୁଣ୍ଡି ନ ମାରି ରହିପାରିଲା ନାହିଁ । ଗାଁ ଇସ୍କୁଲର ଫୁଟବଲ ଦଳ ମ୍ୟାଚ୍‌ ଜିତିବାପାଇଁ ଆପ୍ରାଣ ଉଦ୍ୟମ କରିବା ପଛରେ ଓ ଯୁବକ ସଂଘବାଲା ରାତି ଅନିଦ୍ରା ହେଇ ନାଟକ ରିହର୍ସାଲ କରିବା ପଛରେ ବି ଏଇ ପ୍ରେରଣା ରହିଛି ।

 

ଏରିକ୍‌ ଫ୍ରମ୍‌ ବୋଲି ଜଣେ ବୈଜ୍ଞାନିକ ୟା’ର ବ୍ୟାଖ୍ୟା କରିଛନ୍ତି ଯେ ମଣିଷଛୁଆ ଜନ୍ମହେଲାବେଳୁ ଅନେକ କାଳଯାଏ ତ ସମ୍ପୂର୍ଣ୍ଣ ଅସହାୟ ଥାଏ; ଅନ୍ୟର ବିନା ସାହାଯ୍ୟରେ ତା’ର କୌଣସି କାମ ଚଳିପାରେ ନାହିଁ । ସେଥିପାଇଁ ତା’ ମନରେ ଗୋଟାଏ ପ୍ରେରଣା ଜନ୍ମେ ଏ ସୃଷ୍ଟିକୁ ସାଧ୍ୟ କରିବାର, ନିଜକୁ ବିଜୟୀ ବୋଲି ପ୍ରମାଣ କରିବାର । ସେଇଥିରୁ ମଣିଷର ସବୁ ପରାକ୍ରମର ଉତ୍ପତ୍ତି । ଚାଷୀ, କାରିଗର, ଡାକ୍ତର, ଇଂଜିନିୟର, ଶିଳ୍ପୀ, ବୈଜ୍ଞାନିକ, ଦେଶସେବକ, ବ୍ୟବସାୟୀ, ଶିଳ୍ପପତି, ପ୍ରତ୍ୟେକେ ନିଜ ନିଜ ଢଙ୍ଗରେ ଏ କଥା ସାବ୍ୟସ୍ତ କରନ୍ତି ଯେ ସେ ପରିବେଶ ଉପରେ ବିଜୟୀ ।

 

ଫ୍ରମ୍‌ ପୁଣି କହିଛନ୍ତି ଓ ଏହା ସପକ୍ଷରେ ସେ ଓ ଅନ୍ୟମାନେ ବେଶ୍‌ କିଛି ସାକ୍ଷ୍ୟ ପ୍ରମାଣ ବି ସଂଗ୍ରହ କରିଛନ୍ତି ଯେ ମଣିଷ ଯେମିତି ଗଢ଼ି କରି ନିଜର କୃତିତ୍ୱ ଦେଖାଇବାକୁ ଚାହେଁ, ସେମିତି ତାର ମନ ଭିତରଟା ଉକୁଟିଗଲେ ସେ ଧ୍ୱଂସଦ୍ୱାରା ବି ନିଜର କୃତିତ୍ୱ ଜାହିର କରିପାରେ । ଚେଙ୍ଗିଜ୍‌ ଖାଁ ହଜାର ହଜାର ଲୋକଙ୍କର କଟା ମୁଣ୍ଡର ସ୍ତୂପ ତିଆରି କରି ନିଜର କର୍ତ୍ତୃତ୍ୱ ଓ କୃତିତ୍ୱର ପ୍ରମାଣ ଦେବାକୁ ଚାହିଁଥିଲା । ସେମିତି ଥିଲା ହିଟଲର୍‌, ସେମିତି ନାଦିରଶାହ ଓ ତୈମୁରଲଙ୍ଗ ।

 

ଏ ସୃଜନାତ୍ମକ ପ୍ରବୃତ୍ତି କେମିତି ଧ୍ୱଂସାତ୍ମକରେ ପରିଣତ ହୁଏ, ତାର ଉଦାହରଣ ଆମେ ଘରେ ଘରେ ପାଇବା । ପିଲାଙ୍କର ସହଜ ପରାକ୍ରମ ବୃତ୍ତିକୁ, ଅନୁସନ୍ଧିତ୍ସାକୁ ଆମେ ପଦେ ପଦେ ବାଧା ଦେଉ । ଘରର ଶାନ୍ତି ଶୃଙ୍ଖଳା ପ୍ରତି ଅସୁବିଧାଜନକ ମନେକରୁ । ଆମେ ଚାହୁଁ ସେମାନେ ଚୁପ୍‌ଚାପ ବସନ୍ତୁ, ଦୌଡ଼ାଦୌଡ଼ି ନ କରନ୍ତୁ, ଡିଆଁ ଡେଇଁ ନ କରନ୍ତୁ । ଆମର ଏ ଚେଷ୍ଟା ଯେଉଁ କ୍ଷେତ୍ରରେ ଭଲ ରକମ ସଫଳ ହୁଏ, ସେଠି ପିଲାଙ୍କ ଭିତରେ ଏମିତି ଭଙ୍ଗାରୁଜା ମନୋଭାବର ଜନ୍ମ ହୁଏ । ଲୁଚେଇ କରି ଅନ୍ୟ ପିଲାଙ୍କୁ ମାରି, ଜିନିଷପତ୍ର ଭାଙ୍ଗି ସେମାନେ ଆନନ୍ଦ ପାଆନ୍ତି । ଆମ ଦେଶର ଛାତ୍ରମାନଙ୍କୁ କୌଣସି ପ୍ରକାରର ସୃଜନାତ୍ମକ କାମ ଶିଖାଯାଏ ନାହିଁ, ସାହସିକ ଉଦ୍ୟମ ପାଇଁ ମଧ୍ୟ ସେମାନେ ସୁସ୍ଥ ସୁଯୋଗ ପାଆନ୍ତି ନାହିଁ; ଫଳରେ ସେମାନେ ଭଙ୍ଗାରୁଜା କାମରୁ ଆନନ୍ଦ ପାନ୍ତି । ପାହାଡ଼ ଚଢ଼ିବା ବା ବଢ଼ିଲା ନଈକୁ ପହଁରି ପାରିହେବାର ସୁଯୋଗ ବା ଶିକ୍ଷା ତ ସେମାନଙ୍କୁ ମିଳେ ନାହିଁ । ବିନା ଟିକଟରେ ରେଲ୍‌ଗାଡ଼ିରେ ଯା’ ଆସ କରି, ଟିଟିଆଇକୁ ଧମକେଇ ଡରେଇ, ସେମାନେ ପରାକ୍ରମର ସ୍ୱାଦ ଉପଭୋଗ କରନ୍ତି ।

 

ତେଣୁ ଆମର ଯୋଉ କଥା ପଡ଼ିଥିଲା–କ୍ରୋଧ ପଛରେ ଥିବା ଲଢ଼ିବାର ମନୋଭାବଟା ହିଁ ହେଲା ଅସଲ କଥା । କୌଣସି ଏକ ପରିସ୍ଥିତିରେ ମୋର କ୍ରୋଧ ଉପୁଜିଲା ତ ସେଠି ଅସଲ ପ୍ରଶ୍ନ ହେଲା ଯେ ଭିତରେ ଥିବା ଲଢ଼ୁଆ ପ୍ରବୃତ୍ତିର ରୂପ ସୁସ୍ଥ ନା ଅସୁସ୍ଥ, ସଂସ୍କୃତ ନା ବିକୃତ ? ଯଦି ତାହା ବିକୃତ, ତେବେ ତାହା କିପରି ସଂସ୍କୃତ ହେବ ଓ କ୍ରୋଧର ଆବେଶ ସହିତ ଯେଉଁ ସ୍ୱୟଂକ୍ରିୟ ଶାରୀରିକ ଓ ମାନସିକ ପ୍ରକ୍ରିୟାର ଅଭିବ୍ୟକ୍ତି ହୁଏ, ସେଗୁଡ଼ାକ ମୋର ବୁଦ୍ଧିକୁ ଆଚ୍ଛନ୍ନ ନ କରି କିପରି ମୋର ବୁଦ୍ଧିର ନିୟନ୍ତ୍ରଣରେ ରହିବେ ?

 

କିନ୍ତୁ ଆମ ଦେଶରେ ସାଧାରଣତଃ ମଣିଷ ଜନ୍ମରୁ ଯେଉଁ ତାଲିମ ପାଏ ସେଥିରେ ତା’କୁ ସମସ୍ୟାର ସମାଧାନ ଦିଗରେ ସାହାଯ୍ୟ କରାଯିବା ପରିବର୍ତ୍ତେ କାହିଁକି ରାଗୁଛ ବୋଲି ଆକଟ କରାଯାଏ । କୁନାକୁ ଭୋକ କଲା; ସେ ବୋଉକୁ କହିଲା । ବୋଉ କାନଦେଲା ନାହିଁ । ଶେଷକୁ ରାଗି କରି ପାଟିକରି କହିଲା । ବୋଉ ଉଠିଆସି ବସେଇଲା ତା’ ପିଠିରେ ଦି’ଟା ଦୁମଦୁମ-‘‘ଏଡ଼ିକି ବକଟେ ଟୋକାର ମିଞ୍ଜାସ ଦେଖ.... ।’’ ଟୁନା ମୁନ୍ନାର କଣ୍ଢେଇ ଛଡ଼େଇନେଲା । ମୁନ୍ନା ରାଗିଯାଇ ଚିତ୍କାର କଲା; ଟୁନାକୁ ଆକ୍ରମଣ କରିବାକୁ ଚେଷ୍ଟା କଲା । ବାପ ପାଟିତୁଣ୍ଡ ଶୁଣି ଆସି ଦୁଇଜଣଯାକଙ୍କୁ ବହେ କଷିଦେଇଗଲେ । କଣ୍ଢେଇର ମାଲିକାନା ଓ ବ୍ୟବହାରର ଯେଉଁ ଜଟିଳ ସାମାଜିକ ସମସ୍ୟା ଉପୁଜିଥିଲା, ତାର ସମାଧାନର କୌଣସି ସାହାଯ୍ୟ କରାହେଲା ନାହିଁ ।

 

ଏହି ପ୍ରକାରର ସବୁ ଶୈଶବରୁ ମିଳୁଥିବା ଅଭିଜ୍ଞତା ଓ ନିଜର ମାନସିକ ରଚନାରେ ଥିବା ବିଶେଷତ୍ୱର ପରସ୍ପର କ୍ରିୟା ପ୍ରତିକ୍ରିୟା ଦ୍ୱାରା ସୃଷ୍ଟିହୁଅନ୍ତି ବିଭିନ୍ନ ପ୍ରକାରର ଚରିତ୍ର–କିଏ ବଦ୍‌ରାଗୀ, କଥା କଥାକେ ଜଳିଉଠେ ତ କିଏ ପିଲାଙ୍କ ପଢ଼ାବହିରେ ବର୍ଣ୍ଣିତ ଆଦର୍ଶ ସୁଶୀଳ ବାଳକ-। କେତେକ ‘ଦୁଷ୍ଟ’ ପିଲା ଥାନ୍ତି, ଯେଉଁମାନଙ୍କର ବୁଦ୍ଧି ମୂଳରୁ ଟିକିଏ ବେଶୀ ଥାଏ ବା ଯାହାଙ୍କ ଉପରେ ଦାବଣ ପ୍ରୟୋଗରେ ତ୍ରୁଟି ରହିଯିବାରୁ ଯେ ନିଜ ଢଙ୍ଗରେ ବଢ଼ିବାର ସୁଯୋଗ ପାନ୍ତି । ଏଇ ‘ଦୁଷ୍ଟ’ ପିଲାମାନେ ହିଁ ବରଂ ପରିସ୍ଥିତିକୁ ଆୟତ୍ତ କରିବାର ନିଜସ୍ୱ ଉପାୟ ଉଦ୍‌ଭାବନ କରନ୍ତି । ‘ଦୁଷ୍ଟ’ ପିଲା ସାଧାରଣତଃ ରାଗିବାର ଦେଖାଯାଏ ନାହିଁ । ସେମାନେ ଅନ୍ୟକୁ ଚିଡ଼େଇବାର, ଅନ୍ୟ ଉପରେ ପ୍ରତିଶୋଧ ନେବାର, ନିଜର ମତଲବ ହାସଲ କରିବାର ନାନା କୌଶଳ ଜାଣିଥାନ୍ତି । ସବୁ ପ୍ରକାରର ଚରିତ୍ର ଭିତରେ ଏଇ ପ୍ରକାରର ‘ଦୁଷ୍ଟ’ ପିଲା ହିଁ ସବୁଠାରୁ ସୁସ୍ଥ-ବାକି ପାଠ୍ୟ ପୁସ୍ତକ ନମୁନା ଅନୁସାରେ ତିଆରି ସୁଶୀଳ ବାଳକ ହିଁ ବୁଦ୍ଧିମାନ୍‌ ଶୁଭଚିନ୍ତକ ପକ୍ଷରେ ସବୁଠାରୁ ଚିନ୍ତାର ବିଷୟ ହେବାର କଥା । ତା’ରିଠାରେ ନାନାପ୍ରକାରର ମାନସିକ ଅସ୍ୱାଭାବିକତା ଦେଖାଦେବାର ସମ୍ଭାବନା ବେଶୀ; କାରଣ ତା’ର ବ୍ୟକ୍ତିତ୍ୱର ଅଭିବ୍ୟକ୍ତି ସବୁଠାରୁ ବେଶୀ ଅବଦମିତ ହେଇଥାଏ । ଅତ୍ୟଧିକ ସୁଶୀଳତା ହିଁ ତ ଆପେ ଗୋଟାଏ ଅସ୍ୱାଭାବିକତା ।

 

ଯେଉଁମାନେ ପିଲାଦିନୁଁ ‘କାମ’ କ୍ରୋଧ’ ଆଦିର ନିନ୍ଦନୀୟତା ବିଷୟରେ ଏହିପରି ତାଲିମ ହେଇଥାନ୍ତି କ୍ରୋଧ ଜନ୍ମିବାର କୌଣସି ପରିସ୍ଥିତିରେ ପଡ଼ିଲେ ସେମାନଙ୍କର ଧ୍ୟାନଟା ପରିସ୍ଥିତି ଆଡ଼ୁ ଫେରି ନିଜର କ୍ରୋଧ ଆଡ଼କୁ ଯାଏ । କ୍ରୋଧ ହେବାଟା ମନ୍ଦ, ମୋର କ୍ରୋଧ ହେଉଛି, ଏହିପରି ଅପରାଧବୋଧରେ ପଡ଼ି ସେମାନଙ୍କର ବୁଦ୍ଧିରେ ଅବରୋଧ ସୃଷ୍ଟିହୁଏ । ଅସଲ ଯେଉଁ ସମସ୍ୟା, ପରିସ୍ଥିତିର ମୁକାବିଲା କରିବା, ତାହା ସେମାନେ ସକ୍ଷମଭାବରେ କରିପାରନ୍ତି ନାହିଁ-। ପୁଣି କ୍ରୋଧ ବାହାରେ ପ୍ରକାଶ କରିବାର ବାଟ ରୁଦ୍ଧ ହେଇଗଲେ ତାହା ନିଜ ଉପରେ ଆସି ପଡ଼େ । ମଣିଷ ରାଗରେ ବାଳ ଛିଣ୍ଡାଏ, ମୁଣ୍ଡ ପିଟେ ଓ ଆତ୍ମହତ୍ୟା ବି କରିବସେ ।

 

ଆଉ ଗୋଟାଏ ପରିଣତି ହୁଏ ଯେ ଆମେ କୌଣସି ପରିସ୍ଥିତିରେ ନ ରାଗିବା ପାଇଁ ମନେ ମନେ ଠିକ୍‌ କରୁ ଓ ସେପରି ଭାବରେ ନିଜକୁ ସଂଯତ କରୁ ମଧ୍ୟ । ଏହାଦ୍ୱାରା ମନ ଭିତରେ ତ ବିରକ୍ତ ଜମା ହେଇ ରହୁଥାଏ । ଗୋଟାଏ ଗୋଟାଏ ସମୟରେ ତାହା ହଠାତ୍‌ ପ୍ରଚଣ୍ଡ ଭାବରେ ଫୁଟି ବାହାରେ ଓ ସମ୍ପୂର୍ଣ୍ଣ ଅଣଆୟତ୍ତ ରୂପ ନିଏ । ମଣିଷ ଯାହା ଇଚ୍ଛା ତାହା କହେ, ମାରଧର କରେ ବା ଭଙ୍ଗାରୁଜା କରେ । କ୍ରୋଧକୁ କେବଳ ଚାପିବା ଚେଷ୍ଟାରେ ମଣିଷ ତାକୁ ଆୟତ୍ତ କରି ଅଣ-କ୍ଷତିକାରକ ରୂପରେ ପ୍ରକାଶ କରିବା ଶିଖିପାରେ ନାହିଁ ।

 

ଆମ ସମସ୍ତଙ୍କଠାରେ ସମୟ ସମୟରେ ବିରକ୍ତି ଓ କ୍ରୋଧ ଦେଖାଯାଏ । କେବେ କୌଣସି ପରିସ୍ଥିତିରେ ରାଗୁ ନ ଥିବା ଓ ତଥାପି ମାନସିକ ସ୍ୱାସ୍ଥ୍ୟ ରକ୍ଷା କରିଥିବା ବ୍ୟକ୍ତି ଭଗବାନ୍‌ ହିଁ ହେଇଥିବେ । କାରଣ ସେ ସର୍ବଶକ୍ତିମାନ୍‌, ପ୍ରତ୍ୟେକ ପରିସ୍ଥିତିର ମୁକାବିଲା କରିବାର ଉପାୟ ତାଙ୍କୁ ଜଣା ଓ ତେଣୁ ନିଷ୍ଫଳତାବୋଧର ଅବକାଶ ତାଙ୍କର ଆଦୌ ନାହିଁ । ବାକି ସମସ୍ତେ ତ ତାଙ୍କ ତଳକୁ । ଗାନ୍ଧୀଜୀଙ୍କର ବି ଦେଶରେ ଚାଲୁଥିବା ଅନ୍ୟାୟ, ଅନୀତି ଓ ଅତ୍ୟାଚାର ଦେଖି ପାରା ଗରମ ହୋଇଯାଉଥିଲା । ସେ କହୁଥିଲେ, “I am bottling up My rage,” ‘‘ମୁଁ ମୋର କ୍ରୋଧକୁ ବୋତଲରେ ବନ୍ଦ କରି ରଖୁଛି ।’’ ସୋଡ଼ା ବେତଲରେ ଗ୍ୟାସ୍ ଦବାହେଇ ରହିବାପରି ତାହା ରହୁଥିବ । ବେଳେବେଳେ ଅଳ୍ପ ଟିକିଏ ଠିପି ଖୋଲିଦେଲେ ଯେଉଁତକ ଭୁସ୍‌କରି ବାହାରୁଥିଲା, ସେତିକିରେ ବ୍ରିଟିଶ ସାମ୍ରାଜ୍ୟ ଦୋହଲିଯାଉଥିଲା ।

 

ଟିକକ ଆଗରୁ ତ ମୁଁ କହିଲି ଯେ କ୍ରୋଧକୁ ଦବେଇରଖିଲେ ତାହା ଧ୍ୱଂସାତ୍ମକ, ଅଣ-ଆୟତ୍ତ ରୂପରେ ହଠାତ୍‌ ଫୁଟିବାହାରେ । ତେବେ ପୁଣି ଗାନ୍ଧୀ ତାଙ୍କର କ୍ରୋଧକୁ ବୋତଲରେ ବନ୍ଦ କରି ରଖି ବ୍ରିଟିଶ ସାମ୍ରାଜ୍ୟକୁ ଦୋହଲଉଥିଲେ କେମିତି ?

 

ଏଇଥିରେ କ୍ରୋଧକୁ ପୋଷାମନେଇବାର କଳା ରହିଛି । ଟିକିଏ ଚିନ୍ତା କଲେ ଦେଖାଯିବ ଯେ କ୍ରୋଧର ଭାବଟାକୁ ଚପେଇବା ଅର୍ଥ ତାହା ସହିତ ଗାନ୍ଧୀଜୀ ଲଢ଼ୁଆ ବୃତ୍ତିଟାକୁ ଚପଉ ନ ଥିଲେ । ସେ ତାକୁ ଛଞ୍ଚିରଖି ଶାଣିତ କରୁଥିଲେ । ଛଞ୍ଚିରଖିବା ଓ ଚପେଇବା ଅଲଗା ଅଲଗା କଥା । ମାନସିକ ଭାବକୁ ଚପେଇବା ବା ଦବେଇବା ଅର୍ଥ ତାକୁ ଖରାପ ଭାବି ତାକୁ ଅଛୁଆଁ କରିଦେବାର ଚେଷ୍ଟା କରିବା । ଛଞ୍ଚିବା ଅର୍ଥ ଭବିଷ୍ୟତ ବ୍ୟବହାରପାଇଁ ସାଇତି ରଖିବା; ତାକୁ ବୁଦ୍ଧିଦ୍ୱାରା ଆୟତ୍ତକରି ଅଧିକ ଫଳପ୍ରଦ ରୂପ ଦେବା । ଆମେ କ୍ରୋଧରୁ ମୁକ୍ତ ହେବା ଚେଷ୍ଟାରେ ଲଢ଼ୁଆ ବୃତ୍ତିଟାକୁ ହିଁ ଚପେଇଦେଉଁ । ଯେଉଁ ସମସ୍ୟାରୁ କ୍ରୋଧ ଉପୁଜେ ସେ ସମସ୍ୟା ପ୍ରତି ଉଦାସୀନ ରହିବା ଚେଷ୍ଟା କରୁ । ତା’ର ମୁକାବିଲାର ଫଳପ୍ରଦ ଉପାୟ ଚିନ୍ତା କରୁନାହିଁ; କାରଣ ସେ ବିଷୟରେ ଭାବିବସିଲେ ରାଗ ମାଡ଼ିବ ଓ ତା’ ସାଙ୍ଗେ ସାଙ୍ଗେ ଅପରାଧବୋଧ ଜାଗି ନିଜ ବିଷୟରେ ଗ୍ଲାନି ସୃଷ୍ଟି କରିବ ।

 

ଏ ବୋତଲବନ୍ଦୀର ଆଉ ଗୋଟାଏ ଦିଗ ଅଛି । ମଣିଷର କୌଣସି ଭାବର ଆବେଶ ଘଟିଲେ ତାହାର ଦେହ ଓ ମନର ଭାରସାମ୍ୟ ବଦଳିଯାଏ । ମନରେ ଏକ ଟେନ୍‌ସନ୍‌–ଟାଙ୍କେଣି–ଉତ୍ପନ୍ନ ହୁଏ । ଦେହମନ ଯନ୍ତ୍ରର ଏକ ସ୍ୱୟଂକ୍ରିୟା ପ୍ରକ୍ରିୟା ରହିଛି ଯାହା ସବୁବେଳେ ସବୁ ପ୍ରକାରର ଟାଙ୍କେଣିକୁ ଦୂର କରି ଦେହ ଓ ମନକୁ ପୁଣି ଭାରସାମ୍ୟର ଅବସ୍ଥାକୁ ଫେରେଇ ଆଣିବାକୁ ଚାହେଁ । ସେଥିପାଇଁ ଆମ ମନରେ ଦୁଃଖ, କ୍ରୋଧ ବା ଦୟାଭାବ ଆସିଲେ ଆମେ ତୁରନ୍ତ କିଛି ଗୋଟାଏ କରିଦେଇ ସେ ଭାବରୁ ମୁକ୍ତ ହେବାକୁ ଚାହୁଁ । ଭିକାରୀକୁ ଦେଖି ଦୟା ହେଲେ ପଇସାଟିଏ ପକେଇ ଦେଇ ଖଲାସ ହେଇଯାଉ; ରାଗିଗଲେ ଦି’ପଦ ଗାଳିମନ୍ଦ କରିଦେଇ ଉଶ୍ୱାସ ହେଇଯାଉ ।

 

ମାତ୍ର ଦେଖାଯାଉଛି ଯେ ଏ ଭାବରେ ଶୀଘ୍ର ଉଶ୍ୱାସ ନ ହେଇଯାଇ ମଣିଷ ତା’ ମନରେ ଉଠୁଥିବା ଭାବଟକୁ ଦୀର୍ଘକାଳଯାଏ ସାଇତି ରଖିପାରିଲେ ହିଁ ଯାଇ ସେ କିଛି ନୂଆ ସୃଷ୍ଟି କରିପାରେ । ତା’ର ଲଢ଼ୁଆ ଭାବ, ବେଦନା ବା ଦୟା ମନରେ ଖେଳ ବୁଲି ତା’କୁ ସେ ସମସ୍ୟା ବା ଦ୍ୱନ୍ଦ୍ୱର ସମାଧାନର ନୂଆ ବାଟ ବାହାର କରିବା ପାଇଁ ପ୍ରେରଣା ଦିଏ । ଭିକାରୀକୁ ପଇସାଟିଏ ଦେଇ ଯେ ଖଲାସ ହେଇଗଲା ସେ ପ୍ରତିଦିନ ସେମିତି ପଇସାଟିଏ ଲେଖା ଦେଉଥିବ ଓ ଭିକାରୀସଂଖ୍ୟା ବି ଦିନୁଦିନ ବଢ଼ିଚାଲିଥିବ । ଆଉ ଜଣେ ସେ ବିଷୟରେ ଟିକିଏ ଭାବିଚିନ୍ତି ଭିକାରୀଙ୍କୁ କାମ ଯୋଗାଇବାର ଏକ ଯୋଜନା ଗଢ଼ିଲେ । ଗୌତମ ଏ ଦୁଃଖର ମୂଳ କାରଣ ଖୋଜିବା ପାଇଁ ଘରଦ୍ୱାର ଛାଡ଼ି ବାହାରିଗଲେ ।

 

ଆଲବେର୍ କାମୁ କହିଛନ୍ତି ଯେ Anguish–ବେଦନାର ପ୍ରାବଲ୍ୟ ହିଁ ସାହିତ୍ୟିକକୁ ସୃଷ୍ଟିର ପ୍ରେରଣା ଦିଏ; ତାହାରି ଭିତରୁ ନୂଆ ସର୍ଜନା ବାହାରେ । ମନରେ ଯେଉଁ ସବୁ ଭାବ ଉଠୁଛି ତାକୁ ଅଚେତନ ଭିତରକୁ ଠେଲିଦେଲେ ବା ଯେକୌଣସି ଗୋଟାଏ କିଛି କରିଦେଇ ମନରୁ ପୋଛିଦେଲେ ନୂଆ ସୃଷ୍ଟି ସମ୍ଭବ ହୁଏ ନାହିଁ ।

 

ଗାନ୍ଧୀଙ୍କର ବୋତଲବନ୍ଦୀର ଅର୍ଥ ଏୟା । କ୍ରୋଧର ଅନୁଭୂତିକୁ ମନରୁ ପୋଛିଦେବ ନାହିଁ, ଅଚେତନ ଭିତରକୁ ଠେଲିଦେବ ନାହିଁ । ସେ ପରିସ୍ଥିତିକୁ ଜାଣତା ମନ ଭିତରେ ରହିବାକୁ ଦେଇ କଳ୍ପନାଶକ୍ତି, ବୁଦ୍ଧି, ବିବେକକୁ ଖୁଞ୍ଚେଇବାକୁ ଦେବାକୁ ହେବ; ଯାହାଦ୍ୱାରା ସମସ୍ୟା ସମାଧାନର ଫଳପ୍ରଦ ନୂଆ ପନ୍ଥା ବାହାରିପାରିବ । କ୍ରୋଧରେ ଥିବା ଭାବନାତ୍ମକ ଶକ୍ତିଟା ବି ପବନରେ ଉଡ଼ି ନ ଯାଇ ଜମା ହେଇ ରହି ଏକ ପ୍ରଚଣ୍ଡ ମାନସିକ ଶକ୍ତି ସୃଷ୍ଟି କରିବାରେ ସାହାଯ୍ୟ କରିବ । ଭାତହାଣ୍ଡିରୁ ଯେଉଁ ବାମ୍ଫ ବାହାରେ ତାହା ପ୍ରତିମୂହୂର୍ତ୍ତରେ ପବନରେ ମିଳେଇଯାଏ । ମାତ୍ର ରେଳଇଞ୍ଜିନ୍ ଭିତରେ ସେ ବାମ୍ଫ ଆବଦ୍ଧ ରହି ପ୍ରଚଣ୍ଡ ଚାପ ସୃଷ୍ଟି କରେ ଓ ଲମ୍ବ ଲମ୍ବ ମାଲଗାଡ଼ି ଓଟାରିନିଏ ।

 

ଭାବାବେଗର ଟାଙ୍କେଣି ବା ଚାପ ସହିବାର ସୀମା ସମସ୍ତଙ୍କର ସମାନ ନୁହେଁ । ଅବଶ୍ୟ ଏହାକୁ ଧୀରେ ଧୀରେ ଅଭ୍ୟାସଦ୍ୱାରା ବଢ଼ାଯାଇପାରେ । ତେବେ ଯାହାର ଯେଉଁ ଅବସ୍ଥାରେ ଯେତିକି ସୀମା ତା’ଠୁଁ ବେଶୀ ସଂଯମ ଆଚରିବା ଚେଷ୍ଟାର ଫଳ ମନ୍ଦ ହୁଏ । ଇଞ୍ଜିନ୍‌ର ଯେତିକି ଚାପ ସହିବାର ଶକ୍ତି, ତା’ଠୁଁ ବେଶୀ ବାମ୍ଫର ଚାପ ତା’ ଭିତରେ ସୃଷ୍ଟି ହେଲେ ତାହା ଫାଟିବାର ସମ୍ଭାବନା ଥାଏ । ସେଥିପାଇଁ ସେଥିରେ ସେଫ୍‌ଟୀ ଭଲ୍‌ଭ ଲାଗିଥାଏ ଅଧିକା ବାମ୍ଫ ବାହାର କରିଦେବାପାଇଁ ।

 

ଅବଶ୍ୟ ଇଞ୍ଜିନ୍ ସାଙ୍ଗରେ ମଣିଷର ମନର ତୁଳନା ବେଶୀ ଦୂରକୁ ଟାଣିଓଟାରି ନେବା ଅନୁଚିତ । ଇଞ୍ଜିନ୍‌ଠାରୁ ମନର ରଚନା ଢେର୍ ବେଶୀ ଜଟିଳ ଓ ତା’ର କାର୍ଯ୍ୟକଳାପ ମଧ୍ୟ । ମନରେ ଉଠୁଥିବା ଭାବାବେଗକୁ ଚାପିଦେବା ବା ବ୍ୟର୍ଥ କ୍ରିୟାରେ ପ୍ରକାଶ କରିବା ଅପେକ୍ଷା ସ୍ୱୀକାର କରିନେଲେ ତାର ପ୍ରକାଶ ଓ ନିୟନ୍ତ୍ରଣ ଉଭୟ ହାସଲ ହୁଏ ।

 

କେତେ ଲୋକ କହନ୍ତି–‘‘ଏ କଥା ଶୁଣି ମତେ ଭାରି ଚିଡ଼ିମାଡ଼ୁଛି ।’’ ‘‘ମୋର ଏମିତି ରାଗ ହେଉଛି ଯେ କାହାକୁ କ’ଣ କରିଦିଅନ୍ତି... ।’’ ଏପରି କହିପାରିବା ବି କ୍ରୋଧର ନିରୁପଦ୍ରବୀ ଅଭିବ୍ୟକ୍ତିର ଗୋଟାଏ ପାହାଚ । ଏହାର ତିନୋଟି ଦିଗ ରହିଛି । ପ୍ରଥମତଃ ‘‘ମୁଁ କେବେ ରାଗେ ନାହିଁ’’–ଏ ପ୍ରକାରର ଅବାସ୍ତବ ଅଭିନୟର ଚେଷ୍ଟା ଛାଡ଼ିଦେଇ ନିଜେ ପ୍ରକୃତରେ ଯାହା, ତାହା ମାନିନେବା ଦ୍ୱାରା ମଣିଷ ଆଗକୁ ସହଜ ଓ ସୁସ୍ଥଭାବରେ ଆଚରଣ କରିବା ସହଜ ହୁଏ । ଦୁଇରେ ‘‘ମୋର ମୁଣ୍ଡ ବଥଉଛି’’ ବା ‘‘ମତେ ଥଣ୍ଡା ଲାଗୁଛି’’ କହିବାପରି ‘‘ମତେ ଚିଡ଼ିମାଡ଼ୁଛି’’ ବୋଲି କହିବା ଦ୍ୱାରା ମଣିଷ ବିରକ୍ତି ବା କ୍ରୋଧକୁ ନିଜର ‘ମୁଁ–ପଣ’ ଠାରୁ ଅଲଗା କରି ଦେଖେ । ‘‘ମୋତେ ଚିଡ଼ିମାଡ଼ୁଛି’’ କହିବାର ଅର୍ଥ ମୋ ମନକୁ ଗୋଟାଏ ଭାବ ଆଚ୍ଛନ୍ନ କରିଛି ଓ ସେ ବିଷୟରେ ମତେ କିଛି କରିବାକୁ ହେବ । ଏହିପରି ଭାବରେ ନିଜର ଭାବାବେଗଠାରୁ ନିଜକୁ ଅଲଗା କରିପାରିଲେ ସେଇ ଭାବାବେଗକୁ ସେ ନିରୀକ୍ଷଣ ବିଶ୍ଲେଷଣ କରି ଦେଖିପାରେ ଓ ତା’ର ଅନ୍ଧ ପ୍ରବାହର ବଶବର୍ତ୍ତୀ ନ ହେଇ ତାକୁ ନିଜ ଅକ୍ତିଆରରେ ରଖିବାର ବାଟ ବାହାର କରିପାରେ ।

 

ତିନ୍‌ରେ ଏହାଦ୍ୱାରା କ୍ରୋଧଟା ପ୍ରକାଶ ବି କରିଦିଆଯାଏ; ଅଥଚ ତା’ର ବେଗକୁ ସଞ୍ଚିରଖାଯାଏ । ରାଗିଯାଇ ଯଦି ଜଣକୁ କେହି ଚଟକଣାଟାଏ ପକାଏ ବା ପାଞ୍ଚପଦ ଗାଳିଦିଏ, ତେବେ ତା’ର ମନର ଟାଙ୍କେଣି ଉଶ୍ୱାସ ହେଇଯାଏ । ମାତ୍ର ତା’ପରେ ତା’ର ଏକ ମାନସିକ ଅବସାଦ ବି ଆସେ । ମାଡ଼ଗାଳି ଭଙ୍ଗାରୁଜା ବା ସେହିପରି ଅନ୍ୟ ନକାରାତ୍ମକ ଆଚରଣ ଦ୍ୱାରା ଭାବନାତ୍ମକ ଶକ୍ତିର ଅବକ୍ଷୟ ଘଟେ, ବ୍ୟାଟେରୀ ଡସ୍‌ଚାର୍ଜ ହେଇଗଲା ପରି । ଏ ଅବସାଦର କାରଣ ହେଲା ଯେ ମଣିଷ ପରେ ଅନୁଭବ କରେ, ସେ ଯେଉଁ କାମଟା କଲା ସେଇଟା ନିରର୍ଥକ, କ୍ଷତିକାରକ । ତାହା ଦ୍ୱାରା ସମସ୍ୟା ଜଟିଳତର ହେଲା । ମାତ୍ର ମନରେ ବିରକ୍ତି ବା କ୍ରୋଧ ଜନ୍ମିଛି ବୋଲି କହିଦେଲେ ମନ ଉଶ୍ୱାସ ହୁଏ; ଅଥଚ ଭାବନାତ୍ମକ ଅବସାଦ ଓ ଗ୍ଲାନିରୁ ମଣିଷ ମୁକ୍ତ ରହେ-। ବରଂ ତାର ମାନସିକ ବଳ ବଢ଼େ ।

 

ଖ୍ର୍ୟୁଶ୍ଚେଭଙ୍କ ବିଷୟରେ ଶୁଣାଯାଏ ସେ ଖୁବ୍ ରାଗୁଥିଲେ; ମାତ୍ର କେବେ କ୍ରୋଧରେ ଆତ୍ମହରା ହେଉ ନ ଥିଲେ । ନିଜର କ୍ରୋଧ ପୂରା ନିୟନ୍ତ୍ରଣ ରଖିପାରୁଥିଲେ ଓ ତାକୁ ନିଜର ଉଦ୍ଦେଶ୍ୟସାଧନ ପାଇଁ ଫଳପ୍ରଦ ଭାବରେ ବ୍ୟବହାର କରିପାରୁଥିଲେ ।

 

ଏହାର ଓଲଟା ପଣ୍ଡିତ ନେହେରୁ ରାଗିଗଲାବେଳେ ଆତ୍ମହରା ହେଇଯାଉଥିଲେ । ସୁଧୀର ଘୋଷ ତାଙ୍କ ବହି ‘ଗାନ୍ଧିଙ୍କର ଦୂତ’ ରେ ଗୋଟିଏ ଘଟଣାର ବର୍ଣ୍ଣନା କରିଛନ୍ତି । କଂଗ୍ରେସ ୧୯୪୬ରେ କେନ୍ଦ୍ରରେ ସରକାର ଗଢ଼ିଲା । ମୁସଲିମ୍ ଲିଗ୍ ଯୋଗଦେଲା ନାହିଁ । ତା’ ପାଇଁ ବାଟ ଖୋଲା ରଖାଗଲା ଓ କଂଗ୍ରେସ ଲିଗ୍ ସହିତ କଥାବାର୍ତ୍ତା କରି, ତାକୁ ବୁଝେଇ ସୁଝେଇ ସରକାର ଭିତରକୁ ଆଣିବ ବୋଲି ମସୁଧା ହେଇଥିଲା । ଲର୍ଡ ଓ୍ୱାଭେଲ୍ ଲିଗ୍‌କୁ ସରକାର ଭିତରକୁ ଆଣିବାକୁ ଖୁବ୍‌ ବ୍ୟଗ୍ର ଥାନ୍ତି ଓ ପଣ୍ଡିତ ନେହେରୁଙ୍କୁ ବରାବର ସେ ବିଷୟରେ ଅନୁରୋଧ କରୁଥାନ୍ତି । ଲଣ୍ଡନ ସରକାରର ତାଙ୍କ ପ୍ରତି ନିର୍ଦ୍ଦେଶ ଥାଏ ଯେ ପଣ୍ଡିତ ନେହେରୁଙ୍କୁ କାର୍ଯ୍ୟତଃ ପ୍ରଧାନମନ୍ତ୍ରୀ ରୂପେ ଦେଖିବାକୁ ହେବ ଓ ତାଙ୍କର ବିନାନୁମତିରେ ବଡ଼ଲାଟ କିଛି କରିବେ ନାହିଁ । ସେଥିପାଇଁ ଲିଗ୍‌କୁ ଆଣିବା ବିଷୟରେ ଓ୍ୱାଭେଲ୍ ନିଜେ କିଛି ନ କରି ନେହେରୁଙ୍କ ପିଛା ଲାଗିଥାନ୍ତି । ଓ୍ୱାଭେଲ୍‌ଙ୍କ ବାରମ୍ବାର ଉପରୋଧରେ ବିରକ୍ତ ହୋଇ ଦିନେ ନେହେରୁ ତାଙ୍କୁ କହିଲେ, ‘‘ମୁଁ ଜିନ୍ନା ସାଙ୍ଗରେ କଥାବାର୍ତ୍ତା କରିପାରିବି ନାହିଁ । ଆପଣ ଚାହୁଁଛନ୍ତି ଯାଇ ନିଜେ କରୁନାହାନ୍ତି ?’’ ଓ୍ୱାଭେଲ ଏହାକୁ ନେହେରୁଙ୍କ ଅନୁମତି ବୋଲି ଧରିନେଇ ତୁରନ୍ତ ଜିନ୍ନାଙ୍କ ସହିତ କଥାବାର୍ତ୍ତା କଲେ । ଲିଗ୍‌ ସରକାରରେ ଯୋଗଦେଲା ଓ ପଦେ ପଦେ ବିତଣ୍ଡା ସୃଷ୍ଟି କରି ଶାସନକୁ ଅଚଳ କରିଦେଲା ଓ ବିଭାଗ ଆଡ଼କୁ ଦେଶକୁ ଶୀଘ୍ର ଶୀଘ୍ର ନେଇଗଲା ।

 

କ୍ରୋଧ ତ ସାଧାରଣ ମଣିଷର ଜନ୍ମିବ; ମାତ୍ର ତା’ର ପ୍ରକାଶଭଙ୍ଗୀ ଉପରେ ବହୁତ କିଛି ନିର୍ଭର କରେ । ତା’ର ପ୍ରକାଶଭଙ୍ଗୀକୁ ଆୟତ୍ତରେ ଆଣିବା ଦିଗରେ ତେଣୁ ‘‘ମତେ ବିରକ୍ତ ଲାଗୁଛି’’ ବୋଲି କହିପାରିବା ଏକ ଗୁରୁତ୍ୱପୂର୍ଣ୍ଣ ପାହୁଣ୍ଡ । ଗାନ୍ଧୀଜୀ ଯେତେବେଳେ କହିଲେ, ‘‘ମୁଁ ମୋର କ୍ରୋଧକୁ ବୋତଲରେ ଠିପି ବନ୍ଦ କରି ରଖୁଛି,’’ ସେତେବେଳେ ତାହାଦ୍ୱାରା ସେ ସ୍ୱୀକାରୋକ୍ତି, ଅଭିବ୍ୟକ୍ତି ଓ ନିୟନ୍ତ୍ରଣ ଉପରେ ଆଲୋଚିତ ତିନୋଟି ଉଦ୍ଦେଶ୍ୟ ହାସଲ କରିଥିଲେ । ରାଗ ହେବାଟା ଅସ୍ୱାଭାବିକ ନୁହେଁ ବୋଲି ମାନିନେଲେ ତେଣିକି କାହିଁକି ମୋର ରାଗ ହେଲା ବୋଲି ଅପରାଧବୋଧରେ ଘାଣ୍ଟି ନ ହେଇ ସମସ୍ୟାର ସମାଧାନ ବିଷୟରେ ମଣିଷ ଚିନ୍ତା କରିପାରେ ।

 

(୨)

 

ଆମେ ପ୍ରତ୍ୟେକେ ପ୍ରତିଦିନ ଯେଉଁ କାରଣରୁ, ଯେତେ ଥର, ଯେଉଁ ସବୁ ଲୋକମାନଙ୍କ ଉପରେ ରାଗୁ, ତା’ର ତାଲିକା ଯଦି ଦିନାକେତେ କରିବା ତ ନିଜ ନିଜର ସାମାଜିକ ଚରିତ୍ରର ଗୋଟାଏ ଭଲ ଚିତ୍ର ସେଥିରୁ ମିଳିପାରିବ । ହଁ, ତା ସାଙ୍ଗରେ ଯୋଡ଼ିବାକୁ ହେବ ଆମ ଉପରେ ଯେଉଁମାନେ ରାଗନ୍ତି ସେ ସବୁର କାରଣ ସହିତ ତାଲିକା ।

 

ଏଥିରୁ ଖୁବ୍‌ ସମ୍ଭବତଃ ପ୍ରତ୍ୟେକେ ଏହା ଦେଖିପାରିବେ ଯେ ଆମର ରାଗଟା ପ୍ରାୟ ଆମଠୁଁ ସାମାଜିକ ବା କର୍ତ୍ତୃତ୍ୱର ସିଢ଼ିରେ ତଳ ସ୍ତରରେ ଥିବା ଲୋକଙ୍କ ଉପରେ ହିଁ ଫୁଟି ବାହାରେ–ଘରେ ସ୍ତ୍ରୀ, ପିଲାଛୁଆ ଓ ଚାକର ପୂଝାରୀଙ୍କ ଉପରେ । ଅଫିସରେ ଅଧସ୍ତନ କିରାଣୀ, ଚପରାଶୀ ଆଦିଙ୍କ ଉପରେ, ବଜାରହାଟରେ ରିକ୍‌ସାବାଲା, କୁଲିମୂଲିଆଙ୍କ ଉପରେ । ଠିକ୍‌ ସେହିପରି ଆମେ ଯେଉଁମାନଙ୍କର କ୍ରୋଧର ଶରବ୍ୟ ହେଉ, ସେମାନେ ଆମର ସାମାଜିକ ଓ କର୍ତ୍ତୃତ୍ୱର ସିଢ଼ୀରେ ଉପରସ୍ତରର ଲୋକ । ସ୍ତ୍ରୀ ସ୍ୱାମୀର ଅଧସ୍ତନ; ତେଣୁ ସ୍ୱାମୀ ସ୍ତ୍ରୀ ଉପରେ ରାଗ ଝାଡ଼ିବ; କିନ୍ତୁ ସ୍ତ୍ରୀ ତା’କୁ ମୁହଁ ବୁଜି ସହିବ । ଯେଉଁଠି ଏହାର ବ୍ୟତିକ୍ରମ ହୁଏ ସେଇଟା ବିଦ୍ରୂପର ବିଷୟ ହୁଏ । ଲୋକ ଟାପରା କରନ୍ତି :

 

ମାଇଗୁଲିଆ ମାଧୋଇ ସାହୁ

ମାଇପ ହାତରେ କହୁଣୀ ଖାଉ ।

 

କ୍ରୋଧର କାରଣ ଓ ଅଭିବ୍ୟକ୍ତିରୁ ମଧ୍ୟ ଆମେ ନିଜର ସାମାଜିକ ବିଶ୍ୱାସ ଓ ଦର୍ଶନର ପରିଚୟ ପାଇପାରିବୁଁ । ଆପଣଙ୍କ ପାରା କାହିଁକି ଗରମ ହୁଏ ?

 

ରିକ୍‌ସାବାଲା ବେଶୀ ପଇସା ମାଗୁଛି ବୋଲି ମନେହେଲେ କ’ଣ କରନ୍ତି ଆପଣ ? ‘‘ନାଇଁ ବାପା, ଏତେ ପଇସା ନୁହେଁ । ଦେଇପାରିବି ନାହିଁ’’ ବୋଲି କୁହନ୍ତି ନା ତାକୁ ଗାଳିଦେଇ ମାରିବାକୁ ଉଦ୍ୟତ ହୁଅନ୍ତି ? ଆଗରୁ ଭଡ଼ା ଛିଡ଼ାନ୍ତି ନା ନାହିଁ ? ‘‘ଏ ଶଳା ତେଲୁଗୁଗୁଡ଼ା ତାଙ୍କ ଦେଶରେ ଖାଇବାକୁ ପାଉନାହାନ୍ତି ବୋଲି ଏଠିକି ଆସି ଫେର୍ ମୁଣ୍ଡରେ ଚଢ଼ିଲେଣି ।’’ ଏପରି ଭାବ ମନକୁ ଆସେ କି ?

 

ନା, ଅନ୍ୟ ଲୋକ ରିକ୍‌ସାବାଲାକୁ ଅଳ୍ପ ପଇସା ଦେଇ ଗାଳିଗୁଲଜ କରି ତଡ଼ିଦେଲେ ଆପଣଙ୍କର ରାଗ ହୁଏ ?

 

କୌଣସି ନିମନ୍ତ୍ରଣକୁ ଗଲେ ଆପଣଙ୍କୁ ଉଚିତ ମର୍ଯ୍ୟାଦା ଦିଆଯାଉଛି କି ନାହିଁ ସେ ବିଷୟରେ ଆପଣ ଖୁବ୍ ସଚେତନ ଥାନ୍ତି ? ଉଚିତ ଅଭ୍ୟର୍ଥନାରେ ତ୍ରୁଟି ହେଲେ ମନ ବିଗିଡ଼ିଯାଏ-?

 

ନା, ବାହାଘରେ ବରଯାତ୍ରୀମାନେ ଯାଇ ଦାମ୍ଭିକତା ଓ ଉଚ୍ଛୃଙ୍ଖଳତା ଦେଖେଇଲେ ଆପଣଙ୍କୁ ଅସହ୍ୟ ବୋଧହୁଏ ?

 

ଆପଣଙ୍କର ସାନପିଲାମାନେ ପାଟିତୁଣ୍ଡ କରି ଦୌଡ଼ାଦୌଡ଼ି କରି ଖେଳିଲେ ଆପଣ ବିରକ୍ତ ହୁଅନ୍ତି ? ବିରକ୍ତ ହେଲେ କ’ଣ କରନ୍ତି ? ଗୋଳମାଳ କରନା ବୋଲି ଧୀରେ କୁହନ୍ତି ? ଜୋରରେ ପାଟି କରି ଗାଳି ଦିଅନ୍ତି ? ଧରି କାନମୋଡ଼ା, ବିଧା ଆଦି ବିତରଣ କରନ୍ତି ? କାନ ଧରେଇ ଉଠ୍ ବସ୍ କରାନ୍ତି ?

 

ରାସ୍ତାରେ କୌଣସି ସାନପିଲାଙ୍କୁ କେହି ବଡ଼ ମଣିଷ ପିଟୁଥିବାର ଦେଖିଲେ ଆପଣଙ୍କର କ୍ରୋଧ ହୁଏ ? ସେ ଲୋକକୁ ମନା କରିବାକୁ ବା ଗାଳି ଦେବାକୁ ଇଚ୍ଛା ହୁଏ ନା ନାହିଁ-?

 

ରେଳଡ଼ବାରେ ବଙ୍ଗାଳୀ ବା ପଶ୍ଚିମାଯାତ୍ରୀ ବେଶୀ ସଂଖ୍ୟାରେ ଭିଡ଼ କରିଥିଲେ ଆପଣଙ୍କର ପାରା ଚଢ଼ିଯାଏ ଓ ‘‘ଏ ଶଳା ବଙ୍ଗାଳୀ (ବା ପଶ୍ଚିମା) ଗୁଡ଼ାକ ଆସି ଏ ରାଜ୍ୟରେ ସବୁ ମାଡ଼ିବସିଲେ’’ ବୋଲି ଆପଣଙ୍କର ମନେହୁଏ କି ନାହିଁ ଓ ସେମାନଙ୍କୁ ହଇରାଣ ବା ଅପମାନ କରାଯାଇପାରିଲେ ଆପଣ ଖୁସି ହୁଅନ୍ତି କି ନାହିଁ ?

 

ଥରେ ଏକ ରେଳଡ଼ବାରେ ଭିଡ଼ ଭିତରେ ଦୁଇ ତିନି ଜଣ ଲୋକ ବହୁତ ଜାଗା ଦଖଲ କରି ରଖିଥିଲେ । ଆଉ ଜଣେ ଆସି ସେଠି ବସିପଡ଼ିବାରୁ ସେମାନେ ତାକୁ ବାଧାଦେଲେ ଓ ସେ ନ ଉଠିବାରୁ ଟାଣି ଓଟାରି ତା’କୁ ହଟେଇବା ଚେଷ୍ଟା କଲେ । ପାଖଆଖରେ ଥିବା ଅନ୍ୟ ଯାତ୍ରୀମାନେ ନିର୍ବିକାର ଚିତ୍ତରେ ଏ ନାଟକ ଦେଖୁଥାନ୍ତି । କିଛି କ୍ଷଣ ପରେ ଧକ୍‌କାଧକ୍‌କିର ଶିକାର ହେଇଥିବା ବ୍ୟକ୍ତିଜଣକ ଓଡ଼ିଆରେ କଥାବାର୍ତ୍ତା କରିବାରୁ କେତେ ଜଣ ଅନ୍ୟ ଯାତ୍ରୀ ମନ୍ତବ୍ୟ କଲେ–‘‘ଓ, ଆପଣ ଓଡ଼ିଆ ? ଆମେ ବିଚାରିଲୁ ବଙ୍ଗାଳୀମାନେ ତାଙ୍କ ତାଙ୍କ ଭିତରେ ଲାଗିଛନ୍ତି । ଆପଣ ଓଡ଼ିଆ ବୋଲି ଜାଣିଥିଲେ ଆମେ ଛାଡ଼ିଥାନ୍ତୁ ?’’

 

ଅନ୍ୟ ସବୁ ଆଚରଣ ପରି ମଣିଷର କ୍ରୋଧର ଉପଲକ୍ଷ୍ୟ, ଲକ୍ଷ୍ୟ ଓ ପ୍ରକାର ବି ସମାଜର ପ୍ରଚଳିତ ଛାଞ୍ଚରେ ପଡ଼ିଯାଇଥାଏ । ଆଜିର ବୈଷମ୍ୟମୂଳକ ସମାଜରେ ତ ପ୍ରତ୍ୟେକ ସମ୍ବନ୍ଧରେ ବି ସ୍ତ୍ରୀ ଓ ସନ୍ତାନଙ୍କର ପାହ୍ୟା କମ୍‌, ଅଧିକାର କମ୍‌ ବୋଲି ଧରାଯାଏ । ଏ ସମାଜରେ ନିଜର ଜାତି, ଶ୍ରେଣୀ, ପଦମର୍ଯ୍ୟାଦା, କୁଳୀନତା, ଖାନ୍ଦାନ୍‌ ବୁନିୟାଦ୍‌ର ଶ୍ରେଷ୍ଠତ୍ୱ ପଦେ ପଦେ ଜାହିର କରିବା ମଣିଷର ଗୋଟାଏ ପ୍ରଧାନ ଲକ୍ଷ୍ୟ ଥାଏ । ତଳ ପାହ୍ୟାରେ ଥିବା ଜାତି ଶ୍ରେଣୀ ବି ଏ ସ୍ତରବିଭାଗକୁ ମାନିନେଇଥାନ୍ତି ଓ ପ୍ରତ୍ୟେକେ ନିଜ ତଳେ ଥିବା ଜାତି ବା ଶ୍ରେଣୀଠୁଁ ନିଜକୁ ଉଚ୍ଚ ମନେ କରି ଆତ୍ମପ୍ରସାଦ ଲାଭ କରନ୍ତି । ଦୁଇ ଜାତି ବା ଦୁଇ ପରିବାର ଭିତରେ କିଏ କାହାଠୁ ଉଚ୍ଚ, ତାହା ନିର୍ଦ୍ଦିଷ୍ଟ ନ ଥିଲେ ବା ନ ହୋଇପାରିଲେ ସେମାନଙ୍କ ଭିତରେ ବରାବର କଳି ଲାଗିରହିଥାଏ । ସବା ତଳେ ଥିବା ଜାତି ନିଜ ଭିତରେ ଏ ଗାଁବାଲା ସେ ଗାଁବାଲାଙ୍କଠୁଁ ବଡ଼ ବୋଲି ଜାହିର କରିବା ଚେଷ୍ଟା କରନ୍ତି ।

 

ତେଣୁ ଏପରି ସମାଜରେ କ୍ରୋଧ ସାଙ୍ଗରେ ଥିବା ‘‘କରିବାର ପ୍ରେରଣା’’ ର ଅନ୍ୟତମ ଲକ୍ଷ୍ୟ ଅନେକ ସମୟରେ ବା ପ୍ରତ୍ୟେକ କ୍ଷେତ୍ରରେ ହୁଏ ନିଜର ଶ୍ରେଷ୍ଠତା ସାବ୍ୟସ୍ତ କରିବା, ଅନ୍ୟକୁ ଛୋଟ କରି ନିଜକୁ ବଡ଼ ବୋଲି ଦେଖାଇ ହେବା । ବାହାଘର ବରଯାତ୍ରୀ ସା’ନ୍ତ କୁଣିଆମାନଙ୍କ ଭିତରେ ଏହାର ଏକ ତୀବ୍ରତମ ଅଭିବ୍ୟକ୍ତି ଦେଖିବାକୁ ମିଳେ । ସେମାନେ ଏକାବେଳକେ ନାଗଫେଣିଆ କଣ୍ଟା ପରି ହେଇ ରହିଥାନ୍ତି । କଥ-କଥାକେ କଣ୍ଟା ବାଜିଯାଏ, ଗୋଡ଼ଧୁଆ ପାଣି ଦେବାରେ କ’ଣ ତ୍ରୁଟି ହେଲା, ବସିବା ଆସନ ଠିକ୍‌ ହେଲା ନାହିଁ, ମାଛ ପରଷିବାରେ କ’ଣ ପାତର ଅନ୍ତର ହେଇଗଲା–ବାସ୍, ଆଉ ରକ୍ଷା ନାହିଁ ।

 

ସ୍ୱାମୀ ସ୍ତ୍ରୀ କଳି ଲାଗିଲେ ବି କଳିଟା ଯାଇ ସ୍ତ୍ରୀର ବଂଶମର୍ଯ୍ୟାଦା ଉପରେ ଅନେକ ସମୟରେ ପହଞ୍ଚେ । ସ୍ୱାମୀ ସ୍ପଷ୍ଟଭାଷାରେ ବା ପରୋକ୍ଷରେ ଦର୍ଶେଇ ଦିଅନ୍ତି ଯେ ଯେତେ ହେଲେ ଛୋଟଘର ତ–ଦୟା କରି ତାଙ୍କ ବଉଁଶ ସାଙ୍ଗରେ ବନ୍ଧୁଁ ବାନ୍ଧିଛନ୍ତି; ନ ହେଲେ....

 

ପିଲାଛୁଆଙ୍କୁ ଆକଟ କରିବାରେ ବି ସେମାନଙ୍କର ଭୁଲର ସଂଶୋଧନ କରି ଲୋକେ କ୍ଷାନ୍ତ ହୁଅନ୍ତି ନାହିଁ । ନିଜର ମୁରବିପଣିଆର ଶ୍ରେଷ୍ଠତ୍ୱ ଜାହିର କରିବା ପାଇଁ ସେମାନଙ୍କୁ ଅପମାନିତ କରି ଯାଇ ଛାଡ଼ନ୍ତି । କାନ ଧରାଇ ଉଠୁ ବସ୍‌ କରାଇବା, ନାକ ଘଷେଇବା ଆଦି ଏହିପରି ଅପମାନର ପ୍ରକାର । ଅନେକେ ଏସବୁ ବେଶ୍ ଥଣ୍ଡା ମିଞ୍ଜାସରେ କରିଥାନ୍ତି । ରାଗି ଦୁଇ ବିଧା ପକେଇବା ଅପେକ୍ଷା ଏ ପ୍ରକାରର ଉଦ୍ଦେଶ୍ୟମୂଳକ ଅପମାନର ପରିଣତି ବହୁ ଗୁଣରେ ଭୟଙ୍କର ।

 

ନିଜର ଜାତି, ଖାନ୍ଦାନ୍ ବୁନିୟାଦ୍ ଆଦିର ଶ୍ରେଷ୍ଠତ୍ୱ ଜାହିର କରିବା, ଅପରକୁ ଅପମାନିତ କରିବାଟା ସାମନ୍ତବାଦୀ ସମାଜର ପ୍ରଭାବ । ଏ ସମାଜରେ ମଣିଷ ଜନ୍ମରୁ ଜାତି କୁଳ ଅନୁସାରେ ଶ୍ରେଷ୍ଠ ବା ନିକୃଷ୍ଟ ବୋଲି ବିଶ୍ୱାସ କରାଯାଏ । ପୁଞ୍ଜିବାଦୀ ସଭ୍ୟତାରେ ଏପରି ଅପମାନର ଚାହିଦା ଊଣା ଓ ଆର୍ଥିକ କ୍ଷତି କରିବା ବା କ୍ଷତିପୂରଣ ଆଦାୟ କରିବାର ଚାହିଦା ବେଶୀ ହୁଏ । ଜମିଦାରଙ୍କର ତାଙ୍କ କୋଠିଆ ଉପରେ ରାଗ ଯେଉଁ ରୂପରେ ପ୍ରକାଶ ପାଏ ମିଲମାଲିକଙ୍କର ରାଗ ତାଙ୍କର କର୍ମଚାରୀଙ୍କ ଉପରେ ତା’ଠୁଁ ଭିନ୍ନ ରୂପରେ ପ୍ରକାଶ ପାଏ ।

 

ଏ ସାମାଜିକ ପରିବେଶର ଏକ ଆନୁଷଙ୍ଗିକ ଲକ୍ଷଣ ହେଲା ଯେ ଉପରବାଲା ତଳବାଲା ଉପରେ ହିଁ ରାଗେ । ତଳବାଲା ଉପରବାଲାଠୁଁ ଦାବଣ ଖାଇଲେ ତାକୁ ମୁହିଁ ବୁଜି ସହିଯାଇ ତଳବାଲା ଉପରେ ନିଜର ରାଗତକ ଅଜାଡ଼େ । ରାମା କୋଠିଆ ସା’ନ୍ତଙ୍କଠୁଁ ଗାଳିମନ୍ଦ ଖାଇ ଆସି ତା’ ଭାରିଯା ସାରିଆକୁ ମାରେ ନମାରେ-‘‘ଏ ମାଙ୍ଗତାଖିଆ ରାଣ୍ଡର ଝୁଅ, ସବାଖାଈ, ଯୋଗଣୀ ଯୋଗୁଁ ମଣିଷ ଟିକିଏ ଶାନ୍ତିରେ ରହିପାରିଲା ନାହିଁ ।’’ ସାରିଆ ଗେରସ୍ତଠୁଁ ବାହାଣ ଖାଇ ଯାଇ ତା’ ପିଲା ଦୁଇଟାଙ୍କୁ ଧରି କଚେ-‘‘ଏ ନିଆଁଲଗା ମେଞ୍ଚଡ଼ଗୁଡ଼ାକ ମତେ କିଲେଇବିଲେଇ କରି ଖାଇଲେ ।’’

 

ବିଚରା ରାମାର ଉଦାହରଣ ଦେଲି ବୋଲି କଟକ ଭୁବନେଶ୍ୱରର ରାମବାବୁମାନେ ଆତ୍ମପ୍ରସାଦ ଲଭନ୍ତୁ ନାହିଁ । ସେଠି ବି ସେମିତି ହାକିମ–ବଡ଼ ବାବୁ–କିରାଣି–ଚପରାଶି ପରମ୍ପରାରେ ରାଗ ତା’ ତଳକୁ ତଳ ଗଡ଼ିଆସେ ।

 

ଏ ପରିସ୍ଥିତିରେ ମଣିଷର କ୍ରୋଧର ମନ୍ଦ ପରିଣାମର ମୁଖ୍ୟ କାରଣ ହେଲା ସାମାଜିକ ଛାଞ୍ଚରେ ପଡ଼ିଥିବା ତା’ର କ୍ରୋଧର ଉପଲକ୍ଷ୍ୟ, ଶରବ୍ୟ ଓ ପ୍ରକାର । ଏଇ ସବୁକୁ ବଦଳାଇବା ବେଶୀ ଜରୁରୀ । ଗୋପବନ୍ଧୁ ଚୌଧୁରୀ ବେଳେବେଳେ ପ୍ରଚଣ୍ଡ ରାଗିଯାଉଥିଲେ; ମାତ୍ର ତାଙ୍କର ମୂଲ୍ୟବୋଧ ସାଆନ୍ତିଆ ଓ ପୁଞ୍ଜିବାଦୀ ଛାଞ୍ଚରୁ ମୁକ୍ତ ହେଇ ସାରିଥିଲା । ଏକ ନୂଆ ଦୁନିଆର ଛାଞ୍ଚରେ ସେ ସବୁକଥାକୁ ଦେଖୁଥିଲେ । ଏହିପରି ଭାବରେ ସେ ନିଜର ସା’ନ୍ତିଆ ପୃଷ୍ଠଭୂମିରୁ ଆଗେଇ ଆସିପାରିଥିଲେ ।

 

ଭେଦଭାବପୁର୍ଣ୍ଣ ସ୍ଥାଣୁ ସମାଜରେ ମଣିଷର ସମ୍ବେଦନଶୀଳତାକୁ ଦବେଇ ଦିଆହୁଏ । ତା’ର ସୃଜନଶୀଳତା ଆତ୍ମବଡ଼ିମା ଓ ପରପୀଡ଼ନର ବିକୃତ ରୂପ ଧରେ । ଏ ଅବରୋଧ ଓ ବିକୃତିରୁ ମୁକ୍ତ ହେବା ହିଁ ନିଜର ମଣିଷପଣିଆର ବିକାଶ ପାଇଁ ବେଶୀ ଦରକାର । ତା’ହେଲେ ମଣିଷର ଲଢ଼ୁଆ ପ୍ରବୃତ୍ତିଟା ଆମର ପରିବେଶକୁ ଅନ୍ୟାୟ ଓ ଅସୁନ୍ଦରତାରୁ ମୁକ୍ତ କରିବା ଆଡ଼କୁ ଯିବ । ଏଥିପାଇଁ ଆମେ ନିଜ ଘରେ ସ୍ୱାମୀ-ସ୍ତ୍ରୀ, ଅଭିଭାବକ-ସନ୍ତାନ, ଗୃହସ୍ଥ-ଚାକର ଆଦି ସମ୍ପର୍କ ଭିତରୁ କର୍ତ୍ତୃତ୍ୱାଭିମାନର ହାମ୍‌ବଡ଼ା ଭାବଟାକୁ ଦୂର କରିବାକୁ ପ୍ରଥମେ ଚେଷ୍ଟା କରିପାରୁ । ଏ ଚେଷ୍ଟାର ପରିଣାମ ସୁଦୂରପ୍ରସାରୀ ହେବ ।

 

ଅନେକ ପ୍ରକାର ସଭାସମ୍ମିଳନୀରେ ଯୋଗ ଦେଇ ମୁଁ ଲକ୍ଷ୍ୟ କରିଛି ଯେ ସେଥିରେ ବୟସ୍କ ନେତାମାନଙ୍କର ମତାମତର ସାଧାରଣ ରକମର ସମାଲୋଚନା କରିବାକୁ ହେଲେ ଅଳ୍ପବୟସ୍କ କର୍ମୀମାନେ ଊଣା ଅଧିକେ ଉତ୍ତେଜିତ ହୋଇପଡ଼ନ୍ତି । ଏହାର କାରଣ ହେଉଛି ଯେ ଆମ ସମାଜରେ ବଡ଼ଙ୍କ କଥା ଉପରେ କହିବା ଉଚିତ ନୁହେଁ ବୋଲି ପିଲାଦିନୁଁ ଆକଟ କରାଯାଏ-। ଗାଣତାନ୍ତ୍ରିକ ଢଙ୍ଗ ସହିତ ଏଇଟା ଖାପ ଖାଏନାହିଁ । ସଭାସମିତିରେ ସମାନ ସମାନ ଆଲୋଚନାବେଳେ ତେଣୁ ଅଳ୍ପବୟସ୍କମାନେ ଉତ୍ତେଜନାର ବାଷ୍ପ ସୃଷ୍ଟି ନ କଲେ ମନ ଭିତରେ ଥିବା ଏ ଅବରୋଧକୁ ଭାଙ୍ଗିପାରନ୍ତି ନାହିଁ ।

 

ପ୍ରବଳ ସାମନାରେ ଚୁପ ରହିବା ଓ ଦୁର୍ବଳ ରାଗ ମେଣ୍ଟେଇବାର ବୈଷମ୍ୟ ଓ କାପୁରୁଷତାପୂର୍ଣ୍ଣ ପରମ୍ପରାକୁ ଭାଙ୍ଗିବାକୁ ହେଲେ ସାନମାନଙ୍କୁ ମୁହଁ ଖୋଲିବାକୁ, ଜବାବ ଦେବାକୁ ଉତ୍ସାହିତ କରିବାକୁ ହେବ । ମୁଁ ନିଜ ଅଭିଜ୍ଞତାରୁ ଦେଖିଛି ଯେ ମୁଁ ରାଗିଥିବା ବେଳେ ‘ସାନ’ ଲୋକ ଚୁପ୍‌ଚାପ ନ ରହି ଓଲଟା ପ୍ରତିବାଦ କଲେ ଜବାବ ଦେଲେ ମୋର ଉପକାର ହିଁ ହୁଏ । ରାଗଟାକୁ ବାଗରେ ପକେଇବାରେ ସାହାଯ୍ୟ ହୁଏ; ପୂର୍ବ ଅପେକ୍ଷା ଆଜିକାଲି ଘରମାନଙ୍କରେ ପିଲାଏ ଅଧିକ ସ୍ୱାଧୀନତା ପାଉଛନ୍ତି । ଏହାର ପରିସର ଆହୁରି ବଢ଼ିବା ଚାହି । କୌଣସି କଥାରେ ସାନପିଲା ରାଗିଗଲେ ଆମେ ଯଦି ତା’ର ରାଗ ଯୋଗୁଁ ତାକୁ ଆକଟ କରି ନ ବସି ତା’ର ରାଗିବାର କାରଣଟା ପ୍ରତି ଦୃଷ୍ଟି ଦେବା, ତାକୁ ଦୂର କରିବାରେ ସାହାଯ୍ୟ କଲେ ଓ ରାଗଟାକୁ ଉପେକ୍ଷା କଲେ ତା’ର ରାଗିବା ଅଭ୍ୟାସଟାକୁ ମଜବୁତ କରାଇବା ପରିବର୍ତ୍ତେ ଆମେ ତାକୁ ସମସ୍ୟା ସମାଧାନ କରି ଶିଖାଇବା ।

 

ଲକ୍ଷ୍ୟ କଲେ ଦେଖାଯିବ ଯେ ଯେଉଁ ପରିସ୍ଥିତିରେ କାରଣ ଓ ସମାଧାନର ପନ୍ଥା ଜଣାଥାଏ, ସେଥିରେ ମଣିଷ ନିଜକୁ ନିଷ୍ଫଳ ବୋଧ କରେ ନାହିଁ ଓ ରାଗେ ମଧ୍ୟ କମ୍ । ତେଣୁ ଜ୍ଞାନ କ୍ରୋଧକୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରେ । ପିଲାଙ୍କ କଥା ପଡ଼ିଥିଲା ତ, ତାଙ୍କରି କଥା ନିଆଯାଉ । ପିଲାଙ୍କୁ ମାରଧର କରିବା ଉଚିତ ନୁହେଁ ବୋଲି ଆଜିକାଲି ଶିଶୁଶିକ୍ଷାବିଦ୍‌ମାନେ କହୁଛନ୍ତି । କେତେ ଅଭିଭାବକ ଏଇଟାକୁ ଗୋଟାଏ ଅତି ଉଚ୍ଚ ଆଦର୍ଶଗତ ପରାମର୍ଶ ବୋଲି କନେକରନ୍ତି । ପିଲା ପାଟିତୁଣ୍ଡ କରିବେ, ଜିନିଷପତ୍ର ଭାଙ୍ଗିବେ, ପଢ଼ାଶୁଣା କରିବେ ନାହିଁ ତ ଅଭିଭାବକଙ୍କର ମିଞ୍ଜାସ ନିଶ୍ଚେ ଗରମ ହେବ ଓ ତା’ଛଡ଼ା ପିଲାଙ୍କୁ ଜବତ ନ କଲେ ସେମାନେ ବାଟକୁ ଆସିବେ କେମିତି ? ଏହା ପଛରେ ପିଲାଙ୍କର ମାନସିକତା, ସେମାନଙ୍କର ବିକାଶକ୍ରମ, ଶିକ୍ଷା ଆଦି ବିଷୟରେ, ଗୁରୁଜନଙ୍କ ସହିତ ସେମାନଙ୍କର ସମ୍ପର୍କ ବିଷୟରେ ଏଭଳି ଧାରଣାସବୁ ରହିଛି ଯାହା ବ୍ୟାପକ ଅଥଚ ପ୍ରାୟ ସମ୍ପୂର୍ଣ୍ଣ ଭ୍ରାନ୍ତ । ଆଧୁନିକ ମନୋବିଜ୍ଞାନ ଏ ବାବଦରେ ଦୃଷ୍ଟିକୋଣ ସମ୍ପୂର୍ଣ୍ଣ ବଦଳାଇ ଦେଇଛି ଓ ଏ ନୂଆ ଜ୍ଞାନର ପରିଚୟ ପାଇଲେ ଆମକୁ ଆଉ ପିଲାଙ୍କ ସହିତ ନୂଆ ଢଙ୍ଗରେ କାରବାର କରିବାଟା ଅତି ଦୁରୂହ ଯୋଗସାଧନା ପରି ଜଣା ନ ଯାଇ ବେଶ୍ ସହଜ ଓ ସୁଖକର ବୋଧ ହେବ ଓ ପିଲାମାନଙ୍କ ଆଚରଣରେ ରାଗିବାର ମାତ୍ରା ବି ବହୁତ ଊଣା ହେଇଯିବ । ଆଉ ଯେତେବେଳେ ଅସନ୍ତୋଷ ବା ବିରକ୍ତିର ଉପଲକ୍ଷ୍ୟ ଘଟିବ ସେତେବେଳେ ଆମର ଦୃଷ୍ଟିଟା ପିଲାଙ୍କୁ ଜବତ କରିବା ଆଡ଼କୁ ନ ଯାଇ ସମସ୍ୟାଟାକୁ ସୁଧାରିବା ଆଡ଼କୁ ଯିବ । ଯଦି ଆପଣଙ୍କର ସାନପୁଅକୁ ଜ୍ୱର ହୁଏ ତେବେ ଆପଣ ରାଗିଯିବେ ନାହିଁ; ତା’ର ଚିକିତ୍ସାର ବନ୍ଦୋବସ୍ତ କରିବେ । କିନ୍ତୁ ସେ ଯଦି କୋଉଠୁଁ ଦୁଇଟା ଅଶ୍ଲୀଳ ଶବ୍ଦ ଶିଖି ଆସି କହିଲା, ତେବେ ଆପଣଙ୍କର ପାରା ଚଢ଼ିଯିବ ଓ ତା’ର କାନର ସହ୍ୟଶକ୍ତିର ପରୀକ୍ଷା ହେଇଯିବ । ମାତ୍ର ଜ୍ୱର ଯେମିତି ଶାରୀରିକ ଅସ୍ୱାସ୍ଥ୍ୟର ଲକ୍ଷଣ, ଅପଶବ୍ଦ ବ୍ୟବହାର କରିବା ସେମିତି ଏକ ମାନସିକ ଓ ସାମାଜିକ ସମସ୍ୟା । କାନ ବା ଗାଲର ଶକ୍ତି ପରୀକ୍ଷା ଦ୍ୱାରା ତା’ର ସମାଧାନ ହେବ ନାହିଁ । ଅନ୍ୟ ଅଧିକ ଯୁକ୍ତିଯୁକ୍ତ ଓ ବୁଦ୍ଧିଯୁକ୍ତ ପନ୍ଥା ଲୋଡ଼ା । ଏହା ଜଣାଥିଲେ ଆପଣଙ୍କର ପାରା ଚଢ଼ିବ ନାହିଁ ।

 

ଲୋକେ ଚୋରକୁ ଭୟ ବି କରନ୍ତି ଓ ସେମାନଙ୍କ ଉପରେ ରାଗନ୍ତି ବି ବହୁତ । ମାତ୍ର ସେ ଗାଁର ମୂଷା ମଳିକ ଯେତେବେଳେ ସା’ନ୍ତଙ୍କ ବାଡ଼ିରୁ କଦଳୀ କାନ୍ଦିଏ ଚୋରି କରିବାକୁ ଯାଇ ଧରାପଡ଼ି ମାଡ଼ ଖାଇଲା, ସେତେବେଳେ ବନାମା’ ବୁଢ଼ୀ କହିଲା–‘‘ଆହା, ତାକୁ ଏତେ ମାରୁଛନ୍ତି ଯେ ସେ ବିଚରା କ’ଣ କରିବ କହିଲ ? ପାଞ୍ଚପ୍ରାଣୀ କୁଟୁମ୍ବ, ମହାଜନ ନାଲିସ କରି ଜମି ଦି’ମାଣ ଥିଲା ଯେ ତାକୁ ନେଇଗଲା । ଖରା ମାସରେ ବିଲବାଡ଼ିରେ କାମଦାମ କିଛି ନାହିଁ । ଛୁଆ ତିନିଟାକୁ ପୋଷେ କିମିତି ?’’ ଏବେ ଚୋରଙ୍କ ବିଷୟରେ ବହୁତ ଅଧ୍ୟୟନ ବି ହେଲାଣି ଓ ସେମାନଙ୍କୁ ଅପରାଧୀ ଭାବରେ ଦଣ୍ଡ ନ ଦେଇ ବାଟବଣା ହେଇଥିବା ଲୋକ ଭାବରେ ସୁଧାରିବା ଚେଷ୍ଟା ବି କେତେ ଦେଶରେ ଆରମ୍ଭ ହେଲାଣି ।

 

ରେଳଡ଼ବାର ପାଇଖାନାରେ କିଏ ଜଣେ ଅସ୍ଥାନରେ ଝାଡ଼ାଫେରି ଦେଇଥିଲା ଯେ କେହି ତା’ ଭିତରେ ଭୋଡ଼ ଦେଇପାରୁ ନ ଥିଲେ । କେତେ ଯାତ୍ରୀ ତ ରାଗିମାଗି ‘କିଏ ଅଳପେଇଷା ଏମିତି କରିଛି, ତା’ର କ’ଣ ଆଖି ଫୁଟିଯାଇଥିଲା’ ବୋଲି ଗୁଡ଼ାଏ ରବେଇଖବେଇ ହେଇ ରହିଲେ । ଜଣେ ଯାତ୍ରୀ ଚୁପ୍‌ଚାପ ବସିଥିଲେ । ଖଣ୍ଡେ ଖବରକାଗଜ ଓ ପାଣିଢ଼ାଳଟେ ଧରି ସେ ମଇଳାକୁ ସଫା କରିଦେଇ ପାଇଖାନା ବ୍ୟବହାର କଲେ । ଅନ୍ୟ ସମସ୍ତଙ୍କର ବି ସୁବିଧା ହେଇଗଲା ।

 

ବିରକ୍ତି ବା କ୍ରୋଧର ଅଭିବ୍ୟକ୍ତିକୁ ହାଲୁକା କରିଦେବାରେ ପରିହାସବୃତ୍ତି ସାହାଯ୍ୟ କରେ । କାହାରି କୌଣସି କାମରେ ଅସନ୍ତୁଷ୍ଟ ହେଇ ରାଗିବାର ଉଦ୍ଦେଶ୍ୟ କ’ଣ ? ତାକୁ ଭିନେ ପ୍ରକାରେ କାମ କରିବା ପାଇଁ ପ୍ରେରଣା ଦେବା ତ ? ଗାଳି ଅପେକ୍ଷା ପରିହାସ ଅଧିକ ସରସ ଓ ଫଳପ୍ରଦ ହେଇପାରେ । ବୁଢ଼ୀମା’ କହୁଥିଲା–‘‘ସେମିତି ଥିରି ଥିରି କରି ବର ବେଦୀକି ଗଲା ପରି ଚାଲୁଛୁ କ’ଣ ବା ? ଚଞ୍ଚଳ ଜିନିଷଟା ନେଇ ଆ ।’’ ଅବଶ୍ୟ ବିଦ୍ରୂପ ବାକ୍ୟରେ ପରିହାସ ପରିବର୍ତ୍ତେ କଟୁ ଆକ୍ରମଣ ବି ପ୍ରକାଶ ପାଇପାରେ ଓ ତାହା ଛୁରି ପରି ହୃଦୟକୁ କାଟିଦେଇପାରେ । ଯାହାଙ୍କ ମନ ଭିତରେ କପଟତା, ବିଦ୍ୱେଷ ଓ ତିକ୍ତତା ଥାଏ ସେମାନେ ବିଦ୍ରୁପକୁ ଏହିପରି ଧାରୁଆ ହତିଆର ଭାବରେ ବ୍ୟବହାର କରିଥାନ୍ତି; କିନ୍ତୁ ସରଳ ପରିହାସବୃତ୍ତି ଭିନ୍ନ ବସ୍ତୁ ।

 

ରାଜନୀତି କ୍ଷେତ୍ରରେ ବିରୋଧ ପ୍ରକାଶ କରିବାକୁ ଯାଇ କେତେ ଲୋକ ଉତ୍ତେଜିତ ହେଇ ଗାଳିଗୁଲଜ କରନ୍ତି । ସେମାନେ ବିଚାରନ୍ତି ଯେ ଏହା ଦ୍ୱାରା ଜନସାଧାରଣ ବିରୋଧ କରିବା ପାଇଁ ସହଜରେ ଉତ୍ତେଜିତ ହେବେ । ମାତ୍ର ଅଧିକାଂଶ ସମୟରେ ଲୋକେ ଗାଳିଗୁଲଜ ଶୁଣି ବୁଝନ୍ତି ଯେ ଗୋଟାଏ କ’ଣ ଝଗଡ଼ା ଲାଗିଛି । ତା’ର କାରଣ ଜାଣିପାରନ୍ତି ନାହିଁ କି ଜାଣିବାକୁ ଉତ୍ସାହିତ ହୁଅନ୍ତି ନାହିଁ । ନିଜର ଭାବକୁ ନିଜେ ଓ ଅନ୍ୟମାନେ ବୁଝିପାରିବା ଭଳି ଭାଷାରେ ସଜାଡ଼ି ପାରିବାର ଶକ୍ତି ଓ ଜ୍ଞାନର ଅଭାବରୁ ହିଁ ସେମାନଙ୍କର ଉତ୍ତେଜନା ଗାଳିଗୁଲଜରେ ପ୍ରକାଶ ପାଏ ।

 

ସମସ୍ୟାକୁ ଯେ ବିଶ୍ଳେଷଣ କରି ନିଜେ ବୁଝିପାରେ ଓ ଅନ୍ୟକୁ ବୁଝେଇପାରେ ତା’ର ଗାଳିଗୁଲଜ କରିବା ଲୋଡ଼ା ହୁଏ ନାହିଁ । ଶ୍ଲେଷ ଦ୍ୱାରା ସେ ନିଜ ମନର ଅସନ୍ତୋଷ ଅଧିକ ଭଲଭାବରେ ପ୍ରକାଶ କରିପାରେ ଓ ଶ୍ରୋତାମାନଙ୍କୁ ଅଧିକ ପ୍ରଭାବିତ ମଧ୍ୟ କରିପାରେ ।

 

କଲିକତାର ବସ୍‌ ଟାମ୍‌ରେ ପ୍ରଚଣ୍ଡ ଭିଡ଼ ହୁଏ; କିନ୍ତୁ ସେଠା ଲୋକେ ସେ ଭିଡ଼ ଭିତରେ କ୍ୱଚିତ୍ ମିଞ୍ଜାସ ଖରାପ କରିବାର ଦେଖାଯାଏ । ବସ୍ କର୍ମଚାରୀ ଓ ଯାତ୍ରୀ ସମସ୍ତେ ଉଚ୍ଚଟତମ ଭିଡ଼ରେ ବି ନିଜର ପରିହାସବୃତ୍ତି କାଏମ ରଖିଥାନ୍ତି ଓ ସେଇ ଭିଡ଼ ଭିତରେ ଥଟାଟାପରା ଚାଲିଥାଏ-। ଏହାଦ୍ୱାରା ବସ୍ ଟ୍ରାମ୍‌ର ଅସହ୍ୟ ପରିସ୍ଥିତି ଲାଘବ ହୁଏ ଓ କେତେକ ପରିମାଣରେ ଉପଭୋଗ୍ୟ ବି

 

ଲଢ଼ୁଆ-ବୃତ୍ତି ପରି ହସ ବି ମଣିଷର ସୃଜନାତ୍ମକ-ବୃତ୍ତିର ଗୋଟାଏ ଅଭିବ୍ୟକ୍ତି । ସୃଜନଶୀଳ ମଣିଷର ପ୍ରେରଣା ଚାଷ କରିବାଠାରୁ ମହାସାଗରରେ ବୋଇତ ଭସେଇବାଯାଏ ନାନା କର୍ମରେ ପ୍ରକାଶ ପାଏ । ସେଥିରେ ବାଧାର ସମ୍ମୁଖୀନ ହେଲେ ଏ ପ୍ରେରଣା ଲଢ଼ୁଆ ରୂପ ନିଏ । ସେମିତି ପ୍ରତିକୂଳ ପରିସ୍ଥିତିରେ ଏହା ହସର ରୂପ ବି ନେଇପାରେ ଓ ହସର ରସାୟନ କେତେ ପ୍ରକାରର ଉତ୍କଟ ବାଧାବିଘ୍ନକୁ ତରଳେଇ ଦେଇପାରେ ।

 

ଏ ହସିବା ଗୁଣର ପ୍ରକୃତ ପରାକାଷ୍ଠା ହେଲା ନିଜକୁ ନିଜେ ଥଟ୍ଟା କରିପାରିବାରେ । ଆମ ଆଗରେ ବେଳେବେଳେ ଆମରି ନିଜର ଅଜ୍ଞାନ, ଅହମ୍ମନ୍ୟତା, ନିଜ ବିଷୟରେ ଅତି ଉଚ୍ଚ ଓ ଭ୍ରାନ୍ତ ଧାରଣା ସବୁଠାରୁ ବଡ଼ ବାଧା ହେଇ ଛିଡ଼ାହେଇଥାନ୍ତି । ଦୁଇ ଜଣଙ୍କ ଭିତରେ ବିରୋଧ ଉପୁଜିଲେ ପ୍ରତ୍ୟେକର ଏଇ ମାନସିକତା ହିଁ ବିରୋଧକୁ ତୀବ୍ରତର କରେ । ବିରୋଧ ସାମନାରେ ଆମର ଲଢ଼ୁଆ-ବୃତ୍ତି ଅନେକ ସମୟରେ ଡନ୍ କିହୋଟେ (Don Quixote) ଙ୍କ ପରି ମେଣ୍ଢାପଲକୁ ଘୋଡ଼ସବାର ବାହିନୀ ଭାବି ତାହା ଉପରେ ଚଢ଼ଉ କରିବାକୁ ବାହାରେ । ସେତେବେଳେ ନିଜକୁ ନିଜେ ହସରେ ଉଡ଼େଇ ଦେଇପାରିଲେ ଆମେ ଅହମ୍ମନ୍ୟତା ଓ ଅତି ଗମ୍ଭୀରତାର ବେଲୁନ୍ ଫୁଟେଇ ଦେଇ ନିଜକୁ ସ୍ୱାଭାବିକ ରୂପରେ ଦେଖିବାକୁ ସକ୍ଷମ ହେଉ; ଅନ୍ୟମାନେ ଆମକୁ ଯେମିତି ଦେଖୁଥିବେ, ସେହିପରି ଦେଖିପାରୁ ।

 

ଗାନ୍ଧୀଜୀ କେତେ ଥର କହିଛନ୍ତି ଯେ ତାଙ୍କର ଯଦି ନିଜକୁ ନିଜେ ପରିହାସ କରିବାର ଶକ୍ତି ନ ଥାନ୍ତା ତେବେ ସେ କେବେଠୁଁ ଆତ୍ମହତ୍ୟା କରିସାରିଥାନ୍ତେ । ମଣିଷର ମୁଣ୍ଡ ଠିକଣାରେ ରଖିବାରେ ହସର ବହୁତ ବଡ଼ ସ୍ଥାନ ରହିଛି । ପ୍ରାଚୀନ ଆଧ୍ୟାତ୍ମିକ ଗ୍ରନ୍ଥ ଯଥା ଗୀତା ପ୍ରଭୃତିରେ ଯେ ହସ ବା ପରିହାସ ବୃତ୍ତିର ଉଲ୍ଲେଖ ନାହିଁ, ତାହା ହିଁ ସେସବୁର ଅପୂର୍ଣ୍ଣତାର ଯଥେଷ୍ଟ ପ୍ରମାଣ ।

Image

 

ଅର୍ଥ ବିଅର୍ଥ ଦୁଇ ସନେ...

 

ପରିହାସବୃତ୍ତିର ଗୋଟାଏ ତତ୍ତ୍ୱଜ୍ଞାନ ଅଛି । ଈଶୋପନିଷଦ୍‌ରେ କହନ୍ତି–

 

‘‘ବିଦ୍ୟା ଅବିଦ୍ୟା ଦୁଇ ସନେ, ଆତ୍ମତତ୍ତ୍ୱକୁ ଯେହୁଁ ଜାଣେ ।

ତରି ମରଣ ଅବିଦ୍ୟାରେ, ଅମୃତ ଲଭଇ ବିଦ୍ୟାରେ ।।’’

 

ବିଦ୍ୟା ହେଲା ସୃଷ୍ଟିର ଆଦି ଅନ୍ତ, ଆତ୍ମାର ଗତିବିଧି ଆଦି ବିଷୟରେ ଚର୍ଚ୍ଚା । ଅବିଦ୍ୟା ହେଲା ଗଛରୁ କେମିତି ଫଳ ଝଡ଼ାଯିବ, କାଠ ଫୋପାଡ଼ି ବା ଫାନ୍ଦ ବସାଇ କେମିତି ଠେକୁଆ ମରାଯିବ, ଭଲ କନ୍ଦା କେଉଁଠି ଖୋଳିଲେ ମିଳିବ, ବନସି କଣ୍ଟାରେ କି ଥୋପେ ଦିଆଯିବ–ଏହିପରି ସବୁ ବ୍ୟାବହାରିକ ଜ୍ଞାନ । ଋଷି କହୁଛନ୍ତି, ଯେ କେବଳ କନ୍ଦା ଖୋଜି ଓ ଚଢ଼େଇ ମାରି ବୁଲେ, ସେ ଅନ୍ଧକାର ଭିତରେ ପଶେ ବା ଥାଏ; ମାତ୍ର ଯେ କେବଳ ବସି ବସି ଆତ୍ମତତ୍ତ୍ୱ ଚର୍ଚ୍ଚା କରେ ସେ ଆହୁରି ଘନ ଅନ୍ଧାରରେ ପଡ଼େ । କାହିଁକି ନା, ପେଟରେ କିଛି ପଡ଼ିବାର ବ୍ୟବସ୍ଥା ନ ହେଲେ ଆଖିରେ ଜୁଳୁଜୁଳିଆ ପୋକ ଦେଖିବ; ତା’ପରେ ସବୁ ଅନ୍ଧାର ! ତେଣୁ ବିଦ୍ୟା, ଅବିଦ୍ୟା ଦୁହିଁଙ୍କୁ ମିଶେଇ ଚଳିବାକୁ ହେବ । ବିଦ୍ୟା ଓ ଅବିଦ୍ୟା ଦୁଇଟା ମିଶିଯିବାରୁ ସେଥିରେ ଆଧୁନିକ ବିଜ୍ଞାନ ବାହାରିଲା ।

 

ସେହିପରି ନୂଆ ମିସୌପନିଷଦ୍ କହୁଛି (ମିସୌପନିଷଦ୍=ମିସା + ଉପନିଷଦ୍, ମିସାରେ କଟକ ଜେଲରେ ଅଟକ ଥିଲାବେଳେ ଏ ଉପନିଷଦ୍ ରଚନା କରାଯାଇଥିଲା; ତେଣୁ ଏ ନାମକରଣ)–

 

ଅର୍ଥ ବିଅର୍ଥ ଦୁଇ ସନେ, ଆତ୍ମତତ୍ତ୍ୱକୁ ଯେହୁ ଜାଣେ

ତରି ମରଣ ଅର୍ଥ ଗୁଣେ, ବିଅର୍ଥେ ଅମୃତତ୍ୱ ଜିଣେ ।

 

ଆଜିକାଲି ଶବ୍ଦର ଅର୍ଥଗୁଡ଼ାକ ଓଡ଼ିଆରେ ନ କହିଦେଲେ କେହି ବୁଝିପାରୁ ନାହାନ୍ତି । ଜଣେ ବନ୍ଧୁ ଷ୍ଟେସନରେ ଓହ୍ଲେଇ ଗୋଟିଏ ରିକ୍‌ସା ଧରି ବରାଦ କଲେ–‘‘ହେଇ, ସଚିବାଳୟକୁ ନେଇ ଚାଲ ।’’ ସେ ଆଗଛକଯାଏ ଯାଇ ପଚାରିଲା–‘‘ବାବୁ କୋଉଠିକି କହିଲ ?’’ ବନ୍ଧୁ ଜବାବ୍ ଦେଲେ-‘‘ସଚିବାଳୟ ପରା ।’’ ସେଠୁ ସେ ପୁଣି ଚାଲିଲା ତା’ ଆଗ ଛକଯାଏ । ସେଠି ପୁଣି ପଚାରିଲା । ପୁଣି ବନ୍ଧୁଙ୍କର ସେଇ ଜବାବ । ତୃତୀୟ ଥରକୁ ବନ୍ଧୁ ଟିକିଏ ରିଷା ହେଇ କହିଲେ ‘‘ଆରେ, ଏତେ ଥର କହୁଛି, ବୁଝିପାରୁନୁ ? ସଚିବାଳୟ... ସଚିବାଳୟ....., ସେକ୍ରେଟେରିଆଟ୍ ।’’ ସେଠୁ ରିକ୍‌ସା ପାଇଲଟ୍ (ବସ୍ ଡ୍ରାଇଭରମାନେ ପାଇଲଟ୍ ଓ ରିକ୍‌ସାବାଲା ଡ୍ରାଇଭର ହେଇଯାଇଥିଲେ ଅନେକ ଆଗରୁ । ଏ କୋଡ଼ିଏ ଦଫା ରଫା ଭିତରେ ବସ୍-ଆଷ୍ଟ୍ରୋନଟ୍ ଓ ରିକ୍‌ସା-ପାଇଲଟ୍ ହେଇସାରିବେଣି) କହିଲା–‘‘ବାବୁ । ସେଇ କଥା କହୁନା । ତମେ ଇଂରେଜୀରେ କହୁଛ । ମୁଁ କେମିତି ବୁଝିବି । ମୂଳରୁ ଓଡ଼ିଆରେ କହିଥିଲେ କେତେବେଳୁ ପହଞ୍ଚେଇ ଦିଅନ୍ତିଣି ।’’

 

ତେଣୁ ଓଡ଼ିଆରେ ବୁଝେଇ ଦେଉଛି–ଅର୍ଥ ମାନେ ସେନ୍‌ସ୍; ବିଅର୍ଥ ମାନେ ନନ୍‌ସେନ୍‌ସ ବା ଆବ୍‌ସର୍ଡ । ନନ୍‌ସେନସ କବିତା, ଢଗ ଆଦି ଅନେକ କାଳୁ ଚଳିଆସିଛି । ଆଜିକାଲି ଥିଏଟର ଅବ୍ ଆବ୍‌ସର୍ଡର ଅଭ୍ୟୁଦୟ ହେଇଛି । ଏସବୁର ଉଦ୍ଦେଶ୍ୟ ହେଲା ଏକା । ଏ ସୃଷ୍ଟି ଭିତରେ ବଞ୍ଚି ରହିବାକୁ ହେଲେ ତା’ର ଗୋଟାଏ ରକମ ଅର୍ଥ କରିବାକୁ ହେବ । ପୁଣି ଉପାର୍ଜନ କରିବାକୁ ହେବ-। ତା’ ନହେଲେ–ସେଇ-ଜୁଳୁଜୁଳିଆ ପୋକ । କିନ୍ତୁ କରାଯାଇଥିବା ଅର୍ଥ ଓ ଉପାର୍ଜିତ ଅର୍ଥ ଭିତରେ ଏ ସୃଷ୍ଟିର ସବୁ କିଛି ଆସିଯାଉନାହିଁ; ତା’ ବାହାରେ ଅନେକ କିଛି ରହିଯାଉଛି–ବୋଧହୁଏ ଅର୍ଥରେ ଧରାପଡ଼ିବା ବା କିଣାଯାଇ ପାରିବାଠାରୁ ଢେର୍ ବେଶୀ ଅଂଶ । ଆଉ ଏ ଅର୍ଥ ପାଇଁ ମଣିଷକୁ ବି ବାନ୍ଧିଦିଆଯାଇଛି ଏପରି ନିଗଡ଼ ବନ୍ଧନରେ ଯେ, ସେ ସେଥିରେ କାଠ ପଥର ପାଲଟିଯିବାର ବିପଦ ରହିଛି ।

 

‘‘ରଙ୍ଗିଆ ଦୁଆରୀ ବାହାରିଲାରେ

କୋକି ଗଲା କିଆବଣକୁ....’’

 

ରଙ୍ଗିଆ ଦୁଆରୀ କୋକିର କିଆବଣକୁ ପଳେଇବା କାହିଁକି ଲୋଡ଼ା ହେବ; ଯାତ୍ରାରେ ଏତେ ଲୋକଙ୍କର ଭିଡ଼ ସତ୍ତ୍ୱେ ବି ଯଦି ସେ ଏତେବେଳଯାଏ ଯାଇ ନ ଥିଲା, ତା’ର କୌଣସି ଅର୍ଥ ନାହିଁ । କିନ୍ତୁ ୟା’ ଦ୍ୱାରା ବିଅର୍ଥର ହାଓ୍ୱାଟା ତିଆରି ହେଇଗଲା; ଦର୍ଶକଙ୍କ ମୁଣ୍ଡ ଭିତରେ ଥିବା ଅର୍ଥର ନିଗଡ଼ ବନ୍ଧନ ଢିଲା ହେଇଗଲା । ଏଣିକି ସେମାନେ ଅର୍ଥଜଗତ ବାହାରେ ଡେଣା ମେଲିପାରିବେ ।

 

‘‘ଉଦୁଉଦୁମା ତାଳଗୋଟମା, ତାଳପାହୁରୁଣୀ ପିତଳ ସମା

ଚୁନୁମୁନୁ ଖଇରିକାତି, ରଜା ବିଜେ କଲେ ଡଗରହାତୀ ।

ଡ଼ଗରହାତୀରା ତେଲ ଘଡ଼ି, ବାଘ ନେଇଗଲା ଗେଲକରି ।’’

 

ଶବ୍ଦର ଅନୁପ୍ରାସ ଓ ଅନୁରଣନ ମାଧ୍ୟମରେ ବିଅର୍ଥର ରହସ୍ୟଲୋକ ଖୋଲି ଖୋଲି ଦିଆଯାଇଛି ଯେଉଁଠି ସବୁ ସମ୍ଭବ । ତାଳପାହୁରାଣୀ, ଖଇଚିକାତି, ରାଜା, ଡଗରହାତୀ, ବାଘ, ତେଲଘଡ଼ି ସବୁ ଅକଳ୍ପିତ ସୂତ୍ରରେ ଛନ୍ଦାଛନ୍ଦି । ଆଉ ଯେଉଁ ଲୋକ ଏ ବିଅର୍ଥର ଦୁନିଆରେ ଉଡ଼ିବୁଲିପାରେ ସେ ଅର୍ଥର ଦୁନିଆର ହରଡ଼ଘଣାରେ ସହଜରେ ଦଳିହେଇଯାଏ ନାହିଁ । ପିଲାର ମନ ତ ଅର୍ଥର ବନ୍ଧନରେ ଧରାପଡ଼ି ନ ଥାଏ, ତା’ ପାଇଁ ସବୁ ଖୋଲା, ସବୁ ସମ୍ଭବ । ଏ ଦୁନିଆରୁ ଧୀରେ ଧୀରେ ସେ ଅର୍ଥ, ନିୟମକାନୁନ୍‌ର ଦୁନିଆର ବାଡ଼ ଭିତରେ ପଶେ; କିନ୍ତୁ ଯେଉଁମାନେ ଏ ବାଡ଼ରୁ ବାହାରିଯିବାର ବାଟକୁ ହଜେଇ ଦେଇ ନ ଥାନ୍ତି ସେଇମାନେ ହିଁ ପ୍ରାଣରସର ମହାସାଗରରେ ଅବଗାହନ କରି ନିଜକୁ ସରସ ରଖିପାରନ୍ତି । ଯେ ତାହା ନପାରନ୍ତି, ସେ ହେଇଯାନ୍ତି ଅର୍ଥଜଗତର ପେଚ, କଣ୍ଟା ସ୍ୱୟଂକ୍ରିୟ ଯନ୍ତ୍ର ।

 

ବିଅର୍ଥ, ଅର୍ଥାତ୍‌ ଅର୍ଥ ବାହାରେ ଥିବା ଜଗତ ହିଁ ଅସଲ; ଅର୍ଥ-ଜଗତ ତାର ଚେନାଏ ମାତ୍ର-ଏ ବୋଧ ବୈଜ୍ଞାନିକକୁ ଜାଗ୍ରତ ରଖିବାକୁ ହୁଏ । ଏଇ ବିଅର୍ଥ ଜଗତରୁ ଚେନାଏ ଚେନାଏ ନିଜ ବାଡ଼ ଭିତରକୁ ଆଣି ଅର୍ଥ-ଜଗତ ତା’ର ହଦ ବଢ଼ାଇଚାଲେ । ପୁରୁଣାକାଳିଆ ଦାର୍ଶନିକ, ତତ୍ତ୍ୱଜ୍ଞାନୀମାନେ ଚେନାଏ ଅର୍ଥର ସନ୍ଧାନ ପାଇଲେ ତା’ ଚାରିପଟେ ବାଡ଼ ବୁଜି ଅର୍ଥ-ସାମ୍ରାଜ୍ୟର ପତାକା ପୋତିଦେଉଥିଲେ-ତା’ରି ଭିତରେ ସବୁ ଖୋଜି; ବାହାରେ କିଛି ନାହିଁ । ଇଉକ୍ଳିଡ୍‍ ଜ୍ୟାମିତିର ସୂତ୍ର ଆବିଷ୍କାର କରି ସୃଷ୍ଟିର ଜ୍ୟାମିତିକ ବ୍ୟାଖ୍ୟା କରିଦେଇ ଭାବିଲେ-ସବୁ ବ୍ୟାଖ୍ୟା ହେଇଗଲା । କଣାଦ ସେମିତି ଆଣବିକ ବ୍ୟାଖ୍ୟା କରିଦେଲେ । ଗୀତାକାର ସୃଷ୍ଟିକୁ ସତ୍ତ୍ୱ, ରଜ, ତମରେ ବାଣ୍ଟି ନିଜ ବ୍ୟାଖ୍ୟା ଚାରିପଟେ ବାଡ଼ ବୁଜିଦେଲେ ଓ ସମସ୍ତଙ୍କୁ କହିଲେ–ଏଇ ବାଡ଼ ଭିତରେ ରହ । ମାର୍କ୍‌ସ ସାରା ଜୀବସୃଷ୍ଟି ଓ ଇତିହାସର ବ୍ୟାଖ୍ୟା ଶ୍ରେଣୀ-ସଂଗ୍ରାମ ସୂତ୍ରରେ ପକେଇଦେଲେ; ଫ୍ରଏଡ୍‍ ପକେଇଦେଲେ ଲିବିଡ଼ୋର ସୂତ୍ରରେ ।

 

ଏମାନଙ୍କ ପରେ ଏବେ ବିଜ୍ଞାନ ଉପଲବ୍‌ଧି କରୁଛି ଅର୍ଥର ଦୁନିଆଟା ସବୁ କିଛି ନୁହେଁ; ତା’ ବାହାରେ ବହୁତ କିଛି ଅଜଣା ରାଜ୍ୟ ଅଛି । ତାକୁ ଖିଆଲରେ ରଖି ଚଳିବାକୁ ହେବ । ଏମିତି ଅର୍ଥର ବାଡ଼ ଭିତରେ ଗଳିବାଟ ରଖିଥିବା ଗଣିତଜ୍ଞ ଡଜ୍‌ସନ୍‌ (ଲୁଇ କ୍ୟାରଲ୍‌ ଛଦ୍ମନାମରେ) ଲେଖିଲେ ‘ଏଲିସ୍‌ ଇନ୍‌ ଓ୍ୱଣ୍ଡରଲ୍ୟାଣ୍ଡ’ (ଅଜବ୍‌ ଦେଶରେ ଏଲିସ୍‌) ଓ ‘ଏଲିସ୍ ଥ୍ରୁ ଦି ଲୁକିଂ ଗ୍ଳାସ’ (ଆରସୀ ଭିତରବାଟେ ଏଲିସ୍‌); ବୈଜ୍ଞାନିକ ତାଲିମ ପାଇଥିବା ସୁକୁମାର ରାୟ ଲେଖିଲେ ‘ହଯବରଲ’ ଓ ‘ଆବୋଲ୍‌ ତାବୋଲ୍‌’ । ଏସବୁ କେବଳ ପିଲାଙ୍କର ଉପଭୋଗ ପାଇଁ ନୁହେଁ; ଯେଉଁ ସାବାଳକ ବ୍ୟକ୍ତିର ଏସବୁର ରସ ଉପଭୋଗ କରିବାର ଶକ୍ତି ଥିବ, ବୁଝିବାକୁ ହେବ ତା’ରି ଏ ସଂସାରବନ୍ଧନରୁ ମୁକ୍ତିର ସମ୍ଭାବନା ଅଛି । ଦେଖାଯାଉଛି ଯେ ଦଶ ବାର ବର୍ଷ ବୟସରୁ ଯେ ଲୁଇ କ୍ୟାରଲ୍‌, ସୁକୁମାର ରାୟ, ଏ.ଏ. ମିଲନ୍‌ (‘ଓ୍ୱିନୀ ଦ୍ୟ ପୁ’ର ଲେଖକ), ସାଁତେ ଜୁପେରୀ (‘ଲିଟ୍‌ଲ୍‌ ପ୍ରିନ୍‌ସ’ର ପ୍ରଣେତା) ପ୍ରମୁଖଙ୍କର ଲେଖା ଉପଭୋଗ କରି ନ ଶିଖିଛି, ତା’ର ଆଧ୍ୟାତ୍ମିକ ଭବିଷ୍ୟତ ଅନ୍ଧକାର–ସେ ଯେତେ ଗୀତା, ବାଇବେଲ୍‌, କୋରାନ, ପୁରାଣ ଘୋଷୁ ପଛେ ।

 

ଯେ ସୁକୁମାର ରାୟଙ୍କର ‘‘ରାମଗରୁଡ଼େର ଛାନା, ହାସ୍‌ତେ ତାଦେର୍‌ ମାନା’’ର ରସ ଉପଭୋଗ କରିଥିବ, ତା’ର ମନ କେବେ ଗୁରୁ ମୁରବୀଙ୍କର ଧମକଭରା ଦୁନିଆର ଅର୍ଥକୁ ମାନି ନେଇପାରିବ ନାହିଁ । ‘ଶିବଠାକୁରେର୍‌ ଆପନ୍‌ ଦେଶେ ଆଇନ୍‌କାନୁନ୍‌ ସର୍ବନେଶେ’ ଓ ‘ଭୟ ପେୟୋନା ଭୟ ପେୟୋନା’ ଡିକ୍‌ଟେଟରୀ ଶାସନର ବିଷ ବିରୋଧରେ ଟିକାର କାମ କରିବ । ‘ନୋଟବଇ’ ଓ ’କାଠବୁଡ଼ୋ’ର ପାଠକ ପଣ୍ଡିତ ଓ ଦାର୍ଶନିକମାନଙ୍କର ପ୍ରଚାରିତ ଅର୍ଥର ବୋଝରେ ଦବିଯିବ ନାହିଁ । ‘ସତ୍‌ପାତ୍ର’ ଓ ‘ବୁଡ଼ୀର ବାଡ଼ୀ’ ପରମ୍ପରାଗତ ସମାଜର ଅର୍ଥଟାକୁ ଓଲଟେଇ ଦେଇ ତା’ର ହସଟାକୁ କାନ୍ଦର ସୀମାଯାଏ ପହଞ୍ଚେଇ ଦେବ । ସମାଜରେ ନାନା ଶ୍ରେଣୀର ଯେଉଁ ସବୁ ଲୋକ ନିଜର ଆତ୍ମବଡ଼ିମାର ବେଲୁନ୍‌ ଫୁଲେଇ ଆକାଶ ଭରିଦେଇଛନ୍ତି, ‘ହଯବରଲ’ର ରସ ଗ୍ରହଣ କରିଥିବା ପାଠକ ସେସବୁ ବେଲନ୍‌କୁ ବେଲୁନ୍‌ ଭଳି ହିଁ ହାଲୁକା, ଗୁରୁତ୍ୱହୀନ ରୂପେ ଦେଖି ଶିଖିବେ ।

 

ଅର୍ଥ ବି ବିଅର୍ଥ ଛଡ଼ା ବଞ୍ଚିପାରେ ନାହିଁ । ଅର୍ଥର ନିବୁଜ ବାଡ଼ ଭିତରକୁ ଉଦ୍ଭଟ ଦେଖାଯାଉଥିବା ବିଅର୍ଥ ପଶିଆସିଲେ ଯାଇ ଅର୍ଥ ବଞ୍ଚିରହି ଉଧେଇ ପାରେ । ନ୍ୟୁଟନ୍‌ଙ୍କ ତତ୍ତ୍ୱର ନିବୁଜ ବାଡ଼ ଯେତେବେଳେ କେତେ ପ୍ରକାରର ପ୍ରାକୃତିକ ଘଟଣାକୁ ନିଜ ଭିତରେ ସ୍ଥାନ ଦେଇପାରିଲା ନାହିଁ, ଆଇନଷ୍ଟାଇନ୍‌ଙ୍କର ନୂଆ ତତ୍ତ୍ୱ ଆସିଲା, ଯାହା ଦେଖିବାକୁ ଉଦ୍ଭଟ । ତୁମେ ଛିଡ଼ାହେଇ ଆଲୁଅକୁ ଯେତିକି ବେଗରେ ଦୌଡ଼ୁଥିବାର ଦେଖିବ, ମୁ୍ଁ ଆଲୁଅ ପଛରେ ସେକେଣ୍ଡକୁ ପଚିଶ ହଜାର ମାଇଲ ବେଗରେ ଦୌଡ଼ିଲେ ବି ତା’କୁ ସେତିକି ବେଗରେ ଧାଉଁଥିବାର ଦେଖିବି । ଅଣୁବିଜ୍ଞାନରେ ବି ସେହିପରି ସବୁ ଧରାବନ୍ଧା ଅର୍ଥର ବାଡ଼ ଭିତରେ ଧରାଦେଇ ନ ପାରିବା ବିଚିତ୍ର ତତ୍ତ୍ୱ ରହିଛି ।

 

‘‘ଆକାଶ କଇଁୟା ଚିଲିକା ମାଛ’’ ଉଦ୍ଭଟ କଳ୍ପନାର ପ୍ରତୀକ । କିନ୍ତୁ ପ୍ରଯୁକ୍ତିବିଦ୍ୟାର ପ୍ରଗତି ତ ଏଇପରି ଉଦ୍ଭଟ ବସ୍ତୁକୁ ଏକାଠି କରିପାରିବା ଦ୍ୱାରା ସମ୍ଭବ ହେଇଛି ।

 

ମଣିଷର ମନ ଏଇପରି ବିଚିତ୍ର କଳ୍ପନା ପାଇଁ ଖୋଲାଥିଲେ ଯାଇ ସେ ଏପରି ସବୁ ତତ୍ତ୍ୱ ଆବିଷ୍କାର କରିପାରେ ।

 

ଏହିପରି ମଣିଷ ଅର୍ଥ ସାହାଯ୍ୟରେ ବଞ୍ଚେ, ଏ ବିଶ୍ୱ-ସାଗରରେ ଗୋଟାଏ ଅର୍ଥର ସେତୁବନ୍ଧ ବାନ୍ଧି ତାହାରି ସାହାଯ୍ୟରେ ପାରଉତାର ହୁଏ; ମାତ୍ର ସାଗରଟା ତ ଏ ବନ୍ଧ ବାହାରେ । ବନ୍ଧଉପରେ ଛିଡ଼ାହେଇ ତାକୁ ଦେଖିବାରେ ଯେତେ ମଜ୍ଜା, ତା’ ଭିତରେ ଡିଆଁ ମାରିବାରେ ତା’ଠୁଁ ବେଶୀ ।

Image

 

Unknown

ମୁଁ କାର ମାତର....

 

କବି ଗାଇଛନ୍ତି–

 

‘‘ମୁଁ କାର ମାତର ମୋର ନୁହେଁ ବୋଲି

କହିବାକୁ ନାହିଁ ବାଟ ।

ଦୂରୁଁ ଶ୍ରୀଚରଣେ ଅର୍ପଣ କରୁଛି

ଘେନ ହେ ବିଶ୍ୱ-ସମ୍ରାଟ ।।’’

 

ଆଧ୍ୟାତ୍ମିକ ଉତ୍କର୍ଷ ପଥରେ ମଣିଷର ଅହଂଟା ପ୍ରଚଣ୍ଡ ବାଧା ସୃଷ୍ଟି କରେ ବୋଲି ବରାବର କୁହାହେଇଆସିଛି । ଏହି ଅହଂ ହିଁ ସବୁ ଅନିଷ୍ଟର ମୂଳ ବୋଲି ମନେ କରାଯାଇଥାଏ । ମଣିଷର ନିଜତ୍ୱର ଅହଙ୍କାର ଲୋପ ହେଇଗଲେ ସବୁ ସମସ୍ୟା, ସବୁ ବିରୋଧ ଓ ସଂଘର୍ଷର ଅବସାନ ହେଇଯିବ ବୋଲି ମନେ କରାଯାଏ । ଅହଂଶୂନ୍ୟ ହେବାର ଅର୍ଥ କରାଯାଏ ଯେ ତା’ର କୌଣସି ନିଜତ୍ୱ ଇଚ୍ଛା ଅନିଚ୍ଛା ନଥିବ, କୌଣସି ମତାମତର ଆଗ୍ରହ ନଥିବ । ସେଥିପାଇଁ ସାଧନାମାର୍ଗରେ ବ୍ରତୀକୁ ନିଜକୁ ଗୁରୁଙ୍କ ପାଦରେ ସମର୍ପଣ କରିଦେବାର ଉପଦେଶ ଦିଆଯାଏ । ସେ ଆଉ ନିଜର ବୁଦ୍ଧି ବିବେକ ଖଟେଇବ ନାହିଁ । ଗୁରୁଙ୍କର ବାକ୍ୟ ଶିରୋଧାର୍ଯ୍ୟ କରି ଚାଲିବ ।

 

ଆଧୁନିକ ଯୁଗରେ ସେହିପରି ବିପ୍ଳବୀ ରାଜନୀତିକ ଦଳମାନଙ୍କରେ ନେତା ବା ଦଳ ପ୍ରତି ସମ୍ପୂର୍ଣ୍ଣ ଆନୁଗତ୍ୟକୁ ଆଦର୍ଶ ବୋଲି ଧରାଯାଏ । ସନ୍ତ୍ରାସବାଦୀ ଦଳମାନଙ୍କରେ ‘ଦାଦା’ଙ୍କ ପ୍ରତି ଏଭଳି ଆନୁଗତ୍ୟ ଦାବି କରାଯାଉଥିଲା । ମାର୍କ୍‌ସବାଦର ପନ୍ଥା ଗ୍ରହଣ କରିଥିବା ଦଳମାନଙ୍କରେ ‘ପଲିଟ୍‌ବ୍ୟୁରୋ’ ପ୍ରତି ଏହା ଦାବି କରାଯାଏ । ନିଜର ବିଚାର ବା ବିବେକର ସ୍ୱତନ୍ତ୍ରତା ରଖିବା ଚେଷ୍ଟାଟାକୁ ପେତିବୁର୍ଜୋଆ ବା ବୁର୍ଜୋଆ ମନୋଭାବ ବାକି ରହିଥିବାର ଲକ୍ଷଣ ବୋଲି ମନେ କରାଯାଏ ।

 

ଦମ୍ଭ ଓ ଦର୍ପ ଅର୍ଥରେ ଅହଙ୍କାର ଯୋଗୁଁ ଏ ଦୁନିଆରେ ବହୁତ ଉତ୍ପାତ୍‌ ସୃଷ୍ଟି ହେବାର ଦେଖାଯାଉଛି, ଏକଥା ସତ । ବୀରାଧିବୀରବର ପୂର୍ଣ୍ଣପରାକ୍ରମକେଶରୀ ଦଣ୍ଡଧର ବୈରିଗଞ୍ଜନ ମହାପାତ୍ରେ ଯେତେବେଳେ ଧରିଆଣ, ବାନ୍ଧିଆଣ ବୋଲି ହୁକୁମ ଦେଉଥିଲେ, ଗର୍ଭିଣୀ ଗାଈ ଯାହାଙ୍କୁ ବାଟ ଛାଡ଼ିଦେଉଥିଲା, ‘‘ଏଁ ! ମୋ କଥା ଶୁଣିଲା ନାହିଁ’’ ବୋଲି ପ୍ରଜାଙ୍କର ଘର ଧୂଳିରେ ମିଶେଇ ଦେଉଥିଲେ, ସେତେବେଳେ ଲୋକେ ତ୍ରାହି ତ୍ରାହି ଡାକ ଛାଡ଼ୁଥିଲେ । ଗୀତାରେ ବର୍ଣ୍ଣନା ଦେଇଛି–

 

ଇଦମଦ୍ୟ ମୟା ଲବ୍‌ଧଂ ଇମଂ ପ୍ରାପ୍‌ସ୍ୟେ ମନୋରଥମ୍‌

ଇଦମସ୍ତି ଇଦମପି ମେ ଭବିଷ୍ୟତ ପୁନର୍ଧନମ୍‌

ଅସୌ ମୟା ହତଃ ହନିଷ୍ୟେ ଚାପରାନପି ।

ଈଶ୍ୱରୋଽହଂ ଅହଂ ଭୋଗୀ ସିଦ୍ଧୋଽହଂ ବଳବାନ ସୁଖୀ

ଆଢ଼୍ୟୋଽଭିଜନବାନସ୍ମି କୋଽନ୍ୟୋଽସ୍ତି ସଦୃଶୋ ମୟା

ଯକ୍ଷ୍ୟେ ଦାସ୍ୟାମି ମୋଦିଷ୍ୟେ ଇତ୍ୟଜ୍ଞାନବିମୋହିତାଃ ।

 

ମୁଁ ଆଜି ଏକଥା ପାଇଲି, କାଲି ମୋର ଆର ମନକାମନା ପୂର୍ଣ୍ଣ ହେବ । ମୋର ଏ ଧନ ଅଛି । କାଲି ଆହୁରି ଆସିବ । ଏ ଶତ୍ରୁକୁ ମୁଁ ମାରିଲି, ଆଉରି ସବୁ ମାରିବି । ମୁଁ କ୍ଷମତାଶୀଳୀ, ଐଶ୍ୱର୍ଯ୍ୟବାନ୍‌, ମୁଁ ଭୋଗୀ, ମୁଁ ସିଦ୍ଧ, ମୁଁ ବଳବାନ୍‌ ଓ ସୁଖୀ । ମୁଁ ଅଭିଜାତ, ମୋ ହାତରେ ବହୁତ ଲୋକ ଅଛନ୍ତି । ମୋ ପରି ଆଉ କିଏ ଅଛି ? ମୁଁ ଯଜ୍ଞ କରିବି, ଦାନ କରିବି, ଲୋକଙ୍କ ତୁଷ୍ଟ କରିବି–ଏଇଭଳି ଅଜ୍ଞାନରେ (ଆସୁରୀ ପ୍ରକୃତି)ର ଲୋକ ମୋହିତ ହେଇଥାଏ ।

 

ଗୀତିଯୁଗରେ ଓ ତା’ପରେ ବି ସାଆନ୍ତିଆ ଶ୍ରେଣୀର ଚରିତ୍ର ଏଇ ପ୍ରକାରର ଥିଲା । କେତେ ସିକନ୍ଦର, ଚେଙ୍ଗୀଜ, ତୈମୁର, ଚଣ୍ଡାଶୋକ, ହିଟଲର୍‌ ଏ ଦୁନିଆକୁ ଏହିପରି ଦହଗଞ୍ଜ କରିଛନ୍ତି । ଏବେ ବି ସେଇ ସାଆନ୍ତିଆ ଯୁଗର ବିଚାର ଦ୍ୱାରା ପ୍ରଭାବିତ ଚରିତ୍ର ଆମ ଦେଶର ଓ ଅନ୍ୟ ଅନେକ ଦେଶର ଶାସକଶ୍ରେଣୀର ଦେଖାଯାଉଛି । କିନ୍ତୁ ସମସ୍ତଙ୍କର ଚରିତ୍ର ବା ମୁଁ କାର କ’ଣ ଏଇମିତିଆ ?

 

କଳାହାଣ୍ଡି ଜିଲ୍ଲାରେ ୧୯୬୬ରେ ଦୁର୍ଭିକ୍ଷ ପଡ଼ିଲାରୁ ସେଠାକୁ ଯେଉଁମାନେ ସେବାକାର୍ଯ୍ୟ କରିବାକୁ ଗଲେ ସେମାନେ ଦୂର ମଫସଲ ଭିତରେ ପଶି ଏକ ଅଦ୍ଭୂତ ଦୃଶ୍ୟ ଦେଖିଲେ । ସେମାନେ ଦେଖିଲେ ଯେ ସେଠାର ସାଧାରଣ ଲୋକେ ଧୋବଧାଉଳିଆ ଲୋକ ଦେଖିଲେ ଗୋଟାଏ ଗୋଡ଼ରେ ଛିଡ଼ା ହେଇ ଅଣ୍ଟା ଭାଙ୍ଗି ଓଳଗି ହେଉଛନ୍ତି । ସେମାନେ ପୂରା ମଣିଷପଣିଆର ଅଧିକାରୀ ନୁହନ୍ତି, ଏଇ କଥାଟାର ପ୍ରମାଣ ଦେବାପାଇଁ ବୋଧହୁଏ ତାଙ୍କୁ ଏ ପ୍ରକାରର ‘ବିନୟ’ ଶିଖାହେଇଥିଲା । ଆଗ ଏଣେ ମୋଗଲବନ୍ଦୀ ଜିଲାମାନଙ୍କରେ ବି ଜମିଦାର ବା ଖାଉନ୍ଦ ପାଖରେ ପ୍ରଜା ବା ନୌକର ‘‘ମୁଁ ହଜୁରଙ୍କର ଘୁଅମୂତ ପୋଛି ଚଳୁଛି’’ ବୋଲି କହିବାର ବିଧି ଥିଲା । ଏବେ ବି ପୂରା ଲୋପ ହେଇ ନଥିବ । ଏଠି ତ ପୋଛିବାଯାଏ କଥା ଥିଲା, ହାଇଦ୍ରାବାଦ ରାଜ୍ୟରେ ‘ଖାଇ କରି ବଞ୍ଚିଛି’ ବୋଲି କୁହାଯାଉଥିଲା ବା କୁହାଯାଏ । ସେ କାଳରେ ସାଉଁଟି ଜେନା ବାଟରେ ଚାଲିବାବେଳେ ତେଣୁ ସା’ନ୍ତ ଜାତିର କାହାକୁ ଆସିବାର ଦେଖିଲେ ବାଟରୁ ଆଡ଼େଇ ଯାଇ, ବନ୍ଧ ତଳକୁ ଖସି ଛିଡ଼ା ହେଇ ଜୁହାର ହେଉଥିଲେ । ଏମାନଙ୍କର ଏ ଆଚରଣ କ’ଣ ଅହଙ୍କାରଶୂନ୍ୟତା ? ଯଦି ବା ହେଇଥାଏ ତେବେ ତ ଅନେକ ଆଡ଼େ ଏମାନଙ୍କର ନାତିମାନେ ଯେ ସା’ନ୍ତଙ୍କୁ ଦେଖିଲେ ଆଉ ବାଟ ତଳକୁ ଓହ୍ଲେଇ ଯାଉନାହାନ୍ତି, ସା’ନ୍ତ ପିଲାମାନଙ୍କ ସାଙ୍ଗରେ ଏକା ବେଞ୍ଚ୍‌ରେ ବସି ପାଠ ପଢ଼ୁଛନ୍ତି, ବେଳେବେଳେ ସା’ନ୍ତଙ୍କ ସାଙ୍ଗରେ ମାଡ଼ଗୋଳ କରିବାକୁ ବି ଉଦ୍ୟତ ହେଉଛନ୍ତି, ଏଇଟା ଆଧ୍ୟାତ୍ମିକ ଅବନତି ନା ଉନ୍ନତି ? ଏଭଳି ସମସ୍ତଙ୍କ ଭିତରେ ତ ନିଜକୁ ସାବ୍ୟସ୍ତ କରିବାର ଶକ୍ତି ଆଉ ସମ୍ମାନବୋଧ ଜଗେଇବା ପ୍ରଥମ କାମ, ଯେଉଁଥିରେ ସେମାନଙ୍କର ‘‘ଆମେ ବି ମଣିଷ’’ ବୋଧଟା ଜାଗ୍ରତ ହେବ ।

 

ପୁରୁଣା ସମାଜ ମୋଟାମୋଟି ଦୁଇ ଭାଗରେ ବାଣ୍ଟ ହେଇଥିଲା–ହୁକୁମ କରିବାବାଲା ଓ ହୁକୁମ ମାନିବାବାଲା । ଏ ଭେଦ ବଂଶଗତ ଥିଲା (ଗଣତନ୍ତ୍ର ବ୍ୟବସ୍ଥାରେ ସିଦ୍ଧାନ୍ତ ଦୃଷ୍ଟିରୁ ଏ ଭେଦ ଉଠିଗଲେ ବି କାର୍ଯ୍ୟତଃ ଯାଇନାହିଁ ।) ହୁକୁମ ମାନିଲାବାଲା ଯଦି କିନ୍ତୁ କିମ୍ବା ନ କରି ମୁହଁ ବୁଜି କାମ କରିଯା’ନ୍ତି ତେବେ ଗାଡ଼ି ସୁରୁଖୁରୁରେ ଚାଲିବ; ତାହା ସା’ନ୍ତଙ୍କ ଜମିଦାରୀ ହେଇଥାଉ, ବିଡ଼ଲାଙ୍କର କାରଖାନା ହେଉ ବା ଶ୍ରୀମତୀ ଗାନ୍ଧୀଙ୍କର ଶାସନ ହେଉ ।

 

ନିରହଙ୍କାରିତା ବିଷୟରେ ଲୋକଙ୍କୁ ଗତାନୁଗତିକ ଉପଦେଶ ସମାଜବ୍ୟବସ୍ଥାର ଏଇ ଆବଶ୍ୟକତା ସହିତ ବେଶ୍‌ ସୁନ୍ଦର ଖାପ ଖାଇଯାଇଥିବାର ଦେଖାଯାଏ । ସାଧକ ଯେମିତି ଗୁରୁଙ୍କ କଥା ମାନିବେ, ସେମିତି ସାଧାରଣ ଲୋକ ଶାସକ ଓ ମାଲିକଙ୍କ କଥା ମାନିବେ–ଏଇ ସମୀକରଣଟା ଜାଣତରେ, ଅଜାଣତରେ ବରାବର ହେଇ ଆସିଛି । ଏହାର ଘରୋଇ ରୂପ ହେଲା ପିଲାଙ୍କର ‘ଜିଦି’ ଭାଙ୍ଗିବା । ସାନପିଲାର କୌଣସି ଇଚ୍ଛା ଅନିଚ୍ଛା ରହିବ ନାହିଁ, ସେ ବଡ଼ଙ୍କର କଥା ମାନି ଚଳିବ । ‘‘ଏଡ଼େ ବକଟେ ପିଲା, ତା’ର ଫେର୍‌ ଏତେ ଜିଦି କ’ଣ ?’’ ଘରେ ବାପମା’ ଏଇ ଉଦ୍ୟମ ପ୍ରାଣପଣେ ଚଳାନ୍ତି । ଟିକିଏ ବଡ଼ ହେଲେ ଇସ୍କୁଲ କଲେଜରେ ପଢ଼ିଲେ, ବାପମା’ଙ୍କର ଅପାରଗତା ଯୋଗୁଁ ଯେତକ ଜିଦି ବାକି ରହିଯାଇଥାଏ, ତା’କୁ ଭାଙ୍ଗିବା ପାଇଁ ସଭାସମିତିମାନଙ୍କରେ ରାଷ୍ଟ୍ରପତିଙ୍କଠୁଁ ସମ୍ବାଦପତ୍ର ସମ୍ପାଦକଙ୍କ ଯାଏ ଉପଦେଶ ବିତରଣ କରନ୍ତି–ଭଲ ମଣିଷ ହୁଅ, କଥା ମାନ । ଆହୁରି ବଡ଼ ହେଲେ ଆଧ୍ୟାତ୍ମିକତାର ଉପଦେଶ ଶୁଣନ୍ତି–ଅହଂଶୂନ୍ୟ ହୁଅ । ଗୀତାର ବର୍ଣ୍ଣନା ଅନୁସାରେ ଯେଉଁମାନେ ଐଶ୍ୱର୍ଯ୍ୟ ଓ କ୍ଷମତାକୁ ଆବୁରି କରି ବସିଛନ୍ତି, ସେଇମାନେ ଶାସିତମାନଙ୍କୁ ଏସବୁ ଉପଦେଶ ଶୁଣାଇବାର ଦେଖାଗଲେ ସେମାନଙ୍କର ଉଦ୍ଦେଶ୍ୟ ବିଷୟରେ ସନ୍ଦେହ ହେବା ସ୍ୱାଭାବିକ ।

 

ତେବେ ଗାନ୍ଧୀଜୀ ବି କହୁଥିଲେ ଯେ ସେ ନିଜକୁ ‘ଶୂନ୍ୟ’ କରିଦେବା ଉଦ୍ୟମ କରୁଛନ୍ତି । ତେବେ ତାଙ୍କର ଏ ଉଦ୍ୟମର ଅର୍ଥ କ’ଣ ଥିଲା ? ତାଙ୍କର ଗତିବିଧି ଆମେ କି ପ୍ରକାରର ଦେଖୁଁ ? ଗାନ୍ଧୀଜୀଙ୍କ ଭଳି ଜିଦିଖୋର ଲୋକ ଇତିହାସରେ କେତେଜଣ ଦେଖିବାକୁ ମିଳିବେ ? ଗୋଟାଏ ବିଶାଳ ଓ ଶକ୍ତିଶାଳୀ ସାମ୍ରାଜ୍ୟକୁ ଯେ ଏକରକମ ଏକୁଟିଆ ଚୁନୌତି ଦେଇଥିଲେ, ଯେ କହୁଥିଲେ ଯେ ଜଣେ ସତ୍ୟାଗ୍ରହୀ ବି ସାରା ପୃଥିବୀ ବିରୋଧରେ ଛିଡ଼ା ହେଇପାରିବ, ଯେ ଦାବି ପୂରଣ ପାଇଁ ‘କର ଅବା ମର’ ପଣ କରି ଜୀବନକୁ ପାଣି ଛଡ଼େଇ ଦେଉଥିଲେ, ତାଙ୍କର ‘ଶୂନ୍ୟତା’ର ଅର୍ଥ ନିଶ୍ଚୟ ଆଉ ପ୍ରକାରେ ହେଇଥିବ–ଗୁରୁମାନେ ଚେଲାମାନଙ୍କୁ ଯେପରି ଶିଖାନ୍ତି ସେପର ନୁହେଁ ।

 

ପ୍ରକୃତ କଥା ହେଉଛି ମଣିଷର ଅହଂ ବା ମୁଁ କାରକୁ ଲୋପ କରିଦେବାର କଳ୍ପନା ନିରର୍ଥକ । ଜଣେ ବ୍ୟକ୍ତି ଗୋଟାଏ ଅଲଗା ଦେହ ଧରିଥିବା ଯୋଗୁଁ ତା’ର ଗୋଟାଏ ଅଲଗା ପରିଚୟ ଅବଶ୍ୟ ରହିବ । ଦାର୍ଶନିକମାନେ ଏକଥା ବୁଝନ୍ତି । ସେଥିପାଇଁ ସେମାନେ କହନ୍ତି ଯେ ଦେହବନ୍ଧନରୁ ମୁକ୍ତି ମିଳିଲେ ଯାଇ ମୁଁ କାରରୁ ମୁକ୍ତି ମିଳିବ । ଦେହରୁ ମୁକ୍ତି ମିଳିବ ଜନ୍ମ-ମୃତ୍ୟୁର ବନ୍ଧନରୁ ଉଧୁରିଲେ । ତେଣୁ ଜନ୍ମ-ମୃତ୍ୟୁର ଚକ୍ରରୁ ଉଧୁରିବାର ଅବାସ୍ତବ ଲକ୍ଷ୍ୟ ଆଣି ମଣିଷ ଆଗରେ ଛିଡ଼ାକରାହେଇଛି ।

 

ଜୀବବିଜ୍ଞାନରୁ ଦେଖାଯାଉଛି ଯେ ଜୀବର ଶରୀରର ଯେ ମୌଳିକ ଉପାଦାନ ଜୀବକୋଷ, ତାହାରି ଭିତରେ ମଣିଷ କ୍ଷେତ୍ରରେ (ଓ ଅନ୍ୟ ଉଚ୍ଚତର ମେରୁଦଣ୍ଡୀ ପ୍ରାଣୀଙ୍କର ମଧ୍ୟ) ଏଭଳି ବ୍ୟବସ୍ଥା ଖଞ୍ଜାଯାଇଛି ଯେ ପ୍ରତ୍ୟେକ ଜୀବ ସେହି ଜାତିର ଅନ୍ୟ ଜୀବ ଅପେକ୍ଷା କିଛି ନା କିଛି ଅଂଶରେ ଭିନ୍ନ । ଜୀବକୋଷରେ ଯେଉଁ ଜୀନ୍‌ ଓ କ୍ରୋମୋସୋମ୍‌ ବ୍ୟବସ୍ଥା ଖଞ୍ଜାହେଇଛି ତାହାରି ଯୋଗୁଁ ଏଭଳି ହୁଏ । ମଣିଷର ପ୍ରତ୍ୟେକ ଜୀବକୋଷରେ ତେଇଶ ଜୋଡ଼ା କ୍ରୋମୋସୋମ୍‌ ଥାଏ ଓ ପ୍ରତ୍ୟେକ କ୍ରୋମୋସୋମରେ ବହୁସଂଖ୍ୟକ ଜୀନ୍‌ ଥାଏ । ପ୍ରତ୍ୟେକଟି ଜୀନ୍‌ ଗୋଟିଏ ନା ଗୋଟିଏ ବିଶେଷତ୍ୱର, ଚମଡ଼ାର ରଙ୍ଗ, ନାକର ଆକୃତି ଆଦି ଭଳିର, ବାହକ । ପୁରୁଷର ବୀର୍ଯ୍ୟ ଓ ସ୍ତ୍ରୀର ଡିମ୍ବାଣୁରେ ଏଥିରୁ ଅଧେ ଲେଖାଁ କ୍ରୋମୋସୋମ୍‌ ଥାନ୍ତି ଓ ପ୍ରତ୍ୟେକ ଡିମ୍ବାଣୁ ଓ ଶୁକ୍ରକୀଟରେ ଏସବୁର ବଣ୍ଟଓ୍ୱାରା ତାସର ହାତ ଫେଣ୍ଟା ହେଇ ବଣ୍ଟାହେବା ଭଳି ଅଲଗା ଅଲଗା ହେଇଥାଏ । ସନ୍ତାନ ବାପ ଓ ମା’ ଆଡ଼ୁ ଅଧେ ଲେଖା ପାଇ ପୁରା ତେଇଶ ଜୋଡ଼ାର ଅଧିକାରୀ ହୁଏ । ଏ ଫେଣ୍ଟାଫେଣ୍ଟି ଫଳରେ କୌଣସି ଦୁଇ ଜଣ ବ୍ୟକ୍ତି ଏକଦମ୍‌ ଏକାପ୍ରକାର ହେବାର ସମ୍ଭାବନା ବହୁ ସହସ୍ର କୋଟିରେ ଗୋଟିଏ ହେଇଥାଏ । ଏହାର ଅର୍ଥ ହେଲା ଯେ ପ୍ରତ୍ୟେକ ବ୍ୟକ୍ତିଠାରେ ଅନ୍ୟ ସମସ୍ତଙ୍କଠାରୁ କିଛି ବିଶେଷତା ଥାଏ ଓ ଯଦି ତାହାର ଯଥାଯଥ ଉତ୍କର୍ଷ କରାଯାଏ ତେବେ ତାହାରି ବଳରେ ପ୍ରତ୍ୟେକ ବ୍ୟକ୍ତି ମାନବ ସଂସ୍କୃତିର ପ୍ରବାହକୁ ସମୃଦ୍ଧ କରିବା ଭଳି କିଛି ନା କିଛି ଅବଦାନ ଦେଇଯାଇପାରେ ।

 

ବ୍ୟକ୍ତିର ବ୍ୟକ୍ତିତ୍ୱ ବଳିଷ୍ଠ ହେଇ ଗଢ଼ିଉଠିଲେ ଯାଇ ସେ ଏହି ପ୍ରକାରେ ନିଜର ଅବଦାନ ଦେଇପାରେ । ମନୋବିଜ୍ଞାନ ଓ ସାମାଜିକ ମନୋବିଜ୍ଞାନର ପର୍ଯ୍ୟାଲୋଚନାରୁ ଯାହା ଦେଖାଯାଉଛି ‘ମୁଁ କାର’କୁ ଆଶ୍ରା କରି ହିଁ ବ୍ୟକ୍ତିତ୍ୱ ଗଢ଼ି ଉଠେ; ସମନ୍ୱିତ ଓ ବଳିଷ୍ଠ ହୁଏ । ମଣିଷର ଏ ‘ମୁଁ କାର’ ତା’ର ଜନ୍ମରୁ ବା ଜନ୍ମପୂର୍ବରୁ ତା’କୁ ମିଳି ନ ଥାଏ । କେବଳ ତା’ର ଉପାଦାନ ତା’ର ମାନସିକ ରଚନା ଭିତରେ ରହିଥାଏ । ପିଲା ଜନ୍ମ ହେବା ପରେ ଅନେକ କାଳପର୍ଯ୍ୟନ୍ତ ନିଜର ହାତଗୋଡ଼କୁ ନିଜର ବୋଲି ଚିହ୍ନି ଶିଖି ନ ଥାଏ । ମା’ର କୋଳ ଓ ସ୍ତନକୁ ସେ ନିଜର ଅଂଶ ବୋଲି ଜାଣୁଥାଏ । ମା’ଠୁଁ ନିଜର ଅଲଗା ଅସ୍ତିତ୍ୱ ଉପଲବ୍‍ଧି ଓ ସାବ୍ୟସ୍ତ କରିବା ପାଇଁ ତା’କୁ ବେଶ୍‌ କେତେ ମାସ ଲାଗେ । ନିଜ ଦେହକୁ ଅଲଗା କରି ଚିହ୍ନିବା ପରେ ମାନସିକ ସ୍ତରରେ ନିଜର ସ୍ୱତନ୍ତ୍ରତା ଓ ଆତ୍ମନିର୍ଭରଶୀଳତା ହାସଲ କରିବାକୁ ବର୍ଷ ବର୍ଷ ବିତିଯାଏ । ଅନେକେ ବୁଢ଼ା ହୋଇ ମରିବାଯାଏ ଏହା ହାସଲ କରିପାରି ନ ଥାନ୍ତି । ନିଜର ବାପା ମା’ ଗତ ହେଇଗଲେ କୌଣସି ‘ଆଧ୍ୟାତ୍ମିକ’ ବାବା ବା ମା’ଙ୍କୁ ଆଶ୍ରା କରି ବଞ୍ଚନ୍ତି ।

 

‘‘ମୁଁ କିଏ ?’’ ଏହି ପ୍ରଶ୍ନର ଉତ୍ତର ପିଲାଟିଏ ତା’ର ପରିବାର ଓ ଆଖପାଖରୁ ଯାହା ପାଏ ତାହା ହିଁ ନିଜର ରୂପ ବୋଲି ଶିଖେ । ‘‘ତୁଟା ଭାରି ଦୁଷ୍ଟ’’ ବୋଲି ବରାବର ଶୁଣିଲେ ସେ ନିଜକୁ ଦୁଷ୍ଟ ବୋଲି ଜାଣିବାରେ ଅଭ୍ୟସ୍ତ ହେଇଥାଏ । ନିଜକୁ କରଣ, ଖଣ୍ଡେଇତ ବା ହରିଜନ ବୋଲି ଚିହ୍ନି ଶିଖେ । ଏଡ଼େଟିଏ ହେବା ଦିନୁଁ କରଣପିଲା ହଳିଆମୂଲିଆଙ୍କୁ ଅକଡ଼େଇ କଥେ କହିବା ଶିଖେ । ମୂଲିଆଘର ପିଲା ସବୁ ଭଲମନ୍ଦ ଶୁଣି ଚୁପ୍‌ ରହିବାକୁ; ସା’ନ୍ତଙ୍କୁ ଦେଖିଲେ ରାସ୍ତାରୁ ଓହରିଯାଇ ତଳେ ଛିଡ଼ାହେବାକୁ ଶିଖେ । ବଡ଼ ହାକିମଙ୍କ ପିଲା କିରାଣି, ଚପରାସୀଙ୍କଠାରୁ ନିଜର ପାହ୍ୟା ଉଚ୍ଚ, ସେମାନେ ନଗଣ୍ୟ, ତୁଚ୍ଛ ବୋଲି ଶିଖେ । ଏହିପରି ପ୍ରତ୍ୟେକେ ‘‘ମୁଁ କିଏ ?’’ ଏ ପ୍ରଶ୍ନର ଯେଉଁ ଉତ୍ତର ତାଙ୍କ ପାଇଁ ପରମ୍ପରାଗତ ସମାଜ ଠିକ୍‌ କରି ରଖିଛି, ସମାଜରେ ତାଙ୍କ ପାଇଁ ଯେଉଁ ସ୍ଥାନ ଓ କର୍ମ ନିର୍ଦ୍ଦିଷ୍ଟ କରି ଦେଇଛି ତାହାକୁ ହିଁ ପିଲାମାନେ ବିନା ଆୟାସରେ ଗ୍ରହଣ କରନ୍ତି-। ପିଲା ଯେମିତି ଅନାୟାସରେ ‘‘ଏଇଟା ଘର’’ ‘‘ଏଇଟା ଘୋଡ଼ା’’ ବୋଲି ଚିହ୍ନି ଶିଖେ ସେମିତି, ‘‘ମୁଁ ଗୋଟିଏ ଛୋଟ ଜାତିର ପିଲା, ମୁଁ ଦୁଷ୍ଟ । ମତେ କେହି ଭଲ ପାନ୍ତି ନାହିଁ, ମୁଁ କରଣ ବ୍ରାହ୍ମଣ ପିଲାଙ୍କଠୁଁ ହୀନ ! ଗରିବ ହେଇ ପରଘରେ ବେଠି ଖଟିବା ଠାକୁରେ ମୋ କପାଳରେ ଲେଖିଛନ୍ତି....’’ ଇତ୍ୟାଦି ଶିଖେ ।

 

ଏହା ସାଙ୍ଗକୁ ସେ ତା’ର ଘରର ପରିସ୍ଥିତି ଅନୁସାରେ ତା’ର ‘ମୁଁ’ ରେ ଆଉ କେତେକ ବିଭାଗ ଯୋଡ଼ିଥିବ । ‘‘ମୁଁ ରଥ ଜେନା ପୁଅ ।’’ ‘‘ମୁଁ ବାମନବାବୁଙ୍କ ପ୍ରଜା’’–ଏହିଭଳି ସବୁ କଥା । ଆମର ଅଣଖିଆ ଚାଷଘରେ ଜଣେ ମୂଲିଆ ଥିଲା; ତା’ ନାଁ ଦାମା । ତା’ର ମା’ର ପରିଚୟ ଥିଲା ଦାମାମା’ । ଦାମାର ପରିଚୟରେ କୁହାଯାଏ ଯେ ସେ ଦାମାମା’ ପୁଅ; ଅର୍ଥାତ୍‌ ‘ଦାମାମା’ ସଂଜ୍ଞା କେବଳ ଦାମା ସହିତ ତାର ମା’ର ସମ୍ପର୍କ ସୂଚଉ ନଥିଲା–ସେ ସ୍ତ୍ରୀଲୋକଟିର ବ୍ୟକ୍ତିତ୍ୱର ପରିଚୟ ହିଁ ‘ଦାମାମା’ । ତା’ର ସ୍ୱାମୀ ମରିଯାଇଥିବାରୁ ତା’ର ପରିଚୟର ଆଉ ଗୋଟାଏ ଫାଳ ହଜିଯାଇଥିଲା । ତା’ ନ ହେଲେ ସେ ‘ନୋକା ଭାରିଯା’ ବୋଲି ପରିଚିତ ଥିଲା । ଆମ ଦେଶରେ ସ୍ତ୍ରୀଲୋକମାନଙ୍କର ମୁଁ କାର, ସେମାନଙ୍କର ବ୍ୟକ୍ତିତ୍ୱ, ଏହିପରି ଭାବରେ ସେମାନଙ୍କର ବାପ, ସ୍ୱାମୀ ଓ ବା ପୁଅର ଏକ ବିସ୍ତାର ଭାବରେ ନିର୍ଦ୍ଦିଷ୍ଟ ହେଇଥାଏ । ତା’ ବାହାରେ ସେମାନଙ୍କର ପ୍ରାୟ ସ୍ୱତନ୍ତ୍ର ଅସ୍ତିତ୍ୱ ଆଉ କିଛି ନଥାଏ ।

 

ସରକାରୀ ଜନଗଣନାରେ ସେତେବେଳେ (୧୯୩୧) ଦାମା ଓ ଦାମାମା’କୁ ଭାରତୀୟ, ଓଡ଼ିଆ, ବାଉରି, ଭୂମିହୀନ ଓ ନିରକ୍ଷର ବୋଲି ବର୍ଣ୍ଣନା କରାଯାଇଥିବ । ସାମ୍ୟବାଦୀ ଓ ସମାଜବାଦୀ କର୍ମୀମାନେ ତାଙ୍କୁ ଶୋଷିତ, ଲାଞ୍ଛିତ, ସର୍ବହରା ବୋଲି ଚିହ୍ନିତ କରିଥିବେ । ଗାନ୍ଧୀ ଓ ବିବେକାନନ୍ଦଙ୍କ ଚେଲାମାନେ ତାଙ୍କୁ ଦରିଦ୍ରନାରାୟଣଙ୍କର ମୂର୍ତ୍ତିମନ୍ତ ସ୍ୱରୂପ ବୋଲି ବିଚାରୁଥିବେ । ମାତ୍ର ସେମାନଙ୍କର ଆତ୍ମଚେତନାରେ ଏସବୁର ସ୍ପର୍ଶ କ୍ୱଚିତ୍‌ ଥିଲା । ବାମପନ୍ଥୀମାନେ ଅଭିଜ୍ଞତାରୁ ଜାଣନ୍ତି, ସେମାନେ ଶୋଷିତ ଲାଞ୍ଛିତ ବୋଲି ଲୋକଙ୍କର ହୃଦ୍‌ବୋଧ କରାଇବା କେଡ଼େ କଠିନ । ଦେଶପ୍ରେମୀ ବି ସେହିପରି ଅନୁଭବ କରୁଥିବେ । ସେମାନେ ଓଡ଼ିଆଭାଷା କହୁଥିଲେ; ତେଣୁ ଓଡ଼ିଆ, ମାତ୍ର ‘‘ଓଡ଼ିଆ ଜାତିର ଗଉରବ ଗାନ’’, ଓଡ଼ିଆ ଜାତିର ଟେକ ରକ୍ଷା ପାଇଁ ‘‘ଜାତିପ୍ରେମବହ୍ନି ପ୍ରଜ୍ୱଳିତ’’ କରିବାର ମଧୁସୂଦନଙ୍କର ଡାକରା ତାଙ୍କ ପ୍ରାଣକୁ ଛୁଇଁବାର ବାଟ ଫିଟି ନ ଥିଲା । ଭାରତ ବୋଲନ୍ତେ ତାଙ୍କ ଦୃଷ୍ଟିରେ ମହାଭାରତ ପୋଥି । ସେତେବେଳେ ଭାରତ ଦେଶର କଳ୍ପନା ହିଁ ସେମାନଙ୍କର ନ ଥିଲା । ‘‘ତୁମେ ଭାରତୀୟ, ଦେଶ ପାଇଁ ତ୍ୟାଗ କର’’ ର ଆହ୍ୱାନର କୌଣସି ପ୍ରତିଧ୍ୱନି ସେମାନଙ୍କର ହୃଦୟରେ ଉଠିବା ସମ୍ଭବ ନ ଥିଲା ।

 

ଆମେ ପିଲାଦିନେ ନିଜକୁ ଓଡ଼ିଆ ବା ବଙ୍ଗାଳୀ ବୋଲି ଜାଣୁଥିଲୁ । ପରସ୍ପରକୁ ଚିଡ଼େଇବା ପାଇଁ କହୁଥିଲୁ ‘‘ବଙ୍ଗାଳୀ ଟଙ୍ଗଟଙ୍ଗାଳୀ’’ ବା ‘‘ଓଡ଼ିଆ ଦେଢ଼ଗୋଡ଼ିଆ ।’’ କ୍ରମେ ଗାନ୍ଧୀଙ୍କର ହାଓ୍ୟା, ନଈବାଲି ବକ୍ତୃତାର ଉଡ଼ାକଥା, ବିଲାତି ଲୁଗାପୋଡ଼ାର ଧାସ ଆମ ଦେହରେ ବାଜିଲା । ଆମର ‘ମୁଁ’ରେ ଭାରତୀୟତାର ବିଭାବ ଯୋଡ଼ାହେଲା ।

 

କେତେ ମେଳା ମଉଛବରେ ଦର୍ପଣଘର ଥାଏ । ସେଥିରେ ନାନାରକମର ବଙ୍କା ତେଢ଼ା ଆରସୀ ଥାଏ ଯେଉଁଥିରେ ମଣିଷକୁ ତା’ର ଚେହେରା ନାନାପ୍ରକାର ବିକୃତ ଆକାରରେ ଦେଖାଯାଏ । ସେମିତି ମଣିଷ ସମାଜ ତା’ ଚାରିପଟେ ଟେକି ଧରିଥିବା ଆରସୀରେ ନିଜର ନାନାପ୍ରକାରର ରୂପ ଦେଖି ସେଲଗୁଡ଼ାକ ନିଜ ‘ମୁଁ’ରେ ସାମିଲ କରିନିଏ । ପୁଣି ମଣିଷ ନିଜ ଭିତରେ ଥିବା ପ୍ରବୃତ୍ତି, ପ୍ରେରଣା ଆଦିର ସମ୍ମୁଖୀନ ହୁଏ ଓ ସେସବୁକୁ କି ଭାବରେ ଦେଖିବ, ସେସବୁକୁ ସ୍ୱୀକାର କରିବ, କି ଅସ୍ୱୀକାର କରିବା ତାହା ତାକୁ କାଳକ୍ରମେ ସ୍ଥିର କରିବାକୁ ହୁଏ । ତା’ ଭିତରେ ଥିବା ପରାକ୍ରମବୃତ୍ତି, କାମପ୍ରବୃତ୍ତି, ଜିଜ୍ଞାସା, ସ୍ନେହପ୍ରମ, ବିସ୍ମୟ ଆଦିକୁ ଠିକ୍‌ ଭାବରେ ବ୍ୟବହାର କରି ଜାଣି ନିଜ ମୁଁ କାର ଭିତରେ ସାମିଲ କରିପାରିଲେ ବ୍ୟକ୍ତିତ୍ୱ ସମନ୍ୱିତ ଓ ସବଳ ହୁଏ; ନୋଚେତ୍‌ ଖଣ୍ଡିତ ଓ ଦୁର୍ବଳ ହୁଏ । ସେ ନିଜର ସ୍ୱରୂପ ବିଷୟରେ ଭାବିବା ବି ଆରମ୍ଭ କରେ । ସେ ଯାହା ପଢ଼େ, ଯାହା ଶୁଣେ ସାଇପଡ଼ିଶା, ମାଟି ପବନ, ଆକାଶ, ଗଛବୁରୁଛ, ପଶୁପକ୍ଷୀଙ୍କ ସହିତ ତା’ର ସମ୍ବନ୍ଧ, ଏସବୁ ବି ତା’ର ମୁଁ କାରର ଅଂଶ ହେଇଯାଏ । ସେ ସୃଷ୍ଟିକୁ କି ଆଖିରେ ଦେଖିବ, ତାହା ସହିତ କି ପ୍ରକାରେ କାରବାର କରିବ ଏସବୁ ଏହିପରି ନିର୍ଣ୍ଣିତ ହୁଏ ଓ ଏହା ମଣିଷର ‘ମୁଁ’କାରର ଅଂଶ ।

 

(୨)

 

ସହରରେ କାହାରିକୁ ପଚାରିଲେ ସେ କହିବେ–‘‘ମୁଁ ସେକେଣ୍ଡ ଗ୍ରେଡ୍‍ କିରାଣି ।’’ ଆଉ କିଏ କହିବେ–‘‘ମୁଁ ଆଇ. ଏ. ଏସ୍‌. ଅଫିସର୍‌’’, ‘‘ମୁଁ ଟାଇପିଷ୍ଟ’’, ‘‘ମୁଁ ବସ୍‌ କଣ୍ଡକ୍ଟର୍‌’’ ଇତ୍ୟାଦି । ଅଧିକାଂଶ କ୍ଷେତ୍ରରେ ଏସବୁ କେବଳ ସେହି ସେହି ବ୍ୟକ୍ତିଙ୍କର ଧନ୍ଦାର ପରିଚୟ ହିସାବରେ କୁହାଯାଇ ନଥାଏ । ନିଜର ଅସ୍ତିତ୍ୱ ଓ ବ୍ୟକ୍ତିତ୍ୱର ସାରସର୍ବସ୍ୱ ହିଁ ସେ ଏତିକିରେ ଜାଣିଥାନ୍ତି । ଗୋଟାଏ ମୋଟର୍‌ର ପାର୍ଟର ଚରମ ପରିଚୟ ହେଲା ମୋଟର୍‌ ଗାଡ଼ିରେ ତା’ର ସ୍ଥିତି-ତା’ର ବ୍ରେକ୍‌, ଚୋକ୍‌, ପ୍ଳଗ୍‌, ରେଡ଼ିଏଟର ବା ଟାୟାର । ଏହାଛଡ଼ା ସେ ପାର୍ଟର ଅନ୍ୟ ପରିଚୟ, ଅନ୍ୟ ଉପଯୋଗିତା ନାହିଁ । ସେହିପରି ମଣିଷର ସମସ୍ତ ପରିଚୟ ଲୁପ୍ତ ହେଇ ସେ ହୁଏ ସମାଜତନ୍ତ୍ର ବା ଶାସନତନ୍ତ୍ରର ଗୋଟାଏ କ୍ଷୁଦ୍ର ପାର୍ଟ । ତା’ ବାହାରେ ସେ କେହି ନୁହେଁ । ନିଜକୁ ସେ ନାଗରିକ ବୋଲି ବି ଭାବେ ନାହିଁ । ନାଗରିକର ଅଧିକାର ଓ କର୍ତ୍ତବ୍ୟ, ଜଣେ ମଣିଷ ହିସାବରେ ତା’ର ବିବେକ ଓ ବିବେଚନା ଶକ୍ତି, ଏସବୁର ସମାବେଶ ତା’ର ମୁଁ କାର ଭିତରେ ଅନେକ ସମୟରେ ହେଇ ନଥାଏ । ଆଜି ମଣିଷକୁ ଏ ଖଣ୍ଡିତ ବ୍ୟକ୍ତିତ୍ୱର ଶାପରୁ ମୁକ୍ତ ନ କଲେ ସେ ଏ ଶୋଷଣ ଓ ଦମନମୂଳକ ସମାଜର ଚାପରୁ ମୁକ୍ତ ହେଇପାରିବ ନାହିଁ । ଆଇଷ୍‌ମାନ୍‌ର କାହାଣୀ ପୂର୍ବରୁ ଆଲୋଚନା କରାହେଇଛି । ଅତି ସାଧାରଣ, ଶାନ୍ତଶିଷ୍ଟ ଲୋକ ଦ୍ୱାରା ସେଭଳି ପୈଶାଚିକ କୃତ୍ୟ ହେଇପାରିଲା; କାରଣ ତା’ର ବ୍ୟକ୍ତିତ୍ୱ ଗାନ୍ଧୀକଳ୍ପିତ ସତ୍ୟାଗ୍ରହୀର ବ୍ୟକ୍ତିତ୍ୱର ବିପରୀତ ମେରୁରେ ଥିଲା । ଜଣେ ସତ୍ୟାଗ୍ରହୀ ନିଜର ବିବେକ ଓ ନ୍ୟାଯ୍ୟ ଅଧିକାର ପାଇଁ ସାରା ପୃଥିବୀ ବିରୋଧରେ ଛିଡ଼ା ହେଇପାରିବା କଥା, ଆଉ ଖଣ୍ଡିତ ବ୍ୟକ୍ତିତ୍ୱ ହୁକୁମ ତାମିଲ କରିବା ପାଇଁ ସାରା ପୃଥିବୀର ଧ୍ୱଂସ କରି ଦେଇପାରେ । ଗାନ୍ଧୀର ସତ୍ୟାଗ୍ରହୀର ଏ କଳ୍ପନା ଆମର ପ୍ରଚଳିତ ଧାରଣା ଅନୁସାରେ କେତେ ବଡ଼ ‘ଅହଂକାର’ର କଥା ! ଗାନ୍ଧୀ କେବଳ ନିଜେ ଏଭଳି ‘ଜିଦିଖୋର୍‌’ ନଥିଲା । ଦେଶର ପିଲାଠାରୁ ବୁଢ଼ାଯାଏ ସମସ୍ତଙ୍କୁ ସେପରି କରି ଗଢ଼ିବାକୁ ଚାହୁଁଥିଲା ।

 

ମୁଁ ନଗଣ୍ୟ ନୁହେଁ, ଅକିଞ୍ଚିତ୍କର ନୁହେଁ, ମୁଁ ଗୋଟାଏ କିଛି’’–ଏଭଳି ଏକ ଭାବ ମଣିଷର ଜନ୍ମଜାତ ଥିବାର ଦେଖାଯାଏ । ଏହାକୁ ହିଁ ପୁରୁଣା ସମାଜ ‘‘ମୁଁ ଛାର ପାମର, ଜ୍ଞାନ ନାହିଁ ମୋର’’ ବୋଲି ଭଜେଇ ଭଜେଇ ଦଳିଦେବାକୁ ଚାହେଁ ଓ ବାପ ମା’ ଜିଦି ଭାଙ୍ଗିବା ନାଁରେ ଦବାନ୍ତି । ଅଥଚ ଏଇ ପ୍ରେରଣାଟା ହିଁ ମଣିଷର ମଣିଷପଣିଆର ମୂଳଦୁଆ–ସମାଜ, ସଂସ୍କୃତି ଓ ଇତିହାସରେ ନିଜର ଛାପ ରଖିଯିବାର ପ୍ରେରଣାର ସ୍ରୋତ । ଏହାକୁ ନାନାପ୍ରକାରର ନାମ ଦିଆଯାଇଛି । ଏରିକ୍‌ ଫ୍ରମ୍‌ ଏହାକୁ କହନ୍ତି ଅତିକ୍ରମଣର ପ୍ରେରଣା, କିଏ କହେ ଆତ୍ମପ୍ରତିଷ୍ଠାର ପ୍ରେରଣା, ଆଉ କାହା ମତରେ ଏହା ପରାକ୍ରମ ବୃତ୍ତି । ସେ ଯାହା ହେଉ, ସମାଜ ଓ ପରିବାର ଯେତେ ଚେଷ୍ଟା କଲେ ବି ମଣିଷର ଜନ୍ମଜାତ ବୃତ୍ତିକୁ ମାରିଦେବା ଅସମ୍ଭବ । ସେଥିପାଇଁ ଦାମା ଓ ଦାମାମା’ର ଆତ୍ମପ୍ରତିଷ୍ଠାବୋଧ ବି ଗୋଟାଏ କିଛି ଆଶ୍ରୟ ଖୋଜୁଥିଲା । ଦାମାମା’ ସାଇମାଇପିଙ୍କ ସାଙ୍ଗରେ କଳି କରିବା ବେଳେ ହୁଏ ତ କହୁଥିଲା–‘‘ଆଲୋ ପୁତୁଖାଈ ଯୋଗଣୀ ! ତୁ ମତେ କ’ଣ କିରି ପାଇଛୁ କି ? ମୁଁ ପରା ମାଧିଆ ଚଉକିଆ ଝୁଅ । ମୋ ବାପା ବଞ୍ଚିଥିଲେ ତୁ ମତେ ଏମିତି କରି କହିଥାନ୍ତୁ ?’’

 

ଦାମା ବେଳେବେଳେ କହୁଥିବ–‘‘ଯେତେ ହେଲେ ଆମେ ହେଲୁ ବାଉରିଜାତି ! ଆମର ଗୋଟାଏ ମାନମହତ ଅଛି, ସେ ହ୍ୟାପ ଛୋଟ ଜାତିଗୁଡ଼ାକଙ୍କର କ’ଣ ଅଛି ? ମଢ଼ ଖାଇବେ, ଚୋରିନାରି କରିବେ.... ।’’ ଜାତିଭିତ୍ତିକ ସମାଜରେ ଜାତି ହିଁ ଆତ୍ମପ୍ରତିଷ୍ଠାର ପ୍ରଧାନ ଆଶ୍ରୟସ୍ଥଳ । ଛିଣ୍ଡାକନା ପିନ୍ଧି ଭିକ ମାଗିଲେ ବି ବ୍ରାହ୍ମଣପିଲା ଅନ୍ୟ ଭିକାରୀଙ୍କଠାରୁ ନିଜକୁ ଶ୍ରେଷ୍ଠ ମନେ କରେ । ଚପରାସୀ କାମ କରି ହାକିମଙ୍କ ବୋଝ ବୋହି କାନ୍ଧରେ ବିଣ୍ଡି ହେଇଗଲେ ବି ଆଖର ସେ କରଣଘରର ବଚ୍ଚା; କଣ୍ଡରା ହାକିମଙ୍କଠୁଁ ମନେ ମନେ ଶ୍ରେଷ୍ଠ ।

 

ପୁଣି ଲୋକ ପ୍ରତିଷ୍ଠା ଧନରେ ମାପୁଛି । ପଚାଶ ବର୍ଷ ତଳେ ଜାତିର ପ୍ରତିଷ୍ଠା ଧନ ଅପେକ୍ଷା ଅଧିକ ଥିଲା । ଜମିଦାରୀ କିଣି ବା ପାଇସା କମେଇ ଧନୀ ହେଇଗଲେ ଚଳୁନଥିଲା । ତଥାକଥିତ ଉଚ୍ଚବଂଶ ବା ଜାତିର ଘରେ ବନ୍ଧୁ ବାନ୍ଧି ନିଜର ଜାତିଗତ ପାହ୍ୟା ବଢ଼େଇବାକୁ ହେଉଥିଲା । ଏବେ ଏକଥା ଲୁପ୍ତ ନ ହେଇଥିଲେ ବି ଧନର ଆପଣା ମହତ୍ତ୍ୱ ବଢ଼ିଲାଣି । ଏଇଟା ହେଲା ସାମନ୍ତବାଦୀ ମୂଲ୍ୟବୋଧ ହଟି ତା’ ଜାଗାରେ ପୁଞ୍ଜିବାଦୀ ମୂଲ୍ୟବୋଧର ଆମଦାନୀର ଲକ୍ଷଣ । ସାମନ୍ତବାଦୀ ମୁଁ କାରର ସ୍ଥାନ ଏବେ ପୁଞ୍ଜିବାଦୀ ମୁଁ କାର ନେଉଛି ।

 

ପୁଣି ଏ ମୁଁ କାର ଓଡ଼ିଆ, ବଙ୍ଗାଳୀ ଆଦି ଭାଷାଗତ ପରିଚୟରେ ତ ଯୋଡ଼ି ହେଇ ରହିଥିଲା । ଏବେ ଆର୍ଥିକ ଦୁର୍ଗତି, ଚାକିରି ପାଇଁ ଉତ୍କଟ ପ୍ରତିଯୋଗିତା ମୁଁ କାରର ଏ ଦିଗଟାକୁ ଅଧିକ ମଜବୁତ କରିଦେଉଛି । ଦୁର୍ଗତିର ମୂଳ କାରଣଯାଏ ଯିବା ତ ସହଜ କଥା ନୁହେଁ, ଭାଷାଗତ ପ୍ରୌଢ଼ୀ ଆଶ୍ରୟ କରି ଅନ୍ୟକୁ ଛୋଟ ନଜରରେ ଦେଖି ଆତ୍ମପ୍ରସାଦ ଅନୁଭବ କରିବା ଢେର୍‌ ସହଜ-

 

ରାଜନୀତିକ ନେତାମାନେ ଲୋକଙ୍କୁ ଭୂତେଇବା ପାଇଁ ଏହିଭଳି ସବୁ କଥାର ସାହାଯ୍ୟ ନେଇଥାନ୍ତି । ଯେବେଠୁଁ ରାଷ୍ଟ୍ରୀୟତାର ଉଦୟ ହେଲାଣି ସେବେଠୁଁ ମତଲବବାଜ ନେତାମାନେ ‘‘ଆମ ଦେଶ ଶ୍ରେଷ୍ଠ, ଆମ ଜାତି ଶ୍ରେଷ୍ଠ’’ ଦୁଆ ଉଠେଇ ଯୁଦ୍ଧ ଓ ସାମ୍ରାଜ୍ୟ ବିସ୍ତାରରେ ସମର୍ଥନ ହାସଲ କରିଆସିଛନ୍ତି । ଜୀବନର ଅନ୍ୟ ସବୁ କ୍ଷେତ୍ରରେ ବ୍ୟର୍ଥତାର ସମ୍ମୁଖୀନ ହେଉଥିବା ମୁଁ କାର ଏଇ ରାଷ୍ଟ୍ରୀୟତାକୁ ନିଜର ପ୍ରତିଷ୍ଠାର ଆଶ୍ରୟ ରୂପେ ଜାବୁଡ଼ି ଧରେ । ‘ଆମେ ଅନ୍ୟ ସମସ୍ତଙ୍କଠୁଁ ଶ୍ରେଷ୍ଠ’ ବୋଲି କହି ସେ ଗର୍ବ ଅନୁଭବ କରେ ଓ ନିଜର ଅନ୍ୟ ସବୁ ବ୍ୟର୍ଥତା କିଛି ଅଂଶରେ ଭୁଲିଯାଏ । ଯେ ଇନ୍ଦିରା ସରକାରର ଅପାରଗତା ଯୋଗୁଁ ବେକାର ରହି ଭୋଗ ଉପାସ ସହୁଛି ତା’ ମନକୁ ବି ଆସୁଛି–‘‘ଯାହା ହେଉ ଗୋଟାଏ ପରମାଣୁ ବୋମା ଓ ଫୁଟେଇଲା !’’ ପୂର୍ବେ ପ୍ରଜାମାନେ ଯେତେ ମାଡ଼ ଓ ଲାଞ୍ଛନା ସହିଲେ ବି ଦୁଇ ରାଜା ଭିତରେ କଳି ଲାଗିଲେ ବା ଢମ ଦେଖାଇବାରେ ପ୍ରତିଯୋଗିତା ଲାଗିଲେ ‘ଆମ ରଜା’ ପକ୍ଷ ହେଇ ଗର୍ବ ବା ନିରାଶା ଅନୁଭବ କରୁଥିଲେ । ‘‘ଆମ ରଜାପୁଅ ବାହାଘରେ କେତେ ବାଣ ରୋଷଣି....’’; ୟା ପଛରେ ଥାଏ ‘ମୁଁ’ର ରୂପ-‘‘ମୁଁ ଅମୁକ ରଜାର ପ୍ରଜା, ରଜା ଆମର ବାପ ପରି ।’’ ଧର୍ମ ବାବଦରେ ବି ଏହିଭଳି ହେଇଥାଏ ।

 

ମଣିଷ ଯେତେବେଳେ ନିଜକୁ ‘‘ମୁଁ ଭାରତୀୟ’’ ବା ‘‘ମୁଁ ଇଂରେଜ’’, ‘‘ମୁଁ ହିନ୍ଦୁ’’ ବା ‘‘ମୁଁ ମୁସଲମାନ’’ ବୋଲି ସ୍ୱୀକାର କରିନିଏ ସେତେବେଳେ ସେ ସାଧାରଣତଃ ଆଖପାଖର ସମାଜରେ ଭାରତୀୟତା, ଇଂରେଜତ୍ୱ, ହିନ୍ଦୁତ୍ୱ ବା ମୁସଲମାନତ୍ୱ ବିଷୟରେ ପ୍ରଚଳିତ କଳ୍ପନାକୁ ଗ୍ରହଣ କରିନିଏ-। ଏସବୁ ସାଙ୍ଗକୁ ପୂର୍ବରୁ ଚଳିଆସିଥିବା ସତ ମିଛ ପୁରାଣକଥା, କଳିକଜିଆ ଓ ଯୁଦ୍ଧ ଆଦିର ସତ ମିଛ କାହାଣୀ ଓ ରାଗଦ୍ୱେଷ ମଧ୍ୟ ସେ ନିଜର କରିନିଏ । ଏହିରୂପେ ପ୍ରତ୍ୟେକ ଲୋକ ‘‘ମୁଁ କିଏ ?’’ ପ୍ରଶ୍ନର ଯାହା ଯାହା ଉତ୍ତର ପାଏ ତାହା ସାଙ୍ଗକୁ ଦୁନିଆର ଗୋଟାଏ ଚିତ୍ର, ସେ ଦୁନିଆ ସାଙ୍ଗରେ ତା’ର ସମ୍ବନ୍ଧର ଗୋଟାଏ ନକ୍‌ସା ମଧ୍ୟ ଗ୍ରହଣ କରିନିଏ । ଅର୍ଥାତ୍‌ ପ୍ରତ୍ୟେକ ବ୍ୟକ୍ତିର ନିଜର ମୁଁ ତ୍ୱ ବିଷୟରେ ଧାରଣା ଓ ଚାରିପାଖର ସମାଜ, ପ୍ରକୃତି ଓ ବିଶ୍ୱ ବିଷୟରେ ଧାରଣା ପରସ୍ପର ଅଙ୍ଗାଙ୍ଗୀ ଭାବରେ ଜଡ଼ିତ, ପରସ୍ପରର ପରିପୂରକ । ଏଥିରୁ ଗୋଟିଏ ବଦଳିଲେ ଅନ୍ୟଟି ମଧ୍ୟ ବଦଳିବ ।

 

ଆମେ ଜାତି, ରାଷ୍ଟ୍ର ଆଦି କଥାକୁ ଚାଲିଗଲେ । ଏବେ ପାଖକୁ, ଘର ଓ ସାଇପଡ଼ିଶାକୁ ଫେରିଆସିବା । ‘‘ମୁଁ କିଏ ?’’ ଏହାର ଉତ୍ତର ଭିତରେ ‘‘ମୁଁ ଗୃହସ୍ଥ, ପାଞ୍ଚ ପିଲାଙ୍କର ବାପ, ଦଶମାଣ ଜମିର ମାଲିକ’’ ଏସବୁ କଥା ବି ଥାଏ । ବାପ ବୋଲନ୍ତେ ହୁଏତ ଏଇ ଧାରଣା ଥାଏ ଯେ ପିଲାମାନେ ମୁହଁ ବୁଜି ତା’ର ଆଦେଶ ମାନିବେ । ପିଲାଙ୍କ ଭିତରୁ କିଏ କି ପାଠ ପଢ଼ିବ, କି କାମ କରିବ, କେଉଁଠି ବାହା ହେବ ସବୁ ତାଙ୍କର ବରାଦ ମୁତାବକ ହେବ । ଏଇଥିରେ ତାଙ୍କର ପ୍ରତିଷ୍ଠା ବା ସମ୍ମାନବୋଧର ଗୋଟାଏ ବଡ଼ ଅଂଶ ଜଡ଼ିରହିଥାଏ । ତେଣୁ ଯଦି ପିଲାଏ ତାଙ୍କ ସହିତ ଯୁକ୍ତିତର୍କ କରିବସନ୍ତି, ପାଠପଢ଼ା, ବାହାଘର, ଚାକିରି ଆଦିରେ ସ୍ୱାଧୀନ ମତ ଚଳାନ୍ତି ତେବେ ସେ ବାପର ମୁଁ କାରରେ ଧକ୍‌କା ଲାଗେ । ପୁଅଝିଅଙ୍କ ସାଙ୍ଗରେ ଖିଟିମିଟି ଲାଗିଲେ ଆମେ ଯଦି ତାଙ୍କୁ ଉପଦେଶ ଦେବା ଯେ ବୁଢ଼ା ତ ହେଲାଣି, ଏଥର ସଂସାରରୁ ମନ ହଟେଇ ନିଅ, ଅହଙ୍କାର ଛାଡ଼, ତେବେ ସେ କଥା ତାଙ୍କ ତଣ୍ଟିରେ ଗଳିବ କେମିତି ? ସେ ବାଧ୍ୟ ହୋଇ ଭୟରେ ଦବି ହାର ମାନଯିବେ ଏଇଟା ଅଲଗା କଥା ।

 

ମାତ୍ର ଆମେ ଦେଖୁ ଯେ ଅନ୍ୟ ପ୍ରକାରର ପରିବାର ଅଛନ୍ତି, ଦୁନିଆରେ କେତେକ ସମାଜ ବି ସେମିତି ଅଛି, ଯେଉଁଥିରେ ବାପ ଘରର ମୁରବୀ ବୋଲି ଏକମାତ୍ର ଶାସକ ନୁହନ୍ତି । ପିଲାଙ୍କର ବାପମା’ଙ୍କ ସହିତ ସମ୍ପର୍କରେ ମୈତ୍ରୀ ଭାବଟା ବେଶ୍‌ ପ୍ରବଳ ଥାଏ । ବାପ ମା’ ପିଲା ଏକାକି ବସି ହସଖେଳ ଥଟ୍ଟାତାମସା ହୁଅନ୍ତି । ‘ଭୟଭକ୍ତି’ର ହାଓ୍ୱାଟାର ଏକାନ୍ତ ଅଭାବ ଥାଏ । ପିଲାମାନେ ସ୍ୱଚ୍ଛନ୍ଦରେ ବାପମା’ଙ୍କ ପାଖରେ ମନକଥା ଖୋଲି କହନ୍ତି । ଏଭଳି ପରିବାରରେ ବାପମା’ଙ୍କର ମୁଁ କାର ଡିକ୍ଟେଟରୀ କ୍ଷମତା ସହିତ ଛନ୍ଦି ହେଇଯାଇ ନ ଥାଏ । ଓଲଟା ପିଲାମାନଙ୍କର ଭୟହୀନ ସ୍ନେହ ଓ ବିଶ୍ୱାସର ପାତ୍ର ହେଇପାରିବାରେ ସେମାନେ ସାର୍ଥକତା ଅନୁଭବ କରନ୍ତି । ଏବେ ଏ ଦୁଇ ଉଦାହରଣର ‘ମୁଁ’ ଭିତରେ ଫରକ୍‍ ହେଲା ଯେ ପ୍ରଥମଟିର ପ୍ରଭାବରେ ପିଲାଙ୍କର ବ୍ୟକ୍ତିତ୍ୱ ଚାପି ହେଇଯାଉଛି ଓ ଦ୍ୱିତୀୟଟିରେ ତାହା ବିକଶିତ ହେବାର ସୁଯୋଗ ପାଉଛି; ସାଙ୍ଗେ ସାଙ୍ଗେ ବାପମା’ଙ୍କର ‘ମୁଁ’ ମଧ୍ୟ ଅଧିକ ବିକଶିତ ହେଉଛି ।

 

ଗାନ୍ଧୀଜୀଙ୍କର ଜିଦି ପରି ଜିଦି ନ ଥିଲା ବୋଲି କହୁଥିଲି । ବାମନ ଚୌଧୁରୀଙ୍କର ବି ଜିଦି ଥିଲା ଯେ ଅମୁକ ଲୋକର ଭିଟାମାଟି ଉଚ୍ଛନ୍ନ କରିବି ତେବେ ଛାଡ଼ିବି । ପୁଣି ଦୋଳି ମିଶ୍ରଙ୍କର ଜିଦି ହେଲା ଯେ ପାଞ୍ଚଜଣ ବସି ଯଦି ଗୋଟାଏ କଥା ଠିକ୍‌ କରିବେ, ତେବେ ସେ ନିଶ୍ଚୟ ସେଥିରେ ଏକ କେଁ ପୂରାଇବେ । ଆଉ ଆମ ଅଭୟର ଜିଦି ଯେତେବେଳେ ଚଢ଼ିବ ଗୁମ୍‌ ହେଇ ବସିବ, କୌଣସି କଥା କହିବାକୁ କହିଲେ ଶୁଣିବ ନାହିଁ ।

 

ଏମାନଙ୍କର ପ୍ରତ୍ୟେକର ଚରିତ୍ର ନାନାପ୍ରକାରର ଅନୁଭୂତି, ପ୍ରଭାବ, ଘଟଣାକ୍ରମ ଓ ଜନ୍ମଗତ ବିଶେଷତାର ତାନିଭରଣିରେ ବୁଣା । ଗୋଟାଗୋଟାକର ବିଶ୍ଳେଷଣ କରି ବସିଲେ ପୋଥି ସରିବ ନାହିଁ । ତେବେ କେତେଟା ମୁଖ୍ୟ କଥା ଦେଖାଯାଇପାରେ । ଶେଷ ଆଡ଼ୁ ଧରିଲେ ଅଭୟର ଜିଦି ତା’ର ବାପାଙ୍କର ଜବରଦସ୍ତିର ପ୍ରତିକ୍ରିୟା । ମୁରବୀମାନେ ଯେଉଁ କଥା ହୁକୁମ ଦେଲା ପରି କୁହନ୍ତି, ତା’କୁ ନମାନିବାରେ ହିଁ ସେ ନିଜର ଆତ୍ମପ୍ରତିଷ୍ଠା ଦେଖେ । ଦୋଳି ମିଶ୍ରଙ୍କ ଚରିତ୍ରରେ ଏ କଥା ରହିଛି ଯେ ସେ ଅନ୍ୟଠାରୁ ସବୁକଥା ଭଲ ଜାଣନ୍ତି, ଏଇ କଥା ଦେଖାଇବାରେ ନିଜର ପ୍ରତିଷ୍ଠା ଦେଖନ୍ତି । ଅନ୍ୟ କେହି ତାଙ୍କଠାରୁ ବେଶୀ ଜାଣେ ବା କୌଣସି କଥା ତାଙ୍କୁ ଅଜଣା, ଏହା ସ୍ୱୀକାର କଲେ ତାଙ୍କର ମୁଁ କାରଟା ପଙ୍ଗୁ ହେଇଗଲା ପରି ତାଙ୍କୁ ଲାଗେ । ବାମନ ଚୌଧୁରୀଙ୍କର ମୁଖ୍ୟତଃ ସାମନ୍ତବାଦୀ ଶାସକର ମୁଁ କାର । ଅନ୍ୟ ଉପରେ ମୋର ପ୍ରଭୁତ୍ୱ ଶକ୍ତି ରହିଛି, ଅନ୍ୟ ଅପେକ୍ଷା ମୋର ଶକ୍ତି ବେଶୀ, ଏଇଟା ହିଁ ଏ ଶ୍ରେଣୀର ଆତ୍ମପ୍ରତିଷ୍ଠାର ପ୍ରଧାନ ଆଶ୍ରୟସ୍ଥଳ ।

 

ଜଣେ କଲେକ୍ଟର୍‌ ଥିଲେ, ସେ ଦିନେ ଯାହା ହେବାର ହେଲେ, ତିନିଟା ଚପରାସୀ, ପାଞ୍ଚପୁଞ୍ଜା ଗୁହାରିଆ ଗୋଡ଼ଉଥିଲେ–ପରଦିନ ସକାଳୁ ଉଠିବା ବେଳକୁ ସବୁ ଫାଙ୍କା, ବିଲେଇଛୁଆଟିଏ ବି ଗୋଡ଼େଇବାକୁ ନାହିଁ । ଏହାପରେ ସେ ଆଉ ବେଶୀ ଦିନ ବଞ୍ଚିଲେ ନାହିଁ । ତାଙ୍କର ମୁଁ କାର ହାକିମି ଅସ୍ତିତ୍ୱଟା ସହିତ ବହୁତ ବେଶୀ ଓତପ୍ରୋତ ହେଇଯାଇଥିଲା, ତା’ର ଅନ୍ୟ କୌଣସି ବିଭାବ ହିଁ ବିକଶିତ ହେଇ ନଥିଲା । ସେଥିପାଇଁ ତାହା ଏ ପରିବର୍ତ୍ତନର ଧକ୍‌କା ସହିପାରିଲା ନାହିଁ; ଚାକିରି ସରିବା ସଙ୍ଗେ ସଙ୍ଗେ ଜାଣି ମୁଁ କାରର ପ୍ରୟୋଜନ ବି ସରିଗଲା ।

 

ଆଉ ଜଣେ ସେହିପରି ହାକିମ ସାହିତ୍ୟଚର୍ଚ୍ଚା କରୁଥିଲେ । ତୃତୀୟ ଜଣେ ଆଦିବାସୀଙ୍କ ସୁଖଦୁଃଖ, ସେମାନଙ୍କ କଲ୍ୟାଣ ବିଷୟରେ ଆଗ୍ରହୀ ଥିଲେ । ଏମାନଙ୍କର ମୁଁ କାରଗୁଡ଼ିକ ହାକିମିରେ ଆବଦ୍ଧ ନ ଥିଲା । ହାକିମି ସେସବୁର ବହୁତ ସାନ ଅଂଶ ଥିଲା । ଏମାନଙ୍କର ମୁଁ କାରର ବୃହତ୍ତର ଅଂଶ ଅନ୍ୟ ବୃହତ୍ତର କ୍ଷେତ୍ରରେ ସାର୍ଥକତା ଖୋଜୁଥିଲା । ଚାକିରି ସରିଲାରୁ ଏମାନଙ୍କ ଜୀବନ ବରଂ ଅଧିକ ପଲ୍ଲବିତ ହେଲା ।

 

ଅନ୍ୟମାନଙ୍କ ସହିତ ସମ୍ବନ୍ଧରେ ସ୍ନେହ ଓ ସରସତା, ନିଜର ସ୍ନେହପ୍ରେମର ପରିସର ଅଧିକ ବ୍ୟାପ୍ତ କରିବା, କଠିନ ଲକ୍ଷ୍ୟ ହାସଲ କରିବାର ସାମର୍ଥ୍ୟ, ପାଞ୍ଚଜଣଙ୍କୁ ନେଇ ଚଳିବାର ଶକ୍ତି, ନିଜର ଜ୍ଞାନର ପରିସର ବଢ଼େଇ ଚାଲିବା, ସୌନ୍ଦର୍ଯ୍ୟ ସୃଷ୍ଟି କରିବା ଓ ଉପଭୋଗ କରିବା, ଏହିଭଳି ସବୁ ବିଭାବ ସମନ୍ୱିତ ଓ ବଳିଷ୍ଠ ମୁଁ କାରର ଥାଏ । ତାହା ନିଜର ପରିସର ଅଧିକରୁ ଅଧିକ ବିସ୍ତୃତ କରି ଲାଗିଥାଏ । ଦୁର୍ବଳ ‘ମୁଁ କାର’ ସବୁବେଳେ ନିରାପତ୍ତାର ଅଭାବ ଅନୁଭବ କରେ-। ନିଜ ଚାରିପଟେ ବାଡ଼ ବୁଜି ନିଜକୁ ରକ୍ଷାକରିବାକୁ ଚାହେଁ । ଅନ୍ୟକୁ ଆଘାତ ଦେଇ, ଅନ୍ୟକୁ ତଳକୁ ଚାପି ବା ଦୂରକୁ ଠେଲି ନିଜର ଅସ୍ତିତ୍ୱର ପ୍ରମାଣ ନିଜକୁ ଦେବାକୁ ଚାହେଁ ।

 

ଗାନ୍ଧୀଜୀ ଓ ସେଇଭଳି ଅନ୍ୟ ସମନ୍ୱିତ, ବଳିଷ୍ଠ, ସୃଜନଶୀଳ ଓ ବିକାଶଶୀଳ ବ୍ୟକ୍ତିଙ୍କର ମୁଁ କାରକୁ ଦେଖିବା ତ ଜାଣିବା ଯେ ସେମାନଙ୍କର ଅତିକ୍ରମଣର ପ୍ରେରଣା ବା ଆତ୍ମପ୍ରତିଷ୍ଠାବୋଧ ଗାଡ଼ିଆ ବା ଟୁବ ଭଳି ଆବଦ୍ଧ ହେଇ ନାହିଁ; ତାହା କୂଳଉଛୁଳା ନଇ ଭଳି ବୋହିଚାଲିଛି । ସେମାନେ ଦୋଳି ମିଶ୍ରଙ୍କ ଭଳି ସବୁକଥା ଜାଣନ୍ତି ବୋଲି ମନର କବାଟ କିଳିଦେଇ ବସି ନଥାନ୍ତି । ସବୁ କଥା ସେମାନଙ୍କୁ ଜଣାନାହିଁ ବୋଲି ସଚେତନ ଥାନ୍ତି । ସେମାନଙ୍କର ମୁଁ କାର ସେମାନେ ଯାହା ଜାଣନ୍ତି, ଯାହା କରିପାରନ୍ତି କେବଳ ସେତିକିରେ ଲାଖି ନ ରହି ଯାହା ସେ ନ ଜାଣନ୍ତି, ନ କରିପାରନ୍ତି ତାହା ସହିତ ବି ଯୋଡ଼ିହେଇଥାଏ । ସେଥିପାଇଁ ନୂଆ କଥା ଅନ୍ୟଠାରୁ ଶିଖିବାକୁ ବ୍ୟଗ୍ର ଥାନ୍ତି । ନିଜର ଅଜ୍ଞତାଟାକୁ ପ୍ରକାଶ କରିବା ନିଜର ଆତ୍ମସମ୍ମାନ ପ୍ରତି ଆଞ୍ଚ ବୋଲି ବିଚାରନ୍ତି ନାହିଁ ।

 

ଗାନ୍ଧୀଜୀ ସବୁବେଳେ ସାଧାରଣ କର୍ମୀ, ଏପରିକି ସାନପିଲାଙ୍କ କଥା ବି ମନଦେଇ ଶୁଣୁଥିଲେ ଓ ସେଥିରୁ ନୂଆ କଥା ପାଇଲେ ତା’କୁ ଗ୍ରହଣ କରୁଥିଲେ । ନିର୍ମଳକୁମାର ବସୁ ନୋଆଖାଲୀରେ ତାଙ୍କର ଗାନ୍ଧୀଜୀଙ୍କର ସାହଚର୍ଯ୍ୟର ଅନୁଭୂତି ବର୍ଣ୍ଣନାରେ ଲେଖଛନ୍ତି ଯେ ଗାନ୍ଧୀଜୀ ବେଳେବେଳେ ଚିଡ଼ିଚିଡ଼ା ହେଉଥିଲେ । ଦିନେ ନିର୍ମଳବାବୁ ତାଙ୍କୁ ଆଧୁନିକ ଶିକ୍ଷାପଦ୍ଧତି ବୁଝାଇ କହିଲେ ଯେ ଭଲ ଭାବରେ ବୁଝାଇକରି କହିବା ଦ୍ୱାରା ହିଁ ଠିକ୍‌ ଶିକ୍ଷା ଦିଆଟାଏ । ତା’ ପରଦିନ ଗାନ୍ଧୀଜୀଙ୍କର ଟାଇପିଷ୍ଟ ପରଶୁରାମ ନିର୍ମଳ ବାବୁଙ୍କୁ ପଚାରିଲେ–‘‘ଆଜି ବାପୁଙ୍କର କ’ଣ ହେଇଛି କି ? ସବୁ କଥା ଖୁବ୍‌ ସୁନ୍ଦର ଭାବରେ ବୁଝେଇ କହୁଛନ୍ତି ?’’ ନିର୍ମଳବାକୁ ମନେ ମନେ ଖୁବ୍‌ ହସିଲେ ଯେ ଗାନ୍ଧୀଜୀ ତାଙ୍କ କଥା ଅନୁସାରେ କାମ ଆରମ୍ଭ କରିଦେଇଛନ୍ତି ।

 

ଗାନ୍ଧୀଜୀଙ୍କର ଚରିତ୍ରର ମୁଖ୍ୟ ଧାରା ଥିଲା ପ୍ରେମ ଓ କରୁଣା । ଏଇଟା ବି ମଣିଷର ସହଜାତ ବୃତ୍ତି । ମୋ ବୁଢ଼ୀମା’ର ଥିଲା, ସମସ୍ତଙ୍କର ଅଛି । ତେବେ ବୁଢ଼ୀମା’ର କରୁଣା ତା’ର ସାଇପଡ଼ିଶାଙ୍କ ଯାଏ ଥିଲା । ଗାନ୍ଧୀଜୀ ତାଙ୍କର ପ୍ରେମ ଓ କରୁଣାର ପରିସର ସାରା ବିଶ୍ୱଯାଏ ବ୍ୟାପ୍ତ କରିବା ଚେଷ୍ଟା କରୁଥିଲେ । ଦୁଃଖ ସ୍ଥାୟୀଭାବରେ ବା ଅଧିକରୁ ଅଧିକ ଦୂର କରିବା ପନ୍ଥା ସେ ବେଶୀ ଜାଣିଥିଲେ । ଏ ଜ୍ଞାନକୁ ବିସ୍ତୃତ ଓ ମାର୍ଜିତ କରିବାକୁ ସତତ ଚେଷ୍ଟା କରୁଥିଲେ । ଦୁଃଖୀର ଦୁଃଖ ହରିବାରେ ହିଁ ସେ ନିଜର ମୁଁ ପଣର ସାର୍ଥକତା ଦେଖୁଥିଲେ । ‘‘ପ୍ରତ୍ୟେକଟି ଆଖିରୁ ଲୁହ ପୋଛିବା ମୋର ଜୀବନର ଅଭିଳାଷ ।’’ ଏଇ ଥିଲା ତାଙ୍କର କଥା । ସେଥିପାଇଁ ସେ ଯେତେବେଳେ ଅଡ଼ି ବସୁଥିଲେ ସେତେବେଳେ ସେକଥା କରୁଥିଲେ ଚାଳିଶ କୋଟି ଭାରତୀୟ ଓ ଏପରିକି ସାରା ପୃଥିବୀର ଲୋକଙ୍କର କଲ୍ୟାଣକୁ ଆଖି ଆଗରେ ରଖି ।

 

ଗାନ୍ଧୀଜୀଙ୍କର ନାତୁଣୀ ସମ୍ପର୍କୀୟା ମନୁ ଗାନ୍ଧୀ ଖଣ୍ଡେ ବହି ଲେଖିଛନ୍ତି–ବାପୁ, ମୋର ମା’ । ଗାନ୍ଧିଜୀ ତାଙ୍କ ସହିତ ମା’ଭଳି ବ୍ୟବହାର କରୁଥିଲେ । ଗାନ୍ଧୀଜୀଙ୍କର ଓ ଅନ୍ୟ ମହାପୁରୁଷଙ୍କ ଚରିତ୍ରରେ ଏହିପରି ନାରୀସୁଲଭ ଗୁଣ ଦେଖିବାକୁ ମିଳେ । ଏହାର କାରଣ ହେଲା ଯେ ସମାଜର ଚାହିଦା ଅନୁସାରେ ପୁରୁଷ ଓ ସ୍ତ୍ରୀ ଚରିତ୍ରର କେତେଗୁଡ଼ାଏ ଛାଞ୍ଚ ପ୍ରତ୍ୟେକ ସମାଜରେ ଗଢ଼ା ହେଇ ରହିଛି । ସ୍ତ୍ରୀ ଓ ପୁରୁଷଙ୍କର ଚରିତ୍ରରେ ଯାହା କିଛି ମୌଳିକ ପାର୍ଥକ୍ୟ ଥିବ ତାହା ସହିତ ଏହାର ସମ୍ବନ୍ଧ ବହୁତ କମ୍‌ । ପୌରୁଷର ଲକ୍ଷଣ ହେଲା ସେ ନିର୍ମମ ଓ ନିଷ୍ଠୁର ହେବ । ତାହାଠାରେ କୋମଳ ବୃତ୍ତି ଦେଖାଯିବ ନାହିଁ । ସେ ସାହସୀ ଓ ଲଢ଼ୁଆ ହେବ ଇତ୍ୟାଦି । ଅପରପକ୍ଷରେ ସ୍ତ୍ରୀ ଦୁର୍ବଳ ଓ ଭୀରୁ ହେବ; ତା’ଠାରେ ଦୟା, କ୍ଷମା, ସ୍ନେହ ଆଦି ଗୁଣଗୁଡ଼ିକ ବିକଶିତ ହେଇଥିବ । ସେ ସ୍ୱାଧୀନଚେତା ହେବ ନାହିଁ ଇତ୍ୟାଦି । ଏ ପରମ୍ପରାଗତ ଭାଗବଣ୍ଟାରେ ଗୋଟାଏ ଆଡ଼େ ପୁରୁଷ ଓ ଅନ୍ୟ ଆଡ଼େ ସ୍ତ୍ରୀ କେତେଗୁଡ଼ାଏ ସଦ୍‌ବୃତ୍ତିକୁ ଦବେଇ କେତେକ ଅବାଞ୍ଛନୀୟ ଗୁଣର ଉତ୍କର୍ଷ କରିବା କଥା ଥାଏ । ପୁରୁଷ କଠୋର ଓ କର୍କଶ ହେବା ଆଶା କରାଯାଏ ତ ସ୍ତ୍ରୀ ଭୀରୁ, ଦୁର୍ବଳ ଓ ପରମୁଖାପେକ୍ଷୀ । ସବୁ ସମାଜରେ ଅବଶ୍ୟ ସ୍ତ୍ରୀ ଓ ପୁରୁଷଙ୍କ ଚରିତ୍ରର ଛାଞ୍ଚ ସମାନ ନୁହେଁ । ଏପରି ସମାଜର ସନ୍ଧାନ ମିଳିଛି, ଯେଉଁଥିରେ ପୁରୁଷ ଶାନ୍ତିପ୍ରିୟ ଓ ଭୀରୁ ତଥା ସ୍ତ୍ରୀ ପ୍ରବଳା ଓ ଲଢ଼ୁଆ ।

 

ସେ ଯାହା ହେଉ ଏସବୁ ବି ଆମର ମୁଁ ପଣର ଅଂଶ ହେଇଯାଇଥାଏ । ଗାନ୍ଧୀଜୀଙ୍କ ଭଳି ବ୍ୟକ୍ତିତ୍ୱ ଏ କୃତ୍ରିମ ଭେଦକୁ ମାନି ନ ନେଇ ମନୁଷ୍ୟୋଚିତ ଗୁଣର ବିକାଶ ନିଜଠାରେ ଓ ସମସ୍ତଙ୍କଠାରେ କରିବା ଚେଷ୍ଟା କରିଥାନ୍ତି । ସେଥିପାଇଁ ଗାନ୍ଧୀଜୀଙ୍କଠାରେ ନାରୀସୁଲଭ କୋମଳତା, ବାତ୍ସଲ୍ୟ ଆଦି ଦେଖିବାକୁ ମିଳେ ତ ତାଙ୍କର ମହିଳା ସହକର୍ମଣୀମାନଙ୍କଠାରେ ପୁରୁଷସୁଲଭ ସ୍ୱାଧୀନତା, ବୀରତା ଓ ଦୃଢ଼ତା ।

 

ମଣିଷ ସ୍ୱଭାବର ଅନ୍ୟାନ୍ୟ ବିଭାବକୁ ମଧ୍ୟ ନେଇ ଏ ଆଲୋଚନାକୁ ଅଧିକ ବିସ୍ତୃତ କରାଯାଇପାରେ । ତେବେ ଏତିକିରୁ ଆମେ ଗାନ୍ଧୀଜୀଙ୍କର ନିଜକୁ ‘ଶୂନ୍ୟ’ କରିଦେବା ଚେଷ୍ଟାର ତାତ୍ପର୍ଯ୍ୟ କିଛି ବୁଝିପାରିବା । ସେ ନିଜର ମୁଁ କାରକୁ ଅବଲୁପ୍ତ କରିବା ଚେଷ୍ଟାରେ ନ ଥିଲେ । ତା’ର ପରିସରକୁ ବଢ଼େଇ ବଢ଼େଇ ବିଶ୍ୱବ୍ୟାପୀ କରିବା ଚେଷ୍ଟାରେ ଥିଲେ । ସେ ଯାହା ତ୍ୟାଗ କରି ନିଜ ଭିତରୁ ସଫା କରିଦେବାକୁ ଚେଷ୍ଟା କରୁଥିଲେ ତାହା ହେଲା ପୁରୁଣା ସମାଜର ପରମ୍ପରା ଓ ପରିବେଶ ଭିତରୁ ମିଳିଥିବା ସଂକୀର୍ଣ୍ଣ ବସ୍ତୁ ପ୍ରତି ଲାଖିଯାଇଥିବା ମୁଁ । ସମାଜର ଓ ବ୍ୟକ୍ତିର ବିକାଶରେ ବାଧା ସୃଷ୍ଟି କରୁଥିବା ପରି କଥାରେ ଲାଖିଯାଇଥିବା ମୁଁ କାରକୁ ସେଥିରୁ ଛଡ଼େଇ ଅନ୍ୟ ବୃହତ୍ତର ଆଶ୍ରୟରେ ତାକୁ ଲଗେଇବା ଚେଷ୍ଟା କରୁଥିଲେ । ଆମ ସମସ୍ତଙ୍କୁ ମଣିଷ ହେବାକୁ ହେଲେ ତାହା କରିବାକୁ ହେବ ।

 

ଉପନିଷଦ୍‌ର ଋଷି ଗାଇଥିଲେ–‘‘ଅହଂ ବ୍ରହ୍ମାସ୍ମି । ମୁଁ ବ୍ରହ୍ମ ।’’ ମୁଁ ବ୍ରହ୍ମ ଅର୍ଥ ମୁଁ ସାରା ବିଶ୍ୱ ସହିତ ଏକରୂପ । ସେ କହିନଥିଲେ ‘‘ମୁଁ ଛାର ପାମର ।’’ ମାତ୍ର ପୁରୁଣା ସମାଜ ଚାହେଁନାହିଁ ଯେ ଲୋକଙ୍କ ଭିତରେ ପରାକ୍ରମ, ବୀରତା, ନିର୍ଭୀକତା, ଜିଜ୍ଞାସା, କରୁଣା, ସହାନୁଭୂତି, ସମତା ଆଦି ଗୁଣର ବିକାଶ ହେଉ; ସେଥିପାଇଁ ସେ ପ୍ରାର୍ଥନା ନାଁରେ ଲୋକଙ୍କୁ ଘୋଷାଏ–‘‘ମୁଁ ଛାର ପାମର....-।’’ ତେବେ ମୁଁ ବ୍ରହ୍ମ କହିଦେଲେ ହେଇଯିବ ନାହିଁ, କି ବସି ଏଇ ମନ୍ତ୍ର ଜପିଲେ ହେବ ନାହିଁ । ଆମର ମୁଁ କାରଗୁଡ଼ାକ ଯେଉଁଠି ସାମନ୍ତବାଦୀ, ପୁଞ୍ଜିବାଦୀ ଓ ଅନ୍ୟ ସେହିପରି ଅମଣିଷପଣିଆର ମୂଲ୍ୟବୋଧରେ ଲାଖିଯାଇଛି, ଶାସକ ଓ ଶୋଷକଙ୍କ ଆଡ଼ର ହେଉ ନା ଶାସିତ ଓ ଶୋଷିତଙ୍କ ଆଡ଼ର ହେଉ, ତା’କୁ ସେସବୁଥିରୁ ଆତ୍ମନିରୀକ୍ଷଣ ଦ୍ୱାରା ଛଡ଼େଇ ଆଣିବାକୁ ହେବ ।

 

ମାର୍କ୍‌ସ୍‌ ଯେତେବେଳେ ଶ୍ରମିକର ଶ୍ରେଣୀସଚେତନତା ଗଢ଼ିତୋଳିବା ପାଇଁ ଡାକରା ଦେଲେ ସେତେବେଳେ ତା’ର ଉଦ୍ଦେଶ୍ୟ କେବଳ ଶ୍ରମିକ ଯେ ପୃଥିବୀର ମାଲିକ ଏଇ ଚେତନା ଜାଗ୍ରତ କରାଇବା ନଥିଲା । ଏହା ସଫଳ ହେଇଥାନ୍ତା ଯଦି ପ୍ରତ୍ୟେକ ଶ୍ରମିକର ମୁଁ କାରର ବ୍ୟାପ୍ତି ସାରା ବିଶ୍ୱର ଶ୍ରମିକ ସମାଜଯାଏ ବିସ୍ତୃତ ହେଇଥାନ୍ତା । ତାହା ହେଇପାରିନାହିଁ । ଦୁଇ ଦୁଇଟା ବିଶ୍ୱଯୁଦ୍ଧ ବେଳେ କୌଣସି ଦେଶରେ ଶ୍ରମିକଶ୍ରେଣୀ ତା’ର ରାଷ୍ଟ୍ରୀୟ ‘ମୁଁ’ ଭିତରୁ ବାହାରି ପାରିଲା ନାହିଁ ।

 

ବିଶ୍ୱସମାଜ ଗଢ଼ିବାର ଡାକ ମାର୍କ୍‌ସ୍‌ ଶହେ ବର୍ଷରୁ ଊର୍ଦ୍ଧ୍ୱ ହେଲା ଦେଇଥିଲେ । ସେଭଳି ସମାଜ ଆସି ପହଞ୍ଚିବାର ଦିନ ସେଦିନଠୁଁ ଢେର୍‌ ପାଖେଇ ଆସିଲାଣି । ତା’ ପାଇଁ ପ୍ରସ୍ତୁତ ହେବାକୁ ହେଲେ ଓ ତାକୁ ଆଗେଇ ଆଣିବାରେ ସାହାଯ୍ୟ କରିବାକୁ ହେଲେ ଆଜିଯାକର ଶାସକଶ୍ରେଣୀ ଓ ତାଙ୍କର ବୋକ୍‌ଚାବୁହାମାନେ ଜନତାକୁ ଯେଉଁ କ୍ରୀତଦାସର ମୁଁ କାର ଗଛେଇ ଦେଇଛନ୍ତି, ତା’କୁ ଫିଙ୍ଗିଦେଇ ଏକ ବିଶ୍ୱବ୍ୟାପୀ, ବିରାଟ ମୁଁ କାର ଆହରଣ କରିବାକୁ ହେବ । କବି ନଜରୁଲ୍‌ ଇସ୍‌ଲାମଙ୍କ ସାଙ୍ଗରେ କଣ୍ଠ ମିଳେଇ ଗାଇବାକୁ ହେବ–

 

ବଲ ବୀର

ଚିର ଉନ୍ନତ ମମ ଶିର୍‌

ଶିର୍‌ ନେହାରି ଆମାରି

ନିତ୍‌ ଶିର୍‌ ଓଇ

ଶିଖର ହିମାଦ୍ରୀର୍‌ ।

Image

 

ଇଶ୍ୱର

 

ଏବେ ପଲିଟିକ୍‌ସ ଓ ପଲିଟିସିୟାନ୍‌ ଉପରେ ଜୋର ତର୍କ ଚାଲିଥିଲା । ଜଣେ କହୁଥାନ୍ତି ଯେ ଯେତେ ଲୋକ ଭୋଟରେ ଛଡ଼ାହେଉଛନ୍ତି, କ୍ଷମତାକୁ ଆସିବା ପାଇଁ ଚେଷ୍ଟା କରୁଛନ୍ତି ସେମାନେ ସମସ୍ତେ ପଲିଟିସିୟାନ୍‌ । ଆଉ ଜଣଙ୍କର ମତ ଯେ ଏଭଳି ଲୋକ ପ୍ରକୃତ ପଲିଟିସିୟାନ୍‌ ନୁହନ୍ତି; କ୍ଷମତା ରାଜନୀତି କରିବାବାଲା ହେଇପାରନ୍ତି । ପ୍ରକୃତ ପଲିଟିସିୟାନ୍‌ ହେଲେ ସେଇ, ଯେ ସମାଜର ମୌଳିକ ପରିବର୍ତ୍ତନ ପାଇଁ ଉଦ୍ୟମ କରନ୍ତି । ଚିନ୍ତା କରିବା ଓ ତାହା ବ୍ୟକ୍ତ କରିବା ପାଇଁ ଆମେ ଶବ୍ଦ ବ୍ୟବହାର କରୁ । ଶବ୍ଦର ଅର୍ଥ ବିଷୟରେ ସମସ୍ତେ ଏକମତ ହେଲେ ଯାଇ ସମସ୍ତଙ୍କ ଭିତରେ ଭାବବିନିମୟ ଓ ଆଲୋଜନା ସଫଳ ହୁଏ । ନ ହେଲେ ଜଣେ ଗୋଟାଏ କଥା ବୁଝାଇବାକୁ ଚାହିଁବା ବେଳକୁ ଅନ୍ୟ ଜଣେ ଆଉ କଥା ବୁଝେ । ଉପରୋକ୍ତ ତାର୍କିକଙ୍କ ଭିତରୁ ଜଣେ ‘ସମାଜ’କୁ ବଦଳାଇବା କଥା କହିଲେ । ଏ ସମାଜ ଶବ୍ଦର ବି ନାନା ଅର୍ଥ ଅଛି । ଆମ ଦେଶରେ ସାଧାରଣତଃ ଲୋକେ ‘ସମାଜ’ ବୋଲନ୍ତେ ବୁଝନ୍ତି ଯେଝା ଜାତିଆଣ ଗୋଷ୍ଠୀ । ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ‘ସମାଜ’ ଶବ୍ଦ ଅନ୍ତତଃ ଦୁଇଟା ଅର୍ଥରେ ବ୍ୟବହାର କରାଯାଏ । ଗୋଟାଏ ହେଲା ରାଜନୀତିକ, ଆର୍ଥିକ ଓ ସାମାଜିକ–ମଣିଷର ସାମୂହିକ ଜୀବନର ଏଇ ତିନୋଟି ବିଭାବ ଭିତରୁ ଗୋଟିଏ ଓ ଅନ୍ୟ ଅର୍ଥଟି ହେଲା ଏ ତିନୋଟିଯାକକୁ ମିଶେଇ ମଣିଷର ସମଗ୍ର ସାମୂହିକ ଜୀବନ ।

 

ପୂର୍ବେ ଗୋଟିଏ ତତ୍ତ୍ୱଜ୍ଞାନ ଥିଲା ଯେ ପ୍ରତ୍ୟେକ ଶବ୍ଦର ଗୋଟିଏ ଯଥାର୍ଥ ଓ ଆଦର୍ଶ ଅର୍ଥ ଭାବଲୋକ ବା ଶବ୍ଦଲୋକରେ ରହିଛି । ସେ ଅର୍ଥଟାକୁ ଆବିଷ୍କାର କରିବା ଓ ଜାଣିବା ଚାହି । ବହୁତ ସମୟରେ ଶବ୍ଦର ବ୍ୟୁତ୍ପତ୍ତିରୁ ତାର ‘ପ୍ରକୃତ’ ଅର୍ଥ ନିର୍ଣ୍ଣୟ କରିବା ଚେଷ୍ଟା କରାଯାଏ । ଆମ ଦେଶରେ ଏହିପରି ତତ୍ତ୍ୱଚର୍ଚ୍ଚା ବହୁତ ଚାଲେ । ପ୍ରାଚୀନ ଯୁଗର ବିଖ୍ୟାତ ବ୍ୟାକରଣକାର ପାଣିନି ପିଲାଙ୍କୁ ପାଠ ପଢ଼ାଉଥିଲେ; ତେଣୁ ବାଘ ଆସିଲା । ପାଣିନି ପିଲାଙ୍କୁ ବୁଝାଇଲେ– ‘‘ଡରୁଛ କାହିଁକି-? ବ୍ୟାଘ୍ର ଶବ୍ଦ ‘ଘ୍ରା’ ଧାତୁରୁ ହେଇଛି, ଯେ ବିଶେଷରୂପେ ଆଘ୍ରାଣ କରେ ସେ ବ୍ୟାଘ୍ର ।’’ ମାତ୍ର ବ୍ୟାଘ୍ର କେବଳ ସୁଙ୍ଘିବାରେ ଅଟକିଲା ନାହିଁ, ପାଣିନିଙ୍କୁ ଧରି ଚଳୁକରିଦେଲା । ଏଥିରେ ସାରକଥା ଏତିକି ଯେ ପଣ୍ଡିତମାନେ ଶବ୍ଦ ତିଆରି କରିବାବେଳେ ଗୋଟାଏ ଅର୍ଥ ବ୍ୟକ୍ତ କରିବା ପାଇଁ ତାକୁ ଗଢ଼ିଥାନ୍ତି । ଅପଣ୍ଡିତ ସାଧାରଣ ଲୋକେ ସେସବୁ ଶବ୍ଦ ବ୍ୟବହାର କରିବାବେଳେ ଗୋଳମାଳିଆ କରିଦିଅନ୍ତି । ସେଥିପାଇଁ ସଠିକ୍‌ ବ୍ୟବହାର ପାଇଁ ଓ ପଣ୍ଡିତମାନଙ୍କର ବକ୍ତବ୍ୟ ବୁଝିବାପାଇଁ ହେଲେ ସେମାନେ ତାହା କେଉଁ ଅର୍ଥରେ ବ୍ୟବହାର କରନ୍ତି ତାହା ଜାଣିବା ଚାହି । ୟା’ ଅର୍ଥ ନୁହେଁ ଯେ ପ୍ରତ୍ୟେକ ଶବ୍ଦର ଯଥାର୍ଥ ଅର୍ଥ କୋଉ ଦିବ୍ୟଲୋକରେ ଥୁଆହେଇଛି । ଲୋକେ ପଣ୍ଡିତମାନଙ୍କର ଶବ୍ଦକୁ ଅସ୍ପଷ୍ଟ ଓ ଭୁଲ ଅର୍ଥରେ ବ୍ୟବହାର କରନ୍ତି ସତ; କିନ୍ତୁ ଏଭଳି ବ୍ୟବହାର ବେଳେବେଳେ ଏତେ ବ୍ୟାପକ ହେଇଯାଏ ଯେ ତଥାକଥିତ ଭୁଲ ସଂଜ୍ଞାଟିକୁ ହିଁ ମାନିବାକୁ ପଡ଼େ । ପ୍ରତ୍ୟେକ ଭାଷାରେ ଏହିପରି ଶହ ଶହ ଶବ୍ଦ ଅଛି । ‘ଅପର୍ଯ୍ୟାପ୍ତ’ ବୋଲନ୍ତେ ଆମେ ବୁଝୁ ଅପରିସୀମ, ସୀମା ନ ଥିବା; ମାତ୍ର ସଂସ୍କୃତରେ ତା’ର ଅର୍ଥ ଯେ ମରିବାକୁ ବସିଛି । ମାତ୍ର ଓଡ଼ିଆରେ ଏ ଦୁଇଟି ଶବ୍ଦର ଅର୍ଥ ଅଦଳବଦଳ ହେଇଯାଇଛି । ମୁମୂର୍ଷ ରୋଗୀ ଅର୍ଥ ଯେଉଁ ରୋଗୀ ମରିବାକୁ ବସିଛି ଓ ‘ମୁଁ ଏ ଘଟଣା ଦେଖି ମ୍ରିୟମାଣ ହେଲି’ର ଅର୍ଥ ମରିବାକୁ ଇଚ୍ଛାହେଲା । ମର୍ଯ୍ୟାଦାର ଅର୍ଥ ସଂସ୍କୃତରେ ସୀମା; କିନ୍ତୁ ଓଡ଼ିଆରେ ଏହାର ବ୍ୟବହାର ସାଧାରଣତଃ ହୁଏ ସମ୍ମାନ ଅର୍ଥରେ ।

 

ଏହାଛଡ଼ା ଦୁନିଆ ବିଷୟରେ ମଣିଷର ମଣିଷର ଜ୍ଞାନ ବଢିବା ସାଙ୍ଗେ ସାଙ୍ଗେ ଶବ୍ଦର ତାତ୍ପର୍ଯ୍ୟ ମଧ୍ୟ ବଦଳୁଛି । ସୂର୍ଯ୍ୟ ବୋଲନ୍ତେ ହଜାରେ ବର୍ଷ ତଳେ ଯେଉଁ ଧାରଣା ଥିଲା, ତାହା ସହିତ ଆଜିର ସୂର୍ଯ୍ୟର ଧାରଣାର ଆକାଶପାତାଳ ପ୍ରଭେଦ ହେଲାଣି । ତା’ର ଉତ୍ପତ୍ତି, ଆକାର ପ୍ରକାର, ତା’ର ବସ୍ତୁଗତ ରଚନା, ଗତିବିଧି ଆଦି ବିଷୟରେ ବହୁତ କିଛି ବିଶଦ ତଥ୍ୟ ମିଳିଲାଣି । ସୂର୍ଯ୍ୟ, ଭାସ୍କର, ପ୍ରଭାକର, ସବିତା, ଦିବାକର, ରବି ଆଦି ଯେତେ ଶବ୍ଦ ଅଭିଧାନରେ ଅଛି ସେସବୁ ଶବ୍ଦର ବ୍ୟୁତ୍ପତ୍ତି ଆଲୋଚନା କଲେ ବି ଆଜିର ସୂର୍ଯ୍ୟର କୌଣସି ଓର ମିଳିବ ନାହିଁ । ଅଣୁଠାରୁ ବ୍ରହ୍ମାଣ୍ଡଯାକେ ପ୍ରତ୍ୟେକ ଶବ୍ଦର ଆଜି ଏଇ ଅବସ୍ଥା ।

 

ସେଥିପାଇଁ ଆଜିକାଲି ବିଦ୍ୱାନ୍‌ମାନେ କୌଣସି ବିଷୟରେ ଆଲୋଚନା କରିବାବେଳେ ଦିବ୍ୟଲୋକରେ ଶବ୍ଦସବୁର କି ଅର୍ଥ ଲେଖା ହେଇ ରହିଛି ବା ତା’ର ବ୍ୟୁତ୍ପତ୍ତିଗତ ଅର୍ଥ କ’ଣ ଏସବୁ ଭିତରକୁ ନ ଯାଇ ସେ ଶବ୍ଦକୁ କି ଅର୍ଥରେ ବ୍ୟବହାର କରାଯିବ, ସେ କଥାଟା ଆଗେ ଛିଡ଼େଇ ଦିଅନ୍ତି । ପଣ୍ଡିତ ମହଲରେ ସର୍ବସାଧାରଣରେ ସମସ୍ତେ ମାନିନେଇଥିବା ଅର୍ଥ ବିଷୟରେ ମତଭେଦ ଥିଲେ ବା କେହି କୌଣସି ଶବ୍ଦର ବ୍ୟବହାରରେ ଖାସ୍‌ ତାତ୍ପର୍ଯ୍ୟ ଭରିବାକୁ ଚାହୁଁଥିଲେ ତାହା ପ୍ରଥମେ ସ୍ପଷ୍ଟଭାବରେ ସୂଚେଇ ଦିଅନ୍ତି ।

 

କିନ୍ତୁ ପଣ୍ଡିତମାନେ ନିଜର ଚିନ୍ତନର ଢଙ୍ଗ ଓ ଆଲୋଚ୍ୟ ବିଷୟରେ ପ୍ରକୃତି ଅନୁସାରେ ଶବ୍ଦସବୁର ଅର୍ଥକୁ ଜଣେ ଗୋଟିଏ ଦିଗରେ ତ ଆଉ ଜଣେ ଆଉ ଦିଗରେ ଟାଣିନେଇଯାନ୍ତି । ସେଥିଯୋଗୁଁ ଏ ପ୍ରଶ୍ନ ବି ଉଠେ ଯେ ଶବ୍ଦର ପ୍ରଚଳିତ ବ୍ୟବହାରର ସୀମା କେଉଁ ଯାଏ ? ଜଣେ ଗୋଟାଏ ଶବ୍ଦ ଭିତରେ ଯେଉଁ ଅର୍ଥ ପୂରାଇଛନ୍ତି ସେଇଟଶ ସଙ୍ଗତ ବା ଉଚିତ କି ? ଏ ତ ଗୋଟାଏ ନ୍ୟାଯ୍ୟ ଆଲୋଚନାର ବିଷୟ । କିନ୍ତୁ ଏହାଛଡ଼ା ବିଦ୍ୱାନ୍‌ମାନେ ବୁଝନ୍ତି ଯେ ଶବ୍ଦର ଅର୍ଥ ନେଇ ଅଟକି ରହିଗଲେ ଚଳିବ ନାହିଁ । ସେ ଶବ୍ଦସବୁକୁ ଯେଉଁ ଅର୍ଥରେ ବ୍ୟବହାର କରୁ ପଛେ ତା’ର ବକ୍ତବ୍ୟରେ କିଛି ସାର ଅଛି କି ନାହିଁ, ତାହା ଜାଣିବା ବି ଦରକାର । ସେଥିପାଇଁ କିଏ କେଉଁ ଅର୍ଥରେ କେଉଁ ଶବ୍ଦ ବ୍ୟବହାର କରୁଛି, ତାହା ବୁଝି ସେଇ ଅନୁସାରେ ତା’ର ବକ୍ତବ୍ୟର ତାତ୍ପର୍ଯ୍ୟ ହୃଦୟଙ୍ଗମ କରିବା ଚେଷ୍ଟା କରନ୍ତି । ରାଜନୀତିବାଲା ଜାଣିଶୁଣି ଲୋକଙ୍କୁ ଭୂତେଇବା ପାଇଁ ଶବ୍ଦର କଦର୍ଥ କରନ୍ତି । ଅପାଠୁଆ ଲୋକେ ମନର ଭାବ ପ୍ରକାଶ କରିବା ପାଇଁ ଉପଯୁକ୍ତ ଭାଷା ଖୋଜି ପାଆନ୍ତି ନାହିଁ । ସେଥିପାଇଁ ପ୍ରତ୍ୟେକ କ’ଣ କହୁଛି, ଠିକ୍‌ କହୁଛି କି ଭୁଲ କହୁଛି, ତାହା ବୁଝିବା ପାଇଁ ହେଲେ ସେ କ’ଣ ବୁଝାଇବାକୁ ଚାହୁଛି, ସେଇଟା ଜାଣିବା ଚେଷ୍ଟା କରିବାକୁ ହୁଏ । ସେଥିପାଇଁ ପ୍ରତ୍ୟେକେ ପ୍ରତ୍ୟେକ କ୍ଷେତ୍ରରେ ବ୍ୟବହାର କରୁଥିବା ଶବ୍ଦ ଦ୍ୱାରା କ’ଣ ବୁଝାଉଛନ୍ତି ତାହା ଜାଣିବା ଚାହି । ଶବ୍ଦ ଭିତରେ ଅର୍ଥର କି କି ‘ପୂର’ ବା ସଂଭାର ରହିଛି ତାହା ଅନୁଧ୍ୟାନ ଓ ବିଶ୍ଳେଷଣ କରି ଦେଖିବା ଚାହି ।

 

ଇଶ୍ୱର ବା ଭଗବାନ ଆଦୌ ଅଛନ୍ତି ନା ନାହିଁ, ଏ ବିଷୟରେ ହଜାର ହଜାର ବର୍ଷ ହେଲା ବାଦବିବାଦ ଚାଲିଆସିଛି । ଆମ ଦେଶର ଅଧିକାଂଶ ଲୋକ ଇଶ୍ୱରବିଶ୍ୱାସୀ; କିନ୍ତୁ ଏ ଦେଶର ପ୍ରାଚୀନ ଦାର୍ଶନିକ ଚିନ୍ତାଧାରାରେ ଇଶ୍ୱରଙ୍କୁ ବାଦ୍‌ ଦେଇଥିବା ମତବାଦ ବି ଅଛି । ସାଧାରଣତଃ ଆମେ ନାସ୍ତିକଶିରୋମଣି ଭାବରେ ଚାର୍ବାକ୍‌ଙ୍କର ନାମ ଶୁଣିଥାଉ । କିନ୍ତୁ ସାଂଖ୍ୟଦର୍ଶନରେ ଇଶ୍ୱର କଳ୍ପନା ନାହିଁ । ବୁଦ୍ଧ ଇଶ୍ୱର ଅଛନ୍ତି କି ନାହିଁ, ଏ ପ୍ରଶ୍ନକୁ ଏଡ଼େଇ ଯାଇଥିଲେ । ବେଦାନ୍ତର ବ୍ରହ୍ମ ମଧ୍ୟ ଇଶ୍ୱରର ଅନ୍ୟତ୍ର ଥିବା କଳ୍ପନାଠାରୁ ଭିନ୍ନ ବସ୍ତୁ ।

 

ଏ ଯୁଗରେ ବିଜ୍ଞାନର ଅଭ୍ୟୁଦୟ ସହିତ ନିରୀଶ୍ୱରବାଦର ଦର୍ଶନ ମଧ୍ୟ ବ୍ୟାପକ ହେଇଛି-। ଇଶ୍ୱର ଅଛନ୍ତି କି ନାହାନ୍ତି, ଏ ବିଷୟରେ ମୁଣ୍ଡ ଘୁରାଉ ନ ଥିବା ଲୋକ ବି ଯେମିତି ବାହାରିଲେଣି, ସେମିତି ଇଶ୍ୱରବାଦ ହିଁ ଦୁନିଆର ସବୁ ଅନିଷ୍ଟର ମୂଳ ବୋଲି କହି ତା’ ପିଛା ଠେଙ୍ଗା ଧରି ଗୋଡ଼ାଇବା ଲୋକ ବି କିଛି କମ୍‌ ନାହାନ୍ତି । ମାର୍କ୍‌ସବାଦ ଏହିପରି ଗୋଟାଏ ମତ । ଏଣେ ଇଶ୍ୱର ସର୍ବଶକ୍ତିମାନ୍‌ ବୋଲି ଯୁକ୍ତି ହେବା ବେଳକୁ ତେଣେ ‘ଇଶ୍ୱର ମରିଗଲେଣି’ ବୋଲି ବି ଜଣେ ବହି ଲେଖିଛନ୍ତି ।

 

ସେ ଦିନ ଜଣେ ଆସ୍ତିକ ବନ୍ଧୁ ଜଡ଼ବାଦୀ ନାସ୍ତିକଙ୍କ ଦ୍ୱାରା ହିଁ ଦୁନିଆରେ ସବୁ ଅବ୍ୟବସ୍ଥା ଓ ଅଶାନ୍ତି ସୃଷ୍ଟି ହେଇଛି ବୋଲି ଯୁକ୍ତି କରୁଥିଲେ । ଆଉ ଜଣେ ମାର୍କ୍‍ସବାଦୀ ବନ୍ଧୁ ଯୁକ୍ତି କରୁଥିଲେ ଯେ ଇଶ୍ୱରବିଶ୍ୱାସର ଅଫିମ ଖାଇ ହିଁ ସାଧାରଣ ଜନତା ଦୁଃଖଦୁର୍ଦ୍ଦଶାକୁ ସହି ନିସ୍ତେଜ ହେଇ ପଡ଼ିରହିଛନ୍ତି ।

 

ଆନ୍ଧ୍ରପ୍ରଦେଶର ବିଶିଷ୍ଟ ସର୍ବୋଦୟ କର୍ମୀ ‘ଗୋରା’ଙ୍କ କଥା ପୂର୍ବରୁ କୁହାଯାଇଛି । ସେ ଏକ ଲଢ଼ୁଆ ନାସ୍ତିକ ଥିଲେ । ତାଙ୍କର ଘର ନାଁ ‘ନାସ୍ତିକ କେନ୍ଦ୍ର’ ଓ ସେ ନାସ୍ତିକତାର ପ୍ରଚାର ପାଇଁ ସଭାସମିତି କରୁଥିଲେ, ଖବରକାଗଜ ଚଳାଉଥିଲେ, ବହି ଲେଖିଥିଲେ । ତେଣେ ଗାନ୍ଧୀଜୀ କହୁଥିଲେ ଯେ ଇଶ୍ୱରବିଶ୍ୱାସୀ ନ ହେଲେ ମଣିଷ ସତ୍ୟାଗ୍ରହୀ ହେଇପାରିବ ନାହିଁ; କିନ୍ତୁ ଗୋରା ଗାନ୍ଧୀଜୀଙ୍କର ସତ୍ୟାଗ୍ରହୀ ଫୌଜରେ ବେଶ୍‌ ସାମିଲ ହେଇଯାଇଥିଲେ ଓ ଗାନ୍ଧୀଜୀଙ୍କ ସାଙ୍ଗରେ ତାଙ୍କର ଭଲ ପଟୁଥିଲା । ଗୋରା କହୁଥିଲେ ଯେ ଗାନ୍ଧୀ ପ୍ରକୃତରେ ଇଶ୍ୱରବିଶ୍ୱାସୀ ନୁହନ୍ତି ଓ ଗୋରାଙ୍କ ସର୍ବୋଦୟୀ ସହକର୍ମୀମାନେ କହୁଛନ୍ତି ଯେ ଗୋରା ପ୍ରକୃତରେ ନାସ୍ତିକ ନୁହନ୍ତି । ବିଲାତରେ ପାଠ ପଢ଼ୁଥିବାବେଳେ ଗାନ୍ଧୀଜୀ ଜଣେ ବିଶିଷ୍ଟ ନାସ୍ତିକ ଚାର୍ଲସ ବ୍ରାଡ୍‍ଲଙ୍କ ସମ୍ପର୍କରେ ଆସିଥିଲେ ଓ ତାଙ୍କ ଦ୍ୱାରା ଖୁବ୍‍ ପ୍ରଭାବିତ ହେଇଥିଲେ । ବ୍ରାଡଲ୍‍ଙ୍କୁ ଗାନ୍ଧୀ ପ୍ରଚଳିତ ଅର୍ଥରେ ନାସ୍ତିକ ମଣୁ ନ ଥିଲେ ଓ କହୁଥିଲେ ଯେ, ସେ ଇଶ୍ୱରରେ ବିଶ୍ୱାସ ନ କରୁଥିଲେ ବି ‘ସତ୍ୟ’ରେ ବିଶ୍ୱାସ କରୁଥିଲେ । ‘ସତ୍ୟ’ ଓ ‘ଇଶ୍ୱର’ର ତାତ୍ପର୍ଯ୍ୟ ଏକ । ତେଣୁ ବ୍ରାଡ୍‍ଲ ନାସ୍ତିକ ନୁହନ୍ତି । ଗାନ୍ଧିଜୀ ପ୍ରଥମେ କହୁଥିଲେ ଯେ ଇଶ୍ୱର ହିଁ ସତ୍ୟ; କିନ୍ତୁ ପରେ ବ୍ରାଡ୍‍ଲ ଓ ଗୋରାଙ୍କ ଭଳି ଲୋକଙ୍କର ବିଚାରକୁ ଅନ୍ତର୍ଭୁକ୍ତ କରିବା ଲାଗି କହିବାକୁ ଲାଗିଲେ–‘‘ସତ୍ୟ ହିଁ ଇଶ୍ୱର ।’’

 

ଯଦି ଆମେ କିଏ କ’ଣ କହୁଛି, ତାହାକୁ କିଛି କାଳ ପାଇଁ ଛାଡ଼ିଦେଇ କିଏ କ’ଣ କରୁଛି ତାହା ଦେଖିବା, ତେବେ ଲକ୍ଷ୍ୟ କରିବା ଯେ ଗାନ୍ଧୀ, ମାର୍ଟିନ୍‌ ଲୁଥର୍‌, ବିବେକାନନ୍ଦ, ରାମମୋହନ ଆଦି ଇଶ୍ୱାରବିଶ୍ୱାସୀଙ୍କର ମେଳକୁ ବଟ୍ରାଣ୍ଡ ରସେଲ୍‌, ଏଲ୍‌ଡସ୍‌ ହକ୍‌ସଲୀ, ବର୍ଣ୍ଣାଡ୍‍ ଶ’, ସାର୍ତ, କାମୁ ଆଦିଙ୍କ ଭଳି ଇଶ୍ୱରଙ୍କ ବିଷୟରେ ମୁଣ୍ଡ ନ ଖେଳେଉଥିବା ବା ନିରୀଶ୍ୱରବାଦୀ ବି ଏକା ପାଖକୁ ଆସିଯାଉଛନ୍ତି । ଏମାନେ ସମସ୍ତେ ସତ୍ୟସନ୍ଧ, ମଣିଷର ଦୁଃଖଦୁର୍ଦ୍ଦଶାରେ ବିଗଳିତ ଓ ମଣିଷକୁ ତା’ର ଦୟନୀୟ ସ୍ଥିତିରୁ ଉଦ୍ଧାର କରିବାର ବାଟ ଖୋଜିବାରେ ଲାଗିଥିଲେ ।

 

ଅନ୍ୟ ପକ୍ଷରେ ନିରୀଶ୍ୱରବାଦୀ ସ୍ତାଲିନ୍‌ ଯେତେ ନରହତ୍ୟା ଓ ବର୍ବରତାର ଇତିହାସି ରଚିଯାଇଛନ୍ତି, ତା’ ସାଙ୍ଗକୁ ମଧ୍ୟ-ଯୁଗର ପୋପମାନଙ୍କର ଓ ବ୍ରାହ୍ମଣ୍ୟଧର୍ମକୁ ବୌଦ୍ଧଧର୍ମ ସ୍ଥାନରେ ପୁନଃ ପ୍ରତିଷ୍ଠିତ କରିବାକୁ ଚାହୁଁଥିବା ହିନ୍ଦୁରାଜାମାନଙ୍କର ଅତ୍ୟାଚାରର ଇତିହାସ ସେ ଯୁଗର ଶାସନକଳର ପାରଗତା ଓ ବିସ୍ତୃତିକୁ ଚାହିଁ ଅବଶ୍ୟ ପଟ ପକେଇ ପାରିବ । ଆଉ ପ୍ରକାରେ ନାସ୍ତିକ ଲେନିନ୍‌, ମାଓ ଓ ହୋ-ଚି-ମିନ୍‌ ଅସ୍ତ୍ରବଳରେ ନୂଆ ସମାଜ ପ୍ରତିଷ୍ଠା କରି ଜନସାଧାରଣଙ୍କର ଦୁଃଖ ଦୂର କରିବାର ସ୍ୱପ୍ନ ଦେଖୁଥିଲେ ତ ଶ୍ରୀକୃଷ୍ଣ, ଅର୍ଜ୍ଜୁନ, ରାମଚନ୍ଦ୍ର ଓ ପୈଗମ୍ବର ମହମ୍ମଦଙ୍କ ଭଳି ଇଶ୍ୱରବାଦୀ ବା ଅବତାର ବି ଅସ୍ତ୍ର ଧରିବାକୁ ପଛେଇ ନ ଥିଲେ ।

 

ସେଥିପାଇ କିଏ ‘ପ୍ରକୃତ’ ଇଶ୍ୱରବାଦୀ, କିଏ ‘ପ୍ରକୃତ’ ନାସ୍ତିକ, ଏ ଧନ୍ଦାରେ ନ ପଶି ଯେଉଁମାନେ ଇଶ୍ୱରରେ ବିଶ୍ୱାସ କରୁଛନ୍ତି ସେମାନେ ତାହାଦ୍ୱାରା କ’ଣ ବୁଝାଉଛନ୍ତି ଓ ଯେଉଁମାନେ ଇଶ୍ୱରଙ୍କୁ ପ୍ରତ୍ୟାଖ୍ୟାନ କରୁଛନ୍ତି ବା ପରବାୟ କରୁନାହାନ୍ତି ସେମାନେ ତାହା ପରିବର୍ତ୍ତେ କ’ଣ କହୁଛନ୍ତି, ତାହା ଜାଣିବା ପାଇଁ ଚେଷ୍ଟା କଲେ ବେଶୀ କାମ ଦେବ । ଗାନ୍ଧୀ ଓ ଗୋରାଙ୍କୁ କ’ଣ ଏକାଠି କରିଥିଲା ତଥା ସ୍ତାଲିନ୍‌ ଓ ମଧ୍ୟଯୁଗରେ ପୋପମାନଙ୍କୁ ଏମାନଙ୍କଠାରୁ ଅପର ମେରୁକୁ ଠେଲିଦେଇଥିଲା ତା’ର କିଛି ଓର ପାଇବା ଓ ଆସ୍ତିକ, ନାସ୍ତିକ ବାଦବିବାଦ ଚାଲିଥିବା ଭିତରେ ନିଜେ ନିଜେ ବାଟ ଚାଲିବା ପାଇଁ କିଛି ପାଥେୟ ପାଇବା ।

 

ନିଜର ଇଶ୍ୱରବିଶ୍ୱାସର ଭୂମିକା ବୁଝାଇବାକୁ ଗାନ୍ଧୀଜୀ ଥରେ କହିଥିଲେ–‘‘ମୃତ୍ୟୁ ଦ୍ୱାରା ପରିବେଷ୍ଟିତ ହେଇ ମଧ୍ୟ ଜୀବନ ତିଷ୍ଠି ରହିଛି । ଅନ୍ଧାର ଭିତରେ ଆଲୁଅ ତିଷ୍ଠି ରହିଛି । ଅସତ୍ୟ ଭିତରେ ସତ୍ୟ ତିଷ୍ଠି ରହିଛି । ଜୀବନ, ଆଲୋକ ଓ ସତ୍ୟ ହିଁ ଇଶ୍ୱର ।’’ ଏଥିରୁ ଦେଖିବା ଯେ ଜୀବନରେ ଆସ୍ଥା, ଏକ ଗଭୀର ଆଶାବାଦ, ଗାନ୍ଧୀଜୀଙ୍କର ଇଶ୍ୱରବିଶ୍ୱାସର ଗୋଟାଏ ବିଭାବ । ସତ୍ୟ ଓ ଅହିଂସା ଇଶ୍ୱର ବୋଲି ବି ସେ କହୁଥିଲେ । ସତ୍ୟର ଅନୁସନ୍ଧାନ କରିବା ଜୀବନର ପରମ ଲକ୍ଷ୍ୟ ବୋଲି ସେ ବିଶ୍ୱାସ କରୁଥିଲେ ଓ ସେହିପରି ଉଦ୍ୟମ କରୁଥିଲେ । ସବୁଯାକ ସତ୍ୟ କୌଣସି ପ୍ରାଚୀନ ମହାପୁରୁଷ ବା ମହପୁରୁଷମାନେ ଜାଣିଥିଲେ, ବାଢ଼ିଦେଇ ଯାଇଛନ୍ତି, ବା ଅମୁକ ଅମୁକ ଧର୍ମଗ୍ରନ୍ଥ ବା ଅନ୍ୟ ବହିରେ ସେସବୁ ଲେଖା ହେଇ ରହିଛି, ସେ ଏପରି ବିଶ୍ୱାସ କରୁ ନ ଥିଲେ । ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସତ୍ୟକୁ ଖୋଜିବାକୁ ପଡ଼ିବ । ତାହା ହେଲେ ଯାଇ ମଣିଷ ଅଜ୍ଞାନରୁ ଜ୍ଞାନ ଆଡ଼କୁ ଆଗେଇବ ଓ ଠିକ୍‌ ବାଟରେ ଚାଲିପାରିବ, ଏଇ ଥିଲା ସତ୍ୟରେ ତାଙ୍କର ବିଶ୍ୱାସର ଅର୍ଥ । ଏ ଦୃଷ୍ଟିକୋଣ ବୈଜ୍ଞାନିକମାନଙ୍କର ଦୃଷ୍ଟିକୋଣରୁ ଭିନ୍ନ ନୁହେଁ । ଏଇ ପ୍ରକାରର ଦୃଷ୍ଟି ଥିବାଯୋଗୁଁ ଗାନ୍ଧୀଜୀ ନିଜର ଆତ୍ମଜୀବନୀର ନାମ ଦେଇଥିଲେ ‘‘ସତ୍ୟକୁ ନେଇ ମୋର ପରଖର କାହାଣୀ ।’’

 

ଅହିଂସା ଦ୍ୱାରା ସେ କେବଳ ହିଂସାର ଅଭାବ ବୁଝନ୍ତି ନାହିଁ ବୋଲି ଗାନ୍ଧୀଜୀ ବାରମ୍ବାର କହୁଥିଲେ । ଏହାକୁ ସେ ପ୍ରେମର ପ୍ରତିଶବ୍ଦରୂପେ ବ୍ୟବହାର କରୁଥିଲେ । ‘ପ୍ରେମ’ କହିଲେ ଶାରୀରିକ ପ୍ରେମ ମଧ୍ୟ ବୁଝାଏ ଓ ସେଇ ଅର୍ଥଟା ହିଁ ଅଧିକ ପ୍ରଚଳିତ–ବିଶେଷ କରି ଇଂରେଜୀରେ । ସେଥିପାଇଁ ଭୁଲ ବୁଝିବା ଏଡ଼େଇବା ପାଇଁ ସେ ‘ଅହିଂସା’ ଶବ୍ଦ ପସନ୍ଦ କରୁଥିଲେ । ମଣିଷମାତ୍ରକୁ ସେ ପ୍ରେମ ବା ସ୍ନେହଦୃଷ୍ଟିରେ ଦେଖୁଥିଲେ । ସାରା ମଣିଷଜାତିକୁ ନିଜର ବୋଲି ମଣୁଥିଲେ ଓ ସାରା ଜୀବସୃଷ୍ଟିକୁ ମଧ୍ୟ ଭଲ ପାଇବାକୁ ଚେଷ୍ଟା କରୁଥିଲେ । ପ୍ରତ୍ୟେକ ମଣିଷର ପ୍ରତିଷ୍ଠା ସମାନ, ସେ କ୍ଷୁଦ୍ର ଶିଶୁଟିଏ ହେଲେ ବି ତା’ର ବ୍ୟକ୍ତିତ୍ୱ ପ୍ରତି ଆଦର ଓ ସମ୍ମାନର ଭାବ ରହିବା ଚାହି–ଏହା ସେ ବିଶ୍ୱାସ କରୁଥିଲେ । ସେଥିପାଇଁ ସେ କାହାରି ହାକିମି ଚଳଉ ନ ଥିଲେ । ତାଙ୍କର ପିଲାଦିନର ପରିବେଶରୁ ସେ ଯେଉଁ ସାଆନ୍ତିଆ ମୁରବୀପଣିଆର ସଂସ୍କାର ପାଇଥିଲେ ଓ ପ୍ରଥମ ପ୍ରଥମ କସ୍ତୁରବା’ ଓ ପିଲାମାନଙ୍କ ଉପରେ ଚଳଉଥିଲେ, ତାକୁ ସେ ଚେଷ୍ଟା କରି ଛାଡ଼ିଦେଇଥିଲେ । ତାଙ୍କର ସତ୍ୟନିଷ୍ଠା ଓ ମଣିଷ ପ୍ରତି ସ୍ନେହ ଓ ସମ୍ମାନର ଦୃଷ୍ଟି ଯୋଗୁଁ ସେ ସାନପିଲାଙ୍କ କଥା ମଧ୍ୟ ମନୋଯୋଗର ସହିତ ଶୁଣୁଥିଲେ, ବୁଝିବାକୁ ଚେଷ୍ଟା କରୁଥିଲେ । ଏଥିରେ ଆମେ ଯାହାକୁ ଗାଣତାନ୍ତ୍ରିକ ମନୋଭାବ କହିବା ତାହାର ପରିପୂର୍ଣ୍ଣ ଅଭିବ୍ୟକ୍ତି ଦେଖିବାକୁ ପାଉ ।

 

ଗାନ୍ଧୀଜୀ ନିଜକୁ ଭାଗ୍ୟ ହାତରେ ଅସହାୟ କ୍ରୀଡ଼ନକ ବୋଲି ବିଚାରୁ ନଥିଲେ–ଇଶ୍ୱରଙ୍କର ହାତରେ ଏକ ଯନ୍ତ୍ର ବା ହତିଆର ବୋଲି ବିଶ୍ୱାସ କରୁଥିଲେ । ଏ ହତିଆର ମଧ୍ୟ ନିର୍ଜୀବ ନୁହେଁ । ନିଜର ବୁଦ୍ଧି ଓ ହୃଦୟ ଦେଇ ସୃଷ୍ଟିର ରହସ୍ୟ ବୁଝିବାକୁ ଚେଷ୍ଟା କରିବା ଓ ସେଥିରେ ଇଶ୍ୱରଙ୍କର ‘ଇଚ୍ଛା’ କ’ଣ ତାହା ଜାଣି ତଦନୁସାରେ କାମ କରିବା, ଏଇ ଥିଲା ତାଙ୍କର ଭୂମିକା । ସେ ନିଜର ଅନ୍ତରରେ ଇଶ୍ୱରଙ୍କର ଆଦେଶ ଶୁଣନ୍ତି ବୋଲି କହୁଥିଲେ; ମାତ୍ର ଏ ଅନ୍ତର୍ବାଣୀକୁ ସେ ସତ୍ୟ ଓ ଅହିଂସାର କଷଟିରେ, ଯୌକ୍ତିକତାର କଷଟିରେ କଷି ତା’ପରେ ସେ ଅନୁସାରେ କାମ କରୁଥିଲେ । ଭାରତବର୍ଷର ସ୍ୱାଧୀନତା, ସେଥିରେ ଏକ ନୂଆ ସାମ୍ୟମୂଳକ, ଶୋଷଣହୀନ ଓ ବ୍ୟକ୍ତିସ୍ୱାତନ୍ତ୍ର୍ୟ ଉପରେ ଆଧାରିତ ସମାଜ ଗଢ଼ିବା ସେ ଇଶ୍ୱରଙ୍କ ଇଚ୍ଛା ବୋଲି ବୁଝି ସେହି କାମରେ ଲାଗିଥିଲେ । ଅନ୍ୟମାନେ, ଯଥା ମାର୍କ୍‌ସ, ଯାହାକୁ ‘ଐତିହାସିକ ଆବଶ୍ୟକତା’ ବା ‘ଯୁଗର ଦାବି’ କହନ୍ତି, ଗାନ୍ଧୀଜୀଙ୍କର ‘ଇଶ୍ୱର ଇଚ୍ଛା’ ଏ କ୍ଷେତ୍ରରେ ତାହାରି ସମାର୍ଥବ୍ୟଞ୍ଜକ ଥିଲା । ଅବଶ୍ୟମ୍ଭାବ୍ୟ ଐତିହାସିକ ପରିଣତି ଭଳି ଭାଷା ସେ ବି ବ୍ୟବହାର କରୁଥିଲେ ଓ ଇତିହାସ ଓ ସମାଜର (ବ୍ୟାପକ ଅର୍ଥରେ) ଅଧ୍ୟୟନ ଓ ବ୍ୟାବହାରିକ ଅଭିଜ୍ଞତାରୁ ସେ ସାମାଜିକ, ଆର୍ଥିକ ଓ ରାଜନୀତିକ ଲକ୍ଷ୍ୟସବୁ ସ୍ଥିର କରିଥିଲେ ।

 

ସେ ବିଶ୍ୱାସ କରୁଥିଲେ ଯେ ଇଶ୍ୱରଙ୍କ ଇଚ୍ଛା ବିନା ଗଛର ପତରଟିଏ ସୁଦ୍ଧା ହଲୁନାହିଁ । ପ୍ରାକୃତିକ ନିୟମରୁ ଏ ଇଚ୍ଛା ବାହାର ବୋଲି ସେ ବିଚାରୁ ନ ଥିଲେ । ଆଧୁନିକ ବିଜ୍ଞାନରେ determinism ବା ପୂର୍ବନିୟତ ପରିଣତିର ଯେଉଁ ଏକ ଟାଣୁଆ ମତବାଦ ଅଛି, ଗାନ୍ଧୀଜୀଙ୍କର ବିଶ୍ୱାସ ତଦନୁରୂପ ଥିଲା । କିନ୍ତୁ ସେ ଘଟଣାର ସ୍ରୋତକୁ ଇତିହାସର ଅବଶ୍ୟମ୍ଭାବୀ ପରିଣତି ବା ଇଶ୍ୱରଇଚ୍ଛା ବୋଲି ମାନି ନେଇ ମନକୁ ଆଶ୍ୱାସ ଦେଉ ନ ଥିଲେ । ପରିସ୍ଥିତିରେ ଥିବା ମଣିଷର ଦୁର୍ଦ୍ଦଶାର ନୈତିକ ପ୍ରଶ୍ନ ତାଙ୍କୁ ବରାବର ଘାରୁଥିଲା ଓ ‘‘ଏପରି କାହିଁକି କରୁଛ’’ ବୋଲି ସେ ଇଶ୍ୱରଙ୍କ ସାଙ୍ଗରେ ଝଗଡ଼ା କରୁଥିଲେ । ଦ୍ୱିତୀୟ ମହାଯୁଦ୍ଧବେଳେ ଏବଂ ସ୍ୱାଧୀନତା ପୂର୍ବର ସାମ୍ପ୍ରଦାୟିକ ଗଣ୍ଡଗୋଳ ସମୟରେ ସେ ଏଭଳି ତୀବ୍ର ବ୍ୟାକୁଳତା ଅନୁଭବ କରୁଥିଲେ । ଇଶ୍ୱରଇଚ୍ଛା କେବଳ ବାହାର ଘଟଣାରେ ପ୍ରକାଶ ପାଉନାହିଁ । ସେ ନିଜେ ଓ ଲୋକେ ବି ତା’ର ଏକ ମାଧ୍ୟମ ବୋଲି ବିଚାରି ଗାନ୍ଧିଜୀ ସେ ଘଟଣାର ତାତ୍ପର୍ଯ୍ୟ ବୁଝିବା ପାଇଁ ଚେଷ୍ଟା କରୁଥିଲେ ଓ ସେଥିରେ ନିଜର ଓ ଲୋକଙ୍କର କ’ଣ କର୍ତ୍ତବ୍ୟ ତାହା ସ୍ଥିର କରିବା ଚେଷ୍ଟା କରୁଥିଲେ । ଯାହା ଘଟୁଛି, ତାହା ସମ୍ପୂର୍ଣ୍ଣ ଅବଶ୍ୟମ୍ଭାବୀ ବୋଲି ବିଚାରୁ ନ ଥିଲେ । ଘଟଣାର ପ୍ରବାହକୁ ରୂପ ଦେବାରେ ମଣିଷର ବି ହାତ ଅଛି ବୋଲି ତାଙ୍କର ବିଶ୍ୱାସ ଥିଲା । ‘ଇଶ୍ୱର ଇଚ୍ଛା’ ଭଳି ଭାଷାର ପାରିଭାଷିକତାରୁ ଅଲଗା କରି ଦେଖିଲେ ଏଇ ଥିଲା ତାଙ୍କର ବାସ୍ତବ ଦୃଷ୍ଟିକୋଣ । ଜଣେ ସତ୍ୟାଗ୍ରହୀ ବି ସାରା ଦୁନିଆ ସାମନାରେ ଛିଡ଼ା ହେଇ ତାକୁ ପ୍ରଭାବିତ କରିପାରେ ବୋଲି ତାଙ୍କର ବିଶ୍ୱାସ ଥିଲା ।

 

ଗାନ୍ଧୀଜୀଙ୍କର ଇଶ୍ୱରବିଶ୍ୱାସର ଅର୍ଥସମ୍ଭାରର କେତେଟା ମୁଖ୍ୟ ଉପାଦାନର ଠିକେ ଠିକେ ଉଲ୍ଲେଖ କରାଗଲା । ଯଦି ଆମେ ଗୋରାଙ୍କ ଭଳି ନାସ୍ତିକଙ୍କର ମତବାଦର ଅର୍ଥସମ୍ଭାରର ବିଶ୍ଳେଷଣ କରିବା ତ ଗାନ୍ଧୀଜୀଙ୍କର ଅନୁରୂପ ଉପାଦାନ ବହୁତ ପାଇବା । ଗୋରା ବୈଜ୍ଞାନିକ ତାଲିମ ପାଇଥିଲେ ଓ ତାଙ୍କର ସତ୍ୟ ପ୍ରତି ଗଭୀର ଆସ୍ଥା ଥିଲା । ଜ୍ଞାନ ସାହାଯ୍ୟରେ ହିଁ ମଣିଷ ଠିକ୍‌ ବାଟରେ ଚାଲିପାରିବ ବୋଲି ସେ ବି ବିଶ୍ୱାସ କରୁଥିଲେ ଓ ସାଧ୍ୟମତେ ସତ୍ୟ ଜାଣିବାକୁ ଚେଷ୍ଟା କରୁଥିଲେ । ମଣିଷଜାତି ପ୍ରତି ତାଙ୍କର ମଧ୍ୟ ସମାନତା ଓ ଆତ୍ମୀୟତାର ଭାବ ଥିଲା । ସେ ନିଜକୁ ଜଣେ ବିଶ୍ୱ-ନାଗରିକ ବୋଲି ବିଚାରୁଥିଲେ । ଜୀବଜନ୍ତୁ ପ୍ରତି ମଧ୍ୟ ତାଙ୍କର ଦୟା ବା କରୁଣା ଥିଲା ଓ ସେଥିପାଇଁ ସେ ନିରାମିଷାଶୀ ଥିଲେ ।

 

ଏଇ ସତ୍ୟସନ୍ଧିତ୍ସା ଓ ମାନବପ୍ରେମ ଦ୍ୱାରା ଉଦ୍‌ବୁଦ୍ଧ ହେଇ ଗୋରା ସାରା ଜୀବନ ସମାଜର ଅନ୍ୟାୟ ଅନୀତିର ପ୍ରତିକାରର ଉଦ୍ୟମରେ ଲାଗିରହିଥିଲେ । ଜୀବନରେ ସେ ବହୁତ ଥର ବହୁତ ବିଷୟ ନେଇ ସତ୍ୟାଗ୍ରହ ଲଢ଼େଇ କରିଛନ୍ତି; ମାତ୍ର ପ୍ରତିପକ୍ଷୀ ବା କାହାରି ପ୍ରତି ତାଙ୍କ ମନରେ ଦ୍ୱେଷ, ଘୃଣା ବା ଅସୂୟାର ଭାବ ଦେଖାଯାଉ ନଥିଲା ।

 

ଅପରପକ୍ଷରେ ଅନ୍ୟାନ୍ୟ ଇଶ୍ୱରବିଶ୍ୱାସୀଙ୍କର ବିଶ୍ୱାସର ଅର୍ଥସମ୍ଭାର ବିଶ୍ଳେଷଣ କରିବା ତ କ’ଣ ମିଳିବ ଦେଖାଯାଉ ।

 

ଓଡ଼ିଆ କବିମାନେ ବହୁତ ସୁଲଳିତ ଭଜନ ଲେଖିଛନ୍ତି । ସେସବୁର ଅଧିକାଂଶର ବିଶ୍ଳେଷଣ କରାଯିବ ତ ଦେଖାଯିବ ଯେ ସେମାନଙ୍କର ଇଶ୍ୱର ବୋଲନ୍ତେ ସେମାନେ ଯେଉଁ ସବୁ ରାଜାମାନଙ୍କ ଆଶ୍ରାରେ ଚଳୁଥିଲେ, ଇଶ୍ୱର ସେହିଭଳି ଏକ ମନଖୁସିଆ ସର୍ବୋପରି ରାଜା; ଖୁସି ହେଲେ ବହୁତ କିଛି ଅଜାଡ଼ି ଦେବ, ରାଗିଗଲେ ମୁଣ୍ଡ ଉଡ଼ିଯିବ । ତାକୁ ଅନୁନୟ ବିନୟ କରିବା ହିଁ ଭକ୍ତର କାମ: ‘‘କେ କି କଲା ମୁଁ ନ କଲି, କେ କି ଦେଲା ଅବା ମୁଁ ଅବା ନ ଦେବା ଘେନି ଏତେସରି ହେଲି’’....‘‘ଗଜ, ହରିଣୀ, ଅଜାମିଳ ସମସ୍ତଙ୍କୁ ତାରିଲ, ମତେ କାହିଁକି ନ ତାରୁଛ ?’’ କେବଳ ଡହଳବିକଳ ହେବା ଛଡ଼ା ଆଉ କିଛି କରିବାର ପ୍ରେରଣା ଏସବୁ ଭଜନରେ ଦେଖାଯାଏ ନାହିଁ । ଉପରୋକ୍ତ କବିମାନଙ୍କର ନିଜର ଜୀବନରେ ମଧ୍ୟ ଏପରି କୌଣସି ଅଭିକ୍ରମ, ପୁରୁଷାର୍ଥ ବା ସାହସ ଦେଖାଯାଏ ନାହିଁ ।

 

ମାତ୍ର ଆମେ ମୀରା ବାଇଙ୍କର ଜୀବନ ଓ ଭଜନରେ ଭିନ୍ନ ଉପାଦାନ ପାଇବା । ନିଜର ସ୍ୱେଚ୍ଛାଚାରୀ ସ୍ୱାମୀଙ୍କର ବଶ୍ୟତା ସେ ସ୍ୱୀକାର କରିବାକୁ ଚାହିଁଲେ ନାହିଁ ଓ ଇଶ୍ୱରନିଷ୍ଠାରେ ହିଁ ରାଜା, ସ୍ୱାମୀ ଓ ସମାଜର ପ୍ରଚଳିତ ପ୍ରତିକୂଳ ମନୋଭାବ ବିରୋଧରେ ଛିଡ଼ା ହେବାର ସାହସ ସେ ପାଇଲେ: ‘‘ମେରେ ତୋ ଗିରିଧର୍‌ ଗୋପାଲ୍‌ ! ଦୂସରା ନ କୋଇ… ।’’ ତାଙ୍କ ତେଭିର ପ୍ରେମର ବନ୍ୟା ଆସିଥିଲା । ଇଶ୍ୱରଙ୍କୁ ପାଇବା ପାଇଁ ଫଳମୂଳ ଖାଇଲେ ବା ଦୁଧ ପିଇଲେ ବା ନିତି ଗାଧୋଇଲେ ବା ମୂର୍ତ୍ତିପୂଜା କଲେ କିଛି ହେବ ନାହିଁ: ‘‘ମୀରା କହେ ବିନା ପ୍ରେମ୍‌ସେ ନ ମିଲେ ନନ୍ଦ୍‌ଲାଲା....’’ ଏଇ ଥିଲା ତାଙ୍କର ଇଶ୍ୱରବିଶ୍ୱାସର ଅର୍ଥ ।

 

‘‘ମନଓ୍ୱା ସାଧନ୍‌ କର୍‌ନା ଚାହି...

ନିତ ନହାନେ ସେ ହରି ମିଲେ ତୋ

ଜଲଜନ୍ତୁ ହୋଇ

ଫଲମୂଲ ଖା କେ ହରି ମିଲେ ତୋ

ବନ୍ଦର ବନ୍ଦରାଇ.......

ଦୁଧ ପୀନେ ସେ ହରି ମିଲେ ତୋ

ବହୁତ ବତ୍‌ସବାଲା

ମୀରା କହେ ବିନା ପ୍ରେମ ସେ

ନ ମିଲେ ନନ୍ଦଲାଲା.....’’

 

ସେହିପରି ଚୈତନ୍ୟଦେବ ମଧ୍ୟ । ତାଙ୍କର ବିଶ୍ୱାସରେ ବି ମାନବପ୍ରେମ ଥିଲା ମୁଖ୍ୟ ଉପାଦାନ । ସେ ବି ସମାଜର ଜଡ଼ତା, ବୈଷମ୍ୟ ବିରୋଧରେ ଅଭିଯାନ ଆରମ୍ଭ କଲେ । ଏଥିପାଇଁ ବଳ ସେ ଇଶ୍ୱରବିଶ୍ୱାସରୁ ପାଇଲେ । ବୈଷ୍ଣବ କବିମାନଙ୍କ ଭିତରେ ଏହି ମାନବପ୍ରେମର ଉଚ୍ଛ୍ୱାସ ଊଣା ଅଧିକେ ଦେଖିବାକୁ ମିଳେ । ଚଣ୍ଡିଦାସଙ୍କଠାରେ ତା’ର ଏକ ସର୍ବୋତ୍ତମ ଅଭିବ୍ୟକ୍ତି ହେଇଥିଲା: ଶୁଣ ହିମାଂଷୁ ଭାଇ,

 

‘‘ସବାର ଉପରେ ମାନୁଷ୍‌ ସତ୍ୟ

ତାହାର ଉପରେ ନାଇ ।’’

 

ଗୁରୁଦେବ ରବୀନ୍ଦ୍ରନାଥ ଅନେକ ପ୍ରାର୍ଥନା ସଙ୍ଗୀତ ଲେଖିଛନ୍ତି । ମାତ୍ର ସେ ସବୁଥିରେ ଅକ୍ଷମ କନ୍ଦାକଟା ପରିବର୍ତ୍ତେ ଏକ ବଳିଷ୍ଠ ମନୋବୃତ୍ତିର ଦର୍ଶନ ମିଳେ ।

 

ଭଗବାନ, ମତେ ତମର କାମ କରିବାର ଓ ଦୁଃଖ ସହିବାର ଶକ୍ତି ଦିଅ–

 

ତୋମାର ପତାକା ଯାରେ ଦାଓ ତାରେ

ବହିବାର ଦାଓ ଶକତି

ତୋମାର ସେବାର ମହାନ ଦୁଃଖ

ସହିବାର ଦାଓ ଭକତି......’’

 

ମତେ ହୃଦୟଭରା ପ୍ରେମ ଓ କଣ୍ଠଭରା ସଙ୍ଗୀତ ଦିଅ–

 

‘‘ଯଦି କିଛୁ ଦିଓ ମୋରେ ଦାନ୍‌

ହେ ଭଗବାନ୍‌

ହୃଦୟ ଭରିୟା ଦିଓ ପ୍ରେମ୍‌, କଣ୍ଠ ଭରିୟା

ଦିଓ ଗାନ୍‌......’’

 

‘‘ଅନ୍ତର ମମ ବିକଶିତ କରୋ ଅନ୍ତରତର ହେ !

ନିର୍ମଲ କରୋ, ଉଜ୍ଜ୍ୱଲ କରୋ, ସୁନ୍ଦର କରୋ ହେ !

ଜାଗ୍ରତ କରୋ, ଉଦ୍ୟତ କରୋ, ନିର୍ଭୟ କରୋ ହେ !

ମଙ୍ଗଲ କରୋ, ନିରଲସ, ନିଃସଂଶୟ କରୋ ହେ !’’

 

ପକ୍ଷାନ୍ତରେ ମନୁଙ୍କର ବିଶ୍ୱାସର ବିଶ୍ଳେଷଣ କରିବା । ମନୁସ୍ମୃତି ଦେଖିବା ତ ପାଇବା ଯେ ତାଙ୍କର ଚିନ୍ତା ମୋକ୍ଷ ନେଇ ବେଶୀ । ପ୍ରଚଳିତ ବୈଷମ୍ୟମୂଳକ ସମାଜ ପାଇଁ ନୀତିନିୟମ ଗଢ଼ିବାରେ ଈଶ୍ୱରଙ୍କର ଆଶ୍ରା ତାଙ୍କର ଲୋଡ଼ା ହେଇଛି । ମାନବପ୍ରେମ ବା ମଣିଷର ମଣିଷପଣିଆର ବିଚାର ତାଙ୍କୁ ଛୁଇଁନାହିଁ । ବ୍ରାହ୍ମଣ ଓ ଶୂଦ୍ରର ନାମକରଣରେ ବି କିପରି ସମ୍ମାନ ଓ ତାଚ୍ଛଲ୍ୟର ତାରତମ୍ୟ ରହିବ ତା’ର ବିଧାନ ସୁଦ୍ଧା ସେ ଦେଇଯାଇଛନ୍ତି ।

 

ମଧ୍ୟଯୁଗର ପୋପ୍‌ମାନେ ଧର୍ମରକ୍ଷା ନାମରେ ଲୋକଙ୍କ ଉପରେ ଅକଥ୍ୟ ଅତ୍ୟାଚାର ଚଳେଇଥିଲେ । ସେମାନେ ନିଜକୁ ଯୀଶୁଙ୍କର ଉତ୍ତାରାଧିକାରୀ ଓ ଭଗବାନ୍‌ଙ୍କର ବାଣୀର କ୍ଷମତାପ୍ରାପ୍ତ ବ୍ୟାଖ୍ୟାକାର ବୋଲି ବିଚାରୁଥିଲେ । ତାଙ୍କ ସାର୍ଟିଫିକେଟ୍‌ ପ୍ରାପ୍ତ ମତ ଛଡ଼ା ଅନ୍ୟ ମତକୁ ସେ ଓ ତାଙ୍କର ଅଧୀନସ୍ଥ ପାଦ୍ରୀକୁଳ ଧର୍ମଦ୍ରୋହ ବୋଲି ବିଚାରୁଥିଲେ ଓ ଦଣ୍ଡସ୍ୱରୂପ ସେଭଳି ଲୋକକୁ ଜୀଅନ୍ତା ପୋଡ଼ିଦେବା, ଉପାସରେ ରଖି ମାରିବା ଆଦି ଧର୍ମକାର୍ଯ୍ୟ ବୋଲି ବିଶ୍ୱାସ କରାଯାଉଥିଲା । ସେମାନେ ବିଶାଳ ପ୍ରାସାଦମାନଙ୍କରେ ରହୁଥିଲେ ଓ ରାଜ୍ୟ ବିସ୍ତାର ମଧ୍ୟ କରୁଥିଲେ । ଏସବୁକୁ ସେମାନଙ୍କର ବିଶ୍ୱାସର ଉପାଦାନ ବୋଲି ଧରିବାକୁ ହେବ । ଆମ ଦେଶରେ ଧର୍ମନାମରେ ପ୍ରକଟ ହିଂସାକାଣ୍ଡ କମ୍‌ ହେଇଛି । ମାତ୍ର ଈଶ୍ୱରଙ୍କ ନାମ ନେଇ ହିନ୍ଦୁ ରାଜା ଓ ବ୍ରାହ୍ମଣମାନେ ବୌଦ୍ଧଧର୍ମକୁ ଏ ଦେଶରୁ ନିଶ୍ଚିହ୍ନ କରିବା ବେଳେ ଊଣା ଅତ୍ୟାଚାର ଓ ରକ୍ତପାତ ହେଇନାହିଁ । ମନୁଙ୍କଠାରୁ ପୋପଙ୍କ ଯାଏ ଈଶ୍ୱରବିଶ୍ୱାସର ଏ ଧାରାରେ ମାନବପ୍ରେମର ଗନ୍ଧ ମିଳେ ନାହିଁ । ଅହିଂସା ଇତ୍ୟାଦି ଶବ୍ଦ ବହୁତ ବ୍ୟବହାର କରାହେଇଛି; କିନ୍ତୁ ତା’ର ବ୍ୟାଖ୍ୟା ହେଲା ଯେ ସାଧାରଣ ଲୋକେ ପାଟିତୁଣ୍ଡ ନ କରି ମୁଣ୍ଡପାତି ସବୁ ସହିଯିବେ । ସତ୍ୟର ଅର୍ଥ ଯାହା ବେଦରେ ଲେଖାସରିଛି ବା ଯୀଶୁ କହିଯାଇଛନ୍ତି, ତାହା ବାହାରକୁ କେହି ଗୋଡ଼ ବଢ଼େଇ ପାରିବ ନାହିଁ । ୟୁରୋପରେ ଈଶ୍ୱରଙ୍କ ବାଣୀର କ୍ଷମତାପ୍ରାପ୍ତ ବ୍ୟାଖ୍ୟାକାର ପୋପ୍‌ ଜଣେ ଲୋକ ଥିଲେ । ଏଠି ସେମିତି କେହି ଜଣେ ନ ଥିଲା । କିନ୍ତୁ ବେଦ ପଢ଼ିବାର ଅଧିକାର କେବଳ ବ୍ରାହ୍ମଣମାନଙ୍କର ଥିବାରୁ ସେଇମାନେ ହିଁ ତା’ର କ୍ଷମତାପ୍ରାପ୍ତ ବ୍ୟାଖ୍ୟାକାର ହେଇଥିଲେ ।

 

ନବଜାଗରଣ ଯୁଗରେ ପୋପ୍‌ଙ୍କ ବିରୋଧରେ ମାର୍ଟିନ୍‌ ଲୁଥର୍‌ ପ୍ରଭୃତି ବିଦ୍ରୋହ କଲେ-। ଏମାନଙ୍କର ଈଶ୍ୱର ବାହାର ସ୍ୱର୍ଗରେ ଥାଇ ପୋପ୍‌ଙ୍କ ମାଧ୍ୟମରେ ହୁକୁମ ଚଳାଇବାବାଲା ରହିଲେ ନାହିଁ । ଈଶ୍ୱରଙ୍କୁ ଏମାନେ ନିଜର ହୃଦୟରେ ଦେଖିଲେ, ଯେ ବିବେକର ବାଣୀ ରୂପରେ ଭିତରୁ ନିର୍ଦ୍ଦେଶ ଦେବେ । ଈଶ୍ୱରଙ୍କ ସହିତ ବ୍ୟକ୍ତିର ସମ୍ପର୍କ ସିଧାସଳଖ ହେଲା; ମଝିରେ ପୋପ୍‌ ଆଦିଙ୍କର ଦଲାଲୀ ରହିଲା ନାହିଁ । ଏଥିରେ ଆମେ ବ୍ୟକ୍ତି ସ୍ୱାଧୀନତାର ବୀଜ ଦେଖିବାକୁ ପାଉ ।

 

ଇତିହାସକାର ଟନୀ ପୁଞ୍ଜିବାଦର ବିକାଶରେ ପ୍ରୋଟେଷ୍ଟାଣ୍ଟ ମୂଲ୍ୟବୋଧର ଅବଦାନ ବହୁତ ରହିଛି ବୋଲି ସାବ୍ୟସ୍ତ କରିଛନ୍ତି । ଏବେ ମ୍ୟାକ୍‌ଲେଲ୍ୟାଣ୍ଡ ପ୍ରଭୃତି ମଧ୍ୟ ମଣିଷର ସାଫଲ୍ୟ ବୃତ୍ତି ବିଷୟରେ ଏକ ଅଧ୍ୟୟନରେ କ୍ୟାଥଲିକ୍‌ ଓ ପ୍ରୋଟେଷ୍ଟାଣ୍ଟ ଈଶ୍ୱରବିଶ୍ୱାସର ତୁଳନା କରିଛନ୍ତି । କ୍ୟାଥଲିକ୍‌ ବିଶ୍ୱାସରେ ଈଶ୍ୱରଙ୍କ ଆଦେଶ ବାହାରୁ ଆସେ ଓ ତାକୁ ଶ୍ରଦ୍ଧାର ସହିତ ମାନିବା ଉପରେ ଜୋର ଦିଆଯାଏ । ନିଜର ସ୍ୱତନ୍ତ୍ର ବିବେକ ଓ ସ୍ୱାଧୀନ ଚିନ୍ତାକୁ ନିରୁତ୍ସାହିତ କରାଯାଏ । ଏହାକୁ ଈଶ୍ୱରଙ୍କ ପ୍ରତି ଅନାସ୍ଥାର ଲକ୍ଷଣ ବୋଲି ଧରାଯାଏ । ଏହାଦ୍ୱାରା ଯାହା ପରମ୍ପରାକ୍ରମେ ଚଳିଆସିଛି ଓ ଶାସକ, ପୁରୋହିତ, ଗୁରୁଜନମାନଙ୍କର ଯାହା ହୁକୁମ ତା’କୁ ହିଁ ମାନି ଚଳିବାର ମନୋଭାବ ଦୃଢ଼ତର ହୁଏ । ନିଜେ କିଛି ନୂଆ କରିବାର ପ୍ରେରଣା କ୍ଷୀଣ ହେଇଯାଏ ।

 

ପ୍ରୋଟେଷ୍ଟାଣ୍ଟ ମତରେ ଈଶ୍ୱର ହୃଦୟରେ ଥାଇ ପ୍ରେରଣା ଦିଅନ୍ତି ଓ ମଣିଷ ଦ୍ୱାରା ନିଜର କାମ କରେଇବାକୁ ଚାହାନ୍ତି । ତେଣୁ ବ୍ୟକ୍ତିକୁ ନିଜର ବୁଦ୍ଧି ଓ ବିବେକ ପ୍ରୟୋଗ କରି କର୍ତ୍ତବ୍ୟ ନିର୍ଣ୍ଣୟ କରିବାକୁ ହୁଏ । ଆପଣା ଅନ୍ତର ଭିତରୁ ଈଶ୍ୱରଙ୍କର ନିର୍ଦ୍ଦେଶ ଶୁଣିବା ପାଇଁ କାନ ପାରିବାକୁ ହୁଏ; ବାହାରର ହୁକୁମକୁ ଅପେକ୍ଷା କରିବାକୁ ହୁଏ ନାହିଁ । ଏଥିରେ ବ୍ୟକ୍ତିର ସ୍ୱତନ୍ତ୍ର ଅଭିକ୍ରମ ବା ନୂଆ ଢଙ୍ଗରେ କାମ କରିବାର ମନୋବୃତ୍ତି ଦୃଢ଼ତର ହୁଏ । ପୁଞ୍ଜିବାଦ ପାଇଁ ଯେଉଁ ପ୍ରକାରର ଆଗୁଆ ମନୋବୃତ୍ତି ଲୋଡ଼ା ଥିଲା, ଏ ପ୍ରକାରର ବିଶ୍ୱାସ ତାହା ପ୍ରତି ଅନୁକୂଳ ହେଲା ବୋଲି ଏ ଗବେଷକମାନେ ମତ ଦେଇଛନ୍ତି ।

 

ଅନୁଧ୍ୟାନ କଲେ ଦେଖାଯିବ ଯେ ଈଶ୍ୱର ଶବ୍ଦର ଅର୍ଥସମ୍ଭାର ମଣିଷର ଜ୍ଞାନ ଓ ହୃଦୟବତ୍ତାର ବିସ୍ତାର ସହିତ ବଦଳି ବଦଳି ଚାଲିଛି । ଅତି ପ୍ରାଚୀନ ଯୁଗରେ ପ୍ରତ୍ୟେକ ବଣ, ପାହାଡ଼, ନଈରେ, ମଣିଷର ପ୍ରତ୍ୟେକ କାର୍ଯ୍ୟକଳାପର ଜଣେ ଜଣେ ଦେବତା ଅଛନ୍ତି ବୋଲି ବିଶ୍ୱାସ ଥିଲା । ଏବେ ବି ଏହା ଦେଖିବାକୁ ମିଳେ । ପ୍ରତି ଗାଁ ମୁଣ୍ଡରେ ଗାଁର ନିଜସ୍ୱ ଠାକୁରାଣୀ ଥାନ୍ତି ଓ ଖ୍ରୀଷ୍ଟାନମାନଙ୍କର ବି ପ୍ରତି ଗାଁ ଓ ସାହିର ଜଣେ ଜଣେ ‘ପୃଷ୍ଠପୋଷକ ସନ୍ଥ’ ରହିଥାନ୍ତି; କିନ୍ତୁ ଆଗକୁ ଏଥିରୁ ସନ୍ତୋଷ ମିଳିଲା ନାହିଁ । ଦେଖାଯାଉଛି ଯେ ଯେଉଁ ପ୍ରେରଣା ଆଇନ୍‌ଷ୍ଟାଇନଙ୍କୁ ମାଧ୍ୟକର୍ଷଣ ଶକ୍ତି ଓ ଚୌମ୍ୱକ-ବୈଦ୍ୟୁତିକ ଶକ୍ତିକୁ ଏକାଠି ମିଶେଇ ଗୋଟାଏ ଶକ୍ତିର ବିଭିନ୍ନ ଅଭିବ୍ୟକ୍ତି ରୂପେ ବ୍ୟାଖ୍ୟା କରିବାର ଚେଷ୍ଟାରେ ଲଗେଇଲା ସେଇଟା ମଣିଷର ଏକ ବହୁତ ପୁରୁଣା ପ୍ରେରଣା । ସବୁ ଜିନିଷକୁ ଟୁକୁରା ଟୁକୁରା କରି ନ ଦେଖି ସେ ସମସ୍ତ କିଛି ପଛରେ ଗୋଟାଏ ଏକସୂତ୍ରତା ଦେଖିବାକୁ ଚାହେଁ । ସେଥିପାଇଁ ସୃଷ୍ଟିର ବ୍ୟାଖ୍ୟା ଓ ତାତ୍ପର୍ଯ୍ୟ ରୂପେ ଏକ ପରମେଶ୍ୱର, ବ୍ରହ୍ମ ଆଦିର କଳ୍ପନା ଆସିଲା । ଏ ଈଶ୍ୱର ମଣିଷର ଆଶା, ଆକାଂକ୍ଷା, ଭୟ, ଆଶଙ୍କା, ଗଭୀରତମ ଅନୁଭୂତି ଓ ଉପରଠାଉରିଆ ମନୋବୃତ୍ତି ସବୁର ଆଶ୍ରୟ ହେଇ ଛଡ଼ାହେଲେ ।

 

ଈଶ୍ୱରର ଅର୍ଥସମ୍ଭାରକୁ ବିଭିନ୍ନ ପ୍ରକାରେ ଭାଗ କରି ବଣ୍ଟାଯାଇପାରେ । ସେଥି ଭିତରୁ ଗୋଟିଏ ପ୍ରକାର ହେବ ଅସହାୟତା ଓ ସକ୍ଷମତା ଏ ଦୁଇ ବାଣ୍ଟ । ଏହାକୁ ପରାଧୀନତା ଓ ସ୍ୱାଧୀନତା ବି କୁହାଯାଇପାରେ । ପ୍ରକୃତିର ଗତିବିଧି ଯେତେବେଳେ ଅବୋଧ୍ୟ ଓ ଭୟଙ୍କର ଜଣାଯାଉଥିଲା, ସେତେବେଳେ ଠାକୁର ଦେବତା ବି ସେହିପରି ଥିଲେ । ମଣିଷ ନିଜକୁ ପୂରାପୂରି ସେମାନଙ୍କର ସ୍ୱେଚ୍ଛାଚାର ସାମନାରେ ଅସହାୟ ମଣୁଥିଲା । ଏ ଅସହାୟତାରେ ଯୋଡ଼ି ହେଲା ମନ୍ତ୍ରତନ୍ତ୍ର, ମ୍ୟାଜିକ୍‌, ଖୋସାମଦ ଆଦି ଦ୍ୱାରା ଦେବଦେବୀମାନଙ୍କୁ ନିଜର ଇଚ୍ଛା ପୂରଣ କରିବା ପାଇଁ ପ୍ରବର୍ତ୍ତେଇବା ଚେଷ୍ଟା ।

 

ପ୍ରକୃତି ସାଙ୍ଗକୁ ଶାସକର ମଧ୍ୟ ସ୍ୱେଚ୍ଛାଚାର ତାହା ଉପରେ ଲଦା ହେଇଗଲା ତ ଈଶ୍ୱରଙ୍କ ରୂପ ଓଡ଼ିଆ କବିଙ୍କ ଭଜନରେ ଯେମିତି ଦେଖାଯାଉଛି, ଏକ ସର୍ବୋପରି ମନମୁଖିଆ ସ୍ୱେଚ୍ଛାଚାରୀ ରାଜାଧିରାଜଙ୍କର ହେଇଗଲା । ରାଜାଙ୍କ ହୁକୁମ ପରି ଈଶ୍ୱରଙ୍କ ହୁକୁମ ବି ଉପରୁ ଆସିଛି ଓ ତା’କୁ ମାନିବାକୁ ହେବ । ସେଥିରେ ନିଜର ବୁଦ୍ଧି ବିବେକ ନ ଚଳେଇ ବଡ଼ ଜୋରରେ କାକୁତି ମିନତି, ଖୋସାମଦ କରିପାର । ଭଲ ମନ୍ଦ ଯାହା ଘଟୁଛି ସେଥିରେ ତମର ନିଜର କିଛି ଯୁ ନାହିଁ ।

 

ଅପର ପକ୍ଷରେ ଯେତିକି ଯେତିକି ଅନୁଭବ କଲା ଯେ ସେ ନିଜ ଚେଷ୍ଟାରେ ଜ୍ଞାନ ହାସଲ କରିପାରେ, ନିଜର ଭିତରେ ଥିବା ସ୍ନେହ, ପ୍ରେମ, ମୈତ୍ରୀ, ସୌନ୍ଦର୍ଯ୍ୟବୋଧ ଆଦି ଭାବର ବିକାଶ କରି ଜୀବନକୁ ସମୃଦ୍ଧ କରିପାରେ, ଯେତିକି ଯେତିକି ସେ ଜ୍ଞାନ ଓ ହୃଦୟବତ୍ତା ଉଭୟର ସଂଯୋଗରେ ଅନ୍ୟ ଗୋଷ୍ଠୀର ମଣିଷଙ୍କୁ ବି ନିଜ ଭଳି ମଣିଷ ଓ ସ୍ନେହଶ୍ରଦ୍ଧାର ପାତ୍ର ବୋଲି ଚିହ୍ନିଲା, ସେତିକି ସେତିକି ତାହା ଭିତରେ ଏ ଭାବ ଓ ଉଦ୍ୟମ ବଢ଼ିଲା ଯେ ଜୀବନଟା ଯେମିତି ଅଛି ତା’କୁ ସେମିତି ମାନି ନ ନେଇ ତା’କୁ ବଦଳେଇବାକୁ ହେବ । ବୁଦ୍ଧ, ଯୀଶୁ, ପୈଗମ୍ୱର ମହମ୍ମଦ, ଚୈତନ୍ୟ ପ୍ରଭୃତି ଏହି ଭାବଧାରାର ପ୍ରତୀକ । ବୁଦ୍ଧ, ଯୀଶୁ, ପୈଗମ୍ୱର ମହମ୍ମଦ, ଚୈତନ୍ୟ ପ୍ରଭୃତି ଏହି ଭାବଧାରାର ପ୍ରତୀକ । ବୁଦ୍ଧ ତ ଈଶ୍ୱର ଥିବା ନଥିବା ସମସ୍ୟାରେ ପଶି ନଥିଲେ । ଅନ୍ୟମାନେ ଈଶ୍ୱରଙ୍କୁ ଏହି ପରିବର୍ତ୍ତନର ଶକ୍ତିରୂପେ ମାନିନେଲେ । ସେମାନଙ୍କ ପାଇଁ ଈଶ୍ୱରଙ୍କ ଆଦେଶ ଉପରୁ ଲଦା ହେବାରଟା ନୁହେଁ, ନିଜରହୃଦୟ ଭିତରୁ ଅନୁଭବ କରିବା ବସ୍ତୁ ହେଲା । ପ୍ରଚଳିତ ସମାଜର ରୀତିନୀତି, ବିଶ୍ୱାସ ବିରୋଧରେ ସେମାନେ ଛିଡ଼ାହେବାରେ ଈଶ୍ୱର ସେମାନଙ୍କର ଆଶ୍ରୟସ୍ଥଳ, ଆଧାରଶିଳା ହେଲେ ।

 

ଅକ୍ଷମତା ଓ ପୁରୁଷାର୍ଥ, ଈଶ୍ୱରବିଶ୍ୱାସର ଏ ଦୁଇପ୍ରକାର ବ୍ୟାଖ୍ୟା ନେଇ ପ୍ରାଚୀନ କାଳରୁ ହିଁ ଦୃଷ୍ଟିଭେଦ ଆରମ୍ଭ ହେଇଯାଇଛି । ଗୋଟିଏ କାହାଣୀ ଅଛି । ଜଣେ ସୁଫୀ ସାଧୁ ଏକ ଗଛମୂଳରେ ବସିଥିଲେ । ଦେଖିଲେ ଯେ ଅଳ୍ପଦୂରରେ ଏକ ବୁଦାରେ ଗୋଟାଏ ଚଢ଼େଇଛୁଆ ବସିଛି । ଅଳ୍ପ ସମୟ ପରେ ଗୋଟାଏ ବାଜପକ୍ଷୀ ଆସି ତା’କୁ ଅଧାର ଦେଇଗଲା ଓ ବାରମ୍ୱାର ଦେଇ ଚାଲିଲା । ସାଧୁ ବିଚାରିଲେ, ‘‘ଈଶ୍ୱର ତ ଚଢ଼େଇଛୁଆ ପାଇଁ ଏପରି ବ୍ୟବସ୍ଥା କରିଛନ୍ତି; ଆଉ ମୋ ପାଇିଁ କରିବେ ନାହିଁ ? ମୁଁ କାହିଁକି ତୁଚ୍ଛାରେ କୋଉଠୁ ଖାଦ୍ୟ ମିଳିବ ବୋଲି ଏତେ ଚିନ୍ତା କରୁଛି !’’ ଏହା ବିଚାରି ସେ ଗଛମୂଳେ ହିଁ ବସିରହିଲେ । ଦୁଇ ତିନି ଦିନ ଗଲା । କେହି ଖାଦ୍ୟ ଆଣିଦେଲା ନାହିଁ । ଉପାସ ବାଧାରେ ସାଧୁ ଶୋଇପଡ଼ିଲେ ଓ ସ୍ୱପ୍ନ ଦେଖିଲେ ଯେ ଜଣେ ଦେବଦୂତ ଆସି ତାଙ୍କୁ କହୁଛନ୍ତି, ‘‘ଆରେ, ତୁ ଚଢ଼େଇଛୁଆ ଓ ବାଜ ଦୁହିଁକୁ ଦେଖିଲୁ; ମାତ୍ର ନିଜକୁ ଚଢ଼େଇଛୁଆ ପରି କାହିଁକି ମନେକଲୁ ? ବାଜ ପରି କାହିଁକି ନ କଲୁ ?’’

 

ଅନ୍ୟ ପକ୍ଷରେ ମହାପୁରୁଷମାନଙ୍କର ପ୍ରଚାର ସତ୍ତ୍ୱେ ସାଧାରଣ ମଣିଷର ଅସହାୟତାର ଭାବ ଦୂର ହେଲା ନାହିଁ; ଏବେ ବି ଦୂର ହେଇନାହିଁ । ଶାସକକୁଳ ଓ ସେମାନଙ୍କର ବୋଲରେ ଥିବା ଅନୁଷ୍ଠାନଗତ ଧର୍ମ ମଧ୍ୟ ଏ ଅସହାୟତା ଦୂର କରିବାକୁ ଚାହିଁଲେ ନାହିଁ । ତେଣୁ ଈଶ୍ୱରଙ୍କର ଆଉ ଗୋଟାଏ ପ୍ରକାରର ରୂପ ହେଲା ପ୍ରଚଳିତ ବ୍ୟବସ୍ଥା, ରୀତିନୀତି, ଦୁଃଖକଷ୍ଟ ସବୁକୁ ଯଥାର୍ଥ ସାବ୍ୟସ୍ତ କରୁଥିବା ଶକ୍ତି; ଯାହାର ବ୍ୟାଖ୍ୟାକାର ମନୁଙ୍କଠାରୁ ପୋପ୍‌ ଓ ଏବର ପୁରୀ ଶଙ୍କରାଚାର୍ଯ୍ୟଙ୍କ ଯାଏ-। ଜାତି ଈଶ୍ୱର ଗଢ଼ିଛନ୍ତି । ଧନୀ ଦରିଦ୍ର ସେହି ସୃଷ୍ଟି କରିଛନ୍ତି । ରାଜାମାନେ ଈଶ୍ୱରଙ୍କ ଶକ୍ତି ନେଇ, ବିଷ୍ଣୁଅଂଶରେ, ଜନ୍ମିଛନ୍ତି । ତେଣୁ ସେସବୁକୁ ମାନି ଚଳିବା ଦ୍ୱାରା ହିଁ ଈଶ୍ୱରଙ୍କ ପ୍ରତି ଆନୁଗତ୍ୟ ପ୍ରକାଶ ହେବ । ଏଇ ହେଲା ଈଶ୍ୱରଙ୍କର ରକ୍ଷଣଶୀଳ ବ୍ୟାଖ୍ୟା ।

 

ଏ ଭାଗବଣ୍ଟାର ଆଉ କେତେକ ବିଭାବ ଉପରେ ମଧ୍ୟ ଦୃଷ୍ଟି ବୁଲେଇନେବା । ମଣିଷର ସକ୍ଷମତାର ବିକାଶର ଗୋଟାଏ ଉପାଦାନ ହେଲା ଯେ ସେ ପ୍ରକୃତିକୁ ମନମାନିଆ ରୂପେ ନ ଦେଖି ନିର୍ଦ୍ଦିଷ୍ଟ ନିୟମ ଅନୁସାରେ ଚଳୁଛି ବୋଲି ଦେଖି ଶିଖିଛି । ଏହି ଅନୁସାରେ ଈଶ୍ୱରଙ୍କର ଅର୍ଥ ମଧ୍ୟ ଇହୁଦୀମାନଙ୍କର କ୍ରୋଧୀ, ସ୍ୱେଚ୍ଛାଚାରୀ ଜୀହୋବାଙ୍କଠାରୁ ବଦଳି ବଦଳି ଗାନ୍ଧୀଙ୍କର ପ୍ରାକୃତିକ ନିୟମ ଭଳି ଯେମିତି ଏକ ପ୍ରାକୃତିକ ଶକ୍ତି, ଯାହାର ନିୟମ ଜାଣି ମଣିଷ ତାହା ଦ୍ୱାରା ନାନା ଉଦ୍ଦେଶ୍ୟ ପୂରଣ କରିପାରୁଛି, ସେମିତି ପ୍ରେମ ମଧ୍ୟ ଏକ ପ୍ରାକୃତିକ ଶକ୍ତି, ଯାହାର ନିୟମ ଜାଣି ମଣିଷ ତାହା ଦ୍ୱାରା ନାନା ଉଦ୍ଦେଶ୍ୟ ପୂରଣ କରିପାରୁଛି, ସେମିତି ପ୍ରେମ ମଧ୍ୟ ଏକ ପ୍ରାକୃତିକ ଶକ୍ତି, ଯାହାର ନିୟମ ମାନି ଜାଣିଲେ ମଣିଷ ସହିତ ମଣିଷର ସମ୍ପର୍କ କ୍ଷେତ୍ରରେ ଅନେକ କିଛି ଅକଳ୍ପନୀୟ ସାଫଲ୍ୟ ଅର୍ଜନ କରିହେବ । ଏଭଳି ଅର୍ଥ ବଦଳିବା ସାଙ୍ଗେ ସାଙ୍ଗେ ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା ପାଇଁ ଭୋଗରାଗ, ଖୋସାମଦ, ମନ୍ତ୍ର-ଯନ୍ତ୍ର ଆଦିର ସ୍ଥାନ ନେଇଛି ସମାଜର ଅଧ୍ୟୟନ, ନିଜର ବୁଦ୍ଧି ଓ ବିବେକକୁ ମଳିନତାରୁ ଓ ଅବରୋଧରୁ ମୁକ୍ତ କରିବାର ଚେଷ୍ଟା, ଗଭୀର ଏକାଗ୍ର ଧ୍ୟାନ ଦ୍ୱାରା ମନର ଗଭୀରତମ ଭାବଗୁଡ଼ିକୁ ଛୁଇଁବା ଓ ଗୋଚରକୁ ଆଣିବା ଚେଷ୍ଟା ଓ ଏହି ପ୍ରକାରର ଅନ୍ୟ ଉଦ୍ୟମ ।

 

ଏହାର ଉଲ୍ଲେଖ ପୂର୍ବରୁ କରାଯାଇଛି ଯେ ମଣିଷର ଉଚ୍ଚତମ ମୂଲ୍ୟବୋଧଗୁଡ଼ିକୁ ପ୍ରଥମେ ବାହାରୁ ମିଳିଥିବା ପରି ଗ୍ରହଣ କରାଯାଇଥିଲା । ବେଦରଚୟିତା, ମୁସା ବା ଯୀଶୁ, ବା ମହମ୍ମଦଙ୍କୁ ତାହା ଭାଗବାନ ବ୍ୟକ୍ତ କରି ଦେଖାଇଲେ ଓ ସେ ଦୁନିଆକୁ ତାହା ଦେଲେ । ଏହିପରି ଭଗବତ୍‌ପ୍ରେରିତଙ୍କ ଛଡ଼ା ଆଉ କେହି ସେସବୁକୁ ନିଜେ ଅନୁଭବ କରିପାରିବ ନାହିଁ; ସେସବୁର ବ୍ୟାଖ୍ୟା କରିପାରିବ ନାହିଁ । ସମସ୍ତଙ୍କୁ ଉପରୁ ଆସିଥିବା ପରି ଏହା ମାନିନେବାକୁ ହେବ । ଏଇ ଥିଲା ମଣିଷସମାଜର ବାଲ୍ୟକାଳରେ ପ୍ରଚଳିତ ବିଶ୍ୱାସ । ସାନପିଲା ବାପ ମା’ଙ୍କ କଥା ବିଶ୍ୱାସରେ ମାନିନେବା ଭଳି ସାଧାରଣ ଜନତା ମହାପୁରୁଷଙ୍କୁ କଥା ମାନିନେଉଥିଲେ ଓ ଏ ମହାପୁରୁଷଙ୍କର ବ୍ୟାଖ୍ୟାକାର ଭାବରେ ଶାସକ ଓ ପୁରୋହିତକୁଳ ଆସି ଛିଡ଼ାହେଇଯାଉଥିଲେ–ଏବେ ବି ହେଉଛନ୍ତି ।

 

କ୍ରମେ ସମାଜର ସାବାଳକି ଯେତେ ବଢ଼ିଲା, ସେତେ ଅନ୍ୟ ଅସାଧାରଣ ନ ହେଇଥିବା ବ୍ୟକ୍ତି ବି ଅନୁଭବ କଲେ ଯେ ସେମାନଙ୍କର ବି ବୁଦ୍ଧି, ବିବେକ ଅଛି ଓ ସେମାନେ ବି କ’ଣ ଠିକ୍‌, କ’ଣ ଭୁଲ ତାହା ବିଚାର କରିପାରିବେ । ମଧ୍ୟଯୁଗରେ ଯେଉଁ ସନ୍ଥମାନେ ବାହାରିଲେ ସେମାନେ ଏହିପରି ନିଜ ଭିତରର ପ୍ରେରଣାରେ ଧରାବନ୍ଧା ଗୁଳାରୁ ଭିନେ ବାଟରେ ଚାଲିବାର ସାହସ କଲେ-। ଈଶ୍ୱର ବାହାରେ, ସ୍ୱର୍ଗରେ ବା ଆଉ କେଉଁଠି ଥାଇ ଖାସ୍‌ ବ୍ୟକ୍ତି ବା ଖାସ୍‌ ପୁସ୍ତକ ମାଧ୍ୟମରେ ତାଙ୍କର ବାଣୀ ଶୁଣେଇ ଦେଇଛନ୍ତି ଓ ଶୁଣାଇଥାନ୍ତି, ଏ ପ୍ରକାରର ବିଚାର ପରିବର୍ତ୍ତେ ପ୍ରତ୍ୟେକର ହୃଦୟ ଭିତରେ ଥାଇ ଈଶ୍ୱର ତା’ଠାରେ ତା’ର ବିବେକ ବା ଅନ୍ତରର ବାଣୀ ଜରିଆରେ ପ୍ରକଟ ହେଇଥାନ୍ତି, ଏ ପ୍ରକାରର ବିଶ୍ୱାସ ବଳବତ୍ତର ହେଲା । ବ୍ୟକ୍ତି ସ୍ୱାଧୀନତା ଓ ଗଣତନ୍ତ୍ରର ବିକାଶ ସାଙ୍ଗରେ ବିଶ୍ୱାସ ବଳବତ୍ତର ହେଲା । ବ୍ୟକ୍ତି ସ୍ୱାଧୀନତା ଓ ଗଣତନ୍ତ୍ରର ବିକାଶ ଆମେ ଦେଖୁଁ–ଯାହାର ଗୋଟାଏ ଅଭିବ୍ୟକ୍ତି ଥିଲା ୟୁରୋପରେ ପ୍ରେଟେଷ୍ଟାଣ୍ଟ ମତର ଅଭ୍ୟୁଦୟ ।

 

ଏତେବେଳେ ମଧ୍ୟ ଆମେ ଦେଖୁଁ ଯେ ଏ ବ୍ୟକ୍ତିର ହୃଦୟରେ ଥିବା ଈଶ୍ୱରଙ୍କ ବିରୋଧରେ ଧର୍ମଗ୍ରନ୍ଥରେ ଅଭିବ୍ୟକ୍ତ, ପାଦ୍ରୀ ପୁରୋହିତଙ୍କ ମାଧ୍ୟମରେ ବ୍ୟାଖ୍ୟାତ, ଈଶ୍ୱରଙ୍କୁ ଛିଡ଼ାକରାହେଲା । ଚୈତନ୍ୟ ମହାପ୍ରଭୁ, ମୀରା ବାଈ, କବୀର ପ୍ରଭୃତି ଭାରତର ଓ ସନ୍ଥ ଫ୍ରାନ୍‌ସିସ୍‌, ଜୋନ୍‌ ପ୍ରଭୃତି ୟୁରୋପର ପ୍ରାୟ ପ୍ରତ୍ୟେକ ସନ୍ଥଙ୍କର ଜୀବଦ୍ଦଶାରେ ତାଙ୍କର ବିରୋଧ ପ୍ରଚଳିତ ଧର୍ମସଂସ୍ଥା ପକ୍ଷରୁ ବ୍ରାହ୍ମଣ, ପୁରୋହିତ, ପାଦ୍ରୀ ଆଦି କରିଥିଲେ । ଏମାନେ ଧର୍ମକୁ ଭ୍ରଷ୍ଟ କରିଦେଉଛନ୍ତି, ଶାସ୍ତ୍ରରେ ଥିବା ବିଧାନ ମାନୁନାହାନ୍ତି ବୋଲି ସେମାନଙ୍କ ବିରୋଧରେ ଅଭିଯୋଗ ଥିଲା ।

 

ବିଜ୍ଞାନ ଯେତେବେଳେ ପ୍ରକୃତିର ରହସ୍ୟ ଉଦ୍‌ଘାଟନ କରିବାର ଏକ ନୂଆ ବାଟ ଖୋଲିଦେଲା, ସେତେବେଳେ ବି ଈଶ୍ୱରଙ୍କର ରକ୍ଷଣଶୀଳ ରୂପକୁ ଆଣି ଆଗରେ ଛିଡ଼ା କରାହେଲା ଯେ ଈଶ୍ୱରଙ୍କର ସୃଷ୍ଟି ବିଷୟରେ ଖୋଳତାଡ଼ କରିବା ପାପ । ଊଣେଇଶକ ଶତାବ୍ଦୀରେ ବିଲାତରେ କେତେ ଜାଗାରେ ଶ୍ରମିକମାନେ ଖଣି ଖୋଳୁ ଖୋଳୁ ହାଡ଼ କଙ୍କାଳମାନ ପାଇଲେ, ଯାହା କୌଣସି ଜଣାଶୁଣା ପ୍ରାଣୀର ନୁହେଁ ଓ ଅତି ବୃହତ୍‌ ଆକାରର । ସେମାନେ ତ ସେସବୁକୁ ରାକ୍ଷସଙ୍କ ହାଡ଼ ବୋଲି ବିଚାରିଲେ; ମାତ୍ର ବୈଜ୍ଞାନିକମାନେ ସେସବୁକୁ ଯାଁଚ ପଡ଼ତାଳ କରି ସାବ୍ୟସ୍ତ କଲେ ଯେ ତାହା କୋଟି କୋଟି ବର୍ଷ ତଳେ ପୃଥିବୀରେ ବାସ କରୁଥିବା ଅତିକାୟ ପ୍ରାଣୀଙ୍କର ହାଡ଼ । ଏହିପରି ସବୁ ଆବିଷ୍କାରକୁ ଭିତ୍ତି କରି ଡାରଓ୍ୱିନ୍‌ ତାଙ୍କର ବିବର୍ତ୍ତନତତ୍ତ୍ୱ ବୟାନ କଲେ । ସେତେବେଳେ ବାଇବେଲ୍‌ର ଦର୍ଶନକୁ ଆଶ୍ରା କରି ଧର୍ମଗୁରୁମାନେ ମତ ଦେଉଥିଲେ ଯେ ଜୀବ ସୃଷ୍ଟି ମାତ୍ର କେତେ ହଜାର ବର୍ଷ ତଳୁ ହେଇଛି । ତେଣୁ ଡାରଓ୍ୱିନ୍‌ ପ୍ରଭୃତିଙ୍କ ମତବାଦର ସେମାନେ ଘୋର ବିରୋଧ କଲେ । ଯେତେବେଳେ ସେମାନଙ୍କୁ ପଚରାହେଲା ଯେ ତେବେ ମାଟିତଳେ ଏସବୁ ହାଡ଼ କେଉଁଠୁ ଆସିଲା ? ଜଣେ ପାଦ୍ରୀ ନେତା ଉତ୍ତର ଦେଲେ ଯେ ବାଇବେଲର ବାଣୀରେ ଲୋକଙ୍କ ଆସ୍ଥାକୁ ପରୀକ୍ଷା କରିବା ପାଇଁ ଈଶ୍ୱର ସେସବୁ ସେପରି ରଖିଦେଇଛନ୍ତି । ସେମାନଙ୍କର ବକ୍ତବ୍ୟ ହେଲା ଯେ ଈଶ୍ୱର ତାଙ୍କର ଅନନ୍ତ ମହିମା ଓ ଶକ୍ତି, ଅନନ୍ତ ଜ୍ଞାନ ଓ ଦୟା ବଳରେ ଯେଉଁ ସୃଷ୍ଟି ଗଢ଼ିଛନ୍ତି ତା’କୁ ବୁଝିବାକୁ ଚେଷ୍ଟା କରିବା ମଣିଷ ପକ୍ଷରେ ଘୋର ଅହଙ୍କାରର ପରିଚାୟକ । ଏହି ଅହଙ୍କାର ହିଁ ମଣିଷର ପତନର କାରଣ । ତେଣୁ ଯାହା ଘଟୁଛି, ତା’କୁ ନମ୍ର ଓ ସମର୍ପଣ ବୁଦ୍ଧିରେ ମାନିନିଅ; କାରଣ ଖୋଜ ନାହିଁ । ଏଭଳି ବିରୋଧ ଆହୁରି ପ୍ରବଳ ହେଲା ଯେତେବେଳେ ବୈଜ୍ଞାନିକ ବୁଦ୍ଧି ଗ୍ରହ ନକ୍ଷତ୍ର ଓ ମାଟି ପଥରଠୁଁ ଆଗେଇ ଖୋଦ ମଣିଷସମାଜ, ତା’ର ଅର୍ଥନୀତି, ରାଜନୀତି, ସମାଜନୀତିକୁ ନେଈ ଘଣ୍ଟାଘଣ୍ଟି ଆରମ୍ଭ କଲା ।

 

ପୂର୍ବରୁ ଉଲ୍ଲେଖ କରାଯାଇଛି ଯେ ମଣିଷର ଭିତରୁ ଗୋଟିଏ ଚାହିଦା ଥିବାର ଦେଖାଯାଉଛି ଯେ ସେ ଏ ସୃଷ୍ଟିର ପ୍ରତ୍ୟେକ କଥାକୁ ଅଲଗା ଅଲଗା କରି ଦେଖିବା ଓ ମାନିନେବା ପରିବର୍ତ୍ତେ ସବୁ କଥା ଭିତରେ ପରସ୍ପର ସମ୍ୱନ୍ଧ ଖୋଜେ । ସେଥିପାଇଁ ମଣିଷ ବୟାନବେ ପ୍ରକାର ମୌଳିକ ପଦାର୍ଥରେ ସନ୍ତୁଷ୍ଟ ନ ରହି ସେସବୁର ବି ମୌଳିକ ଉପାଦାନ ଖୋଜିବସିଲା; ଅନେକ ପ୍ରକାରର ପ୍ରାକୃତିକ ଶକ୍ତିର ବ୍ୟାଖ୍ୟାକୁ ଗୋଟାଏ ସୂତ୍ରରେ ଏକତ୍ର କରିବା ବିଜ୍ଞାନର ଲକ୍ଷ୍ୟ ହେଲା । ଏହି ପ୍ରକାରର ମନୋଭାବ ବା ପ୍ରେରଣା ଦ୍ୱାରା ଅନୁପ୍ରେରିତ ହେଇ ମଣିଷ ସୃଷ୍ଟିରେ ଯାହା କିଛି ଅଛି ଓ ଘଟୁଛି, ସେସବୁର ମୂଳ ଗୋଟିଏ ମାତ୍ର କାରଣ, ‘‘ଜଗତର ଆଦିମୂଳ’’ ଭାବରେ, ଈଶ୍ୱରଙ୍କୁ କଳ୍ପନା କଲା । ପ୍ରତ୍ୟେକ କଥାର ବ୍ୟାଖ୍ୟା ଈଶ୍ୱରଙ୍କର ଇଚ୍ଛା, ଈଶ୍ୱରଙ୍କର ସୃଷ୍ଟି ବୋଲି କରିଦେଲେ ସବୁ କଥାର ବ୍ୟାଖ୍ୟା ହେଇଯାଉଥିଲା । ଏ ପ୍ରକାରର ବ୍ୟାଖ୍ୟା ସାଙ୍ଗରେ ଏହା ମଧ୍ୟ ଥିଲା ଯେ ଈଶ୍ୱରଙ୍କର ଇଚ୍ଛା ତ ଆଉ କ’ଣ କରିବା, ମାନିନେବା । କିନ୍ତୁ ପ୍ରତ୍ୟେକ କଥାକୁ ଈଶ୍ୱରଙ୍କ ନାଁରେ ଗଛେଇଦେବା କେବଳ ନିଜର ଅଜ୍ଞତାକୁ ଢାଙ୍କିବା ଛଡ଼ା ଆଉ କିଛି ନୁହେଁ, ଏ କଥା ଦେଖିପାରିବାକୁ ବେଶୀ ଡେରି ଲାଗିଲା ନାହିଁ । ଛାତରୁ ପାଣି ଗଳିଲେ ମଣିଷ ଈଶ୍ୱରେଚ୍ଛା ବୋଲି ନ କହି ଛାତ ମରାମତ ବ୍ୟବସ୍ଥା କରେ । ଭାତ ନକେଇ ହେଲେ କହେ ଯେ ନୂଆ ଚାଉଳକୁ ଅଳ୍ପ ସମୟ ଫୁଟେଇବା ଚାହି । ତେବେ ସେମିତି ନଈବଢ଼ି, ମରୁଡ଼ି, ମହାମାରୀ ଓ ଯୁଦ୍ଧଗୋଳର ବି ମଣିଷ ବୁଝିପାରିବା ଓ ପ୍ରତିକାର କରିପାରିବା ଭଳି କାରଣ ନଥିବ କାହିଁକି ? କିନ୍ତୁ ପ୍ରାକୃତିକ ପରିବେଶ ବିଷୟରେ ଜ୍ଞାନ ଯେତେ ବଢ଼ିଲା ମଣିଷ ସବୁ ଘଟଣାର ବ୍ୟାଖ୍ୟା ପ୍ରାକୃତିକ ନିୟମ ଅନୁସାରେ କଲା ଓ ପ୍ରାକୃତିକ ଉପାୟରେ ସେ ବିଷୟରେ ନିଜେ ଯାହା କରିବାର କରିଲା । ବର୍ଷା ନ ହେଲେ ଆଉ ଯାଗଯଜ୍ଞ ଦ୍ୱାରା ଭଗବାନଙ୍କୁ ସନ୍ତୁଷ୍ଟ କରିବା ଚେଷ୍ଟାରେ ନ ପଡ଼ି ନଈ ବନ୍ଧେଇ, କେନାଲ ଖୋଳେଇ, ନଳକୂଅ ଖୋଳି, ପାଣି ଆଣି ବିଲରେ ମଡ଼େଇବା ବ୍ୟବସ୍ଥା କଲା । ହଇଜା, ବସନ୍ତରେ ଠାକୁରାଣୀଙ୍କୁ ଭୋଗରାଗ ନ ଯାଚି ଟୀକା ନେଲା, ଓଷଦ ଖାଇଲା ।

 

ଏମିତି ଭାବରେ ପ୍ରାକୃତିକ ଘଟଣା, ରୋଗ ବଇରାଗ ସବୁ ବିଜ୍ଞାନର ନିୟମ ଭିତରକୁ ଆସିଯିବା ପରେ ରହିଲା ସାମାଜିକ ଘଟଣା । ସେଥିରେ ଅନ୍ତତଃ ଆମ ଦେଶରେ ଏବେ ବି ଈଶ୍ୱରଇଚ୍ଛା ଚଳୁଛି । ଈଶ୍ୱରଙ୍କ କଲ୍ୟାଣରୁ ବିଡ଼ଲା ଧନୀ, ଯଦୁ ଗୋଛେଇ ତ ଗରିବ । ଜାତି ସେଇ ସୃଷ୍ଟି କରିଛନ୍ତି । ମଣିଷ ବେକାର ରହୁଛି ତ ତାହା ତା’ର କପାଳଲିଖନ । ଯୁଦ୍ଧ ବି ଈଶ୍ୱର ଲଗେଇ ଦେଉଛନ୍ତି । ଏମିତି କଥାକଥାକେ ଥିଲା । ଏବେ ଅର୍ଥନୀତି, ସମାଜବ୍ୟବସ୍ଥା, ରାଜନୀତି ଆଦିର ବୈଜ୍ଞାନିକ ଢଙ୍ଗରେ ଅଧ୍ୟୟନ କରାଯିବାରୁ ଏସବୁ ଭିତରେ ଆଉ ଈଶ୍ୱର-ଇଚ୍ଛା ପାଇଁ ସ୍ଥାନ ରହୁନାହିଁ । ସାରା ସୃଷ୍ଟିଟା ଈଶ୍ୱରଇଚ୍ଛାରେ ଚଳୁଛି ବୋଲି କହିଦିଆଯାଇପାରେ; ମାତ୍ର ତାହା ଦ୍ୱାରା କାମ ଚଳୁନାହିଁ । ଯେତେବେଳେ ‘‘ଦଇବକୁ ବଳ କାହାର’’ ବୋଲି ମାନିନେବା କଥା ଥିଲା, ସେତେବେଳେ ଏଭଳି ବ୍ୟାଖ୍ୟାରେ କାମ ଚଳୁଥିଲା । କିନ୍ତୁ ଏବେ ମଣିଷ ପ୍ରତ୍ୟେକ କଥାର କାରଣ ଓ ଗତିବିଧି ଅନୁସନ୍ଧାନ କରି ବୁଝି ସେସବୁକୁ ନିଜର ପସନ୍ଦ ମୁତାବକ ଆୟତ୍ତ କରିବାକୁ ଚାହୁଛି ଓ ସେଥିରେ କ୍ରମେ କ୍ରମେ ଅଧିକ ସଫଳ ହେଉଛି । ତେଣୁ ବିଶ୍ୱସୃଷ୍ଟିଠାରୁ ରାଜନୀତି ଓ ମଣିଷର ମନଯାଏ ପ୍ରତ୍ୟେକ ବିଷୟରେ ‘‘ଈଶ୍ୱର ଏମିତି କରିଦେଇଛନ୍ତି’’ ବା ‘‘ସେମିତି ଚାହାନ୍ତି’’ ବୋଲି କହିବା ପାଇଁ ଆଉ ଆଦୌ ସୁଯୋଗ ନାହିଁ ଓ ସେପରି କହିବା ଅର୍ଥ କେବଳ ଅଜ୍ଞାନର ଗୋଟାଏ ଦ୍ୱାହି ବୋଲି ବୁଝାଯିବ ।

 

ଏହିରୂପ ଈଶ୍ୱରବିଶ୍ୱାସ ଓ ଅବିଶ୍ୱାସର ଅର୍ଥସମ୍ଭାରର ଭାଗବଣ୍ଟାର ଆଉ ଏକ ସୀମାରେଖା ଆମେ ପାଉ, ଯାହାର ଗୋଟାଏ ପାଖରେ ଜ୍ଞାନ ପ୍ରଚେଷ୍ଟା, ଅନ୍ୟ ପାଖରେ ଅଜ୍ଞାନାସକ୍ତି । ଆମେ ଦେଖୁ ଯେ ଗୋଟାଏ ପାଖରେ ଯେମିତି ଈଶ୍ୱରଙ୍କ ନାମରେ ଜ୍ଞାନଚର୍ଚ୍ଚାକୁ ପ୍ରତିହତ କରିବା ଚେଷ୍ଟାକରାଯାଇଛି, ଜାଣିବାର ଇଚ୍ଛା ମଣିଷର ଅହଙ୍କାର ଓ ପତନର ଲକ୍ଷଣ ବୋଲି ନିନ୍ଦିତ କରାଯାଇଛି, ସେମିତି ଅନ୍ୟ ଦିଗରେ ନ୍ୟୁଟନ୍‌ଙ୍କଠାରୁ ଗାନ୍ଧୀ ଯାଏ ଅଗଣିତ ବ୍ୟକ୍ତି ଈଶ୍ୱରଙ୍କୁ ଅସୀମ ସତ୍ୟ ଓ ଜ୍ଞାନର ଆକର ରୂପେ ଦେଖିଛନ୍ତି, ଆପଣାର ସତ୍ୟନିଷ୍ଠା ଓ ଜ୍ଞାନତୃଷ୍ଣାକୁ ଈଶ୍ୱରଙ୍କର ଦାନରୂପେ ଦେଖିଛନ୍ତି ଓ ଈଶ୍ୱରବିଶ୍ୱାସରୁ ହି ସତ୍ୟ ଅନୁସନ୍ଧାନ ବା ଜ୍ଞାନସାଧନାର ପ୍ରେରଣା ନେଇଛନ୍ତି ।

 

ପୁଣି ସମାଜରେ ସାଧାରଣ ଲୋକଙ୍କର ଦୁର୍ଦ୍ଦଶାରେ ବ୍ୟାକୁଳ, ବୈଜ୍ଞାନିକ ବୁଦ୍ଧି ଦ୍ୱାରା ସୃଷ୍ଟିର ରହସ୍ୟ ଉଦ୍‌ଘାଟନ କରିବାକୁ ବ୍ୟଗ୍ର ବ୍ୟକ୍ତିମାନେ ଦେକିଲେ ଯେ ଈଶ୍ୱରଙ୍କର ଯେଉଁ ଅର୍ଥ ବା କଳ୍ପନା ସାଧାରଣ ଲୋକଙ୍କ ଭିତରେ ବ୍ୟାପିରହିଛି ସେଇଟା ସେମାନଙ୍କୁ ଅଜ୍ଞାନରେ, ଅସହାୟତାରେ, ଅନ୍ୟାୟ, ଅନୀତି ଓ ଶୋଷଣକୁ ଭାଗ୍ୟର ବିଧାନ ବୋଲି ମାନିନେବାରେ ବାନ୍ଧିରଖିଛି । ତେଣୁ ଯେମିତି ପ୍ରଚଳିତ ରୀତିନୀତି ଓ ସମାଜବ୍ୟବସ୍ଥା ବିରୋଧରେ କେତେକେ ଈଶ୍ୱରଙ୍କର ମୁକ୍ତିଦାତା ରୂପକୁ ଆଶ୍ରା କରି ଛିଡ଼ା ହେଇଥିଲେ, ସେମିତି ଏ ଯୁଗରେ ଅନେକେ ବୈଜ୍ଞାନିକ ଜ୍ଞାନର ମୁକ୍ତିଦାତା ରୂପକୁ ଆଶ୍ରା କରି ଛିଡ଼ାହେଲେ । ମଣିଷର ଅଜ୍ଞାନ, ଅସହାୟତା, ଭୀତତ୍ରସ୍ତ ଅବସ୍ଥାର ପ୍ରତୀକ ଯେଉଁ ଈଶ୍ୱରକଳ୍ପନା ତା’କୁ ସେମାନେ ପ୍ରତ୍ୟାଖ୍ୟାନ କଲେ ।

 

ଅପର ପକ୍ଷରେ ଯେଉଁମାନେ ଈଶ୍ୱରକଳ୍ପନାକୁ ଅଜ୍ଞାନକୁ କାଏମ ରଖଇବାର ଏକ ବାହାନା ରୂପେ ଦେଖିଲେ ସେମାନେ ତା’କୁ ପ୍ରତ୍ୟାଖ୍ୟାନ କରି ଜ୍ଞାନସାଧନାରେ ଲାଗିଛନ୍ତି । ପୁଣି ନିରୀଶ୍ୱରବାଦର ଝଣ୍ଡା ଧରିବା ବ୍ୟକ୍ତି ଓ ଗୋଷ୍ଠୀ କେତେବେଳେ ପାର୍ଟି ନାଁରେ, କେତେବେଳେ ରାଷ୍ଟ୍ର ନାଁରେ ମଣିଷକୁ ଅଜ୍ଞାନରେ ରଖିବାର ଫତଓ୍ୱା ଦେଇଛନ୍ତି । ସୋଭିଏତ୍‌ ଦେଶରେ ମାର୍କ୍‍ସବାଦର ଦ୍ୱାହି ଦେଇ ଠିକ୍‌ ସେମିତି ଭାବରେ ଜ୍ଞାନର ଆକାଂକ୍ଷା ଚାରିପଟେ ବାଡ଼ ବୁଜି ଦିଆଯାଇଛି, ଯେମିତି ମଧ୍ୟଯୁଗର ୟୁରୋପରେ ପୋପ୍‌ଙ୍କ ଦ୍ୱାରା ବୁଜାହେଇଥିଲା । ସୋଭିଏତ୍‌ ଦେଶ ଓ ଅନ୍ୟ ତଦ୍ରୁପ ଦେଶମାନଙ୍କରେ କମ୍ୟୁନିଷ୍ଟ ଦଳର ସର୍ବୋଚ୍ଚ ପରିଚାଳନା ସମିତିରେ ଥିବା ମୁଷ୍ଟିମେୟ ସଦସ୍ୟ କ’ଣ ଠିକ୍‌ କ’ଣ ଭୁଲ୍‌, କ’ଣ ସତ କ’ଣ ମିଛ, ତାହା ନିର୍ଣ୍ଣୟ କରିବାର ଅଧିକାରୀ । ତାଙ୍କ କଥାର ପ୍ରତିବାଦ କରିବାର ଅଧିକାର ସେସବୁ ଦେଶରେ କାହାରି ନ ଥାଏ । ବିଜ୍ଞାନର ଅନ୍ତର୍ଗତ ବିଷୟରେ ବି ସେମାନେ ଫତୁଆ ଦେବାକୁ ପଛାନ୍ତି ନାହିଁ ।

 

ୟା ସାଙ୍ଗକୁ ଆଉ ଗୋଟାଏ ମୁସ୍କିଲ ହେଇଛି । ଈଶ୍ୱର ବିଶ୍ୱ ସୃଷ୍ଟି କରିବା ସାଙ୍ଗେ ତାହା ଭିତରେ ନ୍ୟାୟ ଓ ନୀତିର ଶାସନ ଚଳେଇଛନ୍ତି । ମଣିଷର ପାପ ଓ ପୁଣ୍ୟ ଅନୁସାରେ ଦଣ୍ଡ ବା ପୁରସ୍କାର ଦେଉଛନ୍ତି । ଲେକେ କିଛି ଅନ୍ୟାୟ କଲେ ବର୍ଷା ପାଳକ କରୁନାହିଁ । ପୂର୍ବଜନ୍ମର ସୁକୃତ ଯୋଗୁଁ ଧନୀ ଧନୀହେଇଛି, ଗରିବ ଗରିବ । ରୋଗ ସେମିତି ମଣିଷର ପାପର ଦଣ୍ଡରୂପେ ଆସୁଛି-। ଏହି ପ୍ରକାରର ବିଶ୍ୱାସ ଈଶ୍ୱରବିଶ୍ୱାସର ଅଂଶ ହୋଇ ରହିଛି । କିନ୍ତୁ ମଣିଷସମାଜର ବିକାଶ ଅମୁକ ପ୍ରକ୍ରିୟା ଅନୁସାରେ ହେଇଥିବାର ଦେଖାଯାଉଛି । ଅର୍ଥବ୍ୟବସ୍ଥା ଅମୁକ ଢଙ୍ଗରେ ଚାଲୁଥିବାରୁ କେତେ ଲୋକ ଧନୀ ହେଉଛନ୍ତି; ବହୁ ଲୋକ ଗରୀବ, ବେକାର । ଲୋକ ସରକାରଙ୍କର ଭ୍ରାନ୍ତ ନୀତି ଓ ପୁଞ୍ଜିପତିର ଲୋଭ ଯୋଗୁଁ ବେକାରର ହେବାକୁ ବାଧ୍ୟ ହେଉଛି । ଆମେରିକା ଭଳି କର୍ମତତ୍ପର ଦେଶରେ ବି ଏବେ ଶତକଡ଼ା ଅଠ-ନଅ ଭାଗ ଲୋକ ବେକାର ରହିବାକୁ ବାଧ୍ୟ ହେଉଛନ୍ତି । ଧନୀ ଓ କ୍ଷମତାଶାଳୀ ପୂର୍ବଜନ୍ମର ସୁକୃତ ପରିବର୍ତ୍ତେ ଏଇ ଜନ୍ମର ଜମାଖୋରୀ ଓ କିଳାପୋତେଇ ଯୋଗୁଁ ଲାଲ ହେଇଯାଉଥିବାର ଦେଖାଯାଉଛି । ଏସବୁ ଭିତରେ ଈଶ୍ୱରଙ୍କର ନୈତିକ ଶାସନ ବା ବ୍ୟବସ୍ଥାଟା ଖୋଜି ପାଇବା କାଠିକର ପାଠ ହେଉଛି । ପୂର୍ବେ ଯେଉଁ ପରି ସହଜରେ ‘ଧର୍ମର ଜୟ’ ବୋଲି କୁହାଯାଇପାରୁଥିଲା, ଏବେ ସେପରି କୁହାଯାଇପାରୁନାହିଁ । ପୁରାଣରୁ ଆରମ୍ଭ କରି ଏବର ଗଳ୍ପ-ଉପନ୍ୟାସର ଧାରା ଦେଖିଲେ କଥାଟା ବୁଝାପଡ଼ିବ ।

 

ପୁରାଣରେ ଦେଖବା ଯେ ଈଶ୍ୱର ଧର୍ମ ବା ନ୍ୟାୟ ପାଇଁ ସିଧା ଆସି ହସ୍ତକ୍ଷେପ କରୁଥିଲେ–ଚକ୍ର ପେଷି ଗଜକୁ ଉଦ୍ଧାର କରିଦେଲେ, ଦ୍ରୌପଦୀଙ୍କୁ କୋଟି ବସ୍ତ୍ର ଦେଇଦେଲେ, ବିଦୁରର ଭଙ୍ଗା କୁଡ଼ିଆକୁ ପ୍ରାସାଦ କରିଦେଲେ; ଏମିତି ସବୁ ତୁରନ୍ତ କାମ । ପୁଣି ଆମେ ଦୁଇଶହ ଶହେ ବର୍ଷ ତଳର ଗଳ୍ପଉପନ୍ୟାସରେ ଦେଖିବା ଯେ ଈଶ୍ୱର ତ ଏପରି ସିଧାସିଳଖ ହସ୍ତକ୍ଷେପ କରୁନାହାନ୍ତି; ମାତ୍ର ଘଟଣାର ଗତି ଏପରି ଚାଲୁଛି ଯେ ନ୍ୟାୟର ଜୟ ହେଉଛି; ଦୋଷୀ ଦଣ୍ଡ ପାଉଛି । ଗରିବ ଲୋକର ପିଲା ଧର୍ମମାର୍ଗରେ ଚାଲି ରାଜାଝିଅ ବା ଅଚଳାଚଳ ସମ୍ପତ୍ତିର ମାଲିକ ହେଉଛି । ଅନ୍ୟାୟର ଦଣ୍ଡ ଓ ନ୍ୟାୟର ପାରିତୋଷିକ ହାତର ହାତେ ମିଳିଯାଉଛି । ପୁଣି ଖ୍ରୀଷ୍ଟାନ ଓ ଇସ୍‌ଲାମ ଧର୍ମରେ ସତ୍‌ ଶକ୍ତି ଈଶ୍ୱରଙ୍କ ବିରୋଧରେ ଏକ ଅସତ୍‌ ଶକ୍ତି ଶଇତାନ୍‌ର ଅସ୍ତିତ୍ୱ ମାନି ନେଇ ଏଇ ଶେଷୋକ୍ତ ମୁଣ୍ଡରେ ସବୁ ଗୋଳମାଳର ଅଠା ବୋଳିଦିଆ ହେଇ ଶଇତାନ ସବୁବେଳେ ମଣିଷକୁ ପଥଭ୍ରଷ୍ଟ କରିବା ଚେଷ୍ଟା କରୁଛି ଓ ମଣିଷ ଈଶ୍ୱରଙ୍କ ଆଶ୍ରା କରି ତା’ହାତରୁ ଉଦ୍ଧାର ପାଇବା ଚେଷ୍ଟା କରିବା ଚାହି ବୋଲି କୁହାଯାଇଛି । ମାତଅ ହିନ୍ଦୁ ଧର୍ମରେ ଯେପରି ସର୍ବଶକ୍ତିମାନ୍‌ ସତ୍ୟ-ଶିବ-ସୁନ୍ଦର ଈଶ୍ୱର, ସେଥିରେ ତାଙ୍କ ସୃଷ୍ଟିରେ ଅସତ୍‌, ଅମଙ୍ଗଳ ଓ ଅସୁନ୍ଦରର ଅସ୍ତିତ୍ୱର ବ୍ୟାଖ୍ୟା କଠିନ । ତେଣ ଦୁଃଖ-ଦୁର୍ଦ୍ଦଶା, ରୋଗ-ଶୋକ, ଅନ୍ୟାୟ-ଅନୀତି ଆଦି ସବୁ ତାଙ୍କର ଖେଳ ବୋଲି କୁହାଯାଇଛି ବା ମାୟା ବୋଲି ।

 

କିନ୍ତୁ ଆଜିକାଲିକା ସାହିତ୍ୟରେ ଆମେ ଏଭଳି ସହଜ ଆଶାବାଦ ପାଇବା ନାହିଁ । ‘ଜୋର ଯାର ମୁଲକ ତାର’ ନୀତି ସମାଜରେ ପ୍ରବଳ ଥିବାର ଦେଖାଯାଉଛି । ଏ କଥା ଯେ ଏବେ ନୂଆ କରି ହେଇଗଲା ତାହା ନୁହେଁ–ଇତିହାସ ଭିତରେ ବରାବର ଏହା ଚାଲିଆସିଛି । କେବଳ ପୂର୍ବକାଳରେ ଅନେକ ପ୍ରକାରର ଅନ୍ୟାୟକୁ ସ୍ୱାଭାବିକ ବୋଲି ମାନିନିଆଯିବା ଯୋଗୁଁ ସେସବୁର ଗଣତି ହେଉ ନ ଥିଲା । ଦୁନିଆରେ କେତେ କେତେ ଦେଶରେ ଅନ୍ୟାୟକାରୀ, ସ୍ୱାର୍ଥପର ଲୋକ ରାଜତ୍ୱ ଜମେଇ ବସିଛନ୍ତି; କୋଟି କୋଟି ଲୋକ ଦହଗଞ୍ଜ ହେଉଛନ୍ତି । କ୍ଷୁଦ୍ର ସ୍ୱାର୍ଥ ହାସଲ ପାଇଁ ଲକ୍ଷ ଲକ୍ଷ ଲୋକଙ୍କୁ ଯୁଦ୍ଧରେ ବଳିଦିଆହେଉଛି । ହିଟଲର୍, ମୁସୋଲିନୀ ଭଳି ଅଧା ପାଗଳ ମତାନ୍ଧ ଲୋକଙ୍କ କଥାରେ ମାତି ଗୋଟାଏ ଗୋଟାଏ ଦେଶର ଲକ୍ଷ ଲକ୍ଷ ଲୋକ ପାଗଳ ହେଉଛନ୍ତି ଓ କୋଟି କୋଟି ଲୋକଙ୍କୁ ସେମାନଙ୍କର ଦାଉ ସହିବାକୁ ପଡ଼ୁଛି । ଏସବୁ ଭିତରେ ଈଶ୍ୱରଙ୍କର ନ୍ୟାୟର ରାଜତ୍ୱ ଖୋଜି ପାଇବା ବଡ଼ କଠିନ ହେଉଛି । ପୂର୍ବେ ବହୁତ ଅନ୍ୟାୟ ଅନୀତି ସ୍ୱାଭାବିକ ବୋଲି ଧରିନିଆଯାଇଥିବାରୁ ଓ ବିଶେଷ କରି ଯେଉଁ ସବୁ ଫୁରସତ୍‌ ଥିବା ଲୋକେ ଏସବୁ ବିଷୟରେ ଚିନ୍ତା କରନ୍ତି ସେମାନଙ୍କ ଜଗତଟା ଦଳିମକଚି ହେଉଥିବା ଲୋକଙ୍କ ଜଗତଠାରୁ ଏକାବେଳକେ ଭିନ୍ନ ଥିବାରୁ ସେସବୁ ସହଜରେ ଆଖିରେ ପଡ଼ୁ ନ ଥିଲା ଓ ଭଗବାନଙ୍କ ସୃଷ୍ଟି ସର୍ବାଙ୍ଗସୁନ୍ଦର, ସେଥିରେ କେବଳ ଏଠି ସେଠି ଟିକିଏ ଚୂନ ବାଲି ଖସିଯାଇଛି, କୋଉଠି ଶିଉଳି ବସିଯାଇଛି; ନ ହେଲେ ସବୁ ଠିକ୍‌ ଅଛି ବୋଲି ମନକୁ ବୁଝାଇ ହେଉଥିଲା । କିନ୍ତୁ ଏବେ ସବୁ କଥା ଏତେ ଜଟିଳ ଦେଖାଗଲାଣି ଯେ ସେଥିରେ ବାହାରର ସୃଷ୍ଟିରେ, ମଣିଷ ବାହାରେ, କୌଣସି ଗୋଟାଏ ସତ୍‌ ଶକ୍ତି କାମ କରୁଛି ବୋଲି ବିଶ୍ୱାସ କରିବା କଠିନ ହେଉଛି । ଫଳରେ ଗୋଟାଏ ଦିଗରେ ଜୀବନ ପ୍ରତି ଗୋଟାଏ ପ୍ରକାରର ଅନାସ୍ଥାଭାବ ବ୍ୟାପିବାର ଦେଖାଯାଉଛି । ସୃଷ୍ଟିରେ ଜୀବନ ଗୋଟାଏ ଆକସ୍ମିକ ଘଟଣା । ତା’ର କିଛି ବିଶେଷ ଅର୍ଥ ବା ତାତ୍ପର୍ଯ୍ୟ ଖୋଜିବସିବାର ମାନେ ହୁଏନା ବୋଲି ଗୋଟାଏ ପ୍ରକାରର ଦୃଷ୍ଟିକୋଣର ଉଦ୍ଭବ ହେଇଛି ।

 

ଆଉ ଗୋଟାଏ ପ୍ରକାରର ଦୃଷ୍ଟିକୋଣ ହେଲା ସେମାନଙ୍କର ଜୀବନରେ ଯେଉଁମାନଙ୍କର ଆସ୍ଥା ଅଛି । ଗାନ୍ଧୀଜୀ କହିବାପରି ସେମାନେ ‘‘ମୃତ୍ୟୁ ଘେରରେ ଜୀବନ ତିଷ୍ଠିଛି, ଅନ୍ଧାର ଭିତରେ ଆଲୋକ ତିଷ୍ଠିଛି, ଅସତ୍ୟ ଭିତରେ ସତ୍ୟ ତିଷ୍ଠିଛି’’ ବୋଲି ଅନୁଭବ କରୁଛନ୍ତି । ସେମାନେ ଅନୁଭବ କରୁଛନ୍ତି ଯେ ମଣିଷ ବାହାରର ସୃଷ୍ଟିରେ ଚେତନା, ମୂଲ୍ୟବୋଧ ଆଦି କିଛି ନ ଥିଲେ ମଧ୍ୟ ମଣିଷ ଭିତରେ ତ ସେସବୁର ବିକାଶ ହେଇଛି ଓ ମଣିଷ ତାହାରି ସାହାଯ୍ୟରେ ଜୀବନକୁ ଉନ୍ନତ, ସୁନ୍ଦର, ନ୍ୟାୟ ଓ ମୈତ୍ରୀପୂର୍ଣ୍ଣ କରିପାରିବ । ମଣିଷ ତା’ର ଚୈତନ୍ୟଶକ୍ତି, ମୂଲ୍ୟବୋଧ, ନିର୍ଣ୍ଣୟଶକ୍ତି, ଭଲମନ୍ଦ ବାଛିବାର ଶକ୍ତିବଳରେ ସୃଷ୍ଟିର ପ୍ରକ୍ରିୟାକୁ ପ୍ରଭାବିତ କରିବାର, ସେଥିର ଭାଗୀଦାର ହେବାର, ଶକ୍ତି ଅର୍ଜନ କରିଛି ।

 

ମାର୍କ୍‌ସ ଇତିହାସର ବିକାଶଧାରା ଅଧ୍ୟୟନ କରି ସେଥିରୁ ଏପରି ଆଶାବାଦ ପାଇଁ ଆଧାର ପାଇଥିଲେ, ଯଦିଓ ପରବର୍ତ୍ତୀ ମାର୍କ୍‍ସବାଦୀ ଚିନ୍ତାଧାରା ନୂଆ ନୂଆ ଜ୍ଞାନ ଓ ସେଥିରୁ ଉପୁଜୁଥିବା ଜଟିଳତାର ଗ୍ରନ୍ଥି ମୋଚନ କରିବାର ଦାୟିତ୍ୱ ଏଡ଼େଇ ମାର୍କ୍‌ସଙ୍କର ବିଚାରକୁ ଏକ ଧର୍ମବିଶ୍ୱାସ ପରି ସୀମାବଦ୍ଧ କରିଦେଇ ନିଜର ଆଶାବାଦକୁ ବଞ୍ଚେଇ ରଖିବା ଚେଷ୍ଟା କଲା ।

 

ଏବେ ଅନ୍ୟାନ୍ୟ ସାମାଜିକ ବିଜ୍ଞାନରୁ, ପ୍ରାଣୀବିଜ୍ଞାନରୁ ନାନା ତଥ୍ୟ ମିଳୁଛି, ଯେଉଁଥିରୁ ଏ ଜୀବନ ପ୍ରତି ଆସ୍ଥାକୁ ସମର୍ଥନ ମିଳୁଛି । ସେସବୁଥିରୁ ଏ କଥା ବିଶ୍ୱାସ କରିବାର ବଳବତ୍ତର କାରଣ ମିଳୁଛି ଯେ ମଣିଷ ଯୋଗୁଁ ଦୁନିଆରେ ଯେତେ ପ୍ରକାରର ଅନ୍ୟାୟ, ଅନୀତି, ଅନିଷ୍ଟ ହେଉଛି ସେସବୁ ତା’ର ପ୍ରକୃତିର ଅବଶ୍ୟମ୍ଭାବୀ ଅଭିବ୍ୟକ୍ତି ନୁହେଁ । ତା’ର ସମାଜର ବିକାଶକ୍ରମ, ସମାଜର ରୂପ, ତା’ର ଆତ୍ମ-ସଚେତନତାର ବିକାଶର ସ୍ତର, ଜ୍ଞାନର ସୀମାବଦ୍ଧତା ଆଦି ଯୋଗୁଁ ଏଥି ଭିତରୁ ଅନେକ କିଛି ଘଟିଛି ଓ ଘଟୁଛି । ମଣିଷର ପ୍ରକୃତିରେ ଏସବୁଥିରୁ ଉଧୁରିପାରିବାର ଶକ୍ତି ରହିଛି (ଏସବୁ ବିଷୟରେ ଅନ୍ୟତ୍ର ବିଶଦ ଆଲୋଚନା କରାଯାଇଛି) ।

 

ଏହିରୂପେ ଜୀବନରେ ଆସ୍ଥା ଓ ଅନାସ୍ଥା ଈଶ୍ୱରରେ ବିଶ୍ୱାସ-ଅବିଶ୍ୱାସର ଭାଗବଣ୍ଟାର ଆଉ ଏକ ପ୍ରକାର ଆମକୁ ମିଳୁଛି । ଈଶ୍ୱରବିଶ୍ୱାସୀଙ୍କ ଭିତରେ ଅସଂଖ୍ୟ ଲୋକ ଅଛନ୍ତି ଯେଉଁମାନେ ‘କଳିକାଳ’ ବା ଆଉ କିଛିର ଦ୍ୱାହି ଦେଇ ଜାହିର କରନ୍ତି ଯେ ଦୁନିଆର ସବୁ ଦୁଃଖ-ଦୁର୍ଦ୍ଦଶା, ହନ୍ତସନ୍ତ ଏମିତି ଚାଲିଥିବ; ଅନ୍ୟାୟ, ଅନୀତି, ମିଥ୍ୟା ଏସବୁ ବିଧିର ବିଧାନ । ସେସବୁକୁ ବଦଳେଇବା ଚେଷ୍ଟା ବୃଥା । ଏ ଜନ୍ମମୃତ୍ୟୁର ବନ୍ଧନରୁ କେମିତି ବାଟ କାଟିହେବ ତା’ରି ଉପାୟ ପାଞ୍ଚିବା ଚାହିଁ । ପୁଣି ଈଶ୍ୱରଙ୍କୁ ଉଡ଼େଇ ଦେଉଥିବା ଲୋକଙ୍କ ଭିତରେ ଏ ପ୍ରକାରର ଅନାସ୍ଥାବାଦୀ ଊଣା ନାହାନ୍ତି । ଏ ସୃଷ୍ଟିର କିଛି ଅର୍ଥ ନାହିଁ; ସେଥିରେ ନ୍ୟାୟ, ନୀତି ସତ୍ୟ ଆଦି ଖୋଜିବସିବା ବେକାର କଥା ବୋଲି ସେମାନେ ବିଚାରନ୍ତି । ସେମିତି ଜୀବନ ପ୍ରତି ଆସ୍ଥା ଥିବା ଲୋକଙ୍କ ଭିତରେ ‘ନାସ୍ତିକ’, ‘ଅଜ୍ଞେୟବାଦୀ’, ‘ଆସ୍ତିକ’ ଓ ଆହୁରି କେତେ ପ୍ରକାରର ଦାର୍ଶନିକ ମତବାଦର ପରିପୋଷକ ଅଛନ୍ତି । ଯେଉଁମାନେ ଈଶ୍ୱରରେ ଅବିଶ୍ୱାସୀ ବା ସେଥିପାଇଁ ମୁଣ୍ଡ ଘୁରେଇବାକୁ ନାରାଜ, ସେମାନଙ୍କ ପକ୍ଷର ମୋଟାମୋଟି ଯୁକ୍ତି ହେବ ଯେ ମହାବିଶ୍ୱରେ ବିସ୍ତୃତ ହେଇ ରହିଥିବା ବାଷ୍ପପୁଞ୍ଜରୁ କ୍ରମେ ନିହାରିକା, ନକ୍ଷତ୍ରମଣ୍ଡଳ ଆଦି ଉତ୍ପନ୍ନ ହେଲା ଓ ସେଥିରୁ ପୁଣି ଗୋଟିଏ ମଧ୍ୟବିତ୍ତ ନକ୍ଷତ୍ର ସୂର୍ଯ୍ୟରୁ କେତେଗୁଡ଼ା ଗ୍ରହ ଛିଟିକି ବାହାରିଗଲେ । ସେଥିଭିତରୁ ଗୋଟାଏ ଗ୍ରହ ପୃଥିବୀ । ତାହା କ୍ରମେ ଥଣ୍ଡା ହେଇ ଆସିବାରୁ ସେଥିରେ ଜୀବନର ଆବିର୍ଭାବ ହେଲା; ଚେତନା ଉପୁଜିଲା । ଏ ସବୁ କିପରି ଘଟିଲା ତାହାର ରହସ୍ୟ ଓ ପ୍ରକ୍ରିୟା ବିଭିନ୍ନ ବିଜ୍ଞାନ ମାଧ୍ୟମରେ ଅଧ୍ୟୟନ କରାହେଇ ସେସବୁ ଉପରେ ଯେତେ ଆଲୋକପାତ ହେଲାଣି, ସେଥିରେ ଏସବୁ ପ୍ରକ୍ରିୟା ଭିତରେ ଗୋଟାଏ ଇଚ୍ଛା ବା ଉଦ୍ଦେଶ୍ୟ କାମ କରୁଥିବାର କୌଣସି ପ୍ରମାଣ ମିଳୁନାହିଁ । ଇଚ୍ଛା ଓ ଉଦ୍ଦେଶ୍ୟର ଉନ୍ମେଷ ଜୀବସୃଷ୍ଟିରେ ହିଁ ଦେଖିବାକୁ ମିଳୁଛି ଓ ତା’ର ଏପର୍ଯ୍ୟନ୍ତର ଚରମ ଅଭିବ୍ୟକ୍ତି ମଣିଷଠାରେ । ମୂଲ୍ୟବୋଧ, ଜ୍ଞାନତୃଷ୍ଣା, ବାଛବିଚାରର ଶକ୍ତି ଆଦି ସବୁ ମଣିଷର ଅଭିବ୍ୟକ୍ତି । ଜଡ଼ ସୃଷ୍ଟିରେ ସେସବୁର ପତ୍ତା ନାହିଁ ।

 

ଈଶ୍ୱରବିଶ୍ୱାସୀମାନେ ଯୁକ୍ତ କରିବେ ଯେ ଅଣୁ-ପରିମାଣୁର ସମଷ୍ଟିରୁ ଜୀବନ ଓ ଚେତନାର ଉଦ୍ଭବ ହେଇଛି । ଏହାର ଅର୍ଥ ହେଲା ଯେ ଅଣୁପରମାଣୁ ଭିତରେ ଏହାର ସମ୍ଭାବନା ରହିଛି । ଇଲେକ୍‌ଟ୍ରନ୍‌, ପ୍ରୋଟନ୍‌ ଆଦିର ସଂଯୋଗରେ ୯୨ ପ୍ରକାରର ପ୍ରାକୃତିକ ଓ ବାର-ତେର ପ୍ରକାରର କୃତ୍ରିମ ମୌଳିକ ପଦାର୍ଥ ଉତ୍ପନ୍ନ ହେଇଛି । ଏସବୁର ରାସାୟନିକ ଗୁଣ, ବର୍ଣ୍ଣ, ଗନ୍ଧ, ସ୍ୱାଦ ଆଦି ଭିନ୍ନ ଭିନ୍ନ ପ୍ରକାରର । ପୁଣି ସେସବୁର ସଂଯୋଗରେ ହଜାର ହଜାର ପ୍ରକାରର ଯୌଗିକ ପଦାର୍ଥ ସୃଷ୍ଟି ହେଉଛି । ଏସବୁର ପ୍ରତ୍ୟେକର ମଧ୍ୟ ଭିନ୍ନ ଭିନ୍ନ ପ୍ରକାରର ଗୁଣ ଓ ଲକ୍ଷଣ ରହିଛି । ଇଲେକ୍‌ଟ୍ରନ୍‌, ପ୍ରୋଟନ୍‌ମାନଙ୍କର ଯେତେ ନିରୀକ୍ଷଣ କରାଯାଉଛି, ସେଥିରୁ ଏପରି କିଛି ଏପର୍ଯ୍ୟନ୍ତ ଜ୍ଞାନ ମିଳିନାହିଁ, ଯାହା ଭିତ୍ତିରେ ଆଗତୁରା କହିହେବ ଯେ ଲୁଣ କାହିଁକି ଲୁଣିଆ ଲାଗିବ । ଆଗକୁ ଏପରି ଜ୍ଞାନ ମିଳିପାରେ; କିନ୍ତୁ ଏ କଥା ତ ମାନିବାକୁ ହେବ ଯେ ରାସାୟନିକ ପଦାର୍ଥମାନଙ୍କର ସ୍ୱାଦ, ରଙ୍ଗ, ଗନ୍ଧ ଆଦିର ସମ୍ଭାବନା ଇଲେକ୍‌ଟ୍ରନ୍‌, ପ୍ରୋଟନ୍‌ ଆଦି ଭିତରେ ରହିଛି; କେଉଁଠୁ ବାହାରୁ ଆସି ଯୋଡ଼ି ହେଇ ଯାଉନାହିଁ । ସେମିତି ଆଗକୁ ରାସାୟନିକ ଯୌଗିକ ପଦାର୍ଥର ସଯୋଗରେ ପ୍ରାଣୀ ସୃଷ୍ଟ ହେଉଛି ତ ତାହାଠାରେ ଅଦ୍ଭିବ୍ୟକ୍ତ ହେବା ଜୀବନ ଓ ଚେତନାର ସମ୍ଭାବନା ମଧ୍ୟ ଅଣୁପରମାଣୁ ମଧ୍ୟରେ ପ୍ରଚ୍ଛନ୍ନ ଥିଲା ବା ରହିଛି । ତେଣୁ ଜୀବନ, ଚେତନା ଓ ସେଥିରୁ ଉପୁଜୁଥିବା ଭଲମନ୍ଦ ବିଚାର, ମୂଲ୍ୟବୋଧ ଆଦିର ବୀଜ ସାରା ସୃଷ୍ଟିର ସମସ୍ତ ପଦାର୍ଥଭିତରେ ରହିଛି । ଏ ଅର୍ଥରେ ଚେତନାର ଅସ୍ତିତ୍ୱ ବିଶ୍ୱବ୍ୟାପୀ ।

 

ଏମିତି ସପକ୍ଷ ବିପକ୍ଷ ଅନେକ ପ୍ରକାରର ଯୁକ୍ତି ଚାଲିପାରେ ଓ ଚାଲିଛି; କିନ୍ତୁ ମୁଖ୍ୟ କଥା ହେଲା ଯେ ଯେଉଁମାନଙ୍କର ଜୀବନ ପ୍ରତି ଆସ୍ଥା ଅଛି ସେମାନେ ତାହା ପାଇଲେ କେଉଁଠୁ ? ଅନ୍ୟ ମଣିଷ ପ୍ରତି ସହାନୁଭୂତି ସେମାନଙ୍କର ଆସ୍ଥାର ଏକ ମୂଳ ଉପାଦାନ ହେଇଥିବାର ଦେଖାଯାଏ । ଏହି ସହାନୁଭୂତି ହିଁ ସେମାନଙ୍କୁ ପ୍ରେରଣା ଦେଇଛି ମଣିଷର ଦୁଃଖ ଦୁର୍ଦ୍ଦଶାର ପ୍ରତିକାରର ବାଟ ଖୋଜିବାକୁ । ଏହାର ମାର୍ଫତ ସେମାନେ ନିଜ ଜୀବନର ଅର୍ଥ ଖୋଜି ପାଇଛନ୍ତି । ପୁଣି ସେହିପରି ଜାଣିବାର ତୃଷା ମଧ୍ୟ ସେମାନଙ୍କୁ ଜୀବନର ଅର୍ଥ ଖୋଜିବାର ପ୍ରେରଣା ଯୋଗେଇଛି । ବୈଜ୍ଞାନିକ ଯେପରି ବିଶ୍ୱାସ କରେ ଯେ ଏ ସୃଷ୍ଟିର ସଙ୍ଗଠନ ଓ ରଚନାର ମୂଳରେ କିଛି ନିୟମ ଓ ଶୃଙ୍ଖଳା ଅଛି, ଯାହାକୁ ମଣିଷ ଆବିଷ୍କାର କରିପାରିବ, ସେହିଭଳି କେତେକେ ବିଶ୍ୱାସ କରନ୍ତି ଯେ ଜୀବନ ଓ ମୂଲ୍ୟବୋଧର ପରିପ୍ରେକ୍ଷୀରେ ବି ଏ ସୃଷ୍ଟିର କିଛି ଅର୍ଥ ଅଛି, ଯାହା ଖୋଜି ବାହାର କରିବାକୁ ହେବ । ପୁଣି ଅନେକଙ୍କର ସୃଜନଶୀଳତାର ତାଗିଦ୍‌ ଓ ସୌନ୍ଦର୍ଯ୍ୟବୋଧ ସେମାନଙ୍କୁ ବୃହତ୍ତର ସୃଷ୍ଟି ଓ ମଣିଷ ଜୀବନ ଭିତରେ ଗୋଟାଏ କିଛି ଅର୍ଥପୂର୍ଣ୍ଣ ସମ୍ୱନ୍ଧ ଖୋଜିବା ପାଇଁ ପ୍ରେରଣା ଦେଇଥାଏ । ସୃଷ୍ଟିରେ ସୌନ୍ଦର୍ଯ୍ୟର ଅଭିବ୍ୟକ୍ତି ଓ ମଣିଷର ସେ ସୌନ୍ଦର୍ଯ୍ୟକୁ ଅନୁଭବ ଓ ଉପଭୋଗ କରିବାର ଶକ୍ତି ଏ ଉଭୟର ଯୋଗାଯୋଗ ଆକସ୍ମିକ ନୁହେଁ ବୋଲି ସେମାନେ ଅନୁଭବ କରନ୍ତି ।

 

ପୁଣି ଆଉ ଗୋଟାଏ କଥା ବି ଦେଖାଯାଏ ଯେ ଏଭଳି ଲୋକେ ଏକ ବୃହତ୍ତର ଶକ୍ତି ବା ପ୍ରେରଣାର ଅସ୍ତିତ୍ୱ ଅନୁଭବ କରନ୍ତି । ଗୋରା ଓ ଗାନ୍ଧୀ ଉଭୟ ଅନୁଭବ କରୁଥିଲେ ଯେ ସେମାନେ ଯେଉଁ ସବୁ ଆଦର୍ଶ ପାଇଁ ଲଢ଼ୁଛନ୍ତି ତାହାର ମଞ୍ଜି କେବଳ ଏକୁଟିଆ ସେମାନଙ୍କର ଭିତରେ ନାହିଁ । ସେମାନେ ଏ ଦୁନିଆରୁ ବିଦାୟ ନେବାପରେ ସବୁ ଅନ୍ଧାର ହେଇଯିବ ନାହିଁ । ସେମାନଙ୍କ ପୂର୍ବରୁ ବି ଏସବୁ ପାଇଁ ଛିଡ଼ାହେବା ଲୋକ ଥିଲେ ଓ ପରେ ବି ରହିବେ ଓ ଆଗକୁ ଅଧିକରୁ ଅଧିକ ଲୋକ ଏସବୁକୁ ଗ୍ରହଣ କରିବେ ।

 

ଗାନ୍ଧିଜୀଙ୍କର ଆସ୍ଥା ଥିଲା ଯେ ତାଙ୍କର ନିଜର ଓ ପ୍ରତ୍ୟେକର ହୃଦୟରେ ଈଶ୍ୱର ଅଛନ୍ତି; ଅର୍ଥାତ୍‌ ପ୍ରତ୍ୟେକଙ୍କ ଭିତରେ ସତ୍ୟ ଜାଣିବାର ପ୍ରେରଣା ଓ ଅନ୍ୟ ମଣିଷପ୍ରତି ସଦ୍ଭାବର ବୀଜ ରହିଛି । ଏହାରି ଉପରେ ନିର୍ଭର କରି ସେ ନିଜର ସାରା ଜୀବନର ପ୍ରୟୋଗ ଓ ସଂଘର୍ଷ ଚଳେଇଥିଲେ । ଈଶ୍ୱର ସାରା ସୃଷ୍ଟିରେ ବ୍ୟାପ୍ତ ଥିଲେ ବି ବଢ଼ି, ମରୁଡ଼ି ବା ଲଞ୍ଜାତାରା ପଠେଇ ଗାନ୍ଧିଜୀଙ୍କ କାମକୁ ଆଗେଇନେବେ ବୋଲି ସେ ଭାବୁ ନ ଥିଲେ । ମଣିଷର ବୁଦ୍ଧି ଓ ହୃଦୟ ଭିତର ଦେଇ ହିଁ କାମ କରିବେ ବୋଲି ତାଙ୍କର ଆସ୍ଥା ଥିଲା । ଈଶ୍ୱରରେ ମାନୁ ନଥିବା ମାନବବାଦୀଙ୍କ ଜୀବନରେ ମଧ୍ୟ ଏହିଭଳି ମଣିଷ ପ୍ରତି ଆସ୍ଥା ଊଣା ଅଧିକେ ଦେଖାଯାଏ ।

 

ଏ ବିଶ୍ୱାସର ପ୍ରତ୍ୟଷ ଭିତ୍ତି କ’ଣ ? ତାହା ହେଲା, ସେମାନେ ଅନୁଭବ କରୁଥିଲେ ଯେ ସେମାନେ ନିଜ ଭିତରେ ମଣିଷପ୍ରତି ଯେଉଁ ସ୍ନେହ, ସତ୍ୟକୁ ଜାଣିବାର ଆକାଙ୍‌କ୍ଷା ଓ ମଣିଷ ଜୀବନକୁ ସୁନ୍ଦର କରି ଗଢ଼ିବା ପାଇଁ, ଦୁଃଖ-ଦୁର୍ଦ୍ଦଶାରୁ ମୁକ୍ତ କରିବା ପାଇଁ ଯଥାସାଧ୍ୟ ଉଦ୍ୟମ କରିବାର ଯେଉଁ ପ୍ରେରଣା ଅନୁଭବ କରୁଛନ୍ତି ତାହା ପ୍ରତ୍ୟେକ ମଣିଷ ଭିତରେ ରହିଛି ଓ ଆତ୍ମପ୍ରକାଶ କରିବାର ଚେଷ୍ଟା କରୁଛି । ମଣିଷର ଇତିହାସରେ ସେମାନେ ଏହାରି ଅଭିବ୍ୟକ୍ତିର କ୍ରମବିକାଶ ହେଉଥିବାର ଅନୁଭବ କଲେ ଯେ ମଣିଷର ଅନ୍ତରର ପ୍ରେରଣା ବାହାରେ ଇତିହାସର ଧାରାରୂପେ ପ୍ରକାଶ ପାଉଛି । ସୃଷ୍ଟି ରଚନାରେ ଯେଉଁ ସବୁ ଶକ୍ତି କାମ କରୁଛି ବୋଲି ଅଦ୍ୟାବିଧି ଜଣାପଡ଼ିଛି ତାହା ସହିତ ମଣିଷର ଅନ୍ତରର ଏ ପ୍ରେରଣାର କି ସମ୍ବନ୍ଧ ତାହାର ସନ୍ଧାନ ଏପର୍ଯ୍ୟନ୍ତ ବିଜ୍ଞାନ ପାଇବାକୁ ବହୁତ ଡେରି ଅଛି । କିନ୍ତୁ ମଣିଷସମାଜରେ ଯେ ଏ ପ୍ରେରଣା ଗୋଟାଏ ଶକ୍ତି, ପ୍ରତ୍ୟେକ ମଣିଷ ଭିତରେ ଜନ୍ମଗତ ଏଇ ସ୍ନେହ ସହାନୁଭୂତି, ଜ୍ଞାନତୃଷ୍ଣା ଓ ସୃଜନଶୀଳତାର ପ୍ରେରଣା ଯେ ବ୍ୟକ୍ତିବିଶେଷର ଆକସ୍ମିକ ଳକ୍ଷଣ ନୁହେଁ, ସାରା ମାନବଜାତିର ପ୍ରତ୍ୟେକ ବ୍ୟକ୍ତି ଭିତରେ ରହିଛି ଓ ଏହିରୂପେ ଏସବୁ ପ୍ରେରଣା ବ୍ୟାପକ ସାମାଜିକ ଶକ୍ତି ମଧ୍ୟ, ଏ କଥା ଆଧୁନିକ ସମାଜବିଜ୍ଞାନ, ମନୋବିଜ୍ଞାନ, ନୃତତ୍ତ୍ୱ ଆଦି ମାନିନେଲେଣି ।

 

ଆଜି ସୃଷ୍ଟି ରହସ୍ୟ, ଜୀବନର ଅର୍ଥ ଆଦି ବିଷୟରେ ଚିନ୍ତନ ଏଇ ପରିପ୍ରେକ୍ଷୀ ଚାଲିଛି । ଜୀବନରେ ଯେଉଁମାନଙ୍କର ଆସ୍ଥା ଅଛି, ମଣିଷଠାରେ ଆସ୍ଥା ଅଛି, ସେମାନଙ୍କୁ ମାନବବାଦୀ କୁହାଯାଇଥାଏ । ଏମାନଙ୍କ ଭିତରେ କେହି ଈଶ୍ୱରଙ୍କ ନାମ ବ୍ୟବହାର କରନ୍ତି, କେହି କରନ୍ତି ନାହିଁ-। ଗୋଟାଏ ସ୍ତରରେ ଏ ପାର୍ଥକ୍ୟର ଗୁରୁତ୍ୱ ରହିଛି । କିନ୍ତୁ ଏ ପାର୍ଥକ୍ୟର ଜଞ୍ଜାଳରେ ପଡ଼ି ସମସ୍ତ ମାନବବାଦୀମାନଙ୍କର, ଗାନ୍ଧି ଓ ଗୋରା, ଶ୍ରୀଚୈତନ୍ୟ ଓ ରସେଲଙ୍କ ବିଚାର ଓ ବିଶ୍ୱାସରେ ଥିବା ଅର୍ଥସମ୍ଭାରର ସମାନତାକୁ ଭୁଲିଯାଇ କେବଳ ଲେବଲ ଦେଖି ଏ ଆସ୍ତିକ ଓ ସେ ନାସ୍ତିକ ବୋଲି କହି ସନ୍ତୁଷ୍ଟ ରହିବା ଅର୍ଥ ଅନେକ ମୂଲ୍ୟବାନ୍‌ ଚିନ୍ତନ, ମନନ ଓ କାର୍ଯ୍ୟର ପରିମାଣରୁ ନିଜକୁ ଲାଭାନ୍ୱିତ ହେବାରୁ ବଞ୍ଚିତ କରିବା ଓ ଶବ୍ଦ ଆଢ଼ୁଆଳରେ ରହିଥିବା ଫମ୍ପାପଣିଆକୁ ମଧ୍ୟ ଜାବୁଡ଼ି ଧରିବା କଥା ହେବ ।

 

ଗୋଟାଏ ପୁରୁଣା ଉକ୍ତି ଅଛି ଯେ ଈଶ୍ୱର ମଣିଷକୁ ତାଙ୍କର ନିଜ ରୂପରେ ଗଢ଼ିଛନ୍ତି । ଭଲତେୟର୍‌ ଏହାକୁ ଓଲଟେଇ କହିଲେ ଯେ ମଣିଷ ଈଶ୍ୱରଙ୍କୁ ନିଜ ରୂପରେ ଗଢ଼ିଛି । ପ୍ରକୃତରେ ମଣିଷ ନିଜର ମନର ଭାବ ହିଁ ତା’ର ଈଶ୍ୱରର କଳ୍ପନାରେ ଭରିଥାଏ । ଯେମିତି ସେ ନିଜ ହୃଦୟର ଜ୍ଞାନତୃଷ୍ଣା, ପ୍ରେମ, କରୁଣା, ଆତ୍ମବିଶ୍ୱାସ, ନିର୍ଭୟତା ଆଦିକୁ ଈଶ୍ୱର ଆଶ୍ରାରେ ଛିଡ଼ାକରାଏ ସେମିତି ନିଜର ଭୟ, ଉଦ୍‌ବେଗ, ଅସହାୟତା, ଅଜ୍ଞାନ ଆଦିକୁ ମଧ୍ୟ ଈଶ୍ୱର ଆଶ୍ରାରେ ଛିଡ଼ାକରେ ।

 

ବହୁତ ଲୋକ ନିଶ୍ଚେଷ୍ଟ ଭାବରେ ଭଗବାନ ବା ତାଙ୍କର ଏଜେଣ୍ଟ ବୋଲାଉଥିବା ବାବା ମା’ଙ୍କୁ ଆଶ୍ରା କରିଥିବାର ଦେଖାଯାଏ । ସେମାନେ ନିଜର ବୁଦ୍ଧି ବିବେକକୁ ବ୍ୟବହାର କରିବା ପରିବର୍ତ୍ତେ ଈଶ୍ୱର ବା ଗୁରୁଙ୍କ କୃପା ହେଲା ସବୁ ଠିକ୍‌ ହେଇଯିବ ବୋଲି ବିଶ୍ୱାସ କରନ୍ତି । ଆଜିକାଲିକା ଯୁଗରେ ସମାଜ ଓ ବିଶେଷ କରି ଅର୍ଥବ୍ୟବସ୍ଥାର ଗତିବିଧି ଯେତିକି ଜଟିଳ, ଅବୋଧ୍ୟ ଓ ସାଧାରଣ ମଣିଷ ପକ୍ଷରେ ଦୁର୍ବିସହ ହେଉଛି ଏ ପ୍ରକାରର ଈଶ୍ୱର ବା ଗୁରୁ ଆଶ୍ରା ସେତିକି ବଢ଼ିବାର ଦେଖାଯାଉଛି । ସାନପିଲା ଡରିଲେ ମା’ କୋଳରେ ଯାଇ ଲୁଚେ । ମନୋବୈଜ୍ଞାନିକମାନେ କହନ୍ତି ଯେ ମଣିଷ ଭିତରେ ମା’ର ଗର୍ଭର ନିଶ୍ଚିନ୍ତ ଓ ନିରାଲମ୍ବ ଅବସ୍ଥାକୁ ଫେରିଯିବାର ଗୋଟାଏ ଅଚେତନ ପ୍ରେରଣା ରହିଛି । ମଣିଷ ଉପରେ ବେଶୀ ଚାପ ପଡ଼ିଲେ, ତା’ର ଉଦ୍‌ବେଗ ବେଶୀ ତୀବ୍ର ହେଲେ ସେଟା ବାହାରେ । ଗୁରୁ ବା ଈଶ୍ୱରଙ୍କୁ ଆଶ୍ରା କରି ନିର୍ବେଦ ହେଇ ପଡ଼ିରହିବା ସେହି ପ୍ରେରଣାର ଅଭିବ୍ୟକ୍ତି ବୋଲି କୁହାଯାଇପାରେ । ସାନପିଲାର ଭୟ ଭାଙ୍ଗିବା ପାଇଁ ମା’ କୋଳର ଆବଶ୍ୟକତା ଅବଶ୍ୟ ରହିଛି । ମାତ୍ର ଯେଉଁ ପିଲା ମା’ କୋଳ ଛାଡ଼ି ମୋଟେ ପଦାକୁ ଯିବାକୁ ନାରାଜ ହୁଏ ତା’ର ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଶଙ୍କା ଉତ୍ପନ୍ନ ହେବାର ଯଥେଷ୍ଟ କାରଣ ରହିଛି । ସେହିପରି ସାବାଳକ ବ୍ୟକ୍ତି ମଧ୍ୟ କେତେବେଳେ କେମିତି ଥକିପଡ଼ି, ବିବ୍ରତ ହେଇ, ନିରାଶ ହେଇ ପଡ଼ିବା ସ୍ୱାଭାବିକ; କିନ୍ତୁ ସବୁବେଳେ ସେହି ଅବସ୍ଥାରେ ରହିବା ଅସ୍ୱାଭାବିକ । ଏଭଳି ଲୋକର ମନ ଯେ ପୁରା ସାବାଳକ ହେଇନାହିଁ ଏଇଟା ତା’ର ଲକ୍ଷଣ ।

 

ଦୁର୍ଗାପୁଜାରେ ସାହି-ସାହିରେ ଯେଉଁମାନେ ‘ଆମ ମେଢ଼ ଆଗ ଯିବ’ ବୋଲି ମାରପିଟ୍‌ କରନ୍ତି ସେମାନଙ୍କର ଈଶ୍ୱରର ଅର୍ଥ କ’ଣ ? ଆମ ଗାଁ, ଆମ ସାହି, ଆମ ଦେଶ ବୋଲି ମଣିଷ ନିଜକୁ ସମୂହର ଅଂଶ ବୋଲି ବିଚାରି ଗର୍ବ ଅନୁଭବ କରିବା ଭଲ; କିନ୍ତୁ ସାହିର ଲୋକମାନଙ୍କଠାରେ ଈଶ୍ୱରବିଶ୍ୱାସ ଏ ଭାବ କାହିଁକି ଆଣିଦିଏ ନାହିଁ ଯେ ସାହିର ଅନାଥ, ବିଧବା, ପଙ୍ଗୁ, ଅସହାୟ, ଲୋକଙ୍କର ଆମେ ସାହି ପକ୍ଷରୁ ଯତ୍ନ ନେବା ? ଏଥିରେ କୋଉ ସାହି ବେଶୀ କରିପାରିବ ତା’ର ପ୍ରତିଯୋଗିତା ଚାଲୁ ? କୋଉ ସାହି ବେଶୀ ସଫାସୁତୁରା ରହିବ ତା’ର ପ୍ରତିଯୋଗିତା ଚାଲୁ ? ବୈଷମ୍ୟମୂଳକ ସ୍ଥାଣୁ ସମାଜରେ ପ୍ରକୃତ ଯେଉଁ ସବୁ ହଜାର ପ୍ରକାରର କାମ ନିଜର, ସାରା ସମାଜର ଜୀବନକୁ ଉନ୍ନତ ସୁନ୍ଦର, ଆନନ୍ଦମୟ କରିବା ପାଇଁ କରାଯିବା ଆବଶ୍ୟକ ତାହା ପ୍ରତି ଦୃଷ୍ଟି ଯାଏ ନାହିଁ । ରାଜାରାଜୁଡ଼ାମାନେ ପ୍ରତିଷ୍ଠାର ଯେଉଁସବୁ ନକଲି ମାପକାଠିଗୁଡ଼ାକ ଚାଲୁ କରିଥିଲେ, ତାହାରି ମାପରେ ଅନ୍ୟଠୁଁ ନିଜକୁ ବଡ଼ ବୋଲି ଜାହିର କରିବା, ଅନ୍ୟକୁ ତଳକୁ ଠେଲିବା, ଉଞ୍ଚ ପିଣ୍ଡାରେ ବସିବା, ବାଟରେ ସମସ୍ତଙ୍କ ଆଗରେ ଚାଲିବା, ଏଇସବୁ କଥାରେ ସମସ୍ତ ବୁଦ୍ଧି, କୌଶଳ, ଶକ୍ତି ଖରଚ ହୁଏ ଦେବୀମେଢ଼ ଏଇ ସ୍ଥାଣୁ, ସାଆନ୍ତିଆ ପରମ୍ପରାର ପ୍ରତୀକ ହୁଏ ।

 

ଇଂଲଣ୍ଡର ରାଷ୍ଟ୍ରୀୟ ସଙ୍ଗୀତରେ ଅଛି: ‘‘ଈଶ୍ୱର ଆମ ରାଜାଙ୍କର ଶତ୍ରୁକୁ ହତବୁଦ୍ଧି କରନ୍ତୁ-।’’ ଯେମିତି ଜାଣି ଈଶ୍ୱର ରାଜାଙ୍କର ବୋଲକରା କର୍ମଚାରୀ । ଜାପାନର ସୈନ୍ୟମାନେ ସାମ୍ରାଜ୍ୟ ବିସ୍ତାର ପାଇଁ ଯୁଦ୍ଧ କରିବାକୁ ଯିବା ପୂର୍ବରୁ ବୌଦ୍ଧ ମନ୍ଦିରରେ ପ୍ରାର୍ଥନା କରୁଥିଲେ । ଆମେରିକାର ବୈମାନିକ ଭିଏତ୍‌ନାମ ବା କାମ୍ବୋଡିଆରେ ବୋମା ପକେଇବାକୁ ଯିବା ପୂର୍ବରୁ ଗୀର୍ଜାରେ ପ୍ରାର୍ଥନା କରୁଥିଲେ । ଏମାନଙ୍କର ଈଶ୍ୱର ରାଷ୍ଟ୍ରୀୟ ଅହମିକା, ବର୍ଣ୍ଣବିଦ୍ୱେଷ ଓ ସାମ୍ରାଜ୍ୟବାଦୀ ପ୍ରତାପର ପ୍ରତୀକ ଛଡ଼ା ଆଉ କ’ଣ ? ସାଧାରଣ ସୈନିକ ମନରେ ହୁଏତ ଏହା ପରିବର୍ତ୍ତେ କେବଳ ବୁଦ୍ଧି ଓ ବିବେକର ଜଡ଼ତା ଥାଏ; ଈଶ୍ୱରଙ୍କ ନିର୍ଦ୍ଦେଶ ମଣିଷ ନିଜର କର୍ତ୍ତବ୍ୟ ପାଳନ କରିବ; କର୍ତ୍ତବ୍ୟ ଅର୍ଥ ଉପରୁ ଯାହା ହୁକୁମ ଆସିବ । ଏହା ସାଙ୍ଗକୁ ଏ ବିଶ୍ୱାସ ହୁଏତ ଥାଏ ଯେ ଈଶ୍ୱର ତା’କୁ ସବୁ ସଙ୍କଟରୁ ବଞ୍ଚେଇଦେବେ ।

 

କେତେକ ଲୋକ, ବିଶେଷ କରି ସ୍ତ୍ରୀଲୋକେ, ସାରା ଦିନ ଠାକୁରଘରେ ନାନା ପ୍ରକାରର ପୂଜା ଅର୍ଚ୍ଚନା, ଉପବାସ, ଭାଗବତ ପାଠ ଆଦିରେ କଟାଇବାର ଦେଖାଯାଏ । ଏଭଳି ଲୋକଙ୍କ ବିଷୟରେ ସାଧାରଣ ଲୋକଙ୍କ ମୁହଁରୁ ଶୁଣାଯାଏ, ‘‘ପୁଅ ସାଙ୍ଗରେ ଅପଡ଼ ହେବା ଦିନୁଁ ସାଆନ୍ତେ ଆଉ କିଛି ବୁଝାସୁଝା କରୁନାହାନ୍ତି । ତାଙ୍କ ଧର୍ମକର୍ମ ନେଇଅଛନ୍ତି ।’’ ପ୍ରବଳ ଦ୍ୱନ୍ଦ୍ୱର ସମ୍ମୁଖୀନ ହେଲେ ମଣିଷ ବାହାର ଦୁନିଆରୁ ହଟିଯାଇ ନିଜକୁ ସଙ୍କୁଚିତ କରିଦିଏ । କିଏ ପଢ଼ାଶୁଣାକୁ ଏଭଳି ପ୍ରତ୍ୟାହାରର ମାଧ୍ୟମ କରେ, କିଏ ଆଉ କ’ଣ । ଏଭଳି ଠାକୁରଙ୍କୁ ନେଇ ପଡ଼ିରହିବା ବି ପ୍ରତ୍ୟାହାର ଏକ ପ୍ରକାରର । ମଣିଷର ମାନସିକ ଭାରସାମ୍ୟ ଫେରେଇ ଆଣିବା ପାଇଁ ସାମୟିକଭାବରେ ଏଭଳି ପ୍ରତ୍ୟାହାରର ମୂଲ୍ୟ ଅଛି । ମାତ୍ର ଏଇଟା ଜୀବନର ଶୈଳୀ ହେଇଯିବାଟା ଅସ୍ୱାଭାବିକତାର ଲକ୍ଷଣ ।

 

ମୂରବୀପ୍ରଧାନ ସମାଜରେ–ଯେଉଁଠି ପରିବାରର ବାପଠୁଁ ଆରମ୍ଭ କରି ସମାଜର ଓ ଦେଶର ‘ବାପ’ ଯାଏ ପୁଅଝିଅମାନଙ୍କର ଜୀବନକୁ କଡ଼ା ହାତରେ ନିୟନ୍ତ୍ରଣ କରନ୍ତି-ସେଠି ଯେଉଁ ବ୍ୟକ୍ତିତ୍ୱ ଗଢ଼ିଉଠେ ତାହା ଭିତରେ ବହୁତ ଉଦ୍‌ବେଗ, ଦ୍ୱେଷ ଓ ସନ୍ଦେହ ଜମା ହେଇରହିଥାଏ । ଏଇଗୁଡ଼ାକ କେତେବେଳେ ‘ବିଧର୍ମୀ’ ବିରୋଧରେ ତ କେତେବେଳେ ପଡ଼ୋଶୀ ରାଷ୍ଟ୍ର ବିରୋଧରେ ଧାଇଁଯାଏ । ଏଗୁଡ଼ାକର କବଳରେ ପଡ଼ିଥିବା ମଣିଷର ଈଶ୍ୱରଙ୍କର ରୂପ କି ପ୍ରକାରର ହୁଏ ? ବିଧର୍ମୀକୁ ନାଶ କରିବା ପାଇଁ ଆଖିକାନ ବୁଜି (…..) ହେଇଥିବା ରକ୍ତମୁଖା ଦେବତା ।’’ଆଲ୍ଲା ହୋ ଅକ୍‌ବର ।’’ ‘‘ହର ହର ମହାଦେବ ।’’ ‘‘ୱାହ ଗୁରୁଜୀ କୀ ପତେହ୍‌ ।’’

 

ଈଶ୍ୱର ନ ମାନୁଥିବା ଲୋକଙ୍କର ମନୋଜଗତରେ ବି ଏଇ ସବୁ ଖେଳ ଦେଖିବାକୁ ମିଳେ । ସେତେବେଳେ ସେସବୁର ଆଶ୍ରା କେତେବେଳେ ଇତିହାସର ଦାବି ତ କେତେବେଳେ ରାଷ୍ଟ୍ରର ଦାବି ଓ କେତେବେଳେ ଅନ୍ୟ ରୂପରେ ପ୍ରକାଶ ପାଇଥାଏ । ସୋଭିଏତ୍‌ ଦେଶର ସାଧାରଣ ଲୋକଙ୍କର ଭାଗ୍ୟବାଦ ଆମ ଦେଶ ଅପେକ୍ଷା କିଛି ଊଣା ହେଇ ନ ଥିବ; ତେବେ ତାହାର ଆଶ୍ରା ଅନ୍ୟ କିଛି ହେଇଥିବ । ଈଶ୍ୱରଙ୍କ ବଦଳରେ ପାର୍ଟି ଚେୟାରମ୍ୟାନ୍‌ଙ୍କୁ ସ୍ତୁତି କଲେ ଭାଗ୍ୟ ପ୍ରସନ୍ନ ହେବ ବୋଲି ଲୋକେ ବିଚାରୁଥିବେ । ଯେଉଁଠି ମଣିଷର ସ୍ୱାଧୀନଭାବରେ ଚିନ୍ତା କରିବାର, ସ୍ୱାଧୀନ ମତ ବ୍ୟକ୍ତ କରିବାର, ଅର୍ଥନୀତିକୁ ଓ ରାଜନୀତିକୁ ପ୍ରଭାବିତ କରିବାର ଶକ୍ତି ନାହିଁ, ସେଠି ମଣିଷ ଭାଗ୍ୟବାଦୀ ହେବ ହିଁ ହେବ; ଯଦିଓ ନିରୀଶ୍ୱର ଭାଗ୍ୟବାଦର ରୂପକୁ ଅନଭ୍ୟସ୍ତ ଆଖି ଚିହ୍ନିପାରିବା ହୁଏତ କଠିନ ହେଇପାରେ ।

 

ଏଣୁ ଆଜିର ଦୁନିଆରେ ଈଶ୍ୱରଙ୍କ ପଛରେ ଠେଙ୍ଗା ଧରି ଗୋଡ଼େଇବାରେ ସାର ନାହିଁ କି ଅଧିକାଂଶ ଲୋକେ ଈଶ୍ୱରରେ ବିଶ୍ୱାସ କରୁଛନ୍ତି ବୋଲି ଆତ୍ମପ୍ରସାଦ ଲାଭ କରିବାର ଅର୍ଥ ନାହିଁ-। ବିଶ୍ୱାସ ବା ଅବିଶ୍ୱାସର ଅର୍ଥସମ୍ଭାର ହିଁ ଅସଲ କଥା । ମଣିଷ ମଣିଷକୁ ଭଲ ପାଉଛି, ସମ୍ମାନ କରୁଛି ନା ନାହିଁ ? ତା’ର ଜ୍ଞାନର ଆକାଂକ୍ଷା ଶୁଖିଯାଇଛି ନା ଅବାରିତ ଅଛି ? ତା’ର ନିଜ ଉପରେ ଆସ୍ଥା ଅଛି, ଦୁନିଆର ମଣିଷର ସଦ୍‌ବୁଦ୍ଧି ଉପରେ ଆସ୍ଥା ଅଛି ନା ନିଜକୁ ସେ ଅସହାୟ, ପରାଜିତ ମନେକରୁଛି ? ଦୁନିଆର ଲୋକଙ୍କ ପ୍ରତି ଅନାସ୍ଥା, ଅବିଶ୍ୱାସ, ତିକ୍ତତା, ପୋଷଣ କରୁଛି ? ଅତି ଦୁର୍ଦ୍ଦିନରେ ବି ତା’ର ହସିବାର ଶକ୍ତି ଅଛି ନା ନାହିଁ ? ମହୁମାଛିର ଡେଣା, ଘାସ ଉପରେ ଶିଶିର ବିନ୍ଦୁ, ସନ୍ଧ୍ୟା ମେଘରେ ରଙ୍ଗର ଖେଳ ଦେଇ ତା’ର ମନରେ ବିସ୍ମୟ ଓ ଆନନ୍ଦ ଉଛୁଳି ଉଠୁଛି ନା ତା’କୁ ସବୁ ତୁଚ୍ଛ, ସବୁ ବୃଥା ଲାଗୁଛି ? ନିଜକୁ ସେ ବିସ୍ତାରିତ କରି ସମସ୍ତଙ୍କର ହସ-ଖେଳରେ, ଦୁଃଖ-ଶୋକରେ ଭାଗ ହେବାର ପ୍ରେରଣା ଅନୁଭବ କରୁଛି ନା ନିଜ ଚାରିପଟେ ବାଡ଼ବୁଜି, ନିଜ ଅସ୍ତିତ୍ୱର ବି ଗୋଟାଏ ଫାଳକୁ ବାଡ଼ ବାହାରେ ରଖିବା ଚେଷ୍ଟା କରି ନିଜକୁ ସଙ୍କୁଚିତ କରିଚାଲିଛି ?

 

ଏହିପରି ସବୁ ପ୍ରଶ୍ନର ଉତ୍ତର ଆଜିର ଦୁନିଆରେ ତାତ୍ପର୍ଯ୍ୟପୂର୍ଣ୍ଣ ‘‘ମୃତ୍ୟୁ ଭିତରେ ଜୀବନ ତିଷ୍ଠିଛି, ଅନ୍ଧାର ଭିତରେ ଆଲୋକ ତିଷ୍ଠିଛି, ଅସତ୍ୟ ଭିତରେ ସତ୍ୟ ତିଷ୍ଠିଛି’’–ଏ ଆସ୍ଥାର ଯେଉଁଠି ଅଭାବ ସେଠି ଈଶ୍ୱରଙ୍କର ନାନା ପ୍ରଚାର କରି ବା ଈଶ୍ୱରଙ୍କ ବିରୋଧରେ ପ୍ରଚାର କରି ମଣିଷକୁ ନିର୍ଜୀବତାରୁ ସଜୀବତାକୁ ଆଣିହେବ ନାହିଁ । ମଣିଷକୁ ପୂରା ସଜୀବ କରିବାର ରାଜମାର୍ଗ ଏ ଯାଏ ମିଳିନାହିଁ; କିନ୍ତୁ ତା’ର ଉଦ୍ୟମ ନାନା ଭାବରେ ଚାଲିଛି ଓ ଏତିକ ସ୍ପଷ୍ଟ ଯେ ମଣିଷର ନିଜ ବିଷୟରେ ଓ ଦୁନିଆ ବିଷୟରେ ଯେଉଁ ସବୁ ସଙ୍କୁଚିତ ଧାରଣା ରହିଛି, ସେସବୁକୁ ବୁଝି ବଦଳାଇବାକୁ ପଡ଼ିବ । ଏଥିପାଇଁ ପଦାର୍ଥବିଜ୍ଞାନ, ଜ୍ୟୋତିର୍ବିଜ୍ଞାନଠାରୁ ଆରମ୍ଭ କରି ରାଜନୀତି, ଅର୍ଥନୀତି ଓ ମାନସିକ ସ୍ୱାସ୍ଥ୍ୟ ସବୁ କ୍ଷେତ୍ରରେ ଅଭିଯାନ ଲୋଡ଼ା । ଅନ୍ୟକୁ ସଜୀବ କରିବାକୁ ଚେଷ୍ଟା କରିବା ପୂର୍ବରୁ ନିଜେ ସଜୀବ ହେବାର ଚେଷ୍ଟା ଚାହି । ସଜୀବତା ଛୁଆଁ ତା’ ରୋଗ ପରି । ନିର୍ଜୀବମାନଙ୍କ ଭିତରେ ବି ପ୍ରାଣର ସ୍ପନ୍ଦନ ଅଛି ଓ ସଜୀବତାର ଝଙ୍କାର ସେଥିରେ ପ୍ରତିଝଙ୍କାର ତୋଳେ ।

Image